Unknown

 

 

 

 

 

 

 

 

 

 

 

ଦ୍ୱାରକା-ପ୍ରଭାସ

ଶ୍ରୀ ଆର୍ତ୍ତତ୍ରାଣମିଶ୍ର

 

Image

ଜ୍ୟୋତିର୍ମୟ ଲିଙ୍ଗ

(ଅହଲ୍ୟା ବାଈ ନିର୍ମିତ ସୋମନାଥ ମନ୍ଦିର)

 

ଉତ୍ସର୍ଗ

Image

ଶ୍ରୀ ସ୍ୱାମୀ ପ୍ରକାଶାନନ୍ଦ ପରମହଂସ

 

ସହସ୍ରାରେ କର୍ଣ୍ଣିକାରେ ରକ୍ତପଦ୍ମେସ୍ଥିତ ଗୁରୁ

ଦ୍ୱିନେତ୍ରଃଦ୍ୱିଭୂଜଃ ପ୍ରଭୁଃ ଶ୍ୱେତ ସୂର୍ଯ୍ୟ ସମପ୍ରଭ

ଉଙ୍କାର ହୁଂକାର ବକ୍‌ତ୍ରେ ଅକାର ହକାର ଦ୍ୱୟଂ

ଚତୁଃର୍ବର୍ଣ୍ଣେ ଭବେତ୍‌ସୃଷ୍ଟି ତସ୍ମୈ ଶ୍ରୀ ଗୁରବେ ନମଃ ।।

 

ଶ୍ରୀ ଗୁରୁଦେବଙ୍କ ପାଦପଦ୍ମେ ଅର୍ପିତ ହେଲା ।

 

ବାଲୁକେଶ୍ୱର ପୁର

କୃପାଭିଳାଷୀ

ମହାଳୟା ୧୯୦୪ ଶକାବ୍ଦ

ଆର୍ତ୍ତ

✽✽✽

 

ମୁଖବନ୍ଧ

 

ଆମର ଏଇ ଭାରତବର୍ଷ ଏକ ପୂଣ୍ୟଭୂମି । ଏହାର ପ୍ରମାଣ ଦିଅନ୍ତି ଚାରିସୀମାନ୍ତରେ ବିଦ୍ୟମାନ ଚାରି ଦେବପୀଠ ଓ ମଧ୍ୟରେ ଅସଂଖ୍ୟ ଦେବଦେବୀ ମନ୍ଦିର । ଭୌଗୋଳିକ ଓ ଐତିହାସିକ ତଥ୍ୟ ମଧ୍ୟ ଭରପୂର ରହିଛି । ଭ୍ରମଣକାରୀଙ୍କ ଦୃଷ୍ଟିକୋଣ ଉପରେ ଏସବୁ ନିର୍ଭର କରେ । ଚାରି ସୀମାନ୍ତର ଚାରିପୀଠକୁ ହିନ୍ଦୁମାନେ ଚାରିଧାମ କୁହନ୍ତି ଓ ସେସବୁ ଦର୍ଶନ କଲେ ସ୍ୱର୍ଗପ୍ରାପ୍ତି ବା ମୁକ୍ତି ଲାଭ ହୁଏ ବୋଲି ବିଶ୍ୱାସ କରନ୍ତି । ତେଣୁ ଅବସ୍ଥା ସମ୍ପନ୍ନ ହିନ୍ଦୁମାନେ ତୃତୀୟାବସ୍ଥାରେ ଏସବୁ ଭ୍ରମଣରେ ସସ୍ତ୍ରୀକ ଯିବାର ମଧ୍ୟ ଏକପ୍ରକାର ପ୍ରଥା ପ୍ରଚଳିତ ଅଛି । କଥାରେ କହନ୍ତି–

 

‘‘ପ୍ରଥମେ ନାର୍ଜିତଂ ବିଦ୍ୟା

ଦ୍ୱିତୀୟେ ନାର୍ଜିତଂ ଧନଂ

ତୃତୀୟେନାର୍ଜିତଂ ପୂଣ୍ୟ

ଚତୁର୍ଥେ କିଂ କରିଷ୍ୟତି ।’’

 

ଲେଖକ ସସ୍ତ୍ରୀକ ଏହି ଚାରିଧାମ ଭ୍ରମଣ କରିଛନ୍ତି । ଏହା ପୂର୍ବରୁ ସେ ତିନିଖଣ୍ଡି ବହି ଲେଖି ପ୍ରକାଶ କରିଛନ୍ତି ଓ ସେସବୁ ଓଡ଼ିଶାର ଲାଇବ୍ରେରୀ, ସ୍କୁଲ ଓ କଲେଜମାନଙ୍କର ଆଦୃତ ହୋଇ ପାରିଛି ଏହିଠାରେ ଏକ ବିଚିତ୍ର ବିଡମ୍ୱନା ଦେଖା ଦେଇଛି । ଜୀବନ ଯାହାର ଗାଡିଚକ ସାଥିରେ ଗତି କରେ, ଦୈନନ୍ଦିନ ରୁଟିନ ବନ୍ଧା କାମରେ ଟିକିଏ ଏପଟ ସେପଟ ହେଲେ ଯାହାର ତେଲ ଲୁଣର ସଂସାର ଅଟକିଯାଏ, ସେ ପୁଣି ବହୁ ସମୟ ବ୍ୟୟ କରି ସାହିତ୍ୟ ଚର୍ଚ୍ଚା କରେ ଓ କାହାଣୀ ଲେଖିପାରେ ? ଏହା ସମ୍ଭବହୋଇ ପାରିଛି କେବଳ ଦୃଢ଼ପ୍ରତିଜ୍ଞା, ଅକ୍ଳାନ୍ତ ପରିଶ୍ରମ ଓ ଅଗାଧ ଚେଷ୍ଟା ଯୋଗୁଁ । ଏଥିପାଇଁ ସେ ଧନ୍ୟବାଦାର୍ହ ।

 

ପୂର୍ବ ତିନିଖଣ୍ଡି ବହି ପଢ଼ିସାରିବା ପରେ ଏହି ପାଣ୍ଡୁଲିପିଟି ମୋତେ ଦେଇ ମୁଖବନ୍ଧଟିଏ ଲେଖିଦେବାକୁ ଅନୁରୋଧ କରିବାରୁ ମୁଁ ସେଥିପାଇଁ ଅଯୋଗ୍ୟ କହି ମନା କରି ଦେବା ହିଁ ଯଥାର୍ଥ ହୋଇ ଥାଆନ୍ତା । କିନ୍ତୁ ଅନ୍ତର ଭିତରୁ ଗୋଟାଏ ଅଦ୍‍ଭୁତ ପ୍ରେରଣା ଆସିଲା, ଯଦ୍ଦ୍ୱାରା ସମ୍ମତି ପ୍ରଦାନ ନ କରି ରହି ପାରିଲି ନାହିଁ । ପଢ଼ାଶେଷ କରି ଲେଖିବା ପାଇଁ ଯେତେବେଳେ ଉଦ୍ୟମ କଲି ଦେଖିଲି ଅତୀତ ମୂର୍ତ୍ତିମନ୍ତ ହୋଇ ଆଗରେ ନାଚୁଛି । ଏଇ ଗ୍ରାମର ଏ ଅଯୋଗ୍ୟ ପୁଅ, ଗ୍ରାମର ପୂର୍ବ ଗୌରବ ଫେରାଇ ଆଣିଛି ! ପିତୃ ପୁରୁଷକୁ ପିଣ୍ଡ ପ୍ରାଦନ କରି ସ୍ୱର୍ଗପୁରକୁ ପଠାଇ ଦେଇଛି । ପୁଣି ପୋଷ୍ୟବର୍ଗକୁ ଉତ୍ତମ ନାଗରିକ କରି ଗଢ଼ିପାରିଛି ଇତ୍ୟାଦି ଇତ୍ୟାଦି । ତେଣୁ ମୋର ପରିସ୍ଥିତି ଏପରି ହେଲାଯାହାକି ଜଣେ କବିଙ୍କ ଭାଷାରେ କହିବାକୁ ଗଲେ—‘ଫୁଟି ନ ପାରୁଥୁବା ଏକ କଳିକାର ବ୍ୟଥା ବା ଝରି ନ ପାରୁଥିବା ଏକ ଝରଣାର ଯନ୍ତ୍ରଣାପରି’ ଅନେକ କିଛି କହି ନ ପାରିବା ଅନୁଭୂତି । ଏପରି ଏକ ଭାବ ପ୍ରକାଶର ଅକ୍ଷମତା ପାଇଁ ମୁଁ ଦୁଃଖିତ ।

 

ଯୁଗେ ଯୁଗେ ଭ୍ରମଣ ମାନବ ଜୀବନରେ ଅପରିହାର୍ଯ୍ୟ । ଏଥିରେ ଦ୍ୱିମତର ସ୍ଥାନ ନାହିଁ-। ସହୃଦୟ ପାଠକମାନେ ଏ ବିଷୟରେ ମୋଠାରୁ ଅଧିକ ସଚେତନ ବୋଲି ଆଶା କରେ-। ତେବେ ଭ୍ରମଣ ମଧ୍ୟରେ ତୀର୍ଥ ଯାତ୍ରୀର ଏକ ଭିନ୍ନ ଗୁରୁତ୍ୱ ରହିଛି । ସାଧାରଣତଃ ତୀର୍ଥଯାତ୍ରୀ ଦେବଦେବୀଙ୍କର ମହିମା ଶୁଣିବାରେ ମୁଗ୍‌ଧ ରହନ୍ତି । କିନ୍ତୁ ଯେଉଁମାନେ ଅନୁସନ୍ଧିତ୍ସୁ ସେମାନେ ଦେବ ମହିମା ସହିତ ଭୌଗୋଳିକ ଓ ଐତିହାସିକ ତଥ୍ୟ ସଂଗ୍ରାହ କରିବାର ସୁଯୋଗ ମଧ୍ୟ ନେଇ ଥାଆନ୍ତି । ଭାଇ ଆର୍ତ୍ତତ୍ରାଣ ଜଣେ ତୀର୍ଥସେବୀ ପର୍ଯ୍ୟଟକ ଓ ଗବେଷକର ପରିଚୟ ଦେଇଛନ୍ତି-। ତାଙ୍କର ଏଇସବୁ ଭ୍ରମଣ କାହାଣୀ ମାଧ୍ୟମରେ ।

 

ଆହରଣ କରିଥିବା ସେହି ଅନୁଭୂତିଗୁଡ଼ିକୁ ସେ ସରଳ ଓ ପ୍ରାଞ୍ଜଳ ଭାଷାରେ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦକ୍ଷତାର ସହିତ ଉପନ୍ୟାସ ଭଳି ସୃଜନମୂଳକ ଭ୍ରମଣ କାହାଣୀରେ ପ୍ରକାଶ କରିଛନ୍ତି । କାହାଣୀଟି ଯେ ସହୃଦୟ ପାଠକ ପାଠିକାଙ୍କ ନିକଟରେ ଆଦୃତ ହେବ ଏ ଆଶା କରି ରହିଲି !

 

ବାଲୁକେଶ୍ୱରପୁର

ଭାଇନା

ତା ୧୭ । ୯ । ୮୧

ମୃତ୍ୟୁଜ୍ଞୟ ମିଶ୍ର

✽✽✽

 

ନିଜକଥା

 

ପାଠକ ପାଠିକାଗଣଙ୍କ ଶୁଭେଚ୍ଛା ଓ ଶୁଭାଶିଷ ନେଇ ଆଜି ‘‘ଦ୍ୱାରିକା-ପ୍ରଭାସ’’ ପ୍ରକାଶ ଲାଭ କରିବାକୁ ଯାଉଛି । ତା’ର ପ୍ରାକ୍‌କାଳରେ କହିବାକୁ ବସିଛି ନିଜ କଥା । କଲମ ଧରି ଭାବୁଛି, କେଉଁଠୁ ଆରମ୍ଭ କରି ଇତି କରିବି କେଉଁଠି ? ‘ନିଜକଥା’ ଆଗରେ ଯେତେଗୁଡ଼ିଏ ସମସ୍ୟା ଦେଖା ଦେଇଛି ପ୍ରତି ବିଷୟ ଉପରେ ହାତ ଦେବାକୁ ଗଲେ ସେ ନିଜ କଥା ନ ହୋଇ ନିଜ ଗାଥା ହୋଇଯିବ । ତେବେ ସଂକ୍ଷେପରେ ଦୁଇ ଚାରିପଦ ଲେଖି ଏହା ଶେଷ କରିଦିଏ ।

 

ଅନୁଭବୀ ବ୍ୟକ୍ତି ନିଶ୍ଚୟ ଅନୁଭବ କରିଥିବେ ଯେ, ଦେଖିବା, ଅନୁଭବ କରିବା ଏବଂ ଦେଖିଥିବା ଦୃଶ୍ୟକୁ ବଚନରେ ପ୍ରକାଶ କରିବା ଏବଂ କଲମରେ ଫୁଟାଇବା ସବୁ କ୍ଷେତ୍ରରେ ସଫଳତାର ସହ କରି ହୁଏନା । ଆଉ ସେ ଲେଖା ଯଦି ଭ୍ରମଣ କାହାଣୀ ହୁଏ ତେବେ ତ କଥା ସରିଲା । ଯେଉଁସବୁ ଜାଗାର କାହାଣୀ ବା ଲେଖା ପ୍ରକାଶ ହେବାକୁ ଯାଉଅଛି ସେସବୁ ସ୍ଥାନ ଦେଖିଥିବା ପାଠକଙ୍କର ଯେପରି ଅଭାବ ନାହିଁ, ସେପରି ଭବିଷ୍ୟତରେ ଦେଖି ପରଖି ନେବା ପାଠକପାଠିକାଙ୍କର ମଧ୍ୟ ଅଭାବ ନାହିଁ । ଏ ଦୁହିଁଙ୍କ ଅପେକ୍ଷା ଗବେଷକ ବା ସମାଲୋଚକଗଣ ଯେଉଁମାନେ ଏ କ୍ଷେତ୍ରମାନଙ୍କ ଉପରେ ଗବେଷଣା ଚଳାଉଛନ୍ତି ବା ବିଶେଷ ଜ୍ଞାନ ଲାଭ କରିଛନ୍ତି ସେମାନଙ୍କ ଚକ୍ଷୁର କଷଟିରେ ନଲିଖିତ ସ୍ଥା ମହାତ୍ମ୍ୟମାନ ପରିକ୍ଷା ହେବ । ଏଇ ପରୀକ୍ଷାରେ ଯଦି ସାମାନ୍ୟ ପାନରୁ ଚୂନ ଖସିଯାଏ ତେବେ ତ ତିଳରୁ ତାଳ ଓ ତୁମୂଳକାଣ୍ଡ ! ପାଠକଙ୍କୁ ଅନୁରୋଧ ଦେଶ, କାଳ ପାତ୍ରକୁ ଅନୁଧ୍ୟାନ କରି ଲେଖକର ଦୃଷ୍ଟିଭଙ୍ଗୀକୁ ଅନୁସରଣ କରନ୍ତୁ ।

 

ଉଦାହରଣ ସ୍ୱରୂପ କୁହାଯାଇ ପାରେ—ଆଜି ଆଉ ବଦରୀ ବିଶାଳ ଯାତ୍ରୀ ବଦ୍ରୀ କ୍ଷେତ୍ରର ସେହି ବହୁ ବିଖ୍ୟାତ ପ୍ରାଚୀନ ବଦରୀ ବୃକ୍ଷର ଦର୍ଶନ ପାଇ ପାରିବେ ନାହିଁ କି ବ୍ରହ୍ମ କପାଳୀର ସେହି ବହୁ ପ୍ରଚାରିତ ପିଣ୍ଡ ବିସର୍ଜନ କ୍ଷେତ୍ରଟି ଦେଖିଲେ ମଧ୍ୟ ଅନୁଭବ କରି ପାରିବେ ନାହିଁ । ସେଇ ଭଅଁର ଖାଉଥିବା ସ୍ଥାନଟି ଆଜି ଶକ୍ତ ସିମେଟ୍‍ ପାହାଚ ଭିତରେ ଲୁପ୍ତ ହୋଇ ଯାଇଛି-। ବର୍ତ୍ତମାନର ଦର୍ଶକ ସେଇ ପୁରୁଣା ଲେଖାକୁ ମିଳାଇଲେ ହତାଶ ହେବେ । କେବଳ ବଦ୍ରୀ ନୁହେ, ଏପରି ବହୁ କ୍ଷେତ୍ରରେ ରୂପାନ୍ତରିତ ହୋଇଯାଇଛି ।

 

ଭାଷାରେ ବି ସ୍ଥାନେସ୍ଥାନେଗୁରୁ ଲଘୁ ଦୋଷ ରହିଯାଇଛି ଏବଂ କେତେକ ସ୍ଥାନରେ ପୁନରୁକ୍ତି ମଧ୍ୟ ଘଟିଛି ଯାହାକୁ ଗୁଣଗ୍ରାହୀ ପାଠକ ନିଜ ଗୁଣରେ ମାର୍ଜନା କରିବେ ବୋଲି ଆଶା ।

 

ପରିଶେଷରେ ମୋର ବିନୀତ ନିବେଦନ—ମୁଁ ସ୍ରଷ୍ଟା ନୁହେଁ ଦ୍ରଷ୍ଟା, ସାହିତ୍ୟକ ନୁହେଁ କଥକ, କାରକ ନୁହେଁ ଧାରକ ମାତ୍ର—ମୋର ବିଚାର, ସେଇ ଦୃଷ୍ଟିଭଙ୍ଗୀନେଇ କରନ୍ତୁ; ତାହେଲେ ମୁଁ ନିଜକୁ ଭାଗ୍ୟବାନ ମନେକରିବି ।

 

ଏଥର ଦ୍ୱାରକା-ପ୍ରଭାସ ନେଇ ପଦେ କହିରଖେ । ଭାରତବର୍ଷର ଚାରିଧାମ ମଧ୍ୟରେ ଦ୍ୱାରକା ଦ୍ୱିତୀୟ ଧାମ । ଉଦ୍ଦେଶ୍ୟ ଥିଲା କେବଳ ଦ୍ୱାରକା ନେଇ ଲେଖି କାହାଣୀର ଇତି କରିବି । କିନ୍ତୁ ଘଟଣାକ୍ଷେତ୍ରରେ ତାହା ସମ୍ଭବ ହୋଇ ଉଠୁନି; ଯେହେତୁ କଲିକତାରୁ ସିଧାସଳଖ ଦ୍ୱାରକା ଯିବା ସମ୍ଭବ ହୋଇ ନାହିଁ । ଏହିପଥ ଅତିକ୍ରମ କଲାବେଳେ ଅନେକ ଜାଗାରେ ପାଣି ପିଇବାକୁ ହୋଇଛି । ପ୍ରତିଟି କ୍ଷେତ୍ର ସ୍ୱ ମହିମାରେ ପ୍ରତିଷ୍ଠିତ । ବିଚାରଦୃଷ୍ଟିରେ କିଏ କାହାକୁ ଊଣା ନୁହେଁ । କାହାକୁ ବାଦଦେଇ କାହକୁ ଧରିବା ଉପାୟ ନାହିଁ । ଅଥଚ ସମସ୍ତ ଦ୍ରଷ୍ଟବ୍ୟ ତଥା ଜ୍ଞାତବ୍ୟ ସ୍ଥାନନେଇ ଲେଖିବାକୁ ଗଲେ ଗୋଟିଏ ବିରାଟ ଗ୍ରନ୍ଥ ହୋଇପଡ଼ିବ । ମୋର ମନର ଭାବନା ସ୍ଥାନୀୟ କେତେଜଣ ବନ୍ଧୁଙ୍କୁ ଅଜଣା ରହିଲା ନାହିଁ । ସେମାନଙ୍କ ମଧ୍ୟରେ ଯୋଗୀନ୍ଦ୍ରନାଥ ସାହୁ, ସତ୍ୟବାଦୀ ଦୋରା, ହେମଚନ୍ଦ୍ର ପ୍ରଭୃତି । ସେମାନଙ୍କର ବକ୍ତବ୍ୟ ହେଲା ଯାତ୍ରାପଥର ସମସ୍ତ ଦ୍ରଷ୍ଟବ୍ୟ ସ୍ଥାନର ଟିକିନିକିକାହାଣୀକୁ ନେଇ ଭ୍ରମଣକାହାଣୀ ହେଉ । ହାଟବାଦଡ଼ାର ନନ୍ଦଭାଇନା (ପ୍ରଭାକର ନନ୍ଦ) ଓ ବାଲେଶ୍ୱରର କନିଷ୍ଠ ଶ୍ରୀମାନ ମାନସରଞ୍ଜନ ମଧ୍ୟ ପ୍ରାୟ ସେଇ ଅନୁରୋଧ କରିଛନ୍ତି ଚିଠି ମାଧ୍ୟମରେ । ସମ୍ୱନ୍ଧୀ ସିଦ୍ଧେଶ୍ୱର ମିଶ୍ର କହିଲେ, ‘‘ଏ ସମସ୍ତଙ୍କ ମନ୍ତବ୍ୟ ସାଧାରଣ ପାଠକଙ୍କ ମତାମତବୋଲି ଧରିନେଇ ପୂର୍ବ ବହିରେ ଯେଉଁ ନୀତି ଅନୁସରଣ କରିଛି ଏଥିରେ ବି ସେଇ ନୀତି ଧର ।’’ କହିବା ବାହୁଲ୍ୟ ସେ ଉପଦେଶ ଅନୁଯାୟୀ ଦ୍ୱାରକା-ପ୍ରଭାସ ଯାତ୍ରାନେଇ ଲିଖିତ ବହିଗୁଡ଼ିକର ସମସ୍ତ କୃତିତ୍ୱ ଏଇ ସବୁ ଶୁଭେଚ୍ଛୁଙ୍କର । କୃତଜ୍ଞତା ଜ୍ଞାପନକରି ଏମାନଙ୍କୁ ଆଉ ଛୋଟକରିବାକୁ ଯିବିନି !

 

ଏକ ଯାତ୍ରାର କାହାଣୀ ତିନିଭାଗରେ ପ୍ରକାଶ କରାଯାଇଅଛି—ବ୍ରଜମଣ୍ଡଳ, ମରୁପ୍ରାନ୍ତେ ରାଜସ୍ଥାନ ଓ ଦ୍ୱାରକା—ପ୍ରଭାସ ।

 

ଓଡ଼ିଶା ବୁକ୍‌ଷ୍ଟୋରର ସୁଯୋଗ୍ୟ ସତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ଗୋବିନ୍ଦଚରର ପାତ୍ର ମରୁପ୍ରାନ୍ତେ ରାଜସ୍ଥାନ ଭଳି ଦ୍ୱାରକା-ପ୍ରଭାସକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଚେଷ୍ଟା କରିଛନ୍ତି । ବହିଟି ଯଦି ସୁଧୀଜନକର୍ତ୍ତୃକ ଆଦୃତ ହୁଏ ତା’ କେବଳ ସମ୍ଭବ ହେବ ଶ୍ରୀଯୁକ୍ତ ପାତ୍ରଙ୍କ ଯୋଗୁଁ । ଏକଥା ଲେଖିବା ବାହୁଲ୍ୟ ମାତ୍ର ।

 

ସ୍ରଷ୍ଟା ଚାହେଁ ତା’ର ସୃଷ୍ଟି ଯଥାଶୀଘ୍ର ଲେକଲୋଚନକୁ ଆସୁ, ସେପରି ଲେଖକ ବି ଚାହେଁ ତା’ର ଲେଖା, ଛପାଅକ୍ଷରରେ ଚଞ୍ଚଳ ପ୍ରକାଶଲାଭ କରୁ । ତାଦ୍ଦ୍ୱାରା ସେ ପୁଣି ନୂତନ ସର୍ଜନା କରିବା ଉତ୍ସାହ ପାଇପାରିବ । ଗୋବିନ୍ଦବାବୁ ଦ୍ୱାରକା-ପ୍ରଭାସକ୍ଷେତ୍ରରେ ସେଇ କର୍ତ୍ତବ୍ୟ କରି ଉତ୍ସାହ ପ୍ରଦାନ କରିଛନ୍ତି । ବର୍ତ୍ତମାନ ନିସଂକୋଚରେ କହିପାରେ ଭବିଷ୍ୟତରେ ଯଦି ଦେବଭୂମି-ଦାକ୍ଷିଣାତ୍ୟଆତ୍ମପ୍ରକାଶ କରେ ତେବେ ତାହା ପୂରାପୂରି ଗୋବିନ୍ଦବାବୁଙ୍କ ଦାନ ହେବ ।

 

ଦ୍ୱାରକା-ପ୍ରଭାସ ଲେଖିବାକୁ ଯାଇ ନାନା ପୁରାଣ, ଇତିହାସ, ଭ୍ରମଣ କାହାଣୀର ସାହାଯ୍ୟ ନେଇଛି । ସ୍ଥାନୀୟ ଅଧିବାସୀ, ତୀର୍ଥପଣ୍ଡା ଏବଂ ଗାଇଡ଼୍‍ଙ୍କ ନିକଟରୁ ପାଇଥିବା ମୂଲ୍ୟବାନ ତଥ୍ୟ, କିମ୍ୱଦନ୍ତୀ ଓ ପ୍ରବାଦବାକ୍ୟରେ ବହିଟି ପୂର୍ଣ୍ଣ କରିବାରେ କିଛି କମ୍‌ସହାୟକ ହୋଇନି, ସେହିସବୁ ଗୁଣୀ ତଥା ସୁଧୀଜନ ଏବଂ ଅପରିଚିତ ହିତୈଷୀଙ୍କ ନିକଟରେ ୠଣୀହୋଇ ରହିଲି ।

 

ବହିଟିରେ ରଟନା ଯାହା ହେଉନା କାହିଁକି ଘଟଣା କିନ୍ତୁ ସମ୍ପୂର୍ଣ୍ଣ ବାହୁଲ୍ୟ ବର୍ଜିତ । ଦର୍ଶନୀୟ ସ୍ଥାନକୁ ନେଇ କୌଣସି କଳ୍ପନାର ଆଶ୍ରୟ ନିଆଯାଇ ନାହିଁ ।

 

ଅନ୍ୟ ଏକ ବିଷୟରେ ଜଣେଇ ରଖେ ଯେ ସଂସ୍କୃତ ସାହିତ୍ୟରେ ନୀଳ ସରସ୍ୱତୀଙ୍କ କେତେକ ଆଲେଖ୍ୟ ଦେଖାଗଲେ ବି ଏଇ ମୂର୍ତ୍ତି ପ୍ରାୟ କୌଣସି ଜାଗାରେ ଦେଖାଯାଏନା କି ଏ ବିଷୟ ନେଇ ବିଶେଷ ଅନୁସନ୍ଧାନ ହେବା କଥା ଶୁଣାଯାଏନା । ଯେଉଁମାନେ ଏଇ ମୂର୍ତ୍ତି ଦର୍ଶନ କରିବା ପାଇଁ ଇଚ୍ଛୁକ ସେମାନଙ୍କୁ ଅନୁରୋଧ, ଡାକୋରା ମନ୍ଦିର ମଧ୍ୟରେ ଉକ୍ତ ଦେବୀ ମନ୍ଦିର ଦେଖିପାରିବେ । ଦର୍ଶନ ସମୟରେ ‘ନୀଳ ସରସ୍ୱତୀ’ ଦେବୀ ସଂପର୍କରେ କୌଣସି ଧାରଣା ନଥିବା ହେତୁ ବିଶେଷ କିଛି ଲେଖାଯାଇ ପାରିନି । ପାଠକ ପାଠିକାଗଣ ମୋର ଏ ଅକ୍ଷମତାକୁ କ୍ଷମା କରିବେ ବୋଲି ଆଶା କରେ ।

 

ମୋର ଗୋଟିଏ ପ୍ରବନ୍ଧ ‘‘ଭାରତର ପ୍ରାଚୀନ ଚିତ୍ରକଳା ଓ ଅଜନ୍ତା’’ ନାମରେ ଆସନ୍ତା କାଲି ତ୍ରିଂଶବର୍ଷ ଅଷ୍ଟମ ସଂଖ୍ୟାରେ ପ୍ରକାଶ ପାଇଥିଲା । ତାହା ପାଠକରି ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକ ଉଲ୍ଲେଖିତ ପ୍ରବନ୍ଧ ବିଷଦ ଭାବରେ ଲେଖିବା ପାଇଁ ଅନୁରୋଧ କରିଥିଲେ । ଏଭଳି ଅନୁରୋଧପୂର୍ଣ୍ଣ ଚିଠି ଅନ୍ୟ କେତେକ ପାଠକ ମଧ୍ୟ ଦେଇଥିଲେ । ଏଭଳି ଅଜନ୍ତା–ଏଲୋରା ନେଇ ଲେଖିବାକୁ ଗଲେ ହିଁ ଗୋଟିଏ ସ୍ୱତନ୍ତ୍ର ଗ୍ରନ୍ଥ ହୋଇଯିବ । ସୁତରାଂ ମୁଁ ସେ ଦିଗରେ ଚେଷ୍ଟା ନକରି ପାଠକମାନଙ୍କ ଅନୁରୋଧ ରକ୍ଷା କରି ଭ୍ରମଣ କାହାଣୀ ପରିସର ମଧ୍ୟରେ ଯଥାସମ୍ଭବ ବିସ୍ତାରିତ ଭାବରେ ଉଲ୍ଲେଖ କରିବା ଚେଷ୍ଟା କରିଛି ।

 

ଦ୍ୱାରକା-ପ୍ରଭାସର ପ୍ରାରମ୍ଭିକ ସଂଶୋଧନ ଦାୟିତ୍ୱ ତୁଲେଇଛନ୍ତି ଶ୍ରୀମାନ ନାରାୟଣ ମିଶ୍ର ଓ ଶ୍ରୀମାନ ଭବାନୀଶଙ୍କର ମିଶ୍ର ।

 

ବହିଟିର ପ୍ରାରମ୍ଭିକ ଲେଖାଠାରୁ ଆରମ୍ଭ କରି ପାଣ୍ଡୁଲିପି ଲେଖା ପର୍ଯ୍ୟନ୍ତ ସମସ୍ତ ସମୟ ସରସ୍ୱତୀର ହାତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରି ସହଧର୍ମିଣୀ ଆଖ୍ୟାକୁ ସାର୍ଥକ କରିଛି । ଏକଥା କହିବାରେ ସାର୍ଥକତା କିଛି ନାହିଁ ।

 

ବହିଟିର ମୁଖ୍ୟବନ୍ଧଟି ଲେଖି ଦେଇଛନ୍ତି ଅଗ୍ରଜ ପ୍ରତିମ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର । ବର୍ତ୍ତମାନ କର୍ମ ଜୀବନରୁ ଅବସର ଗ୍ରହଣ କରି ସେ ଗ୍ରାମରେ ବସବାସ କରି ଗ୍ରାମ୍ୟ ସାମାଜିକ, ସାଂସ୍କୃତିକ ଜୀବନର ପ୍ରସାରରେ ବ୍ରତୀ ହୋଇଛନ୍ତି । ତାଙ୍କର ଅସଲ ପରିଚିତି ହେଲା ସେ ଜଣେ ଉଚ୍ଚକୋଟୀର ସଂସ୍କୃତ ପଣ୍ଡିତ ଓ ବିଖ୍ୟାତ ଜ୍ୟୋତିଷୀ । ଦ୍ୱାରକା-ପ୍ରଭାସ ଏହି ପ୍ରଖ୍ୟାତଯଶା ବ୍ୟକ୍ତିଙ୍କ ଆଶିଷ ପାଇଛି ଏହାହିଁ ପରମ ଭାଗ୍ୟ ବୋଲି ମନେ କରେ ।

 

ପରିଶେଷରେ ବହି ପ୍ରକାଶରେ ଯେଉଁ ଦେଖା ବା ଅଦେଖା ହାତର ସାହଯ୍ୟ ପାଇ ପାରିଛି ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

 

ପ୍ରକାଶିତ ବହିଗୁଡ଼ିକ ଭଳି ଦ୍ୱାରିକା-ପ୍ରଭାସ ମଧ୍ୟ ତା’ର ପାଠକ ପାଠିକାଙ୍କ ଆଦର ଲାଭ କରିବ ଏ ଆଶା ନେଇ ରହିଲି ।

 

ମୂକଂ କରୋତି ବାଚାଳଂ

ପଙ୍ଗୁଲଙ୍ଘୟତେଗିରିମ୍‍

ଯତ୍‌କୃପା ତମହଂ ବନ୍ଦେ

ପରମାନନ୍ଦ ମାଧବମ୍‌ ।

 

ବାଲୁକେଶ୍ୱର ପୁର

ଜୟଗୁରୁ

ତା ୧୭ । ୯ । ୧୯୧୨

ଆର୍ତ୍ତତ୍ରାଣ ମିଶ୍ର

✽✽✽

 

ଆବୁରୋଡ଼ଷ୍ଟେସନରୁ ପୁଣି ଯାତ୍ରା ଆରମ୍ଭ ହେଲା ରାତ୍ରି ଆଠଟାରେ । ଆମର ରିଜର୍ଭ ବଗି ଦୁଇଟି ପାସେଞ୍ଜର ଟ୍ରେନ୍‍ ସଙ୍ଗରେ ଯୋଡ଼ାଯାଇ ତମସନା ଜଙ୍କ୍‌ସନ ପର୍ଯ୍ୟନ୍ତ ଯିବ । ସେଠାରୁ ଜନତା ଏକ୍ସପ୍ରେସ ସଙ୍ଗେ ଯୁକ୍ତହୋଇ ଭୋର ୪ଟାରୁ ପୁନର୍ବାର ଓଖା ପଥେ ଗଡ଼ିଚାଲିବ ।

 

ଆବୁପରଠାରୁ ଆମ ରାଜସ୍ଥାନ ଭ୍ରମଣ ଶେଷ । ଏଥର ଗତି ସୌରାଷ୍ଟ୍ର ଆଡ଼େ। ଯଦି ଚ ଏଠାର ମାଟିର ରଙ୍ଗ ସ୍ୱାଭାବିକ—ଧୂଳଧୂସର ବା ପଥୁରିଆ ନୁହେଁ, ତେବେ, ଦେଶରେ ବୃଷ୍ଟିପାତର ସ୍ୱଳ୍ପତା ହେତୁ ଗଭୀର କୂପ, ବା ଡିପ୍‌ଟ୍ୟୁବ୍‌ୱେଲ ମାଧ୍ୟମରେ ସାଧାରଣ କୃଷିକର୍ମ ସାଧିତ ହୋଇଥାଏ । ବର୍ତ୍ତମାନ ସରକାରୀ ଆନୁକୂଲ୍ୟରେ ‘ସାଲୋ’ ପମ୍ପର ପ୍ରଚଳନ ବହୁ ଭାବରେ ଦେଖାଯାଏ । ପୁରାଣ ଶାସ୍ତ୍ରରୁ ଜଣାଯାଏ ସେହି ଯୁଗରେ ସାଧାରଣତଃ ସୌରାଷ୍ଟ୍ର ଯିବାକୁ ଆର୍ଯ୍ୟମାନେ ପସନ୍ଦ କରୁ ନଥିଲେ। ସେ ସକାଶେ ଗତି ନିୟନ୍ତ୍ରଣ କରିବାକୁ ଯାଇ ଶାସ୍ତ୍ରରେ ଲେଖିଛନ୍ତି ।

 

‘‘ଅଙ୍ଗ, ବଙ୍ଗ, କଳିଙ୍ଗେସୁ, ସୌରାଷ୍ଟ୍ରେ ମଗଧେ ସୁଚ

ତୀର୍ଥଯାତ୍ରାଂ ବିନାଗଚ୍ଛନ୍‌ପୁନଃ ସଂସ୍କାର ମର୍ଦିତି ।’’

 

ଏଥିରୁ ପ୍ରମାଣିତ ହୁଏ, ଏହି ସବୁ ଅଞ୍ଚଳରେ ସେହି ପ୍ରାଗ୍‌ପୌରାଣିକ ଯୁଗର ଆର୍ଯ୍ୟେତର ଜାତିଙ୍କର ପ୍ରଭାବ ପ୍ରତିପତ୍ତି ବେଶି ଥିଲା । ସେହି ସମୟରେ ଏହିସବୁ ରାଜଶକ୍ତିଙ୍କ ସାଙ୍ଗରେ ଆର୍ଯ୍ୟମାନଙ୍କ ସଂଘର୍ଷ ନିୟମିତ ଚଳୁଥିଲା ଏବଂ ଆର୍ଯ୍ୟମାନଙ୍କ ପକ୍ଷରେ ଏହି ସବୁ ଦୂରନ୍ତ ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କରି ନିଜ ପ୍ରଭାବ ବିସ୍ତାର କରିବା ପ୍ରାୟ ଅସମ୍ଭବ ଥିଲା । ସମୟକ୍ରମେ ଏହି ଦୀର୍ଘଦିନର ବିବାଦ ହୁଏତ ଉପଶମ ହୋଇଥିଲା । ଖୁବ୍‍ ସମ୍ଭବ ଏହି କାରଣରୁ ଏସବୁ ଅଞ୍ଚଳରେ ଆର୍ଯ୍ୟଆଉ ଆର୍ଯ୍ୟେତର ସଂସ୍କୃତି ସମାନ ଭାବରେ ପ୍ରଚଳିତ ଥିବା ଦେଖିବାକୁ ମିଳିଥାଏ । ସର୍ବ ପ୍ରଥମ ବ୍ରାହ୍ନଣୋତ୍ତମ ପର୍ଶୁରାମ ଦଶଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ନେଇ ଆନର୍ତ୍ତ ରାଜାଙ୍କ ରାଜଧାନୀ କୁଶସ୍ଥଳୀରେ ବ୍ରାହ୍ମଣ ବସତି ସ୍ଥାପନ କରିଥିଲେ । ସୌରାଷ୍ଟ୍ରରେ ଆର୍ଯ୍ୟ ପ୍ରବେଶର ଏହା ହିଁ ପ୍ରଥମ ସୂତ୍ରପାତ ।

 

ଆନର୍ତ୍ତ ରାଜାଙ୍କ କଥା ଆସିଲେ ମନ ଚାଲିଯାଏ ବହୁ ପୁରାତନ ଯୁଗର ଏକ ପୌରାଣିକ ଉପାଖ୍ୟାନ ମଧ୍ୟକୁ । ତାହା ହେଲା, ରାଜଚକ୍ରବର୍ତ୍ତୀ ଶର୍ଯ୍ୟାତିଙ୍କର କାହାଣୀ । ଧନ, ମାନ, ଯଶ, ଐଶ୍ୱର୍ଯ୍ୟପୂର୍ଣ୍ଣ ରାଜ୍ୟରେ ଶର୍ଯ୍ୟାତି ପରମ ଗୌରବରେ ରାଜତ୍ୱ କରୁଥିଲେ । ସମସ୍ତ ସଦ୍‌ଗୁଣ ତାଙ୍କର ଅହଙ୍କାରୀ ଭାବ ଯୋଗୁ ଛପିଯାଉଥିଲା । ରାଜା ନିଜ ବ୍ୟତୀତ ଅନ୍ୟ କୌଣସି ଐଶୀ ଶକ୍ତିକୁ ମାନିବାପାଇଁ ପ୍ରସ୍ତୁତ ନ ଥିଲେ । ତାଙ୍କର ତିନି ପୁତ୍ର ଉତ୍ତାନବର୍ହି, ଭୁରିସେନ ଓ ଆନର୍ତ୍ତ-। ଏକଦା ମତଗର୍ବରେ ରାଜା ତିନି ସନ୍ତାନଙ୍କୁ ଡକାଇ ପ୍ରଶ୍ନ କଲେ—‘‘ଏ ରାଜ୍ୟ କାହାର ଏବଂ ତୁମେମାନେ କାହା ସକାଶେ ଏ ସମସ୍ତ ଐଶ୍ୱର୍ଯ୍ୟ ଭୋଗ କରୁଛ ?’’

 

ପିତାଙ୍କ ପ୍ରଶ୍ନର ତାତ୍ପର୍ଯ୍ୟ ବୁଝିବା ସନ୍ତାନଙ୍କ ପକ୍ଷରେ କଷ୍ଟକର ନ ଥିଲା । ତେଣୁ ତାଙ୍କୁ ଖୁସି କରାଇବା ସକାଶେ ଜ୍ୟେଷ୍ଠ ଓ ମଧ୍ୟମ ପୁତ୍ର ଉତ୍ତାନବର୍ହି ଓ ଭୁରିସେନ ଉତ୍ତର ଦେଲେ—‘‘ଏ ରାଜ୍ୟ ରାଜଚକ୍ରବର୍ତ୍ତୀ ମହାମାନ୍ୟ ଶର୍ଯ୍ୟାତିଙ୍କର ଏବଂ ତାଙ୍କରିକଲ୍ୟାଣରୁ ଆମେମାନେ ଏହି ମହାନ୍‍ଐଶ୍ୱର୍ଯ୍ୟ ମଧ୍ୟରେ କାଳାତିପାତ କରୁଅଛୁଁ।’’ କିନ୍ତୁ କନିଷ୍ଠ ପୁତ୍ର ଏଥିରେ ଯୋଗ ନ ଦେଇ ଶର୍ଯ୍ୟାତିଙ୍କୁ ଚମତ୍କୃତ କରାଇ ନିର୍ଭୀକ କଣ୍ଠରେ ଉତ୍ତରଦେଲେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱରରେ । ‘‘ଏ ରାଜ୍ୟ ପରମାତ୍ମା ଭଗବାନଙ୍କର । ଆମେମାନେ ସମସ୍ତେ ତାଙ୍କର ଦୀନଦାସ ପ୍ରଜାମାତ୍ର । ନିଜ ନିଜର କର୍ମ ଫଳାନୁଯାୟୀ ଐଶ୍ୱର୍ଯ୍ୟ ଭୋଗ କରୁଅଛୁଁ ମାତ୍ର ।’’

 

ଆନର୍ତ୍ତଙ୍କ ଏତାଦୃଶ ଆଚରଣରେ ଶର୍ଯ୍ୟାତି କୂପିତ ହୋଇ ଉଠିଲେ । ଫଳ—ସ୍ୱରୂପ ନିଜର ଭାଗ୍ୟଫଳ ଭୋଗ କରିବାପାଇଁ ଆନର୍ତ୍ତକୁ ନିଜ ରାଜ୍ୟରୁ ନିର୍ବାସିତ କରିଦେଲେ । ପିତୃ ଆଜ୍ଞା ମୁଣ୍ଡପାତି ଗ୍ରହଣ କରି ଆନର୍ତ୍ତ ପଦବ୍ରଜରେ ବାହାରି ପଡ଼ିଲେ ସର୍ବସାଧାରଣ ନାଗରିଗ ପରି ପଥମଧ୍ୟକୁ । ଏହି ପଥ ଦେଇ ଗଲାବେଳେ ବିଷ୍ଣୁଭକ୍ତ ଆନର୍ତ୍ତଙ୍କର ପରମ ଆନନ୍ଦରେ ସମୟ ଅତିବାହିତ ହେବାକୁଲାଗିଲା । ଏକାନ୍ତ ଅନୁଗତ ଭକ୍ତ ଆନର୍ତ୍ତଙ୍କୁ ନେଇ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ନିଶ୍ଚିତ ହୋଇରହିପାରିଲେ ନାହିଁ । ବୈକୁଣ୍ଠ ପୁରୀରୁ ମାଟି ଆନୟନ କରି ପଶ୍ଚିମ ସମୁଦ୍ର ବକ୍ଷରେ ଏକ ଭୂଖଣ୍ଡ ସୃଷ୍ଟି କଲେ । ସେହି ଭାଷମାନ ଏକଶତ ଯୋଜନ ବିଶିଷ୍ଟ ଭୂଖଣ୍ଡକୁ ସ୍ଥିତିଶୀଳ କରିବାପାଇଁ ସୁଦର୍ଶନ ଚକ୍ରର ଏକ ଅଂଶ ବିଶେଷଭାବରେ ନିୟୋଜିତ ହେଲା । ଭଗବାନ ସେହି ଭୂଖଣ୍ଡ ଦାନ କଲେ ପରମ ଭକ୍ତ ଆନର୍ତ୍ତଙ୍କୁ । ତାଙ୍କର ନାମାନୁସାରେ ରାଜ୍ୟରେ ନାମ ହେଲା ଆନର୍ତ୍ତ ଏବଂ ତା’ର ରାଜଧାନୀ ହେଲା କୁଶସ୍ଥଳୀ । ଆନର୍ତ୍ତ ରାଜାଙ୍କ ପୁତ୍ରଙ୍କ ନାମ ରୈବତ । ଏହି ନାମରୁ ରୈବତ ପର୍ବତଶ୍ରେଣୀର ନାମକରଣ ହୋଇଅଛି । ତାଙ୍କର କନ୍ୟା ରେବତୀଙ୍କୁ ବଳରାମ ବିବାହ କରିଥିଲେ ଦ୍ୱାପର ଯୁଗରେ ।

 

କଥାଟା ଅବିଶ୍ୱାସ ପରି ମନେହେଲେ ମଧ୍ୟ ପୌରାଣିକ ବ୍ୟାଖ୍ୟାରୁ ଏହାର ସତ୍ୟତା ପ୍ରମାଣିତ ହୋଇଥାଏ । ତାହାକୁ ବିଷଦ ଭାବରେ କହିବାକୁ ଗଲେ ଦେଖାଯାଏ, କୃଷ୍ଣ ବଳରାମଙ୍କ ବହୁ ପୂର୍ବରୁ ମହାରାଜା ରୈବତ ଏହି ଆନର୍ତ୍ତ ରାଜ୍ୟରେ ରାଜତ୍ୱ କରୁଥିଲେ । ତାଙ୍କର ଅଲୋକସାମାନ୍ୟା-ରୂପବତୀ କନ୍ୟା ରେବତୀଙ୍କ ସକାଶେ ଭୂପୃଷ୍ଠରେ ଉପଯୁକ୍ତ ବରପାତ୍ରର ସନ୍ଧାନ ନ ପାଇ ରାଜା ବିଧିର ବିଧାନ ଜାଣିବା ସକାଶେ ବ୍ରହ୍ମଲୋକକୁ ଯାତ୍ରାକଲେ । ସେହି ସମୟକୁ ପିତାମହ ସୃଷ୍ଟି ସର୍ଜନାରୁ ବିରତ ହୋଇ ଗନ୍ଧର୍ବଗଣଙ୍କ ନୃତ୍ୟ ପରିଦର୍ଶନରେ ରତ ଥିଲେ । ତାଙ୍କ ସହ ଦେବଲୋକ, ପିତୃଲୋକବାସୀ ସଭିଏଁ ତନ୍ମୟ ହୋଇ ସେହି ମନୋମୁଗ୍ଧକର ନୃତ୍ୟ ଅନୁଷ୍ଠାନ ଉପଭୋଗ କରୁଥିଲେ । ମହାରାଜା ରୈବତ ମଧ୍ୟ ସେହି ସମୟରେ ଉପସ୍ଥିତ ହୋଇ ନିଜର ଆଗମନର ଉଦ୍ଦେଶ୍ୟ ବିସୃତ ହୋଇ ସେହି ସ୍ୱର୍ଗୀୟ ନୃତ୍ୟ ଉପଭୋଗ କରିବାରେ ଲାଗିଲେ । ବ୍ରହ୍ମଲୋକର ଦିବାବସାନରେ ନୃତ୍ୟ ସମାପନ ହେଲା । ସେହି ସମୟରେ ବ୍ରହ୍ମା ମର୍ତ୍ତ୍ୟ ଲୋକର ମହାପ୍ରତାପୀ ତଥା ପୁଣ୍ୟାତ୍ମା ରାଜା ରୈବତଙ୍କ ଉପସ୍ଥିତ ଲକ୍ଷ୍ୟ କରି ତାଙ୍କର ଆଗମନର କାରଣ ପଚାରିଲେ । ପ୍ରଣାମାନ୍ତେ ମହାରାଜା ବିନୟ ସହକାରେ ବିଧାତାଙ୍କୁ ନିଜ କନ୍ୟା ରେବତୀଙ୍କ ପାଇଁ ଉପଯୁକ୍ତ ବର ପାତ୍ର ସନ୍ଧାନ କଥା ପଚାରିଲେ ।

 

ବ୍ରହ୍ମା କହିଲେ, ‘‘ହେ ରାଜା ! ତୁମେ ଭୂପୃଷ୍ଠ ତ୍ୟାଗ କରି ଏଠାକୁ ଆସିବା ମଧ୍ୟରେ ମର୍ତ୍ତ୍ୟଲୋକ ହିସାବରେ ଚାରିହଜାର ବର୍ଷ ଅତିବାହିତ ହୋଇଗଲାଣି । ତୁମର ସମସାମୟିକ କୌଣସି ନିଦର୍ଶନ ଆଉ ଦେଖିବାକୁ ପାଇବ ନାହିଁ । ତୁମର ଏକଶତ ଭାଇଙ୍କୁ ନିଧନ କରି ପୁନ୍ୟାଦନ ରାକ୍ଷାସ କିଛି ଦିନ ସକାଶେ ସେଠାରେ ରାଜତ୍ୱ କରିଥିଲେ । ଯଥା ସମୟରେ ସେ କାଳର କବଳିତ ହେବାପରେ ତୁମର ଶାସିତ କୁଶସ୍ଥଳୀରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅରାଜକତା ବିରାଜମାନ କରୁଅଛି । ଏହି ଅବସ୍ଥାରେ ଅନେକ ବର୍ଷ ଗତ ହେବା ପରେ ଭୂପୃଷ୍ଠରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ବର୍ତ୍ତମାନ ସେଠାରେ ରାଜତ୍ୱ କରୁଛନ୍ତି । ବର୍ତ୍ତମାନ ଏହା ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ ହୋଇଅଛି । ତାଙ୍କର ପ୍ରତ୍ୟକ୍ଷ ଶାସନାଧୀନରେ ରହିବା ହେତୁ, ତୁମରି ପୁଣ୍ୟ ସ୍ମୃତିରୁ ଜାତ ରୈବତ ପର୍ବତ ମଧ୍ୟରେ ରେବତୀ ପରମ ଯତ୍ନରେ ପାଳିତା ହେଉଛନ୍ତି ସମ୍ପୂର୍ଣ୍ଣ ଲୋକଲୋଚନା ଅଗୋଚରରେ । ତୁମର ପୁଣ୍ୟବଳରୁ ଏସବୁ ସୁସମ୍ପାଦିତ ହେଉଅଛି । ସେ କନ୍ୟା ମହାମାୟୀ ଆଦ୍ୟାଶକ୍ତିଙ୍କ ଅଂଶରୁ ଜାତ । କାଳ ସଙ୍ଗରେ ତାଙ୍କର କୌଣସି କ୍ଷୟ ବୃଦ୍ଧିର ସମ୍ଭାବନା ନାହିଁ । ତେଣୁ ବର୍ତ୍ତମାନ ସୁଦ୍ଧା ସେ ଅପ୍ରାପ୍ତବୟସ୍କା ବାଳିକା ମାତ୍ର । ବର୍ତ୍ତମାନ ତୁମେ ଯାଇ ଶ୍ରୀକୃଷ୍ଣଙ୍କ ଅଗ୍ରଜ ବଳରାମଙ୍କ ହସ୍ତରେ ତାହାଙ୍କୁ ଅର୍ପଣ କର । ଏହି ଅବତାର ନିମିତ୍ତ ସେ ଦୀର୍ଘ ଦିନ ଧଣି ଅପେକ୍ଷା କରୁଛନ୍ତି ।

 

ପିତାମହଙ୍କ ନିକଟରୁ ନିର୍ଦ୍ଦେଶ ପାଇ ରୈବତ ନିଜ ରାଜଧାନୀ କୁଶସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କଲେ । ଦେଖିଲେ ସତକୁ ସତ ଯାଦବଗଣ ପ୍ରବଳ ପରାକ୍ରମରେ କୁଶସ୍ଥଳୀ ଆବୋରି ବସିଛନ୍ତି । ସଂସାରର ସମସ୍ତ ଘଟଣା ଅବଲୋକନ କରି ରୈବତ ସଂସାରରେ ବାସ କରିବାକୁ ବୀତଶ୍ରଦ୍ଧ ହୋଇ ଉଠିଲେ । ବିଧି ବିଧାନ ଅନୁସରଣ କରି ରୈବତକ ଗିରିରୁ ନିଜ କନ୍ୟାଙ୍କୁ ଆଣି ସଙ୍ଗରେ ଧରି ବଳରାମଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ନିଜର ଅଭିପ୍ରାୟ ଜଣାଇଲେ । ସର୍ବଜ୍ଞ ବଳରାମ ରୈବତଙ୍କ ଅନୁରୋଧ ରକ୍ଷାକରିବାକୁ ସମ୍ମତି ପ୍ରଦାନ କଲେ । ରେବତୀ ବଳରାମଙ୍କ ଅପେକ୍ଷାଅନେକ ଉଚ୍ଚ ଥିଲେ। ତାଙ୍କର ସେ ଉଚ୍ଚତା ହ୍ରାସ କରିବା ସକାଶେ ବଳରାମ ତାଙ୍କର ପ୍ରଧାନ ଆୟୁଧ ରେବତୀଙ୍କ କାନ୍ଧରେ ସ୍ଥାପନ କଲେ । ସଙ୍ଗେ ସଙ୍ଗେ ରେବତୀଙ୍କ ଉଚ୍ଚ ଶରୀର ନାତିଦୀର୍ଘକାୟରେ ପରିଣତ ହେଲା । ତଦନନ୍ତର ସମସ୍ତ ଯାଦବ କୁଳଙ୍କ ଉପସ୍ଥିତିରେ ରୈବତ ରେବତୀଙ୍କୁ ବଳରାମଙ୍କ ହସ୍ତରେ ସମର୍ପଣ କରି ସଶରୀରେ ବ୍ରହ୍ନଲୋକକୁ ଗମନ କଲେ । ତାଙ୍କର ସେହି ପୂଣ୍ୟ ସ୍ମୃତି ବହନ କରି ଦ୍ୱାରକାରେ ରୈବତକ ପର୍ବତ ରହିଗଲା । ପୁରାଣର କଥାକୁ ଅନୁଧ୍ୟାନ କରି ବର୍ତ୍ତମାନ ଦ୍ୱାରକା ସମୁଦ୍ରର ଦକ୍ଷିଣ ପଶ୍ଚିମ କୋଣରେ ଯେଉଁଠାରୁ ଗୋଟିଏ ଅସ୍ୱାଭବିକ ଶବ୍ଦ ପ୍ରାୟ ଶୁଣିବାକୁ ମିଳେ, ସେଠାରେ ରୈବତକର ସ୍ଥିତି ବୋଲି ଲୋକ ବିଶ୍ୱାସ କରିଥାଆନ୍ତି । ସ୍ଥାନୀୟ ଲୋକଙ୍କ ମୁଖରୁ ଏ କଥାର ସତ୍ୟତା ପ୍ରମାଣିତ ହୋଇଥାଏ । ଏହିପରି ଭାବରେ ବିଷ୍ଣୁଦତ୍ତ ମହାଭକ୍ତ ଆନର୍ତ୍ତଙ୍କ ପ୍ରତିଷ୍ଠିତ ଭୂଖଣ୍ଡ କୃଷ୍ଣ ଅବତାରରେ ଶ୍ରୀକୃଷ୍ଣ ନିଜେ ଅଧିକାର କରିଥିଲେ । (ହରିବଂଶ ଓ ବିଷ୍ଣୁ ପୁରାଣ)

 

ସେହି ଆନର୍ତ୍ତଶାସିତ ଦେଶ କୁଶସ୍ଥଳୀରେ ରାଜତ୍ୱ କରିବାକୁ ଯାଇ ଶ୍ରୀକୃଷ୍ଣ ଅନୁଭବ କଲେ ପ୍ରକୃତରେ ସାତବଂଶୀ ବିଶାଳ ଯଦୁକୁଳ ସକାଶେ ଏ ସ୍ଥାନ ଅତ୍ୟନ୍ତ ଅପର୍ଯ୍ୟାପ୍ତ । ତେଣୁସେ ନିଜର ରାଜଧାନୀ ସକାଶେ ଦ୍ୱାଦଶ ଯୋଜନପରିମିତ ଜମି ଦାନ କରିବାକୁ ବରୁଣଙ୍କୁ ଅନୁରୋଧ କଲେ । ତ୍ରେତା ଯୁଗରେରାମାବତାରରେ, ରୈବତଙ୍କ ଶତ ଭାଇଙ୍କ ବିନାଶକାରୀ ରାକ୍ଷାସରାଜଙ୍କୁ ନିଧନ କରି ଯେଉଁ ଭୂଖଣ୍ଡ ଉଦ୍ଧାର କରିଥିଲେ, ସେହି ଅଂଶ ଜଳାଧିପତି ବରୁଣ ଅତି ସଯତ୍ନରେ ବିଶାଳ ବୈକୁଣ୍ଠ ପୁରୀର ଏକ ନିଭୃତ ଅଂଶରେ ସଂରକ୍ଷିତ କରି ରଖିଥିଲେ । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ଅନୁରୋଧକ୍ରମେ ସେହି ଭୂଖଣ୍ଡ ନିର୍ଦ୍ଦିଷ୍ଟ ଜାଗାରୁ ଆନୟନପୂର୍ବକ ଭାସମାନ ଅବସ୍ଥାରେ ନିଜ ପୃଷ୍ଠରେ ତାହାକୁ ଧରି ରଖିଲେ । ସୁଦର୍ଶନ ସାହାଯ୍ୟରେ ସେହି ଜମିକୁ ସ୍ଥିତିଶୀଳ କରାଇ ତାହାରି ମଧ୍ୟରେ ଶ୍ରୀକୃଷ୍ଣ ରାଜଧାନୀ ପ୍ରତିଷ୍ଠା କରାଇଲେ । ସେଥିରେ ଚାରି ଯୋଜନ ପରିମିତ ଜମିରେ ଗଢ଼ିଉଠିଲା ଶ୍ରୀକୃଷ୍ଣଙ୍କ ସୁରମ୍ୟ ରାଜ ପ୍ରାସାଦ । ଆଉ ସମସ୍ତ ସ୍ଥାନ ନେଇ ପ୍ରତିଷ୍ଠିତ ହେଲା କୁଶସ୍ଥଳୀ, ଦ୍ୱାରକା ରାଜ୍ୟ ବା ଦ୍ୱାରାବତୀ ।

 

ବହୁ ମନସ୍ୱୀଙ୍କ ମତରେ ବର୍ତ୍ତମାନ ଦେଖା ଦେଉଥିବା ଦ୍ୱାରକା ବା ଭେଟ ଦ୍ୱାରକା ଅସଲରେ ମୂଳ ଦ୍ୱାରକା ନୁହେଁ । ମୂଳ ଦ୍ୱାରକା ଶ୍ରୀକୃଷ୍ଣଙ୍କ ମହାପ୍ରୟାଣ ସଙ୍ଗେ ସଙ୍ଗେ ସମୁଦ୍ର ଗର୍ଭରେ ବିଲୀନ ହୋଇଯିବା କଥା ମହାଭାରତ, ଭାଗବତାଦି ପୁରାଣମାନଙ୍କରୁ ଜଣାଯାଏ । ଏହାକୁ ଭିତ୍ତିକରି ମୂଳ ଦ୍ୱାରକାର ସ୍ଥିତି ନେଇ ମତଦ୍ୱୈଧ ଦେଖାଦିଏ । ଯେଉଁ ସବୁ ପଣ୍ଡିତଗଣଏହି ମତ ଉପର ବେଶୀ ନିର୍ଭରଶୀଳ; ସେମାନଙ୍କର ଧାରଣା ମୂଳ ଦ୍ୱାରକା, ପୋରବନ୍ଦର ବା ସୁଦାମା ପୁରୀ ଅଟେ । କିନ୍ତୁ ଏହି ମତକୁ ଆଧୁନିକ ପ୍ରତ୍ନତାତ୍ତ୍ୱିକଗଣ ଗ୍ରହଣ ନ କରି ପୋରବନ୍ଦରର ଆହୁରି ତିରିଶି ମାଇଲ ଦକ୍ଷିଣକୁ ପ୍ରଭାସର ନିକଟବର୍ତ୍ତୀ ଦ୍ୱାରକାନଗରୀର ଅବସ୍ଥିତ ଥିବା କଥା ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ବିଷୟ ନାନାଦି ଲେଖାରୁ ଜଣାଯାଏ । ପ୍ରଭାସ ପାଖାପାଖି ଦ୍ୱାରିକାର ଅବସ୍ଥିତି ନେଇ ସେମାନଙ୍କ ମୁଖ୍ୟ ଯୁକ୍ତି ହେଲା—‘‘ଯଦୁ ବଂଶ ଧ୍ୱଂସ ପରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଯଦୁ ଲଳନାଗଣଙ୍କୁ ହସ୍ତିନାକୁ ନିରାପଦ ଆଶ୍ରୟପାଇଁ ନେଇଯିବାକୁ ନିର୍ଦ୍ଦେଶ ଦେଇ ପରମ ନିଶ୍ଚିନ୍ତରେ ନିଜେ ଦେହ ତ୍ୟାଗ କରିଥିଲେ ।’’ ପ୍ରଭାସ ନିକଟବର୍ତ୍ତୀ ସ୍ଥାନ ଦ୍ୱାରକା ନ ହୋଇ ଥିଲେ, ଏହା କଦାପି ସମ୍ଭବ ହୋଇପାରି ନ ଥାନ୍ତା । ବର୍ତ୍ତମାନ ପ୍ରଭାସଠାରୁ ଦ୍ୱାରକା ଯେତେ ଦୂରରେ ଅବସ୍ଥିତ, ସେଥିରେ ଶ୍ରୀକୃଷ୍ଣଙ୍କ ଭଳି ଚିନ୍ତାଶୀଳ ବ୍ୟକ୍ତି ପକ୍ଷରେ ଏପରି ନିଶ୍ଚିତ ପରିକଳ୍ପନା କରିବା ଆଶ କରାଯାଇ ନ ପାରେ । ଭେଟ ଦ୍ୱାରକା କଥା ତ ଉଠେ ନା, ଯେହେତୁ ତାହାର ଦୂରତ୍ୱ ଆହୁରି ବେଶି-

 

ମୂଳ ଦ୍ୱାରକା ଜଳମଗ୍ନ ହେବା ପରେ ସେହି ପ୍ଳାବନରୁ ଯେଉଁ ନଗରବାସିଗଣ ଆତ୍ମରକ୍ଷା କରିପାରିଥିଲେ, ସେମାନେ ପୁଣି ଏକତ୍ରିତ ହୋତ ଆନର୍ତ୍ତ ରାଜ୍ୟର ଅପ୍ଲାବିତ ଏକ ଅଂଶରେ ଏକ ଉପନିବେଶ ସ୍ଥାପନ କରି ବସବାସ କରିବାକୁ ଲାଗିଲେ । ସେହି ନୂତନ ଉପନଗରୀ ନୂତନ ଦ୍ୱାରକା ନାମରେ ନାମିତ ହେଲା । ମାଳକ୍ରମେ ନୂତନ ଶବ୍ଦ ବାଦ ଯାଇ କେବଳ ଦ୍ୱାରକା ନାମ ପ୍ରଚଳିତ ହୋଇଆସୁଛି, ଏକଶତ ଯୋଜନ ବିସ୍ତୃତ ଅଞ୍ଚଳରେ ଭଗବତ୍‌ କୃପାରୁ ରାଜା ଆନର୍ତ୍ତ ରାଜତ୍ୱ କରୁଥିବା କଥା ଉଲ୍ଲେଖ ଅଛି । ବର୍ତ୍ତମାନ ଦେଖା ଦେଉଥିବା ଦ୍ୱାରକା, ଭେଟ ଦ୍ୱାରକା ଏବଂ ରୈବତକ ପାହାଡ଼କୁ ତା’ର ଅଂଶବିଶେଷ ବୋଲି ଧରିନେଲେ କୌଣସି ଅସାମଞ୍ଜସ୍ୟ ଦେଖାଯିବ ନାହିଁ । ତେବେ ଏହା ମଧ୍ୟ ଆନୁମାନିକ ଭିତ୍ତି ଉପରେ ପ୍ରତିଷ୍ଠିତ । କୌଣସି ବାସ୍ତବ ପ୍ରମାଣ ଉପରେ ଏହା ପ୍ରତିଷ୍ଠିତ ନୁହେଁ ।

 

ଶ୍ରୀକୃଷ୍ଣ ଦ୍ୱାଦଶ ଯୋଜନ ଜମି ସମୁଦ୍ର ନିକଟରୁ ଗ୍ରହଣ କରି ମାତ୍ର ଚାରି ଯୋଜନ ପରିମିତି ଜମି ଉପରେ ନିଜର ରାଜଧାନୀ ସ୍ଥାପନ କଲେ । ଯେପରି ବର୍ତ୍ତମାନ ଦେଖାଦେଉଥିବା ବଡ଼ ବଡ଼ସହରର ସଂଲଗ୍ନ ସହର ତଳି ଅଛି, ସେ ସମୟରେଅବଶିଷ୍ଟାଂଶ ନିଶ୍ଚୟ ସେପରି ଭାବରେ ବ୍ୟବହୃତ ହେଉଥିଲା । ଶ୍ରୀକୃଷ୍ଣଙ୍କ ଦେହ ତ୍ୟାଗ ପରେ ସମୁଦ୍ରର ଏକ ବିରାଟ ଜଳୋଚ୍ଛ୍ୱାସ ମଧ୍ୟଦେଇ ସମସ୍ତ ଦ୍ୱାରାବତୀ ଜଳର ଅତଳ ଗହ୍ୱରରେ ବିଲୀନ ହୋଇ ଗଲେ ମଧ୍ୟ ସେହି ପ୍ଳାବନ ଭୟରେ ହେଉ ବା ଭକ୍ତିରେ ହେଉ ଶ୍ରୀକୃଷ୍ଣଙ୍କ ମୂଳ ବାସସ୍ଥାନକୁ ଗ୍ରାସ କରି ପାରି ନ ଥିଲା । ଏହା ମହାଭାରତ, ଭାଗବତାଦି ପୁରାଣମାନଙ୍କରେସୂଚିତ ହୋଇ ଅଛି । ବର୍ତ୍ତମାନ ଆମେ ଯାହାକୁ ବେଟ (ଭେଟ) ଦ୍ୱାରକା କହୁଥାଉ, ଏହା ହେଲା ସେହି ଭୂଖଣ୍ଡ । ଜନ ପ୍ରବାଦରୁ ଜଣାଯାଏ ମହା ସମୁଦ୍ର କଳିଯୁଗର ଭକ୍ତଗଣଙ୍କୁ ଶ୍ରୀକୃଷ୍ଣଙ୍କ ବାସସ୍ଥଳୀ ଦର୍ଶନକରି ଧନ୍ୟ ହେବା ସକାଶେ ଭେଟ ଦେଇ ଥିଲେ ବୋଲି ନାମ ହେଲା ଭେଟ ଦ୍ୱାରକା । ଅବଶ୍ୟ ଏହା ନେଇ ଅନ୍ୟମତ ମଧ୍ୟ ଶୁଣିବାକୁ ମିଳେ-। ଶ୍ରୀକୃଷ୍ଣଙ୍କ ପରମ ସୁହୃଦ ସୁଦାମା ତାଙ୍କର ଅନ୍ତଃପୁରସ୍ଥ ରୁକ୍ମଣୀଙ୍କ ପ୍ରାସାଦରେ, କୃଷ୍ଣଙ୍କ ସହ ଭୋଟ ହୋଇଥିଲେ ବୋଲି ଉକ୍ତ ମହଲ ବେଟ ବା ଭେଟଦ୍ୱାରକା ନାମରେ ପ୍ରସିଦ୍ଧି ଲାଭ କରିଅଛି-। ନାମ ନେଇ ଯାହା ହେଉନା କାହିଁକି ଏହାକୁ ଶ୍ରୀକୃଷ୍ଣଙ୍କ ମୁଖ୍ୟ ବାସ ସ୍ଥାନବୋଲି ମାନି ନେବାରେ କୌଣସି ବାଧା ନାହିଁ । ତାହା ହେଲେ ଅତି ସହଜରେ ଅନୁମାନ କରାଯାଇ ପାରେ ଯେ ବର୍ତ୍ତମାନ ଦେଖା ଦେଉଥିବାଦ୍ୱାରକା ସେହି ସମୟର ସହର ତଳି ହିସାବରେ ବିଖ୍ୟାତ ଥିଲା। ସମୁଦ୍ର ପ୍ଳାବନରୁ ରକ୍ଷା ପାଇଥିବା ଅଧିବାସିଗଣ ନିରାପଦମୂଳକ ବ୍ୟବଧାନରେ ସେହି ସହର ତଳିକୁ ଦ୍ୱାରକାରୂପେ ନୂତନ ଉଦ୍ୟମରେଗଢ଼ିତୋଳିଲେ । ପରବର୍ତ୍ତୀ କାଳରେ ତାହା ହିଁ ମୁଖ୍ୟ ଦ୍ୱାରକା ହୋଇ ହିନ୍ଦୁଙ୍କର ପରମ ତୀର୍ଥ ଦ୍ୱିତୀୟ ଧାମ ରୂପେ ପ୍ରତିଷ୍ଠା ଲାଭକଲା ।

 

ବର୍ତ୍ତମାନ ଦେଖା ଦେଇଥିବା ଦ୍ୱାରକା ଗୁଜୁରାଟ ପ୍ରଦେଶ ଭବନଗର ଜିଲ୍ଲାର ଏକ ମହକୁମା ସହର ଏବଂ ବିଦେଶକୁ ମାଛ ରାପ୍ତାନି କରୁଥିବା ଏକ ମାଛ ଧରା ବନ୍ଦର ବିଶେଷ । ଆଜି ଆମର ଯାତ୍ରା ସେହି ପବିତ୍ର ଧାମ ଉଦ୍ଦେଶ୍ୟରେ । ଆବୁରୋଡ଼ରୁ ଯାତ୍ରା ଆରମ୍ଭ କରି ପରିସମାପ୍ତି ହେବ ଓଖାରେ ଯାଇ । (ଆଜି ତା ୨୪ । ୧୨ । ୭୯)

ଆବୁ ଭ୍ରମଣର ପରିଶ୍ରାନ୍ତ ଶରୀର ନେଇ ଆଉ ଆସର ସରଗରମ କରିବା ଭଳି ଉତ୍ସାହ କାହାରି ହେଲେ ନ ଥିଲା। ନିଜ ନିଜ ବିଛଣା ଉପରେ ବସି ମନେ ମନେ ପର୍ବତରାଣୀ ଆବୁର ଶୋଭା ଅନୁଭବ କରିବାରେ ଲାଗିଲେ ଏବଂ ଯଥା ସମୟରେ ଭୋଜନ ପର୍ବ ଶେଷକରି ବିଶ୍ରାମରେ ମନଦେଲେ । ପରିଶ୍ରମକ୍ଳାନ୍ତ ଶରୀର ଅଳ୍ପ ସମୟ ମଧ୍ୟରେ ଗାଢ଼ନିଦ୍ରାରେ ଅଭିଭୂତ ହୋଇପଡ଼ିଲା । ଆମର ଏ ନିଦ୍ରିତାବସ୍ଥାରେ ଗାଡ଼ିତା’ର କର୍ତ୍ତବ୍ୟ ଠିକ୍‍ ସମୟରେ ଠିକ୍‌ମତେ ସମାପନ କରିଗଲା । ପ୍ରଭାତ ହେଲା ଭିରମଗ୍ରାମ ଷ୍ଟେସନରେ । ଏହି ଲାଇନରେ ଏହା ଗୋଟିଏ ବଡ଼ ୱାଟରିଙ୍ଗ୍‌ଷ୍ଟେସନ । ଯଥା ନିୟମରେ ଆମର ନିଦ ଭାଜି ଯାଇଥିଲା । ଷ୍ଟେସନରେ ପ୍ରବେଶ କରିବା ମାତ୍ରେ ଆମର ଚାଲିଲା ନିକଟସ୍ଥ କଳରୁ ଜଳ ସଂଗ୍ରହ କରିବା ଅଭିଯାନ । ଏହି ସବୁ ଛୋଟ ଲାଇନରେ ସ୍ନାନ ସୁଖ ଉପଭୋଗ କରିବା ବାସନା ଥିଲେ ଏହା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

ନିର୍ଦ୍ଦିଷ୍ଟ ସମୟ ପରେ ଗାଡ଼ିପୁଣି ତା’ର ଛନ୍ଦହୀନ ଗତିରେ ଆଗେଇ ଚାଲିଲା । ରାତ୍ରି ଆଠଟାରେ ଓଖାରେ ଯାଇ ଏହି ଯାତ୍ରାର ଶେଷ । ସେଠାରେ ରାତ୍ରିରେ କିଛି ଦେଖିହେବନାହିଁ । ଓଖାରୁ ବେଟ ବା ଭେଟ ଦ୍ୱାରକା ଯିବାକୁ ହେବ ପରଦିନ ପ୍ରଭାତରେ ।

ସହଯାତ୍ରୀଗଣ ମଧ୍ୟ ସାରା ରାତ୍ରି ପୂର୍ଣ୍ଣ ବିଶ୍ରାମ ନେଇ ଗତଦିନର ପରିଶ୍ରମ ଲାଘବ କରିପାରିଛନ୍ତି । ସେକଥା ମାଷ୍ଟ୍ରଙ୍କର ସକାଳୁ ନିତ୍ୟକର୍ମାଦି ଶେଷ କରି ସଜବାଜ ହୋଇ ଆସିବା ଦେଖି ପରିଷ୍କାର ହୋଇଗଲା । ଚକ୍ରବର୍ତ୍ତୀ ଭୟା ମଧ୍ୟ ନିଜର ନିତ୍ୟକର୍ମ ଶେଷ କରି ସହାସ୍ୟ ବଦନରେ ବସିଗଲେ । କୁଣ୍ଡୁ ସ୍ପେଶାଲର ଖାଦ୍ୟ ପରିବେଷଣରେ ସାଧାରଣତଃ ତ୍ରୁଟି ଦେଖାଯାଏନା-। ସେକଥା ଅମରନାଥ ଯାତ୍ରା ସମୟରେ ପ୍ରାୟ ୧୨୫୦୦ ଫୁଟ ଉଚ୍ଚ ତୁଷାର କ୍ଷେତ୍ର ପଞ୍ଚତରଣୀରେ ବର୍ଷା ମୁଖର ଦୁର୍ଯ୍ୟୋଗପୂର୍ଣ୍ଣ ରାତ୍ରିରେ ଭଲ ଭାବେ ପ୍ରମାଣିତ ହୋଇଯାଇଛି-। ଆଉ ଏହା ତ ସୌରାଷ୍ଟ୍ର ମଧ୍ୟସ୍ଥ ଟ୍ରେନର ଗତିପଥ । ଦୁଃଖୀରାମ ନିର୍ଦ୍ଦିଷ୍ଟ ସମୟରେ ଜଳଖିଆ ପ୍ଳେଟ ସମସ୍ତଙ୍କ ହାତରେ ଧରାଇ ଦେଇଗଲା । ଗଳ୍ପ ସଙ୍ଗେ ଦକ୍ଷିଣ ହସ୍ତର କର୍ମ ମଧ୍ୟ ସମଭାବରେ ଚାଲିବାକୁ ଲାଗିଲା । ଏହାର ମଧ୍ୟଦେଇ ମୁଁ ସଦାନନ୍ଦବାବୁଙ୍କୁ ଆମେ ବର୍ତ୍ତମାନ ଯେଉଁଠାରେ ଅବସ୍ଥିତ ଅଛେ, ତାହାର ପରିଚିତ ନେଇ ସମ୍ୟକ୍‍ ଧାରଣା ଦେବାପାଇଁ ଅନୁରୋଧ କଲି-

ଇତସ୍ତତଃ ନ ହୋଇ ସଦାନନ୍ଦ ବାବୁ କହିଲେ—ଯେତେଦୂର ମନେ ହେଉଛି, ଭାରତ ମାନଚିତ୍ରର ପଶ୍ଚିମପ୍ରାନ୍ତରେ ଆବୁ ଭଳି ଯେଉଁ ଭୂଖଣ୍ଡ ଦୃଷ୍ଟ ହୁଏ ତାହାରି ଉପର ଦେଇ ଆମେମାନେ ଗତି କରୁଛେ । ଯାହାକୁ କଚ୍ଛ, କାଥିଆବାଡ଼ବା ଡେକାନ ଉପଦ୍ୱୀପ ବୋଲି କ୍ଷେତ୍ର ବିଶେଷରେ ଅଭିହିତ କରାଯାଇଥାଏ । କାଥିଆବାଡ଼ବର୍ତ୍ତମାନ ସୌରାଷ୍ଟ୍ର ମଧ୍ୟରେ ଲୋପ ପାଇଯାଇଛି । କଚ୍ଛ ଓ କାଥିଆବାଡ଼ ମଧ୍ୟରେ କଚ୍ଛ ଉପସାଗର ଓ ତାକୁ ବେଷ୍ଟନ କରି ରହିଛି ଲିଟ୍‌ଲ-ରନ୍‌ଅଫ-କଚ୍ଛ । ଉପରେ ଗ୍ରେଟ୍‌-ରନ୍‌ଅଫ-କଚ୍ଛ । ବିଖ୍ୟାତ ଲୁନି ନଦୀ ଓ ତା’ର ସଙ୍ଗମ ସ୍ଥଳ ଗ୍ରେଟ୍‍-ରନ୍‍ ମଧ୍ୟରେ ଏବଂ ସରସ୍ୱତୀ ପ୍ରଭୃତି ଅନ୍ୟ କେତୋଟି ନଦୀ ଲିଟଲ-ରନ୍‌ରେ ମିଳିତ ହୋଇଥିବା ଦେଖାଯାଇଥାଏ ।

ଏହି ଅଞ୍ଚଳରେ ଦୁଇଟି ବିଶିଷ୍ଟ ପାହାଡ଼ଦେଖିବାକୁ ମିଳିଥାଏ । ମାଣ୍ଡବ ଓ ଗିର୍‌ନାର । ଗିର୍‌ନାର ଉଚ୍ଚତା ଖୁବ ସମ୍ଭବ ୩୬୬୩ ଫୁଟ । ଏହାର ଅବସ୍ଥିତ ଜୁନାଗଡ଼ନିକଟରେ ଏବଂ ମାଣ୍ଡବର ଅବସ୍ଥିତି ଏହାର ଉତ୍ତରାଂଶରେ ।

 

ତୁମେ ନିଶ୍ଚୟ ଜାଣ ମିଶ୍ରବାବୁ, ଦେଶ ସ୍ୱାଧୀନ ହେବାପରେ ଯେତେବେଳେ ନୂତନ ସୌରାଷ୍ଟ୍ର ପ୍ରଦେଶ ଗଠିତ ହେଲା ସେତେବେଳେ ଏହାର ଭାଗରେ ପଡ଼ିଲା ଛୋଟ ବଡ଼ ୨୧୮ଟି ଦେଶୀୟ ରାଜ୍ୟ । ଭାଗ୍ୟକୁ ସ୍ୱର୍ଗ୍ୟୟ ବଲ୍ଲଭ ଭାଇଙ୍କ ପ୍ରଚେଷ୍ଟା ସଫଳ ହେଲା । ସମସ୍ତ ଦେଶୀୟ ରାଜ୍ୟ ଭାରତ ଯୁକ୍ତରାଷ୍ଟ୍ର ସଙ୍ଗରେ ଯୁକ୍ତ ହୋଇଗଲା । ନ ହେଲେ କେବଳ ସୌରାଷ୍ଟ୍ରନୁହେଁ, ଏହି ସବୁ ଖଣ୍ଡ ଖଣ୍ଡ ଦେଶୀୟ ରାଜ୍ୟ ତଥାତାଙ୍କର ଅଂଶୀଦାରମାନଙ୍କୁ ନେଇ ଆଜି ଦେଶର ଭାରସାମ୍ୟ ବାଜାୟ ରଖିବା କାଠିକର ପାଠ ହୋଇଥାଆନ୍ତା । ଜୁନାଗଡ଼ ହେଲା ହିନ୍ଦୁ ପ୍ରଧାନ ଦେଶ; କିନ୍ତୁ ଶାସକ ମୁସଲମାନ। ସେ ଭିତରେ ଭିତରେ ଚେଷ୍ଟା କରୁଥିଲେ ହାଇଦ୍ରାବାଦ ସହ ପାକିସ୍ଥାନରେ ଯୋଗଦେବା ପାଇଁ ନତୁବା ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ହିସାବରେ ନିଜର ଅସ୍ତିତ୍ୱ ବଜାୟ ରଖିବାପାଇଁ । ସଶସ୍ତ୍ର ଅଭ୍ୟୁତ୍‌ଥାନ ସକାଶେ ମଧ୍ୟ ଗୁପ୍ତଭାବେ ପ୍ରସ୍ତୁତ ହେଉଥିଲେ ଏବଂ ପ୍ରତିବେଶୀ ରାଷ୍ଟ୍ର ସଙ୍ଗେ ଗୋପନ ପରାମର୍ଶ ଚଳାଇଥିଲେ । ଅଳ୍ପ-ଚିନ୍ତାକଲେ ତତ୍‌କାଳୀନ ଖବରକାଗଜମାନଙ୍କରେ ପ୍ରକାଶିତ ଗୋପନ ତଥ୍ୟମାନ ଅତି ସହଜରେ ମନେ କରି ପାରିବ । ନବାବଙ୍କ ଏ ଅଭିଳାଷ ପୂରଣ ହୋଇପାରିଲା ନାହିଁ । ଜୁନାଗଡ଼ବାସୀ ସମୟ ମୁତାବକ ଜାଗିଉଠି ଶାସକଙ୍କ ଚକ୍ରାନ୍ତରଦୃଢ଼ ପ୍ରତିବାଦ ଜ୍ଞାପନ କଲେ। ନବାବ ନିଜର ଦୁରାଶା ବିଫଳ ହେବା ଦେଖି ଦୁଃଖରେ ନିଜର ସଞ୍ଚିତ ବିପୁଳ ଧନରତ୍ନ ସଙ୍ଗରେ ଧରି ବିଲାତ ପଳେଇ ଗଲେ ଆତ୍ମଗୋପନ କରି-

 

ସେ ଯାହା ହେଉ ଅଦାବେପାରି ଆମେ । ଜାହାଜ ଭାଉରୁ କ’ଣ ମିଳିବ ? ରାଜନୀତିର କାଦୁଅକୁ ନଯାଇ ଆମର କାମ ଆମେ କରିଯିବା, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେ ଦେବ-ଦର୍ଶନ ମଧ୍ୟ ରାଜନୀତିରୁ ବାହାରେ ନୁହେଁ । ଯେତେ ଦୂର ସମ୍ଭବ ଆମେ ଆମର ଆଲୋଚନାରେ ଆଗେଇ ଯିବା । ବର୍ତ୍ତମାନ ଆମେ ଯେଉଁ ଭୂଖଣ୍ଡ ଉପରେ ଯାତ୍ରା କରୁଛେଁ, ତାହାକୁ ଯେଉଁ ନାମ ଦିଆଯାଉ ନା କାହିଁକି ପ୍ରାଗ୍‌ଐତିହାସିକ ଯୁଗରେ ଏହା ଗୁର୍ଜର ଦେଶ ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ଗୁର୍ଜର ଶବ୍ଦରୁ ଗୁଜୁରାଟର ଉତ୍ପତ୍ତି ବୋଲି ବହୁ ମନୀଷୀ ମତ ଦିଅନ୍ତି ।

 

ଗୁର୍ଜର ଶବ୍ଦ ନେଇ ନାନା ପଣ୍ଡିତ ନାନା ମତ ପ୍ରକାଶ କରିଥାଆନ୍ତି । ତାହା ମଧ୍ୟରେ ଦୁଇଟି ପ୍ରଣିଧାନଯୋଗ୍ୟ । ପ୍ରଥମ ମତର ପୋଷକମାନେ ମନେ କରନ୍ତି, ହୁନମାନଙ୍କ ସହ ବହୁ ଅତୀତରେ ଗୁର୍ଜର ବୋଲି ଏକ ଜାତି ଭାରତ ଭୂମିରେ ପ୍ରବେଶ କରି ଏହି ଅଞ୍ଚଳରେ ନିଜର ଉପନିବେଶ ସ୍ଥାପନ କରନ୍ତି ଏବଂ ତାହାର ନାମ ହୁଏ ଗୁର୍ଜର ଦେଶ । ହୁନମାନେ କେବଳ ରାଜସ୍ଥାନରେ ପ୍ରଭାବ ଜମେଇ ବସିଲେ ଏବଂ କାଳକ୍ରମେ ସେମାନଙ୍କ ସଙ୍ଗେ ମିଶି ଏକ ହୋଇଗଲେ । କିନ୍ତୁ ଗୁର୍ଜରଗଣ ଦଳ ଦଳ ହୋଇ ଭାରତର ବିଭିନ୍ନ ପ୍ରାନ୍ତରେ ଯାଇ ନିଜ ନିଜର ବସତି ସ୍ଥାପନ କରିବାକୁ ଲାଗିଲେ । ତେଣୁ ଦେଖାଯାଏ ଗୋୟାଲିୟରର ଗୋଟିଏ ଜିଲ୍ଲାର ନାମ ଗୁର୍ଜରଗଡ଼ । ପଞ୍ଜାବରେ ଗୁର୍ଜରଗାନ ବା ଗୁଜରାଣଓୟାନା । ଅନେକ ଦିନ ଆଗେ ସାହାରଣପୁରର ନାମ ଥିଲା ଗୁଜୁରାତ । ରାଜସ୍ଥାନର ଉତ୍ତରାଂଶର ଏକ ଭୁଖଣ୍ଡକୁ ମଧ୍ୟ ଗୁଜୁରାତବୋଲି କୁହାଯାଉଥିଲା । ଏହା ବ୍ୟତୀତଏମାନଙ୍କର ପ୍ରଭାବ ପ୍ରତିପତ୍ତି ନର୍ମଦା ଉପତ୍ୟକା, ବୁନ୍ଦେଲ ଖଣ୍ଡ ଓ ଦକ୍ଷିଣ ଭାରତରେ ମଧ୍ୟ ସ୍ୱୀକୃତି ଲାଭ କରିଥିଲେ । ବର୍ତ୍ତମାନ ମଧ୍ୟ କାଶ୍ମୀରର ହିମାଳୟ ପାଦଦେଶରେ ‘‘ଗୁର୍ଜର’’ ବୋଲି ଗୋଟିଏ ଜାତି ଦେଖାଯାଇଥାଆନ୍ତି । ଏମାନେ ତାଙ୍କର ଏ ମୂଳ ଭୂଖଣ୍ଡକୁ କେନ୍ଦ୍ରକରି ଅନ୍ୟାନ୍ୟ ଖଣ୍ଡ ଉପନିବେଶମାନ ଗଢ଼ିନେଇଥିଲେ । ଫଳରେ ପରବର୍ତ୍ତିକାଳରେ ସେହି ଗୁର୍ଜର ଦେଶ ଗୁଜୁରାଟରେ ପରିଣତ ହେବାରେ ସେପରି କୌଣସି ଅସୁବିଧା ନ ଥିଲା । ଦୀର୍ଘକାଳ ଅବସ୍ଥାନ ଫଳରେ ଅନ୍ୟ ସବୁ ଅଞ୍ଚଳରେ ଗୁର୍ଜରଗଣ ସ୍ଥାନୀୟ ଅଧିବାସୀଙ୍କ ସଙ୍ଗେ ମିଳିମିଶି ଏକ ହୋଇ ଯାଇଥିଲେ ।

 

ଦ୍ୱିତୀୟ ମତ ସମର୍ଥକ ପଣ୍ଡିତଗଣ ଏହି ମତକୁ ସ୍ୱୀକାର କରନ୍ତିନାହିଁ । ସେମାନେ କହନ୍ତି ଗୁର୍ଜରମାନେ ଏ ଦେଶକୁ ଆସିବାର ବହୁ ପୂର୍ବରୁ ଗୁର୍ଜର ରାଜ୍ୟର ଅସ୍ତିତ୍ୱ ପ୍ରମାଣିତ ହେଉଅଛି, ଯାହା କି ବର୍ତ୍ତମାନ ବିଶାଳ ଗୁଜୁରାଟର ଅଂଶ ବିଶେଷରୂପେ ବିଦ୍ୟମାନ ଅଛି । ଏହି କାରଣୁ ବହୁ ପୁରାଣମାନଙ୍କରେ ଗୁର୍ଜର ଦେଶର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ଯେଉଁ ସବୁ ପୁରାଣ ବା ଇତିହାସ ହୁନ ଓ ଗୁର୍ଜରମାନଙ୍କ ଆଗମନର ବହୁ ପୂର୍ବରୁ ଲିଖିତ ହୋଇଅଛି, ସେହି ସବୁ ଗ୍ରନ୍ଥ ମଧ୍ୟରୁ କବି ବାଣଭଟ୍ଟ ରଚିତ ହର୍ଷଚରିତ ଅନ୍ୟତମ । ସେହି ଗ୍ରନ୍ଥରେ କବି ରାଜ ପିତାଙ୍କ ରାଜ-ପଶସ୍ତି ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି—

 

‘‘ସିନ୍ଧୁରାଜଜ୍ୱରଃ, ଗୁର୍ଜର ପ୍ରଳାଗରଃ, ଗନ୍ଧାରଧୀପ, ଗନ୍ଧଦ୍ୱୀପ କୁଟପାଳକ’’ ଇତ୍ୟାଦି ବିଶେଷଣମାନ ।

 

ଏତଦ୍‌ବ୍ୟତୀତ ଏହି ଅଞ୍ଚଳରେ ଏପରି ଅନେକ ଶିଳାଲିପି ଆବିଷ୍କୃତ ହୋଇ ଅଛି, ଯାହାସବୁ ଏହି ଉକ୍ତିକୁ ସମର୍ଥନ କରେ । ଏ ବିଷୟରେ ଯେଉଁମାନେ ଆହୁରି ବେଶି ଆଗ୍ରହୀ ସେମାନଙ୍କ ପକ୍ଷରେ K.M. Munshiଙ୍କ ଲିଖିତ ‘ଗୁର୍ଜର ଦେଶ’ ପ୍ରଣୀଧାନ ଯୋଗ୍ୟ ।

 

ବିଖ୍ୟାତ ପରିବ୍ରାଜକ ହୁଏନସାଂଙ୍କ ଲେଖାରୁ ତତ୍‌କାଳୀନ ଗୁର୍ଜର ଦେଶର ସୀମା ବର୍ତ୍ତମାନ ଗୁଜୁରାଟ ବା ସୌରାଷ୍ଟର ଅନେକ ଉତ୍ତରରେ ଥିବା ଜଣାଯାଏ । ଏହି ସୀମା ଭିତରେ ଲୁନି ନଦୀକୁ ଦେଖିବାକୁ ମିଳେ । ହୁଏନସାଂ ଗୁର୍ଜରର ଦକ୍ଷିଣ ଦିଗରୁ ଭିଲ୍ଲମାଳ ହୋଇ ଭଲ୍ଲମାଳ ହୋଇ ଉଜ୍ଜୟନ୍ତ ପାହାଡ଼କୁ ଆସିଥିଲେ । ସେହି ପାହାଡ଼ନିକଟରେ ଘନଜନବସତିପୂର୍ଣ୍ଣ ଏକ ସହରର ବର୍ଣ୍ଣନା ଦେଖିବାକୁ ମିଳେ, ଯାହା ବର୍ତ୍ତମାନ ଗିର୍‌ନାର ପାହାଡ଼ ଓ ସେହି ବର୍ଣ୍ଣିତ ସହର ଜୁନାଗଡ଼ରେ ରୂପାନ୍ତରିତ ହୋଇଅଛି ।

 

ପରେ ଏଠାରେ ରାଜତ୍ୱ କରନ୍ତି ପ୍ରତିହାର ବା ପରିହାର ବଂଶର ନରପତିଗଣ । ସେମାନଙ୍କ ରାଜତ୍ୱ ସମୟରେ ଏହାର ବ୍ୟାପ୍ତି ଥିଲା ପୂର୍ବରେ ମଗଧ ଓ କଳିଙ୍ଗସୀମା ପର୍ଯ୍ୟନ୍ତ । ଏହା ବ୍ୟତୀତ ସିନ୍ଧୁ ଓ ରାଜପୁତନାର କେତେକାଂଶ ମଧ୍ୟ ଏମାନଙ୍କ ରାଜ୍ୟାନ୍ତର୍ଗତ ଥିଲା । ଏହା ଇତିହାସରୁ ପ୍ରମାଣିତ ହୁଏ ।

 

ପରିହାରଗଣଙ୍କ ପରେ ଚାଲୁକ୍ୟଗଣ ଏ ଦେଶରେ ରାଜତ୍ୱ କରନ୍ତି । ସେମାନେ ଏତେ ବଡ଼ସାମ୍ରାଜ୍ୟକୁ ନିଜର ଶାସନାଧୀନରେ ରଖିବାରେ ସମର୍ଥ ହୋଇ ପାରିଲେନାହିଁ । ରାଜଶକ୍ତିର ଦୁର୍ବଳତା ହେତୁ ରାଜ୍ୟରେ ବିଶୃଙ୍ଖଳା ଦେଖା ଦେଲା । ସେହି ସୁଯୋଗ ନେଇ ଚାଲୁକ୍ୟମାନଙ୍କୁ ପରାସ୍ତକରି ପରମାରଗଣ ଏ ରାଜ୍ୟ ଦଖଲ କରିନେଲେ । ସେମାନଙ୍କ ପକ୍ଷରେ ମଧ୍ୟ ସମ୍ପୁର୍ଣ୍ଣ ରାଜ୍ୟ ପରିଚାଳନା କରିବା ସମ୍ଭବ ହେଲା ନାହିଁ । କେବଳ ମୂଳ ଭୂଖଣ୍ଡ ଗୁର୍ଜର ବା ଗୁଜୁରାଟକୁ ରକ୍ଷା କରିବାରେ ଅସର୍ମଥ ହୋଇଥିଲେ । ଏମାନଙ୍କ ସମୟରେ କଚ୍ଛ ଓ ସୌରାଷ୍ଟ୍ର ସୁଯୋଗ ପାଇ ସ୍ୱାଧୀନତା ଘୋଷଣା କରି ଅଲଗା ହୋଇଗଲେ ଏବଂ ସେହିଦିନଠାରୁ ସ୍ୱାଧୀନ ରାଷ୍ଟ୍ରରୂପେ ଆତ୍ମ ପ୍ରକାଶକଲେ ।

 

ବର୍ତ୍ତମାନର ଗୁଜରାଟ, ଗୁଜୁରାଟ, ସୌରାଷ୍ଟ୍ର ଓ କଚ୍ଛର ସମଷ୍ଟିକୁ ନେଇ ଗଠିତ । ଅଳ୍ପ କେତେ ବର୍ଷ ପୂର୍ବ ପର୍ଯ୍ୟନ୍ତ ଆବୁ ମଧ୍ୟ ବିଶାଳ ଗୁଜୁରାଟ ରାଜ୍ୟର ଅଂଶ ବିଶେଷ ଥିଲା । ସୀମା କମିସନଙ୍କ ସୁପାରିସ ଫଳରେ ଏହା ରାଜପୁତନାର ଅନ୍ତର୍ଗତ ହେଲା । ଦକ୍ଷିଣରେ ଏହି ରାଜ୍ୟର ସୀମା ନାସିକଠାରୁ ଅଳ୍ପ କେତେ ମାଇଲ ପର୍ଯ୍ୟନ୍ତ ।

 

ଏହି ପ୍ରଦେଶର ପ୍ରଧାନ ସହର ମଧ୍ୟରେ ସାବରମତି କୂଳର ଅହମଦାବାଦ, ତାପ୍ତୀ କୂଳରେ ସୁରତ, ବରୋଦା ଏବଂ ତୀର୍ଥସ୍ଥାନ ମଧ୍ୟରେ ଦ୍ୱାରକା, ସୋମନାଥ, ପ୍ରଭାସ, ଜୁନାଗଡ଼, ପଳିତନା, ମହାତ୍ମାଜୀଙ୍କ ଜନ୍ମସ୍ଥାନ ପୋର ବନ୍ଦର । ରାଜଧାନୀ ରାଜକୋଟ, ଜାମନଗର, ଭାବନଗର, ଓଖା ବନ୍ଦର, ଦକ୍ଷିଣରେ ଦମନ, ଦିଉ, ପୁରାତନ ବନ୍ଦର ବୋର୍ଚ୍ଚାଓ କଚ୍ଛର ନାମ ବିଶେଷଭାବେ ଉେଲ୍ଲେଖ କରାଯାଇ ପାରେ । କଚ୍ଛରେ ମୂଳ ସହର ଭୂଜ, ନୂତନ ବନ୍ଦର କାନ୍ଦଲା, ଗାନ୍ଧିଧାମ ପ୍ରଭୃତି ଏହି ରାଜ୍ୟର ଅନ୍ତର୍ଗତ । ଏସବୁ ଅଞ୍ଚଳର ଉନ୍ନତିପାଇ ଭାରତ ସରକାର ନୂତନ ରେଳ ଯୋଗାଯୋଗ ସ୍ଥାପନ କରିତତ୍‌ସଙ୍ଗେ ସଡ଼କ ପଥଦ୍ୱାରା ମଧ୍ୟ ଭାରତର ଅନ୍ୟାନ୍ୟ ଅଂଶ ସହ ଯୋଗସୂତ୍ର ରକ୍ଷା କରିଛନ୍ତି । ରେଳ ସଡ଼କ ବ୍ୟତୀତ ଆକାଶ ପଥରେ ମଧ୍ୟ ଏ ରାଜ୍ୟର ନିବିଡ଼ସମ୍ୱନ୍ଧ ଥିବା ଦେଖାଯାଏ ।

 

ଜାମନଗରର ସୋଲାରିୟାମ ବା ସୂର୍ଯ୍ୟଭବନ ସମଗ୍ର ଭାରତବର୍ଷର ଏକ ବୈଶିଷ୍ଠ୍ୟର ଦାବୀ ରଖେ । ପୃଥିବୀରେ ଏହି ସୂର୍ଯ୍ୟଭବନ ଖୁବ୍‍ ସମ୍ଭବ ତୃତୀୟ ତଥା ଶେଷ । ଅନ୍ୟ ଦୁଇଟି ସୁଇଜରଲାଣ୍ଡ ଓ ଫ୍ରାନ୍‌ସରେ । ଏଠାରେ ସୂର୍ଯ୍ୟରଶ୍ମି ମାଧ୍ୟମରେ ରୋଗର ଚିକିତ୍ସା କରା ଯାଇଥାଏ-। ଏହାକୁ ହେଲିଓ ଥେରାପି ଚିକିତ୍ସା କୁହାଯାଏ । ଉକ୍ତ ଚିକିତ୍ସା ସାହାଯ୍ୟରେ ବୋନ୍‌ଟି.ବି, କାନ୍‌ସର ପ୍ରଭୃତି ଦୁରାରୋଗ୍ୟ ବ୍ୟାଧିର ମଧ୍ୟ ଚିକିତ୍ସା କରାହୁଏ । ଜାମନଗର ରାଜା ରଣଜିତ ସିଂହଜୀ ଉକ୍ତ ସୋଲରିୟମଟି ପ୍ରଚୁର ଅର୍ଥ ବ୍ୟୟ କରି ନିଜରାଜ୍ୟରେ ପ୍ରତିଷ୍ଠା କରାଇଥିଲେ । ଯେଉଁ ଯାତ୍ରୀଙ୍କ ହାତରେ ସମୟ ଥାଏ ସେମାନଙ୍କ ପକ୍ଷରେ ଏହି ସୂର୍ଯ୍ୟ-ଚିକିତ୍ସା ପ୍ରତିଷ୍ଠାନଟି ଦେଖିବା ଉଚିତ-। ଏକ ସମୟରେ ନିଜର ପ୍ରୟୋଜନ ହେତୁ ଜାମନଗର ରାଜା ସାହେବ ଫ୍ରାନସ୍‌ରେ ଉକ୍ତ ଚିକିତ୍ସା ଗ୍ରହଣ କରି ଆରୋଗ୍ୟ ଲାଭ କରିପାରଥିଲେ । ସୁସ୍ଥ ହେବା ପରେ ନିଜ ରାଜ୍ୟରେ ଏ ପ୍ରତିଷ୍ଠାନ ସ୍ଥାପନ କରି ଚିର ଅମର ହୋଇ ରହିଛନ୍ତି ।

 

ପୂର୍ବକାଳରେ ମଧ୍ୟ ସୂର୍ଯ୍ୟ ଚିକିତ୍ସାର ପ୍ରଚଳନ ଥିବା କଥା ନାନାଦି ପୁରାଣ ମାନଙ୍କରୁ ଜଣାଯାଏ । ବିମାତା କର୍ତ୍ତୃକ ଶାପଗ୍ରସ୍ତ ଶ୍ୟାମ୍ୱଙ୍କୁ କୁଷ୍ଠବ୍ୟାଧି ଆକ୍ରମଣ କରେ । ଶ୍ରୀକୃଷ୍ଣଙ୍କ ପରାମର୍ଶାନୁଯାୟୀ ସେ ଅର୍କତୀର୍ଥରେସୂର୍ଯ୍ୟାରାଧନା ତଥା ରଶ୍ମୀ ଚିକିତ୍ସାଦ୍ୱାରା ଆରୋଗ୍ୟ ଲାଭ କରିଥିବା କଥା ଶ୍ରୀମଦ୍‌ଭାଗବତରୁ ଜଣାଯାଏ । ଏହିପରି ଆହୁରି ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ଏଥିରୁ ଷ୍ପଷ୍ଟ ପ୍ରମାଣିତ ହୁଏ ଯେ ସେ ସମୟରେ ସଂଶ୍ଳିଷ୍ଟ ସ୍ଥାନମାନଙ୍କରେ ସୂର୍ଯ୍ୟରଶ୍ମୀଦ୍ୱାରା ଚିକିତ୍ସା କେନ୍ଦ୍ରମାନ ସୁପ୍ରତିଷ୍ଠିତ ଥିଲା । ସେହି ସକାଶେ ଶ୍ୟାମ୍ୱ ଚିକିତ୍ସିତ ସ୍ଥାନ ଅର୍କ କ୍ଷେତ୍ର ନାମରେ ପରିଚିତ ଲାଭ କରିପାରିଥିଲା ।

 

କେବଳ ସୋଲାରିୟମ ସକାଶେ ଜାମନଗର ପ୍ରସିଦ୍ଧ ନୁହେ । ଅନ୍ୟାନ୍ୟ ଦ୍ରଷ୍ଟବ୍ୟ ସହ ସହର ମଧ୍ୟରେ ବହୁ ପ୍ରାଚୀନ ଓ ଆଧୁନିକ ଯୁଗର ମନ୍ଦିର ମଧ୍ୟ ଦେଖିବାକୁ ମିଳଥାଏ । ଜାମନଗର ରାଜା ନିଜେ ଆଗେ ଦେବସେବାର ତଦାରଖ କରୁଥିଲେ । ଅନୁସନ୍ଧାନ କଲେ ଆଜି ସୁଦ୍ଧା ତାହାର ଅଳ୍ପ ବେଶି ନମୁନା ମିଳି ପାରିବ । ଆମ ହାତରେ ସମୟ ଥିଲେ ଓଳିକ ସକାଶେ ଜାମନଗରରେ ଯାତ୍ରା ବିରତି କରି ଏସବୁ ଦେଖି ଚକ୍ଷୁ କର୍ଣ୍ଣର ବିବାଦ ଭଞ୍ଜନ କରି ପାରିଥାଆନ୍ତୁ । ଯେତେବେଳେ ସେ ସୁଯୋଗ ନାହିଁ ଅଗତ୍ୟା ଦୁଧର ସ୍ୱାଦ ଘୋଳ ଦେଇ ମେଣ୍ଟାଇ ନେବାକୁ ହେବ । ସଦାନନ୍ଦବାବୁଙ୍କ ନିକଟରୁ ସୌରାଷ୍ଟ୍ର ସହ ଜାମନଗର କାହାଣୀ ଶୁଣୁ ଶୁଣୁ ଟ୍ରେନ୍‍ ପ୍ରାୟ ତିନିଟା ସମୟରେ ଜାମନଗର ଷ୍ଟେସନରେ ପ୍ରବେଶ କଲା । ଠିକ୍‌ସେହି ସମୟରେ ଛୋଟ ଶଙ୍କର ଆସି ସମସ୍ତଙ୍କ ହାତରେ ଚାଆ କପ୍‍ ଧରାଇ ଦେଇଗଲା । ସୁନେଲି ଚାଆର ଆଘ୍ରାଣରେ ଆପାତତଃ ଗଳ୍ପରେ ବାଧାପଡ଼ିଲା ।

 

ଚାଆ ଜଳଖିଆ ପରେ ମଧ୍ୟ ସଦାନନ୍ଦ ବାବୁ ଆଉ ମୁହଁ ନଖୋଲିବା ଦେଖି ଚକ୍ରବର୍ତ୍ତୀ ଭାୟା ମୋତେ ଲକ୍ଷ୍ୟ କରି କହିଲେ—ମାଷ୍ଟ୍ର ମହାଶୟଙ୍କର ବିଶ୍ରାମ । ଏଥର ମିଶ୍ରଭାୟା ନିଜର ପ୍ରତିଶ୍ରୁତି ପୁରଣ କରନ୍ତୁ ।

 

ମୁଁ କେବଳ ତାଙ୍କର ମୁହଁକୁ ଚାହିଁ ରହିଲି । ମନେ ପଡ଼ିଲା ନାହିଁ, କେବେ କାହାକୁ କି ପ୍ରତିଶ୍ରୁତି ଦେଇଛି ।

 

ମୋର ଏ ଭାବ ଲକ୍ଷ୍ୟ କରି ସେ କହିଲେ—ମୁଁ ଭଲ ଭାବେ ଜାଣେ ତୁମର ମନେ ଥିଲେ ମଧ୍ୟ ଭୁଲି ଯିବାର ବାହାନା କରିବ । ମନେ ନାହିଁ ବ୍ରଜମଣ୍ଡଳ ତ୍ୟାଗ କରିବା ସମୟରେ କଥା ଦେଇଥିଲ ଶ୍ରୀକୃଷ୍ଣଙ୍କ ରାଜ୍ୟକୁ ଗଲେ କୃଷ୍ଣ ଚରିତ ଶୁଣାଇବ ବୋଲି । ସେ ସମୟରେ ବାଳ କୃଷ୍ଣଙ୍କ କାହାଣୀ ଯଥା ତଥା କରି ଇତି କରିଛ । ଏଥର ଯଦୁରାଜ ତଥା ପାର୍ଥସାରଥିଙ୍କ କଥା ଆରମ୍ଭ କର ଯଦ୍ଦ୍ୱାରା ଭଗବାନରୂପୀ କୃଷ୍ଣଙ୍କ ବିଷୟ ନ ହେଲେହେଁ ମହାମାନବ କୃଷ୍ଣଙ୍କ ବିଷୟରେ ସମ୍ୟକ୍‌ଧାରଣା ହୋଇ ପାରିବ । ଟ୍ରେନର ଗତି ଯାହା ସେଥିରେ ମନେ ହେଉଛି ରାତ୍ରି ଦଶଟା ଆଗରୁ ଓଖାରେ ପହଞ୍ଚି ହେବନାହିଁ । ବର୍ତ୍ତମାନ ଚେଷ୍ଟା କଲେ ମଧ୍ୟ ନିଦ ହେବନାହିଁ । ସୁତରାଂ ସମୟ କଟାଇବା ପାଇଁ ଗଳ୍ପ ଶୁଣା ହିଁ ଏକ ମାତ୍ର ଉପଯୁକ୍ତ ପନ୍ଥା ।

 

ରେଣୁ ଭାଉଜ କହିଲେ, ‘‘ତା’ର ମାନେ, ନାଇକାଜ; ଖଇଭାଜ ।’’

 

ତାଙ୍କର ମୁହଁରୁ କଥା ଛଡ଼ାଇ ନେଇ ଚକ୍ରବର୍ତ୍ତୀ କହିଲେ, ଖଇଭଜା, ଦହିଖିଆ, ଏବଂ ପରିଶେଷରେ ଶୋଇ ପଡ଼ିବା କାର୍ଯ୍ୟ ସବୁ ଏକ ସାଥିରେ ହୋଇଯିବ ?

 

ବିସ୍ମୟ ପ୍ରକାଶ କରି ସଦାନନ୍ଦବାବୁ ପଚାରିଲେ—ଏଇଟା ପୁଣି କ’ଣ ହେଲା ?

 

ଅପ୍ରତିଭ ନହୋଇ ଚକ୍ରବର୍ତ୍ତୀ ଉତ୍ତର ଦେଲେ, ସହଜ ଭାବେ ଖାଲି ଚିନ୍ତା କଲେ ହେଲା-। ଖଇଭଜା ହେଲେ ଦହି ଦରକାର । ଅର୍ଥାତ୍‌କାମ ନଥିବା ହେତୁ ମିଶ୍ର ଭାୟା ଯେ ଖଇ ଭାଜିବାକୁ ବସିବେ, ତାକୁ ସଦ୍‌ବ୍ୟବହାର କରିବା ସକାଶେ ମଗଜର ଦହି ଦରକାର । ତା’ପରେ ଏ ସବୁ ସତ୍‌ କାହାଣୀ ଧନରୁ ଯଦି ଜମା କୋଠରୀରେ କିଛି ସଞ୍ଚୟ ହୁଏ, ତେବେ ସେହି ମୂଳ ଧନକୁ ଭିତ୍ତି କରି ସ୍ୱର୍ଗକୁ ନିଶୁଣି ମିଳିଯିବ । ପରବର୍ତ୍ତୀ ଖବର ଆଉ ଦରକାର ନାହିଁ, ଏକବାରେ ଶୋଇ ପଡ଼ିବା, ନିଦ୍ରା ଯିବା । ତା’ ପୂର୍ଣ୍ଣରେ ହେଉ ବା ଅପୂର୍ଣ୍ଣରେ, ସେ ବିଷୟରେ ଇତର ବିଶେଷ ହେବାର କୌଣସି ଉପାୟ ନାହିଁ । ନହେଲେ ଶଙ୍କରାଚାର୍ଯଙ୍କ ଭଳି ମନୀଷୀ କ’ଣ ଲେଖିଥାନ୍ତେ-?

 

‘‘କ୍ଷଣମପି ସଜ୍ଜନ ସଙ୍ଗତି ରେକା

ଭବତି ଭବାର୍ଣ୍ଣବ ତରଣେ ନୌକା ।’’

 

ଅବଶ୍ୟ ଏ ସବୁ କଥା ମୋ ମୁହଁରୁ ଶୁଣିବାକୁ ଭଲ ଲାଗିବନାହିଁ । ଏହି କଥାଟି ଯଦି ମିଶ୍ରଭାୟା କହିଥାନ୍ତେ, ତାହା ହେଲେ ଦେଖନ୍ତ ଏ ଖଇ ଉଖୁଡ଼ା ହୋଇଥାନ୍ତା । ଏବଂ ଦହି ସ୍ଥାନ ପାଳୁଅ ଅଧିକାର କରିଥାନ୍ତା । ତା’ ପରେ ଭୁରି ଭୋଜନ । ଏ କଥା କହିବା ନିରର୍ଥକ ।

 

କହିବା ଭଙ୍ଗୀ ଶୁଣି ସମସ୍ତେ ହସି ଉଠିଲେ । ମାଷ୍ଟ୍ରେ କହିଲେ, ମିଶ୍ରବାବୁ ଏଥର ଆଉ ତୁମର ବାହାନା କରିବା ମୋଟେ ଉଚିତ ହେବନି । ଏତେ ଗୁଡ଼ାଏ ଲୋକଙ୍କ ଆଶା ପୁରଣ କରିବାରେ ଯଥା ଶୀଘ୍ର ଯତ୍ନଶୀଳ ହୋଇପଡ଼ । ହୁଏତ ଏହି ସତ୍‌କର୍ମ ଯୋଗୁଁ ତୁମର ମଧ୍ୟ ସଦ୍‌ଗତି ହୋଇଯାଇ ପାରେ । ଅଗତ୍ୟା ମୋତେ ପୁଣି ନିଜର ଭୂମିକା ପ୍ରତି ସଚେତନ ହୋଇ ଅବସର ବିନୋଦନ ପାଇଁ କାହାଣୀ ଆରମ୍ଭ କରିବାକୁ ପଡ଼ିଲା ।

 

ଶ୍ରୀକୃଷ୍ଣ ଚରିତ ବିରାଟ । ସେ ଯେପରି ମହାମାନବ, ସେପରି ତାଙ୍କର ଜୀବନ ମଧ୍ୟ ଘଟଣା ବହୁଳ । କେବଳ ଏକ ଶ୍ରକୃଷ୍ଣଙ୍କୁ ନେଇ ଚିନ୍ତାକଲେ ବିଶ୍ୱର ସମସ୍ତ ମାନବ ଜାତି ବିଷୟରେ ଚିନ୍ତା ପ୍ରଭାବିତ ହୋଇ ଉଠିବ । ଖୁବ୍‌ସମ୍ଭବ ଏହେହି ତାଙ୍କର ବିଶ୍ୱରୂପ । ସେ ସବୁ ବିରାଟ ଚିନ୍ତାଧାରା ମଧ୍ୟରେ ନ ପଶି ସାଧାରଣ ଭାବରେ ଉପର ଠାଉରିଆ ବିଚାର କରି ଦେଖିଲେ ଅନେକ ବୁଝିବା ଏବଂ କହିବା ମଧ୍ୟ ସହଜ ହେଇଯିବ । ର୍ସବପ୍ରଥମେ ଯାହା ମନକୁ ଆସେ, ତା’ ହେଲା ଦ୍ୱାରକାରେ ଶ୍ରୀକୃଷ୍ଣ ଦ୍ୱାରକାଧୀଶ ନୁହନ୍ତି । ଏଠାରେ ସେ ‘ରଣ ଛୋଡ଼ଜୀ’ ନାମରେ ବିଶେଷ ଭାବେ ପରିଚିତ । ଯାହାର ସହଜ ଅର୍ଥ ରଣ ଛାଡ଼ି ସେ ଏଠାକୁ ଆସିଥିଲେ । ତା’ ହେଲେ ପ୍ରଶ୍ନ ଉଠୁଛି, ସେ କ’ଣ ଯୁଦ୍ଧକୁ ଭୟ କରୁଥିଲେ ? ନା ଯୁଦ୍ଧରେ ପୃଷ୍ଠ ପ୍ରଦର୍ଶନ କରି ମଥୁରା ତ୍ୟାଗ କରି ଦ୍ୱାରକାକୁ ଚାଲି ଆସିଥିଲେ ? ବା ଅନ୍ୟ କିଛି ?

 

ଶ୍ରୀକୃଷ୍ଣଙ୍କ ଚରିତ ବିଶ୍ଲେଷଣ କଲେ ପରିଷ୍କାର ଭାବେ ଜଣାଯାଏ, ଅବତାରୀ କୃଷ୍ଣ ଏଠାରେ ଅଦୃଶ୍ୟ । କେବଳ ମାନବ କୃଷ୍ଣ କର୍ତ୍ତବ୍ୟ ସମ୍ପାଦନବେଳେ ଯେପରି ନିଷ୍ଠୁର, ସେପରି ଅଯଥା ରକ୍ତପାତର ମଧ୍ୟ ସେ ଘୋର ବିରୋଧୀ । ଯେଉଁଠି କେବଳ ମାତ୍ର ଗୋଟିଏ ଲୋକର ମୃତ୍ୟୁରେ ସମସ୍ୟାର ସମାଧାନ ଦେଖିଛନ୍ତି, ସେଠାରେ ସେଅସଂଖ୍ୟ ତ ଦୂରର କଥା, ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ଘଟାଇ ନାହାନ୍ତି । ଯେତେବେଳେ ଯୁଦ୍ଧ ଅନିବାର୍ଯ୍ୟ ମନେହୋଇଛି ସେତେବେଳେ ହାର୍‍ ଜିତକୁ ନେଇ ବିଚାର ନ କରି ଆଗେଇ ଯାଇଛନ୍ତି । ଏ ସବୁର ପ୍ରକୃଷ୍ଟ ଉଦାହରଣ ହେଲା କାଳଯବନ, ଜରାସନ୍ଧ, ଶିଶୁପାଳ ବଧ ପ୍ରଭୃତି ଏବଂ ଯୁଦ୍ଧ ବିଷୟ ନେଇ କୁହାଯାଇ ପାରେ ନାଗାର୍ଜ୍ଜୁନ ଯୁଦ୍ଧ, ବାଣାସୁର ପ୍ରଭୃତି ସଙ୍ଗେ ଯୁଦ୍ଧ । ଏଇ ଦୃଷ୍ଟିରୁ ବିଶ୍ଳେଷଣ କରି ଦେଖିଲେ ଏହା ପରିଷ୍କାର ଭାବେ ଜଣା ପଡ଼େ ସେ ଯୁଦ୍ଧକୁ ଭୟ କରି ଆସି ନଥିଲେ । ତା’ ହେଲେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ, କୃଷ୍ଣ ତେବେ ମଥୁରା ତ୍ୟାଗ କରି ଦ୍ୱାରକାକୁ ଚାଲି ଆସିଲେ କାହିଁକି ?

 

ଏ କାହିଁକି ପ୍ରଶ୍ନର ଉତ୍ତର ଖୋଜିବାକୁ ବେଶି ସମୟ ବ୍ୟୟକରିବା ଦରକାର ନାହିଁ । ସ୍ୱଳ୍ପାୟାସରେ ତା ପରିଷ୍କାର ହୋଇଯିବ । ମହାନ ଚିନ୍ତାଶୀଳ କୁଷ୍ଣ ନିଜର ପ୍ରଖର ଧୀଶକ୍ତିଦ୍ୱାରା ବୁଝି ପାରିଥିଲେ ଯେ, ଜରାସନ୍ଧର ମୃତ୍ୟୁ ତାଙ୍କ ଦ୍ୱାରା ସମ୍ଭବ ନୁହେଁ ଏବଂ ତାକୁ ବଧ କରିବା ଭଳି ସେ ସେପରି କିଛି ଗୁରୁତର ଅପରାଧ ମଧ୍ୟ କରିନାହିଁ । ବିଧବା କନ୍ୟାଗଣଙ୍କ ବିଳାପ ଶୁଣିବା ପରେ ସାଧାରଣ ଶକ୍ତିଶାଳୀ ପିତା ଯାହା କରିଥାଏ ସେ ତାହା କରିଛି ମାତ୍ର । ଅର୍ଥାତ୍‌ଶକ୍ତିଶାଳୀ ଜରାସନ୍ଧ ଜାମାତା କଂସର ହତ୍ୟାକାରୀକୁ ଉପଯୁକ୍ତ ଶାସ୍ତିଦେବାକୁଚେଷ୍ଟା କରିଛି। ଏହାକୁ କୌଣସି ପ୍ରକାର ଅପରାଧବୋଲି କୁହାଯାଇ ନ ପାରେ । କାଳକ୍ରମେ ହୁଏତ ଏ ପ୍ରତିହିଂସା ସ୍ପୃହା ଲୋପ ପାଇଯାଇ ପାରେ । ତା’ ହେଲେ ଜଣେ ପ୍ରତାପଶାଳୀ ମହାରାଜାକୁ ଅଯଥା ହତ୍ୟା କରି ଲାଭ କ’ଣ ? ଦ୍ୱିତୀୟରେ ଜରାସନ୍ଧକୁ ବଧକଲେ ମଧ୍ୟ ଏହି ଜିଙ୍ଘାସୁ ମନୋବୃତ୍ତିର ପରିସମାପ୍ତି ସମ୍ଭବ ନୁହେ । ଏକ ମୃତ୍ୟୁ ଆଉ ଗୋଟିଏ ମୃତ୍ୟୁକୁ ଡାକି ଆଣିବ । ଏହାଦ୍ୱାରା ସମସ୍ୟାର ସମାଧାନ ମଧ୍ୟ ସମ୍ଭବ ହେବନାହଁ । ଅଥଚ ମଥୁରାରେ ଥିଲେ ଜରାସନ୍ଧ ବାର ବାର ଆକ୍ରମଣ କରି ବ୍ୟତିବ୍ୟସ୍ତ କରି ରଖିବ । ଯଦୁସେନା ଯେତେ ରଣ କୌଶଳୀ ହେଲେ ମଧ୍ୟ ଅକଳନ ମାଗଧୀ ସେନା ବିରୁଦ୍ଧରେ ଯୁଦ୍ଧକଲେ ଶକ୍ତି କ୍ଷୟ ଅବଶ୍ୟମ୍ଭାବୀ । ରାଜ୍ୟରେ ସଦାସର୍ବଦା ଯୁଦ୍ଧ ବିଗ୍ରହ ଲାଗି ରହିଲେ ଶାନ୍ତି ଅସମ୍ଭବ । ଶାନ୍ତି ବ୍ୟତୀତ ସମୃଦ୍ଧି ଆଶା ବିଡ଼ମ୍ୱନା ମାତ୍ର ।

 

ଏହା ହେଲା ଗୋଟିଏ ଦିଗ । ଅନ୍ୟ ଦିଗରୁ ବିଚାରକଲେ ନିଜର ଯଦୁ ବଂଶର ଅନ୍ତର୍ବିବାଦକୁ ତୁଚ୍ଛ କରିବା ଉପାୟ ନାହିଁ । ଏହି ବିବାଦ ହିଁ କଂସ ମୃତ୍ୟୁର ଏକ ବୃହତ୍‌କାରଣ । ଯଦୁଗଣ ସହିତ ତାହାର ଅନ୍ୟତମ ଶାଖା ବୃଷ୍ଣି ଗଣଙ୍କ ଖଣ୍ଡ କଳହ ଚିର ଦିନର । କଂସଙ୍କ ମୃତ୍ୟୁ ଓ ନୂତନ ରାଜ୍ୟ ସ୍ଥାପନ ସହ କୃଷ୍ଣଙ୍କ ପ୍ରଗାଢ଼ ବ୍ୟକ୍ତିତ୍ୱ ହେତୁ ସେହି ମନୋମାଳିନ୍ୟ ସାମୟିକ ଭାବରେ ବନ୍ଦ ହେଲେ ମଧ୍ୟ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହୋଇ ଯାଇଛି ଏ ଧାରଣା କରିବାର କାରଣ ନାହିଁ । ତୁଷ ନିଆଁ ଭଳି ତାହା କ୍ରମଶଃ ବୃଦ୍ଧି ପାଉଛି ବରଂ । ତା’ର ଆଶୁ ପ୍ରତିକାର ବିଧାନ ଅତୀବ ପ୍ରୟୋଜନ । ସେ ସକାଶେ ଦୁଇ ଯୁଯୁତ୍ସୁ ଶକ୍ତିକୁ ପରସ୍ପର ଠାରୁ ଦୂରକୁ ଅପସାରଣ କରି ନେବାକୁ ହେବ । ଦୂରକୁ ପର୍ବତ ସୁନ୍ଦର ଭଳି ହୁଏତ ଏ ଦୁଇ ଶକ୍ତି ଭିତରେ ନିକଟ ଭବିଷ୍ୟତରେ ସୌହାର୍ଦ୍ୟ ଭାବ ଜାତ ହୋଇପାରେ ।

 

ଏହି ସବୁ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ଶ୍ରୀକୃଷ୍ଣ ମଥୁରା ତ୍ୟାଗକରି ମୂଳ ଯଦୁବଂଶ ସହ କୁଶସ୍ଥଳୀରେ ରାଜ୍ୟ ସ୍ଥାପନ କରିବା ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏଥିରେ ଭୀରୁତା ଅପେକ୍ଷା ବିଚକ୍ଷଣତା ହିଁ ବେଶି ପ୍ରମାଣିତ ହୁଏ ।

 

ଯଦୁବଂଶ ସହ କୁଶସ୍ଥଳୀକୁ ଯାତ୍ରା କଲେ ମହାନାୟକ ଶ୍ରୀକୃଷ୍ଣ । ଆଉ ଏହି ଯଦୁ ବଂଶର ଅନ୍ୟ ଏକ ଶାଖା ବୃଷ୍ଣିକଗଣ ମଥୁରାରେ ରାଜତ୍ୱ କରିବାରେ ଲାଗିଲେ । ଜରାସନ୍ଧଙ୍କ ପ୍ରକୃତ ଶତ୍ରୁ ଶ୍ରୀକୃଷ୍ଣ, ବୃଷ୍ଣିକଗଣ ନୁହନ୍ତି । ତାଙ୍କର ଦ୍ୱେଷ ଥିଲା ଶ୍ରୀକୃଷ୍ଣଙ୍କ ଉପରେ—ସେ ଅପସରି ଯିବା ସଙ୍ଗେ ସଙ୍ଗେ ମଥୁରା ଆକ୍ରମଣ ବନ୍ଦ ହୋଇଗଲା । ରାଜ୍ୟରେ ଶାନ୍ତି ସ୍ଥାପିତ ହେଲା । ଅନ୍ୟ ଦିଗରେ ଜରାସନ୍ଧ ପକ୍ଷେ ମଗଧରୁ ସୈନ୍ୟ ଚାଳନା କରି ପଶ୍ଚିମ ଉପକୂଳରେ ସ୍ଥାପିତ ଦ୍ୱାରକା ଆକ୍ରମଣ ମଧ୍ୟ ସମ୍ଭବ ନ ଥିଲା । ଯାହା ଫଳରେ ଦ୍ୱାରକା ଅଧିବାସିଗଣ ମଧ୍ୟ ଶାନ୍ତିରେ ବସବାସ କରି ନିଜ ନିଜର ଧନ ସମ୍ପଦ ବୃଦ୍ଧି କରିବାରେ ଲାଗିଲେ । ସେ ସୁଯୋଗ ମଧ୍ୟ ମଗଧର ପ୍ରଜାମାନେ ସମଭାବରେ ପ୍ରାପ୍ତ ହେଲେ । ଶ୍ରୀକୃଷ୍ଣଙ୍କ ମହତ୍‌ଆଚରଣ ଯୋଗୁଁ ଚତୁର୍ବିଧ ସୁଯୋଗ ମିଳିବା ସଙ୍ଗେ ସଙ୍ଗେ ତିନୋଟି ଦେଶର ନାଗରିକମାନେ ଶାନ୍ତିରେ ବସ ବାସ କରି ନାନା ଭାବରେ ଶ୍ରୀବୃଦ୍ଧି କରିବାରେ ମନୋନିବେଶ କରି ପାରିଥିଲେ । ମୋଟା ମୋଟି ଏହା ହେଲା ଶ୍ରୀକୃଷ୍ଣଙ୍କ ଜରାସନ୍ଧ ସଙ୍ଗେ ଦୀର୍ଘ ରଣଲିପ୍‌ସା ପରିତ୍ୟାଗ କରି ଦ୍ୱାରକା ଚାଲି ଆସିବାର ଇତିହାସ । ସେ ସକାଶେ ସେ ରଣଛୋଡ଼ଜୀ ନାମରେ ବିଖ୍ୟାତ । କିନ୍ତୁ ଦ୍ୱାରକାଠାରୁ ଅଳ୍ପ ଦୂରରେ ଅବସ୍ଥିତ ବେଟ ଦ୍ୱାରକାରେ ସେ ଦ୍ୱାରକାଧୀଶ

 

ମଝିରେ ବାଧା ଦେଇ ସଦାନନ୍ଦବାବୁ କହିଲେ, ତୁମର ଏ କଥା ଏକ ରକମ ଉଡ଼ା କଥା ଭଳି ମନେ ହେଉଛି ମିଶ୍ରବାବୁ ! କହୁଛ ଅଯଥା ଅପରାଧୀ ଅଥଚ ଆକ୍ରମଣକାରୀ ଜରାସନ୍ଧକୁ ମାରିବା ଶ୍ରୀକୃଷ୍ଣଙ୍କ ଅଭିପ୍ରାୟ ନ ଥିବା ହେତୁ ସେ ଯୁଦ୍ଧରେ ଲୋକ କ୍ଷୟ ନ କରି ସୁଦୂର ଦ୍ୱାରକାକୁ ପଳାଇ ଗଲେ; ଅଥଚ ସେହି ଶ୍ରୀକୃଷ୍ଣ ପୁଣି ସେହି ଜରାସନ୍ଧଙ୍କୁ ଛଳନା କରି—ଅପରଦ୍ୱାରା ବଧ କରାଇ ଥିଲେ । ଏହା କ’ଣ ଶ୍ରୀକୃଷ୍ଣ ଚରିତର ବିପରୀତାର୍ଥ ବୋଲି ମନେ ହେଉ କାହିଁକି ?

 

—ପ୍ରଶ୍ନଟା ଠିକ୍‌ମନେ ହେଲେ ମଧ୍ୟ ଗଭୀର ଭାବେ ଚିନ୍ତାକଲେ ତା’ର ଅନ୍ତର୍ନିହିତ ଉଦ୍ଦେଶ୍ୟ ଜାଣିବା ସହଜ ହୋଇ ଉଠିବ ସଦାନନ୍ଦବାବୁ । ଆମର ପୁରାଣକାରମାନେ କୃଷ୍ଣଙ୍କୁ ଶସ୍ତ୍ରଧାରୀ ରୂପେ ଦେଖାଯାଇ ଅଛି । ସମୂହ ସ୍ୱାର୍ଥ ବ୍ୟତୀତ ନିଜ ସ୍ୱାର୍ଥରେ ସେ ପ୍ରାୟ ଅସ୍ତ୍ର ଧରି ନାହାନ୍ତି କହିଲେ ଚଳେ । ସେ ସକାଶେ ଦେଖାଯାଇଛି ନିଜ ପାଖରେ ଦୋଷୀ ହେଲେ ମଧ୍ୟ ସେ ଶିଶୁପାଳଙ୍କୁ ଶହେ ଥର କ୍ଷମା କରିଥିଲେ; କିନ୍ତୁ ସେହି ଶିଶୁପାଳ ଯେତେବେଳେ ରାଜସୂୟ ଯଜ୍ଞରେ ଗଣ୍ଡଗୋଳ ସୃଷ୍ଟିକରି ସେହି ମହତୀ ଅନୁଷ୍ଠାନ ନଷ୍ଟ କରିବାରେ ଉଦ୍‌ଯୋଗୀ ହେଲେ ସେତେବେଳେ ଯାଇ ତାଙ୍କର ଚକ୍ର ଗର୍ଜି ଉଠିଲା ଦୋଷୀର ଶାସ୍ତି ବିଧାନ ପାଇଁ; କିନ୍ତୁ ଅପମାନକାରୀର ପ୍ରତିଶୋଧ ସକାଶେ ନୁହେଁ ।

 

ସେହିପରି ଜରାସନ୍ଧ ଯେତେଦିନ ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଶତ୍ରୁରୂପେ ଦେଖିଥିଲା ସେତେଦିନ କୃଷ୍ଣ ତା ପ୍ରତି ନିଷ୍ପୃହ ଥିଲେ । ତାଙ୍କ ନିକଟରେ ଜରାସନ୍ଧଙ୍କ ଦୋଷାଦୋଷ ଅପେକ୍ଷା ଯୁକ୍ତିଥିଲା ବଡ଼-। କେତେକ ଅନ୍ୟାୟ କର୍ମ କଲେମଧ୍ୟ ସେଯାଏଁ ସମୂହର କ୍ଷତିକାରକ କୌଣସି କର୍ମ କରି ନ ଥିଲା-। ସେ ସକାଶେ ସେ ସମୟରେ ଜରାସନ୍ଧଙ୍କୁ ମାରିବା ପରିକଳ୍ପନା ତାଙ୍କର ନ ଥିଲା-। ଯେତେବେଳେ ସେ ଜରାସନ୍ଧଙ୍କୁ ବଧକରିବା ପରିକଳ୍ପନା କଲେ, ସେତେବେଳେ ଜରାସନ୍ଧ ରୀତିମତ ସାମାଜିକ ଅପରାଧୀରୂପେ ଚିହ୍ନିତ ହୋଇସାରିଥିଲା । ନିରପରାଧ ଅଗଣିତ ରାଜାଙ୍କୁ ସେ ବନ୍ଦୀ କରି ରଖିଥିଲା ନିଜର କାରାଗାର ମଧ୍ୟରେ, ରାଜମେଧ ଯଜ୍ଞରେ ସେମାନଙ୍କୁ ପଶୁଭଳି ବଳୀ ଦେବା ସକାଶେ । ସେ ସମୟରେ ଏପରି କୌଣସି ବିରୋଧୀ ରାଜଶକ୍ତି ନ ଥିଲା, ଯିଏ କି ପ୍ରକାଶ୍ୟରେ ବିରୋଧ କରି ବନ୍ଦୀ ରାଜନ୍ୟମଣ୍ଡଳୀଙ୍କ ମୁକ୍ତି ବିଧାନ କରିପାରେ-। ଅଗତ୍ୟା ପରମପୁରୁଷ ଶ୍ରୀକୃଷ୍ଣ ଆଗେଇ ଆସିଲେ ସେହି ନିରପରାଧ ଚାରିଊଣା ଲକ୍ଷେ ରାଜାଙ୍କୁ ଅକାଳ ମୃତ୍ୟୁ ମୁଖରୁ ରକ୍ଷାକରିବା ସକାଶେ ଯୁଧିଷ୍ଠିର କୃତ ରାଜସୂୟ ଯଜ୍ଞକୁ ଉପଲକ୍ଷ୍ୟ କରି ।

 

ଏହି କର୍ମ ସମାଧାନ କରିବା ସକାଶେ ତାଙ୍କର ନିକଟରେ ଦୁଇଟି ପଥ ଖୋଲା ଥିଲା । ପ୍ରଥମ ହେଲା ପ୍ରକାଶ୍ୟ ଯୁଦ୍ଧ ଘୋଷଣା କରି ଜରାସନ୍ଧଙ୍କୁ ସମ୍ମୁଖ ସମରରେ ପରାସ୍ତ କରି ରାଜନ୍ୟବର୍ଗଙ୍କୁ ମୁକ୍ତ କରିବା । ଏଥିରେ ବାଧା ଅନେକ । ଯୁଦ୍ଧ ପ୍ରସ୍ତୁତି ସକାଶେ ସମୟ ଏବଂ ଅର୍ଥର ଦରକାର । ତା’ପରେ ଯୁଦ୍ଧ ଲାଗିଲେ ବହୁ ଲୋକକ୍ଷୟ ଅନିବାର୍ଯ୍ୟ, ସମୟ ମଧ୍ୟ ଦୀର୍ଘତର ହେବା ସମ୍ଭାବନାକୁ ଅସ୍ୱୀକାର କରିହେବନି । ସର୍ବୋପରି ଯେଉଁ ନୃପତିଗଣଙ୍କୁ ରକ୍ଷାକରିବା ସକାଶେ ଏ ସମରାନଳ ଜଳି ଉଠିବ, ସର୍ବ ଅଶାନ୍ତିର କାରଣ ଏମାନେ ବୋଲି ଚିନ୍ତା କରି ଜରାସନ୍ଧ ସର୍ବ ପ୍ରଥମେ ସେମାନଙ୍କୁ ହିଁ ହତ୍ୟାକରି ବସିବା ଆଶଙ୍କା ଏକବାରେ ଅମୂଳକ ନୁହେଁ । ଏସବୁ କଥାକୁ ପ୍ରାଧାନ୍ୟ ଦେଇ ଅଯଥା ଲୋକକ୍ଷୟ ପଥରେ ନଯାଇ ସେ ଦ୍ୱିତୀୟ ପଥ ଅନୁସରଣ କରିଥିଲେ । ଅର୍ଥାତ୍‍ ଭୀମାର୍ଜ୍ଜୁନ ସହ ଗୁପ୍ତଭାବରେ ବ୍ରାହ୍ମଣ ବେଶରେ ଯାଇ ସଭାସ୍ଥଳରେ ଜରାସନ୍ଧଙ୍କୁ ଭୋଟିଥିଲେ ।

 

ଛଦ୍ମବେଶରେ ଦେଖାଦେଲେ ମଧ୍ୟ ଛଳନାରେ ହତ୍ୟାକରିବା ତାଙ୍କର ଅଭିପ୍ରାୟ ନ ଥିଲା-। ଜରାସନ୍ଧଙ୍କ ସହ ପ୍ରଥମ ଆଳାପରେ ତିନିଜଣଙ୍କ ପ୍ରକୃତ ପରିଚୟ ଦେଇ ଆଗମନର ଉଦ୍ଦେଶ୍ୟ ପରିଷ୍କାର ଭାବରେ ଜଣାଇ ଦେଇଥିଲେ । ବିନା ସର୍ତ୍ତରେ ସମସ୍ତ ରାଜନ୍ୟମଣ୍ଡଳୀଙ୍କୁ ମୁକ୍ତିଦାନ ନତୁବା ତିନିଜଣଙ୍କ ମଧ୍ୟରୁ ଯାହା ସଙ୍ଗେ ଇଚ୍ଛା ତା’ର ସଙ୍ଗେ ଦ୍ୱନ୍ଦ୍ୱ ଯୁଦ୍ଧରେ ପ୍ରବୃତ୍ତ ହେବା–ଏହା ଥିଲା ତାଙ୍କର ଜରାସନ୍ଧ ନିକଟରେ ପରିଷ୍କାର ସର୍ତ୍ତ ।

 

ସେ ଯୁଗରେ ଦ୍ୱନ୍ଦ୍ୱ ଯୁଦ୍ଧ ଶାସ୍ତ୍ରାନୁମୋଦିତ ଥିଲା ଏବଂ କ୍ଷତ୍ରିୟ ରାଜାଗଣ ତଥା ଯୋଦ୍ଧାଗଣ ଏହାକୁ ମର୍ଯ୍ୟାଦା ଚକ୍ଷୁରେ ଦେଖୁଥିଲେ । ଦ୍ୱନ୍ଦ୍ୱ ଯୁଦ୍ଧରେ ନୀତି ଥିଲା ଯୁଦ୍ଧ ସମୟରେ କୌଣସି ପକ୍ଷର ସେନାନୀ ଅସ୍ତ୍ର ପ୍ରୟୋଗ କରିପାରିବେ ନାହିଁ । ରଣମତ୍ତ ଦୁଇ ଯୋଦ୍ଧାଙ୍କ ଫଳାଫଳ ଅନ୍ୟ ସମସ୍ତେ ମାନିନେବେ । ଯୁଦ୍ଧକାଳୀନ ଦୁଇ ପକ୍ଷରେ ସେନାନାୟକଗଣ ତାଙ୍କର ଅନୁଗାମୀଙ୍କ ସହ ଅସ୍ତ୍ର ସମ୍ବରଣ କରି ନୀରବ ଦର୍ଶକ ଭାବରେ ଦୁଇ ଯୁଯୁତ୍ସୁଙ୍କର ରଣକୌଶଳ ଅବଲୋକନ କରିବେ ।

 

ଏହି ନୀତି ଉପରେ ପୂର୍ଣ୍ଣବିଶ୍ୱାସୀ କୃଷ୍ଣ କେବଳ ଭୀମଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ଜରାସନ୍ଧଙ୍କୁ ଆହ୍ୱାନ କରିନଥିଲେ । ତାଙ୍କ ତିନିଜଣଙ୍କ ମଧ୍ୟରେ ଯାହାକୁ ତାଙ୍କର ପସନ୍ଦ ତାହାର ସଙ୍ଗରେ ଦ୍ୱନ୍ଦ୍ୱ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଅନୁରୋଧ କରିଥିଲେ ଏବଂ ଜରାସନ୍ଧଙ୍କ ଅନୁରୋଧ ଅନୁଯାୟୀ ତାଙ୍କୁ ସମର ସକାଶେ ପ୍ରସ୍ତୁତ ହେବାପାଇଁ ସମୟ ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରତିୟମାନ ହୁଏ ଯେ ଭୀମ. ଅର୍ଜ୍ଜୁନ ବା ସେ ନିଜେ ଦ୍ୱନ୍ଦ୍ୱ ଯୁଦ୍ଧରେ ଜରାସନ୍ଧଙ୍କୁ ବଧ କରିବାକୁ ସକ୍ଷମ ଥିଲେ । ଏସବୁ କାହାଣୀ ତନ୍ନ କନ୍ନ କରି ଦେଖିଲେ ଏହାହିଁ ଦୃଢ଼ ଧାରଣା ହୁଏ ଯେ, ଜରାସନ୍ଧଙ୍କୁ ବଧକରିବା ଆବଶ୍ୟକ ପଡ଼ିଥିଲା ସମୂହ ସ୍ୱାର୍ଥ ସକାଶେ । ଏକଲକ୍ଷ ମୃତ୍ୟୁକୁ ଏଡ଼ାଇବା ସକାଶେ ଗୋଟିଏ ମୃତ୍ୟୁର ଆବଶ୍ୟକ ପଡ଼ିଥିଲା । ଏଥିରେ ତାଙ୍କର ବ୍ୟକ୍ତି ସ୍ୱାର୍ଥ ତିଳେ ମାତ୍ର ନଥିଲା । ଏହାହି ହେଲା କୃଷ୍ଣ ଚରିତ୍ରର ମହତ୍‌କର୍ମ ବା ଜୀବନର ଲକ୍ଷ୍ୟ । ଯେଉଁଠି କୌଶଳରେ କାମ ହାସଲ କରିବା ସମ୍ଭାବନା ରହିଛି, ସେଇଠି ସେ ବରାବର ଯୁଦ୍ଧକୁ ପରିହାର କରିଯାଇଛନ୍ତି । ଯେଉଁଠି ଯୁଦ୍ଧ ଅନିବାର୍ଯ୍ୟ ହୋଇ ଉଠିଛି ସେ ଜାଗାରେ ସେ ଚେଷ୍ଟା କରିଛନ୍ତି ଯେତେ କମ ସଂଖ୍ୟକ ମୃତ୍ୟୁରେ ସେ ଯୁଦ୍ଧର ଅବସାନ ହୁଏ । ଏହାହିଁ କୃଷ୍ଣ ଚରିତ୍ରର ବିଶେଷତ୍ୱ ।

 

ବିଶ୍ୱାସ ଭାଉଚ ନୀରବରେ କଥା ଶୁଣିଯାଉଥିଲେ । ମୋର କହିବା ଶେଷହେବା ଦେଖି ଈଷତ୍‌ହସି ପ୍ରକାଶ କରିଥିଲେ ଶ୍ରୀକୃଷ୍ଣଙ୍କ ପକ୍ଷରେ ଓକିଲାତି କରି ତ ସେ ମଥୁରାରୁ ଗପି ଚାଲିଛ; କିନ୍ତୁ ଏକଥା ଟିକିଏ ବୁଝାଇ ପାରିବକି ମିଶ୍ରବାବୁ, ଯେ ଶ୍ରୀକୃଷ୍ଣଙ୍କ ଭଳି ମହାମାନବ ବହୁ ବଲ୍ଲଭ ଆଖ୍ୟାନେଲେ କିପରି ବା କେଉଁ ନୀତିରେ । ଷୋହଳ ହଜାର ଏକଶତ ଏକ ସ୍ତ୍ରୀଙ୍କୁ ତ ସେ ବିବାହ କରିଥିଲେ । ଏ ଅପକର୍ମ ପରେ ତାଙ୍କୁ ପୁରୁଷମାନେ ଯାହା କହନ୍ତୁନା କାହିଁକି ସ୍ତ୍ରୀମାନେ ଆଦର୍ଶ ମାନବ ବୋଲି ସହଜରେ ମାନିନେବେ ନାହିଁ ନିଶ୍ଚୟ ।

 

ଉତ୍ତରରେ କହିଲି ଏହାହେଲା ତୁମର ରାଗର କଥା । ନହେଲେ ଶ୍ରୀକୃଷ୍ଣଙ୍କ ପକ୍ଷ ନେଇ ଓକିଲାତି କରିବା ଭଳି ବିଦ୍ୟା ବୁଦ୍ଧି କିଛି ମୋର ନାହିଁ । ଆଉ ସେ ମଧ୍ୟ ଏପରି ନିର୍ଗୁଣ ପୁରୁଷ ଯେ ତାଙ୍କର କ୍ରିୟା କଳାପ ବିଶ୍ଳେଷଣ କରିବାକୁ ଯୁକ୍ତି ତର୍କର ଆବଶ୍ୟକତା ପଡ଼େନା । ଯେଉଁ ସବୁ ପୁରାଣକାରମାନେ ବହୁ ସହସ୍ର ସ୍ତ୍ରୀଙ୍କୁ କୃଷ୍ଣ ବିବାହ କରିଥିଲେ ବୋଲି ବର୍ଣ୍ଣନା କରିଛନ୍ତି, ସେ କିନ୍ତୁ ଏହାର ପଛରେ କୌଣସି ବଳିଷ୍ଠ ଯୁକ୍ତି ଦର୍ଶଇ ପାରିନାହାନ୍ତି । ଏପରିକି ତାଙ୍କର ନାମ ପର୍ଯ୍ୟନ୍ତ ଦେଇପାରି ନାହାନ୍ତି । ସୁତରାଂ ଏହାର ସତ୍ୟାସତ୍ୟ ନେଇ ଅଳ୍ପ ବିଚାର କରାଯାଉ । ତାହାହେଲେ ତୁମେ ମଧ୍ୟ ଆନନ୍ଦରେ ‘କୃଷ୍ଣ କୃଷ୍ଣ, ହରେ ହରେ’ ବୋଲି ନାଚି ଉଠିବ ।

 

ଶ୍ରୀକୃଷ୍ଣଙ୍କ ସ୍ତ୍ରୀ ବିଷୟ ନେଇ ବିଭିନ୍ନ ପୁରାଣରେ ବିଭିନ୍ନ ମତ ଦେଖାଯାଇଥାଏ । ବିଷ୍ଣୁ ପୁରାଣରୁ ଜଣାଯାଏ ଶ୍ରୀକୃଷ୍ଣଙ୍କ ଷୋହଳ ସହସ୍ର କୁମାରୀ କନ୍ୟାଙ୍କୁ ସମାଜରେ ପୁନଃ ପ୍ରତିଷ୍ଠିତ କରିବା ସକାଶେ ବିବାହ କରିଥିଲେ । ଏହା କେତେଦୂର ବାସ୍ତବ ସମ୍ମତ ତା କହିବା ଦୁଃସାଧ୍ୟ । ସେ ସକାଶେ ଅନ୍ୟ ପୁରାଣକାରମାନେ ଏଦିଗରେ ଯିବାକୁ ଚାହିଁନାହାନ୍ତି । ସେହି ପୁରାଣରୁ ହିଁ ଜଣାଯାଏ ଏକମାତ୍ର ଏହି କନ୍ୟାଙ୍କ ଗର୍ଭରୁ ଏକଲକ୍ଷ ଅଶୀ ହଜାର ସନ୍ତାନ ଜନ୍ମ ଗ୍ରହଣ କରଥିଲେ-। ଏହାକୁ ଆଉକେତେକ ପୁରାଣକାର ମାନି ନେଇଥିଲେ ମଧ୍ୟ ନା ସନ୍ତାନଙ୍କର ନା ଗର୍ଭଧାରଣୀଙ୍କ ନାମ କେଉଁଠି ହେଲେ ଉଲ୍ଲେଖ କରି ନାହାନ୍ତି ବା ସେମାନଙ୍କର କୌଣସି ପରଚିତି ମଧ୍ୟ ମିଳିବାକୁ ନାହିଁ । ନା ସ୍ୱାମୀ ଗୃହର ବସବାସର କାହାଣୀ ନା ପିତୃ ପରିଚୟ । ଏପରିକି ସନ୍ତାନଗଣଙ୍କ ସଂଖ୍ୟା ପୁନଃ ପୁନଃ ଉଲ୍ଲେଖ ଥିଲେ ମଧ୍ୟ ତାଙ୍କର କ୍ରିୟା କଳାପ ବା ଘର ସଂସାର କାହାଣୀ କେଉଁଠି ହେଲେ ଦେଖିବାକୁ ମିଳେନା । ଯାହା କିଛି କୃଷ୍ଣନନ୍ଦନ ବୋଲି ପୁରାଣରେ ଦେଖିବାକୁ ମିଳେ ତାହାକେବଳ ପ୍ରଦ୍ୟୁମ୍ନ, ଶାମ୍ୱ ପ୍ରଭୃତି ଚାରି ପାଞ୍ଚଜଣଙ୍କ ମଧ୍ୟରେ ସୀମାବଦ୍ଧ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପୁରାଣକାର କୃଷ୍ଣଙ୍କର ଅଲୌକିକତା ତଥା ଅବତାରତ୍ୱ ପ୍ରତିଷ୍ଠିତ କରିବାକୁଯାଇ ଏସବୁ ଅନୈସର୍ଗିକ ବର୍ଣ୍ଣନାମାନ କରିଯାଇଛନ୍ତି ବା ରୂପକାର୍ଥରେ ବ୍ୟବହୃତ ଶବ୍ଦ କାଳକ୍ରମେ ମୂଳ ଚରିତ୍ର ସଙ୍ଗରେ ଯୁକ୍ତ ହୋଇ ଯାଇଅଛି । ନ ହେଲେ ସହଜ ବିଚାର ବୁଦ୍ଧି ନେଇ ଚିନ୍ତାକରି ଦେଖିଲେ ଅତି ସହଜେ ଧରାପଡ଼େ, ଜଣେ ପୁରୁଷ ପକ୍ଷେ ଯେପରି ଏହି ବିପୁଳ ସଂଖ୍ୟକ ସ୍ତ୍ରୀ ଗ୍ରହଣ କରିବା ସମ୍ଭବ ନୁହେ, ସେପରି ଏହି ଷୋହଳ ସହସ୍ର ସ୍ତ୍ରୀ ମଧ୍ୟ ଏକଲକ୍ଷ ଷାଠିଏ ସହସ୍ର ସନ୍ତାନଙ୍କୁ ଜନ୍ମ ଦେବା ସମ୍ଭବ ନୁହେ । ହାରାହାରି ଏକ ମାଆ ଗର୍ଭରୁ ୧୪୪୦ ସନ୍ତାନଙ୍କ ଜନ୍ମ ହେବା ଅତି ଐଶ୍ୱରିକ ଶକ୍ତିରେ ମଧ୍ୟ ସମ୍ଭବପରେ ନୁହେ ।

 

ଶ୍ରୀକୃଷ୍ଣ ତାଙ୍କର ଉକ୍ତିରେ ବାରବାର ପ୍ରକାଶ କରିଛନ୍ତି, ପୁରୁଷକାର ତାଙ୍କର ଶକ୍ତିରେ ନିର୍ଭର କରେ ସତ କିନ୍ତୁ ଦୈବବଳ ଉପରେ ତାଙ୍କର କୌଣସି ହାତ ନାହିଁ । କେବଳ ଉକ୍ତି ହିସାବରେ ନୁହେଁ, ସେ ଜୀବନର ସବୁସ୍ତରରେ ଏକଥାର ଯଥାର୍ଥତା ପ୍ରତିପାଦନ କରି ଯାଇଛନ୍ତି । କୃଷ୍ଣଙ୍କୁ ସ୍ୱୀକାର କରିବାକୁ, ହେଲେ ତାଙ୍କର ଉକ୍ତିକୁ ମଧ୍ୟ ମାନିବା ଉଚିତ । ତାହାହେଲେ ସ୍ୱାଭାବିକ ଭାବରେ ଅତି ମାନବୋଚିତ କର୍ମ ତାଙ୍କର ଜୀବନୀ ଲେଖାରେ ଯାହା ପରିଦୃଷ୍ଟ ହୁଏ ତାହା ସମ୍ପୂର୍ଣ୍ଣ କାହାଣୀକାରର କପୋଳକଳ୍ପିତ ବା ରୂପକ ଚିତ୍ରଣ ମାତ୍ର ।

 

ବର୍ତ୍ତମାନ ସେ ଷୋହଳ ସହସ୍ରକୁ ବାଦ ଦେଇ କେବଳ ଅଷ୍ଟପାଟବଂଶୀଙ୍କୁ ନେଇ ଆଲୋଚନା କରାଯାଉ । ଦ୍ୱାରିକା ମନ୍ଦିରରେ ଅଷ୍ଟପାଟବଂଶୀଙ୍କ ସଙ୍ଗରେ ରାଧାଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ; କିନ୍ତୁ କୃଷ୍ଣଚରିତ୍ରରେ ଦ୍ୱାରକାରେ ରାଧାଙ୍କ କୌଣସି ପ୍ରକାଶ ନାହିଁ । ବିଷ୍ଣୁ ପୁରାଣରେ ଅଷ୍ଟପାଟବଂଶୀ ନାମ ଉଲ୍ଲେଖ ଥିଲେ ମଧ୍ୟ ଆଠ ଜାଗାରେ ନଅଜଣଙ୍କ ନାମ ଦେଖିବାକୁ ମିଳେ ।

 

‘‘କାଳିନ୍ଦୀ ମିତ୍ର ବିଦ୍ୟାଚ ସତ୍ୟାନଗ୍ନଜିତୀ ତଥା

ଦେବୀ ଜାମ୍ୱବତୀ ଚାପି ରୋହିଣୀ କାମରୂପିଣୀ ।

ମଦ୍ରରାଜ ସୁତାଚାନ୍ୟା ସୁଶୀଳା ଶୀଳମଣ୍ଡନା

ସାତ୍ରାଜିତୀ ସତ୍ୟଭାମା ଲକ୍ଷ୍ମଣା ଚାରୁହାସିନୀ ।’’

 

କାଳନ୍ଦୀ, ମିତ୍ରବିଦ୍ୟା, ନଗ୍ନଜିତ କନ୍ୟା ସତ୍ୟା, ରୋହିଣୀ ବା କାମରୂପଣୀ, ମଦ୍ରରାଜ ସୂତା ସୁଶୀଳା, ସତ୍ରାଜିତ କନ୍ୟା ସତ୍ୟଭାମା, ଲକ୍ଷ୍ମଣା ଓ ପ୍ରଥମା ପତ୍ନୀ ରୁକ୍ମିଣୀଙ୍କୁ ନେଇ ନଅଜଣ ହୋଇଯାଉଛନ୍ତି ।

 

ଏହି ଏକ ପୁରାଣରେ ମଧ୍ୟ ମହିଷୀମାନଙ୍କ ନାମରେ ପ୍ରକାରାନ୍ତର ଦେଖିବାକୁ ମିଳିଥାଏ-। ଏକା ଜାମ୍ୱବତୀଙ୍କୁ ରୋହୀଣୀ ଓ କାମ ରୂପଣୀ ନାମରେ ଏହି ଏକ ପୁରାଣରେ ସମ୍ୱୋଧିତ ହୋଇଥିବା ଦେଖାଯାଏ । ସେହିପରି ସତ୍ୟା, ସତ୍ୟଭାମା ଯେ ଜଣଙ୍କ ନାମ ତା’ ମଧ୍ୟ ସେହି ପୁରାଣର ବିଭିନ୍ନ ଜାଗାରେ ଦେଖିବାକୁ ମିଳିଥାଏ । ଏସବୁକୁ ପର୍ଯ୍ୟାଲୋଚନା କରି ବହୁ ପଣ୍ଡିତଗଣ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଅଷ୍ଟପାଟବଂଶୀଙ୍କୁ, ରୁକ୍ମଣୀ, ସତ୍ୟଭାମା, ଜାମ୍ୱବତୀ, ଶୈବ୍ୟା, କାଳୀନ୍ଦୀ, ମିତ୍ରବିନ୍ଦ୍ୟା, ମାଦ୍ରୀ ବା ସୁଶୀଳା ଏବଂ ଜଳହାସିନୀ ବା ଲକ୍ଷ୍ମଣା ନାମରେ ଅଭିହିତ କରିଛନ୍ତି-। ଅବଶ୍ୟ ଏ ସମସ୍ତ ନାମ ବିଷ୍ଣୁପୁରାଣରେ ଦେଖାଯାଏ । କେତେକ ହରିବଂଶ ଓ ଶ୍ରୀମଦ୍‌ଭାଗବତରୁ ଆହରିତ । ତା’ ହେଲେ ମଧ୍ୟ କେଉଁ ପୁରାଣକାର ଅଷ୍ଟପାଟବଂଶୀ ମଧ୍ୟରେ ରାଧାଙ୍କ ନାମ ସନ୍ନିବେଶିତ କାରିନାହାନ୍ତି । ଯେଉଁସବୁ ପୁରାଣମାନଙ୍କରେ କୃଷ୍ଣ ଚରିତ କୀର୍ତ୍ତନ କରାଯାଇ ଅଛି ତାହାରି ମଧ୍ୟରୁ କେଉଁଥିରେ ହେଲେ ଗୋପତ୍ୟାଗ କଲାପରେ କୃଷ୍ଣ ସଙ୍ଗେ ରାଧାଙ୍କ ଉପସ୍ଥିତି ବର୍ଣ୍ଣନା କରିନାହାନ୍ତି । ଅଥଚ ଶ୍ରୀରାଧା ଦ୍ୱାରକା ମନ୍ଦିରରେ ଭକ୍ତଗଣଙ୍କ ପ୍ରଣାମ ସଂଗ୍ରହ କରି ଚାଲିଛନ୍ତି । ନୀତିଗତ ଭାବେ ଏହା ଏକ ଚିନ୍ତାର ବିଷୟ ।

 

ରାଧା ଏ ସ୍ଥାନାରେ ଆପାଙ୍‌କ୍ତେୟ ହେଲେ ମଧ୍ୟ ଯେପରି ଦର୍ଶନ ସମୟରେ ଅପରିହାର୍ଯ୍ୟ, ସେପରି ଅନେକ ପଣ୍ଡିତ ମନେକରନ୍ତି ଏହି ଅଷ୍ଟପାଟବଂଶୀ ମଧ୍ୟ କବିର ଏପରି କଳ୍ପନାପ୍ରସ୍ତୁତ । ଯାହା ଶ୍ରୀକୃଷ୍ଣ ଚରିତ ସଙ୍ଗେ ଓତପ୍ରୋତ ଭାବରେ ଯୁକ୍ତ । ପୁରାଣମାନଙ୍କରୁ ଜଣାଯାଏ ପ୍ରଥମା ପତ୍ନୀ ରୁକ୍ମଣୀଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀକୃଷ୍ଣ ତାଙ୍କୁ ପିତ୍ରାଳୟରୁ ବଳପୂର୍ବକ ହରଣକରି ବିବାହକରିଥିଲେ ଏବଂ ସ୍ୟମନ୍ତକମଣି ଘଟିତ ଘଟଣା ମାଧ୍ୟମରେ ଜାମ୍ୱବତୀ ଓ ସତ୍ୟଭାମାଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ । ଏହା ବ୍ୟତୀତ ଅନ୍ୟମାନଙ୍କ ସହ ବିବାହ ନେଇ ସେପରି ତଥ୍ୟମୂଳକ କାହାଣୀ କୌଣସି ପୁରାଣରେ ଦେଖାଯାଏ ନାହିଁ । ସେ ସକାଶେ କୃଷ୍ଣ ଚରିତ ନେଇ ଗବେଷଣାକାରୀ ବହୁ ପଣ୍ଡିତ ମନେକରନ୍ତି ଯେ ଶ୍ରୀକୃଷ୍ଣ ପ୍ରକୃତରେ ଏ ତିନିଜଣଙ୍କୁ ବିବାହ କରିଥିଲେ । ସେ ସକାଶେ ସାଧାରଣ ଭାବରେ ଏହି ତିନିଜଣଙ୍କୁ ହିଁ ଅନେକ ପୁରାଣରେ ବର୍ଣ୍ଣିତ ଥିବା ଦେଖାଯାଏ । ସେ ଯୁଗରେ ଏକଜଣ ପୁରୁଷ ପକ୍ଷରେ ତିନିଜଣ ସ୍ତ୍ରୀ ଗ୍ରହଣ କରିବା ସେପରି ଦୁଷଣୀୟ ନ ଥିଲା । ଏ ତିନି ସ୍ତ୍ରୀ ମଧ୍ୟରେପ୍ରଥମା ସ୍ତ୍ରୀ ରୁକ୍ମଣୀ ପଟ୍ଟମହଷୀ ଥିଲେ ଏବଂ ଅନ୍ୟ ଦୁଇଜଣ ପତ୍ନୀ ଥିଲେ । ଜାମ୍ୱବତୀଙ୍କ ଗର୍ଭରୁ ଶ୍ୟାମ୍ୱଙ୍କ ଜନ୍ମ କଥା ଦେଖିବାକୁ ମିଳିଲେ ମଧ୍ୟ ସତ୍ୟଭାମାଙ୍କ ଗର୍ଭଜାତ ସନ୍ତାନ ନାମ କୌଣସି ପୁରାଣରେ ଉଲ୍ଲେଖ ନାହିଁ । ଆଉ ଜ୍ୟୋଷ୍ଠା ପତ୍ନୀ ପ୍ରଦ୍ୟୁମ୍ନ ଏବଂ ଶ୍ରୀକୃଷ୍ଣୋତ୍ତର ପରବର୍ତ୍ତୀ ଯୁଗରେ ଏହାଙ୍କର ପୌତ୍ର ବ୍ରଜନାଭ ହିଁ ଯଦୁବଂଶର ରାଜା ରୂପେ ପ୍ରତିଷ୍ଠିତ ହୋଇଥିଲେ । ଏହି ବିଷୟରେ ବିଶେଷ ତଥ୍ୟ ଜାଣିବାକୁ ଇଚ୍ଛା ଥିଲେ ଶ୍ରୀକୃଷ୍ଣ ଚରିତ ଗବେଷକଗଣ ବହୁ ଗ୍ରନ୍ଥ ରଚନା କରିଛନ୍ତି । ସେ ସବୁ ସଂଗ୍ରହ କରି ପଢ଼ିପାର ଏବଂ ଏହାଦ୍ୱାରା କୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ଆହୁରି ଦୃଢ଼ତର ସଂଗ୍ରହ ହେବ ।

 

ମୋର କାହାଣୀ କହିବାରେ ଇତି ଟାଣିବା ଦେଖି ରେଣୁ ଭାଉଜ କହିଲେ ବନ୍ଦ କଲେ ଚଳିବନାହିଁ । ପ୍ରଥମରୁ ସ୍ୟମନ୍ତକ ମଣି ସହ ସତ୍ୟଭାମା ଓ ଜାମ୍ୱବତୀଙ୍କ ବିବାହାର କି ସମ୍ପର୍କ ସେ କାହାଣୀ ଶୁଣାଇ ବିଶ୍ରାମ କର । ଅଧା କହି ଅପନ୍ତରିଥା ପଥରେ ରଖିଦେଲେ ଚଳିବନାହିଁ ।

 

ଅଗତ୍ୟା ସ୍ୟମନ୍ତକମଣି ଉପାଖ୍ୟାନ ବଖାଣିବାକୁ ପଡ଼ିଲା। ଅନ୍ୟତମ ଯାଦବ ଶ୍ରେଷ୍ଠ ଶତ୍ରାଜିତ ତପସ୍ୟାଦ୍ୱାରା ସୂର୍ଯ୍ୟଙ୍କୁ ପରିତୁଷ୍ଟ କରି ଅତୁଳନୀୟ ରତ୍ନ ସ୍ୟମନ୍ତକ ମଣି ପ୍ରାପ୍ତ ହେଲେ । ଏକଥା କୃଷ୍ଣଙ୍କ କର୍ଣ୍ଣଗୋଚର ହେଲା । ଅମୂଲ୍ୟ ଜିନିଷ ନେଇ ଯେପରି ନିଜ ଭିତରେ ବାଦବିବାଦ ସୃଷ୍ଟି ନ ହୁଏ, ସେଇ ଉଦ୍ଦେଶ୍ୟ ନେଇ ସମସ୍ତ ମୂଲ୍ୟବାନ ବସ୍ତୁ ଯୁରାଜା ଉଗ୍ରସେନଙ୍କ ନିକଟରେ ଗଚ୍ଛିତ ରଖିବା ଥିଲା କଳନୀତି । ସେହି ନିୟମ ରକ୍ଷାକରି ନିଜ ଭିତରେ ତିକ୍ତତା ବୃଦ୍ଧି ନ କରିବା ପାଇଁ ଉକ୍ତ ମଣି କୁଳଶ୍ରେଷ୍ଠ ରାଜା ଉଗ୍ରସେନଙ୍କ ନିକଟରେ ଜମା ଦେବାପାଇଁ ଶ୍ରୀକୃଷ୍ଣ ଶତ୍ରାଜିତଙ୍କୁ ପରାମର୍ଶ ଦେଲେ; କିନ୍ତୁ, ଏ ପରାମର୍ଶ ଗ୍ରହଣ କରି ମଣି ହାତ ଛଡ଼ା କଲାଭଳି ମାନସିକ ଶକ୍ତି ଶତ୍ରାଜିତଙ୍କର ନ ଥିଲା । ଅଥଚ କୃଷ୍ଣଙ୍କ କଥା ରକ୍ଷା କରି ନ ଥିବାରୁ ନିଜେ ଧାରଣ କରିବା ଭଳି ସାହସ ମଧ୍ୟ ତାଙ୍କର ନଥିଲା । ଅନ୍ୟ ଉପାୟ ନ ଦେଖି ସେହି ମଣିକୁ ନିଜ ଭାଇ ପ୍ରସନ୍ନଜିତ ନିକଟରେ ଗଚ୍ଛିତ ରଖିଦେଲେ । ପ୍ରକୃତିର ଏପରି ପରିହାସକୁ ଲଙ୍ଘନକରିବା କ୍ଷୁଦ୍ରବୁଦ୍ଧି ମାନବ ପକ୍ଷେ ଅସମ୍ଭବ । ଦିନେ ପ୍ରସନ୍ନଜିତ ସେହି ମଣିକୁ ଗଳାରେ ଧାରଣ କରି ମୃଗୟା ବିନୋଦରେ ଗହନ ଅରଣ୍ୟକୁ ଯାତ୍ରାକଲେ ଏବଂ ଘଟଣାଚକ୍ରରେ ହିଂସ୍ର କ୍ଷୁଧିତ ସିଂହ ମୁଖରେ ପତିତ ହୋଇ ଶିକାରୀ ଶିକାରର ଆକ୍ରମଣରେ ପ୍ରାଣ ହରାଇଲେ । ଫଳରେ ମଣିର ଆଉ କୌଣସି ସନ୍ଧାନ ମିଳିଲାନାହିଁ ।

 

ଯଥା ସମୟରେ ଶତ୍ରାଜିତ ପ୍ରସନ୍ନଜିତଙ୍କ ମୃତ୍ୟୁ ସମ୍ୱାଦ ପ୍ରାପ୍ତ ହେଲେ । ସେ ସିଂହ ମୁହଁରେ ଭାଇର ମୃତ୍ୟୁ ଘଟଣାକୁ ପ୍ରାଧାନ୍ୟ ନ ଦେଇ ଶ୍ରୀକୃଷ୍ଣ ଗହନ ବନରେ ଭାଇକୁ ହତ୍ୟା କରି ମଣି ଅପହରଣ କରି ନେଇଛନ୍ତି ବୋଲି ଧରିନେଲେ । ତାଙ୍କର ଏ ସନ୍ଦେହ କାନକୁ କାନ ହୋଇ ତିଳକୁ ତାଳ ଆକାର ଧାରଣ କରି ଯଦୁପତି କୃଷ୍ଣଙ୍କ କର୍ଣ୍ଣଗୋଚର ହେଲା । ଶତ୍ରାଜିତ ମଣି ପାଇବା ଖବର ପାଇସେ ତାହାଙ୍କୁ ପରାମର୍ଶ କେବଳ ଦେଇଥିଲେ । ସେ ମଣିର ଦର୍ଶନ ପର୍ଯ୍ୟନ୍ତ ସେ ପାଇ ନ ଥିଲେ । ହଠାତ୍‌ ଏପରି ଏକ ଅପବାଦ କଥା ଶ୍ରବଣ କରି ପ୍ରଥମେ ସ୍ତମ୍ଭୀଭୂତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ପରେ ଗଭୀରଭାବେ ଚିନ୍ତା କରି ଦେଖିଲେ ଯେ ମଣି ଉଦ୍ଧାର କରି ସତ୍ୟ ଘଟଣା ପ୍ରକାଶ ନ କଲେ ଏ ଅପବାଦରୁ ରକ୍ଷାପାଇବା ସହଜ ନୁହେଁ । ଏହି ଜନରବ କାଳକ୍ରମେ ସତ୍ୟରେ ପରିଣତ ହୋଇ ଜୀବନର ମୁଖ୍ୟ କଳଙ୍କ ହୋଇ ରହିଯିବ । ସେ ଅନତିବିଳମ୍ୱେ ପ୍ରସନ୍ନଜିତ ସହ ମୃଗୟାକୁ ଯାଇଥିବା ସେନାନୀଗଣଙ୍କୁ ସଙ୍ଗରେ ଧରି ରହସ୍ୟ ଅନୁସନ୍ଧାନ ପାଇଁ ଯାତ୍ରାକଲେ ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ଦେଖିଲେ ବାର୍ତ୍ତାବାହାକଙ୍କ କଥା ଯଥାର୍ଥ । ପ୍ରସନ୍ନଜିତ ସିଂହଦ୍ୱାରା ଆକ୍ରାନ୍ତ ହୋଇଥିବାର ବହୁ ପ୍ରମାଣ ସେ ସ୍ଥାନରେ ସେ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା । ସେସବୁ ଅନୁଧ୍ୟାନ କରି ଶ୍ରୀକୃଷ୍ଣ ପ୍ରସନ୍ନଜିତ ସିଂହଦ୍ୱାରା ନିହତ ହେବା ସ୍ଥିର ନିଶ୍ଚିତ ହୋଇ ସିଂହର ଗତିପଥ ଅନୁସରଣ କଲେ ।

 

ଅଳ୍ପ କେତେ ଦୂର ଗଭୀର ଅରଣ୍ୟ ମଧ୍ୟରେ ଅଗ୍ରସର ହୋଇ ସେ ଦେଖିଲେ ଏକ ବିରାଟକାୟ ସିଂହର ମୃତ ଦେହ । ପ୍ରସନ୍ନଜିତଙ୍କ ଅଙ୍ଗାଭରଣର କେତେକ ଅଂଶ ମଧ୍ୟ ସେଠାରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିବା ଦେଖିଲେ । ଏକ ବିଶାଳକାୟ ଭଲ୍ଲୁକର ପଦଚିହ୍ନ ଏବଂ ସିଂହ ସହ ଭଲ୍ଲୁକର ଯୁଦ୍ଧ ଘଟିଥିବା କଥା ମଧ୍ୟ କୃଷ୍ଣଙ୍କ ବୁଝିବାକୁ କଷ୍ଟ ହେଲାନି । ପ୍ରସନ୍ନଜିତକୁ ହତ୍ୟାକରି ସିଂହ ଯେତେବେଳେ ସେହି ଶବ ଧରି ଗହନବନ ମଧ୍ୟକୁ ଯାତ୍ରା କରୁଥିଲା ଆହାର କରିବା ସକାଶେ, ସେ ସମୟରେ ସେ ଏକ ଭଲ୍ଲୁକର ସମ୍ମୁଖୀନ ହୁଏ ଏବଂ ତା’ର ସଙ୍ଗେ ପଶୁରାଜର ରୀତମତ ଯୁଦ୍ଧ ହୁଏ । ସିଂହ ନିହତ ହେଲା । ନିଜ ଆହାର ସକାଶେ ମନୁଷ୍ୟ ଶବକୁ ବହନକରି ଭଲ୍ଲୁକ ପଳାୟନ କରେ । ଏହି ଧାରଣା ବଦ୍ଧମୂଳ ହେବା ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣ ଭଲ୍ଲୁକ ପଦଚିହ୍ନ ଅନୁସରଣ କରି ଗହନ ଅରଣ୍ୟ ମଧ୍ୟସ୍ଥ ଏକ ଗହ୍ୱର ମୁଖରେ ଉପନୀତ ହେଲେ । ଗଛର ଆଢ଼ୁଆଳରେ ରହି ସେ ଲକ୍ଷ୍ୟ କଲେ ଗୁହା ମୁଖରେ ଗୋଟିଏ ଦିବ୍ୟ ସୁନ୍ଦରୀ କିଶୋରୀ ନିଜ ମନ ଆନନ୍ଦରେ ଖେଳିବୁଲୁଛି । ହଠାତ୍‌କୃଷ୍ଣ ଦେଖି ପାରିଲେ ସେହି ଅପୂର୍ବ ସ୍ୟମନ୍ତକ ମଣିଟି କିଶୋରୀ ଗଳାରେ ଶୋଭା ପାଉଅଛି । ଶ୍ରୀକୃଷ୍ଣ କଅଣ କରିବେ ଭଲ ଭାବେ ଚିନ୍ତା କରିବା ପୂର୍ବରୁ ବିରାଟ ଗହ୍ୱରରୁ ଏକ ଭଲ୍ଲୁକ ବାହାରି ଆସି ଆଖି ପଲକରେ କିଶୋରୀକୁ କୋଳାଗ୍ର କରି ପୁଣି ସେହି ଗହ୍ୱର ମଧ୍ୟକୁ ଚାଲିଗଲା । ଶ୍ରୀକୃଷ୍ଣଙ୍କୁ ଆଉ ପୂର୍ବାପର ଚିନ୍ତା କରିବାକୁ ଅବସର ମିଳିଲାନାହିଁ । ସଙ୍ଗର ଥିବା ସେନାଗଣଙ୍କୁ ଗହ୍ୱର ମୁଖ ରକ୍ଷାକରିବା ପାଇଁ ନିର୍ଦ୍ଦେଶ ଦେଇ ସେ ଏକାକୀ କ୍ଷିପ୍ର ଗତିରେ ସେ ଗହ୍ୱର ଭିତର ଦେଇ ଭଲ୍ଲୁକର ଅନୁସରଣ କଲେ ।

 

ଭଲ୍ଲୁକ ଅନ୍ୟ କେହି ନୁହେ । ସେ ଖୋଦତ୍ରେତୟା ଯୁଗର ଶ୍ରୀରାମଙ୍କ ସାହାଯ୍ୟକାରୀ ମହାନ ଯୋଦ୍ଧା ତଥା ମନ୍ତ୍ରଣାଦାତା ଜାମ୍ୱବାନ ଏବଂ କିଶୋରୀ ତାଙ୍କର ପାଳିତା କନ୍ୟା ଜମ୍ୱବତୀ । ମଣି ସକାଶେ ସେହି ଗୁହା ଭିତରେ ଦୀର୍ଘ ସମୟ ଧରି ଜାମ୍ୱବାନଙ୍କ ସଙ୍ଗର କୃଷ୍ଣଙ୍କ ଦ୍ୱନ୍ଦ୍ୱ ଯୁଦ୍ଧ ଲାଗିଲା । ଅବଶେଷରେ ଜାମ୍ୱବାନ ପରାଜୟ ବରଣ କରି ଶ୍ରୀକୃଷ୍ଣଙ୍କ ହସ୍ତରେ ଜାମ୍ୱବତୀଙ୍କ ସହ ସେହି ଅପହୃତ ମଣି ପ୍ରଦାନ କଲେ । ନିଜର ପରାଜୟ ଗ୍ଳାନି ଉପଶମ କରିବା ପାଇଁ ନିଜର ପ୍ରତିଜ୍ଞାନୁଯାଇ ଆତ୍ମାହୁତି ଦେବା ସକାଶେ ପ୍ରସ୍ତୁତ ହେଲେ ତ୍ରେତୟା ଯୁଗର ବୀର ଶ୍ରେଷ୍ଠ ଜାମ୍ୱବାନ-

 

ପୁରାଣକାର ଏହି ଆଖ୍ୟାୟିକ ଏହିଠାରେ ଇତି କରିବା ପରିବର୍ତ୍ତେ ତ୍ରେତୟା ଯୁଗକୁ, ପୁଣି ପାଠକଙ୍କୁ ଟାଣିନେଇ ଯାଇଛନ୍ତି । ଫଳରେ ସେତକନଶୁଣିଲେ ଏ କାହାଣୀ ସଂପୂର୍ଣ୍ଣ ହେବନାହିଁ ।

 

ତ୍ରେତୟା ଯୁଗ ଶେଷ । ଦ୍ୱାପର ଆରମ୍ଭ—ହେଲେ ରାମଚନ୍ଦ୍ରଙ୍କ ଉପସ୍ଥିତିରେ ସେ ନିଜର ପ୍ରଭାବ ବିସ୍ତାର କରିପାରୁ ନାହିଁ । କାଳପୁରୁଷଠାରୁ ଉକ୍ତ ସମ୍ୱାଦ ଜ୍ଞାତ ହୋଇ ରାମଚନ୍ଦ୍ର ଦେହତ୍ୟାଗ କରିବା ସିଦ୍ଧାନ୍ତ ଗ୍ରହଣ କଲେ । ଖବର ପାଇ ସମସ୍ତ ମିତ୍ରଗଣ ସହ ଉପକାରୀ ବାନରବାହିନୀ ଅଯୋଧ୍ୟାରେ ଆସି ଉପସ୍ଥିତ ହେଲେ । ସମସ୍ତେ ରାମଚନ୍ଦ୍ରଙ୍କ ସଙ୍ଗେ ଶରୀର ବିସର୍ଜନ ଦେବା ବାସନା ତାଙ୍କ ନିକଟରେ ବ୍ୟକ୍ତ କଲେ । ବିଷ୍ଣୁ ଅବତାର ରାମଚନ୍ଦ୍ର ମୋହ ମାୟାରେ ଆଚ୍ଛନ୍ନ ହେଲେ ମଧ୍ୟ ସେ ତ୍ରିକାଳଦର୍ଶୀ । ତାଙ୍କ ପକ୍ଷରେ ସମସ୍ତଙ୍କ ଅଭିଳାଷ ପୂରଣ କରିବା ସମ୍ଭବପର ନୁହେଁ । ଯେଉଁମାନଙ୍କୁ ସଙ୍ଗରେ ନେବା ସମ୍ଭବ ସେମାନଙ୍କୁ ଅନୁମତି ପ୍ରଦାନ କରି ଅନ୍ୟମାନଙ୍କୁ ନାନାଦି ଉପଢୌକନଦ୍ୱାରା ପରିତୃପ୍ତ କରାଇ ଶରୀର ତ୍ୟାଗ ସଙ୍କଳ୍ପରୁ ବିରତ ହେବା ପରାମର୍ଶ ଦେଇ ବିଦାୟ ଦେଲେ । ବାକି ରହିଲେ ବିଭୀଷଣ, ହନୁମାନ, ଜାମ୍ୱବାନ ଏବଂ ବାଳି ପୁତ୍ର ଅଙ୍ଗଦ । ପ୍ରଥମ ଦୁଇଜଣ ଚିରଜୀବୀ ଏବଂ ବ୍ରହ୍ମାସୂତ ଜାମ୍ୱବାନ ତିନି ଯୁଗକୁ ଆୟୁଷ ଧାରଣ କରନ୍ତି । ତେଣୁ ସେମାନଙ୍କୁ ସମ୍ୱୋଧନ କରି ରାମଚନ୍ଦ୍ର କହିଲେ, ‘‘ହେ ବିଭୀଷଣ, ମୁଁ ତୁମକୁ ଚାରି ଯୁଗକୁ ଅମର ବର ପ୍ରଦାନ କରିଛି । ତୁମେ ଯଦି ଏବେ ମୋ ସଙ୍ଗେ ଶରୀର ତ୍ୟାଗ କର, ତାହାହେଲେ ମୁଁ ମିଥ୍ୟାବାଦୀ ବୋଲି ପ୍ରମାଣିତ ହେବି ସୁତରାଂ ତୁମେ ଏ କର୍ମରୁ ବିରତ ହୋଇ ପରମ ସୁଖରେ ନିଜ ରାଜ୍ୟରେ ରାଜତ୍ୱ କର’’ (ଏହାର ବିଷଦ ବ୍ୟାଖ୍ୟା ଲେଖକଙ୍କ ଦେବଭୂମି ଦାକ୍ଷିଣାତ୍ୟରେ ଦ୍ରଷ୍ଟବ୍ୟ) ।

 

ହନୁମାନଙ୍କୁ କହିଲେ, ତୁମେ ଚିରଦିନ ଅମର । ଅମର ପୃଥିବୀ ବକ୍ଷରେ ଯେତେ ଦିନ ରାମ ନାମ ଥିବ, ସେତେଦିନ ତୁମେ ମଧ୍ୟ ରହିବ । ତେଣୁ ତୁମର ମୋ ସଙ୍ଗେ ଯାତ୍ରା ସମ୍ଭବ ନୁହେଁ-। ଲକ୍ଷ୍ମଣ ଶକ୍ତିଭେଦ ସମୟରେ, ଗନ୍ଧମାର୍ଦ୍ଦନ ଶିଖରରୁ ବିଶଲ୍ୟ କରଣୀଆଣିବା ସମୟରେ, ସେହି ପର୍ବତର ମନୋମୁଗ୍‍ଧକର ଶୋଭା ଦେଖି ତୁମର ମନରେ ବାସନା ଜାଗ୍ରତ ହୋଇଥିଲା, ‘‘ଯଦି ଅନ୍ୟ କୌଣସି ଚିନ୍ତା ନ ଥାନ୍ତା, ତେବେ ମନଆନନ୍ଦରେ ଏହି ଶିଖରରେ ବସବାସ କରି ରାମନାମ ଗାନପୂର୍ବକ ବାକି ଜୀବନ କଟାଇ ଦିଅନ୍ତି ।’’ ତୁମର ସେ ମନସ୍କାମନା ପୂର୍ଣ୍ଣ ହେବ । ତୁମର ବା ତୁମର ବଂଶଧରଗଣ ବସବାସ କରିବା ସ୍ଥାନରେ ମୋ ବରରେ ଖାଦ୍ୟର କୌଣସି ଅଭାବ ରହିବନାହିଁ । ତୁମେ ଯାଇ ଆନନ୍ଦ ମନରେ ଗନ୍ଧମାର୍ଦ୍ଦନରେ ବସବାସ କରି ତୁମର ଅଭିଳାଷ ପୂର୍ଣ୍ଣ କର । ମନର କେଉଁ ଦୁର୍ବଳ ମୁହୂର୍ତ୍ତରେ ଉଙ୍କିଥିବା ବାସନା ଆରାଧ୍ୟଙ୍କ ମୁଖରୁ ଶୁଣି ଅବନତ ମସ୍ତକରେ ତାହା ଗ୍ରହଣ କରି ପ୍ରଣାମାନ୍ତରେ ପ୍ରସ୍ଥାନ କଲେ । ଏହି ପରିପ୍ରେକ୍ଷୀରେ ସୃଷ୍ଟି ହେଲା ହନୁମାନ କୃତ ମହା ନାଟକ କାବ୍ୟ ।

 

ଶ୍ରୀରାମ ପରେ ମନ୍ତ୍ରୀବର ଜାମ୍ୱବାନଙ୍କୁ ଚାହିଁ କହିଲେ, ‘‘ହେ ବ୍ରହ୍ମା ନନ୍ଦନ ଜାମ୍ୱବାନ ! ମୁଁ ତୁମର ମନର କଥା ଜାଣେ । ଯେତେବେଳେ ମୋର ସାତଦିନ ଧରି ରାବଣ ସଙ୍ଗରେ ଯୁଦ୍ଧ ଚାଲିଥିଲା, ସେତେବେଳେ ନିକଟରେ ଥାଇ ତୁମେ ମୋର ଯୁଦ୍ଧ କୌଶଳ ଅବଲୋକନ କରି ସୁଯୋଗ ପାଇଲେ ମୋ ସଙ୍ଗରେ ଯୁଦ୍ଧ କରି ପ୍ରକୃତ ବୀର ସଙ୍ଗେ ଯୁଦ୍ଧ କରି ଆତ୍ମସୁଖ ଅନୁଭବ କରିବା ଅଭିଳାଷ ପୋଷଣ କରିଥିଲ । ସେ ମନ କାମନା ଏ ଜନ୍ମରେ ପୁରଣ ହେବା ସମ୍ଭବ ନୁହେଁ-। ତୁମେ ଠିକ୍‌ଏହି ପରି ଭାବରେ ଆହୁରି ଗୋଟିଏ ଯୁଗ ବଞ୍ଚି ରହିବ । ଦ୍ୱାପର ଯୁଗରେ ମୁଁ କୃଷ୍ଣ ରୂପେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହେବି । ସେହି ସମୟରେ ସୂର୍ଯ୍ୟ ପ୍ରଦତ୍ତ ସ୍ୟମନ୍ତକମଣି ଉଦ୍ଧାର କରିବାକୁ ଯାଇ ତୁମ ସହ ମୋର ଦ୍ୱନ୍ଦ୍ୱଯୁଦ୍ଧ ହେବ । ସେତେବଳେ ତୁମର ମନୋବାଞ୍ଛା ପୂର୍ଣ୍ଣ ହେବ-। ଯୁଦ୍ଧ ଶେଷରେ ଶ୍ରୀକୃଷ୍ଣ ଶରୀରରେ ରାମଙ୍କ ମୂର୍ତ୍ତି ଅବଲୋକନ କରି ଦେହ ତ୍ୟାଗ କରିବ-। ଲୋକ ଲୋଚନ ଅଗୋଚରରେ ସମ୍ପାଦିତ ଏ ଯୁଦ୍ଧରେ ଭକ୍ତ କି ଭଗବାନ କିଏ ଜୟୀ ହେଲା ତା’ର କୌଣସି ସ୍ୱାକ୍ଷର ରହିବନାହିଁ । ସୁତରାଂ ତୁମର ବାସନା ପୂର୍ଣ୍ଣହେବା ପର୍ଯ୍ୟନ୍ତ ମର୍ତ୍ତ୍ୟ ଭୂମିରେ ଅପେକ୍ଷା କରିବାକୁ ହେବ । ଆଉ ଅଙ୍କଦକୁ ଯାହା କହିଥିଲେ ପ୍ରସଙ୍ଗାନ୍ତରେ ଏହି ଗ୍ରନ୍ଥରେ ତା’ର ଉଲ୍ଲେଖ ଦେଖିବାକୁ ମିଳିବ ।

 

ଜାମ୍ୱବାନଙ୍କ ସେ ମନବାସନା ପୂର୍ଣ୍ଣ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରତ ଅବସ୍ଥାରେ ସେ ସ୍ପଷ୍ଟ ଦେଖିପାରିଲେ ସ୍ୱୟଂ ରାମଚନ୍ଦ୍ର ତାଙ୍କର ବାସନା ଚରିତାର୍ଥ କରିବା ପାଇଁ ଘର୍ମାକ୍ତ କଳେବରରେ ଯୁଦ୍ଧ କରୁଛନ୍ତି । ଆରାଧ୍ୟ ଦେବତାଙ୍କର ଏ ଅବସ୍ଥା ଦେଖି ଜାମ୍ୱବାନ ବିହ୍ୱଳିତ ହୋଇ ପଡ଼ିଲେ । ଯୁଦ୍ଧରେ ଅବସାନ ହେଲା । ଜାମ୍ୱବତୀଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ସମର୍ପଣ କରି ତ୍ରୀଜୀବୀ ଜାମ୍ୱାବାନ ଅଗ୍ନିଜାଳି ଆତ୍ମ ବିସର୍ଜନ ଦେଲେ । ଜାମ୍ୱବାନଙ୍କ ଯୁଦ୍ଧର ଅଭିଳାଷ ପୂର୍ଣ୍ଣ ହେଲା ସତ ମାତ୍ର ପୁରାଣକାର ଉଲ୍ଲେଖ କଲେ ନାହିଁ ଯୁଦ୍ଧରେ ଭକ୍ତ ନା ଭଗବାନ କିଏ ଜୟୀ ହେଲେ ।

 

ତାହା ପରେ ଶ୍ରୀକୃଷ୍ଣ ଜାମ୍ୱବତୀ ଓ ସ୍ୟମନ୍ତକ ମଣି ସହ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କଲେ-। ଏହି ଜାମ୍ୱବତୀଙ୍କର ଅନ୍ୟ କେତେକ ନାମ ଥିବା କଥା ହରିବଂଶ ଓ ବିଷ୍ଣୁପୁରାଣରେ ଦେଖିବାକୁ ମିଳେ; ଯଥା—

 

‘‘ସୂତା ଜାମ୍ୱବତୀ ଚାପି ରୋହିଣୀ କାମ ରୂପିଣୀ’’

 

(ବିଷ୍ଣୁ ପୁରାଣେ ସୂତା ସ୍ଥାନେ ଦେବୀ ଉଲ୍ଲେଖ ଥିବା ଦେଖାଯାଏ)

 

ଦ୍ୱାରକାରେ ଶ୍ରୀକୃଷ୍ଣ ସମସ୍ତ ଘଟଣା ବର୍ଣ୍ଣନା କରି ପ୍ରକାଶ୍ୟରେ ରାଜସଭାରେ ଉକ୍ତ ମଣି ଶତ୍ରାଜିତଙ୍କ ହସ୍ତରେ ପ୍ରଦାନ କଲେ ।

 

ଶତ୍ରାଜିତ ଶ୍ରୀକୃଷ୍ଣଙ୍କ ନାମରେ ମିଥ୍ୟା କଳଙ୍କ ରୋପଣ କରିଥିବା ଅପରାଧରେ ନିଜେ ମ୍ରିୟମାଣ ହୋଇ ପଡ଼ିଥିଲେ । ଶ୍ରୀକୃଷ୍ଣ କର୍ତ୍ତୃକ ସତ୍ୟ ଘଟଣା ପ୍ରକାଶ ହେବା ପରେ ସେ ଅପଦସ୍ଥ ହୋଇ ପଡ଼ିଲେ । ତାଙ୍କର ଅପରାଧୀ ମନ କୌଣସି ରକମ ମାନସିକ ଶାନ୍ତି ଅନୁଭବ କରିାପରିଲା ନାହିଁ । କୃତ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ସେ ତାଙ୍କର ଅସାମାନ୍ୟା ସୁନ୍ଦରୀ କନ୍ୟା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ସମର୍ପଣ କରି ନିଜକୃତ ଦୋଶ କ୍ଷମା ମାଗିନେଲେ ।

 

ଶ୍ରୀକୃଷ୍ଣ ଶତ୍ରାଜିତଙ୍କୁ କ୍ଷମା କଲେ ମଧ୍ୟ ପୂର୍ବରୁ ସତ୍ୟଭାମାଙ୍କ ପାଣି ପ୍ରାର୍ଥୀ ଶତଧନ୍ୱା, କୁତବର୍ମା ଓ ଅକ୍ରୂର ଏଇ ତିନି ପ୍ରଧାନ ଯାଦବ ବୀର ତାହାଙ୍କୁ କ୍ଷମା କଲେନାହିଁ । ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣ ବିବାହ କରିବାରେ ଏମାନଙ୍କର ପ୍ରକାଶ୍ୟରେ ବାଧା ଦେବା ଶକ୍ତି ନ ଥିଲା; କିନ୍ତୁ ଭିତରେଭିତରେ ଏମାନେ କ୍ଷୁବ୍‍ଧ ହୋଇ ଉଠିଲେ । ଭୋଜବଂଶୋଭବ ଶତ୍ରାଜିତ ଏ ତିନିଙ୍କୁ ପୂର୍ବରୁ ଯେ କୌଣସିକାରଣରୁ ସତ୍ୟାଙ୍କୁ ବିବାହ ଦେବେବୋଲି ଅଙ୍ଗୀକାରବଦ୍ଧ ଥିଲେ । ଗୋଟିଏ କନ୍ୟା ତିନି ଜଣଙ୍କୁ ଦେବା ପାଇଁ କଥା ଦେବା ଘଟଣଶ ହିଁ ପ୍ରମାଣ କରେ ଏ ସକାଶେ ତାଙ୍କ ଉପରେ ତିନି ଜଣଙ୍କ ତରଫରୁ ଚାପ ସୃଷ୍ଟି ହୋଇଥିଲା । ସୁଯୋଗ ପାଇବା ମାତ୍ରେ ସେମାନଙ୍କ ଅପେକ୍ଷା ବହୁ ଶକ୍ତିଶାଳୀ ଶ୍ରୀକୃଷ୍ଣଙ୍କ ହସ୍ତରେ କନ୍ୟା ସମ୍ପ୍ରଦାନ କରି ଉପସ୍ଥିତ ବିପଦରୁ ସେ ରକ୍ଷା ପାଇଲେ ସତ ମାତ୍ର ଏ ତିନିହେଁ ଆଶାଭଙ୍ଗ ହେବା ହେତୁ କ୍ଷିପ୍ତ ହୋଇ ଉଠିଥିଲେ ।

 

ଶ୍ରୀକୃଷ୍ଣଙ୍କ ଉପରେ ପ୍ରତିହିଂସା ନେବାର ଶକ୍ତି ଏମାନଙ୍କର ନ ଥିଲା । କୌଣସି ଏକ ଦୂର୍ବଳ ମୁହୂର୍ତ୍ତରେ ଶତଧନ୍ୱା ଶତ୍ରାଜିତଙ୍କୁ ଗୁପ୍ତରେ ହତ୍ୟାକରି ସେହି ଅଭିଶପ୍ତ ମଣି ଅପହରଣ କରିନେଲେ । ଉତ୍ତେଜନାବଶତଃ ଏହା କଲେ ମଧ୍ୟ ଶତାଧନ୍ୱା ବୁଝି ପାରିଥିଲେ ଶ୍ରୀକୃଷ୍ଣରେ ଦୋରେହା ହୋଇ ଦ୍ୱାରକାରେ କାହିଁକି, ଭୂପୃଷ୍ଠରେ ବସବାସ କରିବା ଏକ ପ୍ରକାର ଅସମ୍ଭବ । ତେଣୁ ସେ ଅଯଥା ସମୟ ନଷ୍ଟ ନ କରି ଉକ୍ତ ମଣିକୁ ଅକ୍ରୂରଙ୍କ ନିକଟରେ ଜମା ରଖି ପ୍ରାଣ ବିକଳରେ ଦ୍ୱାରକା ତ୍ୟାଗ କରି ଆଶ୍ରୟ ଆଶାରେ ପଳାୟନ କଲେ । ସେହି ସମୟକୁ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ସଂସାରିକ ନୀତି ଲଙ୍ଘନ କରିବା ଅପରାଧରେ ବାରବର୍ଷ ବନବାସ ଶାସ୍ତି ଗ୍ରହଣ କରି ନାନାଦି ଦେଶ ବିଦେଶ ଭ୍ରମଣ କରୁଛନ୍ତି । ଶତଧନ୍ୱା ଯାଇ ତାଙ୍କ ନିକଟରେ ଶରଣ ପଶିଲେ ଶ୍ରୀକୃଷ୍ଣ କୋପରୁ ରକ୍ଷାପାଇବା ପାଇଁ । ଏହାହିଁ ହରି ଅର୍ଜ୍ଜୁନ କଳି ଆଖ୍ୟାୟିକାର ପ୍ରଧାନ ଉପଜୀବ୍ୟ ବିଷୟ ।

 

ପିତାଙ୍କ ମୃତ୍ୟୁର ଖବର ପାଇ ସତ୍ୟଭାମା ବ୍ୟାକୁଳ ହୋଇ ଉଠିଲେ । ପ୍ରକାଶ୍ୟ ରାଜସଭାରେ ସ୍ୟମନ୍ତକ ମଣି ଲୋଭରେ କୃଷ୍ଣହିଁ ଏପରି ଅପକର୍ମ କରିଛନ୍ତି ବୋଲି ବଳରାମ ଅଭିଯୋଗ ଆଣିଲେ । ତାଙ୍କର ଏ କଥାକୁ କେତେକ କୃଷ୍ଣ ବିରାଧୀ ଯାଦବ ମଧ୍ୟ ସମର୍ଥନ କଲେ । ଫଳରେ ଅପବାଦ ଦୂର କରିବା ପାଇଁ ଶ୍ରୀକୃଷ୍ଣ ପୁଣି ମଣି ସନ୍ଧାନାର୍ଥେ ବାହାରି ପଡ଼ିଲେ ।

 

ଶତ୍ରାଜିତ ନିଧନକାରୀ ତଥା ମଣିହରଣକାରୀ ଶତଧନ୍ୱାଙ୍କ ଖବର ଜାଣିବାକୁ ତାଙ୍କୁ ବେଶି ସମୟ ଲାଗିଲାନାହିଁ । ସେହି ପାପୀକୁ ଧରିବାପାଇଁ ଚକ୍ର ହସ୍ତେ ଖୋଜିବାରେ ଲାଗିଲେ ଜ୍ଞାତ ଅଜ୍ଞାତ ସର୍ବ ସ୍ଥାନରେ । ପରିଶେଷର ଏକ ଜଙ୍ଗଲ ମଧ୍ୟରେ କିରାତ ରୂପୀ ଅର୍ଜ୍ଜୁନ ସଙ୍ଗରେ ଶତଧନ୍ୱାଙ୍କୁ ନିର୍ଭୟରେ ବୁଲୁଥିବାର ଦେଖି ପାରିଲେ । ତାଙ୍କ ମାରିବାକୁ ଯାଇ କିରାତରୂପୀ ଅର୍ଜ୍ଜୁନଙ୍କ ସଙ୍ଗରେ ଶ୍ରୀକୃଷ୍ଣଙ୍କ ଭୀଷଣ ଯୁଦ୍ଧ ହେଲା । ଅର୍ଜ୍ଜୁନଙ୍କ ବୀରତ୍ୱରେ କୃଷ୍ଣ ମୁଗ୍‌ଧହୋଇ ତାଙ୍କୁ ବର ମାଗିବାକୁ ଆଜ୍ଞା ଦେଲେ ଏବଂ ତାହାର ଉତ୍ତରରେ ଅର୍ଜ୍ଜୁନ ଶତଧନ୍ୱାର ପ୍ରାଣ ଭିକ୍ଷା ମାଗିନେଲେ । କୃଷ୍ଣ ଅର୍ଜ୍ଜୁନ ଯୁଦ୍ଧର ଅବସାନ ହେଲା । ଶ୍ରୀକୃଷ୍ଣ ଶତଧନ୍ୱାକୁ କ୍ଷମାକରି ମଣି ସନ୍ଧାନ ଜାଣି ନେଲେ ଏବଂ ଦ୍ୱାରକା ପ୍ରତ୍ୟାବର୍ତ୍ତନ କରି ସର୍ବ ସମକ୍ଷରେ ଅକୂରଙ୍କୁ ଉକ୍ତ ମଣି ବାହାର କରିବା ପାଇଁ ଆଦେଶ ଦେଲେ । ପୂର୍ବରୁ ଅକ୍ରୂର ମିଥ୍ୟା କହି ମଣି ଲୁଚାଇ ରଖି ଥିଲେ ମଧ୍ୟ ଏବେ ଆଉ ସେ ସାହସ ରହିଲା ନାହିଁ । ନିଜ ଛାତିରୁ ମଣି ବାହାର କରି ରାଜ ଦରବାରରେ ରାଜା ଉଗ୍ରସେନଙ୍କ ହସ୍ତରେ ସମର୍ପଣ କଲେ । ମଣି ଦେଖି ତାକୁ ପାଇବା ପାଇଁ ଯେଉଁମାନେ ଲଳାୟିତ ହୋଇ ଉଠିଲେ, ସେମାନଙ୍କ ମଧ୍ୟରେ ବଳରାମ ଓ ସତ୍ୟଭାମା ଅଗ୍ରଗଣ୍ୟ । କିନ୍ତୁ ସେ ମଣି କାହାର ହେଲେ ଭାଗ୍ୟରେ ଜୁଟିଲା ନାହିଁ । ଅକ୍ରୂରଙ୍କ ମିଥ୍ୟା ଭାଷଣ ଯୋଗୁ ମଣି କଳୁଷିତ ହୋଇ ସର୍ବ ସମକ୍ଷରେ ପୁଣି ଆଦିତ୍ୟ ହୃଦୟରେ ବିଳୀନ ହୋଇଗଲା । ଏହିପରି ଭାବରେ ସ୍ୟମନ୍ତକ ମଣି ସାଥିରେ ଜାମ୍ୱବତୀ ଓ ସତ୍ୟଭାମାଙ୍କ ସହ କୃଷ୍ଣଙ୍କ ବିବାହ କାହାଣୀ ଯୁକ୍ତ ହେଲା । ହରିବଂଶରୁ ଜଣାଯାଏ ସତ୍ୟଭାମାଙ୍କ ସାଥିରେ ତାଙ୍କର ଅନ୍ୟ ଦୁଇ ଭଉଣୀ ପ୍ରସ୍ୱାପିନୀ ଓ ବ୍ରତିନୀଙ୍କୁ ମଧ୍ୟ କୃଷ୍ଣ ବିବାହ କରିଥିଲେ; କିନ୍ତୁ ଅନ୍ୟ କୌଣସି ପୁରାଣରେ ଏହାର ସ୍ୱୀକୃତି ମିଳେନାହିଁ ଏହିଠାରେ ଏ କାହାଣୀର ଇତି ହେଲା ବୋଲି କୁହାଯାଇ ପାରେ ।

 

ଅନେକ ଦୂରରୁ ମୂଳ ଦ୍ୱାରକା ମନ୍ଦିରର ଚୂଡା ଦେଖାଗଲେ ମଧ୍ୟ ଗଳ୍ପ ମଧ୍ୟରେ ମଜି ରହି ସେ ଦିଗରେ କିଏ ନିଜର ଦେଇ ପାରି ନ ଥିଲୁ । ତା’ଛଡ଼ାବାହାରେ ଅନ୍ଧକାର ମଧ୍ୟ ହୋଇ ଆସିଥିଲା ଏବଂ ବହାରର କିଛି ଦେଖିବା ଆଶା ମଧ୍ୟ ନ ଥିଲା । ହଠାତ୍‌ଗୌତମବାବୁଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟକରି ଦେଖିବାକୁ ପାଇଲୁ ଦ୍ୱାରକାଧୀଶ ମନ୍ଦିର ଚୂଡ଼ାର ଉଜ୍ଜଳ ଆଲୋକ ଦେଖା ଯାଉଅଛି ଏବଂ ବିଦ୍ୟୁତ୍‌ଆଲୋକର ଉଜ୍ଜ୍ୱଳଦ୍ୟୁତିରେ ଚୂଡ଼ାର କେତେକାଂଶ ମଧ୍ୟ ପରିଷ୍କାର ନଜରରେ ପଡ଼ୁଛି-। ଜୟ ରଣଛୋଡ଼ଜୀଙ୍କ ଜୟ ଧ୍ୱନି ସହ ନିଜର ଅଜ୍ଞାତ ହାତ ଦୁଇଟି ଏକତ୍ରିତ ହୋଇ କପାଳ ସ୍ପର୍ଶକଲା । ଠାକୁର ଦର୍ଶନ ନ ହେଲେ ମଧ୍ୟ ମନ୍ଦିର ଦେଖିତ ମନ ଆଶ୍ୱସ୍ତ ହେଲା । ଏହାରି ଭିତରେ ଟ୍ରେନ ଦ୍ୱାରକା ଷ୍ଟେସନରେ ପ୍ରବେଶ କଲା । ନଗରୀର ସୁଉଚ୍ଚ ହର୍ମ୍ୟମାଳା ମଧ୍ୟରେ ମନ୍ଦିର ଚୂଡ଼ା ମିଳେଇ ଗଲା । ହତାଶ ହୋଇ ଆଖି ଫେରି ଆସିଲା ଷ୍ଟେସନ ଚତ୍ୱରକୁ ।

 

ଯିବାବେଳେ ଆମର ଦ୍ୱାରକାରେ ଯାତ୍ରା ବିରତି ନାହିଁ । ପାଖ,ପାଖ ଆଉ ଛୋଟ ଛୋଟ ଦୁଇଟି ଷ୍ଟେସନ ପାର ହୋଇ ଏକବାରେ ଓଖାରେ ଯାତ୍ରା ଶେଷ । ଅଳ୍ପ କେତେ ବର୍ଷ ହେଲା ଓଖା ପର୍ଯ୍ୟନ୍ତ ରେଲ୍‍ ଲାଇନ ସଂପ୍ରସାରିତ ହୋଇଅଛି । ତତ୍‌ପୂର୍ବରୁ ତୀର୍ଥ ଯାତ୍ରୀଗଣ ନୌକା ବା ଲଞ୍ଚ୍‍ ଯୋଗେ ଦ୍ୱାରକାରୁ ବେଟ ଦ୍ୱାରକା ଯାଉଥିଲେ । ତା’ପରେ ହେଲା ସଡ଼କ ପଥ। ଯାତ୍ରୀ ବସରେ ଓଖା ବନ୍ଦରକୁ ଆସି ପରେ ଦେବସ୍ଥାନ ଦର୍ଶନକୁ ଯାଉଥିଲେ ବିଭିନ୍ନ ଜଳଯାନ ସାହାଯ୍ୟରେ । ବର୍ତ୍ତମାନ ଜଳ, ସଡ଼କ ଓ ରେଳ ତିନି ରକମ ସୁବିଧା ହୋଇ ଯାଇଛି । ଫଳରେ ଯାତ୍ରୀଗଣ ନିଜର ପସନ୍ଦ ମୁତାବକ ପଥ ଅନୁସରଣ କଲେ ମଧ୍ୟ ବେଟ ଦ୍ୱାରକା ଯିବାକୁ ଜଳଯାନ ବ୍ୟତୀତ ଅନ୍ୟ ସୁବିଧା ନାହିଁ ଆମର ଯାତ୍ରା ଓଖା ପର୍ଯ୍ୟନ୍ତ । ସେଠାରେ ଟ୍ରେନରେ ରାତ୍ର ବିଶ୍ରାମ । ବଡ଼ି ଭୋରରୁ ଉଠି ଯାତ୍ରାକରିବୁ ବେଟ ଦ୍ୱାରକାକୁ । ଦ୍ୱାରକାଧୀଶଙ୍କ ପ୍ରାତଃକାଳୀନ ପୂଜା ପଦ୍ଧତି ଦେଖିବାକୁ ହେଲେ ଏହି ସମୟରେ ଯାତ୍ରା କରିବକୁ ପଡ଼ିଥାଏ । ନଚେତ ସେଠାରେ ରାତ୍ର ବାସକରିବା କଥା । ଆଗାମୀ କାଲି ବେଟ ଦ୍ୱାରକା ଦର୍ଶନ କରି ପୁନଶ୍ଚ ଓଖାକୁ ଫେରିବୁ । ରାତ୍ର ରହଣି ଓଖାରେ । ପହରଦିନ ଫେରି ଆସିବୁ ଦ୍ୱାରକାକୁ । ଏଠାରେ ଦୁଇଦିନ ସକାଶେ ଯାତ୍ରା ବିରତି । ସେ ସମୟରେ ରଣଛୋଡ଼ଜୀଙ୍କ ଦର୍ଶନ ମିଳିବ । ଫଳରେ ଆଜି ଦୂରରୁ ପ୍ରଣାମ ଜଣାଇ ଅଶାନ୍ତ ମନକୁ ସାନ୍ତ୍ୱନା ଦେବାକୁ ହେଲା ।

 

Unknown

ତୀର୍ଥକ୍ଷେତ୍ର ହିସାବରେ ଦ୍ୱାରକା ଏକ ପ୍ରଖ୍ୟାତ ସ୍ଥଳୀ । ଏ ଷ୍ଟେସନରେ ମେଲ, ଏକ୍‌ସପ୍ରେସ ଗାଡ଼ି ସବୁର ଯାତ୍ରା ବିରତି ରହଛି । ବିଶ୍ରାମାଳୟ ପ୍ରଭୃତିର ମଧ୍ୟ ଅଭାବ ନାହିଁ । ତେବେ ବି ମନ ଲାଗିଲାଭଳି କାହିଁକି ଦେଖାଗଲାନି । ଷ୍ଟେସନରେ ସବୁଠାରୁ ବେଶି ଅଭାବ ହେଲା ପାଣିର । ଏହାର ଯେ ସପ୍ଳାଇ କେତେବେଳେ ହୁଏ ଏବଂ କେତେବେଳେ ବନ୍ଦ ହୁଏ ତା’ ପ୍ରାୟ କଲିକତାର ଲୋଡ଼ସେଡ଼ିଂ ଭଳି ‘‘ଦେବ ନ ଜାନାନ୍ତି କୁତୋ ମାନୁଷାଃ ।’’ ଟ୍ରେନ ଷ୍ଟେସସନକୁ ଆସିଲେ ଡ୍ରିଙ୍କିଙ୍ଗ୍‍ ୱାଟର ସେଲରୁ ଏକ ଢାଳ କରି ଜଣ ପିଛା ପିଇବା ପାଣି ଦିଆହୋଇଥାଏ । ସୁଯୋଗ ସନ୍ଧାନିଗଣ ଟ୍ରେନ ଢୁକୁଣୁ ନ ଢୁକୁଣୁ ଜଳପାତ୍ର ଧରି ଲାଇନରେ ଠିଆ ହୋଇ ଯାଆନ୍ତିଅମୂଲ୍ୟ ଜିନିଷ ଜଳ ସଂଗ୍ରହ କରିବା ସକାଶେ । ଅନଭିଜ୍ଞ ବ୍ୟକ୍ତିଗଣ ସେହି ସନ୍ଧାନ ପାଇବାବେଳକୁ ଟ୍ରେନ ଛାଡ଼ିବା ଶେଷ ଘଣ୍ଟି ପଡ଼ିଯାଏ । ସେମାନଙ୍କ ପକ୍ଷରେ ଆଉ ଜଳ ସଂଗ୍ରହ କରିବା ହୁଏନା । ଯାତ୍ରୀମାନେ ଦ୍ୱାରକା ଓ ଓଖାରେ ପାନୀୟ ଜଳ ପ୍ରତି ବିଶେଷ ଯତ୍ନଶୀଳ ହେବା ବିଧେୟ ।

 

ଶୁଣିବାକୁ ପାଇଲୁ ସରକାର ନିକଟଭବିଷ୍ୟତରେ ଏ ଜଳ କଷ୍ଟ ଲାଘବ କରିବାରେ ବିଶେଷ ଯତ୍ନଶୀଳ । ଅଳ୍ପଦିନ ମଧ୍ୟରେ ଏହାର ସମାଧାନ ହୋଇଗଲେ ସେତେବେଳେ ଏ କାହାଣୀ ରୂପ କଥାର ଆକାର ଗ୍ରହଣ କରିବ ।

 

ଯଥା ସମୟ ଯାତ୍ରାବିରତି ପରେ ଟ୍ରେନ ଓଖା ପଥରେ ଆଗେଇ ଚାଲିଲା । ଦୁଃଖୀରାମର ଦଳ ରାତ୍ରିର ଖାଦ୍ୟ ପରିବେଷଣ କଲେ । ଭୋଜନ ପରେ ପୂର୍ଣ୍ଣ ବିଶ୍ରାମ । ରାତ୍ରିରେ ଦେଖିବାକୁ କିଛି ନାହିଁ । ତା’ଛଡ଼ା ରାତ୍ରି ମଧ୍ୟ ବେଶି ହୋଇଗଲାଣି । ଆଜି ସକାଶେ ଅନ୍ୟ ଚିନ୍ତା ତ୍ୟାଗକରି ଭୋଜ୍ୟ ବସ୍ତୁ ପ୍ରତି ନଜର ଦେଲୁ ।

 

ଗୌତମବାବୁଙ୍କ ନିର୍ଦ୍ଦେଶ ମୁତାବକ ରାତ୍ର ୪ଟାରୁ ଉଠି ନିତ୍ୟକର୍ମ ଶେଷ କରିନେଲୁ । ଓଖାରେ ଏହା ଯେ କି କଠିନ କର୍ମ ତା’ ପ୍ରାୟ ଧାରଣାର ବାହାରେ । ପାଦଦେଶରେ ମହାସାଗରର ଅଫୁରନ୍ତ ଜଳରାଶି ଅଥଚ ସେହି ଜଳନେଇ ଜନଜୀବନ ମଧ୍ୟରେ ଏହି ଟଣାଟଣି । ଏହାଠାରୁ ବିଚିତ୍ର କ’ଣ ଅଛି ? ଏହାହିଁ ବାସ୍ତବ ଚିତ୍ର । ନିଜ ବଗିର ଜଳ ଉପରେ ଗୌତମ ବାବୁଙ୍କ କଡ଼ା ପହରା । ତାକୁ ବ୍ୟବହାର କରିବା ଅସମ୍ଭବ ଅଥଚ ମନୁଷ୍ୟ ପକ୍ଷରେ ସମାନ୍ୟ ମୁହଁ ହାତ ଧୂଆ ଧୋଇ ଓ ପାଇଖାନା ଯିବା ବାଦ ଦେବା କୌଣସି ରକମ ସମ୍ଭବ ନୁହେଁ । ସେ ସକାଶେ ଯେଉଁ ସାମାନ୍ୟ ଜଳ ଦରକାର ତା’ଯୋଗାଡ଼ କରିବା ଆଜିକାଲି ଦୁନିଆରେ ଚାକିରିଯୋଗାଡ଼ ସମତୁଲ । ତେବେ ମନୁଷ୍ୟ ଚେଷ୍ଟାର ଅସାଧ୍ୟ କିଛି ନାହିଁ ।

 

‘‘ବୁଦ୍ଧି ବିବେକ କର୍ମବଳେ

କିବା ଅସାଧ୍ୟ ମହୀତଳେ’’

 

କଥାଟା ନିହାତି ସତ୍ୟ । ରାତ୍ରିରୁ ଉଠି ଅପେକ୍ଷମାଣ ଅନ୍ୟ ସମସ୍ତ ସାଣ୍ଟିଙ୍ଗ ବଗିମାନଙ୍କ ବାଥ୍‌ରୁମରୁ ବାଲଟିରେ ପାଣି ସଂଗ୍ରହ କଲୁ । ଭଲ ଭାବରେ କେବଳ ପ୍ରାତଃକୃତ୍ୟ ନୁହେଁ ପରମ ଆନନ୍ଦରେ ସ୍ନାନ ମଧ୍ୟ ଶେଷ କରି ନେଲୁ । ଆମଠାରୁ ଖଦର ସଂଗ୍ରହ କରି ସହାଯାତ୍ରୀଗଣ ମଧ୍ୟକେତେକ ସେହି ପଥ ଅନୁଶରଣ କଲେ । ଆମ ବଗିର ପ୍ରାୟ ସମସ୍ତଙ୍କ ସ୍ନାନ ଶେଷ ହୋଇଯାଇଛି, ଏପରିକି ନିଜ ନିଜ ବାଲଟିରେ ମଧ୍ୟ ଅଳ୍ପ ବହୁତ ଜଳ ସଞ୍ଚୟ କରାଯାଇ ପାରିଛି । ପ୍ରାତଃକୃତ୍ୟ ଭଲ ଭାବେ ସମାପନ ହୋଇଥିବାରୁ ସଭିଙ୍କ ମନ ପ୍ରଫୁଲ୍ଲ । ଗୌତମବାବୁଙ୍କ ଡାକ ଶୁଣିବାକ୍ଷଣି ବାହାରି ପଡ଼ିଲୁ ବେଟ ଦ୍ୱାରକାଭିମୁଖେ ।

 

ଆରବ ସାଗର ମଧ୍ୟରେ ବେଟ ଦ୍ୱାରକା ବୋଲି ମନେ ହେଲେ ମଧ୍ୟ ପ୍ରକୃତରେ ତାହା ନୁହେଁ । କଚ୍ଛ ଉପସାଗର ମଧ୍ୟସ୍ଥ ଗୋଟିଏ ଛୋଟ ଦ୍ୱୀପ ଏହି ବେଟ ବା ଭେଟ ଦ୍ୱାରକା । ଏହାର ଆହୁରି ବହୁ ପଶ୍ଚିମରେ ଆରବ ସାଗର । ଉତ୍ତର ସୀମାନ୍ତରେ ମାନ୍ଦଭି ଓ ଦକ୍ଷିଣ ଭାଗରେ ଓଖାକୁ ରଖି ଯେଉଁ ବୃହତ୍‌ଜଳଅଂଶକାଣ୍ଡଲା ବନ୍ଦର ପର୍ଯ୍ୟନ୍ତ ବିସ୍ତୃତ ତାହାକୁ ହିଁ କଚ୍ଛ ଉପସାଗର କୁହାଯାଏ-। କଚ୍ଛ ଶବ୍ଦର ଅନେକ ଅର୍ଥ ଦେଖାଯାଏ । ଯଥା—ନୌକାର ଶେଷ ଅଂଶ ବିଶେଷ, ବାଣ୍ଟ, ମାପ ବା ଓଜନ, ଝିଂ ଝିଂ ପୋକା ମୁଖ ସମ୍ପୁଟ, ଆକାଶ ଆଚ୍ଛାଦନ ପ୍ରଭୃତି; କିନ୍ତୁ ଏସ୍ଥାନରେ ଏସବୁ ଅର୍ଥରୁ କେଉଁଟି ହେଲେ ପ୍ରଯୁଜ୍ୟ ନୁହେଁ । ଚିନ୍ତାକରି ଦେଖିଲେ ବୁଝାଯାଏ, ଏହି ଅଞ୍ଚଳ ଜଳମୟ ଦେଶ ହୋଇଥିବା ହେତୁ କଚ୍ଛ ନାମରେ ଅଭିହିତ ହୋଇଅଛି । ତାହା ମଧ୍ୟରେ ଦେଖାଯାଉଥିବା ବୃହତ୍‌ଜଳଖଣ୍ଡ କଚ୍ଛ ଉପସାଗର ନାମରେ ପରିଚିତ । ସମୁଦ୍ର ଏଠାରେ ସେପରି ଉତ୍ତାଳ ନୁହେଁ-। ଏକଥା ସ୍ଥାନୀୟ ଅଧିବାସୀଙ୍କ ପ୍ରତି ପ୍ରଯୁଯ୍ୟ କିନ୍ତୁ ଆମମାନଙ୍କ ଭଳି ଯାତ୍ରୀଙ୍କ ପକ୍ଷରେ ନିଶ୍ଚୟ ନୁହେଁ । ଆମମାନଙ୍କ ପକ୍ଷରେ ସମୁଦ୍ର ଅପେକ୍ଷା ଏ ଉପସମୁଦ୍ର କମ୍‍ ଭୟଙ୍କର ନୁହେଁ କି ଏହାକୁ ପାର କରିବା କମ୍‍ ଲୋମହର୍ଷଣ ଘଟଣା ନୁହେଁ ।

 

ଓଖା ଜେଟିଠାରୁ ବେଟ ଦ୍ୱାରକା ପର୍ଯ୍ୟନ୍ତ ଷ୍ଟିମର ସର୍ଭିସ ଅଛି । ଏହା ସକାଳ ଛଅଟାରେ ଆରମ୍ଭ ହୁଏ । ବେଟ ଦ୍ୱାରିକାରେ ଠାକୁରଙ୍କ ପ୍ରାତଃକୃତ୍ୟ ତଥା ପ୍ରାଥମିକ ଆରତି ଦେଖିବା ବାସନା ଥିଲେ ଷ୍ଟିମର ଦେଇଯିବା ଉଚିତ ନୁହେଁ । ତାହା ଦେଖିବାକୁ ହେଲେ ନୌକାରେ ଯିବାକୁ ହେବ । ଗୌତମବାବୁ ଏ ଦିଗରେ ବହୁ ଅଭିଜ୍ଞ ବ୍ୟକ୍ତି । ଅନେକ ଥର ବିଭିନ୍ନ ପରିବେଶ ମଧ୍ୟରେ ନାନା ଧରଣର ଯାତ୍ରୀ ନେଇ ଯାତ୍ରା କରିଛନ୍ତି ସେ । ସେ ଦିଗରୁ ତାଙ୍କର ସିଦ୍ଧାନ୍ତର ମୂଲ୍ୟ ଅଛି ଧରିନେବାକୁ ହେବ । ସେ ଯେତେବେଳେ ନୌକା ଠିକ୍‌କରି ଉଠିବାକୁ କହିଲେ, ଆମେ କେତେଜଣ (ଅଧିକାଂଶ) ଯାତ୍ରୀ ବିନାଦ୍ୱିଧାରେ ଟପ୍‍ ଟପ୍‍ ନୌକା ଆରୋହଣ କରି ଉପଯୁକ୍ତ ସ୍ଥାନ ଦେଖି ବସିପଡ଼ିଲୁ।ଦ୍ୱିଧାଗ୍ରସ୍ତ ଅନ୍ୟ କେତେକ ସହଯାତ୍ରୀ ଲଞ୍ଚରେ ନିରାପଦ ଯାତ୍ରା କରିବା ଅଭିଳାଷରେ ରହିଗଲେ । ଯେତେରକମ ଚେଷ୍ଟାକରି ଏକ ସଙ୍ଗରେ ଯିବା ସକାଶେ ପ୍ରଲୁବ୍‌ଧ କଲେ ମଧ୍ୟ ସେମାନେ ସାହସ କରି ନୌକାରେ ଯାତ୍ରା କଲେନାହିଁ । ଅଗତ୍ୟା ଆମମାନଙ୍କୁ ଧରି ନୌକା ଅଳ୍ପକ୍ଷଣ ମଧ୍ୟରେ ପାଲ ତୋଳି ଯାତ୍ରା କଲା ।

 

‘‘ଦୁର୍ଗମଗିରି କାନ୍ତାର ବନ ଦୁସ୍ତର ପାରାବାର

ପାର ହେବାକୁ ରାତ୍ର ନିଶୀଥେ ଯାତ୍ରୀଏ ହୁସିଆର’’

 

ଓଖାରୁ ବେଟ ଦ୍ୱାରକା ଦେଖାଗଲେ ମଧ୍ୟ ଦୂରତ୍ୱ କିନ୍ତୁ କମ୍‍ ନୁହେଁ, ପ୍ରାୟ ତିନି ମାଇଲ-। ଦୁସ୍ତର ପାରାବାର ପାର ହେବାକୁ ଯାତ୍ରୀଙ୍କୁ ଯେତେ ହୁସିଆରର ଡାକ ଦିଆ ହେଉନା କାହିଁକି ପାଲଟଣା ନୌକାରେ ବସି ଭୟ ଅପେକ୍ଷା କୌତୁହଳ ବେଶ୍‌ଅନୁଭବ କଲୁ । ପ୍ରାୟ ଅଧଘଣ୍ଟା ଯାତ୍ରା । ସେତେବେଳକୁ ସମୁଦ୍ରତଟ ପ୍ରାୟ ଅନ୍ଧକାର ରହିଅଛି । ତାରି ଭିତରେ ନୌକା ଚାଲିଲା-। ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ମାଝିମାନେ ଏଠାରେ ନୌକା ବ୍ୟବସାୟ କରିଥାଆନ୍ତି-। ଆଚାର ବ୍ୟବହାରରୁ କୌଣସି ପାର୍ଥକ୍ୟ ଆଖିରେ ପଡ଼େନା । ଧର୍ମମତ ସେମାନଙ୍କ ଯାହା ହେଉନା କାହିଁକି ସେମାନେ ମନପ୍ରାଣରେ ତାଙ୍କର ଅସଲ ପ୍ରଭୁ ଦ୍ୱାରକଧୀଶ ବୋଲି ବିଶ୍ୱାସ କରନ୍ତି । ତେଣୁ ଦେଖାଯାଏ ନୌକା ଯାତ୍ରା ପୂର୍ବରୁ ‘‘ଜୟ ଦ୍ୱାରକାଧୀଶ କି ଜୟ’’ ଏହି ଜୟ ଧ୍ୱନି ଦେଇ ଉଭୟ ସମ୍ପ୍ରଦାୟ ନୌକା ଛାଡ଼ିଥାଆନ୍ତି । ସେମାନଙ୍କ ମୁଖରୁ ଶୁଣିବାକୁ ମିଳିଲା, ଯାନ୍ତ୍ରିକ ଗଣ୍ଡଗୋଳ ଯୋଗୁଁ ବରଂ ଲଞ୍ଚରେ ଦୁର୍ଘଟଣା ସଂଘଟିତ ହୋଇଅଛି; କିନ୍ତୁ ସ୍ମରଣାତୀତ କାଳରୁ ଏସବୁ ନୌକା କେବେ କୌଣସି କାରଣରୁ ଦ୍ୱାରକାଧୀଶଙ୍କ ଦୟାରୁ ଦୁର୍ଘଟଣାରେ ପଡ଼ିବା ଜଣାଯାଇ ନାହିଁ । ଏହି ଅଧଘଣ୍ଟା ନୌକାଯାତ୍ରା ମଧ୍ୟରେ ମାଝିର ସମସ୍ତ ଅଭୟବାଣୀକୁ ଧୂଳିସାତ୍‌କରି ଛାତି ଦକ୍‌ଦକ୍‌କରି ଉଠେ ଯେତେବେଳେ ଢେଉର ଉତ୍ତଳ ତରଙ୍ଗରେ ନୌକା ଆକସ୍ମିତ ଭାବେ ଦୋହଲି ଉଠେ-। ମନେ ହୁଏ ଏଇ ବୋଧହୁଏ ଆଉ ସାମାନ୍ୟ ଢଳି ପଡ଼ିବ । ତା’ପରେ—ନା, ଆଉ ତା’’ପରେ ଚିନ୍ତା କରିବା ପାଇଁ ଅବଶିଷ୍ଟ କିଛି ନ ଥିବ । ସମସ୍ତ ଲୁଣି ପାଣି ହୁ ହୁ କରି...ନା ଆଉ ଭାବି ହୁଏନା-। ଶରୀର କମ୍ପି ଉଠେ । ସେଇ ସମ୍ପୂର୍ଣ୍ଣ ଢଳି ପଡ଼ିବା ମୂହୁର୍ତ୍ତରେ ମନକୁ ନିଜ କଣ୍ଟ୍ରୋଲରେ ରଖି ସମୁଦ୍ର ଯାତ୍ରା ଉପଭୋଗ କରିବା ଶକ୍ତି ଅତି ଧୈର୍ଯ୍ୟଶାଳୀ ବ୍ୟକ୍ତି ପକ୍ଷରେ ମଧ୍ୟ ସମ୍ଭବପର ନୁହେଁ-। ଏହିପରି ଦୋଦୂଲ୍ୟମାନ ନୌକାରେ ତାହାଠାରୁ ଆହୁରି ବେଶି ଦୋଦୂଲ୍ୟମାନ ମନ ନେଇ ତିନିମାଇଲ ଜଳପଥ ଅତିକ୍ରମ କରି ବେଟ ଦ୍ୱାରକା ଜେଟିରେ ପହଞ୍ଚିଲୁ-। (୩୨)

 

ଓଖା ଭଳି ଏଠାରେ ମଧ୍ୟ ପକ୍‌କା ବେଟି ମଧ୍ୟ ଦେଇ ନୌକା ବା ଲଞ୍ଚରେ ଚଢ଼ିବା, ଓହ୍ଲାଇବାର ବ୍ୟବସ୍ଥା ଅଛି । ମଝି ଦରିଆରେ ମନରେ ଯେଉଁ ଭୟଜାତ ହୋଇଥିଲା, କୂଳକୁ ଆସି ତା’ର ଚିହ୍ନ ରହିଲାନାହିଁ । ଚିଲିକାରେ ଯଦି ଏପରି ନୌକା ଘାଟ ବା ଲଞ୍ଚ ଘାଟ ଥାଆନ୍ତା, ତେବେ ଅତି ସହଜରେ ଏପରି ମନେ ହୁଅନ୍ତା ବରଂ ଚିଲିକାର ଜଳ ଏହା ଅପେକ୍ଷା ଅଶାନ୍ତ ମନେ ହୁଅନ୍ତା । ବର୍ତ୍ତମାନ ମଧ୍ୟ ଏଠାରେ ବେଶ ଅନ୍ଧକାର ରହିଛି । ଏଣେ ମନ୍ଦିରରେ ମାଙ୍ଗଳିକ କର୍ମ ଦେଖିବା ଆଶା । ତାହାରି ଭିତରେ ଆଉ ସମୁଦ୍ରରେ ପ୍ରାକୃତିକ ଶୋଭା ଦେଖିଲା ଭଳି ମନୋବୃତ୍ତି ନାହିଁ । ଦ୍ରୁତ ପଦକ୍ଷେପ ଦେଇ ମନ୍ଦିର ଅଭିମୁଖେ ଅଗ୍ରସର ହେଲୁ ।

 

କିନ୍ତୁ ଦ୍ରୁତ ଆଗେଇ ଯିବୁ କେଉଁଆଡ଼େ? ମନ୍ଦିରର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ ଦୂରରୁ ଧ୍ୱଜାମାଳ ଦେଖି ଯାହାକୁ ମନ୍ଦିର ବୋଲି ମନେ କରିଥିଲୁ ପାଖକୁ ଆସି ଦେଖିଲୁ ସେ ଧ୍ୱଜାମାଳ କିଛି ନାହିଁ।ଏପରି ଛୋଟ ବଡ଼ ରଙ୍ଗ ବେରଙ୍ଗ ପତାକାର ଏଠାରେ ଅଭାବ ନାହିଁ । ସେପରି ଅଭାବ ନାହିଁ ଛୋଟ ବଡ଼ ଠାକୁର ତଥା ପୂଜକର । ବେଟ ଦ୍ୱାରକାରେ ଅବସ୍ଥିତ ପ୍ରାୟ ପ୍ରତ୍ୟେକ ଘର ସେ ସକାଶେ ଧ୍ୱଜ ଶୋଭିତ । ଏସବୁ ଦେଖି ମୂଳ ମନ୍ଦିର ଅନ୍ଦାଜ କରିବା ଦୁରୁହ ବ୍ୟାପାର । ବର୍ତ୍ତମାନ ଛୋଟ ସହର ବୁକୁରେ ବେଶ ଅନ୍ଧକାର । ଇଲେକ୍‌ଟ୍ରିକ ଲାଇନ୍‌ଦେଖାଗଲେ ମଧ୍ୟ ଆଲୁଅର ସେପରି ସମାରୋହ ନାହିଁ । ରାସ୍ତାରେ ଯେଉଁ ଗୋଟାଏ ଦୁଇଟା ବତି ଜଳିବା ଦେଖାଗଲା, ମନେ ହେଲା ସେ ପଥକୁ ଆଲୋକିତ କରିବା ସକାଶେ ନୁହେଁ: ବରଂ ପଥ ପଦର୍ଶକ ବୋଲି କୁହାଯାଇ ପାରେ । ଯାହା ହେଉ ଘାଟଠାରୁ ଅଳ୍ପଦୂର ମଧ୍ୟରେ ଦ୍ୱାରକାଧୀଶ ମନ୍ଦିରକୁ ଆସିବାକୁ ଅସ୍ୱସ୍ତି ବୋଧ ହେଲେ ମଧ୍ୟ ଅସୁବିଧା ହେଲାନାହିଁ । ଆମେ ପହଞ୍ଚିଲାବେଳକୁ ମନ୍ଦିରର ଦ୍ୱାର ସର୍ବ ସାଧାରଣଙ୍କ ସକାଶେ ଖୋଲା ହେଉଛି ଏବଂ ପୂଜକ ଠାକୁରଙ୍କ ପ୍ରାତଃକୃତ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ।

 

ବାହାରୁ ଦେଖିଲେ ମନ୍ଦିର ସେପରି ଜାକଜମକପୂର୍ଣ୍ଣ ବୋଲି ମନେ ନ ହୋଇ ଗୋଟିଏ ସାଧାରଣ କୋଠା ଘର ଭଳି ମନେହେବ । ବ୍ୟତିକ୍ରମ କେବଳ ମୂଲ୍ୟବାନ୍‌ବିରାଟ ଫାଟକ । ତାହାରି ମଧ୍ୟ ଦେଇ ଭିତରେ ପ୍ରବେଶ କଲେ ଭିତରର ମନୋମୁଗ୍‍ଧକର ଦୃଶ୍ୟ ଅତି ସହଜେ ନଜରରେ ପଡ଼ିଯାଏ । ସମସ୍ତ ମନ୍ଦିର ଚତ୍ୱର ମୂଲ୍ୟବାନ ମାର୍ବଲ ପଥରରେ ଆବୃତ୍ତ; କାନ୍ଥ ଓ ତଳ ଉଭୟ । ଦରଜାଗୁଡ଼ିକ ମୂଲ୍ୟବାନ୍‌ ରୌପ୍ୟ ପାତଦ୍ୱାରା ଗଢ଼ା । ଦ୍ୱାରକାଧୀଶ ତଥା ତାଙ୍କୁ କେନ୍ଦ୍ର କରି ଚତୁର୍ଦ୍ଦିଗରେ ଘେରି ରହିଥିବା ଅଷ୍ଟପାଟବଂଶୀ ମନ୍ଦିରଗୁଡ଼ିକ ମଧ୍ୟ ସେପରି ବହୁମୂଲ୍ୟବାନ୍‌ଆସବାବ ପତ୍ରରେ ସଜ୍ଜିତ । ବିଗ୍ରହଗଣଙ୍କ ଆଭରଣ ପ୍ରତି ମନ ସହଜରେ ଆକୃଷ୍ଟ ହୋଇଯାଏ । ଏହି ବିପୁଳ ଐଶ୍ୱର୍ଯ୍ୟ ମଧ୍ୟରେ ବିଗ୍ରହଙ୍କ ଦ୍ୱାରକାଧୀଶ ନାମ ହିଁ ଶୋଭାପାଏ, ଗିରିଧାରୀ ଗୋପାଳ ନିଶ୍ଚୟ ନୁହେଁ । ଅଷ୍ଟପାଟବଂଶୀଙ୍କ ମଧ୍ୟରେ ଏଠାରେ ବି ଶ୍ରୀରାଧାଙ୍କୁ ଦେଖିବାକୁ ମିଳେ । ପ୍ରତ୍ୟେକଙ୍କ ଅଲଗା ଅଲଗା ମନ୍ଦିର । ଜାକଜମକ ଓ ସାଜସଜ୍ଜାରେ ସପତ୍ନୀ ମନୋଭାବ ପରିଷ୍କାର ପରିଷ୍ଫୁଟ । ଯେମିତି ମନେହୁଏଏକହେ ମତେ ଦେଖ ତ ସେ ବୋଲେ ମୋତେ ଦେଖ ।

 

ଅନେକ ଯାତ୍ରୀ ମନ୍ଦିରରେ ଦ୍ୱାରକାଧୀଶଙ୍କୁ ଦର୍ଶନ କରିା ପୂର୍ବରୁ ଶଙ୍ଖୋଦ୍ଧାର ତୀର୍ଥ ବା ପୁଷ୍କରିଣୀରେ ସ୍ନାନ କରିଥାଆନ୍ତି । ଏଠାରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ଶଙ୍ଖାସୁରକୁ ବଧ କରିଥିଲେ ବୋଲି ସ୍ଥାନୀୟ ଜନପ୍ରବାଦରୁ ଶୁଣିବାକୁ ମିଳେ; କିନ୍ତୁ ଏ ବିଷୟ ପ୍ରତି କୌଣସି ପୌରାଣିକ ସ୍ୱୀକୃତି ମିଳେନି । ଆମେ ସମସ୍ତେ ସ୍ନାନ କରି ଯାଇଥିଲୁ । ତେଣୁ ସେ ପୁଷ୍କରିଣୀରେ ସ୍ନାନ କରିବା ଆବଶ୍ୟକ ପଡ଼ିଲାନାହିଁ । ଅନ୍ଧକାର ହେତୁ ତଳକୁ ଯିବାକୁ ମଧ୍ୟ ସାହସ ହେଲାନି । ଦୂରରୁ ତୀର୍ଥ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲୁ ।

 

ପୂଜାରୀ ମନ୍ଦିର ପରିଷ୍କାର କରିବା ଅବସରରେ ଆମ୍ଭେମାନେ ସୁଯୋଗ ଦେଖି ଚଟ୍‍କରି ଗୋଟାଏ ଚକ୍‌କର ଦେଇ ଆସିଲୁ । ଦେବଦର୍ଶନ ପରେ ପୁଣି ଭଲ ଭାବେ ଦର୍ଶନ କରିବା ଇଚ୍ଛାଥାଏ । ବାହାରୁ ଫେରି ଆସି ପୂର୍ବ ଜାଗାରେ ବସି ଦେବତାଙ୍କ ନିତ୍ୟକର୍ମ ଓ ପ୍ରାତଃକୃତ୍ୟ ବେଶ ପରିଷ୍କାର ଭାବେ ଦେଖିଲୁ । ଦିନ ମଧ୍ୟରେ ଯେକୌଣସି ସମୟରେ ଆସି ଦେବଦର୍ଶନ କରଯାଇ ପାରେ । ଯଦିଚ ଏସବୁ ଅଞ୍ଚଳରେ ଝାଁକି ଦର୍ଶନ (ହଠାତ୍‍ ଦର୍ଶନ) ପ୍ରଥା ବହୁଳ ଭାବେ ପ୍ରଚଳିତ, ତେବେ ବି ଦିନର ଯେ କୌଣସି ସମୟରେ ଖୁବ୍‌ଜୋର ଅଧ ଘଣ୍ଟା ଅପେକ୍ଷା କଲେ ଦେବତାଙ୍କ ଦର୍ଶନ ମିଳିଥାଏ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟରେ ନ ଆସିଲେ ଠାକୁରଙ୍କ ପ୍ରାତଃକାଳୀନ ଅଙ୍ଗମାଜଣା ସହ ପ୍ରାତଃ ନିତ୍ୟକର୍ମ ପଦ୍ଧତି ସହ ମାଙ୍ଗଳିକ ଆରତି ଦେଖିବା ସମ୍ଭବ ନୁହେଁ ।

 

ଅଭିଜ୍ଞ ମେନେଜର ଗୌତମବାବୁଙ୍କ ସତର୍କତା ହେତୁ ଏ ଯାତ୍ରାରେ ଅନେକ କ୍ଷେତ୍ରରେ ଏ ଭଳି ସୁଯୋଗ ପାଇ ପାରିଛୁ । ଏଥିପାଇଁ ସେ ନିଶ୍ଚୟ ଧନ୍ୟବାଦାର୍ହ । ଅନେକେ ମନେ କରନ୍ତି କେବଳ ଯାତ୍ରୀଙ୍କର ଖିଆପିଆ ବା ରହିବା ବ୍ୟବସ୍ଥା ଭଲଭାବରେ କରିପାରିଲେ ମେନେଜରୀ କର୍ତ୍ତବ୍ୟ ହୋଇଗଲା, ଏ ଧାରଣା ଭୁଲ୍‍ । ମନୁଷ୍ୟ ଜୀବନରେ ଭୋଜନ ଏବଂ ବିଶ୍ରାମ ଏକ ପ୍ରଧାନ ଅଂଶ; କିନ୍ତୁ ତାହା ହିଁ ଏକମାତ୍ର କାମ୍ୟ କେବଁ ହେଁ ହୋଇପାରେନା । ଘରୁ ପଦାକୁ ବାହାରିବ ମାତ୍ରେ ପ୍ରାୟ ସମସ୍ତେ ଏ ଦୁଇଟି ମୁଖ୍ୟକାର୍ଯ୍ୟରେ କମ୍‌ବେଶି ବ୍ୟତିକ୍ରମ ଘଟିବ ବୋଲି ଧରିନେଇଥାଆନ୍ତି । ଯାତ୍ରା ପଥରେ ବେଶି ଗୁରୁତ୍ୱ ଲାଭ କରିଥାଏ ଦର୍ଶନୀୟ ବସ୍ତୁ ବା କ୍ଷେତ୍ର । ସେ ସମସ୍ତ କ୍ଷେତ୍ରରେ ସମ୍ୟକ୍‌ଭାବେ ପରିଚୟ ସହ ପ୍ରାଞ୍ଜଳ ଭାବେ ଦେଖିବା ଏବଂ ଜାଣିବା । ତାହାର ବ୍ୟବସ୍ଥା କରିବା ବା ସେଥିପାଇଁ ଉପଯୁକ୍ତ ପରାମର୍ଶ ଦେବା ମଧ୍ୟ ଉପଯୁକ୍ତ ମେନେଜରଙ୍କ ପ୍ରଧାନ କର୍ତ୍ତବ୍ୟ । ନୂତନ ଯାତ୍ରୀ ପକ୍ଷରେ ସେ ସବୁ ଜାଣିବା, ଦେଖିବା ସମ୍ଭବ ନୁହେଁ । ଏ ସବୁ ଦିଗରୁ କହିବାକୁ ଗଲେ ଗୌତମବାବୁ ସାର୍ଥକନାମା ମେନେଜର ।

 

ଭାବନା ମଧ୍ୟ ଦେଇ ଦେବତାଙ୍କ ଅଙ୍ଗମାଜଣା ଦେଖିବାକୁ ଲାଗିଲୁ । ଅଭିଜ୍ଞ ପୂଜାରୀ ଗୋଟିକ ପରେ ଗୋଟିଏ ପ୍ରତିଟି କାମ ସୁଚାରୁ ରୂପେ ନିର୍ବାହ କରି ଚାଲିଲେ । ଅଙ୍ଗମାଜଣାନ୍ତେ ପୂଜକ ପ୍ରତ୍ୟେକଟି ଅଳଙ୍କାର ବିଗ୍ରହଙ୍କ ଶରୀରରେ ପିନ୍ଧାଇ ଦେଲେ । ରାତ୍ରିର ଶୃଙ୍ଖାର ବେଶ ପରିହାର କରି ଦେବତା ରାଜବେଶ ପରିହିତ ହୋଇ ଦ୍ୱାରକାଧୀଶ ରୂପେ ବିରାଜିତ ହେଲେ । ପୂଜକ ବିରାଟ ଏକ ଆରତିଦାନି ଧରି ମଙ୍ଗଳ ଆରତି କରିବାକୁ ଠିଆହେଲେ । ମନ୍ଦିର କକ୍ଷ ମଧ୍ୟରୁ ମଧୁର ସ୍ୱରରେ ଆରତ୍ରିକ ବାଜଣା ବାଜିଉଠିଲା । ଆମେମାନେ ସମସ୍ତେ କରପତ୍ର ଯୋଡ଼ି ଦଣ୍ଡାୟମାନ ହୋଇ ଚାହିଁ ରହିଲୁ ସେହି ମଧୁର ଲଗ୍ନକୁ । ବାଜଣାର ତାଳେ ତାଳେ ପୂଜକର ହସ୍ତଧୃତ ଆରତ୍ରିକ ଦ୍ରବ୍ୟ ଦେବତାର ଅଙ୍ଗ ପ୍ରତ୍ୟଙ୍ଗକୁ ପ୍ରଦକ୍ଷିଣ କରି ନାଚି ଉଠିଲା । ଉପସ୍ଥିତ ଦର୍ଶକଙ୍କ କଣ୍ଠରୁ ଧ୍ୱନିତ ହେଲା ।

 

‘‘ଓଁ ଶାନ୍ତାକାରଂ ଭୂଜଗ ଶୟନଂ ପଦ୍ମନାଭଂ ସୁରେଶଂ

ବିଶ୍ୱାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍‍ ।

ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିଭିର୍ଧ୍ୟାନ ଗମ୍ୟଂ

ବନ୍ଦେ ବିଷ୍ଣୁଂ ଭବ ଭୟ ହରଂ ସର୍ବ ଲୌକୈକନାଥମ୍‌ ।’’

 

ମନ୍ଦିରରେ ଦ୍ୱାରକାଧୀଶ କୃଷ୍ଣ । ତେଣୁ ହାତରେ ମୁରଲୀ ନାହିଁ କି ଶିରରେ ଶ୍ରୀଖଣ୍ଡ ଚୂଳ ନାହିଁ । ପାର୍ଶ୍ୱଦେବତା ସ୍ଥାନରେ ଲକ୍ଷ୍ମୀ ବା ୠକ୍ମିଣୀଙ୍କୁ ଦେଖାଗଲେ ମଧ୍ୟ ମୂଳ ବିଗ୍ରହ ସାଥିରେ କୌଣସି ରକମ ଯୁକ୍ତ ନୁହଁନ୍ତି । ମନ ପ୍ରାଣ ଦେଇ ଦେବଦର୍ଶନ କରୁ କରୁ ଆରତି ଶେଷ ହୋଇଗଲା । ସଙ୍ଗେ ସଙ୍ଗେ ଦେବତାଙ୍କ ସମ୍ମୁଖରେ ଝୁଲୁଥିବା ଭାରି ପର୍ଦାଟି ଟାଣି ଦିଆହେଲା । ସୃଷ୍ଟିହେଲା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କୃତ୍ରିମ ବ୍ୟବଧାନ । ବର୍ତ୍ତମାନ ପାଇଁ ଦେବର୍ଶନ ବନ୍ଦ । ପୁଣି ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେହି ରଙ୍ଗୀନ ପରଦା ଅପସାରିତ ହେବ । ଅପେକ୍ଷମାଣ ଯାତ୍ରୀଗଣ ଜୟ ଦ୍ୱାରକାନାଥ କି ଜୟ ଧ୍ୱନିରେ ମନ୍ଦିର ପ୍ରକମ୍ପିତ କରାଇ ସେଇ ଧରାବନ୍ଧା ସମୟ ଭିତରେ ଦେବଦର୍ଶନ ସମାପନ କରିବେ । ତା’ପରେ ପୁଣି ସେହି ପରଦା ଦେବଦର୍ଶନରେ ଅନ୍ତରାୟ ହୋଇ ଉଠିବ । ଏହିପରି ଚାଲିବ ଦେବତା ଆଉ ଭକ୍ତ, ମଧ୍ୟରେ ଲୁଚକାଳି ଖେଳ ସନ୍ଧ୍ୟା ଆରତି ପର୍ଯ୍ୟନ୍ତ । ପରେ ଏକବାରେ ଦୀର୍ଘ ବିରତି ପରେ ରାତ୍ରି ପହଡ଼ ସମୟରେ ଯାଇ ଶେଷ ଦର୍ଶନ । ଯେଉଁମାନେ ବେଟ ଦ୍ୱାରକାରେ ରାତ୍ରି ବାସ କରିବେ, ସେମାନେ ସୁଯୋଗ ପାଇବେ ସେହି ପହଡ଼ ଦର୍ଶନ କରିବାର । ଶେଷଦର୍ଶନ କରି ଫେରିବା ଲଞ୍ଚ ଅଛକି ନାହିଁ, ଭୁଲ ବଶତଃ ସେ ଖୋଜ୍‍ ଖବର ନେବା ସମ୍ଭବ ହେଲାନାହିଁ । ଥିଲେ ମଧ୍ୟ ସମୁଦ୍ର ପଥରେ ଅନଭିଜ୍ଞ ଆମଭଳି ଯାତ୍ରୀମାନଙ୍କ ପକ୍ଷରେ ଶେଷ ଦର୍ଶନ କରି ଫେରିବା ସମ୍ଭବ କି ନା ସେ ଏକ ବିଚାର୍ଯ୍ୟ ବିଷୟ ।

 

ମୂଳ ବିଗ୍ରହ ଦର୍ଶନ ଶେଷକରି ପାର୍ଶ୍ୱ ଦେବତା ଦର୍ଶନରେ ଏଥର ମନ ଦେଲୁ । ଅଷ୍ଟପାଟବଂଶୀଙ୍କ ମନ୍ଦିର ମଧ୍ୟରେ ରକ୍ମିଣୀ ମନ୍ଦିର ଅପେକ୍ଷାକୃତ ପ୍ରଶସ୍ତ ଏବଂ ସାଜସଜ୍ଜାରେ ବୈଶିଷ୍ଟ୍ୟ ଦାବୀ ରଖେ । ରୁକ୍କିଣୀ ଶ୍ରୀକୃଷ୍ଣଙ୍କ ପାଟରାଣୀ । ଶ୍ରୀକୃଷ୍ଣଙ୍କ ପରେ ଦ୍ୱାରକାରେ ତାଙ୍କର ସ୍ଥାନ ଏବଂ ଏଠାରେ ତାଙ୍କର ଗୃହ ହିଁ ସ୍ଥାନ ମହାତ୍ମ୍ୟର ମୂଳ ବୋଲି ଧରା ହୋଇଥାଏ । ତା’ ବ୍ୟତୀତ କୃଷ୍ଣଙ୍କ ସହ ରୁକ୍କିଣୀ ବିବାହ ମଧ୍ୟ ପୁରାଣମାନଙ୍କରେ ଏକ ବିଶିଷ୍ଟ ସ୍ଥାନ ଦାବୀ କରେ । ଶ୍ରୀକୃଷ୍ଣଙ୍କ ଅନ୍ୟ ସ୍ତ୍ରୀଙ୍କୁ ଏପରିକି ବାଲ୍ୟ ସଙ୍ଗିନୀ ଶ୍ରୀରାଧାଙ୍କୁ ନେଇ ନାନା ଦ୍ୱୈଧ ମତ ଦେଖାଗଲେ ମଧ୍ୟ ରୁକ୍ମିଣୀଙ୍କୁ ନେଇ କୌଣସି ପୁରାଣ ଭିନ୍ନ ମତ ପୋଷଣ କରନ୍ତିନାହିଁ । ଖୁବ ସମ୍ଭବ ସେ ସକାଶେ ଦ୍ୱାରକାରେ କୃଷ୍ଣଙ୍କ ସଙ୍ଗେ ରୁକ୍ମିଣୀ ଅପରିହାର୍ଯ୍ୟ ।

 

ବିଦର୍ଭ ରାଜା ଭୀଷ୍ମକଙ୍କ ଏକମାତ୍ରକନ୍ୟା ରୁକ୍ମିଣୀ । ରାଜାଙ୍କ ମତବାଦ ଯାହା ହେଉନା କାହିଁକି ମହାପରାକ୍ରମଶାଳୀ କୃଷ୍ଣ ବିରୋଧୀ ଜ୍ୟେଷ୍ଠପୁତ୍ର ରୁକ୍ମଙ୍କର ମତ ବିରୁଦ୍ଧରେ ଯିବାର ଶକ୍ତି ଭୀଷ୍ମକଙ୍କର ନଥିଲା । ଲକ୍ଷ୍ମୀ ଅଂଶରେ ସମ୍ଭୂତା ରୁକ୍ମିଣୀ ମନେମନେ ଶ୍ରୀକୃଷ୍ଣଙ୍କୁ ପତିରୂପେ ବରିନେଇଛନ୍ତି । କୃଷ୍ଣଙ୍କ ହସ୍ତରେ କନ୍ୟା ସମର୍ପଣ କରିବାକୁ ଭୀଷ୍ମକ ମଧ୍ୟ ଅନିଚ୍ଛୁକ ନୁହଁନ୍ତି; କିନ୍ତୁ ଏ ପ୍ରସ୍ତାବ ରୁକ୍ମଙ୍କର ମୋଟେ ମନଃପୂତ ନୁହେଁ । ଅନିନ୍ଦ୍ୟ ସୁନ୍ଦରୀ ଭଉଣୀ ରୁକ୍ମିଣୀଙ୍କ ସକାଶେ ତାଙ୍କର ମନୋନୀତ ପାତ୍ର ହେଲେ ଚେଦି ରାଜ୍ୟାଧିପତି ଶିଶୁପାଳ । ପିତାଙ୍କ ଅନୁମତି ନେଇ ଶିଶୁପାଳକୁ ନିମନ୍ତ୍ରଣ ପଠାଇଛନ୍ତି ରୁକ୍ମିଣୀଙ୍କୁ ବିବାହ ସକାଶେ ଆସିବା ପାଇଁ, କିନ୍ତୁ ନିଜ ଭଉଣୀଙ୍କ ମନ କଥା ତାଙ୍କର ଅଜଣା ନୁହେଁ । ସେ ସକାଶେ ମାଙ୍ଗଳିକ ଅନୁଷ୍ଠାନରେ ଯେପରି କୌଣସି ବିଘ୍ନ ସୃଷ୍ଟିନ ହୁଏ ତା’ର ସତର୍କତା ପାଇଁ ରୁକ୍ମିଣୀଙ୍କୁ ଅନ୍ତଃପୁର ମଧ୍ୟରେ ବନ୍ଦିନୀ କରି ରଖିଛନ୍ତି । ନଗର ଦ୍ୱାର ବିଶ୍ୱସ୍ତ ସେନାମାନଙ୍କଦ୍ୱାରା ସୁରକ୍ଷିତ । ନିଜେ ରୁକ୍ମ ସଦା ସତର୍କ ରହି ସମସ୍ତ କିଛି ତଦାରଖ କରୁଛନ୍ତି । ଖବର ପାଇଛନ୍ତି ମହାବୀର ଶିଶୁପାଳ କନ୍ୟାରତ୍ନ ଲାଭ କରିବା ସକାଶେ ମହା ପଟୁଆର ସହ ଯାତ୍ରା ଆରମ୍ଭ କରିଛନ୍ତି । ଅଳ୍ପ କେତେ ଦିନ ମଧ୍ୟରେ ମାଙ୍ଗଳିକ କର୍ମ ସମ୍ପନ୍ନ ହୋଇ ଦୁଇହାତ ଚାରିହାତ ହୋଇଗଲେ ସେ ନିଶ୍ଚିନ୍ତ ।

 

କିନ୍ତୁ ବିଧାତା ବିଧାନ ଅନ୍ୟ ପ୍ରକାର । ରୁକ୍ମଙ୍କ ପ୍ରଚେଷ୍ଟା ରୁକ୍ମିଣୀଙ୍କି ଅଜ୍ଞାତ ନ ଥିଲା । ସେ ଉଦ୍ଦେଶ୍ୟ ବିଫଳ କରିବା ଶକ୍ତି ତାଙ୍କର ନ ଥିଲା । ତେବେ ମନର ଅଭିଳାଷ ସହ ନିଜର ବନ୍ଦିନୀ ଅବସ୍ଥା କଥା ଜଣାଇ ରାଜ ପୁରାହିତଙ୍କହସ୍ତରେ ଗୋଟିଏ ଚିଠି ଶ୍ରୀକୃଷ୍ଣଙ୍କ ନିକଟକୁ ପଠାଇ ଦେଇ ଉତ୍ସୁକ ଭାବରେ ଉତ୍ତରକୁ ଅପେକ୍ଷା କରି ବସିଲେ । ରାଜପୁରୋହିତ ଯାଇ କୃଷ୍ଣଙ୍କ ସଙ୍ଗେ ଦେଖାକରି ଜେମା କର୍ତ୍ତୃକ ପ୍ରେରିତ ପତ୍ର ପ୍ରଦାନକଲେ । ଜଣାଇଲେ ସୁରକ୍ଷ ରାଜହଂସ ପୁରୀରେ ବନ୍ଦନୀ ରାଜନନ୍ଦିନୀଙ୍କ ଅବସ୍ଥା । ତତ୍‌ସହ ରୁକ୍ମକର୍ତ୍ତୃକ ସୁରକ୍ଷିତ ରାଜ ଅନ୍ତଃପୁରରେ କୌଣସି ରକମ ପ୍ରବେଶ କରିବାର ଅସାମ୍ଭବ୍ୟ କଥା । ଯାହାକୁ କବି ସମ୍ରାଟଙ୍କ ଭାଷାରେ କୁହାଯାଇପାରେ ।

 

ବିପ୍ରଭାଷିଲେ—

 

(‘‘ଆଳି ଭାଳିଲେ) ଚନ୍ଦନ ମହୀରୁହ

ପରାଏ ଯେଉଁ ଅନ୍ତଃପୁର

ଉରଗ କଞ୍ଚୁକେ ବେଷ୍ଟିତ ହେବାରେ

ରାତ୍ର ଦିବସ ଭୟଙ୍କର

ଅଛିତହିଁରେ, ପବନରମାତ୍ରପରଶ

(ଏ) କେଉଁ ଦେବରେ ଭେଦ ହେଲେ ହେବ

ଭେଦି ନ ପାରିବେ (ତ ନଥିବେ) ମନୁଷ୍ୟ ।

 

ସାମାନ୍ୟ ପରିବର୍ତ୍ତିତ କରିଦେଲେ ବର୍ଣ୍ଣନା ଏକବାରେ ଖାପ ଖାଇଯିବ ।

 

ଶ୍ରୀକୃଷ୍ଣ ମନୋଯୋଗ ଦେଇ ବ୍ରାହ୍ମଣଙ୍କ ମୁଖରୁ ସମସ୍ତ ଅବଗତ ହେଲେ । ରୁକ୍ମିଣୀଙ୍କର ପ୍ରେରିତ ପତ୍ର ପାଠକଲେ । ଆନୁଷଙ୍ଗିକ ପୂର୍ବାପର ସମସ୍ତ ଘଟଣା ଚିନ୍ତା କରିନେଇ ରାଜପୁରୋହିତଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ବିଦାୟ ଦେଲେ ଏବଂ ନିଜେ କର୍ତ୍ତବ୍ୟ ସମ୍ପାଦନ ସକାଶେ ପ୍ରସ୍ତୁତ ହେବାକୁ ଲାଗିଲେ ।

 

ବିଦର୍ଭ ନଗରୀ ଅପରୁପ ସାଜସଜ୍ଜାରେ ସଜ୍ଜିତ ହୋଇ ଉଠିଛି । ଆଜି ମଙ୍ଗଳକୃତ୍ୟ । ଗଜ, ବାଜି, ବାଣ, ରୋଷଣି ସହ ମହାସମାରୋହରେ ଶିଶୁପାଳ ଉପସ୍ଥିତ ହୋଇଗଲେଣି । ବରକନ୍ୟା ଦୁଇ ପକ୍ଷରୁ ରାଜ୍ୟର ସମସ୍ତ ଦେବମନ୍ଦିରରେ ଚାଲିଛି ମହାସମାରୋହରେ ଦେବାର୍ଚ୍ଚନା-। ସର୍ବଶୁଭରେ ମଙ୍ଗଳକୃତ୍ୟ ବିଧାନ ସମାପନ ହୋଇଗଲେ ଆଗାମୀ କାଲି ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ବିବାହ କର୍ମ ଆରମ୍ଭ ହୋଇଯିବ । ତା’ପରେ ରୁକ୍ମ ନିଶ୍ଚିନ୍ତ । ସେ ଯାଏଁ ତାହାଙ୍କୁ ଅବସର ନେବାକୁ ସମୟ ନାହିଁ । କେଉଁ ଛିଦ୍ର ଧରି କି ଅମଙ୍ଗଳ ପ୍ରବେଶ କରି ବସିବ ତା’ର କିଛି ଠିକ୍‌ନାହିଁ-। ବିଶେଷ କରି ନିଜ ଭଉଣୀର ଏ ବିବାହରେ ଅନିଚ୍ଛା । କେବଳ ଅନିଚ୍ଛା ହେଲେ କଥା ନଥିଲା । ସେ କୃଷ୍ଣପ୍ରତି ଅନୁରକ୍ତା । ଏ ଖବର ଯେପରି ପ୍ରକାଶ ନପାଏ, ସେଥିପାଇଁ ରୁକ୍ମଙ୍କର ଚେଷ୍ଟାରେ ତ୍ରୁଟି ନାହିଁ । ତେବେ ବି ମନକଥା ଯଦି କୌଣସି ମତେ ଯଦୁଶ୍ରେଷ୍ଠ କୃଷ୍ଣଙ୍କ କାନରେ ପହଞ୍ଚେ, ତେବେ କେତେବେଳେ କ’ଣ ଯେ ହେବ ତା’ର କିଛି ସ୍ଥିରତା ନାହିଁ । ଯାହାହେଉ ଏଯାଏଁ ସେପରି କିଛି ଅଘଟଣ ଘଟିନାହିଁ । ପ୍ରଥମେ ପ୍ରଥମେ ରୁକ୍ମିଣୀ ଅବାଧ୍ୟତା ପ୍ରକାଶକଲେ ମଧ୍ୟ ଏବେ ଆଉ ସେ ସବୁ ଲକ୍ଷଣ ଦେଖାଯାଉନାହିଁ । ସୁପୁତ୍ରୀ ଭଳି ଗୁରୁଜନଙ୍କ ନିର୍ଦ୍ଦେଶ ମାନି ସମସ୍ତ ମାଙ୍ଗଳିକ କର୍ମମାନ ସୁଚାରୁ ରୂପେ କରିଯାଉଛି । ଏକଥା ଚିନ୍ତାକରି ରୁକ୍ମ ମନକୁ ମନ ହସିନେଲେ । ଅନୂଢ଼ା ବୟସ୍କା କନ୍ୟାମାନେ ପ୍ରାୟ ପ୍ରଥମେ ପ୍ରଥମେ ଏପରି ମନୋଭାବ ପ୍ରଦର୍ଶନ କରିଥାନ୍ତି । ବିବାହ ଲଗ୍ନ ନିକଟବର୍ତ୍ତୀ ହେଲେ କ୍ରମେ ଶାନ୍ତଭାବ ଗ୍ରହଣ କରିଥାଆନ୍ତି । ବାଡ଼ୁଅପାଣିପଡ଼ିବା ସଙ୍ଗେ ସଙ୍ଗେ ପୂର୍ବେ ଯେ ଏ ବିବାହରେ ଅନିଚ୍ଛା ଥିଲା ସେକଥା ଏକଦମ୍‌ଭୁଲିଯାଆନ୍ତି । ଏହି ସ୍ୱାଭାବିକ ନିୟମକୁ ରୁକ୍ମିଣୀ ବାଦ୍‍ଯିବେ କିପରି ? ତା’ ପରେ ଶିଶୁପାଳ କୃଷ୍ଣ ଅପେକ୍ଷା ପାତ୍ର ହିସାବରେ ଶ୍ରେଷ୍ଠତର ଏକଥା ବୁଝିବା ଭଳି ବିଚାର ବୁଦ୍ଧି ତା’ର ନିଶ୍ଚୟ ଅଛି । ଏସବୁ ଚିନ୍ତାକରି ରୁକ୍ମ ମନେ ମନେ ଆଶ୍ୱସ୍ତି ଅନୁଭବ କଲେ ।

 

କାହାକୁ ଅପେକ୍ଷା ନକରି ସମୟ ଆଗେଇ ଚାଲିଲା । କ୍ରମେ ନିଶାର୍ଦ୍ଧ ପରେ ଉଷା ଉ ଗତ ହେଲା । ମଙ୍ଗଳ ବାଜଣା ବଜାଇ ସଧବା ସ୍ତ୍ରୀଗଣ ବେଶଭୁଷା ହୋଇ କନ୍ୟା ସହ ଦିଅଁ ମଙ୍ଗୁଳିବାକୁ ବାହାରିଲେ । ପୁରୋହିତଙ୍କ ପରାମର୍ଶ ମାନି ରୁକ୍ମିଣୀ ସମସ୍ତ ଲେକାଚାର ଗୋଟିଏ ପରେ ଗୋଟିଏ କରି ଯାଉଛନ୍ତି, ମନରେ ଅଗାଧ ବିଶ୍ୱାସ ନେଇ । ଶ୍ରୀକୃଷ୍ଣ ଯେତେବେଳେ କଥା ଦେଇଛନ୍ତି, ନିଶ୍ଚୟ ବିହିତ ବ୍ୟବସ୍ଥା କରିବେ । ଦିଅଁ ମଙ୍ଗୁଳି ଦେବୀ ମନ୍ଦିରରୁ ବାହରିବା ପରେ ପୁଣି ଅନ୍ତଃପୁରରେ ଯାଇ ବଦିନୀ ହୋଇଯିବାକୁ ପଡ଼ିବ । ସେ ସମୟରେ ଉଦ୍ଧାର କରିବା ତ ଦୂରର କଥା ତାଙ୍କୁ ଦେଖିବା କାଠିକର ପାଠ । ଦେବୀ ମନ୍ଦିରକୁ ଯିବା ଆସିବା ସମୟତକ କେବଳ ଅବସର । ଯଦି ଶ୍ରୀକୃଷ୍ଣ ଏହାକୁ ସଦ୍‌ବ୍ୟବହାର ନ କରନ୍ତି ତା ହେଲେ କ’ଣ ହେବ । ଏପରି ନାନାଚିନ୍ତା କରିବାକୁ ଲାଗିଲେ । ସେତେବେଳେ ହୀରକ ଅଙ୍ଗୁଠି ହିଁ ଏକମାତ୍ର ଭରସା !

 

ଅନ୍ତରର ସମସ୍ତ ବ୍ୟାକୁଳତା ନେଇ ଶ୍ରୀକୃଷ୍ଣଙ୍କୁ ପାଇବାପାଇଁ ନିବେଦନ କଲେ ଦେବୀଙ୍କ ଚରଣ ତଳେ । ପୂଜା ଶେଷକରି ମନ୍ଦିର ଭିତରୁ ବାହାରି ଆସିଲେ ରୁକ୍ମିଣୀ ସହଚରୀଗଣଙ୍କ ସହିତ । ହଠାତ୍‌ଆକାଶ ମାର୍ଗରୁ ନିମିଷକ ମଧ୍ୟରେ ଅବଲୀଳା କ୍ରମେ ଶ୍ରୀକୃଷ୍ଣ ତୋଳିନେଲେ ରୁକ୍ମିଣୀଙ୍କୁ ଗରୁଡ଼ ପୃଷ୍ଠରେ । ସଖୀ, ସହଚରୀଗଣ ଘଟଣା କ’ଣ ଜାଣିବା ଆଗରୁ ଗରୁଡ଼ ଯାଇ ଆକାଶ ମାର୍ଗରେ ।

 

ପରବର୍ତ୍ତୀ ଘଟଣା ଅତି ସଂକ୍ଷିପ୍ତ । ଦୁଃସମ୍ୱାଦ ପାଇ ସସୈନ୍ୟେ ରୁକ୍ମଣ ଆଗେଇ ଆସିଲେ କୃଷ୍ଣଙ୍କୁ ବାଧା ଦେବାପାଇଁ । ସଙ୍ଗରେ ଯୋଗଦେଲେ ଶିଶୁପାଳର ବିପୁଳ ବାହିନୀ । ଅନ୍ୟ ପକ୍ଷ ମଧ୍ୟ ସଜ୍ଜିତ ଥିଲେ । ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଯଦୁ ଓ ପାଣ୍ଡବ ସେନାଗଣ ବିଦର୍ଭ ନଗର ଉପକଣ୍ଠରେ ଅପେକ୍ଷା କରିଥିଲେ । ଉଭୟ ପକ୍ଷର ଯୁଦ୍ଧ ହେଲା । ଶିଶୁପାଳ ଓ ରୁକ୍ମ ପରାସ୍ତ ହେଲେ । ଭୀଷ୍ମକ ପରମ ଆନନ୍ଦରେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ସମର୍ପଣ କଲେ । ସେହି ବିବାହ ମଣ୍ଡପ ଆଗାମୀ କାଲି ଦ୍ୱାରକାରେ ଦେଖିପାରିବୁ । ଶ୍ରୀକୃଷ୍ଣଙ୍କ ଔରସରୁ ରୁକ୍ମଣୀଙ୍କ ଗର୍ଭରୁ ଦଶପୁତ୍ର ଓ ଗୋଟିଏ କନ୍ୟା ଜନ୍ମଗ୍ରହଣ କରିଥିଲେ । ସେମାନେ ହେଲେ ପ୍ରଦ୍ୟୁମ୍ନ, ଚାରୁଦେଷ୍ଣ, ସୁଦେଷ୍ଣ, ଚାରୁଦେହ, ସୁଷେଣ, ଚାରୁଗୁପ୍ତ, ଭଦ୍ରଚାରୁ, ଚାରୁବିନ୍ଦ, ସୁଚାରୁ ଓ ଚାରୁ । କନ୍ୟାଙ୍କ ନାମ ଚାରୁମତୀ । କୃଷ୍ଣଙ୍କ ତିରୋଧାନ ତଥା ଯଦୁବଂଶ ଧ୍ୱଂସ ପରେ ପ୍ରଦ୍ୟୁମ୍ନଙ୍କ ପୌତ୍ର ବ୍ରଜନାଭ ଯଦୁବଂଶ ରାଜାଭାବେ ପ୍ରତିଷ୍ଠିତ ହୋଇଥିଲେ । ଜାମ୍ୱବତୀ ପୁତ୍ର ଶ୍ୟାମ୍ୱଙ୍କ ବ୍ୟତୀତ ପୁରାଣମାନଙ୍କର ଶ୍ରୀକୃଷ୍ଣଙ୍କ ଅନ୍ୟ ସ୍ତ୍ରୀମାନଙ୍କ ସନ୍ତାନଙ୍କ କଥା କିଛି ଦେଖିବାକୁ ମିଳେନାହିଁ-। ତେଣୁ ଅନେକ ପଣ୍ଡିତ ଏହି ଅଷ୍ଟପାଟବଂଶୀଙ୍କ ଅସ୍ତିତ୍ୱ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଥାଆନ୍ତି-

 

ରୁକ୍ମିଣୀ ମନ୍ଦିର ପରେ ମହତ୍ତ୍ୱପୂର୍ଣ୍ଣ ମନ୍ଦିର ହେଲା ଶ୍ରୀରାଧାଙ୍କ । ଶ୍ରୀକୃଷ୍ଣଙ୍କ ସ୍ତ୍ରୀ ସଂଖ୍ୟା ତିନି ହେଉ ବା ଆଠ ହେଉ ନତୁବା ଷୋଳସହସ୍ର ଏକଶତ ଏକ ହେଉ, ତା’ର ଭିତରେ କେଉଁଠି ହେଲେ ରାଧାଙ୍କର ସ୍ଥାନ ନାହିଁ । ରାଧାଙ୍କ ଉତ୍ପତ୍ତି ଓ ସ୍ଥିତ ନେଇ ‘ବ୍ରଜମଣ୍ଡଳରେ’ ବିଷଦ ଭାବେ ଆଲୋଚନା କରାଯାଇଅଛି । ଏହି ମନ୍ଦିର ଭିତରେ କୃଷ୍ଣଙ୍କ ଅଷ୍ଟମହୀଷୀ ମଧ୍ୟରେ ରାଧାଙ୍କ ସକାଶେ ଏକ ବିଶିଷ୍ଟ ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଅଛି । ଖୁବ ସମ୍ଭବ କେଉଁ ଏକ ବୈଷ୍ଣବ ପ୍ରାଧାନ୍ୟ ଯୁଗରେ ଉକ୍ତ ମୂର୍ତ୍ତିଙ୍କୁ ମୂଳ ଅଂଶ ସହ ଯୁକ୍ତ କରାଯାଇଅଛି ଏବଂ ସେହି ଦିନଠାରୁ ଅନ୍ୟ ସବୁ ଦେଶର କୃଷ୍ଣ ବିଗ୍ରହ ସଙ୍ଗର ସେ ପୂଜିତା ହେଉଛନ୍ତି ।

 

ଭାବନା ତଥା ଦର୍ଶନରେ ବାଧା ପଡ଼ିଲା । ଜନୈକ ପୂଜକ ଆସି ମହନ୍ତଙ୍କ ଆହ୍ୱାନ ଜଣାଇଲା ରୁକ୍ମିଣୀ ଦେବୀଙ୍କ ମନ୍ଦିରକୁ । ଯେଉଁଠି ଭକ୍ତବର ସୁଦାମା ପରମ ସୁହୃଦ କୃଷ୍ଣଙ୍କୁ ଭେଟ କରିଥିଲେ । ଯାହାର ସ୍ମୃତି ବହନକରି କ୍ଷେତ୍ରର ନାମ ଭେଟ ଦ୍ୱାରକା ହୋଇଅଛି ବୋଲି ଜନସ୍ମୃତିରୁ ଜଣାଯାଏ । କାରଣ କ’ଣ ଜାଣିବା ପାଇଁ ସମସ୍ତେ ସେ ଦିଗରେ ଯାତ୍ରାକଲୁ । ବିରାଟ ବପୁଧାରୀ ମହନ୍ତ ମହାରାଜ ଶ୍ରୀକୃଷ୍ଣ ଶଯ୍ୟା ବୋଲି ନିର୍ଦ୍ଦିଷ୍ଟ ପଲଙ୍କ ନିକଟସ୍ଥ ଏକ ବିରାଟ ଚୌକି ଉପରେ ବସିଛନ୍ତି । ଆମେମାନେ ପହଞ୍ଚିବା ପରେ ପ୍ରଣାମ କରି ଉପବେଶନ କରିବାକୁ କହିଲେ । ତାଙ୍କର କଥା ମାନି ଆମେମାନେ ବସିଯିବା ପରେ ସେ ତୀର୍ଥ ସମ୍ୱନ୍ଧେ ନାନା ବିଷୟ ଶୁଣାଇ ଭକ୍ତ ସୁଦାମାଙ୍କ କାହାଣୀ ବିଶଦ୍‌ଭାବେ ଶୁଣାଇଲେ । ଭକ୍ତ କଥା ସଙ୍ଗୀମାନେ ଭଲ ଭାବେ ବୁଝି ନ ପାରିଥିବା ହେତୁ ମୋତେ ଆଉଥରେ କହିବାକୁ ପଡ଼ିଥିଲା । କାହାଣୀ ଶେଷକରି ସେ ଜଣାଇଲେ ଗରିବ ବ୍ରାହ୍ମଣ ସୁଦାମା ମଧ୍ୟ ଖାଲି ହସ୍ତରେ ଏଠାକୁ ଆସିନଥିଲେ ।

 

ଆଉ ତୁମେମାନେ ବଡ଼ଲୋକ, ଜ୍ଞାନୀ, ଗୁଣୀ ଏବଂ ସଜ୍ଜନ ବ୍ୟକ୍ତି । ଅତଏବ ଏଠାରେ ଦାନ ଧର୍ମ କରିବା କର୍ତ୍ତବ୍ୟ । ଦାନର ସର୍ବନିମ୍ନ ପରିମାଣ ଏକଶତ ଏକଟଙ୍କା ଦେଇ ଉପଯୁକ୍ତ ରସିଦ୍‌ ନେଇଯିବା ବିଧେୟ ଇତ୍ୟାଦି ଇତ୍ୟାଦି । ଡାକିବା ଉଦ୍ଦେଶ୍ୟ ଏବଂ ଦାନର ପରିମାଣ ଶୁଣି ଆମେ ମାନେ ଜଣେ ଜଣଷ ନ ଶୁଣିଲା ଭଳି ଉଠି ଆସିଲୁ ।

 

ମନ୍ଦିର ମଧ୍ୟରୁ ବାହାରି ଏହି ଉପଦ୍ୱୀପର ବାହାର ପରିସ୍ଥିତି ବୁଲି ଦେଖିବାରେ ଲାଗିଲୁ । ଏହି ଛୋଟ ଦ୍ୱୀପଟିର ଆୟତନ ପ୍ରାୟ ଚବିଶି ବର୍ଗମାଇଲ । ସମସ୍ତ ଅଞ୍ଚଳ ଶୁଷ୍କ ପଥୁରିଆ । ମନ୍ଦିର ସଂଲଗ୍ନ ଯେଉଁ କେତକ ଗଛ ପତ୍ର; ଅନ୍ୟତ୍ର କେଉଁଠି ହେଲେ ସାମାନ୍ୟ ଆଶ୍ରୟ ପାଇଁ ଗଛ ଛାଇ ମିଳିାବ ଉପାୟ ନାହିଁ । ଜନସଂଖ୍ୟା ଅତି ନଗଣ୍ୟ । ଅଧିକାଂଶ ମନ୍ଦିରର ଲୋକ ପୂଜକ ବା ସେବକ ସଂପ୍ରଦାୟର । ଗୋଟିଏ ଛୋଟ ବିଦ୍ୟାଳୟ ଅଛି । ଲୋକାଳୟ ଭିତରେ ଆହୁରି କେତେକ ଛୋଟ ଛୋଟ ମନ୍ଦିର ଦେଖାଯାଏ । ସେଥି ମଧ୍ୟରେ ମହାଦେବ, ପାର୍ବତୀ, ଲକ୍ଷ୍ମୀନାରାୟଣ ମନ୍ଦିର ଉଲ୍ଲେଖନୀୟ । ଦୋକାନ ପତ୍ର ଯାହା ସବୁ ଦେଖିବାକୁ ମିଳେ ସେଗୁଡ଼ିକ ଭିତରୁ ଅଧିକାଂଶ ଜଳଖିଆ ଦୋକାନ ବା ଭୋଜନାଳୟ । କୌଣସି ଆଧୁନିକ ବିପଣୀ ନଜରରେ ପଡ଼ିଲା ନାହିଁ । ଆବାସିକ ହୋଟେଲ ମୋଟେ ନାହିଁ । ତେବେ ଯାତ୍ରୀମାନଙ୍କ ସକାଶେ ଦୁଇଟି ଧର୍ମଶାଳା ରହିଛି । ରହିବା ଏବଂ ଖାଇବା ଅବ୍ୟବସ୍ଥା ଯୋଗୁଁ ସାଧାରଣତଃ ବିଶେଷ ଯାତ୍ରୀ ସେଠାରେ ରାତ୍ରି ଯାପନ ନ କରି ଦେବ ଦର୍ଶନ ଶେଷ କରି ଓଖାକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଆମେମାନେ ମଧ୍ୟ ମୋଟା ମୋଟି ଭାବେ ସମସ୍ତ ଦେଖି ପୁଣି ଖରାର ତାପ ପ୍ରଚଣ୍ଡ ଆକାର ଧାରଣ କରିବା ପୂର୍ବରୁ ଓଖାକୁ ଫେରିବା ଉଦ୍ଦେଶ୍ୟରେ ଜେଟି ଅଭିମୁଖେ ଚାଲିଲୁ । ଫେରିଲା ବେଳକୁ ଲଞ୍ଚ୍‍ ସର୍ଭିସ ମିଳିଗଲା । ନୌକା ଯାତ୍ରାଠାରୁ ଅପେକ୍ଷାକୃତ କମ ସମୟ ଭିତରେ ଓଖାରେ ଆସି ପହଞ୍ଚିଲୁ । ତେବେ ଯିବା ସମୟରେ ନୌକା ଯାତ୍ରାକରି ମନରେ ଯେଉଁ ଭୟ ମିଶା ଆନନ୍ଦ ଅନୁଭବ କରିଥିଲୁ, ଫେରିବା ସମୟରେ ମୁକ୍ତ ଲଞ୍ଚରେ ପ୍ରଚଣ୍ଡ ସୂର୍ଯ୍ୟତାପ ବ୍ୟତୀତ ଅନ୍ୟ କିଛି ଅନୁଭବ କରିପାରିଲୁ ନାହିଁ ।

 

ବଗିକୁ ଫେରି ଦେଖିଲୁ ପ୍ଲାଟ୍‍ ଫର୍ମ ଯାତ୍ରୀରେ ବୋଝେଇ । ରାତ୍ରି ଟ୍ରେନରେ ସେମାନେ ସବୁ ଆସିଛନ୍ତି ବିଭିନ୍ନ ଜାଗାରୁ । ନାନ ଜାତି, ନାନା ଭାଷା । ସେଇ କୋଳାହଳରେ ଛୋଟ ଷ୍ଟେସନଟି ମୁଖରିତ ହୋଇଉଠିଛି । ହାତରେ ବିଭିନ୍ନ ପାତ୍ର ଧରି ପ୍ରାୟ ଯାତ୍ରୀଙ୍କ ଲାଗିଛି ଦଉଡ଼ାଦଉଡ଼ି । ହାବ ଭାବରୁ ଜଣାଯାଉଛି ସମସ୍ତେ ପ୍ରାୟ ବ୍ୟସ୍ତ । ଦଳେଦଳେ ଯାତ୍ରା କରୁଛନ୍ତି ଜେଟି ଦିଗରେ । ବୁଝିବା ଅସୁବିଧା ହେଲାନି, ଏମାନଙ୍କ ଲକ୍ଷ୍ୟ ବେଟ ଦ୍ୱାରକା । କେତେକ ସ୍ଥାନରେ ଚାଲିଛି ଦଳଦଳ ହୋଇ ରାନ୍ଧିବା ପ୍ରାୟସ । ଏ ସମସ୍ତ ଯାତ୍ରୀ ଆଜି ଦିନର ବିଭିନ୍ନ ସମୟରେ ବେଟ ଦ୍ୱାରକା ଯାଇ ଦେବ ଦର୍ଶନ କରି ଫେରିବେ । କିଏ କିଏ ରାତ୍ରି କଟେଇ କାଲି ଯେ କୌଣସି ଟ୍ରେନରେ ଫେରିବେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ । ଆଉ କେଉଁମାନେ ଆଜି ହିଁ ଫେରିଯିବେ । ପାଣିର ଅଭାବ ହେତୁ ଇଚ୍ଛାଥିଲେ ହେଁ କିଏ ବେଶି ସମୟ ଏଠାରେ ରହିବାକୁ ଚାହାନ୍ତିନାହିଁ ।

 

ସୁଯୋଗ ବୁଝି ସ୍ଥାନୀୟ ରେଳ କଲୋନୀର ଛୋଟ ଛୋଟ ବାଳକ ବାଳିକାଗଣ ପାଣି ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାରର ଧନ୍ଦା ଧରିନେଇଛନ୍ତି । ଶୁଣିବାକୁ ମିଳିଲା ସକାଳେ ଏକ ବାଲଟି ବା ଏକ କଳସ ପାଣିର ଦାମ ଥିଲା ପଚାଶ ପଇସା । ଚହିଦା କମିବା ସାଥେ ସାଥେ ବର୍ତ୍ତମାନ ଦର କମି ଦଶ ପଇସାକୁ ଆସି ଗଲାଣି । ଏହି ପାଣିରେ ଅଳ୍ପ ଲବଣାଂଶ ରହିଥିବା ହେତୁ ଏହା ପିଇବା ବା ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୁଏନାହିଁ । ଶୁଣି ପାରିଲୁ ସରକାରୀ ଜଳ ଏକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇ ଦିଆଯାଏ । ସେହି ସମୟରେ ରନ୍ଧା ଓ ପିଇବା ପାଣି ସଂଗ୍ରହ କରିବାକୁ ପଡ଼ିଥାଏ । ରେଳ କର୍ମଚାରୀଙ୍କ ସକାଶେ ଜାମନଗରରୁ ପିଇବା ପାଣି ଟ୍ୟାଙ୍କରେ ବୁହା ହୋଇ ଆସେ ।

 

ଦ୍ୱାରକାରେ ଅନ୍ୟ ଏକ ପଦ୍ଧତିରେ ବର୍ଷା ଜଳକୁ ପିଇବା ପାଣିରୂପେ ସଂଗ୍ରହ କରିଥାଆନ୍ତି । ବିଶେଷ କରି ବଡ଼ବଡ଼ ପ୍ରତିଷ୍ଠାନ, ମନ୍ଦିର, ମଠ ବା ଖାନଦାନୀ ପରିବାରମାନଙ୍କରେ ଏହାର ପ୍ରଚଳନ ବେଶି ଦେଖାଯାଏ । ଘରର ଏକ ଜାଗାରେ ପକ୍‌କା ଏକ ବିରାଟ ଜଳକୁଣ୍ଡ ତୟାରି କରାହୁଏ । ବର୍ଷା ଆରମ୍ଭ ହେଲେ ଘରର ଛାତ ପରିଷ୍କାର କରି ନିଆ ହୁଏ । ବର୍ଷାର ପ୍ରଥମ ଜଳକୁ ବିଧୌତ ଜଳ ହିସାବରେ ବାହାରକୁ ଛାଡ଼ି ଦିଆଯାଏ । ପର ସମସ୍ତ ବୃଷ୍ଟିଜଳ ଛାତ ମଧ୍ୟରୁ ପୟଃପ୍ରଣାଳୀ ବା ପାଇପ୍‌ଲାଇନ୍‍ ମାଧ୍ୟମରେ ନିର୍ମିତ କୁଣ୍ଡରେ ଆସି ଜମା ହୁଏ । ଯାହାର ଯେଉଁ ଅନୁପାତରେ ପାଣି ଆବଶ୍ୟକ, ତାହାର ଜଳକୁଣ୍ଡ ସେହି ଅନୁପାତରେ ତିଆରି ହୋଇଥାଏ । ଏପରି ଭାବେ ସଂଗୃହୀତ ଜଳ ସମସ୍ତ ବର୍ଷ ଧରି ପାନୀୟ ଜଳରୂପେ ବ୍ୟବହୃତ ହୋଇଥାଏ । ସ୍ଥାନର ଏପରି ମହାତ୍ମ୍ୟ ଯେ ଏହି ସଂଗୃହୀତ ପାଣିରେ ପୋକ ହୁଏ ନାହିଁ ବା ତାହା ଦୂଷିତ ହୁଏନାହିଁ । ଯେପରି ପରିଷ୍କୃତ ଗଙ୍ଗା ଜଳ ଦୂଷିତ ନ ହୋଇ ଦୀର୍ଘ ସମୟ ରହିପାରେ । ଶୁଣିଲୁ ପାନୀୟ ସକାଶେ ଏ ଜଳ କ୍ଷତିକର ନୁହେଁ । ଯାତ୍ରୀମାନଙ୍କ ଜାଣି ରଖିବା ଉଚିତ ଯେ ଓଖା ବା ଦ୍ୱାରକାରେ ପ୍ରଥମରୁ ପାଣି ସକାଶେ ବ୍ୟସ୍ତ ନ ହୋଇ ଅଳ୍ପ ସମୟ ଅପେକ୍ଷା କଲେ ସ୍ୱଳ୍ପ ବ୍ୟୟରେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇବା ମୋଟେ କଷ୍ଟକର ନୁହେଁ ।

 

ଆମମାନଙ୍କ ଭିତରୁ ଯେଉଁମାନେ ସକାଳେ ସ୍ନାନକରି ପାରି ନଥିଲେ ସେମାନେ ପୁଣି ବାଲଟି ପାଣି ଦଶ ପଇସା ଲେଖାଏଁ ଖରିଦ କରି ସ୍ନାନ କଲେ । ‘‘ଖଣ୍ଡିଆ ମାତିଲେ ଗୋଠ ମାତେ’’ ପ୍ରବାଦ ଭଳି ଏହା କ୍ରମଶଃ ସଂକ୍ରମିତ ହୋଇ ଉଠିଲା । ଯେଉଁମାନେ ଏଥିରୁ ବର୍ତ୍ତିଗଲେ ସେମାନେ ସକାଳର ଜଳଖିଆ ଶେଷ କରି ଷ୍ଟେସନ ପ୍ଳାଟଫର୍ମରେ ଆସି ବିଶ୍ରାମ ନେଲେ । ମାସଟା ଡିସେମ୍ୱର, ସମୟ ଶୀତ କାଳ । ତେବେ ଖରାତ ତୀବ୍ରତା ଏଠାରେ ଏତେ ପ୍ରଖର ଯେ ବେଳା ଦଶଟା ଏଗାରଟାରେ ବଗି ଭିତରେ ବସିବା ପ୍ରାୟ ଦୁଷ୍କର । ଓଖାରେ ଦ୍ରଷ୍ଟବ୍ୟ ସେପରି ବିଶେଷ କିଛି ନାହିଁ । ବିଶେଷ କରି ସମୁଦ୍ର ତଟରେ ମାଛ ଶୁଖୁଥିବା ହେତୁ ସେ ଅଞ୍ଚଳ ଦୁର୍ଗନ୍ଧମୟ । ଆମମାନଙ୍କ ପକ୍ଷେ ସେଠାରେ ବୁଲାବଲି କରିବା କଷ୍ଟକର । ଆଉ ଏକ ଅଂଶ ଭାରତୀୟ ନ୍ୟାଭି (ଜଳ ବାହିନୀ)ଙ୍କ ଦଖଲରେ ଥିବାରୁ ସେଠାରେ ସର୍ବ ସାଧାରଣ ପ୍ରବେଶ ନିଷେଧ । ପ୍ରାୟ ନିଛାଟିଆ । ଭୋଜନକୁ ଡାକରା ନ ଆସିବା ପର୍ଯ୍ୟନ୍ତ ବିଶ୍ରାମ ତଥା ଆଡ଼୍‍ଡା ଜମାଇବା ବ୍ୟତୀତ ଅନ୍ୟ କିଛି କାମ ନାହିଁ ।

 

କହିବା ବାହୁଲ୍ୟ, ଆଡ଼୍‍ଡାମାନେ ଗଳ୍ପ । ଆଉ ଗଳ୍ପର ଅର୍ଥ ସ୍ଥାନ ମହାତ୍ମ୍ୟ ବର୍ଣ୍ଣନା । ପ୍ରଶ୍ନ ହେଲା ତ୍ରେତୟା ଯୁଗର ରାମଚନ୍ଦ୍ର ଏହି ପଶ୍ଚିମ ପ୍ରାନ୍ତରେ କିଭଳି ଭାବେ ଜମି ସଂରକ୍ଷିତ କରିଥିଲେ ଏବଂ ସମୁଦ୍ର ବା କାହିଁକି ତାହାକୁ ଦ୍ୱାପର ଯୁଗ ପର୍ଯ୍ୟନ୍ତ ରକ୍ଷା କରିଥିଲା ତା’ର ବିଷଦ ବ୍ୟାଖ୍ୟା ।

 

ରାମାୟରେ ବର୍ଣ୍ଣନା ଅଛି, ରାମଚନ୍ଦ୍ର ତାଙ୍କର ବିରାଟ ବାନର ଆଉ ଭଲ୍ଲୁକ ବାହିନୀ ନେଇ ଲଙ୍କାଯାତ୍ରା ଉଦ୍ଦେଶ୍ୟରେ ସମୁଦ୍ର କୂଳରେ ଯାଇ ପହଞ୍ଚିଲେ । ବର୍ତ୍ତମାନ ସମସ୍ୟା ହେଲା, ସାଗର ପାର ହୋଇ ଲଙ୍କାଯିବେ କିପରି ? ନାନା ପରିକଳ୍ପନା ଚାଲିଲା; କିନ୍ତୁ କାର୍ଯ୍ୟକାରୀ କୌଣସି ପନ୍ଥା ଉଦ୍ଭାବନ ହୋଇ ପାରିଲାନାହିଁ । ପରିଶେଷରେ ଅନନ୍ୟୋପାୟ ହୋଇ ରାମଚନ୍ଦ୍ର ସାଗର ମଧ୍ୟ ଦେଇ ସେନାବାହିନୀଙ୍କୁ ପଥଦେବା ପାଇଁ ରତ୍ନାକରଙ୍କୁ ପ୍ରାର୍ଥନା କଲେ । ରାମଚନ୍ଦ୍ରଙ୍କ ପ୍ରାର୍ଥନାକୁ କର୍ଣ୍ଣପାତ ନ କରି ସମୁଦ୍ର ତା’ର ମନମତାଣିଆ ଖିଆଲରେ ଗର୍ଜନ କରି ଚାଲିଲା । ସାଗରର ଏ ଆଚରଣ ଦେଖି ରାମଚନ୍ଦ୍ର ଭୀଷଣ ରାଗି ଉଠିଲେ । ତାଙ୍କ ନୀଳଦୁର୍ବାଦଳ ଶରୀର ରକ୍ତବର୍ଣ୍ଣ ଧାରଣ କଲା । ଚକ୍ଷୁରୁ ଅଗ୍ନି ସ୍ଫୁଲିଙ୍ଗ ବିଚ୍ଛୁରିତ ହେବାକୁ ଲାଗିଲା । ତୂଣୀରରୁ ଏକ ଅମୋଘ ଶର ବାହାର କରି ତାକୁ ମହାମନ୍ତ୍ରରେ ମନ୍ତ୍ରିତ କରି କୋଦଣ୍ଡରେ ବସାଇଲେ, ଗର୍ବିତ ରତ୍ନାକରକୁ ଶୁଷ୍କକରି ତା’ର ଔଦ୍ଧତ୍ୟର ଉପଯୁକ୍ତ ଶାସ୍ତି ଦେବାକୁ ।

 

ଦୁନିଆ ‘‘ଶକ୍ତିର ଭକ୍ତ’’ ଯେଉଁ ରାମଚନ୍ଦ୍ରଙ୍କ ଅନୁନୟ ବିନୟରେ ସାଗର ଅକମ୍ପିତ ଥିଲା, ସେଇ ସାଗର ତାଙ୍କର କ୍ରୋଧ ଓ ଶରୀର ତେଜ ଦେଖି କମ୍ପିତ ହୋଇ ଉଠିଲା । ଅନତିବିଳମ୍ବେ ଉପଯୁକ୍ତ ମର୍ଯ୍ୟାଦା ସହକାରେ ଆସି ରାମଚନ୍ଦ୍ରଙ୍କ ଚରଣ ତଳେ ଶତକୋଟି ପ୍ରଣାମ ଜଣାଇ ସେତୁ ବନ୍ଧର ପରିକଳ୍ପନା ପ୍ରଦାନ କରି ପ୍ରାଣ ବିକଳରେ ଶରଣ ପଶିଲା ।

 

‘‘ଦଣ୍ଡିବା ଶକ୍ତି ଯା’ର ଥାଇ

ସେ ପୁଣି କ୍ଷମା ଆଚରଇ’’

 

ବରୁଣ ଦେବଙ୍କ କାତର ପ୍ରାର୍ଥନାରେ ରାମଚନ୍ଦ୍ର ଶାନ୍ତ ହେଲେ । ତାଙ୍କୁ ଅଭୟ ଦେଇ ରାମ କହିଲେ,‘‘ତୁମର ପ୍ରାର୍ଥନାରେ ମୁଁ ତୃପ୍ତ । ଏଣୁ ଆଉ କୌଣସି ଅନିଷ୍ଟ କରିବା ଇଚ୍ଛା ମୋର ନାହିଁ; କିନ୍ତୁ ମୁଁ ଯେଉଁ ଶାୟକ କୋଦଣ୍ଡରେ ଅଭିଷିକ୍ତ କରି ସଂଯୋଜନା କରିଛି ତୁମରି ଉଦ୍ଦେଶ୍ୟରେ, ତାହାର କ’ଣ ବ୍ୟବସ୍ଥା ହେବ ତୁମେ ହିଁ ସେହି କଥା କୁହ ।

 

ଏହା ଶୁଣି ସେହିପରି କୃତାଞ୍ଜଳି ପୁଟରେ ବରୁଣ ଦେବ କହିଲେ, ‘‘ପ୍ରଭୁ ! ମୋର ପଶ୍ଚିମ ଉପକୂଳରେ ଦଳେ ଜଳଦସ୍ୟୁ ତଥା ଦୁଷ୍ଟ ପ୍ରକୃତିର ଦାନବ ବଡ଼ ଉପଦ୍ରବ କରୁ ଅଛନ୍ତି । ସେମାନଙ୍କ ଅତ୍ୟାଚାରରେ ସେ ଅଞ୍ଚଳର ଜନଜୀବନ ଅତିଷ୍ଠ ହୋଇ ଉଠିଛି । ମୁଁ, ବସୁନ୍ଧରା ଏବଂ ଦେବଗଣ ମଧ୍ୟ ସେମାନଙ୍କ ଭୟରେ ସଦା ଶଙ୍କିତ ହୋଇ କାଳାତିପାତ କରୁଅଛୁଁ । ଆପଣ ଏହି ଶରଦ୍ୱାରା ସେହି ଦାନବକୁଳକୁ ସମୂଳେ ବିନାଶ କରି ଜଗତର କଲ୍ୟାଣ ସାଧାନ କରନ୍ତୁ । ସାଗରଙ୍କ ବିନୟ ବାକ୍ୟରେ ରାମ ପରିତୁଷ୍ଟ ହୋଇ ସେହି ଶର ନିକ୍ଷେପ ପୂର୍ବକ ଦୁଷ୍ଟ ନିଶାଚର ଗଣଙ୍କୁ ବିନାଶ କରି ଉକ୍ତ ଭୂଖଣ୍ଡକୁ ଉଦ୍ଧାର କରିଥିଲେ । ସେହି ସମୟରେ ବରୁଣ ଦେବ ଉକ୍ତ ଭୂଖଣ୍ଡକୁ ନିଜ କର୍ତ୍ତୃତ୍ୱାଧୀନରେ ରଖିବା ସକାଶେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଚନ୍ଦ୍ର ତାଙ୍କୁ କହିଥଲେ ଏ ଜନ୍ମରେ ଉକ୍ତ ଭୂଖଣ୍ଡରେ ମୋର ପ୍ରୟୋଜନ ନାହିଁ । ମୁଁ ପୁଣି ଦ୍ୱାପରରେ କୃଷ୍ଣରୂପେ ଜନ୍ମ ଗ୍ରହଣ କରିବି । ସେହି ସମୟରେ ଏହା ମୋର କାମରେ ଲାଗିବ । ସେ ପର୍ଯ୍ୟନ୍ତ ଏହି ଭୂଖଣ୍ଡକୁ ତୁମ୍ଭେ ହିଁ ସୁରକ୍ଷା କରୁଥାଅ । ପ୍ରୟୋଜନ ବେଳେ ମାଗିନେବି । ସମୁଦ୍ର ସେହି ସୁରକ୍ଷିତ ଜମିକୁ ଶ୍ରୀକୃଷ୍ଣ ନଗର ନିର୍ମାଣ ନିମିତ୍ତ ଚାହିଁବା ମାତ୍ରେ ପ୍ରଦାନ କରିଥିଲେ । ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ପୁଣି ସେହି ଭୂଖଣ୍ଡ ସାଗର ଗର୍ଭରେ ଲୀନ ହୋଇ ଯାଇଥିଲା । ସାଗରର ପ୍ରବଳ ଜଳୋଚ୍ଛ୍ୱାସ ସମସ୍ତ ଭୂଖଣ୍ଡକୁ ବୁଡ଼େଇ ନେଲେ ମଧ୍ୟ ଶ୍ରୀକୃଷ୍ଣଙ୍କ ଶୟନ ଗୃହ ତଥା ରୁକ୍ମିଣୀଙ୍କ ଭବନକୁ ଗ୍ରାସ କରି ପାରିଲାନାହିଁ । ସେହି ଅଂଶ ଭେଟି ଦେଇଗଲା କଳିଯୁଗର ଅସଂଖ୍ୟ ଭକ୍ତ ଜନଙ୍କ ଦର୍ଶନ ଲାଗି । ସେ ସକାଶେ ନାମ ହେଲା ଭେଟ ଦ୍ୱାରକା ।

 

ଶ୍ରୋତାଙ୍କ ମଧ୍ୟରୁ ଅନେକେ ଭେଟ ଦ୍ୱାରକା ନେଇ ଏଇ ବ୍ୟାଖ୍ୟାରେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସେ କଥାକୁ କେତେକ ସତ ମଣିଲେ କି ଗଳ୍ପ ମଣିଲେ ତା’ କହିବା କଷ୍ଟ । ତେବେ ଏହା ଅତି ବାସ୍ତବ ସତ୍ୟ ଯେ ସହଯାତ୍ରୀଙ୍କ ଅନୁରୋଧକ୍ରମେ ମହନ୍ତଙ୍କ ନିକଟରୁ ଶୁଣିଥିବା ବହୁ ପ୍ରଚାରିତ ଭକ୍ତ ସୁଦାମା କାହାଣୀ ପୁଣି ନୂତନ କରି କହିବାକୁ ହେଲା ।

 

ଶ୍ରୀକୃଷ୍ଣଙ୍କ ବାଲ୍ୟସଖା ତଥା ସନ୍ଦିପନୀ ମୁନିଙ୍କ ପାଠଶାଳାର ସହପାଠୀ ଗରିବ ବ୍ରାହ୍ମଣ ସନ୍ତାନ ସୁଦାମା । ସେତେବେଳର କିଶୋର କୃଷ୍ଣ ବର୍ତ୍ତମାନ ଦ୍ୱାରକାଧିପତି । ନାମକୁ ମାତ୍ର ଉଗ୍ରସେନ ରାଜରୂପେ ଭୂଷିତ ହେଲେ ମଧ୍ୟ ପ୍ରକୃତରେ ସମସ୍ତ ଯଦୁକୁଳ ମଣି ଶ୍ରୀକୃଷ୍ଣଙ୍କ ଅଙ୍ଗୁଠି ଚାଳନାରେ ପରିଚାଳିତ । ସମସ୍ତ ଆର୍ଯ୍ୟାବର୍ତ୍ତରେ ସୁପ୍ରତିଷ୍ଠିତ ନାମ ଥିଲା ତାଙ୍କର ।

 

ଆଉ ଅନ୍ୟ ଦିଗରେ ସେହି ବ୍ରାହ୍ମଣ ବାଳକ ସୁଦାମା ଯଥା ସମୟରେ ସଂସାର ଧର୍ମ ପାଳନ କରି ବିରାଟ ପରିବାର ମଧ୍ୟରେ ଜୀବନ ଯୁଦ୍ଧରେ ମ୍ରୀୟମାଣ । ଭିକ୍ଷା ଲବ୍‌ଧ ତଣ୍ଡୁଳ ଅନ୍ୟବେଳାକୁ ଶୂନ୍ୟ । ତା’ ମଧ୍ୟ ସବୁ ଦିନ ଭାଗ୍ୟରେ ଜୁଟେନା । ଯଜନ, ଯାଜନ, ଅଧ୍ୟୟନ ଏବଂ ଅଧ୍ୟାପନ—ବ୍ରାହ୍ମଣ ସକାଶେ ଏ ଚାରିକର୍ମ ଉଦ୍ଦିଷ୍ଟ । ନିଷ୍ଠା ସହକାରେ ତାହା ପାଳନ କରି ମଧ୍ୟ ସାମାନ୍ୟ ଗ୍ରାସାଚ୍ଛାଦନ ଭଲକରି ଜୁଟିବା ତାଙ୍କର ଭାଗ୍ୟରେ ନ ଥିଲା । କର୍ମଫଳକୁ ସେ ସହଜେ ମାନିନେଲେ ମଧ୍ୟ ପାରିବାରିକ ଅଶାନ୍ତିର ବିରାମ ନାହିଁ । ତା’ର ମୂଳ ହେତୁ ଶ୍ରୀକୃଷ୍ଣ । ବ୍ରାହ୍ମଣୀ ବହୁବାର ବହୁ ପ୍ରକାରେ ଶୁଣିଛନ୍ତି ଯଦୁପତି କୃଷ୍ଣ ସ୍ୱାମୀଙ୍କ ବାଲ୍ୟ ବନ୍ଧୁ, ଏକାତ୍ମା, ଏକ ପ୍ରାଣ ତଥା ଘନିଷ୍ଠ ସଖା । ମନର ପ୍ରଶାନ୍ତି ସମୟରେ ନିଜେ ସୁଦାମା ଗଳ୍ପ ଛଳରେ ତାଙ୍କୁ ଏସବୁ କାହାଣୀ ଶୁଣାଇଛନ୍ତି । ବନ୍ଧୁ ପ୍ରୀତିରେ ଛାତି କୁଣ୍ଢେ ମୋଟ କରି ଫୁଲ ଉଠିଛନ୍ତି । ଫଳରେ ଦୁଃଖ କଷ୍ଟ ଲାଘବ ସକାଶେ ସ୍ୱାମୀଙ୍କୁ ବରାବର ପ୍ରରୋଚିତ କରିଛନ୍ତି ସହଧର୍ମିଣୀ, ଦ୍ୱାରକାଧିଶ କୃଷ୍ଣଙ୍କ ସଙ୍ଗେ ଦେଖାକରି ନିଜର ପରିସ୍ଥିତିର ପ୍ରତିବିଧାନ କରିବା ସକାଶେ । ସ୍ମରଣ କରାଇ ଦେଇଛନ୍ତି ବହୁ ବ୍ୟବହୃତ ନୀତିବାକ୍ୟ ।

 

‘‘ଅଶନେ ବ୍ୟସନେ ଶ୍ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ,

ରାଜଦ୍ୱାରେ ଶ୍ମଶାନେଚ ଯ ତିଷ୍ଠତି ସବାନ୍ଧବଃ ।’’

 

ମନୁଷ୍ୟ ବିପଦକାଳେ ବନ୍ଧୁ ଦ୍ୱାରସ୍ଥ ହୁଏ । ସେହି ବିପଦଗ୍ରସ୍ତକୁ ଯେ ଗ୍ରହଣ କରେ ସେଇ ହିଁ ପ୍ରକୃତ ବନ୍ଧୁ । ତା’ପରେ—

 

‘‘କପାଳ ଦେଲେ ଅଣ୍ଟେ, ନ ହେଲେ ଭୂପାଳ ଦେଲେ ଅଣ୍ଟେ’’ କପାଳରେ ଯେତେବେଳେ ନାହିଁ, ସେତେବେଳେ ଭୂପାଳ ଆଶ୍ରୟ ନେବାରେ ଆପତ୍ତି କ’ଣ ? ବିଶେଷ କରି ସେ ମହାନୁଭବ ଭୂପାଳ ଯେତେବେଳେ ବାଲ୍ୟବନ୍ଧୁ ।

ବନ୍ଧୁଙ୍କ ଯଶ ଗୌରବରେ ନିଜକୁ ଗୌରବାନ୍ୱିତ ମନେକଲେ ମଧ୍ୟ ସୁଦାମା ବନ୍ଧୁଙ୍କ ରାଜ ଦରବାରରେ ହାତ ପାତିବା ନୀତିର ପକ୍ଷପାତୀ ନ ଥିଲେ । ଦିନ ଯେତେବେଳେ ଦୁଃଖେ କଷ୍ଟେ ଚଳି ଯାଉଅଛି, ସେତେବେଳେ ବଡ଼ ଲୋକ ବନ୍ଧୁ ନିକଟରେ ନିଜର ଦୈନ୍ୟ ପ୍ରକାଶ କରିବାକୁ ତାଙ୍କର ପ୍ରବୃତ୍ତି ନାହିଁ । ଏପରି ଭାବେ ପାରିବାରିକ ଟଣାଓଟରା ମଧ୍ୟଦେଈ କେତେଦିନ ଅତିବାହିତ ହେଲା ।

କଥାରେ ଅଛି—

‘‘ପାଶେ ଶୁଏ କାନେ କୁହେ

ତା’ କଥାକି ଅନ୍ୟଥା ହୁଏ ।’’

ସୁଦାମା ମଧ୍ୟ ଏ ପ୍ରବାଦ ବାକ୍ୟରୁ ବାଦ ଯାଇପାରିଲେ ନାହଁ । ବରାମ୍ୱାର ଗୃହିଣୀଙ୍କ ପ୍ରରୋଚନାରେ, ତିକ୍ତ ଭର୍ତ୍ସନାରେ ବିରକ୍ତ ହୋଇ ବନ୍ଧୁ ଦର୍ଶନ ମାନସରେ ସତକୁ ସତ ଦିନେ ବାହାରି ପଡ଼ିଲେ ଦ୍ୱାରକା ପଥେ । ବନ୍ଧୁଙ୍କ ସକାଶେ ସଙ୍ଗରେ ନେଇଥିଲେ ବ୍ରାହ୍ମଣୀ ପ୍ରଦତ୍ତ ଭିକ୍ଷା ଲବ୍ଧ ତଣ୍ଡୁଳ ଭଜା । ସାତ ରାଜାର ମାଣିକ ଭଳି ଶତଚ୍ଛିନ୍ନ ଗାମୁଛା ମଧ୍ୟରେ ସଯତ୍ନେ ବାନ୍ଧି ନେଇଛନ୍ତି ସେହି ଅମୂଲ୍ୟ ସମ୍ପଦ । କ୍ଷୁଧା, ତୃଷ୍ଣା,ଖରା ବର୍ଷାକୁ ତାଚ୍ଛଲ୍ୟ କରି ପଦବ୍ରଜରେ ସୁଦାମା ଆଗେଇ ଚାଲିଲେ ଦ୍ୱାରକା ପଥେ ।

ପଥଯାତ୍ରା ଶେଷ ହେଲା । ଅମରାବତୀ ସଦୃଶ ଦ୍ୱାରାବତୀ ପୁରରେ ସୁଦାମା ପ୍ରବେଶ କଲେ । ଜାଣି ପାରିଲେ ଏହି ରାଜ୍ୟ ତାଙ୍କର ବାଲ୍ୟ ସଖା କୃଷ୍ଣର । ଯେଉଁଠିକି ଗଲେ ଶୁଣିବାକୁ ପାଇଲେ କୃଷ୍ଣଙ୍କ ଜୟ ଧ୍ୱନି । ଗର୍ବରେ ଛାତି କୁଣ୍ଢେ ମୋଟ ହୋଇଗଲା ବନ୍ଧୁର । ଅଭାବ, ଦୈନ୍ୟ ପ୍ରପୀଡ଼ିତ ସୁଦାମାର ଐଶ୍ୱର୍ଯ୍ୟମୟୀ ଦ୍ୱାରାବତୀ ନଗର ଦେଖୁ ଦେଖୁ ଦୁଇଦିନ ସ୍ୱପ୍ନ ପରି ବିତିଗଲା-। ସେତେବେଳେ ଶ୍ରୀକୃଷ୍ଣଙ୍କ ଦ୍ୱାରକା ଶାସନାବସ୍ଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ କହିବାକୁ ଗଲେ ଏପରି ଥିଲା ।

‘‘ସେ ନରେଶ୍ୱର ପାଳିବାର ଦେଶ

ନୋହିଲା ଆଉ ‘ମିଥ୍ୟାଅବକାଶ’ । ।। ୧ ।।

ଦିବସ ନାମରେ ‘ଦୀନ’ (ଦିନ) ରହିଲା । (୨କ)

ଦିନକୁ ‘ଦଣ୍ଡ’ ଆଶ୍ରୟ କଲା । ।। ୨ ।। ଖ

ଭସ୍ମ ‘ଚିତାରେ’ ମାତ୍ର ଶୋଭା ବହି

ଯାଜ୍ଞିକ ଦ୍ୱିଜ ଲଲାଟେ ଯହିଁ । ।। ୩ ।।

ଆଶ୍ରେ କଲା ‘ମନ୍ଦ’ ମଳୟାନୀଳେ ୪ (କ)

‘କଳଙ୍କ’ ଯାଇ ଚନ୍ଦ୍ର ମଣ୍ଡଳେ । ।। ୪ ।। ଖ

‘କୁଟିଳ’ ନଦୀ ବିଚିରେ ଲୁଚିଲେ ୫ (କ)

‘ବିଟପୀ’ ବୃକ୍ଷ ହୋଇ ବଞ୍ଚିଲେ । ।। ୫ ।। ଖ

‘କଳି’ କଲାସ୍ଥାନ ପୁଷ୍ପ ବଲ୍ଲୀକି ୬ (କ)

‘ମଧୁପ’ ପଦ ଶୋଭା ଅଳିକି । ।। ୬ ।। ଖ

ଶରଣ କଲା ବୈଦ୍ୟକୁ‘ମାରଣ’ ୭ କ

ଇନ୍ଧନେ ଦେଖା ଦେଲା ‘ବାରଣ’ ।। ୭ ।। ଖ

ରହିଲା ‘କୁଳଲଙ୍ଘନ’ ସରିତେ ୮ କ

ସ୍ମୃତିରେ ଚୋର ଶବଦ ସତେ ।। ୮ ।।

 

ଏପରି ଭାବରେ ଯେଉଁ ଦ୍ୱାରକା ସୁଶାସିତ ହେଉଥିଲା; ସୁଦାମା ବୁଲି ବୁଲି ତାଙ୍କର ବାଲ୍ୟ ବନ୍ଧୁ କୃଷ୍ଣଙ୍କର ସେହି ଅପରୂପା ଦ୍ୱାରାବତୀ ସହ ବନ୍ଧୁଙ୍କ ଅତୁଳନୀୟ ପ୍ରତିଭା ଦେଖି ଅଭିଭୃତ ହୋଇପଡ଼ୁ ଥିଲେ ।

 

କଥା ମଝିରେ ବାଧା ଦେଇ ମାଷ୍ଟ୍ର ମହାଶୟ କହିଲେ, ତୁମର କଥା ସମସ୍ତ ସହଜ ଭାବେ ବୁଝି ପାରିଲେ ମଧ୍ୟ ଏ ଯେଉଁ କବିତାଟି କହିଲ ତା’ର ମର୍ମାର୍ଥ ବୁଝିବା ସହଜ ହେଲାନି । କବିତାଟିର ସହଜ ବ୍ୟାଖ୍ୟା କରନ୍ତୁ । ମନେ ହେଉଛି ତଦ୍‌ଦ୍ୱାରା ଆହୁରି ଅଧିକ ଆନନ୍ଦ ଲାଭ କରି ହେବ । ତାଙ୍କର ଏ ଅନୁରୋଧ ଏଡ଼ାଇ ପାରିବା ସହଜ ହେଲାନି । ବ୍ୟାଖ୍ୟା କରିବାକୁ ହେଲା ।

 

ସେ ନରେଶ୍ୱର ଅର୍ଥାତ୍‌ ଯାହା ଦେଇ ସେ ରାଜ୍ୟ ଶାସିତ ହେଉଥିଲା, ଏ କ୍ଷେତ୍ରେ ଶ୍ରୀକୃଷ୍ଣକୁ ହିଁ ଧରି ନିଆଯାଇ ପାରେ, ଯେଉଁ ଦେଶରେ ଶାସନ କରୁଥିଲେ ସେ ଦେଶରେ ମିଥ୍ୟାର କୌଣସି ସ୍ଥାନ ନ ଥିଲା ।

 

ଦୀନ ଅର୍ଥାତ୍‌ଗରିବ ବୋଲି ସେ ଦେଶରେ କେହି ନ ଥିଲେ । ତେଣୁ ଲୋକେ ଦୀନ ମାନେ ଦିନ ବା ଦିବସକୁ ବୁଝୁଥିଲେ ।

 

ଦରିଦ୍ରତା ଯେଉଁଠି ଚୋରି ଲୁଟ ପ୍ରଭୃତି ‘କୁ’ କାର୍ଯ୍ୟ ମଧ୍ୟ ସେଇଠି । ଏପରି ପରିସ୍ଥିତି ସମ୍ଭାଳିବା ସକାଶେ ଅର୍ଥାତ୍‌କୁକର୍ମ ଦମନ କରିବା ସକାଶେ ରାଜ ଦଣ୍ଡରେ ଆବଶ୍ୟକତା ପଡ଼ିଥାଏ; କିନ୍ତୁ ସେ ଦେଶରେ ଏପରି ପରିସ୍ଥିତି ନଥିବା ହେତୁ ପ୍ରଜାବୃନ୍ଦ ଦଣ୍ଡ କହିଲେ ଦିବସର ସମୟ ବିଭାଜନ ବା ପରିମାପକୁ ବୁଝୁଥିଲେ ।

 

ଚିତାମାନେ ଶ୍ମଶାନର ଅଗ୍ନିକୁ କୁହନ୍ତି; କିନ୍ତୁ ସେ ଦେଶରେ ମୃତ୍ୟୁ ନଥିବାରୁ ଶ୍ମଶାନରେ ଚିତା ଜଳୁ ନ ଥିଲା ଏଣୁ ଲୋକେ ଚିତା କହିଲେ ଯଜ୍ଞାଗ୍ନିରୁ ଜାତ ଭସ୍ମକୁ ଯାଜ୍ଞିକ ବ୍ରାହ୍ମଣଗଣ ଲଲାଟରେ ଗ୍ରହଣ କରୁଥିବା ଚିତା ବୋଲି ବୁଝୁଥିଲେ ।

 

ସେଠାରେ ମନ୍ଦ ବୋଲି କିଛି ନଥିବା ହେତୁ ଏହି ଶବ୍ଦ ଉଠିଲେ ମନ୍ଦ ମଳୟାନୀଳ ବୋଲି ଧରି ନେଉଥିଲେ । ଅର୍ଥାତ୍‌ସେଠାରେ ସଦା ସର୍ବଦା ମନ୍ଦ ମଳୟାନୀଳ ପ୍ରବାହିତ ହେଉଥିଲା-

 

ସେଠାରେ କଳଙ୍କ ରଟିବା ଭଳି କୌଣସି ଘଟଣା ନ ଘଟୁ ଥିବାରୁ ଏ ଶବ୍ଦ କେବଳ ଚନ୍ଦ୍ର ପ୍ରତି ପ୍ରଯୁଜ୍ୟ ବୋଲି ଜନଗଣ ମନେ କରୁଥିଲେ । ଯେହେତୁ ଚନ୍ଦ୍ର ଶରୀରରେ ହିଁ ସେମାନେ କଳଙ୍କ ଦେଖି ପାରୁଥିଲେ ।

 

ସେ ରାଜ୍ୟରେ କୌଣସି ରକମ କୁଟିଳତା ସ୍ଥାନ ନ ଥିଲା । ତେଣୁ ସେ ଶବ୍ଦ ଅନ୍ୟ କେଉଠି ଆଶ୍ରୟ ନପାଇ ନଦୀର ଗତିକୁ ଯାଇ ଆଶ୍ରୟ କରିଥିଲା । ମାନେ ନଦୀ ହିଁ କେବଳ କୁଟିଳ ବା ବକ୍ର ଗତିରେ ଗମନ କରୁଥିଲା ।

ସେ ଦେଶରେ ସମସ୍ତେ ଥିଲେ ବରବନିତା । କେହି ବାରବନିତା ବା ବିଟପୀ ସ୍ତ୍ରୀ ନ ଥିଲେ । ସେ ସକାଶେ ଅଭିଧାନର ଏ ଶବ୍ଦ କେବଳ ଗଛ ପ୍ରତି ପ୍ରଯୁଜ୍ୟ ହେଉଥିଲା ।

 

କଳି ଅର୍ଥାତ୍‌ସେଠାରେ ବିବାଦ ବିସମ୍ୱାଦ ପ୍ରଭୃତି ନ ଥିଲା । ତେଣୁ ଲୋକେ କଳି କହିଲେ ଦ୍ୱିତୀୟ ଅର୍ଥାତ୍‌ପୁଷ୍ପକଢ଼ିକୁ ଧରି ନେଉଥିଲେ ।

 

ମଧୂପମାନେ ଯେ ମଧୂପାନ କରେ ଅର୍ଥାତ୍‌ମଦୁଆ ଓ ଭ୍ରମର । ଯେହେତୁ ସେ ରାଜ୍ୟରେ ମଦୁଆ ଦେଖିବା ସମ୍ଭବପର ନଥିଲା; ତେଣୁ ଲୋକେ କେବଳ ଗୋଟିଏ ଅର୍ଥରେ ଅର୍ଥାତ୍‌ ଭ୍ରମର ବୋଲି ଗ୍ରହଣ କୁରୁ୍ଥିଲେ ।

 

ମାରଣ ମାନେ ହତ୍ୟା ପ୍ରଭୃତି ମୃତ୍ୟୁଜନିତ ଘଟଣା । ତାହା ଦ୍ୱାରକାରେ ଅତ୍ୟନ୍ତ ଅଭାବ ଥିବା ହେତୁ ମାରଣ ଶବ୍ଦ ଉଠିଲେ—କବିରାଜ ଔଷଧ ଯେଉଁ ପ୍ରକ୍ରିୟାରେ ଶୋଧନ କରାଯାଇଥାଏ ତାହାକୁହିଁ ବୁଝୁଥିଲେ ।

 

ମାରଣ ଭଳି ସେ ରାଜ୍ୟରେ ଦାରଣ ଅର୍ଥାତ୍‌ ମରାମରି ବା ହଣାହଣି ମଧ୍ୟ ନଥିଲା । ସେ ସକାଶେ ଏକଥାକୁ ଲୋକେ ଯଜ୍ଞକାଠ ହାଣିବା ଅର୍ଥରେ ବ୍ୟବହୃତ କରୁଥିଲେ ।

 

ତାଙ୍କରି ରାଜତ୍ୱରେ ସ୍ତ୍ରୀ ବା ପୁରୁଷ ଏପରି କୌଣସି ଆଚରଣ କରିବାକୁ ସାହସ କରିପାରୁ ନଥିଲେ ଯଦ୍ୱାରା କୂଳ ଲଙ୍ଘନ କଥା ଉଠିପାରେ । ଏକମାତ୍ର ବର୍ଷାଦିନେ ନଦୀମାନେ କୂଳ ଲଙ୍ଘନ କରି ପ୍ରବାହିତ ହେଉଥିଲେ । ତେଣୁ କୂଳ ଲଙ୍ଘନ ଶବ୍ଦଟି କେବଳମାତ୍ର ଏ କ୍ଷେତ୍ର ପ୍ରଯୁଜ୍ୟ ହେଉଥିଲା ।

 

ଚୋର ଶବ୍ଦଟା ଅଛି ବୋଲି ଲୋକେ କେବଳ ଶୁଣି ପାରୁଥିଲେ ଅଭିଧାନ ମଧ୍ୟରେ । କିନ୍ତୁ ବାସ୍ତବରେ ଚୋର କାହାକୁ କୁହନ୍ତି ସେ ଦେଶର ଲୋକେ ଜାଣି ପାରି ନଥିଲେ ।

 

ମୋର କହିବା ଶେଷ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ମୁହଁରେ ତୃପ୍ତିରେ ହସ ଉଠିଲା । ସଦାନନ୍ଦବାବୁ କହିଲେ—କି ସୁନ୍ଦର,କି ଅପୂର୍ବ ! ଗୋଟିଏ ସୁଶାସିତ ରାଜ୍ୟକୁ ଏହାଠାରୁ ଅଧିକ କାବ୍ୟିକ ଭାଷାରେ ବର୍ଣ୍ଣନା କରାଯାଇ ପାରେ ନା ! ଅଦ୍ଭୁତ ଉପମା ଅଥଚ କି ସରଳ । ତୁମଠାରୁ କବିଙ୍କ ଭାଷା ଶୁଣି ମୁଁ ମନେ କରିଥିଲି ବୋଧହୁଏ ରବି ଠାକୁରଙ୍କ କେଉଁ କବିତାର କୋଟେସନ ହେବ ବୋଲି । କବିକ ବୋଇଲେ ଆମେ କେବଳ ତାଙ୍କୁହିଁ ବୁଝୁ; କିନ୍ତୁ ତୁମେ ଆବୃତ୍ତି କଲ ଓଡ଼ିଆକବିତା । ତା’ ଦେଖି ବିସ୍ମୟ ଲାଗିଲା । ଓଡ଼ିଆରେ କ’ଣ ସେପରି କବି ବୋଇଲେ ବିଶେଷ କାହାକୁ ବୁଝାଏ ମିଶ୍ରବାବୁ ? କିଏ ସେ ପ୍ରତିଭାବାନ୍‍ ବ୍ୟକ୍ତି ?

 

ଯାହାର ଲେଖା ଶୁଣିଲେ ତାଙ୍କୁ କବି କହି ମୁଁ ଅପରାଧ କରିଛି । ସେ କେବଳ କବି ନୁହନ୍ତି, ସେ କବି ସମ୍ରାଟ ।

 

ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାର ଏକ କ୍ଷୁଦ୍ର ରାଜ ପରିବାରରେ ତାଙ୍କର ଜନ୍ମ । ସେମାନେ ବି ଭଞ୍ଜବଂଶୀୟ । ଏ ଲେଖାଟି ହେଉଛି ତାଙ୍କର ଲିଖିତ ଲାବଣ୍ୟବତୀ କାବ୍ୟର ନାୟକଙ୍କ ଶାସିତ ରାଜ୍ୟର ଅବସ୍ଥାରେ ବିଶେଷ ଖଣ୍ଡାଂଶ । ସେ ପ୍ରଖ୍ୟାତଯଶା ଉପେନ୍ଦ୍ର ଭଞ୍ଜଙ୍କୁ ନେଇ ଆଲୋଚନାର ସମୟ ଏ ନୁହେଁ । ଆପଣ ଯଦି ଜାଣିବାକୁ ଚାହନ୍ତି, ତେବେ ଅନ୍ୟ ସମୟରେ ସେ ବିଷୟରେ ଆଲୋଚନା କରିବା । ତେବେ ତାଙ୍କର ଲେଖାନେଇ ଓଡ଼ିଶାରେ ମହାନ୍‌ ନେତା ତଥା ବିଖ୍ୟାତ ଦରଦୀ ଲେଖକ ଗୋପବନ୍ଧୁ ଦାଶ ଯାହା ଲେଖିଛନ୍ତି ତା’ ପ୍ରଣିଧାନ ଯୋଗ୍ୟ ।

 

ଗାଏ ତୁମଗୀତ ସଭାରେ ପଣ୍ଡିତ

ପଥେ ପାନ୍ଥ ହୃଷ୍ଟମନା

ବିଲେ ବୋଲେ ଚଷାଅନ୍ତଃପୁରେ ଯୋଷା

ନୃତ୍ୟରଙ୍ଗେ ବାରାଙ୍ଗନା ।’’

 

‘ବିଭିନ୍ନ ଧରଣର ଲେଖା ନା ଏକ ଲେଖାକୁ ନେଇ ଏ ମନ୍ତବ୍ୟ ମିଶ୍ରବାବୁ ?’ —ପ୍ରଶ୍ନ କରି ସଦାନନ୍ଦବାବୁ ମୋର ଉତ୍ତରକୁ ଚାହିଁ ରହିଲେ ।

 

କହିଲି, ନା ମାଷ୍ଟ୍ରବାବୁ । ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଧରଣର ଲେଖା ଭଞ୍ଜ ସାହିତ୍ୟର ବୈଶିଷ୍ଟ ନୁହେଁ । ଏହା ତ ଯେ କୌଣସି ପ୍ରଥମ ଶ୍ରେଣୀ ଲେଖକ ପକ୍ଷରେ ସମ୍ଭବ ଏବଂ ସେପରି ସାହିତ୍ୟକଙ୍କର ମଧ୍ୟ ଅଭାବ ନାହିଁ । ଭଞ୍ଜ କବି ପ୍ରତିଭାର ଆକର୍ଷଣ ହେଲା ତା’ର ଯାଦୁକରୀ ପଦ ଯୋଜନା । ପଣ୍ଡିତ ସଭାରେ ଯେଉଁ ଲେଖା ଶାସ୍ତ୍ରାନୁମୋଦିତ, ସୁମଣ୍ଡିତ କାବ୍ୟିକ ଛାନ୍ଦ ତଥା ରସପୂର୍ଣ୍ଣ ସାହିତ୍ୟ ସେହି ଲେଖା ଜମିରେ ଚାଷ କରୁଥିବା ଚାଷୀ ମୁଖରେ ଆନନ୍ଦ ବର୍ଦ୍ଧକ ତଥା ଉତ୍ସାହ ବ୍ୟଞ୍ଜକ ସୁର ଝଙ୍କାର । ଏ ସ୍ଥାନରେ କବିତା ମଧ୍ୟସ୍ଥ ନିହିତ ଅର୍ଥ ସଙ୍ଗରେ ତା’ର ସମ୍ୱନ୍ଧ ନ ଥାଇପାରେ କିନ୍ତୁ ସୁର ରସ ଛନ୍ଦ ଏପରି ଏକ ପରିବେଶ ସୃଷ୍ଟି କରେ ଯେ ସାମାନ୍ୟ ଚାଷୀ ପକ୍ଷରେସଙ୍ଗୀତ ଭାବରସ ଗ୍ରହଣରେ କୌଣସି ଅସୁବିଧା ହୁଏନା । ଭାବର ଆନନ୍ଦରେ ହଳ ବୁଲାଇବା ସମୟରେ ମଧ୍ୟ ସ୍ୱତଃସ୍ଫୂର୍ତ୍ତ ଭାବରେ ସେ ସଙ୍ଗୀତ ମୁଖରୁ ବାହାରି ପଡ଼େ । ଠିକ୍‌ସେଇ ଭାବରେ ଉଦ୍‌ବୁଦ୍ଧ ହୋଇ ପଥର ପଥିକ ମଧ୍ୟ ତାହା ଗାନକରି ପଥଶ୍ରାନ୍ତ ଲାଘବ କରିଥାଏ । ସେହିପରି ଗୃହି କୋଣରେ ମଧ୍ୟ ଗୃହବଧୂ ଗୁଣୁଗୁଣୁ ହୋଇ ଗୃହକାର୍ଯ୍ୟ କରିଯାଏ ମନ ଆନନ୍ଦରେ । ଆଉ ନର୍ତ୍ତକୀଦଳ ମଧ୍ୟ ସେହି ଛାନ୍ଦ ଗାନ ସହ ନୃତ୍ୟ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ମୁଗ୍‌ଧ କରନ୍ତି । ସେହି ପଦ୍ୟ ପାଠ କରି ପଣ୍ଡିତ ଯେପରି ଅନ୍ତର୍ନିହିତ ରସ ଆସ୍ୱାଦନ କରି ମୁଗ୍‌ଧ ହୁଏ, ସେପରି ମହାମୂର୍ଖ ମଧ୍ୟ ସୁର ସଂଯୋଜନା ତଥା ପଦ ଯୋଜନାର ଯାଦୁକରୀରେ ବିଭୋର ହୋଇ ରସଗ୍ରହଣରୁ ବଞ୍ଚିତ ହୁଏନା । ଗୋଟିଏ କବିତାରେ ବହୁମୁଖୀ ଭାବଧାରା ଏକମାତ୍ର ଭଞ୍ଜ ସାହିତ୍ୟରେ ସମ୍ଭବ । ସେଥିପାଇଁ ସେ କବି ସମ୍ରାଟ ।

 

ଯାହା ହେଉ ଆମେ ଆମର ମୂଳ ବିଷୟରୁ ଅପସରି ଯାଇଛେ । ଏହି ସାହିତ୍ୟିକ ଆଲୋଚନା ଆମକୁ ଯେମିତି ଭଲ ଲାଗେ ଅନ୍ୟ ଶ୍ରୋତାଙ୍କୁ ବି ଭଲ ଲାଗିପାରେ । ଆପଣ କେବଳ ଶିକ୍ଷିତ ନୁହନ୍ତି ଗୁଣିବ୍ୟକ୍ତି ମଧ୍ୟ । ଅଳ୍ପ ଚେଷ୍ଟାକଲେ ଓଡ଼ିଆ ଭାଷା ଶିଖି ପାରିବେ ଏବଂ ଭଞ୍ଜ ସାହିତ୍ୟ ମଧ୍ୟ ପଢ଼ି ପାରିବେ । ଭାରତର ଅନ୍ୟ ପ୍ରାନ୍ତୀୟ ଭାଷା ଯେତେବେଳେ ଶିଶୁ ଅବସ୍ଥାରେ ଥିଲା ସେତେବେଳେ ଉତ୍କଳ ବାଣୀପୁତ୍ରଗଣ ଅମର ସାହିତ୍ୟ ସୃଷ୍ଟି କରିଯାଇଥିଲେ । ବର୍ତ୍ତମାନ ଏକଥା ଏତିକିରେ ଇତି ।

 

ପୁନଶ୍ଚ ମୂଳ କାହାଣୀ—ସୁଦାମାଙ୍କ ପରିଧେୟ ଶତଛିଦ୍ର ତଥା ଗ୍ରନ୍ଥିଯୁକ୍ତ । ଛିନ୍ନ ବସ୍ତ୍ର ପରିହିତ ବ୍ୟକ୍ତି ଦେଖିବାରେ ଦ୍ୱାରକାବାସୀ ଅଭ୍ୟସ୍ତ ନୁହନ୍ତି । ଅଥଚ ସେହିପରି ଏକ ବ୍ୟକ୍ତିଙ୍କୁ ଦୁଇଦିନ ଧରି ପ୍ରଜାସାଧାରଣ ଦେଖି କୌତୂହଳ ପ୍ରକାଶ କରୁଛନ୍ତି । ତାଙ୍କୁ ଦେଖିବାକୁ ସ୍ଥାନେ ସ୍ଥାନେ ଜନ ଗହଳି ହୋଇ ଯାଉଛି । ସେହିଭଳି ଅଯଥା ଜନସମାଗମ ପ୍ରତି ନଗରପାଳଙ୍କ ଦୃଷ୍ଟି ପଡ଼େ ଓ ସେ ସୁଦାମାଙ୍କୁ ତାଙ୍କ ପରିଚୟ ପଚାରନ୍ତି । ନାନାଭାବେ ପ୍ରଶ୍ନ ପଚାରି ସେ ବୁଝି ଯାଆନ୍ତି ସେ ସୁଦାମା ହେଉଛନ୍ତି ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ଅନ୍ତରଙ୍ଗ ବାଲ୍ୟବନ୍ଧୁ । ସଖା ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଆସି ବନ୍ଧୁଙ୍କ ଐଶ୍ୱର୍ଯ୍ୟ ନୟନଭରି ଦେଖି ନେଉଛନ୍ତି ।

 

ସମସ୍ତ ଅବଗତ ହୋଇ ନଗରପାଳ ସୁଦାମାଙ୍କୁ ସସମ୍ମାନେ ଉପବେଶନ କରାଇଲେ ଏବଂ ଦ୍ୱାରପାଳ ହାତରେ ଶ୍ରୀକୃଷ୍ଣଙ୍କ ନିକଟକୁ ରାଜନବରକୁ ଖବର ପଠାଇ ପରବର୍ତ୍ତୀ ନିର୍ଦ୍ଦେଶ ସକାଶେ ଅପେକ୍ଷା କଲେ ।

 

ସମ୍ବାଦ ପାଇବା ମାତ୍ରେ ସମସ୍ତଙ୍କୁ ସଚକିତ କରାଇ ଶ୍ରୀକୃଷ୍ଣ ନିଜେ ଆସି ଅପେକ୍ଷମାଣ ସୁଦମାଙ୍କୁ ଗାଢ଼ ଆଲିଙ୍ଗନ କରି ସ୍ୱାଗତ ଜଣାଇ ପାଛୋଟି ନେଲେ । ସୁଦାମାଙ୍କୁ ସାଙ୍ଗରେ ନେଇ ସେ ରୁକ୍ମିଣୀ ଦେବୀଙ୍କ ଅନ୍ତଃପୁର ଅଭିମୁଖେ ଯାତ୍ରା କଲେ । ସେଠାରେ ଅଷ୍ଟପାଟବଂଶୀ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ ସୁଦାମାଙ୍କର ପରିଚର୍ଯ୍ୟାରେ ବ୍ୟସ୍ତ ହୋଇ ଉଠିଲେ । ଏହି ଆଦର ଅଭ୍ୟର୍ଥନାରେ ସୁଦାମା ଯେତେ ଅଭିଭୁତ ହୋଇ ପଡ଼ିଲେ, ସେତିକି ନିଜର ଦୈନ୍ୟ ଦଶା ଚିନ୍ତାକରି ସଂକୁଚିତ ହୋଇ ଉଠିଲେ । ବିପୁଳ ଐଶ୍ୱର୍ଯ୍ୟ ମଧ୍ୟରେ ସେ ଅତି କଷ୍ଟରେ ସଂଗ୍ରହ କରି ଆଣିଥିବା ଖୁଦଭଜା ବନ୍ଧୁଙ୍କ ହସ୍ତରେ ଦେବା ଚିନ୍ତା ପରିତ୍ୟାଗ କରି ତାହା ଲୁଚାଇ ରଖିବାକୁ ଚେଷ୍ଟାକଲେ । ତାଙ୍କର ଏ ପ୍ରୟାସ ଅନ୍ତର୍ଯ୍ୟାମୀ ଅନ୍ତରଙ୍ଗ ଶ୍ରୀକୃଷ୍ଣଙ୍କୁ ଅଜ୍ଞାତ ରହିଲା ନାହିଁ ।

 

ପରିଚର୍ଯ୍ୟାନ୍ତେ ସୁଦରମା ସ୍ଥିର ହୋଇ ବସିଲେ । କୌତୁକ ଚିନ୍ତାମଣି ବନ୍ଧୁଙ୍କୁ କୁଶଳାଦି ସମାଚାର ପଚାରିବା ପରେ ବନ୍ଧୁପତ୍ନୀ ତାଙ୍କପାଇଁ କଅଣ ପଠାଇଛନ୍ତି, ତା’ ଦେବା ପାଇଁ କହିଲେ ।

 

ଲଜ୍ଜିତ ସୁଦାମା ବନ୍ଧୁଙ୍କ ଅନୁରୋଧ ଶୁଣି ଆହୁରି ମ୍ରିୟମାଣ ହୋଇ ପଡ଼ିଲେ । ଚାଉଳ ଭଜା ବନ୍ଧାଥିବା ପୁଟୁଳିକୁ ଆହୁରି ଦୃଢ଼ତାର ସହ ଲୁଚାଇ ରଖିବାକୁ ଲାଗିଲେ । ତାଙ୍କର ସେ ପ୍ରଚେଷ୍ଟା ସଫଳ ହେଲାନି । ଶ୍ରୀକୃଷ୍ଣ ଜୋର କରି ଶତଗ୍ରନ୍ଥି ଯୁକ୍ତ କନା ପୁଡ଼ିଆଟି ତାଙ୍କ ନିକଟରୁ କାଢ଼ି ନେଲେ । ଖୋଲି ଦେଖିଲେ ଖୁଦଭଜା ସଯତ୍ନେ ତାହାରି ଭିତରେ ରହିଛି । ଆନନ୍ଦରେ ଶ୍ରୀକୃଷ୍ଣ ତର ତର ହୋଇ ଦୁଇମୁଠି ଖୁଦଭଜା ମୁଖରେ ଦେବାକୁ ଉଦ୍ୟତ ହେଲେ । ତାହା ଦେଖି ରୁକ୍ମିଣୀ ହାତକୁ ଧରି ବାରଣ କରି କହିଲେ—‘‘ପ୍ରଭୁ, ଏଇ ଦୁଇମୁଠାରେ ବନ୍ଧୁ ପୃଥିବୀର ସମସ୍ତ ପ୍ରାର୍ଥିତ ବସ୍ତୁ ପାଇ ସାରିଲେଣି । ଆଉ ବାକି ଅଛୁ ଆମେ କେତେଜଣ ଲୀଳା ସହଚରୀ । ତାଙ୍କୁ ପ୍ରଦାନ କରିବା କର୍ମରୁ ବିରତ ହିଅନ୍ତୁ ।’’ ଭକ୍ତଭାବଭୋଳା କୃଷ୍ଣ ରୁକ୍ମିଣୀଙ୍କ କଥାରେ ସେଥିରୁ ବିରତ ହେଲେ । ପର ଘଟଣା ଅତି ସଂକ୍ଷିପ୍ତ । ସୁଦାମା ଜୀବନରେ ଧନ, ଜନ, ଗୋପ, ଲକ୍ଷ୍ମୀ ସାଂସାରିକ ଏଶ୍ୱର୍ଯ୍ୟ ସମସ୍ତ ଲାଭ କରିଥିଲେ । ସେ ସବୁ ଭିତରେ ଲିପ୍ତ ନରହି ପୂର୍ବପରି ଦୀନ ଭାବରେ ଶ୍ରୀକୃଷ୍ଣଙ୍କୁ ସୁଖା ରୂପେ କଳ୍ପନା କରି ଅବଶିଷ୍ଟ ଜୀବନ ଯାପନ ସହ ପରମ ମୋକ୍ଷ ପଦ ଲାଭ କରିଥିଲେ । ସେହି ଭକ୍ତଶ୍ରେଷ୍ଠ ସୁଦାମାଙ୍କ ସହ ବନ୍ଧୁ ବତ୍ସଳ ଶ୍ରୀକୃଷ୍ଣଙ୍କର ଏହି ରୁକ୍ମିଣୀ ପୂରୀରେ ଭେଟ ହୋଇଥିଲା ବୋଲି ଏହା ଭେଟ ବା ବେଟ ଦ୍ୱାରକା ନାମରେ ପରିଚିତ ଲାଭକଲା । ସୁଦାମାଙ୍କ ସଙ୍ଗରେ ଭେଟ ଦ୍ୱାରକାର ଏହା ହେଲା ସମ୍ୱନ୍ଧ ।

 

କାହାଣୀ ଶେଷହେବାକୁ ସମସ୍ତେ ଅପେକ୍ଷା କରିଥିଲେ । ଭୋଜନ ପ୍ରସ୍ତୁତ କଥା ଶୁଣି ଆମେମାନେ ସମସ୍ତେ ସମୟ ନଷ୍ଟ ନକରି ନିଜ ବଗିକୁ ଚାଲିଲୁ । ଆମ ପରେ ଯେଉଁମାନେ ବେଟ ଦ୍ୱାରକାକୁ ଯାଇଥିଲେ, ସେମାନେ ମଧ୍ୟ ଫେରି ସାରିଲେଣି । ଜଳର ଅସୁବିଧା ସତ୍ତ୍ୱେ ଖାଇବା କୌଣସି ଅସୁବିଧା ହେଲା ନାହିଁ । ଭୋଜନ ପର୍ବ ଶେଷକରି ନିଜ ନିଜ ବିଛଣାରେ ଯଥାରୀତି ବିଶ୍ରାମ ନେଲୁ । ଏଠାରେ ଖରାର ଯେପରି ତେଜ ଦ୍ୱିପ୍ରହରରେ ବାହାରକୁ ଚାହିଁବା କ୍ଳେଶ ଦାୟକ ବୋଲି ମନେ ହେଲା । ବୁଲିବା ଚିନ୍ତା ଅବାନ୍ତର ।

 

ଓଖା ଗୋଟିଏ ମାଛ ଧରା ବନ୍ଦର । ଏହା କଚ୍ଛ ଉପସାଗରର ମୂଳ ଅଂଶରେ ଅବସ୍ଥିତ । ଏଠାରୁ ପ୍ରଚୁର ଶୁଖୁଆ ବିଭିନ୍ନ ଦେଶକୁ ରପ୍ତାନି କରାଯାଇଥାଏ । ସେଥିପାଇଁ ସମସ୍ତ ସମୁଦ୍ର ଉପକୂଳ ମାଛ ଶୁଖାଇବା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଶୁଖିଲାମାଛର ଉତ୍କଟ ଗନ୍ଧ ଅନଭ୍ୟସ୍ତ ଲୋକଙ୍କ ପକ୍ଷରେ କ୍ଳେଶଦାୟକ । ଓଖା ଅପେକ୍ଷା ଦ୍ୱାରକା ଆଉ ପ୍ରଭାସରେ ଏହା ବେଶି ବୋଲି ମନେ ହେଲା । ମୁଖ୍ୟତଃ ବର୍ତ୍ତମାନ ଓଖା ବନ୍ଦର ସାମରିକ ନୌବାହିନୀକର୍ତ୍ତୃକ ବ୍ୟବହୃତ ହେବା ହେତୁ ମତ୍ସ୍ୟ ବ୍ୟବସାୟର ମୁଖ୍ୟ କେନ୍ଦ୍ର ଅଳ୍ପ ଦୂର ଦ୍ୱାରକା ଦିଗରେ ଅପସାରିତ ହେଇଅଛି । ତେବେ ବି ଯେଉଁ ସାମାନ୍ୟ ଅଂଶ ଏ ସକାଶେ ବ୍ୟବହୃତ ହୋଇଥାଏ, ସେହି ଅଂଶ ମଧ୍ୟ ଦେଇ ବାୟୁ ପ୍ରବାହିତ ହେବା ସମୟରେ ଦୁର୍ଗନ୍ଧରେ ଅତିଷ୍ଠ ହେବାକୁ ପଡ଼ିଥାଏ । ଅବଶ୍ୟ ସ୍ଥାନୀୟ ଲୋକେ ଏଥିରେ ଅଭ୍ୟସ୍ତ ଥିବା ହେତୁ ସେମାନଙ୍କ ପକ୍ଷରେ ଏହା ଏକ ସମସ୍ୟା ନୁହେଁ ।

 

ମଧ୍ୟାହ୍ନ ନିଦ୍ରା ଯଥା ସମୟରେ ତ୍ୟାଗ କରି ଚାହା ଜଳଖିଆ ଖାଇ ଓଖା ମଣ୍ଡଳ ଦେଖିବା ସକାଶେ ଦଳବାନ୍ଧି ବାହାରି ପଡ଼ିଲୁ । ଏହା ସେପରି ଏକ ସମୃଦ୍ଧିଶାଳୀ ସହର ନୁହେଁ । ବନ୍ଦରକୁ କେନ୍ଦ୍ର କରି ନୂତନ କରି ଗଢ଼ିଉଠୁଛି ଏହି ଜନବସତି । ବେଟ ଦ୍ୱାରକା ଯିବା ଆସିବା ସୁବିଧା ଥିବା ହେତୁ ତୀର୍ଥ ଯାତ୍ରୀ ସଂଖ୍ୟା କ୍ରମବର୍ଦ୍ଧମାନ ହେବା ଫଳରେ ବ୍ୟବସାୟ ବାଣିଜ୍ୟ ମଧ୍ୟ କ୍ରମତୀର୍ଥ ଯାତ୍ରୀ ସଂଖ୍ୟା କ୍ରମବର୍ଦ୍ଧମାନ ହେବା ଫଳରେ ବ୍ୟବସାୟ ବାଣିଜ୍ୟ ମଧ୍ୟ କ୍ରମବୃଦ୍ଧ ହେଉଅଛି । ସରକାର ସହର ଉନ୍ନତିକଳ୍ପେ ଯତ୍ନଶୀଳ । ଏ ସମସ୍ତ କାରଣରୁ ଏହି ‘ଓଖା’ ଯେ ଖୁବ୍‌ଅଳ୍ପ ଦିନରେ ଅନ୍ୟତମ ବିଖ୍ୟାତ ସହର ହୋଇ ଉଠିବ ଏ କଥା ନିଶ୍ଚିତ ଭାବେ କୁହାଯାଇ ପାରେ ।

 

ସାଧାରଣ ଜୀବନ ଯାତ୍ରା ଅପେକ୍ଷା ଓଖା ସାମରିକ ଦିଗରୁ ବି ଏକ ବିଶେଷତ୍ୱର ଦାବୀ ରଖେ । ସେ ସକାଶେ ଭାରତୀୟ ନୌସେନାର ଏକ ଛାଉଣୀ ଏଠାରେ ଅବସ୍ଥାପିତ । ପାକିସ୍ଥାନ ସହ ଯୁଦ୍ଧ ସମୟରେ ଏହି ଓଖା ବନ୍ଦରରୁ ଆମର ଯୁଦ୍ଧ ଜାହାଜମାନ ସଫଳତାର ସହିତ ଅଭିଯାନ ଚଳାଇ ସାଗର ବକ୍ଷରେ ନିଜର ପ୍ରଭାବ ବିସ୍ତାର କରିପାରିଥିଲା । ଆମର ନୌସେନାଙ୍କ ସେ ସମୟରେ କର୍ମ ତତ୍‌ପରତା ଓ କର୍ମ ଦକ୍ଷତା ସ୍ୱାଧୀନ ଭାରତ ଇତିହାସରେ ଅମରତ୍ୱ ଲାଭକରିବ । ଖୁବ ନିକଟରେ ଓଖା ଯେ ହରେଇଥିବା କରାଚିର ସ୍ଥାନ ପୂରଣ କରି ପାରିବ ଏ ଆଶା ସାମରିକ ବିଶେଷଜ୍ଞଗଣ ପୋଷଣ କରି ଦ୍ରୁତ ପଦକ୍ଷେପ ମାନ ନେଉଛନ୍ତି । ବର୍ତ୍ତମାନ ଏହି ବନ୍ଦରକୁ ବିଭିନ୍ନ ଦେଶରୁ ବେସାମରିକ ମାଲବାହୀ ବୃହତ୍‌ ଜଳଯାନମାନ ଆବଶ୍ୟକ ମତେ ଚଳାଚଳ କରିଥାଏ । ଏହାଦ୍ୱାରା ବହୁ ମାଲପତ୍ର ଆମଦାନି ରପ୍ତାନି ମଧ୍ୟ କରା ହୋଇଥାଏ । ଏ ଦିଗରୁ ବର୍ତ୍ତମାନ ଓଖାର ପ୍ରାଧାନ୍ୟ ଦିନୁଦିନ ବଢ଼ି ଚାଲିଛି ।

 

ବନ୍ଦରାଞ୍ଚଳ ସର୍ବସାଧାରଣ ପକ୍ଷେ ପ୍ରବେଶ ନିଷେଧ । ବନ୍ଦର କର୍ତ୍ତୃପକ୍ଷଙ୍କ ବିଶେଷ ଅନୁମତି ବିନା ବନ୍ଦର ଭିତରେ ବୁଲି ଦେଖିବା ଅସମ୍ଭବ । ବନ୍ଦର ବାହାରୁ ଦେଖି ଦେଖି ଆଗେଇ ଚାଲିଲୁ ସକାଳେ ଯେଉଁ ସ୍ଥାନରୁ ସମୁଦ୍ର ପଥରେ ବେଟ ଦ୍ୱାରକାକୁ ଯାତ୍ରା କରିଥୁଲୁ ସେହି ସ୍ଥାନକୁ । ଏକ ଅପେକ୍ଷାକୃତ ନିର୍ଜନ ସ୍ଥାନରେ ଉପବେଶନ କରି କଚ୍ଛ ଉପସାଗରର ଅପରାହ୍‌ଣର ଅପୂର୍ବ ଶୋଭା ଦେଖି ଦେଖି ନାନା କଥା ଆଲୋଚନା କଲୁ । ସେହି ଆଲୋଚନା ଗଡ଼ିଗଡ଼ି ଆସି ସେହି ଦ୍ୱାରକାରେ ପହଞ୍ଚିଲା ।

 

ଆଧୁନିକ ସୌରାଷ୍ଟ୍ର ଇତିହାସରେ ଦ୍ୱାରକା ସଂପର୍କରେ ସେପରି ବିଶେଷ କିଛି ଉଲ୍ଲେଖ ନାହିଁ । ପୁରାଣମାନଙ୍କ ଭିତରୁ ହରିବଂଶରେ ଦ୍ୱାରକା ସ୍ଥିତି ନେଇ ଯେଉଁ ଭୌଗୋଳିକ ବିବରଣୀ ଦେଖିବାକୁ ମିଳେ ତାହା ଅତ୍ୟନ୍ତ ଅସ୍ପଷ୍ଟ । ଏପରିକି କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିପରୀତଧର୍ମୀ ମଧ୍ୟ । ତାହାରି ଭିତରେଏପରି କେତେକ ବିଷୟ ଦେଖାଯାଏ, ଯାହା ଦୈବୀ ଶକ୍ତିଦ୍ୱାରା ମଧ୍ୟ ସମ୍ଭବ କି ନା ସନ୍ଦେହ । ଏ ସମସ୍ତ ବିଷୟ ନେଇ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ ହରିବଂଶ ଲେଖକଙ୍କ ଦ୍ୱାରକା ନେଇ ହୁଏତ ଭୌଗୋଳିକ ଜ୍ଞାନର ଅଭାବ ଥିଲା, ନତୁବା ସେ ଭଗବତ୍‌ଶକ୍ତି ବର୍ଣ୍ଣନା କରିବାକୁ ଯାଇ ଏପରି ଏକ କ୍ଷେତ୍ରରେ ଉପନୀତ ହୋଇଥିଲେ, ଯେଉଁଠି ବାସ୍ତବ, ଅବାସ୍ତବ ପ୍ରତି ତାଙ୍କର ସେପରି ଧାରଣା ନ ଥିଲା । ହରିବଂଶକୁ ପଣ୍ଡିତଗଣ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକର ଶେଷ ବା ତୃତୀୟ ଶତକର ପ୍ରଥମ ଭାଗରେ ଲିଖିତ ବୋଲି ମନେକରିଥାନ୍ତି; କିନ୍ତୁ ହରିବଂଶରୁ ଜଣାଯାଏ ଏ ଗ୍ରନ୍ଥ ରଚନାରେ ସ୍ୱୟଂ ବ୍ୟାସଦେବ ମହାଭାରତ ଗ୍ରନ୍ଥ ରଚନାକରିବା ପରେ ହାତ ଦେଇଥିଲେ । ହରିବଂଶ ରଚନା ନେଇ ପୁରାଣମାନଙ୍କରୁ ଯାହା ଜଣାଯାଏ, ତାହାହେଲା, ମହାଭାରତ ରଚନା ସଂପୂର୍ଣ୍ଣ କଲାପରେ ବ୍ୟାସଦେବ ମନରେ ଆନନ୍ଦ ଅନୁଭବ କରିପାରିଲେ ନାହିଁ । କେଉଁ ଏକ ଅଜ୍ଞାତ କାରଣରୁ ତାଙ୍କର ମାନସିକ ଅଶାନ୍ତି ଦିନକୁ ଦିନ ବୃଦ୍ଧିପ୍ରାପ୍ତ ହୁଏ । ଏକଦା ନାରଦ ବ୍ୟାସଦେବଙ୍କୁ ତାଙ୍କର ଆଶ୍ରମରେ ଏପରି ଅଶାନ୍ତ ଭାବରେ ବସିଥିବା ଦେଖି ଏହାର କାରଣ ଜାଣିବାକୁ ଚାହିଁଲେ । ଦେବର୍ଷିଙ୍କ ଅନୁରୋଧ କ୍ରମେ ବେଦବ୍ୟାସ ନିଜ ମନର ଅଶାନ୍ତିର ଆନୁମାନିକ କାରଣ ବ୍ୟାଖ୍ୟା କରିବାକୁ ଯାଇ କହିଲେ, ବେଦ ବେଦାନ୍ତ ବ୍ୟାଖ୍ୟା, ପୁରାଣ, ମହାଭାରତ ଅଷ୍ଟାଦଶ ପର୍ବ ଲେଖି ମଧ୍ୟ ମୁଁ ଏ ଯୁଗର ନମସ୍ୟ ଯୁଗ-ପୁରୁଷ ଶ୍ରୀକୃଷ୍ଣ ଜୀବନୀ ଓ ମହିମା ବୟାନ କରି ପାରିଲିନାହିଁ । କେବଳ ଗ୍ରନ୍ଥର ମୂଳ ନାୟକଙ୍କ ପ୍ରୟୋଜନାନୁଯାୟୀ ତାଙ୍କୁ ଉପସ୍ଥାପିତ କରାଯାଇଅଛି; ଅଥଚ ଏହା ଅବିସମ୍ବାଦିତ ସତ୍ୟ ଯେ ସେହି ହେଲେ ଗ୍ରନ୍ଥର ମୂଳାଧାର ତଥା ମୂଳ ପୁରୁଷ ମୋର ମନେ ହୁଏ ମୋର ଗ୍ରନ୍ଥମାନଙ୍କର ପରମପୁରୁଷ ପରମାନନ୍ଦ ଶ୍ରୀକୃଷ୍ଣଙ୍କ ଅତୁଳନୀୟ ଲୀଳା ଚରିତ୍ରର ସମ୍ୟକ୍‌ଅବତାରଣା କରି ପାରି ନଥିବା ହେତୁ ମୁଁ ଏ ଅଶାନ୍ତି ଭୋଗ କରୁଅଛି ।

 

ଏହା ଶୁଣି ନାରଦ ତାହାଙ୍କୁ ହରିବଂଶ ଲେଖି ଏହି ଗ୍ରନ୍ଥକୁ ମୂଳ ମହାଭାରତର ବିଶେଷ ଅଂଶ ରୂପେ ଚିହ୍ନିତ କରିବାପାଇଁ ପରାମର୍ଶ ଦେଲେ । ହରିବଂଶ ଗାଥା ସହ ହରିନାମ ଉଚ୍ଚାରିତ ହେବ; ଯଦ୍ଦ୍ୱାରା ସମସ୍ତ ମାନସିକ ଅଶାନ୍ତି ଦୂର ହୋଇଯାଇପାରିବ । ବ୍ୟାସଦେବ ନାରଦଙ୍କ ଏହି ସତ୍‌ପରାମର୍ଶ ଗ୍ରହଣ କରି ହରିବଂଶ ରଚନା କରିବାରେ ମନ ବଳାଇଲେ । ଏଥିରେ ଦ୍ୱାପରେ ଯୁଗରେ କୃଷ୍ଣାବତାରର ଚରିତ ବର୍ଣ୍ଣନା କରାଗଲା । ବ୍ୟାସଙ୍କ ନିର୍ଦ୍ଦେଶକ୍ରମେ ଏହା ମହାଭାରତର ଅଂଶ ସ୍ୱରୂପେ ପ୍ରାଧାନ୍ୟ ଲାଭ କଲା । ବର୍ତ୍ତମାନ ସୁଦ୍ଧା ଅନେକ କ୍ଷେତ୍ରରେ ହରିବଂଶକୁ ମହାଭାରତର ଊନବିଂଶ ପର୍ବ ହିସାବରେ ପରିଗଣିତ କରାହୋଇଥାଏ । ଅନେକଙ୍କ ଧାରଣା ମହାଭାରତ ପାଠ ପରେ ହରିବଂଶ ପାଠ ନ କଲେ ଭାରତ ଶ୍ରବଣର ପୁଣ୍ୟଫଳ ଲାଭ ହୁଏନା । ଏହି ମତାନୁଯାୟୀ ମହାଭାରତର ସମକାଳୀନ ହେଲା ହରିବଂଶ ।

 

ଜଣେ ଲେଖକଙ୍କର ଲେଖା ଏଇ ଦୁଇଟି ଗ୍ରନ୍ଥରେ ଦ୍ୱାରକା ସ୍ଥିତି ନେଇ ଭିନ୍ନ ମତ ଦେଖାଯାଏ । ହରିବଂଶରେ ନାନା ବିଭ୍ରାନ୍ତିକର ତଥ୍ୟ ଦେଖାଗଲେ ମଧ୍ୟ ମହାଭାରତରେ ସେସବୁ ଦେଖାଯାଏନା ବରଂ ବର୍ତ୍ତମାନ ଦ୍ୱାରକା ନେଇ ମୋଟା ମୋଟି ଗୋଟାଏ ଧାରଣା ମହାଭାରତ ଗ୍ରନ୍ଥରୁ ମିଳିଥାଏ ।

 

ମହାଭାରତରେ ଶ୍ରୀକୃଷ୍ଣଙ୍କୁ ପରମ ଯୋଗେଶ୍ୱର, ତଥା ଏକ ଆଦର୍ଶ ମାନବ ରୂପେ ପ୍ରତିପାଦିତ କରାଯାଇଛି । ଗୀତାରେ ବିଶ୍ୱରୂପ ଭଳି ଆଉ କେତକ କ୍ଷେତ୍ର ଅଲୌକିକ ଶକ୍ତି ପ୍ରଦର୍ଶନ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ସେ ମନୁଷ୍ୟୋଚିତ କର୍ମମାନ ସମ୍ପାଦିତ କରିଛନ୍ତି । ସେହି ମାନବ ଶ୍ରେଷ୍ଠ ଦ୍ୱାରକାଧିପତି ଶ୍ରୀକୃଷ୍ଣ ନିଜର ପ୍ରତିଷ୍ଠିତ ଏହି ମହାନଗରୀର ସମସ୍ତ ନିରାପତ୍ତାମୂଳକ ବ୍ୟବସ୍ଥା କରି ନିର୍ମିତ କରିଥିଲେ ଏକଥା ମହାଭାରତରେ ପରିଷ୍କାର ଲେଖାରହିଛି-। ଅନ୍ୟ ଯେଉଁ ପୁରାଣମାନଙ୍କର ସେ ଅବତାରରୂପେ ବର୍ଣ୍ଣିତ ହୋଇଛନ୍ତି ସେଥିରେ ସେସବୁ କିଛିନାହିଁ; ଯେହେତୁ ତାହାର ମୂଳ ଉପଜୀବ୍ୟ ହେବ ଭଗବାନ ଇଚ୍ଛା କଲେ କ’ଣ ନ ହୋଇପାରିବ-। କେତେକ ପୁରାଣରୁ ଜଣାଯାଏ ସମୁଦ୍ର ମଧ୍ୟସ୍ଥ ଦୁଇ ପାହାଡ଼ ରୈବତ ଓ ଉଜ୍ଜୟନ୍ତ ମଧ୍ୟସ୍ଥଳେ ଦ୍ୱାରକାର ଅବସ୍ଥିତ ଥିଲା । ବର୍ତ୍ତମାନ ସେଇ ସ୍ୱନାମଧନ୍ୟ ଦୁଇ ପାହାଡ଼ ମଧ୍ୟ ସମୁଦ୍ର ଗର୍ଭରେ-। ତେଣୁ ସେ ମତାନୁଯାୟୀ ସଠିକ ସ୍ଥାନ ନିରୂପଣ କରାଯିବା ସହଜ ସାଧ୍ୟ ନୁହେଁ ।

 

୧୯୬୩ ସାଲରେ ଦୁଇଜଣ ବିଖ୍ୟାତ ପ୍ରତ୍ନତାତ୍ତ୍ୱିକ (H. D. SANKALIA ଓ J. N. NANAVATY) ଏଠାରେ ମୃତ୍ତିକା ଖନନକରି ଭୂମି ଗର୍ଭରୁ କେତେକ ମୂଲ୍ୟବାନ ତତ୍ତ୍ୱ ଆବିଷ୍କାର କରିଥିଲେ । ସେ ସବୁ ଉପାଦାନକୁ ନାନା ପରୀକ୍ଷା ନିରୀକ୍ଷା କରି ସେମାନେ ତାଙ୍କର ମତ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ଦେଖା ଯାଉଥିବା ଦ୍ୱାରକା ପଞ୍ଚମ ବା ଷଷ୍ଠ ଶତାବ୍ଦୀର ପାରମ୍ଭରେ ଗଢ଼ି ଉଠିଛି । ଏହି ତଥ୍ୟକୁ କେତେକ ଐତିହାସିକ ମଧ୍ୟ ସମର୍ଥନ କରିଥାଆନ୍ତି । ବର୍ତ୍ତମାନ ଦ୍ୱାରକାନେଇ ସେପରି ବିଶେଷ ମତାନ୍ତର ଦେଖାନଗଲେ ମଧ୍ୟ ଏହା ମୂଳ ଦ୍ୱାରକାର (ଶ୍ରୀକୃଷ୍ଣପ୍ରତିଷ୍ଠିତ ପୀଠସ୍ଥଳୀ କି ନା ସେଘେନି ନାନା ମତ ପ୍ରକାଶ ପାଇଥାଏ) ସନ୍ଦେହ । ଦ୍ୱାପରର ଦ୍ୱାରକା ସଙ୍ଗେ ବର୍ତ୍ତମାନ ଦ୍ୱାରକାର କୌଣସି ସମ୍ୱନ୍ଧକୁ ସେମାନେ ସ୍ୱୀକାର କରିବାକୁ ଚାହାଁନ୍ତି ନାହିଁ-

 

ମହାଭାଗତରେ ସମୁଦ୍ର ଦ୍ୱାରାବତୀକୁ ଗ୍ରାସ କରିନେବା କଥା ପରିଷ୍କାର ଲେଖାଅଛି; କିନ୍ତୁ ହରିବଂଶ ମତରେ ସମଗ୍ର ଦ୍ୱାରକାକୁ ସମୁଦ୍ର ଗ୍ରାସ କଲେ ମଧ୍ୟ ଖୋଦ ଶ୍ରୀକୃଷ୍ଣଙ୍କ ବାସସ୍ଥଳୀ ଅର୍ଥାତ୍‌ ରାଜପୁରୀକୁ ଗ୍ରାସ କରିପାରି ନଥିଲା । ତାହାର ପରିମାପ ଥିଲା ଚାରି ଯୋଜନ ଅର୍ଥାତ୍‌୩୨ ମାଇଲ । ବର୍ତ୍ତମାନ ଦେଖା ଦେଉଥିବା ବେଟ ଦ୍ୱାରକା ପ୍ରାୟ ୨୪ ମାଇଲ ଭୂମି ଉପରେ ଅବସ୍ଥିତ-। ସମୁଦ୍ର ମଧ୍ୟସ୍ଥିତ ଭୂଖଣ୍ଡ ପ୍ରାୟ ପାଞ୍ଚ ହଜାର ବର୍ଷରେ କମ୍‍ଦେଖାଦେଉଥିବା ନଅଣ୍ଟ ଆଠମାଇଲ ଭୂଖଣ୍ଡ କ୍ଷୟ ହୋଇଯିବା ମୋଟେ ଅସମ୍ଭବ ନୁହେଁ । ଏହି ଦିଗରୁ ବିଚାର କରିବାକୁ ଗଲେବେଟ ଦ୍ୱାରକାକୁ ମୂଳ ଦ୍ୱାରକାର ରାଜ ଅନ୍ତଃପୁର ବୋଲି ମାନିନେବାରେ କୌଣସି ଅନ୍ତରାୟ ଦେଖାଯାଉନାହିଁ । ଏହି ମତକୁ ମାନି ନେଇ ବହୁ ଇତିହାସବେତ୍ତା କହନ୍ତି ବେଟ ଦ୍ୱାରକା କୃଷ୍ଣଙ୍କ ବାସସ୍ଥଳୀ ହେଲେହେଁ ରାଜ ଅନ୍ତଃପୁର ନୁହେ । ଏହା କୃଷ୍ଣଙ୍କ ଗ୍ରୀଷ୍ମକାଳୀନ ଆବାସସ୍ଥଳୀ ଥିଲା-। ଏଇ ଦୁଇ ମତ ପ୍ରକାଶକାରୀ ପଣ୍ଡିତଗଣ କିନ୍ତୁ ଏହା ଯେ କୃଷ୍ଣଙ୍କ ବାସସ୍ଥଳୀ ଥିଲା, ସେଥିରେ ଏକମତ ହୋଇ ପାରିଛନ୍ତି ।

 

ଏ ମତାବଦକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରି ଦଳେ ଗବେଷକ ତଥା ପଣ୍ଡିତମଣ୍ଡଳୀ କୋଡ଼ିନାର ନିକଟରେ କୃଷ୍ଣ-ପ୍ରତିଷ୍ଠିତ ଦ୍ୱାରକାର ମୂଳ ପୀଠସ୍ଥଳୀ ବୋଲି ଦାବୀ କରନ୍ତି ଏବଂ ରାଜ ଅନ୍ତଃପୁର ତାହାରି ମଧ୍ୟରେ କୌଣସି ଏକ ସ୍ଥାନରେ ଥିଲା ବୋଲି ସେମାନେ କହିଥାନ୍ତି । କୋଡ଼ିନାର ବର୍ତ୍ତମାନ ଏ ଅଞ୍ଚଳରେ ଏକ ମାଛ ଧରା ବନ୍ଦର । ଏଠାରେ କେବଳ ପୁରାତନ କୀର୍ତ୍ତି ସ୍ୱରୂପ କେଉଁ ଅଜ୍ଞାତ ଯୁଗର ଗୋଟିଏ ବିଷ୍ଣୁ ମନ୍ଦିର ଦେଖିବାକୁ ମିଳେ । ଏହି ମନ୍ଦିର ସନ୍ନିକଟ ସମୁଦ୍ରର ଗଭୀରତା ଏକବାରେ ନାହିଁ କହିଲେ ଚଳେ । ଜଳର ତଳେ ପାହାଡ଼ର ଅଂଶ ବୁଡ଼ି ରହିଥିବା ପ୍ରମାଣିତ ହୋଇଅଛି । ଏଠାରେ ଭଟ୍ଟା ସମୟରେ ଲଞ୍ଚ ତ ଦୂରର କଥା ନୌକା ପର୍ଯ୍ୟନ୍ତ ଚଳାଚଳ କରିପାରେନାହିଁ । ଏହି ମତବାଦୀମାନେ ଜଳ ତଳେ ଲୁକ୍‌କାୟିତ ଏହି ଅସମତଳ ବିରାଟ ଭୂଖଣ୍ଡକୁ ଦ୍ୱାରକାର ଅଂଶ ବୋଲି ମନେ କରିଥାଆନ୍ତି ।

 

ମହାମହୋପାଧ୍ୟାୟ ହରି ଭାଇ ଶାସ୍ତ୍ରୀ ନାନାଦି ଯୁକ୍ତି ଦେଇ ତାଙ୍କର ଲେଖାରେ ଉପରୋକ୍ତ ଭୂଖଣ୍ଡକୁ ମୂଳ ଦ୍ୱାରକାର ଅଂଶ ବୋଲି ପ୍ରତିପାଦିତ କରିଛନ୍ତି । ତାଙ୍କର ଲେଖାରେ ସ୍କନ୍ଦପୁରାଣ, ପ୍ରଭାସ ଖଣ୍ଡ ଏବଂ ଦ୍ୱାରକାମହାତ୍ମ୍ୟରେ ଯେଉଁ ସବୁ ବର୍ଣ୍ଣନାମାନ ଦିଆଯାଇଛି, ସେ ସବୁ ନଦୀ ଏବଂ ପୁଣ୍ୟସ୍ଥାନମାନଙ୍କ ନାମ ଉଲ୍ଲେଖ ଅଛି । ସେସବୁ ତଥ୍ୟ ଉପରେ ନିର୍ଭରଶୀଳ ବୋଲି ଉଲ୍ଲେଖ ଥିବା ପ୍ରମାଣିତ ହୋଇଅଛି । ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିଦ ଶ୍ରୀ ହୀରାନନ୍ଦ ଶାସ୍ତ୍ରୀ ମଧ୍ୟ ନାନାଦି ତଥ୍ୟ ଉପରେ ନିର୍ଭର କରି ଉକ୍ତ ମତକୁ ସମର୍ଥନ କରି କୋଡ଼ିନାର ଓ ନିକଟବର୍ତ୍ତୀ ଅଞ୍ଚଳ ଯେ ଶ୍ରୀକୃଷ୍ଣ ସ୍ଥାପିତ ଦ୍ୱାରାବତୀ ନଗର ତାହା ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଏହି ଅଞ୍ଚଳ ସଂପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହୋଇଛି ।

 

ଶୁଣାଯାଏ, ୫୭୪ ସାଲରେ ଏହି ଅଞ୍ଚଳରୁ ଗୋଟିଏ ତାମ୍ରଫଳକ ଉଦ୍ଧାର କରାଯାଇଥିଲା । ତାହାର ପାଠୋଦ୍ଧାର କରିବା ପରେ ଜଣାଗଲା—ଫ୍ରଙ୍କପ୍ରସ୍ରବଣର ରାଜା ବରାହଦାସ ଦ୍ୱାରକା ରାଜାକୁ ଯୁଦ୍ଧରେ ହରାଇଥିଲେ । ଫ୍ରଙ୍କପ୍ରସ୍ରବଣ ବର୍ତ୍ତମାନ ଦ୍ୱାରକାଠାରୁ ମାତ୍ର ୧୫ ମାଇଲ ଦୂରରେ ଅବସ୍ଥିତ । କାଡ଼ୱାରେ ଥିବା ବରାହ ମନ୍ଦିର ସେହି ରାଜା ବରାହଦାସଙ୍କଦ୍ୱାରା ନିର୍ମିତ ହୋଇଥିବା କଥା ମଧ୍ୟ ଉକ୍ତ ଫଳକରୁ ଜଣାଯାଏ । ଐତିହାସିକଗଣ ମଧ୍ୟ ଏକଥାକୁ ସମର୍ଥନ କରନ୍ତି । ମନ୍ଦିରରୁ ପ୍ରାପ୍ତ ଇତିହାସରୁ ୫୭୪ ସାଲରେ ରାଜା ବରାହଦାସ ଦ୍ୱାରକା ଆକ୍ରମଣ କରିବା କଥା ପ୍ରମାଣିତ ହୁଏ; କିନ୍ତୁ ଏ ଲେଖାରେ ସେ ସମୟରେ ଦ୍ୱାରକାରେ କିଏ ରାଜାଥିଲେ ତାଙ୍କର ନାମ ଉଲ୍ଲେଖ ନାହିଁ ।

 

ଫ୍ରଙ୍କପ୍ରସ୍ରବଣ ଓ କାଡ଼ୱାର ମଧ୍ୟରେ ଦୂରତ୍ୱ ଚଉଦରୁ ପନ୍ଦର ମାଇଲ ମଧ୍ୟରେ । ମନ୍ଦିର ଇତିହାରୁ ଉକ୍ତ ରାଜାଙ୍କ ନାମ ଜଣା ନ ଗଲେ ମଧ୍ୟ କାଥିଆବାଡ଼ଗେଜେଟିଏରରେ ଦେଖିବାକୁ ମିଳେ ଯେ ଆଖେରଜି ଚାବଦା ନାମକ ଜଣେ ଚାବଡ଼ାର ରାଜା ଜଳଦସ୍ୟୁ ବୃତ୍ତି ଅବଲମ୍ୱନ କରିବାଦ୍ୱାରା ସେ ଅଞ୍ଚଳରେ ପରମ ଭୀତି-ପ୍ରଦାୟକ ହୋଇ ଉଠିଥିଲେ । ସେ ସକାଶେ ସେ ଅଞ୍ଚଳର ପ୍ରଜାଗଣ ମିଳିତ ହୋଇ ତାଙ୍କୁ ବିତାଡ଼ନ କରିଥିଲେ । ପ୍ରଜାଶକ୍ତି ଦ୍ୱାରା ନିଜ ରାଜ୍ୟରୁ ବିତାଡ଼ିତ ହୋଇ ରାଜଙ୍କର ଚୈତନ୍ୟୋଦୟ ହୋଇଥିଲା । ପରେ ସେ ବସ୍ୟୁବୃତ୍ତି ପରିତ୍ୟାଗ କରି ନିଜ ରାଜ୍ୟରୁ ନିର୍ବାସିତ ହେବାପରେ ନିଜ ଶକ୍ତିରେ ଓଖା ନିକଟସ୍ଥ ଏକ ଛୋଟ ଜନପଦ ଦଖଲ କରି ସେହି ରାଜ୍ୟରେ ନାମ ଦ୍ୱାରା ରଖିଥିଲେ । ଖୁବ ସମ୍ଭବ ବରାହ ଦାସ ଉକ୍ତ ଦ୍ୱାରାକା ଦଖଲ କରିଥିଲେ । ଏହା ବ୍ୟତୀତ ଅନ୍ୟ କୌଣସି ଦ୍ୱାରକାର କଥା ସଠିକ ଭାବେ ପ୍ରାମଣିତ ହୁଏନାହିଁ । ଅବଶ୍ୟ ଦ୍ୱାପର ଦ୍ୱାରକା କଥା ଅଲଗା । ଏ ସମସ୍ତ ବିଭିନ୍ନ ମତବାଦ ସତ୍ତ୍ୱେ କେବଳ ଯଦି ମହାଭାରତକୁ ପୂରାପୂରି ଅନୁଧ୍ୟାନ କରାଯାଏ ତେବେ ଶ୍ରୀକୃଷ୍ଣ ପ୍ରତିଷ୍ଠିତ ଦ୍ୱାରାବତୀ ପ୍ରଭାସ ନିକଟରେ ଥିବାର ବହୁ ତଥ୍ୟ ଦେଖିବାକୁ, ମିଳିପାରିବ । ଏସବୁ ତଥ୍ୟ ପୂର୍ବରୁ ଉଲ୍ଲେଖ ଅଛି ।

 

ହୁଏନ୍‌ସାଂଙ୍କ ଭାରତ ଭ୍ରମଣ କାହାଣୀକୁ ଅନେକ ଐତିହାସିକ ତଥ୍ୟ ସଂଗୃହୀତ ହୋଇଥାଏ । ସେ ସପ୍ତମ ଶତାବ୍ଦୀର କୌଣସି ଏକ ସମୟରେ ସୌରାଷ୍ଟ୍ରକୁ ଆସିଥିବା କଥା ତାଙ୍କ ଲିଖିତ ଏହି ଦେଶର ବିଭିନ୍ନ କାହାଣୀରୁ ପ୍ରମାଣିତ ହୁଏ । ସେସବୁ କାହାଣୀ ବା ତାଙ୍କର ଭ୍ରମଣ ସୂଚୀରେ ଦ୍ୱାରକା ନାମ ଦେଖାଯାଏ ନାହିଁ । ତେବେ ପ୍ଳେରିପ୍ଳସ ଲିଖିତ (୧୫୦ ସାଲରେ ଏହି ଗ୍ରନ୍ଥ ପ୍ରଥମ ଲେଖା ହୋଇଥିଲା ଏବଂ ୧୬୦, ୬୧ରେ ପୁନର୍ଲିଖିତ ହୁଏ) ଗ୍ରନ୍ଥରେ ଏ ଅଞ୍ଚଳରେ ବାରୋକ ନାମରେ ଗୋଟିଏ ପ୍ରସିଦ୍ଧ ସ୍ଥାନରେ ଉଲ୍ଲେଖ ଥିବା ଦେଖାଯାଏ । ଅନେକ ପଣ୍ଡିତ ଏହାକୁ ଦ୍ୱାରକାର ଅପଭ୍ରଂଶ ବୋଲି ମନେ କରନ୍ତି । ଅନେକେ ପୁଣି ଏହି ସ୍ଥାନକୁ ବା ନାମକୁ ସିନ୍ଧୁନଦୀ ତୀରସ୍ଥ ବାବରିକାର ଅପଭ୍ରଂଶ ବୋଲି ଦାବୀ କରନ୍ତି । ଏସବୁ ବିବାଦୀୟ ମତାନୁଯାୟୀ ଦ୍ୱାରକାର ସ୍ଥିତି ନେଇ କୌଣସି ସିଦ୍ଧାନ୍ତ ନେବା ସହଜ ନୁହେ ।

 

ତେବେ ଏ ସମସ୍ତ ଲେଖାକୁ ଭଲ ଭାବେ ଅନୁଧ୍ୟାନ କଲେ, ଆଖେରଜିଙ୍କ ପୂର୍ବରୁ ଏବଂ ଦ୍ୱାପର ଯୁଗ ଶେଷ ପରଠାରୁ ଦ୍ୱାରକାର ଅବସ୍ଥିତି ନେଇ ସେପରି କିଛି ତଥ୍ୟଭିତ୍ତିକ ପ୍ରମାଣ ନ ଥିଲା ବା ଥିଲେ ମଧ୍ୟ ତାହା ଏପରି ପ୍ରକ୍ଷିପ୍ତ ଅବସ୍ଥାରେ ଥିଲା ଯେ ତାହା ପ୍ରାମାଣିକ ନୁହେଁ । ୧୭୬ ସାଲ ଓ ୭୩୭ ସାଲରେ ଲିଖିତ ଦୁଇ ଗୋଟି ଶିଳାଲିପି ଓଖା ମଣ୍ଡଳର ସୁନଭାସାର ଓ ତାଙ୍କ ନାମକ ଦୁଇଟି ଜାଗରୁ ଉଦ୍ଧାର କରାଯାଇଅଛି । ସେଥିରେ ଦ୍ୱାରକା ନେଇ କୌଣସି ତଥ୍ୟ ମିଳେନା-। ଅଥଚ ତତ୍‌କାଳୀନ ରାଜନୈତିକ ଚିତ୍ରର ପୂର୍ଣ୍ଣ ଆଭାସ ସେଥିରେ ଉଲ୍ଲିଖିତ ଥିବା ଦେଖାଯାଏ-। ଉପରୋକ୍ତ ମତକୁ ସମର୍ଥନ କରିବାରେ ଏହା ଏକ ପ୍ରଧାନ ପ୍ରମାଣ ।

 

ଅଥଚ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକରେ ମେଘାସ୍ଥିନିସ୍‌ଙ୍କ ଭାରତ ଭ୍ରମଣ କାହାଣୀରେ, ଶ୍ରୀକୃଷ୍ଣସ୍ଥାପିତ ଦ୍ୱାରକା ସେ ସମୟରେ ଏକ ସମୃଦ୍ଧିଶାଳୀ ଜନପଦ ଥିବା କଥା ଉଲ୍ଲେଖ ଥିବା ଦେଖାଯାଏ । ଏହାକୁ ମାନିନେଲେ ସହଜରେ ଅନୁମାନ କରାଯାଇପାରେ ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକରୁ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ମଧ୍ୟରେ ଦ୍ୱାରକା ଏହି ରାଜ୍ୟର ଶେଷ ରାଜା ଆଖେରଜିଙ୍କ ସମୟକୁ ଏକ କ୍ଷୁଦ୍ର ରାଜ୍ୟରେ ପରିଣତ ହୋଇ ଯାଇଥିଲା ଏବଂ ସେହି ମୂଳ ଦ୍ୱାରକାରୁ ଆଖେରଜି ବିତାଡ଼ିତ ହୋଇଥିଲେ । ଖୁବ୍‌ସମ୍ଭବ ସେ ରାଜ୍ୟ ତ୍ୟାଗକରିବା ପରେ ରାଜ୍ୟ କର୍ଣ୍ଣଧାରବିହୀନ ହେବା ହେତୁ ଶାନ୍ତି ଶୃଙ୍ଖଳା ବ୍ୟାହତ ହୁଏ ଏବଂ କ୍ରମଶଃ ତାହାରଫଳ ସ୍ୱରୂପ ଏହି ରାଜ୍ୟର ବିଲୁପ୍ତି ଘଟେ ।

 

ଅନ୍ୟ ଦିଗରୁ ଦେଖିଲେ ଆଖେରଜି ଓଖା ମଣ୍ଡଳ (ଓଖାର ସ୍ଥାନୀୟ ଅର୍ଥ ଲବଣାକ୍ତ ଜମି) ରେ ରାଜ୍ୟ ସ୍ଥାପନ କରି ତାହାକୁ ନିଜର ପୂର୍ବରୁ ହରାଇ ଥିବା ଦ୍ୱାରକା ନାମରେ ନାମିତ କରନ୍ତି । ବର୍ତ୍ତମାନ ଯେଉଁ ଦ୍ୱାରକାକୁ ଆମେମାନେ ଦେଖୁଛେ ଏହାହିଁ ଆଖେରଜି ସ୍ଥାପିତ ଦ୍ୱାରକାର ଅଂଶବିଶେଷ ମାତ୍ର ।

 

ଅନ୍ୟ କେତେକ ବିଶେଷଜ୍ଞ କିନ୍ତୁ ଦ୍ୱାରକା ନେଇ ଆଉ ଏକ ରକମ ବ୍ୟାଖ୍ୟା ଦର୍ଶାଇ ଥାନ୍ତି । ସେଇ ମତବାଦକୁ ନଲେଖିଲେ ଦ୍ୱାରକା ସଂପର୍କରେ ଆଲୋଚନା ପୂର୍ଣ୍ଣ ହୋଇପାରିବ ନାହିଁ-। ଏହି ମତବାଦୀମାନେ କହନ୍ତି ଯେ ଖ୍ରୀଷ୍ଟୀୟ ଚତୁର୍ଥ ଶତକରେ ଗ୍ରୀକ୍‌ମାନଙ୍କ ପ୍ରଭାବ ଏହି ରାଜ୍ୟରେ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ ଥିଲା । ଏହାର ସାମାନ୍ୟ କେତେକ ବର୍ଷ ପରେ ଆଭୀର ଓ ଆନ୍ଧେୟ ନାମକ ଦୁଇ ଜାତି ମିଳିତ ଶକ୍ତି ବଳରେ ଗ୍ରୀକ୍‌ମାନଙ୍କୁ ପରାସ୍ତ କରି ଏହି ରାଜ୍ୟରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରନ୍ତି । ଏ ମିଳିତ ଶକ୍ତି ମଧ୍ୟ ସାମାନ୍ୟ କେତେକ ବର୍ଷ ଏ ରାଜ୍ୟ ଭୋଗ ଦଖଲ କରନ୍ତି । ଜନପ୍ରବାଦ ତଥା ସ୍ଥାନୀୟ କେତେକ କାହାଣୀରୁ ଜଣାଯାଏ—ଏହା ପରେ ଶ୍ରୀୟା (ଖୁବ୍‍ ସମ୍ଭବ ସିରିଆର ନୂତନ ନାମ) ସଂପ୍ରଦାୟର ସାଖେର ବୋହ୍ଲିମ ନାମକ ଜନୈକ ଯୋଦ୍ଧା ନିଜ ଚେଷ୍ଟାରେ ଆହୀର ଓ ଅନ୍ଧେୟମାନଙ୍କୁ ପରାସ୍ତ କରି ଏହି ରାଜ୍ୟ ଅଧିକାର କରି ନିଅନ୍ତି ଏବଂ ନିଜ ରାଜଧାନୀ ଗଜାନୀରୁ (ଗଜନୀ ନୁହେଁ) ପରିଚାଳନା କରନ୍ତି । ଅଳ୍ପ କେତେକ ଦିନ ପରେ ସମ୍ପ୍ରଦାୟର ମହେନଗୁଡ଼କା ନାମକ ଅନ୍ୟ ଜଣେ ସୈନିକ ସାଖେର ବୋହ୍ଳିମକୁ ବିତାଡ଼ିତ କରି ଏହି ଅଞ୍ଚଳରେ ନିଜର ପ୍ରତିପତ୍ତି ବିସ୍ତାର କରନ୍ତି; କିନ୍ତୁ ସେ ମଧ୍ୟ ଏହାକୁ ବେଶି ଦିନ ଭୋଗ ଦଖଲ କରି ପାରିଲେ ନାହିଁ । ଅଳ୍ପ କେତେ ବର୍ଷ ମଧ୍ୟରେ ସାଖେର ବୋହ୍ଳିମଙ୍କ ଦୁଇ ପୁତ୍ର ରାହେବ ଓ ସାହେବଙ୍କଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏହି ଯୁଗ୍ମ ଆକ୍ରମଣରୁ ରକ୍ଷାପାଇବା ପାଇଁ ମହେନଗୁଡ଼କା ନିଜର ସୁନ୍ଦରୀ କନ୍ୟାଙ୍କୁ ଦୁଇ ଭାଇଙ୍କ ହସ୍ତରେ ସମ୍ପ୍ରଦାନ କରନ୍ତି । ପରେ ଏହି ସୁନ୍ଦରୀ କନ୍ୟା ସକାଶେ ରାହେବ ଓ ସାହେବ ଦୁଇ ଭାଇଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ତା’ର ଫଳରେ ଦୁହେଁ ବିନାଶ ହୋଇଥିଲେ । (କାହାଣୀଟା ପୁରାଣର ସ୍କନ୍ଧ ଉପସ୍କନ୍ଧ ଆଖ୍ୟାୟିକା କଥା ମନେ ପକେଇ ଦିଏ ।) ଏହା ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକ ମଧ୍ୟ ପାଦର ଘଟଣା ।

 

ଏହି କିମ୍ୱଦନ୍ତୀ ମୂଳକ କାହାଣୀକୁ ବିଶ୍ୱାସ କଲାଭଳି ଅନ୍ୟ କୌଣସି ପ୍ରାମାଣିକ ତଥ୍ୟ ଏ ଯାଏଁ ଆବିଷ୍କାର ନ ହେଲେ ମଧ୍ୟ ଏ ଅଞ୍ଚଳ ଯେ କେତେ ଦିନ ସକାଶେ ଶିରିଆ ବା ଶ୍ରୀୟା ଓ ଯାଦବବଂଶଦ୍ୱାରା ଶାସିତ ହୋଇଥିଲା, ତାହାର ପ୍ରମାଣ ଗଜାନୀର ବା ଗରିଞ୍ଜର ନିକଟସ୍ଥ କେତେକ କବରରୁ ଦେଖିବାକୁ ମିଳେ । ଖୁବ ସମ୍ଭବ ଯାଦବମାନେ ସେତେବେଳେ ଶ୍ରୀୟା ସମ୍ପ୍ରାଦାୟ ବୋଲି ପରିଚିତ ହେଉଥିଲେ ।

 

ଏହା ବ୍ୟତୀତ ଆଉ ଗୋଟିଏ ସ୍ଥାନୀୟ କିମ୍ୱଦନ୍ତୀ ଶୁଣିବାକୁ ମିଳେ । ଦ୍ୱିତୀୟ ଶତକର ମଧ୍ୟ ଭାଗରେ, ମହାକ୍ଷତ୍ରପରୁଦ୍ରଦାମନଙ୍କ ଅନ୍ୟତମ ପ୍ରଖ୍ୟାତ ସେନାନାୟକ ବିଶାଖାଦୁତ୍ତ ପହଲଭ ଦ୍ୱାରକା ଆକ୍ରମଣ କରନ୍ତି ଏବଂ ଏହି ଯୁଦ୍ଧରେ ଦ୍ୱାରକାର ତତ୍‌କାଳୀନ ରାଜା ବାସୁଦେବ ଯାଦବ ପରାଜୟ ବରଣ କରିନ୍ତି । ତା’ର ପରେ ଏ ରାଜ୍ୟ ରୁଦ୍ରଦାମନଙ୍କ ବିଶାଳ ରାଜ୍ୟ ମଧ୍ୟରେ ସାମିଲ ହୋଇ ନିଜର ଅସ୍ତିତ୍ୱ ହାରଏ । ଖୁବ୍‌ସମ୍ଭବ ଏହି ରାଜ୍ୟହିଁ ଥିଲା ମୂଳ ଦ୍ୱାରକା । ସେ ସକାଶେ ମୂଳଭାଗର ଗ୍ରାମରୁ ୧୭୪ ସାଲରେ ଲିଖିତ ତାମ୍ର ଫଳକରେ ଆଉ ଦ୍ୱାରକା ନାମ ଲେଖା ଯାଇନାହିଁ । ରାଜଶକ୍ତିର ଅପାରଗତା ଏବଂ ହୀନବଳ ହେତୁ ଏ ଅଞ୍ଚଳରେ ସମ୍ପୂର୍ଣ୍ଣ ଅରାଜକତା ପ୍ରକାଶ ପାଏ । ଏହି ସୁଯୋଗରେ ଦୁଇ ତିନି ଶତକ ଧରି ଏ ରାଜ୍ୟ ବିଧର୍ମୀମାନଙ୍କଦ୍ୱାରା ବହୁବାର ଲୁଣ୍ଠିତ ହୁଏ । ତା’ର ସଙ୍ଗେ ପ୍ରକୃତିର ତାଣ୍ଡବ ଲୀଳାର ପ୍ରକୋପ ଫଳରେ ଏକଦା ଏକ ସମୃଦ୍ଧିଶାଳୀ ରାଜ୍ୟର ସମସ୍ତ କୀର୍ତ୍ତିରାଜି ତଥା ମନ୍ଦିର ଅଟ୍ଟାଳିକା ସମୂହ ବିନଷ୍ଟ ହୋଇଯାଏ । ଏବେ ମଧ୍ୟ ଓଖାମଣ୍ଡଳର କେତେକ ଗ୍ରାମରେ ବହୁ ପୁରାତନ ସୂର୍ଯ୍ୟ ମନ୍ଦିରମାନ ଦୃଷ୍ଟିଗୋଚର ହୋଇଥାଏ । ଫାର୍ସିମାନେ ସାଧାରଣତଃ ସୂର୍ଯ୍ୟ ଉପାସକ । ଏଠାରେ ଦେଖାଯାଉଥିବା କାଠି ଜାତି ପୂର୍ବ ଫାର୍ସି ବଂଶୋଭବ ବୋଲି ଐତିହାସିକମାନେ ପ୍ରମାଣ କରିଛନ୍ତି । ତେଣୁ ମନେକରାଯାଇ ପାରେ ଯେ କେତେଦିନ ପାଇଁ ଏହି ରାଜ୍ୟରେ ଫାର୍ସି ରାଜତ୍ୱ ପ୍ରତିଷ୍ଠିତ ହୋଇଥିଲା । ଖୁବ ସମ୍ଭବ ଏ ସମସ୍ତ ଘଟଣା ସେ ଦୁଇଶତକ ଧରି ଅରାଜକତା ସମୟର ଘଟଣା ପ୍ରବାହ ମାତ୍ର ।

 

ବୋମ୍ୱାଇ ଗେଜେଟିଏରରୁ ଜଣାଯାଏ, ସାଖେର ବୋହ୍ଳିମଙ୍କ ସମୟରେ ଏକ ସାମୁଦ୍ରିକ ଜଳୋଚ୍ଛ୍ୱାସ ଫଳରେ ଦ୍ୱାରକା ସମ୍ପୂର୍ଣ୍ଣ ଜଳମଧ୍ୟରେ ନିମଗ୍ନ ହୋଇଯାଏ । ଦ୍ୱାରକାର ଅସ୍ତିତ୍ୱ ରହେନା । ପ୍ରକୃତିର ପ୍ରକୋପରେ ଏ ରାଜ୍ୟ ଯେପରି ସମୁଦ୍ରମଧ୍ୟରେ ବିଳୀନ ହୋଇଯାଏ, ସେପରି କେତେକ ବର୍ଷ ପରେ ପୁଣି ସେହି ପ୍ରକୃତିର ଅବଦାନ ପୂର୍ବତନ ଖଣ୍ଡ ପୁଣି ସମୁଦ୍ର ପୃଷ୍ଠରେ ଭାସିଉଠେ । ସେ ସମୟରେ କାବ୍‌ବା ନାମକ ଏକ ଜାତ ଏ ଭୂଖଣ୍ଡ ଅଧିକାର କରନ୍ତି । ଏହା ଦ୍ୱିତୀୟ ଶତକର ଘଟଣା । ଏହି ଜାତି ଦ୍ୱାପରଯୁଗ ଶେଷରେ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ପଥମଧ୍ୟରେ ଅର୍ଜ୍ଜୁନଙ୍କୁ ପରାସ୍ତ କରି ଯାଦବମହିଳାଗଣଙ୍କୁ ଅପହରଣ କରିଥିବା କଥା ନାନାଦି ପୁରାଣମାନଙ୍କରେ ଦେଖିବାକୁ ମିଳଥାଏ । ସେ ସକାଶେ ଏ ଜାତିର ଉପାସ୍ୟ ଦେବତା କୃଷ୍ଣ ନୁହନ୍ତି ‘‘ରଣଛୋଡ଼ଜୀ ।’’ ଆଜି ଶ୍ରୀକୃଷ୍ଣ ଆମ ଆଗରେ ରଣଛୋଡ଼ଜୀ ରୂପରେ ପ୍ରତିଭାତ ହେଲେ ମଧ୍ୟ କୌଣସି ପୁରାଣ ବା ଇତିହାସରେ ତାହାଙ୍କୁ ଏ ନାମରେ ଅଭିହିତ କରାଯାଇ ନାହିଁ । କାବ୍‌ବାମାନେ ଏଠାରେ କେତେକାଳ ରାଜତ୍ୱ କଲାପରେ ସେମାନେ ଦୁର୍ବଳ ହୋଇ ପଡ଼ନ୍ତି । ଏହି ସମୟରେ ଆଖେରଜୀ ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ଏ ଭୁଖଣ୍ଡ ଉପରେ ନିଜର ରାଜତ୍ୱ କାୟମ କରନ୍ତି । ତାଙ୍କର ପରବର୍ତ୍ତୀ ବଂଶଧରଗଣ ଶକ୍ତିଶାଳୀ ହୋଇ ଏଠାରେ ରାଜତ୍ୱ କରନ୍ତି ଏବଂ କାବ୍‌ବାମାନେ ଏମାନଙ୍କ ବଶ୍ୟତା ସ୍ୱୀକାର କରି ଏ ରାଜ୍ୟରେ ଶାନ୍ତ ଜୀବନ ସ୍ଥାପନ କରନ୍ତି ।

 

ଆଖେରଜୀଙ୍କ ନାତି ଜୟସିଂହ ନିଜର ରାଜଧାନୀ ଚାୱଡ଼ାପଦରକୁ ସ୍ଥାନାନ୍ତରିତ କରନ୍ତି-। ଉକ୍ତ ଅଞ୍ଚଳ ଓଖାର ଅନ୍ତର୍ଗତ । ସେ ନିଃସନ୍ତାନ ଥିଲେ । ତେଣୁ ମୃତ୍ୟୁପରେ ତାଙ୍କର ଭାଇ ଜଗଦେବ ଏହି ରାଜ୍ୟରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଏହା ସପ୍ତମ ଶତାବ୍ଦୀ ଶେଷ ଭାଗର ଘଟଣା । ଏହାଙ୍କ ରାଜୁତି କାଳରେ ଶ୍ରୀମଦ୍‌ଶଙ୍କରାଚାର୍ଯ୍ୟ ଦ୍ୱାରକାରେ ଶାରଦାପୀଠ ସ୍ଥାପନ କରିଥିଲେ ଏବଂ ଶ୍ରୀମଦ୍‍ସୁରେସୁରାଚାର୍ଯ୍ୟ ପ୍ରଥମ ଆଚାର୍ଯ୍ୟ ନିର୍ବାଚିତ ହୋଇଥିଲେ । ଆଚାର୍ଯ୍ୟଙ୍କ ଅନୁରୋଧରେ ରାଜା ଶ୍ରୀ ଜଗଦେବ ଏକ ମନ୍ଦିର ନିର୍ମାଣ କରାଇ କାବ୍‌ବାମାନଙ୍କଦ୍ୱାରା ସେଇ ପ୍ରାଚୀନ କାଳରୁ ପୂଜିତ ରଣଛୋଡ଼ଜୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ । ଜଗଦେବଙ୍କପରେ ଦୟାଳ ଦେବ ଓ ତାଙ୍କ ପରେ ପୁତ୍ର ଦ୍ୱିତୀୟ ଜଗଦେବ ରାଜ ସିଂହାସନ ଅଳଂକୃତ କରି ରାଜ୍ୟର ବହୁ ହିତ ସାଧନ କରିଥିଲେ । ଦ୍ୱିତୀୟ ଜଗଦେବଙ୍କ ଦୁଇ ପୁତ୍ର କନକସେନ ଓ ଅନନ୍ତ ସେନ ପ୍ରତାପଶାଳୀ ରାଜା ଥିଲେ । ତାଙ୍କ ସମୟରେ ଦ୍ୱାରକାର ରାଜ୍ୟସୀମା ବହୁ ଦୂର ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା-। ତାଙ୍କ ରାଜତ୍ୱ ସମୟରେ ଶାରଦାପୀଠ ଆଚାର୍ଯ୍ୟଙ୍କ ସାହାୟତାରେ ନାନା ତଥ୍ୟମୂଳକ ଭିତ୍ତିକୁ ଆଶ୍ରୟ କରି ଦ୍ୱାରକା ଏକ ମହାତୀର୍ଥ ତଥା ଦ୍ୱିତୀୟଧାମ ରୂପେ ପ୍ରତିଷ୍ଠାଲାଭ କଲା-। ରାଜା ଅନନ୍ତସେନ ନିଜ ରାଜଧାନୀ ଚାଓଡ଼ାରୁ ଦ୍ୱାରକାକୁ ସ୍ଥାନାନ୍ତରିତ କରାଇ ନଗରୀର ମର୍ଯ୍ୟାଦାବୃଦ୍ଧି କରାଇଥିଲେ । ରାଜା ନିଜେ ରାଜ୍ୟ ତଥା ନଗରୀର ସର୍ବବିଧ ଉନ୍ନତ ସାଧନରେ ବ୍ରତୀ ହୋଇଥିଲେ ।

 

ଯୁଗାଚାର୍ଯ୍ୟ ଶଙ୍କର ପ୍ରସିଦ୍ଧ ମହାପୁରୁଷ । ହିନ୍ଦୁଧର୍ମ ସଂରକ୍ଷଣାର୍ଥେ ସେ ଚାରି ଧାମରେ ଚାରିଗୋଟି ମଠ ସ୍ଥାପନ କରିଥିବା ମଧ୍ୟ ଐତିହାସିକ ଘଟଣା । ଏଥିରୁ ମନେହୁଏ ଅନନ୍ତସେନଙ୍କ ଅନେକ ପୂର୍ବରୁ ଦ୍ୱାରକା ଏକ ଧାମରୂପେ ପ୍ରତିଷ୍ଠିତ ଥିଲା । ଏପରିକି ଜଗଦ୍‌ଗୁରୁ ଶଙ୍କରଙ୍କ ପୂ୍ର୍ବରୁ ମଧ୍ୟ । ତୀର୍ଥ କ୍ଷେତ୍ର କୌଣସି କାରଣରୁ ଅବଲୁପ୍ତ ପଥରେ ଗତିକଲାବେଳେ ଆଚାର୍ଯ୍ୟ ଶଙ୍କର ତାହାକୁ ପୁଣି ଜନମାନସକୁ ଆଣିଥିଲେ । ରାଜା ଅନନ୍ତସେନ ନିଜ ପ୍ରଭାବବଳରେ ବହୁଳ ପ୍ରଚାରଦ୍ୱାରା ଦ୍ୱାରକାର ହୃତ ଗୌରବ ପୁନରୁଦ୍ଧାର କରିପାରିଥିଲେ । ସେହି କାରଣରୁ ସମ୍ଭବତଃ ତାହାଙ୍କୁ ହିଁ ଦ୍ୱାରକା ତୀର୍ଥର ପ୍ରତିଷ୍ଠାତା ରୂପେ ବର୍ଣ୍ଣନା କରାଯାଇଅଛି ।

 

ଏହାଙ୍କ ରାଜତ୍ୱ ସମୟରେ ହେରଳ ନାମକ ଏକ ରାଜପୁତ ଜାତି ବିଦ୍ରୋହୀ ହୋଇ ଉଠନ୍ତି । ସେ ବିଦ୍ରୋହୀ ଦମନ କରିବାକୁ ଯାଇ ଅନନ୍ତ ସେନଙ୍କର ବିଦ୍ରୋହୀଙ୍କ ହାତରେ ମୃତ୍ୟୁ ହୁଏ-। ପିତାଙ୍କ ପରେ ପୁତ୍ର ଭୀମାଙ୍ଗ ସିଂହ ରାଜା ହୋଇ ଉକ୍ତ ବିଦ୍ରୋହ ଦମନ କରିବାକୁ ସମର୍ଥ ହୁଅନ୍ତି-। ରାଜ୍ୟରେ ପୁନଃ ଶାନ୍ତି ସ୍ଥାପିତ ହୁଏ ।

 

ଏହାଙ୍କ ପରଠାରୁ ତ୍ରୟୋଦଶ ଶତାବ୍ଦୀ ପ୍ରଥମ ପାଦ ପର୍ଯ୍ୟନ୍ତ ଦ୍ୱାରକା ସଂପର୍କରେ ବିଶେଷ କିଛି ଜଣାଯାଏନା । ୧୨୧୨ ସାଲରେ ଜୟ ଚାନ୍ଦ ରାଠୋରଙ୍କ ଭ୍ରାତୁଷ୍ପୁତ୍ର ଅନ୍ୟାଥାରେ ଭଣଞ୍ଜା ସିୱାଜିନିଜ ରାଜ୍ୟରୁ କୌଣସି କାରଣରୁ ବିତାଡ଼ିତ ହୋଇ ନିଜ ଶକ୍ତି ବଳରେ ମାରୱାଡ଼ ରାଜ୍ୟ ସ୍ଥାପନ କରନ୍ତି । ତାଙ୍କର ତୃତୀୟ ପୁତ୍ର ଅଜ ବା ଆଜ ହେରଳ ଜାତି ବିରୁଦ୍ଧରେ ତତ୍‌କାଳୀନ ଦ୍ୱାରକା ରାଜା ଚାବଦାସଙ୍କୁ ଅଭିଯାନ ଚଳାଇବାରେ ସାହାଯ୍ୟ କରନ୍ତି ଏବଂ ନିଜର ଅସୀମ ଶକ୍ତିଦ୍ୱାରା ହେରଳମାନଙ୍କୁ ପରାସ୍ତ କରନ୍ତି । ବିଦ୍ରୋହ ଦମନ ପରେ ପୁଣି କୌଣସି ଏକ ସମୟରେ ରାଜା ଚାବଦାସଙ୍କୁ ସମ୍ମୁଖ ସମରରେ ହରାଇ ଦେଇ ଦ୍ୱାରକା ରାଜଗାଦି ଦଖଲ କରନ୍ତି । ଦ୍ୱାରକା ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରେ । ୧୨୬୦ ସାଲରେ ରାଜା ଅଜଙ୍କଅନ୍ୟତମ ବଂଶଧର ଜଗତ ସିଂହ ରାଜଗାଦିରେ ବସି ସୌରାଷ୍ଟ୍ର ଆକ୍ରମଣରେ ତତ୍‌ପର ହୁଅନ୍ତି । ଏ ଆକ୍ରମଣରେ ସେ ଯଶସ୍ୱୀ ହୋଇ ବହୁ ଧନ ସମ୍ପଦ ପ୍ରାପ୍ତ ହୁଅନ୍ତି । ପ୍ରାପ୍ତ ସମ୍ପଦ ନିଜ ଭୋଗ ଦଖଲରେ ନ ଲଗାଇ ଜଗଦେବ ପ୍ରତିଷ୍ଠିତ ରଣଛୋଡ଼ଜୀଙ୍କ ପୁରାତନ ମନ୍ଦିର ଜାଗାରେ ବର୍ତ୍ତମାନର ବିଶାଳ ମନ୍ଦିର ନିର୍ମାଣ କରାନ୍ତି । ନାମ ହୁଏ ଜଗତ ମନ୍ଦିର । ଅନେକ ପଣ୍ଡିତ ରାଜାଙ୍କ ନାମାନୁସାରେ ମନ୍ଦିରର ନାମକରଣ ହୋଇଛି ବୋଲି ଦାବୀ କରନ୍ତି । ପୁଣି କେତେକଙ୍କ ମତରେ ସେ ସମୟରେ ଏ ସହରର ନାମ ଜଗତ ଥିବା ହେତୁ ସହରରେ ପ୍ରତିଷ୍ଠିତ ମନ୍ଦିର ମଧ୍ୟ ସେହି ନାମରେ ନାମିତ ହୁଏ ବୋଲି ଦାବୀ କରନ୍ତି । ସୂକ୍ଷ୍ମ ଭାବେ ବିଚାରକଲେ ଦୁଇ ମତବାଦ ହିଁ ଏକ ଉତ୍ପାଦାନ ଉପରେ ପ୍ରତିଷ୍ଠିତି ବୋଲି ମନେ ହୁଏ ।

 

ଅଜଙ୍କ ଦୁଇ ପୁଅ ଭଞ୍ଜଲଞ୍ଜି ଓ ଭୋଜାଜି ସୌରାଷ୍ଟ୍ରର ଉପକୂଳ ଅଞ୍ଚଳ ଅଧିକାର କରି ନିଜର ଅଲଗା ରାଜ୍ୟ ସ୍ଥାପନ କରନ୍ତି ଏବଂ ସ୍ୱର୍ଣ୍ଣା ମଉଜ ନାମରେ ପ୍ରତିଷ୍ଠା ଲାଭକରନ୍ତି । ଭଞ୍ଜଲଞ୍ଜି ବଂଶଧରଗଣ ବାଦେଲ ନାମରେ ପରିଚିତ ହୁଅନ୍ତି ଏବଂ ଏ ଅଞ୍ଚଳରେ ରାଜତ୍ୱ କରନ୍ତି । ଏ ବଂଶର ଅନ୍ୟତମ ଯୋଗ୍ୟ-ସନ୍ତାନ ପୂର୍ବ ବର୍ଣ୍ଣିତ ଜଗତ ସିଂହ । ଏହି ବଂଶର ଅନ୍ୟତମ ବଂଶଧର ଭୀମଜୀଙ୍କ ରାଜତ୍ୱ କାଳରେ (୧୪୭୩ ସାଲ) ଗୁଜୁରାଟର ନବାବ ମହମ୍ମଦସାହା ଓଖା ଆକ୍ରମଣ କରି ଯଶସ୍ୱୀ ହୁଅନ୍ତି । ସେହି ସମୟରେ ସେ ଜଗତ ମନ୍ଦିରର ଅନେକ କ୍ଷତି ସାଧନ କରନ୍ତି । କିଂବଦନ୍ତୀରୁ ଜଣାଯାଏ ଯେ ମହମ୍ମଦ ସାହା ବନ୍ଦୀ ଭୀମଜୀଙ୍କୁ ପ୍ରକାଶ୍ୟ ରାଜପଥରେ ଟିକି ଟିକି କରି କାଟି ନିଜର ପ୍ରତିହିଂସା ମନୋବୃତ୍ତି ଚରିତାର୍ଥ କରିବେ ବୋଲି ଭାବି ଥିଲେ । ସେ କୁତ୍ସତ ଦୁରଭିସନ୍ଧି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ବିଜିତ ଦ୍ୱାରକା ଭାର ଆରମ୍ଭଦା ଉପରେ ନ୍ୟସ୍ତକରି ଭୀମଜୀଙ୍କ ସହ ସୁଲତାନ ନିଜ ରାଜ୍ୟ ଗୁଜୁରାଟକୁ ପ୍ରତ୍ୟାବର୍ତ୍ତନ କଲେ । ଦୈବବଳରୁ କୌଶଳ କ୍ରମେ ଭୀମଜୀ ପଥ ମଧ୍ୟରେ ମୁକ୍ତି ଲାଭ କରି ପୁଣି ଦ୍ୱାରକାକୁ ଫେରି ଆସିଲେ ଓ ଯୁଦ୍ଧକରି ପୁନଶ୍ଚ ଦ୍ୱାରକା ନିଜ ଦଖଲକୁ ନେଇପାରିଥିଲେ । ଭୀମଜୀଙ୍କ ସମୟରେ ରାଜଧାନୀ ଦ୍ୱାରକାରୁ ଆରମ୍ଭଦାକୁ ସ୍ଥାନାନ୍ତରିତ କରିଥିଲେ । ଅନନ୍ତସେନ ତାଙ୍କ ସମୟରେ ସମସ୍ତ ଦ୍ୱାରକା ନଗରୀ ରଣଛୋଡ଼ଜୀଙ୍କ ନାମରେ ଉତ୍ସର୍ଗ କରି ଦେଇଥିଲେ । ଦେବସ୍ଥାନରେ କରନିର୍ଦ୍ଧାରଣ ତଥା ଶାସ୍ତି ପ୍ରଦାନ ଅପରାଧ ମନେକରି ଖୁବ୍‌ସମ୍ଭବ ସେ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ ।

 

ଏହାଙ୍କ ରାଜତ୍ୱ ସମୟରେ ମାନେକ ନାମରେ ଏକ ସମ୍ପ୍ରଦାୟ କଚ୍ଛ ଅଞ୍ଚଳରେ ପ୍ରବଳ ଶକ୍ତିଶାଳୀ ହୋଇଉଠନ୍ତି । ଓଖା ବାସିନ୍ଦା ଭାଗେର ଜାତୀୟ ମାଳକଳା ନାମକ ଜନୈକ ଦକ୍ଷ ସୈନିକ ତଥା ନାବିକ ହେରଳ ବଂଶର ଏକ ରାଜକନ୍ୟାଙ୍କୁ ଅପହରଣ କରିନେଇ କଚ୍ଛର ରାଜା ହାମୀରଜୀଙ୍କୁ ଉପହାର ଦିଅନ୍ତି । ଫଳ ସ୍ୱରୂପ ହାମୀରଜୀ ନିଜ ଜାତି ପରିତ୍ୟାଗ କରି ଭାଗେର ସମ୍ପ୍ରଦାୟକଭୁକ୍ତ ହୋଇ ପଡ଼ନ୍ତି । ଖୁବ ସମ୍ଭବ ଏ ସମ୍ପ୍ରଦାୟ ତାହାଙ୍କୁ ସମ୍ମାନ ସହକାରେ ଗ୍ରହଣ କରିବାରୁ ହାମୀରଜୀ ତାଙ୍କର ଅନୁରକ୍ତ କେତେକ ବ୍ୟକ୍ତିଙ୍କୁ ନେଇ ଏକ ନୂତନ ଜାତି ପ୍ରତିଷ୍ଠା କରନ୍ତି-। ତାହାର ନାମ ହେଲା ମାନେକ ବା ମାଣେକ । ପରେ ସମସ୍ତ ଭାଗେର ଜାତି ଏହି ସମ୍ପ୍ରଦାୟଭୂକ୍ତ ହୋଇପଡ଼ନ୍ତି । ଏ ସମୟରେ ଏମାନେ ଏକ ଦୁର୍ଦ୍ଧର୍ଷ ଜାତିରୂପେ ପ୍ରତିଷ୍ଠିତ ହୁଅନ୍ତି । ହାମୀରଜୀଙ୍କ ନେତୃତ୍ୱରେ ଏମାନେ ଓଖା ମଣ୍ଡଳରୁ ଘଞ୍ଜି ବଂଶଧରମାନଙ୍କୁ ବିତାଡ଼ିତ କରି ରାଜସିଂହାସନ ଦଖଲ କରନ୍ତି । ହାମୀରଜୀ ଓଖା ଦଖଲ କଲେ ମଧ୍ୟ ରଣଛୋଡ଼ଜୀଙ୍କୁ ପ୍ରଦତ୍ତ ଦ୍ୱାରକାକୁ ପରିତ୍ୟକ୍ତ କରି ଅରମ୍ଭଦାରେ ରାଜଧାନୀ ରଖି ରାଜ୍ୟ ପରିଚାଳନା କରନ୍ତି । ଏହିଠାରେ ତାଙ୍କର ପରବର୍ତ୍ତୀ ବଂଶଧରଗଣ ମଧ୍ୟ ରାଜୁତି କରିଥିଲେ ।

 

୧୫୯୨ ଖ୍ରୀଷ୍ଟାବ୍ଦରେ ଆରମ୍ଭଦା ସିଂହାସନରେ ଯେତେବେଳେ ଶିବରାଣା ଆସୀନ, ସେ ସମୟରେ ଗୁଜୁରାଟର ଶେଷ ସୁଲତାନ ମୁଜାଫର, ଆକବରଙ୍କ ସହ ଯୁଦ୍ଧର ପରାସ୍ତ ହୋଇ ଗୁଜୁରାଟ ପରିତ୍ୟାଗପୂର୍ବକ ଶିବରାଣାଙ୍କ ନିକଟରେ ଆଶ୍ରୟ ଗ୍ରହଣ କରନ୍ତି । ଆକବର ଗୁଜୁରାଟର ଶାସନାଭାର ଜନୈକ ସୁବେଦାର ଉପରେ ନ୍ୟସ୍ତ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲାପରେ ସୁଲତାନ ତାଙ୍କର ସ୍ୱଳ୍ପ ସଂଖ୍ୟକ ସେନାଙ୍କ ସାହାଯ୍ୟରେ ଗୁଜୁରାଟ ଆକ୍ରମଣ କରି ହୃତ ରାଜ୍ୟ ପୁନରୁଦ୍ଧାର କରନ୍ତି । ଖବର ପାଇ ଆକବର ପୁଣି ଗୁଜୁରାଟ ଆକ୍ରମଣ କଲେ । ପରାଜିତ ସୁଲତାନ ଜାମନଗର ରାଜା ଜାମସତାଜୀଙ୍କ ଆଶ୍ରୟ ଗ୍ରହଣ କଲେ । କ୍ଷମତା ତଥା ସାମ୍ରାଜ୍ୟଲିପ୍‌ସୁ ଆକବର ସୁଲତାନଙ୍କ ପଶ୍ଚାତ୍‌ଧାବନ କରିବା ବାହାନାରେ ଜାମନଗର ଆକ୍ରମଣ କଲେ । ବୁଖାମୋଡ଼ି ନାମକ ଜାଗାରେ ଜାମନଗର ରାଜା ଆକବରଙ୍କ ଆକ୍ରମଣକୁ ପ୍ରତିରୋଧ କରିଥିଲେ । ଏ ବିଶ୍ୟାତ ଯୁଦ୍ଧରେ ଜାମସତାଜୀ ପରାଜିତ ହୋଇ ମୃତ୍ୟୁ ବରଣ କଲେ । ସୁଲତାନ ମୁଜାଫର ଯୁଦ୍ଧ ସମୟରେ ଆଶ୍ରୟ ଦାତାଙ୍କୁ ଦାତାଙ୍କୁ ପରିତ୍ୟାଗ କରି ପୁନଶ୍ଚ ଆରମ୍ଭଦାକୁ ପଳାୟନ କରି ଶିବରାଣାଙ୍କ ନିକଟରେ ଆଶ୍ରୟ ନେଲେ । ଜାମନଗର ପତନ ପରେ ଉତ୍‌କ୍ଷିପ୍ତ ଆକବର ତାଙ୍କର ବିରାଟ ବାହିନୀକୁ ଆରମ୍ଭଦା ବିରୁଦ୍ଧରେ ପ୍ରେରଣ କଲେ । ସମ୍ରାଟଙ୍କ ଏ ବିପୁଳ ସଂଖ୍ୟକ ସେନା ବିରୁଦ୍ଧରେ ଜୟ ଅସମ୍ଭବ ଜାଣି ମଧ୍ୟ ଶିବରାଣା ହିନ୍ଦୁର ଚିରାଚରିତ ନୀତିକୁ ପରିତ୍ୟାଗକରି ସୁଲତାନଙ୍କୁ ଆଶ୍ରୟଚ୍ୟୁତ କରି ନିଜ ନିରାପତ୍ତା ପ୍ରତି ସଚେଷ୍ଟ ହୋଇ ନ ଥିଲେ । ଶରଣାର୍ଥୀକୁ ରକ୍ଷା କରିବାକୁ ଯାଇ ଆକବରଙ୍କ ଆକ୍ରମଣର ମୁକାବିଲା କରି ଯୁଦ୍ଧରେ ପ୍ରାଣ ହରାଇ କ୍ଷତ୍ରିୟ ଜନୋଚିତ ଧାମ ଲାଭ କରିଥିଲେ । ଯୁଦ୍ଧଯାତ୍ରା ପୂର୍ବରୁ ଫଳାଫଳ ଉପରେ ନିଶ୍ଚିତ ହୋଇ, ସିଆଭାଗର ନାମକ ଜନୈକ ବିଶ୍ୱସ୍ତ ନାବିକଙ୍କୁ ସୁଲତାନ ମୁଜାଫରଙ୍କୁ ନିରାପଦ ଆଶ୍ରୟକୁ ନେଇ ଯିବାକୁ ନିର୍ଦ୍ଦେଶ ଦେଇ ଶରଣାର୍ଥୀଙ୍କ ଜୀବନ ରକ୍ଷାର ସମସ୍ତ ବ୍ୟବସ୍ଥା କରି ଦେଇଥିଲେ । ନାବିକ ରାଜାଙ୍କ ନିର୍ଦ୍ଦେଶ ଜୀବନ ରକ୍ଷାର ସମସ୍ତ ବ୍ୟବସ୍ଥା କରି ଦେଇଥିଲେ । ନାବିକ ରାଜାଙ୍କ ନିର୍ଦ୍ଦେଶ ମତେ ସୁଲତାନଙ୍କୁ ନିରାପଦରେ ନେଇ କଚ୍ଛରେ ପହଞ୍ଚାଇ ଦିଅନ୍ତି ଏବଂ ସେଠାରେ ସେ ଆଶ୍ରୟ ପାଆନ୍ତି ରାଜଭବନରେ; କିନ୍ତୁ ବିଧାତା ବାମ । ଆକବରଙ୍କ ବିରାଟ ବାହିନୀ କଚ୍ଛ ବିରୁଦ୍ଧରେ ଅଭିଯାନ ଚଳାଏ ଏବଂ କଚ୍ଛର ପତନ ହୁଏ । ସୁଲତାନ ଆକବରକର୍ତ୍ତୃକ ବନ୍ଦୀ ହୋଇ ଦିଲ୍ଲୀ ଦରବାରକୁ ଆନୀତ ହୁଅନ୍ତୁ । ଏହିପରି ଭାବରେ ଏକ ଆଶ୍ରୟଚ୍ୟୁତ ସୁଲତାନଙ୍କୁ ଆଶ୍ରୟ ଦେବାକୁ ଯାଇ ତିନିଗୋଟି କ୍ଷୁଦ୍ର ରାଜ୍ୟ ମୋଗଲ ସାମ୍ରାଜ୍ୟର କଳେବର ବୃଦ୍ଧି କରିଥିଲା ।

 

ଆରମ୍ଭଦା ଯୁଦ୍ଧରେ ଶିବରାଣାଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ସଙ୍ଘନ ନିଜ ରାଜ୍ୟ ଆଶା ପରିତ୍ୟାଗ କରି କେତେବର୍ଷ ସିନ୍ଧୁ ଉପତ୍ୟକାରେ କେତେକ ବିଶ୍ୱସ୍ତ ଅନୁଚରଙ୍କ ସହ ଲୁଚି ଛପି ଜୀବନ ଯାପନ କରନ୍ତି । ପରେ ସୁଯୋଗ ପ୍ରାପ୍ତି ମାତ୍ରେ ଭଗଲ ଜାତିର ସ୍ୱନାମଧନ୍ୟ ଶ୍ୟାମଲମାନଙ୍କ ସହାୟତା ତଥା ନତୃତ୍ୱରେ ମୋଗଲଙ୍କୁ ପରାସ୍ତ କରି ନିଜ ରାଜ୍ୟ ପୁନରୁଦ୍ଧାର କରନ୍ତି ଏବଂ ଶ୍ୟାମଲଙ୍କ ସକ୍ରିୟ ସହାୟତାରେ ସଙ୍ଘନ ନିଜ ପିତୃରାଜ୍ୟ ସିଂହାସନରେ ଅଭିଷିକ୍ତ ହୁଅନ୍ତି ।

 

୧୬୭୦ ସାଲରେ ନିଜ ଭଗ୍ନୀ ପତି ତଥା ଜାମନଗର ରାଜା ଜାମରାଇସିଂହ ବିଶ୍ୱାସଘାତକତା କରି ସାଙ୍ଘନଙ୍କୁ ବନ୍ଦୀ କରି ଓଖା ମଣ୍ଡଳକୁ ନିଜ ରାଜ୍ୟର ଅଙ୍ଗୀଭୁତ କରିନିଅନ୍ତି। ସେହି ସମୟରେ ତତ୍କାଳୀନ ଗୁଜୁରାଟର ସୁଲତାନ କୁତୁବୁଦ୍ଦୀନ ଖେମଜୀ ଜାମନଗର ଆକ୍ରମଣ କଲେ ଜାମରାଇସିଂହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି । ଏହି ଅବସରର ସୁଯୋଗ ନେଇ ଓଖାର ଭାଗଲଗଣ ସଙ୍ଘନକୁ ବନ୍ଦିଶାଳାରୁ ମୁକ୍ତକରି ନେଇ ଆସନ୍ତି । ପତ୍ରମଲ୍ଲ ଭାଗରଙ୍କ ନେତୃତ୍ୱରେ ଏହା ସମ୍ପାଦିତ ହୁଏ । ୧୬୭୪ ସାଲରେ ସଙ୍ଘନଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଭୋଜରାଜ ରାଜଗାଦିରେ ଆସୀନ ହେଲେ । ସେ ଭାଗରବଂଶର କନ୍ୟାକୁ ବିବାହ କରି ସେହି ପ୍ରବଳ ପରାକ୍ରାନ୍ତ ବଂଶ ସଙ୍ଗେ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଲେ । ତତ୍‌କାଳୀନ ଏହି ଅଞ୍ଚଳର ଦୁଇ ପ୍ରଧାନ ଶକ୍ତି ଭାବଲ ଓ ଭାଗର ଜାତିର ମିଳିତ ଉଦ୍ୟମରେ ଏବଂ ପତ୍ରମଲ୍ଲଙ୍କ ସୁଯୋଗ୍ୟ ନେତୃତ୍ୱରେ ଭୋଜରାଜ ସୌରାଷ୍ଟ୍ରର ବିଭିନ୍ନ ଜାଗାରେ ଲୁଟପାଟ କରି ପ୍ରଭୂତି ଧନରତ୍ନ ସଂଗ୍ରହ କରିବାରେ ଲାଗିଲେ ।

 

ଏହି ଅସଙ୍ଗତ ଲୁଟ ତରାଜ ବନ୍ଦ କରିବା ପାଇଁ ସୌରାଷ୍ଟର ବିଭିନ୍ନ ରାଜାଗଣ ଜାମନଗର ଓ ଭୋନ୍ଦାଳ ଅଧୀଶଙ୍କ ନେତୃତ୍ୱରେ ଭୋଜରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କଲେ । ଏହି ଯୁଦ୍ଧରେ ଭାଗରମାନେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହେଲେ ଏବଂ ନିଜର ସ୍ୱାଧୀନତା ହରାଇ ଏହି ମିଳିତ ଶକ୍ତି ନିକଟରେ ସାଧାରଣ ନାଗରିକ ଭାବେ ବସବାସ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଲେ । ତେବେ ବି ଭାଗରମାନେ ଶାନ୍ତ ଜୀବନରେ ବସବାସ ନ କରି ସମୟ ସମୟରେ ଜଳଦସ୍ୟୁ ବୁତ୍ତି ଗ୍ରହଣ କରିବାରେ ଲାଗିଲେ ।

 

୧୭୯୧ ସାଲରେ ଓଖା ଜାମନଗର ରାଜ୍ୟର ଅନ୍ତର୍ଭୁକ୍ତ ହୋଇଗଲା । ଜାମନଗର ରାଜା ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାଗର ଜାତି ଅଧ୍ୟୁଷିତ ଗରା ଓ ଗୁର୍ଗାଧା ନାମକ ଦୁଇଟି ଗ୍ରାମକୁ ନିଜ ରାଜ୍ୟରୁ ବିଚ୍ଛିନ୍ନ କରି ଦେଲେ । ଫଳରେ ନିଜ ରାଜ୍ୟ ସହ ଓଖାର ଅନ୍ୟ ଅଞ୍ଚଳରେ ଖଙ୍ଖୃଳା ଫେରି ଆସିଲା । ପ୍ରଜାଗଣ ସୁଖ ଶାନ୍ତିରେ ବସବାସ କରିବାରେ ଲାଗିଲେ ।

 

୧୮୦୪ ସାଲରେ ଜଳଦସ୍ୟୁଗଣ ଇଂରେଜ ବଣିକଦଳଙ୍କ ଜାହାଜ ଳୁଟ କରି ବସିଲେ-। ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ମକର୍ତ୍ତା ଇଂରେଜଗଣ ଏ ଘଟଣାରେ କ୍ଷିପ୍ତ ହୋଇଉଠିଲେ-। ଏହି ଉପଦ୍ରବ ବନ୍ଦ କରିବା ଉଦ୍ଦେଶ୍ୟ ନେଇ କର୍ଣ୍ଣେଲ ୱାକରଙ୍କ ନେତୃତ୍ୱରେ ଭାଗରମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ପରିଚାଳିତ ହେଲା ୧୮୦୭ ଖ୍ରୀଷ୍ଟାବ୍ଦରେ । ସେହି ଅଭିଯାନରେ ଇଂରେଜଗଣ ଯଶସ୍ୱୀ ହୋଇ ସେହି ବର୍ଷ ଭାଗର ଜଳଦସ୍ୟୁ ବାହିନୀଙ୍କୁ ବନ୍ଦୀ କରି ଓଖା ଦଖଲ କରିନେଲେ-। ଭାଗରମାନେ ଆଉ କେବେହେ ଜଳଦସ୍ୟୁ କାର୍ଯ୍ୟ କରିବେ ନାହିଁ, ଏପରି ଏକ ଚୁକ୍ତିନାମାରେ ସ୍ୱାକ୍ଷର କରି ବନ୍ଧନରୁ ମୁକ୍ତି ପାଇଲେ; କିନ୍ତୁ ପରବର୍ତ୍ତୀ କାଳରେ ସେମାନେ ନିଜର ପ୍ରତିଶ୍ରୁତି ରକ୍ଷା ନ କରି ପୁଣି ପୂର୍ବ କର୍ମରେ ଲିପ୍ତ ରହି ଜଳପଥରେ ଉପଦ୍ରବ ଘଟାଇଲେ । ଫଳରେ ଇଂରେଜ ନୌବାହିନୀ ପୁଣି ସେମାନଙ୍କ ବନ୍ଦୀ କରି ଆଣି ଗାଇକୋୱାଡ଼ଙ୍କ ହସ୍ତରେ ଅର୍ପଣ କଲେ-। ତା’ ପରଠାରୁ ଆଉ ଏମାନେ ଦସ୍ୟୁବୃତ୍ତି କରିବା ଦେଖା ଯାଇନାହିଁ । ଓଖାକୁ ଇଂରେଜମାନେ ଦଖଲ କଲେ ମଧ୍ୟ ଏଠାରେ ଗାଇକୋୱାଡ଼ଙ୍କ ଆଧିପତ୍ୟ ଅକ୍ଷୁଣ୍ଣ ଥିଲା । ସେହିକାଳରୁ ଓଖାରେ ଏହି ବଂଶଧରଗଣ ରାଜତ୍ୱ କଲେମଧ୍ୟ ୧୯୨୦ ସାଲ ପର୍ଯ୍ୟନ୍ତ ଓଖାରେ ଗୋଟିଏ ବ୍ରିଟିଶ ଛାଉଣି ରହୁଥିଲା ଏବଂ ଜଣେ ଇଂରେଜ ରେସିଡେଣ୍ଟ ଏଠାରେ ରହୁଥିଲେ ।

 

୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଖା ବା ଦ୍ୱାରକା ବରୋଦାଷ୍ଟେଟର ଆମରେଳି ଜିଲ୍ଲାର ଏକ ସବ୍‌ଡିଭିଜନାଲ ସହର ରୂପେ ପରିଗଣିତ ହେଉଥିଲା । ସର୍ଦ୍ଦାର ପଟେଲଙ୍କ ଆହ୍ୱାନ କ୍ରମେ ବରୋଦା ଭାରତ ୟୂନିଅନ ସଙ୍ଗରେ ଯୋଗଦେବା ପରେ ଦ୍ୱାରକା କେତକ ବର୍ଷ ସକାଶେ ବୋମ୍ୱାଇ ପ୍ରଦେଶ ସଙ୍ଗେ ପୂର୍ବ ମର୍ଯ୍ୟାଦାରେ ଜାମନଗର ଜିଲା ସହ ଯୁକ୍ତ ହୋଇ ରହିଲା । ୧୯୬୦ ସାଲରେ ସୌରାଷ୍ଟ୍ର ପ୍ରଦେଶର ପୁନରାବିର୍ଭାବ ସଙ୍ଗେ ସଙ୍ଗେ ଦ୍ୱାରକା ସେହି ପ୍ରଦେଶର ଗୋଟିଏ ଜିଲ୍ଲା ସହର ରୂପେ ପରିଚିତ ହୋଇ ଆସୁଛି । ଦ୍ୱାରକା ସଙ୍ଗେ ସର୍ବ ପ୍ରଥମ ୧୯୨୨ ସାଲରେ ରେଲ ଯୋଗାଯୋଗ ସ୍ଥାପିତ ହୁଏ ।

 

୧୯୬୦ ଖ୍ରୀଷ୍ଟାବ୍ଦରେ ବୋମ୍ୱାଇ ପ୍ରଦେଶ ବିଭାଜନ ହେଲା । ସୌରାଷ୍ଟ୍ର, କଚ୍ଛ ଓ ପୁରାତନ ବୋମ୍ୱାଇ ପ୍ରଦେଶର କେତେକାଂଶ ନେଇ ନୂତନ ଗୁଜୁରାଟ ପ୍ରଦେଶ ଗଠିତ ହେଲା । ଦ୍ୱାରକା ସୌରାଷ୍ଟ୍ର ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ପ୍ରଦେଶ ଗଠିତ ହେଲା । ଦ୍ୱାରକା ସୌରାଷ୍ଟ୍ର ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ଗୋଟିଏ ଜିଲ୍ଲା ତଥା ଜିଲ୍ଲା ସଦରର ମର୍ଯ୍ୟାଦା ଲାଭକଲା । ଗୁଜୁରାଟ ନୂତନ ପ୍ରଦେଶ ହେଲେ ମଧ୍ୟ ବହୁ ପୁରାତନ ପନ୍ଥୀ ପଣ୍ଡିତଗଣ ଏହି ପ୍ରଦେଶକୁ ସେହି ପୁରୁଣା ନାମ ସୀୌରାଷ୍ଟ୍ରରେ ଅଭିହିତ କରି ଥାଆନ୍ତି ।

 

ମୋଟା ମୋଟି କହିବାକୁ ଗଲେ ପ୍ରାଚୀନ ଦ୍ୱାରାବତୀର ତଥ୍ୟପୂର୍ଣ୍ଣ ଐତିହାସିକ ବିବରଣୀ ଏଯାଏ ଆବିଷ୍କୃତ ହୋଇନାହିଁ । ବର୍ତ୍ତମାନ ଯେଉଁ ସବୁ ମତ ପ୍ରକାଶ ପାଉଅଛି, ସେ ସମସ୍ତ ପ୍ରାୟ ସ୍ଥାନୀୟ ପ୍ରବାଦ, କିଂବଦନ୍ତୀ ବା ପୁରାଣ ଉପରେ ଭିତ୍ତିକରି । ଦେଶରେ ବର୍ତ୍ତମାନ ବହୁ ପ୍ରଖ୍ୟାତଯଶା ପଣ୍ଡିତ ତଥା ପ୍ରତ୍ନତାତ୍ତ୍ୱିକଗଣ ଅଜଣାକୁ ଜାଣିବା ଓ ଲୋକଲୋଚନକୁ ଆଣିବାରେ ବିଶେଷ ଆଗ୍ରହାନ୍ୱିତ । ସେହି ଭଳି କୌଣସି ମନୀଷୀଙ୍କର ପ୍ରଚେଷ୍ଟାରେ, ହିନ୍ଦୁର ଦ୍ୱିତୀୟଧାମ ଦ୍ୱାରକାର ତଥ୍ୟଭିତ୍ତିକ ଐତିହାସିକ ଚିତ୍ର ଆବିଷ୍କୃତ ହେଲେ ହିନ୍ଦୁସମାଜର ମହାନ୍‌ ଉପକାର ସାଧିତ ହୋଇ ପାରିବ ।

 

ଆମର ଦ୍ୱାରକା ଆଲୋଚନାରେ ଇତି ଟଣା ହେଲା । ଦଳ ଦଳ ହୋଇ ସହଯାତ୍ରିଣୀ ମହିଳାଗଣ ବଜାରରୁ ଫେରି ଆସିଲେ । ପ୍ରାୟ ସମସ୍ତଙ୍କ ହାତ ଖାଲି । ବାହାରୁ ଫେରି ଇନ୍ଦିରା ମୋ ପାଖରେ ବସୁ ବସୁ କହିଲା, ‘‘ଆଚ୍ଛା ଦାଦା, ଦୁନିଆର ଯେତେ ସବୁ ସ୍ଥାନର ନାଡ଼ୀ ନକ୍ଷତ୍ର କଥା ବାଟୁଳି ଫୁଟିଲା ଭଳି କହି ଯାଇପାରୁଛ ଆଉ ପୂର୍ବରୁ ଏଠାରେ ଯେ କିଛି ମିଳେନା ସେ କଥାଟା କହି ପାରିଲ ନାହିଁ । ତା’ ହେଲେ ଏ ଶୁଖିଲା ମାଛ ଗନ୍ଧରେ ସମସ୍ତ ବଜାରଟା ନ ବୁଲି ତମ ପାଖରେ ବସି ଗପ ଶୁଣିଥାନ୍ତୁ । ଆଉ କିଛି ନ ହେଲେ, ପାଦର ପରିଶ୍ରମଟା ତ ଲାଘବ ହୋଇଥାନ୍ତା-।’’

 

ମୁଁ କିଛି କିହିବା ପୂର୍ବରୁ ସଦାନନ୍ଦବାବୁ କହିଲେ, ବଜାର ହାଟ ନାହିଁତି ଏତେ ଗୁଡ଼ାଏ ଲୋକ ଚଳୁଛନ୍ତି କିପରି ? ସକାଳବେଳା ବେଟ ଦ୍ୱାରକାରୁ ଫେରିବାବେଳେ କେତେ ଗୁଡ଼ାଏ ଦୋକାନ ଦେଖିଲା ଭଳି ମନେ ହେଉଛି । ବଜାର ନାହିଁ ବୋଲି କହୁଛି କିପରି ?

 

ଇନ୍ଦିରା କହିଲା, ମୁଁ କ’ଣ ସେ ବଜାର ହାଟ କଥା କହୁଛି । ସେ ସବୁ ଜିନିଷ ପତ୍ରର ଦୋକାନ ପସରା ବେଶ୍‌ଜମେଇ ବସିଛନ୍ତି । ଅବଶ୍ୟ ଜିନିଷର ମୂଲ୍ୟ ଶୁଣିଲେ କାନରେ ହାତ ଦେଇ ଚାଲି ଆସିବାକୁ ପଡ଼ିବ । ତା’ପରେ ଏସବୁ ଜିନିଷ ପତ୍ର ଏଠାରୁତ ଆଉ କିଏ ବୋହି ନେବାକୁ ଯିବନାହିଁ ? ମୋର କହିବା ଅର୍ଥ ହେଉଛି, ଏଠାର ବୈଶିଷ୍ଟ୍ୟ କିଛି ନିଜର ତଥା ଆତ୍ମୀୟ ସ୍ୱଜନମାନଙ୍କୁ ଉପହାର ଦେବା ପାଇଁ ବେଟ ଦ୍ୱାରକାର ସ୍ମାରକୀ ରୂପେ କିଣିବା କଥା ।

 

କହିଲି, ମୁଁ ପୂର୍ବରୁ କହିଲେ କ’ଣ ତୁମେମାନେ ମୋ କଥା ବିଶ୍ୱାସ କରି ଥାଆନ୍ତ ! ବରଂ ପଇସା ଖରଚ ହୋଇଯିବା ଭୟରେ ମିଛ କହୁଛି ବୋଲି ବିଦ୍ରୂପର ହସ ଫୁଟାଇ ଥା’ନ୍ତ । ମୋ ଠାରୁ କିଛି ନ ଶୁଣିବା ଫଳରେ ତୁମର ତ ଗୋଟାଏ ପ୍ରତ୍ୟକ୍ଷ ଅନୁଭୂତି ହେଲା । ସ୍ଥାନୀୟ ବଜାର ସହ ବାସିନ୍ଦାମାନଙ୍କୁ ଦେଖି ପାରିଲ, ବିଶେଷ ସଉଦା ଅପେକ୍ଷା ଏ ଅଭିଜ୍ଞତା କିଛି କମ ନୁହେଁ । ଜାଗା ଦେଖା ଏବଂ ସେ ଦେଖାର ସ୍ମୃତି ଯଦି ମନରେ ଗୁନ୍ଥି ହୋଇ ନ ରହିଲା, ତେବେ ସାମାନ୍ୟ ଗୋଟାଏ କି ଦୁଇଟା ପାର୍ଥିବ ଜିନିଷର ମୂଲ୍ୟ କ’ଣ ଅଛି ?

 

ଇନ୍ଦିରା କହିଲା ତୁମର କହିବା ଅଭିଜ୍ଞତା ଅପେକ୍ଷା ଆମ ପାଖରେ ଚିନାବାଦାମ ଆହୁରି ଅତି ବାସ୍ତବ ସତ୍ୟ । ତା’ ମଧ୍ୟ ଏଠାରେ ମିଳିଲାନାହିଁ । ଖାଲି ପଚା ମାଛ ଗନ୍ଧରେ ନାକ ଫାଟିପଡ଼ିଲା ।

 

କଥାରେ ବାଧା ଦେଇ କହିଲି । ପରେ ବଜାରର କଥା ଚିନ୍ତାକଲେ ମଧ୍ୟ ଚଳିବ । ବର୍ତ୍ତମାନ ଆଖିଖୋଲି ଦେଖିନିଅ ଆରବ ସାଗର କୋଳରେ ପଶ୍ଚିମ ଦିଗନ୍ତରେ ଅସ୍ତରାଗର ଅପୂର୍ବ ଦୃଶ୍ୟ । ସମସ୍ତେ ଅପଲକ ଆଖିରେ ଚାହିଁ ରହିଲେ । ସମସ୍ତ ପଶ୍ଚିମ ଆକାଶ ରକ୍ତରଞ୍ଜିତ କରି ଦିଗ୍‌ବଳୟରୁ ଆସ୍ତେ ଆସ୍ତେ ସାଗରର ଜଳ ମଧ୍ୟରେ ସୂର୍ଯ୍ୟଦେବ ଲୁଚି ଯାଉଛନ୍ତି । ଆକାଶ ସଙ୍ଗେ ସମସ୍ତ ସାଗର ଜଳ ରକ୍ତିମାର ଢେଉରେ ଉଦ୍‌ବେଳିତ ହୋଇ ଉଠୁଛି । ଅପୂର୍ବ ଦୃଶ୍ୟ; ଯାହା କେବଳ ଦେଖାଯାଏ, ଅନୁଭବ କରାଯାଏ କିନ୍ତୁ ପ୍ରକାଶ କରାଯାଇ ପାରେ ନା । ସୂର୍ଯ୍ୟଦେବ କ୍ରମଶଃ ଜଳ ମଧ୍ୟରେ ଲୁଚିଗଲେ । ଆମେମାନେ ଜୀବନଦାତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ନିଜ ବଗିକୁ ଫେରିଆସିଲୁ । ଏହିପରି ଘଟଣା ମଧ୍ୟ ଦେଇ ଭ୍ରମଣ ସୂଚୀରୁ ୧୬ । ୧୨ । ୭୯ ଦିନଟି ଶେଷ ହେଲା ।

 

୨୭ / ୧୨ / ୭୯ ତାରିଖ ବେଳା ୧୧ ଘ ୧୦ ମିନିଟ ସମୟରେ ଆମର ବଗିଟି ଦ୍ୱାରକାଗାମୀ ଗୋଟିଏ ପାସେଞ୍ଜେର ଟ୍ରେନ୍ ସଙ୍ଗେ ଯୁକ୍ତ ହୋଇ ଯାତ୍ରା ଆରମ୍ଭ କଲା । ମେଲ୍‌ଟ୍ରେନକୁ ବାଦଦେଲେ ଓଖାରୁ ଏହା ହିଁ ପ୍ରଥମ ଟ୍ରେନ୍‍ । ଦ୍ୱାରକାରେ ପହଞ୍ଚିବା ୧୧ଘ ୪୭ ମିନିଟରେ ।

 

Unknown

ଅତି ପ୍ରତ୍ୟୁଷରୁ ଉଠି ସମୁଦ୍ର କୂଳକୁ ଯାଇଥିଲୁ ସୂର୍ଯ୍ୟୋଦୟ ଦେଖିବାକୁ । ପଶ୍ଚିମ ଉପକୂଳରେ ସାଧାରଣତଃ ସୂର୍ଯ୍ୟୋଦୟ ଅପେକ୍ଷାକୃତ ଡେରିରେ ହୋଇଥାଏ । ଫଳରେ ଏହି ଦୃଶ୍ୟ ସୂର୍ଯ୍ୟାସ୍ତ ଭଳି ମନୋରମ ନୁହେଁ । ତେବେ ସେ ଅଭିଜ୍ଞତାର ମଧ୍ୟ ଆବଶ୍ୟକ ଥିଲା । ଉଦୟ ଦୃଶ୍ୟ ନେଇ ମନ ତୃପ୍ତ ନହେଲେ, ପ୍ରଭାତକାଳୀନ ଏ ପ୍ରାନ୍ତରରୁ ବେଟ ଦ୍ୱାରକାର ମନୋରମ ଦୃଶ୍ୟ ଭୁଲିବା ନୁହେଁ । ଏହା ହିଁ ପ୍ରମାଣ କରେ ପରିଶ୍ରମ କେବେ ବ୍ୟର୍ଥ ଯାଏନା ।

 

ନିର୍ଦ୍ଦିଷ୍ଟ ସମୟରେ ଟ୍ରେନ୍ ଆସି ଦ୍ୱାରକାରେ ପହଞ୍ଚିଲା । ବାହାରେ ପ୍ରଚଣ୍ଡ ଖରା । ଦେଖିଲେ ମନେହୁଏନା ଏ ମାସଟା ଡିସେମ୍ୱର । ସୁତରାଂ ଚାରିଟାରେ ଟାଙ୍ଗା କରି ବୁଲି ବାହାରିବା ଠିକ୍‌କରି ନିଜ ନିଜ ବିଛଣାରେ ଦିବା ନିଦ୍ରା ଉପଭୋଗ କରିବାକୁ ଲାଗିଲୁ ।

 

ଅନ୍ୟ ସବୁ ତୀର୍ଥସ୍ଥାନ ଭଳି ଦ୍ୱାରକାରେ ମନ୍ଦିରର ଅଭାବ ନାହିଁ । ମୂଳ ମନ୍ଦିରକୁ କେନ୍ଦ୍ର କରି ବହୁ ଦେବମନ୍ଦିର ପୂରା ସହରର ବିଭିନ୍ନ ଅଂଶରେ ଗଢ଼ି ଉଠିଛି । ତେବେ ଅଧିକାଂଶ ମନ୍ଦିର ସମୁଦ୍ରର ଲୁଣା ହାୱା ହେତୁ ହୁଏତ ଭଗ୍ନଦଶାପନ୍ନ ବା ମୂଳଗଠନ ଭଙ୍ଗୀର ପରିବର୍ତ୍ତନ ବା ନଷ୍ଟ ଅବସ୍ଥାରେ ପ୍ରତୀୟମାନ । ଏ ବିଖ୍ୟାତ ତୀର୍ଥକ୍ଷେତ୍ରର ମନ୍ଦିର ସଂସ୍କାର ଦିଗରେ କୌଣସି ଭକ୍ତ ଶିରୋମଣି ବା ଲକ୍ଷ୍ମୀଙ୍କ ବରପୁତ୍ରଙ୍କ ସୁ’ନଜର ପଡ଼ିନି । ସେଥିପାଇଁ ହୁଏତ ଦେବସ୍ଥାନ ଗୁଡ଼ିକ ଏପରି ଅବହେଳି ହୋଇ ପଡ଼ିଛି । ଦେବଦର୍ଶନ ମାଧ୍ୟମରେ ଯାତ୍ରୀ ସାଧାରଣଙ୍କ ନିକଟରୁ ପୂଜକଗଣ ସାମାନ୍ୟ ଦକ୍ଷିଣା ପାଇ ନିଜର ଭରଣ ପୋଷଣର ବ୍ୟବସ୍ଥା କରି ଥାଆନ୍ତି ବୋଲି ସଦାସର୍ବଦା ମନ୍ଦିରଗୁଡ଼ିକୁ ଆବୋରି ପଡ଼ିଥାନ୍ତି । ଅବଶ୍ୟ ଦ୍ୱାରକାରେ ଯାତ୍ରା ସମାଗମ ନିହାତି କମ ହୁଏନା । ସାଧାରଣତଃ ବର୍ଷର ପ୍ରତ୍ୟେକ ସମୟରେ ଭାରତର ପ୍ରାନ୍ତର ହିନ୍ଦୁ ଯାତ୍ରୀଗଣ ଦ୍ୱିତୀୟଧାମ ଦ୍ୱାରକା ଦର୍ଶନ ନିମନ୍ତେ ଆସିଥାଆନ୍ତି । ସହରର ସମସ୍ତ ଦ୍ରଷ୍ଟବ୍ୟସ୍ଥାନ ଦେଖିବାକୁ ହେଲେ ଏଠାରେ ଟାଙ୍ଗା ବା ସାଇକଲ ରିକ୍‌ସା ବ୍ୟତୀତ ଅନ୍ୟ ବ୍ୟବସ୍ଥା ନାହିଁ । ଏଠାରେ ଟାଙ୍ଗା ବା ରିକ୍‌ସା ଚାଳକମାନେ ଦ୍ରଷ୍ଟବ୍ୟସ୍ଥାନ ପ୍ରତି ବେଶ୍‌ଶ୍ରଦ୍ଧାଶୀଳ । ତେଣୁ ନିଜର ପରିଶ୍ରମ ତଥା ସମୟ ବେଶି ଲାଗିଲେ ହେଁ ସମସ୍ତ ଦ୍ରଷ୍ଟବ୍ୟ ସ୍ଥାନମାନ ଯତ୍ନସହ ଯାତ୍ରୀଙ୍କୁ ଦେଖାଇଥାନ୍ତି । ଟାଙ୍ଗା ଓ ରିକ୍‌ସା ଚାଳକ ସହ ପୂଜକଙ୍କ ମଧ୍ୟରେ ଏ ମଧୁର ସମ୍ପର୍କ ଉଲ୍ଲେଖନୀୟ ବୋଲି ମନେହୁଏ । ଅନ୍ୟାନ୍ୟ ତୀର୍ଥକ୍ଷେତ୍ର ଭଳି ଏଠାରେ ଏସବୁ ମନ୍ଦିର ପୂଜକମାନଙ୍କ ଦକ୍ଷିଣା ନିମନ୍ତେ ସେପରି କଟାଳ ଦୃଷ୍ଟିରେ ପଡ଼ିଲାନାହିଁ । ଯାତ୍ରୀଙ୍କ ଶ୍ରଦ୍ଧାଦାନକୁ ଦେବତାର ଆଶୀର୍ବାଦ ଭଳି ଗ୍ରହଣ କରିବା ଦେଖିଲେ ମନରେ ସେମାନଙ୍କ ପ୍ରତି ଏକ ଶ୍ରଦ୍ଧାଭାବ ଜାଗିଉଠେ । ଆମର ଆବଶ୍ୟକାନୁଯାୟୀ ସମୟ ସେ ବ୍ୟୟ କରେ ଆମରି ସଙ୍ଗରେ । ପରିଚିତ କରେଇଦିଏ ସ୍ଥାନୀୟ ଦର୍ଶନୀୟ ବସ୍ତୁ ସମୂହ-। ଦେବତା ନିକଟରେ ଯଜମାନର ମଙ୍ଗଳ ସକାଶେ ପ୍ରାର୍ଥନା ଜଣାଏ । ପ୍ରସାଦ ଫୁଲ ଦେଇ ଆଶିଷ କରେ ଯଶସ୍ୱୀ ହେବାପାଇଁ । ଏସବୁ ସତ୍ତ୍ୱେ ତା’ ପାଇଁ ଆମ ହାତରେ ଉଠିଆସେ ଖୁବ୍‌ଜୋର ଦଶଟା ପଇସା । ତାରି ସଙ୍ଗରେ ପଣ୍ଡାଙ୍କ ଅତ୍ୟାଚାର ନେଇ ନାତିଦୀର୍ଘ ଗୋଟାଏ ଲେକ୍‌ଚର୍‌-। ତା’ର ସମସ୍ତ ଚେଷ୍ଟା ଓ ପରିଶ୍ରମ ସତ୍ତ୍ୱେ ସେ ଆମ ପାଖରେ ଅପାଂକ୍ତେୟ ବ୍ୟକ୍ତି । ତା’ର ଅପରାଧ ସେ ସଲାମ କରେନା, ଆଶୀର୍ବାଦ କରେ । ଦର୍ଶକ ଏବଂ ପୂଜକ ମଧ୍ୟରେ ଏ ସମ୍ପର୍କ ପ୍ରକୃତ ଯେ କେତେ ଲଜ୍ଜାକର ତା’ ଆଜି ବିଶେଷ ଭାବେ ଚିନ୍ତାକରିବା ଉଚିତ । ଯେଉଁମାନଙ୍କ ମାଧ୍ୟମରେ ଆଜିସୁଦ୍ଧା ହିନ୍ଦୁ ସଂସ୍କୃତି ସାମାନ୍ୟତମ ହେଲେ ମଧ୍ୟ ସୁରକ୍ଷିତ ଅଛି ସେମାନଙ୍କ ପ୍ରତି ଶ୍ରଦ୍ଧାଶୀଳ ହେବା ମନୋବୃତ୍ତି ନ ଜାଗିଲେ ମଧ୍ୟ ତାଙ୍କର ଜୀବିକାକୁ ତୁଚ୍ଛ ମନେକରିବା ଅନୁଚିତ ।

 

ଗୋଟିଏ ଟାଙ୍ଗାରେ ଆମେ ଛଅଜଣ ଯାତ୍ରାକଲୁ ନଗର ପରିଭ୍ରମଣ କରିବାକୁ । ପଛରେ ମହିଳା ଚାରିଜଣ । ଆଉ ଆଗରେ ଚକ୍ରବର୍ତ୍ତୀ ଭାୟା ଓ ମୁଁ । ଅବଶ୍ୟ ଟାଙ୍ଗାବାଲାକୁ ଯୋଗକଲେ ତିନିଜଣ । ପାଖରେ ଦ୍ୱାରକାର ବିଖ୍ୟାତ A.I.C କାରଖାନା ଓ ତା’ର ପକ୍କା ଘରକୁ ପଛରେ ରଖି ଟାଚ୍ଚା ଆଗେଇ ଚାଲିଲା ସମୁଦ୍ର ଧାରେ ଧାରେ ରୁକ୍ମିଣୀ ମନ୍ଦିର ଅଭିମୁଖରେ ଓଖା ରୋଡ଼ ଧରି ପକ୍‌କା ରାସ୍ତାରୁ ଅଳ୍ପ ଦୂରରେ ପ୍ରାୟ ସମୁଦ୍ର କୂଳରେ ରୁକ୍ମିଣୀ ଦେବୀଙ୍କ ମନ୍ଦିର । ଏ ମନ୍ଦିରରେ ରୁକ୍ମିଣୀ ଏକାକିନୀ । ସ୍ଥାନୀୟ ଜନପ୍ରବାଦରୁ ଜଣାଯାଏ, କୌଣସି କାରଣରୁ ରୁକ୍ମିଣୀ ଦେବୀ କେତେକ ସମୟ ସକାଶେ କୃଷ୍ଣଛଡ଼ା ହୋଇ ଏଠାରେ ଏକାକିନୀ ବସବାସ କରୁଥିଲେ । ଏହା ତାଙ୍କର ପବିତ୍ର ବିବାହ କ୍ଷେତ୍ର । ରାଜ ଅନ୍ତଃପୁର ପରିତ୍ୟାଗ କଲାପରେ ଅତି ସ୍ୱାଭାବିକ ଭାବେ ଏହି ସ୍ଥାନ କଥା ମନେ ପଡ଼ିଥିଲା । ସେ ସକାଶେ ଏଠାରେ ସେ ଏକାକିନୀ । ବୃନ୍ଦାବନରେ ଯେପରି ରାଧାନାମ କୃଷ୍ଣଙ୍କ ସଙ୍ଗେ ଓତପ୍ରୋତ ଭାବେ ଜଡ଼ିତ, ସେପରି ଦ୍ୱାରକାରେ ଏହି ସ୍ଥାନ ବ୍ୟତୀତ ଅନ୍ୟଠି କୃଷ୍ଣହରା ରୁକ୍ମିଣୀଙ୍କୁ ଦେଖିବାକୁ ମିଳିବ ନାହିଁ । ବୈଷ୍ଣବ ଶାସ୍ତ୍ରରେ ଦେଖାଯାଏ :–

 

‘‘ରୁକ୍ମିଣୀ ଦ୍ୱାରକାତ୍ୟାସ୍ତୁ ରାଧା ବୃନ୍ଦାବନେ ବନେ’’

 

ରୋଡ଼ ଉପରେ ଟାଙ୍ଗା ରଖି ଆଗେଇ ଚାଲିଲୁ ମନ୍ଦିର ଅଭିମୁଖେ । ମନ୍ଦିରର ମୁଖ୍ୟଦ୍ୱାର ରାସ୍ତାରେ ଅପର ଦିଗରେ । ସାଗରର ଲୁଣା ଜଳ ଯୋଗୁଁ ସେଇ ମୁଖ୍ୟ ତୋରଣର ରୂପ କ’ଣ ଥିଲା ତା’ ଜାଣିବା ସମ୍ଭବ ନୁହେଁ । ଏହି ଉଚ୍ଚସ୍ଥାନ ବ୍ୟତୀତ ଆଖପାଖ ସମସ୍ତ ଜମି ସମୁଦ୍ର ପାଣିରେ ଭର୍ତ୍ତି । ଆସିବା ବାଟରେ ଗୋଟିଏ ବଡ଼ ଧରଣର ପୋଲ ପାର ହୋଇଥିଲୁ । ଖୁବ୍‌ସମ୍ଭବ ସେଇ ବାଟ ଦେଇ ସମୁଦ୍ର ଜଳ ଜୁଆର ସମୟରେ ଏହି ନିମ୍ନ ଜମିରେ ପ୍ରବେଶ କରିଥାଏ ଓ ଜୁଆର ଶେଷ ହେଲେ ମଧ୍ୟ ଖାଲୁଆ ଜମିର ପାଣି ଛାଡ଼େ ନାହିଁ । କେଉଁଠି ହେଲେ ଏ ବିସ୍ତୀର୍ଣ୍ଣ ଜଳଜମି ମଧ୍ୟରେ ଗଭୀରତା ସେପରି ବେଶି ଦେଖା ଯାଏନା । ଜମିର ଅବସ୍ଥା ବା ସ୍ଥାନର ପରିସ୍ଥିତି ଯାହା ହେଉନା କାହିଁକି ସେ ନେଇ ସେପରି କିଛି ଅସୁବିଧା ସୃଷ୍ଟି କରେନା ସତ, କିନ୍ତୁ ଶୁଖିଲା ମାଛର ଉତ୍କଟ ଦୁର୍ଗନ୍ଧ ଯେଉଁ ପରିସ୍ଥିତି ସୃଷ୍ଟିକରେ, ତା’ ଯେପରି ଅକଥନୀୟ, ସେପରି ଅପରିକଳ୍ପନୀୟ, ବିଶେଷ କରି ଆମମାନଙ୍କ ଭଳି ଅନଭ୍ୟସ୍ତ ବ୍ୟକ୍ତିଙ୍କ ପକ୍ଷରେ ।

 

ମନ୍ଦିର ଭିତରେ ରୁକ୍ମିଣୀ ଦେବୀଙ୍କ ଅପୂର୍ବ ସୁନ୍ଦର ମୂର୍ତ୍ତି । ଯେପରି ଶ୍ୱେତ ପ୍ରସ୍ତର ମଧ୍ୟରେ ଜୀବନ୍ତ ଛାୟା । ଯତ୍‌ସାମାନ୍ୟ ଦକ୍ଷିଣା ବିନିମୟରେ ଯଥାବିଧି ପୂଜାର୍ଚ୍ଚନା କରି ଦେବୀଙ୍କ ବିବାହ ମଣ୍ଡପ ଦେଖିବାକୁ ଆସିଲୁ । ମଣ୍ଡପ ନିକଟରେ ଏହି ଲବଣାକ୍ତ ଜଳୀୟ ଅଞ୍ଚଳରେ ଗୋଟିଏ ଅପରିକଳ୍ପନୀୟ ମିଠା ପାଣିର କୂପ ଦେଖିବାକୁ ପାଇଲୁ । ସଙ୍ଗୀ ପୂଜକ କୂପ ବିଷୟରେ ଏକ ମୁଖରୋଚକ ସ୍ଥାନୀୟ କିଂବଦନ୍ତୀ ଶୁଣାଇ ଦେଲେ । ଶୁଖିଲା ମାଛ ଗନ୍ଧରେ ବିରକ୍ତ ମନ ମଧ୍ୟରେ ସେ କାହାଣୀ ଧରି ରଖିବା ଭଳି ଶକ୍ତିର ଏକାନ୍ତ ଅଭାବ ହେତୁ ସେ କାହାଣୀ ସେଠାରେ ହିଁ ଇତି ହୋଇଗଲା ।

 

କୂପ ନେଇ କିଂବଦନ୍ତୀ ଭୁଲିଗଲେ ମଧ୍ୟ ତା’ର ପାଣିର କଥା ଭୁଲିବା ସହଜ ନୁହେଁ । ପାଣି ଯେପରି ମୁଖରୋଚକ ସେପରି ହଜମକାରକ ତଥା ସ୍ୱାସ୍ଥ୍ୟକର ମଧ୍ୟ । ପୂଜକଙ୍କ କଥା ଶୁଣି ସେ ମିଠାଜଳ ପେଟଭରି ପାନ କରି ପାଣି ବୋତଲ ଭର୍ତ୍ତିକରି ରଖି ନେଲୁ । ପାଣି ଯେ ପ୍ରକୃତରେ କେତେଦୂର ହଜମ କାରକ ତାହା ଖାଦ୍ୟ ଗ୍ରହଣରେ ବୀତଶ୍ରଦ୍ଧ ସରସ୍ୱତୀର ଆଚରଣରୁ କିଛି ସମୟ ପରେ ବୁଝିହେଲା ।

 

ରୁକ୍ମିଣୀ ଦେବୀ ମନ୍ଦିର ଆଗ ଦେଇ ଚାଲିଯାଇଛି ଓଖାଗାମୀ ସଡ଼କ । ଏଠାରୁ ଓଖାର ଦୂରତ୍ୱ ପ୍ରାୟ କୋଡ଼ିଏ ମାଇଲ । ଏହି ପଥ ମଧ୍ୟରେ ଦେଖିବାକୁ ମିଳେ ଗୋପୀନାଥ ମନ୍ଦିର, ଗୋପୀ ତଲାଓ ବା ପୁଷ୍କରିଣୀ, ନାଗେଶ ବା ନାଗେଶ୍ୱର ଶିବମନ୍ଦିର । ଅନେକମତରେ ଏହା ଦ୍ୱାଦଶ ଶିବଲିଙ୍ଗ ମଧ୍ୟରୁ ଅନ୍ୟତମ । ମାଟିତଳେ ଲିଙ୍ଗ ମୂର୍ତ୍ତି । ସୋପାନ ଶ୍ରେଣୀ ଦେଇ ତଳକୁ ଅବତରଣ କରି ଦେବାଧିଦେବଙ୍କୁ ଦର୍ଶନ କରିବାକୁ ହୋଇଥାଏ । ଏହା ବ୍ୟତୀତ ଆହୁରି ଅନେକ ଖ୍ୟାତ ବିଖ୍ୟାତ ମନ୍ଦିର ଏବଂ କେତେକ ଐତିହାସିକ କ୍ଷେତ୍ର ଦେଖିବା ସୁଯୋଗ ରହିଛି; କିନ୍ତୁ ଟାଙ୍ଗାରେ ଏତେ ପଥ ଅତିକ୍ରମ କରିବା ସୁବିଧାଜନକ ନୁହେଁ । କାର୍‍ ବା ବସ୍‍ ରିଜର୍ଭ କରି ଯାଇପାରିଲେ ଏସବୁ ସ୍ଥାନ ଦେଖିବା ସୌଭାଗ୍ୟ ମିଳିଥାଏ । ଫେରିବା ପଥରେ ସିଦ୍ଧେଶ୍ୱର ଶିବଙ୍କୁ ଦର୍ଶନ କରି ବରୋଦା ରାଜବଂଶ ଗାଇକୋୱାଡ଼ଙ୍କଦ୍ୱାରା ନିର୍ମିତ ଦ୍ୱାରକା ସହର ଦେଖି ଦେଖି ଜଗତ ମନ୍ଦିରରେ ଆସି ଯାତ୍ରା ଶେଷ କରାଯାଇପାରେ ।

 

ଆମର ଅଶ୍ୱଶକ୍ତି ଚାଳିତ ଯାନ୍ତ୍ରିକ ଯାନ ନାହିଁ । ଅଶ୍ୱଚାଳିତ ଟାଙ୍ଗା ମାତ୍ର । ସେହି ସୀମିତ ଶକ୍ତି ଦେଇ ଯେତେ ଦୂର ସମ୍ଭବ ପଥ ଧାର ଦେବମନ୍ଦିର ସବୁ ଦର୍ଶନ କରି ସହର ଦେଖୁ ଦେଖୁ ମନ୍ଥର ଗତିରେ ଆଗେଇ ଚାଲିଲୁ ଲାଇଟ ହାଉସ୍‌, ସରକାରୀ କର୍ମଚାରୀ ବାସଗୃହ, ସେନାଛାଉଣୀ, ହାସପାତାଲ, ଲାଇବ୍ରେରୀ ଭବନ (ପୁରୁଷ ଓ ମହିଳାଙ୍କ ସକାଶେ ପୃଥକ ଭାବେ ନିର୍ମିତ) ସ୍କୁଲ, କଲେଜ ଏ ସମସ୍ତ ଏକ ପରେ ଏକ ଟାଙ୍ଗାବାଲାର ନିର୍ଦ୍ଦେଶକ୍ରମେ ଦେଖୁ ଦେଖୁ ଭଦ୍ରକାଳୀ ମନ୍ଦିର ନିକଟରେ ପହଞ୍ଚିଲୁ ।

 

ପୂଜାରୀ ନିକଟରୁ ଶୁଣିବାକୁ ପାଇଲୁ ଭଦ୍ରକାଳୀ ଏକ ପ୍ରସିଦ୍ଧ ପୀଠସ୍ଥାନ । ସତୀଙ୍କ ଅଙ୍ଗଚ୍ଛେଦ ହୋଇ ସେଇ ଖଣ୍ତିତ ଅଂଶ ପତିତ ହେବା ଫଳରେ ଯେଉଁ ସବୁ ଦେବୀ କ୍ଷେତ୍ର ସୃଷ୍ଟି ହୋଇଅଛି, ତାହାକୁହିଁ ପୀଠସ୍ଥାନ କୁହାଯାଇଥାଏ । ସେପରି ପୀଠସ୍ଥାନର ସଂଖ୍ୟା ପୌରାଣିକ ମତରେ ଏକାବନ । ଅନ୍ୟ କେତେ ପୁରାଣ ଏକାବନ ସଙ୍ଗରେ ଆହୁରି ଛବିଶିଟି ଉପପୀଠର କଥା କହିଥାନ୍ତି । ଏ ଦୁଇ ତାଲିକାରେ ଦ୍ୱାରକାରେ ଭଦ୍ରକାଳୀ ପୀଠର କୌଣସି ଉଲ୍ଲେଖ ନାହିଁ । ଦେବୀ ଭାଗବତରେ ଏହି ପୀଠସ୍ଥାନ ଏକଶ ଆଠ । ତାହା ମଧ୍ୟରେ ‘ତେପନପୀଠ’ ହେଉଛି ଦ୍ୱାରାବତୀ । ଦେବୀ ନାମ ରୁକ୍ମିଣୀ । ଦ୍ୱାରକାରେ ରୁକ୍ମିଣୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପଟ୍ଟମହିଷୀ । ତାହାକୁ ମୂଳ କରି ଏ ନାମରେ ସୃଷ୍ଟି କି ଅନ୍ୟ କୌଣସି କାରଣରୁ ଏପରି ନାମ ହୋଇଛି ତା’ ବୁଝିବା ଦୁଷ୍କର । ଦେବୀ ଅଙ୍ଗସମ୍ଭୂତା ଅନ୍ୟ ଏକ ରୁକ୍ମିଣୀ ଅଷ୍ଟପାଟବଂଶୀ ରୁକ୍ମିଣୀ ରୂପେ ଯଦି ଭଦ୍ରକାଳୀରେ ପରିଣତ ହୋଇଥାନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଦେବୀ ଭାଗବତ ବ୍ୟତୀତ ଅନ୍ୟ କେତେକ ପ୍ରାଚୀନ ଗ୍ରନ୍ଥରେ ପୀଠସ୍ଥାନ ସଂଖ୍ୟା ଏକଶହ ଛବିଶି ବୋଲି ବର୍ଣ୍ଣିତ ହୋଇଅଛି । ଏହା କେବଳ ଶୁଣାକଥା ଦେଖିବା; ବା ପଢ଼ିବା ସୁଯୋଗ ମିଳିନାହିଁ । ହୁଏତ ସେସବୁ ଗ୍ରନ୍ଥରେ ଏହି ସ୍ଥାନ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣିତ ହୋଇଥିବ ।

 

ଦେବସ୍ଥାନମାନ ସ୍ୱ ମହିମାରେ ପ୍ରତିଷ୍ଠିତ । ସ୍ଥାନୀୟ ପରିବେଶ ଓ ଜନ ସହଯୋଗ ଯୋଗୁଁ ତାହା ପ୍ରାଧାନ୍ୟ ଲାଭ କରିଥାଏ । ସେହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ମନ୍ଦିରଟି ଅତି ରମଣୀୟ । ଶାନ୍ତ ପରିବେଶ ମଧ୍ୟରେ ଏକଦା ଏହି ଦେବୀପୀଠ ବେଶ ପ୍ରାଧାନ୍ୟ ଲାଭ କରିଥିଲା । ମନ୍ଦିରର କାରୁକାର୍ଯ୍ୟ ଯେ ଚିତ୍ତାକର୍ଷକ ଥିଲା, ସେ କଥା ବର୍ତ୍ତମାନ ଏ ଜୀର୍ଣ୍ଣଦଶାପ୍ରାପ୍ତ ମନ୍ଦିର ଦେଖିଲେ ମଧ୍ୟ ପରିଷ୍କାର ବୁଝାଯାଏ । ଦୀର୍ଘଦିନରୁ ସଂସ୍କାରର ଅଭାବ ଏବଂ ଲୁଣାହାଉଆ ଫଳରେ ଦେବାଳୟ ନିର୍ମାଣ ସମୟରେ କିପରି ଥିଲା ବୁଝିବା କଷ୍ଟକର । ଅନେକ କିଛି ନଷ୍ଟ ହେଲେ ବି ବର୍ତ୍ତମାନ ସୁଦ୍ଧା ଯାହା ଆକର୍ଷଣୀୟ ଅଛି, ତାହା ମନକୁ ସେ ଦିଗରେ ଆକୃଷ୍ଟ କରିଥାଏ-। ତାହାର ସଙ୍ଗରେ ପୂଜକଙ୍କ ଅଭ୍ୟର୍ଥନା ଓ ଯାତ୍ରୀଙ୍କପ୍ରତି ଆଗ୍ରହ ତଥା ଯତ୍ନ, ଦର୍ଶକ ମନରେ ଏକ ମାଧୁର୍ଯ୍ୟ ଭାବ ସୃଷ୍ଟି କରେ ।ଏହି ପୁଜକ କେଉଁ ଯାତ୍ରୀଙ୍କନିକଟରୁ ସାମାନ୍ୟ କିଛି ଦକ୍ଷିଣା ପାଇଥାଆନ୍ତି, କାହାଠାରୁ ତାହା ମଧ୍ୟ ମିଳିନଥାଏ । ଏପରିକି କେତେକ ଯାତ୍ରୀ ଦକ୍ଷିଣା ବଦଳରେ ତୀବ୍ର ଉପହାସ ପ୍ରଦାନ କରି ଫେରିଥାଆନ୍ତି । କିନ୍ତୁ ପୂଜାରୀ କାହା ପ୍ରତି କୌଣସି ରକମ ବ୍ୟତିକ୍ରମ ଭାବ ଦେଖାଇବା ନଜରରେ ପଡ଼ିଲାନାହିଁ । ପ୍ରତ୍ୟେକ ଦର୍ଶନ ସଙ୍ଗେ ସମାନ ମଧୁର ବ୍ୟବହାର କରି ସ୍ଥାନ ମହତ୍ତ୍ୱର ପରିଚୟ ଦେଇଥାନ୍ତି ।

 

ଆମେମାନେ ଯାଇ ମୁଖ୍ୟ ଦରଜା ପାର ହୋଇ ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ ମାତ୍ରେ ସେହି ପ୍ରୌଢ଼ ପୂଜକ ଆଗେଇ ଆସି ଆମକୁ ସାଦର ସମ୍ଭାଷଣ ଜଣାଇଲେ । ପରେ ମନ୍ଦିରର ପ୍ରତ୍ୟେକଟି ଅଂଶ ଦେଖାଇ ବିଷଦ୍‌ଭାବରେ ତା’ର ବ୍ୟାଖ୍ୟା କରିଗଲେ । ପୂଜାର୍ଚ୍ଚନା କରି ଦେବୀ ଦର୍ଶନ ପରେ ସେଠାରୁ ଚାଲିଲୁ ସମଦ୍ର କୂଳକୁ । ଦ୍ୱାରକାର ସୂର୍ଯ୍ୟାସ୍ତ ଅତି ମନୋରମ । ସେ ଦୃଶ୍ୟ ଦେଖିବା ଲୋଭ ତ୍ୟାଗ କରିବା ଯାତ୍ରୀ ମାତ୍ରକେ ଉଚିତ୍‌ନୁହେଁ । ଭଦ୍ରକାଳୀ ମନ୍ଦିରର ପୂଜକଙ୍କ ନିକଟରୁ ଯେଉଁ ଉତ୍ତମ ବ୍ୟବହାର ପାଇଲୁ, ତାହା ଏହି ଯାତ୍ରା ପଥରେ ଆନନ୍ଦ ଦାୟକ ହୋଇଥିଲା-

 

ଦ୍ୱାରକାରେ ମନ୍ଦିରର ଯେପରି ଅଭାବ ନାହିଁ, ସେପରି ଅଭାବ ନାହିଁ ଦେବସେବକଙ୍କର-। ଅବସ୍ଥା ଦେଖି ନିଃସନ୍ଦେହରେ କୁହାଯାଇପାରେ, ଏହି ପୂଜକ ସଂଖ୍ୟା ଯାହାହେଉନା କାହିଁକି ଏମାନଙ୍କ ଅବସ୍ଥା ମୋଟେ ସ୍ୱଚ୍ଛଳ ନୁହେଁ । ସହରରେ ଏକମାତ୍ର ସିମେଣ୍ଟ କାରଖାନା ଓ ମାଛ କାରବାର ବ୍ୟତୀତ ଅନ୍ୟ କୌଣସି ସେପରି ଉଲ୍ଲେଖନୀୟ କଳକାରଖାନା ବା ବ୍ୟବସାୟ ମାଧ୍ୟମ ଅଛି ବୋଲି ମନେ ହୁଏନା । ଏହି ବ୍ୟବସାୟରେ ଯେଉଁ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ନିଯୁକ୍ତ ଅଛନ୍ତି, ସେମାନଙ୍କୁ ବାଦ୍‍ ଦେଲେ ଅନ୍ୟମାନଙ୍କ ପାଇଁ ସେପରି କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ସେମାନେ କୃଷି, ମଜୁରୀ ଏବଂ ଦେବସେବାରେ ନିଜର ଦିନଗୁଜୁରାଣ କରିଥାଆନ୍ତି-। ଏମାନଙ୍କ ମଧ୍ୟରୁ ଯେଉଁମାନେ କୌଣସି ମନ୍ଦିର ସଙ୍ଗେ ସଂଶ୍ଳିଷ୍ଟ ସେମାନେ ଅତି ନିଷ୍ଠାସହ ସେହି ଠାକୁରଙ୍କୁ ଆବୋରି ପଡ଼ି ରହିଥାଆନ୍ତି । ଦ୍ୱାରକା ଦ୍ୱିତୀୟଧାମ ହେତୁ, ବର୍ଷର ସବୁ ସମୟରେ ଯାତ୍ରୀ ସମାଗମ ହୋଇଥାଏ । ତୀର୍ଥକ୍ଷେତ୍ର ପରିକ୍ରମା କରିବାକୁ ଯାଇ ସେହି ସବୁ ତୀର୍ଥଯାତ୍ରୀଗଣ ପାରିପାର୍ଶ୍ୱିକ ମନ୍ଦିରମାନ ମଧ୍ୟ ଦର୍ଶନ କରିଥାଆନ୍ତି । ଏହି ସୂତ୍ରରୁ ପୂଜକଗଣ କିଛି କିଛି ପାଇ କୌଣସିମତେ ଦୁଃଖେକଷ୍ଟେ ଚଳିଥାନ୍ତି ।

 

ଟାଙ୍ଗାଯାଇ ଗୋମତୀ ସଙ୍ଗମ ନିକଟସ୍ଥ ଗୀତାଭବନରେ ପହଞ୍ଚିଲା । ଆଧୁନିକ ପ୍ରଣାଳୀରେ ନିର୍ମିତ ଗୀତାଭବନଟି ଦେଖିବାକୁ ଅତି ସୁନ୍ଦର । ସମସ୍ତ ଗୀତାର ଶ୍ଳୋକ ଗୁଡ଼ିକ ସାଦା ମାର୍ବଲ ପଥର ଉପରେ କଳା ଅକ୍ଷରରେ ଲିପିବଦ୍ଧ କରାଯାଇଛି । ସମୟର ସ୍ୱଳ୍ପତା ହେତୁ ସେ ସବୁ ଭଲଭାବେ ଦେଖିବା ସମ୍ଭବ ହେଲାନି । କେବଳ ଦେଖିବା ଦୋଷ କଟେଇଦେଇ ସମୁଦ୍ର କୂଳକୁ ଦଉଡ଼ିଲୁ ସୂର୍ଯ୍ୟାସ୍ତ ଦେଖିବାକୁ । ସରକାରୀ ସହାୟତାରେ ସ୍ଥାନୀୟ ପୌରସଭା ଏହି ଜାଗାଟିକୁ ବେଶ ମନୋରମ ପରିବେଶରେ ନିର୍ମିତ କରିଛନ୍ତି । ମାନମନ୍ଦିର ସଦୃଶ ଏଠାରେ ସୂର୍ଯ୍ୟଙ୍କ ସହ ଅନ୍ୟାନ୍ୟ ଗ୍ରହଗଣଙ୍କ ଗତିବିଧିର ଅଙ୍କିତ ବିରାଟ ରେଖାଚିତ୍ର ବିଶେଷ ମର୍ଯ୍ୟାଦାର ଦାବୀ ରଖେ । ସୌରଜଗତ ନେଇ ଯେଉଁମାନେ ଅଭିଜ୍ଞ ବା ଗବେଷଣାରତ ସେମାନେ ଏହା ଦର୍ଶନ କରି ବେଶ ଉପକୃତ ହୋଇପାରିବେ । ଏ ସମସ୍ତ ଦେଖୁ ଦେଖୁ ପଶ୍ଚିମ ଆକାଶରେ ସାଗର ବକ୍ଷରେ ସୂର୍ଯ୍ୟସ୍ତ ସମୟ ଘନେଇ ଆସିଲା ।

 

ଏଠାରେ ସମୁଦ୍ର ଉତ୍ତାଳ ନୁହେଁ କି ବଙ୍ଗୋପସାଗର ଭଳି ତରଙ୍ଗାୟିତ ନୁହେଁ । ବିସ୍ତୀର୍ଣ୍ଣ ବେଳାଭୂମି ଉପରେ ବିଭିନ୍ନ ରଙ୍ଗ ବେରଙ୍ଗର ଶାମୁକା ଜମା ହୋଇ ପଡ଼ିଥାଏ । ପୁରୀ ଭଳି ଏଠାରେ ଯାତ୍ରୀ ସମାଗମ ନଥିବା ହେତୁ ଶାମୁକା ସଂଗ୍ରହକାରୀଙ୍କ ଭିଡ଼ ଦେଖାଯାଏ ନାହିଁ ।ସ୍ଥାନୀୟ ଲୋକଙ୍କ ଏଥିପ୍ରତି ସେପରି ଆଗ୍ରହ ମଧ୍ୟ ନାହିଁ । କେତେକ ବ୍ୟବସାୟୀ ସାମାନ୍ୟ କେତେକ ବିଶେଷ ଧରଣର ଶାମୁକା ସଂଗ୍ରହ କରି ତଦ୍ଦ୍ୱାରା ନାନାବିଧ ସୌଖୀନ ଦ୍ରବ୍ୟ ତିଆରି କରିଥାନ୍ତି ଏବଂ ଯାତ୍ରୀମାନଙ୍କୁ ବେଶ୍‌ଚଢ଼ା ଦାମରେ ବିକ୍ରୟ କରିଥାଆନ୍ତି । ଏଠାରେ ଦେଖିବାକୁ ପ୍ରବାଳ ଭଳି ଏକରକମ ପଥର ରତ୍ନାକରଙ୍କ ଦାନ ଭଳି ଦେଖାଯାଏ । କିଏ କିଏ ଏହାକୁ ଶ୍ୱେତପ୍ରବାଳ ମଧ୍ୟ କହିଥାଆନ୍ତି । ଅନ୍ୟ କେତେକ ବିଶେଷଜ୍ଞ ଏହାକୁ ସମୁଦ୍ରର ଫେଣା ବା କୌଣସି ସାମୁଦ୍ରିକ ପ୍ରାଣୀର କଙ୍କାଳର ଅଂଶ ବିଶେଷ ବୋଲି ସନ୍ଦେହ କରିଥାନ୍ତି ।

 

ସୂର୍ଯ୍ୟଦେବ ଦିବସର କର୍ତ୍ତବ୍ୟ ସମ୍ପାଦନ କରି ନିଜର କର୍ମକ୍ଳାନ୍ତ ଶରୀର ସାଗର ପାର ପଶ୍ଚିମ ଦିଗବଳୟୋପରି ଲୁଚାଇ ଦେବାକୁ ବସିଲେ । ପ୍ରକୃତିରାଣୀ ପଶ୍ଚିମ ଆକାଶ ସହ ସମୁଦ୍ର ପର୍ଯ୍ୟନ୍ତ ଏକରକମ ସିନ୍ଦୂର ରଙ୍ଗା ଗାଲିଚା ବିଛେଇ ଦେଇ ଦିନକରନାଥଙ୍କୁ ଅଭ୍ୟର୍ଥନା ଜ୍ଞାପନ କଲା । ରଙ୍ଗୀନ ଆକାଶ ପଥରେ ଦଳ ଦଳ ବିହଙ୍ଗମ ଶ୍ରେଣୀ ନାନା କଳକାକଳି ରବ ପ୍ରକାଶକରି ନିଜ ନିଜ ନୀଡ଼ାଭିମୁମଖେ ଧାବିତ ହେଲେ । ଆକାଶ ମଧ୍ୟରେ ଏହି ମନୋରମ ଖେଳାକୁବ୍ୟଙ୍ଗ କରି ସମୁଦ୍ର ବୁକୁରେ ଏକ ଅଭିନବ ଖେଳା ଦର୍ଶକମାନଙ୍କୁ ଟାଣି ନେଇଯାଏ ଏକ ଅନାବିଳ ଆନନ୍ଦମୟ ଜଗତକୁ । ସୁଦୂରପ୍ରସାରୀ ସାଗର ବକ୍ଷରେ ସମସ୍ତ ଢେଉ ଲାଲ ଆଉ ଲାଲ । ଏହି ନୟନାଭିରାମ ରଙ୍ଗର ଖେଳା ମଧ୍ୟଦେଇ ଜଗତ ଚକ୍ଷୁ ସୂର୍ଯ୍ୟଦେବ ସମୁଦ୍ର ଗର୍ଭରେ ବିଳୀନ ହୋଇଗଲେ । ତେବେ ବି ଏହି ଲାଲ ରଙ୍ଗର ବିଚିତ୍ର ଖେଳା ସମସ୍ତ ପଶ୍ଚିମ ଆକାଶ ସହ ଅନେକକ୍ଷଣ ପର୍ଯ୍ୟନ୍ତ ଚାଲିବାକୁ ଲାଗିଲା । ମୂଳ ନାୟକଙ୍କ ଅନ୍ତର୍ଦ୍ଧାନ ସଙ୍ଗେ ଏହି ଦୃଶ୍ୟରୁ ଦର୍ଶକ ମନ ପୁଣି କର୍ମମୟ ଦୁନିଆକୁ ଫେରିଆସିଲା । ମାଷ୍ଟ୍ର ମହାଶୟ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଲକ୍ଷ୍ୟକରି ଗାଇବାକୁ ଲାଗିଲେ ।

 

‘‘ସୁରୈରନକୈ ପରିଶୋଭିତାୟ

ହିରଣ୍ୟ ଗର୍ଭାୟ ହିରଣ୍‌ମୟାୟ

ମହାତ୍ମନେ ମୋକ୍ଷପ୍ରଦାୟ ନିତ୍ୟଂ

ନମୋସ୍ତୁତେ ବାସର କାରଣାୟ ।’’

 

ଆଦିତ୍ୟ ଶ୍ଚାର୍ଚ୍ଚିତୋଦେବ ଆଦିତ୍ୟ ପରମ୍‌ପଦମ୍‌

ଆଦିତ୍ୟ ମାତୃକୋ ଭୁତ୍ୱା ଆଦିତ୍ୟୋ ବାଙ୍ଗ୍‌ମୟଂ ଜଗତ୍‍

ଆଦିତ୍ୟଂ ପଶ୍ୟତେ ଭକ୍ତା ମାଂ ପଶ୍ୟତି ଧ୍ରୁବଂ ନରଃ

ନାଦିତ୍ୟଂ ପଶ୍ୟତେ ଭକ୍ତ୍ୟା ନ ସ ପଶ୍ୟତି ମାଂ ନରଃ

ତ୍ରିଗଣଞ୍ଚ ତ୍ରିତଭୂଞ୍ଚ କ୍ରୟୋ ଦେବାସ୍ତ୍ରୟୋହଗ୍ନୟେଃ

କ୍ରୟାଣାଞ୍ଚ ତ୍ରିମୂର୍ତ୍ତିସ୍ତ୍ୱଂ ତୁରୀୟସ୍ତ୍ୱଂ ନମୋସ୍ତୁ ତେ ।

 

ସ୍ତୋସ୍ତ୍ର ପାଠ ଶେଷ ହେଲା । ତାଙ୍କ ସହ ଆଜି ପାଇଁ ଦିନମଣିଙ୍କୁ ଶେଷ ପଣାମ ଜଣାଇ ଜଗତ ମନ୍ଦିର ଅଭିମୁଖେ ଅଗ୍ରସର ହେଲୁ ରଣଛୋଡ଼ଜୀଙ୍କ ସାନ୍ଧ୍ୟ ଆରତି ଦର୍ଶନ କରିବା ସକାଶେ-

 

ମନ୍ଦିର ସନ୍ନିକଟରେ ପୁଣ୍ୟତୋୟା ଗୋମତୀର ସ୍ନାନ ଘାଟ । ସେହି ଘାଟରୁ ଛପନଟି ସିଡ଼ି ଅତିକ୍ରମ କରି ଉପରକୁ ଉଠିଲେ ଏକଶତ ସତୁରି ଫୁଟ (ଧ୍ୱଜାସହ) ଉଚ୍ଚତା ବିଶିଷ୍ଟ ଜଗତ ମନ୍ଦିରର ସ୍ୱର୍ଗଦ୍ୱାରରେ ପହଞ୍ଚିବାକୁ ହୁଏ । ମନ୍ଦିରର ଶୀର୍ଷଦେଶକୁ ଉଠିବା ସକାଶେ ପକ୍‌କା ସୋପାନଶ୍ରେଣୀ ନିର୍ମିତ ହୋଇଅଛି । ଇଚ୍ଛୁକ ବ୍ୟକ୍ତିଗଣ ସ୍ଥାନୀୟ ଶଙ୍କରାଚାର୍ଯ୍ୟ ମଠାଧ୍ୟକ୍ଷଙ୍କ ନିକଟରୁ ଅନୁମତି ନେଇ ଅଗ୍ରସର ହୋଇପାରନ୍ତି । ମନ୍ଦିରରୁ ସହର ପାଖକୁ ଯେଉଁ ବିରାଟ ଦରକା ଦେଖାଯାଏ, ତା’ର ନାମ ମୋକ୍ଷଦ୍ୱାର । ଜଗତ ମନ୍ଦିର ମଧ୍ୟସ୍ଥ ପ୍ରାଙ୍ଗଣ ତଥା ଦେବସ୍ଥାନ ସମୂହକୁ ବୈକୁଣ୍ଠ ପୁରୀ କୁହାଯାଏ । ଯାତ୍ରୀ ସାଧାରଣ ଗୋମତୀର ପୁଣ୍ୟଜଳରେ ସ୍ନାନକରି ସ୍ୱର୍ଗଦ୍ୱାର ମଧ୍ୟ ଦେଇ ବୈକୁଣ୍ଠ ପୁରୀରେ ପ୍ରବେଶ କରିଥାଆନ୍ତି । ସେଠାରେ ଦ୍ୱାରକାଧୀଶରୂପୀ ବୈକୁଣ୍ଠନାଥଙ୍କୁ ଦର୍ଶନ କରି ମୋକ୍ଷଦ୍ୱାର ଦେଇ ଅଭୀଷ୍ଟ ଫଳ ଲାଭାନ୍ତେ ନିଷ୍କ୍ରାନ୍ତ ହୋଇଥାଆନ୍ତି । ଦର୍ଶନର ଏହାହି ସାଧାରଣ ନିୟମ । ଏଥିରେ ଯେ ବ୍ୟତିକ୍ରମ ହୁଏନା ବା କରାଯାଇ ପାରେନା ସେପରି କୌଣସି କଡ଼ାକଡ଼ି ନୀତି ନିୟମ ନାହିଁ । ଏସବୁ କ୍ଷେତ୍ରେ ନିୟମ ଅପେକ୍ଷା ସେଣ୍ଟିମେଣ୍ଟ (SENTIMENT) ବା ଭାବାବେଗର ପ୍ରତିକ୍ରିୟା ବେଶି ଦେଖାଯାଇଥାଏ । ଆମର ଆସନ୍ତାକାଲି ସକାଳେ ଗୋମତୀ ସ୍ନାନ ଓ ଦେବ ଦର୍ଶନ କରିବା ପରିକଳ୍ପନା ରହିଛି । ତେବେ ବି ଗୋମତୀ ଜଳରେ ମସ୍ତକ ସ୍ପର୍ଶ କରି ସ୍ୱର୍ଗଦ୍ୱାର ମଧ୍ୟଦେଇ ମନ୍ଦିର ମଧ୍ୟରେ ପ୍ରବେଶ କଲୁ । ପଥ ମଧ୍ୟରେ ସୋପାନ ଦୁଇପାଖରେ ବିଭିନ୍ନ ଧରଣର ଦର୍ପଣ ନାନାଦି ପଣ୍ୟଦ୍ରବ୍ୟର ଛୋଟ ବଡ଼ ଖୋଲା ପସରା—ଅଧିକାଂଶ ଛବି (ଫଟୋ) ଦୋକାନ, ଦ୍ୱାରକାର ତଥା ଦ୍ୱାରକାଧୀଶଙ୍କ ବିଭିନ୍ନ ଛବି, ତା’ ସଙ୍ଗେ ମନୋହାରୀ ପସରା, ଯାହା ସବୁ ତୀର୍ଥଯାତ୍ରୀଗଣ ସାଧାରଣତଃ କିଣିଥାଆନ୍ତି । ଏ ଜିନିଷ ପ୍ରତି ଆମର ପ୍ରାୟ ଆଗ୍ରହ ନାହିଁ କହିଲେ ଚଳେ । ତା’ଛଡ଼ା ଆଗାମୀ କାଲି ଦେବଦର୍ଶନ ପରେ ଯଦି କିଛି ଦେଖା ବା କିଣା ହୁଏ ତେଣୁ ମନ୍ଦିର ଭିତରୁକୁ ସିଧା ଚାଲିଲୁ ।

 

ସେତେବେଳକୁ ମନ୍ଦିର ଭିତରେ ସେପରି କିଛି ଭିଡ଼ ନଥିଲା । ଯେଉଁମାନେ ଆସିଛନ୍ତି, ସେମାନେ ବୁଲାବୁଲି କରି ଅପେକ୍ଷା କରୁଛନ୍ତି ଭଲଭାବେ ସାନ୍ଧ୍ୟ ଆରତି ଦର୍ଶନ କରିବା ପାଇଁ । ଆମର ଦଳଟି ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ପ୍ରବେଶ କରି ସଙ୍ଗେ ସଙ୍ଗେ ବିଚ୍ଛିନ୍ନ ହୋଇଗଲେ । ଆରତି ବିଳମ୍ୱ ଥିବା ଜାଣି କେତେ ଯାତ୍ରୀ ବୈକୁଣ୍ଠପୁରୀ ଭିତର ଦୃଶ୍ୟ ବୁଲି ଦେଖିବାରେ ଲାଗିଲେ । ଆମେ ଛଅଜଣ ସେସବୁରେ ମନ ନ ଦେଇ ମୂଳ ଲକ୍ଷ୍ୟ ଦେବର୍ଶନ ପାଇଁ ଗୋଟିଏ ଭଲ ଜାଗା ଦେଖି ବସି ଠାକୁରଙ୍କ ପରଦା ଅପସାରଣକୁ ଅପେକ୍ଷା କରି ରହିଲୁ । ଉଦ୍ଦେଶ୍ୟ ଥିଲା ଦେବ ଦର୍ଶନ ପରେ ପାର୍ଶ୍ୱ ଦେବତାମାନଙ୍କୁ ଦର୍ଶନ କରିବା । ପାର୍ଶ୍ୱ ଦେବତାଙ୍କ ପାଖରେ ଝାଙ୍କି ବା ପଡ଼ି ଦର୍ଶନର କଟକଣା ଫଳରେ ମନ୍ଦିର ଖୋଲା ଥିବା ପର୍ଯ୍ୟନ୍ତ ଯେତେବେଳେ ଗଲେ ହେଲେ ଦର୍ଶନ କରିବା କୌଣସି ଅସୁବିଧା ନାହିଁ । ଷ୍ଟେସନକୁ ବେଶି ରାତି ଗରି ଫେରିଲେ ବି କୈଫିୟତ୍‌ ଦେବାକୁ ହେବନାହିଁ । ଟାଙ୍ଗାବାଲାର ତାଗିଦା ନାହିଁ । ସେ ଆମକୁ ଏଠାରେ ଛାଡ଼ିଦେଇ ଦୁଇ ଅଢ଼େଇ ଘଣ୍ଟା ସକାଶେ ଅନ୍ୟ ଧନ୍ଦାରେ ବାହାରି ଯାଇଅଛି । ଦେବ ଦର୍ଶନ ପରେ ପାରିପାର୍ଶ୍ୱିକ ଅବସ୍ଥା ଦେଖିବାପାଇଁ ହାତରେ ପ୍ରଚୁର ସମୟ । ନିଶ୍ଚିନ୍ତ ଭାବରେ ସେଠାରେ ଠିଆହୋଇ ଦେବତାଙ୍କ ଆଗରେ ଝୁଲୁଥିବା ହଳଦିଆ ରଙ୍ଗର ପରଦାକୁ ଚାହିଁ ରହିଲୁ । ଏଠାରେ ବି ସେଇ ଝାଙ୍କି ଦର୍ଶନର ବ୍ୟବସ୍ଥା ଫଳରେ ପ୍ରବେଶ ମାତ୍ରେ ଠାକୁର ଦର୍ଶନ ସବୁ ସମୟରେ ସମ୍ଭବ ହୁଏନା ।

 

କ୍ରମେ ମନ୍ଦିର ପ୍ରାଙ୍ଗଣ ଦର୍ଶନାର୍ଥୀଙ୍କ ଆଗମନରେ ପୂର୍ଣ୍ଣ ହୋଇ ଉଠିଲା । ଭାରତର ବିଭିନ୍ନ ପ୍ରାନ୍ତର ବହୁ ଭାଷାଭାଷୀ ନାନାଜାତି ଭକ୍ତଙ୍କର ସମଷ୍ଟି, ପ୍ରତ୍ୟେକେ ନିଜ ନିଜ ଭାଷାରେ ଗୁହାରି ଜଣାଉଛନ୍ତି ଠାକୁରଙ୍କ ନିକଟରେ । ତାହାରି ଭିତରେ ଯେତେବେଳେ ‘ଜୟ ରଣଛୋଡ଼ଜୀଙ୍କ ଜୟ’ ବୋଲି ଜୟଧ୍ୱନି ନିନାଦିତ ହେଉଅଛି, ସେତେବେଳେ ସମସ୍ତ ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠୁଛି-। ମିଳିତ କଣ୍ଠରେ ଏକ ସ୍ୱରରେ ବିଘୋଷିତ ହେଉ ଅଛି ସେହି ଜୟଧ୍ୱନି । ସମସ୍ତ ଆକାଶ ସେ ଉଲ୍ଲାସ ଧ୍ୱନିରେ ପ୍ରତିଧ୍ୱନିତ ହୋଇ ଉଠୁଛି । ଏକ ଜାଗାରେ କାଶ୍ମୀରରୁ କୁମାରିକା ଏକ ହୋଇ ଉଠୁଛି । ଶ୍ରୀକ୍ଷେତ୍ରରୁ ଦ୍ୱାରକା ଦୂରତ୍ୱ ଅପସରି ଯାଉଛି । ଏକଇତାଳେ ନାଚି ଉଠୁଛି ପୂର୍ବର ମହୋଦଧି ସଙ୍ଗେ ପଶ୍ଚିମ ରତ୍ନାକରର ଉତ୍ତାଳ ତରଙ୍ଗ । କାନ କାନରେ ଶିହରିତ ହୋଇ ଉଠୁଛି ଏହାହି ହିନ୍ଦୁର ସଂସ୍କୃତି, ସଭ୍ୟତା ତଥା ପ୍ରକୃତ ହିନ୍ଦୁତ୍ୱ । ସେହି କ୍ଷଣିକ ଉନ୍ମାଦନାରେ ମନେ ହୁଏନା ଯେ ଆମରି ଭିତରେ ଏତେ ଜାତି ଏତେ ଭାଷା ଏତେ ବ୍ୟବଧାନ ରହିଛି । ଦର୍ଶନାର୍ଥୀ ଯେ କୌଣସି ପ୍ରାନ୍ତୀୟ ବ୍ୟକ୍ତିକୁ ମନେ ହେଉଛି ସତେ ଯେପରି ସେ ଆପଣାର ଲୋକ ।

 

ଏହି ଭକ୍ତ ଦର୍ଶନ ମଧ୍ୟରେ କିଏ ବ୍ରାହ୍ମଣ କିଏ ଇତର ତାହା ଠିକ୍‌କରିବା କାହାର ପକ୍ଷରେ ସମ୍ଭବ ନୁହେଁ । ମୁଣ୍ଡର ତିଳକ ବା କାନ୍ଧର ପଇତା ଦେଖି ମଧ୍ୟ ଶ୍ରେଣୀ ବିଚାର କରିବା ମୋଟେ ସମ୍ଭବ ନୁହେଁ । ଯେପରିକି ଯଜ୍ଞୋପବୀତଧାରୀ ବ୍ରାହ୍ମଣ ଅଛନ୍ତି ସେପରି ପଇତାଧାରି ଉପଜାତି ମଧ୍ୟ ଦେଖିବାକୁ ମିଳିଥାନ୍ତି । ବର୍ତ୍ତମାନ କଥିତ ହରିଜନ ମଧ୍ୟରେ ବି ଚୈତ୍ର ମାସରେ ଯେଉଁମାନେ ଦଣ୍ଡୁଆ ବ୍ରତ ଗ୍ରହଣ କରନ୍ତି, ସେମାନଙ୍କ କାନ୍ଧରେ ପଇତା ସାମୟିକ ଦେଖାଯାଇଥାଏ-। ଚଡ଼କବ୍ରତ ଧାରଣକାରୀ ତାରକେଶ୍ୱର ଭକ୍ତଙ୍କ ଗଳାରେ; ମଧ୍ୟ ପଇତା ସମୟ ବିଶେଷରେ ଦଖାଯାଇଥାଏ । ଏସବୁ କ୍ଷେତ୍ରରେ ଉଚ୍ଚ, ନୀଚ ବର୍ଣ୍ଣର କୌଣସି ପ୍ରଭେଦ ରହେନା-। ସୁତରାଂ ଚିତା, ପଇତା, ଛତା, ଜୋତା ନେଇ ଜାତି ବାରିବା ବ୍ୟର୍ଥ ପ୍ରାୟସ ମାତ୍ର । ଜାତିର ପରିଚୟ କାହାରି ମୁଣ୍ଡରେ ଲେଖା ନଥାଏ, କି ମନ୍ଦିର ପ୍ରବେଶ ସକାଶେ ଦ୍ୱାର ପଥରେ ପରିଚୟ ପତ୍ରର ଆବଶ୍ୟକତା ପଡ଼େନା । ଫଳରେ ଉଚ୍ଚ, ନୀଚ ସମଭାବରେ ପରମ ପିତାଙ୍କ ଅମୃତ ସନ୍ତାନ ରୂପେ ତାଙ୍କର ଦର୍ଶନ ପାଇଁ ଆଗେଇ ଯାଇଥାଆନ୍ତି ନିର୍ବିବାଦରେ । ଏହି ଦର୍ଶନରେ ବାଧା ଆସେ ମନୁଷ୍ୟର ନିଜ ମନରୁ । ଯେତେବେଳେ ସେ ନିଜକୁ ଚଣ୍ଡାଳ ମନେକରେ, ସେତେବେଳେ ତା’ର ମନର ଦୁର୍ବଳତା ମନ୍ଦିର ଦରଜା ଡେଇଁବାକୁ ଦିଏନା । ଏ ଦୁର୍ବଳତା ଜନ୍ମ ସୂତ୍ରରେ ନୁହେଁ ବା କର୍ମକ୍ଷେତ୍ରରେ ନୁହେଁ । ତାହା ଜନ୍ମ ଲାଭ କରେ ଚଣ୍ଡାଳତ୍ୱ ମନ ଉପରେ । ଏହିପରି ନୀଚମନା ବ୍ୟକ୍ତିଙ୍କ ସକାଶେ କେବଳ ମନ୍ଦିର ନୁହେଁ ସମସ୍ତ ପବିତ୍ର କ୍ଷେତ୍ରର ଦ୍ୱାର ଆଗେ ବନ୍ଦହୋଇ ଯାଇଥାଏ । ଏହାକୁ ବିକୃତ କରି ଜାତିଗତ ସୂତ୍ରରେ ପ୍ରଚାରପୂର୍ବକ ବିଭେଦ ସୃଷ୍ଟି କରାଯାଇଥାଏ-। ଜାତିଗତ ନୀଚତା ଯେ କେତେ ତା’ର ପ୍ରକୃଷ୍ଠ ଉଦାହାରଣ ମୋଚି ରୁଇଦାସଙ୍କ ଶିଷ୍ୟ ରୂପେ ବହୁ ବ୍ରାହ୍ମଣ ଓ କ୍ଷତ୍ରୀୟସନ୍ତାନଙ୍କ ସମଷ୍ଟି । ଭୀମଭୋଇ ବା ମୁସଲମାନ ସାଲବେଗଙ୍କ ଗୁରୁ ପଦରେ ପ୍ରତିଷ୍ଠିତ । ବିଶ୍ୱପିତା ଜଗନ୍ନାଥଙ୍କ ପୂଜାଧିକାର ସେହି ପ୍ରାଚୀନ ଶବର ଜାତି ଉପରେ ନ୍ୟସ୍ତ ହେବା-। ଖୋଜି ବସିଲେ ଏପରି ହଜାର ହଜାର ଉଦାହରଣର ଅଭାବ ହେବନି ।

 

ପୁରାତନ ଅଛବ ହେଉ ବା ଆଧୁନିକ ହରିଜନ ହେଉ ତାହାଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ଶୁକ୍ଳ ବସ୍ତ୍ର ପରିଧାନ କରି ପ୍ରକୃତ ଦର୍ଶନାର୍ଥୀ ଭାବରେ ସବୁଜ ମନରେ ଯେ କୌଣସି ଦେବାଳୟ ମଧ୍ୟେ ପ୍ରେବଶ କରେ ତାହାଙ୍କୁ କେଉଁ ମନ୍ଦିରର ଦ୍ୱାର ବନ୍ଦ ହୋଇଥିବା ଦେଖାଯାଇନି କି ଦ୍ୱାରରକ୍ଷୀ ଯାତ୍ରୀକୁ କି ଜାତି ବୋଲି କେଉଁଠି ପଚାରି ବୁଝାଯାଏ ନାହିଁ । ଭାରତର କେଉଁଠି ହେଲେ ଏ ପ୍ରଥାର ପ୍ରଚଳନ ମଧ୍ୟ ଦେଖିବା ସୌଭାଗ୍ୟ ଘଟି ନାହିଁ । ଠିକ୍‌ସେପରି ଅନ୍ୟ ଦିଗେ ଚିତାତିଳକକଟା ଖାଣ୍ଟି ବ୍ରାହ୍ମଣ ତନୟ ହାତରେ ସୁରାଭାଣ୍ଡ ଧରି ବଦ୍ଧ ମାତାଲ ଅବସ୍ଥାରେ ଚଣ୍ଡାଳଜନୋଚିତ ପୋଷାକ ପରିହିତ ହୋଇ ଅତି ପରିଚିତ ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଯଦି ଚାହେଁ, ତେବେ ଦ୍ୱାରରକ୍ଷକର ଆବଶ୍ୟକ ପଡ଼େନା, ଯେ କୌଣସି ସାଧାରଣ ପଥଚାରୀ ମଧ୍ୟ ଏପରି ଅସଙ୍ଗତ ପ୍ରବେଶକୁ ବାଧା ଦିଏ । ଦେବ ଦର୍ଶନରେ ଜାତି ଅନ୍ତରାୟ ନୁହେଁ, ପ୍ରଧାନ ଅନ୍ତରାୟ ମନର ଶୁଚିତା ତଥା ମାନସିକ ପ୍ରସ୍ତୁତି । ମନ ହିଁ ବ୍ରାହ୍ମଣ ଏବଂ ମନ ଚଣ୍ଡାଳତ୍ୱ ଲାଭ କରେ । ମନୁଷ୍ୟ ଚିରଦିନ ମନୁଷ୍ୟ ହୋଇ ରହିଯାଏ । ଯେତେବେଳେ ଦେଖାଯାଏ ଏ ସମସ୍ତ ମନ୍ଦିର ପ୍ରାଙ୍ଗଣ ଦେବ ଦର୍ଶନ ସକାଶେ ଯାତ୍ରୀ ସମାଗମରେ ପରିପୂର୍ଣ୍ଣ ସେତେବେଳେ ସ୍ୱାଭାବିକ ଭାବେ ‘‘କାହାର କେଉଁଜାତି’’ ଖୋଜିବାକୁ ସେ ତତ୍‌ପର ହୁଏନା ।

 

ଏହି ଭାବନା ମଧ୍ୟରେ ଅଧ୍ୟଘଣ୍ଟା ବିତିଗଲା । ହଠାତ୍‌କାନରେ ବାଜି ଉଠିଲା ଘଣ୍ଟା, କରତାଳ, ମୃଦଙ୍ଗ ସହ ମନ୍ଦିରସ୍ଥ ବିରାଟ ଢାକର ଶବ୍ଦ । ଦ୍ୱାରକାଧୀଶଙ୍କ ଏ ବିରାଟ ଢାକ ମଧ୍ୟ ଏକ ଦର୍ଶନୀୟ ବସ୍ତୁ । ଦୁଇଜଣ ଶକ୍ତି ସମର୍ଥ ଯୁବକ ବନ୍ଧା ହୋଇଥିବା ଦଉଡ଼ି ସାହାଯ୍ୟରେ ପାଳିକ୍ରମେ ସେଇ ବିରାଟକାୟ ଢାକରେ ବାଡ଼ି ବାଡ଼ାଇ ବଜାଇ ଥାଆନ୍ତି, ଅନ୍ୟାନ୍ୟ ବାଜା ସଙ୍ଗେ ଏହାର ସମତାଳ ରକ୍ଷାକରି ବାଜାଶବ୍ଦ ଶୁଣିବା ସହ ସମସ୍ତ ଯାତ୍ରୀ ସଜାଗ ହୋଇଉଠିଲେ । ବସିଥିବା ଯାତ୍ରୀଗଣ ଠିଆହୋଇ ନିର୍ଦ୍ଦିଷ୍ଟ ଗେରୁଆ ପଦର୍ଥ ଉପରେ ନଜର ରଖି କରଜୋଡ଼ି ଅପେକ୍ଷା କରିବାକୁ ଲାଗିଲେ । ବେଶି ସମୟ ଅପେକ୍ଷା କରିବାକୁ ହେଲାନି । ଭକ୍ତ ଆଉ ଭଗବାନ ମଧ୍ୟରେ ପ୍ରଧାନ ଝୁଲନ୍ତ ପାର୍ଥୀବ ପରଦା ଅପସରି ଗଲା । ସହସ୍ର କଣ୍ଠରେ ନିର୍ଘୋଷିତ ହୋଇ ଉଠିଲା—ଜୟ ରଣଛୋଡ଼ଜୀଙ୍କ ଜୟ, ଦ୍ୱାରକାଧୀଶଙ୍କ ଜୟଧ୍ୱନି । ସେ ସମସ୍ତ ଭୁଲିଯାଇ ନିର୍ମୀଳିତ ଚକ୍ଷୁରେ ଚାହିଁରହିଲି କଳା ମୁଗୁନି ପଥରରେ ନିର୍ମିତ ଅପରୂପ ମୂର୍ତ୍ତି ରଣଛୋଡ଼ଜୀଙ୍କ ମୁଖମଣ୍ଡଳକୁ । ଏଇ କଳାଶ୍ରୀମୁଖର ମାୟାରେ ବିମୋହିତ ମିରାବାଈ ନିଜର ସମସ୍ତ ସତ୍ତାକୁ ମିଳେଇ ଦେଇଥିଲେ ପାଷାଣ ନିର୍ମିତ ଠାକୁରଙ୍କ ପାଷାଣୁ କଠିନତର ହୃଦୟ ମଧ୍ୟରେ । ସହସ୍ର ସହସ୍ର ଜନ ସମ୍ମୁଖରେ । ଚକ୍ଷୁ ପଲକ ମାତ୍ରେ ଏତେବଡ଼ ଏକ ଅଲୌକିକ ଘଟଣା ଘଟିଗଲା । ଦର୍ଶକଗଣ ସମ୍ୱୀତ୍‌ ଫେରିପାଇ ଦେଖିଲେ ମିରାବାଈଙ୍କ ସ୍ଥାନରେ ପଡ଼ିରହିଛି ପରିତ୍ୟକ୍ତ ଶାଢ଼ୀ ସହ ଅଳୀକ ଆଭରଣ ସମୂହ । ଏ ଘଟଣା କିଛି ପୁରାଣର କଳ୍ପିତ କାହାଣୀ ନୁହେଁ । ମାତ୍ର କେତେଶହ ବର୍ଷ ପୂର୍ବର ଐତିହାସିକ ଘଟଣା । ଜଗତ ମନ୍ଦିର କାହାଣୀ ସଙ୍ଗରେ ଏହା ଓତପ୍ରୋତ ଭାବେ ଜଡ଼ିତ ।

 

ଷାଠିଏ ସ୍ତମ୍ଭ ଉପରେ ନିର୍ମିତ ଭୋଗ ମଣ୍ଡପର ଏକ ଅଂଶରେ ଠିଆ ହୋଇ ଆରତି ଆରାଧନା ଦେଖୁଥିଲୁ । ବିଗ୍ରହଙ୍କ ଠାରୁ ଖୁବ୍‌ଅଳ୍ପ ଦୂର । ସମସ୍ତ କିଛି ଅତି ପରିଷ୍କାର ଦେଖା ଯାଉଅଛି । ଯେ କୌଣସି କ୍ଷେତ୍ରରେ ଦର୍ଶକ ବିଷ୍ଣୁ ପ୍ରତିମାଙ୍କୁ ସ୍ପର୍ଶ କରିବା ନିୟମ ନାହିଁ । ଦୂରରୁ ନିକଟ ଠାକୁରଙ୍କୁ ଅନ୍ତର ନିବେଦନ ଜଣାଇବାକୁ ହୋଇଥାଏ । ସେ ଦୃଷ୍ଟିଭଙ୍ଗୀ ଦେଇ ଦେଖିଲେ ଶିବ ଦର୍ଶନ ଅନେକ ସହଜ । ଏକ ନିର୍ଦ୍ଦିଷ୍ଟ ସମୟରେ ଭକ୍ତ ପ୍ରାଣର ଠାକୁରଙ୍କ ଅବୟବ ଧନ୍ୟ କରାଇ ଆଲିଙ୍ଗନପୂର୍ବକ ସ୍ପର୍ଶ ସୁଖ ଅନୁଭବ କରିଥାଏ । ଅତି ଆପଣାର କରି ନିଜର ସୁଖ ଦୁଃଖ ସମସ୍ତ ନିଜର ସହଜ ଅଭିବ୍ୟକ୍ତ ଭାଷାରେ ବ୍ୟକ୍ତ କରିଥାଏ ଆଉ ବିଷ୍ଣୁ ମଧ୍ୟରେ ପୂଜକ ଓ ପୂଜିତ ମଧ୍ୟରେ ଯୋଗାଯୋଗାକାରୀ ପୁରୋହିତ । ଏହା ସତ୍ୟ ନା କେତେକ ସ୍ୱାର୍ଥାନ୍ୱେଷୀଙ୍କ ପରିକଳ୍ପିତ ପ୍ରଚାର ତା’ର ବିଚାର କରୁଛି କିଏ ? ବିକୃତ କଣ୍ଠର ଅଶୁଦ୍ଧ ଗୀତ ଗୋବିନ୍ଦ ଶୁଣିବାପାଇଁ ଜଗନ୍ନାଥଙ୍କୁ ବଡ଼ ଦେଉଳ ତ୍ୟାଗ କରି ବାଇଶପଦରକୁ ଛୁଟିବାକୁ ପଡ଼ିଥିଲା । ବର୍ତ୍ତମାନ ଏହା ନିଛକ କାହାଣୀ ମାତ୍ର । ଯାହା ହେଉ ଏ ସବୁ ବିଷୟର ଅବତାରଣା ଏଠାରେ ଅବାନ୍ତର । ମନ ଯଦି ପବିତ୍ର ଥାଏ, ତେବେ ଠାକୁରଙ୍କ ଦୂରତ୍ୱ ଗଜଫୁଟ ଦେଇ ମାପ କରାଯାଇ ନଥାଏ ।

 

ସମ୍ମୁଖରେ ଚତୁର୍ଭୁଜ ଶ୍ରୀକୃଷ୍ଣ ମୂର୍ତ୍ତି । କଳା ମୁଗୁନି ପଥରରେ ନିଖୁଣ ଭାବରେ କେବେ କେଉଁ କାରିଗର ନିର୍ମାଣ କରିଥିଲେ ତାହା ଜାଣିବାର କୌଣସି ଉପାୟ ନାହିଁ । ସଚରାଚର ଦ୍ୱିଭୁଜ ମୁରଳୀଧାରୀ ଶ୍ରୀଖଣ୍ଡଚୂଳ ଶୋଭିତ କୃଷ୍ଣ ମୂର୍ତ୍ତି ସଙ୍ଗେ ପରିଚିତ । ଏଠାରେ କିନ୍ତୁ ତା’ର ବହୁ ବ୍ୟତିକ୍ରମ ନଜରରେ ପଡ଼େ । ସବୁଠାରୁ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଦେବତା ଏଠାରେ ଯୁଗଳ ମୂର୍ତ୍ତି ନୁହନ୍ତି । ଲୀଳା ସଙ୍ଗୀନୀ ଶ୍ରୀରାଧା ଏଠାରେ ଅନୁପସ୍ଥିତ । ପ୍ରକୃତି ପୁରୁଷର ମଧୁର ମିଳନ ରୂପକ ବ୍ୟାଖ୍ୟାର ନିଦର୍ଶନ ବଦଳରେ ଏଠାରେ କେବଳ ପୁରୁଷାକାର ଶ୍ରୀକୃଷ୍ଣଙ୍କ ନମନୀୟ ମୂର୍ତ୍ତି ଦର୍ଶନ କରାଯାଇଥାଏ । ସେ ପୁଣି ଏ କ୍ଷେତ୍ରେ ଦ୍ୱିଭୁଜ ନୁହନ୍ତି ଚତୁର୍ଭୁଜ । ରୁକ୍ମିଣୀ ଲୀଳା ସଙ୍ଗୀନୀ ନୁହନ୍ତି, କର୍ମ ସଙ୍ଗୀନୀ । ସେ ସକାଶେ ଯେଉଁ ଜାଗାରେ ତାଙ୍କର ଉପସ୍ଥିତ ଥିବା ଉଚିତ, ସେ ସେହି ଜାଗାରେ ସ୍ୱ ମହିମାରେ ଅଧିଷ୍ଠିତ । ସେଥିପାଇଁ ରୁକ୍ମିଣୀ ମନ୍ଦିରରେ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ମିଳିନି । ତେବେ ଚତୁର୍ଭୁଜ ମୂର୍ତ୍ତି କାହିଁକି ତାହା ସମ୍ପୂର୍ଣ୍ଣ ବୋଧଗମ୍ୟର ବାହାରେ । ହଠାତ୍‌ମନେହୁଏ ଏ ଯେପରି ବୈକୁଣ୍ଠ ପୁରୀର ନାରାୟଣ, ମର୍ତ୍ତ୍ୟର ମନୁଷ୍ୟ ରୂପଧାରୀ ଶ୍ରୀକୃଷ୍ଣ ନୁହନ୍ତି । ଯେପରି ପ୍ରଶାନ୍ତ ବଦନ ସେପରି ନୟନାଭିରାମ ମୂର୍ତ୍ତି । ଏତ ଗଲା ବାହ୍ୟକ ପ୍ରକାଶ। ଅନ୍ତର କଥା ଚିନ୍ତା କରିବାକୁ ଗଲେ ଦେବତାର ରୂପରସ, ଭକ୍ତର ଭାବ ସାଥିରେ ପୂର୍ଣ୍ଣ ଭାବେ ଜଡ଼ିତ । ସେ ବର୍ଣ୍ଣନା ଭାଷାର ଅତୀତ । ସେ ସକାଶେ ମହାତ୍ମା ବାକ୍ୟ ଶୁଣିବାକୁ ମିଳେ—‘‘ଭକ୍ତ ଯେଉଁ ଭାବେ ଚାହେଁ ଦେବତା ଦେଖା ଯାଇଥାନ୍ତି ଠିକ୍‌ସେହି ରୂପରେ । ଯଶୋଦା ପାଖରେ ଯିଏ ବାଳଗୋପାଳ, ଗୋପୀଜନ ନିକଟରେ ସେହି ପୁଣି ରମଣୀ ରଞ୍ଜନ । ସୁବଳ, ସୁଦାମା ନିକଟରେ ଯିଏ ଗୋପାଳକ ସଖା, ସୁହୃଦ, ସେହପୁଣି ମହାଭାରତ ଯୁଦ୍ଧରେ କାଳରୂପୀ କପିଧ୍ୱଜ ରଥରେ ପାର୍ଥ ସାରଥୀ । ସେହି ଅଶ୍ୱ ଚାଳକ, ପୁଣି ସେଇ ରଥର ରଥୀ ଅର୍ଜ୍ଜୁନ ନିକଟରେ ବିଶାଳ ବିଶ୍ୱର ନିୟନ୍ତା ।

 

ଏବେ ଆମ ଆଖିରେ ସେ ଚତୁର୍ଭୁଜ ରଣଛୋଡ଼ଜୀ ତଥା ଦ୍ୱାରକାଧୀଶ ରୂପେ ବିଚାଜିତ-। ରାଜ ରାଜେଶ୍ୱର ପ୍ରଶାନ୍ତ ବଦନରେ ଗଣ ସମ୍ମୁଖରେ ଯୋଗ ଅଭିଯୋଗ ଶୁଣିବାକୁ ଉପସ୍ଥିତ-। ଦରବାରରେ ରାଜା ଆଉ ପ୍ରଜା ମଧ୍ୟରେ ପ୍ରତିବନ୍ଧକ ତୃତୀୟ ପୁରୁଷର ଉପସ୍ଥିତି ସମ୍ପୁର୍ଣ୍ଣ ବିଲୁପ୍ତ ହୋଇଛି । ସେ ସୁଯୋଗ ପାଇ ଅଗଣିତ ଯାତ୍ରୀ ନିଜ ନିଜ ଭାଷାରେ ଗଳା ଫଟାଇ ଜଣାଇ ଚାଲିଛନ୍ତି ଆତ୍ମନିବେଦନ । ପ୍ରତ୍ୟେକଙ୍କର ଲକ୍ଷ୍ୟ ଆମୃତଙ୍କ ଦୃଷ୍ଟି ନିଜ ପ୍ରତି ଆକର୍ଷଣ କରିବା-। ନିରୀହ ସ୍ତାବକଙ୍କ ସଂଖ୍ୟା ମଧ୍ୟ କିଛି କମ୍‍ ନୁହେଁ । ସେମାନେ ମଧ୍ୟ ନୀରବରେ ଜଣାଇ ଯାଉଛନ୍ତି ନିଜର ଗୁହାରି । ଦେବତା ପ୍ରସନ୍ନ ବଦନରେ ଅଗଣିତ ଭକ୍ତଙ୍କର ନୀରବ ପ୍ରାର୍ଥନା ସମଭାବରେ ଶ୍ରବଣ କରିଯାଉଛନ୍ତି । ଏଥିପାଇଁ ଦେବଭାଷା କି ପ୍ରାକୃତ ଶବ୍ଦ କୌଣସି ଅନ୍ତରାୟ ହୋଉ ଉଠୁନି-। ଦେବତାଙ୍କ ମୁଖ ମଣ୍ଡଳର ଭାବ ବୁଝିବା ଶକ୍ତି ଯେଉଁମାନଙ୍କର ଅଛି, ସେ ଭାବ ସେମାନେ ହିଁ; ବୁଝି ପାରିବେ ।

 

ସୁଉଚ୍ଚ, ସୁକାନ୍ତି ମଣ୍ଡିତ ପୂଜକ ଏକ ହସ୍ତରେ ଧୂପଦାନି ଏବଂ ଅନ୍ୟ ହସ୍ତରେ ଘଣ୍ଟା ନାଦ କରି ଆରତ୍ରିକ କର୍ମ ଆରମ୍ଭ କଲେ । ସାଧାରଣତଃ ଧୂପ, ପଞ୍ଚ ପ୍ରଦୀପ, (କର୍ପୂର ଆରତି ଏହାର ଅଙ୍ଗୀଭୂତ) ଶଙ୍ଖ ଜଳ, ଧୌତ ବସ୍ତ୍ର ପୁଷ୍ପ ବା ବିଳ୍ୱପତ୍ର, ଚାମର ଓ ପ୍ରଣାମ ଏହି ପର୍ଯ୍ୟାୟକ୍ରମେ ଆରତି ହୋଇଥାଏ । ତାହାରି ମଧ୍ୟରେ ପଞ୍ଚ ପ୍ରଦୀପ ଆରତି ମନକୁ ମୁଗ୍‌ଧ କରେ । ପ୍ରଦୀପଶିଖା ପ୍ରଜ୍ଜ୍ୱଳିତ ହେବା ସଙ୍ଗେ ସଙ୍ଗେ ଅଜ୍ଞାନ ତିମିରାନ୍ଧସ୍ୟ ବିଦୂରିତ ହୋଇ ତାହାର ଜ୍ୟୋତି ଉପାସ୍ୟ ଆଉ ଉପାସକ ମୁଖ ମଣ୍ତଳରେ ସମଭାବରେ ପ୍ରତିଫଳିତ ହୋଇଥାଏ । ସନ୍ନିକଟରେ ଦଣ୍ଡାୟମାନ ଯାତ୍ରୀ ଯେପରି ସେ ମହାନ୍‌ଜ୍ୟୋତି ଶିଖା ଅନୁଭବ କରିପାରେ, ସେପରି ସୁଦୂରରେ ଦଣ୍ଡାୟମାନ ଭକ୍ତ ମଧ୍ୟ ସେହି ବିମଳ ଶିଖାର ଆଲୋକରେ ଉଦ୍ଭାସିତ ହୋଇ ଉଠିଥାନ୍ତି । ଏଇ ଉଜ୍ଜ୍ୱଳ ଶିଖାର ଦର୍ଶନ ମାତ୍ରେ ସକଳ ଭକ୍ତଗଣ ଉପାସ୍ୟର ଜୟ ଗାନରେ ଉଦ୍‌ବେଳିତ ହୋଇ ଉଠନ୍ତି । ଦର୍ଶକ ଗଣଙ୍କ ଆନନ୍ଦୋଚ୍ଛାସ ମଧ୍ୟ ଦେଇ ପୂଜକ ତାଙ୍କର ଲାବଣ୍ୟ ତନୁକୁ ନିଶ୍ଚଳ ରଖି କର ସଞ୍ଚାଳନପୂର୍ବକ ମଙ୍ଗଳ ଆରତ୍ରିକ କର୍ମ ସୁସମ୍ପନ୍ନ କରି ଥାଆନ୍ତି । ଆରାଧ୍ୟଙ୍କ ପାଦ ଦେଶରେ ଚାରିଥର, ନାଭି ମଣ୍ଡଳରେ ଦୁଇ, ମୁହଁରେ ତିନି ଏବଂ ସର୍ବ ଶରୀରେ ସାତ ଥର ଏପରି ଷୋହଳ ଥର ହସ୍ତଧୂତ ଆରତି ପ୍ରଦୀପ ଦେବତାଙ୍କ ଶରୀରକୁ ପ୍ରଦକ୍ଷିଣ କରିଥାଏ । ଆବଶ୍ୟକାନୁଯାୟୀ ଏହା ଆନୁପାତିକ ଭାବେ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ମାଙ୍ଗଳିକ କର୍ମ ସଙ୍ଗେ ଯାତ୍ରୀଗଣଙ୍କ ଜୟୋଲ୍ଲାସ ଓ ତତ୍‌ସହ ଶଙ୍ଖ, ମହୁରୀ, ଖୋଳ, କରତାଳ, ଢକ୍‌କା ପ୍ରଭୃତିର ପବିତ୍ର ବାଜଣା ମନୁଷ୍ୟ ମନକୁ କେଉଁ ଏକ ଅନାବିଳ ଆନନ୍ଦପୁରୀକୁ ନେଇଯାଏ । ପ୍ରକୃତରେ ବୈକୁଣ୍ଠ ଅଛି କି ନାହିଁ, ଥିଲେ ବା ତା’ କେଉଁଠି ଏବଂ ମାନବର ସହଜ ଲଭ୍ୟ କି ନାହିଁ ତାହା ନେଇ ଏ ଯାଏଁ କୌଣସି ନିର୍ଭରଯୋଗ୍ୟ ସୂତ୍ର ଆବିଷ୍କାର ହୋଇ ନାହିଁ । ତେବେ ଏହା ଅତି ବାସ୍ତବ ଯେ ସାଂସାରିକ ପଙ୍କିଳତାରୁ ମୁକ୍ତି ଲାଭ କରି ମନ ଯେଉଁଠି ଅନାବିଳ ଆନନ୍ଦମୟ ଜଗତରେ ବିଚରଣ କରି ପାରେ, ହୃଦୟ ଯେଉଁଠି ଶତଦଳ ପଦ୍ମ ଭଳି ପ୍ରସ୍ଫୁଟିତ ହୋଇ ଅନନ୍ତ ମହାଶକ୍ତି ସଙ୍ଗେ ମିଳିତ ହେବା ପାଇଁ ଉନ୍‌ମୁଖ ହୋଇ ଉଠେ, ସମସ୍ତ ପାର୍ଥିବ ଜଗତ ବିକାରଶୂନ୍ୟ ମନେ ହୁଏ, ସେଠାରେ ହିଁ ବିରାଜମାନ କରେ ଚିର ଇପ୍‌ସିତ ଶାନ୍ତି ଆଉ ସୁଖ । ଏହା ଯେଉଁ ଜାଗାରେ ସମ୍ଭବ, ସେହି କ୍ଷେତ୍ର ହିଁ ଅନୁଭବୀ ପକ୍ଷେ ସ୍ୱର୍ଗ, ବୈକୁଣ୍ଠ, କୈଳାସ ବା ବ୍ରହ୍ମଲୋକ ।

 

ମନର ଏପରି ଏକ ନୈସର୍ଗିକ ଅବସ୍ଥା ମଧ୍ୟରେ ସମତା ରକ୍ଷାକରି ମନ୍ଦିରର କେଉଁ ଏକ ପ୍ରାନ୍ତରୁ ଭକ୍ତ କଣ୍ଠରୁ ନିର୍ଗତ ହେବାକୁ ଲାଗିଲା ଦେବତା ଉଦ୍ଦେଶ୍ୟ ଗାନ ବିଶେଷ ।

 

ଗଳାର ସୁର ସଙ୍ଗେ ଗଳା ମିଶାଇ ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଧ୍ୱନିତ ହେବାକୁ ଲାଗିଲା, ସେହି ମଧୁର ବନ୍ଦନା । ସେହି ସ୍ତବ ମଧ୍ୟ ଦେଇ ସମସ୍ତ ଜନତା ଯେ ଯାହା ସ୍ଥାନରେ କରପତ୍ର ଯୋଡ଼ି ଆରତି ଦର୍ଶନ କରୁଛନ୍ତି । ପୂଜକ ହସ୍ତ ଧୃତ ପଞ୍ଚ ପ୍ରଦୀପର ମୃଦୁ ଜ୍ୟୋତି ସହସ୍ର ଗୁଣେ ପ୍ରତିଫଳିତ ହୋଇ ସମଭାବେ ବିତରିତ ହେଉଅଛି ସମସ୍ତ ଚତ୍ୱରରେ । ମଝି ମଝିରେ ପ୍ରତିଧ୍ୱନିତ ହେଉଛି—ଜୟ ରଣଛୋଡ଼ଜୀଙ୍କ ଜୟ । ସମସ୍ତଙ୍କ ଆଗ୍ରହ ପରିପୂର୍ଣ୍ଣ କରି ପୂଜକ ପର୍ଯ୍ୟାୟ କ୍ରମେ ଆରତ୍ରିକ କର୍ମ ସମାପନ କଲେ । ପରେ ପରେ ଚାଲିଲା ଠାକୁରଙ୍କ ଚରଣୋଦକ ସଂଗ୍ରହ କରିବା ପାଇଁ ଭକ୍ତଗଣଙ୍କ ତତ୍ପରତା । ଦେବଦର୍ଶନ ଅପେକ୍ଷା ଚରଣୋଦକ ପାଇଁ ଯାତ୍ରୀଙ୍କର ଏ କାଙ୍ଗାଳ ପଣ ଦେବତା ବୋଧହୁଏ ସହ୍ୟ କରିପାରିଲେ ନାହିଁ । ସେଥିପାଇଁ ବୋଧହୁଏ ଉପାସ୍ୟ ଆଉ ଉପାସକ ମଧ୍ୟରେ ପୁଣି ସେହି ମୋଟା ପରଦା ଟଣା ହୋଇଗଲା । ଆମର ଏ ଠେଲା ଠେଲି ପ୍ରତି ଠାକୁରଙ୍କ ମନୋଭାବ କ’ଣ ତାହା ପରଦା ଭେଦ କରି ଆଉ ଆମର ଦୃଷ୍ଟିଗୋଚର ହେଲା ନାହିଁ ।

 

ଆମେ ଯେଉଁ ଜାଗାରେ ଠିଆ ହୋଇଥିଲୁ ଠିକ୍‌ସେହିଠାରେ ଜଣେ ପୂଜକ ଚରଣୋଦକ ଦେବାକୁ ଆରମ୍ଭ କଲେ । ତେଣୁ ଅତି ସହଜରେ ଚରଣୋଦକ ପାଇଲୁ; କିନ୍ତୁ ସହଜରେ ସେହି ଭିଡ଼ ଭିତରୁ ମୁକ୍ତି ମିଳିବା ସମ୍ଭବ ହେଲାନି । ଅତି କଷ୍ଟରେ ପ୍ରାୟ ଗଳଦ୍‌ଘର୍ମ ଅବସ୍ଥାରେ ସେ ଭିଡ଼ ଭିତରୁ ଉଦ୍ଧାର ପାଇ ପୁଣି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେଲୁ । ଏହାପରେ ବେଢ଼ା ପରିକ୍ରମା କରିବା କଥା । ଦ୍ୱିତୀୟ ଧାମ ଦ୍ୱାରକା । ଆରାଧ୍ୟ ଦେବତା ଦ୍ୱାରକାଧୀଶ । ତାଙ୍କର ସାନ୍ଧ୍ୟ ଦର୍ଶନ ବେଶ୍‌ଭଲ ଭାବରେ ହେଲା । ଉତ୍ତରରେ ପ୍ରଥମ ଧାମ ବଦ୍ରୀନାଥ ଦର୍ଶନ କରି ଅଗ୍ନିକୁଣ୍ଡ ସନ୍ନିକଟରୁ ପୁଣ୍ୟତୋୟା ଅଳକାନନ୍ଦା ଜଳ ସଂଗ୍ରହ କରି ସେଠାରୁ ପଶ୍ଚିମସ୍ଥ ଦ୍ୱିତୀୟ ଧାମ ରତ୍ନାକର ତୀରସ୍ଥ ଦ୍ୱାରକା ଧାମ ଦର୍ଶନ ଉଦ୍ଦେଶ୍ୟରେ ଆସିଛୁ । ଦ୍ୱାରକାନାଥ ଦର୍ଶନ ପରେ ସମୁଦ୍ର ଜଳ ସଂଗ୍ରହ କରି ଉଭୟ ଜଳ ସହ ପବିତ୍ର ତୃତୀୟ ଧାମ ରାମନାଥ ବା ରାମେଶ୍ୱର ଅଭିମୁଖେ ଯାତ୍ରା । ଚାରିଧାମ ମଧ୍ୟରେ ତିନି ଧାମରେ ଆରାଧ୍ୟ ଦେବତା ବିଷ୍ଣୁ ମୂର୍ତ୍ତି । କେବଳ ଦକ୍ଷିଣର ତୃତୀୟ ଧାମ ରାମେଶ୍ୱେରରେ ବ୍ୟତିକ୍ରମ । ଏଠାରେ ଧାମାଧୀଶ ରାମେଶ୍ୱର, ମହାଦେବ । ଚୁତର୍ଦ୍ଧାମ ପରିକ୍ରମାକାରୀ ତୀର୍ଥ ଯାତ୍ରୀ ମହୋଦଧି ତଥା ବଙ୍ଗୋପ ସାଗରରେ ସ୍ନାନ କରି ସେହି ଜଳ ସହ ଅନ୍ୟ ଦୁଇ ଜଳରେ ରାମେଶ୍ୱର ବାଲୁକା ଲିଙ୍ଗକୁ ଅଭିଷେକ କରି ଦର୍ଶନ କରିବା ବିଧେୟ । ଏହି ପୁଣ୍ୟ କର୍ମ ସମାପନ କରି ଚତୁର୍ଥ ଧାମ ତଥା ଶେଷ ଧାମ ନୀଳାଚଳ ଶଙ୍ଖ କ୍ଷେତ୍ରରେ ଜଗନ୍ନାଥ ଦର୍ଶନ । ଯେଉଁଠି ସବୁ କିଛି ବଡ଼ । ଦେଖିବାକୁ ଗଲେ ଆଖିରେ ପଡ଼େ, ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ନେତ, ବଡ଼ ଭୋଗ, ବଡ଼ ଠାକୁର ପ୍ରଭୃତି ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏଠାରେ ପ୍ରତିଟି ଧୂଳି କଣା ମଧ୍ୟ ବଡ଼ । ସେଥିପାଇଁ ଭକ୍ତ କାତରକଣ୍ଠରେ ପ୍ରାର୍ଥନା ଜଣାଇଛି ସେଇ ଶରଧା ବାଲିର ସ୍ଥାନପାଇଁ, ଧନ ଦୌଲତ କିଛି ନ ଲୋଡ଼ି । ତିନିଧାମ ଶେଷ କରି ଏକ ପ୍ରଶସ୍ତ ମନ ନେଇ ଏହିପରି ଏକ ମହତ ଧାମକୁ ଯାତ୍ରା କରିବାକୁ ହୁଏ ଚୁତର୍ଥଧାମ, କାମ, ମୋକ୍ଷ ସେଇ ଚକାଡୋଳାଙ୍କ ପାଦ ପଦ୍ମରେ ସମର୍ପଣ କରି ସମ୍ପୂର୍ଣ୍ଣ ନିଷ୍କାମ ମନ ତଥା ଶୂନ୍ୟ ହୃଦୟ ନେଇ ପୁଣି ଗୃହସ୍ଥାଶ୍ରମକୁ ଫେରିବାକୁ ପଡ଼ିଥାଏ । ଆଉ ଏ ଆଲୋଚନାରେ କାମ ନାହିଁ; ମାତ୍ର ଦୁଇଧାମ ଯେଉଁ ମହାନ ଶକ୍ତିର ଅସୀମ ଦୟାରୁ ଦର୍ଶନ ସମ୍ଭବ ହୋଇପାରିଛି ସେହି ଅନୁକମ୍ପାରୁ ଯଦି ଅନ୍ୟ ଦୁଇଧାମ ପରିକ୍ରମା ସମ୍ଭବ ହୁଏ, ତେବେ ଭାବନା ସଫଳ ହେଲା ବୋଲି ଜାଣିବ ।

 

ମନର ଭାବନା ମନରେ ରଖି ବେଢ଼ା ପରିକ୍ରମାରେ ଆଗେଇ ଚାଲିଲୁ । ବେଢ଼ା ଭିତରେ ଅସଂଖ୍ୟ ଛୋଟ ବଡ଼ ମନ୍ଦିର । ତାହାର ମଧ୍ୟରେ ପ୍ରଦ୍ୟୁମ୍ନ ମନ୍ଦିରର ବିଶେଷତ୍ୱ ଦ୍ରଷ୍ଟବ୍ୟ । ପ୍ରଦ୍ୟୁମ୍ନ ଜ୍ୟେଷ୍ଠ ତଥା ପାଟରାଣୀ ରୁକ୍ମିଣୀଙ୍କ ଗର୍ଭଜାତ ସନ୍ତାନ । ତଦୁପରି ତାଙ୍କର ଔରସ ଜାତ ପାଟରାଣୀ ରୁକ୍ମିଣୀଙ୍କ ଗର୍ଭଜାତ ସନ୍ତାନ । ତଦୁପରି ତାଙ୍କର ଔରସ ଜାତ ବଂଶଧରଗଣ ପରବର୍ତ୍ତିକାଳରେ ଯଦୁ ବଂଶର ଗୌରବ ବହନ କରି ରାଜତ୍ୱ କରିଥିଲେ । ଖୁବ୍‌ସମ୍ଭବ ସେଥିପାଇଁ ଦ୍ୱାରକାଧୀଶ ମନ୍ଦିର ବେଢ଼ାରେ ତାଙ୍କ ମନ୍ଦିରର ପ୍ରାଧାନ୍ୟ ସ୍ୱୀକୃତି ଲାଭ କରିଅଛି । ନାନାଦି ପୁରାଣମାନଙ୍କରେ ଶ୍ରୀକୃଷ୍ଣଙ୍କ ଏକ ଲକ୍ଷ ଷାଠିଏ ସହସ୍ର ଅଶୀଏ ସନ୍ତାନ କଥା ଉଲ୍ଲେଖ ଥିବା ଜଣାଯାଏ । ଏ ବିପୁଳ ସଂଖ୍ୟକ ତାଙ୍କର ଔରସ ଜାତ ପୁତ୍ର ନା ପୁତ୍ର ସ୍ଥାନୀୟ ପ୍ରଜାଗଣ ତା’ ନିରୂପଣ କରିବା ଦୁଷ୍କର । ସେହି ସବୁ ପୁରାଣମାନଙ୍କରେ ପୁତ୍ର ସଂଜ୍ଞା ନିରୂପଣ କରିବାକୁ ଯାଇ ବହୁ ଉଦାହାରଣ ଦେଇଥିବା ଦେଖାଯାଏ । ଏହା ଭାବିଲେ ଖୁବ୍‌ଅନ୍ୟାୟ ହେବନି ଯେ ସେ ସମୟରେ ଦ୍ୱାରକା ସହରର ଜନସଂଖ୍ୟା ଥିଲା ୧୬୦୮ । ପ୍ରଜାଗଣ ରାଜଙ୍କ ସନ୍ତାନ ତୁଲ୍ୟ । ଏହି ଶାସ୍ତ୍ରୋକ୍ତ ମତ ପରବର୍ତ୍ତୀ ସମୟରେ ଅତ୍ୟୁତ୍ସାହୀଏହି ପୁରାଣକାରମାନେ ସନ୍ତାନତୁଲ୍ୟରୁ ତୁଲ୍ୟକୁ ବାଦ ଦେଇ କେବଳ ସନ୍ତାନରେ ପରିଣତ କରି ବସିଛନ୍ତି, ଯଦୁପତି କୃଷ୍ଣଙ୍କ ଅଲୌକିକତା ଓ ବିଶାଳତାକୁ ପ୍ରମାଣିତ କରିବା ଉଦ୍ଦେଶ୍ୟରେ । ନ ହେଲେ ଏ ବିପୁଳ ସଂଖ୍ୟକ କୃଷ୍ଣ ସନ୍ତାନଙ୍କ କଥା ପୁରାଣମାନଙ୍କରେ ଉଲ୍ଲେଖ ଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ କଳାପ ସଂପର୍କରେ ବିବରଣୀ କିଛି ମିଳେ ନାହିଁ ।

 

ପ୍ରଦ୍ୟୁମ୍ନଙ୍କ ମନ୍ଦିର ପରେ ଯଥାକ୍ରମେ ଦେଖିବାକୁ ମିଳେ ତ୍ରିବିକ୍ରମ ବା ବଳରାମ, ଅନିରୁଦ୍ଧ, ଜାମ୍ୱବତୀ, ରାଧିକା, ସତ୍ୟଭାମା ପ୍ରଭୃତି ସପ୍ତପାଟବଂଶୀ ମନ୍ଦିର (ରୁକ୍ମିଣୀ ମନ୍ଦିର ବ୍ୟତୀତ) ଏବଂ ଦେବକୀ, ରାଧାକୃଷ୍ଣ, ଗୋପାଳକୃଷ୍ଣ, ଲକ୍ଷ୍ମୀନାରାୟଣ, କେଶବ, ଫୁଲେଶ୍ୱର, ପୁରୁଷୋତ୍ତମ, ବେଶୀମାଧବ, ମହାଦେବ, କାଶୀବିଶ୍ୱନାଥ, ଅମ୍ୱିକାଦେବୀ, ଦୁର୍ବାସା, ଦତ୍ତାତ୍ରେୟ, ନବଗ୍ରହ ମନ୍ଦିର ପ୍ରଭୃତି । ତତ୍‌ସହ ଯୁଗାଚାର୍ଯ୍ୟଶଙ୍କର ପ୍ରତିଷ୍ଠିତ ଶାରଦା ମଠ ଓ ମାଧବରାୟ ମଠ ଦେଖିଲୁ ଏହିଠାରେ ସାଧାରଣତଃ ପ୍ରତ୍ୟହ ଧର୍ମାଲୋଚନା ହୋଇଥାଏ ।

 

ଯଦିଓ ରାସ୍ତା ମଧ୍ୟରେ ଇନ୍ଦିରା ଆମର ସଙ୍ଗୀ ହୋଇଛି, ତଥାପି ଏବେ ତାକୁ ପ୍ରାୟ ସମସ୍ତେ ସହଯାତ୍ରିଣୀ ହିସାବରେ ସ୍ୱୀକାର କରିନେଲେଣି । ସେ ଦିଗରୁ ସେପରି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ଇନ୍ଦିରା ନିଜ ତରଫରୁ ନଜରରେ ପଡ଼ିଲାଭଳି କିଛି ଭୂମିକା ନେଇନି । ସାଧାରଣଭାବେ ଦେଖିଲେ ମନେ ହେବ ଯେପରି ଗୋଟିଏ ଗେଲବସର ଭଉଣୀ ଭାଇ ଭାଉଜ ସାଥିରେ ଦେଶ ଭ୍ରମଣରେ ବାହାରିଛି । ମୋ ପ୍ରତି ତା’ର ଟିକିଏ ଆଦର ଯତ୍ନ ବିଶେଷ ଭାବେ ବୃଦ୍ଧି ପାଇଲାଭଳି ମନେହୁଏ । ମୋ ସାଙ୍ଗରେ ତା’ର କଥାବାର୍ତ୍ତାଅବଶ୍ୟ ଅତି ସୀମିତ ହେଲେ ମଧ୍ୟ ତା’ର ସଜାଗ ଦୃଷ୍ଟି ଯେ ପ୍ରତି ମୁହୂର୍ତ୍ତରେ ମୋ ପ୍ରତି ରହିଛି, ଏହା ସହଜରେ ଧରା ପଡ଼ିଯାଏ । ସେଥିପାଇଁ ସମୟେ ସମୟେ ମନେହୁଏ ବିଦେଶ ଭୂଇଁରେ ଏଭଳି ଗୋଟିଏ ସ୍ନେହାତୁରା ଭଉଣୀ ସର୍ବଦା ପାଖେ ପାଖେ ରହନ୍ତ କି ? କିନ୍ତୁ ସତରେ ତ ଆଉ ତାହା ସମ୍ଭବ ନୁହେଁ । ଏକା ସଙ୍ଗେ ଯାତ୍ରା ଫଳରେ ସରସ୍ୱତୀ ସାଥିରେ ତା’ର ଘନିଷ୍ଠତା ବେଶ୍‌ବଢ଼ିଯାଇଛି । ଯେତେ ସବୁ କଥାବାର୍ତ୍ତା ତା’ରି ସାଥିରେ । ବଜାର ହାଟ ବୁଲିବାରେ ଅନଭ୍ୟସ୍ତା ସରସ୍ୱତୀ ଇନ୍ଦିରାର ଜୋର ସାଙ୍ଗେ ପାରି ଉଠେନା । କିଣାକିଣି ସେପରି ନ ହେଲେ ମଧ୍ୟ ଅବସର ମିଳିବା ମାତ୍ରେ ନଣନ୍ଦ ଭାଉଜଙ୍କ ବୁଲିବାରେ ବିରାମ ନାହିଁ । ଏହି ମିଳାମିଶା ଫଳରେ ସରସ୍ୱତୀ ଭଳି ଘରକଣ ମହିଳା ମଧ୍ୟ ଚଞ୍ଚଳା ହୋଇଉଠିଛି । ଇନ୍ଦିରା ସଦା ଚଞ୍ଚଳା, ସେଇଟା ହିଁ ତା’ର ସ୍ୱଭାବ; କିନ୍ତୁ ଏ ଯାତ୍ରାରେ ତା’ର ବିଶେଷ ପରିବର୍ତ୍ତନ ପ୍ରାୟ ଲକ୍ଷଣୀୟ କହିଲେ ଚଳେ ।

 

ସେଇ ଇନ୍ଦିରା ଶାରଦା ପୀଠ ଦେଖି ଫେରିବା ସମୟରେ ମୋତେ ଉଦ୍ଦେଶ୍ୟ କରି ପଚାରିଲା, ‘‘ଆଚ୍ଛା ଦାଦା ! ସ୍ୱୟଂ ଶଙ୍କର କ’ଣ ଏ ପୀଠ ପ୍ରତିଷ୍ଠା କରିଥିଲେ ?’’

 

ଇନ୍ଦିରା ମୁହଁରୁ ଏ ଧରଣର ପ୍ରଶ୍ନ ଶୁଣି ପ୍ରଥମେ ଟିକିଏ ବିସ୍ମିତ ହୋଇ ଉଠିଲା । ତା’ପରେ ସେ ଭାବ କଟେଇ କହିଲି,—କାହିଁକି ? ଏ କଥା ତ ପ୍ରଥମ ଯାତ୍ରା ସମୟରେ କହିଥିଲି । ଅବଶ୍ୟ ସେତେବେଳେ ମୋ ସହ ପରିଚୟ ଏବଂ ଏତେ ଘନିଷ୍ଠତା ତୋର ହୋଇ ନ ଥିଲା । ତେବେ ବି ଏତେ ଶୀଘ୍ର ସେ କାହାଣୀ ତ ଭୁଲିଯିବା କଥା ନୁହେଁ ।

 

ଉତ୍ତରରେ ଇନ୍ଦିରା କହିଲା, କେଉଁଠି କେଉଁ କାହାଣୀ ଶୁଣି ତାକୁ ମନେ ରଖିବା କ’ଣ ସମସ୍ତଙ୍କ ପକ୍ଷରେ ସମ୍ଭବ ? ଶୁଣିବା ଆଉ ଭୁଲିବା ହେଉଛି ଆମର ଧର୍ମ । ଆଉ ଆବଶ୍ୟକ ବେଳେ ପୁଣି କହିବା ବା ବୁଝେଇ ଦେବା ହେଉଛି ତୁମର କର୍ମ ।

 

ଅଳ୍ପ ହସି କହିଲି, ଯୁକ୍ତି ଅକାଟ୍ୟ । ତେବେ ସମସ୍ୟା ହେଉଛି ସବୁ ସମୟରେ ତ ମନେ କରାଇ ଦେଲାଭଳି ଦାଦା ନ ମିଳିପାରେ, ସେ ସକାଶେ ବେଳ ଥାଉ ଥାଉ ସବୁ ସମୟରେ ମନେ କରାଇ ଦେଲାଭଳି ସଙ୍ଗୀ ଯୋଗାଡ଼ କରିନେବା ଶ୍ରେୟ ନୁହେଁ କି ?

 

ଏସବୁ ଶୁଣି ସରସ୍ୱତୀ କହିଲା, ‘‘ଏସବୁ ଅଲୋଡ଼ା କଥା ବନ୍ଦକରି କହିବା ଇଚ୍ଛଥିଲେ ବକ୍ତବ୍ୟ ଆରମ୍ଭ କର । ନଚେତ୍‌ସ୍ପଷ୍ଟ ଯାହାହେଲେ ଗୋଟେ ଉତ୍ତର ଦେଇ ଆଲୋଚନାରେ ଇତି ଟାଣି ଦିଅ । ଅଯଥା ସମୟ ନଷ୍ଟକରି ଲାଭ କ’ଣ ?’’ ଏଆଡ଼େ ରେଣୁ ଭାଉଜ ଛଟପଟ ହେଉଛନ୍ତି, ଖୁବ ସମ୍ଭବ ଆଉ କ’ଣ ପଚାରିବାପାଇଁ । ଏଥର ଆଉ ବିଳମ୍ୱ କରିବା କାହା ପକ୍ଷରେ ହେଲେ ସମ୍ଭବ ନୁହେଁ । ଅଗତ୍ୟା ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କଲି ।

 

ସ୍ୱୟଂ ଶଙ୍କରାଚାର୍ଯ୍ୟ ଏହିଭଳି ପ୍ରଥମେ ଭାରତବର୍ଷର ଚତୁର୍ଦ୍ଦିଗରେ ଚାରି ଗୋଟି ମଠ ସ୍ଥାପନ କରିଥିଲେ ଏବଂ ମଠାଧୀଶ ଥିଲେ ତାଙ୍କର ପ୍ରଧାନ ଚାରିଜଣ ଶିଷ୍ୟ । ଏଠାରେ ପ୍ରଥମ ଆଚାର୍ଯ୍ୟ ଥିଲେ ହସ୍ତାମଳକ । ପଶ୍ଚିମ ପ୍ରାନ୍ତରେ ଏହି ଶାରଦା ପୀଠ ବ୍ୟତୀତ ପୂର୍ବରେ ପୁରୀରେ ଗୋବର୍ଦ୍ଧନ ମଠ, ଉତ୍ତର ପ୍ରାନ୍ତରେ ଯୋଷୀ ମଠ ଓ ଦକ୍ଷିଣରେ ଶୃଙ୍ଗେରୀ ମଠ ମଧ୍ୟ ତାଙ୍କର ଅକ୍ଷୟ କୀର୍ତ୍ତି । ଏହି ମଠ ଗାଦିରେ ପରବର୍ତ୍ତିକାଳରେ ଯେଉଁମାନେ ଅଧ୍ୟକ୍ଷ ନିଯୁକ୍ତ ହୋଇ ଆସିଛନ୍ତି, ସେମାନେ ଗୁରୁ ଶଙ୍କରଙ୍କ ନିର୍ଦ୍ଦେଶାନୁସାରେ ଶଙ୍କରାଚାର୍ଯ୍ୟ ନାମରେ ଅଭିଷିକ୍ତ ହୋଇ ଆସୁଛନ୍ତି । ଖୁବ ସମ୍ଭବ ବର୍ତ୍ତମାନ ଶାରଦା ପୀଠ ମଠାଧୀଶ ପଞ୍ଚସ୍ତରୀତମ ଶଙ୍କରାଚାର୍ଯ୍ୟ ଅଟନ୍ତି । ଏହି ଅଳ୍ପକ୍ଷଣ ଆଗେ ଆମେମାନେ ସମସ୍ତ ଏକସଙ୍ଗେ ସମସ୍ତ ମଠାଧୀଶଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରି ଫେରିଛେ । ଏହି ଚାରିଗୋଟି ମଠର ପ୍ରତ୍ୟେକ ଅଧ୍ୟକ୍ଷ୍ୟ ଶଙ୍କରାଚାର୍ଯ୍ୟ ନାମରେ ବରାବର ପରିଚିତ ହେଇ ଆସୁଛନ୍ତି ।

 

ରେଣୁ ଭାଉଜ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ଶଙ୍କରାଚାର୍ଯ୍ୟ ବିଷୟକ କଥାରେ ବାଧାଦେଇ ପଚାରିଲେ,‘‘ଏଠାରେ ମଧ୍ୟ ଦ୍ୱାରକାଧୀଶ ମନ୍ଦିରରେ ଶ୍ରୀରାଧାଙ୍କ ସ୍ଥିତି କିପରି ସମ୍ଭବ ମିଶ୍ରବାବୁ ?’’

 

ମୁଁ ମଧ୍ୟ ଯୂଗାଚାର୍ଯ୍ୟ ଶଙ୍କରଙ୍କ କାହାଣୀରେ ଇତି ଟାଣି କହିଲି-ଏ କଥା ତ ପୂର୍ବେ ବେଟ ଦ୍ୱାରକାରେ ଆଲୋଚନା ହୋଇଯାଇଛି ଭାଉଜ ! ତାହା ନିଶ୍ଚୟ ଏତେ ଶୀଘ୍ର ଭୁଲିଯାଇନି । ଦ୍ୱାରକାରେ ସହଧର୍ମିଣୀ ରୁକ୍ମିଣୀଙ୍କ ପ୍ରତିପତ୍ତି ବେଶି । କୃଷ୍ଣଙ୍କ ଲୀଳା ସଙ୍ଗିନୀ ରାଧା ହେଉଛନ୍ତି ବୃନ୍ଦାବନେଶ୍ୱରୀ । ସେହି ବୃନ୍ଦାବନ ତ୍ୟାଗ କରି ଅନ୍ୟ କେଉଁଠି ଶ୍ରୀକୃଷ୍ଣଙ୍କ ସଙ୍ଗୀ ହେବା ମାନବ ଦେହଧାରୀ ରାଧାଙ୍କ ପକ୍ଷେ ମୋଟେ ସମ୍ଭବ ନୁହେଁ । ସେ ସ୍ଥାନ ତ୍ୟାଗ କରିବା ଅଧିକାର ମଧ୍ୟ ବୃନ୍ଦାବନେଶ୍ୱରୀଙ୍କର ନାହିଁ । ଶ୍ରୀରାଧାଙ୍କ ପରିତ୍ୟଜ୍ୟ ଏହି ଦ୍ୱାରକାରେ ତାଙ୍କର ମନ୍ଦିର ସମ୍ଭବ ହେଲା କିପରି ? ଏ ଜଟିଳ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ସହଜେ ଯାହା ନଜରରେ ପଡ଼େ, ତାହାହେଲେ ମନ୍ଦିର ଗଠନ ଶୈଳୀ । ଦ୍ୱାରକାଧୀଶଙ୍କ ମନ୍ଦିର ଗଠନ ଶୈଳୀ ସାଥିରେ ପାର୍ଶ୍ୱମନ୍ଦିର ସମୂହର କୌଣସି ମେଳ ଦେଖାଯାଏ ନାହିଁ । ଏଥିରୁ ସ୍ପଷ୍ଟ ଜଣାଯାଏ, ଯେ ମୂଳ ମନ୍ଦିର ନିର୍ମାଣ ହେବାର ବହୁକାଳପରେ ପାର୍ଶ୍ୱମନ୍ଦିର ନିର୍ମିତ ହୋଇଥିଲା । ଖୁବ୍‌ସମ୍ଭବ ସେ ସମୟକୁ ଦେଶରେ ବୈଷ୍ଣବ ମତର ବିଶେଷ ପ୍ରଭାବ ଥିଲା । ହୁଏତ ରାଜଶକ୍ତି ମଧ୍ୟ ଉକ୍ତ ପ୍ରଭାବକୁ ମୁକ୍ତ ନ ଥିଲା । ଫଳରେ ଅଷ୍ଟ ପାଟମହିଷୀ ମହଲରେ ଶ୍ରୀରାଧା ବେଶ ଦର୍ଶନୀୟ ସ୍ଥାନ ପାଇଯାଇଛନ୍ତି । ଗୌଡ଼ୀୟ ବୈଷ୍ଣବ ମତାନୁସାରେ ରାଧା ବ୍ୟତୀତ ଶ୍ରୀକୃଷ୍ଣଙ୍କ ସ୍ମୃତି ସମ୍ଭବ ନୁହେଁ । ରାଧାକୃଷ୍ଣ ତଥା ପ୍ରକୃତି ପୁରୁଷ ମିଳି ଏକ । ସୁତରାଂ ଦ୍ୱାରକାଧୀଶ ବେଳେ ମଧ୍ୟ ଶ୍ରୀକୃଷ୍ଣ ଯେତେବେଳେ ମୂର୍ତ୍ତିରୂପେ ପୂଜିତ,ସେତେବେଳେ ରାଧାବିହୀନ ହେବେ କିପରି ? ଏକ ବିରାଟ ମନ୍ଦିର ମଧ୍ୟରେ ଅସଂଖ୍ୟ ଦେବଦେବୀ ଭିତରେ ଯଦି ରାଧା ଅନ୍ୟତମା ରୂପେ ଅଳ୍ପ ସ୍ଥାନ ଅଧିକାର କରିନେଇଥାନ୍ତି,ସେ ସକାଶେ କାହାର ବା କି ଲୋକସାନ ହେଉଅଛି ? ସେଥିପାଇଁ ଚିନ୍ତା କରିବାକୁ ଯିବା କାହିଁକି ? ବରଂ ମନ୍ଦିର ପରିକ୍ରମାରେ ଏ ମନ୍ଦିର ପ୍ରଧାନ ଆକର୍ଷଣୀୟ ସମୟ ଗତି ମଧ୍ୟରେଶ୍ରୀରାଧା ଏପରି ଭାବରେ ଜଗତ ମନ୍ଦିର ସଙ୍ଗରେ ଏକ ହୋଇ ମିଶିଗଲେ । କେବଳ ଶ୍ରୀରାଧାନୁହଁନ୍ତି, ଜଗତ ମନ୍ଦିର ନିର୍ମାଣପରେ ବହୁ ଅନ୍ୟ ଦେବଦେବୀ ମଧ୍ୟ ବେଢ଼ା ଭିତରେ ପୂଜିତ ହେବାକୁ ଲାଗିଲେ । ଭଗବାନ ଯେଉଁଠି,ତେତିଶକୋଟି ଦେବତା ସେଇଠି । ସେନେଇ ତର୍କ କରିବା ନିରର୍ଥକ । କେଉଁ ଦେବତା ପ୍ରକାଶ୍ୟରେ ପୂଜା ପାଉଛନ୍ତି, ଆଉ କିଏ ଅଲକ୍ଷ୍ୟରେ ପୂଜିତ ହେଉଛନ୍ତି ।

 

ଦର୍ଶକଗଣ ସଂସାର ଜଞ୍ଜାଳରୁ କେତେକ ସମୟ ଅବସର ନେଇ ବାହାରି ପଡ଼ନ୍ତି ଦେବଭୂମି ଭାରତବର୍ଷର ବିଭିନ୍ନ ସ୍ଥାନ ଭ୍ରମଣକରିବା ସହ ଦେବ ଦର୍ଶନ କରି ଯତ୍‌ସାମାନ୍ୟ ପୁଣ୍ୟ ସଂଚୟ କରିବାପାଇଁ । ସେଇ ସ୍ୱଳ୍ପ ଅବସରମୟ ଏହି କର୍ମରେ ବ୍ୟୟ କରିବା ସମ୍ଭବ ହୋଇ ଉଠେନା । ତାହାରି ଭିତରୁ ଅଧିକାଂଶ ସମୟ ବିତିଯାଏ ନିଜର ସୁଖ ସୁବିଧା ବ୍ୟବସ୍ଥା କରିବାରେ । ତା’ର ପରେ ଯେଉଁ ସୀମିତି ସମୟ ଅବଶିଷ୍ଟ ଥାଏ,ତାହାରି ଭିତରେ କୌଣସିରକମ ନମୋନମୋ କରି ଦ୍ରଷ୍ଟବ୍ୟ ସ୍ଥାନ ଦେଖିନେବା ପ୍ରୟାସ କରିବାକୁ ପଡ଼ିଥାଏ । ଅନେକେ ପୁଣି ଏହି ସ୍ୱଳ୍ପ ସମୟ ଭିତରୁ କେତେକ ସମୟ ବଜାର, ହାଟ କରିବା ସକାଶେ ଉଦ୍ଦିଷ୍ଟ କରି ରଖନ୍ତି । ଦେବଦର୍ଶନ ସମୟରେ କାନରେ ବାଜି ଉଠେ ଟାଙ୍ଗାବାଲାର ତାଗିଦା ବା ଟ୍ରେନର ହୁଇସିଲ୍‌ । ଏହି ପରିସ୍ଥିତି ମଧ୍ୟରେ ଦର୍ଶକ ଯାହା ଦେଖେ ତା’ କେବଳ ସେହି ମୁହୂର୍ତ୍ତକ ପାଇଁ ।

 

ତା’ପରେ ଏସବୁ ଦେଖିବା ଏବଂ ତାରି ଉପରେ ଚିନ୍ତା କରିବା ଆଗ୍ରହ ଆଜି ଆମର କାହିଁ ? ନିଜକୁ ଜାଣିବା ଓ ଜଣାଇବା ଉତ୍ସାହ ମଧ୍ୟ କ୍ରମଶଃ ଲୋପ ପାଉଅଛି । ହିନ୍ଦୁର ସମସ୍ତ କର୍ମ ଆଜି ଶିକ୍ଷିତ ସମାଜରେ କୁସଂସ୍କାରରେ ପରିଣତ ହେବାକୁ ବସିଲାଣି । ଜନ୍ମର ପୂର୍ବ ସଂସ୍କାର ବଳରୁ ବ୍ରାହ୍ମଣ କୌଣସି ପ୍ରକାରେ ସନ୍ତାନର ଉପନୟନ କର୍ମ କରୁଛି । କେତେକ ବାଧ୍ୟ ବାଧକତାରେ ବ୍ରତଘର ପରେ ସେହି ସାତଦିନ ସନ୍ଧ୍ୟା ଗାୟତ୍ରୀ ଜପ କରିଥାନ୍ତି । ତା’ପରେ ସେ ସବୁ ଉଠେ ଶିକାରେ । ବାପର ଅନେକ କଷ୍ଟରେ ସଂଗୃହୀତ ଅର୍ଥର ବିନିମୟରେ ଯେଉଁ ପଇତା ସ୍କନ୍ଧରେ ଉଠିଥାଏ, ତାହା ଏକ ବୋଝ ମନେକରି କୁଳଉଜ୍ଜ୍ୱଳକାରୀ ସନ୍ତାନ ବାକ୍‌ସରେ ବନ୍ଦୀକରି ରଖନ୍ତି । ଏତ ଗଲା ବ୍ରାହ୍ମଣ କଥା । ତା’ପରେ ବ୍ରାହ୍ମଣୋତ୍ତର ଜାତିର କଥା ତ ମୋଟେ ଉଠେନା । ତାଙ୍କର ଏ ସଂସ୍କାର ମଧ୍ୟ ନାହିଁ । ସୁତରାଂ ଧର୍ମନେଇ କୌଣସି ନୀତିବାଚକ ଧନ୍ଦାର ମଧ୍ୟ ଆବଶ୍ୟକତା ନାହିଁ । ସୁତରାଂ ଧର୍ମନେଇ କୌଣସି ନୀତିବାଚକ ଧନ୍ଦାର ମଧ୍ୟ ଆବଶ୍ୟକତା ନାହିଁ । ଏହି ଭେଦାଭେଦର ସୁଯୋଗ ନେଇଛନ୍ତି ବିଦେଶରୁ ଆଗତ ସମସ୍ତ ବିଦେଶୀ ଧର୍ମଯାଜକ ତଥା ରାଜଶକ୍ତି । ଯାହାଦ୍ୱାରା ହିନ୍ଦୁସଂଖ୍ୟା କ୍ରମଶଃ ଦିନକୁଦିନ କମିବାରେ ଲାଗିଛି । ଏହି ଦେଶରେ ପ୍ରଥମ ପ୍ରବେଶ କଲେ ମୁସଲମାନଗଣ ଲୁଣ୍ଠନକାରୀ ରୂପେ । ଆମର ଦୁର୍ବଳତା,ଏକତାର ଅଭାବ ତଥା ଶ୍ରେଣୀଗତ ଭେଦାଭେଦର ସୁଯୋଗ ନେଇ ଦେଶ ଜୟ କରି ରାଜ୍ୟ ବିସ୍ତାର କରିବାକୁ ଲାଗିଲେ । ଏକ ସମୟର ଲୁଣ୍ଠନକାରୀଗଣ ସମଗ୍ର ଭାରତବର୍ଷରେ ରାଜତ୍ୱ କରି ବସିଲେ । ସେହି ସମୟରେ ଅତ୍ୟାଚାର ତଥା ଜିଜିୟା କରରୁ ମୁକ୍ତି ପାଇବା ସକାଶେ ବିପୁଳ ସଂଖ୍ୟକ ହିନ୍ଦୁ ଧର୍ମାନ୍ତରିତ ହୋଇ ମୁସଲମାନ ଧର୍ମ ଗ୍ରହଣ କଲେ । ଏ ସକାଶେ ମସଜିଦଦ୍ୱାର ସର୍ବଦା ଖୋଲା ରହିଲା । ଆଜି ଖୋଜି କହିଲେ ପରିଷ୍କାର ଜଣାଯିବ ବର୍ତ୍ତମାନ ଦେଖାଯାଉଥିବା ବହୁ ମୁସଲମାନ ଦୁଇ ତିନି ପୁରୁଷ ଆଗେ ହିନ୍ଦୁ ଧର୍ମାବଲମ୍ବୀ ଥିଲେ । ଏପରି ପରିସ୍ଥିତି ମଧ୍ୟରେ କେତେ ଶହ ବର୍ଷ ବିତିଗଲା । ବାହାରୁ ଆସିଥିବା ମୁସଲମାନ ଧର୍ମ ଭାରତବର୍ଷ ଭିତରେ ଦୃଢ଼ ଭିତ୍ତି କରି ପ୍ରତିଷ୍ଠିତ ହୋଇଗଲା । ତା’ର କେତେକ ବର୍ଷ ପରେ ଆସିଲେ ଇଂରେଜ ବଣିକଦଳ । ସଙ୍ଗରେ ଖ୍ରୀଷ୍ଟିୟାନ ପାଦ୍ରୀ,କ୍ରମଶଃ ବେପାରୀଗଣ ଭାଗ୍ୟଲକ୍ଷ୍ମୀଙ୍କ ଦୟାରୁ ଏଇ ଦେଶରେ ରାଜୁତି କରି ବସିଲେ । ଧର୍ମଯାଜକମାନଙ୍କ ପ୍ରାଧାନ୍ୟ ବଢ଼ି ଚାଲିଲା । ଚାକିରୀ ତଥା ପଦର ପ୍ରଲୋଭନରେ ଧର୍ମାନ୍ତରିତ ହେଲେ ବହୁ ହିନ୍ଦୁ ନାଗରିକ । ନାନା ଭାବରେ ପ୍ରମାଣ କରିବାରେ ଲାଗିଲେ, ଭାରତୀୟ ସଭ୍ୟତା ସଂସ୍କୃତି ସମସ୍ତ କୁସଂସ୍କରାଚ୍ଛନ୍ନ । ପ୍ରତିଷ୍ଠିତ ବିଭେଦ ନୀତି ଫଳରେ ସେମାନଙ୍କ ସହ ଧର୍ମର କୌଣସି ସମ୍ପର୍କ ରହିଲାନାହିଁ । ଏହି ସଙ୍କୋଚତା ଜାତିକୁ କ୍ରମଶଃ ଅଧଃପତନ ଦିଗକୁ ଗତି କରାଇଲା । ସମସ୍ତେ ଭୂଲିଗଲେ ନିଜ ନିଜର ଧର୍ମକୁ । ନିଜକୁ ଭଲ ନ ପାଇଲେ ଅପରକୁ ବୁଝିବା ମଧ୍ୟ କଠିନ ହୋଇଉଠେ । ଏଇ ସହଜ କଥା ଭୁଲିଗଲୁ ଆମେ । ଏପରି ଭାବରେ କ୍ରମଶଃ ତୀର୍ଥସ୍ଥାନର ମହାତ୍ମ୍ୟ ମଧ୍ୟ ଆମେମାନେ ଭୁଲିବାକୁ ଲାଗିଲୁ । ମନୀଷୀଗଣ ସେହି ସବୁ ପ୍ରଖ୍ୟାତ କ୍ଷେତ୍ରବିଶେଷର ତତ୍ତ୍ୱ ପ୍ରକାଶରେ ପରାଙମୁଖ ହେଲେ । ସାଧାରଣ ମନୁଷ୍ୟ ସେସବୁ ମହନୀୟ ଗାଥା ଜାଣିବାକୁ ବଞ୍ଚିତ ହେଲେ ।

 

ବାଧାଦେଇ ରେଣୁ ଭାଉଜ କହିଲେ, ‘‘ଯାଃ,ବାବା ମୁଁ ପଚାରିଲି ଗୋଟାଏ କଥା,ଆଉ ତୁମେ ଆରମ୍ଭ କଲ ହିନ୍ଦୁତତ୍ତ୍ୱ । ତୁମର ଏ ଆକ୍ଷେପ କ’ଣ ଶୁଣିବାକୁ କାହାକୁ ଭଲ ଲାଗିବ ନା ଲାଗିଛି । ସେ ଅବସର ବା କାହାର ଅଛି ? ସେ ସବୁ କଠିନ ଦାର୍ଶନିକତତ୍ତ୍ୱ ବାଦ୍‍ ଦେଇ ସାଧାରଣ ଭାବେ ସ୍ଥାନୀୟ ବିଷୟ କିଛି ଶୁଣାଅ । ଶୁଣି ଖୁସି ହେବା ସହ କିଛି ଜ୍ଞାନଲାଭ ହୋଇ ପାରିବ ।’’

 

ତାଙ୍କର ଏ ଉଚିତ ଚେତାବନୀ ଶୁଣି ନିଜେ ନିଜେ ଲଜ୍ଜିତ ହୋଇ ଉଠିଲି । ଅତି ସତ୍ୟ କଥା, ଏ ସବୁ କଥା ଏମାନଙ୍କୁ ଶୁଣାଇ ଲାଭ କ’ଣ ? ଆଜିର ଯେଉଁ ଅବସ୍ଥା ସେଥିରେ ଏ ଆତ୍ମ-ବିଳାପ ଶୁଣିବାକୁ ବେଳ କାହାର ଅଛି ? ବର୍ତ୍ତମାନ ଦେଶକାଳ ପାତ୍ର ବିଚାର କରି ଦେଖିଲେ କେବଳ ହତାଶ ହେବାକୁ ହୋଇଥାଏ । ଆଦର୍ଶସ୍ଥାନୀୟ ନେତାଗଣ ଏ ବିଷଦୃଶ ଜାତିଭେଦ ପ୍ରଥା ବିରୁଦ୍ଧରେ ଗଳା ଫଟାଇ ବକ୍ତୃତା କରନ୍ତି । ଏ କୁ-ପ୍ରଥା ଲୋପ କରିବାକୁ,ଆଉ ଏକ ନୂତନ ରୂପରେ ସେହି ଭେଦ ଦେଶ ଉପରେ ଚପାଇ ଦିଅନ୍ତି । ଏହି ନବସୃଷ୍ଟ ଜାତି ଭେଦ ଆହୁରି ମାରାତ୍ମକ ହୋଇ ଉଠେ । ନେତା,ଉପନେତା, ପାଟ,ଦଳ, ସମ୍ପାଦକ,ସଭାପତି ଏପରି ବହୁ ରକମ ନୂତନ ଜାତିର ଜଗଦଳ ପଥରର ଚାପରେ ଜାତିର ପ୍ରାଣ ଓଷ୍ଠାଗ୍ରତ ହୋଇ ଉଠେ । ହାଡ଼ି, ପାଣ,ଡମଙ୍କୁ ହରିଜନ କରାଗଲା, କରାଗଲା ନାହିଁ ବ୍ରାହ୍ମଣ ବା ବ୍ରାହ୍ମଣ ହେବା ପାଇଁ ସୁଯୋଗ ମଧ୍ୟ ଦିଆଗଲାନି । ଫଳରେ ପୂର୍ବର ସେହି ଭେଦ ଭାବ ବର୍ତ୍ତମାନ କେବଳ ଏକ ନାମର ଚାକଚକ୍ୟ ମଧ୍ୟରେ ପ୍ରକାଶ ପାଇଲା । ତା’ଦେଇ ଭେଦଭାବ ଟିକିଏ ହେଲେ ପରିବର୍ତ୍ତନ ହେଲାନି । ସେମାନଙ୍କ ବ୍ରାହ୍ମଣ ହେବା ପ୍ରଚେଷ୍ଟାକୁ ଏକ ହରିଜନ ଅଫିମ ଟେଳା ଖୁଆଇ ଗୁମ କରି ରଖି ଦିଆଗଲା ଏଇ ମାତ୍ର । ବିଶେଷ ବିଶେଷ ସୁଯୋଗର ମୋହ ଦେଖାଇ ପୃଥିବୀ ବୁକୁରେ ଲଢ଼ାଇ କରି ନିଜକୁ ପ୍ରତିଷ୍ଠିତ ହେବା ପ୍ରଚେଷ୍ଟାରୁ ସେମାନଙ୍କୁ କ୍ଷାନ୍ତ କରାଗଲା । ଯୋଗ୍ୟତା ବିଚାରରେ ନୁହେ ଆଇନର ପଛଦ୍ୱାର ଦେଇ ନେତାରୂପୀ ବ୍ରାହ୍ମଣଙ୍କ ଦୟାର ସେମାନେ ପ୍ରବେଶ କଲେ ସାଧାରଣ ସ୍ତରରେ । ଫଳରେ ସମସ୍ତ ଦେଶ ଆଜି ସେଇ ବିଶେଷ ସୁଯୋଗ ଲୋଭରେ ହରିଜନ ହେବାକୁ ଦଉଡ଼ୁଛନ୍ତି ପ୍ରତିଯୋଗିତା ମୂଳକ ନୀତିରୁ ସୁବିଧା ପାଇବା ପାଇଁ । ବ୍ରାହ୍ମଣ ହେବାକୁ କିଏ ସଚେଷ୍ଟ ହେଉ ନାହିଁ । ସନାତନ ହିନ୍ଦୁଧର୍ମ କେଭେଁ କହି ନାହିଁ ଜନ୍ମ ସୂତ୍ରେ ବ୍ରାହ୍ମଣ ହୋଇ ପାରିବ । ସେ ଘୋଷିତ କରିଛି–

 

‘‘ଜନ୍ମନା ଜାୟତେ ଶୂଦ୍ର,କର୍ମଣା ଦ୍ୱିଜ ମୁଚ୍ୟତେ ।

ବେଦ ପାଠାଭବତ୍‌ବିପ୍ର ବ୍ରହ୍ମଂ ଜାନାତି ବ୍ରାହ୍ମଣଃ ।।’’

 

ଆମେ ସେହି ଶୂଦ୍ର ହୋଇ ରହି ନିଜକୁ ବଡ଼ ବୋଲି ପ୍ରଚାର କଲୁ;କିନ୍ତୁ ଅନ୍ୟ ଦୁଇ ସ୍ତର ଅତିକ୍ରମ କରି ପ୍ରକୃତ ବ୍ରାହ୍ମଣ ହେବାକୁ ସଚେଷ୍ଟ ହେଲୁନି । ଜନ୍ମ ପରିଚୟକୁ ବଡ଼ କରି ବସି କର୍ମବିମୁଖ ହୋଇ ବସିଲୁ । ଫଳରେ ଆଜି ସମସ୍ତ ଆର୍ଯ୍ୟାବର୍ତ୍ତ ବ୍ରାହ୍ମଣ ଶୂନ୍ୟ ହେବାକୁ ବସିଲାଣି । ସେ ବ୍ରାହ୍ମଣର ଆସନ ନେଇ ଆସର ଜମେଇ ବସିଲେ ନେତାଗଣ । ଯାହା ହାତରେ ଯେଉଁ ସମୟ ସକାଶେ ରାଜଦଣ୍ଡ ରହିଲା, ସେ ସମୟ ପାଇଁ ସେମାନେ ହୋଇ ଉଠିଲେ ବ୍ରାହ୍ମଣ । ତା’ର ପରବର୍ତ୍ତୀଗଣ କ୍ଷତ୍ରିୟ,ଆଉ ଆମେ ସବୁ ସେମାନଙ୍କ ଆଖିରେ ଅଛବ ତଥା ହରିଜନ । ପୂର୍ବାପେକ୍ଷା ଏ ଭେଦଭାବ ଆଉରି ମାରାତ୍ମକ ଜାତି ଗଠନ ପକ୍ଷରେ । ଏହା ଜାଣି ମଧ୍ୟ ନେତାଗଣ ନୀରବ । ନିଜର ପ୍ରତିଷ୍ଠା ଅକ୍ଷୁଣ୍ଣ ରଖିବା ପାଇଁ,ନାନାଦି କୌଶଳ କରି ଚାଲିଛନ୍ତି । ନିଜର ସନ୍ତାନଗଣଙ୍କୁ ଯେଉଁମାନେ କନଭେଣ୍ଟ ସ୍କୁଲରେ ଶିକ୍ଷା ଦେଇଥାଆନ୍ତି, ସେଇ ସବୁ ନେତାଗଣ ବିଭୀଷଣ ଆଳ ଦେଖାଇ ନିଜର ମାତୃଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ଦିଅ ବୋଲି ଡାକ ଦେଇଥାନ୍ତି । ଯେଉଁମାନେ ବାବା ଡାକ ବଦଳରେ ଡାଡ଼ି ବୋଲିବାରେ ଅଭ୍ୟସ୍ତ,ସେମାନେ ବର୍ତ୍ତମାନ ଜାତୀୟ ସଂସ୍କୃତିର ବାହକ । ଏଇ ଯେତେବେଳେ ଦେଶର ହାଲ, ସେତେବେଳେ ଧର୍ମ ନେଇ ବା ପୁରାତନ ମଠ ମନ୍ଦିର କୀର୍ତ୍ତିନେଇ ଦୁଃଖ କରି ଲାଭ କ’ଣ ? ଆଉ ସେ ରାଗିଣୀ ରେଣୁ ଭାଉଜଙ୍କୁ ଶୁଣାଇବାରେ କି ସାର୍ଥକତା ଅଛି ? ଏହି ସ୍ୱଳ୍ପକାଳୀନ ଅବସରରେ ସତରେ ଦ୍ୱାରକା ବିଷୟରେ କିଛି ଶୁଣାଇ ପାରିଲେ ଅନେକ ଭଲ;କିନ୍ତୁ ଦ୍ୱାରକା ନେଇ ଆଉ ନୂତନ କ’ଣ କହିବି ? କ’ଣ ବା ମୁଁ ଜାଣିଛି ? ଯାହା କହି ତାଙ୍କୁ ସନ୍ତୁଷ୍ଟ କରି ପାରିବି ? ହଠାତ୍‌ନଜରରେ ପଡ଼ିଲା ଦକ୍ଷିଣା ପାଇଁ ଅପେକ୍ଷାରତ ମନ୍ଦିରର ଜନୈକ ପୂଜକଙ୍କ ଉପରେ । ନିରୂପାୟ ହୋଇ ତାଙ୍କୁ ହିଁ ଦ୍ୱାରକା ନେଇ କିଛି କହିବାକୁ ଅନୁରୋଧ କଲି ।

 

ପୂଜକ ଦୀର୍ଘ ସମୟ ଧରି ଖୁବ୍‍ ସମ୍ଭବ ଏପରି ଏକ ପ୍ରଶ୍ନ ସକାଶେ ଅପେକ୍ଷା କରୁଥିଲେ-। ମୋଠାରୁ ଭକ୍ତିପୂର୍ଣ୍ଣ ଅନୁରୋଧ ଶୁଣିବାକ୍ଷଣି ତାଙ୍କର ବକ୍ତବ୍ୟ ଆରମ୍ଭ କଲେ ବିନା ଦ୍ୱିଧାରେ-। ‘‘ଦ୍ୱାରକାକୁ ସାଧାରଣତଃ ପୂର୍ବ ଭାରତରୁ ବେଶି ଭକ୍ତ ଆସି ଥାଆନ୍ତି । ତାହାରି ମଧ୍ୟରେ ଗୌଡ଼ୀୟ ସମ୍ପ୍ରଦାୟଭୂକ୍ତ ପଶ୍ଚିମବଙ୍ଗର ଯାତ୍ରୀ ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବେ ବେଶି । ଏହି ଯାତ୍ରୀ ସମାଗମ ମୋଟା ମୋଟି ଦୁର୍ଗା ପୂଜା ସମୟରେ ବେଶି ହୋଇଥାଏ । ସେହି ସମୟରେ ଗୁଜରାଟରେ ବିଖ୍ୟାତ ଗରବା ପର୍ବର ମହସୁମ । ନାଟ୍ୟ ଜଗତ ସଙ୍ଗେ ଯେଉଁମାନଙ୍କ ପରିଚିତ ଅଛି ସେମାନେ ଭଲ ଭାବେ ଜାଣନ୍ତି ମଣିପୁରୀ,ଓଡ଼ିଶୀ,କଥକ ନୃତ୍ୟ ଭଳି ଗରବା ନୃତ୍ୟ ମଧ୍ୟ ଏକ ବୈଶିଷ୍ଟ୍ୟର ଦାବୀ ରଖେ । ଯୁବତୀ ବୋହୂ ଝିଅମାନେ ମୁଣ୍ଡରେ ପ୍ରଦୀପ ବା ପ୍ରଦୀପଶୋଭିତ ବିଭିନ୍ନ ରକମ ଥାଳୀ ବହନ କରି ଭକ୍ତିପୂର୍ଣ୍ଣ ଗାନ ସହ ନୃତ୍ୟ କରିଥାନ୍ତି । ଗୀତ ଏବଂ ନୃତ୍ୟ ସମସ୍ତ ହିଁ ଇଷ୍ଟ ଦେବତା ପ୍ରତି ଉତ୍ସର୍ଗୀକୃତ । ତେଣୁ ଅତି ସହଜରେ ନୃତ୍ୟ ଛନ୍ଦ ମଧ୍ୟରେ ପ୍ରାଣର ସ୍ପନ୍ଦନ ଜାଗି ଉଠେ-

 

ଏହା ବ୍ୟତୀତ ଦ୍ୱାରକାରେ, ବସନ୍ତ ପଞ୍ଚମୀ,ଦୋଳ ପୂର୍ଣ୍ଣିମା,ଅକ୍ଷୟ ତୃତୟା, ଜନ୍ମାଷ୍ଟମୀ ଓ ଅନ୍ନକୂଟ ଉତ୍ସବ ଅତୀବ ଆକର୍ଷଣୀୟ । ତା’ ପରେ ଅଛି ଦୋଳ । ସାଧାରଣତଃ ବସନ୍ତ ପଞ୍ଚମୀ(ସରସ୍ୱତୀ ପୂଜା) ପରଠାରୁ ଉକ୍ତ ଉତ୍ସବ ଏକ ମାସ ଧରି ଅତି ସମାରୋହରେ ପାଳିତ ହୋଇଥାଏ । ଏହି ଉତ୍ସବର ବିଧାନ –ଶ୍ରୀକୃଷ୍ଣ ଏହି ଏକମାସ ଧରି ଦୋଳିରେ ଝୁଲଣ ଖେଳିବେ । ଗୋଟିଏ ଦୋଳି ରଣଛୋଡ଼ଜୀଙ୍କ ମନ୍ଦିର ସାମନାରେ ଏବଂ ଅନ୍ୟଟି ଦେବକୀ ମାତାଙ୍କ ମନ୍ଦିର ସାମନାରେ ଝୁଲନ୍ତ ଅବସ୍ଥାରେ ରହିବ । ସେହି ଦୋଳିରେ ସୁନାର ଗୋପାଳକୃଷ୍ଣ ଆସୀନ ହୋଇ ଦୋଳି ଖେଳିବେ । ଭକ୍ତଗଣ ଦେବତାଙ୍କ ଅଙ୍ଗରେ ଅବିର ବା ଗୁଲାଲ ଦେଇ ଦୋଳି ଖେଳାଇବେ । ସମସ୍ତ ଅପରାହ୍ନ ଧରି ଏ ଉତ୍ସବ ବହୁ ଯାତ୍ରୀ ସମାଗମ ମଧ୍ୟ ଦେଇ ସାଧିତ ହୋଇଥାଏ । ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଯାତ୍ରୀ ଏହି ଉତ୍ସବରେ ବିନା ପ୍ରତିବନ୍ଧକରେ ଅଂଶ ନେଇ ପାରନ୍ତି । ଏହି ସମୟରେ ଲାଲ୍‍ ଅବିର ଅପେକ୍ଷା ସାଦା ଅବିରର ପ୍ରଚଳନ ବେଶି ଦେଖା ଯାଇଥାଏ । ଦର୍ଶକ ମାତ୍ରେ ଏହି ଭାବାବେଗ ଉତ୍ସବ ଦର୍ଶନ କରି ଯେଉଁ ଆନନ୍ଦ ଉପଭୋଗ କରିଥାଆନ୍ତି ତାହା ବର୍ଣ୍ଣନାତୀତ ।’’

 

ଏହାପରେ ତାଙ୍କର ମୁଖରୁ ଯେଉଁ କାହାଣୀ ଶୁଣିଲୁ, ସେ ଯେପରି ବିସ୍ମୟକର ସେପରି ଅପ୍ରତ୍ୟାଶିତ ମଧ୍ୟ । ଏ କାହାଣୀ କେତେକ ବହିର ପୃଷ୍ଠାର ଦେଖିଥିଲେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ କରିପାରିନଥିଲି । ସ୍ୱୟଂ ପୂଜକଙ୍କ ମୁଖରୁ ସେହି କାହାଣୀ ଶୁଣି ଯାତ୍ରୀ ପ୍ରୋଗ୍ରାମ ମଧ୍ୟରେ ସାମାନ୍ୟ ହେରଫେର କରି ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟାଇବାକୁ ଠିକ୍‌ କଲି ।

 

ପୂଜକ କହିଲେ, ‘ଜାଣ ବାବୁ ! ବର୍ତ୍ତମାନ ଯେଉଁ ଦ୍ୱାରକାଧୀଶଙ୍କ ମୂର୍ତ୍ତି ଦର୍ଶନ କଲେ,ସେ ମୂର୍ତ୍ତି କିନ୍ତୁ ପ୍ରକୃତ ରଣଛୋଡ଼ଜୀଙ୍କ ପ୍ରତିମୂର୍ତ୍ତି ନୁହେଁ । ଅସଲ ମୂର୍ତ୍ତି ଦେଖିବାକୁ ପାଇବେ ଡାକୋରାରେ ।

 

ଉକ୍ତ କଥା ଶୁଣି ଦଳର ସମସ୍ତେ ଏକ ସଙ୍ଗେ ଚମକି ଉଠିଲେ ଏବଂ ଏକ ସଙ୍ଗେ ପୂରା କାହାଣୀଟି ଶୁଣାଇବା ପାଇଁ ତାହାଙ୍କୁ ଅନୁରୋଧ ଜଣାଇଲେ ।

 

ଆମର ଆଗ୍ରହ ଦେଖି ସେ କହିଲେ, ‘‘ବହୁଦିନ ଆଗର ଘଟଣା । ସେତେବେଳକୁ ଯବନ ଶକ୍ତି ଭାରତବର୍ଷରେ ପ୍ରବେଶ କରି ପାରିନି । ସେହି ସମୟରେ ଡାକୋରାରେ ବୋଦନା ନାମକ ଜନୈକ ବିଷ୍ଣୁ ଭକ୍ତ ବସବାସ କରୁଥିଲେ । ପ୍ରତି ବର୍ଷ ନିୟମିତ ଭାବେ ସେ ପଦବ୍ରଜରେ ଦ୍ୱାରକା ଆସନ୍ତି ରଣଛୋଡ଼ଜୀଙ୍କ ଦର୍ଶନ ସକାଶେ । ଯାତ୍ରା ସମୟରେ ହାତର ପାପୁଲିରେ ଗୋଟିଏ ମାଟିର ଟେଳା ଉପରେ ଛୋଟ ଗୋଟିଏ ତୁଳସୀ ଚାରା ରୋପଣ କରି ବାହାରି ପଡ଼ନ୍ତି । ଦୀର୍ଘ ଦିନ ପଦଯାତ୍ରା ମଧ୍ୟରେ ଉକ୍ତ ତୁଳସୀ ଗଛ ସ୍ୱାଭାବିକ ଭାବେ ବଡ଼ ହୋଇ ଉଠେ । ବୋଦନା ଦ୍ୱାରକାରେ ଉପସ୍ଥିତ ହୋଇ ହସ୍ତଧୃତ ତୁଳସୀ ଗଛର ପତ୍ରରେ ମାଳା ଗୁନ୍ଥି ଦ୍ୱାରକାଧୀଶଙ୍କ ଗଳାରେ ଲମ୍ବାଇଦେଇ ଦେବଦର୍ଶନ ସହ ପୂଜାର୍ଚ୍ଚନାଦି କର୍ମ କରି ଥାଆନ୍ତି । ତାହାଦ୍ୱାରା ଅନିର୍ବଚନୀୟ ଆନନ୍ଦ ଅନୁଭବ କରି ସେ ପୁଣି ଗୃହକୁ ଫେରି ସାଂସାରିକ କର୍ମରେ ଆତ୍ମନିୟୋଗ କରନ୍ତି ପୁଣି ଯାତ୍ରାରମ୍ଭର ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ।

 

ଏହିପରି ଭାବରେ ବର୍ଷ ପରେ ବର୍ଷ ଅତିବାହିତ ହେବାକୁ ଲାଗିଲା । ନିୟମିତ ଯାତାୟାତ ଫଳରେ ମନ୍ଦିର କର୍ତ୍ତୃପକ୍ଷଙ୍କ ସଙ୍ଗେ ସହୃଦୟତା ଦୃଢ଼ତର ହେବାକୁ ଲାଗିଲା । ଏହାରି ମଧ୍ୟଦେଇ ବୋଦନାର ବୟସ ମଧ୍ୟ ବଢ଼ିବାକୁ ଲାଗିଲା । ଏକ ସମୟରେ ବୋଦନା ବୃଦ୍ଧାବସ୍ଥାରେ ପହଞ୍ଚିଲା । ବୟସକୁ ଅଗ୍ରାହ୍ୟ କରି ଏହି ବୁଦ୍ଧାବସ୍ଥାରେ ବି ସେ ପୂର୍ବ ସିଦ୍ଧାନ୍ତରେ ଅଟଳ ରହି ବାର୍ଷିକ କର୍ମ ନିୟମ ମୁତାବକ କରି ଚାଲିଲା; କିନ୍ତୁ କ୍ରମଶଃ ତାହା ମଧ୍ୟ ଆଉ ସମ୍ଭବ ହେଲାନି । ବୟସ ବଢ଼ିବାସହ ଜରା ଆସି ଶରୀରକୁ ଗ୍ରାସକଲା । ମନର ଶକ୍ତି ହରେଇ ବସିଲେ ବୋଦନା । ଶେଷ ଦର୍ଶନ ସକାଶେ ସଂକଳ୍ପ କରି ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଯାତ୍ରା ଆରମ୍ଭ କଲେ । ଅନେକ ଦିନ ଧରି ଅନେକ କଷ୍ଟ ସହି ଠିକ୍‌ସମୟରେ ଯାଇ ଦ୍ୱାରକାରେ ପ୍ରବେଶ କଲେ । ନୀତି ଅନୁଯାୟୀ ତୁଳସୀ ପତ୍ର ମାଳା ପ୍ରଦାନ କରି ଦେବତାଙ୍କ ପାଦତଳେ ନିବେଦନ କଲେ ଅନ୍ତରର ବ୍ୟାକୁଳତା । ‘‘ପ୍ରଭୁ ! ମୋର ଏ କ’ଣ ହେଲା ? ଆଉ ଯେ ଚାଲିବା ଶକ୍ତି ନାହିଁ ସ୍ୱାମୀ ! ତେବେ କ’ଣ ଜୀବଦ୍ଦଶା ମଧ୍ୟରେ ଆଉ ତୁମର ଦର୍ଶନ ମୋର କପାଳରେ ନାହିଁ ? ତେବେ ଆଉ କି ସମ୍ବଳ ନେଇ ଦିନ କଟେଇବି ଦ୍ୱାରକାଧୀଶ ?’’ ଅନ୍ତରର ଏ ଦୀର୍ଘ ହାହା କାର ମଧ୍ୟରେ ଭକ୍ତ ବୋଦନା ମନ୍ଦିର ଚତ୍ୱରରେ ପରିଶ୍ରାନ୍ତ ଶରୀର ନେଇ ଶୋଇ ପଡ଼ିଲେ । ସୁପ୍ତ ଅବସ୍ଥାରେ ମଧ୍ୟରାତ୍ରରେ ଏକ ଅଦ୍‌ଭୂତ ସ୍ୱପ୍ନ ଦେଖିଲେ ସେ । ସ୍ୱୟଂ ରଣଛୋଡ଼ଜୀ ତାଙ୍କର ମୁଣ୍ଡ ପାଖରେ ବସି କହୁଛନ୍ତି–‘‘ଚିନ୍ତା କ’ଣ ବୋଦନା, ତୋତେ ଦର୍ଶନ ଦେବା ସକାଶେ ମୁଁ ତୋ ସାଥିରେ ଦ୍ୱାରକା ପରିତ୍ୟାଗ କରି ଡାକୋରା ଯିବି । ତୁ ଜୀବନର ଶେଷ ପର୍ଯ୍ୟନ୍ତ ସେଠାରେ ମୋର ଦର୍ଶନ ପାଇପାରିବୁ । ତୋର ବାର୍ଦ୍ଧକ୍ୟ ବା ଜରା ମୋର ଦର୍ଶନରେ ଅନ୍ତରାୟ ହେବନି । ତୁ ଦ୍ୱାରକା ପରିତ୍ୟାଗ କରିବା ସାଥେ ସାଥେ ମୁଁ ତୋତେ ଅନୁସରଣ କରିବି । ଏକଥା ବିଶ୍ୱାସ କରି ତୁ ପରମ ନିଶ୍ଚିନ୍ତତା ଲାଭ କର ।’’

 

ହଠାତ୍‌ବୋଦନାର ନିଦ ଭାଜିଗଲା । ଦେଖିଲା ପାଖରେ କେହି ନାହିଁ । ସମସ୍ତ ମନ୍ଦିର ପ୍ରାଙ୍ଗଣରେ ଗଭୀର ନିଶିଥର ନୀରବତା । ତେବେ ସେ ସ୍ପଷ୍ଟ ଅନୁଭବ କଲେ,ଯେଉଁଠି ସେ ଶୋଇଥିଲେ ସେପାଖେ ଏକ ଅପାର୍ଥିବ ସୁଗନ୍ଧରେ ମହକି ଉଠୁଛି । ସ୍ୱପ୍ନ କଥାକୁ, ସେ ଆଉ ଅଳୀକ ବୋଲି ମନେ ନ କରି ପ୍ରଭୁଙ୍କ ପ୍ରଦତ୍ତ ବାଣୀ ଉପରେ ଆସ୍ଥା ରଖି ବୃଦ୍ଧ ଅସମର୍ଥ ବୋଦନା ଡାକୋରାଭିମୁଖେ ଯାତ୍ରା ଆରମ୍ଭକଲେ । ଆଉ ଭକ୍ତର ଭଗବାନ ସମସ୍ତଙ୍କ ଅଲକ୍ଷ୍ୟରେ ତାଙ୍କର ଅନୁଗାମୀ ହେଲେ ।

 

ପ୍ରଭାତ ହେଲା । ମଙ୍ଗଳ ବାଜଣା ମଧ୍ୟ ଦେଇ ପୂଜକ ଦେବତାଙ୍କ ଦ୍ୱାର ଉନ୍ମୁକ୍ତ କଲେ ଠାକୁରଙ୍କ ପ୍ରାରମ୍ଭିକ କର୍ମ ସମାପନ ପାଇଁ । ଠାକୁରଙ୍କ ଆସନ ପ୍ରତି ପୂଜକ ଦୃଷ୍ଟି ଦେଇ ନିଶ୍ଚଳ ହୋଇ ଠିଆ ହୋଇଗଲେ ଏକ ଆର୍ତ୍ତ ଚିତ୍କାର କରି । ଉକ୍ତି ଚିତ୍କାରରେ ଆକୃଷ୍ଟ ହୋଇ ଅନ୍ୟ ସେବକ ତଥା ଦର୍ଶକ ମଣ୍ଡଳୀ ଏକତ୍ରୀତ ହୋଇ ଦେଖିଲେ ଠାକୁରଙ୍କ ଆସନ ଶୂନ୍ୟ । ମନ୍ଦିର ଅଭ୍ୟନ୍ତରର ସମସ୍ତ ଉପକରଣ ଯଥା ସ୍ଥାନରେ ପ୍ରଥାନୁଯାୟୀ ସଜ୍ଜିତ ରହିଅଛି । ନାନାଦି ମୂଲ୍ୟବାନ ଆସବାବ ସହ ଠାକୁରଙ୍କ ଆସନ ଶୂନ୍ୟ । ମନ୍ଦିର ଅଭ୍ୟନ୍ତରର ସମସ୍ତ ଉପକରଣ ଯଥା ସ୍ଥାନରେ ପ୍ରଥାନୁଯାୟୀ ସଜ୍ଜିତ ରହିଅଛି । ନାନାଦି ମୂଲ୍ୟବାନ ଆସବାବ ସହ ଠାକୁରଙ୍କ ଶ୍ରୀଅଙ୍ଗେ ଅଳଙ୍କୃତ ସମସ୍ତ ମୂଲ୍ୟବାନ ଆଭରଣ ମଧ୍ୟ ଯଥାରୀତି ପଡ଼ିରହିଛି;କିନ୍ତୁ ଯାହାଙ୍କ ସକାଶେ ଏସବୁର ଆୟୋଜନ,ଯାହାଙ୍କ ପ୍ରୟୋଜନ ଉପଲକ୍ଷ୍ୟେ ଏ ସମସ୍ତ ଉତ୍ସର୍ଗୀକୃତ,ସେହି ମୂଳ ଠାକୁରଙ୍କ ସିଂହାସନ ଶୂନ୍ୟ । ବନ୍ଦ ମନ୍ଦିର ଭିତରୁ କେବଳ ମାତ୍ର ଠାକୁର ଅନ୍ତର୍ହିତ । ସେବକଦଳ ଘଟଣା ଦର୍ଶନ କରି ସ୍ତମ୍ଭିତ ହୋଇଗଲେ । ସାମାନ୍ୟ ସମୟପାଇଁ ସମସ୍ତେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ପରମୁହୂର୍ତ୍ତରେ ସମସ୍ତେ ସଚେଷ୍ଟ ହୋଇ ଖୋଜିବାରେ ତତ୍‌ପର ହୋଇଉଠିଲେ । ଏଇ ହଟ୍ଟଗୋଳ ମଧ୍ୟରେ ମନ୍ଦିର ଚତ୍ୱରରେ ଶାୟିତ ସମସ୍ତ ଦର୍ଶକଗଣ ମଧ୍ୟ ସଚକିତ ହୋଇ ଉଠିଲେ । ସମସ୍ତଙ୍କ ମଧ୍ୟରେ ଖୋଜ ଖୋଜ ରବ ପଡ଼ିଗଲା ।

 

ପ୍ରତିବର୍ଷ ନିୟମିତ ଭାବରେ ଦୀର୍ଘଦିନ ଯିବା ଆସିବା ଫଳରେ ବୋଦନା ଥିଲା ପ୍ରାୟ ସମସ୍ତ ପୂଜକଙ୍କ ପରିଚିତ ତଥା ପ୍ରିୟ ପାତ୍ର । ସେମାନେ ଲକ୍ଷ୍ୟ କରିଥିଲେ, ଗତରାତ୍ରରେ ଠାକୁରଙ୍କ ପହୁଡ଼ ପରେ ବୋଦନା ଯଥାରୀତି ବନ୍ଦ ମନ୍ଦିରର ଚତ୍ୱରରେ ଶୋଇଥିଲେ । ଆଜି ସମସ୍ତଙ୍କ ଉପସ୍ଥିତ ମଧ୍ୟରେ କେବଳ ବୋଦନା ଦେଖାଯାଉନାହାନ୍ତି । ଠାକୁରଙ୍କ ସଙ୍ଗେ ବୋଦନାଙ୍କୁ ମଧ୍ୟ ଖୋଜା ପଡ଼ିଲା । ବୋଦନାଙ୍କ କୌଣସି ପତ୍ତା ମିଳିଲା ନାହିଁ । ଠାକୁରଙ୍କ ଅନ୍ତର୍ଦ୍ଧାନ ସହ ରହସ୍ୟଜନକଭାବେ ବୋଦନାର ଅନୁପସ୍ଥିତି ସେବକ ଦଳଙ୍କ ମଧ୍ୟରେ ଗଭୀର ରେଖାପାତ କଲା । ସମସ୍ତେ ସନ୍ଦେହ କଲେ, ବୋଦନାହିଁ କୌଣସି ଉପାୟରେ ହେଉନା କାହିଁକି ମନ୍ଦିରରୁ ଠାକୁରଙ୍କୁ ଅପହରଣ କରି ରାତାରାତି ଚାଲିଯାଇ ଅଛନ୍ତି । ସିଦ୍ଧାନ୍ତ ନେବା ସାଥେ ସାଥେ ଯୁବକ ପୂଜକଦଳ ବାହାରିପଡ଼ିଲେ ଲାଠି ହସ୍ତରେ ଡାକୋରା ଅଭିମୁଖେ ବୋଦନାଙ୍କ ଅନ୍ୱେଷଣରେ ।

 

ବେଶି ଦୂର ଆଗେଇ ଯିବାକୁ ହେଲାନି ଜରାଗ୍ରସ୍ତ ସ୍ଥବିର ବୋଦନାଙ୍କୁ ଧରିବାକୁ । ସମସ୍ତ ରାତ୍ର ଧରି ବୋଦନା ମନର ଆନନ୍ଦରେ ଶ୍ମଥ ପାଦରେ ଦ୍ୱାରକା ଠାରୁ ଖୁବ୍‌ବେଶି ଏକ ଦୁଇ କ୍ରୋଶ ପଥ ମାତ୍ର ଅତିକ୍ରମ କରିଛନ୍ତି,ତାଙ୍କର ମନରେ ଦୃଢ଼ ଧାରଣା ଠାକୁର ମଧ୍ୟ ନିଶ୍ଚୟ ତାଙ୍କୁ ଅନୁସରଣ କରୁଛନ୍ତି ନିଜର କଥା ରକ୍ଷା କରିବା ପାଇଁ । ହଠାତ୍‌ପଛରୁ ରେ ରେ କାର ଶବ୍ଦ କରି ଅନୁସରଣକାରୀ ପୂଜକଦଳ ଆଗେଇ ଆସି ତାଙ୍କର ଗତିପଥ ଅବରୋଧ କରି ଠିଆ ହେଲେ । ବାଧାପ୍ରାପ୍ତ ହୋଇ ବୋଦନା ଯାତ୍ରା ବନ୍ଦକରି ସେବକଗଣଙ୍କ ପ୍ରଶ୍ନ ଶୁଣି ହତଚକିତ ହୋଇପଡ଼ିଲେ-। ସ୍ୱପ୍ନର ଘଟଣାକୁ ବିଶ୍ୱାସ କଲେ ମଧ୍ୟ ଦ୍ୱାରକା ମନ୍ଦିରର ସେହି ବିଶାଳ ପାଷାଣ ବିଗ୍ରହଙ୍କୁ ବହନକରି ଆଣିବା ଯେ ତାହାଙ୍କ ପକ୍ଷେ ଏକବାରେ ଅସମ୍ଭବ ତାହା ଯେପରି ଧ୍ରୁବ ସତ୍ୟ ସେପରି ଏ ଘୋର କଳିଯୁଗରେ ସମସ୍ତଙ୍କ ଅଲକ୍ଷ୍ୟରେ ବନ୍ଦ ମନ୍ଦିର ମଧ୍ୟରୁ ଏକ ପାଷାଣ ପ୍ରତିମା ନିଜେ ନିଜେ ଆସିବା ମଧ୍ୟ ସେପରି ଅବିଶ୍ୱାସଜନକ । ସେବକଦଳ ମଧ୍ୟ ଏ କଥା ଭଲ ଭାବେ ବୁଝିପାରୁଥିଲେ ଯେ ଏ ପ୍ରତିମା ଭଳି ଗୁରୁଭାର ବହନକରି ନେଇଯିବା ଶକ୍ତି ବୋଦନାଙ୍କର ନାହିଁ-। ଅକ୍ଷମ ବୃଦ୍ଧ ବୋଦନାଙ୍କ ପକ୍ଷରେ ପ୍ରତିମା ଚୋରି କରି ନେଇ ଆସିବା ଯେ ଏକବାରେ ଅସମ୍ଭବ ଏ କଥା ସେବକଦଳ ପରିଷ୍କାର ବୁଝି ପାରୁଥିଲେ । ଏ ସମୟରେ ଏସବୁ ବାସ୍ତବ ଅବାସ୍ତବ ଚିନ୍ତା କରିବା ଶକ୍ତି ସେମାନଙ୍କର ନ ଥିଲା । ମନ୍ଦିରରୁ ଠାକୁର ଯଦି ଚାଲିଯାଆନ୍ତି,ତେବେ ସେମାନେ ବଞ୍ଚିବେ କାହାକୁ ଆଶ୍ରୟକରି । କାହା ଉପରେ ନିର୍ଭର କରି ସଂସାର ଯାତ୍ରା ନିର୍ବାହ କରିବେ ? କି ଜୀବିକା ନେଇ ଆଉ ସେମାନେ ସଂସାର ପ୍ରତିପାଳନ କରିବେ । ଏହି ଚିନ୍ତା ସେତେବେଳେ ତାଙ୍କର ଥିଲା ଅତି ପ୍ରବଳ । ସୁତରାଂ ଏ ସ୍ଥଳେ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠୁଛି କେଉଁଠି ? କାଳ ବିଳମ୍ବ ନ କରି ସେମାନେ ବୋଦନାଙ୍କ କ୍ଷୁଦ୍ର ପୁଟୁଲୀଟି ଖୋଲି ତାହାରି ଭିତରେ ଦ୍ୱାରକାଧୀଶଙ୍କ ପାଷାଣ ବିଗ୍ରହ ଖୋଜିବାରେ ଲାଗିଲେ ।

 

ଭାବରେ ମୋହିତ ଭାବଗ୍ରାହ ଯେପରି ସବୁରି ଅଲକ୍ଷ୍ୟରେ ଭକ୍ତଙ୍କ ସଙ୍ଗ ଧରିଥିଲେ, ବର୍ତ୍ତମାନ ସେବକଗଣଙ୍କ ଅନୁସନ୍ଧାନବେଳେ ସେହିପରି ଅଲକ୍ଷ୍ୟରେ ରହିଯାଇଥିଲେ ହୁଏତ ଏ କାହାଣୀର ଅବତାରଣା କରିବାକୁ ପଡ଼ି ନଥାନ୍ତା; କିନ୍ତୁ ତା ହେବାର ନୁହେଁ । ନାଟୁଆ ଚିରଦିଦ ନାଟକର ତୁଚ୍ଛା ହାଟ ବସାଇ ନାନାରକମ ଭାବେ ଭକ୍ତକୁ ବିମୋହିତ କରିନେଇଛନ୍ତି । ନାନା ଖେଳ ମଧ୍ୟ ଦେଇ ନିଜକୁ ପ୍ରକାଶ କରିବା ସାଥେ ସାଥେ ପ୍ରମାଣ କରାଇଛନ୍ତି ଯେ ସେ ଭକ୍ତାଧୀନ । ଏ କ୍ଷେତ୍ରରେ ମଧ୍ୟ ତା’ର ବ୍ୟତିକ୍ରମ ହେଲାନି । ବୋଦନାଙ୍କ କ୍ଷୁଦ୍ର ବୋକଚା ଭିତରୁ ବାହାରି ପଡ଼ିଲା ଜଗତ ମନ୍ଦିରରେ ପ୍ରତିଷ୍ଠିତ ବିଶାଳ କୃଷ୍ଣଶିଳା ନିର୍ମିତ ଦ୍ୱାରକାଧୀଶଙ୍କ ପ୍ରତିମୂର୍ତ୍ତି । ସର୍ଷପଗର୍ଭେ ହିମାଳୟ ସାନୁମାନର ସ୍ଥିତି ମଧ୍ୟ ସମ୍ଭବ ହୋଇ ଉଠିଲା ।

 

ଏହି ଘଟଣା ନେଇ ଅନ୍ୟ ଏକ ମତ ମଧ୍ୟ ଶୁଣିବାକୁ ମିଳିଥାଏ । ଠାକୁର ବୋଦନାଙ୍କ ସଙ୍ଗରେ ଚାଲିଯିବା ପର୍ଯ୍ୟନ୍ତ ସେଇ ଏକ କାହାଣୀ । ତା’ପରଠାରୁ ଯେଉଁ ମତାନ୍ତରର ସୃଷ୍ଟି ତାହା ହେଲା–ବୋଦନାଙ୍କୁ ଅନୁସରଣ କରି ସେବାୟତଗଣ ଦଉଡ଼ିଲେ ଡାକୋରା ପଥେ । ସାଥିରେ ନେଲେ କାବା ନାମକ ଏକ ସମ୍ପ୍ରଦାୟର ଲୋକଗଣଙ୍କୁ । କାବାମାନେ ବ୍ୟାଧ । ଏହି ଅଞ୍ଚଳରେ ଏମାନଙ୍କ ଲକ୍ଷ୍ୟଭେଦ କଥା ବହୁଳ ପ୍ରଚାରିତ । ଲକ୍ଷ୍ୟ ଯେପରି ଏମାନଙ୍କ ଅବ୍ୟର୍ଥ ସେପରି ନୃଶଂସତା ମଧ୍ୟ କଠୋର । ପୂଜକଗଣଙ୍କ ଏ ପ୍ରଚେଷ୍ଟା ଅନ୍ତର୍ଯ୍ୟାମୀ ରଣଛୋଡ଼ଜୀଙ୍କ ପକ୍ଷେ ଜାଣିବା ସାମାନ୍ୟ ବିଷୟ ମାତ୍ର । ପଥ ମଧ୍ୟରେ ବିଶ୍ରାମରତ ବୋଦାନାଙ୍କୁ ସ୍ୱପ୍ନରେ କହିଲେ ‘‘ତୋର ବୁକୁଚାଭିତରେ ମୁଁ ଅଛି । ମୋତେ ନେବାପାଇଁ ବ୍ୟାଧଗଣଙ୍କ ସହ ମୋର ମନ୍ଦିର ସେବାୟତଗଣ ଦ୍ରୁତ ଆଗେଇ ଆସୁଛନ୍ତି । ତୁ ମୋତେ ଶୀଘ୍ର ନିକଟସ୍ଥ ଗୋମତୀ କୁଣ୍ଡରେ ଲୁଚାଇ ରଖିଦେ । ତା’ପରେ ଯାହା ହେବ ଦେଖାଯିବ ।’’

 

ସ୍ୱପ୍ନାଦେଶ ପାଇ ବୋଦନାଙ୍କ ନିଦ ଭାଙ୍ଗିଗଲା । ସେ ସଙ୍ଗେ ସଙ୍ଗେ ବୁକୁଚା ଖୋଲି ଦେଖନ୍ତି, ସତକୁ ସତ ରଣଛୋଡ଼ଜୀ ପ୍ରତିମା ରୂପରେ ତାହାରି ଭିତରେ ରହିଛନ୍ତି । ପ୍ରତ୍ୟକ୍ଷ ପ୍ରମାଣ ପାଇ ବୋଦନା ସ୍ୱପ୍ନାଦେଶ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରିବା ସକାଶେ ସେହି ପ୍ରତିମାଙ୍କୁ ନେଇ ଗୋମତୀ ପୁଷ୍କରିଣୀରେ ଲୁଚାଇ ରଖିଦେଲେ ।

 

ଅଳ୍ପକ୍ଷଣ ପରେ ଅନୁସରଣକାରୀ ଦଳ ଆଗେଇ ଆସି ବୋଦନାଙ୍କୁ ଘେରି ଗଲେ ଏବଂ ଠାକୁରଙ୍କ ଅନୁସନ୍ଧାନ କରିବାରେ ତତ୍‌ପର ହେଲେ । କେଉଁଠି ହେଲେ ଠାକୁରଙ୍କ ସନ୍ଧାନ ନପାଇ ସେମାନେ ହତାଶ ହୋଇଉଠିଲେ । ପରେ ସନ୍ଦେହବଶତଃ ବ୍ୟାଧଗଣଙ୍କୁ ପୁଷ୍କରିଣୀ ମଧ୍ୟରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଲେ । ହୁକୁମ ପାଇ ବ୍ୟାଧଗଣ ତନ୍ନତନ୍ନ କରି ସମସ୍ତ ଗୋମତୀ କୁଣ୍ଡ ମଧ୍ୟରେ ରଣଛୋଡ଼ଜୀଙ୍କ ମୂର୍ତ୍ତିର ଅନୁସନ୍ଧାନ ଚଳାଇଲେ ହସ୍ତଧୃତ ବର୍ଚ୍ଛାର ଖେଞ୍ଚା ଦେଇ ଦେଇ । ଜନୈକ ବ୍ୟାଧର ଖେଞ୍ଚା ମାଧ୍ୟମରେ ପାଷାଣ ପ୍ରତିମାଙ୍କୁ ଜଳ ଭିତରୁ ଉଦ୍ଧା କରାଗଲା-। ବର୍ତ୍ତମାନ ମଧ୍ୟ ସେହି ଖେଞ୍ଚାର ଦାଗ ବିଗ୍ରହ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହିପରି ଭାବରେ ବୋଦନାଙ୍କ ନିକଟରୁ ଅପହୃତ ରଣଛୋଡ଼ଜୀଙ୍କ ପ୍ରତିମାର ସନ୍ଧାନ ମିଳିଥିଲା ।

 

ଏହିଠାରୁ ପୁଣି ଦୁଇ ମତବାଦ ଏକପରି ମନେହୁଏ । ପାର୍ଥକ୍ୟ ମଧ୍ୟରେ ଦ୍ୱିତୀୟ ମତବାଦର ସମର୍ଥକଗଣ କହିଥାନ୍ତି ଏହି ଅନ୍ୱେଷଣରେ ସାର୍ଥକତା ଲାଭ କରିବା ପରେ କ୍ଷିପ୍ତ ବ୍ୟାଧଗଣ ସେହିଠାରେ ବୋଦନାଙ୍କୁ ହତ୍ୟା କରିଥିଲେ । ପରେ ସ୍ୱୟଂ ରଣଛୋଡ଼ଜୀ ବୋଦନାଙ୍କ ସତୀ ସ୍ତ୍ରୀଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ବିଗ୍ରହ ଓଜନର ସମପରିମାଣ ସୁବର୍ଣ୍ଣ ଗ୍ରହଣକରି ବିଗ୍ରହ ଊପରୁ ଦାବୀ ପ୍ରତ୍ୟାହାରପୂର୍ବକ ସ୍ଥାନତ୍ୟାଗକରି ଚାଲିଯିବାକୁ ସେବାୟତଗଣଙ୍କୁ କହିବା ପାଇଁ । ଅନ୍ୟ ମତବାଦ ସମର୍ଥକମାନେ କୁହନ୍ତି ଭକ୍ତ ପ୍ରବର ବୋଦନାଙ୍କ ଦେହରେ କିଏ ହେଲେ ଆଘାତ ଦେଇ ପାରିନଥିଲେ । ମୂର୍ତ୍ତି ଉଦ୍ଧାର କରୁ କରୁ ରାତ୍ରି ହୋଇଗଲା । ତେଣୁ ସମସ୍ତ ଅନୁସନ୍ଧାନକାରୀଦଳ ସହ ବୋଦନା ମଧ୍ୟ ବିଶ୍ରାମ କଲେ । କଡ଼ା ପ୍ରହରା ମୁତୟନ ହେଲା ରାତ୍ରକ ପାଇଁ । ସେହି ରାତ୍ରରେ ଭକ୍ତଙ୍କୁ ଭଗବାନ ନିର୍ଦ୍ଦେଶ ଦେଲେ ବିଗ୍ରହ ସମପରିମାଣ ସୁବର୍ଣ୍ଣ ଗ୍ରହଣ କରି ସେବାୟତଗଣଙ୍କୁ ମୂର୍ତ୍ତି ଉପରୁ ଦାବୀ ତ୍ୟାଗ କରି ସ୍ଥାନତ୍ୟାଗ କରି ଚାଲିଯିବାକୁ । ଭକ୍ତ ପ୍ରଶ୍ନକଲେ ମୁଁ ଏତେ ସୁବର୍ଣ୍ଣ କେଉଁଠୁ ପାଇବି? ଦୟାମୟ ଦୟାଳୁ ଠାକୁର କହିଲେ, ସେନେଇ ତୁ ଚିନ୍ତା କରନା । ତୋର ଘରେ ଯେଉଁ ପରିମାଣ ସୁନା ଅଛି ତାହାକୁ ନେଇ ନିକିତିରେ ଓଜନ କର,ପରବର୍ତ୍ତୀ କର୍ମ ଯାହା କରିବା କଥା ତାହା ମୁଁ କରିବି ।

 

ଦେବତାଙ୍କ ନିର୍ଦ୍ଦେଶାନୁଯାୟୀ ନିଶି ପ୍ରଭାତ ହେବା ମାତ୍ରେ ବୋଦନା ପୂଜକଗଣଙ୍କ ଦଳପତି ନିକଟରେ ସେହି ଅରଜି ପେଶ କଲେ । ଖୁବ୍‌ସମ୍ଭବ ସେବକଗଣ ମଧ୍ୟ ରାତିରେ ସେପରି କିଛି ଦେବ ନିର୍ଦ୍ଦେଶ ପ୍ରାପ୍ତ ହୋଈଥିଲେ । ନହେଲେ ବୋଦନା ଆବେଦନ ପେଶକରିବା ମାତ୍ରେ ସେମାନେ ତତ୍‌କ୍ଷଣାତ୍‌ପ୍ରସ୍ତାବରେ ସ୍ୱୀକୃତ ପ୍ରଦାନ କରିନଥାନ୍ତେ । ସେମାନଙ୍କ ନିକଟରୁ ଅନୁମତି ପାଇ ବୋଦନା ତୁଳାଦଣ୍ଡର ଏକ ପାଖରେ ରଣଛୋଡ଼ଜୀଙ୍କ ପାଷାଣ ପ୍ରତିମା ରଖି ଅନ୍ୟ ପାଖରେ ତାଙ୍କର ସ୍ତ୍ରୀଙ୍କର ସର୍ବଶେଷ ସମ୍ବଳ ଏକମାତ୍ର କାନର ଗହଣା ରଖି ଓଜନ କରିବାକୁ ଗଲେ । ତାଙ୍କର ଏ ପାଗଳାମୀ ଦେଖି ସମସ୍ତେ ଉପହାସ କରି ଉଠିଲେ; ମାତ୍ର ଉପହାସକାରୀମାନଙ୍କ ସେ ଭାବ ବେଶିକ୍ଷଣ ରହିଲାନାହିଁ । ତୁଳାଦଣ୍ଡର ଦୁଈ ପଲା ଉପରକୁ ଉଠିବା ସାଙ୍ଗେ ସାଙ୍ଗେ ଦେଖିବାକୁ ପାଇଲେ ପ୍ରତିମା ସହିତ ଏଇ ସାମାନ୍ୟ ସୁନାରେ ଗଠିତ କାନର ଗହଣାର ଓଜନ ସମାନ ହୋଇଅଛି । ସନ୍ଦେହାକୁଳ ସେବାୟତଦଳ ପଲା ବଦଳ କରି ପୁନଃ ଓଜନ କଲେ । ଏଥର ମଧ୍ୟ ଉଭୟ ଓଜନ ସମପରିମାଣ ହୋଇଉଠିଲା । ଏବଂଭୂତ ଆଶ୍ଚର୍ଯ୍ୟଜନକ ଘଟଣା ଅବଲୋକନ କରି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଉଠିଲେ । ସନ୍ଦେହ ମୋଚନ ସକାଶେ ପୁନଃ ପୁନଃ ଓଜନ କରିବାକୁ ଲାଗିଲେ ଏବଂ ପ୍ରତ୍ୟେକ ଥର ହତାଶ ହେବାହିଁ ସାର ହେଲା । ଓଜନରେ କୌଣସି ତାରତମ୍ୟ ହେଲାନାହିଁ ।

 

ଏହାପରେ ସେବାୟତଦଳ ସେହି ଏକମାତ୍ର କାନର ଗହଣାକୁ ସଙ୍ଗରେ ନେଇ ଦ୍ୱାରକା ପ୍ରତ୍ୟାବର୍ତ୍ତନ କଲେ । ଏ ସାମାନ୍ୟ ଗହଣାକୁ ଅସାମାନ୍ୟ ମର୍ଯ୍ୟାଦା ଦେଇ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ସ୍ଥାପନ କରି ପୂଜକଗଣ ଦେବତାଙ୍କ ଉଦ୍ଦେଶ୍ୟରେ ଧାରଣା ଦେଇ ପଡ଼ିରହିଲେ । ନିଜର ଅନୁଚରଙ୍କ ବ୍ୟାକୁଳତା ଦେବତାଙ୍କ ହୃଦୟ ସ୍ପର୍ଶ କଲା । ମଧ୍ୟରାତ୍ରିରେ ସେମାନେ ସ୍ୱପ୍ନ ଦେଖିଲେ ସ୍ୱୟଂ ଦ୍ୱାରକାଧୀଶ ଆସି ସେମାନଙ୍କୁ କହୁଛନ୍ତି ‘‘ତୁମେମାନେ କାତର ହୁଅନି, ସକାଳୁ ଉଠି ଆଗେଇ ଯାଇ ‘ସାବିତ୍ରୀଭାବେ’ (ଭାବେ-କୂଅ) ଅନୁସନ୍ଧାନ କର । ଅବିକଳ ମୋହରି ଭଳି ଅନ୍ୟ ଏକ ମୂର୍ତ୍ତି ତାହାରି ଭିତରୁ ପ୍ରାପ୍ତ ହେବ । ସେହି ପ୍ରତିମା ନେଇ ଜଗତ ମନ୍ଦିରରେ ପ୍ରତିଷ୍ଠା କର-। ସର୍ବବ୍ୟାପୀ ମୁଁ । ସେ ମୂର୍ତ୍ତି ମଧ୍ୟରେ ମୋତେ ପ୍ରତ୍ୟକ୍ଷ କରିପାରିବ ।’’

 

ସ୍ୱପ୍ନାଦେଶ ପ୍ରାପ୍ତ ମାତ୍ରେ ସମସ୍ତ ସେବାୟତଦଳ ଏକ ସଙ୍ଗେ ଚେଇଁ ଉଠି ପରସ୍ପର ସେହି ବିଷୟ ନେଇ ଆଲୋଚନା କରିବାକୁ ଲାଗିଲେ । ଅବଶିଷ୍ଟ ରଜନୀ ସେହି ଆଲୋଚନା ମଧ୍ୟରେ ଅତିବାହିତ ହୋଇଗଲା । ପ୍ରଭାତ ହେବା ମାତ୍ରେ ସେମାନେ ନାନାଦି ବାଦ୍ୟବାଜଣା ସହ ସାବିତ୍ରୀ କୂପ ନିକଟରେ ଉପସ୍ଥିତ ହୋଇ ମୂର୍ତ୍ତି ଅନୁସନ୍ଧାନରେ ବ୍ରତୀ ହେଲେ । ସ୍ୱପ୍ନ ବା ଶ୍ରମ ବିଫଳ ହେଲାନି । କୂଅ ଭିତରୁ ଅବିକଳ ଦ୍ୱାରକାଧୀଶଙ୍କ ଅନ୍ୟ ଏକ ପ୍ରତିମୂର୍ତ୍ତି ଆବିଷ୍କୃତ ହେଲା । ତାହାଙ୍କୁ ନେଇ ବିଧିମତେ ମନ୍ଦିରରେ ପ୍ରତିଷ୍ଠା କରାଗଲା । ବର୍ତ୍ତମାନ ଯାତ୍ରୀଗଣ ସେହି ପ୍ରତିମାକୁ ଦର୍ଶନ କରିଥାଆନ୍ତି । ମୂଳ ବିଗ୍ରହ ଯେ ବୋଦନାଙ୍କ ସଙ୍ଗେ ଯାଇ ଡାକୋରାରେ ପ୍ରତିଷ୍ଠିତ ହେଲେ,ତା’ର ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ।

 

କବି ଗୋପାଳ ଦାସଙ୍କ ଲେଖାରୁ ଏହି କିଂବଦନ୍ତୀର ସତ୍ୟତା ପ୍ରତିପାଦିତ ହୁଏ । ୧୨୧୨ ସମ୍ବତ୍‌ କାର୍ତ୍ତିକ ପୂର୍ଣ୍ଣିମା ଗୁରୁବାରଦିନ ଦ୍ୱାରକାରୁ ଠାକୁରଙ୍କୁ ବୋଦନା ଅପହୃତ କରିଥିଲେ ବା ଠାକୁର ଭକ୍ତ ସଙ୍ଗେ ଯାତ୍ରା କରିଥିଲେ । ସରକାରୀ ଗେଜେଟରେ ଉକ୍ତ ତଥ୍ୟ ୧୧୯୫ ଖ୍ରୀଷ୍ଟାବ୍ଦ ବୋଲି ଉଲ୍ଲେଖ ଅଛି । କେତେକ ବିଖ୍ୟାତ ଐତିହାସିକ ନାନା ଯୁକ୍ତି ଦର୍ଶାଇ ଅବତାରଣା କରନ୍ତି ଯେ ମହମ୍ମଦ ଗଜନୀଙ୍କ ସୋମନାଥ ମନ୍ଦିର ଲୁଣ୍ଠନ ପୂର୍ବରୁ ତା’ ସେହି ସମୟରେ ଦ୍ୱାରକା କୌଣସି ବିଶେଷ ତୀର୍ଥକ୍ଷେତ୍ର ହିସାବରେ ସ୍ୱୀକୃତ ଲାଭ କରିନଥିଲା । ଖୁବ୍‌ସମ୍ଭବ୧୨୦୦ ଖ୍ରୀଷ୍ଟାବ୍ଦରୁ ଏହା ଏକ ବିଖ୍ୟାତ ତୀର୍ଥକ୍ଷେତ୍ରରେ ପରିଣତ ହେଲା । ତେବେ ଏହା କେତେଦୂର ବାସ୍ତବ ସମ୍ମତ ସେ ନେଇ ଚିନ୍ତାର ଯଥେଷ୍ଟ ଅବକାଶ ରହିଛି । ୧୨୦୦ ଖ୍ରୀଷ୍ଟାବ୍ଦର ବହୁ ପୂର୍ବରୁ ଲେଖା ବରାହ ପୁରାଣରେ ବିଶଦ ଭାବେ ଦ୍ୱାରକା କଥା ଉଲ୍ଲେଖଥିବା ଦେଖାଯାଏ । ସନ୍ଦେହ ମଧ୍ୟରେ ଅନେକ କାରଣରୁ ଏହା ଅନ୍ୟତମ ପ୍ରଧାନ ବିଷୟ । ଯେତେଦୂର ଜଣାଯାଏ ଏ ପୁରାଣ ଏକାଦଶ ଶତାବ୍ଦୀ ଶେଷ ବା ଦ୍ୱାଦଶ ଶତାବ୍ଦୀର ପ୍ରଥମାଂଶରେ ଲିଖିତ ହୋଇଥିଲା । ତେବେ ସରକାରୀ ନଥିପତ୍ରର ସମର୍ଥନ ମିଳୁଥିବା ହେତୁ ଏ ଜନକାହାଣୀର ମର୍ଯ୍ୟାଦା ଅନେକ ବୃଦ୍ଧିପାଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଡାକୋରା ସେପରି କୌଣସି ଏକ ବିଶେଷ କ୍ଷେତ୍ର ନ ହେଲେ ବି କେବଳ ଏହି ଗୋଟିକ ମନ୍ଦିର ସକାଶେ ବହୁ ଯାତ୍ରୀ ସମାଗମ ହୋଇଥାଏ । ପୂର୍ବର ମନ୍ଦିର କାହାଦ୍ୱାରା ଏବଂ କେବେ ନିର୍ମିତ ହୋଇଥିଲା ତା’ ଆଜି କହିବା ସହଜସାଧ୍ୟ ନୁହେଁ । ବର୍ତ୍ତମାନ ଦେଖାଯାଉଥିବା ମନ୍ଦିର ଖୁବ୍‌ସମ୍ଭବ ୧୭୭୨ ଖ୍ରୀଷ୍ଟାବ୍ଦରେ ନିର୍ମିତ । ଶୁଣାଯାଏ, ଗୋପଳ ଜଗନ୍ନାଥ ତାମ୍ବେକର ନାମକ ଜନୈକ ଭକ୍ତ ସେହି ସମୟରେ ମନ୍ଦିର ନିର୍ମାଣକଳ୍ପେ ଏକଲକ୍ଷ ଟଙ୍କା ଦାନ କରିଥିଲେ । ଏହି ଟଙ୍କାକୁ ମୂଳଧନ କରି ଖୁବ୍‌ସମ୍ଭବ ମନ୍ଦିର ନିର୍ମାଣ ପାଣ୍ଠି ଗଢ଼ିଉଠିଥିଲା ଏବଂ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ସେ ସକାଶେ ନିର୍ମାତାଙ୍କ ନାମ ଜଣାଯାଏନା-। କଳା କଷଟି ପଥରରେ ନିର୍ମିତ ଦଣ୍ଡାୟମାନ ସୁନ୍ଦର ବିଷ୍ଣୁମୂର୍ତ୍ତି, ଚାରିହାତରେ ଶଙ୍ଖ,ଚିତ୍ର,ଗଦା, ପଦ୍ମ ଧରି ସୁବର୍ଣ୍ଣ ସିଂହାସନୋପରି ପ୍ରିତଷ୍ଠିତ । ଏକଲକ୍ଷ ପଚିଶ ହଜାର ଟଙ୍କର ମୂଲ୍ୟର (୧୭୭୨ ସାଲର ଦାମ) ଏହି ସିଂହାସନଟି ବରୋଦା ରାଜା ଗାଇକୋୟାଡ଼ ଠାକୁରଙ୍କ ଉଦ୍ଦେଶ୍ୟରେ ନିର୍ମିତ କରାଇଥିଲେ ।

 

ଅହମ୍ମଦାବାଦ, ବମ୍ବେ ଲାଇନରେ ଆନନ୍ଦ ଗୋଟିଏ ବିଖ୍ୟାତ ଜଙ୍କ୍‌ସନ । ଅହମ୍ମଦାବାଦଠାରୁ ମାତ୍ର ପଞ୍ଚଷଠି କିଲୋ ମିଟର–ଏକ୍‌ସପ୍ରେସ ଗାଡ଼ିରେ ଏକଘଣ୍ଟା ସମୟଲାଗେ-। ସେଠାରୁ ମାତ୍ର ତିରିଶି କିଲୋମିଟର ପଥ ଅନ୍ୟଟ୍ରେନ୍‍ ଧରି ଡାକୋରା ଯିବାକୁ ହୋଇଥାଏ-। ଇଚ୍ଛୁକ ବ୍ୟକ୍ତିଗଣ ଏକଦିନରେ ଅହମ୍ମଦାବାଦରୁ ଯାତ୍ରାକରି ଡାକୋରା ଦେଖି ଫେରି ଆସିପାରନ୍ତି ବିନା ଆୟାସରେ । ଏହା ବ୍ୟତୀତ ଏଠାକୁ ଭଲ ସଡ଼କ ଯୋଗାଯୋଗା ମଧ୍ୟ ରହିଛି-। ସେଠାରେ ଭଲ ଧର୍ମଶାଳର ମଧ୍ୟ ଅଭାବ ନାହିଁ । ଯାତ୍ରୀଗଣ ଏ ସୁଯୋଗ ନେବା ଉଚିତ । ମୂଳ ରଣଛୋଡ଼ଜୀ ମନ୍ଦିର ବ୍ୟତୀତ ଏଇ ଛୋଟ ସହରରେ ଅନେକ ଛୋଟ ବଡ଼ ମନ୍ଦିର ଦେଖାଯାଏ-। ସହରଟି ମୋଟାମୋଟି ବୈଷ୍ଣବ ପ୍ରଧାନ । ପ୍ରଧାନ ମନ୍ଦିରରେ ବୈଷ୍ଣବ ଚାରି ସଂପ୍ରଦାୟର ସମ ଅଧିକାର ଥିବା ଦେଖାଯାଏ । ପ୍ରଶସ୍ତ ଅଙ୍ଗନ ଭିତରେ ସୁନ୍ଦର କାରୁଶିଳ୍ପରଞ୍ଜିତ ସୁବିଶାଳ ମନ୍ଦିର-। ଉତ୍ତର ପଶ୍ଚିମରେ ପ୍ରଶସ୍ତ ଦରଜା ଯାତ୍ରୀଙ୍କ ପ୍ରବେଶ ଓ ନିଷ୍କ୍ରମଣ ସକାଶେବ୍ୟବହୃତ ହୋଇଥାଏ-। ନିକଟରେ ଗୋମତୀ ସରୋବର ବହୁ ଘାଟଦ୍ୱାରା ପରିଶୋଭିତ । ତାହାରିମଧ୍ୟରେ ଯେଉଁ ଘାଟରେ ରଣଛୋଡ଼ଜୀଙ୍କୁ ସୁବର୍ଣ୍ଣ ଅଳଙ୍କାର ସହ ଓଜନ କରାଯାଇଥିଲା ତାହାର ମର୍ଯ୍ୟଦା ସର୍ବାପେକ୍ଷା ବେଶି-। ସେହି ଘାଟ ନିକଟରେ ଭକ୍ତ ବୋଦନାଙ୍କ ଗୋଟିଏ ଛୋଟ ମନ୍ଦିର ଦେଖାଯାଏ-। ସୁନ୍ଦର ପରିବେଶ ମଧ୍ୟରେ ପ୍ରତିଷ୍ଠିତ ଏହି ମନ୍ଦିର ତଥା ଭକ୍ତର ଭଗବାନଙ୍କୁ ଦର୍ଶନ କରିବା ସକାଶେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏଠାକୁ ଆସିଥାଆନ୍ତି ।

 

ପୂଜାରୀ ତାଙ୍କର କାହାଣୀ ଶେଷ କଲେ । ସେତେବେଳକୁ ରାତ୍ର ପ୍ରାୟ ସାଢ଼େ ନଅ । ଆମେ ଆଉ ବିଳମ୍ବ ନକରି ପୂଜକ ବ୍ରାହ୍ମଣକୁ ଉପଯୁକ୍ତ ଦକ୍ଷିଣା ପ୍ରଦାନ କରି ମୂଳ ଦରଜା ଦେଇ ମନ୍ଦିରରୁ ବାହାରି ପଡ଼ିଲୁ । ସେଠାରେ ଆମର ଟାଙ୍ଗା ଅପେକ୍ଷା କରିଥିଲା । ଆମେମାନେ ବସିବା ମାତ୍ରେ ଟାଙ୍ଗା ଷ୍ଟେସନାଭିମୁଖେ ଧାବିତ ହେବାକୁ ଲାଗିଲା । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ସକାଳ ଚାରିଟା ସମୟରେ ଆସିବାକୁ କହି ଟାଙ୍ଗାବାଲାକୁ ବିଦାୟ କରି ନିଜ ବଗିକୁ ଫେରିଲୁ ।

 

ଆସି ଦେଖିଲୁ ଗୌତମବାବୁଙ୍କ ବିଶେଷ ଚେଷ୍ଟାଫଳରେ ବଗିର ଟାଙ୍କିରେ ପାଣି ଭର୍ତ୍ତି କରାଯାଇଅଛି । ତାହା ସତ୍ତ୍ୱେ ବି ଜଳ ସୀମିତ ଭାବେ ବ୍ୟବହାର କରିବା ନିର୍ଦ୍ଦେଶ ସେପରି ବଳବତ୍ତର ରହିଛି । ଅବଶ୍ୟ ଏଥିପାଇଁ ଆଉ ଆମେମାନେ ଚିନ୍ତିତ ନୋହୁ । ମନୁଷ୍ୟ ଅଭ୍ୟାସର ଦାସ । ବୋଧହୁଏ ଅଭ୍ୟାସ ମଧ୍ୟ ପ୍ରାଚୁର୍ଯ୍ୟ ଉପରେ ନିର୍ଭରଶୀଳ । ସେ ସକାଶେ ସ୍ୱାଭାବିକ ଅବସ୍ଥାରେ ଯାହା ସମ୍ପୂର୍ଣ୍ଣ ଅସମ୍ଭବ ମନେ ହୋଇଅଛି ତାହା ପୁଣି ଅବସ୍ଥାଚକ୍ରରେ ଅତି ସହଜ ଭାବେ ମାନିନେବାକୁ ହୁଏ । ପାଣି ଚିନ୍ତା ନ କରି ରାତ୍ରି ଭୋଜନ ସକାଶେ ତତ୍‌ପର ହୋଇ ଉଠିଲୁ-। ସହଯାତ୍ରୀଗଣ ପ୍ରାୟ ସମସ୍ତେ ଭୋଜନ ଶେଷକରି ନେଲେଣି । ଆମର ଭୋଜନ ପର୍ବ ଶେଷ କରିବା ପାଇଁ ବେଶି ସମୟ ମଧ୍ୟ ଲାଗିଲାନାହିଁ । ଏହିପରି ଭାବରେ ଦ୍ୱାରକାରେ ପ୍ରଥମ ଦିବସ ପରମ ଆନନ୍ଦରେ ଅତିବାହିତ ହେଲା ।

 

୨୮/୧୨/୭୮ । ଅତି ପ୍ରତ୍ୟୁଷରୁ ଅର୍ଥାତ୍‌ରାତ୍ରି ଚାରିଟାକୁ ବିଛଣା ତ୍ୟାଗ କରି ହେଣ୍ଡବେଗରେ ପ୍ରୟୋଜନୀୟ ଜିନିଷପତ୍ର ଧରି ଟାଙ୍ଗାଯୋଗେ ମନ୍ଦିରାଭିମୁଖେ ଯାତ୍ରାକଲୁ । ଉଦ୍ଦେଶ୍ୟ ପୁଣ୍ୟତୋୟା ଗୋମତୀ ନଦୀରେ ପ୍ରାତଃ ସ୍ନାନ କରି ପ୍ରଭୁଙ୍କର ପ୍ରାତଃ କାଳୀନ କ୍ରିୟା କର୍ମ ଦର୍ଶନ କରିବୁ । ଏହି ସମୟରେ ବିଶେଷ ଉତ୍ସୁକ ଯାତ୍ରୀ ବ୍ୟତୀତ ଅନ୍ୟ ସାଧାରଣ ଦର୍ଶକ ପ୍ରାୟ ଆସନ୍ତି ନାହିଁ । ସେ ସକାଶେ ଭିଡ଼ କମ୍‍ ଥାଏ । ପୂଜକ ଅତି ଯତ୍ନସହକାରେ ଠାକୁରଙ୍କ ଶୃଙ୍ଗାର ବେଶ ପରିତ୍ୟାଗ କରାଇ ସ୍ନାନାଦି ପ୍ରାତଃକର୍ମମାନ ଶେଷ କରି ଥାଆନ୍ତି । ଏହିପରି ରାତ୍ରି ଥାଉ ଥାଉ ନ ଗଲେ ତାହା ଦେଖିବା ସୌଭାଗ୍ୟ ମିଳେନା । ଏତେଦୂର ଆସି ସେ ସୌଭାଗ୍ୟ ହରାଇବା ଉଚିତ ନୁହେଁ । ସେଥିପାଇଁ ଏ ପ୍ରଚେଷ୍ଟା ।

 

ଆମ ଛଅଜଣଙ୍କୁ ନେଇ ଟାଙ୍ଗା ଯଥା ସମୟରେ ଗୋମତୀ କୂଳରେ ଛାଡ଼ିଦେଇ ଚାଲିଗଲା । ପୁନଶ୍ଚ ନଅଟାରେ ଆମକୁ ନେଇଯିବାକୁ ମୁଖ୍ୟଦରଜା ନିକଟରେ ଅପେକ୍ଷା କରିବ । ସେଠାରୁ ନେଇ ଷ୍ଟେସନରେ ପହଞ୍ଚାଇ ଦେଇ ତା’ର ସମୁଦାୟ ପ୍ରାପ୍ୟ ସେ ସମୟରେ ନେବ । ଆମମାନେ ନିଶ୍ଚିତ ମନରେ ସିଡ଼ିପରେ ସିଡ଼ି ପରିତ୍ୟାଗ କରି ଗୋମତୀର ଜଳ ସୀମାରେ ଆସି ପହଞ୍ଚିଲୁ । ଗୋମତୀର ନିର୍ମଳ ପାଣି ଦେଖି ମନ ଆନନ୍ଦରେ ଭରି ଉଠିଲା । ଦୁଇତିନିଥର ପରିପୂର୍ଣ୍ଣ ଭାବରେ ସ୍ନାନ ନ କରିବା ଦୁଃଖ ସ୍ନାନ କରିବା ସୁଯୋଗ ଦେଖି ଭୁଲିଯିବାକୁ ବେଶି ସମୟ ଲାଗିଲାନାହିଁ । ଲୋଭାତୁର ହୋଇ ବ୍ୟାଗରୁ ସାବୁନ ବାହାର କରି ଆଗେଇ ଚାଲିଲି ସ୍ନାନ କରିବାପାଇଁ । ଭାବନାନୁଯାୟୀ କାମ କରି ବସି ମୁଣ୍ଡରେ ସାବୁନ ଲଗାଇଲି । ତା’ପରେ ବୁଝିପାରିଲି ଦ୍ୱାରକା ଗୋମତୀର ନିର୍ମଳ ଜଳରେ ସାବୁନ ଲଗେଇ ସ୍ନାନ କରିବାର ଚମତ୍କାରିତା । ଯେତେ ଘଷିଲେ ମଧ୍ୟ ସାବୁନ ଫେଣର ଦେଖାନାହିଁ । ଏଣେ ମୁଣ୍ଡବାଳ ସବୁ ଲୋଳା ଲୋଳା ହୋଇ ଜଟା ଆକାର ଧାରଣ କରିବାକୁ ଲାଗିଲାଣି । ଏପରି ଅବସ୍ଥା ହେଲା ଯେ ପାନିଆ ତ ଦୂରର କଥା ହାତର ଆଙ୍ଗୁଳି ତାହା ଭିତରେ ଚଳାଇବା କଷ୍ଟକର ହୋଇଉଠିଲା । ସାବୁନ ଲଗା ଦେହରେ ଯେପରି ମନେ ହେଲା ସଦ୍ୟ କିଏ ବାବଲ ଅଠା ଘନକରି ବୋଳିଦେଇ ଯାଇଛି । ଏ ପରିଣତି ଦେଖି ଅକଲ ଫେରିଆସିଲା । ତୁଣ୍ଡରେ ଦେଇ ଦେଖିଲି ଗୋମତୀ ନୀର ଯେତେ ପବିତ୍ର ହେଲେ ମଧ୍ୟ ତୁଣ୍ଡରେ ଦେବା ସମ୍ଭବ ନୁହେ । ଏହା ସମୁଦ୍ର ଜଳ ଭଳି ଲୁଣିଆ । ଜଳ ଭିତରେ ମୋର ଏପ୍ରକାର ନଯୌ ନଥୌ ଅବସ୍ଥା ଦେଖି ନିକଟସ୍ଥ ସ୍ନାନରତ ଜନୈକ ଅପରିଚିତ ବ୍ୟକ୍ତ ସାନ୍ତ୍ୱନା ଦେଇ କହିଲେ, ଗୋମତୀ ଜଳ ପରିଷ୍କାର ହେଲେ କ’ଣ ହେବ ସମୁଦ୍ର ପାଣି ସଙ୍ଗେ ମିଶି ଭାରି ଓ ଲବଣାକ୍ତ । ସେ ସକାଶେ ସାମାନ୍ୟ ଅଠାଳିଆ ଭାବ ରହିଥାଏ । ତାରି ସଙ୍ଗେ ସାବୁନ ଯୁକ୍ତ ହୋଇ ଆପଣଙ୍କ ଏ ଅବସ୍ଥା ହୋଇଛି । ଚିନ୍ତା କରିବେ ନାହିଁ । ଖରା ଲାଗିଲେ ଠିକ୍‌ହୋଇଯିବ ।’

 

ହୁଏତ ଭଦ୍ର ଲୋକଙ୍କ କଥା ଠିକ୍‌ହୋଇପାରେ । ନଚେତ ପରେ ମଧୁର ଜଳରେ ସ୍ନାନ କରି ଏ ଅବସ୍ଥାରୁ ମୁକ୍ତି ମିଳିପାରେ, କିନ୍ତୁ ବର୍ତ୍ତମାନ କରିବି କ’ଣ ? ଦେହଯାକ ଅଠା ଅଠା, ମୁଣ୍ଡର ବାଳ ସବୁ ଠିଆ ଠିଆ । ଏପରି ଏକ ଅସ୍ୱସ୍ତିକର ପରିବେଶ ଦେଇ ଠାକୁର ଦର୍ଶନ କରିବି କିପରି ? ଲୋକେ ବା ଭାବିବେ କ’ଣ ? ଏ ଚିନ୍ତା ମଧ୍ୟରେ ମନ୍ଦିର ମଧ୍ୟରୁ ପ୍ରଥମ ଅବକାଶର ଘଣ୍ଟା ବାଜି ଉଠିଲା । ଅର୍ଥାତ ଦରଜା ଖୋଲା ସମୟ ନିର୍ଦ୍ଦେଶ ଜଣାଇ ଦିଆଗଲା । ଦରଜା ଖୋଲା ସଙ୍ଗେ ଭିତରେ ପ୍ରବେଶ କରି ସୁବିଧାଜନକ ସ୍ଥାନ ଯୋଗାଡ଼ କରିନେବାକୁ ହେବ । ଯେଉଁଠାରୁ ଟିକି ନିଖି ସମସ୍ତ ଠାକୁର ଭଲଭାବେ ଦେଖାଯାଇ ପାରିବେ । କୌଣସି ରକମ ସ୍ନାନ ଶେଷକରି ଉପରକୁ ଆସିଲି । ସେତେବେଳକୁ ସ୍ନାନକାରୀ ଯାତ୍ରୀଗଣ ଆସି ବେଶ ଭିଡ଼ କରିଗଲେଣି । ଘାଟ ପୁରୋହିତ କେତକ ଯାତ୍ରୀଙ୍କୁ ଦ୍ୱାରକାଧୀଶଙ୍କ ଅଗ୍ରତେ ଗୋମତୀତୀରେ ପିତୃପୁରୁଷଙ୍କ ପିଣ୍ଡଦାନ ସମ୍ବନ୍ଧେ ନାନା ଉପଦେଶ ଦେଇ ପୁରୋଚିତ କରୁଥିବା ଦେଖାଗଲା । ଆମେମାନେ ସେଥିପ୍ରତି କର୍ଣ୍ଣପାତ ନକରି ଶୀଘ୍ର ଛପନଟି ସିଡ଼ି ଅତିକ୍ରମ କରି ସ୍ୱର୍ଗଦ୍ୱାର ଦେଇ ମନ୍ଦିର ମଧ୍ୟରେ ପ୍ରବେଶକଲୁ-

 

ଭିଡ଼ ନଥିବା ହେତୁ ସୁବିଧାଜନକ ଦର୍ଶନଯୋଗ୍ୟ ସ୍ଥାନର ଅଭାବ ହେଲାନାହିଁ । ଅତି ନିକଟରୁ ପରମ ଆନନ୍ଦରେ ଠାକୁରଙ୍କ ପ୍ରାତଃକାଳୀନ କର୍ମମାନ ପ୍ରତ୍ୟକ୍ଷ କରିବାରେ ସଚେଷ୍ଟ ହେଲୁ । ପୂଜକଙ୍କ ସୁନିପୁଣ ତଥା ଅଭ୍ୟସ୍ତ ହସ୍ତ ଗୋଟିକ ପରେ ଗୋଟିଏ କର୍ମ ବିଧିବଦ୍ଧ ଭାବେ କରିଚାଲିଲା । ପ୍ରାୟ ଘଣ୍ଟାଏ ବିତିଗଲା ସମସ୍ତ କ୍ରିୟା ଶେଷ ହେବାକୁ । ଇତ୍ୟବସରରେ ମନ୍ଦିର ପ୍ରାଙ୍ଗଣ ମଧ୍ୟ ପ୍ରାତଃକାଳୀନ ମାଙ୍ଗଳିକ ଆରତି ଦର୍ଶନେଚ୍ଛୁ ଯାତ୍ରୀଙ୍କ ସମାଗମରେ ପରିପୂର୍ଣ୍ଣ ହୋଇଉଠିଲା । ଠିକ୍‌ସମୟରେ ଆରତି ବାଜଣା ବାଜି ଉଠିଲା । ପୂଜକ ଆରତି କର୍ମ ଆରମ୍ଭକଲେ-। ଆମେମାନେ ବସିଥିବା ସ୍ଥାନରେ ଉଠି ସେହି ମଧୁମୟ ଦୃଶ୍ୟ ଦର୍ଶନକରି ଧନ୍ୟ ହେଲୁ-। କୃତାଞ୍ଜଳି ପୁଟରେ ସମସ୍ତ ଭକ୍ତଗଣଙ୍କ ସହ ଆମେମାନେ ମଧ୍ୟ ନିଜ ନିଜର ବାସନା ନିବେଦନ କଲୁ ଠାକୁରଙ୍କ ଶ୍ରୀଚରଣ ତଳେ । ପଞ୍ଚ ପ୍ରଦୀପର ଆଲୋକରେ ଠାକୁରଙ୍କ କଳା ଶ୍ରୀମୁଖ ମୁହୂର୍ତ୍ତକ ସକାଶେ ଝଲସି ଉଠିଲା । ସମୟ ମୁତାବକ ଭକ୍ତଗଣଙ୍କ କଣ୍ଠରୁ ମହାନନ୍ଦେ ଧ୍ୱନିତ ହେଲା ‘‘ଜୟ ରଣଛୋଡ଼ଜୀଙ୍କ ଜୟ’’ ‘ଜୟ ଦ୍ୱାରକାଧୀଶଙ୍କ ଜୟ’ । ଆମର ଗଳା ମଧ୍ୟ ସେହି ଧ୍ୱନି ସଙ୍ଗରେ ମିଶି ଏକ ହୋଇଗଲା ।

 

ସାଧାରଣତଃ ହିନ୍ଦୁ ମନ୍ଦିରରେ ଚତୁର୍ବିଧ ପୂଜା ବିଧି ପ୍ରଚଳନ ଦେଖାଯାଇଥାଏ । ସାଧାରଣ ପୂଜା, ପୁଲ, ଚନ୍ଦନ ଓ ନୈବେଦ୍ୟରେ ଶେଷ ହୁଏ । ଦ୍ୱିତୀୟ ହେଲା ପଞ୍ଚୋପଚାର । ଏଥିରେ ଗନ୍ଧ, ପୁଷ୍ପ, ଧୂପ ଓ ନୈବେଦ୍ୟ-ଏହି ଉପଚାରମାନ ପ୍ରଯୁଜ୍ୟ ହୋଇଥାଏ । ଏ ଦୁଇ ପ୍ରଥା ପ୍ରାୟ ସାଧାରଣ ପୂଜାନ୍ତର୍ଗତ ବୋଲି ଧରା ଯାଇଥାଏ । ତା’ ପରେ ଆସେ ମଧ୍ୟମ ପୂଜା ଦଶୋପଚାର । ଏ ରକମ ପୂଜା ସକାଶେ ଦଶଟି ଉପଚାରର ଆବଶ୍ୟକ ପଡ଼େ । ସେ ଉପଚାର ମାନ ହେଲା ପାଦ୍ୟ,ଅର୍ଘ୍ୟ, ଆଚମନୀୟ, ସ୍ନାନୀୟ, ପୁନରାଚମନୀୟ,ଗନ୍ଧ,ପୁଷ୍ପ,ଧୂପ, ଦୀପ ଓ ନୈବେଦ୍ୟ । ପୁଷ୍ପ ଅଭାବରେ କ୍ଷେତ୍ର ବିଶେଷରେ ବିଲ୍ୱ ପତ୍ର ବା ତୁଳସୀ ମଧ୍ୟ ଦିଆଯାଇଥାଏ । ଚତୁର୍ଥ ହେଲା ବିଶେଷ ପୂଜା ବା ଷୋଡ଼ଶୋପଚାର ବିଧି । ଆସନ, ସ୍ୱାଗତଂ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ସ୍ନାନୀୟ, ବସନ, ଆଭରଣ, ଗନ୍ଧ, ପୁଷ୍ପ (ବିଲ୍ୱପତ୍ର, ତୁଳସୀ ମଧ୍ୟ ଏହାର ଅନ୍ତର୍ଗତ) ଧୂପ, ଦୀପ ଓ ନୈବେଦ୍ୟ ପାନାର୍ଥୋଦକ ବା ପୁନରାଚମନୀୟ (ତାମ୍ବୁଳ ମଧ୍ୟ ଏହାର ଅନ୍ତର୍ଗତ), ମାନସୋପଚାର ଯଥା ଶରୀର,ବାକ୍ୟ ଓ ମନ ମଧ୍ୟ ଏହି ପୂଜାର ଅତ୍ୟଧିକ ଉପକରଣରେ ଗଣ୍ୟ ହୋଇଥାଏ । ପ୍ରାୟ ଅଧିକାଂଶ ମନ୍ଦିରରେ ମଧ୍ୟମ ପୂଜା ବା ଦଶୋପଚାରରେ ନିତ୍ୟ ନୈମିତ୍ତିକ ପୂଜାବିଧି ପ୍ରଚଳନ ଥିବା ଦେଖାଯାଏ । ବିଶେଷ ବିଶେଷ ଉତ୍ସବରେ ଷୋଡ଼ଶୋପଚାରେ ପୂଜା ସମ୍ପାଦିତ ହୋଇଥାଏ । ପୂଜକଙ୍କ ନିଷ୍ଠାରେ ପୂଜା ମନ୍ତ୍ର ସଂଜୀବିତ ହୋଇ ଉଠେ । ନଚେତ୍‌କେବଳ ଅନୁସ୍ୱାର ବିସର୍ଗର କରାମତି । ନୀରବରେ ଦଣ୍ଡାୟମାନ ହୋଇ ଅଭିଜ୍ଞ ପୂଜକଙ୍କ ପୂଜା ପଦ୍ଧତି ଅବଲୋକନ କଲୁ । ଆରତି ପରେ ନୈବେଦ୍ୟ ସକାଶେ ମୋଟା ପରଦା ଟଣା ହୋଇଗଲା । ତାହାରି ଭିତରେ ନୈବେଦ୍ୟ ଶେଷ ହେଲା;କିନ୍ତୁ ଆଉ ସେ ଗେରୁଆ ରଙ୍ଗର ପରଦା ଅପସାରିତ ହେଲା ନାହିଁ । ପୁଣି ଏକ ନିର୍ଦ୍ଦିଷ୍ଟ ସମୟରେ ସେହି ପରଦା ଉଠାଇ ନିଆହେବ-। ଅପେକ୍ଷମାଣ ଭକ୍ତଗଣଙ୍କ ସହ ଏହି ଭଗବାନଙ୍କ ପାର୍ଥିବ ମିଳନ ସମ୍ଭବ ହୋଇ ଉଠିବ-। ବର୍ତ୍ତମାନ ଯେଉଁମାନେ ଦର୍ଶନ ସୌଭାଗ୍ୟରୁ ବଞ୍ଚିତ ହୋଇପଡ଼ିଲେ, ସେମାନଙ୍କୁ ପୁଣି ସେ ସମୟ ଯାଏଁ ଅପେକ୍ଷା କରିବାକୁ ହେବ । ହାତରେ ରଣଛୋଡ଼ଜୀଙ୍କ ପ୍ରସାଦ ନେଇ ପରିପୂର୍ଣ୍ଣ ମନରେ ଏସବୁ ଚିନ୍ତା କରୁ କରୁ ବାହାରି ପଡ଼ିଲି ଦଳସହ । ତା’ପରେ ସଚେଷ୍ଟ ହେଲୁ ଗତ ରାତ୍ରିରେ ବାଦ ପଡ଼ି ଯାଇଥିବା ଅବଶିଷ୍ଟ ପାର୍ଶ୍ୱ ମନ୍ଦିରଗୁଡ଼ିକ ଦର୍ଶନ କରିବାପାଇଁ ।

 

ମନ୍ଦିର ବେଢ଼ାମଧ୍ୟରେ ଛୋଟ ବଡ଼ ପ୍ରାୟ ତିରିଶି ଗୋଟି ପାର୍ଶ୍ୱ ମନ୍ଦିର ଦେଖିବାକୁ ମିଳିଥାଏ । ସେ ସମସ୍ତ ଦେଖିବାକୁ ବେଶି ସମୟ ଲାଗିଲା ନାହିଁ । ବର୍ତ୍ତମାନ ଏ ସମସ୍ତ ଜଗତ ମନ୍ଦିରର ଅଙ୍ଗ ହିସାବରେ ଗଣ୍ୟ ହେଲେ ମଧ୍ୟ ଏସବୁ ମୂଳ ମନ୍ଦିର ସଙ୍ଗେ ନିର୍ମିତ ନୁହେଁ । ତାହା ଗଠନ ପ୍ରଣାଳୀରୁ ପରିଷ୍କାର ବୁଝାଯାଏ । ଭିନ୍ନ ଭିନ୍ନ ମନ୍ଦିର ଭିନ୍ନ ଭିନ୍ନ ସମୟରେ ନିର୍ମିତ । ସେ ସବୁର ବ୍ୟାଖ୍ୟା ନିରର୍ଥକ । ମୋଟା ମୋଟି ଭାବେ ସମସ୍ତେ ଦର୍ଶନ ଶେଷକରି ମନ୍ଦିର ବାହାରକୁ ଚାଲି ଆସିଲୁ । ଏଥର କିଛି ତୀର୍ଥ-ସଉଦା କରିପାରିଲେ ଦ୍ୱାରକା ଦର୍ଶନ ଶେଷ;କିନ୍ତୁ ଏଠାରୁ ନେଲା ଭଳି କୌଣସି ଜିନିଷ ଆଖିରେ ପଡ଼ିଲା ନାହିଁ । ଯାହା ଦେଖାଗଲା ତା ହୁଏତ ପସନ୍ଦ ହେଲାନି ନତୁବା ଅତ୍ୟଧିକ ଦାମ ହେତୁ କିଣା ଗଲାନାହିଁ । ଏପରି ଭାବରେ ବଜାର ବୁଲିବା ମୋ ପକ୍ଷରେ ଏକ ବିରକ୍ତିକର ବ୍ୟପାର । ବଜାର ବୁଲିବାରୁ ଛୁଟି ନେଇ ମନ୍ଦିର ମୂଳଦରଜା ନିକଟରେ ବସି ପଡ଼ିଲି । ନଣନ୍ଦ ଭାଉଜ ସହ ଅନ୍ୟ ଦୁଇଜଣ ମହିଳା ରେଣୁ ଭାଉଜ ଓ ମଝିଆଁ ଭାଉଜ ଚାଲିଲେ ବଜାର ସଉଦା କରିବାପାଇଁ । ଚକ୍ରବର୍ତ୍ତୀ ଭାୟା ମଧ୍ୟ ମୋତେ ଅନୁସରଣ କରି ସିଡ଼ିର ଏକ ପ୍ରାନ୍ତରେ ବସି ପଡ଼ିଲେ । ବଜାର ବୁଲିବା କ୍ଳାନ୍ତିରୁ ଅବ୍ୟାହତି ନେଇ ବସିବାର ଅଳ୍ପ କ୍ଷଣ ପରେ ଦେଖି ପାରିଲୁ ଆମ ଦଳର ଅନ୍ୟ ସହଯାତ୍ରୀଦଳ ଷ୍ଟେସନରେ ନିତ୍ୟକର୍ମମାନ ସମାପନ କରି ଦେବ ଦର୍ଶନ ମାନସରେ ଆମରି ଆଗେ ଟାଙ୍ଗାରୁ ଅବତରଣ କଲେ । ସ୍ମିତ ହସଦ୍ୱାରା ସେମାନଙ୍କୁ ସ୍ୱାଗତ ଜଣାଇଲୁ । ସେମାନେ ମଧ୍ୟ ପ୍ରତି ସମ୍ଭାଷଣ କରି ମନ୍ଦିର ଭିତରକୁ ଚାଲିଗଲେ ଦ୍ୱାର ମଧ୍ୟ ଦେଇ ।

 

କେତେକ ସମୟ ପରେ ପରେ ବଜାର ସଉଦା କରି ମହିଳାଦଳ ପ୍ରତ୍ୟାବର୍ତ୍ତନ କଲେ । ମୁଖର ଅପ୍ରସନ୍ନତାରୁ ସ୍ପଷ୍ଟ ବୁଝାଗଲା ମନ ମୁତାବକ ସଉଦା କରାଯାଇ ପାରିନାହିଁ । ବର୍ତ୍ତମାନ ଆଉ ସେ ନେଇ ଉଚ୍ଚବାଚ ନକରି ମନ୍ଦିର ଦରଜା ଉପରେ ଠାକୁରଙ୍କୁ ଶେଷ ପ୍ରଣାମ ଜଣାଇଲି–

 

ନଧର୍ମନିଷ୍ଠୋହସ୍ମିନ ଚାତ୍ମବେଦୀ

ନଭକ୍ତି ମାଂସ୍ତବ ଚରଣାରବିନ୍ଦେ

ଅକିଞ୍ଚିନୋ ହନ୍ୟ ଗତିଂ ଶରଣ୍ୟ

ତତ୍‌ପାଦ ମୂଳଂ ଶରଣଂ ପ୍ରପଦ୍ୟେ

‘ଅପରାଧ ସହସ୍ର ଭାଜନଂ ପତିତଂ ଭୀମ ଭବାର୍ଣ୍ଣବୋଦରେ

ଅଗତିଂ ଶରଣାଗତଂ ହରେ କୃପୟା କେବଳଂ ଆତ୍ମସାତ୍‌କୁରୁ’’

 

ରାମାନୁଜାଚାର୍ଯ୍ୟ ସମସ୍ତ ଜୀବନ ଏହି ପବିତ୍ର ମନ୍ତ୍ର ଉଚ୍ଚାରଣପୂର୍ବକ ବିଶ୍ୱପିତାଙ୍କ ଶ୍ରୀଚରଣ ତଳେ ନିଜକୁ ନିବେଦନ କରି ଧନ୍ୟ ହୋଇଛନ୍ତି । ଶହେ କୋଡ଼ିଏବର୍ଷ ଜୀବିତ କାଳ ମଧ୍ୟରେ ସେ ପ୍ରଚାର କରିଗଲେ ନିଜର ଆଦର୍ଶ । ଭଗବାନ ଶଙ୍କର ବୌଦ୍ଧ ପ୍ରଭାବରୁ ହିନ୍ଦୁଧର୍ମକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରଚାର କରିଗଲେ ଅଦ୍ୱୈତବାଦ । ଯୁକ୍ତିତର୍କର ଜାଲ ଭେଦ କରି ଏହି ମତ ସାଧାରଣ ମନୁଷ୍ୟଙ୍କର ଅନ୍ତର ପ୍ରଦେଶରେ ସହଜେ ପ୍ରବେଶ କରିପାରୁ ନ ଥିଳା । ଯୁକ୍ତିତର୍କ ହେଲା ଜ୍ଞାନ ଆଉ ବୁଦ୍ଧିର ପ୍ରକାଶ;କିନ୍ତୁ ଧର୍ମମତ ଏ ସବୁର ଧାର ଦେଇ ଯିବାକୁ ଚାହେଁ ନା । ତାହା ହେଲା ଅନ୍ତରର ପ୍ରେମ ରସରେ ପ୍ଳାବିତ ଏକ ବସ୍ତୁ ଯାହାର ଅନୁଭବ ଅଛି କିନ୍ତୁ ସ୍ପର୍ଶ ନାହିଁ । ଏହି ରସ ଆସ୍ୱାଦନ ସକାଶେ ଶିକ୍ଷାଦୀକ୍ଷାର ବା ପ୍ରକାଶ କରିବା ପ୍ରଚେଷ୍ଟାର ଆବଶ୍ୟକତା ପଡ଼େନା । ସେହି ମହତ୍‌ତତ୍ତ୍ୱ ଭଲଭାବେ ଅନୁଭବ କରିଥିଲେ ବିଶିଷ୍ଟାଦ୍ୱୈତବାଦ ପ୍ରବର୍ତ୍ତକ ଋଷିରାଜ ରାମାନୁଜ-। ସେହି କାରଣରୁ ମନୁଷ୍ୟର ସହଜାତ ମନ ଓ ପ୍ରବୃତ୍ତିକୁ କେନ୍ଦ୍ରକରି ପ୍ରଚାର କରିଗଲେ ପ୍ରେମମୟବାଣୀ । ଯାହା ଆଜି ସହଜଭାବେ ରାମାନୁଜପନ୍ଥୀ ନାମରେ ବହୁଳ ପ୍ରଚାରିତ-। ତାଙ୍କର ମୁଖ ନିଃସୃତ ମନ୍ତ୍ର ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ଅତି ସ୍ୱାଭାବିକ ଭାବେ ତାଙ୍କରି କଥା ମନକୁ ଆଚ୍ଛନ୍ନ କରି ବସିଲା । ନୀରବରେ ସେହି ଚିନ୍ତା କରୁ କରୁ ଆମମାନଙ୍କ ଟାଙ୍ଗା ତୋନ୍ତ୍ରାଦି ମଠ ସାମନାରେ ପହଞ୍ଚିଲା । ଟାଙ୍ଗାବାଲା ମୁଖରୁ ଶୁଣିବାକୁ ପାଇଲୁ ଦ୍ୱାରକାରେ ଏହି ମଠ ବୈଷ୍ଣବମାନଙ୍କର ଗୋଟିଏ ବିଶେଷ କେନ୍ଦ୍ରସ୍ଥଳ ତଥା ଆଶ୍ରୟସ୍ଥଳୀ ମଧ୍ୟ । ବୈଷ୍ଣବବ୍ୟତୀତ ଅନ୍ୟାନ୍ୟ ଯାତ୍ରୀମାନଙ୍କର ମଧ୍ୟ ରହିବାର ବିଶେଷ ବ୍ୟବସ୍ଥା ମଠ ମଧ୍ୟରେ ଅଛି । ପୂର୍ବରୁ ଚିଠିଦ୍ୱାରା ମଠାଧୀଶଙ୍କୁ ଜ୍ଞାତ କରାଇ ଥିଲେ ସେ ସବୁ ସୁବିଧା ଅତି ସହଜରେ ହୋଇଥାଏ । ସ୍ୱାମୀଜୀଙ୍କ ବ୍ୟବହାର ଅତି ଅମାୟିକ । ସେ ସକାଶେ ଯାତ୍ରୀଗଣ କୌଣସି ଅସୁବିଧା ଏଠାରେ ଭୋଗ କରନ୍ତିନାହିଁ । ବିଶେଷ କରି ରାମାନୁଜପନ୍ଥୀମାନଙ୍କ ପକ୍ଷେ ଏଇ ବିଦେଶ ଭୂଇଁରେ ଏହା ଏକ ପରମ ଆଶ୍ରୟସ୍ଥଳ । ଦ୍ୱାରକା ଗମନେଚ୍ଛୁ ଯାତ୍ରୀମାନେ ଇଚ୍ଛା କଲେ ପ୍ରଥମରୁ ଯୋଗାଯୋଗା ସ୍ଥାପନ କରି ଦ୍ୱାରକା ରହଣି କାଳ ପରମ ନିଶ୍ଚିନ୍ତରେ ଏହି ମଠରେ ଅତିବାହିତ କରିପାରନ୍ତି-

 

ଏହି ମଠ ବ୍ୟତୀତ ତୀର୍ଥ ଯାତ୍ରୀଙ୍କ ରହିବା ସକାଶେ ବେଶ ଭଲ ରକମ ବ୍ୟବସ୍ଥା ଥିବା କଥା ଏହି ଟାଙ୍ଗାବାଲା ମୁଖରୁ ଶୁଣିପାରିଲି । ତାହାରି ମଧ୍ୟରେ ଦେବୀ ଭବନ, ଭଦ୍ରକାଳୀ,ଲାଲ ଭବନ, କହନଭବନ, ଲଡ଼ୁକଳା (ଏ ଦୁଇଟି କେବଳ ଭାଟିଆମାନଙ୍କ ସକାଶେ) ପ୍ରେମ ବିଳାସ, ପାଦଶାହାବେଳୀ, ଶ୍ରୀରାମ, କଲ୍ୟାଣଭବନ ଧର୍ମବଡ଼ୋ ଯାତ୍ରାଶାଳମାନ ପ୍ରସିଦ୍ଧ । ମୋଟ ପଞ୍ଚଚାଳିଶିଟି ଧର୍ମଶାଳା ମଧ୍ୟରୁ ପାଞ୍ଚଗୋଟି ଧର୍ମଶାଳା କେତେକ ବିଶେଷ ସମ୍ପ୍ରଦାୟଙ୍କ ସକାଶେ ଉଦ୍ଦିଷ୍ଟ । ଯେପରି ନଗରସଙ୍କ ପାଇଁ ନଗର ନିକେତନ, ଭାଟିଆଙ୍କ ସକାଶେ ଲଡ଼ୁକଳା, ଖାରଓ୍ୱାଙ୍କର ସାଗର ଭବନ, ଆହୀରଙ୍କ ପାଇଁ ଅହିରାଣି, ଜାଗ୍ୟ ଓ ରବନିଜଗ୍ୟ ରବିରଙ୍କ ସକାଶେ-। ଏତଦ୍‌ବ୍ୟତୀତ ସରକାରୀ ରେଷ୍ଟ ହାଉସ, ମୋରବି ହାଉସ,ସିନ୍ଧୁ ସଦନ,ବିରଳ ଭବନ ଓ ତୋତ୍ରାଦି ମଠ ଭଳି କେତେକ ଆଶ୍ରମରେ ବି ଯାତ୍ରୀମାନଙ୍କ ରହିବାର ବିଶେଷ ବ୍ୟବସ୍ଥାମାନ ରହିଛି-। ପଣ୍ଡାମାନଙ୍କର ଯାତ୍ରୀ ନିବାସ ମଧ୍ୟ ରହିଛି । ଦ୍ୱାରକାର ସାଧାରଣ ଅସାଧାରଣ ଯାତ୍ରୀଙ୍କ ସକାଶେ ରହିବା ବ୍ୟବସ୍ଥା ଯେତେ ଭଲ ହେଲେ ମଧ୍ୟ ମୋର ମନେ ହେଲା ଯେପରି କୌଣସି ଯାତ୍ରୀ ପକ୍ଷରେ ଦୀର୍ଘଦିନ ଦ୍ୱାରକାରେ ବାସକରିବା ସମ୍ଭବପର ନୁହେଁ ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ଦେଇ ଟାଙ୍ଗାବାଲା ତା’ର ପ୍ରାପ୍ୟ ନେଇ ଅନ୍ୟଯାତ୍ରୀ ଅନ୍ୱେଷଣରେ ଯାତ୍ରାକଲା । ଆମେମାନେ ବଗି ନିକଟରେ ପହଞ୍ଚି ଦେଖୁ ସେଠାରେ ଏକ ଓଲାହିକାଣ୍ଡ ଚାଲିଛି । ସ୍ଥାନୀୟ ଛୋଟ ଛୋଟ ବାଳକ ବାଳିକାଗଣ ମୁଣ୍ଡରେ ନାନା ଗଢ଼ଣର ବାଲଟି ବା କଳସରେ ଣିପାନେଇ ବିଗିଟିକୁ ଚାରି ଦିଗରୁ ଘେରି ରହିଛନ୍ତି । ନାନାଦି ରବ ମଧ୍ୟରେ ବଡ଼କରି ଶୁଣିବାକୁ ମିଳୁଛି,ବାବୁଜୀ,ମାଇଜି, ପଚିଶି ପଇସା, କୋଡ଼ିଏ ପଇସା,ପନ୍ଦର ପଇସା, ପ୍ରଭୃତି । ବୁଝିବାକୁ ବେଶି ସମୟଲାଗିଲା ନାହିଁ । ଏହି ବାଳଖିଲ୍ୟାଦଳ ମଧୁର ଜଳ ବିକ୍ରି କରିବାରେ ଲାଗିଛନ୍ତି ସେଇ ସାତ ସକାଳୁ । ପିଲାମାନଙ୍କ ପୋଷାକରୁ ମନେ ହେଲାନି ଏମାନେ ଅଭାବ ହେତୁ ଏ କର୍ମ କରୁଛନ୍ତି । ଯେପରି ଅନ୍ୟାନ୍ୟ ଖେଳ ଭଳି ପାଣି ବିକା ମଧ୍ୟ ସେମାନଙ୍କ ନିକଟରେ ଏକ ଖେଳ ବିଶେଷ । ନିକଟରେ ରେଲ କଲୋନୀ । ଖୁବ୍‌ସମ୍ଭବ ଏମାନେ ସେହି କଲୋନୀ ବାସିନ୍ଦାଙ୍କ ସନ୍ତାନ ସନ୍ତତି । କ୍ୱାଟର ମାନଙ୍କରେ ସପ୍ଳାଇ ପାଣି ଆଣି ଏମାନେ ଏ ଖେଳରେ ମାତିଛନ୍ତି । ସକାଳୁ ଏହିସବୁ ପାଣିର ଦର ଥିଲା ପଚାଶ ପଇସା । ବ୍ୟସ୍ତ ବାବୁଗଣ ସେହି ମୂଲ୍ୟ ଦେଇ ପାଣି କିଣି ସ୍ନାନାଦି କର୍ମ ସମାପନ କରି ମନ୍ଦିରାଭିମୁଖେ ଯାତ୍ରା କରିବା ପରେ ପାଣିର ଚାହିଦା କମିଯାଇଛି । ଗ୍ରାହକଙ୍କ ଅଭାବ ହେତୁ ପାଣିର ଦରମଧ୍ୟ କମିଯାଇ ପନ୍ଦର ପଇସା ଏପରିକି ଦଶ ପଇସାରେ ଯାଈ ଉଠିଛି । ଇଶ୍ୱର ପ୍ରେରିତ ଏ ସୌଭାଗ୍ୟ ଦେଖି ବଡ଼ ଆନନ୍ଦ ଲାଗିଲା । ଅଳ୍ପକ୍ଷଣ ସକାଶେ ଗୋମତୀ ନଦୀରେ ସ୍ନାନ କରିବା ପରିସ୍ଥିତି ଭୁଲି ଯାଇଥିଲି । ମିଠାପାଣି ଦେଖି ସେକଥା ମନେ ପଡ଼ିଗଲା । ମୁଣ୍ଡକୁ ହାତ ଆପେ ଆପେ ଚାଲିଗଲା । ବାଳର ଅବସ୍ଥା ଖରାଲାଗି ଅନେକାଂଶରେ ସ୍ୱାଭାବିକ ହେଲେ ମଧ୍ୟ ମାନସିକ ପ୍ରକ୍ରିୟା ବନ୍ଦ ହେଲାନି । ସେହି ପିଲାଙ୍କ ନିକଟରୁ ପାଣି ଖରିଦ କରି ପ୍ଳାଟଫର୍ମ ଉପରେ ପୁଣି ସାବୁନ ଲଗାଇ ସ୍ନାନ କରିନେଲି । ମୋ ଦେଖାଦେଖି ଆମ ଦଳର ପ୍ରାୟ ସମସ୍ତେ ସେହି ପଥ ଅନୁସରଣ କଲେ । ଅବଶ୍ୟ ପ୍ଳାଟଫର୍ମରେ ନୁହେଁ ବଗିର ବନ୍ଦ ରୁମରେ । ଆମର ସ୍ନାନ ଶେଷବେଳକୁ ପୂର୍ବରୁ ପଚାଶ ପଇସାର ପାଣି ପାଞ୍ଚପଇସା ହେଲାଣି;କିନ୍ତୁ ସେତେବେଳକୁ ଆଉ ଏହାର ପ୍ରୟୋଜନ କାହାର ହେଲେ ନଥିଲା ।

 

ଅଳ୍ପକ୍ଷଣ ମଧ୍ୟରେ ସନ୍ତାନ ସାଥିରେ ତାଙ୍କର ମାଆ ମାଉସୀଙ୍କଦଳ ଆସିଗଲେ ବଗିର ମହିଳାଯାତ୍ରୀଙ୍କସହ ଆଳାପ ପରିଚୟ କରିବାପାଇଁ । ଅତ୍ୟାଗ୍ରହୀ ଜଣେ ଦୁଇଜଣ ସହଯାତ୍ରିଣୀ ସେମାନଙ୍କ ସଙ୍ଗରେ ଚାଲିଲେ ତାଙ୍କର ଘରକରଣା ସ୍ୱଚକ୍ଷୁରେ ଦେଖିବାପାଇଁ । ବାକି କେତେଜଣ ସେମାନଙ୍କୁ ନେଇ ବସିଗଲେ ସ୍ଥାନୀୟ ବିଷୟରେ ଆଳାପ ଆଲୋଚନା ଜମାଇ । ଭାଷା ପ୍ରତିବନ୍ଧକ ହେଲେ ମଧ୍ୟ ଭାବ ସେ ଅଭାବ ଦୂର କରିବାରେ ଅସମର୍ଥ ହେଲାନି । ଅଳ୍ପକ୍ଷଣ ମଧ୍ୟରେ ସେମାନଙ୍କ ଆଳାପ ବେଶ୍‍ ଜମି ଉଠିଲା । ସାବଲୀଳା ଭଙ୍ଗୀ, ସୁଗଠିତ ତନୁ, ମେଳାପୀ ସ୍ଥାନୀୟ ସ୍ତ୍ରୀଗଣ ଯେପରି କର୍ମଠ,ସେପରି ସୃଗୃହିଣୀ ଓ ଅତିଥିବତ୍ସଳା ମହିଳାଗଣଙ୍କ ଏ ଆଳାପ ମଧ୍ୟରେ ନିଜକୁ ବଡ଼ ଖାପଛଡ଼ା ମନେହେଲା । ଅଗତ୍ୟା ରନ୍ଧନଶାଳା ଆଡ଼କୁ ଆଗେଇ ଚାଲିଲି ।

 

ଟୁରିଷ୍ଟ ପ୍ଲାଟଫର୍ମ ନିକଟରେ ସେମାନଙ୍କ ସକାଶେ ଅଲଗା ରନ୍ଧା ଘରର ବ୍ୟବସ୍ଥା ରହିଛି-। ସେଠାରେ ରନ୍ଧନ କର୍ମ ତତ୍ତ୍ୱାବଧାନରେ ବ୍ୟସ୍ତ ଗୌତମବାବୁ ମୋତେ ଦେଖି କହିଲେ କ’ଣ-? ଚାଆ ଲାଗିବତ ? ମୁଁ ଜାଣେ, ସେକଥା, ବ୍ୟବସ୍ଥା ହେଉଛି, ବସି ପଡ଼ନ୍ତୁ । ଏଯାଏଁ ଚାଆର କଥା ମନେ ନଥିଲା । ନାମଟା ଶୁଣିବା ମାତ୍ରେ ମନେହେଲା ସତେତ ଏ ସମୟରେ ଏକ କପ୍‌ଚାଆ ହେଲେ ଭଲ ହୁଅନ୍ତା । ତେଣୁ ଆଉ ତାଙ୍କ କଥା ଅସ୍ୱୀକାର କରିପାରିଲିନାହିଁ । ଅପେକ୍ଷାକୃତ ପରିଷ୍କାର ସ୍ଥାନ ଦେଖି ବସି ପଡ଼ିଲି । ଲକ୍ଷ୍ୟ କରି ଦେଖିଲି ଅନ୍ୟଦିନ ଅପେକ୍ଷା ଆଜି ରନ୍ଧାର ବ୍ୟବସ୍ଥା ଏକ ବିଶେଷ ଧରଣର ଏବଂ ପରିମାଣ ମଧ୍ୟ ଅନେକ ବେଶି । କାରଣ ଜାଣି ନପାରି ରହସ୍ୟ କରି ଗୌତମବାବୁଙ୍କୁ କହିଲି । ‘‘ଶୁଣିଛି ଦ୍ୱାରକାରେ ଜଳ ଅଭାବ ଦୂରକରିବା ପାଇଁ ବର୍ଷାର ପ୍ରଥମ ସୁଯୋଗ ମାତ୍ରେ ଜଳଧରି ରଖନ୍ତି ପୂରାବର୍ଷ ସକାଶେ ପିଇବା ପାଣିର ଅଭାବ ମେଣ୍ଟାଇବା ପାଇଁ । ଆପଣ କ’ଣ ସେପରି ପ୍ରଥମ ସୁଯୋଗରେ ପ୍ରଚୁର ପରିମାଣରେ ରାନ୍ଧି ରଖୁଛନ୍ତି କି ସୌରାଷ୍ଟ୍ରରେ ଆଉ ରାନ୍ଧିବା ସୁଯୋଗ ନମିଳିପାରିବା ଆଶଙ୍କା କରି; କିନ୍ତୁ ଭାଇ ସ୍ଥାନ ମହାତ୍ମ୍ୟରେ ସଞ୍ଚିତ ବର୍ଷାପାଣିରେ ପୋକ ନ ପଡ଼ିଲେ ବା ନ ହେଲେ ବି ସେ ମହାତ୍ମ୍ୟର କ’ଣ ଏତେଦୂର ଶକ୍ତି ଅଛି ଯେ ରନ୍ଧା ଜିନିଷକୁ ସମଭାବରେ ରଖି ପାରିବ ନ ପଚେଇ ବା ନ ଗନ୍ଧେଇ ଦେଇ-? ନ ହେଲେତ ତୁମର ପ୍ରଚେଷ୍ଟା ଏକବାରେ ଫସରଫାଟି ଯିବ ।

 

ଗୌତମବାବୁ କହିଲେ,‘‘ଭୟର କୌଣସି କାରଣ ନାହିଁ ମିଶ୍ରଭାୟା । ତୁମକୁ ଏ ଜିନିଷ ଏକ ବେଳାରୁ ଦୁଇବେଳା ମଧ୍ୟ ଦିଆହେବନି । ଅତି ଶତ୍ରୁ ମଧ୍ୟ କୁଣ୍ଡୁ କମ୍ପାନୀକୁ ବାସୀ ଜିନିଷ ପରିବେଷଣ କରିବା ବଦନାମ ଦେଇପାରିବ ନାହିଁ । ତା’ଛଡ଼ା ଦ୍ୱାରକା ବ୍ୟତୀତ ସୌରାଷ୍ଟ୍ରରେ ଅନ୍ୟ କେଉଁଠି ଆଉ ଜଳକଷ୍ଟ ଭୋଗିବାକୁ ହେବନି । ରାନ୍ଧିବା ଅସୁବିଧା କଥା ତ ଉଠେନା । ସୁତରାଂ ତୁମେ ନିଶ୍ଚିନ୍ତ ମନରେ ଚାଆ ପାନ କରିପାର । ଏ ଯେଉଁ ବ୍ୟବସ୍ଥା ଦେଖୁଛ ତାହା ହେଉଛି ବାହାରେ ଯେଉଁ ବାଲ୍ୟଖିଲ୍ୟାଦଳ ଦେଖୁଛନ୍ତି,ସେମାନଙ୍କ ଭୋଜିଖିଆର ବ୍ୟବସ୍ଥା । ତାହା ଅଳ୍ପକ୍ଷଣ ମଧ୍ୟରେ ଦେଖିପାରିବ ।’’

 

ତାଙ୍କର କଥା ଶୁଣି ମନରେ ଖଟକା ଲାଗିଲା । ତାହା ଦୂର କରିବା ସକାଶେ ପଚାରିଲି ସୁଦୂର ଦ୍ୱାରକାରେ ହଠାତ୍‌ଶିଶୁଙ୍କ ସକାଶେ ଭୋଜିର ବ୍ୟବସ୍ଥା ଏକରକମ ପ୍ରହେଳିକା ଭଳି ମନେ ହେଉଛି ।

 

ଚକ୍ରବର୍ତ୍ତୀ ଭାୟାଙ୍କ ସକାଶେ ଗରମ ପାଣି ନେଉ ନେଉ ରେଣୁ ଭାଉଜ ମୋ ପ୍ରଶ୍ନ ଶୁଣିପାରି ଗୌତମବାବୁ ଉତ୍ତର ଦେବା ପୂର୍ବରୁ କହିଲେ,‘‘ତୁମେ କିଛି ଜାଣନା ଦେଖୁଛି । ଏଠାରେ ଆଜି ଯେ ଛୋଟ ଶଙ୍କରର ବିବାହ ସମ୍ବନ୍ଧ ପକ୍‌କା ହୋଇଗଲା, ସେ ସକାଶେ ବରର ଅଭିଭାବକ ହିସାବରେ ଗୌତମବାବୁ ଏ ଭୋଜିର ବ୍ୟବସ୍ଥା କରିଛନ୍ତି ।

 

ସୁଦୂର ମେଦିନୀପୁରର ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମର ବାସିନ୍ଦା ବାରବର୍ଷର ବାଳକ ଶଙ୍କର ଆସି ସୁଦୂର ଦ୍ୱାରକାରେ ବିବାହ କରିବାକୁ ବସିଛି ଏବଂ ସେହି ଉତ୍ସବକୁ ଉପଲକ୍ଷ୍ୟ କରି ଏଇ ଖେଚୁଡ଼ି ଭୋଜିର ଧୂମଧାମ ଚାଲିଛି ଏ ଯେପରି ଆହୁରି ବେଶି ଦୁର୍ଭେଦ୍ୟ ହୋଇ ଉଠିଲା ମୋ ପକ୍ଷରେ । ବୋକା ଭଳି ରେଣୁ ଭାଉଜଙ୍କ ମୁହଁକୁ ଚାହିଁ ରହିଲି । ମୋର ଏ ଅବସ୍ଥା ଦେଖି ଖୁବ୍‌ସମ୍ଭବ ତାଙ୍କର ଦୟା ହେଲା । ସେ ଛୁଆଙ୍କ ଭିତରୁ ଗୋଟିଏ ଆଠ, ନଅବର୍ଷର ସୁନ୍ଦରୀ ବାଳିକାକୁ ଟାଣିଆଣି ଦେଖାଇ କହିଲେ, ଏଇ ହେଉଛି ଦୁଲହନ୍‌ । ଦୁଲ୍‍ହା ଶଙ୍କର । ଦୁହେଁ ଦୁହିଁଙ୍କୁ ଦେଖି ପସନ୍ଦ କରିଛନ୍ତି । ବରପକ୍ଷରୁ ଗୌତମବାବୁ ନଗଦ ଗୋଟାଏ ସିଉକି ଦେଇ କନ୍ୟାକୁ ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ କନ୍ୟା ଖୋଦ ଦଉଡ଼ି ଯାଇ ମାଆକୁ ଟାଣିଆଣିଛି ଏ ବିବାହରେ ମତ ଦେବା ସକାଶେ । ଖବରଟା ମଧ୍ୟ ରେଳଅଫିସ ବାପ ପାଖକୁ ଯାଇଛି । ଖିଆ ପିଆ ଆଗରୁ ସେ ମଧ୍ୟ ଆସିଯିବେ ବୋଲି ଖରବ ପଠାଇଛନ୍ତି । ଏହି ଯେ ଖମ୍ବକୁ ଆଉଜି ମୁହଁରେ ଲୁଗା ଦେଇ ହସୁଛନ୍ତି ସେ ହେଉଛନ୍ତି କନ୍ୟାର ମାଆ ।

 

ଏଥର କଥାଟା ପରିଷ୍କାର ହୋଇଗଲା । ଲକ୍ଷ୍ୟ କଲି ଅଦୂରେ ଶଙ୍କର ମଧ୍ୟ ସଫା ପେଣ୍ଟ ଜାମା ପିନ୍ଧି ଠିଆହୋଇଛି । ଏ ଊତ୍ସବରେ ଦୁଃଖିରାମ ଆଉ ଦୁଲ୍‌ହାକୁ କୌଣସି କାମ କରିବାକୁ ଦେଉନି । ପରିସ୍ଥିତି ଦେଖି ବଡ଼ ଆନନ୍ଦ ଲାଗିଲା । କ୍ୟାମେରଟା ଦେଇଯିବାକୁ ସରସ୍ୱତୀକୁ କହିଲି ଏ ମଜାଦାର ଦୃଶ୍ୟ ଧରି ରଖିବା ପାଇଁ ।

 

କ୍ୟାମରା ଆସିଲା ବେଳକୁ କନ୍ୟା ସହ ତା’ର ସଙ୍ଗୀଗଣ ମିଶି ନୃତ୍ୟ ଆରମ୍ଭ କରି ଦେଇଛନ୍ତି ମୁଣ୍ଡରେ, କାଖରେ ଶୂନ୍ୟ କଳସ ଧରି । କେନ୍ଦ୍ରସ୍ଥଳରେ ଗୌତମବାବୁ ଟେପ୍‍ରେକର୍ଡ଼ରେ ଗୋଟାଏ କ’ଣ ବାଜଣା ବଜାଉଛନ୍ତି । ତାହାକୁ କେନ୍ଦ୍ରକରି ଚାଲିଛି ଏ ନୃତ୍ୟ । ନୃତ୍ୟ ସହ ତାଳର କେତେଦୂର ମେଳ ବା ଅମେଳ ଅଛି,ତାହା ବିଚାରର ପ୍ରଶ୍ନ ନାହିଁ । ତେବେ ଏ କଥା ସତ୍ୟ ଯେ ଅନଭିଜ୍ଞ ପ୍ରାଣ ସ୍ୱଚ୍ଛଳ ସ୍ଥାନୀୟ ଶିଶୁଗଣଙ୍କ ଏ ଆନନ୍ଦୋତ୍ସବ ନୃତ୍ୟର କୌଣସି ପାର୍ଥିବ ତୁଳନା ନାହିଁ । ଏହା ନିଃସଙ୍କୋଚରେ କୁହାଯାଇପାରେ । ସୁଯୋଗ ସୁବିଧା ଦେଖି କେତୋଟି ସଟ୍‍ ନେଇନେଲି । ଆମମାନଙ୍କ ସହ ସେମାନଙ୍କ ଅଭିଭାବକଗଣ ମଧ୍ୟ ଆଳାପ ତ୍ୟାଗକରି ଏହି ତାଳଲୟହୀନ ମନୋମୁଗ୍‌ଧକର ନୃତ୍ୟ ଦେଖିବାରେ ଲାଗିଲେ । ଦୁଃଖୀରାମର ଖାଇବାକୁ ବସିବା ଆହ୍ୱାନ ରସଭଙ୍ଗ କରିଦେଲା । ବିଦ୍ୟୁତ ଗତିରେ ନୃତ୍ୟରତ ବାଳକ ବାଳିକାଦଳ ନୃତ୍ୟ ତ୍ୟାଗ କରି ଲାଇନ ହୋଇ ବସିଗଲେ ଶୃଙ୍ଖଳିତ ଭାବେ ଭୋଜିଖାଇବା ପାଇଁ । ସଂଖ୍ୟାରେ କେତେ ସେ ଆଲୋଚନା ନିରର୍ଥକ । ଏ ଭୋଜି ଛୋଟ ଛୋଟ ପିଲାଙ୍କପାଇଁ ହେଲେ ମଧ୍ୟ ଖାଇବାବେଳେ ଦେଖାଗଲା ଦୁଇବର୍ଷ ଶିଶୁଠାରୁ ଆରମ୍ଭ କରି ଅଶୀଏ ବର୍ଷର ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଅଂଶ ନେଇଛନ୍ତି । କିଏ ଯଦି ଏମାନଙ୍କୁ ଅଭାବୀ ବା ଭିକ୍ଷୁକ ବୋଲି ଭାବି ବସିବେ, ତା’ ହେଲେ ସେ ଭୁଲ କରିବେ । ଏ ରକମ ଏକ ସଙ୍ଗେ ବସି ଖାଇବା ଏକ ରକମ ଆନନ୍ଦ । ତାହା ସେମାନେ ଉପଭୋଗ କରନ୍ତି । ପରେ ଜାଣି ପାରିଥିଲି ଗୌତମବାବୁ ରାଜସ୍ଥାନ ଟୁର୍‍ରେ ଆସିଲେ ପ୍ରତ୍ୟେକ ଥର ଦ୍ୱାରକାରେ ଏ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଏଥର ନୂତନତ୍ୱ ମଧ୍ୟରେ କେବଳ ଶଙ୍କରର ବିବାହ ପ୍ରସ୍ତାବ । ଏମାନଙ୍କ ଖାଇବା ବ୍ୟବସ୍ଥା ଚାଲିଛି । ଏସମୟରେ ଜନୈକ ରେଳବାଇ ଲୋକ ଆସି ପହଞ୍ଚିଲେ । ତାଙ୍କୁ ସ୍ଥାନୀୟ ଲୋକ ପ୍ରାୟ ସମସ୍ତେ ଅଭିବାଦନ ଜ୍ଞାପନକରିବା ଦେଖି ଓ ଚେହେରା ଦେଖି ମନରେ ଯେଉଁ ସମ୍ଭ୍ରବ ଭାବ ଜାଗି ଉଠିଥିଲା, ତାହା ଆଉରି ଦୃଢ଼ୀଭୂତ ହେଲା । ହଠାତ୍‌ଦେଖିବାକୁ ପାଇଲି ସେଇ ଦୁଲହନ ବାଳିକା-ଅଇଁଠା ହାତରେ ଛୁଟି ଆସି ବାବା ବୋଲି ସେହି ଭଦ୍ର ଲୋକଙ୍କୁ ତା’ର ଦୁଇ ହାତରେ ଜଡ଼େଇ ଧରି କହିଲା, ଜାଣ ବାବା ଆଜି ମୋର ସାଦି । ସେ ସକାଶେ ଆଜି ଭୋଜି ହୋଇଛି । ତୁମେ ଆସ ମୋ ପାଖରେ ବସି ଖାଇବ । ଆଉ ମୋରକୁ ଦେଖିବ । ବୋଧହୁଏ ବରକୁ ବାବାଙ୍କୁ ଦେଖାଇ ଦେବା ସକାଶେ ଏଣେ ତେଣେ ଅନୁସନ୍ଧାନ କରିବାରେ ଲାଗିଲା ସେ । ଏ ଯାଏଁ ସଜ୍ଜିତ ଶଙ୍କରକୁ ଝିଅଟିର ପାଖରେ ଥିବା ଦେଖାଯାଉଥିଲା । ବର୍ତ୍ତମାନ ଆଉ ତାହାର ପତ୍ତା ନାହିଁ । ଭାବୀ ଶଶୁରଙ୍କ ଚେହେରା ଦେଖି ଭୟରେ ନା ଲଜ୍ଜ୍ୟାରେ ସେ ସ୍ଥାନ ତ୍ୟାଗ କରି ଉଭାନ ହୋଇଛି ତା’ କହିବା ଦୁଷ୍କର ।

 

ଝିଅର କଥା ଶୁଣି ଭଦ୍ରଲୋକ ବେଶ୍‌ଜୋରରେ ହସି ଉଠିଲେ । ଇତ୍ୟବସରରେ ଗୌତମବାବୁ ଆସି ତାଙ୍କୁ ସ୍ୱାଗତ ଜଣାଇଲେ । କନ୍ୟା ପିତାଙ୍କର ପ୍ରାଣ ଖୋଲା ହସ ଦେଖି ଧାରଣା ହେଲା ଭଦ୍ରଲୋକ କେବଳ ଶରୀରରେ ବିରାଟ ନୁହଁନ୍ତି ମନରେ ମଧ୍ୟ ବିରାଟ । ବିଶେଷ ପରିଚୟ ନେବା ପୂର୍ବରୁ ମୋତେ ପୁଣି ଆଉ ଏକ ଝାମଲାର ସମ୍ମୁଖୀନ ହେବାକୁ ପଡ଼ିଲା । କେତେକ ମଜୁରିଆ ମୁଣ୍ଡରେ ନାନାରକମ ମନ୍ଦିରର ପ୍ରସାଦ ନେଇ ଷ୍ଟେସନରେ ପହଞ୍ଚିଲେ । ସେଥିରୁ କେତେକ କେନାରମର ସଙ୍ଗ ଧରି ଆଗେଇ ଗଲେ । ଆଉ କେତେକ ମୋର ଖୋଜ କରି ବସିଲେ । ଶୁଣିଲି ମନ୍ଦିରର ପ୍ରସାଦ ମୋରି ନାମରେ ଆସିଛି ମନ୍ଦିରରୁ । ଭୋଗ ପ୍ରସାଦ ଯେଉଁମାନେ ଚହାଁନ୍ତି, ସେମାନେ ଶଙ୍କରାଚାର୍ଯ୍ୟ ଗଦିରେ ନିର୍ଦ୍ଧାରିତ ଟଙ୍କା ଜମାଦେଇ ନାମ ଠିକଣା ଲେଖାଇ ଦେଇ ଆସି ଥାଆନ୍ତି । ପୂଜା ଶେଷ ହେଲେ ମନ୍ଦିର ସେବକଗଣ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ଦେଇଥାନ୍ତି । ଅବଶ୍ୟ ଏ ସକାଶେ ଅଧିକା ଅର୍ଥ ଦେବାକୁ ହୋଇଥାଏ । କୌତୂହଳୀ ହୋଇ ମନ୍ଦିର ଅଫିସରୁ ଏ ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ସେପରି କୌଣସି ବ୍ୟବସ୍ଥା କରିନଥିଲେ-। ଆଉ ମୁଁ ଦାସିଆ ବାଉରି ନୁହେଁ ଯେ ସ୍ୱୟଂ ଦ୍ୱାରକାଧୀଶ ମୋ ସକାଶେ ଅଫିସରେ ଟଙ୍କା ଜମା ଦେଇ ଭୋଗ ପଠାଇ ଦେବେ । ସୁତରାଂ ଏ ରକମ ଏକ ଅଭାବିତ ଘଟଣାରେ ପ୍ରଥମେ ହତଚକିତ ହୋଇଗଲି । ରସିଦରେ ଦେଖିଲି କ୍ରୟକାରୀ ଜାଗାରେ ପୂର୍ଣ୍ଣଭାବେ ମୋର ନାମ ଲେଖା ହୋଇଛି-। ଏଥର ଆଉ ବୁଝିବାକୁ କଷ୍ଟ ହେଲାନି ଏ କାମ ଇନ୍ଦିରାର ବୋଲି । ଆଜି କୁଣ୍ଡୁ ସ୍ପେଶାଲ ପକ୍ଷରୁ ପ୍ରସାଦ ପରିବେଷଣ କରାଯିବା କଥା ସେ ଜାଣେନା । ତେଣୁ ତାହାର ଏ ବ୍ୟବସ୍ଥା । ଏ ସଂପର୍କରେ ଆଉ ବେଶି ଉଚ୍ଚବାଚ ନକରି ସମସ୍ତ ପ୍ରସାଦ ଏକ ସଙ୍ଗେ ସମସ୍ତଙ୍କୁ ବିତରଣ କରିବା ସକାଶେ ଦୁଃଖୀରାମକୁ କହିଦେଇ ମୁଁ ପୁଣି ସେହି ପଂକ୍ତି ଭୋଜନ ଜାଗାକୁ ଚାଲିଲି ଏବଂ ସମସ୍ତଙ୍କ ସାଥିରେ ମୁଁ ମଧ୍ୟ ଗୋଟିଏ ସ୍ଥାନ ଦେଖି ବସିଗଲି ।

 

ବାହାର ତାଳ ରଖି ବଗି ଭିତରେ ମଧ୍ୟ ସହଯାତ୍ରୀଗଣ ଭୋଜନ ପର୍ବ ଶେଷ କରିବାରେ ଲାଗିଲେ । ଦ୍ୱାରକାଧୀଶଙ୍କ ପ୍ରସାଦ ବ୍ୟତୀତ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ବିଶେଷ ରକମ କରାଇଥିଲେ ଗୌତମବାବୁ । ଆମିଷ ନିରାମିଷ ଉଭୟ ରକମ । ଗାଡ଼ି ଛାଡ଼ିବା ପୂର୍ବରୁ ଏ କର୍ମ ଶେଷ କରିନେଲେ ଅତି ସହଜରେ ବାସନ କୁସନ ଧୁଆ ଧୋଇ ହୋଇ ପାରିବ । ସେ ସକାଶେ ତତ୍‌ପରତା ସହ ଦୁଃଖୀରାମରଦଳ କାମ କରି ଚାଲିଲେ ।

 

ଗତକାଲି ଯେଉଁ ଟ୍ରେନ୍‍ଟି ଆମକୁ ଓଖାରୁ ଆଣି ଏଠାରେ ଛାଡ଼ି ଦେଇଥିଲା, ଆଜିପୁଣି ସେହିଟ୍ରେନ୍‍ ଠିକ୍‌ସେହି ସମୟରେ ଆମର ବଗିଟିକୁ ଟାଣିନେବ ସେଇ ପୁରୁଣା ଆସିବା ପଥ ଧରି ରାଜକୋଟ ପର୍ଯ୍ୟନ୍ତ । ସେଠାରେ ଏହି ଟ୍ରେନର ଯାତ୍ରା ଶେଷ । ଆମର ବଗିଟି ପୁଣି ରାତ୍ର ଘ ୧୧/୩୫ ମିନିଟରେ ଅନ୍ୟ ଏକ ଟ୍ରେନ୍‍ ସଙ୍ଗରେ ଯୁକ୍ତହୋଇ ଭେରାବଳ ପଥ ଧରିବ ଏବଂ ସକାଳ ସାଢ଼େ ଆଠଟାରେ ଭେରାବଳରେ ପହଞ୍ଚିବ । ଏହି ଦୀର୍ଘ ସମୟ ଧରି ଟ୍ରେନ୍‍ ମଧ୍ୟରେ ଶୋଇବସି ବା ଗଳ୍ପ କରି କଟେଇ ଦେବାକୁ ହେବ । ସାଥେ ସାଥେ ମନକୁ ପ୍ରସ୍ତୁତ କରିନେବାକୁ ହେବ ଦ୍ୱାପରର ଶେଷ ଲୀଳାକ୍ଷେତ୍ର ପ୍ରଭାସ ଏବଂ ଭାରତର ବିଖ୍ୟାତ ସୋମନାଥ ମନ୍ଦିର ଦେଖିବା ପାଇଁ । ବଗିଟିକୁ ଟାଣି ନେବାକୁ ଈଞ୍ଜିନ ଆସି ଯୁକ୍ତ ହେଲା । ସେହି ଧକ୍‌କାରେ ଚିନ୍ତାର ସୂତ୍ର ଚ୍ଛିନ୍ନ ହୋଇଗଲା । ଏହିପରି ଭାବରେ ଆକାଂକ୍ଷିତ ଦ୍ୱିତୀୟଧାମ ଦ୍ୱାରକା ଦର୍ଶନର ପରିସମାପ୍ତି ଘଟିଲା । ସମସ୍ତ କିଛି ଭଲବାବେ ଉପଲବ୍‌ଧି କରିବା ପୂର୍ବରୁ ଯାତ୍ରାର ଅନ୍ୟ ଗୋଟିଏ ଅଙ୍କ ଶେଷ ହୋଇ ଯବନୀକା ପତନ ହୋଇଗଲା । ଏଥର ପ୍ରସ୍ତୁତ ହେବାକୁ ହେବ ପରବର୍ତ୍ତୀ ଦୃଶ୍ୟ ଦେଖିବା ପାଇଁ ।

 

ମିଟର ଗଜ ଲାଇନର ପାସେଞ୍ଜର ଟ୍ରେନ୍‍ ଧୁକ୍‌ଧୁକ୍‌କରି ଦ୍ୱାରକାରୁ ଠିକ୍‍ ସମୟରେ ଯାତ୍ରା କରିଥିଲେ ମଧ୍ୟ ରାଜକୋଟରେ ପ୍ରାୟ ରାତ୍ରି ନଅଟାରେ ଯାଇ ପହଞ୍ଚିଲା । ଏହି ଟ୍ରେନ୍‍ର ଏଠାରେ ହିଁ ଯାତ୍ରା ଶେଷ । ରାତ୍ରି ଏଗାରଟା ପଞ୍ଚତିରିଶି ମିନିଟରେ ଅନ୍ୟ ଗୋଟିଏ ବେଗଗାମୀ ପାସେଞ୍ଜର ଟ୍ରେନ୍‍ ଯୋଗ ଆମ ବଗିଟି ଯୁକ୍ତ ହୋଇ ଭେରାବଳ ଦିଗରେ ଯାତ୍ରା କରିବ ଏବଂ ସେଠାରେ ସକାଳ ସାଢ଼େ ଆଠଟାରେ ପହଞ୍ଚିବ । ଏଇ ଗତିପଥରେ ଭେରାବଳ ଶେଷ ଷ୍ଟେସନ । ଏଠାରୁ ଟାଙ୍ଗା ବା ରେକ୍‌ସା ଯୋଗେ ଯିବାକୁ ହେବ ପ୍ରଭାସ ଏବଂ ସୋମନାଥ ମନ୍ଦିର ଦେଖିବାପାଇଁ । ଅବଶ୍ୟ ଟ୍ରେନ୍‍ ନେଇ ଆମର କୌଣସି ଚିନ୍ତା ନାହିଁ ଯେହେତୁ ରାତ୍ରିରେ ଟ୍ରେନ୍‍ ନ ଚାଲିଲେ ମଧ୍ୟ ଆମର ଅନ୍ୟ ଆଶ୍ରୟ ନାହିଁ । ଚାଲିଲେ ବି ଟ୍ରେନ୍‍ ଯାତ୍ରାର ଯେଉଁ ଅଭିଜ୍ଞତା ସାଧାରଣ ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ନିକଟରୁ ମିଳିଥାଏ, ତା’ପାଇବାର ବି କୌଣସି ସୁଯୋଗ ନାହିଁ-

 

ସୌରାଷ୍ଟ୍ର ମଧ୍ୟରେ ଦର୍ଶନୀୟ ସ୍ଥାନ ଅନେକ । ତା’ ମଧ୍ୟରୁ ପୋର୍‍ବନ୍ଦର ଅନ୍ୟତମ । ଏହି ଯାତ୍ରାପଥରେ ଏହା ଗୋଟିଏ ଷ୍ଟେସନ । ପୁରାତନ ନାମ ସୁଦାମାପୁରୀ । ଏହିଠାରେ ୧୮୬୯ ସାଲରେ ମହାତ୍ମାଗାନ୍ଧି ଜନ୍ମ ଗ୍ରହଣ କରିଥିଲେ ପୋର୍‍ ବନ୍ଦରର ପ୍ରାକ୍ତନ ଦେଓ୍ୱାନଙ୍କ ପୌତ୍ର ରୂପେ । ସେହି ଦିନର ଛୋଟ ଶିଶୁ, ଯାହାର ବାପ ମାଆ ଆଦର କରି ନାମ ରଖିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି, ସେହି ଶିଶୁ ବଡ଼ହୋଇ ବିଶ୍ୱ ଦରବାରରେ ମହାତ୍ମାଗାନ୍ଧି ନାମରେ ଖ୍ୟାତି ଲାଭ କରିଥିଲେ । ସେହି ପବିତ୍ର ନାମକୁ ଭିତ୍ତିକରି ଆଗର ସେ ଛୋଟ ସହର ନୂତନ କରି ନବରୂପରେ ଗଢ଼ି ଉଠୁଛି । ଏ ନୂତନତା ମଧ୍ୟରେ ଅତି ପ୍ରାଚୀନ ସୁଦାମାପୁରୀ ଲୋପ ପାଇ ସାରିଲାଣି । କେବଳ ସେଇ ପୁରାତନ ସ୍ମୃତିକୁ ବହନ କରି ରଖିଛି ସହର ମଧ୍ୟସ୍ଥ ଭକ୍ତ ସୁଦାମାଙ୍କ ମନ୍ଦିର । ଏହି ମନ୍ଦିର ବ୍ୟତୀତ ଶ୍ରୀନାଥ, ଗୋପୀନାଥ, ସୋମନାଥ, କେଦାରନାଥ, ଦ୍ୱାରକାନାଥ ପ୍ରଭୃତି ବହୁ ମନ୍ଦିର ସହରର ସର୍ବତ୍ର ବିଦ୍ୟମାନ । କେବଳ ମନ୍ଦିର ନୁହେ ଆଧୁନିକ ଯୁଗର ସହରୀ ସଭ୍ୟତାର ସମସ୍ତ ସୁଯୋଗ ସୁବିଧା ଏଠାରେ ମିଳିଥାଏ । ଯେଉଁଯାତ୍ରୀମାନଙ୍କ ହାତରେ ସମୟଅଛି ବା ଭ୍ରମଣରେ ସ୍ୱାଧୀନତା ରହିଛି, ତାଙ୍କର ଉଚିତ ଜଟେଲସରରୁ ପୋର୍‍ ବନ୍ଦର ଯାତ୍ରା କରିବା । ଦୂରତ୍ୱ ମାତ୍ର ୧୨୫ କିଲୋମିଟର । ଯାତାୟତ ପାଇଁ ଟ୍ରେନ୍‍ ବ୍ୟତୀତ ବସ୍‌ଯୋଗାଯୋଗର ମଧ୍ୟ ଭଲ ବ୍ୟବସ୍ଥା ରହିଛି । ଆମର ଦୁର୍ଭାଗ୍ୟ, ସେ ସବୁ ଦେଖିବା ସୁଯୋଗ ନାହିଁ । କୁଣ୍ଡୁ କମ୍ପାନୀର ପ୍ରୋଗ୍ରାମ ସଙ୍ଗେ ଆମର ଯାତ୍ରା ବନ୍ଧା । ଇଚ୍ଛା ଥିଲେ ମଧ୍ୟ ପରିବର୍ତ୍ତନର କୌଣସି ସୁଯୋଗ ନାହିଁ ।

 

ସେପରି ଏ ଯାତ୍ରାରେ ମଧ୍ୟ ଦେଖାହୋଇ ପାରିଲା ନାହିଁ ସୌରାଷ୍ଟ୍ର ନାମ ଉଜ୍ୱଳକରି ଗଢ଼ି ଉଠୁଥିବା ଗାନ୍ଧିଧାମ । ଇଂରେଜ ବଣିକଙ୍କ ହାତରୁ ସ୍ୱାଧିନତା ଲାଭ କରିବାରେ ଏ ଦେଶକୁ ଅନେକ କିଛି ଆତ୍ମୋତ୍ସର୍ଗ କରିବାକୁ ପଡ଼ିଛି । ଶେଷକୁ ସେହି ସ୍ୱାଧୀନତା ମିଳିଲା ଭାରତବର୍ଷ ମାଟି ଦୁଇଭାଗ ହେବାପରେ । ଯାହାହୁଣ, ଶକମାନେ ପାରି ନଥିଲେ; ଯାହା ଦୀର୍ଘଦିନ ବିଧର୍ମୀ ମୋଗଲ,ପଠାଣ ଓ ମୁସଲମାନଙ୍କ ରାଜତ୍ୱରେ ସମ୍ଭବପର ହୋଇନଥିଲା ସେହି ଆର୍ଯ୍ୟ ବର୍ତ୍ତର ପବିତ୍ର ମାଟି କୁଟୀଳ ଇଂରେଜଙ୍କ ଚକ୍ରାନ୍ତରେ ଦୁଇ ଅଂଶରେ ବିଭକ୍ତ ହୋଇ ଉଠିଲା ହିନ୍ଦୁସ୍ଥାନ ଏବଂ ପାକିସ୍ଥାନ ରୂପେ । ହିନ୍ଦୁସ୍ଥାନ ନାମ କରିବାକୁ ଏ ଦେଶୀ ମୁସଲମାନ ଭାଇମାନଙ୍କ ପ୍ରବଳ ଆପତ୍ତି, ଯେହେତୁ ହିନ୍ଦୁସ୍ଥାନ ନାମ ଭିତରେ ହିନ୍ଦୁତ୍ୱର ଗନ୍ଧ ରହିଛି । ଇତିହାସ ପୃଷ୍ଠା ଓଲଟାଇଲେ ଏବେ ମଧ୍ୟ ଦେଖିବାକୁ ମିଳୁଛି କଠୋର ହିନ୍ଦୁବିରୋଧୀ ଭାବ ତଥା ଖାଣ୍ଟି ମୁସଲମାନ ଆଓରଙ୍ଗଜେବ ତାଙ୍କର ରାଜତ୍ୱ କାଳରେ ହିନ୍ଦୁସ୍ଥାନ ମଧ୍ୟରେ ହିନ୍ଦୁତ୍ୱର ଗନ୍ଧପାଇ ନ ଥିଲେ । ନହେଲେ କାଶୀ ମଥୁରାର ନାମ ଭଳି ଏହାର ମଧ୍ୟ ନୂତନ ନାମକରଣ କରିବା ସେ ସମୟରେ ଦିଲ୍ଲୀର ସମ୍ରାଟଙ୍କ ପକ୍ଷରେ କୌଣସି ପ୍ରତିବନ୍ଧକ ନ ଥିଲା । ଏ ହେଲା ତର୍କର କଥା; କିନ୍ତୁ ବାସ୍ତବ କଥା ହେଲା ଭୋଟ୍‍-। ତାହା ପାଇବାକୁ ହେଲେ ଗୋଟାଏ ସମ୍ପ୍ରଦାୟଙ୍କ ଦାବୀକୁ ଉପେକ୍ଷା କରାଯାଇପାରେନା-। ସୁତରାଂ ଭୋଟଗ୍ରାହୀ ଶାସକକୁଳ ବିନା ଦ୍ୱିଧାରେ ଅତି ପ୍ରାଚୀନ ହିନ୍ଦୁସ୍ଥାନ ନାମ ବାତିଲ କରି ଭାରତ ଯୁକ୍ତରାଷ୍ଟ୍ର ନାମ ବହାଲ କରି ରଖିଲେ ।

 

ପାକିସ୍ଥାନ ସୃଷ୍ଟି ହେବା ସାଥେ ଅଖଣ୍ଡ ଆାର୍ଯ୍ୟାବର୍ତ୍ତର ବିଖ୍ୟାତ ବନ୍ଦର କରାଚି ପଡ଼ିଲା ପାକିସ୍ଥାନ ଭାଗରେ । କରାଚିର ଅଭାବ ଦୂର କରିବା ସକାଶେ ସରକାର ତତ୍‌ପର ହୋଇ ଉଠିଲେ-। ପରୀକ୍ଷା ନିରୀକ୍ଷା ଚାଲିଲା କଚ୍ଛ ରାଜ୍ୟ ସ୍ଥିତ ଛୋଟ କାଣ୍ଡଲା ବନ୍ଦର ଉପରେ । ବିଶେଷଜ୍ଞଙ୍କ ପରାମର୍ଶାନୁଯାୟୀ କାଣ୍ଡଲାକୁ ଏକ ଯୁଗୋପଯୋଗୀ ପୋତାଶ୍ରୟ ରୂପେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାର ଉଦ୍‌ଯୋଗୀ ହେଲେ । ନୂତନ କରି ରେଳ ସଡ଼କ ଯୋଗାଯୋଗ ସ୍ଥାପିତ ହେଲା । ତାକୁ କେନ୍ଦ୍ର କରି ଗଢ଼ି ଉଠିଲା ଅନ୍ୟାନ୍ୟ ସୁଖ ସୁବିଧାଯୁକ୍ତ ସୂରମ୍ୟ ଜନପଦ। କରାଚୀର ବାସ୍ତୁତ୍ୟାଗୀ ସିନ୍ଧୀମାନେ ଏହି ସ୍ଥାନକୁ ତାଙ୍କର ପୁନର୍ବାସ ସକାଶେ ଉପଯୁକ୍ତ ବିବେଚନା କଲେ । ଏଠାରେ ଜାଗା ପାଇ ପାରିଲେ ଅଚିରେ ନୂତନ କରାଚି ଗଢ଼ି ପାରିବେ ଏ ଆତ୍ମବିଶ୍ୱାସ ସେମାନଙ୍କର ରହିଛି-। କାଣ୍ଡଲା ବନ୍ଦର ଉନ୍ନୟନ କାମ ଖୋଦ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଆଗେଇ ଚାଲିଛି-। ଦେଶରକ୍ଷା,ବାଣିଜ୍ୟ ତଥା ଅର୍ଥନୈତିକ ଦୃଷ୍ଟିରୁ ଯଥା ଶୀଘ୍ର ଏହି କାମ ଶେଷ କରିବାର ଆବଶ୍ୟକତା ମଧ୍ୟ ରହିଛି । ସେ ସକାଶେ ସରକାର ମୁକ୍ତ ହସ୍ତରେ ଅର୍ଥ ଖରଚ କରୁଛନ୍ତି-। ସେହି ସୁଯୋଗର ସଦ୍‌ବ୍ୟବହାର କରିବାପାଇଁ ଯତ୍ନଶୀଳ ହେଲେ ଭାଇ ପ୍ରତାପ ଦୟାଲ ଦାସ-। ତାଙ୍କର ଅକ୍ଳାନ୍ତ ପରିଶ୍ରମ ତଥା ପ୍ରଗାଢ଼ ଚେଷ୍ଟାରେ କାଣ୍ଡଲା ବନ୍ଦର ସନ୍ନିକଟରେ ଏକ ନୂତନ ସହର ସ୍ଥାପନର ପରିକଳ୍ପନା କଲେ । ଏହି ମହତୀ କର୍ମରେ ସର୍ବୋତଭାବେ ସାହାଯ୍ୟ କଲେ କଚ୍ଛର ମହାରାଓ ବଂଶଧରଗଣ । ସେମାନେ ଏହି ସହର ସକାଶେ ବନ୍ଦର ନିକଟରେ ପନ୍ଦରହଜାର ଏକର ଜମି ବିନା ସର୍ତ୍ତରେ ପ୍ରଦାନ କଲେ । ତା’ପରେ ନଗର ପରିକଳ୍ପନା ନକ୍‌ସା ସହ ନେଇ ଦେଖାଇଲେ ମହାତ୍ମାଗାନ୍ଧିଙ୍କୁ । ନିଜର ପରିକଳ୍ପନାନୁଯାୟୀ ସହରର ପରିକଳ୍ପନା ଦେଖି ମହାତ୍ମାଗାନ୍ଧି ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ ପ୍ରତାପ ଭାଇଙ୍କୁ,ଆଉ ଆନ୍ତରିକ ଧନ୍ୟବାଦ ଜଣାଇଲେ ମହାରାଓ ତଥା ତାଙ୍କର ବଂଶଧରଗଣଙ୍କୁ ଏହି ନିସ୍ୱାର୍ଥ ଦାନପାଇଁ । ଯେଉଁଦିନ ଜମିର ଦାନପତ୍ର ରେଜେଷ୍ଟ୍ରି ହେବା ସୁସଂବାଦ ଆସି ମହାତ୍ମାଙ୍କ ନିକଟରେ ପହଞ୍ଚିଲା ଦେଓ୍ୱାନି ପ୍ରେରିତ ଟେଲିଗ୍ରାମ ମାରଫତ ସେ ସୁସଂବାଦ ପ୍ରାପ୍ତିର ମାତ୍ର କେତେକ ଘଣ୍ଟାପରେ ସେ ଇହଧାମ ତ୍ୟାଗ କରିଥିଲେ-। ତତ୍‌କାଳୀନ କଂଗ୍ରେସ ସଭାପତି ଆଚାର୍ଯ୍ୟ କ୍ରିପ୍‌ଲାନୀ, ଉଦ୍ୟୋକ୍ତା ପ୍ରତାପଭାଇ ଓ ସିନ୍ଧୁ ରିସେଟଲମେଣ୍ଟ କର୍ପୋରେସନ ସହର ଉନ୍ନୟନ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ସେମାନଙ୍କ ବିଶେଷ ଅନୁରୋଧରେ ମହାତ୍ମାଗାନ୍ଧିଙ୍କ ଅସ୍ଥି କାଣ୍ଡଲା ମୁହାଣରେ ବିସର୍ଜନ ଦେଇଥିଲେ ଏବଂ ସେହି ପବିତ୍ର ସ୍ମୃତିକୁ ଚିରସ୍ଥାୟୀ କରିବା ସକାଶେ ମହାତ୍ମାଙ୍କ ଆଶୀର୍ବାଦପୁଷ୍ଟ ଏହି ସହରର ନାମ ଗାନ୍ଧିଧାମ ରଖିଲେ । ସେହିଦିନଠାରୁ ମହାତ୍ମାଙ୍କ ଆଦର୍ଶକୁ ଶୀର୍ଷରେ ରଖି ପଦେ ପଦେ ଏହି ଆଧୁନିକ ସହରଟି ଗଢ଼ି ଉଠେ । ବହୁଯାତ୍ରୀ ଏହି ନୂତନ ସହର ଦେଖିବାକୁ ଯାଇଥାନ୍ତି ଏବଂପରମ ଆନନ୍ଦରେ ସହର ଦେଖି ଫେରିଥାନ୍ତି ।

 

ସୌରାଷ୍ଟ୍ର ନେଇ ବେଶିକିଛି ତଥ୍ୟଭିତ୍ତିକ ଐିତିହାସିକ ପଟ୍ଟଭୂମିକା ସଂଗ୍ରହ କରିବାକୁ ଯେଉଁମାନେ ବେଶି ଆଗ୍ରହୀ,ସେମାନେ ଆଉ ଅଳ୍ପ ପରିଶ୍ରମ କରି ନର୍ମଦା ସାଗର ସଙ୍ଗମ ପଥେ ଆଗେଇଗଲେ ଆଉ ଗୋଟିଏ ପ୍ରାଚୀନ ତଥା ବିଖ୍ୟାତ ଐତିହାସିକ ସହରର ଭଗ୍ନ ସୂଚନା ଦେଖିବାକୁ ପାଇବେ । ବର୍ତ୍ତମାନ ସେ ଜାଗା ବ୍ରୋଚ ନାମରେ ପରିଚିତ । ଏହି ଜୀର୍ଣ୍ଣ ସହରକୁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ନାମରେ ନାମିତ କରିଥାଆନ୍ତି । ଯଥା, ଭୃଗୁକଚ୍ଛ, ଭୃଗୁପୁର, ଭୃଗୁକ୍ଷେତ୍ର ପ୍ରଭୃତି-। ମହାଭାରତରୁ ଜଣାଯାଏ ଏହା ଘଟୋତ୍କଚଙ୍କ ରାଜଧାନୀ ଥିଲା । ସ୍ଥାନୀୟ କିମ୍ବଦନ୍ତୀ ଜଣାଯାଏ ପାହାଡ଼ର ଶୀର୍ଷ ଦେଶରେ ଦେଖାଯାଉଥିବା ସହର ଏକଦା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ନିଜର ବ୍ୟକ୍ତିଗତ ବାସସ୍ଥଳୀପାଇଁ ବିଶ୍ୱକର୍ମାଙ୍କଦ୍ୱାରା ନିର୍ମିତ କରାଇଥିଲେ । ଏଣୁ ଏହାର ନାମ ଥିଲା ଶ୍ରୀନଗର-। ସେ ଭଳି ଏକ କାହାଣୀ ଓଡ଼ିଶାର ପୁରପଲ୍ଲୀରେ ବହୁଳ ପ୍ରଚାରିତ ଲକ୍ଷ୍ମୀ ପୁରାଣରେ ମିଳେ-। ଚଣ୍ଡାଳଘରେ ପ୍ରବେଶ କରିବା ଅପରାଧରେ ବଳରାମ କର୍ତ୍ତୃକ ମହାଲକ୍ଷ୍ମୀ ଭର୍ସିତା ହେଲେ-। ଏଣୁ ବଡ଼ଭାଇଙ୍କ ମର୍ଯ୍ୟାଦା ଏବଂ ଜନସାଧାରଣଙ୍କୁ ଶିକ୍ଷାଦେବା ସକାଶେ ଜଗନ୍ନାଥ ତାହାଙ୍କୁ ପରିତ୍ୟାଗ କଲେ । ଅପମାନିତା ମହାଲକ୍ଷ୍ମୀ ସେହି ସମୟରେ ବଡ଼ ଦେଉଳ ତ୍ୟାଗକରି ଚାଲିଯାଇଥିଲେ-। ତା’ପରେ ଲକ୍ଷ୍ମୀହରା ହୋଇ ଦୁଇଭାଇ କିପରି ଅବସ୍ଥା ଭୋଗିଥିଲେ ପ୍ରଖ୍ୟାତଯଶା ଭକ୍ତକବି ବଳରାମ ଦାଶ ବିଶେଷଭାବେ ବର୍ଣ୍ଣନା କରିଛନ୍ତି । ଖୁବ୍‍ ସମ୍ଭବ ସେ ସମୟରେ ଏକାକୀ ବସବାସ କରିବାପାଇଁ ପରମେଶ୍ୱରୀ ଏହି ନଗର ତୟାରି କରାଇଥିଲେ-

 

କେଉଁ ଆଦିମ କାଳରେ ସେହି ଶ୍ରୀନଗର କାଳର କୁଟୀଳ ଗତିରେ କ୍ରମଶଃ ଜନଶୂନ୍ୟ ହୋଇ ମହାଭାରତ ଯୁଗବେଳେ ଘନ ବନଜଙ୍ଗଲ ଶ୍ୱାପଦସଙ୍କୁଳ ହୋଇଉଠିଲା ।

 

ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ କାହାଣୀକୁ ସାମଞ୍ଜସ୍ୟ ରଖି କୁହାଯାଇ ପାରେ ଯେ ମହାଲକ୍ଷ୍ମୀ ବସବାସ କରିବା ଫଳରେ ନବ ନିର୍ମିତ ଶ୍ରୀନଗର ଧନଜନ ଗୋପ ଲକ୍ଷ୍ମୀରେ ପରିପୂର୍ଣ୍ଣ ହୋଇ ଉଠେ । ପୁଣି ଯେତେବେଳେ ଅନୁତପ୍ତ ଜଗନ୍ନାଥଙ୍କ ଆହ୍ୱାନରେ ଶ୍ରୀଲକ୍ଷ୍ମୀ ନଗର ତ୍ୟାଗକରି ଶ୍ରୀମନ୍ଦିରାଭିମୁଖେ ଯାତ୍ରାକଲେ ସେତେବେଳେ ନବନିର୍ମିତ ଶ୍ରୀନଗର ଶ୍ରୀଶୂନ୍ୟ ହୋଇଉଠେ ଏବଂ କ୍ରମଶଃ ଜନମାନବ ଶୂନ୍ୟ ହୋଇ ଘୋର ଜଙ୍ଗଲରେ ପରିପୂର୍ଣ୍ଣ ହୋଇଉଠେ ।

 

ସେହି ସମୟରେ ହିଡ଼ମ୍ବ ରାକ୍ଷସଙ୍କଦ୍ୱାରା ଏହି ଅଞ୍ଚଳ ଅଧିକୃତ ହୁଏ ଏବଂ ପରିତ୍ୟକ୍ତ ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ରୂପେ ନୂତନ କରି ଗଢ଼ିଉଠେ। ସ୍ଥାନୀୟ ଅଧିବାସୀଗଣ କେତେକ ପୁରୁଣା ନିଦର୍ଶନ ଦେଖାଇ ତାହା ସବୁ ସେହି ସମୟର ବୋଲି ବର୍ଣ୍ଣନା କରିଥାଆନ୍ତି । ହିଡ଼ମ୍ବାକୁ ବଧ କରି ମହାବୀର ଦ୍ୱିତୀୟ ପାଣ୍ଡବ ଭୀମସେନ ତାଙ୍କର ଭଉଣୀ ହିଡ଼ିମ୍ବୀଙ୍କୁ ବଡ଼ ଭାଇଙ୍କ ଅନୁମତି ନେଇ ପ୍ରଥମ ବନବାସ କାଳରେ (ଜତୁ ଗୃହ ଦାହ ପରେ) ବିବାହ କରିଥିଲେ-। ତାଙ୍କର ତଥା ପାଣ୍ଡବକୁଳର ପ୍ରଥମ ସନ୍ତାନ ଘଟୋତ୍କଚ ପରବର୍ତ୍ତୀ ସମୟରେ ମାତୁଳ ଅଧିକୃତ ରାଜ୍ୟରେ ରାଜତ୍ୱ କରିବାରେ ଲାଗିଲେ ।

 

ମହାଭାରତ ଧର୍ମ ଯୁଦ୍ଧରେ ଘଟୋତ୍କଚଙ୍କର ମୃତ୍ୟୁ ସଙ୍ଗେ ସଙ୍ଗେ ଏହି ଜଙ୍ଗଲ ରାଜ୍ୟରେ ପୁଣି ଅରାଜକତା ସୃଷ୍ଟି ହୁଏ ଏବଂ କ୍ରମେ କ୍ରମେ ତା’ର ସମସ୍ତ ଐଶ୍ୱର୍ଯ୍ୟ ହରାଇ ବସେ । ଏହିପରି ଏକ ସଙ୍କଟମୟ ସମୟରେ ମହର୍ଷି ଭୃଗୁ ଉକ୍ତ ସ୍ଥାନରେ ଆଶ୍ରମ ସ୍ଥାପନ କରିବା ସିଦ୍ଧାନ୍ତ ଗ୍ରହଣ କରନ୍ତି ଏବଂ ଅଠରହଜାର ଶିଷ୍ୟଙ୍କ ସହ ନିରୁପଦ୍ରବ ସ୍ଥାନରେ ତପସ୍ୟାରତ ରହନ୍ତି । ଏହି ଅଠରହଜାର ଶିଷ୍ୟଙ୍କ ଥଇଥାନ ସକାଶେ ମହର୍ଷିଙ୍କ ଅନୁରୋଧ କ୍ରମେ ସ୍ୱୟଂ ବିଶ୍ୱକର୍ମା ଆବାସସ୍ଥଳୀ ନିର୍ମାଣ କରିଦିଅନ୍ତେ ଆଶ୍ରମ ନିକଟରେ । ତେଣୁ ଏହା ହୁଏ ଭୃଗୁକଚ୍ଛ । ସ୍କନ୍ଦ ପୁରାଣ ରେବାଖଣ୍ଡରେ ଉକ୍ତ କାହାଣୀ ବର୍ଣ୍ଣିତ ଅଛି । ଶିଷ୍ୟଗଣଙ୍କ ସେହି ଜନପଦର ପତ୍ତନ ହୋଇଥିଲା ମାଘ ଶୁକ୍ଳ ପଞ୍ଚମୀ ତିଥିରେ । ରେବା ନର୍ମଦା ନଦୀର ଅନ୍ୟ ନାମ । ନର୍ମଦା ମଧ୍ୟଭାରତର ଅମରକଣ୍ଟକ ତୀର୍ଥକ୍ଷେତ୍ରରୁ ବାହାରି ପଶ୍ଚିମ ମୁଖେ ଗତି କରି ଏଠାରେ ଆସି ଆରବ ସାଗରରେ ମିଳିତ ହୋଇଅଛି । ହିନ୍ଦୁସ୍ଥାନରେ ପ୍ରାୟ ସମସ୍ତ ପ୍ରସିଦ୍ଧ ନଦନଦୀ ଉତ୍ତର ପଶ୍ଚିମରୁ ବାହାରି ଦକ୍ଷିଣ ପୂର୍ବାଭିମୁଖେ ପ୍ରବାହିତ । ତାପ୍ତି ଓ ନର୍ମଦା କେବଳ ତାହାର ବ୍ୟତିକ୍ରମ । ଏ ଦୁଇଗୋଟି ବିଖ୍ୟାତ ପୁଣ୍ୟତୋୟା ପୂର୍ବରୁ ପଶ୍ଚିମାଭିମୁଖେ ପ୍ରବାହିତା ହେବା ଦେଖାଯାଏ । ହିନ୍ଦୁଙ୍କ ପବିତ୍ର ସଙ୍କଳ୍ପ ବାକ୍ୟର ପଞ୍ଚମ ସ୍ଥାନରେ ନର୍ମଦା ନାମ ଦେଖିବାକୁ ମିଳେ । ପୁରାଣରୁ ଜଣାଯାଏ ମହାଦେବଙ୍କ ଶରୀରରୁ ଜାତ ସ୍ୱେଦ ବାରିରୁ ଏହାର ଉତ୍ପତ୍ତି । ଏହି ପବିତ୍ର ନଦୀର ଗତି କେତେବେଳେ ଦୃଶ୍ୟ କେତେବେଳେ ଅଦୃଶ୍ୟ ହୋଇ ଯାତ୍ରା ପଥରେ ବୈଚିତ୍ର୍ୟ ଆନୟନ କରି ପାରିଥିବା ହେତୁ ନାମ ନର୍ମଦା ହୋଇଅଛି ଏବଂ ସଦା କଳକଲ୍ଲୋଳ ଧ୍ୱନି ବା ରବକାରିଣୀ ବୋଲି ନାମ ରେବା । ଯେଉଁମାନେ ନର୍ମଦା ନେଇ ବିଶେଷ ଭାବେ ଅନୁଧ୍ୟାନ କରିଛନ୍ତି, ସେମାନେ କହିଥାନ୍ତି ଏହି ନଦୀ ସମସ୍ତ ଗତି ପଥରେ ଶବ୍ଦମୟୀ ଏବଂ ଉତ୍ପତ୍ତି ସ୍ଥାନରୁ ସାଗର ସଙ୍ଗମଯାଏ ସମସ୍ତ ନଦୀପଥ ପବିତ୍ର-। ମତ୍ସ୍ୟ ପୁରାଣରେ ଦେଖିବାକୁ ମିଳେ–

 

‘‘ପୁଣ୍ୟା କନଖଳେ ଗଙ୍ଗା କୁରୁକ୍ଷେତ୍ରେ ସରସ୍ୱତୀ

ଗ୍ରାମେ ବା ଯଦିବାରଣ୍ୟେ ପୁଣ୍ୟା ସର୍ବତ୍ର ନର୍ମଦା ।’’

 

ଖୁବ୍‌ସମ୍ଭବ ଏହି କାରଣରୁ ବହୁ ପୁଣ୍ୟାର୍ଥୀ ସଙ୍କଳ୍ପ କରି ନର୍ମଦା ପରିକ୍ରମା କରିଥାନ୍ତି । ବିଖ୍ୟାତ ଦାନବୀର ବଳୀ ଯେଉଁଠି ବିଖ୍ୟାତ ଅଶ୍ୱମେଧ ଯଜ୍ଞ କରିଥିଲେ ବୋଲି ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଅଛି ସେହିସ୍ଥାନ ବର୍ତ୍ତମାନର ବ୍ରୋଚ ସହର ତଥା ନର୍ମଦା ସାଗର ସଙ୍ଗମ ବୋଲି ପ୍ରମାଣିତ ହୋଇଅଛି । ନର୍ମଦା ପରିକ୍ରମାକାରୀ ଯାତ୍ରୀଗଣ ସଙ୍କଳ୍ପ କରି ଏହି ସ୍ଥାନରୁ ନର୍ମଦାତୀର ଧରି ପବିତ୍ରସଲିଳା ନଦୀର ଉତ୍ପତ୍ତିସ୍ଥଳ ଅମରକଣ୍ଟକ ପର୍ଯ୍ୟନ୍ତ ଯାତ୍ରା କରି ସେଠାରୁ ଅନ୍ୟତୀର ଧରି ପୁନଶ୍ଚ ଯାତ୍ରା କରିବା ସ୍ଥାନକୁ ଫେରି ପରିକ୍ରମା ଶେଷ କରିଥାନ୍ତି । ଏହି ପରିକ୍ରମା ପଦବ୍ରଜରେ ସମ୍ପୂର୍ଣ୍ଣ କରିବାପାଇଁ ନ୍ୟୂନାଧିକେ ଏକବର୍ଷ ସମୟ ଲାଗିଥାଏ । ଏ ଧରଣର କଷ୍ଟ ସହ୍ୟ କରି ପୁଣ୍ୟ ସଞ୍ଚୟ କରିବା ଯାତ୍ରୀଙ୍କ ଅଭାବ ନାହିଁ ।

 

ନର୍ମଦା ନଦୀର ଏହି ପବିତ୍ର ସଙ୍ଗମସ୍ଥଳୀ ଏକଦା ଭାରତର ପଶ୍ଚିମ ଉପକୂଳରେ ଏକ ବିଖ୍ୟାତ ବନ୍ଦର ଥିଲା । ସେ ସମୟରେ ଏହାର ନାମ ଥିଲା ଭୃଗୁକଚ୍ଛ । ଆଉ ଦୁଇଟି ବନ୍ଦର ମଧ୍ୟ ସେ ସମୟରେ ଥିବାର ପ୍ରମାଣ ମିଳେ । ସେ ଦୁଇଟିର ନାମ ହେଲା ସୁର୍ପାରକ ଓ ପ୍ରଭାସ । ଏହି ବନ୍ଦରଗୁଡ଼ିକ ସଙ୍ଗେ ରୋମାନ ସାମ୍ରାଜ୍ୟର ବାଣିଜ୍ୟ କାରବାର ଥିଲା । ଖୁବ୍‌ସମ୍ଭବ ଏହାହିଁ ଲକ୍ଷ୍ମୀଙ୍କ ନିଜସ୍ୱ ବାସସ୍ଥାନ କରିକଳ୍ପନାର ମୂଳସୂତ୍ର । ଅନେକ ବିଦେଶୀରାଷ୍ଟ୍ରଙ୍କ ଇତିହାସରେ ଏସବୁ ବନ୍ଦରମାନଙ୍କ ନାମ ଦେଖିବାକୁ ମିଳିଥାଏ । ତା’ ବ୍ୟତୀତ ଆମର ଅନେକ ପୁରାଣ ଏବଂ ବୌଦ୍ଧ ଜାତକରେ ମଧ୍ୟ ଭୃଗୁକଚ୍ଛର ନାମ ବିଶେଷଭାବେ ଦେଖାଯାଏ । ବରାହମିହରଙ୍କ ବିଭିନ୍ନ ଲେଖାରେ ଭୃଗୃକଚ୍ଛ ନାମ ଦେଖାଯାଏ । ପୁରାଣ ବର୍ଣ୍ଣିତ କୀର୍ତ୍ତବୀର୍ଯ୍ୟାଜ୍ଜୁନଙ୍କ ରାଜଧାନୀ ମହିଷ୍ମତୀପୁର ଏହିଠାରେ ଥିଲା ବୋଲି ଅନେକ ମନେକରନ୍ତି ।

 

ବର୍ତ୍ତମାନ କେବଳ ସେସବୁ ପୁରାଣ ଇତିହାସ ବ୍ୟତୀତ ସେଠାରେ ସେପରି କିଛି ଦର୍ଶନୀୟ ବସ୍ତୁ ନାହିଁ । କେତେକ ବହୁ ପୁରାତନ ମନ୍ଦିର, ସାଗର ସଙ୍ଗମର ମନୋମୁଗଧକର ଦୃଶ୍ୟ ଓ ଭୃଗୁମୁନିଙ୍କ କାହାଣୀ ସେଇ ଅତୀତ କାଳରୁ ଆଜିଯାଏଁ ସମଭାବେ କୀର୍ତ୍ତିତ ହୋଇ ଆସୁଅଛି । ଋକ୍‌ବେଦରୁ ଜଣାଯାଏ, ସେହି ପ୍ରଥମ ଅଗ୍ନିଙ୍କୁ ଆବିଷ୍କାର କରିଥିଲେ । ତୈତ୍ତରୀୟ ଉପନିଷଦରେ ତାହାଙ୍କୁ ବରୁଣର ପୁତ୍ର ବୋଲି ଉଲ୍ଲେଖ ଥିଲେ ମଧ୍ୟ ତୈତ୍ତରୀୟ ବ୍ରାହ୍ମଣ ଏହି ମତ ସ୍ୱୀକାର କରେନା । ସେଥିରେ ଭୃଗୃ ପ୍ରଜାପତିଙ୍କ ପୁତ୍ର ମଧ୍ୟରୁ ଅନ୍ୟତମ ବୋଲି ଉଲ୍ଲେଖ ଅଛି । ଅନେକ ପୁରାଣରେ ବି ତାଙ୍କ କଥା ଦେଖିବାକୁ ମିଳେ । ଦକ୍ଷ ଯଜ୍ଞରେ ଶିବ ନିନ୍ଦା କରିବା ଫଳରେ ତାଙ୍କର ଜଟାଦାଢ଼ି ପୋଡ଼ିଯିବା ଏକ କୌତୁକପ୍ରଦ ଘଟଣା । ସେହିପରି ଏହି ମହାମୁନି ନିଜ ସଞ୍ଜୀବନୀ ବିଦ୍ୟା ପ୍ରଭାବରେ ମହର୍ଷି ଜମଦଗ୍ନିଙ୍କୁ ପୁନର୍ଜୀବିତ କରାଇଥିବା ପୁରାଣରେ ଏକ ଆକର୍ଷଣୀୟ କାହାଣୀ ।

 

ଏଇ ସମୟରେ ଇନ୍ଦିରା ପଚାରିଲା,‘‘ଭଗବାନଙ୍କ ବକ୍ଷରେ ଭୃଗୁପଦଚିହ୍ନ ବୋଲି ଯାହା ଶୁଣିବାକୁ ମିଳେ,ତାହା କ’ଣ ଏଇ ଭୃଗୁଙ୍କ ପାଦର ଚିହ୍ନ ?’’

 

କହିଲି,‘‘ହଁ ସେ ପଦଚିହ୍ନ ଏହାଙ୍କର ! ଭୃଗୁଙ୍କ ଅନ୍ୟ ଏକ ନାମ ବା ପ୍ରଥମ ନାମ ଶ୍ରୀବତ୍ସ ଥିଲା । ସେ ସକାଶେ ଅନେକ କ୍ଷେତ୍ରେ ଶ୍ରୀବତ୍ସ ପଦଲାଞ୍ଚ୍ଥିତ ବୋଲି ବିଷ୍ଣୁଙ୍କୁ ସମ୍ବୋଧନ କରାଯାଇଅଛି ।

 

କୌତୂହଳ ଉଦ୍ରେକ କାହାଣୀ ପୂର୍ଣ୍ଣଭାବେ ନ ଜାଣିବା ଯାଏଁ ରେଣୁଭାଉଜଙ୍କ ସ୍ୱସ୍ତି ନାହିଁ ଏବଂ ଏଥିରୁ ନିସ୍ତାର ମଧ୍ୟ ନାହିଁ । ଏପରିକି ଖିଆପିଆର ମଧ୍ୟ ଅବକାଶ ନାହିଁ । ଏଇ ହେଲା ତାଙ୍କର ସ୍ୱଭାବ । ସୁତରାଂ ଏ କ୍ଷେତ୍ରରେ ମଧ୍ୟ କେବଳ ଶ୍ରୀବତ୍ସ ବା ଭୃଗୁ ପଦଚିହ୍ନ କଥା କହି ମୁକ୍ତି ମିଳିଲା ନାହିଁ । ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ପୂର୍ଣ୍ଣ କାହାଣୀ କହିବାକୁ ହେଲା-

 

ସୃଷ୍ଟିର ପ୍ରାରମ୍ଭ କାଳରେ ନୀତି ନିୟମ ସ୍ଥିର କରିବା ପାଇଁ ଦେବ, ଦାନଦ, ମାନବ,ଯକ୍ଷ,ରକ୍ଷ ପ୍ରଭୃତି ସମସ୍ତଙ୍କ ସମାବେଶରେ ଏକ ମହତୀ ଯଜ୍ଞ ଅନୁଷ୍ଠିତ ହେଲା । ଏହି ସମୟରେ ପ୍ରଶ୍ନ ଉଠିଲା ଏହି ଯଜ୍ଞର ଚରୁଭାଗ କାହାକୁ ଦେବାକୁ ହେବ, ଅର୍ଥାତ୍‌ଉପସ୍ଥିତ ସମସ୍ତଙ୍କ ମଧ୍ୟରେ କାହାକୁ ମୁଖ୍ୟ ବୋଲି ବରଣ କରାଯିବ । ଏହା ନେଇ ବିଭିନ୍ନ ତରଫରୁ ନାନା ପ୍ରସ୍ତାବମାନ ଆଗତ ହେଲା ।

 

କିଏ କହିଲା, ଅଗ୍ନି ବ୍ୟତିରେକେ ଜୀବ ଜଗତର ଚଳ ପ୍ରଚଳ ଅସମ୍ଭବ,ସୁତରାଂ ଚରୁଭାଗ ତାଙ୍କର ପ୍ରାପ୍ୟ ।

 

ସଙ୍ଗେ ସଙ୍ଗେ ସେହି ମତକୁ ଖଣ୍ଡନ କରି ଅନ୍ୟ ଦଳ କହିଲେ, ‘‘ଅଗ୍ନି ନୁହନ୍ତି, ଏ ସମ୍ମାନର ଅଧିକାରୀ ଦେବରାଜ ଇନ୍ଦ୍ର । ଯେହେତୁ ସେ ସମସ୍ତ ଜଗତର ପ୍ରତିପାଳକ ଏବଂ ସମସ୍ତ ବିପଦ ଆପଦର ଉଦ୍ଧାରକ । ଏହିପରି ଭାବରେ ଏକକୁ ନାପସନ୍ଦ କରି ବରୁଣ,ସୂର୍ଯ୍ୟ,ଯମ,ବାୟୁ ଏପରିକି ପୃଥିବୀ ବାହକ ବାସୁକୀଙ୍କ ନାମ ପର୍ଯ୍ୟନ୍ତ ଏକପରେ ଏକପରେ ଉଠି ଉପେଷିତ ତାଲିକାକୁ ଚାଲିଗଲା । କ୍ରମଶଃ ଉପର ସ୍ତରକୁ ଉଠି ପ୍ରଜାପତି ବ୍ରହ୍ମାଙ୍କ ନାମ ଆଗତ ହେଲା । ନିଜ ମତକୁ ସମର୍ଥନ କରି ପ୍ରସ୍ତାବକାରୀ କହିଲେ,‘‘ପ୍ରଜାପତି ହେଲେ ଖୋଦ୍‌ସୃଷ୍ଟିକର୍ତ୍ତା ବିଧାତା । ତାଙ୍କର ଇଚ୍ଛାଶକ୍ତି ବ୍ୟତୀତ ଜୀବ ଜଗତ ସୃଜନ ହୋଇ ପାରେନା, ଇତ୍ୟାଦି ଇତ୍ୟାଦି ।

 

ସେଇ ମତକୁ ଫୁତ୍‌କରି ଉଡ଼େଇ ଦେଇ ଅନ୍ୟଦଳ କହିଲେ-ପ୍ରଜାପତି ସୃଷ୍ଟିକଲେ ମଧ୍ୟ ସ୍ଥିତି ଦେବା ଶକ୍ତି କାହିଁ ? ଯଦି ମଙ୍ଗଳମୟ ଶିବଇଚ୍ଛା ନ କରନ୍ତି ତେବେ ପୃଥିବୀ ତିଷ୍ଠିବା ମଧ୍ୟ ସମ୍ଭବ ନୁହେଁ । ସେହି ମହାଶକ୍ତିମାନ ରୁଦ୍ର ରୂପେ ଯେପରି ସଂହାରକର୍ତ୍ତା ସେପରି ଶିବ ରୂପେ ସର୍ବମଙ୍ଗଳମୟ । ସୁତରାଂ ସର୍ବ ଶକ୍ତିଧର ସେହି ଶୂଳପାଣି ହିଁ ଏ ସମ୍ମାନର ଉପଯୁକ୍ତ ପାତ୍ର ।

 

ଶୈବଗଣଙ୍କ ଏହି ପ୍ରସ୍ତାବକୁ ସଙ୍ଗେ ସଙ୍ଗେ ନାକଚକରି ବୈଷ୍ଣବ ସମର୍ଥଙ୍କ ପକ୍ଷରୁ ଅନ୍ୟତମ ଘୋଷିତ ହେଲା । ସୃଷ୍ଟିକର୍ତ୍ତା ହୁଅନ୍ତୁ ବା ସଂହାରକର୍ତ୍ତା ହୁଅନ୍ତୁ ଏମାନଙ୍କ ସମ୍ଭବ କେବଳ ପାଳନକର୍ତ୍ତା ବିଷ୍ଣୁଙ୍କ ଯୋଗୁଁ । ସେହି ହିଁ ସମସ୍ତ ଜଗତର ପ୍ରକୃତ ନିୟାମକ । ଏହି ମହତୀ ଯଜ୍ଞାନୁଷ୍ଠାନରେ ସେହି ହିଁ ସର୍ବ ସମ୍ମାନର ମୂଳାଧାର,ଏ ନେଇ ସନ୍ଦେହର ଅବକାଶ ନାହିଁ ।

 

ଏହି ଗଣ୍ଡଗୋଳ କ୍ରମଶଃ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା । ଅଗତ୍ୟା ବିଶିଷ୍ଟ ନିରପେକ୍ଷ ନେତୃବର୍ଗ ଜନସାଧାରଣଙ୍କୁ ବୁଝେଇ ସୁଝେଇ ଆଲୋଚନାରେ ଶାନ୍ତି ଆନୟନ କଲେ । ଉପସ୍ଥିତ ଶକ୍ତି ଦ୍ୱାର ଏହି ସମସ୍ୟାର ସମାଧାନ ହେବା ସମ୍ଭବପର ନୁହେଁ । ସେତେବେଳେ ଅନୁଷ୍ଠାନରେ ଅନୁପସ୍ଥିତ ସେହି ତିଳିମୂଳସୃଷ୍ଟି ସଂହାର ଓ ପାଳନକର୍ତ୍ତାଙ୍କ ନିକଟରୁ ପରାମର୍ଶ ନିଆଯାଉ ବୋଲି ସେମାନେ ପ୍ରସ୍ତାବ ଆଗତ କଲେ । ଉକ୍ତ ପ୍ରସ୍ତାବ ସମସ୍ତଙ୍କ ମନୋନୀତ ହେଲା । ଏହି ଯଜ୍ଞାନୁଷ୍ଠାନର ପ୍ରତିନିଧି ହିସାବରେ ମହର୍ଷି ଭୃଗୁ ବା ଶ୍ରୀବତ୍ସ ଏହାର ସଦୁତ୍ତର ଆଣିବା ସକାଶେ ମନୋନୀତ ହେଲେ ।

 

ମହର୍ଷି ସାନନ୍ଦେ ସେହି ଭାର ଗ୍ରହଣ କରି ତତ୍‌କ୍ଷଣାତ୍‌ଯଜ୍ଞସ୍ଥଳୀ ତ୍ୟାଗ ପୂର୍ବକ ବେଦପତି ବିଧି ନିୟାମକ ବ୍ରହ୍ମାଙ୍କ ନିକଟକୁ ଯାତ୍ରା କଲେ ଏବଂ ସ୍ୱଳ୍ପ ସମୟ ଭିତରେ ବ୍ରହ୍ମଲୋକରେ ଉପସ୍ଥିତ ହେଲେ । ସେତେବେଳକୁ ପିତାମହ ଗାୟତ୍ରୀ ଜପରେ ବସିଛନ୍ତି । ଅଗତ୍ୟା ଶ୍ରୀବତ୍ସଙ୍କୁ ଜପ ଶେଷଯାଏଁ ଅପେକ୍ଷା କରିବାକୁ ପଡ଼ିଲା । ମାନବର ଏକବର୍ଷ ସହିତ ପିତୃଲୋକର ଏକଦିନ,ପିତୃଲୋକର ଏକବର୍ଷ ସହିତ ଋଷିଲୋକର ଏକଦିନ ସମାନ । ଋଷିଲୋକର ବର୍ଷପରେ ଦେବଲୋକର ଏକଦିନ, ଦେବଲୋକର ଏକବର୍ଷରେ ବ୍ରହ୍ମଲୋକର ଏକଦିନ ଏବଂ ବ୍ରହ୍ମଲୋକର ଏକବର୍ଷରେ ବ୍ରହ୍ମାଙ୍କର ଏକଦିନ ସମାନ । ଭୃଗୁମାନବ ବର୍ଷ ହିସାବରେ ଅଗଣିତ ବର୍ଷ ଠିଆହୋଇ ଅପେକ୍ଷା କରିବାରେ ଲାଗିଲେ । ତେବେବି ବ୍ରହ୍ମାଙ୍କର ଜପ ଶେଷ ହେବାକୁ ନାହିଁ । ଖୁବ ସମ୍ଭବ ପୂର୍ବରୁ ଶ୍ରୀବତ୍ସଙ୍କ ଆଗମନ ଉଦ୍ଦେଶ୍ୟ ଜଣିପାରି ଏପରି ଏକ ଜଟିଳ ପ୍ରଶ୍ନର ଉତ୍ତର ଦେବା ଝଞ୍ଜଟରୁ ଉଦ୍ଧାର ପାଇବା ଲକ୍ଷ୍ୟରେ ଜପ ମଧ୍ୟରେ ଆତ୍ମଗୋପନ କରିବାକୁ ଯାଇ ତାହାର ମାତ୍ରା ଆନୁପାତିକ ହାରରେ ବୃଦ୍ଧି କରିବାରେ ଲାଗିଲେ । ଦୀର୍ଘ ସମୟ ଅପେକ୍ଷା କରି ଭୃଗୁ ତିକ୍ତ ବିରକ୍ତ ହୋଇ ଉଠିଲେ । ତାଙ୍କପ୍ରତି ବେଦବରଙ୍କ ଏ ଉପେକ୍ଷା ଋଷିଙ୍କ କ୍ରୋଧର କାରଣ ହୋଇ ଉଠିଲା । ଧୈର୍ଯ୍ୟ ଧରି ଅପେକ୍ଷା କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଲାନାହିଁ । ମହାକୋପରେ ଶରୀର କମ୍ପାଇ ଅଭିଶାପ ପ୍ରଦାନ କଲେ ।

 

‘‘ମୁଁ ମହାମୁନି ଭୃଗୁ, ସମସ୍ତ ଜଗତର ପ୍ରତିନିଧି ହୋଇ ତୁମର ବିଧିର ବିଧାନ ଜାଣିବାପାଇଁ ତୁମ ନିକଟରେ ଉପସ୍ଥିତ । ଆଉ ତୁମେ ତା’ ଜାଣି ସୁଦ୍ଧା ମୋତେ ଯେଉଁ ତାଚ୍ଛଲ୍ୟ ଭାବ ଦେଖାଇଲ ସେଥିପାଇଁ ତୁମେ ଅପରାଧୀ ହୋଇ ଶାପ ପାଇବା ପାଇଁ ହକ୍‌ଦାର ହେଲ । ମୁଁ ତୁମକୁ ଅଭିଶାପ ପ୍ରଦାନ କରୁଛି ତୁମେ ଆଜିଠାରୁ ସୃଷ୍ଟିକର୍ତ୍ତା ହେଲେ ମଧ୍ୟ ତୁମର ସୃଷ୍ଟି ଜୀବଜଗତ ମଧ୍ୟରେ ଚିର ଅପୂଜ୍ୟ ହୋଇ ରହିବ । ଅତିଥିକୁ ପ୍ରଦତ୍ତ ଅପମାନର ପ୍ରତିଫଳ ତୁମକୁ ଭୋଗିବାକୁ ହେବ ।’’

 

ତଦନନ୍ତର ମହର୍ଷି ଭୃଗୁ ଆନୀତ ପ୍ରଶ୍ନର ଉତ୍ତରାଶାରେ ବ୍ରହ୍ମଲୋକ ପରିତ୍ୟାଗକରି ପ୍ରଳୟାଧିପତି ରୁଦ୍ରଙ୍କ ଉଦ୍ଦେଶ୍ୟରେ ଶିବଲୋକ ଯାତ୍ରାକଲେ । କୈଳାସ ଶିଖରରୁ ମହର୍ଷିଙ୍କ ଆଗମନ ଦେବାଧିଦେବ ଦେଖିପାରିଲେ । ମହାବ୍ରହ୍ମଜ୍ଞାନୀ ସେ । ତାଙ୍କ ପାଖରେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ଆଗମନର ଉଦ୍ଦେଶ୍ୟ ଅଛପା ରହିଲା ନାହିଁ । ଭୋଳାନାଥ ସଦାଶିବ ସେ । ନିଜର ଖିଆଲ ଖୁସିରେ ସମୟ କଟେଇ ପାରିଲେ ହେଲା । ଯେପରି ସେ ଅଳ୍ପକେ ରୁଷ୍ଟ ହୋଇ ଦକ୍ଷଯଜ୍ଞ କାଣ୍ଡ ଭିଆଇ ପାରନ୍ତି,ସେପରି ଅଳ୍ପକେ ପରିତୃପ୍ତ ହୋଇ ଭସ୍ମାସୁର ଭଳି ପ୍ରବଞ୍ଚକକୁ ମଧ୍ୟ ବର ପ୍ରଦାନ କରି ନିଜ ଧ୍ୱଂସ ପଥ ତୟାରି କରି ନିଅନ୍ତି । ସଦା ଆନନ୍ଦମୟଙ୍କ ମନରେ କୂଟ ପକଟର ସ୍ଥାନ ନାହିଁ-। ବିଚାରରେ ପ୍ରଭେଦ ନାହିଁ । ଉଚ୍ଚନୀଚ, ଛୋଟବଡ଼ ମଧ୍ୟରେ ତାରତମ୍ୟ ନାହିଁ । ସେ ସକାଶେ ସେ ଗଣ ଦେବତା । ଯାହାଙ୍କୁ ସମସ୍ତେ ସ୍ପର୍ଶକରି ଅତି ଆପଣାର ଭଳି ହାରି ଗୁହାରି ଜଣାଇଥାନ୍ତି । ସେହି ସଦାଶିବ ଚିନ୍ତାକରି ଦେଖିଲେ ଭୃଗୁଙ୍କ ପ୍ରଶ୍ନର ଉତ୍ତର ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ-। ସେ ଚେଷ୍ଟା କରିବାକୁଯାଇ କୁଆଡ଼େ କ’ଣ କହି ବସିବେ ତା’ପରେ ସେହି ସାମାନ୍ୟ କଥାରୁ ନାନା ଅନର୍ଥ ଉପୁଜିବ । ତା ଅପେକ୍ଷା ସବ୍‌ସେ ଚୁପ୍‌ଭଲା ନୀତି ଅନେକ ଶ୍ରେୟସ୍କର । ତା’ତ ଆଉ ବସି ରହିଲେ ସମ୍ଭବ ହୋଇପାରିବ ନାହିଁ ? ସୁତରାଂ ଶ୍ରୀବତ୍ସଙ୍କ ଆଗମନ ପୂର୍ବରୁ ଅନ୍ୟ ପନ୍ଥା ଧରିବାକୁ ଯାଇ ନଟରାଜ ଆଉ କାଳ ହରଣ ନ କରି ସେହିଠାରେ ତାଣ୍ଡବ ନୃତ୍ୟ ଆରମ୍ଭ କରି ଦେଲେ-

 

ନିର୍ଦ୍ଦିଷ୍ଟ ଜାଗାରେ ସଦାଶିବଙ୍କୁ ଦର୍ଶନ କରିବାକୁ ଆସି ଭୃଗୁ ଦେଖିଲେ ସେ ନୃତ୍ୟରତ । ଅଗତ୍ୟା ଆରାଧ୍ୟଙ୍କ ନୃତ୍ୟଭଙ୍ଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଲାଗିଲେ । କିନ୍ତୁ ନୃତ୍ୟର ବିରାମ ହେବାକୁ ନାହିଁ । ତାଳରୁ ତାଳକୁ ତରଙ୍ଗାୟିକ ଭାବରେ ନୃତ୍ୟୁ ଦୀର୍ଘାୟତ ହେବାକୁ ଲାଗିଲା । କଥାରେ କୁହନ୍ତି–

 

‘‘ଜାଣି ଶୋଇଥିବ ଯିଏ,ତାକୁ ଉଠାଇବ କିଏ ?’’

 

ଏହି ନୃତ୍ୟ ତ ସେହି ଉଦ୍ଦେଶ୍ୟରେ । ଆଉ ଶେଷ ହେବ କିପରି ?’’ ଦୀର୍ଘ ସମୟ ଅପେକ୍ଷା କଲାପରେ ମଧ୍ୟ ନୃତ୍ୟର ଶେଷ ଛନ୍ଦ ନ ହେବା ଦେଖି ମହର୍ଷି ଚିତ୍କାର କରି ନିଜର ଆଗମନ ଜଣାଇ ଏହି ଛନ୍ଦହୀନ ନୃତ୍ୟରେ ଇତି ଟାଣିବା ପାଇଁ ପରମ ମହେଶ୍ୱରଙ୍କୁ ଅନୁରୋଧ ଜଣାଇଲେ । ମହର୍ଷିଙ୍କ ମୁଖର ଆବାଜ ଧୂର୍ଜଟିଙ୍କର ନୃତ୍ୟର ତାଳରେ ମିଶି ପାଦ ତଳେ ବିଲୀନ ହୋଇଗଲା । କର୍ଣ୍ଣ ଗହ୍ୱରରେ ପ୍ରବେଶ କରିପାରିଲା ନାହିଁ । ଏମନ୍ତ ଅବସ୍ଥା ଦେଖି ଶ୍ରୀବତ୍ସ କ୍ରୋଧାନ୍ୱିତ ହୋଇ କହିଲେ,‘‘ହେ ଦେବାଧିଦେବ ! ମୁଁ ବ୍ରାହ୍ମଣ, ପୁଣି ଅତିଥି । ତତୋଽଧିକ ମୁଁ ଉତ୍ତର ପ୍ରତ୍ୟାଶୀ ହୋଇ ତୁମ ପାଖରେ ଉପସ୍ଥିତ । ଆଉ ତୁମେ ସର୍ବଦେବ ପୂଜ୍ୟ ହୋଇ ମଧ୍ୟ ନାଟୁଆଙ୍କ ଭଳି ନୃତ୍ୟରେ ଭୋଳ ହୋଇ ମୋ ପ୍ରତି ଯଥୋପଯୁକ୍ତ ଆଚରଣ କଲନାହିଁ । ଏଣୁ ମୁଁ ଅଭିଶାପ ଦେଉଅଛି, ସେହି ଶୂଦ୍ର ନାଟୁଆଙ୍କ ଦ୍ୱାରା ତୁମେ ପୂଜିତ ହେବ ଏବଂ ତୁମର ନିର୍ମାଲ୍ୟ ଚିରଦିନ ସକାଶେ ଅଭକ୍ଷ୍ୟ ବୋଲି ଗଣ୍ୟ ହେବ । ତୁମର ଭୋଗ ମା’ ମହାମାୟାଙ୍କୁ ସମର୍ପଣ ନ କରିଲେ ତାହା ଅଖାଦ୍ୟ ବୋଲି ପରିଗଣିତ ହେବ ।’’

 

ନୃତ୍ୟଭୋଳା ଭୋଳାନାଥ ଭୃଗୁଙ୍କର ଏ ଅଭିଶାପ ପର୍ଯ୍ୟନ୍ତ ଶୁଣିପାରିଲେ ନାହିଁ । ନିଜର ଖିଆଲ ଖୁସିରେ ପୂର୍ବଭଳି ନାଚି ଚାଲିଲେ । ଆଉ ବ୍ରାହ୍ମଣ ଶ୍ରୀବତ୍ସ ଅତି କ୍ରୋଧାନ୍ୱିତ ହୋଇ କ୍ଷିପ୍ରଗତିରେ କୈଳାସ ତ୍ୟାଗକରି ଗୋଲାକାଭିମୁଖେ ପାଳନକର୍ତ୍ତା ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଯାତ୍ରା କଲେ ଅମୀମାଂସିତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ।

 

କ୍ଷିରାବ୍‌ଧି ମଧ୍ୟେ ଗୋଲୋକ ବୈକୁଣ୍ଠପୁରୀ । ସେଠାରେ ଅନନ୍ତ ବକ୍ଷରେ ଶାୟିତ ନାରାୟଣ । ମଥା ଉପରେ ବିଦ୍ୟାଦାତ୍ରୀ ସରସତୀ ମୃଦୁ ସ୍ୱରରେ ବୀଣା ବଜେଇ ପତିଙ୍କ ମନୋରଞ୍ଜନରେ ବ୍ୟସ୍ତ । ଧନଦାତ୍ରୀ ମା’ ଚଞ୍ଚଳା ପଦସେବାରତ । ଅଦୂରେ ଗରୁଡ଼ କରପତ୍ର ଯୋଡ଼ି ଶାୟିତ, ପ୍ରଭୁଙ୍କ ଅନୁଜ୍ଞା ଅପେକ୍ଷାରେ ଆସୀନ । ଅନ୍ୟାନ୍ୟ ପରିଚାର ଓ ପରିଚାରିକାଗଣ ନିଜ ନିଜ ସେବା ତଥା କର୍ମରେ ଆବଦ୍ଧ । ଅବଶ୍ୟ ପୁରାଣମାନଙ୍କରେ ଦ୍ୱାରପାଳ ଜୟ ବିଜୟ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ନାମ ଦେଖିବାକୁ ମିଳେନା । କିନ୍ତୁ ବଜାରରେ ବିକ୍ରୀ ହେଉଥିବା ଅନନ୍ତଶୟନ ଚିତ୍ର ମଧ୍ୟରେ ଅନେକ ପରିଚର୍ଯ୍ୟାକାରିଣୀଙ୍କୁ ଦେଖିବାକୁ ମିଳିଥାଏ । ଏ ଭିତରୁ ବାସ୍ତବାସ୍ତବ ବାଛିବା ଦାୟ ପାଠକଙ୍କର । ଏହିପରି ସମୟରେ ହରିନାମ ଗାନ କରି ଋଷି, ବ୍ରାହ୍ମଣ ଆଉ ଭକ୍ତଙ୍କ ସକାଶେ ଅବାରିତ ଆରକ୍ଷିତ ଦରଜା ଅତିକ୍ରମ କରି ଶ୍ରୀବତ୍ସ ଯାଇ ଭଗବାନଙ୍କ ଶୟନ କକ୍ଷରେ ଉପସ୍ଥିତ ହେଲେ । ପ୍ରଭୁଙ୍କୁ ଶୟନାବସ୍ଥାରୁ ଜାଗ୍ରତ କରାଇବା ସକାଶେ ଦଣ୍ଡାୟମାନ ଶ୍ରୀବତ୍ସ ସଂସ୍କୃତ ଓ ପ୍ରାକୃତ ଭାଷାରେ ନିବେଦନ ଜଣାଇଲେ । ତା’ ସଙ୍ଗେ ଜଣାଇଲେ ନିଜର ଆସିବା କାରଣ ମଧ୍ୟ । ମହର୍ଷିଙ୍କ ସମସ୍ତ ପ୍ରଚେଷ୍ଟା ବିଫଳ ହେଲା । ପାଷାଣୁ କଠିନତର ହୃଦୟରେ ସାମାନ୍ୟ କମ୍ପନ ସୁଦ୍ଧା ପ୍ରକାଶ ପାଇ ପାରିଲା ନାହିଁ । ତାଙ୍କର ସକଳ ଆକୁଳ ମିନତି ସମସ୍ତ ନିବେଦନ ପାଷାଣ ବକ୍ଷରେ ବାଜି ପ୍ରତିଧ୍ୱନିତ ହୋଇ ଉଠିଲା । ଆଖପାଖରେ ଉପସ୍ଥିତ କିଏ ହେଲେ ଏହି ବ୍ୟର୍ଥ ମନୋରଥ ତପସ୍ୱୀଙ୍କ ପ୍ରତି କୌଣସି ରକମ ସହାନୁଭୂତି ପ୍ରକାଶ କଲେନି କି ଅନନ୍ତଶାୟିତ ନାରାୟଣଙ୍କ ନିଦ୍ରାଭଙ୍ଗରେ ଟିକିଏ ହେଲେ ତତ୍‌ପରତା ପ୍ରକାଶ କଲେ ନାହିଁ । ନିଜର ଉଦ୍ଦେଶ୍ୟ ବ୍ୟର୍ଥ ଯିବା ଦେଖି ବ୍ରାହ୍ମଣଙ୍କ କ୍ରୋଧ ବଢ଼ିବାକୁ ଲାଗିଲା । ଶ୍ରୀବତ୍ସ ଆଉ ନିଜକୁ ସଂଯତ କରି ରଖିପାରିଲେ ନାହିଁ । ସେହି କ୍ରମବର୍ଦ୍ଧିତ କ୍ରୋଧରେ ମୂହ୍ୟମାନ ଶ୍ରୀବତ୍ସ ନିଜର ବାମ ପାଦରେ ନାରାୟଣ ବକ୍ଷରେ ସମସ୍ତ ଶକ୍ତି ଦେଇ ପଦାଘାତ କରି କହିଲେ, ‘‘ତୁମେ ତିନିହେ ସମାନ, କିଏ କାହାକୁ ଉଣାନୁହେଁ ।’’ ମୁହଁରୁ ଆଉ କିଛି ବାହାରିଲା ନାହିଁ । ଅଶ୍ରୁ ଛଳଛଳ ନେତ୍ରରେ ସେ ଫେରିବାକୁ ଉଦ୍ୟତ ହେଲେ ।

 

କିନ୍ତୁ ତାଙ୍କର ଫେରିବା ଆଉ ସମ୍ଭବ ହେଲାନାହିଁ । ଯେଉଁ ନିଦ୍ରା ଅଶେଷ କାକୁତି ମିନତି, ସ୍ତବପାଠ ପ୍ରଭୃତିରେ ସାମାନ୍ୟ ବିଚଳିତ ହୋଇ ପାରି ନଥିଲା, ତାହା ଗଭୀର ଅଭିମାନାହତ ଭକ୍ତର ପଦସ୍ପର୍ଶ ମାତ୍ରେ କେଉଁଆଡ଼େ ଉଭେଇ ଗଲା । ଜଗତ ପାଳକଙ୍କ ଜାଗ୍ରତ ସଙ୍ଗେ ବୈକୁଣ୍ଠ ପୁରୀରେ ବିଦ୍ୟୁତ୍‌ଗତିରେ କର୍ମଚାଞ୍ଚଲ୍ୟ ଖେଳିଗଲା । ଯେଉଁସବୁ ପରିଚାରିକାଗଣ କଳର ପିତୁଳା ଭଳି ମନେହେଉଥିଲେ ହଠାତ୍‌ସେମାନଙ୍କ ଭିତରେ ପ୍ରାଣର ସଞ୍ଚାର ହେବା ସହ ମନରେ ଭୀତ ସନ୍ତ୍ରସ୍ତ ଭାବ ପରିସ୍ଫୁଟ ହୋଇଉଠିଲା । ସ୍ୱୟଂ ନାରାୟଣ ଅନନ୍ତ ଶଯ୍ୟା ପରିତ୍ୟାଗ ପୂର୍ବକ ପଳାୟନପର ଶ୍ରୀବତ୍ସଙ୍କ ହାତ ଧରି ଆଣି ରତ୍ନ ସିଂହାସନୋପରି ଉପବିଷ୍ଟ କରାଇଲେ । ତାଙ୍କର ନିର୍ଦ୍ଦେଶରେ ଜଗତ୍‌ମାତା ମହାଲକ୍ଷ୍ମୀ ବ୍ୟଥାହରଣ ମଲମ ଦେଇ ବ୍ରାହ୍ମଣଙ୍କ ପାଦରେ ମାଲିସ କରିବାରେ ଲାଗିଲେ । ହସ୍ତଧୃତ ବୀଣାକୁ ଫୋପାଡ଼ି ଦେଇ ସ୍ୱୟଂ ସ୍ୱରସ୍ୱତୀ ଗରମ ଜଳନେଇ ଶ୍ରୀବତ୍ସ ଯେଉଁ ପାଦରେ ନାରାୟଣଙ୍କ ବକ୍ଷରେ ପଦାଘାତ କରିଥିଲେ ସେହି ପାଦକୁ ସତେଜ କରିବାରେ ଲାଗିଲେ । ଗରୁଡ଼ ନିର୍ବିକାର ଭାବ ତ୍ୟାଗ କରି ଦଉଡ଼ା ଦଉଡ଼ି କରି ନାନାବିଧ ଫାଷ୍ଟଏଡ଼୍‌’ ଔଷଧପାତି ଯୋଗାଡ଼ କରିବାରେ ବ୍ରତୀ ହେଲେ । ଖୁବ୍‍ ସମ୍ଭବ ବହୁଦିନ ଅବ୍ୟବହୃତ ଫଳରେ ବୈକୁଣ୍ଠ ପୁରୀର ଫାଷ୍ଟଏଡ଼ ବକ୍‌ସ ଅକାମୀ ହୋଇ ପଡ଼ିଥିଲା । କର୍ମଚାରୀଗଣଙ୍କ ସେ ପ୍ରତି ନଜର ମଧ୍ୟ ନଥିଲା । ବର୍ତ୍ତମାନ ଆବଶ୍ୟକ ପଡ଼ିବାରୁ ପରସ୍ପର ପ୍ରତି ଦୋଷାରପ କରିବାରେ ଲାଗିଲେ, ସ୍ୱର୍ଗ ମର୍ତ୍ତ୍ୟ, କୈଳାସ,ବା ବୈକୁଣ୍ଠ ଯେଉଁଜାଗା କୁହ ସବୁଠି ସେହି କର୍ମଚାରୀଙ୍କ ରାଜତ୍ୱ । ସେଇ ନିତିରେ ଚାଲି ଆସିଛି ଭାରତୀୟ ଟ୍ରେଡ଼ ୟୁନିୟନ ପଲିସି, ଯାହାର ଶିକ୍ଷା କାମକରିବା ଅପେକ୍ଷା ନକରିବା ଦିଗରେ ବେଶି । ମୁହଁରେ ସ୍ଲୋଗାନ-ଚଳିବ ନାହିଁ,ଚଳିବ ନାହିଁ । ସ୍ୱୟଂ ସୃଷ୍ଟି ଶାସକଙ୍କ ଗୃହରେ ମଧ୍ୟ ବ୍ୟତିକ୍ରମ ନାହିଁ । ତେବେ ସେ ମହାଶକ୍ତିଧର । ତେଣୁ ଲଣ୍ଡଭଣ୍ଡ ଗୃହସ୍ଥଳୀ ଠିକ ଠାକ୍‌ହେବାକୁ ନିମିଷେ ମାତ୍ର । ସମସ୍ତ ଶକ୍ତି ସମବେତ ଭାବେ ଜାଗ୍ରତ ହୋଇ ଗରିବ ବ୍ରାହ୍ମଣ ଶ୍ରୀବତ୍ସଙ୍କ ପଦସେବାରେ ବ୍ୟାପୃତ ରହିଲେ । ଦୁଆର ଜଗି ବସିଥିବା ଜୟବିଜୟ ଦ୍ୱୟ ସମ୍ବାଦ ପାଇ ଅଶ୍ୱିନୀ କୁମାରଙ୍କୁ ଡ଼ାକିବାକୁ ଦଉଡ଼ିଲେ । ସ୍ୱୟଂ ଗୃହସ୍ୱାମୀ ବୈକୁଣ୍ଠନାଥ ବ୍ୟଜନ ହସ୍ତେ ମହର୍ଷିଭୃଗୁଙ୍କ ମସ୍ତକୋପରି ମୃଦୁମୃଦୁ ବାୟୁ ସଞ୍ଚାଳନ କରିବାକୁ ଲାଗିଲେ ।

 

ଯାହା ସକାଶେ ସେବାର ଏ ବିରାଟ ଆୟୋଜନ ସେ କିନ୍ତୁ ବୁଝିପାରିଲେ ନାହିଁ ଏସବୁର ପ୍ରୟୋଜନତା କେଉଁଠି ? ବେଳକୁ ବେଳ ଭଗବାନଙ୍କୁ ଏପରି ଆଚରଣରେ ସେ ମୂହ୍ୟମାନ ହୋଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ମହର୍ଷିଙ୍କ ଏ ଅବସ୍ଥା ଦେଖି ବ୍ୟଜନ ହସ୍ତରେ ଅନ୍ତଃର୍ଯ୍ୟାମୀ ମୃଦୁମୃଦୁ ହସିବାକୁ ଲାଗିଲେ ।

 

ଶ୍ରୀବତ୍ସଙ୍କୁ ଏପରି ନଯଯୌ ନତସ୍ଥୌ ଅବସ୍ଥାରେ ବସି ରହିବାକୁ ହେଲାନି । ଅଳ୍ପ ସମୟ ମଧ୍ୟରେ ତାଙ୍କର ଧୀଶକ୍ତି ଜାଗ୍ରତ ହୋଇଉଠିଲା । ସଙ୍ଗେ ସଙ୍ଗେ ସିଂହାସନରୁ ଉଠିପଡ଼ି ଭଗବାନଙ୍କୁ ଯୋଡ଼ ହସ୍ତ ମସ୍ତକେ ସ୍ପର୍ଶ କରି ପଚାରିଲେ, ‘‘ହେ ପରମାତ୍ମନ୍‍ । ତୁମର ପୁଣି ଏ କି ଲୀଳା । ସମସ୍ୟା ସମାଧାନ ଆଶାରେ ଛୁଟି ଆସି ଦେଖିଲି ପରମନିଶ୍ଚିନ୍ତରେ ନିଦ୍ରା ଯାଇଅଛନ୍ତି । ପ୍ରାର୍ଥନା ସହ ଗଳା ଫଟାଇ ଚିତ୍କାର କଲି । ନାନାଦି କଳକଉଶଳରେ ନିଜର ଆବେଦନ ଜଣାଇଲି । ତାହା କାନରେ ବାଜିଲା ବୋଲି ମନେ ହେଲାନି । ତ୍ୟକ୍ତ ବିରକ୍ତ ମନରେ କ୍ରୋଧ ପରିବେଶ ହୋଇ ଛାତିରେ ପଦାଘାତ କରି ଯେତେବେଳେ ବ୍ୟର୍ଥ ମନୋରଥ ହୋଇ ଫେରିଯିବାକୁ ବସିଛି ଅପରାଧୀ ମନ ନେଇ, ସେତେବେଳେ ଆପଣ ଜାଗ୍ରତ ହୋଇ ତିରଷ୍କାର ପରିବର୍ତ୍ତେ, ଏପରି ସେବାନୁଷ୍ଠାନ କରି ବସିଲେ । ଏହି ଭେଳିକିର ତାତ୍‌ପର୍ଯ୍ୟ ବୁଝିବା ଶକ୍ତି ଏ ଅଧମର ନାହିଁ । କ୍ରୋଧ ପରମ ଚଣ୍ଡାଳ । ତା’ର ବଶୀଭୂତ ହୋଇପଡ଼ିଲେ ଅତି ମନୀଷୀ ବ୍ୟକ୍ତି ମଧ୍ୟ ନିଜର ସତ୍ତା ହରାଇ ବସନ୍ତି । ମୁଁ ବ୍ରାହ୍ମଣ, କ୍ରୋଧ କରିବା ମତେ ଶୋଭା ପାଏନା । ତାହା ଜାଣି ମଧ୍ୟ ମୁଁ ଯେଉଁ ଅପରାଧ କରିବସିଲି ତା’ର କୌଣସି କ୍ଷମା ନାହିଁ । ସେହି ଅପରାଧର ଶାସ୍ତି ଦିଅନ୍ତୁ । ଯେତେ କଷ୍ଟକର ହେଲେ ମଧ୍ୟ କୃତକର୍ମର ପ୍ରାୟଶ୍ଚିତ୍ତ ପାଇଁ ମୁଁ ଶାସ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ;କିନ୍ତୁ ତୁମର ଏ ବ୍ୟବହାର ଯେ ମୋର ଧାରଣାର ବାହାରକୁ ଚାଲିଯାଉଛି,ମାୟାଧର ।’’

 

ଭଗବାନ କହିଲେ, ‘‘ହେ ବ୍ରାହ୍ମଣ ! ତୁମେ ମୋଟେ ଅପରାଧୀ ନୁହଁ । ଦୋଷୀ ମୁଁ । ଯେହେତୁ ତୁମର ଉପସ୍ଥିତ ହେବା ମାତ୍ରେ ମୋର ଉଚିତ ଥିଲା, ଜାଗି ଉଠି ତମର ଆଗମନର ଉଦ୍ଦେଶ୍ୟ ଜାଣିନେବା । କିନ୍ତୁ ମୁଁ ତା’ ନକରି ନିଦ୍ରିତାବସ୍ଥାରେ ରହିଲି । ଫଳରେ ତୁମେ ମୋତେ ନିଷ୍ଠୁର ମନେକରି ପଦାଘାତ କଲ । ପଦାଘାତ ମୋର ପାଷାଣୁ ନିର୍ମମ ବକ୍ଷରେ କି ପ୍ରତିକ୍ରିୟା ଜାତ କରାଇପାରେ ବରଂ ଏ ଶକ୍ତ ବକ୍ଷରେ ପଦାଘାତ ଫଳରେ ତୁମର ଏ କୋମଳ ଚରଣରେ ପ୍ରଚଣ୍ଡ ବ୍ୟଥା ଜାତ କରାଇଛି । ସେହି ପଦବ୍ୟଥା ଦୂର କରାଇବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ । ବ୍ୟଥା ଅପସାରଣ ପରେ ସୁସ୍ଥ ବୋଧକଲେ ତୁମେ ଜିଜ୍ଞାସା କରିପାର ।’’

 

ଅନ୍ତର୍ଯ୍ୟାମୀଙ୍କ ଏତଦୃଶ ଉତ୍ତର ଶୁଣିବା ପରେ ଭୃଗୁଙ୍କ ଜ୍ଞାନଚକ୍ଷୁ ଖୋଲିଗଲା । ସେ ସ୍ପଷ୍ଟ ବୁଝିପାରିଲେ, ପ୍ରକାରାନ୍ତରେ ନାରାୟଣ ତାଙ୍କର ପ୍ରଶ୍ନର ଉତ୍ତର ଦେଇଦେଲେ । ପ୍ରଶ୍ନ କରିବା ଅବସର ତାହାଙ୍କୁ ଦେବା ଆବଶ୍ୟକ ମନେ ନକରି, ସେ ଉଦାହରଣ ଦେଇ ଦେଖାଇଦେଲେ ଯେ ସ୍ୱୟଂ ସୃଷ୍ଟିପାଳକ ବିନା ଦ୍ୱିଧାରେ ଯେଉଁଠି ବ୍ରାହ୍ମଣ ସେବାରେ ବ୍ୟାପୃତ,ସେ ସ୍ଥଳେ ପୃଥିବୀରେ ବ୍ରାହ୍ମଣୋତ୍ତର ଆଉ କିଏ ଶ୍ରେଷ୍ଠ ଆସନ ପାଇପାରେ ? ଏହା ପୂର୍ଣ୍ଣମାତ୍ରରେ ଉପଲବ୍‌ଧି କରିପାରିବା ପରେ ମହାମୁନି ଭୃଗୁ ନାରାୟଣଙ୍କୁ ବନ୍ଦନା କରି ଯେଉଁଠାରୁ ସେ ଆଦିଷ୍ଟ ହୋଇ ଏ କଠୋର ପ୍ରଶ୍ନର ସମାଧାନ ପାଇଁ ଆସିଥିଲେ, ସେହି ଯଜ୍ଞ ଭୂମି ଉଦ୍ଦେଶ୍ୟରେ ଗମନ କରିବା ପାଇଁ ଅନୁଜ୍ଞା ମାଗିଲେ ।

 

ଭକ୍ତଙ୍କର ବ୍ୟବହାରରେ ପରିତୃପ୍ତ ହୋଇ ବର ମାଗି ନେବାକୁ ଭୃଗୁଙ୍କୁ କହିଲେ ।

 

ଭୃଗୁ କହିଲେ,‘‘ହେ ଭକ୍ତବତ୍ସଳ ! ଯଦି ମୋର ଏ ଗୁରୁତର ଅପରାଧ କ୍ଷମା କରି ବର ମାଗିନେବାକୁ ସୁଯୋଗ ଦେଉଛନ୍ତି,ତେବେ ମୋ ଧୃଷ୍ଟତା କ୍ଷମାଦେଇ ଏହି ବର ଦିଅନ୍ତୁ-ଆଜି ଘଟଣାର ସ୍ମୃତି ବହନ କରି ବ୍ରାହ୍ମଣ ଶ୍ରୀବତ୍ସର(ଭୃଗୁ) ପଦଚିହ୍ନ ଚିରଦିନ ତୁମ ଅଙ୍ଗେ ଶୋଭିତ ହେଉ-। ଜଗତରେ ଭକ୍ତର ଭଗବାନ ନାମ ଚିର ଘୋଷିତ ହେଉ ।’’ ନାରାୟଣ ମହର୍ଷିଙ୍କର ଅଭିଳାଷ ଶୁଣି ତଥାସ୍ତୁ କହି ଯଥାଶୀଘ୍ର ଯଜ୍ଞସ୍ଥଳୀକୁ ଯିବାପାଇଁ ଅନୁମତି ପ୍ରଦାନ କଲେ । ସେହି ଦିନଠାରୁ ଭଗବାନଙ୍କ ବକ୍ଷରେ ଭୃଗୁପଦଚିହ୍ନ ଭୂଷଣ ଭଳି ଶୋଭା ପାଇବାକୁ ଲାଗିଲା ! ଏହାପରର କାହାଣୀ ଆଶାକରେ ଆଉ ଶୁଣିବା ଆବଶ୍ୟକ ପଡ଼ିବନାହିଁ ।

 

ମୋ କହିବା ବନ୍ଦ ହେବା ସଙ୍ଗେ ସଙ୍ଗେ ମଝିଆଁ ଭାଉଜ କହିଲେ, ଏହା ବେଶ୍‌ଏକ ମଜାର ଗଳ୍ପ । ବ୍ରାହ୍ମଣମାନେ ନିଜକୁ ଶ୍ରେଷ୍ଠ ବୋଲି ପ୍ରତିଷ୍ଠିତ କରିବା ପାଇଁ ବେଶ୍‌କାଇଦା କରାଯାଇଛି । ନଚେତ୍‌ପରିସ୍ଥିତି ଦୃଷ୍ଟିରୁ ଏହାର ସତ୍ୟତା କେତେ ଦୂର ତା’ ସହଜେ ଅନୁମେୟ ।

 

Unknown

କହିଲି ‘‘ଭାଉଜ, ଏ କାହାଣୀ ତ କୌଣସି ବ୍ରାହ୍ମଙ୍କଦ୍ୱାରା ସୃଷ୍ଟି ନୁହେଁ । କାହାଣୀକାର ବେଦବ୍ୟାସଙ୍କ ପିତା ବ୍ରାହ୍ମଣ ପରାଶର ହେଲେ ମଧ୍ୟ ମାଆ ଅଚ୍ଛବ ଧୀବର ରାଜାଙ୍କ ଅନୁଢ଼ା କୈବର୍ତ୍ତ କନ୍ୟା ମତ୍ସ୍ୟଗନ୍ଧା । ବୟସ କାଳେ ପ୍ରଗାଢ଼ ଜ୍ଞାନର ଅଧିକାରୀ ହୋଇ କୃଷ୍ଣଦ୍ୱୈପାୟନ ସମସ୍ତ ବେଦକୁ ଭାଗଭାଗ କରି ବେଦବ୍ୟାସ ନାମ ଲାଭ କଲେ ମଧ୍ୟ ବ୍ରହ୍ମର୍ଷି ପଦ ଲାଭ କରିପାରି ନ ଥିଲେ । ତାଙ୍କରି କୃପାରୁ ଜାତ କୌରବ ବଂଶ ସୋମବଂଶୀ କ୍ଷତ୍ରିୟ ନାମରେ ହିଁ ପରିଚିତ ହୋଇଥିଲେ । ପରବର୍ତ୍ତୀ କାଳରେ ଏହି ଗାଥାକୁ ସୁତ, ଶୌନକ ଆଦି ଋଷିଗଣଙ୍କୁ ବ୍ୟାଖ୍ୟା କରି ସେ ଶୁଣାଇଥିଲେ । ଭୃଗ୍ରଶ୍ରବା, ବୈଶମ୍ପାୟନଙ୍କୁ ଶୁଣାଇଥିଲେ । ସେ ସବୁ ପୁରାଣ କଥକଗଣ କିଏ ହେଲେ ବ୍ରାହ୍ମଣ ନଥିଲେ । ଯଦି ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତା କାହାଣୀ ହୋଇଥାନ୍ତା,ତେବେ ସେହି ବ୍ରାହ୍ମଣୋତ୍ତର ଭାଷ୍ୟକାରଗଣ ସେ ସମୟରେ ଏହାକୁ ବହୁଳ ଭାବେ ପ୍ରଚାର କରି ନଥାନ୍ତେ-। ପ୍ରକାରାନ୍ତରେ ଅନ୍ୟ ଦିଗେ ଏହି ବ୍ରାହ୍ମଣ ଗଣହିଁ ନିଜ ସଂଜ୍ଞାକୁ କିପରି ବିଶ୍ଳେଷଣ କରି ଯାଇଛନ୍ତି ଦେଖ ।

 

‘‘ଜନ୍ମନା ଯାୟତେ ଶୁଦ୍ର, କର୍ମଣା ଦ୍ୱିଜମୁଚ୍ୟତେ ।

ବେଦପାଠେ ଭବେତ୍‌ବିପ୍ର ବ୍ରହ୍ମ ଜାନାତି ବ୍ରାହ୍ମଣଃ ।’’

 

ପୌରାଣିକ ଯୁଗରେ ସମସ୍ତ ଜାତି ବ୍ରାହ୍ମଣ ହେବାକୁ କଠୋର ଚେଷ୍ଟା କରିଛନ୍ତି । ଧନ, ଦୌଲତ, ଯଶ, ପ୍ରତିପତ୍ତି, ବୀରତ୍ୱ ସମସ୍ତ କିଛି ପରିତ୍ୟାଗ କରି ସେଇ ସନାତନ ଯୁଗରୁ ଭାରତ ମାଟିରେ ଚାଲିଛି ବ୍ରାହ୍ମଣ ହେବାର ଅନ୍ତିମ ତପସ୍ୟା । ଏହା ହିଁ ହେଉଛି ଏକମାତ୍ର ଭାରତ ସଭ୍ୟତା । ଜନ୍ମ ସୂତ୍ରେ ବ୍ରାହ୍ମଣ ସନ୍ତାନ ଖୁବ୍‌ବେଶି ଦ୍ୱିଜ ହୋଇପାରେ କିନ୍ତୁ ବିପ୍ର ବା ବ୍ରାହ୍ମଣ ହେବାପାଇଁ ଦରକାର ନିଜର ପ୍ରଗାଢ଼ ସାଧନା । ଏ ଜାଗାରେ ଜନ୍ମ ସଂପର୍କ ବ୍ୟର୍ଥ । ବ୍ରାହ୍ମଣ ହେବା ଅଧିକାର ସମସ୍ତଙ୍କର ଅଛି । ଆର୍ଯ୍ୟାବର୍ତ୍ତର ସେହି ପବିତ୍ର ବ୍ରାହ୍ମଣଙ୍କ ପ୍ରତି ଏ ଆକ୍ଷେପ କୌଣସିମତେ ପ୍ରଯୁଜ୍ୟ ନୁହେଁ ଭାଉଜ । ଆଜିଏ ପଇତାଧାରୀଙ୍କୁ ନେଇ ବ୍ରାହ୍ମଣତ୍ୱର ବିଚାର କରିବା ଠିକ୍‍ ହେବନାହିଁ ।

 

ବର୍ତ୍ତମାନର ଆଧୁନିକ ସହର ହେଉଅଛି ପୁରାତନ ଭୃଗୁକଚ୍ଛର ସ୍ମୃତିମାତ୍ର । ପୁରୁଣାକୁ ନୂତନ କରି ଜାଣିବାକୁ ଯେଉଁମାନେ ଆଗ୍ରହୀ ସେମାନଙ୍କ ପକ୍ଷରେ ଏହି ପ୍ରାଚୀନ ନଗରୀର ଧ୍ୱଂସାବଶେଷ ଅବଶ୍ୟ ଦେଖିବା ଉଚିତ । ସେ ସକାଶେ ଦରକାର ଅସୀମ ଧୈର୍ଯ୍ୟ ଓ ମନର ଅବିଚଳ ନିଷ୍ଠା । ନଚେତ୍‌କଷ୍ଟ କରି ସେଠାକୁ ଯିବାର ଆବଶ୍ୟକତା ନାହିଁ । ଆମର ଯାତ୍ରସୂଚୀରେ ବ୍ରୋଚର କୌଣସି ସ୍ଥାନ ନାହିଁ ।

 

ସମୟ ଅତିବାହିତ କରିବାପାଇଁ ଗଳ୍ପଠାର ବୋଧହୁଏ ଆଉ କିଛି ଉତ୍ତମ ମାଧ୍ୟମ ନାହିଁ-। ଦ୍ୱାରକା ତ୍ୟାଗ କରିବା ପରଠାରୁ ପଶ୍ଚିମାଞ୍ଚଳ ନେଇ କଥା ହେଉ ହେଉ ଗଳ୍ପ ମଧ୍ୟଦେଇ ଏସବୁ ଆସି ପଡ଼ିଥିଲା । ଏହାରି ଭିତରେ ପ୍ରାୟ ତିନିଘଣ୍ଟା ଅତିବାହିତ ହୋଇଯାଇଛି । ସେଥିପ୍ରତି କାହାର ଖିଆଲ ନାହିଁ କି ଦିବାନିଦ୍ରା ପ୍ରତି ବି କାହାରି ହେଲେ ସେପରି ଆଗ୍ରହ ନାହିଁ । ଛୋଟ ଶଙ୍କର ଯେତେବେଳେ ଗରମ ଗରମ ଫୁଲକୋବିର ପକୁଡ଼ି ଆଣି ହାତରେ ଧରାଇ ଦେଲା,ସେତେବେଳକୁ ଘଡ଼ିରେ ଚାରିଟା ବାଜି ସାରିଲାଣି । ଗାଡ଼ି ଆସି ଖାନଲୁସା ଜଂକସନରେ ଠିଆ ହେଲା । ଏହିଠାରୁ ଅନ୍ୟ ଲାଇନ ପୋରବନ୍ଦର ଯାଇଅଛି ।

 

ଆସିବା ପଥଧରି ପୁଣି ରାଜକୋଟ ପର୍ଯ୍ୟନ୍ତ ଫେରିବାକୁ ହେବ । ସେଠାରେ ଏହି ଟ୍ରେନର ଯାତ୍ରା ଶେଷ । ରାତି ପ୍ରାୟ ସାଢ଼େ ଦଶଟାରେ ଆମର ବଗିଟି ଅନ୍ୟ ଗୋଟିଏ ଟ୍ରେନ୍‍ ସଙ୍ଗେ ଯୁକ୍ତ ହୋଇ ଭେରବେଳ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ପହଞ୍ଚିବ ସକାଳ ଆଠଟାରେ । ସୁତରାଂ ଏ ଦୀର୍ଘ ସମୟ ଖାଇବା, ଗଳ୍ପ କରିବା, ଶୋଇବା ଛଡ଼ା ଅନ୍ୟ କୌଣସି ଗତ୍ୟନ୍ତର ନାହିଁ । ରିଜର୍ଭ ବଗି । ଫଳରେ ପ୍ରତି ଷ୍ଟେସନରେ ବିଭିନ୍ନ ଯାତ୍ରୀଙ୍କ ଚଢ଼ିବା ଓହ୍ଳାଇବା ବା ସେମାନଙ୍କ ସାହଚର୍ଯ୍ୟ ଲାଭ କରିବାର କୌଣସି ସୁଯୋଗ ନାହିଁ । ନିଜକୁ ନେଇ ସମୟ କଟେଇବାକୁ ହେବ । ଆମର ଏକାକୀ ଭାବନା ପ୍ରତି ତାଚ୍ଛଲ୍ୟ ପ୍ରଦର୍ଶନ କରି ଷ୍ଟେସନରେ ସାମାନ୍ୟ କେତେକ ମିନିଟ୍‌ରହି ପାସେଞ୍ଜର ଟ୍ରେନ୍‍ ପୁଣି ତା’ର ଛନ୍ଦହୀନ ରବ ତୋଳି ନିଜ ଗତିପଥରେ ଆଗେଇ ଚାଲିଲା । ସେହି ଗତିପଥରେ ଆମର ଖାଇବା ଶୋଇବା ପ୍ରଭୃତି ନୈମିତିକ କର୍ମ ଯଥା ନିୟମରେ ପାଳିତ ହୋଇ ଚାଲିଲା ।

 

ପାହାନ୍ତିଆରେ ଯଥାରୀତି ନିଦ ଭାଜିଗଲା । ଘଡ଼ିରେ ଦେଖିଲି ମାତ୍ର ଚାରିଟା ବାଜିଛି । ଝରକା ଖୋଲି ଦେଖିଲି ବାହାରରେ ବେଶ୍‍ ଅନ୍ଧକାର । ଏସବୁ ଅଞ୍ଚଳରେ ସୂର୍ଯ୍ୟାସ୍ତ ଯେପରି ଡେରିରେ ହୁଏ ସେପରି ସୂର୍ଯ୍ୟୋଦୟ ମଧ୍ୟ ବିଳମ୍ବରେ ହୋଇଥାଏ । ଆବଶ୍ୟକ ନଥିଲେ ମଧ୍ୟ ଅଭ୍ୟାସ ଅନୁଯାୟୀ ଠିକ୍‍ ସମୟରେ ନିଦ ଭାଜିଯାଏ । ଆଜି ମଧ୍ୟ ତାହାର ବ୍ୟତିକ୍ରମ ହେଲା ନାହିଁ-। ପ୍ରତିଦିନ ଭଳି ପ୍ରାତଃକର୍ମ ଶେଷ କରି ଦେଖେ ଟ୍ରେନ୍‍ ଜୁନାଗଡ଼ ଷ୍ଟେସନରେ ପ୍ରବେଶ କରୁଅଛି-। ଏଠାରେ ଟ୍ରେନର ବିରତି ପ୍ରାୟ ପଞ୍ଚଚାଳିଶି ମିନିଟ୍‍ । ସମୟଟା ଅନେକ ଦୀର୍ଘ-। ସେଇ ସମୟକୁ ନିଜ କାମରେ ଲଗାଇବାକୁ ହାତରେ ମଗ ଓ ବାଲଟି ଧରି ବାହାରି ପଡ଼ିଲି ଷ୍ଟେସନକୁ କଳରେ ସ୍ନାନ କରିବା ସକାଶେ । ଏଠାରେ ପାଣି ବ୍ୟବସ୍ଥା ବେଶ ସୁବିଧାଜନକ । ମାସଟା ଡିସେମ୍ବର ହେଲେ ମଧ୍ୟ ଶୀତର ଦେଖା ନାହିଁ । ଆରାମରେ କଳ ଖୋଲି ଦେଇ ପରିପୂର୍ଣ୍ଣ ଭାବରେ ସ୍ନାନ କରି ନେଲି । ଏହି ସମୟରେ ଚକ୍ରବର୍ତ୍ତୀ ଭାୟା ବି ଆସିଗଲେ । ତାଙ୍କରି ମୁହଁରୁ ଶୁଣି ପାରିଲି ମହିଳାଗଣ ଦଳବାନ୍ଧି ମହିଳା ସ୍ନାନାଗାର ଦିଗରେ ଯାଇଛନ୍ତି ନିତ୍ୟକର୍ମ ଶେଷ କରିବାପାଇଁ-

 

ସ୍ନାନ କରି ଦେଖୁ ଶଙ୍କର ବେଡ଼ ଟି ପରିବେଷଣ କରୁଅଛି । ନିଶ୍ଚିତ ଅବସର ପାଇ ମନରେ ଚିନ୍ତିତ ହେଲା ସେଇ ଅତୀତ ସୃତି । ଯାହା ସବୁ ଆଜି ଚିନ୍ତା କରିବାକୁ ଭଲ ଲାଗେ, ରୋମାଞ୍ଚକର ମନେହୁଏ ।

 

ସେ କେବେ ? କେଉଁ ଯୁଗରେ ? ଏ ଜୀବନର ଘଟଣା ବୋଲି ଭାବିଲେ ଆଶ୍ଚର୍ଯ୍ୟ ମନେହୁଏ । ୧୯୪୨ କି ୪୩ ସାଲ ମିଲିଟେରିରେ ଶିକ୍ଷାନବିଶ ସମୟ ଅତିବାହିତ କରି ପୋଷ୍ଟିଙ୍ଗ୍‍ ଆଦେଶ ଅପେକ୍ଷାରେ ଜବଲପୁର ମିଲିଟେରି ରେଷ୍ଟ କ୍ୟାମ୍ପରେ ଅପେକ୍ଷା କରୁଛି । ହଠାତ୍‌ ଏକ ଖିଆଲରେ ପାଞ୍ଚବନ୍ଧୁ ମିଳି ପାଞ୍ଚ ଛଅଦିନ ଛୁଟି ନେଇ ଶିଳ୍ପ ନଗରୀ ବମ୍ବେ ଦେଖିବାକୁ ବାହାରି ପଡ଼ିଥିଲୁ । ସେ ସବୁ ବନ୍ଧୁମାନଙ୍କ ନାମ ଆଜି ଆଉ ମନେ ନାହିଁ । ଜୁନାଗଡ଼ ବାସିନ୍ଦା ଜଣେ ସଙ୍ଗୀ ଆମ ସାଙ୍ଗରେ ଥିବା କଥା ମନେ ପଡ଼ୁଛି । ତାହାରି ଅନୁରୋଧରେ ବମ୍ବେ ଦର୍ଶନ ସମୟ କମାଇ ଜୁନାଗଡ଼ ଆସିଥିଲୁ । ମିଲଟେରି ରାଜତ୍ୱ ସେତେବେଳେ ନୀତିଗତ ଭାବେ ପାଶ୍‌ର ବ୍ୟବସ୍ଥା ଥିଲେ ହେଁ ନିଜ ନିଜ ବ୍ୟକ୍ତିଗତ କାମରେ ବିନା ପାଶ୍‌ରେ ଯିବା ଯବାନଙ୍କ ସଂଖ୍ୟା କିଛି କାମ ନ ଥିଲା ସେତେବେଳେ । ପ୍ରାୟ ପ୍ରତ୍ୟେକ ବଡ଼ ଷ୍ଟେସନରେ ମିଲିଟେରିଙ୍କ ସକାଶେ କେଉଁ ନା କେଉଁ ସଂସ୍ଥା ପକ୍ଷରୁ ଚାଆର କାଣ୍ଟିନ ଖୋଲା । ସାହସ କରି କପ୍‌ଟି ଧରି ଠିଆ ହୋଇଗଲେ କାମଫତେ । ପଥ ମଧ୍ୟରେ ବିନା ପଇସାରେ ଖାଇବା ସଂଗ୍ରହ କରିବା ମଧ୍ୟ ସେପରି ବିଶେଷ କଷ୍ଟକର ନ ଥିଲା ସେ ସମୟରେ ଖାକିପୋଷାକଧାରୀଙ୍କ ପକ୍ଷରେ । ଯେତେଦୂର ମନେ ହେଉଛି,ଆମକୁ ଏପରି କିଛି କରି ନିଜର ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିନାହିଁ । ତେବେ ଆଜି ସୁଦ୍ଧା ମନେପଡ଼ୁଛି ଜୁନାଗଡ଼ ଯିବାପାଇଁ ବେଶ୍‍ କଷ୍ଟଭୋଗ କରିବାକୁ ହୋଇଥିଲା । ବୟସ କମ୍‍ । ଯେଉଁ ବୟସରେ ଭାବପ୍ରବଣ ବନ୍ଧୁପ୍ରେମ ଉଚ୍ଛ୍ୱସିତ ହୋଇ ଉଠେ । ବନ୍ଧୁ ସକାଶେ ଯେ କୌଣସି ତ୍ୟାଗ ବିନା ଦ୍ୱିଧାରେ କରିହେବ ବୋଲି ମନେହୁଏ, ସେହି ବୟସରେ ସାମାନ୍ୟ ପଥଶ୍ରମ ସ୍ୱୀକାର କରି ବନ୍ଧୁର ମନୋରଞ୍ଜନାର୍ଥେ ତା’ର ଗୃହକୁ ଯିବା ଗୋଟାଏ ଗୁରୁତ୍ୱପୂର୍ଣ୍ଣ ବିଷୟ ନଥିଲା । ବନ୍ଧୁ ମୁହଁରୁ ଶୁଣି ଶୁଣି ଏହି ହିନ୍ଦୁପ୍ରଧାନ ମୁସଲମାନ ଶାସିତ ଜୁନାଗଡ଼ ଦେଖିବା ପ୍ରତି ମନରେ ଗୋଟାଏ ପ୍ରବଳ ଆକର୍ଷଣ ଥିଲା । ସେହି ବନ୍ଧୁପ୍ରେମ ତଥା ଦେଶ ଦେଖା ଆକର୍ଷଣ ଟାଣି ନେଇଥିଲା ଜୁନାଗଡ଼କୁ । ସେହି କାଳରେ କ’ଣ ଦେଖିଥିଲି ତା’ମନେ କରିବାକୁ ବେଶ୍‌ଅସୁବିଧା ହେଲେମଧ୍ୟ କେତେକ ଚିତ୍ର ଅଳ୍ପ ବହୁତ ମନ ମଧ୍ୟରେ ଖେଳିଯାଇଛି ।

 

ଜୀର୍ଣ୍ଣ-ଗଡ଼ରୁ ଜୁନାଗଡ଼ ନାମର ଉତ୍ପତ୍ତି ବୋଲି ଅନେକ ମନେ କରିଥାଆନ୍ତି । ଯେଉଁ ଜୀର୍ଣ୍ଣଗଡ଼କୁ ନେଇ ଏହି ଉକ୍ତି,ତାହାର ଅସଲ ନାମ ଉପରକୋଟ । ପୂରା ଗୋଟିଏ ପାହାଡ଼ ଧରି ବିରାଟ ଦୁର୍ଗ । ଖୁବ୍‍ ସମ୍ଭବ ନବମ ଶତାବ୍ଦୀର ଶେଷ ଭାଗରେ କେଉଁ ହିନ୍ଦୁ ରାଜାଙ୍କଦ୍ୱାରା ଏହି ଦୁର୍ଗ ନିର୍ମିତ ହୋଇଥିଲା-ଗଠନ ଶୈଳୀରୁ ଏହା ପରିଷ୍କାର ଜଣାଯାଏ । ବର୍ତ୍ତମାନ ସୁଦ୍ଧା ଗଡ଼ ମଧ୍ୟରେ ତିନିସ୍ତର ପ୍ରାଚୀରର ଅସ୍ପଷ୍ଟ ଚିହ୍ନ ଦେଖିବାକୁ ମିଳିଥାଏ । ବହିଃପ୍ରାଚୀର ଉପରକୁ ଉଠିବା ପାଇଁ ସମ ଚଉଡ଼ା ସୋପାନଶ୍ରେଣୀ ରହିଅଛି । ଏହି ପ୍ରାଚୀର ଉପରେ ସଦା ଜାଗ୍ରତ ପ୍ରହରୀ ମୁତୟନ ରହି ଶତ୍ରୁ ଆକ୍ରମଣର ମୁକାବିଲା କରୁଥିଲେ ।

 

ଦୁର୍ଗ ଭିତରକୁ ଯିବା ପୂର୍ବରୁ ଗୋଟିଏ ବିଷ୍ଣୁ ମନ୍ଦିର ଦେଖିବାକୁ ମିଳେ । ଖୁବ୍‌ସମ୍ଭବ ଉକ୍ତ ମନ୍ଦିରଟି କାଥିୟାବାଡ଼ର ଭକ୍ତ କବି ନରସିଂହ ଦାସ ନିର୍ମାଣ କରାଇଥିଲେ । ସ୍ଥାନୀୟ କାହାଣୀରୁ ଜାଣିବାକୁ ମିଳେ ନରସିଂହ ଦାସ ଥିଲେ ଜଣେ ଗୃହୀଭକ୍ତ । ଗୃହୀ ହେଲେ ବି ସଂସାର ଧର୍ମ ପ୍ରତି ଚିର ଉଦାସୀନ ନରସିଂହଙ୍କ ସମସ୍ତ ସମୟ ଶ୍ରୀକୃଷ୍ଣ ଭଜନ କରୁକରୁ ଅତିବାହିତ ହୋଇଯାଏ । ତାଙ୍କର ଦୁଇ ଅନୂଢ଼ା କନ୍ୟା ତାଙ୍କର ଗଳା ସଙ୍ଗେ ଗଳା ମିଳାଇ ସମତାଳରେ ଭଜନରେ ଅଂଶ ଗ୍ରହଣ କରିଥାନ୍ତି । କନ୍ୟାଙ୍କର ବିବାହ ବୟସ ଉପସ୍ଥିତ ହେଲେ ମଧ୍ୟ ପିତାଙ୍କର ସେମାନଙ୍କୁ ବିବାହ ଦେବା ସକାଶେ କୌଣସି ଚିନ୍ତା ବା ଚେଷ୍ଟା ଦେଖାଯାଏନା । ହୁଏତ ଏ ଖିଆଲ ତାଙ୍କର ନଥିଲା । ଏଥିପ୍ରତି ବାପର ଖିଆଲ ନଥିଲେ କ’ଣ ହେବ ଛିଦ୍ରାନ୍ୱେଷୀ ପଡ଼ୋଶୀଙ୍କ ଏ ପ୍ରତି ସଜାଗ ଦୃଷ୍ଟି ରହିଥିଲା । ନରସିଂହଙ୍କ ନିର୍ବିବାଦୀ ଭଜନ, ଯାଜନ ସେମାନଙ୍କ ସହ୍ୟ ହେଲାନି । ବୟସ୍କା ଅନୂଢ଼ା କନ୍ୟା ସମାଜର କଳଙ୍କ ସ୍ୱରୂପ । ସେଥିପାଇଁ ସମାଜ ହିତୈଷୀଙ୍କୁ ରାତ୍ରରେ ନିଦ୍ରା ହେଲାନି । ଦଳବାନ୍ଧି ଏକ ସମୟରେ ରାଜ ଦରବାରରେ ଯାଇ ଏହାର ପ୍ରତିକାର ପାଇଁ ଅଭିଯୋଗ ଜଣାଇଲେ । ରାଜ୍ୟର ଅନ୍ୟାନ୍ୟ ଖବର ସହ କମ ବେଶି ଭକ୍ତ ନରସିଂହଙ୍କ ଖବର ଏଥି ପୂର୍ବରୁ ରାଜାଙ୍କ କାନକୁ ଆସି ଥାଏ । ଏଥର ତାଙ୍କ ବିରୁଦ୍ଧରେ ଅଭିଯୋଗ ପାଇ ଆଖିକାନର ବିବାଦ ଭଞ୍ଜନ ସକାଶେ ତାଙ୍କୁ ରାଜଦରବାରକୁ ଡକାଇ ପଠାଇଲେ ।

 

ରାଜାଦେଶ ପାଇ ନରସିଂହ ଦରବାରରେ ଉପସ୍ଥିତ ହୋଇ ଦେଖିଲେ ସେତେବେଳେ ରାଜା ଅନ୍ୟ କୌଣସି ଗୁରୁତର କାର୍ଯ୍ୟ ହେତୁ ଦରବାର କକ୍ଷକୁ ଆସିପାରି ନାହାନ୍ତି । ଅଗତ୍ୟା ସେ ରାଜା ଆଗମନକୁ ଅପେକ୍ଷା କରି ବସିଲେ । କର୍ମଚାରୀ ମୁଖରୁ ନରସିଂହଙ୍କ ଆଗମନ ସମ୍ବାଦ ରାଜା ଯଥା ସମୟରେ ପ୍ରାପ୍ତ ହୋଇଥିଲେ ମଧ୍ୟ ଇଚ୍ଛାକୃତ ଭାବେ ତାଙ୍କ ସଙ୍ଗରେ ଦେଖା କରିବାରେ ବିଳମ୍ବ କରିବାରେ ଲାଗିଲେ । ଏହିପରି କେତେକ ସମୟ ଅତିବାହିତ ହେବାକୁ ଲାଗିଲା । ତାହାରି ଭିତରେ ନିକଟସ୍ଥ ମନ୍ଦିର ମଧ୍ୟରୁ ସନ୍ଧ୍ୟା ଆରତି ବାଜଣା ବାଜି ଉଠିଲା । ଭକ୍ତ ଆଉ ଅପେକ୍ଷା କରିପାରିଲେ ନାହିଁ । ଭୁଲିଗଲେ ରାଜାଦେଶରେ ଏଠାକୁ ଆସିବା କଥା । ଭୁଲିଗଲେ ଏହି ଦୀର୍ଘ ସମୟ ଧରି ପ୍ରତୀକ୍ଷା କରିଥିବା କଥା। ସମସ୍ତ ନୀତିଜ୍ଞାନ ଉପରେ ଇତି କରି ଦ୍ରୁତ ପାଦରେ ମନ୍ଦିରାଭିମୁଖେ ଅଗ୍ରସର ହେଲେ । ମନ୍ଦିର ମଧ୍ୟରେ ଶ୍ରୀକୃଷ୍ଣଙ୍କ କମନୀୟ ପାଷାଣ ପ୍ରତିମା ପ୍ରତିଷ୍ଠିତ । ପୂଜକ ସାନ୍ଧ୍ୟ ଆରତି କର୍ମରେ ବ୍ୟାପୃତ । ନରସିଂହ ସମସ୍ତ ବାହ୍ୟଚିନ୍ତା ଭୁଲିଯାଇ ବିଗ୍ରହଙ୍କ ସମ୍ମୁଖରେ କରପତ୍ର ଯୋଡ଼ି ଦଣ୍ଡାୟମାନ ହୋଇ ଭକ୍ତି ଗଦ୍‌ଗଦ୍‌ଚିତ୍ତରେ ସ୍ୱରଚିତଭଜନ ଆବେଗ କଣ୍ଠରେ ଗାଇବାକୁ ଲାଗିଲେ ।

 

ଦରବାର କକ୍ଷ ତ୍ୟାଗ କରି ନରସିଂହ ଚାଲିଯିବାର ଅଳ୍ପକ୍ଷଣ ପର ରାଜା ଆସି ଦେଖିଲେ ଶୂନ୍ୟ କକ୍ଷ । ଆସାମୀ ପଳାଇବା କଥା ପ୍ରହରୀ ମୁଖରୁ ଶୁଣିବାକୁ ପାଇଲେ । ମନ୍ଦିର ବାଜଣା ଶୁଣିବା ସଙ୍ଗେ ସଙ୍ଗେ ନରସିଂହ ଉଦ୍‌ଭ୍ରାନ୍ତ ଭାବେ ଦଉଡ଼ି ସେ ଦିଗକୁ ଚାଲିଗଲେ । ପ୍ରହରୀ ପ୍ରତି ସେପରି କୌଣସି ନିର୍ଦ୍ଦେଶ ନଥିବା ହେତୁ ସେ ତାଙ୍କର ଗତିପଥରେ କୌଣସି ବାଧା ସୃଷ୍ଟି କରିନାହିଁ । ଖବର ପାଇ ରାଜା ମଧ୍ୟ କାଳବିଳମ୍ବ ନକରି ତାଙ୍କୁ ଅନୁସରଣ କରି ମନ୍ଦିରରେ ପ୍ରବେଶ କଲେ । ଭାବ ଗଦଗଦ କଣ୍ଠରେ ଭକ୍ତ ଆରତିର ତାଳେ ତାଳେ ଭଜନଗାଇ ଚାଲିଛନ୍ତି । ଦର୍ଶକଗଣ ମନ୍ତ୍ରମୁଗ୍ଧ ଭଳି ବିଭୋର ହୋଇ ତାହା ଉପଭୋଗ କରୁଛନ୍ତି । ରାଜା ମଧ୍ୟ ଦର୍ଶକଙ୍କ ମଧ୍ୟରେ ମିଶିଯାଇ ଏହି ମନୋହର ଭାବାବେଶ ପରିବେଶର ଅଂଶୀଦାର ହୋଇଗଲେ । ଗାୟକଙ୍କ ଏହି ଆତ୍ମନିବେଦନ ଗାନ ମଧ୍ୟ ଦେଇ ଦୁଇ ଆଖିରୁ ଆନନ୍ଦାଶ୍ରୁ ନିତସ୍ରୁତ ହୋଇ ଗଣ୍ଡଦେଶ ଦେଇ ବୋହି ଚାଲି ଯାଉଅଛି । ପୂଜିତଙ୍କ ପଦପାଦରେ ପୂଜକ ଢାଳି ଦେଉଛି ତା’ର ଆତ୍ମନୈବେଦ୍ୟ । ଅପୂର୍ବ ସେ ଦୃଶ୍ୟ । ତାହାରି ଭିତରେ ଆରତି ଶେଷ ହେଲା । ସଙ୍ଗେ ସଙ୍ଗେ ଭକ୍ତଙ୍କ ଗଳାମଧ୍ୟ । ହଠାତ୍‌ସମସ୍ତ ଦର୍ଶକଙ୍କ ସହ ରାଜା ଦେଖିପାରିଲେ ବିଗ୍ରହଙ୍କ ଗଳା ଶୋଭିତ ଗୋଟିଏ ସୁବାସିତ ପୁଷ୍ପମାଳା ଆପଣା ଛାଏଁ ଉପରକୁ ଉଠି ଦର୍ଶକଙ୍କ ମୁଣ୍ଡଉପରେ ଦେଇ ଆସି ଭକ୍ତ ନରସିଂହ ଦାସଙ୍କ ଗଳାରେ ଲମ୍ବିତ ହୋଇଗଲା । ଦର୍ଶକ ମଣ୍ଡଳୀ ଆଶ୍ଚର୍ଯ୍ୟରେ ଭକ୍ତ ଆଉ ଭଗବାନଙ୍କ ଏ ଖେଳା ପ୍ରତ୍ୟେକ୍ଷ କରି ଜୟଧ୍ୱନି ଦେଇ ଉଠିଲେ । ଦର୍ଶକ ମଧ୍ୟରୁ ରାଜା ବାହାରି ଆସି ଭକ୍ତଙ୍କୁ ନିବିଡ଼ ଆଲିଙ୍ଗନ ପାଶରେ ଆବଦ୍ଧ କରି ଧନ୍ୟହେଲେ । ରାଜା ଭକ୍ତଙ୍କ ଅନୂଢ଼ା କନ୍ୟାଙ୍କ ଭାର ସ୍ୱହସ୍ତେ ଗ୍ରହଣ କଲେ ଏବଂ ସଙ୍ଗେ ସଙ୍ଗେ ନିଜ ରାଜ୍ୟରେ ଆଦେଶ ଜାରି କଲେ ଯେପରି କୌଣସି ବ୍ୟକ୍ତି ଭକ୍ତ ନରସିଂହ ଦାସଙ୍କୁ କୌଣସି ପ୍ରକାର ଅବଜ୍ଞା ନ କରନ୍ତି ।

 

ସେହି ପରମ ଭକ୍ତ ନରସିଂହ ଚାଲିଛନ୍ତି ପ୍ରଭାସ ପଥେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାପରର ଅନ୍ତିମ ଳୀଳାସ୍ଥଳୀ ଦର୍ଶନ ମାନସରେ । ମୁଖରେ ଭଜନ ଲାଗିରହିଛି । ପଥ ମଧ୍ୟରେ ସଙ୍ଗୀ ହେଲା ଗୋଟିଏ ବାଳକ । ସେ ମଧ୍ୟ ସେହି ଏକ ପଥର ଯାତ୍ରୀ । ଅସମ ବୟସୀ ଦୁଇ ପଦଯାତ୍ରୀଙ୍କ ମଧ୍ୟରେ ଭାବ ହେବାକୁ ସମୟ ଲାଗିଲା ନାହିଁ । ଦୁହେଁ ଗଳ୍ପ ଓ ଭଜନରେ ହରିଗୁଣ ଗାନକରି ପ୍ରଭାସ ପଥେ ଆଗେଇ ଚାଲିଲେ । ନରସିଂହ ଚିରଦିନ ନିଜର ଖାଦ୍ୟ ପ୍ରଥମେ କୃଷ୍ଣଙ୍କ ନାମରେ ଉତ୍ସର୍ଗ କରି ପରେ ତାହା ଗ୍ରହଣ କରିଥାନ୍ତି । ଦିନେ ଲକ୍ଷ୍ୟ କଲେ ସେ ଯେତେବାର ଅନ୍ନ ନିଜପାଇଁ ଅଲଗା କରି ‘ଓଁ’ ଶ୍ରୀକୃଷ୍ଣାୟ ସ୍ୱାହା ’ଉଚ୍ଚାରଣ କରନ୍ତି ସଙ୍ଗେ ସଙ୍ଗେ ସଙ୍ଗୀ ବାଳକ ନିଜ ଜାଗାରୁ ଉଠିଆସି ତାହା ଖାଇଦେଇ ଚାଲିଯାଏ । ବାରବାର ଏପରି ଭାବେ ବାଧାପ୍ରାନ୍ତ ନରସିଂହ ଶ୍ରୀକୃଷ୍ଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ କହି ଭୋଜନ ଆଶା ପରିତ୍ୟାଗ କରି ବିଶ୍ରାମ କଲେ । ସେହି ରାତ୍ରିରେ ସେ ସ୍ୱପ୍ନ ଦେଖିଲେ । ସେହି ସଙ୍ଗୀବାଳକ କହୁଛି,‘‘ମୁଁ ସ୍ୱୟଂ ଦ୍ୱାରକାଧୀଶ ଶ୍ରୀକୃଷ୍ଣ । ଦିନ କେତେକ ତୋ’ପରି ଭକ୍ତର ସଙ୍ଗଲାଭ କରି ଆଜି ଚାଲିଯାଉଛି । ତୁ ଯାଇ ପ୍ରଭାସରେ ଯେଉଁ ମୂର୍ତ୍ତି ପ୍ରାପ୍ତ ହେବୁ ତାକୁ ଆଣି ଏଠାରେ ପ୍ରତିଷ୍ଠା କରି ପୂଜାନୁଷ୍ଠାନ କର । ତାହା ହେଲେ ମୋର ପ୍ରତ୍ୟକ୍ଷ ପୂଜାଫଳ ପାଇପାରିବୁ ।’’ ଭକ୍ତଙ୍କର ନିଦ ଭାଙ୍ଗିଗଲା । ଦେଖିଲେ ପାଖ ଶଯ୍ୟାରେ ସେହି ବାଳକ ଆଉ ନାହିଁ-। ଶୂନ୍ୟ ଶଯ୍ୟା ଦେଖି ଭକ୍ତ ଆଉ କାଳବିଳମ୍ବ ନକରି ପ୍ରଭାସ ପଥେ ଯାତ୍ରାକଲେ ଏବଂ ଅଚିରେ ସେଠାରେ ପହଞ୍ଚିଲେ । ପ୍ରଭାସ ସାଗରରେ ସ୍ନାନ କରିବା ସମୟରେ ସେହି ଅଗଭୀର ଜଳ ମଧ୍ୟରୁ ଗୋଟିଏ ପାଷାଣ ପ୍ରତିମା ପ୍ରାପ୍ତ ହେଲେ । ସ୍ୱପ୍ନାଦେଶାନୁଯାୟୀ ସେହି ବିଗ୍ରହଙ୍କୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ । ତେଣୁ ସ୍ଥାନୀୟ ଲୋକେ ଏହାକୁ ନରସିଂହ ଦାସ ମନ୍ଦିର କହିଥାନ୍ତି-

 

ଯେଉଁ ଦର୍ଶକ ଇଚ୍ଛା କରିବେ ସେମାନେ ନରସିଂହ ଦାସ ପ୍ରତିଷ୍ଠିତ ବିଗ୍ରହଙ୍କୁ ଦର୍ଶନ କରି ଚକ୍ରବାକ ଗାର୍ଡ଼ନ ଦେଖିବାକୁ ଯାଇପାରନ୍ତି । ଏହି ଉଦ୍ୟାନ ମଧ୍ୟରେ ଜୁନାଗଡ଼ର ଯାଦୁଘର ଓ ଚିଡ଼ିଆଖାନା ଅବସ୍ଥିତ । ଯାଦୁ ଘରଟି ଜୁନାଗଡ଼ ନବାବ ରସୁଲଖାଁ ନିର୍ମାଣ କରାଇଥିଲେ । ଏହା ଭିତରେ କେତେକ ଭଗ୍ନାଂଶ, ପୁରୁଣା କାଳର ନାନା ଧରଣର ଅସ୍ତ୍ରଶସ୍ତ୍ର ଏବଂ ସ୍ଥାନୀୟ କେତେକ କୁଟୀରଶିଳ୍ପର ନିଦର୍ଶନ ନିଶ୍ଚୟ ଦର୍ଶକଙ୍କୁ ମୁଗ୍‌ଧ କରିବ । ଚିଡ଼ିଆଖାନାରେ ସାଧାରଣତଃ ଯାହା ଦେଖା ଯାଇଥାଏ ତାହାଠାରୁ ବଳି ବିଶେଷ ଭାବରେ ଆକର୍ଷଣ ହେଲା ଏଠାର ପ୍ରାକୃତିକ ପରିବେଶରେ ସିଂହ ଦେଖା । ଭାରତବର୍ଷ କେବଳ ଏହି ଅଞ୍ଚଳରେ ହିଁ ସିଂହ ଦେଖାଯାଆନ୍ତି । ପ୍ରାୟ ସମସ୍ତ ଜଙ୍ଗଲ ମୋଟାମୋଟା ଶିକୁଳି ଓ ଜାଲି ଦେଇ ରଖାଯାଇଅଛି । ତାହାରି ଭିତରେ ସପରିବାରେ ସିଂହମାନଙ୍କ ଚଳପ୍ରଚଳ ପ୍ରତ୍ୟକ୍ଷ କରାଯାଇଥାଏ । ଏ ଅକୃତ୍ରିମ ଦୃଶ୍ୟର ତୁଳନା ଅନ୍ୟ କେଉଁଠି ମିଳିବା ଦୁଷ୍କର । ଇଚ୍ଛୁକ ବ୍ୟକ୍ତିଗଣଙ୍କ ପକ୍ଷେ ସାଙ୍ଗାର ଷ୍ଟେସନରୁ ଏହା ଦେଖିବା ପାଇଁ ଯାତ୍ରା କରିବା ଉଚିତ୍‍ ।

 

ଯେଉଁ ପର୍ଯ୍ୟଟକଗଣ ସ୍ୱଳ୍ପ ସମୟ ପାଇଁ ଜୁନାଗଡ଼ରେ ପହଞ୍ଚିଥାଆନ୍ତି ସେମାନେ ଏଠାରେ ସମୟ ନଷ୍ଟ ନ କରି ଗିର୍‌ନାର ବା ଗିର୍ଣ୍ଣାର ପାହାଡ଼ ପାଦଦେଶରେ ଅବସ୍ଥିତ ଉପରକୋଟ ଜିଲ୍ଲା ଦେଖିବାକୁ ଚାଲିଯାଇଥାନ୍ତି । ଦ୍ୱାର ନିକଟରୁ ପାହାଚ ଶ୍ରେଣୀ କ୍ରମଶଃ ଉପରକୁ ଉଠିଯାଇଅଛି-। ବୌଦ୍ଧ ପ୍ରଭାବ ସମୟରେ ଏଠାରେ ଗୋଟିଏ ସଂଘାରାମ ଥିବା କଥା ଶୁଣାଯାଏ-। ଏହା ବ୍ୟତୀତ ଅନ୍ୟ କେତେକ ପୁରାତନ ବୌଦ୍ଧ ଗୁହା ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ-। କେତେକ ଗବେଷକ ଏ ସମସ୍ତ ଖ୍ରୀଷ୍ଟୀୟ ତୃତୀୟ ଶତକରେ ନିର୍ମିତ ବୋଲି ନିର୍ଣ୍ଣୟ କରିଛନ୍ତି । ଏତଦ୍‌ବ୍ୟବୀତ ତୁର୍କୀମାନଙ୍କଦ୍ୱାରା ନିର୍ମିତ ସତର ଫୁଟ ଲମ୍ବର ଏକ ବିରାଟ କମାଣ ଦେଖିବାକୁ ମିଳେ । ନିକଟରେ ନୁରଶାହ କବର ଓ ଗୋଟିଏ ମସଜିଦ୍‌ଅଛି । ଏହି କିଲ୍ଲା ଭିତରେ ଚାରି ପାଞ୍ଚୋଟି ଜଳାଶୟ ଦେଖିବାକ ମିଳେ ଯାହାର ପ୍ରାକୃତିକ ଶୋଭା ବର୍ଣ୍ଣନାତୀତ ।

 

ଏଠାରେ ଆଉ ଗୋଟିଏ ଜିନିଷ ଅବଶ୍ୟ ଲକ୍ଷଣୀୟ । ତା’ ହେଲା ଦୁଇଟି ବୃହଦାକାର କୂପ ବା ବାମ୍ଫି । ଭୂଇଁଠାରୁ ତଳକୁ ଜଳ ପର୍ଯ୍ୟନ୍ତ ପାହାଚ ରହିଚି । ବର୍ଗାକାର କୂପର ଭିତର ପାଖେ କେତେକ ବାସୋପଯୋଗୀ ଘର ଦେଖିବାକୁ ମିଳେ । ଘର ସଂଖ୍ୟା ନିହାତି କମ ନୁହେଁ । ମନେହୁଏ ଅତୀତରେ ଏକ ସମୟରେ ମାଟି ତଳେ ଏକ ଗୁପ୍ତ ସହର ଏଠାରେ ପ୍ରତିଷ୍ଠିତ ଥିଲା । ଆବଶ୍ୟକ ବୋଧ ହେଲେ ବା ସ୍ଥାୟୀ ଭାବରେ ବହୁ ଲୋକ ଏଠାରେ ବସବାସ କରୁଥିଲେ । କିନ୍ତୁ ଏ ବିଷୟରେ କୌଣସି ଐତିହାସିକ ପ୍ରମାଣ ଦେଖାଯାଏ ନାହିଁ । ଏ ଅଭୂତ ସହରର ପରିକଳ୍ପନା ଏକ ରହସ୍ୟମୟ ଘଟଣା ପରି ପ୍ରତୀୟମାନ ହୁଏ ।

 

ଏହି ଦୁର୍ଗର ଅନତି ଦୂରରେ ଅଷ୍ଟଶିଖର(ସ୍ଥାନୀୟନାମ ଅଷ୍ଟପଦ) ଶୋଭିତ ଗିରନାର ପାହାଡ଼ ଶିଖରକୁ ଯିବାର ପଥ । ଗିର୍ଣ୍ଣାରର ପୂର୍ବତନ ନାମ ରୈବତକ ଯାହାର ବିଶେଷ ଆଲୋଚନା ଦ୍ୱାରକା ଖଣ୍ଡରେ କରାଯାଇଅଛି । ରୈବତକ ନାମ ପରିବର୍ତ୍ତୀ କାଳରେ ଗିରି ନଗରରୁ ଗିର୍ଣ୍ଣାରରେ ରୂପାନ୍ତରିକ ହୋଇଅଛି ।

 

ଗିର୍ଣ୍ଣାର ନାମ ଉଠିଲେ ଅତି ସ୍ୱାଭାବିକ ଭାବେ ମହାଭାରତ କଥା ମନକୁ ଆସିଯାଏ । ଶ୍ରୀକୃଷ୍ଣଙ୍କ ଉତ୍ସାହ ଓ ସତ୍ୟଭାମାଙ୍କ ଚାତୁରୀରେ ଅର୍ଜ୍ଜୁନ ସୁଭଦ୍ରାଙ୍କୁ ଦ୍ୱାରକାରୁ ହରଣ କରିନେଲେ । ଏହା ଜାଣିପାରି ହଳଧର ଦୁର୍ଦ୍ଧର୍ଷ ଯଦୁସେନାଙ୍କୁ ରଣ ସଜ୍ଜାରେ ସଜ୍ଜିତ ହେବାକୁ ନିର୍ଦେଶ ଦେଇ ନିଜେ ଯୁଦ୍ଧକୁ ବାହାରି ପଡ଼ିଲେ । ପୂର୍ବରୁ ଦୁର୍ଯୋଧନ ସହ ନିଜର ଏକମାତ୍ର ଭଗିନୀ ସୁଭଦ୍ରାଙ୍କ ବିବାହ ସେ ଠିକ୍‌କରିଥିଲେ । ଅଗତ୍ୟା ଚିର ଶାନ୍ତିପ୍ରିୟ ବଳରାମ ଏହାର ପ୍ରତିଶୋଧ ନେବା ସକାଶେ ବଦ୍ଧପରିକର ହୋଇ ଉଠିଲେ । ଇତ୍ୟବସରରେ ଅର୍ଜ୍ଜୁନ ଶୁଭଦ୍ରାଙ୍କୁ ସଙ୍ଗରେ ନେଇ ଏହି ଗର୍ଣ୍ଣାର ପାହାଡ଼କୁ ଚାଲି ଆସିଲେ ଏବଂ ବିଧିମତେ ଏଠାରେ ସୁଭଦ୍ରାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଗଲା । ପରେ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ନନ୍ଦିଘୋଷରେ ଆସୀନ ହୋଇ ବଳରାମଙ୍କ ନେତୃତ୍ୱରେ ପରିଚାଳିତ ପ୍ରତିରୋଧକାରୀ ଯାଦବ ବାହିନୀଙ୍କ ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ହେଲେ । ଏହି ଯୁଦ୍ଧରେ ସୁଭଦ୍ରା ସାରଥି କାମ ନିଜ ହାତରେ ତୋଳି ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ପ୍ରଚ୍ଛନ୍ନ ଭାବେ ଶ୍ରୀକୃଷ୍ଣଙ୍କ ସହାୟତା ଲାଭକରି ଅର୍ଜ୍ଜୁନ ଏ ଯୁଦ୍ଧରେ ଯଶସ୍ୱୀ ହୋଇ ପାରିଥିଲେ । ଏସବୁ ଘଟଣା ଏହି ଗିର୍ଣ୍ଣାର ପାହାଡ଼ରେ ଘଟିଥିଲା । ମହାଭାରତରେ ଗିର୍ଣ୍ଣାରର ବହୁବାର ଉଲ୍ଲେଖ ରହିଅଛି । ଏହାଛଡ଼ା ଭୀମସେନକର୍ତ୍ତୃକ ଉନ୍ନକ ନାମକ ଏକ ରାକ୍ଷସ ଏଠାରେ ନିହତ ହୋଇଥିବା କାହାଣୀ ମହାଭାରତରେ ଦେଖିବାକୁ ମିଳେ ।

 

କେବଳ ମହାଭାରତ ନୁହେ,ସ୍କନ୍ଦ ପୁରାଣରେ ମଧ୍ୟ ଗିର୍ଣ୍ଣାର କଥା ବର୍ଣ୍ଣିତ ଅଛି । ଏହି ପୁରାଣର ପ୍ରଭାସ ଖଣ୍ଡରେ ଏହି ପର୍ବତକୁ ଉଜୟନ୍ତ ନାମରେ ବର୍ଣ୍ଣନା କରାଯାଇଅଛି । ନିକଟରେ ରୈବତକ ଓ ବସ୍ତ୍ରା ପଥ । ଏକଦା କୈଳାସରେ ମହାଦେବ ପାର୍ବତୀଙ୍କ ସହ ବିଶ୍ରମ୍ଭାଳାପେ ନିମଗ୍ନ । ଏହି ସମୟରେ ବୈକୁଣ୍ଠାଧିପତି ଶ୍ରୀବିଷ୍ଣୁ ଆସି ସେଠାରେ ଗରୁଡ଼ ପୃଷ୍ଠରୁ ଅବତରଣ କଲେ । ଶ୍ରୀମୁଖମଣ୍ଡଳରେ ବିଷାଦ ଓ ବିରକ୍ତି ଭାବ ପରିଷ୍କାର ଫୁଟି ଉଠୁଛି । ଜଣାପଡ଼ୁଛି ସତେ ଯେପରି କୌଣସି ଏକ ଗୁରୁତର କର୍ମ ସମାଧାନ କରି ଅବସନ୍ନ ଶରୀର ନେଇ ଏଠାକୁ ଆସିଛନ୍ତି ।

 

ନାରାୟଣଙ୍କୁ ଗରୁଡ଼ ପୃଷ୍ଠରୁ ଅବତରଣ କରିବା ଦେଖି ଶିବ ପାର୍ବତୀ ଉଠିଆସି ତାଙ୍କୁ ସାଦର ସମ୍ଭାଷଣ ଜଣାଇଲେ । ତିନିହେ ପୁନଶ୍ଚ ଆସନ ଗ୍ରହଣ କରି ବସିବା ପରେ ନାରାୟଣ କହିଲେ,‘‘ ହେବ ଦେବାଧିଦେବ ! ତୁମେ ଯଦି ସାମାନ୍ୟ ପୂଜାର୍ଚ୍ଚନା ବା ସାମାନ୍ୟ ସାଧ୍ୟ ସାଧନାରେ ପରିତୃପ୍ତ ହୋଇ ବିଚାର ବୁଦ୍ଧି ବିସର୍ଜ୍ଜନ ଦେଇ ପ୍ରାର୍ଥୀଙ୍କୁ ମନଇଚ୍ଛା ବର ପ୍ରଦାନ କର,ତାହେଲେ ପୁନଃପୁନଃ ସଂସାରରେ ଶାନ୍ତି ସ୍ଥାପନକରି ଶୃଙ୍ଖଳା ଆଣିବା ମୋପକ୍ଷେ କଷ୍ଟକର ହୋଇଉଠିବ । ଏ ଅପରିଣାମଦର୍ଶିତା ଯୋଗୁ ମୋ କଥା ବାଦଦେଲେ ମଧ୍ୟ ତୁମକୁ କମ ଦୁର୍ଯ୍ୟୋଗ ଭୋଗିବାକୁ ପଡ଼ିନି । ତଥାପି ବରା ପ୍ରଦାନକରିବା ସମୟେ ସାମାନ୍ୟ ସତର୍କତା ଅବଲମ୍ବନ କରିବା କଥା ଅନୁଭବ କରିପାରୁନାହଁ?

 

ଅଳ୍ପ ହସି ମହାଦେବ କହିଲେ, ‘‘ନାରାୟଣ ତୁମର ଅନୁଯୋଗ ସମସ୍ତ ସତ୍ୟ,କିନ୍ତୁ କ’ଣ କରିବି କୁହ ? ତୁମେ ହିଁ ମୋରନାମ ଆଶୁତୋଷ ରଖିଛ । ସେ ନାମର ତ ଆଉ ଅମର୍ଯ୍ୟାଦା କରିପାରେନା । ତେବେ ତୁମର ଅସୁବିଧାକୁ ଅବ୍ୟାହତି ଦେବା ସକାଶେ ଅନ୍ୟ ଏକ ଉପାୟ ଠଉରେଇଛି,ତାହେଲା ମୋର ଅନ୍ତର୍ହିତ ହୋଇଯିବା । ମୋର ସ୍ଥିତି ଜାଣିବା ଆଉ କାହାପକ୍ଷରେ ସମ୍ଭବ ହେବ ନାହିଁ ।’’

 

ସତକୁ ସତ କାହାର କୌଣସି କଥା ପ୍ରତି ଦୃକ୍‌ପାତ ନକରି ଦିଗମ୍ବର ଦିଗ୍‌ବଳୟୋପରି ଅନ୍ତର୍ହିତ ହୋଇଗଲେ । ଏପରି ଏକ ପରିସ୍ଥିତି ପାଇଁ ନାରାୟଣ ବା ପାର୍ବତୀ କିଏ ହେଲେ ପ୍ରସ୍ତୁତ ନଥିଲେ । ଭୋଳାନାଥ ହଠାତ୍‌ ଏପରି ଅନ୍ତର୍ଦ୍ଧାନ ହୋଇଯିବେ ଏ ଧାରଣା କାହାର ନଥିଲା-। ବାସ୍ତବତା ସମ୍ମୁଖରେ ଆସିବାକୁ ଦେଖାଗଲା ଶିବବିହୀନ ସଂସାରର କୌଣସି ମୂଲ୍ୟ ନାହିଁ । ରୁଦ୍ର ଯେପରି ପ୍ରଳୟଙ୍କର,ଅନ୍ୟଦିଗେ ସେହି ରୁଦ୍ର ପୁଣି ଶିବ ରୂପେ ସର୍ବମଙ୍ଗଳମୟ, ସୃଷ୍ଟିର ଆଦିପିଣ୍ଡ-। ଭୂପୃଷ୍ଠରୁ ସତ୍ୟ, ଶିବ,ସୁନ୍ଦର ଯଦି ଲୋପ ପାଇଯାଏ, ତେବେ କ’ଣ ନେଇ ସଂସାର ତିଷ୍ଠି ରହିବ-? ଗତ୍ୟନ୍ତର ନ ଦେଖି ଶ୍ରୀବିଷ୍ଣୁ ଓ ପାର୍ବତୀ ଦିଗମ୍ବରଙ୍କୁ ଖୋଜି ବାହାରିଲେ ।

 

ମହାଦେବ ଆଖି ପଲକରେ କୈଳାସରୁ ଏହି ପଥ ଧରି ପାହାଡ଼ ଶିଖରରେ ଉଠି ଅଙ୍ଗରୁ ଅମ୍ବର ତ୍ୟାଗକରି ଶୂନ୍ୟ ମଧ୍ୟେ ମିଶି ଏକାକାର ହୋଇଗଲେ, ଏବଂ ସେଇ ଅବସ୍ଥାରେ ଧ୍ୟାନସ୍ଥ ହୋଇ ଆତ୍ମମଗ୍ନ ହୋଇ ପଡ଼ିଲେ । ତାଙ୍କର ଗତି ପଥ ଅନୁସରଣ କରି ନାରାୟଣ ଓ ପାର୍ବତୀ ଏଠାରେ ଆସି ପହଞ୍ଚି ମହାଦେବ ପରିତ୍ୟାଗ କରିଥିବା ବସ୍ତ୍ରଖଣ୍ଡ ଦେଖିବାକୁ ପାଇଲେ । ବସ୍ତ୍ର ପତିତ ପଥ ହେତୁ ପରବର୍ତ୍ତୀ କାଳରେ ଏହା ବସ୍ତ୍ର ପଥ ରୂପେ ପରିଚିତ ଲାଭକଲା । ଶିବଙ୍କ ପରିତ୍ୟକ୍ତ ଅମ୍ବର ଦର୍ଶନ କରି ନାରାୟଣ ଏହିଠାରେ ତାଙ୍କର ସ୍ଥିତିକଥା ଅନୁଭବ କରି କରିପାରିଲେ-। ତାଙ୍କର ଅନୁମାନକୁ ପାର୍ବତୀ ମଧ୍ୟ ସମର୍ଥନ ଜଣାଇଲେ । ଇତ୍ୟବସରରେ ସମ୍ବାଦ ପାଇ ଅମରାବତୀ ତ୍ୟାଗ କରି ସମସ୍ତ ଦେବଗଣ ଆସି ଏଠାରେ ମିଳିତ ହେଲେ ଏମାନଙ୍କ ସଙ୍ଗରେ-। ନାରାୟଣ ରୈବତକ ଓ ଜଗଜ୍ଜ୍‌ନନୀ ବୈଜୟନ୍ତ ପାହାଡ଼ରେ ଉନ୍ନତନ୍ନ କରି ଶିବଙ୍କୁ ଖୋଜିବାକୁ ଲାଗିଲେ । ଅଦେଖାକୁ ଦେଖିବା ସହଜ ନୁହେ । ସମସ୍ତ ପାହାଡ଼ର ଅନ୍ଦିକନ୍ଦି ଅନ୍ୱେଷଣ କରି ବ୍ୟର୍ଥ ମନୋରମ ଗୌରୀ ଶ୍ରାନ୍ତ କଳେବର ନେଇ ବୈଜୟନ୍ତ ପାହାଡ଼ ଶିଖରରେ ଯାଇ ଉପନୀତ ହେଲେ-। ଅନ୍ୟ କୌଣସି ଉପାୟ ନପାଇ ସେହି ଶିଖର ଦେଶରେ ଉପବେଶନ କରି ନିଜର ସୁଲଳିତ କଣ୍ଠରେ ଶିବସ୍ତୋତ୍ର ପାଠ କରିବାକୁ ଲାଗିଲେ । ଆଦ୍ୟାଶକ୍ତିଙ୍କର ସେହି ସ୍ୱର ଦିଗ୍ୱଦିଗନ୍ତ ପ୍ରତିଧ୍ୱନିତ ହେବାକୁ ଲାଗିଲା । ତାହା ମଧ୍ୟ ଧ୍ୟାନରତ ଆଶୁତୋଷଙ୍କ କାନରେ ବାଜିଲା-। ଶିବାଙ୍କର ଏହି କାତର ପ୍ରାର୍ଥନାରେ ପରିତୁଷ୍ଟ ହୋଇ ଶିବ ଆସି ତାଙ୍କ ନିକଟରେ ଆତ୍ମପ୍ରକାଶ କଲେ-। ସଙ୍ଗେ ସଙ୍ଗେ ସମସ୍ତ ଦେବଗଣଙ୍କ ସହ ନାରାୟଣ ମଧ୍ୟ ଆସି ସେଠାରେ ଉପସ୍ଥିତ ହେଲେ-। ସେହି ସମୟରେ ନାରାୟଣ ତାଙ୍କର ପୂର୍ବ ଉକ୍ତିକୁ ପ୍ରତ୍ୟାହାର କରି କହିଲେ-ହେ ଆଶୁତୋଷ-! ତୁମର ଯାହାକୁ ଯେପରି ଇଚ୍ଛା ବର ପ୍ରଦାନ କର । ମୁଁ ଆଉ କେଭେଁ ଅଭିଯୋଗ କରିବି ନାହିଁ ।

 

ଉତ୍ତରରେ ମହାଦେବ କହିଲେ,ମୁଁ ତୁମମାନଙ୍କ କଥା ଯେପରି ରକ୍ଷାକରି ପୁଣି ନିଜ ଆସ୍ଥାନକୁ ଫେରିଯିବି ସେପରି ତୁମେ ସମସ୍ତ ଦେବଗଣ, ନାରାୟଣ ଓ ପାର୍ବତୀ ସହ ଯେ ଯେଉଁ ସ୍ଥାନରେ ବର୍ତ୍ତମାନ ଅବସ୍ଥାନ କରୁଅଛ, ସେ ସେହି ସ୍ଥାନରେ ନିଜ ନିଜର ଶକ୍ତି ସ୍ଥାପନ କରି ଆଜିର ଏହି ଘଟଣାକୁ ଚିରସ୍ମରଣୀୟ କରି ରଖ ।

 

ମହାଦେବଙ୍କ ଇଚ୍ଛାନୁଯାୟୀ ନାରାୟଣଙ୍କ ଏକ ଅଂଶ ରୈବତକ କ୍ରୋଡ଼ରେ ଏବଂ ମହାମାୟାଙ୍କ ଏକ ଅଂଶ ଅମ୍ବାନାମ ନେଇ ବୈଜୟନ୍ତ ପାହାଡ଼ ଶିଖରରେ ବିରାଜମାନ ହେଲେ, ଉଭୟ ପାହାଡ଼ ମଧ୍ୟରେ ଅନ୍ୟାନ୍ୟ ଦେବଗଣ ନିଜନିଜର ଶକ୍ତି ସ୍ଥାପନ କରି ଅମରାବତୀକୁ ପ୍ରସ୍ଥାନ କଲେ । ମହାଦେବ ଯେଉଁ ସ୍ଥାନରେ ବସ୍ତ୍ର ତ୍ୟାଗ କରି ତପସ୍ୟାରେ ମଗ୍ନ ଥିଲେ ସେହିସ୍ଥାନ ବସ୍ତ୍ରା ନାମରେ ପ୍ରସିଦ୍ଧ ଲାଭ କଲା । ଆଉ ଅମ୍ବା ଦେବୀଙ୍କ ମନ୍ଦିର ଦୁଇ ହଜାର ଫୁଟ ଗିର୍ଣ୍ଣାର ଶିଖରରେ ଶୋଭା ପାଇଲା । ଦର୍ଶନେଚ୍ଛୁ ଭକ୍ତଗଣ ଦଶ ହଜାର ସୋପାନ ଅତିକ୍ରମ କରି ଦେବୀ କୃପା ଲାଭ କରିଥାଆନ୍ତି !

 

ସିଡ଼ିର ସଂଖ୍ୟା ଶୁଣି ବହୁ ଯାତ୍ରୀ ଯାତ୍ରା ସଙ୍କଳ୍ପ ତ୍ୟାଗକରି ପାହାଡ଼ ତଳେ ଦେବୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରିଥାଆନ୍ତି; କିନ୍ତୁ ଯେଉଁ ଯାତ୍ରୀଗଣ ମନରେ ସାହସ ବାନ୍ଧି ବାହାରି ପଡ଼ନ୍ତି, ସେମାନଙ୍କ ମଧ୍ୟରୁ ବିଫଳ ମନୋରଥ ହୋଇ କାହାର ହେଲେ ଫେରିବା କଥା ଶୁଣାଯାଇ ନାହିଁ । ସିଡ଼ି ସଂଖ୍ୟା ଯେତେ ହେଲେ,ମଧ୍ୟ ପାହାଡ଼ ଶିଖର ସର୍ବୋଚ୍ଚ ଉଚ୍ଚତା ମାତ୍ର ଦୁଇ ହଜାର ପୁଟ । ଅମରନାଥ ପଥେ ପିସୁ ଅତିକ୍ରମ କରିବା ସୌଭାଗ୍ୟ ଯେଉଁମାନେ ପାଇଛନ୍ତି, ସେମାନଙ୍କ ପକ୍ଷରେ ଏ ପଥ ଅତି କିଞ୍ଚିତକର ମନେ ହେବା ସ୍ୱାଭାବିକ । ଚନ୍ଦନବାଡ଼ିଠାରୁ କେବଳ ପିସୁଟପ୍‌ର ଉଚ୍ଚତା ଦୁଇ ହଜାର ପାଞ୍ଚଶ ଫୁଟ । ବିନା ସିଡ଼ିରେ ସେହି ଦୁର୍ଗମ ପଥ ଯାତ୍ରୀମାନେ ଅତିକ୍ରମ କରି ଥାଆନ୍ତି । ଆଉ ସେ ଜାଗାରେ ଗିର୍ଣ୍ଣାର ଶିଖର ସମୁଦ୍ର ପୃଷ୍ଟରୁ ମାତ୍ର ଦୁଇହଜାର ଫୁଟ ଉଚ୍ଚ । ତାହା ପୁଣି ପାଖେ ଛାୟା ଶୀତଳ ପ୍ରଦାୟକ ଅରଣ୍ୟାନି ମଧ୍ୟରେ ସୋପାନ ଶ୍ରେଣୀ ଅତିକ୍ରମ କରି ଯିବାକୁ ହୋଇଥାଏ ।

 

ପ୍ରାଚୀର ଘେରା ସହରର ଗିର୍ଣ୍ଣାର ଫାଟକ ଦେଇ ପାହାଡ଼ ପଥ ଧରିବାକୁ ପଡ଼ିଥାଏ ! ପଥ ମଧ୍ୟରେ ପଡ଼େ ବାଗେଶ୍ୱରୀ ମନ୍ଦିର । ତାହାରି ପାଖରେ ପ୍ରାୟ ତିରିଶିଫୁଟ ଲମ୍ବା କୋଡ଼ିଏ ଫୁଟ ଚଉଡ଼ାର ପ୍ରିୟଦର୍ଶୀ ସମ୍ରାଟ ଅଶୋକକର୍ତ୍ତୃକ ସ୍ଥାପିତ ଏକ ବିଶାଳ ଶିଳାଲିପି । ଏଥିରେ ଅଶୋକଙ୍କ ଅନୁଶାସନମାନ ଘୋଷିତ ହୋଇଅଛି । ଖ୍ରୀଷ୍ଟପୂର୍ବ ଅଢ଼େଇଶହ ବର୍ଷର ଅତି ପ୍ରାଚୀନ ଅନୁଲିପି । ପୁରାତନ କୀର୍ତ୍ତି ସୁରକ୍ଷା କରିବା ପାଇଁ ସ୍ଥାନୀୟ ସରକାର ଭଲ ବ୍ୟବସ୍ଥା ଗ୍ରହଣ କରିଥିବା ଦେଖାଯାଏ । ପାଖରେ ଆଉ କେତେକ ଅପେକ୍ଷାକୃତ ଛୋଟ ଶିଳାଲିପି ଦେଖିବାକୁ ମିଳେ । ଏଗୁଡ଼ିକ ସଂସ୍କୃତ ଲିପିରେ ଲିଖିତ ଥିବା ଦେଖାଯାଏ । ତେଣୁ ସେଗୁଡ଼ିକ ରୁଦ୍ରଦାମନ ସ୍ୱନ୍ଦଗୁପ୍ତଙ୍କଓ ସମକାଳୀନ ଲେଖାବୋଲି ପଣ୍ଡିତମାନେ ମନେ କରନ୍ତି ।

 

ଏ ସବୁ ପଛକୁ ରଖି ଆଗେଇ ଚାଲିଲେ ସାମନାରେ ଦେଖିବାକୁ ମିଳିବ ଦାମୋଦର କୁଣ୍ଡ । ତା’ରି ନିକଟରେ ଦାମୋଦର ମନ୍ଦିର । ଶୁଣିବାକୁ ମିଳେ ଏଠାରେ ମୃତ ବ୍ୟକ୍ତିର ଅସ୍ଥିବିସର୍ଜନ ଦେବା ସାଙ୍ଗେ ସାଙ୍ଗେ ହାଡ଼ କୁଣ୍ଡର ଜଳ ସଙ୍ଗେ ମିଶି ଏକ ହୋଇଯାଏ । ମୁହୂର୍ତ୍ତକ ପରେ ସେ ଅସ୍ଥିର ଆଉ ଅସ୍ଥିତ୍ୱ ରହେନା । ଏ ସକାଶେ ବହୁ ତୀର୍ଥ ଯାତ୍ରୀ ଏଠାରେ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ଦେବା ସଙ୍ଗେ ଶ୍ରାଦ୍ଧ ତର୍ପଣାଦି କର୍ମମାନ ନିର୍ବାହ କରିଥାଆନ୍ତି । ପରେ କୁଣ୍ଡରେ ମୁକ୍ତି ସ୍ନାନ କରି ଦେବ ଦର୍ଶନାନ୍ତେ ପାହାଡ଼ ପଥେ ଆନନ୍ଦରେ ଆଗେଇ ଯାଆନ୍ତି ।

 

ଏଠାରୁ ଆଉ ସାମାନ୍ୟ ପଥ ଅତିକ୍ରମ କରିଗଲେ, ପାହାଡ଼କୁ ଉଠିବା ସୋପାନ ଶ୍ରେଣୀ ଦେଖିବାକୁ ମିଳେ । ପାହାଡ଼ର ପାଦଦେଶରେ ଡୁଲି ଭଡ଼ାକୁ ମିଳିଥାଏ । ଅସକ୍ତ ଅକ୍ଷମ ବ୍ୟକ୍ତିଗଣ ଏହାରି ଉପରେ ଆରୋହଣ କରି ଉପରକୁ ଉଠିଥାନ୍ତି । ଡୁଲିଟିକୁ ଦୁଇ ବା ତତୋଽଧିକ ବ୍ୟକ୍ତି ବହନ କରିଥା’ନ୍ତି । ପ୍ରାୟ ସବୁ ପାହାଡ଼ ତୀର୍ଥ ସ୍ଥଳରେ ଏହାର ପ୍ରଚଳନ ଥିବା ଦେଖାଯାଏ । ମୂଳ ସହରର କେନ୍ଦ୍ରଠାରୁ ପାହାଡ଼ର ପାଦଦେଶ ପ୍ରାୟ ତିନି ମାଇଲ । ପଥ ମଧ୍ୟ ଦେଇ ନାନାଦି ନୂତନ, ପୁରାତନ ଦ୍ରଷ୍ଟବ୍ୟ ସ୍ଥାନ ଦେଖୁ ଦେଖୁ ପଥ ଶେଷ ହୋଇଯାଏ । ସେତେବେଳେ ଯାତ୍ରୀ ମନେ କରି ପାରେନା ଏ ଭିତରେ ସେ ତିନି ମାଇଲ ଦୀର୍ଘ ପଥ ଅତିକ୍ରମ କରିସାରିଛି । ଟାଙ୍ଗା ଓ ଟାକ୍‌ସିର ବ୍ୟବସ୍ଥା ମଧ୍ୟ ଅଛି । ଅନେକ ଯାତ୍ରୀ ସେ ସୁଯୋଗ ଗ୍ରହଣ କରିଥାନ୍ତି ।

 

ଛାୟା ଶୀତଳ ପଥ, ନାତିଉଚ୍ଚ ସିଡ଼ି ଅତିକ୍ରମ କରି ଉପରକୁ ଉଠିବାକୁ ପ୍ରଥମେ ମୋଟେ କଷ୍ଟକର ମନେ ହୁଏନା ବରଂ ବେଶ କୌତୂହଳ ଭାବ ଜାତହୁଏ । ପାହାଚ ଗୁଡ଼ିକର ଚେହେରା ଓ ଉଚ୍ଚତା ଦେଖି,ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସିଡ଼ି ସିଂଖ୍ୟା ଦେଖିବାକୁ ମିଳିଥାଏ । ଫଳରେ ଯାତ୍ରୀ ତା’ର ଉପସ୍ଥିତି ସ୍ଥାନର ପରିଚିତ ସହଜେ ପାଇ ପାରିଥାଏ । ଏହିପରି ଏକ ମନୋହର ପରିବେଶ ମଧ୍ୟରେ ସାଢ଼େ ପାଞ୍ଚହଜାର ସିଡ଼ି ଅତିକ୍ରମ କଲେ ପାହାଡ଼ର ପ୍ରଥମ ଚୂଡ଼ା ଜୈନକୋଟରେ ପହଞ୍ଚି ହୁଏ । ଜୈନକୋଟ ଅର୍ଥାତ୍‌ଜୈନମାନଙ୍କ ତୀର୍ଥ କ୍ଷେତ୍ର । ଗୋଟିଏ ଛୋଟ ଧରଣର ସହର । ତାହାରି ମଧ୍ୟରେ ବିଖ୍ୟାତ ଜୈନମନ୍ଦିର ସାତଗୋଟି । ସବୁଠାରୁ ବୃହତ୍ତମ ସୋମନାଥଙ୍କର । ଏହା ରାଜା ସଂପ୍ରତଙ୍କ ରାଜତ୍ୱ ସମୟରେ ନିର୍ମିତ । ଅନ୍ୟ ମନ୍ଦିରଗୁଡ଼ିକ ଦିଲଓ୍ୱାରା ମନ୍ଦିର ନିର୍ମାତା ବସ୍ତୁପାଳ ଓ ତେଜପାଳଙ୍କଦ୍ୱାରା ତୟାରି ହୋଇଥିଲା ବୋଲି ଶୁଣିବାକୁ ମିଳେ । ଦିଲଓ୍ୱାରା ମନ୍ଦିର ଭଳି ଶିଳ୍ପଚାତୁରୀ ଓ ନିର୍ମାଣ-କୌଶଳ ଏ ସବୁ ମନ୍ଦିରମାନଙ୍କରେ ଦେଖି ଉକ୍ତ ଜନଶ୍ରୁତି ବିଶ୍ୱାସ କରାଯାଏ ।

 

ଏହା ବ୍ୟତୀତ ଆହୁରି ଅନେକ ଛୋଟ ବଡ଼ ମନ୍ଦିର ଏହି ଜୈନକୋଟରେ ଦେଖିବାକୁ ମିଳିଥାଏ । ସଂଖ୍ୟାରେ ପ୍ରାୟ ବାଆବନ । ଏହାର ମଧ୍ୟରେ ରାଜା କୁମାରପାଳଙ୍କଦ୍ୱାରା ନିର୍ମିତ ଅଭିନନ୍ଦନ ପ୍ରଭୁ ଓ ସହସ୍ରପଳାର ପାର୍ଶ୍ୱନାଥଙ୍କ ମନ୍ଦିର ଅବଶ୍ୟ ଦ୍ରଷ୍ଟବ୍ୟ । ଏସବୁ ମନ୍ଦିରମାନ ନିର୍ମାଣ କରିବାପାଇଁ ଜୈନ ଭକ୍ତଗଣ କିପରି ଅକାତରରେ ଅର୍ଥବ୍ୟୟ କରିଛନ୍ତି, ତାହା ଦେଖିଲେ ବିସ୍ମୟାବିଷ୍ଟ ହେବାକୁ ପଡ଼ିଥାଏ । ଲୋକମତରୁ ଜଣାଯାଏ ମନ୍ଦିର ନିର୍ମାଣରେ ଜୈନମାନେ ଯେପରି ଅକାତରରେ ଅର୍ଥବ୍ୟୟ କରିଥାନ୍ତି ସେପରି ବୈଷ୍ଣବମାନେ ଦେବତାର ପ୍ରସାଦ ବା ନୈବେଦ୍ୟ ସକାଶେ ଅର୍ଥ ବିନିଯୋଗ କରିଥାନ୍ତି । ଏ କଥାର ତାତ୍‌ପର୍ଯ୍ୟ ବା ବାସ୍ତବତା ଆମର ପ୍ରଭାସ ଦ୍ୱାରକା ପଥେ ଯାତ୍ରାରେ ଭଲଭାବେ ଅନୁଭବ କରି ପାରିଅଛୁ । ଜୈନକୋଟ ସ୍ଥାନଟି ଯେ ବିଶେଷ ମନୋରମ ଏବଂ ଚିତ୍ତାକର୍ଷକ ଏଥିରେ ଦ୍ୱିମତର ଅବକାଶ ନାହିଁ ।

 

ସେଠାରୁ ଆଉ ପ୍ରାୟ ତିନିଶତ ସୋପାନ ଶ୍ରେଶୀ ଅତିକ୍ରମ କରି ଉପରକୁ ଉଠିଲେ ଗୋମୁଖା ମହାଦେବ ଓ କାଳୀ ମନ୍ଦିର ଦେଖିବାକୁ ମିଳିବ । ଦେବତା ନାମରୁ ସ୍ପଷ୍ଟ ବୁଝାଯାଏ ଏହା ହିନ୍ଦୁକ୍ଷେତ୍ର,ଜୈନତୀର୍ଥ ନୁହେଁ । ଯେଉଁମାନଙ୍କ ପକ୍ଷେ ଏତେ ଗୁଡ଼ାଏ ସିଡ଼ି ଚଢ଼ି ଏକା ଦିନେ ଅମ୍ବାଦେବୀ ମନ୍ଦିର ଦେଖିବା ସମ୍ଭବପର ନୁହେ, ସାଧାରଣତଃ ସେମାନେ ଏଠାରେ ରାତ୍ରରେ ବିଶ୍ରାମ କରିଥାଆନ୍ତି । ପରଦିନ ପ୍ରତ୍ୟୁଷରୁ ନୂତନ ଯାତ୍ରାରମ୍ଭ କରି ଥାଆନ୍ତି । ଯାତ୍ରୀମାନଙ୍କ ରାତ୍ରି ନିବାସ ପାଇଁ ଏଠାରେ ପ୍ରାୟ ସବୁ ପ୍ରକାର ବ୍ୟବସ୍ଥା ରହିଛି । ପାହାଡ଼ ପଥରେ ମୁଖ୍ୟ ଅଭାବ ହେଲା ଜଳ । ତାହା ଏଠାରେ ପ୍ରଚୁର ପରିମାଣର ମିଳିଥାଏ । ଲୋକ ମୁଖରୁ ଶୁଣାଯାଏ ଏଠାର ଜଳ ଯେପରି ସ୍ୱାସ୍ଥ୍ୟକର ସେପରି କ୍ଳାନ୍ତିନାଶକ ମଧ୍ୟ । ଏଠାରେ ଅମିୟ ସଂସ୍ଥା ପକ୍ଷରୁ ସାଧୁ ସନ୍ନ୍ୟାସୀ ତଥା ଅକ୍ଷମ ବ୍ୟକ୍ତିଙ୍କ ସକାଶେ ସଦାବ୍ରତର ବ୍ୟବସ୍ଥା ମଧ୍ୟ ରହିଛି । ସଦା ସର୍ବଦା ଏହି ସଦାବ୍ରତ ଅଭିଳାଷୀଙ୍କ ଭିଡ଼ ଏଠାରେ ଲାଗି ରହିଥାଏ । ଏହା ଛଡ଼ା ବିଶ୍ରାମରତ ଯାତ୍ରୀମାନଙ୍କ ଭିତରେ ସ୍ଥାନଟି ସବୁବେଳେ ସରଗରମ ରହିଥାଏ । ଏଠାର କରଡ଼ି ଭଜା (କଅଁଳ ବାଉଁଶ) ଏକ ପରମ ଉପାଦେୟ ଖାଦ୍ୟ ବୋଲି ଲୋକମୁଖରୁ ଶୁଣାଯାଏ ।

 

ଏଠାରୁ ଅର୍ଥାତ୍‌ଦ୍ୱିତୀୟ ଶୃଙ୍ଗ ଅତିକ୍ରମ କରି ସିଡ଼ି ଉପରେ ସିଡ଼ି ଅତିକ୍ରମ କରି ଆଗେଇଗଲେ କିଛି ସମୟ ମଧ୍ୟରେ ଗିର୍ଣ୍ଣାରର ସର୍ବୋଚ୍ଚ ତୃତୀୟ ଶୃଙ୍ଗରେ ଯାଇ ପହଞ୍ଚିହେବ । ଏହିଠାରେ ଅମ୍ବାଦେବୀଙ୍କ ସଙ୍ଗେ କାଳଭୈରବ ଶିବମନ୍ଦିର ଦେଖିବାକୁ ମିଳେ । ଏହା ହିନ୍ଦୁମାନଙ୍କ ଏକ ମହତ୍‌ତୀର୍ଥକ୍ଷେତ୍ର । କାରଣ ପୂର୍ବେ ଉଲ୍ଲିଖିତ ହୋଇଅଛି କେତେକ ଦେବୀଭକ୍ତ ସତୀଙ୍କ ଅଙ୍ଗଚ୍ଛେଦ ମଧ୍ୟ ଦେଇ ଗଢ଼ି ଉଠିଥିବା ପୀଠସ୍ଥାନମଧ୍ୟରୁ ଏହା ଅନ୍ୟତମ ବୋଲି ଦାବୀ କରିଥାନ୍ତି । ସେହି ହିସାବରେ ଦେବୀଙ୍କ ନାମ ଭୁବନେଶ୍ୱରୀ ଓ ଭୈରବ ନାମ ଭବଅଟେ । ମତବାଦ ବ୍ୟତୀତ ଅନ୍ୟ କୌଣସି ପୁରାଣ କି ତନ୍ତ୍ରସାରରେ ଏହାର ସ୍ୱୀକୃତ ଦେଖିବାକୁ ମିଳେନା । ଏଠାରେ ମନ ଆନନ୍ଦରେ ଦେବ ଆଉ ଦେବୀ ଦର୍ଶନ କରି ସୁଖ ଦୁଃଖ, ହାନି ଲାଭ,କ୍ଳାନ୍ତି ସମସ୍ତ ତାଙ୍କ ପାଦପଦ୍ମରେ ସମର୍ପଣ କରି ଆତ୍ମାକୁ ଭାରମୁକ୍ତ କର । ତାପରେ ବାହାରି ପଡ଼ ବିଶ୍ୱପିତାଙ୍କ କି ଅପୂର୍ବ ସୃଷ୍ଟି ଅପେକ୍ଷା କରୁଛି ତୁମର ଅଭିନନ୍ଦନ ପାଇଁ ତା’ ସ୍ୱଚକ୍ଷୁରେ ଦେଖିବାକୁ । ମନ୍ଦିର ବାହାରକୁ ଆସି ପାହାଡ଼ ଶିଖରରେ ଠିଆ ହୋଇ ଚକ୍ଷୁ ବିସ୍ତାରିତ କର । ଯାହା ନଜରରେ ପଡ଼ିବ ସେଥିରୁ ଆଉ ଆଖି ଫେରାଇ ନେଇ ହେବନାହିଁ । ଏପରି ନୟନାଭିରାମ ଦୃଶ୍ୟ ଯେ ଭୂପୃଷ୍ଠରେ ସମ୍ଭବ,ତାହା ନିଜେ ନ ଦେଖିଲେ ବିଶ୍ୱାସ କରିବା ସହଜ ନୁହେ । ଅବଶ୍ୟ ପ୍ରାକୃତିକ ଶୋଭା ଅନୁଭବର ଜିନିଷ,ପ୍ରକାଶର ନୁହେ । ଉପମା ନିଚ୍ଛକ ଉପମାରେ ହିଁ ପର୍ଯ୍ୟବସିତ ହୋଇଥାଏ । ତାହାଦେଇ ସାହିତ୍ୟ ସୃଷ୍ଟି କରାଯାଇ ପାରେ ଠିକ୍‍ କିନ୍ତୁ ପ୍ରକୃତରେ କେତେ ଅଂଶ ଦାତାଦ୍ୱାରା ଫୁଟି ଉଠିଥାଏ ? ବର୍ଣ୍ଣାନଶୈଳୀ ମାଧ୍ୟମରେ ଲେଖକର କବି ପ୍ରତିଭା ବିକଶିତ ହୋଇ ପାରେ ସତ କିନ୍ତୁ ତା’ ଦ୍ୱାରା ଦୃଶ୍ୟର ପ୍ରକୃତ ବ୍ୟାଖ୍ୟା ଆଶା କରାଯାଇ ପାରେନା । ତା’ ସତ୍ତ୍ୱେ ଏହା ନିଃସନ୍ଦେହଭାବେ କୁହାଯାଇ ପାରେ ଯେ,ମାନବ ମନରେ ସ୍ୱର୍ଗ ସୌନ୍ଦର୍ଯ୍ୟର ଯେଉଁ କଳ୍ପନା ରହିଛି ତାହା ସଙ୍ଗରେ ଏଠାର ପ୍ରାକୃତିକ ଶୋଭାର ସାଦୃଶ୍ୟ ଅନୁଭବ କରାଯାଇଥାଏ,ଯାହା ଫଲରେ ଏଠାକୁ ଆସିବା ମାତ୍ରେ ସ୍ୱର୍ଗୀୟ ଆନନ୍ଦରେ ସମସ୍ତ ଶରୀର ପୁଲକି ଉଠିଥାଏ ।

 

ଏହିଠାରେ ଦଶହଜାର ସିଡ଼ି ଅତିକ୍ରମ କରିବା ବିଭୀଷିକାର ସମାପ୍ତି ଘଟେ; କିନ୍ତୁ ଯାତ୍ରୀର ଏଠାରେ ଗିର୍ଣ୍ଣାର ଦେଖାର ଶେଷ ହୁଏନା,ତାକୁ ଆଗେଇ ଯିବାକୁ ହେବ, ଆହୁରି ଦୁଇ ହଜାର ସିଡ଼ି ଉଠି ଚତୁର୍ଥ କଥା ଶେଷ ଶୃଙ୍ଗକୁ । ଏଇ ପଥ ଅଭ୍ୟସ୍ତ ଯାତ୍ରୀଙ୍କୁ କ୍ଳାନ୍ତିକର ମନେ ହୁଏନାହିଁ । ଶିଖରର ଶୀର୍ଷଦେଶରେ ଦେଖିବାକୁ ମିଳିବ ମହାତ୍ମା ଗୋରକ୍ଷନାଥଙ୍କ ପଦଚିହ୍ନ ଏବଂ ଗୁରୁ ଦତ୍ତାତ୍ରେୟଙ୍କ ପଦଚିହ୍ନ । ଏହାଠାରୁ ଆଉ ବେଶି ଦେଖିବାକୁ ବା ଜାଣିବାକୁ ଯଦି କେଉଁ ଉତ୍ସାହୀ ଯାତ୍ରୀ ଉତ୍ସୁକ ଥାଆନ୍ତି, ତାହେଲେ ସେମାନଙ୍କୁ ଖାଡ଼ା ପାହାଡ଼ ଶିଖର ପଥ ଦେଇ କାଳିକା ଶିଖରକୁ ଉଠି ଏଠାରେ ଦେବୀ ଦର୍ଶନ କରିପାରନ୍ତି । ଏତେ ପରିଶ୍ରମ କରି ଏତେ ଉପରକୁ ଉଠି ଦର୍ଶନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେ । ତେଣୁ ବିଶେଷ ଯାତ୍ରୀ ଏଠାକୁ ଆସନ୍ତି ନାହିଁ । ଯେଉଁ ଜଣେ ଦୁଇଜଣ କଷ୍ଟସହିଷ୍ଣୁ,ଦର୍ଶକ ଆସିଥାନ୍ତି,ସେମାନେ ଏହି ଶୀର୍ଷଦେଶରେ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ କରିଥାଆନ୍ତି, ତାହା ଯେପରି ଅପରିକଳ୍ପନୀୟ ସେପରି ଅଭାବନୀୟ ମଧ୍ୟ । ଗିର୍ଣ୍ଣାର ପରିକ୍ରମାକାରୀ ଯାତ୍ରୀଗଣ ପ୍ରାୟ ସମସ୍ତେ ଅମ୍ବାଦେବୀ ମନ୍ଦିର ଦର୍ଶନ କରି ଫେରିଥାନ୍ତି । ଏ ସମସ୍ତ ଦେଖିଲେ ଏହା ସ୍ପଷ୍ଟ ମନେହୁଏ ଯେ ଅତୀତ କାଳରେ ଅମ୍ବା ଦେବୀ ମନ୍ଦିର ପର୍ଯ୍ୟନ୍ତ ହିଁ ପରିକ୍ରମା ପଥ ସୀମାବଦ୍ଧ ଥିଲା । ପରବର୍ତ୍ତୀ କାଳରେ ଅନୁସନ୍ଧିତ୍ସୁ ଦର୍ଶକଗଣଙ୍କ ପାଇଁ ଉପର ଶିଖର ଦେଶ ସଂପ୍ରସାରିତ କରାଯାଇଅଛି ।

 

ମୋର ଏ ସବୁ ପୁରୁଣା କଥା ଚିନ୍ତାକୁ ସରସ୍ୱତୀ ମୋଟେ ପସନ୍ଦ କରେନା । ତା’ ମତରେ ଗତ ମାନେ ମୃତ । ତାକୁ ନେଇ ମନ ଖରାପ ବାଭଲ କରିବାର କୌଣସି ଯୁକ୍ତି ଯୁକ୍ତ କାରଣ ନାହିଁ । ବିଶେଷ କରି ସେ ଅନ୍ଧକାର ଯୁଗ ଯେତେବେଳେ ଭଗବତ କୃପାରୁ ଅତିକ୍ରମ କରି ଆସି ପାରିଚ୍ଛେ, ପୁନଶ୍ଚ ଏସବୁ ଚିନ୍ତା ଅବିଧେୟ ।

 

କିନ୍ତୁ ମୋର ମତ ସମ୍ପୂର୍ଣ୍ଣ ଓଲଟା । ଭବିଷ୍ୟତ ଅନ୍ଧକାର । ସୁତରାଂ ସେ ନେଇ ଭାବିବା ନିରର୍ଥକ । ବର୍ତ୍ତମାନ ଜୀବନ ରଣକ୍ଷେତ୍ରେ ସୈନିକ ଭଳି ପ୍ରତ୍ୟେକ ପଦକ୍ଷେପରେ ଲଢ଼ାଇ କରି ଅଧିକାର ସାବ୍ୟସ୍ତ କରିବାକୁ ହେବ । ଏ ପରିସ୍ଥିତିରେ ଅଳସ ବା ବିଶ୍ରାମର ଅବକାଶ ନାହିଁ । କେବଳ ଅତୀତ ହିଁ ଏକମାତ୍ର ଅନୁଭୂତି ଅର୍ଥାତ୍‍ ଜୀବନ-ଯାହାର ଚିନ୍ତାରେ ଅଛି ଆନନ୍ଦ, ନିରାନନ୍ଦ, ହସ,କାନ୍ଦ,ସୁଖ, ଦୁଃଖ ପ୍ରଭୃତିର ବାସ୍ତବ ଅନୁଭୂତି । ବୁଦ୍ଧିମାନ ବ୍ୟକ୍ତିଗଣ ସେଇ ପୁରାତନ ପାଠରୁ ଶିକ୍ଷା ନେଇ ଆଗମୀ କାଲିର ପଦକ୍ଷେପ ପାଇଁ ପ୍ରସ୍ତୁତ ହୋଇଥାଆନ୍ତି । ଯାହା ମନରେ ଭାବିବା ସହଜ ଥିଲା ତା ଭାଷାରେ ପ୍ରକାଶ କରିବାକୁ ଯାଇ ଦେଖୁଛି ସମସ୍ତ ଓଲଟ ପାଲଟ ହୋଇଯାଇଛି । ଯେଉଁ ସବୁ କଥା ମନରେ ଚିନ୍ତା କରିଥିଲି ତା’ର ମୂଳ ସୀମା ପ୍ରାୟ ସମାନ ଥିଲେ ମଧ୍ୟ ଅନ୍ୟ ସବୁ ଉପସର୍ଗମାନଙ୍କ ଚେହେରା ବଦଳି ଯାଇଛି । ସେଇ କେଉଁ ଯୁଗରେ ଦେଖା ଜୁନାଗଡ଼ କାହାଣୀକୁରୂପ ଦେବାବେଳକୁ ଦେଖାଯାଉଛି ଅନୁଭବ ସଙ୍ଗରେ ଶୁଣା କାହାଣୀ,ବହି ପଢ଼ା ବିଦ୍ୟା,ସମସ୍ତ ଆସି ରୁଣ୍ଡ ହୋଇଯାଇଛନ୍ତି । ତେବେ ଏ କଥା ନିଶ୍ଚିତ ଯେ ଜୁନାଗଡ଼ ନେଇ ଯେଉଁ କଥା ଏକମାତ୍ର ସହଯାତ୍ରୀଗଣଙ୍କୁ ଶୁଣାଇଲି ତାହା ମୋର ଉଣେଇଶି ବର୍ଷ ବୟସରେ ଦେଖା ଜୁନାଗଡ଼ର ଚିତ୍ର ନୁହେଁ । ସ୍ମରଣଶକ୍ତିର ଏପରି ଉତ୍କର୍ଷତାର ଦାବୀ କରିବା ମୋଟେ ସମୀଚୀନ ନୁହେ ସାଧାରଣତଃ ଏହାହିଁ ଘଟିଥାଏ । ମନର କଥା ମୁଖରେ କହିଲାବେଳେ ସ୍ୱାଭାବିକ ଭାବେ ଅଳ୍ପ ବହୁତ ବକ୍ତବ୍ୟ ବସ୍ତ୍ର ଉପରେ ଡାଳ ପତ୍ର ପଲ୍ଲବିତ ହୋଇଥାଏ । ତା’ ଯଦି ପୁଣି କଲମ ମୁନରେ ପ୍ରକାଶ କରିବାକୁ ହୋଇଥାଏ, ତେବେ ତ ଆଉ କଥା ନାହିଁ !

 

ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଜୁନାଗଡ଼ ନେଇ କଥା ହେଉଥିଲେ ମଧ୍ୟ କହିବା ବାହୁଲ୍ୟ ଶ୍ରୋତା ଥିଲେ କମ୍ପାର୍ଟମେଣ୍ଟର ସକଳ ସହଯାତ୍ରୀ । ଯେତେବେଳେ ଏ ଯାତ୍ରାରେ ଜୁନାଗଡ଼ ଦେଖିବା ସୁଯୋଗ ନାହିଁ,ସେତେବେଳେ ସେ କାହାଣୀ ଶୁଣିବା ଛଡ଼ା ଅନ୍ୟ ଉପାୟ କ’ଣ ? ଗଳ୍ପ ମଧ୍ୟ ଦେଇ ସମୟ ଅତିବାହିତ ହେବାକୁ ଲାଗିଲା ସ୍ୱାଭାବିକ ଭାବରେ । ଭେରାବଳରେ ପହଞ୍ଚିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ବାହାରି ପଡ଼ିବାକୁ ହେବ ପ୍ରଭାସକ୍ଷେତ୍ର ଦେଖିବାକୁ । ସେ ପୁଣ୍ୟକ୍ଷେତ୍ରରେ ସ୍ନାନକରି ପୁଣ୍ୟ ଅର୍ଜନ ମାନସରେ ଅନେକ ଏ ଯାଏଁ ଚାଆ ପର୍ଯ୍ୟନ୍ତ ମୁହଁରେ ଦେଇନାହାନ୍ତି । ତେଣୁ ସମୟ ନଷ୍ଟ କଲା ଭଳି ମନୋବୃତ୍ତି କାହାରି ହେଲେ ନାହିଁ । ଟ୍ରେନର ଗତି ସମାପ୍ତି ସହ ବାହାରିବା ପାଇଁ ପ୍ରସ୍ତୁତି ଅବସରରେ କାହାଣୀ ଚାଲିଛି । ମୋର କହିବା ଶେଷ ହେବା ଦେଖି ହସି ହସି ରୂପା କହିଲା,‘‘ଆଚ୍ଛା ଅଜା ! ତୁମର ଚାଳିଶିବର୍ଷ ତଳର କଥା ଯେତେବେଳେ ମନେ ଅଛି,ସେତେବେଳେ ଗତ ଜନ୍ମର କଥା ନିଶ୍ଚୟ ମନେ ଥିବ । ସେ ଜନ୍ମର କାହାଣୀ କିଛି ଆମକୁ ଶୁଣାଅନା । ସେ ଜନ୍ମରେ କେଉଁ କେଉଁ ଜାଗା ଦେଖିଥିଲ ?

 

ସାନ ଝିଅ ରୂପାର କଥା ଶୁଣି ସମସ୍ତେ ବହେ ହସି ନେଲେ । ତାହାରି ମଧ୍ୟରେ ମୁଁ କହିଲି-ଯେତେବେଳେ ଗତ ଜନ୍ମର କଥା ଶୁଣିବାକୁ ତୋର ଏତେ ଆଗ୍ରହ,ସେତେବେଳେ ନିଶ୍ଚୟ କହିବି । ତେବେ ତା’ ଆଗରୁ ମୁଣ୍ଡରେ ଲାଲ ନିଶାଣ ଲଗାଇ ଚଟ୍ଟାପଟ ତୟାରି ହୋଇ ପଡ଼ । ଗାଡ଼ି ଷ୍ଟେସନ ପାଖାପାଖି ହୋଇ ଗଲାଣି । ଶୀଘ୍ର ବାହାରି ପଡ଼ିବାକୁ ହେବ । ଏବେ ଯାହା ଦେଖିବା କଥା ଆଖିରେ ଦେଖିନେ,ତା’ପରେ ସୁଯୋଗ ଅନୁଯାୟୀ ମୋର ଗତଜନ୍ମର କାହାଣୀ ଶୁଣିନେବୁ । କଥା ଣୁଣି ରୂପା ଚାଲିଗଲା ତା’ର ମାଆ ପାଖକୁ ପ୍ରସ୍ତୁତ ହେବାପାଇଁ ।

 

ରୂପାର ଗତିପଥକୁ ଚାହିଁ ରହି ଧୋତି କୁଞ୍ଚିକରି ଚକ୍ରବର୍ତ୍ତୀ ଭାୟା କହିଲେ,ସତେ ଗତ ଜନ୍ମର କଥା କହିବନା ମିଶ୍ର ଭାୟା ? ତା’ ତୁମେ ପାରିବ, ଏ କଥା ମୁଁ ହଲପି କରି କହିପାରେ । ତେବେ ଆଉ ଡେରି କାହିଁକି ? ଆମେମାନେ ପ୍ରସ୍ତୁତ,ତୁମେ ଆରମ୍ଭ କରିଦିଅ ।

 

କହିଲି–ବର୍ତ୍ତମାନ ଜୀବନ-କାହାଣୀ ତ ଏଯାଏଁ ଶେଷ ହୋଇନି । ଆଉ ତା’ ପ୍ରତି ଏତେ ବୀତଶ୍ରଦ୍ଧ ହୋଇ ଉଠିଲ କାହିଁକି ଯେ ଗତ ଜନ୍ମ ନେଇ ଟଣାଟଣି ଆରମ୍ଭ କରୁଛ ? ତେବେ ତୁମର ଯେତେବେଳେ ଗତ ଜନ୍ମ କାହଣୀ ଶୁଣିବାକୁ ଏତେ ଆଗ୍ରହ, ସେତେବେଳେ ମୋତେ ନିଶ୍ଚୟ କହିବାକୁ ହେବ । ଦୟାକରି ତୁମେ ଅନୁଧ୍ୟାନ କର । ତେବେ ଏଇଟା ଗତ ଜୀବନର କାହାଣୀ ନ ହେଲେ ମଧ୍ୟ ଜୀବନର ଗତ କାହାଣୀ ନିଶ୍ଚୟ । ଏଇ ଯା ଫରକ । ଆଶାକରେ ଏହା ଶୁଣି ଖୁବ୍‌ ବେଶି ହତାଶ ହେବନାହିଁ ।

 

ଯେଉଁ ଷ୍ଟେସନକୁ ଭେରାବଳ ବୋଲି ମନେ କରିଥିଲୁ ସେ ତାହା ନୁହେ, ଗୋଟିଏ ଛୋଟ ଷ୍ଟେସନମାତ୍ର । ଏଠାରୁ ନିର୍ଦ୍ଦିଷ୍ଟ ଷ୍ଟେସନ ଯିବାକୁ ଆହୁରି ଚାଳିଶି ମିନିଟ ଲାଗିବ । ହାତର ଘଡ଼ି ପ୍ରତି ନଜର ଦେଇ କହିଲି-ସୌରାଷ୍ଟ୍ରର ଦ୍ରଷ୍ଟବ୍ୟ ସ୍ଥାନମାନଙ୍କ ମଧ୍ୟରେ ପଳିତାନର ସ୍ଥାନ କିଛି ନଗଣ୍ୟ ନୁହେ । ସେଠାକୁ ଯିବା ପଥ କ୍ଲାନ୍ତିକର ନିଶ୍ଚୟ କିନ୍ତୁ ଦୁର୍ଗମ ନୁହେ । ଟ୍ରେନ୍‍ ଓ ସଡ଼କ ଯୋଗାଯେଗା ରହିଛି । ଟ୍ରେନ୍‍ ଯୋଗେ ଯେଉଁମାନେ ପଳିତାନ ଯିବାକୁ ଇଚ୍ଛା କରିବେ,ସେମାନେ ସୁରେନ୍ଦ୍ର ନଗରରୁ ଭବନଗର ଟ୍ରେନ୍‍ ଦେଇ ସିହୋର ଜଂକସନ ପର୍ଯ୍ୟନ୍ତ ଯାତ୍ରା କରି ସେଠାରୁ ବ୍ରାଞ୍ଚ ଲାଇନ୍‍ ଧରି ପଳିତାନ ଯାଇ ପାରିବେ । ଖୁବ୍‌ସମ୍ଭବ ଏହି ବିଖ୍ୟାତ ସ୍ଥାନ ସଙ୍ଗେ ଯୋଗାଯୋଗା ସ୍ଥାପନ ପାଇଁ ଏହି ସତାଇଶ କିଲୋମିଟର ଟ୍ରେନ୍‍ ଲାଇନ ସ୍ଥାପିତ ହୋଇଅଛି । ପଳିତାନ ଭଳି ଏକ ବିଖ୍ୟାତ ଜାଗା ଦେଖିବାକୁ ସୁରେନ୍ଦ୍ର ନଗରଠାରୁ ମାତ୍ର ଏକଶତ ପଞ୍ଚସ୍ତରି କିଲୋମିଟର ରାସ୍ତା ରେଳ ପଥରେ ଅତିକ୍ରମ କରିବା ଏପରି ଏକ ବିରାଟ ବ୍ୟାପର ନୁହେଁ ବା ସେପରି କିଛି ବ୍ୟୟସାଧ୍ୟ ମଧ୍ୟ ନୁହେ । କେବଳ ଯାତ୍ରା ପାଇଁ ସମୟ ଦରକାର ।

 

ଅତୀତ ଯୁଗରେ ବିଶ୍ୱବିଖ୍ୟାତ ରସାୟନବିଦ୍‌ତଥା ଶିକ୍ଷାବିଦ ନାଗାର୍ଜ୍ଜୁନ ତାଙ୍କର ଗୁରୁ ପଳିତ୍ତଙ୍କ ସ୍ମୃତି ରକ୍ଷାର୍ଥେ ଖୁବ୍‌ସମ୍ଭବ ଏହି କ୍ଷେତ୍ର ସ୍ଥାପନ କରିଥିଲେ । ସେହି ହେତୁ ଏହାର ନାମ ହୋଇଛି ପଳିତାନ । ନାଗାର୍ଜ୍ଜୁନ ବୌଦ୍ଧ ହେଲେ ମଧ୍ୟ ତାଙ୍କର ହିନ୍ଦୁଗୁରୁ ପଳିତ୍ତଙ୍କ ପ୍ରତି ଥିଲା ଅଗାଧ ଭକ୍ତି । ତାହାକୁ ରୂପ ଦେବାକୁ ଯାଇ ସେ ଯେଉଁ ଅମର କୀର୍ତ୍ତି ଗଢ଼ି ଯାଇଥିଲେ,ତାହା ଆଜି ସୁଦ୍ଧା ଅମ୍ଳାନ ତଥା ଅବିସ୍ମରଣୀୟ ହୋଇ ରହିଅଛି ।

 

ପଳିତାନ ସହର ନିକଟରେ ଶତ୍ରୁଞ୍ଜୟ ନାମକ ଦୁଇ ଶୃଙ୍ଗବିଶିଷ୍ଟ ଗୋଟିଏ ପାହାଡ଼ ଦେଖିବାକୁ ମିଳେ । ପରିଚିତ ସହଜ ସକାଶେ ଦୁଇଟି ଶୃଙ୍ଗକୁ ଦକ୍ଷିଣ ଉତ୍ତର ଶତ୍ରୁଞ୍ଜୟ ବୋଲି ନାମିତ କରାଯାଇଅଛି । ଦୁଇ ଶୃଙ୍ଗ ମଧ୍ୟ ଦେଇ ଶତ୍ରୁଞ୍ଜୟ ନଦୀ ପ୍ରବାହିତ । ନଦୀରୁ ପାହାଡ଼ର ନାମ କି ପାହାଡ଼ରୁ ନଦୀର ନାମ,ତା’ ନିର୍ଣ୍ଣୟ କରିବା କଠିନ । ଯାହା ହେଉନା କାହିଁକି ଏ ନଦୀ ଜୈନମାନଙ୍କ ପକ୍ଷରେ ଗଙ୍ଗା ଭଳି ପବିତ୍ର । ପ୍ରାୟ ସମସ୍ତ ଜୈନ ଭକ୍ତଗଣ ଦୁଇହଜାରଫୁଟ ଉଚ୍ଚରେ ଅବସ୍ଥିତ ଏହି ପରମ ଜୈନ କ୍ଷେତ୍ର ଦର୍ଶନ ପୂର୍ବରୁ ଶତ୍ରୂଞ୍ଜୟ ନଦୀରେ ସ୍ନାନ କରି ପବିତ୍ର ହୋଇଥାଆନ୍ତି । ପରେ ଯଥାକ୍ରମେ ଉତ୍ତର ପାହାଡ଼ ଶିଖରେ ଦେବ ଦର୍ଶନ କରି ପୁଣି ଅବତରଣ କରି ଦୁଇ ଶୃଙ୍ଗ ମଧ୍ୟସ୍ଥିତ ଉପତ୍ୟକା ଭିତର ଦେଇ ଦକ୍ଷିଣ ଶୃଙ୍ଗ ଆରୋହଣ କରିଥା’ନ୍ତି । ସମସ୍ତ ପାହାଡ଼ ପଥ ସୋପାନ ଶ୍ରେଣୀ ବିନ୍ୟାସ ହୋଇ ଯାତାୟାତର ସୁବିଧା କରାଯାଇଛି । ଅକ୍ଷମ ଭକ୍ତଗଣ ଅନ୍ୟ ପାହାଡ଼ ପଥ ଭଳି ଏଠାରେ ମଧ୍ୟ ଡୁଲିର ସାହାଯ୍ୟ ଗ୍ରହଣ କରିଥାଆନ୍ତି । ଅନେକ ସ୍ୱାସ୍ଥ୍ୟାନ୍ୱେଷୀ, ଉତ୍ତକାମଣ୍ଡ (ଉଟି) ବା ଆବୁ ଭଳି ଏହାକୁ ସୌରାଷ୍ଟ୍ରର ଏକ ସ୍ୱାସ୍ଥ୍ୟନିବାସ ବୋଲି ମନେ କରିଥାଆନ୍ତି । ଏହି କାରଣରୁ ଏଠାରେ ବହୁ ଯାତ୍ରୀ ସମାଗମ ହୁଏ । ବିଶେଷ କରି ଜୈନମାନଙ୍କ ମତରେ ଏଭଳି ପୁଣ୍ୟ ଭୂମି ଦ୍ୱିତୀୟ ଆଉ ନାହିଁ କହିଲେ ଚଳେ ।

 

ଶତ୍ରୁଞ୍ଜୟକୁ ଅନେକ ମନ୍ଦିରପୁରୀ ବୋଲି ଆଖ୍ୟା ଦେଇଥାନ୍ତି । ଏହି ପାହାଡ଼ ଉପର ମନ୍ଦିର ସଂଖ୍ୟା ଶୁଣିଲେ ଅବିଶ୍ୱାସ ମନେହୁଏ । ଅସୀମ ଧୈର୍ଯ୍ୟଶୀଳ ବ୍ୟକ୍ତି ନ ହେଲେ ଏହା ଗଣି ଶେଷ କରିବା ସମ୍ଭବ ନୁହେ । ସମସ୍ତ ମନ୍ଦିର ଭିତରୁ ବଡ଼ ମନ୍ଦିର ସଂଖ୍ୟା ଏକଶହଛଅ । ତାହାଠାରୁ ଅପେକ୍ଷାକୃତ ଛୋଟ ମନ୍ଦିର ହେଲା ପାଞ୍ଚଶତ ସତାବନ । ତା’ପରେ ତୀର୍ଥଙ୍କର ଏବଂ ଅନ୍ୟାନ୍ୟ ଦେବ ମୂର୍ତ୍ତି ଶୋଭିତ ଛୋଟ ମନ୍ଦିର ସଂଖ୍ୟା ହେଲା ଏଗାର ହଜାର । ପାଦୁକା ଏବଂ ବିଖ୍ୟାତ ତୀର୍ଥଙ୍କରଙ୍କ ପଦ ଚିହ୍ନ ନଅଶହ । ଏ ବିପୁଳ ସଂଖ୍ୟକ ଦେବସ୍ଥାନ ଦେଖା କେବେହେଲେ କାହାର ପକ୍ଷେ ମଧ୍ୟ ସମ୍ଭବ ବୋଲି ମନେ ହୁଏନା । ଏ ସମସ୍ତ ଛୋଟ ବଡ଼ ମନ୍ଦିର ପାହାଡ଼ ପୂର୍ଣ୍ଣ ହୋଇ ରହିଛି ।

 

ଚକ୍ରବର୍ତ୍ତୀ ଭାୟାଙ୍କ ମୁହଁରୁ ବାହାରି ପଡ଼ିଲା ଓରେ ବାବା, ଏ ତ ଦେଖୁଛି ମନ୍ଦିରର ପାହାଡ଼ ? ପାହାଡ଼ ମନ୍ଦିର ଆସିଲା ଆଉ କେଉଁଠି ?

 

କହିଲି, ଦାଦା ଏତେ ମନ୍ଦିର ହେଲେ ମଧ୍ୟ ପାହାଡ଼ର ଓରିଜିନାଲିଟି ନଷ୍ଟ ହୋଇନି । ଗଭୀର ଅରଣ୍ୟାନୀ ମଧ୍ୟ ଦେଖିବାକୁ ପାଇବ । ସେଇ ଘନ ଗହଳ ତରୁଲତା ବେଷ୍ଟିତ ମଧ୍ୟରେ ଶ୍ୱେତ ମର୍ମର ପଥରରେ ନିର୍ମିତ ସୁନ୍ଦର ମନ୍ଦିରଗୁଡ଼ିକ ଦେଖିଲେ ଗୋଟିଏ ସ୍ୱପ୍ନପୁରୀ ଭଳି ମନେହୁଏ । ଏପରି ଜନମାନବ ଶୂନ୍ୟ ନିସ୍ତବ୍‌ଧ ତଥା ପରିଚ୍ଛନ୍ନ ତୀର୍ଥକ୍ଷେତ୍ର ବୋଧହୁଏ ଅନ୍ୟ କେଉଁଠି ଦେଖାଯାଏନା । ସ୍ଥାନଟି ଦିନରେ ଅବଶ୍ୟ ଯାତ୍ରୀ ସମାଗମରେ ମୁଖର ହୋଇ ଉଠେ;କିନ୍ତୁ ରାତ୍ରି ହେବା ସଙ୍ଗେ ସଙ୍ଗେ ସବୁ ନିସ୍ତବ୍‌ଧ । ଏଠାରେ ରାତିରେ ଯାତ୍ରୀତ ଦୂରର କଥା ସେବକମାନଙ୍କୁ ମଧ୍ୟ ରହିବାକୁ ଦିଆଯାଏନା । ରକ୍ଷଣାବେକ୍ଷଣ ଭାର ସମ୍ପୂର୍ଣ୍ଣ ସ୍ଥାନୀୟ ଜୈନ ସଂସ୍ଥା ଉପରେ ନ୍ୟସ୍ତ । ବହୁ ଧନାଢ଼୍ୟ ଜେନଭକ୍ତଗଣ ଏପରି ଏକ ମହତ କୀର୍ତ୍ତି ରକ୍ଷଣାବେକ୍ଷଣ ସକାଶେ ଅକାତରେ ଅର୍ଥଦାନ କରିଥାନ୍ତି ।

 

ପ୍ରାୟ ପ୍ରତିଟି ମନ୍ଦିର ଦୁର୍ଗ ଭଳି ସୁଉଚ୍ଚ ପ୍ରାଚୀରଦ୍ୱାରା ବେଷ୍ଟିତ । ପ୍ରବେଶ ପାଇଁ ଚାରି ଦିଗରେ ଚାରିଗୋଟି ସଦୃଢ଼ ଦ୍ୱାର । ସନ୍ଧ୍ୟା ଆରତି ପରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆହୁଏ । ଗୋଟିଏ ଗୋଟିଏ ବଡ଼ ମନ୍ଦିରକୁ କେନ୍ଦ୍ର କରି ଗଢ଼ି ଉଠିଛି ଅନେକ ଗୁଡ଼ାଏ ଛୋଟ ମନ୍ଦିର ବା ଢିପି,ଯାହାକୁ ସ୍ଥାନୀୟ ଭାଷାରେ ଢୁଙ୍କ ବୋଲି କୁହାଯାଇଥାଏ । ଖୁବ୍‌ସମ୍ଭବ ଏକାଦଶ ଶତାବ୍ଦୀରେ ଏହି ମନ୍ଦିର ଗୁଡ଼ିକର ପ୍ରଥମ ନିର୍ମାଣ କର୍ମ ଆରମ୍ଭ ହୋଇଥିଲା । ପରେ କେତେ ଶହ ବର୍ଷ ଧରି ବିଭିନ୍ନ ଭକ୍ତଗଣ ବିଭିନ୍ନ ଧରଣର ମନ୍ଦିର ନିର୍ମାଣ କରାଇ ପଳିତାନର କଳେବର ବୃଦ୍ଧି କରିଥିଲେ । ଏହି ନିର୍ମାଣ କର୍ମରେ ଜୈନ ଭକ୍ତଗଣ ବହୁ ଅର୍ଥ ବ୍ୟୟରେ ହିନ୍ଦୁ ରାଜାଙ୍କ ରାଜତ୍ୱ ସମୟରେ ରାଜ ସାହାଯ୍ୟପୁଷ୍ଟହୋଇ ସମାଧାନ କରି ପାରିଥିଲେ । ତା’ପରେ ଭାରତବର୍ଷରେ ବ୍ୟାପିଲା ବିଧର୍ମୀ ମୁସଲମାନ ରାଜତ୍ୱ । ଯାହାର ମୂଳ ନୀତି ହେଲା ନିର୍ମମ ଭାବେ ମନ୍ଦିର ଧ୍ୱଂସ କରିବା । ସେହି ପୈଶାଚିକ ଲୀଳାରୁ ପଳିତାନର ନିଷ୍କୃତି ମିଳିଲାନାହିଁ । ଅଗତ୍ୟା ପରବର୍ତ୍ତୀ କାଳରେ ଧର୍ମପ୍ରାଣ ବ୍ୟକ୍ତିଗଣ ମନ୍ଦିର ଗୁଡ଼ିକୁ ଧ୍ୱଂସକାରୀଙ୍କ ହାତରୁ ରକ୍ଷାକରିବା ସକାଶେ ସକାଶେ ମନ୍ଦିର ଚତୁର୍ଦ୍ଦିଗରେ ସୁଉଚ୍ଚ ପ୍ରାଚୀର ତୟାର କରି କେତେକାଂଶରେ ନିରାପଦ ବାତାବରଣ ସୃଷ୍ଟି କରିଥିଲେ । ତାହା ହେଲେ ମଧ୍ୟ ପୂରାପୂରି ବିଧର୍ମୀ, ବିଦେଶୀ ଦସ୍ୟୁଙ୍କର ଧ୍ୱଂସଲୀଳା ତଥା ଲୁଟତରାଜରୁ ରକ୍ଷା ପାଇ ପାରି ନଥିଲା ମନ୍ଦିର ନଗରୀ ଶତ୍ରୁଞ୍ଜୟ ଶିଖର । ଗଠନ ସଙ୍ଗେ ଯାହାର ପରିଚୟ ନାହିଁ, ରକ୍ତପାତ ବିନା ଯାହାର ଧର୍ମଦୀକ୍ଷା ନାହିଁ, ସେ ଭଗ୍ନ ଆଉ ହତ୍ୟା ବ୍ୟତୀତ ଅଧିକ କ’ଣ କରିପାରେ ? ସେହି ଅନ୍ଧକାର ଯୁଗରେ ପଳିତାନର କେତେକ ବିଶିଷ୍ଟ ମନ୍ଦିର ଲୁଣ୍ଠନକାରୀଙ୍କ କବଳରେ ପଡ଼ି ଧ୍ୱଂସପ୍ରାପ୍ତ ହୋଇଥିଲା । ଯାହାର ପୁନଃନିର୍ମାଣ ଆଉ ସମ୍ଭବ ହୋଇପାରିଲା ନାହିଁ-। ହିଂସା ଆଉ ଦ୍ୱେଷରୁ ଯାହାର ଜନ୍ମ ପରବର୍ତ୍ତି କାଳରେ ସେ ଯେତେ ମହତ୍‌ହେଲେ ମଧ୍ୟ ତା’ର ପରିଣତି ସେହି ହିଂସା ଆଉ ଦ୍ୱେଷ ମଧ୍ୟରେ ହିଁ ଲୁକକାୟିତ ଥାଏ । ଯଥା ସମୟରେ ତାହା ପ୍ରକାଶ ପାଇ ସୁଧ ଅସଲ ଆଦାୟ କରି ଛାଡ଼େ । ଇତିହାସରେ ଏହାର ଭୂରି ଭୂରି ପ୍ରମାଣ ଦେଖିବାକୁ ମିଳେ ।

 

ଧର୍ମଦ୍ୱେଷୀ ମୁସଲମାନ ଶାସକଗଣ କର୍ତ୍ତୃକ ଯେଉଁ ସବୁ ମନ୍ଦିରମାନ ସେ ଯୁଗରେ ବିନଷ୍ଟ ହୋଇଥିଲା, ଉପଯୁକ୍ତ ନିରାପତ୍ତାର ଅଭାବରେ ସେ ସବୁ ସ୍ଥାନ ଶୂନ୍ୟ ପଡ଼ିଥିଲା । ଭାରତ ସ୍ୱାଧୀନ ହେବା ପରେ କେତେକ ପୁଣ୍ୟାର୍ଥୀ ଶ୍ରେଷ୍ଠୀ ସେ ସବୁ ସ୍ଥାନରେ ନୂତନ କରି ମନ୍ଦିର ନିର୍ମାଣ କରାଇଛନ୍ତି ଏବଂ ଅକାତରରେ ଅର୍ଥ ବ୍ୟୟ କରି ସେହି ଆଂଶିକ ଭଗ୍ନ ମନ୍ଦିର ଗୁଡ଼ିକର ସଂସ୍କାର କରି ଦେଇଛନ୍ତି । ଅବଶ୍ୟ କେତେକ ମନ୍ଦିର ମୁସଲମାନ ରାଜତ୍ୱଦୁର୍ବଳ ହେବା ପରେ ଷୋଡ଼ଶ ଶତାବ୍ଦୀରେ ପୂନନିର୍ମିତ ହୋଇଥିବାର ପ୍ରମାଣ ମିଳେ । ଲକ୍ଷ୍ମୀଙ୍କ ବରପୁତ୍ର ଜୈନ ଭକ୍ତଗଣଙ୍କ ଆକାଙକ୍ଷା ‘‘ତାଙ୍କରି ଅର୍ଜିତ ଅର୍ଥରେ ଗୋଟିଏ ତୀର୍ଥଙ୍କରଙ୍କ ମୂର୍ତ୍ତି ପ୍ରତିଷ୍ଠିତ ମନ୍ଦିର ନିର୍ମାଣ କରିବା । ନ୍ୟୂନ ପକ୍ଷେ ତୀର୍ଥଙ୍କରଙ୍କର ପଦଚିହ୍ନ ସଂରକ୍ଷିତ ଢିପି ଗୋଟିଏ ନିର୍ମାଣ କରାଇବା ।’’ ସେ ସବୁ ଆଶା ଆକାଙକ୍ଷା ପୂରଣ କରିବାକୁ ଯାଇ ଏ ମନ୍ଦିର ନଗରୀ ସମୃଦ୍ଧିଶାଳୀ ହୋଇଉଠିଛି । ଏହାର ସଂଖ୍ୟା ଯେଉଁ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଏହା ଯଦି ଧାରବାହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚଳେ,ତେବେ ଦେଖାଯିବ କେତକ ବର୍ଷ ପରେ ଏହି ଶତ୍ରୁଞ୍ଜୟ ପାହାଡ଼ କୋଳରେ ଖଣ୍ଡିଏ ଇଟା ବସାଇବାକୁ ମଧ୍ୟ ସ୍ଥାନ ମିଳିବା ଦୁଷ୍କର ହୋଇ ପଡ଼ିବ ।

 

ଚକ୍ରବର୍ତ୍ତୀ ଭାୟା ପଚାରିଲେ, ଏହି ସ୍ଥାନ ଜୈନମାନଙ୍କ ପକ୍ଷେ ଏତେ ପବିତ୍ରତମ ବୋଲି ଗଣ୍ୟ ହେବାର କାରଣ କ’ଣ? ମୁଁ ଯେତେ ଦୂର ଜାଣେ କୌଣସି ବିଖ୍ୟାତ ତୀର୍ଥଙ୍କରଙ୍କର ଜନ୍ମ ବା ନିର୍ବାଣ ଏଠାରେ ହୋଇନାହିଁ । ତା’ହେଲେ ଜୈନମାନଙ୍କ ଏ ଜାଗା ପ୍ରତି ଏତେ ପ୍ରବଳ ଆକର୍ଷଣ କାହିଁକି ?

 

କହିଲି-ତୁମର କହିକା କଥା ଠିକ୍‌ । ଜନ୍ମ ବା ନିର୍ବାଣ ନେଇ ପଳିତାନର ବୈଶିଷ୍ଟ୍ୟ ନିର୍ଦ୍ଧାରିତ କରାଯାଇ ପାରେନାହିଁ । ଶୁଣାଯାଏ ଜୈନ ଧର୍ମର ପ୍ରତମ ତୀର୍ଥଙ୍କର ଋଷଭ ଦେବ ବା ଆଦିନାଥ ଶତ୍ରୁଞ୍ଜୟ ଶିଖରରେ ତପସ୍ୟା କରି ଜିନତ୍ୱ ବା ଦିବ୍ୟଜ୍ଞାନ ଲାଭ କରିଥିଲେ । ପରବର୍ତ୍ତୀ କାଳରେ ସେ ଏକାଧିକବାର ଏଠାକୁ ଆସିଥିଲେ । ତାଙ୍କର ପ୍ରଥମ ଶିଷ୍ୟଗଣଧର ପୁଣ୍ଡରୀକ ମଧ୍ୟ ଏଠାରେ ପ୍ରଥମ ଜୀବନରେ ସାଧନା ତଥା ତପସ୍ୟା ଆରମ୍ଭ କରିଥିଲେ ଏବଂସେ ପରିଣତ ବୟସରେ ଏଠାରେ ହିଁ ନିର୍ବାଣ ଲାଭ କରିଥିଲେ । ଗଣଧର ଜଣେ ବିଖ୍ୟାତ ଜୈନ ଶାସ୍ତ୍ରବିଦ୍‌ହେଲେ ମଧ୍ୟ କୌଣସି ତୀର୍ଥଙ୍କର ନ ଥିଲେ । ଏହି ପୁଣ୍ୟ ସ୍ମୃତିକୁ ଅବଲମ୍ବନ କରି ପରବର୍ତ୍ତୀ କାଳରେ ବହୁ ଜୈନ ସନ୍ନ୍ୟାସୀ ଏ ସ୍ଥାନକୁ ସାଧନା ସକାଶେ ଉପଯୁକ୍ତ ମନେ କରିଥିଲେ ଏବଂ ସେମାନେ ତପସ୍ୟାଦ୍ୱାରା ସିଦ୍ଧି ଲାଭ କରିଥିଲେ । ଖୁବ୍‍ ସମ୍ଭବ ଏସବୁ କାରଣରୁ ଏହା ଏକ ବିଖ୍ୟାତ ତୀର୍ଥରୂପେ ସ୍ୱାଭାବିକ ଭାବେ ପ୍ରତିଷ୍ଠିତ ହୋଇ ଉଠିଛି ।

 

ଆଚ୍ଛା ଦାଦା, ଏଇ ଯେ ଋଷଭଙ୍କ କଥା କହିଲ,ସେ କିଏ ? କିପରି ବା ହିନ୍ଦୁ ପ୍ରଧାନ ଭାରତ ଭୂମିରେ ଜୈନଧର୍ମ ପ୍ରଚାର କଲେ ? ଇନ୍ଦିରା ମୁଖରୁ ହଠାତ୍‌ଏ ବେଖାପ ପ୍ରଶ୍ନଟା ଶୁଣି ଚମକି ଉଠି ତା’ ମୁହଁକୁ ଚାହିଁଲି । ଦେଖିଲି ଉତ୍ତର ଶୁଣିବାକୁ ଉତ୍ସୁକ ଭାବେ ଚାହିଁ ରହିଛି ସେ । ତା’ର ଉତ୍ତରରେ କହିଲି-ଜୈନଧର୍ମ ସମ୍ପର୍କରେ ମୋର ଯାହା ବକ୍ତବ୍ୟ ତାହାର ବିଷଦ ଆଲୋଚନା କରିଛି ତୁଷାର ତୀର୍ଥ ଅମରନାଥରେ । ସୁଯୋଗ ଦେଖି ପଢ଼ି ନେବୁ । ତେବେ ସେ ସକାଶେ ତୋତେ ଅପେକ୍ଷା କରିବାକୁ ହେବ ନାହିଁ । ମୋଟାମୋଟି କିଛି କହୁଛି ଶୁଣିରଖ ।

 

ଭାରତବର୍ଷକୁ ଇକ୍ଷ୍ୱାକୁ ବଂଶର ଦାନ ନିହାତି କମ୍‌ନୁହେଁ । ଏହି ବଂଶର ଆଦିପୁରୁଷ ବ୍ରହ୍ମାଙ୍କ ପୁତ୍ର ମନୁ ଆଉ ମନୁଙ୍କ ପୁତ୍ର ଇକ୍ଷ୍ୱାକୁ । ସେହିଠାରେ ଏହି ନାମରେ ସେହି ବଂଶ ପରିଚିତ ଲାଭକରି ଆସୁଅଛି । ଏମାନେ ହେଲେ ସୂର୍ଯ୍ୟବଂଶୀ । ଏହି ବଂଶରେ ଅତୀତ ତଥା ପୌରାଣିକ ଯୁଗରେ ବହୁ ବିଶିଷ୍ଟ ପୁରୁଷଗଣ ଜନ୍ମଲାଭ କରିଥିଲେ । ତାହାରି ମଧ୍ୟରେ ମାନ୍ଧାତା, ନହୁଷ, ସଗର, ଭଗୀରଥ, ରଘୁ, ହରିଶ୍ଚନ୍ଦ୍ର,ରାମଚନ୍ଦ୍ର ପ୍ରଭୃତି । ରାମଚନ୍ଦ୍ରଙ୍କ ପରେ ଏହି ବଂଶ ବିଭିନ୍ନ ଅଂଶରେ ବିଭକ୍ତ ହୋଇପଡ଼ନ୍ତି ଏବଂ ମୂଳପୀଠ ଅଯୋଧ୍ୟାରୁ ବିଚ୍ଛିନ୍ନ ହୋଇଯାଆନ୍ତି । ସେହି ବଂଶୋଭବ ନାଭି ନାମକ ଜନୈକ ରାଜପୁରୁଷ ଗୋଟିଏ ଖଣ୍ଡ ରାଜ୍ୟରେ ରାଜତ୍ୱ କରୁଥିଲେ । ଶ୍ରୀମଦ୍‌ଭାଗବତରୁ ଜଣାଯାଏ ଋଷଭ ତାଙ୍କର ସନ୍ତାନ । ମାତା ମେରୁଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ ଭୂପୃଷ୍ଠରେ କୈବଲ୍ୟ ପରିବେଷଣାର୍ଥେ ଅର୍ଥାତ୍‌ ପୃଥିବୀରେ କୌବଲ୍ୟମାନେ ମୋକ୍ଷ ମାର୍ଗର ଶିକ୍ଷାଦେବା ସକାଶେ । ଏହି ସକାଶେ ଜୈନ ଶାସ୍ତ୍ରରେ ଋଷଭଙ୍କୁ ଜୈନ ମତବାଦର ପ୍ରଥମ ତୀର୍ଥଙ୍କର ଆଦିନାଥ ନାମରେ ଅଭିହିତ କରାଯାଇଅଛି । ଏହା ହିଁ ହେଲା ଋଷଭଙ୍କ ବିଷୟରେ ପ୍ରଚଳିତ କାହାଣୀ ।

 

ଶତ୍ରୁଞ୍ଜୟକୁ ମନ୍ଦିର ସହର କୁହାଯାଇଥାଏ । ତାହା ମଧ୍ୟରେ ଗୋମୁଖ, ଆଦିନାଥ, କୁମାରପାଳ, ବିମଳସାହି ପ୍ରଭୃତି ଦେବାଳୟଗୁଡ଼ିକ ବିଶେଷ ଆକର୍ଷଣୀୟ । ଏଠାରେ ଆଦିନାଥଙ୍କ ମନ୍ଦିର ବିଶେଷ ପବିତ୍ରତାର ଦାବୀ ରଖେ । ଏହି ଦେବାଳୟ ମଧ୍ୟରେ ମାତା ମେରୁ ଓ ପ୍ରଥମ ତଥା ପ୍ରଧାନ ଶିଷ୍ୟ ଗୁଣଧର ପୁଣ୍ଡରୀକଙ୍କ ପ୍ରତିମୂର୍ତ୍ତି ମୂଳ ବିଗ୍ରହ ସହ ଦେଖିବାକୁ ମିଳିଥାଏ । ତା’ପରେ ଗୋମୁଖାମନ୍ଦିର । ମନେହୁଏ ଏହା ହିଁ ସବୁଠାରୁ ପ୍ରାଚୀନତମ । ମନ୍ଦିରର ଚାରି ଦିଗେ ଚାରିଗୋଟି ମୁଖ । ପ୍ରତ୍ୟେକ ମୁଖଶାଳାରେ ଜଣେ ଜଣେ ତୀର୍ଥଙ୍କରଙ୍କ ମୂର୍ତ୍ତି ପ୍ରତିଷ୍ଠିତ । ଏକ ସଙ୍ଗେ ନିର୍ମିତ ଏ ଚାରିଗୋଟି ମୂର୍ତ୍ତି ଏପରି ଭାବେ ପ୍ରତିଷ୍ଠିତ ଯେ ଯେଉଁପରି ଭାବେ ଯେଉଁ ଦିଗରୁ ଦେଖିଲେ ମଧ୍ୟ କେବଳ ଜଣେ ତୀର୍ଥଙ୍କରଙ୍କୁ ଦେଖିବାକୁ ମିଳିଥାଏ । ଦ୍ୱିତୀୟ ମୁଖ କୌଣସି ରକମ ଦେଖାଯାଏ ନାହିଁ । ଏହି ମନ୍ଦିରଟି ସବୁ ମନ୍ଦିରଠାରୁ ଉଚ୍ଚ । ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ ଦୀର୍ଘ ପଚିଶ ମାଇଲ ଦୂରରୁ ଏହାର ଚୂଡ଼ା ଦର୍ଶନ କରାଯାଇପାରେ । ପଳିତାନର ଏସବୁ ଅମର କୀର୍ତ୍ତି ଦର୍ଶନ କରି ଜୈନ ଶ୍ରମଣ ଉଚ୍ଚାରିତ ନମସ୍କାର ମନ୍ତ୍ର ଉଚ୍ଚାରଣ କରି ନିଜ ନିଜ କର୍ମକ୍ଷେତ୍ରକୁ ଫେରିଚାଲୁ ।

 

ନମୋ ଅରିହନ୍ତାଣାଂ,ନମୋ ସିଦ୍ଧାଣଂ

ନମୋ ଆୟାରିୟାଣଂ ନମୋ ଉପଜ୍ଜାୟାଣଃ

ନମୋ ଳେଏ ସବ୍‌ବ ସାହୁଣ୍‍ଂ

 

ଅର୍ଥାତ୍‌ଅହିତକୁ ନମସ୍କାର ସିଦ୍ଧକୁ ନମସ୍କାର,ଆଚାର୍ଯ୍ୟଙ୍କୁ ନମସ୍କାର, ଉପାଧ୍ୟାୟଙ୍କୁ ନମସ୍କାର ଓ ସମସ୍ତ ସାଧୁମାନଙ୍କୁ ନମସ୍କାର କରୁଅଛି ।

 

ଏଥର ଚକ୍ରବର୍ତ୍ତୀ ଭାୟା,ଗଳ୍ପ ତ ଶୁଣିଲ ? ତା’ବୋଲି ଏହା ଗତ ଜନ୍ମର କଥା ବୋଲି ସତକୁ ସତ ମନେକରି ବସନି । ମୁଁ ଜାତିସ୍ମର ନୁହେଁ ଯେ ସେ ଗୌରବର ଅଧିକାରୀ ହେବି । ବିଗତ ଜୀବନ ତ ଦୂରର କଥା ଏ ଜନ୍ମରେ ମଧ୍ୟ ପଳିତାନ ଦେଖିବା ସୌଭାଗ୍ୟ ମୋର ଘଟିନି । ସେ ଆଶା ବି ନାହିଁ । ଯାହା ଶୁଣାଇଲି ତାହା ଜନୈକ ବିଖ୍ୟାତ ଭ୍ରମଣ କାହାଣୀ ଲେଖକଙ୍କ ଲେଖାରୁ ସଂଗ୍ରହ କରିଥିବା ସାର ବିଶେଷ ମାତ୍ର । ତୁମର ଆଗ୍ରହ ଦେଖି ଏହା କହି ବସିଲି ।

 

ଆଳାପରେ ବାଧା ଦାନ କରି ଗୌତମବାବୁ ଆସି କହିଲେ, ଗାଡ଼ି ଭେରାବଳ ପ୍ରବେଶ କରୁଅଛି । ଷ୍ଟେସନରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ରାଜୀବ ଯାଇ ଟାଙ୍ଗା ଠିକ୍‌କରିଦେବ । ଆପଣମାନେ ଯଥା ଶୀଘ୍ର ବାହାରି ପଡ଼ିବେ ରାଜୀବ ସହିତ । ନ ହେଲେ ପ୍ରଭାସ,ସୋମନାଥ ମନ୍ଦିର ଦେଖି ଫେରିବା ଡ଼େରି ହୋଇଯିବ । ଯେପରି ବିନା ନୋଟିସରେ ସେ ଆସିଥିଲେ ସେପରି ନିର୍ଦ୍ଦେଶ ଶୁଣାଇଦେଇ ଚାଲିଗଲେ ।

 

ଯଥା ସମୟରେ ଟ୍ରେନ୍‌ଯାଇ ଭେରାବଳ ଷ୍ଟେସନରେ ପହଞ୍ଚିଲା । ଆମେମାନେ ପ୍ରସ୍ତୁତ ଥିଲୁ । ସଙ୍ଗେ ସଙ୍ଗେ ବାହାରି ପଡ଼ିଲୁ । କରିତକର୍ମୀ ବ୍ୟକ୍ତି ରାଜୀବ । ସେ ଆମ ଆଗରୁ ଦ୍ରୁତ ଆଗେଇ ଯାଇ ଟାଙ୍ଗା ଠିକ୍‌କରିନେଲା । ଆମମାନେ ଯାଇ ବସୁ ବସୁ ଟାଙ୍ଗା ଛୁଟିବାକୁ ଲାଗିଲା ।

 

ପଥ ମଧ୍ୟରେ ଅସଂଖ୍ୟ କବର ଦେଖିବାକୁ ମିଳିଲା । ଟାଙ୍ଗାବାଲା ମୁଖରୁ ଶୁଣିଲି ଏସବୁ କବର ସୋମନାଥ ମନ୍ଦିର ଲୁଣ୍ଠନକାରୀ ମୁସଲମାନ ସେନାନୀଙ୍କର । ଷ୍ଟେସନର ଅଳ୍ପ ଦୂରଠାରୁ ଆରମ୍ଭ ହୋଇଛି ମାଛ ଶୁଖାଇବା ବ୍ୟବସ୍ଥା । ଲମ୍ବା ଲମ୍ବା ଦଉଡ଼ି ପାଞ୍ଚ ଛଅ ଧାଡ଼ିରେ ଟାଣିନେଇ ତାହାରି ଉପରେ ମାଛ ସବୁ ଶୁଖାଯାଏ । ନାନା ଧରଣର ସାମୁଦ୍ରିକ ମାଛ । ମାଇଲ ମାଇଲ ଧରି ସମସ୍ତ ସାଗର ଉପକୂଳ ପ୍ରାୟ ଏଥିରେ ପରିପୂର୍ଣ୍ଣ । ସେଇ ଶୁଖିଲା ମାଛର ଦୁର୍ଗନ୍ଧ ମଧ୍ୟ ଦେଇ ସମସ୍ତ ପଥ ଅତିକ୍ରମ କରିବାକୁ ହେଲା । ସେ ଦୁର୍ଗନ୍ଧ ଆମ ପକ୍ଷେ ଅସହ୍ୟ । ଅଥଚ ସ୍ଥାନୀୟ ଲୋକଙ୍କର ଦେହ ସୁହା ହୋଇଗଲାଣି । ଶୁଖିଲା ମାଛ(ଶୁଖୁଆ) ରପ୍ତାନି ଏଠାରେ ପ୍ରଧାନ ଜୀବିକା-। ଏହି ସବୁ ମାଛ ଖରାରେ ଶୁଖିଲା ପରେ ବଡ଼ ବଡ଼ ବାକ୍‌ସରେ ଭର୍ତ୍ତି ହୋଇ ବିଦେଶକୁ ଚାଲାଣ ହେବ । ବିଭିନ୍ନ ଦେଶରେ ଶୁଖୁଆ ଖାଇବା ଲୋକର ଅଭାବ ନାହିଁ । ସେ ସବୁ ସ୍ଥାନରେ ଭାରତୀୟ ମାଛର ଆଦର ବେଶି । ତେଣୁ ଶୁଖୁଆ ରପ୍ତାନି ଦ୍ୱାରା ବେଶ୍‌କିଛି ବୈଦେଶିକ ମୁଦ୍ରା ଭାରତ ସରକାର ପାଇଥାଆନ୍ତି ।

 

ଭେରାବଳ ଷ୍ଟେସନଠାରୁ ପ୍ରଭାସର ଦେହୋତ୍ସର୍ଗ ଘାଟ ପ୍ରାୟ ତିନି ମାଇଲ । ଏହି ଦୀର୍ଘପଥ ଧରି ଯେତେ ଦୂର ନଜର ଯାଏ କେବଳ କବର ଆଉ କବର ଦେଖାଯାଏ । ଯେପରି ଏକ କବରପୁରୀ ମଧ୍ୟଦେଇ ରାଜପଥ ଚାଲିଯାଇଅଛି ତ୍ରିବେଣୀ ସଙ୍ଗମ ପର୍ଯ୍ୟନ୍ତ । କପିଳା, ହିରଣ୍ୟ ଓ ସରସ୍ୱତୀର ମିଳିତ କ୍ଷେତ୍ର ପ୍ରଭାସର ସାଗର ସୈକତ ପବିତ୍ର ତୀର୍ଥରୂପେ କେଉଁ ଆଦିମ ଯୁଗରୁ ପ୍ରସିଦ୍ଧି ଲାଭକରି ଆସୁଅଛି । ଏହାର ମନୋରମ ପରିବେଶ ମଧ୍ୟରେ ବହୁ ପୁଣ୍ୟାର୍ଥୀ ତ୍ରିବେଣୀ ସଙ୍ଗମରେ ପୁଣ୍ୟ ସ୍ନାନ କରି ଜୀବନକୁ ଧନ୍ୟ କରନ୍ତି ।

 

ଦେହୋତ୍ସର୍ଗ ଘାଟ ସେହି ଜାଗା,ଯେଉଁଠି ଅର୍ଜ୍ଜୁନ ଓ ଜରା ଶ୍ରୀକୃଷ୍ଣଙ୍କ ମରଦେହକୁ ସତ୍କାର କରିଥିଲେ । ସେ ସମୟରେ ଘାଟ ନିକଟରେ ଗୋଟିଏ ବିରାଟକାୟ ଚନ୍ଦନ ଗଛ ଥିଲା । ଦୁହିଁଙ୍କ ଚେଷ୍ଟାରେ ସେହି ମହତୀ ବୃକ୍ଷର ସମସ୍ତ ଅଂଶ ପୋଡ଼ି ପାଉଁଶ ହୋଇଗଲା;କିନ୍ତୁ କୃଷ୍ଣଙ୍କ ଜଡ଼ ଶରୀରର ହସ୍ତ ଆଉ ପାଦ ଅଂଶ ବ୍ୟତୀତ ସେହି ପ୍ରଜ୍ଜ୍ୱଳିତ ଅଗ୍ନିଶିଖା ଶରୀରର ଅନ୍ୟ କୌଣସି ଅଂଶକୁ ସ୍ପର୍ଶ କରିପାରିଲା ନାହିଁ । କିଂକର୍ତ୍ତବ୍ୟବିମୂଢ଼ ଅର୍ଜ୍ଜୁନ ନିକଟସ୍ଥ ଜଙ୍ଗଲରୁ ପୁନଶ୍ଚ କାଠ ସଂଗ୍ରହ କରିବାପାଇଁ ଭାବୁଛନ୍ତି ଏହି ସମୟରେ ସହସା ଶାନ୍ତ ସମୁଦ୍ର ଉତ୍ତାଳ ହୋଇ ଉଠିକୂଳ ଲଂଘନ କରି ମାଡ଼ିଆସିଲା । ଯେଉଁ ଅର୍ଜ୍ଜୁନ ଶର ମାଧ୍ୟମରେ ସାଗରକୁ ବନ୍ଧନ କରି ସୁଗନ୍ଧ ପୁଷ୍ପ ଆଣି ପାରିଥିଲେ, ତ୍ରେତୟା ଯୁଗର ଭକ୍ତପ୍ରବର ବୀର ହନୁମାନଙ୍କୁ ବିସ୍ମିତ କରି,ସେଇ ସବ୍ୟସାଚୀଙ୍କୁ ଖାତିର ନ କରି ସେହି ସମୁଦ୍ରର ଉତ୍ତାଳ ଜଳରାଶି ଚିତାସ୍ଥିତ କୃଷ୍ଣଙ୍କ ଅର୍ଦ୍ଧଦଗ୍‌ଧ ଶରୀରକୁ ଭସାଇ ନେଇଗଲା । ଦୁଇ ବିଖ୍ୟାତ ଧନୁର୍ଦ୍ଧର, ଜଳକା ପାଲଟି କ’ଣ ହେଲା ଊପଲବ୍‌ଧି କରିବା ପୂର୍ବରୁ ନିୟତି ତା’ର କାମ ସୁଚାରୁ ରୂପେ କରିଗଲା ।

 

ତା’ପରେ ଜରାଶବର ଢେଉ ସାଥିରେ ତାଳରଖି ସେହି ଅର୍ଦ୍ଧଦଗ୍‌ଧ କଳେବରର ଅନୁସରଣ କରିବାରେ ଲାଗିଲେ । କୃଷ୍ଣଙ୍କ ଶରୀରର ଏହି ଅର୍ଦ୍ଧଦଗ୍‌ଧ ଅଂଶ ପରବର୍ତ୍ତିକାଳରେ ନୀଳମାଧବ ରୂପେ ସେହି ଜରାଙ୍କ ବଂଶଧରକର୍ତ୍ତୃକ ପୂଜିତ ହେଉଥିଲେ । ସେହି ନୀଳମାଧବ ଯେ ଜଗନ୍ନାଥଙ୍କ ପୂର୍ବ ରୂପ ତାହା ସର୍ବଜନ ବିଦିତ । ତେବେ କ’ଣ ସେହି ଅର୍ଦ୍ଧଦଗ୍‌ଧ ଶରୀରର ପ୍ରତୀକ ଜଗନ୍ନାଥ ହାତ ପାଦହୀନ ଖଣ୍ଡିତ ରୂପ ? ଏହି କଥା ଭାବିବାକୁ ଗଲେ ସ୍ୱତଃସିଦ୍ଧ ଭାବରେ ମନେ ପଡ଼ିଯାଏ ଦୁର୍ଦ୍ଦାନ୍ତ ଶକ୍ତିଶାଳୀ ଯଦୁବଂଶ କଥା । ମହାଭାରତ ଯୁଦ୍ଧରେ ସମସ୍ତ ଦୁଷ୍ଟଗଣଙ୍କୁ ବିନାଶ କରି ନର ନାରାୟଣ କୃଷ୍ଣ ପ୍ରମାଣ କରିଥିଲେ ।

 

‘‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମିଯୁଗେ ଯୁଗେ ।’’

 

କିନ୍ତୁ କାହିଁ ? ମହାଭାରତ ଯୁଦ୍ଧ ଶେଷ ହେଲେ ମଧ୍ୟ ଦୁଷ୍ଟଗଣତ ନିଃଶେଷ ହେଲେନି ? ଜଗତ ଅକଲ୍ୟାଣକାରୀ ଯେଉଁସବୁ ନରପତି ତଥା ଯୋଦ୍ଧାଗଣ ଏହି ଧର୍ମ ଯୁଦ୍ଧରେ ମରଣକୁ ସାନନ୍ଦ ଚିତ୍ତରେ ବରଣ କରିନେଲେ, ସେମାନଙ୍କଠାରୁ ଅଧିକ ନୀତିଜ୍ଞାନ-ଭ୍ରଷ୍ଟ ଭୟଙ୍କର ରୂପୀ ଯଦୁଗଣ ଭୂପୃଷ୍ଠରେ ଆଜସୁଦ୍ଧା ବର୍ତ୍ତମାନ । ଏମାନଙ୍କ ଉପସ୍ଥିତିରେ ଧର୍ମ ସଂସ୍ଥାପନ ସମ୍ଭବ କେଉଁଠି-? କିନ୍ତୁ ଯଦୁବଂଶକୁ ଧ୍ୱଂସ କରିବା ଉପାୟ କ’ଣ ? ଭଗବାନ ହେଲେ ମଧ୍ୟ କୃଷ୍ଣ ମନୁଷ୍ୟ ଦେହଧାରୀ । ଯେଉଁ ବ୍ୟକ୍ତି ଅସୀମର ଅଧିକାରୀ ହୋଇ ମଧ୍ୟ କେଭେଁ ମନୁଷ୍ୟୋତ୍ତର କର୍ମ କରି ନାହାଁନ୍ତି, ସେହି ବ୍ୟକ୍ତିଙ୍କ ପକ୍ଷେ ମାନବୋଚିତ ବାତ୍ସଲ୍ୟ ପ୍ରେମରୁମୁକ୍ତହେବା ସମ୍ଭବ ନୁହେଁ । ତେବେ ବି ସେ ଭୁଲି ପାରିଲେନାହିଁ ନିଜର ଦ୍ୱାପର ଲୀଳା ଶେଷ କରିବା ପୂର୍ବରୁ ଯଦୁବଂଶ ଧ୍ୱଂସର କଥା-

 

ନିୟତି ବିଧାନରେ ଇଚ୍ଛାମୟଙ୍କ ମନୋବାସନା ଅପୂରଣ ରହିଲା ନାହିଁ । ଗାନ୍ଧାରୀଙ୍କ ଅଭିଶାପ ସେହି ଯୁଦୁକୁଳର ଧ୍ୱଂସର କାରଣ ହୋଇଉଠିଲା । ମହାସତୀ ଗାନ୍ଧାରୀଙ୍କୁ ଦର୍ଶନକରିବା ପାଇଁ ଗମନ କଲେ କୃଷ୍ଣଙ୍କ ସହ ପାଣ୍ଡବଗଣ । ସଙ୍ଗରେ ଗାନ୍ଧାରୀଙ୍କ ସର୍ବ କନିଷ୍ଠ ସନ୍ତାନ ଯୁଯୁତ୍ସୁ । ସତୀ ଗାନ୍ଧାରୀଙ୍କ ଅସୀମ ଶକ୍ତିର କଥା ଶ୍ରୀକୃଷ୍ଣ ଜାଣନ୍ତି । ବିବାହ ପରଠାରୁ ଅନ୍ଧ ସ୍ୱାମୀ ଧୃତରାଷ୍ଟ୍ରଙ୍କ ସଙ୍ଗେ ସମଦୁଃଖିନୀ ହୋଇ ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଆଖି ଥାଇ ସୁଦ୍ଧା ଅନ୍ଧୁଣୀ ଜୀବନ ଯାପନ କରିଛନ୍ତି ସେ । ଆଜି ଯଦି ସେ କୌଣସି କାରଣବଶତଃ ଚକ୍ଷୁର ଅନ୍ଧପୁଟୁଳି ଉନ୍ମୋଚନ କରି ଦେଖନ୍ତି, ସେତେବେଳେ ସେହି ଚକ୍ଷୁରୁ ଯେଉଁ ଜ୍ୟୋତି ନିର୍ଗତ ହେବ ତାହାରି ତେଜରୁ ପାଣ୍ଡବଗଣଙ୍କୁ ରକ୍ଷାକରିବା ଶକ୍ତି ତାଙ୍କର ନାହିଁ । ଦୃଷ୍ଟି ପତନମାତ୍ରେ ସମସ୍ତେ ଜଳିପୋଡ଼ି ପାଉଁଶ ହୋଇଯିବେ । ନିଜର ଏହି ଶକ୍ତି ଗାନ୍ଧାରୀ ଭଲଭାବେ ଜାଣନ୍ତି । ଆଉ ଜାଣନ୍ତି ସର୍ବଦ୍ରଷ୍ଟା ସହଦେବ;କିନ୍ତୁ ସେ ଅଭିଶପ୍ତ,କିଏ ନ ପଚାରିଲେ ସେ କିଛି କହିବେ ନାହିଁ । ଶତ ସନ୍ତାନହରା ଜନନୀ ଯଦି ସ୍ୱାଭାବିକ ପ୍ରତିହିଂସା ପରାୟଣ ହୋଇଉଠନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କୃଷ୍ଣ ନିଜେ ଯେତେ ଶକ୍ତିମାନ ହୁଅନ୍ତୁ ନା କାହିଁକି ସତୀଙ୍କ ଅସୀମ ଶକ୍ତି ନିକଟରେ ସେ ନିଷ୍ପ୍ରଭ । ଏକମାତ୍ର ଉପାୟ ଅତୀବ କୌଶଳରେ ନିଜସହ ପଞ୍ଚପାଣ୍ଡବଙ୍କୁ ରକ୍ଷା କରିବା । ଚକ୍ରୀ ଏହି କ୍ଷେତ୍ରରେ ବି ସେହି କୁଟିଳ ନୀତି ପ୍ରୟୋଗରୁ ବିରତ ହେଲେ ନାହିଁ । ତଦ୍ଦ୍ୱାରା ଉପସ୍ଥିତ ବିପଦରୁ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ ନିଜର କଳ୍ପିତ ଧର୍ମରାଜ୍ୟ ପ୍ରତିଷ୍ଠାପାଇଁ ।

 

ପରମୋତ୍ସାହେ ଗାନ୍ଧାରୀଙ୍କ ପୁରରେ ପ୍ରବେଶ କରି ମାତୃ ଦର୍ଶନାର୍ଥେ ସର୍ବ ପ୍ରଥମେ ଯୁଯୁତ୍ସୂଙ୍କୁ ସେ ଆଗେଇଦେଲେ । ଅତି ସାଧାରଣ ଏବଂ ସମ୍ଭାବ୍ୟ ଘଟଣା । ଦୀର୍ଘଦିନ ପରେ ସନ୍ତାନ ଯାଉଛି ଜନନୀ ଚରଣ ବନ୍ଦନା ପାଇଁ । କୌଣସି ସାଧାରଣ ମନୁଷ୍ୟ ପକ୍ଷେ ଏହାର ଅନ୍ତର୍ନିହିତ ଅର୍ଥବୁଝିବା ସହଜ ନୁହେଁ । ଯୁଯୁତ୍ସୁ ଏକାକି ଜନନୀ ନିକଟକୁ ଅଗ୍ରସର ହେବାକୁ ଲାଗିଲେ, ଆଉ ଇତ୍ୟବସରରେ ଶ୍ରୀକୃଷ୍ଣ ଏପରି ଅଭିନୟ କରି ବସିଲେ, ଯଦ୍ଦ୍ୱାରା ଗାନ୍ଧାରୀ ମନେକଲେ କୃଷ୍ଣ ସହ ସମସ୍ତ ପାଣ୍ଡବଗଣ ତାଙ୍କର ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ତାହାଙ୍କୁ ଭକ୍ତି ନିବେଦନ କରିବା ପାଇଁ । ଗାନ୍ଧାରୀ ତାଙ୍କର ସହଜ ବୁଦ୍ଧି ଦେଇ ଶ୍ରୀକୃଷ୍ଣଙ୍କ ଏ କୂଟ ଚାଲ ଧରି ପାରିଲେନାହିଁ । ସ୍ୱାଭାବିକ ଭାବରେ ସେ ମନେକଲେ ତାଙ୍କର ଶତପୁତ୍ରହନ୍ତା ଭୀମଙ୍କ ସହ ପାଣ୍ଡବଗଣ ତାଙ୍କର ଆଗରେ । ପ୍ରତିଶୋଧର ଏହା ପ୍ରକୃଷ୍ଟ ସୁଯୋଗ ମନେକରି ସେ ଆଖିରୁ ଅନ୍ଧପୁଟୁଳି ଖୋଲିଦେଇ ଆଗମନକାରୀଙ୍କୁ ସାଦର ସମ୍ଭାଷଣ ଜଣାଇବାକୁ ଅଗ୍ରସର ହେଲେ କିନ୍ତୁ ତାଙ୍କର ଉଦ୍ଦେଶ୍ୟ ସଫଳ ହେଲାନି । ଅନ୍ଧପୁଟୁଳି ଖୋଲିବା ମାତ୍ରେ ଦୀର୍ଘଦିନ ରୁଦ୍ଧ ଥିବା ନୟନ ଯୁଗଳରୁ ଯେଉଁ ତୀବ୍ର ଜ୍ୟୋତି ନିର୍ଗତ ହେଲା ତାହାରି ଜ୍ୱାଳାରେ ଦଗ୍‌ଧ ହେଲା ଚରଣ ବନ୍ଦନା କରିବା ପାଇଁ ଆଗେଇ ଆସୁଥିବା ତାଙ୍କର ଏକମାତ୍ର କନିଷ୍ଠ ସନ୍ତାନ,ଯୁଯୁତ୍ସୁ । ପାଣ୍ଡବଗଣ ରହିଗଲେ ସେ ଜ୍ୟୋତିଃ ସୀମାର ବାହାରେ । ଜନନୀ ସମ୍ମୁଖରେ ଏକମାତ୍ର ଜୀବିତ ସନ୍ତାନ ଦଗ୍‌ଧ ହୋଇ ପାଉଁଶ ହୋଇଗଲା । ପ୍ରମାଣିତ ହେଲା ପ୍ରବାଦବାକ୍ୟ–

‘‘ଯେ ଲୋକ ଚିନ୍ତେ ପରମନ୍ଦ

ତା’ ମନ୍ଦ ଚିନ୍ତନ୍ତି ଗୋବିନ୍ଦ ।’’

ଏହି ନିର୍ମମ ଆଘାତ ପାଇ ଗାନ୍ଧାରୀ ଆତ୍ମଚେତନା ଲାଭକଲେ । ବିଶ୍ୱନିୟନ୍ତା ଯେଉଁ ପାଣ୍ଡବଗଣଙ୍କ ରକ୍ଷାକର୍ତ୍ତା, ତାଙ୍କର କ୍ଷତି କରିବା କାହାର ସାଧ୍ୟ ନାହିଁ । ତୀବ୍ର ଅନୁଶୋଚନାରେ ଦଗ୍‌ଧ ହୋଇ ମୁକ୍ତ ଅନ୍ଧପୁଟୁଳି ପୁଣି ଆଖିରେ ବାନ୍ଧିନେଲେ । ସେ ଅନ୍ଧପୁଟୁଳି ପୁଣି ଆଖିରେ ବାନ୍ଧିନେଲେ । ସେ ଅନ୍ଧପୁଟୁଳି ଆଉ ସେ ଜୀବନର ଶେଷ ପର୍ଯ୍ୟନ୍ତ ଖୋଲି ନଥିଲେ । ଖୁବ୍‍ ଅଳ୍ପ ସମୟ ଭିତରେ ଏସବୁ ଘଟଣାମାନ ଘଟିଗଲା । ଇତ୍ୟବସରରେ ସପାଣ୍ଡବେ ଶ୍ରୀକୃଷ୍ଣ ନାନାଦି ମହାର୍ଘ ଉପଚାର ସହ ମହାସତୀ ଗାନ୍ଧାରୀଙ୍କ ଚରଣ ବନ୍ଦନା କଲେ । ସନ୍ତାନହରା ଜନନୀ ଅସୀମ ଧୈର୍ଯ୍ୟ ଅବଲମ୍ବନ କରି ପାଣ୍ଡବଗଣଙ୍କୁ ଶୁଭାଶିଷ ଦେଇ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି କହିଲେ–

‘‘ହେ କେଶବ ! ତୁମେ ପ୍ରଭୂତ ବୁଦ୍ଧିମାନ ଓ ଶକ୍ତିଶାଳୀ । ଇଚ୍ଛା କରିଥିଲେ ତୁମେ ପାଣ୍ଡବ କୌରବଙ୍କ ଏ କଳହ ବନ୍ଦକରି ପାରିଥାନ୍ତ । ଉଭୟଙ୍କର ଆତ୍ମୀୟ ହୋଇ ମଧ୍ୟ ତୁମେ ଦୁଇ ଗୋଷ୍ଠୀକୁ ସଂଯତ ହେବାକୁ ନ ଦେଇ ନିଜର କପଟ କୌଶଳଦ୍ୱାରା ଦୁଷ୍ଟବୁଦ୍ଧିସମ୍ପନ୍ନ କୌରବଗଣଙ୍କୁ ବିନାଶ କରାଇ ଅଛ । ଭାଇ ଭାଇ ମଧ୍ୟରେ କଳହ ସୃଷ୍ଟି କରାଇ ମାଆ ବାପାଙ୍କ ସମ୍ମୁଖରେ ଶତ ଶତ ପୁତ୍ରଙ୍କୁ ମରାଇ ଅଛ । ଯେଉଁ ବ୍ୟକ୍ତି ଶକ୍ତିଥାଇ ମଧ୍ୟ ଅନ୍ୟର କଳହ ଦମନ ନ କରି ତାହାକୁ ଆହୁରି ଉତ୍ତେଜିତ କରାଇବାପାଇଁ ଇନ୍ଧନ ଯୋଗାଇ ଦେଇଥାଏ, ସେ ମଧ୍ୟ କମ୍‍ ଦୋଷୀ ନୁହେଁ । ତୁମେ ସେ ଅପରାଧରେ ଅପରାଧୀ । ସେଥିପାଇଁ ମୋ ଅଭିଶାପ ନିଶ୍ଚୟ ତୁମକୁ ଭୋଗିବାକୁ ହେବ । ଯେପରି ଭାଇ ଭାଇରେ କଳହ କରାଇ କୌରବ ପାଣ୍ଡବକୁଳକୁ ବିନାଶ କରିଅଛ ଏବଂ ଆମରି ଜୀବିତା ଅବସ୍ଥାରେ ତାହା ପ୍ରତ୍ୟକ୍ଷ କରାଇଅଛ, ଠିକ୍‌ସେପରି ତୁମରି ଆଗରେ ତୁମରି ବାହୁଚ୍ଛାୟାତଳେ ବର୍ଦ୍ଧିତ,ଯଦୁବଂଶ ନିଜ ନିଜ ଭିତରେ କଳହ କରି ଧ୍ୱଂସ ହୋଇଯିବେ । ଆଜି ଯେପରି କୌରବ ଲଳନାଗଣ ସ୍ୱାମୀ ପୁତ୍ରହରା ହୋଇ ଆକୁଳ କ୍ରନ୍ଦନରେ ଆକାଶ କମ୍ପେଇ ଦେଉଛନ୍ତି, ଅବିକଳ ସେହିପରି ଯଦୁକୁଳ ଲଳନାଙ୍କ କ୍ରନ୍ଦନ ତୁମକୁ ପ୍ରତ୍ୟକ୍ଷ କରିବାକୁ ହେବ । ଆଜିଠାରୁ ଷଷ୍ଠତ୍ରିଂଶତ ବର୍ଷ ଶେଷ ହେବା ମାତ୍ରେ ଯଦୁକୁଳକୁ ଅବଶ୍ୟ ଏ ଅଭିଶାପ ଗ୍ରାସ କରିବ । ହେ ଚକ୍ରୀ, ସତୀର ଅଭିଶାପରେ ତୁମର ପ୍ରିୟ ସୁଦର୍ଶନ ଗତିଶୂନ୍ୟ ହୋଇପଡ଼ିବ । ଗାନ୍ଧାବୀର ଅଭିଶାପ କେଭେଁ ମିଥ୍ୟା ହେବନାହିଁ ।

ଅଭିଶାପ ଶୁଣି ଶ୍ରୀକୃଷ୍ଣ ବିଚଳିତ ହୋଇଉଠିଲେ ନାହିଁ । ବରଂ ପ୍ରସନ୍ନ ବଦନରେ ଗାନ୍ଧାରୀଙ୍କୁ ଅଭିବାଦନ କରି କହିଲେ, ‘ହେ ଦେବୀ, ହେ ସତୀ ଶିରୋମଣି ! ମହାଶକ୍ତିଶାଳୀ ଯଦୁବଂଶକୁ ମୋ ବ୍ୟତୀତ ଅନ୍ୟ କାହାର ଶକ୍ତି ନାହିଁ ବିନାଶ କରିବା । ଏମାନଙ୍କ ବିନାଶ ବିନା ଭୂପୃଷ୍ଠରେ ଶାନ୍ତି ଅସମ୍ଭବ । ଏନେଇ ମୁଁବହୁବାର ଚିନ୍ତା କରି ମଧ୍ୟ କର୍ତ୍ତବ୍ୟ ସ୍ଥିର କରିପାରୁନଥିଲି । ତୁମର ଏ ଅଭିଶାପ ସେ ପଥ ପରିଷ୍କାର କରି ଦେଲା । ଏ ସକାଶେ ତିଳେ ହେଁ ମୁଁ ଦୁଃଖିତ ନୁହେଁ । ସଂସାରରେ ଏହା ଏକ ଦୃଷ୍ଟାନ୍ତ ହୋଇ ରହିବ ଯେ ବହୁଜନବନ୍ଦିତ କୃଷ୍ଣାବତାରରେ ଭଗବାନ ମଧ୍ୟ ମହାସତୀ ଗାନ୍ଧାରୀର ଅଭିଶାପରୁ ପରିତ୍ରାଣ ପାଇପାରିନଥିଲେ । ପାତିବ୍ରାତ୍ୟର ମହିମା ଏପରି ଅଲଂଘନୀୟ ।

 

ଗାନ୍ଧାରୀ ଶାପ ପ୍ରଦାନ କଲେ । ଶ୍ରୀକୃଷ୍ଣ ମଧ୍ୟ ତାହା ମାନିନେଲେ । ହେଲେ ଏ ବିଶାଳ ଯଦୁବଂଶ ଧ୍ୱଂସ ହେଲେ କିପରି ? କିପରି ବା ଶ୍ରୀକୃଷ୍ଣ ଦ୍ୱାପର ଲୀଳା ଶେଷକରି ମହାପ୍ରୟାଣ କଲେ ? ଏକଥା ସତ୍ୟ ଯେ ଏପରି କିଛି ଗୋଟାଏ କାରଣ ଘଟିଥିଲା-ଯାହା ଗାନ୍ଧାରୀଙ୍କ ଅଭିଶାପକୁ ଫଳବତୀ କରିବାରେ ସାହାୟକ ହୋଇଥିଲା । ସେହି କାରଣ କ’ଣ ଜାଣିବା ପାଇଁ କୌତୂହଳୀ ହେବା ଅତି ସ୍ୱାଭାବିକ । ଏହି କୌତୂହଳ ନିବାଣର କରିବାକୁ ବେଶିଦୂର ଯିବାକୁ ହେବନି । ମହାଭାରତ, ଭାଗବତ ବା ହରିବଂଶ ପୁରାଣ ଦେଖିଲେ ଘଟଣାର ସାମାନ୍ୟ ହେରଫେର ହେଲେ ବି ମୂଳବକ୍ତବ୍ୟ ବା ପରିଣତି ପ୍ରାୟ ଏକ ଭାବେ ଦେଖିପାରିବ ।

 

ମହାଭାରତ ଯୁଦ୍ଧ ପରେ ଅତି ସ୍ୱାଭାବିକ ଭାବରେ ଯଦୁବଂଶ ଦୁର୍ବିବାର ହୋଇ ଉଠିଲେ-। ସମସ୍ତ ସାମାଜିକ ନୀତି ନିୟମକୁ ଜଳାଞ୍ଚଳି ଦେଇ ପ୍ରକାଶ୍ୟ ରାଜପଥରେ ବିଶୃଙ୍ଖଳ ଆଚରଣମାନ କରି ବୁଲିଲେ । ଯାହା ପ୍ରତିରୋଧ କରିବା କୃଷ୍ଣ ବଳରାମଙ୍କ ପକ୍ଷେ ପ୍ରାୟ ଅସମ୍ଭବ ଥିଲା । ଏହିପରି ଏକ ଅସମ୍ବୃତ ସମୟରେ କୃଷ୍ଣକୁମରଗଣ ଦେଖିଲେ, ବିଶ୍ୱାମିତ୍ର,କଣ୍ୱ ଓ ନାରଦ ମିଳିତଭାବେ ମୃଦୁ ପଦକ୍ଷେପରେ କୃଷ୍ଣ ଦର୍ଶନ ମାନସରେ ଆଗେଇ ଆସୁଛନ୍ତି । ଏହା ଦେଖି କୁମରଗଣଙ୍କ କୌତୂହଳ ଲିପ୍‌ସା ପ୍ରବଳରୁ ପ୍ରବଳତର ହୋଇଉଠିଲା । ସଙ୍ଗେ ସଙ୍ଗେ କୌତୁକ ପ୍ଳାନ ମଧ୍ୟ ସ୍ଥିର ହୋଇଗଲା । ସେମାନେ ଶାମ୍ବଙ୍କୁ ନାରୀବେଶରେ ସଜ୍ଜିତ କରାଇ ପେଟରେ ଏକ କନା ପୁଟୁଲା ଲୁଚାଇ ରଖି ଗର୍ଭବତୀ ରମଣୀ ରୂପେ ସଜ୍ଜିତ କରାଇଲେ ଏବଂ ସେହି ରମଣୀରୂପୀ ଶାମ୍ବଙ୍କୁ ଅଗ୍ରତେ ରଖି ଋଷିତ୍ରୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ, ସେମାନଙ୍କ ପ୍ରତି ଯଥାଯୋଗ୍ୟ ମାନ୍ୟ ପ୍ରଦର୍ଶନ ନକରି ବ୍ୟଙ୍ଗଭରା କଣ୍ଠରେ ପଚାରିଲେ ‘‘ ହେ ମହର୍ଷିଗଣ ! ସମ୍ମୁଖସ୍ଥ ଯଦୁକୂଳ ବଧୂଙ୍କ ଗର୍ଭବାସ ସମୟ ଅତିକ୍ରାନ୍ତ ହେଲେ ମଧ୍ୟ କୌଣସି ସନ୍ତାନ ଭୂମିଷ୍ଠ ହେଉନାହିଁ-। ଗର୍ଭ ଯନ୍ତ୍ରଣାରେ ସୁନ୍ଦରୀ ମ୍ରିୟମାଣ । ଆପଣମାନେ ସର୍ବଜ୍ଞ ଏବଂ ଭବିଷ୍ୟତ ବକ୍ତା ମଧ୍ୟ-। ଦୟାକରି କୁହନ୍ତୁ ଏ ଗର୍ଭଯନ୍ତ୍ରଣାରୁ କେବେ ମୁକ୍ତି ପାଇପାରିବେ ସେ ଏବଂ କି ସନ୍ତାନ ପ୍ରସବ କରିବେ-

 

ଯେ ଯେତେ ବଡ଼ ହେଉ ବା ମହାନ ହେଉ ଯେତେବେଳେ ବିନାଶ କାଳ ଉପସ୍ଥିତ ହୁଏ ସେତେବେଳେ ସମସ୍ତ ବୃଦ୍ଧିବୃତ୍ତି ଲୋପ ପାଇଯାଏ । ମନରେ ବିପରୀତ ବୃଦ୍ଧିର ପ୍ରକ୍ରିୟା ଆଧିପତ୍ୟ ବିସ୍ତାର କରେ । ହିତ ବଚନ ପିତାପରି ମନେହୁଏ । ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ :

 

‘‘ହେମ କୁରଙ୍ଗୀ ନଚ ପୂର୍ବବାର୍ତ୍ତା

ତସ୍ମିନ ଗୀୟତେ ବେଦ ପୁରାଣ ଗାଥା ।

ତଥାପି ଦୃଷ୍ଟ୍ୱା ରଘୁନନ୍ଦନେନ

ବିନାଶ କାଳେ ବିପରୀତ ବୃଦ୍ଧି ।’’

 

ଯଦୁକୁଳକୁ ବିନାଶ କାଳ ଗ୍ରାସକରି ବସିଲାଣି । ନ ହେଲେ ଶ୍ରୀକୃଷ୍ଣ ଔରସଜାତ କୁମାରଗଣ ବୟସ୍କ ହୋଇ ସୁଦ୍ଧା ବାଳଜନୋଚିତ ଚପଳତା ପ୍ରକାଶ କରନ୍ତେ କାହିଁକି ? କାହିଁକି ବା ବିଶ୍ୱାମିତ୍ର,କଣ୍ୱ ଓ ନାରଦ ମତାନ୍ତରେ ଋଷିଗଣ ଯଥା :–

 

‘‘ବିଶ୍ୱାମିତ୍ରୋଽସ୍ଥିତ କଣ୍ୱୋ ଦୁର୍ବାସା ଭୃଗୁରଙ୍ଗିରା

କଶ୍ୟପୋ ବାମଦେବୋଽତ୍ରିବଂଶିଷ୍ଠୋ ବଶୀ ନାରଦଃ ।’’

 

ଏହି ସର୍ବଜନ ପୂଜିତ ଋଷିଗଣଙ୍କୁ ଯଥାଯୋଗ୍ୟ ମାନ୍ୟ ପ୍ରଦାନ ନ କରି ଇତର ଜନୋଚିତ ଆଚରଣ ପ୍ରକାଶ କରନ୍ତେ ?

 

କୁମାରମାନଙ୍କ ପ୍ରଶ୍ନ ଅତିବଡ଼ି ଜଗନ୍ନାଥ ତାଙ୍କର ଭାଗବତରେ ଅତି ସୁଲଳିତ ଭାଷାରେ ପ୍ରକାଶ କରିଛନ୍ତି । ହେ ମୁନିଗଣ !

 

‘‘ତୁମେ ସର୍ବଜ୍ଞ ଜନସାରକି       ଅଛି ଗଭରେ ଏହାର

ପୁତ୍ର ଦୁହିତା କିବା ଜାତ      ମାୟା ନ କରି କହ ସତ ।’’

 

ସର୍ବଜ୍ଞ ମୁନିଗଣ କୃଷ୍ଣ କୁମରଗଣଙ୍କ ଏହି ବାଚଳତା ସହଜରେ ଧରିପାରିଲେ । ଯେପରି କାଳ କେଶ ଆକର୍ଷଣ କରି ଶାମ୍ବାଦି ଧୀଶକ୍ତିସମ୍ପନ୍ନ କୁମରଗଣଙ୍କୁ ପୂଜ୍ୟପୂଜା ବ୍ୟତିକ୍ରମ କରାଇ ଥଟ୍ଟା ତାମସାର ଆଶ୍ରୟ ନେବାକୁ ବାଧ୍ୟ କରାଗଲା । ଠିକ୍‌ସେପରି କାଳଦ୍ୱାରା ପ୍ରେରିତ ଜିତେନ୍ଦ୍ରିୟ ବ୍ରହ୍ମର୍ଷିଗଣ କୁମରଗଣଙ୍କ କୃତ ପରିହାସକୁ ସହଜଭାବେ ଗ୍ରହଣ ନକରି ନିଜକୁ ଅପମାନିତ ମନେକରି କହିଲେ–

 

‘‘ଏବଂ ପ୍ରଳବ୍‌ଧା ମୁନୟସ୍ତାବଚୁ କୁପିତା ନୃପ

ଜନୟପତି ବୋମନ୍ଦା ମୂଷଳଂ କୁଳ ନାଶନଂ ।’’

 

ଅର୍ଥାତ୍‌ :

 

ଏହାର ଗର୍ଭେ ଅଛି ବାଳ      ନିଷ୍ଠୁର ଲୌହର ମୂଷଳ

ଆଜ ଏ ଗର୍ଭ ପ୍ରସବିବ      ତୁମର ବଂଶ ବିନାଶିବ ।’’

 

ଅଭିଶାପ ପ୍ରଦାନ କରି ମହର୍ଷିଗଣ ନିଜ ନିଜ ପଥ ଧରି ଚାଲିଗଲେ, ଯଦୁବଂଶ ଉପରେ ଏକ ପ୍ରଚଣ୍ଡ ଆଘାତ ଦେଇ । କୃଷ୍ଣକୁମରଗଣ ଶାପଗ୍ରସ୍ତ ହୋଇ ଭୀତପୂର୍ଣ୍ଣ ମନରେ ଶାମ୍ବଙ୍କ କୃତ୍ରିମ ଉଦର ଖୋଲି ଦେଖିଲେ ଯେଉଁସବୁ କୋମଳ ଦ୍ରବ୍ୟ ବସନ ଆଦି ମାଧ୍ୟମରେ ତାହାକୁ ସ୍ଫିତୋଦର କରିଥିଲେ, ତାହା ଲୌହ ମୂଷଳରେ ପରିଣତ ହୋଇ ଉଠିଛି । ଆଚ୍ଛାଦନ ଅପସାରଣ ମାତ୍ରେ ଅଭିଶପ୍ତ ମୂଷଳ କୁପତିତ ହୋଇ ଭୀତିଜାତ କରାଇଲା । ଏହା ଦେଖି ଭୀତତ୍ରସ୍ତ କୁମାରଗଣ ସମସ୍ତ ଘଟଣା ରାଜା ଉଗ୍ରସେନଙ୍କୁ ଜଣାଇଲେ । ମତାନ୍ତରେ ଶ୍ରୀକୃଷ୍ଣଙ୍କୁ ନିଜର ଅପକର୍ମ ଫଳ କଥା ଜଣାଇ ପ୍ରତିକାର ପ୍ରାର୍ଥନା କଲେ । ସମସ୍ତ ଶୁଣି ଶ୍ରୀକୃଷ୍ଣ ନିଜ ସନ୍ତାନଗଣଙ୍କ ଏପରି ଗର୍ହିତ କର୍ମ କ୍ଷମାଚକ୍ଷୁରେ ଦେଖିଲେ ନାହିଁ । ସେ ବୁଝି ପାରିଥିଲେ ଭବିତବ୍ୟ ଅନିବାର୍ଯ୍ୟ ।

 

‘‘ଭଗବାନ ଜ୍ଞାତ ସର୍ବାର୍ଥ ଇଶ୍ୱରୋଽପି ତଦନ୍ୟଥା

କତ୍ତୃଂ ନୈଚ୍ଛଦ, ବିପ୍ରଶାପଂ କାଳରୂପ୍ୟ ନ୍ୱ ମୋଦିତଃ ।’’

 

ସେ ସକାଶେ କୁମାରଗଣଙ୍କୁ କୌଣସି ଆଶ୍ୱାସନା ଦେଲେନାହିଁ କି ପ୍ରତିକାରର କୌଣସି ବ୍ୟବସ୍ଥା କଲେନି ।

 

ନିରାଶ କୁମାରଗଣ ଅଗତ୍ୟା ରାଜା ଉଗ୍ରସେନ ଅଗ୍ରତେ ଉକ୍ତ ମୂଷଳ ରଖି ଆଦ୍ୟୋପ୍ରାନ୍ତ ସମସ୍ତ ଘଟଣା ଜଣାଇଲେ । ଉଗ୍ରସେନ ନିଜ ବଂଶକୁ ରକ୍ଷାକରିବା ଉଦ୍ଦେଶ୍ୟରେ ଭୀମସେନଙ୍କୁ ଅନୁରୋଧ କଲେ । ଭୀମସେନ ପଥରରେ ମୂଷଳକୁ ଘଷି ଘଷି ଶେଷକରି ସାଗର ଜଳରେ ମିଶାଇଦେବା ପାଇଁ ଠିକ୍‌ କଲେ ।

 

‘‘ତଚ୍ଚୂର୍ଣ୍ଣୟିତ୍ୱା ମୂଷଳଂ ଯଦୁରାଜଃ ସଆହୁକଃ

ସମୁଦ୍ର ସଲିଳେଽପ୍ରସ୍ୟତ୍ତୌହଞ୍ଚାସ୍ୟା ବଶେଷିତଂ ।’’

 

ଉଗ୍ରସେନଙ୍କର ଅନୁରୋଧରେ ଭୀମସେନ ସେହି ଲୌହ ମୂଷଳକୁ ନେଇ ଏହି ପ୍ରଭାସ କ୍ଷେତ୍ରରେ ଏକ ବିରାଟ ପାହାଡ଼ ପଥର ଉପରେ ଘଷିବାକୁ ଲାଗିଲେ ।

 

ଅନେକ ଦିନ ଘଷି ରୋଷେ      ଅଳପ ରହେ ଅବଶେଷେ ।

ଅଙ୍ଗୁଳି ଛିଡ଼େ ଘରଷଣେ            ନିଷ୍ଠୁର ନିଃଶେଷ କରଣେ ।

ନପାରି ପକାଇଲେ ଜଳେ      ଘୋର ଗଭୀର ମୀନ ଗିଳେ ।

 

ସେହି ଅଭିଶପ୍ତ ଲୌହପିଣ୍ଡ ନଷ୍ଟ ହେଲାନି । ବ୍ରାହ୍ମଣ ଅଭିଶାପ ଫଳ ଭୋଗିବା ପାଇଁ ପଥ ପରିଷ୍କାର ହୋଇ ଉଠିଲା ।

 

ମତ୍ସ୍ୟୋ ଗୃହୀତୋ ମତ୍ସ୍ୟଘ୍ନୈର୍ଜାଲେ ନାନ୍ୟର୍ମ ହାର୍ଣ୍ଣବେ

ତସ୍ୟୋଦର ଗତଂ ଲୌହଂସଶଲ୍ୟୋ ଲୁବ୍‌ଧ କୋଽକରୋତ୍‌ ।

 

ଉଗ୍ରସେନଙ୍କ ସମସ୍ତ ସାବଧାନତା, ଭୀମସେନଙ୍କ ସକଳ ପ୍ରଚେଷ୍ଟା ବିଫଳରେ ପରିଣତ ହେଲା । ଆପାତ ଦୃଷ୍ଟିରେ ତାହା ଧରା ନ ପଡ଼ିଲେ ମଧ୍ୟ ସବୁରି ଅଜ୍ଞାତସାରରେ ନିୟତି ତା’ର କର୍ମ କରି ଚାଲିଲା । ଲୌହମୂଷଳ ଘର୍ଷିତ ଚୂର୍ଣ୍ଣ ସୃଷ୍ଟି କଲା ଏରକାବନ (ଏରକା ମାନେ ଶରଗଛ ବା ତୃଣଶର ବା ଗ୍ରନ୍ଥିବିହୀନ ଏକପ୍ରକାର ଦାଢ଼ୁଆ ତୃଣ) ଶେଷ ସାମାନ୍ୟ ଲୌହଖଣ୍ଡ ଯାହାକୁ ହାତରେ ଧରି ଘଷିବା ଆଉ ସମ୍ଭବ ନଥିଲା, ଭୀମସେନ ସମୁଦ୍ର ଜଳକୁ ନିକ୍ଷେପ କଲେ । ଜଳରେ ପତନ ମାତ୍ରେ ନିଜର ଖାଦ୍ୟ ମନେକରି ଗୋଟିଏ ମାଛ ତାହା ଗିଳିଦେଲା ଏବଂ ଏକ ସମୟରେ ସେହି ମତ୍ସ୍ୟ ଜରାଶବରର ଜାଲରେ ଧରାପଡ଼ିଲା । ଜରା ମାଛକୁ କାଟିବା ସମୟରେ ତାହାର ପେଟ ଭିତରେ ଉକ୍ତ ଲୌହଖଣ୍ଡ ପାଇଲେ ଏବଂ ଉତ୍କୃଷ୍ଟ ଧରଣର ଇସ୍ପାତ ଦେଖି ସେଥିରେ ଗୋଟିଏ ତୀର ଫଳା ନିର୍ମାଣ କରାଇ ନିଜର ତୂଣୀରର ସାଇତି ରଖିଲେ । ବିଧିର ବିଧାନୁଯାୟୀ ଯେଉଁ ଯଦୁଗଣ ବ୍ରହ୍ମଶରରେ ମଧ୍ୟ ଅବଧ୍ୟ ଥିଲେ, ସେହି ମହାବଳ, ବୀର୍ଯ୍ୟଶାଳୀ ଯଦୁବୀରଗଣ କାଳପ୍ରତିକୂଳ ହେବା ହେତୁ ବ୍ରହ୍ମଶାପରୁ ଜାତ ସାମାନ୍ୟ ଏରକାର ଆଘାତରେ ପ୍ରାଣ ବିସର୍ଜନ ଦେଇବସିଲେ ଏବଂ ସ୍ୱୟଂ ଯଦୁପତି ବ୍ୟାଧସଞ୍ଚିତ ସେହି ଲୌହ ନିର୍ମିତ ତୀର ଫଳକଦ୍ୱାରା ନିଜର ଲୀଳା ପରିସମାପ୍ତି କଲେ । ଏ ସମସ୍ତ ଘଟଣା ଘଟିଥିଲା ପ୍ରଭାସ କ୍ଷେତ୍ରର ଏହି ପବିତ୍ର ମାଟିରେ, ଯାହା ସ୍ପର୍ଶକରି ଆଜି ଆମେ ଧନ୍ୟ ହେବୁ ।

 

ଯଦୁବଂଶ ଧ୍ୱଂସ ନେଇ ଆଉ ଟିକିଏ ବ୍ୟାଖ୍ୟା କରିବାକୁ ଗଲେ ଜଣାପଡ଼େ, ମହାଭାରତ ଯୁଦ୍ଧପରେ ଶନି, ଚେଦି,ଅନ୍ଧକ, ବାଷ୍ଣେବ, ଭୋଜ,କୁକ୍‌କୁର ଓ ସୃଞ୍ଜୟ ଏହି ସାତ ଶାଖା ଦେଇ ଗଠିତ ବିଶାଳକୁଳ ଗହଣରେ ଶ୍ରୀକୃଷ୍ଣ ପରମାନନ୍ଦେ ପଞ୍ଚତ୍ରିଂଶତିତମ ବର୍ଷ ଅତିବାହିତ କରିନେଲେ । ପ୍ରତିପତ୍ତି, ଐଶ୍ୱର୍ଯ୍ୟ ସମସ୍ତ ଥିଲେ ମଧ୍ୟ କୃଷ୍ଣଙ୍କ ମନରେ ଶାନ୍ତି ନଥିଲା । ଯାଦବଗଣ ଗୋଷ୍ଠୀ ବିବାଦରେ ମତ୍ତ ରହି ନିଜର ଶ୍ରେଷ୍ଠତ୍ୱ ପ୍ରତିଷ୍ଠିତ କରିବା ସକାଶେ ସଦାସର୍ବଦା ଚେଷ୍ଟିତ ଥିଲେ । ଶ୍ରୀକୃଷ୍ଣଙ୍କ ବିରାଟ ବ୍ୟକ୍ତିତ୍ୱ ନିକଟରେ ମୁଣ୍ଡଟେକି ଏ ବିବାଦ ଠିଆ ନ ହୋଇପାରିଲେ ମଧ୍ୟ ତୁଷର ନିଆଁ ଭଳି ଏହା ଭିତରେ ଭିତରେ ପ୍ରସାର ଲାଭ କରୁଥିଲା । ଏସବୁ ତାଙ୍କର ଅଜ୍ଞାତ ନ ଥିଲା । ତେବେ ପ୍ରତିକାରର ବ୍ୟବସ୍ଥା କରିବା ମଧ୍ୟ ସହଜ ନଥିଲା । ଏହିପରି ମାନସିକ ଅଶାନ୍ତି ଭୋଗୁଥିବା କଥା ଶ୍ରୀକୃଷ୍ଣ ନିଜେ ନାରଦଙ୍କୁ ଦୁଃଖକରି କହିଥିଲେ । ତାହା ଶାନ୍ତି ପର୍ବରେ ଦେଖିବାକୁ ମିଳେ । ଏହି ପରିସ୍ଥିତି ମଧ୍ୟଦେଇ ଗାନ୍ଧାରୀ ପ୍ରଦତ୍ତ ଅଭିଶାପ ସମୟ ଆସି ପହଞ୍ଚିଲା । ସେହି ପ୍ରଥମ, ଦ୍ୱାରକାରେ ବ୍ରହ୍ମଶାପରୂପୀ କାଳ ପ୍ରବେଶ କଲା । ଏହି ଅନୁଭୂତି ସର୍ବଜ୍ଞ ଶ୍ରୀକୃଷ୍ଣ ଜାଣିପାରିଲେ:କିନ୍ତୁ ମଦମତ୍ତ ଯାଦବଗଣ କୌଣସି ଦୁର୍ଘଟଣା ପ୍ରତି ସଜାଗ ନହୋଇ ପୂର୍ବଭଳି ଆତ୍ମକଳହରେ ଅଧିକ ଲିପ୍ତ ହେବାକୁ ଲାଗିଲେ । ଶ୍ରୀକୃଷ୍ଣ ଜାଣିପାରିଲେ, ଯଦୁବଂଶର ଧ୍ୱଂସକାଳ ଆସନ୍ନ । ଏହି ଧ୍ୱଂସ କର୍ମର ପୁରୋଧା ତାହାଙ୍କୁ ହିଁ ହେବାକୁ ହେବ । ସତୀ ଗାନ୍ଧାରୀଙ୍କ ଅଭିଶାପ, ବ୍ରାହ୍ମଣ ଅଭିଶାପ ଧ୍ୱଂସର ଉପାଦାନ ଯେତେ ସୃଷ୍ଟି କରୁନା କାହିଁକି ଯେତେକ୍ଷଣ ସେ ନିଜେ ପଥ ଆଗୋଳି ଠିଆ ହୋଇଥିବେ, ସେ ସବୁ ଅମଙ୍ଗଳ ମଙ୍ଗଳମୟଙ୍କୁ ଅତିକ୍ରମ କରି ଯଦୁକୂଳକୁ ସ୍ଫର୍ଶ କରିପାରିବ ନାହିଁ । ଏହକୁ ସମୂଳେ ବିନାଶ କରିବା ଶକ୍ତି ମଧ୍ୟ ସେ ସମୟରେ ସମଗ୍ର ଭାରତରେ କାହାର ନଥିଲା ।

 

ଶ୍ରୀକୃଷ୍ଣଙ୍କ ବାହୁଚ୍ଛାୟା ତଳେ ରହି ଯଦୁଗଣ ଯେପରି ମହାଶକ୍ତିଶାଳୀ ହୋଇଉଠିଲେ, ସେପରି ଦୂର୍ନୀତିପରାୟଣ, ସୁରାପାୟୀ,ଅନାଚାରୀ ହୋଇ ଜ୍ଞାତକଳହେ ସର୍ବଦା କାଳତିପାତ କରିବାରେ ଲାଗିଲେ । ଏହି ସମୟରେ ଦ୍ୱାରକାରେ ସୁରା ତୟାରିର ଏପରି ପ୍ରାବଲ୍ୟ ଦେଖାଯାଇଥିଲା ସେ ସୁରା ତୟାରକାରୀକୁ କଠୋର ଦଣ୍ଡ ଏବଂ ଆବଶ୍ୟକ ହେଲେ ଶୂଳି ପର୍ଯ୍ୟନ୍ତ ଶାସ୍ତିଦେବା କଥା ରାଜାଦେଶେ ଘୋଷଣା କରାଯାଇଥିଲା । ବିଭିନ୍ନ ପୁରାଣ ଶାସ୍ତ୍ର ଅନୁଧ୍ୟାନ କଲେ ଏକଥା ଜଣାଯାଏ । ସେତେବେଳକୁ ଶ୍ରୀକୃଷ୍ଣ ଶତାଧିକ ବୟସରେ ଉପନୀତ ହୋଇଥିଲେ । ବେଳକୁ ବେଳ ଯଦୁଗଣଙ୍କ ଅନାଚାର ଅଧିକରୁ ଅଧିକ ହେବାକୁ ଲାଗିଲା । ଶ୍ରୀକୃଷ୍ଣ ଦେଖିଲେ ତାଙ୍କର କଳ୍ପିତ ଧର୍ମରାଜ୍ୟ, ଯଦୁବଂଶଦ୍ୱାରା ଆଉ ସମ୍ଭବ ନୁହେଁ । ଦୁଷ୍ଟ ବିନାଶାର୍ଥେ ତାଙ୍କର ଜନ୍ମ । ସନ୍ତାନ ହେଲେ ମଧ୍ୟ ଏମାନେ ନଷ୍ଟଜୀବନ ଅତିବାହିତ କରିବାରେ ଅଭ୍ୟସ୍ତ । ଯଦୁକୂଳକୁ ବିନାଶ କରିବା ତାଙ୍କର କର୍ତ୍ତବ୍ୟ । ସତୀର ବାକ୍ୟ ଏବଂ ବ୍ରାହ୍ମଣଙ୍କ ମର୍ଯ୍ୟାଦା ରକ୍ଷାକରିବା ତାଙ୍କର ଧର୍ମ । ଏପରି ଚିନ୍ତା କରି ପୁଣ୍ୟଭୂମି ପ୍ରଭାସକୁ ନିଜବଂଶ ଧ୍ୱଂସର ଉତ୍କୃଷ୍ଟ କ୍ଷେତ୍ରବୋଲି ସେ ବାଛିନେଲେ । ସେ ଜାଣିଥିଲେ, ଅଭିଶପ୍ତ ଲୌହ ମୂଷଳ ଘର୍ଷଣରୁ ଜାତ ଚୂର୍ଣ୍ଣଦେଇ ସୃଷ୍ଟ ଏରକା ବନ ଏହି ପ୍ରଭାସରେ ବଢ଼ିଉଠୁଛି । ସେହି ଏରକା ହିଁ ହେବ ପରାକ୍ରମଶାଳୀ ଯଦୁବଂଶ ଧ୍ୱଂସର ଚରମ ଆୟୁଧ-

 

ସେହି ସମୟରେ ସମସ୍ତ ଦ୍ୱାରକାବାସୀ କୋକୁଆରୂପୀ କାଳପୁରୁଷ ଭୟରେ ଆତଙ୍କିତ ହୋଇଉଠିଲେ । ବିଭିନ୍ନ ଲୋକ ବିଭିନ୍ନ ରୂପରେ ଏବଂ ପରିବେଶରେ କୋକୁଆର ଅସ୍ତିତ୍ୱ ଅନୁଭବ କଲେ । ଭୀତତ୍ରସ୍ତ ପୁରବାସୀଗଣ ଏହି ଭୟାବହ ଆତଙ୍କରୁ ପରିତ୍ରାଣ ପାଇବା ଆାଶରେ ସର୍ବତାପହାରି ଶ୍ରୀକୃଷ୍ଣଙ୍କ ନିକଟରେ ଗୁହାରୀ କଲେ । ସମସ୍ତ ଶୁଣି ଶ୍ରୀକୃଷ୍ଣ କହିଲେ-ବ୍ରାହ୍ମଣ ଅଭିଶାପଜନିତ ପାପ ଦ୍ୱାରକାରେ ଅନୁପ୍ରବେଶ କରିଅଛି । ସେହି ପାପରୁ ଉଦ୍ଧାର ପାଇବା ସକାଶେ ତୁମେମାନେ ସମସ୍ତେ ନିଜ ନିଜର ସଞ୍ଚିତ ଧନରତ୍ନ ଧରି ପ୍ରଭାସ କ୍ଷେତ୍ରକୁ ଗମନ କର । ସେଠାରେ ରତ୍ନାକର ସଙ୍ଗେ କପିଳା, ହିରଣ୍ୟ ଓ ସରସ୍ୱତୀ ନଦୀ ଏକତ୍ରେ ମିଳିତ ହୋଇଛନ୍ତି । ସେହି ପବିତ୍ର ତ୍ରିବେଣୀ ସଙ୍ଗମରେ ପୁଣ୍ୟସ୍ନାନ କରି ଦାନ ଧ୍ୟାନଦ୍ୱାରା ପାପ ଖଣ୍ଡନ କରି ପୁନଶ୍ଚ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିବ । ଏତଦ୍‌ବ୍ୟତୀତ ଏହି କୋକୁଆ ଆକ୍ରମଣରୁ ଉଦ୍ଧାର ପାଇବାର ଦ୍ୱିତୀୟ କୌଣସି ଉପାୟ ନାହିଁ ।

 

ନିରୁପାୟ ଯଦୁବୀରଗଣ କୋକୁଆ ଭୟରୁ ପରିତ୍ରାଣ ପାଇବା ଆଶାରେ ଶ୍ରୀକୃଷ୍ଣଙ୍କ ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ହେଲେ । ଅନତିବିଳମ୍ବେ ଦାନଧର୍ମ ସକାଶେ ଉପଯୁକ୍ତ ଧନରତ୍ନ ସହ ନିଜ ନିଜ ଯାନବାହନ ଚଢ଼ିସମସ୍ତ ଯଦୁକୁଳ ପ୍ରଭାସଦିଗେ ଯାତ୍ରାକଲେ । ସଙ୍ଗରେ ଦାନଧର୍ମର ଉପକରଣ ଯେପରି ଚାଲିଲା, ସେପରି ଆମୋଦ ପ୍ରମୋଦ ସକାଶେ ଶକଟ ବୋଝାଇ ହୋଇ ଚାଲିଲା ସୋମରସର ବିରାଟ ବିରାଟ ପାତ୍ରମାନ । ରାମକୃଷ୍ଣଙ୍କ ନଜରକୁ ଏହା ଆସିଲେ ମଧ୍ୟ ସେମାନେ ତା’ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେନି ବରଂ ପ୍ରକାରାନ୍ତରେ ଉତ୍ସାହିତ କରାଇଲେ; ଯେହେତୁ ସେ ଜାଣି ପାରିଥିଲେ ଏହା ହିଁ ଏହି ବଂଶର ଶେଷ ପରିଣତି ।

 

ଏକଥା କେବଳ ଯଦୁବଂଶ ପ୍ରତି ପ୍ରଯୁଜ୍ୟ ନୁହେ । ସାଧାରଣ କ୍ଷେତ୍ରରେ ପ୍ରାୟ ଦେଖାଯାଏ ମହାପୁରୁଷଗଣଙ୍କ ସନ୍ତାନମାନେ ସାଧାରଣତଃ ଅପଦାର୍ଥ ହୋଇ ଥାଆନ୍ତି । ତା’ ନହୋଇ ଯଦି ନମସ୍ୟ ବ୍ୟକ୍ତିଙ୍କ ସନ୍ତାନଗଣ ନମସ୍ୟ ହେବା ଯୋଗ୍ୟତା ଅର୍ଜନ କରିପାରିଥାଆନ୍ତେ, ତାହେଲେ ଆଜି ପୃଥିବୀପୃଷ୍ଠ ମହାପୁରୁଷଙ୍କ ଗହଣରେ ଉତ୍‌ଫୁଲ୍ଲିତ ହୋଇ ଉଠୁଥାନ୍ତା; କିନ୍ତୁ ନିୟତିର ବିଧାନ ଅଲଂଘନୀୟ ।

 

ଯାଦବଗଣ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନକରି ଆନୀତ ଧନଦ୍ରବ୍ୟ ଉପଯୁକ୍ତ ପାତ୍ରରେ ଦାନ ଦେଇ ଆମୋଦ ପ୍ରମୋଦରେ ମତ୍ତ ହୋଇ ଉଠିଲେ । ଅବାଧରେ ଚାଲିଲା କାଦମ୍ବରୀ ପାନ । ଲଘୁ ଗୁରୁଜ୍ଞାନ ବିସର୍ଜନ ଦେଇ ସମସ୍ତେ ମତ୍ତହୋଇ ଉଠିଲେ ଆକଣ୍ଠ ସୋମରସ ପାନକରି । ନିବୃତ୍ତ ତ ଦୂରର କଥା ସ୍ୱୟଂ ଶ୍ରୀକୃଷ୍ଣ ଉପସ୍ଥିତ ରହି ଆହୁରି ପାନ କରିବାକୁ ଯଦୁବୀରଗଣଙ୍କୁ ପ୍ରବର୍ତ୍ତାଇଲେ । ଏହା ଦେଖି ବଳରାମ ନିଜବଂଶ ଧ୍ୱଂସ ଅନିବାର୍ଯ୍ୟ ବୋଲି ଧରିନେଇ, ନିଜେ ଏହା ନ ଦେଖିବା ପାଇଁ ସବୁରି ଅଲକ୍ଷ୍ୟେ ଏକ ନିର୍ଜନ ସ୍ଥାନକୁ ଯାଇ ସେଠାରେ ଯୋଗାସେନ ବସି ନିଜର ଦେହତ୍ୟାଗ କଲେ । ପୁରାଣରୁ ଜଣାପଡ଼େ ଯୋଗାବିଷ୍ଟ ବଳରାମଙ୍କ ଶରୀରରୁ ଏକସହସ୍ର ଫଣା ନାଗ ନିର୍ଗତ ହୋଇ ନିକଟସ୍ଥ ବିବର ଭିତର ଦେଇ ପାତାଳରେ ପ୍ରବେଶ କଲା । ବଳରାମରୂପୀ ଶେଷଦେବ ଦ୍ୱାପର ଲୀଳାଖେଳା ପରିସମାପ୍ତି କରି ପୁଣି ସ୍ୱରୂପ ଧରି ସ୍ୱଧାମକୁ ଚାଲିଗଲେ । ବର୍ତ୍ତମାନ ସେ ସ୍ଥାନ ଦେହୋତ୍ସର୍ଗ ଘାଟର ଅଳ୍ପ ଦୂରରେ ଦେଖିବାକୁ ମିଳେ । ସେଠାରେ ବଳରାମଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପାତାଳଗାମୀ ବିବର ଦେଖାଯାଏ । ସୋପାନ ଶ୍ରେଣୀ କ୍ରମଶଃ ନିମ୍ନଗାମୀ ହୋଇ ଯେଉଁ ଅତଳ ପର୍ଯ୍ୟନ୍ତ ଚାଲିଯାଇଛି । ସାମାନ୍ୟ କେତେବର୍ଷ ଆଗେ ବହୁ ତୀର୍ଥଯାତ୍ରୀ ଏହି ସିଡ଼ି ଦେଇ ସେହି ବିବର ମଧ୍ୟରେ ଶେଷସୀମା ଦେଖିବାକୁ ଆଗେଇ ଯାଉଥିଲେ । ଦୁର୍ଘଟଣା ଜନିତ ବହୁ ମୃତ୍ୟୁ ଘଟିବା ହେତୁ ବର୍ତ୍ତମାନ ସରକାର ବିବର ଭିତରେ ପ୍ରବେଶ ନିଷେଧ, ଆଦେଶ ଜାରୀ କରି ଦେଇଛନ୍ତି ଏବଂ ବିଶେଷ ସାବଧାନତା ଅବଲମ୍ବନ କରି କୂପ ମୁଖ ମୋଟାମୋଟା ଲୁହା ଛଡ଼ ଦ୍ୱାରା ଘେରାଇ ଦେଇ ଦ୍ୱାରଦେଶ ସୃଦୃଢ଼ ତାଲା ଦ୍ୱାରା ବନ୍ଦ କରିଦେଇ ଅଛନ୍ତି । ଆଉ ଭିତରକୁ ଯିବାର କୌଣସି ପଥ ନାହିଁ । ତେଣୁ ଯାତ୍ରୀଗଣ ବାହାରୁ ବିବର ମୁଖର କିୟଦଂଶ କରି ଫେରିଥାନ୍ତି ।

 

ଅନ୍ତଃ ଦୃଷ୍ଟି ଦେଇ ବଳରାମଙ୍କ ଦେହତ୍ୟାଗ ବିଷୟ ଶ୍ରୀକୃଷ୍ଣ ଅବଗତ ହେଲେ ମଧ୍ୟ ତାଙ୍କର ସେ ପଥ ଧରିବାର ଉପାୟ ନାହିଁ । ଆହୁରି ଅନେକ କର୍ତ୍ତବ୍ୟ ତାଙ୍କ ସକାଶେ ଅପେକ୍ଷା କରୁଅଛି । ସେ ସବୁର ଉପାୟ ତାଙ୍କୁ ହିଁ କରିବାକୁ ହେବ ।

 

‘‘ପରିତ୍ରାଣାୟ ସାଧୂନାଂ ବିନାଶାୟଚଦୁଷ୍କୃତାଂ’’ଯାହାର କର୍ମ ସେ ଯିବେ କିପରି ? ଯଦୁଗଣ ଯେ ବର୍ତ୍ତମାନ ସୁଦ୍ଧା ଜୀବିତ । ନା,ସେ ଧ୍ୱଂସଲୀଳା ମଧ୍ୟ ପରିସମାପ୍ତି ହେବାକୁ ବେଶିକ୍ଷଣ ଲାଗିଲା ନାହିଁ । ପାନାସକ୍ତ ଯଦୁଗଣ କ୍ରମଶଃ ବଦ୍ଧ ମାତାଲ ହୋଇ ଉଠିଲେ । ଏହି ଅବସରରେ ପରସ୍ପର ପ୍ରତି ଇର୍ଷା ପ୍ରଣୋଦିତ ହୋଇ ଉଠିଲେ । ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ଶ୍ରୀକୃଷ୍ଣଙ୍କର ବ୍ୟକ୍ତିତ୍ୱ ପ୍ରଭାବରେ ସୁପ୍ତଥିଲା ସୁଯୋଗପ୍ରାପ୍ତି ମାତ୍ରେ ତାହା ପୂର୍ଣ୍ଣମାତ୍ରାରେ ଆତ୍ମପ୍ରକାଶ କରି ଉଠିଲା । ପ୍ରଥମେ ବଚସା, ତା’ ପରେ କନ୍ଦଳ ଏବଂ ଶେଷ ପରିଣତି ଯୁଦ୍ଧ । ଏଠାରେ ମଧ୍ୟ ତା’ର ବ୍ୟତିକ୍ରମ ହେଲାନାହିଁ । ମାତାଲ ଅବସ୍ଥାରେ ନିଜ ପର ନିୟନ୍ତ୍ରଣ କରିବା ଶକ୍ତି ରହିଲାନାହିଁ । ପ୍ରତ୍ୟେକେ ପ୍ରତ୍ୟେକକୁ ଶତ୍ରୁ ମନେକଲେ । ନିଜେ ନିଜକୁ ରକ୍ଷା କରିବା ସକାଶେ ପ୍ରମତ୍ତ ହୋଇ ଉଠିଲେ । ଆତ୍ମରକ୍ଷା ସକାଶେ ଆୟୁଧ ହେଲା ଏରକା କାଣ୍ଡ । ମହତୀ ଶରର ଆଘାତରେ ଯେଉଁ ଯଦୁବୀରଗଣ ଅବଧ୍ୟ ଥିଲେ, କାଳ ଯେତେବେଳେ ଆସି କେଶାକର୍ଷଣ କଲା, ସେତେବେଳେ ସେମାନଙ୍କ ପକ୍ଷରେ ସାମାନ୍ୟ ତୃଣ-ଶର ବଜ୍ରଠାରୁ ଆହୁରି କଠିନତର ହୋଇ ଉଠିଲା । ତାହାରି ଆଘାତରେ ପ୍ରଦ୍ୟୁମ୍ନ, ଶାମ୍ବପରି ମହା ମହା ଯୋଦ୍ଧାମାନେ ଅତି ସହଜେ ମରଣକୁ ବରଣ କଲେ । ଏହିପରି ଅଳ୍ପକ୍ଷଣ ମଧ୍ୟରେ ସମସ୍ତ ଯଦୁବଂଶ ବିନାଶ ଲାଭକଲେ । ଏଥର ଆଉ ଚକ୍ରୀଙ୍କ ଚକ୍ର ଚାଳନା କରିବା ଆବଶ୍ୟକ ନାହିଁ । ଏଥର ଭବଲୀଳାର ଶେଷ ଖେଳାଖେଳି ଅନନ୍ତ ବୈକୁଣ୍ଠପୁରକୁ ଯାତ୍ରା ବାକି । ତା’ ପୂର୍ବରୁ ଆଉ ଅଳ୍ପ କାମ ଯାହା ବାକିଅଛି ତାହା ମଧ୍ୟ ଶେଷ କରିନେବାକୁ ହେବ । ଯଦୁଙ୍କ ପରେ ଆଉ ଗୋଟିଏ ମହାଶକ୍ତିଶାଳୀ ରାଜବଂଶ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛନ୍ତି । ସେମାନେ ହେଲେ ଯୁଧିଷ୍ଠିରାଦି ପାଞ୍ଚଭାଇ । ହେଲେ ବା ସେ ଧର୍ମପରାୟଣ କିନ୍ତୁ ଶକ୍ତିଶାଳୀ ତ । ତାଙ୍କର ତିରୋଧାନ ପରେ କଳି ଯେତେବେଳେ ପୃଥିବୀକୁ ଗ୍ରାସ କରିବ,ସେତେବେଳେ ଆଜିର ଧର୍ମପରାୟଣ ନୃପ କାଲି ଅଧର୍ମ ଆଚରଣକାରୀ ପ୍ରଜାପୀଡ଼କ ନିଶ୍ଚୟ ହେବ । ସେ ସ୍ପଷ୍ଟ ଦେଖିପାରୁଛନ୍ତି ଧର୍ମନନ୍ଦନଙ୍କ ବର୍ତ୍ତମାନ ମଧ୍ୟ ରାଜ୍ୟ ସୁଖ ଲାଳସା ତିଳେହେଁ ଊପଶମ ହୋଇନି । ସେମାନଙ୍କୁ ଶକ୍ତିହୀନ କରିବାକୁ ହେବ,ଏହା ହେଉଛି ଅନ୍ୟତମ କର୍ତ୍ତବ୍ୟ । ତା’ପରେ ରହିଛି,ତ୍ରେତୟା ଯୁଗରେ ରାମ ଅବତାରେ ଅଙ୍ଗଦକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା କଥା । ତା’ହେଲେ ଦ୍ୱାପର କର୍ମ ଶେଷ । ନିଶ୍ଚିନ୍ତ ବିଶ୍ରାମ ।

 

ଯଦୁବଂଶ ଧ୍ୱଂସ ସ୍ଥଳୀରେ ଠିଆହୋଇ କୃଷ୍ଣ ଏହି ଚିନ୍ତାକରି ନିଜର କର୍ତ୍ତବ୍ୟ ସ୍ଥିର କରିନେଲେ । ପାଦେ ପାଦେ ଆଗେଇ ଚାଲିଲେ ଏହି ଜୀବନ୍ତ ଶ୍ମଶାନ, ମଧ୍ୟଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାକୁ ।

 

ଘନଜଙ୍ଗଲ ମଧ୍ୟରେ ଏକ ପରିଚ୍ଛନ୍ନ ସ୍ଥାନରେ ବିରାଟକାୟ ଅଶ୍ୱତ୍‌ଥ ଗଛ । ତାହାକୁ ଆଶ୍ରୟ କରି ବଢ଼ିଉଠିଛି ଏକ ପିଶାଳୀଲତାକୁ ଦୋଳିକରି ଶ୍ରୀକୃଷ୍ଣ ତାହାରି ଉପରେ ପାଦ ଉପରେ ପାଦରଖି ବାମହସ୍ତ ମୁଣ୍ଡତଳେ ଦେଇ ଶାୟିତଭାବେ ବିଶ୍ରାମ ବାହାନାରେ ଅନ୍ତିମ ଲଗ୍ନକୁ ଅପେକ୍ଷା କରିବାରେ ଲାଗିଲେ ।

 

ଜଙ୍ଗଲର ନିଷାଦରାଜ ଜରା ବାହାରିଛି ମୃଗୟା ବିନୋଦରେ । ସକାଳୁ ଏତେବେଳଯାଏଁ ସମସ୍ତଜଙ୍ଗଲ ବୁଲି ପରିଶ୍ରାନ୍ତ ହୋଇସାରିଲାଣି । ଏଯାଏଁ ହରିଣ ତ ଦୂରର କଥା ଗୋଟାଏ ଠେକୁଆ କି ଗୋଟାଏ କୁକୁଡ଼ା ପର୍ଯ୍ୟନ୍ତ ଦେଖା ମିଳିବାକୁ ନାହିଁ । ଅବସାଦ ମନରେ ସେ ଆଗେଇ ଯାଉ ଯାଉ ହଠାତ୍‌ଲକ୍ଷକଲା ଅଦୂରରେ ସମାନ୍ତରାଳରେ ଦୁଇଟି ଇଷତ୍‌ଲାଲବିନ୍ଦୁ ନିଶ୍ଚଳ ଭାବେ ଦେଖାଯାଉଅଛି । ମନେ ହେଉଛି ଗୋଟିଏ ହରିଣ ଯେପରି କୌଣସି ଶବ୍ଦକୁ କର୍ଣ୍ଣ ସତେଜ କରି ଅନୁଧ୍ୟାନ କରୁଅଛି । ଉକ୍ତ ନିଷାଣ ଜରାକୁ ଭଦ୍‌ଭ୍ରାନ୍ତ କରିଦେଲା । ବିଶେଷ ଚିନ୍ତା ନକରି ନିଜ ତୂଣୀରରୁ ଇସ୍ପାତଫଳକଯୁକ୍ତ ଶର ବାହାର କରି ଧନୁରେ ବସଇଲା ଏବଂ ଲକ୍ଷ ସ୍ଥିରକରି ସେହି ଶର ନିକ୍ଷେପ କଲା । ତୀର ଯାଇ ଲକ୍ଷ୍ୟବିନ୍ଦୁର ମଧ୍ୟସ୍ଥଳେ ବିଦ୍ଧ ହୋଇ ଲାଗି ରହିଲା । ତୀର ଲକ୍ଷ୍ୟଭେଦ କରିଥିଲେ ମଧ୍ୟ ବିଦ୍ଧ ଜୀବ ମଧ୍ୟରେ କୌଣସି ଚାଞ୍ଚଲ୍ୟତା ପରିଲକ୍ଷିତ ହେଲାନାହିଁ । ଏପରି ବିପରୀତ ଆଚରଣରେ ଶିକାରୀ ସଙ୍କିତ ହୋଇ ଉଠିଲା ଏବଂ ଅଦୂରରୁ ଯାହା ଦେଖିଲା, ସେଥିରେ ତା’ର ଚକ୍ଷୁ ସ୍ଥିର ହୋଇଗଲା । ଦେହ ବରଡ଼ାପତ୍ର ପରି ଥରିବାକୁ ଲାଗିଲା । ଆଖିମଳି ପୁଣି ଭଲକରି ଦେଖିଲା ତାଙ୍କର ସେହି ଶର ତ୍ରୈଲୋକ୍ୟପୂଜିତ ସ୍ୱୟଂ ଯଦୁପତି ଶ୍ରୀକୃଷ୍ଣଙ୍କ ବାମ ପାଦରେ ବିଦ୍ଧ ହୋଇ ଅଟକି ରହିଛି-ବିଦ୍ଧ ସ୍ଥାନରୁ ରକ୍ତ ବହି ଯାଉଅଛି ।

 

ଶ୍ରୀକୃଷ୍ଣ ନିଷାଦରାଜ ଜରାର ଅପରିଚିତ ନୁହନ୍ତି । ଅନୁଶୋଚନାରେ ଦଗ୍‌ଧ ହୋଇ ଜରା କୃଷ୍ଣଙ୍କ ପାଦତଳେ ପଡ଼ି ନିଜକୃତ ଅପରାଧ ପାଇଁ ଶାସ୍ତି ପ୍ରାର୍ଥନା କଲା । ତା’ର ଏ କାରୁଣ୍ୟରେ କୌଣସି କପଟତାର ସ୍ଥାନ ନ ଥିଲା ।

 

ଆତ୍ମଚିନ୍ତାରେ ଶ୍ରୀକୃଷ୍ଣ ସାମୟିକ ଭାବେ ନିମଗ୍ନ ଥିବା ହେତୁ ତୀର ବିଦ୍ଧଠାରୁ ଏଯାଏଁ ଯାହା ଘଟିଛି ତତ୍‌ପ୍ରତି ନିର୍ବିକଳ୍ପ ଥିଲେ । ଜରାର ବାରମ୍ବାର କାତର ପ୍ରାର୍ଥନାରେ ତାଙ୍କର ସେ ମୋହଭାବ କଟିଗଲା । ମୁହୂର୍ତ୍ତକ ମଧ୍ୟରେ ସମସ୍ତ ଅବଗତ ହୋଇ ଅନୁତପ୍ତ ଜରାକୁ କହିଲେ,‘‘ଜରା ଚିନ୍ତା କରନା,ଏହା ହିଁ ମୋର ନିୟତି । ଏହି କର୍ମ ସକାଶେ ତୁ ନିମିତ୍ତ ମାତ୍ର । ବର୍ତ୍ତମାନ ତୋର କର୍ତ୍ତବ୍ୟ କର୍ମ କରିଯା । ଅନୁଶୋଚନା ପରିତ୍ୟାଗ କର ।

 

ଜରା କହିଲା,‘‘ମୁଁ ସାମାନ୍ୟ ନିଷାଦ, ଅରଣ୍ୟବାସୀ । ମୋରି ପାପରେ ତୋର ପରା ପ୍ରଭୁକୁ ଆଜି ମର୍ତ୍ତ୍ୟଲୀଳା ଶେଷ କରିବାକୁ ହେଲା । ଏହା ଭାବିଲାମାତ୍ରେ ଯେ ମୋର ବୁକୁ ଫାଟି ଯାଉଅଛି । ଏ ଅପରାଧର ପ୍ରାୟଶ୍ଚିତ ନାହିଁ । ଏହାପରେ କେଉଁ ଆଶାରେ ବଞ୍ଚିରହିବି ?

 

ମୃଦୁ ହସି କେଶବ କହିଲେ, ‘‘ଜରା,ସଂସାର ମୋହରେ ତୁ ଆବଦ୍ଧ । ତେଣୁ ଜାଣିପାରୁ ନାହୁଁ ତୁ କିଏ ? ବା ମୁଁ କିଏ ? ତ୍ରେତୟା ଯୁଗର ଘଟଣା । ସେତେବେଳେ ମୁଁ ରାମଚନ୍ଦ୍ର । ତ୍ରେତୟାର କର୍ମଶେଷ । ମାଟି କନ୍ୟା ସୀତା ମାଟି ଭିତରେ ଆଶ୍ରୟ କରିଗଲେ । ଯୁଗଶେଷ ଜାଣିପାରି କାଳର ଆବର୍ତ୍ତରେ ସୁଖଦୁଃଖର ସାଥି ସହୋଦର ଲକ୍ଷ୍ମଣ ରାଜ୍ୟରୁ ନିର୍ବାସିତ ହୋଇ ଗଙ୍ଗା ତଟେଆତ୍ମ ସମାଧିସ୍ଥ ହୋଇ ଦେହତ୍ୟାଗ କଲେ । ତା’ପରେ ଆସିଲା ମୋର ଶେଷ ସମୟ-। ଖବର ପାଇଁ ଶେଷ ଦେଖା କରିବାପାଇଁ ସମସ୍ତ ସୁଦୃଦ ଆସି ଜମା ହେଲେ ଅଯୋଧ୍ୟାରେ-। ଆଜିର ଜରାଶବର ସେତେବେଳର ବାଳୀସୁତ ଅଙ୍ଗଦ । ତୁମେ ସମସ୍ତେ ମୋ ସଙ୍ଗେ ଇହଲୀଳା ସମ୍ବରଣ ରକିବାକୁ ଉତ୍ସୁକ । ଯେଉଁମାନେ ଅନ୍ତରସହ ତାହା ଚାହୁଁଥିଲେ, ମୋରି ଅନୁସରଣ କରି ବୈକୁଣ୍ଠ ଗମନ କଲେ । ଆଉ ଯେଉଁମାନେ କେବଳ ଲୋକ ଦେଖାଣିଆ, ଏପରି ଖେଳ ଖେଳୁଥିଲେ,ସେମାନେ ସାମାନ୍ୟ ଆଶ୍ୱାସନା ବା ପାର୍ଥିବ ବସ୍ତୁ ପ୍ରାପ୍ତ ହୋଇ ନିଜ ସ୍ଥାନକୁ ଫେରିଗଲେ । ହନୁମାନ,ବିଭୀଷଣ, ଜାମ୍ବବାନ, ଆଉ ତୁ ନିଜେ ଅଙ୍ଗଦ-ଏମାନଙ୍କୁ କିଛି ଚାହିଁବାକୁ ହେଲା ନାହିଁ । ମୁଁ ସେମାନଙ୍କ ମନର ଅଭିଳାଷ ଜାଣିଥିଲି । ତାହା ପୁରଣ କରାଇବା ମୋର ଧର୍ମ-। ମୁଁ ଜାଣେ ତୋର ମନର ଭାବନା । ଲଙ୍କା ଯୁଦ୍ଧରେ ଜୟଲାଭ କରି ସମସ୍ତ ସେନାନୀ ଯେତେବେଳେ ଆନନ୍ଦ ବିଭୋରା,ସେ ସମୟରେ ତୁ ଆନନ୍ଦ ପରିବର୍ତ୍ତେ ମାନସିକ ଯନ୍ତ୍ରଣା ଅନୁଭବ କରୁଥିଲୁ । ଅନ୍ୟ କିଏ ନ ଦେଖିଲେ ମଧ୍ୟ ମୁଁ ତୋର ସେ ଭାବ ଓ ଭାବନା ଲକ୍ଷ୍ୟ କରିଥିଲି-। ଆଜି ସେ ଦୁଶ୍ଚିନ୍ତା ଦୂର କରିବା ସମୟ ଆସିଛି । ସେହି କଥା ତୋତେଜଣାଇ ଦେଉଛି ।

 

‘‘ମୁଁ ତୋର ପିତାଶତ୍ରୁ । ପିତୃହନ୍ତାକୁ ଉପଯୁକ୍ତ ଶାସ୍ତିଦେବା ପ୍ରତ୍ୟେକ ସୁ ପୁତ୍ରର ମହାନ କର୍ତ୍ତବ୍ୟ;କିନ୍ତୁ ତୋର ସୁଯୋଗ ନ ଥିଲା । ଆଉ ସେ ଜନ୍ମରେ ହେବା ମଧ୍ୟ ସମ୍ଭବ ନ ଥିଲା । ଯେହେତୁ ଆମ ପରସ୍ପର ମଧ୍ୟରେ ବୈରତା ନାହିଁ । ତୁ ମୋର କେବଳ ଉପକାରୀ ନୋହୁ, ପରମଭକ୍ତ ମଧ୍ୟ । ଏ ଜନ୍ମରେ ନ ହେଲେ ମଧ୍ୟ ସମୟକାଳେ ତୋର ଅଭିଳାଷ ପୂରଣ ହେବ । ଦ୍ୱାପର ଯୁଗରେ ଧର୍ମ ସଂସ୍ଥାପନ ସକାଶେ ମୋତେ ପୁଣି ରୂପ ଗ୍ରହଣ କରିବାକୁ ହେବ । ସେତେବେଳେ ମୁଁ ହେବି କୃଷ୍ଣ, ଆଉ ତୁ ସେହି ଦ୍ୱାପର ଯୁଗରେ ଜରା ନାମଧରି ଜନ୍ମଗ୍ରହଣ କରିବୁ-। ସେହି ଅଙ୍ଗଦ ତୁ ଆଜିର ଜରା । ତୁ ତୋର ଗତଜନ୍ମ ପିତୃହନ୍ତା ଉପରେ ପ୍ରତିଶୋଧ ନେଇ ପାରିଛୁ । ଭକ୍ତର ମନ ବାସନା ପୂରଣ କରାଇବା ମୋର କର୍ତ୍ତବ୍ୟ । ଆଜି ତାହା ଘଟିଛି ମାତ୍ର-। ତୋର ଭକ୍ତିରେ ଏବଂ ନିଷ୍ଠାରେ ପରିତୃପ୍ତ ହୋଇ ବର ପ୍ରଦାନ କରୁଛି-ତୁ ବା ତୋର ପରବର୍ତ୍ତୀ ବଂଶଧରଗଣ, ଅଚ୍ଛବ ହେଲେ ମଧ୍ୟ କଳିଯୁଗରେ ମୋର ସେବାର ପୂର୍ଣ୍ଣ ଅଧିକାରୀ ହେବ-। ବର୍ତ୍ତମାନ ମୋର ଶେଷ ସମୟ ପ୍ରାୟ ଆଗତ । କେତେକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବାକି ଅଛି-। ଇତ୍ୟବସରେ ତୁ ଦ୍ରୁତ ହସ୍ତିନାକୁ ଯାଇ ମୋର ଅନ୍ତିମ ଲଗ୍ନ କଥା ଯୁଧିଷ୍ଠିରଙ୍କୁ ଜଣାଇବୁ ଏବଂ ସାଥିରେ ମଧ୍ୟମ ପାଣ୍ଡବଙ୍କୁ ନେଇ ଯଥାଶୀଘ୍ର ଫେରିଆସିବୁ । ସେ ଯାଏ ମୁଁ ତୋହର ପଥ ଚାହିଁ ରହିବି ।

 

କୃଷ୍ଣାଦେଶ ମସ୍ତକୋପରି ଗ୍ରହଣକରି ଜରା ଦ୍ରୁତ ଗତିରେ ହସ୍ତିନା ଦିଗେ ଅଗ୍ରସର ହେଲା । ଏହାର ପରଘଟଣା ସାଧାଣଭାବେ କୁହାଯାଇପାରେ,,ଯାହା ଚିନ୍ତା କଲେ ମାନବ ଜୀବନ ଉପରେ ବୀତଶ୍ରଦ୍ଧ ଜାତହୁଏ । ସ୍ୱତଃଭାବେ ମନେହୁଏ ମନୁଷ୍ୟ କେବଳ ବଞ୍ଚିରହେ ନିଜର ସ୍ୱାର୍ଥସିଦ୍ଧି ସକାଶେ । ଯେତେବେଳେ ପର୍ଯ୍ୟନ୍ତ ପାଇବା ଆଶା ଅଛି, ସେତେବେଳେ ପର୍ଯ୍ୟନ୍ତ ତାହାର ଆରାଧନାରେ ବିରାମ ନାହିଁ । ଯେତେବେଳେ ସେ ଆଶା କ୍ଷୀଣ ହୋଇପଡ଼ିଛି, ସେତେବେଳେ ସେହି ପୂଜିତ ହୋଇ ଉଠିଛି ଅବହେଳିତ ବା ଅବାଞ୍ଚ୍ଥିତ । ତା’ ନ ହେଲେ ଇନ୍ଦ୍ରପ୍ରସ୍ଥ ରାଜସିଂହାସନୋପରି ଉପବିଷ୍ଟ ଯୁଧିଷ୍ଠିର ଜରାମୁଖରୁ ଶ୍ରୀକୃଷ୍ଣଙ୍କ ସମସ୍ତ କାହାଣୀ ଶୁଣିବାପରେ ସ୍ଥିର ହୋଇ ବସି ରହିଲେ କିପରି ? କେବଳ ବସିରହିଲେ ନାହିଁ,ଜରାଙ୍କ ମୁଖରୁ କୃଷ୍ଣାଦେଶ ପାଇ ଯେତେବେଳେ ଅର୍ଜ୍ଜୁନ ତାହାଙ୍କ ସଙ୍ଗେ ଯାତ୍ରା କରିବାକୁ ଉଦ୍ୟତ ହେଲେ, ସେତେବେଳେ ସହଦେବଙ୍କ ନିକଟରୁ କେବଳ ଏକାକୀ ପାର୍ଥଙ୍କୁ ଡକାଇବା ଭିତରି କାରଣ ଜାଣିପାରି,ଶ୍ରୀକୃଷ୍ଣଙ୍କ ଅଙ୍ଗସ୍ପର୍ଶରୁ ବିରତ ରହିବାପାଇଁ ଅନୁଜ ପ୍ରତି କଠୋର ନିର୍ଦ୍ଦେଶ ଦେଲେ । କହିଲେ, ‘‘ବାବୁରେ,ସାବଧାନ ! ଶ୍ରୀକୃଷ୍ଣ ବଡ଼ ମାୟାବୀ । ଅନ୍ତିମକାଳେ ତୋତେ ଏକାକୀ ଡକାଇବା ପଛରେ ନିଶ୍ଚୟ ଗୂଢ଼ ରହସ୍ୟ ରହିଛି । ତେଣୁ ତୋତେ ସାବଧାନ କରି ଦେଉଛି । ଶ୍ରୀକୃଷ୍ଣଙ୍କ ନିକଟକୁ ଯାଇ ତାଙ୍କ କଥା ମାନିନେବୁ;କିନ୍ତୁ ଜୀବିତା ଅବସ୍ଥାରେ ତାଙ୍କ ଦେହ ସ୍ପର୍ଶ କରିବୁନାହିଁ । ତା’ହେଲେ ହୁଏତ ସେହି ସ୍ପର୍ଶ ମଧ୍ୟଦେଇ ତୋର ସମସ୍ତ ଶକ୍ତି ଅପହରଣ କରିନେବେ । ଆମେ ହୀନବଳ ହୋଇପଡ଼ିବା । ଫଳରେ ରାଜ୍ୟ ଶାସନ କରିପାରିବା ନାହିଁ । ମୋର ଏକଥା ଦୃଢ଼ ଭାବରେ ମନେରଖିଥିବୁ ।’

 

ଏହା ହିଁ ସ୍ୱାର୍ଥସର୍ବସ୍ୱ ମନୁଷ୍ୟ ମନର ସ୍ୱାଭାବିକ ଗତି । ଯେଉଁ ପାଣ୍ଡବମାନଙ୍କ ସ୍ଥିତି ଶ୍ରୀକୃଷ୍ଣଙ୍କ ବିନା ପ୍ରାୟ ଅସମ୍ଭବ ଥିଲା,ଯେଉଁ ଧର୍ମପୁତ୍ର ଯୁଧିଷ୍ଠିର ଜ୍ୟେଷ୍ଠ ହେଲେ ମଧ୍ୟ ଏକଦା ନିଜର ସ୍ୱାର୍ଥସିଦ୍ଧି ସକାଶେ କନିଷ୍ଠ ଶ୍ରୀକୃଷ୍ଣଙ୍କୁବନ୍ଦନା କରିଥିଲେ,ଆଜି ଯେତେବେଳେ ସେହି ମହାନଚେତା ଶ୍ରୀକୃଷ୍ଣ ମୁମୂର୍ଷୁ ଅବସ୍ଥାରେ ପରମପ୍ରିୟ ଅର୍ଜ୍ଜୁନଙ୍କ ସାକ୍ଷାତ କାମନା କଲେ,ଠିକ୍‌ସେହି ସମୟରେ ଯୁଧିଷ୍ଠିର ଅସୁସ୍ଥ ଅସ୍ତ୍ରାଘାତେ ପୀଡ଼ିତ ପରମ ଶୁଭାର୍ଥୀ ଏକାନ୍ତ ବନ୍ଧୁଙ୍କ ସେବା, ଶୁଶ୍ରୁଷା ପରିବର୍ତ୍ତେ, ତାଙ୍କୁ ଛୁଇଁବାକୁ ବାରଣ କଲେ । ରାଜ୍ୟ-ସୁଖ ଲିପ୍‌ସା ଏତେ ପ୍ରବଳ ଯେ ସେଇ ଲୋଭରେ ପଡ଼ି ଧର୍ମରାଜଙ୍କ ଭଳି ବ୍ୟକ୍ତି ମଧ୍ୟ ଏପରି ଏକ ହୀନ ପରାମର୍ଶ ଦେଇ ଅର୍ଜ୍ଜୁନଙ୍କୁ ଯାତ୍ରାକରିବା ଅନୁମତି ଦେଇଥିଲେ ।

 

ଅର୍ଜ୍ଜୁନ ପ୍ରଭାସକୁ ଆସି ତୀରବିଦ୍ଧ ଯନ୍ତ୍ରଣାକାତର ଅବସ୍ଥାରେ ଆରାଧ୍ୟ ତଥା ସୂହୃଦ ଶ୍ରୀକୃଷ୍ଣଙ୍କୁ ଦେଖିପାରିଲେ । ଅକୃତ୍ରିମ ଏକ ବନ୍ଧୁଙ୍କ ଏପରି ଅବସ୍ଥାରେ ଆମଭଳି ସାଧାରଣ ଲୋକ ହିତାହିତଜ୍ଞାନଶୂନ୍ୟ ହୋଇ ଯାହା କରିବସନ୍ତି, ସେହି ସାମାନ୍ୟ କର୍ମ ମହାନ ଅର୍ଜ୍ଜୁନଙ୍କ ଦେଇ ସମ୍ଭବ ହେଲାନି । ଅନ୍ତରାୟ ହେଲା ବଡ଼ ଭାଇଙ୍କ ଆଦେଶ । ନିକଟରେ ଠିଆହୋଇ କେବଳ ଆଖିର ଜଳ ଦେଇ ନିଜର କର୍ତ୍ତବ୍ୟ ଶେଷ କଲେ ।

 

ଅର୍ଜ୍ଜୁନଙ୍କ ଅଭିଳାଷ, ଯୁଧିଷ୍ଠିରଙ୍କ ଆଦେଶ, କିଛିହେଲେ ଶ୍ରୀକୃଷ୍ଣଙ୍କୁ ଅଜ୍ଞାତ ରହିଲା ନାହିଁ-। ପରମବନ୍ଧୁଙ୍କ ଏଭଳି କର୍ତ୍ତବ୍ୟଜ୍ଞାନ ଦେଖି ମନେ ମନେ ହସି ଉଠିଲେ;କିନ୍ତୁ ତାଙ୍କର ପ୍ରଶାନ୍ତ ବଦନରୁ ସେପରି କିଛି ଆଭାସ ମିଳିଲା ନାହିଁ । ପୀଡ଼ିତ ଅବସ୍ଥାରେ ବନ୍ଧୁ ପାର୍ଥଙ୍କୁ ଦେଖି ସେହି ମୁହଁରୁ ଅନାବିଳ ଆନନ୍ଦ ରସ ଝରି ପଡ଼ିଲା । ବନ୍ଧୁଙ୍କ ଉଦ୍ଦେଶ୍ୟରେ କହିଲେ‘‘ହେ ଅର୍ଜ୍ଜୁନ, ବ୍ୟାଧର ବିଷାକ୍ତ ଶର ପାଦରେ ବିଦ୍ଧ ହେବାପରଠାରୁ ଭୀଷଣ ଯନ୍ତ୍ରଣା ଅନୁଭବ କରୁଅଛି । ପାଖରେ କିଏ ଏପରି ନାହିଁ ଯେ କି ଉକ୍ତ ଶର ବାହାର କରି ମୋତେ ଯନ୍ତ୍ରଣାମୁକ୍ତ କରିବ । ମୋର ଅନ୍ତିମଲଗ୍ନ ପ୍ରାୟ ଉପସ୍ଥିତ । ଶେଷ ନିଃଶ୍ୱାସ ତ୍ୟାଗ ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେବାପାଇଁ ତୋତେ ଇନ୍ଦ୍ରପ୍ରସ୍ଥରୁ ଏଠାକୁ ଡକାଇ ଆଣିଛି;କିନ୍ତୁ ପାଦର ଏ ଯନ୍ତ୍ରଣା ଯୋଗୁ ତାହା ସମ୍ଭବପର ହୋଇ ଉଠୁନି । ମହାଶକ୍ତିଶାଳୀ ପରମମିତ୍ର ତୁମେ । ପାଦ ମଧ୍ୟରୁ ବିଦ୍ଧ ତୀର ବାହାର କରି ମୋତେ ସାମାନ୍ୟ ସୁସ୍ଥତା ପ୍ରଦାନ କର ।’’

 

ଅର୍ଜ୍ଜୁନ କହିଲେ ‘‘ହେ ଜନାର୍ଦ୍ଦନ ! ତୁମର ଏ କରୁଣାବସ୍ଥା ଦେଖି ମୋର ଛାତି ଫାଟି ଯାଉଅଛି;କିନ୍ତୁ ନିରୁପାୟ ମୁଁ । ପିତାତୁଲ୍ୟ ଅଗ୍ରଜ ଯୁଧିଷ୍ଠିରଙ୍କ ଆଜ୍ଞା ଲଂଘନ କରି ତୁମକୁ ସ୍ପର୍ଶ କରିପାରୁନି କି ପ୍ରତିକାର ବିଧାନ କରିପାରୁନି । ଶକ୍ତି ଥାଇ ମଧ୍ୟ ଶରକୁ ବାହାର କରି କ୍ଷତସ୍ଥାନ ଚିକିତ୍ସା କରିପାରୁନି । ମୁଁ ଅସହାୟ,ମୁଁ ନିତାନ୍ତ ଅସହାୟ ।’’

 

ଅଳ୍ପ ହସି ଯଦୁପତି କହିଲେ,‘‘ଯୁଧିଷ୍ଠିର ସିନା ମୋର ଅଙ୍ଗସ୍ପର୍ଶ କରିବାକୁ ମନା କରିଛନ୍ତି;କିନ୍ତୁ ମୋତେ ସ୍ପର୍ଶ ନ କରି ଅନ୍ୟ ପ୍ରକ୍ରିୟାମାଧ୍ୟମରେ ବିଦ୍ଧତୀର ନିଷ୍କାସନ କରି ମୃତ୍ୟୁପଖର ଯାତ୍ରୀ ଚିରବନ୍ଧୁକୁ ସାମାନ୍ୟ ଆରାମ ପ୍ରଦାନ କରିବାକୁ ନିଶ୍ଚୟ ମନାକର ନାହାଁନ୍ତି ? ତୁମ ଗାଣ୍ଡିବର ହୁଳଦେଇ ଅତି ଅନାୟାସେ ଏହି ବିଷାକ୍ତ ତୀର ବାହାର କରିଦିଅ । ତା’ହେଲେ ମୁଁ ସାମାନ୍ୟ ସୁସ୍ଥତା ଲାଭ କରି ପାରିବି । ତଦ୍‌ଦ୍ୱାରା ତୁମ୍ଭଙ୍କୁ ନିଶ୍ଚୟ ଭ୍ରାତୃ ଜ୍ଞାନ ଲଂଘନ ଦୋଷ ସ୍ପର୍ଶ କରିବ ନାହିଁ ।’’

 

ଅର୍ଜ୍ଜୁନ ନିଜର ବିଚାରବୁଦ୍ଧିଦ୍ୱାରା କୃଷ୍ଣଙ୍କର ଏହି ଉକ୍ତି ବିରୁଦ୍ଧରେ କୌଣସି ଯୁକ୍ତି ଖୋଜି ପାଇଲେ ନାହିଁ । ହୁଏତ ପ୍ରାଣର ବନ୍ଧୁ ପରମ ହିତୈଶୀ କୃଷ୍ଣଙ୍କ ଏପରି ଏକ ଯନ୍ତ୍ରଣାଦାୟକ ଅବସ୍ଥା ଦେଖି ତାଙ୍କର ମନ କେତେକାଂଶରେ ନରମ ହୋଇ ଆସିଥିଲା । ତେଣୁ ଆଉ ବିଳମ୍ବ ନ କରି ସ୍କନ୍ଧଧୃତ ଗାଣ୍ଡିବର ହୁଳ ମଧ୍ୟଦେଇ ସେହି ନିଷ୍ଠୁର ତୀର ବାହାର କରିବାପାଇଁ ସଚେଷ୍ଟ ହେଲେ ।

 

ଚକ୍ରୀଙ୍କ ଚକ୍ରାନ୍ତ ସାର୍ଥକ ହେଲା । ଯାହାର ମାୟା ସ୍ୱୟଂ ବିଧାନକର୍ତ୍ତା ବିଧି ନିରୂପଣ କରିପାରିନାହାଁନ୍ତି,ତାହାର ସେଇ ମାୟାଜାଲରୁ ବାହାରେ ରହିବାକୁ ଯେଉଁ ଚେଷ୍ଟା କରୁଥିଲେ ତାହା ସର୍ବେତୋଭାବେ ବିଫଳ ହେଲା । ନର ଅର୍ଜ୍ଜୁନ ଦେହେ ନିହିତ ନାରାୟଣୀ ଶକ୍ତିକୁ ନିଜର ମହାପ୍ରୟାଣ ପୂର୍ବରୁ ସେହି ଧନୁହୁଳ ମଧ୍ୟଦେଇ ଅପହରଣ କରିନେଲେ । ଉପସ୍ଥିତ ମୁହୁର୍ତ୍ତରେ କ’ଣ ହରାଇଲେ,ତାହା ବୁଝିବାଭଳି ଶକ୍ତି ଅର୍ଜ୍ଜୁନଙ୍କର ନ ଥିଲା । ସେ କଥା ସେ ଭଲ ଭାବେ ବୁଝିପାରିଲେ ଯେତେବେଳେ ଯଦୁଲଳନାଗଣ ହସ୍ତିନାପୁରାଭିମୁଖେ ଯାତ୍ରା କରିବା ସମୟେ ପଥ ମଧ୍ୟେ ଅନାର୍ତ୍ତଗଣକର୍ତ୍ତୃକ ଆକ୍ରାନ୍ତ ହୋଇ ଅପହୃତ ହେଲେ, ସେତେବେଳେ ଭାରତ ଯୁଦ୍ଧରେ ମଥାମଣି ସବ୍ୟସାଚୀ ନିଜର ବହୁ ବ୍ୟବହୃତ ଗାଣ୍ଡିବରେ ଶର ସନ୍ଧାନ ତ ଦୂରର କଥା ସାମାନ୍ୟ ଗୁଣ ପର୍ଯ୍ୟନ୍ତ ଦେଇ ପାରି ନ ଥିଲେ । ଏଇ ହେଲା କୃଷ୍ଣହରା ବିଜୟଙ୍କ ଶେଷ ପରିଣତି ।

 

ଏହି ସେହି ପୁରାଣ ପ୍ରସିଦ୍ଧ ପବିତ୍ର ପ୍ରଭାସ ତୀର୍ଥର ଦେହୋତ୍ସର୍ଗ ଘାଟ । ଅତି ମନୋରମ ପରିବେଶ ମଧ୍ୟରେ,ନାରୀକେଳ ବୀଥିକା ମଧ୍ୟରେ ତ୍ରିବେଣୀ ସଙ୍ଗମ । ହାତ ପାଖରେ ମହାସମୁଦ୍ର । ନକହି ଦେଲେ ସାଧାରଣ ଯାତ୍ରୀ ପକ୍ଷେ ତ୍ରିବେଣୀ ସଙ୍ଗମ ତଥା ସାଗର ସଙ୍ଗମ ନେଇ ପାର୍ଥକ୍ୟ ବୁଝିବା ଦୁଷ୍କର । ଏହି ସ୍ଥାନର ମନୋରମ ଦୃଶ୍ୟ କୌଣସି ଉପମାର ଅପେକ୍ଷା ରଖେନା । ଦର୍ଶନ ମାତ୍ରେ ଅରସିକ ବ୍ୟକ୍ତି ମଧ୍ୟ ରସାପ୍ଳୁତ ବିତ୍ତରେ କିୟତ୍‌କ୍ଷଣ ପାଇଁ ଅଟକି ଯିବାକୁ ବାଧ୍ୟ ହୋଇଥାଏ । ଏହି ଶୋଭାରେ ବିଭୋର ହୋଇ ବୈଷ୍ଣବ ଧର୍ମର ଅନ୍ୟତମ ଶାଖା ପ୍ରବର୍ତ୍ତକ ଶ୍ରୀମଦ୍‌ସ୍ୱାମୀ ବଲ୍ଲଭାଚାର୍ଯ୍ୟ ଏଠାରେ ସପ୍ତାହବ୍ୟାପୀ ଭାଗବତ ପୁରଶ୍ଚରଣ ଉତ୍ସବ ମହା ସମାରୋହରେ ପାଳନ କରିଥିଲେ । ବର୍ତ୍ତମାନ ସେହି ସ୍ଥାନ ମହାପ୍ରଭୁଙ୍କ ବୈଠକ ନାମରେ ପରିଚିତ ଲାଭ କରୁଅଛି ।

 

କେବଳ ବଲ୍ଲଭାଚାର୍ଯ୍ୟ ନୁହନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ମଧ୍ୟ କେତେକ ଦିନ ଏଠାରେ ବସବାସ କରିଥିଲେ । ଏସବୁ ମହତ୍‌ସ୍ଥାନ ବ୍ୟତୀତ ଏଠାରେ ରୁଦ୍ରେଶ୍ୱର ଓ ବାଣେଶ୍ୱର ମହାଦେବ ମନ୍ଦିର, କାଳୀ ମନ୍ଦିର, ଶ୍ମଶାନ ଭିତରେ ମହାକାଳିକା ମନ୍ଦିର,ତ୍ରିବେଣୀ ଘାଟ ସଂଲଗ୍ନେ ଅନନ୍ତଶାୟୀ ବିଷ୍ଣୁ ମନ୍ଦିର ପ୍ରଭୃତି ଦେଖିବାକୁ ମିଳେ । ପ୍ରଭାସ କ୍ଷେତ୍ରରେ ତ୍ରିବେଣୀ ସଙ୍ଗମର ପ୍ରଶସ୍ତି ଯେତେ ଉଚ୍ଚକୋଟି ହେଉନା କାହିଁକି,ମନ୍ଦିରଗୁଡ଼ିକ ଠିକ୍‌ ମର୍ଯ୍ୟାଦା ନେଇ ଗଢ଼ି ଉଠିନି ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଦେହୋତ୍ସର୍ଗ ଘାଟର ସଡ଼କ ଅପର ପାର୍ଶ୍ୱରେ ଦୁଇଟି ଅପେକ୍ଷାକୃତ ବଡ଼ ମନ୍ଦିର ଦୃଷ୍ଟିରେ ପଡ଼େ । ଗୋଟିଏ ଶଶିଭୂଷଣ ମହାଦେବ ଓ ଅନ୍ୟଟି ସୂର୍ଯ୍ୟମନ୍ଦିର । ଏଇ ଦୁଇଟି ପ୍ରସିଦ୍ଧ ମନ୍ଦିର ସଙ୍ଗେ ଦୁଇଟି ମନୋମୁଗ୍‌ଧକର କିଂବଦମ୍ବୀ ଓତପ୍ରୋତ ଭାବେ ଜଡ଼ିତ । କିଂବଦନ୍ତୀ ମଧ୍ୟରେ ପ୍ରମାଣିତ ଐତିହାସିକ ତତ୍ତ୍ୱ ଦେଖିବାକୁ ମିଳେ । ଆମର ଛଅଜଣିଆ ଦଳଟି ଗୋଟିଏ ଗୋଟିଏ ସେହି ଦିଗରେ ଆଗେଇ ଚାଲିଲୁ ଦେହୋତ୍ସର୍ଗ ଘାଟରେ ବିହିତ କର୍ମ ଯଥାସାଧ୍ୟ ସମାପନ କରିନେଇ । ଶଶିଭୂଷଣ ମହାଦେବଙ୍କଲିଙ୍ଗମୂର୍ତ୍ତି ମନ୍ଦିର ମଧ୍ୟରେ ଦର୍ଶନ କଲୁ । ଏହିଠାରେ ଚନ୍ଦ୍ର ତପସ୍ୟାଦ୍ୱାରା ମହାଦେବଙ୍କୁସନ୍ତୁଷ୍ଟ କରି ଅଭିଶାପ ଜନିତ କ୍ଷୟରୋଗରୁ ମୁକ୍ତିଲାଭ କରିଥିଲେ । ଏହି ଲିଙ୍ଗମୂର୍ତ୍ତି ଚନ୍ଦ୍ରଦେବଙ୍କଦ୍ୱାରା ପ୍ରତିଷ୍ଠିତ ବୋଲି ନାମ ଶଶିଭୂଷଣ ।

 

ପୂଜକ ଠାକୁର ବିଷଦଭାବେ ଏ କାହାଣୀ ଶୁଣାଇଲେ-ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାନସ ପୁତ୍ର ଦକ୍ଷ । ତାଙ୍କର ଚଉଷଠି କନ୍ୟା । ପ୍ରଥମା ପାର୍ବତୀ ଚାଲିଗଲେ ଶ୍ମଶାନବାସୀ ଶିବଙ୍କ ସଙ୍ଗରେ । ରୋହିଣୀ ଆଦି ସତେଇଶ କନ୍ୟାଙ୍କୁ ବିବାହ ଦେଲେ ସୋମଦେବଙ୍କ ସଙ୍ଗେ । ଯେଉଁସଭିଙ୍କୁ ପରବର୍ତ୍ତୀକାଳର ନକ୍ଷତ୍ରନାମେ ଅଭିହିତ କରାଗଲା । ସତେଇଶ ଭଉଣୀଙ୍କ ମଧ୍ୟରେ ରୋହିଣୀ ଥିଲେ ସର୍ବାପେକ୍ଷା ସୁନ୍ଦରୀ । ଫଳରେ ସୁକୁମାର ଚନ୍ଦ୍ର ତାଙ୍କପ୍ରତି ବେଶି ଆସକ୍ତି ହୋଇ ପଡ଼ିଲେ । ତାହା ହେଲା ଅନ୍ୟ ଭଉଣୀ ତଥା ସଉତୁଣୀମାନଙ୍କ ଇର୍ଷାର କାରଣ । ଇର୍ଷା କ୍ରମଶଃ ପ୍ରକାଶ୍ୟ କ୍ରୋଧରେ ପରିଣତ ହେଲା । ନିରୂପାୟ କନ୍ୟାଗଣ ନିଜ ସ୍ୱାମୀଙ୍କ ଏ ପକ୍ଷପାତିତ୍ୱର କଥା ସବିସ୍ତାରେ ପିତାଙ୍କ ଅଗ୍ରତେ ଜଣାଇଲେ । ଜଣକ ହସ୍ତରେ ଏକସଙ୍ଗେ ସତେଇଶ ଜଣଙ୍କୁ ସମର୍ପଣ କରିଥିବା ହେତୁ ପିତା ଦକ୍ଷଙ୍କୁ ଦୋଷଦେଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲେ ।

 

କନ୍ୟାଙ୍କ ମୁଖରୁ ଅଭିଯୋଗ ଶୁଣି ବିଚଳିତ ଦକ୍ଷ ଚନ୍ଦ୍ରଙ୍କୁ ଡକାଇ ଆଣି କନ୍ୟାଙ୍କ ଅଗ୍ରତରେ ଭର୍ତ୍ସନା କରି ଭବିଷ୍ୟତରେ ଏପରି ପକ୍ଷାପାତିତ୍ୱ ଆଚରଣ ନ କରିବା ପାଇଁ ସାବଧାନ କରାଇଦେଲେ । ଶଶୁରଙ୍କ ନିକଟରେ ଭଲପିଲା ଭଳି ଉପଦେଶ ପ୍ରତିପାଳିତ କରିବା ପ୍ରତିଶ୍ରୁତି ଦେଇ ସୋମଦେବ ଉପସ୍ଥିତ ବିପଦରୁ ରକ୍ଷାପାଇଲେ ମଧ୍ୟ ପରବର୍ତ୍ତୀ କାଳେ ତାହା ପାଳନ କରିବା ତାଙ୍କ ପକ୍ଷେ ସମ୍ଭବ ହେଲାନାହିଁ । ଅଗତ୍ୟା ଅନ୍ୟ ପତ୍ନୀଗଣ ପୁଣି ଯାଇ ଦକ୍ଷଙ୍କ ନିକଟରେ ଗୁହାରି ଜଣାଇଲେ ।

 

ଏଥର ଆଉ ଦକ୍ଷ ଚନ୍ଦ୍ରଙ୍କୁ କ୍ଷମା କଲେନାହିଁ । କନ୍ୟାମାନଙ୍କ ଦୁଃଖରେ କାତର ହୋଇ ଜ୍ୱାଇଁଙ୍କୁ ଅଭିଶାପ ପ୍ରଦାନ କଲେ-‘‘କାମୁକ ଚନ୍ଦ୍ର ! ଗୁରୁଜନଙ୍କ ନିର୍ଦ୍ଦେଶ ଅମାନ୍ୟ କରିବା ଫଳ ତୋତେ ଭୋଗିବାକୁ ପଡ଼ିବ । କ୍ଷୟ ରୋଗ ତୋତେ ଗ୍ରାସ କରିବ ଏବଂ ତାରି ଫଳରେ ଅଚିରେ ତୁ ଧ୍ୱଂସପ୍ରାପ୍ତ ହେବୁ ।’’

 

ଧର୍ମପିତା ଶ୍ୱଶୁରଙ୍କ ଅଭିଶାପ ସାଥେ ସାଥେ ଚନ୍ଦ୍ରଙ୍କୁ କ୍ଷୟ ରୋଗ ସ୍ପର୍ଶକଲା ଏବଂ ସୁକୁମାର ଚନ୍ଦ୍ରଙ୍କର ତନୁଲାବଣ୍ୟ କ୍ରମଶଃ ହୀନପ୍ରଭ ହେବାକୁ ଲାଗିଲା ।

 

ସୃଷ୍ଟି ପରିଚାଳନାର ପ୍ରଧାନ ଉପକରଣ ଚନ୍ଦ୍ର ଓ ସୂର୍ଯ୍ୟ । ତା’ ମଧ୍ୟରୁ ଯଦି ଚନ୍ଦ୍ର କ୍ଷୟ ହୋଇ ବିଲୀନ ହୋଇଯାଆନ୍ତି, ତେବେ ସଂସାର ଅଚଳ ହୋଇପଡ଼ିବ । ଉତ୍ତପ୍ତ ସୂର୍ଯ୍ୟକିରଣରୁ ପ୍ରାଣରସ ଗ୍ରହଣ କରି ଶୀତଳ ସ୍ମିଗ୍‌ଧ ଚନ୍ଦ୍ରକିରଣରେ ଜୀବଜଗତ ବୃଦ୍ଧିପ୍ରାପ୍ତ ହୋଇଥାଆନ୍ତି । ଚନ୍ଦ୍ର ରୂପକ ଉପାଦାନ ଅଭାବରୁ ପୃଥିବୀ ଧ୍ୱଂସପଥେ ଗତି କରିବା ଦେଖି ଅଗତ୍ୟା ସୃଷ୍ଟିକର୍ତ୍ତାଙ୍କ ମନରେ ଚନ୍ଦ୍ରଙ୍କର ଏମନ୍ତ ଅବସ୍ଥା ପାଇଁ ଛନକା ପଶିଲା । ସେ ଦେବଗଣଙ୍କ ସହ ଏହାର ପ୍ରତିକାର ସକାଶେ ଦକ୍ଷଙ୍କ ନିକଟରେ ସମବେତ ଭାବେ ପ୍ରାର୍ଥନା ଜଣାଇଲେ ।

 

ଦେବତାଙ୍କ ଅନୁରୋଧରେ ଦକ୍ଷ ପ୍ରଜାପତିଙ୍କ କ୍ରୋଧ ଉପଶମ ହେଲା । ସେ ଦେବଗଣଙ୍କୁ ସମ୍ବୋଧନ କରି କହିଲେ, ହେ ଦେବଗଣ ! ତୁମମାନଙ୍କ ଅନୁରୋଧରେ ମୁଁ ଚନ୍ଦ୍ରଙ୍କୁ କ୍ଷମା କରୁଅଛି । ତାଙ୍କୁ ସର୍ବସମକ୍ଷେ ପ୍ରତିଶ୍ରୁତି ଦେବାକୁ ହେବ ଯେ ନିଜ ସ୍ତ୍ରୀମାନଙ୍କ ପ୍ରତି ତାରତମ୍ୟ ବ୍ୟବହାର କରିବ ନାହିଁ ବା ଗୁରୁଜନଙ୍କ କଥା ଅବମାନନା କରିବ ନାହିଁ । ଆଜିଠାରୁ ସେ ମାସର ତିରିଶିଦିନ ସତେଇଶି ସ୍ତ୍ରୀଙ୍କ ମଧ୍ୟରେ ସମଭାବେ ବଣ୍ଟନ କରି ସେହି ସମୟ ପ୍ରତ୍ୟେକଙ୍କ ସଙ୍ଗେ କାଳାତିପାତ କରିବ । ଏହାପରେ ସେ ଯାଇ ପଶ୍ଚିମ ସାଗର ତୀରେ ଯେଉଁଠି ପୁଣ୍ୟତୋୟା ସରସ୍ୱତୀ ମିଳିତ ହୋଇଅଛି ସେହି ପବିତ୍ର ପ୍ରଭାସକ୍ଷେତ୍ରରେ ସର୍ବରୋଗହାରୀ ମହାଦେବଙ୍କ ଆରାଧନା କରୁ । ମୋର ଆଶିଷରୁ ଦେବତା ପ୍ରସନ୍ନ ହେବେ । ଯେପରି ଗୁରୁଜନ ଶାପରୁ ପନ୍ଦରଦିନ କ୍ଷୟପ୍ରାପ୍ତ ସେପରି ମଙ୍ଗଳମୟ ଶିବଙ୍କ ଅସୀମ କରୁଣାରୁ ଏବଂ ମୋର ଆଶୀଷ ଫଳରେ ପୁଣି ପନ୍ଦରଦିନ କ୍ରମଶଃ ବୃଦ୍ଧିପ୍ରାପ୍ତ ହୋଇ ଶେଷଦିନେ ପୂର୍ଣ୍ଣତା ପ୍ରାପ୍ତିହେବ । ଏହିପରି ଭାବରେ ମୋର ପ୍ରଦତ୍ତ ଶାପ ଭୋଗ ଏବଂ ମୁକ୍ତିର ମଧ୍ୟଦେଇ ତାଙ୍କୁ ଗତି କରିବାକୁ ହେବ । ଏହାକୁ ହିଁ କହନ୍ତି–

 

ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ ।

 

ଦକ୍ଷଙ୍କ ନିକଟରୁ ଅଭୟ ତଥା ଆଶିଷ ଲାଭ କରି ଦେବଗଣଙ୍କ ଉପଦେଶାନୁଯାୟୀ ପତ୍ନୀଗଣଙ୍କ ସହ ଚନ୍ଦ୍ର ପ୍ରଭାସ ତୀର୍ଥେ ଉପସ୍ଥିତ ହେଲେ ଏବଂ ଶିବଲିଙ୍ଗ ପ୍ରତିଷ୍ଠା କରି କଠୋର ତପସ୍ୟାରେ ମଗ୍ନହେଲେ ।

 

ତପସ୍ୟାରେ ବାରହଜାର ବର୍ଷ ଅତିବାହିତ ହୋଇଗଲା । ପରିଶେଷରେ ଶିବ ସାକ୍ଷାତ ଦେଇ ଚନ୍ଦ୍ରଙ୍କୁ ଦକ୍ଷ ବାକ୍ୟାନୁଯାୟୀ ପନ୍ଦରଦିନ କ୍ଷୟପ୍ରାପ୍ତ ଓ ପନ୍ଦରଦିନ ବୃଦ୍ଧିପ୍ରାପ୍ତ ହୋଇ ପୂର୍ଣ୍ଣତା ଲାଭ ତଥା ପୂର୍ଣ୍ଣପ୍ରଭା ପ୍ରାପ୍ତିର ବର ପ୍ରଦାନ କଲେ । ଏଠାରେ ଚନ୍ଦ୍ର ପୂର୍ଣ୍ଣପ୍ରଭା ପ୍ରାପ୍ତହେତୁ ଏହାର ନାମ ହେଲେ ପ୍ରଭାସ କ୍ଷେତ୍ର ।

 

ଚନ୍ଦ୍ର ଶାପମୁକ୍ତ ହେବା ଦେଖି ଦେବଗଣ ସେଠାକୁ ଆସି କଠୋର ସାଧନାଦ୍ୱାରା ସିଦ୍ଧିଲାଭ କରିଥିବା ହେତୁ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଚନ୍ଦ୍ରଙ୍କ ମୁଖରୁ ପଶୁପତିଙ୍କ ବର ପ୍ରଦାନ କଥା ଦେବଗଣ ଶୁଣିପାରିଲେ ମଧ୍ୟ ଚନ୍ଦ୍ରଙ୍କଦ୍ୱାରା ପୂଜିତଲିଙ୍ଗ ମୂର୍ତ୍ତିକୁ ପ୍ରତ୍ୟକ୍ଷ ନ କରିପାରି ହତାଶ ହେଲେ । ଦେବଗଣଙ୍କ ଏ ହତାଶଭାବ ଲକ୍ଷ୍ୟକରି ପିତାମହ ବ୍ରହ୍ମା ଯେଉଁଠାରେ ମହାଦେବ ଆବିର୍ଭାବ ହୋଇଥିଲେ ଏବଂ ପୂଜିତ ଲିଙ୍ଗମୂର୍ତ୍ତି ପ୍ରତିଷ୍ଠିତ ଥିଲେ,ସେଠାରେ ମୃତ୍ତିକା ଖନନ କରିବାରେ ଲାଗିଲେ । ସେହି ଗର୍ତ୍ତମଧ୍ୟରେ ଦେଖାଗଲା ସ୍ୱୟମ୍ଭୁ ସ୍ପର୍ଶ ଲିଙ୍ଗ । କୁକୁଡ଼ା ଡିମ୍ବଭଳି ଏକ ଛୋଟ ତଥା ସୂର୍ଯ୍ୟଭଳି ମହାତେଜୋମୟ ଏକ ଜ୍ୟୋତିଷ୍ମାନ୍‌ଲିଙ୍ଗମୂର୍ତ୍ତି । ସମସ୍ତ ଶରୀର ନବ ଦୁର୍ବାଦଳରେ ଆଚ୍ଛନ୍ନ ଏହି ନାଗସାପ ବରିବେଷ୍ଟିତ ଡିମ୍ବାକୃତ ଲିଙ୍ଗ ହିଁ ପୃଥିବୀ ବକ୍ଷରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ରୂପେ ବ୍ରାହ୍ମାଙ୍କଦ୍ୱାରା ପ୍ରତିଷ୍ଠିତ ହେଲେ । ସେହି ଛୋଟ ଅଣ୍ଡାକୃତ ଲିଙ୍ଗ ଉପରେ ସ୍ୱୟଂ ସୃଷ୍ଟିକର୍ତ୍ତା ଏକ ବିରାଟକାୟ ଲିଙ୍ଗମୂର୍ତ୍ତି ନିର୍ମିତ କରାଇଲେ । ସାଧାରଣ ମାନବଙ୍କ ଦର୍ଶନ ପାଇଁ ନିଜେ ପୌରାହିତ୍ୟ କରି ବୈଦିକ ମନ୍ତ୍ର ମାଧ୍ୟବରେ ଉକ୍ତ ଦେବବିଗ୍ରହ ପ୍ରତିଷ୍ଠା କଲେ ଏହି ପବିତ୍ର ଭୂମିରେ । ଚନ୍ଦ୍ର ଅର୍ଥାତ୍‌ସୋମଦେବଙ୍କ ତପସ୍ୟାରୁ ମହାଦେବଙ୍କ ଆବିର୍ଭାବ ହେତୁ ଦେବତାଙ୍କ ନାମ ରଖିଲେ ସୋମନାଥ । ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠିତ ଆଦି ଜ୍ୟୋତିର୍ଲିଙ୍ଗ ଅଳ୍ପଦୂରେ ଅବସ୍ଥିତ ନୂତନ ନିର୍ମିତ ସୋମନାଥ ମନ୍ଦିରରେ ବର୍ତ୍ତମାନ ବିରାଜିତ । ସେହି ଶୂନ୍ୟସ୍ଥାନରେ ଚନ୍ଦ୍ରଙ୍କଦ୍ୱାରା ପୂଜିତ ସେହି ଛୋଟ ଲିଙ୍ଗମୂର୍ତ୍ତି ପୁନଃପ୍ରାପ୍ତ ହୋଇ ଚନ୍ଦ୍ରଙ୍କ ତପସ୍ୟା କରିବା ସ୍ଥାନ । ଏଠାରୁ ଆବିଷ୍କୃତ ଜ୍ୟୋତିର୍ମୟ ଶିବଲିଙ୍ଗକୁ ନେଇ ପରବର୍ତ୍ତୀକାଳେ ଗଢ଼ିଉଠିଛି ବିଖ୍ୟାତ ଶିବକ୍ଷେତ୍ର ।

 

ସେହି ଅକୃତ୍ରିମ ସୋମନାଥ ଆବିର୍ଭାବ ଗହ୍ୱର ମଧ୍ୟରେ ଶଶିଭୂଷଣଙ୍କ ଲିଙ୍ଗ ମୂର୍ତ୍ତି ସ୍ପର୍ଶକରି ପରମ ଆନନ୍ଦଲାଭ କଲୁ । ତା’ପରେ ମନ୍ଦିରର ପ୍ରାକୃତିକ ପରିବେଶ ଦେଖି ଆଗେଇ ଚାଲିଲୁ ସୂର୍ଯ୍ୟମନ୍ଦିର ଦିଗେ । ଆର୍ଯ୍ୟାବର୍ତ୍ତରେ ସୂର୍ଯ୍ୟୋପାସନା ପ୍ରାଗୈତିହାସିକ ଘଟଣା । ସୂର୍ଯ୍ୟୋପାସନା କେବେ କାହାଦ୍ୱାରା ପ୍ରଥମେ ପ୍ରଚଳନ ହୋଇଥିଲା,ତାହା ଜାଣିବାର କୌଣସି ପଥ ନାହିଁ । ତେବେ ଆକୁମାରୀ ହିମାଚଳ ପ୍ରତ୍ୟେକ ଭାରତବାସୀ, ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷେ ପ୍ରତ୍ୟେକ ହିନ୍ଦୁ ଉଚ୍ଚାରଣ କରିଥା’ନ୍ତି–

 

‘‘ଜବା କୁସୁମ ସଙ୍କାଶ୍‍ଂ କାଶ୍ୟପେୟଂ ମହାଦ୍ୟୁତିଂ

ଧ୍ୱାନ୍ତାରିଂ ସର୍ବପାପଘ୍ନଂ ପ୍ରଣତୋଽସ୍ମି ଦିବାକରମ୍‌ ।’’

 

ସର୍ବଜନବନ୍ଦିତ,ସର୍ବକାର୍ଯେ ପୂଜିତ ହେଲେହେଁ ସୂର୍ଯ୍ୟଦେବଙ୍କ ମନ୍ଦିର ଖୁବ୍‌ବେଶି ଦେଖିବାକୁ ମିଳେନା । ମାଧରାୟ, ମାର୍ତଣ୍ଡ ଏବଂ ଅର୍କତୀର୍ଥ କୋଣାର୍କକୁ ବାଦ ଦେଲେ ସେପରି ଅନ୍ୟକେଉଁ ସୂର୍ଯ୍ୟକ୍ଷେତ୍ର କଥା ମଧ୍ୟ ଶୁଣାଯାଏନା । ପ୍ରଭାସ ସ୍ଥିତ ସୂର୍ଯ୍ୟମନ୍ଦିର ଏକଦା ଅନ୍ୟ ତିନୋଟି ସୂର୍ଯ୍ୟକ୍ଷେତ୍ର ଭଳି ବିଖ୍ୟାତ ଥିବା କଥା ପ୍ରାକ୍‌ଇତିହାସରୁ ପ୍ରମାଣିତ ହୁଏ । ତେବେ ବର୍ତ୍ତମାନ ଆଉ ଅତୀତରେ ସେ ବୈଶିଷ୍ଟ୍ୟ ଦେଖାଯାଏନା । ଏହା ଏକ ପରିତ୍ୟକ୍ତ ମନ୍ଦିର କହିଲେ ଚଳେ । ଦେବ ପରିତ୍ୟକ୍ତ ହେଲେହେଁ କୋଣାର୍କ ତା’ର ଶିଳ୍ପମହିମା, ତଥା ସ୍ଥାପତ୍ୟର ଚିତ୍ତାକର୍ଷକ ଆକର୍ଷଣରେ ଯାତ୍ରୀ ସାଧାରଣକୁ ମୁଗ୍‌ଧ କରିଥାଏ;କିନ୍ତୁ ଏଠାରେ ନା ଅଛି ଦେବତାର ଆକର୍ଷଣ,ନା ଅଛି ମନ୍ଦିରର ଶିଳ୍ପଚାତୁରୀ, ଯାହାକି ମନୁଷ୍ୟ ମନକୁ ଟାଣିପାରିବ । କେବଳ ଯେଉଁସବୁ ଦର୍ଶକ ଅତୀତ ପ୍ରତି ଶ୍ରଦ୍ଧାଶୀଳ, ସେହିସବୁ ଯାତ୍ରୀ କେତେକ ସମୟ ପାଇଁ ଅବଶ୍ୟ ଅଟକି ପଡ଼ିବେ ।

 

ଏକଦା ଏହାର ନାମ ଥିଲା ବଲ୍ଲଭୀପୁର । ଏଠାରେ ସୂର୍ଯ୍ୟମନ୍ଦିରର ପୂଜକଙ୍କ ମୃତ୍ୟୁପରେ ତାଙ୍କର ଏକମାତ୍ର ସନ୍ତାନ ସୁନ୍ଦରୀ ବାଳବିଧବା କନ୍ୟା ସୂର୍ଯ୍ୟପୂଜାର ଭାର ଗ୍ରହଣ କରନ୍ତି । ଅତି ନିଷ୍ଠାସହ ଏକାନ୍ତଚିତ୍ତେ ସେ ନିଜର କର୍ତ୍ତବ୍ୟ ସମାପନାନ୍ତେ ଆହାର ଗ୍ରହଣ କରିଥାଆନ୍ତି । ଏହିପରି ଭାବରେ ଦେବସେବାରେ ତାଙ୍କର ଦୀର୍ଘଦିନ ଅତିବାହିତ ହୋଇଗଲା । ବ୍ରାହ୍ମଣ ତନୟାଙ୍କ ସେବାରେ ପରିତୁଷ୍ଟ ହୋଇ ସୂର୍ଯ୍ୟଦେବ ତାଙ୍କୁ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଦାନ କଲେ । ବାଳକଟିର ବୟସ ବୃଦ୍ଧି ସଙ୍ଗେ ତା’ର ମେଧା ଓ ସାହସ ବୃଦ୍ଧି ପାଇବାରେ ଲାଗିଲା । ଏହି ସହଜାତ ଗୁଣ ହେତୁ ସେ ଅତି ସହଜେ ସମବୟସୀ ବାଳକମାନଙ୍କ ନେତୃତ୍ୱ ନେଇପାରିଥିଲା-। ସପକ୍ଷଦଳ ଯେପରି ନେତା ବୋଲି ଗ୍ରହଣ କଲେ ପ୍ରତିପକ୍ଷଦଳ ସେପରି ପ୍ରବଳ ବିକ୍ରମରେ ବାଧାସୃଷ୍ଟି କରିବାରେ ଲାଗିଲେ । ଦିନେ ରାଜା ଖେଳ ସମୟରେ ସେ ଯେତେବେଳେ ଦଳଦ୍ୱାରା ପୁଷ୍ଟହୋଇ ସିଂହାସନୋପରି ବସିବାକୁ ଯାଉଛନ୍ତି,ସେତେବେଳେ ପରାଜିତ ପ୍ରତିପକ୍ଷ ପିତୃପରିଚୟହୀନ ବ୍ୟକ୍ତି ପକ୍ଷରେ ରାଜା ସିଂହାସନରେ ବସିବା ନୀତିବରୁଦ୍ଧ ବୋଲି ଦାବୀ ଜଣାଇଲେ । ବାଳକ ପକ୍ଷରେ ପିତୃପରିଚୟ ସଂପୂର୍ଣ୍ଣ ଅଜ୍ଞାତ ଥିଲା । ଫଳରେ ନୀତିଗତ ଭାବେ ସେ ଅପମାନିତ ଓ ଲଜ୍ଜିତ ହୋଇ ଖେଳ ରାଜସିଂହାସନରୁ ଅପସରି ଯାଇ ଗୃହକୁ ଫେରି ଆସିଲେ ଏବଂ ଜନନୀ ନିକଟରୁ ଜାଣିବାକୁ ଚାହିଁଲେ ନିଜର ପିତୃ ପରିଚୟ ।

Unknown

 

ସମସ୍ତ କିଛି ଜାଣିଲେ ମଧ୍ୟ ମାତାଙ୍କ ପକ୍ଷେ ସତ୍ୟ ଘଟଣା ପ୍ରକାଶ କରିବା ମୋଟେ ସହଜସାଧ୍ୟ ନଥିଲା । ପୁତ୍ର,କନ୍ୟା ପ୍ରଦାନ କରି ପ୍ରସ୍ଥାନ ସମୟରେ ସୂର୍ଯ୍ୟ ତାଙ୍କୁ କହିଥିଲେ, ଏହାପରଠାରୁ ପିତୃପ୍ରଦତ୍ତ ମହାମନ୍ତ୍ରରେ ଆବାହନ ନ କରି ପୂଜା କରିବା ପାଇଁ । ଯଦି ପୁନଶ୍ଚ ଉକ୍ତ ମନ୍ତ୍ର ସେ ଉଚ୍ଚାରଣ କରନ୍ତି, ତେବେ ସୂର୍ଯ୍ୟ ସଶରୀରେ ଆସି ଦେଖାଦେବେ ସତ କିନ୍ତୁ ତାହା ହେବ ବ୍ରାହ୍ମଣ ତନୟାଙ୍କ ମୃତ୍ୟୁର କାରଣ । ଏହା ଜାଣିଲେ ହେଁ ବର୍ତ୍ତମାନ ଆଉ ପ୍ରତିକାରର ପଥ ନାହିଁ । ମାତାର ଚରିତ୍ର ଉପରେ ସନ୍ଦେହ ପୋଷଣ କରି ସନ୍ତାନ ଚାହୁଁଛି ତା’ର ପିତୃପରିଚୟ । ନିଜର ଜୀବନ ବିନିମୟରେ ସନ୍ତାନର ସନ୍ଦେହ ମୋଚନ କରି ତାହାକୁ ପ୍ରତିଷ୍ଠିତ କରାଇବାକୁ ହେବ । ତାର ଜାତକ ଅପବାଦ ମୋଚନ କରି ନିଜର ନିର୍ମଳ ଚରିତ୍ରର ପ୍ରମାଣ ଦର୍ଶାଇବାକୁ ହେବ ସନ୍ତାନ ନିକଟରେ । ମନୁଷ୍ୟ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବ । ନିମିଷକ ଭିତରେ ଜନନୀ ଏତେଗୁଡ଼ାଏ ଚିନ୍ତା କରିନେଇ ନିଜର କର୍ତ୍ତବ୍ୟ ଠିକ୍‌ କଲେ ।

 

ପବିତ୍ର ମନେ ସିଦ୍ଧାସନେ ବସି ଆଚମନାନ୍ତେ ଶୁଚିପୂତ ମନ ନେଇ ସେହି ମହାମନ୍ତ୍ର ଉଚ୍ଚାରଣପୂର୍ବକ ଦିନକରନାଥଙ୍କୁ ଆବାହନ କଲେ । ମନ୍ତ୍ର ପ୍ରଭାବେ ଦିବାକର ଆସି ଆବିର୍ଭାବ ହେଲେ ଏବଂ ସନ୍ଦେହୀ ବାଳକକୁ ତା’ର ଜନ୍ମବୃତ୍ତାନ୍ତ ଜଣାଇ ଆଶ୍ୱସ୍ତ କରାଇଲେ । ଯିବା ସମୟରେ ନିତ୍ୟ ପୂଜା ସକାଶେ ବାଳକ ହାତରେ ଦେଇଗଲେ ଗୋଟିଏ ଆଦିତ୍ୟଶିଳା ଓ ସପ୍ତାଶ୍ୱଶୋଭିତ ଗୋଟିଏ ଦିବ୍ୟ ରଥ । ଆଦିତ୍ୟଶିଳା ପ୍ରାପ୍ତିହେତୁ ନାମ ହେଲା ଶିଳାଦିତ୍ୟ । ସୂର୍ଯ୍ୟପ୍ରଦତ୍ତ ଶିଳା ମହାମାରଣାସ୍ତ୍ର ହୋଇ ଶିଳାଦିତ୍ୟଙ୍କ ନିକଟରେ ପୂଜିତ ହେବାକୁ ଲାଗିଲା । ସୂର୍ଯ୍ୟଙ୍କ ବରରେ ତାଙ୍କରି ପ୍ରଦତ୍ତ ସପ୍ତାଶ୍ୱ ରଥ ଆରୋହଣ କରି ଯେଉଁଦିଗକୁ ଅଭିଯାନ କରିବେ ସେ ଦିଗେ ବିଜୟ ସୁନିଶ୍ଚିତ । ଏହି ଦିବ୍ୟରଥ ଆଦିତ୍ୟଙ୍କ ପରମ ଦୟାରୁ ସୃଷ୍ଟ ଏକ କୁଣ୍ଡ ମଧ୍ୟରେ ସର୍ବଦା ଲୁକ୍‌କାୟିତ ହୋଇ ରହିଲା । ଆବଶ୍ୟକ ହେଲେ ଶିଳାଦିତ୍ୟ ଆଦିତ୍ୟପ୍ରଦତ୍ତ ମନ୍ତ୍ର ଉଚ୍ଚାରଣ କଲେ ସେହି ଅଜୟ ରଥ ବାହାରି ଆସିବ ସେହି କୁଣ୍ଡ ମଧ୍ୟରୁ । ଏସବୁ ବର ବାଳକକୁ ପ୍ରଦାନ କରି ସୂର୍ଯ୍ୟ ଦେବ ପ୍ରସ୍ଥାନ କଲେ ।

 

ଦେବତା ପ୍ରସାବେ ସନ୍ତାନ ଏସବୁ ନୈସର୍ଗିକ ସମ୍ପଦର ଅଧିକାରୀ ହେଲେ ସତ;କିନ୍ତୁ ବିନିମୟେ ହରାଇ ବସିଲେ ସ୍ନେହାତୁରା ଜନନୀଙ୍କୁ । ତା’ର ପର ଘଟଣା ଜାଣିବା ଅତି ସହଜ । ଦେବ ବରେ ଅଜେୟ ଶିଳାଦିତ୍ୟ ଏକପରେ ଏକଖଣ୍ଡ ରାଜ୍ୟ ଜୟକରି ପ୍ରତିଷ୍ଠା କଲେ ବିଶାଳ ବଲ୍ଲଭୀପୁର ସାମ୍ରାଜ୍ୟ । ଯଥା ସମୟେ ଦିଗ୍‌ବିଜୟରେ ଯାତ୍ରାକରି ସଫଳ ମନୋରଥ ହୋଇ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ପମର ସୁଖରେ ରାଜ୍ୟ ସୁଖଭୋଗ କରି ଦିନାତିପାତ କରିବାରେ ଲାଗିଲେ । ଐଶ୍ୱର୍ଯ୍ୟ ମଧ୍ୟେ ମଗ୍ନରହି ଭୁଲିଗଲେ ମାତୃହରା ସ୍ନେହାତୁରା ଭଗ୍ନୀର କଥା । ଯେଉଁଦିନ ସେ ବିବାହ କର୍ମ ସମାପନାନ୍ତେ ଏକାନ୍ତେ ନବନୀତ ପତ୍ନୀଙ୍କ ସହବାସେ କାଳାତିପାତ କରୁଛନ୍ତି, ସେହି ରାତ୍ରେ ଶୁଣିବାକୁ ପାଇଲେ ସେହି ସର୍ବହରା,ପରିତ୍ୟକ୍ତା ସହୋଦରାର ବିକଳ କ୍ରନ୍ଦନଧ୍ୱନି । ତାହା ଶ୍ରବଣମାତ୍ରେ ଶିଳାଦିତ୍ୟଙ୍କୁ ସମସ୍ତ ସୁଖ ସମ୍ପଦ ବିଷପରି ମନେହେଲା । ବିନିଦ୍ର ରଜନୀ କୌଣସି ରକମ ଉଦ୍‌ଯାପିତ କରି ପ୍ରଭାତ ହେବାମାତ୍ରେ ରଥଚଢ଼ି ଯାତ୍ରାକଲେ ସେହି ପୁରାତନ ସୂର୍ଯ୍ୟମନ୍ଦିର ଉଦ୍ଦେଶ୍ୟରେ । ସେଠାରେ ଯାଇ ଦେଖିବାକୁ ପାଇଲେ ସେଇ ବିରାଟ ସୂର୍ଯ୍ୟମନ୍ଦିର ମୂର୍ତ୍ତିସହ ଅର୍ଦ୍ଧେକ ଭୂଗର୍ଭେ ପୋଥିତ ହୋଇ ଯାଇଅଛି । ଭଉଣୀଙ୍କ କୌଣସି ଖୋଜଖବର ପାଇଲେ ନାହିଁ । ନିଜ ଅବହେଳାସୃଷ୍ଟ ଏ ବିପର୍ଜୟ ଅବସ୍ଥା ମନ୍ଦିରର ଦେଖି ଶିଳାଦିତ୍ୟ ମୁହ୍ୟମାନ ହୋଇ ପଡ଼ିଲେ । ବଲ୍ୟକାଳର ପୂର୍ବସ୍ମୃତି ମନରେ ଜାଗରୁକ ହୋଇ ଉଠିଲା-। ଅଧୀର ଆଗ୍ରେହ ପୁଣି ସମସ୍ତ ଫେରାଇ ଦେବାପାଇଁ ଦେବତାଙ୍କ ନିକଟରେ ଗୁହାରି ଜଣାଇବା ଉଦ୍ଦେଶ୍ୟରେ ଉଦ୍‌ଭ୍ରାନ୍ତି ଭଳି ମନ୍ଦିର ମଧ୍ୟରେ ପ୍ରବେଶ କଲେ । ଦେଖିଲେ ଦେବତାର ସିଂହାସନ ଶୂନ୍ୟ ।

 

ହତାଶ ଶିଳାଦିତ୍ୟ ଦେବଦର୍ଶନ ନ ପାଇଁ ଫେରିଚାଲିଲେ ନିଜ ରାଜ୍ୟକୁ । କୌଣସି କର୍ମରେ ଶାନ୍ତି ପାଇପାରିଲେ ନାହିଁ । ଆତ୍ମପ୍ରାୟଶ୍ଚିତ୍ତ ସ୍ୱରୂପ ସେଇ ହରାଇ ଆସିଥିବା ପୁରୁଣା ସ୍ମୃତି ଜାଗ୍ରତ ରଖିବା ସକାଶେ ଅର୍ଦ୍ଧଲୁପ୍ତ ପୁରାତନ ମନ୍ଦିର ଜାଗାରେ ନିର୍ମାଣ କରାଇଲେ ସୁ-ଉଚ୍ଚ ନୂତନ ମନ୍ଦିର । ପ୍ରତିଷ୍ଠା କରାଇଲେ ସୂର୍ଯ୍ୟନାରାୟଣଙ୍କ ନୂତନ ବିଗ୍ରହ । ଦେବସେବା ସକାଶେ ନିୟୋଗ କଲେ ପ୍ରଚୁର ଭୂ-ସମ୍ପତ୍ତି । ଏସବୁ କଲେ ମଧ୍ୟ ଯାହା ହରେଇଥିଲେ ତା’ର ଆଉ ପୁନରୁତ୍‌ଥାନ ହେଲାନାହିଁ । ଜୀବନରେ ହରାଇଥିବା ସେହିସବୁ ପବିତ୍ର ଗାଥାକୁ ମନ ମଧ୍ୟରେ ଜାଗ୍ରତ ରଖି ପରାକ୍ରମୀ ଶିଳାଦିତ୍ୟ ରାଜତ୍ୱ କରିବାରେ ଲାଗିଲେ । ଇତିହାସରୁ ଜଣାଯାଏ ଶିଳାଦିତ୍ୟଙ୍କ ପୁତ୍ରଙ୍କ ନାମ ଗୋହ ଏବଂ ଏଇ ମହାପୁରୁଷ ହିଁ ମେବାର ଗୁହିଲଟ ରାଜବଂଶର ପ୍ରଥମ ପୁରୁଷ ।

 

ଏହି ମହାପରାକ୍ରମଶାଳୀ ଦେବାନୁଗ୍ରହୀ ଶିଳାଦିତ୍ୟଙ୍କର ମଧ୍ୟ ପତନ ହେଲା ବିଶ୍ୱାସଘାତକ,ସ୍ୱାର୍ଥନ୍ୱେଷୀ ବିଶ୍ୱସ୍ତ ଅମାତ୍ୟଙ୍କ ହୀନ ପ୍ରଚେଷ୍ଟାରେ । ସେ ସମୟେ ପାରଦ ନାମୀ ଜନୈକ ମହାପରାକ୍ରମୀ ଯବନ ରାଜା ଅଗଣିତ ସେନାନୀ ନେଇ ବଲ୍ଲଭୀପୁର ରାଜ୍ୟ ଆକ୍ରମଣ କରି ବସିଲେ । ସେହି ପ୍ରଚଣ୍ଡ ଆକ୍ରମଣ ଶିଳାଦିତ୍ୟ ସୂର୍ଯ୍ୟ ପ୍ରଦତ୍ତ ରଥରେ ଆରୋରଣ କରି ପ୍ରତିହିତ କଲେ ଏବଂ ଆକ୍ରମଣକାରୀଙ୍କୁ ବିପର୍ଯ୍ୟସ୍ତ କରି ଛାଡ଼ିଲେ । ଉପଯୁକ୍ତ ଶିକ୍ଷାପାଇ ବିଧର୍ମୀ ଶକ୍ତି ପଶ୍ଚାଦପସରଣ କରିବାକୁ ବାଧ୍ୟ ହେଲେ ସତ,କିନ୍ତୁ ହତାଶ ନ ହୋଇ, ଫେରି ନ ଯାଇ କିଛି ଦୂରରେ ଛାଉଣୀ ପକାଇ ବଲ୍ଲଭୀପୁର ରାଜ୍ୟର ଛିଦ୍ରାନ୍ୱେଷଣ କରିବାରେ ଲାଗିଲେ । ଏହି କାର୍ଯ୍ୟରେ ବହୁ ଉତ୍‌କୋଚ ଦେଇ କେତେକ ଅମାତ୍ୟଙ୍କୁ ବଶୀଭୂତ କରି ନେଲେ । ସେମାନଙ୍କ ମୁଖରୁ ଶୁଣିବାକୁ ପାଇଲେ ରାଜଶକ୍ତିର ପରାକ୍ରମର କଥା,-ସେହି ସୂର୍ଯ୍ୟକୁଣ୍ଡର କଥା, ଯେଉଁଠି ଅଛି ସୂର୍ଯ୍ୟ ପ୍ରଦତ୍ତ ଦୁଇ ଅମୂଲ୍ୟ ସମ୍ପଦ ଆଦିତ୍ୟଶିଳା ଓ ବିଜୟ ରଥ । ଯବନରାଜ ତତ୍‌ପର ହୋଇଉଠିଲେ । କୌଶଳ କ୍ରମେ ସେହି ପବିତ୍ର କୁଣ୍ଡ ମଧ୍ୟରେ ଗୋରକ୍ତ ସମ୍ମିଶ୍ରଣ କରାଇ ତାହାକୁ କଳୁଷିତ କରିଦେଲେ । ସେ ପୁଣି ନୂତନ ଉଦ୍ୟମରେ ଶିଳାଦିତ୍ୟଙ୍କ ରାଜ୍ୟ ଆକ୍ରମଣ କଲେ । ଶିଳାଦିତ୍ୟଙ୍କ ସମସ୍ତ ଚେଷ୍ଟା ଏଥର ବ୍ୟର୍ଥ ହେଲା । କଳୁଷିତ କୁଣ୍ଡ ମଧ୍ୟରୁ ଆଉ ମନ୍ନପୂତ ରଥ କି ଆଦିତ୍ୟଶିଳା ବାହାରିଲା ନାହିଁ । ବିଳମ୍ବରେ ରାଜା ସମସ୍ତ ବିଷୟ ଅବଗତ ହେଲେ;କିନ୍ତୁ ସେତେବେଳକୁ ପ୍ରତିକାରର କୌଣସି ପଥ ଆଉ ନାହିଁ । ତେବେ ବି ମହାପରାକ୍ରମଶାଳୀ ଶିଳାଦିତ୍ୟ ପ୍ରଚଣ୍ଡ ବେଗେ ପ୍ରତି ଆକ୍ରମଣ କରି ଶତ୍ରୁ ଶିବିର ଛିନ୍ନଭିନ୍ନ କରିଦେଲେ । ବଲ୍ଲଭୀପୁର ସେନାଙ୍କ ଆକ୍ରମଣରେ ବିଦେଶୀ ଯବନ ସେନା ପ୍ରାଣ ବିକଳରେ ଦିଗ୍‌ବିଦିଗ୍‌ଜ୍ଞାନ ଶୂନ୍ୟ ହୋଇ ରଣଭୂମିରୁ ପୃଷ୍ଠଭଙ୍ଗ ଦେଲେ । ଅଗତ୍ୟା ଯେତେବେଳେ ଯବନ ସେନାଧକ୍ଷ ଆକ୍ରମଣ ପ୍ରତ୍ୟାହାର କରି ପଳାଇ ଯିବାକୁ ଠିକ୍‌କରିଛନ୍ତି ଠିକ୍‌ସେହି ସମୟରେ ସେହି ବିଶ୍ୱାସଘାତକ କର୍ମଚାରୀଙ୍କଦ୍ୱାରା ଅତର୍କିତ ଅବସ୍ଥାରେ ଆହତ ହୋଇ ଶିଳାଦିତ୍ୟ ପରଲୋକ ଗମନ କଲେ । କର୍ଣ୍ଣଧାରବିହୀନ ବଲ୍ଲଭୀପୁର ଏହାପରେ ନିଜ ଶକ୍ତି ହରାଇ ବସିଲା । ଆର୍ଯ୍ୟାବର୍ତ୍ତରେ ହିନ୍ଦୁ ସାମ୍ରାଜ୍ୟ ସେଇ ଆଦିମ ଯୁଗରୁ ଏହିପରି ଭାବରେ ଗୃହଶତ୍ରୁଦ୍ୱାରା ଧ୍ୱଂସପ୍ରାପ୍ତ ହୋଇ ଆସୁଅଛି । ପୁରାଣ ଓ ଇତିହାସ ଏହାର ପ୍ରକୃଷ୍ଟ ପ୍ରମାଣ ।

 

ସେହି ଇତିହାସ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଓ ସୂର୍ଯ୍ୟ କୁଣ୍ଡ ଦର୍ଶନ କରି ଆଗେଇ ଚାଲିଲୁ ବଳରାମଙ୍କ ଦେହତ୍ୟାଗ ସ୍ଥାନ ଦେଖିବା ମାନସରେ । ସାମାନ୍ୟ ପଥ ଯିବା ସକାଶେ ବେଶି ସମୟ ଲାଗିଲା ନାହିଁ । ସେହି ମହତୀ କ୍ଷେତ୍ରରେ ଯାଇ ପହଞ୍ଚିଗଲୁ । ବିସ୍ତୃତ କ୍ଷେତ୍ରର ଏକ ପ୍ରାନ୍ତ ମୋଟା ମୋଟା ଲୁହାର ରଡ଼ ଦେଇ ଘେରାଉ କରି ରଖାହୋଇଅଛି । ଉପର ଛାତ ମଧ୍ୟ ଲୁହାର ଜାଲି ଦେଇ ଆବୃତ କରାହୋଇଛି । ତା’ ଉପରେ ସୁବୃହତ୍‍ ଛାତ । ଲୁହାରଡ଼ ଫାଙ୍କ ମଧ୍ୟ ଦେଇ ଗୋଟିଏ ବିବର ଦେଖିବାକୁ ମିଳେ । ବାହାରୁ ଗହ୍ୱର ଭିତରକୁ ଯେତେଦୂର ନଜର ଯାଏ ସେତେଦୂର ପର୍ଯ୍ୟନ୍ତ ଦେଖାଯାଏ କେବଳ ସୋପାନ ଶ୍ରେଣୀ କ୍ରମଶଃ ତଳକୁ ତଳକୁ ଚାଲିଯାଇଛି । ତା’ର ପରେ ଘନ ଅନ୍ଧକାରାଚ୍ଛନ୍ନ । ଶୁଣିବାକୁ ପାଇଲୁ, ଏହି କେତେ ବର୍ଷ ପୂର୍ବ ପର୍ଯ୍ୟନ୍ତ ଦର୍ଶନେଚ୍ଛୁ ଯାତ୍ରୀଗଣ ଉକ୍ତ ଗହ୍ୱର ଭିତରେ ପ୍ରବେଶ କରି କିଛି ଦୂର ପର୍ଯ୍ୟନ୍ତ ଯାଇ ପାରୁଥିଲେ;କିନ୍ତୁ କେତେକ ଅତ୍ୟୁତ୍ସୁକ ଯାତ୍ରୀ ନାନାଦି କଳ କଉଶଳ କରି ସୀମା ଅତିକ୍ରମ କରି ସେହି ଅନ୍ଧକାର ପଥ ମଧ୍ୟ ଦେଇ ବହୁ ତଳକୁ ଯାତ୍ରା କରିବାକୁ ଲାଗିଲେ । ଅନେକେ ଫେରି ଆସି ପାରିଲେନାହିଁ । ଏହି ସଂଖ୍ୟା କ୍ରମେ ବୃଦ୍ଧିପ୍ରାନ୍ତ ହେଲା । ଖବର ପାଇ ସ୍ଥାନୀୟ ସରକାର କଡ଼ା ପ୍ରହରାର ବ୍ୟବସ୍ଥା କଲେ;କିନ୍ତୁ ତା’ ଦ୍ୱାରା ବିଶେଷ କିଛି ଲାଭ ହେଲାନି । ଯାତ୍ରୀଗଶ ପୂର୍ବପରି ଗହ୍ୱର ଶେଷ ଦେଖିବାକୁ ଆଗେଇ ଯାଇ ଆଉ ଫେରିଆସିଲେ ନାହିଁ । ଅଗତ୍ୟା ସ୍ଥାନୀୟ ସରକାର ଶକ୍ତ ଲୌହ ଜାଲିଦ୍ୱାରା ଗହ୍ୱର ମୁଖର ଚତୁଃର୍ଦ୍ଦିଗ ବେଷ୍ଟନ କରି ଦେଇ ସର୍ବସାଧାରଣଙ୍କ ସକାଶେ ପ୍ରବେଶ ପଥ ରୁଦ୍ଧ କରିଦେଲେ । ଏହି ଗହ୍ୱର ମୁଖ ସନ୍ନିକଟେ ଶ୍ୱେତ ମାର୍ବଲ ପଥରରେ ନିର୍ମିତ ବଳରାମଙ୍କ କମନୀୟ ମୁର୍ତ୍ତି ଅପେକ୍ଷାକୃତ ଗୋଟିଏ ଛୋଟ ମନ୍ଦିରରେ ପ୍ରତିଷ୍ଠିତ । ୧୯୬୭ ରେ ମାନନୀୟ ରାଜ୍ୟପାଳ ଜୟସୁଖଲାଲ ହାତୀ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ ।

 

ବିସ୍ତୃତ ଗୀତାଭବନ ହତା ମଧ୍ୟରେ ବଳରାମଙ୍କ ଦେହତ୍ୟାଗ ସ୍ଥାନ ଦର୍ଶନ କରି ଆଗେଇ ଚାଲିଲୁ ଗୀତାଭବନ ଦିଗେ । ଖୁବ୍‌ନିକଟରେ ବିଶାଳ ଗୀତାଭବନ । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ‘‘ଉତ୍ତର ଗୀତା’’ ବ୍ୟାଖ୍ୟା କରି କହୁଛନ୍ତି । ଏହି ଭବନର ଅଷ୍ଟାଦଶ ସ୍ତମ୍ଭ ଊପରେ ଗୀତାର ଅଷ୍ଟାଦଶ ଅଧ୍ୟାୟ ସୁନ୍ଦର ଭାବେ ଶ୍ୱେତ ମାର୍ବଲ ପଥର ଉପରେ କଳା ମାର୍ବଲ ପଥର ଖୋଦିତ ଜାଗାରେ ସନ୍ନିବେଶିତ କରି ସଂସ୍କୃତ ଭାଷାରେ ବେଶ୍‌ପ୍ରାଞ୍ଜଳ ଭାବେ ଉଦ୍ଧୃତ କରାଯାଇଅଛି । ଏହି ଗୀତା ଭବନଟି ୧୯୬୩ ଏପ୍ରିଲ କୋଡ଼ିଏ ତାରିଖରେ ମହାରାଜା ଜାମ ସାହେବ ଶ୍ରୀ ଦିଗ୍‌ବିଜୟ ସିଂହଜୀନିର୍ମାଣ କରାଇଥିଲେ ।

 

ଗୀତାଭବନରେ ବିସ୍ତୃତ ପ୍ରାଙ୍ଗଣ ମଧ୍ୟରେ ଅନେକ ଦେବ ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଏହାର ଅଦୂରେ ଭୀମେଶ୍ୱର ମହାଦେବଙ୍କ ମନ୍ଦିର । ଏହି ସ୍ଥାନରେ ଭୀମସେନ ସେହି ଅଭିଶପ୍ତ ମୂଷଳକୁ ପଥରରେ ଘଷି ଘଷି ଶେଷ କରିଥିଲେ । ମହାଦେବ ମନ୍ଦିର ନିକଟରେ ମା ଦୁର୍ଗାଙ୍କ ମନ୍ଦିର । ଶୁଣାଯାଏ ଖଣ୍ଡିତ ସତୀ ଦେହ ପତିତ ବାଆବନ ଦେବୀ କ୍ଷେତ୍ର ମଧ୍ୟରୁ ଏହା ଅଠତିରିଶତମ ପୀଠ । ସତୀଙ୍କ ଅଧର ଏଠାରେ ପତିତ ହୋଇଥିଲା । ଅନ୍ୟ କେତେକ ପୁରାଣରେ ଅଧର ଜାଗାରେ ଉଦର ନାମ ଉଲ୍ଲେଖ ଅଛି । ପୀଠ ନିର୍ଣ୍ଣୟ ଗ୍ରନ୍ଥରେ ଏହା ଦେଖିବାକୁ ମିଳେ ।

 

‘‘ଉଦରଶ୍ଚ(ଅଧରଶ୍ଚ) ପ୍ରଭାସମେ ଚନ୍ଦ୍ରଭାଗା ଯଶସ୍ୱିନୀ’’ଏଠାରେ ଦେବୀଙ୍କ ନାମ ଚନ୍ଦ୍ରଭାଗା, ଭୈରବ ନାମ ବକ୍ରତୁଣ୍ଡ, କିନ୍ତୁ ଦେବୀ ଭାଗବତରେ ଉଲ୍ଲେଖ ଥିବା ୧୦୮ ପୀଠ ମଧ୍ୟରେ ଏହି ପୀଠକୁ ସତୁରି ସଂଖ୍ୟକ ପୀଠ ବୋଲି ବର୍ଣ୍ଣନା କରାଯାଇଅଛି । ସେଇ ମତରେ ଦେବୀଙ୍କ ନାମ ପୁଷ୍କରାବତୀ । ଏହା ବ୍ୟତୀତ ଅନ୍ୟ ସବୁ ଦେବୀ ପୁରାଣମାନଙ୍କରେ ପୀଠସଂଖ୍ୟାରେ ତାରତମ୍ୟ ପରିଲକ୍ଷିତ ହେଲେ ମଧ୍ୟ ଦେବୀ ନାମ ଚନ୍ଦ୍ରଭାଗା ଏବଂ ବକ୍ରତୁଣ୍ଡ ଭୈରବ ନାମ ଦେଖିବାକୁ ମିଳେ । ମନ୍ଦିର ଦରଜା ବନ୍ଦ ଥିବା ହେତୁ ଦେବୀ ବା ଭୈରବଙ୍କ ଦର୍ଶନ ସୌଭାଗ୍ୟ ମିଳିଲା ନାହିଁ । ନିକଟରେ ଘନ ଶରବଣ (ଏରକାବଣ) ଅଭିଶପ୍ତ ଲୌହ ମୂଷଳ ଘର୍ଷଣ ଚୂର୍ଣ୍ଣରୁ ଯାହାର ଜନ୍ମ । ବର୍ତ୍ତମାନ ଏହି ତୃଣ ମଧ୍ୟରେ କେତେକାଂଶ ଧାରୁଆ ମନେହେଲେ ମଧ୍ୟ ଏହା ଯେ ଜୀବନଘାତୀ ହୋଇପାରେ ସେ ଚିନ୍ତା କରିବା ସମ୍ଭବପର ନୁହେ । ସମସ୍ତ କିଛି ଯଥା ସାଧ୍ୟ ଦେଖି ସ୍ଥାନ ମହାତ୍ମ୍ୟ ଆଲୋଚନା କରୁ କରୁ ପୁଣି ସେହି ତ୍ରିବେଣୀ ଘାଟକୁ ଫେରି ଆସିଲୁ । ଆମର ଟାଙ୍ଗା ଏଠାରେ ଅପେକ୍ଷା କରୁଥିଲା । ଆମେ ବସିବା ପରେ ଟାଙ୍ଗା ଶ୍ରୀକୃଷ୍ଣ ଯେଉଁଠି ଶରବିଦ୍ଧ ହୋଇଥିଲେ ସେହି ଉଳ୍‍କା ତୀର୍ଥାଭିମୁଖେ ଛୁଟିବାକୁ ଲାଗିଲା ।

 

ପ୍ରଭାସପତ୍ତନରେ ଅନ୍ୟ ଯାହା ସବୁ ଦର୍ଶନୀୟ ଅଛି ତା’ର ମଧ୍ୟରେ ଉଲ୍ଳେଖଯୋଗ୍ୟ-ଲକ୍ଷ୍ମୀନାରାୟଣ ମନ୍ଦିର । ୧୯୭୬ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ତରଫରୁ ଧର୍ମ ପ୍ରାଣବ୍ୟକ୍ତି ଜୟସୁଖଲାଲ ହାତୀ ଏହା ନିର୍ମାଣ କରାଇଥିଲେ ।

 

ବନେଶ୍ୱର ମହାଦେବ ମନ୍ଦିର :–ଭୁଜଠାକୁରଙ୍କ ଦୁହିତା ନିଜ ଚେଷ୍ଟାରେ ଉକ୍ତ ମନ୍ଦିର ନିର୍ମାଣପୂର୍ବକ ଶିବଲିଙ୍ଗ ପ୍ରତିଷ୍ଠା କରି ନିଜେ ସେହି ବିଗ୍ରହଙ୍କ ସେବା ପୂଜାରେ ଜୀବନ ଅତିବାହିତ କରିଥିଲେ ।

 

ଦୈତ୍ୟ ନିସୂଦନ-ସପ୍ତମ ଶତାବ୍ଦୀରେ ନିର୍ମିତ ସହର ମଧ୍ୟରେ ଅନ୍ୟତମ ବିଖ୍ୟାତ ବିଷ୍ଣୁ ମନ୍ଦିର । ବୈଷ୍ଣବମାନଙ୍କର ଏହା ଏକ ପ୍ରସିଦ୍ଧ ତିର୍ଥ ସ୍ଥାନ ।

 

ଏହା ବ୍ୟତୀତ ଦେହୋତ୍ସର୍ଗ ଘାଟରେ ଦେଖିବାକୁ ମିଳେ ରୁଦ୍ରେଶ୍ୱର ମହାଦେବ ମନ୍ଦିର-। ନିକଟରେ ରୁଦ୍ର କୁଣ୍ଡ । ଶ୍ରୀ ଜମଦଗ୍ନେଶ୍ୱର ମହାଦେବ ମନ୍ଦିର ଓ ନିକଟରେ ବିଷ୍ଣୁ କୁଣ୍ଡ । ଗୌରୀ ମନ୍ଦିର ଓ ଗୌରୀ କୁଣ୍ଡ,ବାଣେଶ୍ୱର ମହାଦେବ ମନ୍ଦିର, ରାମଚନ୍ଦ୍ର ମନ୍ଦିର, ତ୍ରିବେଣୀ ମାତା ମନ୍ଦିର,ଶ୍ରୀ ଶାରଦା ମଠର ଶାଖା,ପାଣ୍ଡବ ଗୁହା ପ୍ରଭୃତି । ଦେଖି ମନେହୁଏ ମୂଳ ତୀର୍ଥ ସଙ୍ଗେ ଏ ସବୁର ନିର୍ମାଣ କାଳର କୌଣସି ସାମଞ୍ଜସ୍ୟ ବା ସଂଯୋଗ ନାହିଁ । ପରବର୍ତ୍ତୀ ସମୟରେ ଭକ୍ତମାନଙ୍କ ବଦାନ୍ୟତାରେ ଏ ସବୁ ମନ୍ଦିର ନିର୍ମିତ ହୋଇ ତୀର୍ଥକ୍ଷେତ୍ରର ଅଙ୍ଗ ସୌଷ୍ଠବ ବୃଦ୍ଧି ପାଇଛି ।

 

ଅଳ୍ପ ସମୟ ମଧ୍ୟରେ ଆମେ ଆସିଉଳକା ବା ଉଲ୍ଲଳା ତୀର୍ଥରେ ପହଞ୍ଚି ଗଲୁ । ବିଶାଳ ଜାଗା ନେଇ ଏହି କ୍ଷେତ୍ର ! ଅନେକେ ଭେରାବଳରୁ ପ୍ରଭାସ ଯିବା ପଥରେ ପ୍ରଥମେ ଏହି ସ୍ଥାନ ଦେଖି ଯାଇଥାନ୍ତି ।

 

ଗୋଟିଏ ଗଛକୁ କେନ୍ଦ୍ରକରି ଗଢ଼ିଉଠିଛି ଏହି ମନ୍ଦିର । ସେହି ଗଛର ତଳେ ଶାୟିତ ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଏକ କମନୀୟ ମୂର୍ତ୍ତି । ପଦ୍ମ ପାଦେ ବ୍ୟାଧ ନିକ୍ଷିପ୍ତ ତୀର ଲାଗି ରହିଛି । ସେହି ତୀର ମୁଖରେ ଲାଗି ରହିଛି ଗୋଟିଏ କ୍ଷୀଣ ରକ୍ତ ଧାରା । ଅଦୂରେ ସେହି ତୀର ବିଦ୍ଧ ଜାଗା ପ୍ରତି ନଜର ରଖି ଜରା କୃତାଞ୍ଜଳି ପୁଟେ ଦଣ୍ଡାୟମାନ । ଅନ୍ୟ ଦିଗରୁ ଅର୍ଜ୍ଜୁନ ନିଜର ଧନୁ ବଢ଼େଇ ଦେଇଛନ୍ତି ପ୍ରଭୂଙ୍କ ପାଦରୁ ସେହି ମରଣାନ୍ତକ ତୀର ବାହାର କରିବା ସକାଶେ । ଏହା ସେହି ଶର ଯାହା ଶଶିଭୂଷଣ ମହାଦେବଙ୍କ ମନ୍ଦିର ନିକଟସ୍ଥ ଅରଣ୍ୟ ମଧ୍ୟରୁ ଜରା ନିକ୍ଷେପ କରିଥିଲା । ନିକଟରେ ଉଲ୍ଲକା କୁଣ୍ଡ । ଶୁଣିବାକୁ ମିଳେ ଜ୍ଞାତି କୁଟୁମ୍ବ ବିନାଶ କରି ଶ୍ରୀକୃଷ୍ଣ ଏହି କୁଣ୍ଡରେ ସ୍ନାନ କରିଥିଲେ । ତାଙ୍କର ସଂକଳ୍ପରେ ସମସ୍ତ ତୀର୍ଥ ଆସି ସେହି କୁଣ୍ଡରେ ମିଳିତ ହୋଇଥିଲେ । ବହୁ ଭକ୍ତ ଉକ୍ତ କୁଣ୍ଡର ଜଳରେ ସ୍ନାନ କରି ଦେବ ଦର୍ଶନ କରି ଥାଆନ୍ତି ।

 

କ୍ଷେତ୍ର ମଧ୍ୟରେ ଗୋଟିଏ ସଂଗ୍ରହାଳୟ ଦେଖିବାକୁ ମିଳେ । କୌଣସି କାରଣରୁ ସେ ଦିନ ଉକ୍ତ ସଂଗ୍ରହାଳୟ ଓ ମନ୍ଦିର ବନ୍ଦ ଥିଲା । ଫଳରେ ଭିତର ଦ୍ରଷ୍ଟବ୍ୟ ଦ୍ରବ୍ୟ ଦେଖିବା ସୌଭାଗ୍ୟ ହୋଇପାରିଲା ନାହିଁ । ଅନ୍ୟ କେତେକ ମନ୍ଦିର ଓ ସଂରକ୍ଷଣାଳୟ ଶ୍ରୀ ମୋରାରଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ନୂତନ ଭାବେ ନିର୍ମାଣ କରାଇଛନ୍ତି ।

 

ଏହିପରି ଭାବରେ ଶ୍ରୀକୃଷ୍ଣଙ୍କ ପଦସ୍ପର୍ଶ ତଥା ଚନ୍ଦ୍ର, ଇନ୍ଦ୍ର, ସୂର୍ଯ୍ୟଙ୍କ ଚିର ଆକାଂକ୍ଷିତ ପରମ ପବିତ୍ର କ୍ଷେତ୍ର ପ୍ରଭାସ ଦର୍ଶନ କରି ପରମ ଆନନ୍ଦ ଲାଭକଲୁ । ସୌଭାଗ୍ୟ କ୍ରମେ ଆଜି ବକୁଳ ଅମାବାସ୍ୟା । ଦେବଦର୍ଶନ ପକ୍ଷେ ଏକ ପବିତ୍ର ତିଥି । ଯେଉଁ ମହାନ ଶକ୍ତିଙ୍କ ଅସୀମ ଦୟାରୁ ଏ ସୌଭାଗ୍ୟର ଅଧିକାରୀ ହୋଇ ପାରିଲୁ,ତାହାଙ୍କ ଉଦ୍ଦେଶ୍ୟରେ ସଭକ୍ତି ପ୍ରଣାମ ନିବେଦନ କରି ବିଖ୍ୟାତ ଶୈବକ୍ଷେତ୍ର ସୋମାନାଥ ମନ୍ଦିର ପଥ ଅନୁସରଣ କଲୁ ।

 

ଏଠାରୁ ସୋମନାଥ ମନ୍ଦିର ପ୍ରାୟ ଅଧ ଘଣ୍ଟାର ବାଟ । ଚୁପ୍‌ଚାପ୍‌ହୋଇ ବସି ରହିବା ଚକ୍ରବର୍ତ୍ତୀ ଭାୟାଙ୍କ ଜାତକରେ ନାହିଁ । ଟାଙ୍ଗା ଚାଲିବା ପରେ ସେ ଗାଣ୍ଡିବ ଧନୁ ଓ ମୋହନ ବଂଶୀର ଉତ୍‌ପତ୍ତି କଥା ପଚାରିଲେ । କଥାଟା ଉଠିଲା, ଭଲକାତୀର୍ଥେ ଧନୁ ହସ୍ତେ ମଧ୍ୟମ ପାଣ୍ଡବଙ୍କ ଉପସ୍ଥିତିକୁ ଲକ୍ଷ୍ୟ କରି । ଅଗତ୍ୟା ଟାଙ୍ଗାର ମନ୍ଥର ଗତି ମଧ୍ୟରେ ଏ କାହାଣୀ କହିବାକୁ ହେଲା ।

 

ପୃଥିବୀର ପ୍ରାରମ୍ଭ କାଳରେ ପ୍ରଜାଗଣଙ୍କୁ ଶାସନର କୌଣସି ପ୍ରୟୋଜନତା ନଥିଲା । ସୃଷ୍ଟିର ବୃଦ୍ଧିପ୍ରାପ୍ତି ସଙ୍ଗେ ଶ୍ରେଣୀବିଭାଗର ଏବଂ ଶାନ୍ତିରକ୍ଷା ବ୍ୟବସ୍ଥାର ଆବଶ୍ୟକତା ପଡ଼ିଲା । ଶାନ୍ତିରକ୍ଷା ପାଇଁ ନାନା ଆୟୁଧ ଉଦ୍‌ଭାବିତ ହେଲା । ସେହି ସମୟରେ ଦୂରର ଶତ୍ରୁକୁ ଶାସନ କରିବା ଏବଂ ପରାଭୂତ କରିବା ପାଇଁ ଧନୁ ଜାତୀୟ ଅସ୍ତ୍ରର ଆବଶ୍ୟକତା ପଡ଼ିଲା । ସେହି ଅସ୍ତ୍ରର ଉପାଦାନ ପାଇଁ ବିଧାତା ଏକ ଯଜ୍ଞାନୁଷ୍ଠାନ କଲେ । । ସେହି ଯଜ୍ଞରୁ ମହାତେଜୋମୟ ସଇଁତ୍ରିଶ ପବ ବିଶିଷ୍ଟ ଏକ ବାଉଁଶଦଣ୍ଡର ଉତ୍ପତ୍ତି ହେଲା । ସୃଷ୍ଟିକର୍ତ୍ତା ଯଜ୍ଞ ସମାପନ କରି ସେ ବାଉଁଶକୁ ନେଇ ଧନୁ ତୟାରି କରିବାରେ ମନୋନିବେଶ କଲେ । ପ୍ରଥମେ ମୂଳ ପବକୁ ନେଇ କେତେକ ଅସ୍ତ୍ର ତୟାରି କଲେ । ଯାହା ପୌରାଣିକ ଯୁଗରେ ଅବାହୁଡ଼ା ଦେବାସ୍ତ୍ର ନାମରେ ପରିଚିତ । ଏଗାର ପବକୁ ନେଇ ତୟାରି କଲେ ଏକ ମହାଶକ୍ତିଶାଳୀ ଧନୁ । ନାମ ଦେଲେ ପିନାକ । ତ୍ରିପୁରାପୁରକୁ ବଧ କରିବା ସମୟରେ ମହାଦେବ ଉକ୍ତ ଧନୁ ବ୍ୟବହାର କରିଥିଲେ । ସେହି ଯୁଗର ମାପକାଠିରେ ଏହି ଧନୁର ତିନିକୋଟି ବଳ ବୋଲି ବର୍ଣ୍ଣନା କରାଯାଇ ଅଛି ।

 

ଦ୍ୱିତୀୟରେ ନଅ ପବ ବାଉଁଶ ଖଣ୍ଡକୁ ନେଇ ନିର୍ମାଣ କଲେ ଦ୍ୱିତୀୟ ଧନୁ । ନାମ ହେଲା ସାରଙ୍ଗ । ଯଦିଚ ବୃତ୍ରାସୁରକୁ ମାରିବା ସମୟରେ ଇନ୍ଦ୍ର ଏହି ଧନୁ ବ୍ୟବହାର କରିଥିଲେ, ତେବେ ଏହା ପରବର୍ତ୍ତିକାଳରେ ବିଷ୍ଣୁଙ୍କ ଭଣ୍ଡାରରେ ଗଚ୍ଛିତ ହୋଇ ରହିଲା । ଏହାର ଶକ୍ତି ଦୁଇକୋଟି ବଳ ।

 

ତୃତୀୟ ଖଣ୍ଡ ଅଜଗବ ଶରାସନ ସାତପବ ବାଉଁଶରେ ନିର୍ମିତ ହେଲା । ଏହା ଏକକୋଟି ବଳବିଶିଷ୍ଟ ମହାଶାୟକ ସାହାଯ୍ୟରେ ଭୃଗୁପତି ପର୍ଶୁରାମ ଏକୋଇଶବାର ସାରା ପୃଥିବୀକୁ ନିକ୍ଷତ୍ରିୟ କରିଥିଲେ ।

 

ଚତୁର୍ଥ ଧନୁର ନାମ କୋଦଣ୍ଡ । ଯଜ୍ଞ-ପ୍ରାପ୍ତି ବାଉଁଶର ପାଞ୍ଚପବ ନେଇ ଏହାର ସୃଷ୍ଟି । ଶକ୍ତି ନବେଲକ୍ଷ ବଳ । ଏହି କୋଦଣ୍ଡ ହସ୍ତରେ ଧରି ରାମଚନ୍ଦ୍ର,ଦଶାନନ ରାବଣଙ୍କୁ ସବଂଶେ ନିଧନ କରିଥିଲେ ।

 

ପଞ୍ଚମ ଓ ଶେଷ ଧନୁ ହେଲା ଗାଣ୍ଡିବ,ଶକ୍ତି ଏକଲକ୍ଷ ବଳ । ଖାଣ୍ଡବ ବନ ଦହନବେଳେ ଇନ୍ଦ୍ରଙ୍କ ସହ ଯୁଦ୍ଧରେ ବ୍ୟବହାର କରିବା ପାଇଁ ଅଗ୍ନିଦେବ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନଙ୍କ ହାତରେ ଦେଇଥିଲେ । ନିଜର ଜୀବିତାବସ୍ଥାରେ ଗାଣ୍ଡିବର ଅବମାନନା ସହ୍ୟ କରିବେ ନାହିଁ ଏ ପ୍ରତିଜ୍ଞା କରି ଦ୍ୱିତୀକୃଷ୍ଣ ଅର୍ଜ୍ଜୁନ ତାହା ଗ୍ରହଣ କରିଥିଲେ । ସେହି ଗାଣ୍ଡିବ ପୁନଶ୍ଚ ମହାପ୍ରସ୍ଥାନ ପଥେ ବ୍ରାହ୍ମଣରୂପୀ ଅଗ୍ନିଦେବଙ୍କ ହାତରେ ସେ ତୋଳି ଦେଇଥିଲେ ।

 

ସେହି ବାଉଁଶର ଅବଶିଷ୍ଟ ରହିଲା ଏକ ପବ । ପରମେଷ୍ଠି ବ୍ରହ୍ମା ଦ୍ୱାପର ଯୁଗରେ କୃଷ୍ଣଙ୍କ ହାତରେ ଦେବାପାଇଁ ସେହି ପବକୁ ନେଇ ନିର୍ମାଣ କଲେ ମୋହନ ମୁରଲୀ । ସେହି ମୁରଲୀର ସପ୍ତସ୍ୱର ଛିଦ୍ର ମଧ୍ୟରେ ପ୍ରତିଷ୍ଠା କଲେ ସପ୍ତ ମହାଶକ୍ତିଙ୍କୁ । ବଂଶୀର ନାମ ସାର୍ଥକ ହେଲା-। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ନାଦ ରନ୍ଧ୍ରରେ ବସବାସ କଲେ ଯଥାକ୍ରମେ, ସରସ୍ୱତୀ,ରତି,ଉମା,ଲକ୍ଷ୍ମୀ, ଜଗଦ୍ଧାତ୍ରୀ,ସାବିତ୍ରୀ ଓ କାମଦେବ । ଏହାହେଲା ପୌରାଣିକ ମତରେ ଗାଣ୍ଡିବ ଧନୁ ଓ ମୋହନ ମୁରଲୀର ଜନ୍ମକାହାଣୀ ।

 

ଟାଙ୍ଗା ସୋମନାଥ ମନ୍ଦିର ନିକଟରେ ପହଞ୍ଚିଗଲେ । ଟାଙ୍ଗା ଚାଳକ ଅଦୂରରେ ଅହଲ୍ୟାବାଇ ପ୍ରତିଷ୍ଠିତ ମନ୍ଦିର ଦେଖାଇ ଦେଇ କହିଲା, ‘‘ବାବୁ, ନିଶ୍ଚିନ୍ତମନେ ସମସ୍ତ କିଛି ଭଲଭାବେ ଦେଖିନିଅ । ଏଇ ହେଲା ପୁରାତନ ସୋମନାଥ ମନ୍ଦିର । ଆଉ ଏ ବିସ୍ତୃତ ପ୍ରାଙ୍ଗଣର ଅପରପ୍ରାନ୍ତରେ ସାଗର ତୀରେ ସର୍ଦ୍ଦାର ବଲ୍ଲଭଭାଇକର୍ତ୍ତୃକ ନିର୍ମିତ ନବ ସୋମନାଥ ମନ୍ଦିର । ଦୁଇ ମନ୍ଦିର ମଧସ୍ଥ ବିରାଟ ମଇଦାନର ମଧ୍ୟଭାଗରେ ସର୍ଦ୍ଦାର ବଲ୍ଲଭଭାଇ ମେମୋରିଅଲ ପାର୍କ ଓ ତା’ର କେନ୍ଦ୍ରସ୍ଥଳରେ ଲୌହମାନବଙ୍କ ବ୍ରୋଞ୍ଜନିର୍ମିତ ବିରାଟ ପ୍ରତିମୂର୍ତ୍ତି । ସ୍ଥାନ ଉପରେ ନଜର ବୁଲେଇ ନେଉ ନେଉ ମୋର ଭାବନା ମଧ୍ୟରେ ବାଧାଦେଇ ସଦାନନ୍ଦବାବୁ ମନ୍ଦିର ସନ୍ନିକଟ ଏକ ଛାୟାଶୀତଳ ସ୍ଥାନକୁ ଟାଣିନେଇ କହିଲେ-‘‘ମୁଁ ଜାଣେ ତୁମେ ଅତୀତ ସୋମନାଥ ମନ୍ଦିର ତଥା ହିନ୍ଦୁ ସଂସ୍କୃତି ନେଇ ଚିନ୍ତା କରୁଥିଲ । ତୁମେ ଏକା ଏକା ଭାବିଲେ ଚଳିବ ନାହିଁ ମିଶ୍ରବାବୁ ! ମନର ଭାବନା ମୁଖରେ ପ୍ରକାଶ କର । ପୂର୍ବପୁରୁଷଙ୍କ ସେହି ଗାରିମା ଗାଥା ଶୁଣି ଆମେ କେତେଜଣ କୃତାର୍ଥ ହେଉ ।’’

 

ମନରେ ଚିନ୍ତା କରିବା ସହଜ । ମୁହଁରେ ବ୍ୟାଖ୍ୟା କରିବା ସହଜ ନୁହେଁ । ତେବେ ଚୁପ୍‌କରି ରହିବା ମଧ୍ୟ ସମ୍ଭବ ନୁହେଁ । ସୋମନାଥତ କେବଳ ଶୈବ ତୀର୍ଥ ବା ବିଶାଳ ମନ୍ଦିର ପାଇଁ ବିଖ୍ୟାତ ନୁହେଁ । ଏହା ଭାରତୀୟ ସଂସ୍କୃତିର ମହାନ ଧାରକ ।

 

ଯେ କୌଣସି ମନ୍ଦିର ବା ପବିତ୍ର ସ୍ଥାନକୁ ଆସିଲେ ସର୍ବ ପ୍ରଥମେ ମନକୁ ଆସେ ଏହା କେବେ, କାହାଦ୍ୱାରା,କିପରିଭାବେ ପ୍ରତିଷ୍ଠା ପାଇଥିଲା । ଏ ପ୍ରଶ୍ନର ଉତ୍ତର କିନ୍ତୁ ସୋମନାଥ ମନ୍ଦିରରେ ମିଳିବା ସହଜ ନୁହେଁ । ଋଗ୍‌ବେଦରେ ବି ସୋମାନାଥଙ୍କ କଥା ଉଲ୍ଲେଖ ଅଛି ।

 

ଯତ୍ର ଅଙ୍ଗାଚ ଯମୁନା ଯତ୍ର ପ୍ରାଚୀ ସରସ୍ୱତୀ

ଯତ୍ର ସୋମେଶ୍ୱର ଦେବ ସ୍ତସ୍ତୁମାମମୃତଂକୃତଂ

‘‘କୃ ଧିନ୍ଦ୍ରାନ୍ଦୋପରିସ୍ତବ ।’’

 

ସୋମନାଥ ଦେବଙ୍କ ପ୍ରତିଷ୍ଠା ନେଇ ଶାସ୍ତ୍ରୋକ୍ତ ପ୍ରମାଣ ଯାହା ହେଉନା କାହିଁକି ମନ୍ଦିର ଗଠନ ନେଇ ବହୁ ପଣ୍ଡିତ ମନେ କରନ୍ତି ପ୍ରଥମ ମନ୍ଦିର ଖ୍ରୀଷ୍ଟୀୟ ପ୍ରଥମ ଦଶକରେ ନିର୍ମିତ । ଅନ୍ୟ କେତେକ ତଥ୍ୟାନୁସନ୍ଧାନୀଙ୍କ ମତରେ ଏହା କେବେ ଏବଂ କାହାଦ୍ୱାରା ନିର୍ମିତ ହୋଇଥିଲା ତାହା ନିର୍ଣ୍ଣୟ କରିବା ଭଳି କୌଣସି ପ୍ରମାଣ ନାହିଁ; କିନ୍ତୁ ସ୍ଥାନୀୟ କିଂବଦନ୍ତୀରୁ ଜଣାଯାଏ, ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକର ଲକୁଳେଶ ବା ନକୁଳେସ ନାମକ ଜନୈକ ବ୍ରାହ୍ମଣ ନର୍ମଦାତୀରବର୍ତ୍ତୀ କରଭାନା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେହି ନମସ୍ୟ ବ୍ୟକ୍ତି ପ୍ରଭାସ କ୍ଷେତ୍ରକୁ ଯାତ୍ରାକରି ନାନା ବାଧା ଓ କ୍ଳେଶ ମଧ୍ୟରେ ଦେବାଶୀର୍ବାଦ ଲାଭକରନ୍ତି । ସେହି ସମୟରେ ତାଙ୍କରି ପ୍ରଚେଷ୍ଟାରେ ପ୍ରଥମ ସୋମନାଥ ମନ୍ଦିର ନିର୍ମିତ ହୁଏ । ସୋମନାଥଙ୍କ ପ୍ରତିଷ୍ଠା କଥା ପୂର୍ବେ ଆଲୋଚନା କରାଯାଇଛି । ଏହି ଲକୁଳେଶ କେବଳ ସୋମନାଥ ମନ୍ଦିରର ନିର୍ମାତା ନୁହନ୍ତି, ପାଶୁପତ ଧର୍ମ ବା ସଂପ୍ରଦାୟର ପ୍ରତିଷ୍ଠାତା ମଧ୍ୟ । ପାଶୁପତ ନାମକ ଏକ ମହାନ ଗ୍ରନ୍ଥ ସେ ରଚନା କରିଥିଲେ । ଏଇ ବୃହତ ଗ୍ରନ୍ଥର ପାଞ୍ଚଟି ବିଭାଗରେ ଏକ ଶତ ଅଠଷଠିଟି ସୂତ୍ର ମଧ୍ୟ ଦେଇ ପାଶୁପତି ସଂପ୍ରଦାୟର ନୀତି ବିଶଦ ଭାବେ ବର୍ଣ୍ଣନା କରାଯାଇଅଛି । ଏହାରା ପାଞ୍ଚଟି ବିଭାଗ ଯଥାକ୍ରମେ ସଦ୍ୟୋଜାତ, ବାମଦେବ, ଅଘୋର, ତତ୍‌ପୁରୁଷ ଓ ଇଶାନ । ପ୍ରାୟ ଅଧିକାଂଶ ପାଶୁପତଗଣ ଲକୁଳେଶଙ୍କୁ ମଙ୍ଗଳମୟ ଶିବଙ୍କ ଅବତାର ବୋଲି ବିଶ୍ୱାସ କରି ଥାଆନ୍ତି । ସ୍କନ୍ଦ ପୁରାଣରେ ଏହାର ଆଂଶିକ ସମର୍ଥନ ଦେଖିବାକୁ ମିଳିଥାଏ ।

 

ଦ୍ୱିତୀୟ ସୋମନାଥ ମନ୍ଦିରଠାରୁ ଇତିହାସର ଧାରା ଦେଖିବାକୁ ମିଳିଥାଏ । ପ୍ରଥମ ନିର୍ମିତ ମନ୍ଦିର କାଳର କବଳରେ ବିନଷ୍ଟ ହେଲା,ଖ୍ରୀ ୬୪୯ରେ । ବଲ୍ଲଭୀ ରାଜବଂଶର ନରପତି ସେହି ଭଗ୍ନମନ୍ଦିର ସ୍ଥାନରେ ଦ୍ୱିତୀୟ ବାର ସୋମନାଥ ମନ୍ଦିର ନିର୍ମାଣ କରାନ୍ତି । ଖ୍ରୀଷ୍ଟୀୟ ୭୨୨ ସାଲରେ ଆରବୀୟ ମୁସଲମାନଗଣ,ସର୍ବ ପ୍ରଥମ ଭାରତ ଆକ୍ରମଣ କରିବାକୁ ଆସିଥିଲେ । ପ୍ରଥମେ ମାରବାର,ବ୍ରୋଚ, ଉଜ୍ଜୟିନୀ,ମାଲବା ଓ ଗୁଜୁରାଟ ଉପରେ ସେମାନଙ୍କ ଦୃଷ୍ଟି ପଡ଼ିଥିଲା । ପ୍ରବନ୍ଧ ଚିନ୍ତାମଣିରୁ ଜଣାଯାଏ, ୭୨୫ ଖ୍ରୀଷ୍ଟାବ୍ଦରେ ସୌରାଷ୍ଟ୍ରରୁ ବଲ୍ଲଭୀ ଆଧିପତ୍ୟ ଲୋପ ପାଇଯାଏ । ବିଦେଶୀ ଦସ୍ୟୁଙ୍କ ସୋମନାଥ ମନ୍ଦିର ଆକ୍ରମଣକୁ ଅନ୍ୟ କୌଣସି ରାଜଶକ୍ତି ପ୍ରତିହତ କରିପାରିଲେ ନାହିଁ । ଫଳରେ ବଲ୍ଲଭୀ ରାଜାଙ୍କଦ୍ୱାରା ନିର୍ମିତ ମନ୍ଦିର ଆକ୍ରମଣକାରୀଙ୍କଦ୍ୱାରା ଧ୍ୱଂସ ହୋଇଯାଏ । କେତେକ ବିଖ୍ୟାତ ଐତିହାସିକ ଅନ୍ୟତମ କଥା ପ୍ରକାଶ କରିଥାଆନ୍ତି । ଆରବୀୟଗଣଙ୍କ ଏହି ଆକ୍ରମଣରେ ମନ୍ଦିର ନଷ୍ଟ ହୋଇ ନଥିଲା । ପରେ ଯଥା ସଂସ୍କାର ଅଭାବରୁ କାଳ କବଳରେ ବଲ୍ଲଭୀ ରାଜବଂଶ ନିର୍ମିତ ସୋମନାଥ ମନ୍ଦିର ଭାଙ୍ଗିପଡ଼ିଥିଲା ।

 

ସେହି ଭଗ୍ନ ମନ୍ଦିର ସ୍ଥାନରେ ଅଷ୍ଟମ ଶତକରେ ଚାଲୁକ୍ୟ ରାଜବଂଶ ସଂପୂର୍ଣ୍ଣ ଲାଲ ପଥରରେ ଏକ ଅପୂର୍ବ ମନ୍ଦିର ନିର୍ମାଣ କରାନ୍ତି । ସୌରାଷ୍ଟ୍ରରେ ଚାଲୁକ୍ୟଗଣ ୭୫୦ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ଯାଏ ରାଜତ୍ୱ କରନ୍ତି । ସେହି ସମୟରେ ପ୍ରଭାସପତ୍ତନ ବନ୍ଦର ସହ ସୋମନାଥ କ୍ଷେତ୍ରର ପ୍ରଭୁତି ଉନ୍ନତି ସାଧିତ ହୁଏ । ଧନ ସଂପଦ,ଶିକ୍ଷା ଦୀକ୍ଷାରେ ସୌରାଷ୍ଟ୍ର ଭରି ଉଠେ । ଏକ କଥାରେ ଚାଲୁକ୍ୟ ରାଜତ୍ୱ କାଳକୁ ସୌରାଷ୍ଟ୍ରର ସ୍ୱର୍ଣ୍ଣ ଯୁଗ କୁହାଯାଏ ।

 

ଚାଲୁକ୍ୟଗଣ ଅନ୍ତଃକଳହ ଯୋଗୁଁ ଶେଷ ଭାଗକୁ ଦୁର୍ବଳ ହୋଇପଡ଼ନ୍ତି; ତଥାପି ସେମାନଙ୍କ ରାଜତ୍ୱ ୧୨୨୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ଏହି ବର୍ଷ ଗଜନୀର ସୁଲତାନ ମାମୁଦ୍‍ ସୋମନାଥ ମନ୍ଦିର ଆକ୍ରମଣ କରି ବସେ । ସଙ୍ଗରେ ବିଶାଳ ତୁର୍କୀ ସୈନ୍ୟ ବାହିନୀ । ଏପରି ଏକ ବିଶାଳ ସେନାଙ୍କ ଆକ୍ରମଣକୁ ପ୍ରତିହତ କଲାଭଳି ଶକ୍ତି ତତ୍‌କାଳୀନ ଦୁର୍ବଳ ଚାଲୁକ୍ୟ ରାଜପୁରୁଷଙ୍କର ନ ଥିଲା । ରାଜା ‘‘ମାଣ୍ଡୁଳିକ’’ ପ୍ରବଳ ବିକ୍ରମରେ ପ୍ରତିରୋଧ କରିବାକୁ ଲାଗିଲେ । ସୋମନାଥ ମନ୍ଦିର ରକ୍ଷାକରିବା ସକାଶେ ଏବଂ ଲୁଣ୍ଠନକାରୀ ମାମୁଦଙ୍କୁ ବାଧା ଦେବାପାଇଁ ନିକଟସ୍ଥ କ୍ଷୁଦ୍ର ରାଜ୍ୟର ନରପତିଗଣ ସସୈନ୍ୟ ଆଗେଇ ଆସିଲେ । ଚତୁର୍ଦିଗରୁ ଆକ୍ରାନ୍ତ ମାମୁଦ ପ୍ରାୟ ଓଷ୍ଠାଗତ ପ୍ରାଣ । ରାତିର ଅନ୍ଧକାରରେ ପଳାୟନ କରିବା ସକାଶେ ପ୍ରସ୍ତୁତି ଚାଲିଛି ତୁର୍କୀ ବାହିନୀ ମଧ୍ୟରେ । ଧନ ଜନ ସମସ୍ତ ପ୍ରାୟ ନିଃଶେଷ । ଆଗାମୀ କାଲି ପର୍ଯ୍ୟନ୍ତ ଅପେକ୍ଷା କରିବା ସମ୍ଭବ ନୁହେଁ । ଯେତେବେଳେ ଲୁଣ୍ଠନକାରୀଙ୍କ ଏପରି ଅବସ୍ଥା ସେହି ସମୟରେକେତେକ ହିନ୍ଦୁ କୁଳକଳଙ୍କ ବିଶ୍ୱାସଘାତକ ସେନା ନାୟକ ଆଗେଇ ଆସିଲେଗଜନୀ ସୁଲତାନ ମାମୁଦଙ୍କୁ ସାହାଯ୍ୟ କରିବାକୁ । ଫଳରେ ପୁଣି ଥରେ ମାମୁଦର ଲୁଣ୍ଠନକାରୀ ସେନାଦଳ ମନ୍ଦିର ଆକ୍ରମଣ କରି ବସିଲେ । ଅତର୍କିତ ଆକ୍ରମଣପାଇଁ ହିନ୍ଦୁ ସେନାଗଣ ପ୍ରସ୍ତୁତ ନଥିଲେ । ଉପସ୍ଥିତ ସେନାନୀଗଣ ପ୍ରସ୍ତୁତ ହୋଇ ଆକ୍ରମଣ ପ୍ରତିହତ କରିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଲେ । ଦେଶ ତଥା ଧର୍ମ ରକ୍ଷାର୍ଥେ ଅଗଣିତ ବୀର ସୈନ୍ୟ ସମରକ୍ଷେତ୍ରେ ପ୍ରାଣ ସିବର୍ଜନ ଦେଲେ । ମନ୍ଦିରରକ୍ଷାର ସମଗ୍ର ଚେଷ୍ଟା ବିଫଳ ହେଲା । ପଚାଶହଜାର ବୀର ସୈନିକଙ୍କ ପ୍ରାଣବଳୀରେ ମଧ୍ୟ ଦେଶମାତୃକାର ସ୍ୱାଧୀନତା ରକ୍ଷା କରାଯାଇ ପାରିଲା ନାହିଁ । ୧୦୨୬ ସାଲ ଆଠ ଜାନୁଆରୀ, ମାତ୍ର ଦୁଇଦିନ ଭୀଷଣ ଯୁଦ୍ଧରେ ଗଜନୀର ମାମୁଦ ସୋମନାଥ ମନ୍ଦିର ଦଖଲ କଲା । ପୂଜକଗଣଙ୍କ ସମସ୍ତ ପ୍ରତିରୋଧ ସତ୍ତ୍ୱେ ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ରକ୍ଷା କରାଯାଇ ପାରିଲା ନାହିଁ । ବିଧର୍ମୀ ଦସ୍ୟୁ ମାମୁଦ ମନ୍ଦିରର ସମସ୍ତ ସମ୍ପଦ ଲୁଟକରି ମଧ୍ୟ କ୍ଷାନ୍ତ ହେଲାନାହିଁ । ପରିଶେଷରେ ସ୍ୱହସ୍ତରେ ସ୍ୱୟମ୍ଭୁ ଲିଙ୍ଗକୁ ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଲା ।

 

ସୋମନାଥ ଲିଙ୍ଗ ମୂର୍ତ୍ତି ବିନଷ୍ଟ ନେଇ ଅନ୍ୟ କେତେକ ଐତିହାସିକ ଭିନ୍ନ ମତ ପୋଷଣ କରିଥାଆନ୍ତି । ତାହା ହେଲା-ମାମୁଦ କୌଣସି ରକମ ମୂଳ ଲିଙ୍ଗ ମୂର୍ତ୍ତିକୁ ନଷ୍ଟ କରି ନ ପାରି ସେଇ ମୂର୍ତ୍ତିକୁ ନିଜ ସାଥିରା ମକ୍‌କା ନେଇ ଯାଇଥିଲେ । ଶୁଣାଯାଏ ଆଜସୁଦ୍ଧା ମକ୍‌କା ମସଜିଦ୍‌ରେ କେଉଁ ଏକ ଅଜ୍ଞାତ ପ୍ରକୋଷ୍ଠରେ ସେହି ଲିଙ୍ଗ ମୂର୍ତ୍ତିକୁ ଲୁକ୍‌କାୟିତ ଭାବେ ରଖା ଯାଇଅଛି ।

 

ଇତିହାସରୁ ଜଣାଯାଏ ଏ ସବୁ ବିପର୍ଯ୍ୟୟରେ କ୍ଷିପ୍ତ ଏକ ଅଜ୍ଞାତନାମା ପୂଜକ ପ୍ରତିହିଂସା ନେବା ଉଦ୍ଦେଶ୍ୟରେ ମାମୁଦର ବିଶ୍ୱାସଭାଜନ ହୋଇଉଠେ ଏବଂ ଏଠାରୁ ପଥପ୍ରଦର୍ଶକ ଭୂମିକା ଗ୍ରହଣକରି ନିରାପଦ ସ୍ଥାନରେ ମାମୁଦର ବିଶାଳ ବାହିନୀକୁ ପହଞ୍ଚାଇ ଦେବା ଦାୟିତ୍ୱ ଗ୍ରହଣ କରେ । ନିଜ ଜୀବନକୁ ବିପନ୍ନ କରି ସେ ସୁଲତାନ ସହ ସମସ୍ତ ଦଳକୁ ଥର୍‍ ମରୁଭୂମିର କେନ୍ଦ୍ରସ୍ଥଳକୁ ନେଇ ଚାଲେ । ଉଦ୍ଦେଶ୍ୟ-ରୁକ୍ଷ ମରୁଭୂମି ମଧ୍ୟରେ କ୍ଷୁଧା ତୃଷାରେ ଏହି ଲୁଣ୍ଠନକାରୀଗଣଙ୍କୁ ଚରମ ବିପର୍ଯ୍ୟୟରେ ନିପତିତ କରାଇବା । ତାଙ୍କର ଲକ୍ଷ୍ୟ ସଫଳ ହୋଇପାରିଥିଲା । ବହୁ ସେନା କ୍ଷୁଧା,ତୃଷା ତଥା ମରୁ ଝଡ଼ରେ ପ୍ରାଣ ହରାଇଥିଲେ ମାମୁଦ ଭାଗ୍ୟବଳରେ କୌଣସି ମତେ ରକ୍ଷା ପାଇଥିଲେ । ସାଥିରେ ଅର୍ଦ୍ଧମୃତ ଅବସ୍ଥାରେ ଫେରିଥିଲେ ଅର୍ଦ୍ଧେକ ସେନା ।

 

ଖ୍ରୀଷ୍ଟୀୟ ୯୫୫ ସାଲରୁ ୧୦୭୫ ସାଲ ପର୍ଯ୍ୟନ୍ତ ଅନହିଲବାଡ଼ାରେ ଚାଲୁକ୍ୟ ବଂଶର ଏକ ଶାଖା ପ୍ରବଳ ପ୍ରତାପେ ରାଜୁତି କରିବା କଥା ଇତିହାସରୁ ଜଣାଯାଏ । ଖୁବ୍‍ ସମ୍ଭବ ସେହି ବଂଶର କୌଣସି ଏକ ରାଜପୁରୁଷ (କେତେକଙ୍କ ମତରେ ଭୀମଦେବ ଓ ମାଲବର ଭୋଜରାଜ ଯୁକ୍ତ ଭାବେ) ଚତୁର୍ଥଶିବ ମନ୍ଦିରଟି ୧୦୩୦ ସାଲ,ଅର୍ଥାତ୍‍ ମାମୁଦକର୍ତ୍ତୃକ ମନ୍ଦିର ଲୁଟ ହେବାର ଚାରିବର୍ଷ ପରେ ନିର୍ମାଣ କରାନ୍ତି । ଖୁବ୍‌ସମ୍ଭବ ସେ ସମୟରେ ଅନହିଲବାଡ଼ାକୁ ଗୁର୍ଜର ଦେଶ ବୋଲି କୁହାଯାଉଥିଲା । ଏକାଦଶ ଶତାବ୍ଦୀରେ ଆରବ ପର୍ଯ୍ୟଟକ ଆଲ-ଚେରୁନୀଙ୍କ ରୋଜନାମଚା ଓ ଜୈନଉଲ ଆଖନରଙ୍କ ଲେଖାରୁ ଜଣାଯାଏ, ଯେ,‘‘ପଶ୍ଚିମ ଉପକୂଳେ ସୋମନାଥ ନାମକ ଏକ ମହାନ ହିନ୍ଦୁ ମନ୍ଦିର ତଥା ତୀର୍ଥକ୍ଷେତ୍ର ମୁସଲମାନଙ୍କ ମକ୍‌କାଭଳି ସଗୌରବେ ପ୍ରତିଷ୍ଠିତ ଥିବା ଦେଖିବାକୁ ମିଳେ । ଏହି ଉକ୍ତିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ଗଜନୀର ସୁଲତାନ ମାମୁଦଙ୍କ ଲୋମହର୍ଷଣକାରୀ ଧ୍ୱଂସଲୀଳା ପରେ ପୁଣି ହିନ୍ଦୁ ନରପତିଗଣଙ୍କ ଯୁଗ୍ମ ପ୍ରଚେଷ୍ଟାରେ ଅତି ଅଳ୍ପ ଦିନ ମଧ୍ୟରେ ସୋମନାଥ ମନ୍ଦିର ପୁଣି ପୂର୍ଣ୍ଣ ଗୌରବେ ପ୍ରତିଷ୍ଠିତ ହୋଇ ପାରିଥିଲା । ଏହି ମନ୍ଦିର ପୂର୍ବଭଳି ଲାଲ ପଥରରେ ନ ହୋଇ କେତେକାଂଶ କାଠରେ ନିର୍ମିତ ହୋଇଥିଲା ବୋଲି କେତେକ ଗବେଷକ ମନେକରି ଥାଆନ୍ତି ।

ଏହି ମନ୍ଦିର ବୟସର ଚାପରେ କେତାକାଂଶ କ୍ଷୟପ୍ରାପ୍ତ ହେଲା । ୧୧୬୯ ରେ ରାଜା କୁମାର ପାଲ ପୁଣି ନୂତନ ଉତ୍ସାହରେ ବିପୁଳ ଅର୍ଥ ବ୍ୟୟ କରି ସେହି ମନ୍ଦିର ପୁନର୍ନିର୍ମିତ କରାନ୍ତି । ମନ୍ଦିରକୁ କେନ୍ଦ୍ରକରି ରାଜାଙ୍କ ସହାୟତା ମଧ୍ୟ ଦେଇ ଏଠାରେ ଗଢ଼ିଉଠେଏବର ଶୈବ ସହର । ମନ୍ଦିର ରକ୍ଷାର୍ଥେ ଏକ ସଶସ୍ତ୍ର ବାହିନୀକୁ ମୁତୟନ କରାହୁଏ । ଏ ସମସ୍ତ ସତ୍ତ୍ୱେ ପୁଣି ସେହି ମନ୍ଦିର ଧ୍ୱଂସ ହୁଏ ଆଲାଉଦ୍ଦୀନଙ୍କ ସେନାପତିଙ୍କ ଦ୍ୱାରା ୧୧୯୭ ସାଲରେ ।

୧୩୦୮ ସାଲରେ ପୁଣି ରାଜା ମହୀପାଳଦେବ(୧୩୧୮ ରୁ ୧୩୨୫) ସେହି ବିଧ୍ୱସ୍ତ ମନ୍ଦିରର ପୁନନିର୍ମାଣ କାମ ଆରମ୍ଭ କରାନ୍ତି । ପରେ ତାଙ୍କର ଚତୁର୍ଥ ପୁତ୍ର ଖଙ୍ଗର(୧୩୨୫-୫୧) ସେହି ନିର୍ମାଣ କର୍ମ ସମାପନ କରାନ୍ତି । ସେହି ମନ୍ଦିର ସଗୌରବେ ପ୍ରାୟେ ଏକଶତ ବର୍ଷ ବିରାଜମାନ କରେ । ୧୪୬୯ ସାଲରେ ମହମ୍ମଦ ବାଗ୍‌ଦା ସୋମନାଥ ମନ୍ଦିର ଉପରେ ଚଢ଼ାଉ କରନ୍ତି ଏବଂ ବିଜୟ ଅର୍ଜନ କରି ମନ୍ଦିରରୁ ସେମାନାଥ ଲିଙ୍ଗକୁ ଅପସାରଣ କରି ସେହି ମନ୍ଦିର ଉପରେ ଏକ ମସଜିଦ ନିର୍ମାଣ କରାନ୍ତି । ମସଜିଦ୍‌ଠିକ୍‌ଦେବପୀଠ ସ୍ଥାନ ଉପରେ ତୟାରି କରାଯାଇ ପାରି ନଥିଲା । ସେହିପରି ଭାବରେ ଉକ୍ତ ପରିତ୍ୟକ୍ତ ମନ୍ଦିର ପ୍ରାୟ ୧୫୦୦ ସାଲ ପର୍ଯ୍ୟନ୍ତ ପଡ଼ିରହେ । ପରେ କେତେକ ପ୍ରଭାବଶାଳୀ ଭକ୍ତଙ୍କ ପ୍ରଚେଷ୍ଟାରେ ଭଗ୍ନ ମନ୍ଦିର ସ୍ଥାନ ସଂସ୍କାର କରାହୁଏ ଏବଂ ଦେବପୂଜାର ବିଧାନ ପ୍ରଚଳିତ ହୁଏ । ୧୬୮୩ ସାଲରେ ଇନ୍ଦୋରର ରାଣୀ ପୁଣ୍ୟଶ୍ଳୋକା ଅହଲ୍ୟା ବାଇ ସେହି ସଂସ୍କାର ସ୍ଥଳରେ ନୂତନ କରି ଏକ ମନ୍ଦିର ନିର୍ମାଣ କରାନ୍ତି । ଏହି ନବନିର୍ମିତ ମନ୍ଦିରର ଉପର ଅଂଶରେ ଦେଖିବାକୁ ମିଳିଥାଏ ଏକ ସାଧାରଣ ଲିଙ୍ଗମୂର୍ତ୍ତି । ଅନେକେ ଏହି ମୂର୍ତ୍ତି ଦର୍ଶନ କରି ଯାତ୍ରା ସମାପନ କରିଥାନ୍ତି; କିନ୍ତୁ ଅନୁସନ୍ଧିତ୍ସୁ ଯାତ୍ରୀଗଣ ଏହି ମୂର୍ତ୍ତି ଦର୍ଶନରେ ପରିତୃପ୍ତ ନ ହୋଇ ଏକ ସାଧାରଣ ଦ୍ୱାରା ଭିତର ଦେଇ ଭୂଗର୍ଭରୁ ପ୍ରବେଶ କରନ୍ତି ଏବଂ ସେହି ସ୍ଥାନରେ ମୂଳ ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କୁ ଦର୍ଶନ କରି ଧନ୍ୟ ହୁଅନ୍ତି । ଏହିପରି କୌଶଳ ଅବଲମ୍ବନ କରି ବିଧର୍ମୀମାନଙ୍କ କୁ ନଜରରୁ ଦେବତାଙ୍କୁ ଦୂରରେ ରଖିବା ବ୍ୟବସ୍ଥା କରାଯାଇଥିଲା । ମୁସଲମାନ ରାଜୁତିକାଳରେ ଏପରି ଭାବରେ ଦେବତାଙ୍କୁ ଲୁଚାଇ ରଖିବା ବ୍ୟତୀତ ଅନ୍ୟ କୌଣସି ସହଜ ପଥ ନଥିଲା ।

ରାଣୀ ଅହଲ୍ୟା ବାଇଙ୍କ କଥା ମନେ ପଡ଼ିଲେ ମୁଣ୍ଡ ଆପେ ଆପେ ନଇଁଆସେ ମହୀୟସୀ ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ । ସମଗ୍ର ଭାରତବର୍ଷରେ ଏପରି କୌଣସି ପୁଣ୍ୟକ୍ଷେତ୍ର ନାହିଁ ଯେଉଁଠି ମହାରାଣୀ ଅହଲ୍ୟା ବାଇଙ୍କ ଅମୃତ ହସ୍ତର ସ୍ପର୍ଶ ନ ଲାଗିଛି ।

ଏହି ପୁଣ୍ୟଶ୍ଳୋକା ମହିଳା ୧୬୨୫ ସାଲରେ ଆହମଦ ଜିଲାର ପଥରଷି ନାମକ ଏକ ଗଣ୍ଡ ଗ୍ରାମରେ ଆନନ୍ଦ ରାଓ ସିନ୍ଧିଆଙ୍କଗୃହରେ ଜନ୍ମଗ୍ରହଣ କରନ୍ତି । ୧୭୩୮ ସାଲରେ ଇନ୍ଦୋରରେ ହୋଲକାର ବଂଶର ପ୍ରକୃତ ପ୍ରତିଷ୍ଠାତା ମହଲର ରାଓ ହୋଲକାରଙ୍କ ପୁତ୍ର ଖଣ୍ଡେରାଓଙ୍କ ସଙ୍ଗରେ ତାଙ୍କର ବିବାହ ହୁଏ । ୧୭୫୪ ସାଲରେ ଭରତପୁର ନିକଟସ୍ଥ କୁମ୍ଭର ଦୁର୍ଗ ଅବରୋଧ କରିବାକୁ ଯାଇ ଖଣ୍ଡେରାଓ ମୃତ୍ୟୁବରଣ କରନ୍ତି, ଏକ ପୁତ୍ର ଓ ଏକ କନ୍ୟାର ଭାର ସତୀ ସ୍ତ୍ରୀ ଅହଲ୍ୟା ବାଇଙ୍କ ଉପରେ ନ୍ୟସ୍ତ କରି । ପୁତ୍ର ନାମ ମାଳରାଓ ଓ କନ୍ୟାଙ୍କ ନାମ ମୁକ୍ତା ବାଇ ।

ସ୍ୱାମୀଙ୍କ ମୃତ୍ୟୁପରେ ଅହଲ୍ୟା ପୁତ୍ରର ଶୂନ୍ୟସ୍ଥାନ ପୂରଣ କରି ଶ୍ୱଶୁର ମହଲର ରାଓଙ୍କୁ ରାଜକାର୍ଯ୍ୟ ପରିଚାଳନାରେ ସହାୟତା କରିବାକୁ ଲାଗିଲେ । ତାହାରି ଫଳରେ ସ୍ୱଳ୍ପ ସମୟ ଭିତରେ ରାଜ୍ୟ ଶାସନରେ ସେ ବେଶ୍‌ଦ କ୍ଷହୋଇ ଉଠିଲେ । ଏ ସୁଖ ମଧ୍ୟ ତାଙ୍କ ଭାଗ୍ୟରେ ବେଶିଦିନ ସ୍ଥାୟୀ ହେଲାନାହିଁ । ୧୭୬୬ ସାଲରେ ତାଙ୍କର ମାତ୍ର ଚାଳିଶିବର୍ଷ ବୟସରେ ସେହି ସ୍ନେହମୟ ଶ୍ୱଶୁର ପରଲୋକ ଗମନ କଲେ । ଉତ୍ତରାଧିକାରୀ ସୂତ୍ରେ ପିତାମହ ପରିତ୍ୟକ୍ତ ରାଜସିଂହାସନରେ ମାଳରାଓ ଅଭିଷିକ୍ତ ହେଲେ । ଲଘୁଚିତ୍ତ ମାଳରାଓଙ୍କର ରାଜ୍ୟ ପରିଚାଳନା କରିଲାଭଳି କୌଣସି କ୍ଷମତା ନଥିଲା । କ୍ଷମତା ପାଇବାମାତ୍ରେ ଉନ୍ମତ୍ତର ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇବାକୁ ଲାଗିଲା । ବ୍ରାହ୍ମଣମାନଙ୍କ ପ୍ରତି ତୀବ୍ର ବିଦ୍ୱେଷ ଥିଲା ତାଙ୍କର ସହଜାତ ପ୍ରକୃତି । ସେମାନଙ୍କୁ ନାନାଦି ରକମ ତାଡ଼ନ ପୀଡ଼ନ କରି ସେ ଏକରକମ ଆତ୍ମତୃପ୍ତି ଅନୁଭବ କରୁଥିଲେ। ଏହିପରି ପରିସ୍ଥିତି ମଧ୍ୟଦେଇ କେତେକ ବର୍ଷ ସେ ରାଜତ୍ୱ ଚଳାଇ ନେଲେ । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ସେ ହତ୍ୟାକରି ବସିଲେ ଏବଂ ତା’ର ଫଳସ୍ୱରୂପ ତାଙ୍କଠାରେ ପୂର୍ଣ୍ଣ ଉନ୍ମାଦର ଲକ୍ଷଣ ପ୍ରକାଶ ପାଇବାକୁ ଲାଗିଲା । ସେହି ଉନ୍ମାଦ ଅବସ୍ଥାରେ ସେ ଇହଲୀଳା ସାଙ୍ଗ କଲେ । ତାଙ୍କର ରାଜତ୍ୱକାଳ ଏକବର୍ଷ ମଧ୍ୟରେ ସୀମାବଦ୍ଧ ।

ପୁତ୍ରର ମୃତ୍ୟୁ ପରେ ରାଣୀ ନିଜେ ଶାସନଭାର ଗ୍ରହଣ କଲେ । ଫଳରେ କେତେକ ରାଜବଂଶଧର ଅସନ୍ତୁଷ୍ଟ ହୋଇ ଉଠିଲେ । ସେମାନଙ୍କ ମଧ୍ୟରେ ପ୍ରଧାନ ହେଲେ ଗଙ୍ଗାଧର ଯଶୋବନ୍ତ । ବିରୋଧିଗୋଷ୍ଠୀ ରାଣୀଙ୍କୁ ହୋଲକାର ବଂଶରୁ କୌଣସି ଏକ ଶିଶୁକୁ ଦତ୍ତକ ନେବାପାଇଁ ଦାବୀ ଜଣାଇଲେ, କିନ୍ତୁ ଅହଲ୍ୟା ବାଇ ଦୃଢ଼ତା ସହକାରେ ସେହି ପ୍ରସ୍ତାବକୁ ବିରୋଧ କରି ନିଜର କେତେକ ବିଶ୍ୱସ୍ତ ରାଜକର୍ମଚାରୀଙ୍କ ସହାୟତାରେ ରାଜକାର୍ଯ୍ୟ ସୁଚାରୁରୂପେ ପରିଚାଳନା କରି ପ୍ରଜାଗଣଙ୍କ ପ୍ରୀତିଭାଜନ ହୋଇ ଉଠିଲେ । ଗଙ୍ଗାଧର ଯଶୋବନ୍ତଙ୍କ ମନର ଆଶା ପୂର୍ଣ୍ଣ ନ ହେବା ଯୋଗୁଁ ସେ କ୍ଷିପ୍ତ ହୋଇ ଉଠିଲେ । ଅର୍ଥଲୋଭ ଦେଖାଇ ସେ ପେଶୋଓ୍ୱା ମାଧବରାଓଙ୍କ ପିତୃବ୍ୟ ରଘୁନାଥ ରାଓଙ୍କୁ ବଶୀଭୂତ କରିନେଲେ ଏବଂ କୌଶଳକ୍ରମେ ତାଙ୍କଦ୍ୱାରା ଇନ୍ଦୋର ଆକ୍ରମଣର ବ୍ୟବସ୍ଥା କରାଇଲେ । ଯଥା ସମୟରେ ଏ ସମସ୍ତ ଖବର ରାଣୀଙ୍କ କର୍ଣ୍ଣଗୋଚର ହେଲା । ଆଗାମୀ ଦିନର ବିପଦ ପଦଧ୍ୱନି ସେ ସ୍ପଷ୍ଟ ଅନୁଭବ କଲେ । ବୁଦ୍ଧିମତୀ ରାଣୀ କାଳବିଳମ୍ବ ନ କରି ସମସ୍ତ ଘଟଣା ସହ ନିଜର ଅସହାୟ ଅବସ୍ଥା ଉଲ୍ଲେଖ କରି ପେଶୋଓ୍ୱା ନିକଟକୁ ଏକ ପତ୍ର ନିଜର ବିଶ୍ୱସ୍ତ ଅନୁଚରଦ୍ୱାରା ପ୍ରେରଣ କଲେ । ଅନ୍ୟଦିଗେ ବିଚକ୍ଷଣତା ସହ ସମସ୍ତ ଘଟଣା ମରହଟ୍ଟା ସର୍ଦ୍ଦାରମାନଙ୍କୁ ଜଣାଇ ସେମାନଙ୍କ ସାହାଯ୍ୟ ପ୍ରାର୍ଥନା କଲେ । କୁଚକ୍ରୀ ଗଙ୍ଗାଧରଙ୍କ ଉଦ୍ଦେଶ୍ୟ ବୁଝିପାରି ମହାଦ୍‌ଜି ସିନ୍ଧିଆ, ଜାନୋଜି ଜେଙ୍ଖନା ପ୍ରଭୃତି ପ୍ରଖ୍ୟାତ ସେନାନାୟକଗଣ ରଘୁନାଥ ରାଓଙ୍କ ଇନ୍ଦୋର ଆକ୍ରମଣରେ ଅଂଶ ଗ୍ରହଣ ନ କରିବା ସିଦ୍ଧାନ୍ତ ଗ୍ରହଣ କଲେ । ଅନ୍ୟଦିଗେ ପେଶୋଓ୍ୱାଙ୍କ ଏକ ଆଦେଶନାମା ଫଳରେ ରଘୁନାଥ ରାଓଙ୍କ ଇନ୍ଦୋର ଆକ୍ରମଣ କରିବା ସମ୍ଭବ ହେଲାନି । ଉପଯୁକ୍ତ ସମୟରେ ଗଙ୍ଗାଧର ଯଶୋବନ୍ତଙ୍କ ସମସ୍ତ ଚକ୍ରାନ୍ତ ଭସ୍ମ ହୋଇଗଲା ।

ଏହି ଘଟଣା ପରେ ରାଣୀ ଦେଖିଲେ ନିଜର ଶକ୍ତିରେ ଏ ବିଶାଳ ସାମ୍ରାଜ୍ୟ ପରିଚାଳନା କରିବା ସମ୍ଭବ ନୁହେ । ସେ ଆଉ ଦ୍ୱିଧା ନ କରି ରାଜକର୍ମଚାରୀଙ୍କ ମଧ୍ୟରୁ ଏକଜଣ ବିଶ୍ୱସ୍ତ ସୈନିକ ତୁକୋଜି ହୋଲକାରଙ୍କୁ ମୁଖ୍ୟ ସେନାନାୟକ ପଦରେ ନିଯୁକ୍ତି ଦେଲେ । ମାଳହର ରାଓଙ୍କ ପୁତ୍ର ତୁକୋଜି ହୋଲକାର ବୋଲି ପରବର୍ତ୍ତୀ କାଳେ ତାଙ୍କର ଶୀଲମୋହରରେ ଅଙ୍କିତ ଥିବା ଦେଖାଗଲେ ମଧ୍ୟ ମାଳହର ରାଓଙ୍କ ସଙ୍ଗରେ ତାଙ୍କର ସେପରି କୌଣସି ସମ୍ପର୍କ ନଥିଲା । ତେବେ ନିଜର କର୍ମକୁଶଳତା ଓ ବିଶ୍ୱସ୍ତତା ଗୁଣ ହେତୁ ପରବର୍ତ୍ତୀକାଳେ ରାଣୀଙ୍କ ଇଚ୍ଛାନୁଯାୟୀ ତାଙ୍କର ମୃତ୍ୟୁ ପରେ ତୁକୋଜି ଇନ୍ଦୋର ରାଜସିଂହାସନ ଆରୋହଣ କରିପାରିଥିଲେ ।

ବୁଦ୍ଧିମତୀ ଅହଲ୍ୟା ବାଇଙ୍କ ଦୂରଦର୍ଶିତା ଏବଂ ବିଚକ୍ଷଣ ରାଜ୍ୟ ପରିଚାଳନା ସହ ତୁକୋଜିଙ୍କ ବୀରତ୍ୱ ତଥା ସାହସ ସମ୍ମିଶ୍ରଣ ହେବାଦ୍ୱାରା ସେ ସମୟରେ ଇନ୍ଦୋରର ପ୍ରଭୂତି ଉନ୍ନତି ସାଧିତ ହୋଇ ପାରିଥିଲା । ପ୍ରଖ୍ୟାତ ଐତିହାସିକ ସାର୍‍ ଜନ୍‌ମ୍ୟାକ୍‌କଳମ୍‌ରାଣୀଙ୍କ ସମସାମୟିକ ବ୍ୟକ୍ତି । ତାଙ୍କରି ଲେଖାରୁ ଅହଲ୍ୟା ବାଇଙ୍କ ଉନ୍ନତି ଶାସନ ପ୍ରଣାଳୀ ଏବଂ ବୃଦ୍ଧିମତାର ଭୂୟସୀ ପ୍ରଶଂସା ଓ ବର୍ଣ୍ଣନା ଦେଖିବାକୁ ମିଳିଥାଏ ।

ରାଜ୍ୟ ପରିଚାଳନା ଭିତରେ ସମୟ ବାହାର କରି ସେ ଭାରତବର୍ଷ ପ୍ରାୟ ସମସ୍ତ ତୀର୍ଥକ୍ଷେତ୍ର ତଥା ଦେବସ୍ଥାନ ଦର୍ଶନ କରିଥିଲେ । ସେହି ସମୟରେ ଯେଉଁସବୁ ଜାଗାରେ ସେ ନିଜେ ଯେଉଁ ଅସୁବିଧାମାନ ଭୋଗ କରିଥିଲେ ତଥା ଅନୁଭବ କରିଥିଲେ ତାହା ଅପସାରଣ କରିବା ସକାଶେ ସେ ଅକାତରେ ଅର୍ଥବ୍ୟୟ କରିଥିଲେ । ଏହି ତୀର୍ଥ ଦର୍ଶନକାଳରେ ପ୍ରଭାସପତ୍ତନର ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସ୍ଥାନ ଦେଖିବାକୁ ଆସି ସୋମାନଥ ମନ୍ଦିରର ହୀନାବସ୍ଥା ତଥା ଦେବତାଙ୍କ ତତ୍‌କାଳୀନ ବାସସ୍ଥାନ ପ୍ରତ୍ୟକ୍ଷଭାବେ ଦର୍ଶନ କରିଥିଲେ । ମର୍ମାହତ ରାଣୀ ସେହି ସମୟରେ ଭୂଗର୍ଭରୁ ଉଠି ଆସିଥିବା ଏହି ଦୋତାଲା ବିଶିଷ୍ଟ ମନ୍ଦିରଟି ନିର୍ମାଣ କରାଇଥିଲେ-। ଭୂଗର୍ଭ ତଳରେ ମୂଳ ଜ୍ୟୋତିର୍ମୟ ସୋମନାଥ ଲିଙ୍ଗ ବିରାଜମାନ ହେଲେ-। ଆଉ ଠିକ୍‌ତାହାରି ଉପରେ ବିଧର୍ମୀଙ୍କ ଆଖିରେ ଧୂଳିଦେବା ଉଦ୍ଦେଶ୍ୟରେ ରାଣୀ ଅହଲେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରାଇଥିଲେ । ଏହି ଲିଙ୍ଗମୂର୍ତ୍ତି ପାଖ ଦେଇ ଗୋଟିଏ ସଂକୀର୍ଣ୍ଣ ସିଡ଼ି ତଳକୁ ଚାଲିଯାଇଛି-। ତଳକୁ ଗଲେ ସେହି ମୂଳ ସୋମେଶ୍ୱର ଲିଙ୍ଗମୃର୍ତ୍ତିଙ୍କ ଦର୍ଶନ ମିଳିଥାଏ । ଏହି ଏକମାତ୍ର ସିଡ଼ି ପଥର ଦ୍ୱାରା ବନ୍ଦ କରିଦେଲେ ମନ୍ଦିର ଉପରାଂଶ କାନ୍ଥ ସଙ୍ଗେ ମିଶି ଏକହୋଇ ଯାଉଥିଲା ଏବଂ ତଳକୁ ଯିବା ସମସ୍ତ ପଥ ବନ୍ଦ ହୋଇ ଯାଉଥିଲା; ଅଥଚ ତଳେ ଆଲୋକ ପବନର କୌଣସି ଅସୁବିଧା ରହୁ ନଥିଲା । ଏହି ପରିକଳ୍ପିତ ମନ୍ଦିରଟି ତୟାରି କରାଇବା ପାଇଁ ପ୍ରାୟ ପାଞ୍ଚବର୍ଷ ସମୟ ଲାଗିଥିଲା-

ସେଇ ପୁଣ୍ୟଶ୍ଳୋକା ଅହଲ୍ୟା ବାଇ ୧୭୯୫ ଖ୍ରୀଷ୍ଟାବ୍ଦରେ ପ୍ରାୟ ସତୁରିବର୍ଷ ବୟସରେ ମହାପ୍ରୟାଣ କରିଥିଲେ । ତାଙ୍କଦ୍ୱାରା ନିର୍ମିତ କୀର୍ତ୍ତିରାଜି ଆଜସୁଦ୍ଧା ଉତ୍ତରରେ ବଦ୍ରୀନାଥ,ପଶ୍ଜିମେ ଦ୍ୱାରିକାନାଥ,ଦକ୍ଷିଣେ ରାମେଶ୍ୱର ଓ ପୂର୍ବେ ଜଗନ୍ନାଥ କ୍ଷେତ୍ରକୁ ଧରି ସମଗ୍ର ଆର୍ଯ୍ୟାବର୍ତ୍ତରେ ଅମ୍ଳାନ ଭାବେ ବିରାଜିତ ରହି ଚିରଦିନ ତାଙ୍କୁ ଅମର କରି ରଖିଛି ।

ମନ୍ଦିରର ବାହାରେ ସେପରି ବିଶେଷ ଚାକଚକ୍ୟ ବାଭାସ୍କର୍ଯ୍ୟ ନଜରରେ ପଡ଼ିଲାନାହିଁ ସତ କିନ୍ତୁ ମନ୍ଦିର ଅଭ୍ୟନ୍ତରରେ ଦେବତାଙ୍କ ପୂଜାର୍ଚ୍ଚନା ତଥା ରୀତିନୀତି ମନକୁ ବେଶ୍‌ଆକର୍ଷଣ କରିନେଲା । ବିଶେଷ କରି ସେମାନାଥଙ୍କ ଆରତି ଦୃଶ୍ୟ ଜୀବନରେ ଏକ ପରମ ଲଭ୍ୟ ସମ୍ପଦ ହୋଇ ରହିଲା । ପରିଷ୍କାର ପରିଚ୍ଛନ୍ନ ମନ୍ତ୍ରୋଚ୍ଚାରଣ ଶୁଣି ଜାଣିବାକୁ କଷ୍ଟ ହେଲାନି ଯେ ପୂଜକ ଜଣେ ସାଧାରଣ ବ୍ରାହ୍ମଣ ନୁହନ୍ତି,ଜଣେ ଅସାଧାରଣ ପଣ୍ଡିତ ଏବଂ ଶାସ୍ତ୍ରଜ୍ଞ ବ୍ୟକ୍ତି । ଦେବଦର୍ଶନ ପରେ ତାଙ୍କ ସଙ୍ଗେ ସାମାନ୍ୟ ଆଳାପ କରି ମନର ସନ୍ଦେହ ଦୂରକଲୁ ।

ମନ୍ଦିରରେ ସେଦିନ ଯାତ୍ରୀ ସମାଗମ ଅପେକ୍ଷାକୃତ କମ୍‍ ଥିଲା । ବେଳାବେଶୀ ହେବା ହେତୁ ସେ ସଂଖ୍ୟା ଆହୁରି ହ୍ରାସପାଇ ଯାଇଥିଲା । ମନ୍ଦିର ଭିତରେ ପ୍ରବେଶ କରି ବାହାର ଯାତ୍ରୀ କାହାକୁ ଦେଖିଲୁ ନାହିଁ । ହାତରେ ସଜଡ଼ା ନୈବେଦ୍ୟ ଥାଳିକୁ,ଧରିପୂଜକଙ୍କ ଉଦ୍ଦେଶ୍ୟରେ ଆଖିବୁଲାଇ ନେଲୁ । କେତେଜଣଙ୍କୁ ଶିବଶକ୍ତି ବାହାରେ ବସି ଶାସ୍ତ୍ରାଧ୍ୟୟନ ରତଥିବା ଦେଖିପାରିଲୁ;କିନ୍ତୁ ସେ ଭିତରୁ କିଏ ହେଲେ ପୂଜାରୀ ବୋଲି ମନେହେଲାନାହିଁ । ଆମ ମନର ଭାବନାକୁ ସ୍ତମ୍ଭିତ କରିଦେଇ ସେମାନଙ୍କ ମଧ୍ୟରୁ ଜଣେ ଗୌରକାନ୍ତ ପ୍ରୌଢ଼ ବ୍ୟକ୍ତି ଆଗେଇ ଆସି ସଙ୍କେତଦ୍ୱାରା ଆମକୁ,ତାଙ୍କୁ ଅନୁସରଣ କରିବାପାଇଁ ଆହ୍ୱାନ ଜଣାଇଲେ । ଆମ ଅଞ୍ଚଳରେ ଯେପରି ବିଶିଷ୍ଟ ବ୍ରାହ୍ମଣଗଣ ମହାଦେବଙ୍କ ମନ୍ଦିରରେ ଧ୍ୟାନରତ ବା ଶାସ୍ତ୍ରପାଠ କରିଥାନ୍ତି ମୁଁ ପ୍ରଥମେ ସେମାନଙ୍କୁ ସେହି ଶ୍ରେଣୀର ମନେ କରିଥିଲି । ତାଙ୍କର ଆହ୍ୱାନ ପାଇ ଅତି ସଙ୍କୋଚରେ ତାଙ୍କର ନିକଟକୁ ଆଗେଇ ଚାଲିଲି । ସେ ପବିତ୍ର ମନରେ ଅତି ପରିଚିତ ବ୍ୟକ୍ତିଭଳି ନୀତି ନିୟମାନୁଯାୟୀ ପୂଜାବିଧି କରାଇଦେଲେ । ଜ୍ୟୋତିର୍ମୟ ଲିଙ୍ଗଙ୍କୁ କୋଳାଗ୍ରତ କରି ମନ ଆନନ୍ଦରେ ନାଚି ଉଠିଲା । ପ୍ରତ୍ୟେକେ ଦର୍ଶନାନ୍ତର ସାଧ୍ୟମତେ ଦକ୍ଷିଣା ଦେଲେ । ସେ,ଏକ ବିରାଟ କାଠ ସିନ୍ଦୂକ ମଧ୍ୟରେ ତାହା ପକାଇଦେବାକୁ ଅନୁରୋଧ କରି କହିଲେ, ‘‘ଦେବପୂଜା କରିବା ଏବଂ ଯାତ୍ରୀଗଣଙ୍କୁ ସହାୟତା କରିବା ସକାଶେ ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଆମକୁ ବେତନ ଦେଇ ନିଯୁକ୍ତି ଦେଇଛନ୍ତି । ସେଥିପାଇଁ କୌଣସି ଅର୍ଥ ଆମର ପ୍ରାପ୍ୟ ନୁହେଁ; ସୁତରାଂ ଯାହା ଦେବାପାଇଁ ଆପଣମାନେ ଇଚ୍ଛା କରିଛନ୍ତି, ତାହା ଏହି ସିନ୍ଦୂକ ମଧ୍ୟରେ ପକାଇ ଦିଅନ୍ତୁ । ସମୟ ମୁତାବକ ଉକ୍ତ ଅର୍ଥ ଦେବକାର୍ଯ୍ୟରେ ବିନିଯୋଗ ହୋଇପାରିବ ।’’

 

ସଙ୍କୋଚ ଦୂରକରି କହିଲି, ‘‘କଥାରୁ ଜଣାଯାଉଛି ଆପଣ ଜଣେ ବିଜ୍ଞ ବ୍ୟକ୍ତି । ଦୟାକରି ବର୍ତ୍ତମାନ ନିର୍ମିତ ହେଉଥିବା ନବ ସୋମାନଥ ମନ୍ଦିର ଓ ତା’ର ଟ୍ରଷ୍ଟବୋର୍ଡ଼ ନେଇ ଆମକୁ ସାମାନ୍ୟ ଧାରଣା ଦେଇପାରିବେ କି ? ଏହା ଜାଣିବାପାଇଁ ପ୍ରବଳ ଇଚ୍ଛା ଓ କୌତୂହଳ ହେଉଛି ।’’

 

‘‘ଜିଜ୍ଞାସୁର ଉତ୍ତର ଦେବା ବ୍ରାହ୍ମଣର ମହାନ କର୍ତ୍ତବ୍ୟ । ତେବେ ସେଥିପାଇଁ ସମୟ ଏବଂ ସୁଯୋଗ ଦରକାର,ଯାହାକି ଏ ସ୍ଥାନେ ଏକାନ୍ତ ଅଭାବ ।’’ ଏ କେତୋଟି କଥା କହି ପୂଜକ ତାଙ୍କରି ଭାଷାରେ ଅତି ପ୍ରାଞ୍ଜଳ ଭାବେ ସୋମନାଥ କାହାଣୀ ବୟାନ କରିବାକୁ ଲାଗିଲେ ।

 

ସମସ୍ତେ ପ୍ରାୟ ଜାଣନ୍ତି ସୋମନାଥ ଦେବ ମହାତ୍ମା ନକୁଳେଶ ପ୍ରତିଷ୍ଠିତ ପାଶୁପତ ସଂପ୍ରଦାୟକର୍ତ୍ତୃକ ପୂଜିତ ହୋଇଥାନ୍ତି । ନକୁଳେଶ ବା ନକୁଳୀଶଙ୍କୁ ମହାଦେବଙ୍କ ଅଷ୍ଟବିଂଶତମ ଅବତାର ବୋଲି ପଣ୍ଡିତଗଣ ମନେକରି ଥାଆନ୍ତି । ରାମକୃଷ୍ଣ ଗୋପାଳ ଭଣ୍ଡାରି ଭଳି ବ୍ୟକ୍ତି ଏହାଙ୍କୁ ଜଣେ ଆଲୌକୀକ ଧୀସମ୍ପନ୍ନ ଐତିହାସିକ ପୁରୁଷ ବୋଲି ବର୍ଣ୍ଣନା କରିଥାଆନ୍ତି । ସେମାନଙ୍କର ମତରେ ମହାତ୍ମା ନକୁଳେଶ ପଶ୍ଚିମ ଭାରତର ନର୍ମଦାତୀରସ୍ଥିତ କୌଣସି ଏକ ଗ୍ରାମରେ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକର ପ୍ରଥମ ଭାଗରେ ଜନ୍ମଗ୍ରହଣ କରିଥିଲେ; କିନ୍ତୁ ତାଙ୍କର ଧର୍ମମତ ଜନ୍ମସ୍ଥାନଠାରୁ ବହୁଦୂର ପ୍ରଭାସ କ୍ଷେତ୍ରେ ବହୁଳାଂଶେ ପ୍ରଚାରିତ ହୁଏ । ତାଙ୍କରି ମତରେ ପାଶୁପତଗଣ ହିଁ ପ୍ରଧାନ ଶୈବ । ଏହି ଉକ୍ତି ପାତଞ୍ଜଳି ମହାଭାଷ୍ୟରେ (ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ଲିଖିତ) ବିଶଦଭାବେ ବର୍ଣ୍ଣନା କରାଯାଇଅଛି । ଦେବଦତ୍ତ ଭଣ୍ଡାରକର ତାଙ୍କର ଅନୁଧ୍ୟାନ ଆହୁରି ଏକପାଦ ଆଗେଇ ନେଇ,ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ (୬୧ ଗୁପ୍ତାବ୍ଦ ତଥା ୩୮୦-୮୧ ସାଲ) ଗୋଟିଏ ତାମ୍ର ଫଳକର ଲେଖାକୁ ବ୍ୟାଖ୍ୟାଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଯେ ନକୁଳେଶ ଦ୍ୱିତୀୟ ଶତାବ୍ଦୀର ଦ୍ୱିତୀୟ ପାଦର ପ୍ରଥମ ଭାଗରେ ଜନ୍ମଗ୍ରହଣ କରିଥିଲେ ଏବଂ ପୁରାଣବର୍ଣ୍ଣିତ କାହାଣୀ ଅନୁଯାୟୀ ଆଧୁନିକ କାଥିଆବାଡ଼ି ଜିଲ୍ଲାର କାବଂନ ନାମକ ଗ୍ରାମରେ ସେ ସିଦ୍ଧିଲାଭ କରିଥିଲେ । ଖୁବ୍‍ ସମ୍ଭବ ସେହି ସମୟରେ ଏହାକୁ କାୟା ରୋହନ ରାଜ୍ୟ ବୋଲି କୁହାଯାଉଥିଲା । ଯଦି ଦେବଦତ୍ତଙ୍କ ପ୍ରମାଣକୁ ପ୍ରାଧାନ୍ୟ ଦିଆହୁଏ; ତେବେ ପାତଞ୍ଜଳି ମହାଭାଷ୍ୟରେ ବର୍ଣ୍ଣିତ ପାଶୁପତାଚାର୍ଯ୍ୟ ନକୁଳେଶଙ୍କ ଶିବଭାଗବତଗଣଙ୍କର ପ୍ରଥମ ଆଚାର୍ଯ୍ୟ ବୋଲି ସ୍ୱୀକାର କରିବା ସହଜ ହୋଇ ଉଠେନା;ଯେହେତୁ ଉକ୍ତ ମହାଭାଷ୍ୟ, ତାଙ୍କର ଜନ୍ମ ପୂର୍ବରୁ ଲିଖିତ ହୋଇଥିବା ବହୁ ତଥ୍ୟଦ୍ୱାରା ପ୍ରମାଣିତ ହୋଇଅଛି । ତା’ହେଲେ ସ୍ୱାଭାବିକ ଭାବେ ଏକଥା ମନକୁ ଆସେ ଯେ ନକୁଳେଶ ପାଶୁପତି ସମ୍ପ୍ରଦାୟର ପ୍ରଥମ ପରିବର୍ତ୍ତନ ନ ହେଲେ ମଧ୍ୟ ଦ୍ୱିତୀୟ ଶତକର (ଖ୍ରୀଷ୍ଟୀୟ) କୌଣସି ଏକ ସମୟରେ ପୂର୍ବ ପ୍ରତିଷ୍ଠିତ ଏହି ସମ୍ପ୍ରଦାୟର ଆମୂଳ ପରିବର୍ତ୍ତନ କରି ସୂଦୃଢ଼ ଭାବରେ ପ୍ରତିଷ୍ଠା କରିପାରିଥିଲେ ।

 

ଏହାଦ୍ୱାରା ମହାମତି ନକୁଳେଶଙ୍କୁ ଏହି ସମ୍ପ୍ରଦାୟର ମୁଖ୍ୟଭାବେ ସ୍ୱୀକାର କରାଗଲେ ମଧ୍ୟ ଅବତାର ରୂପେ ପୂଜିତ ହେବା କଥା ପ୍ରମାଣିତ ହୁଏନା । ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ ଆବିଷ୍କୃତ ଲେଖାଟି ଯେଉଁ ସ୍ତମ୍ଭରେ ଖୋଦିତ ଥିଲା,ସେହି ଖୋଦିତାଂଶର ତଳେ ତ୍ରିନୟନବିଶିଷ୍ଟ ଗୋଟିଏ ମୂର୍ତ୍ତି ଖୋଦିତ ଥିବା ଦେଖାଯାଏ । ଏହି ସ୍ତମ୍ଭଭଳି ଆହୁରି ଚାରିଗୋଟି ସ୍ତମ୍ଭ ପ୍ରତ୍ନତତ୍ତ୍ୱ ବିଭାଗଙ୍କ ପ୍ରଗାଢ଼ ଚେଷ୍ଟାଦ୍ୱାରା ଆଜମୀର ଅନ୍ତର୍ଗତ ନନ୍ଦଗ୍ରାମରେ ଆବିଷ୍କୃତ ହୋଇଅଛି । ପରବର୍ତ୍ତୀ କାଳେ ପ୍ରତ୍ନତାତ୍ତ୍ୱିକ ପଣ୍ଡିତଗଣ ଊର୍ଦ୍ଧ୍ୱଦେଶଲିଙ୍ଗମୂର୍ତ୍ତି ନକୁଳେଶଙ୍କ ପ୍ରତୀକ ଚିହ୍ନ ବୋଳି ପ୍ରମାଣିତ କରିଛନ୍ତି ।

 

ତଶୈବ ପୂର୍ବଦିଗ୍‌ଭାବେ ନକୁଳୀଶସ୍ତୁ ମୂର୍ତ୍ତିମାନ୍‌,

ସ୍ୱୟଂ ତିଷ୍ଠସି ଦେବେସି କୃତ୍ୱା ଘୋର ତପଃ ପର,

ସାଂସ୍ତ୍ୱିତଃ ଆପମମନେ ତତ୍ରସ୍ଥାନେ ତଳୋପରି,

କାର୍ତ୍ତିକ୍ୟାଂ କୃର୍ତ୍ତିକାୟୋଗେ ଯସ୍ତୁ ପୂଜୟତେ ନରଃ,

ସ ପୂଜ୍ୟତେ ମହାଦେବୀ ସର୍ବୈରପି ସୁରାସୁରୈଃ ।

 

ଗୁପ୍ତଯୁଗରେ ଏହାଙ୍କର ମୂର୍ତ୍ତି ବିଶେଷ ଦେଖା ନ ଗଲେ ମଧ୍ୟ ଗୁପ୍ତୋତ୍ତର ଯୁଗରେ ଏହି ମୂର୍ତ୍ତି ସଂଖ୍ୟା ବହୁାଳାଂଶେ ବୁଦ୍ଧି ପାଇପାରିଥିଲା । ତାହାର ସ୍ମୃତି ସ୍ୱରୂପ ଆଜିସୁଦ୍ଧା ପଶ୍ଚିମରେ ରାଜସ୍ଥାନ ଓ ପୂର୍ବଉପକୂଳରେ ଓଡ଼ିଶାରେ ଏହାଙ୍କ ମୂର୍ତ୍ତି ବ୍ୟାପକ ଭାବେ ଦେଖାଯାଇଥାଏ ।

 

ଭୂବନେଶ୍ୱରସ୍ଥ ରାଜରାଣୀ, ମୁକ୍ତେଶ୍ୱର, ଶଶିଶେଖର ପ୍ରଭୃତି ଶିବ ମନ୍ଦିରରେ ଏହି ମୂର୍ତ୍ତି ଦେଖିବାକୁ ମିଳିଥାଏ । ଏସବୁ ସ୍ଥାନରେ ନକୁଳେଶଙ୍କ ସଙ୍ଗରେ ଆହୁରି ଚାରିଗୋଟି ପ୍ରତିକୃତି ଖୋଦିତ ଥିବା ଦେଖାଯାଏ । ପ୍ରତ୍ନତାତ୍ତ୍ୱିକ ପଣ୍ଡିତଗଣ ପୁରାଣବର୍ଣ୍ଣିତ ତଥ୍ୟ ଉପରେ ନିର୍ଭରକରି ଏହି ଚାରିଗୋଟି ପ୍ରତିମୂର୍ତ୍ତିକୁ ନକୁଳେଶଙ୍କ ପ୍ରଧାନ ଚାରିଶିଷ୍ୟ ବୋଲି ମନେ କରିଥାଆନ୍ତି । ସେ ଚାରିଶିଷ୍ୟ ହେଲେ କୁଶିକ, ମିତ୍ର,ଗର୍ଗ ଓ ପୌରୁସ୍ୟ । ପଶ୍ଚିମ ବଙ୍ଗଳାର ବର୍ଦ୍ଧମାନ ଜିଲାସ୍ଥ ବେଗୁନିଆ ଗ୍ରାମରେ ନକୁଳେଶ ମୂର୍ତ୍ତି ଦେଖିବାକୁ ମିଳିଥାଏ । କଲିକତା କାଳିଘାଟରେ ଅବସ୍ଥିତ ଏକ ମନ୍ଦିର ମଧ୍ୟରେ ଅବସ୍ଥିତ ଏକ ଶିବଲିଙ୍ଗ, ନକୁଳେଶ ଭୈରବ ନାମରେ ପୂଜିତ ହୋଇଆସୁଛନ୍ତି-। ଏହାଙ୍କ ପୂଜାକୁ ଭିତ୍ତିକରି ସୋମନାଥ କ୍ଷେତ୍ରରେ ଏକ ବିରାଟ ମେଳା କାର୍ତ୍ତିକ ପୂର୍ଣ୍ଣମୀଦିନ ଅନୁଷ୍ଠିତ ହୁଏ । ଦୂର ଦୂରାନ୍ତରୁ ଆସି ବହୁ ଯାତ୍ରୀ ଏହି ମେଳାରେ ଅଂଶ ଗ୍ରହଣ କରିଥାଆନ୍ତି-

 

ସେହି ନକୁଳେଶ ପ୍ରତିଷ୍ଠିତ ପାଶୁପତି ସମ୍ପ୍ରଦାୟର ବ୍ରାହ୍ମଣଗଣ ପାରମ୍ପରିକ ଭାବେ ସୋମନାଥଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ଆମେମାନେ ମଧ୍ୟ ସେହି ସମ୍ପ୍ରଦାୟଭୁକ୍ତ ।

 

ବର୍ତ୍ତମାନ ଯେଉଁ ମନ୍ଦିର ନିର୍ମାଣ କରାଯାଉଅଛି ତାହା ସର୍ବ ପ୍ରଥମ ସୋମନାଥ ମନ୍ଦିରର ମୂଳ ଭିତ୍ତି ଉପରେ ପ୍ରତିଷ୍ଠିତ ଏବଂ ରାଜକୁମାର ପାଳଙ୍କ ନିର୍ମିତ ମନ୍ଦିର ନକ୍‌ସାକୁ ଅନୁକରଣ କରି ନିର୍ମିତ ହେଉଅଛି । ରାଜକୁମାର ପାଳ ରାଜ ପୁରୋହିତ ତଥା ସୋମନାଥଙ୍କ ପ୍ରଧାନ ପୂଜକ ଭାବେ ବାଚସ୍ପତିଙ୍କ ପ୍ରରୋଚନାରେ ଉତ୍ସାହିତ ହୋଇ ପୂରାତନ ମନ୍ଦିର ସ୍ଥାନରେ କୈଳାସ ସମ ଉଚ୍ଚ ଓ ଶୋଭାବର୍ଦ୍ଧନକାରୀ ଏକ ମନ୍ଦିର ତାଙ୍କରି ରାଜୁତି କାଳରେ ନିର୍ମାଣ କରାଇଥିଲେ । ସେହି ସମୟରେ ଏହାର ନାମ ଥିଲା ମେରୁ ପ୍ରାସାଦ । ଏହାର ଗଠନ ଶୈଳୀ ସଙ୍ଗରେ କୈଳାସ ଶୃଙ୍ଗର ସାମାଞ୍ଜସ୍ୟ ପରିଲକ୍ଷିତ ହେଉଥିବା ହେତୁ ସେ ସମୟରେ ଏହାର ଅନ୍ୟ ଏକ ନାମ ଥିଲା ପଶ୍ଚିମ କୈଳାସ । ମନ୍ଦିର ଚୂଡା ସୁନାର ପାତିଆରେ ଛାଉଣି କରାଯାଇଥିଲା । କେବଳ ମନ୍ଦିରର ଉନ୍ନତି ନୁହେ, କୁମାର ପାଳ (ଏହାଙ୍କ ରାଜୁତି ସମୟ ୧୧୧୪ ସାଲରୁ ଆରମ୍ଭ) ମନ୍ଦିର ମଧ୍ୟରେ ସଭାସଦମାନଙ୍କ ସହ ମିଳିତି ହେବା ସକାଶେ ଏକ ସଭା ମଣ୍ଡପ ନିର୍ମାଣ ମଧ୍ୟରେ ସଭାସଦମାନଙ୍କ ସହ ମିଳିତ ହେବା ସକାଶେ ଏକ ସଭା ମଣ୍ଡପ ନିର୍ମାଣ କରାଇଥିଲେ । ଲୁଣା ସମୁଦ୍ର ଜଳରେ ସ୍ନାନ କରି ଶିବ ଦର୍ଶନ କଷ୍ଟସାଧ୍ୟ ଅନୁଭବ କରିପାରି ମନ୍ଦିର ସମ୍ମୁଖରେ ଏକ ସ୍ୱଚ୍ଛସଲିଳା ପୁଷ୍କରିଣୀ ଖନନ କରାଇଥିଲେ । ବିଦେଶୀ ତଥା ବିଧର୍ମୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମନ୍ଦିରର ଚତୁର୍ଦ୍ଦିଗରେ ସୁଉଚ୍ଚ ପ୍ରାଚୀର ନିର୍ମାଣ କରାଇ ସୁଶିକ୍ଷିତ ପ୍ରହରୀ ନିୟୋଗ କରଇଥିଲେ । ମନ୍ଦିରର ଉନ୍ନତ ପରିଚାଳନା, ବିଦ୍ୟା ଶିକ୍ଷା ଓ ବିଧିବଦ୍ଧ ପୂଜାର୍ଚ୍ଚନା ସକାଶେ ବହୁ ବାହ୍ମଣ ପରିବାରଙ୍କୁ ଆର୍ଯ୍ୟାବର୍ତ୍ତର ବିଭିନ୍ନ ସ୍ଥାନରୁ ଆନୟନ କରି ପ୍ରଭୂତ ଭୂସମ୍ପତ୍ତି ଦାନ ପୂର୍ବକ ପ୍ରତିଷ୍ଠିତ ନଗରୀରେ ବସବାସ କରାଇଥିଲେ । ନୈମିତିକ ଭୋଗରାଗ ସକାଶେ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଚୁର ଭୂସମ୍ପତ୍ତି ଖଞ୍ଜି ଦେଇଥିଲେ ଏହିପରି ଭବରେ ସୁଦୃଢ଼ ମନ୍ଦିର ନିର୍ମାଣ କରିବା ସାଥେ ସାଥେ ତା’ର ପରିଚାଳନା ସକାଶେ ସେ ସୁଦୃଢ଼ ପଦକ୍ଷେପମାନ ନେଇଥିଲେ ଯାହାର ତୁଳନା ପ୍ରାୟ ବିରଳ କହିଲେ ଚଳେ । ଯଦିଚ ମୁସଲମାନଙ୍କ ଅତ୍ୟାଚାରରେ କୁମାର ପାଳ ନିର୍ମିତ ମନ୍ଦିର ଧ୍ୱଂସ ହୋଇଯାଇଥିଲା ଏବଂ ପରବର୍ତ୍ତୀ କାଳରେ ଅନ୍ୟ ଏକ ମନ୍ଦିର ନିର୍ମିତ ହୋଇଥିଲା । ସମବେତ ରାଜନ୍ୟମଣ୍ଡଳୀଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ମନ୍ଦିର ସମ୍ପୂର୍ଣ୍ଣ କୁମାରପାଳଙ୍କ ମନ୍ଦିର ନକ୍‌ସାକୁ ଭିତ୍ତି କରି ନିର୍ମିତ ହେଉଅଛି । ଏହି ନିର୍ମାଣ କର୍ମ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକାନ୍ତ ପ୍ରଚେଷ୍ଟା ହେତୁ ସମ୍ଭବ ହୋଇ ପାରିଅଛି ।

 

୧୯୪୭ ସାଲରେ ଭାରତ ସ୍ୱାଧୀନତା ଲାଭକରିବା ପରେ ସମସ୍ତ ଦେଶୀୟ ରାଜ୍ୟମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ସମୟ ଘନେଇ ଆସିଲା । ଅନେକ ପର୍ଯ୍ୟାୟ କ୍ରମେ ବିନା ଓଜର ଆପତ୍ତିରେ ଭାରତ ଯୁକ୍ତରାଷ୍ଟ୍ର ମଧ୍ୟରେ ସାମିଲ ହୋଇଗଲେ । ହାଇଦ୍ରାବାଦ ନବାବ ପାକିସ୍ଥାନ ସହାୟତାରେ ସ୍ୱାଧୀନ ରାଜ୍ୟର ସ୍ୱପ୍ନ ଦେଖିଲେ । ପଶ୍ଚିମରେ ଜୁନାଗଡ଼ ମୁସଲମାନ ନବାବ ଗୋପନରେ ପାକିସ୍ଥାନ ସହ ଷଡ଼ଯନ୍ତ୍ରରେ ଲିପ୍ତ ହେଲେ । ଯଥା ସମୟରେ ଉକ୍ତ ସମ୍ବାଦ ହିନ୍ଦୁ ପ୍ରଧାନ ଜୁନାଗଡ଼ ପ୍ରଜା ଜାଣିପାରି କ୍ଷିପ୍ତ ହୋଇ ଉଠିଲେ । ଉପାୟନ୍ତର ନଦେଖି ନବାବ ବାହାଦୂର ବିପୁଳ ରତ୍ନରାଜି ସହ ପାକିସ୍ଥାନକୁ ଖସି ପଳାୟନ କଲେ । ସେହି ସମୟରେ ବାଧ୍ୟ ହୋଇ ରାଜ୍ୟ ପରିଚାଳନା ଭାର ପଡ଼ିଲା ସାହାନୱାଜ ଭଟ୍ଟଙ୍କ ଉପରେ । ତାଙ୍କର ଆମନ୍ତ୍ରଣକ୍ରମେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ (ତତ୍‌କାଳୀନ ଭାରତ ଯୁକ୍ତରାଷ୍ଟ୍ରର ସହକାରୀ ପ୍ରଧାନ ମନ୍ତ୍ରୀ) ଜୁନାଗଡ଼ ରାଜ୍ୟସ୍ଥ ପ୍ରଭାସ ପତ୍ତନକୁ ଆଗମନ କଲେ, ସଙ୍ଗରେ ମୋରାରଜି ଦେଶାଇଙ୍କ ଭଳି କେତେକ ପ୍ରଖ୍ୟାତ ନେତାଙ୍କୁ ନେଇ ।

 

ମାମୁଦ ବାଗଦାକର୍ତ୍ତୃକ ନିର୍ମିତ ସେହି ମସଜିଦ୍‌ ନିର୍ମାଣକାଳରୁ କୌଣସି ମୁସଲମାନ ମାନଙ୍କଦ୍ୱାରା ବ୍ୟବହୃତ ହେଉ ନଥିଲା । ସେ ମସଜିଦ ମଧ୍ୟ କାଳର କୁଟିଳ ଗତିରେ ମନ୍ଦିରର ଧ୍ୱଂସ ସ୍ତୂପ ସଙ୍ଗେ ମିଶି ଏକ ହୋଇ ଯାଇଥିଲା । ପଟେଲଙ୍କ ସହ ଅନ୍ୟ ନେତୃବୃନ୍ଦ ଏଠାକୁ ଆସି ସେହି ଧ୍ୱଂସସ୍ତୂପ ପରିଦର୍ଶନ କଲେ ! ଏକଦା ବିଶ୍ୱବିଖ୍ୟାତ ସେହି ସୋମାନଥ ମନ୍ଦିରର ଏ ହୀନାବସ୍ଥା ସେମାନଙ୍କୁ ବିଚଳିତ କରିଦେଲା । ସେହି ଧ୍ୱଂସସ୍ତୂପ ନିକଟରେ ଠିଆହୋଇ ପୂଜ୍ୟ ଦେବତାଙ୍କପାଇଁ ନୂତନ ଭାବେ ସୋମନାଥ ମନ୍ଦିର ଗଠନ କରିବା ସଙ୍କଳ୍ପ ଗ୍ରହଣ କଲେ । ସେହିଦିନ ଥିଲା ୧୨ । ୧୧ । ୪୭ ଦୀପାବଳୀ ଅମାବାସ୍ୟା । ତା’ ପରେ କୁମାରପାଳଙ୍କ ମନ୍ଦିର ନକ୍‌ସାକୁ ଭିତ୍ତି କରି ନୂତନ ମନ୍ଦିର ଗଢ଼ିବା ପରିକଳ୍ପନା ଚାଲିଲା । ଗଠିତ ହେଲା ମନ୍ଦିର ନିର୍ମାଣ କମିଟି । ସେହି କମିଟିର ତତ୍ତ୍ୱାବଧାନରେ ନବନଗରର ମହାରାଜ ଦିଗ୍‌ବିଜୟ ସିଂହଜୀ ୧୯୫୦ ସାଲ ମଇ ଅଠର ତାରିଖରେ ନୂତନ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ତା’ ପରଠାରୁ ଅତି ଦ୍ରୂତ ଗତିରେ ମନ୍ଦିର କାମ ଆଗେଇ ଚାଲିଛି, କାରିଗରଗଣ ପୁରାତନ ନକ୍‌ସାକୁ ନୂତନ ଭାବେ ରୂପ ଦେବାପାଇଁ ପ୍ରାଣପଣେ ଚେଷ୍ଟା ଚଳାଇ ଯାଉଛନ୍ତି । ଭିତରେ ବିଗ୍ରହ ପ୍ରତିଷ୍ଠିତ ହେଲେ ମଧ୍ୟ ବାହାର ନିର୍ମାଣ କାର୍ଯ୍ୟ ଏ ଯାଏ ଶେଷ ହୋଇନାହିଁ । କେବେ ଶେଷ ହେବ ତା’ ମଧ୍ୟ ସଠିକ ଭାବେ କହିବା ସମ୍ଭବ ନୁହେ । ମନ୍ଦିରକୁ ପ୍ରବେଶ ପଥର ଧାରରେ ସର୍ଦ୍ଦାରଙ୍କ ଘୋଷଣାଟି ଦେଖି ପାରିବେ । ଘୋଷଣାଟି ହେଲା—

 

“On this auspicious day of the new year, we have decided that, Somnath should be reconstructed. You, people of Saurastra, should do your best. This is a holy task in which all should participate.

 

ମହାରାଜ ଜାମସାହେବଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ମନ୍ଦିରର ପ୍ରଥମମହଲା କାମ ଅତି ଦ୍ରୁତ ଗତିରେ ସମ୍ପନ୍ନ ହୋଇଗଲା । ରାଷ୍ଟ୍ରାପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ୧୯୫୧ ସାଲ ମଇ ଏଗାର ତାରିଖରେ ମନ୍ଦିର ମଧ୍ୟରେ ସୋମନାଥଙ୍କ ଲିଙ୍ଗ ମୃର୍ତ୍ତି ପ୍ରତିଷ୍ଠା କରାଗଲା । ଏହି ବିଖ୍ୟାତ ଶିବ ଲିଙ୍ଗଟି ବିଶେଷ ଯତ୍ନସହକାରେ ପବିତ୍ର ଶୈବକ୍ଷେତ୍ର ବାରାଣସିରୁ ଅଣାଯାଇଥିଲା । ପ୍ରତିଷ୍ଠା ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଭକ୍ତ, ତଥା ଯାତ୍ରୀ ସମାଗମ ହୋଇଥିଲା । ଦେବତା ମନ୍ଦିରରେ ପ୍ରତିଷ୍ଠିତ ହେଲେ କିନ୍ତୁ ନିର୍ମାଣ କର୍ମ ପରିସମାପ୍ତି ହୋଇ ପାରିଲାନାହିଁ । ପ୍ରଥମ ସ୍ତରର ନିର୍ମାଣ ପର୍ବ ୧୯୬୫ ସାଲରେ ସମ୍ପୂର୍ଣ୍ଣ ହେଲା; କିନ୍ତୁ ଆଜି ସୁଦ୍ଧା ତା’ର ପରିପୂରକ ଅନ୍ୟ କାମ ସବୁ ନିର୍ମିତ ହୋଇ ଚାଲିଛି ।

 

ମୂଳ ମନ୍ଦିର କାମ ଶେଷ ହେବା ପରେ ମନ୍ଦିର ଶିଖରରେ ପତାକା ଉତ୍ତୋଳନ ସ୍ୱୟଂ ମହାରାଜା କରିଥିଲେ । ଏହି କୀର୍ତ୍ତି ସମାଧାନ କରିବାର ଅଳ୍ପ ଦିନ ଭିତରେ ସେ ମରଧାମ ତ୍ୟାଗ କରିଥିଲେ । ମହାରାଜାଙ୍କ ସ୍ମୃତି ରକ୍ଷାର୍ଥେ ମହାମାନ୍ୟ ରାଣୀ ସାହେବା (ଗୁଲାବକୁନ୍‌ଉର୍ବା) ଗୋଟିଏ ବିରାଟ ଗେଟ୍‍ ତୟାରି କରାଇଦେଲେ । ନାମ ହେଲା ରାଜାଙ୍କ ନାମାନୁସାରେ ଦିଗ୍‌ବିଜୟ ଦ୍ୱାର । ଏହା ହି ବର୍ତ୍ତମାନ ମନ୍ଦିର ଭିତରକୁ ପ୍ରବେଶ କରିବାର ପ୍ରଧାନ ତୋରଣ ତଥା ମୁଖ୍ୟପଥ । ଏହି ତୋରଣ ଦ୍ୱାର ୧୯-୫-୧୯୭୦ରେ ପରମ ପୁରୁଷ ସତ୍ୟସାଇ ବାବାକର୍ତ୍ତୃକ ଉଦ୍‌ଘାଟିତ ହୋଇଥିଲା ।

 

କଳରବ କରି ଆମ ସହଯାତ୍ରୀଗଣ ମନ୍ଦିର ମଧ୍ୟରେ ପ୍ରବେଶ କଲେ । ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ଆମ ଉଦ୍ଦେଶ୍ୟରେ ସେ କହିଲେ, ‘‘ମଧ୍ୟାହ୍ନ ଆରତି ସମୟ ପ୍ରାୟ ସମାଗତ । ଆପଣମାନେ ଯଥା ଶୀଘ୍ର ନୂତନ ମନ୍ଦିରକୁ ଚାଲି ଯାଆନ୍ତୁ । ଦେବଦର୍ଶନ ସଙ୍ଗେ ସଙ୍ଗେ ଆରତି ଦେଖି ନିଶ୍ଚୟ ଆନନ୍ଦ ପାଇବେ ।’’

 

ପୁନଶ୍ଚ ଦେବାଧିଦେବଙ୍କୁ ପ୍ରଣାମ ନିବେଦନ କରି ଆମେମାନେ ଉଠି ଆସିଲୁ ଏବଂ ପୂଜକଙ୍କ ନିର୍ଦ୍ଦେଶ ମୁତାବକ ଆଗେଇ ଚାଲିଲୁ ନବ ନିର୍ମିତ ମନ୍ଦିର ଦିଗେ । ନୂତନ ମନ୍ଦିରର ନାମ ମହାମେରୁ ପ୍ରାସାଦ । ଦୂରରୁ ଦେଖିଲେ ଏ ନାମର ଯେ ପ୍ରକୃତ ସାର୍ଥକତା ଅଛି ତା’ ଅସ୍ୱୀକାର କରି ହେବନି ।

 

ଦିଗ୍‌ବିଜୟ ତୋରଣ ମଧ୍ୟ ଦେଇ ମନ୍ଦିର ମଧ୍ୟରେ ପ୍ରବେଶ କଲୁ । ମୂଳ ମନ୍ଦିରର କାମ ପ୍ରାୟ ସମ୍ପୂର୍ଣ୍ଣ । ମନ୍ଦିର ସଂଲଗ୍ନ ଭୋଗ ମଣ୍ଡପ, ନୃତ୍ୟ ମଣ୍ଡପ, ଦର୍ଶନ ଅଳିନ୍ଦ ପ୍ରଭୃତି ନିର୍ମାଣ କାମ ଚାଲିଛି । ଅନ୍ୟ କୌଣସି ପ୍ରତି ନଜର ନଦେଇ ମନ୍ଦିର ମଧ୍ୟରେ ପ୍ରବେଶ କଲୁ । ମନ୍ଦିର ମଧ୍ୟରେ ଏକ ବିରାଟ ବ୍ୟବସ୍ଥା । ଦର୍ଶନମାନଙ୍କ ସକାଶେ ବିରାଟ ଅଳିନ୍ଦ । ତା’ ପରେ ଅର୍ଗଳ । ତାହାକୁ ଇପାର ହୋ ଗଲେ ସୋମେଶ୍ୱରଙ୍କ ବିରାଟ ଲିଙ୍ଗ ମୂର୍ତ୍ତିକୁ ସ୍ପର୍ଶ କରାଯାଇପାରେ । ଖବର ନେଇ ଜାଣିଲି ଏଠାରେ ସ୍ପର୍ଶ ଦର୍ଶନର ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ । ଦୂର ଦର୍ଶନ ପାଇ ଯାତ୍ରୀଗଣ ପରିତୃପ୍ତ । ଆଗରୁ କହିଛି ଆଜି ଯାତ୍ରୀ ସମାଗମ କମ୍‌ । ସେ ନେଇ ଦର୍ଶନ ପାଇଁ ଠେଲାଠେଲି ନାହିଁ । ବେଶ୍‌ଶାନ୍ତଶିଷ୍ଟ ପରିବେଶ ଭିତରେ ଅପେକ୍ଷାକୃତ ଏକ ନିରୋଳା ଜାଗାରେ ଠିଆ ହେଲୁ । କାନ୍ଥ ଘଣ୍ଟାରେ ଢଂ ଢଂ କରି ବାରଟା ବାଜିବା ମାତ୍ରେ ପୂଜକ ଆରତି କର୍ମ ଆରମ୍ଭ କଲେ । ମନ୍ଦିର ଭିତରୁ ନାନା ରକମ ବାଜଣା ଏକ ସଙ୍ଗରେ ବାଜି ଉଠିଲା । ସେଇ ତାଳ ସଙ୍ଗେ ସମତା ରକ୍ଷା କରି ପୂଜକଙ୍କ ହସ୍ତଧୃତ ଆରତିକ ଉପକରଣମାନ ନାଚିବାକୁ ଲାଗିଲା । ଏ ଏକ ଅପୂର୍ବ ଦୃଶ୍ୟ । ମନକୁ ସେହି ସମୟ ସକାଶେ ସମସ୍ତ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିଦେଲା । ଅନ୍ତର ଭିତରେ ଜାଗି ଉଠିଲା ଏକ ଅଚିନ୍ତନୀୟ ଆଧ୍ୟାତ୍ମିକ ପରିବେଶ । ଏ ଭାବାବେଶ ପ୍ରକାଶ କରିବାକୁ ଭାଷାନାହିଁ । ଏହା କେବଳ ଅନୁଭବର ବିଷୟ । କେତେକ ସମୟ ପରେ ଆରତି କର୍ମ ଶେଷ ହେଲା । ପ୍ରଣାମ କରି ସମସ୍ତେ ଠିଆ ହୋଇ ପୂଜକ କୃତ ଶିବସ୍ତୋତ୍ର ଶୁଣିବାକୁ ଲାଗିଲୁ ।

 

‘‘ଜୟ ଶଙ୍କର ପାର୍ବତୀପତେ ମୃଡ଼ଶମ୍ଭୋଶଶି ଖଣ୍ଡ ମଣ୍ଡନ ।

ମଦନାନ୍ତକ ଭକ୍ତବତ୍ସଳ ପ୍ରିୟ କୈଳାସ କୃପାସୁଧାନିଧେ ।।

ସଦୁପାୟକଥା ସ୍ୱପଣ୍ଡିତତା ହୃଦୟେ ଦୃଃଖ ଶରେଣ ଖଣ୍ଡିତଃ

ଶଶିଖଣ୍ଡଶିଖଣ୍ଡମଣ୍ଡନଂ ଶରଣଂ ଯାମି ଶରଣ୍ୟମୀଶ୍ୱରଂ ।

ଅଭିତଃ ପରିତଃ ପ୍ରସର୍ପତସ୍ତ ମସୋଦର୍ଶନ ଭେଦିନୋଭିଦେ ।

ଦିନନାଥ ଇବ ସ୍ୱତେଜସାହୃଦୟବ୍ୟୋମ୍ନି ମନା ଗୁଦେହିନଃ ।।

ନବୟଂ ତବ ଚର୍ମ ଚକ୍ଷୁଷା ପଦବୀମପ୍ୟୁ ପବୀକ୍ଷିତୁଂ କ୍ଷମା

କୃପୟୋଽଭୟଦେନ ଚକ୍ଷୁସା ସକଳେ ନେଶ ବିଳେକୟାଶୁନଃ ।।

 

ପରିଷ୍କାର ପରିଚ୍ଛାନ୍ନଭାବେ ସମସ୍ତ ପୂଜାକର୍ମ ପୂଜକଙ୍କ ନିପୂଣ ହାତଦ୍ୱାରା ଗୋଟିକ ପରେ ଗୋଟିଏ କରି ଚାଲିଲା । ଅଳ୍ପକ୍ଷଣ ଆଗେ ଅନ୍ୟ ଏକ ମନ୍ଦିରରେ ପୂଜକଙ୍କ ଯେଉଁ କର୍ତ୍ତବ୍ୟନିଷ୍ଠା ଦେଖିଥିଲୁ, ଯାତ୍ରୀଙ୍କ ପ୍ରତି ଆନ୍ତରିକତା ଲକ୍ଷ୍ୟକରିଥିଲୁ, ଏଠାରେ ତାହାର ବିନ୍ଦୁ ବିସର୍ଗ ଦେଖିବାକୁ ମିଳିଲାନାହିଁ । ଏଠାରେ ପୂଜକ, ପୂଜିତ ଓ ପୂଜାରୀ ତିନିହେ ତିନିସତ୍ତା । ଦେବତା ଆଉ ଭକ୍ତ, ପୂଜକ ଆଉ ପୂଜିତ ମଧ୍ୟରେ ସଂଯୋଜକ ହେଲେ ପୁରାହିତ ବା ପୂଜାରୀ । ଯେହ୍ନେ ତେହ୍ନେ ପ୍ରକାରେଣ ଦେବ ଦର୍ଶନ ହେଲା । ପୂଜାବିଧି ବା ଦର୍ଶନରେ କୌଣସି ବାହ୍ୟ ବ୍ୟତିକ୍ରମ ଦେଖାଗଲା ନାହିଁ ସତ, କିନ୍ତୁ ବାସନା ଅତୃପ୍ତ ରହିଗଲା । ଏଥର ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ଦେଖିବାକୁ ବାହାରି ପଡ଼ିଲୁ ।

 

ମନ୍ଦିର ଠିକ୍‌କେତେ ତଳବିଶିଷ୍ଟ ତା’ ଏବେ ଆଉ ମନେନାହିଁ । ଖୁବ୍‍ ସମ୍ଭବ ପାଞ୍ଚତାଲା । ଆମେମାନେ ତିନିତାଲା ପର୍ଯ୍ୟନ୍ତ ଉଠିଥିଲୁ । ପ୍ରତ୍ୟେକାଂଶେ ନାନାରକମ ତୈଳଚିତ୍ରର ସମାରୋହ-। ପଥରରଭାସ୍କର୍ଯ୍ୟ ତିଳେ ହେଲେ ହେଁ କ୍ଷୁଣ୍ଣ ହୋଇଛି, ତା’ କୁହାଯାଇ ନ ପାରେ । ସିଡ଼ି ମନ୍ଦିରର ଶେଷ ପର୍ଯ୍ୟନ୍ତ ଉଠିଯାଇଛି । ଅଶକ୍ତ ପାଦ ଆଉ ଉପରକୁ ଉଠିବାକୁ ରାଜିହେଲା ନାହିଁ-। ତିନିତାଲାରୁ ଫେରିଆସିଲୁ । ପ୍ରତ୍ୟେକ ତାଲାରେ ଠିଆହୋଇ ଭକ୍ତ ନିଶ୍ଚିତ ମନରେ ଦେବ ଦର୍ଶନ କରିପାରେ । ସେ ସକାଶେ ଯେତେ ବେଶି ଯାତ୍ରୀ ସମାଗମ ହେଲେ ବି ଦର୍ଶନରେ କୌଣସି ଅସୁବିଧା ସୃଷ୍ଟି ହୁଏନା । ଗଠନ ଶୈଳୀରେ ନୈପୁଣ୍ୟତାର ସ୍ପର୍ଶ ସର୍ବତ୍ର ବିଦ୍ୟମାନ । ତା’ ହେଲେ ବି ଏହା କାହିଁକି ନିଜର ସମ୍ପତ୍ତି ବୋଲି ମନେହେଲା ନି । ସବୁ ସମୟରେ ମନେପଡ଼ିବାକୁ ଲାଗିଲା ଯେପରି କୌଣସି ଧନାଢ଼୍ୟ ବନ୍ଧୁ ଘରକୁ ବୁଲିବାକୁ ଆସିଛି; କ୍ଷଣକପରେ ଫେରିଯିବାକୁ ହେବ-। ଏଠାରେ ନିଜର କୌଣସି ଦାବୀ ନାହିଁ କି ଅଧିକାର ବି ନାହିଁ । ଯାହା ମିଳିବ ତା’ ଅପରର ଦୟାର ଦାନ କେବଳ । ଏଠାରେ ପୂଜିତ ଗଣଦେବତା ନୁହଁନ୍ତି ପଣଦେବତା ମାତ୍ର । ଫଳରେ ପ୍ରଣାମ ନିବେଦନ ବ୍ୟତୀତ ଏଠାରେ ମୋର କର୍ତ୍ତବ୍ୟ ମଧ୍ୟ କିଛି ନାହିଁ ।

 

ଏସବୁ ଚିନ୍ତା ମଧ୍ୟଦେଇ ବାମପାଖ ଦ୍ୱାରଦେଇ ମନ୍ଦିର ଭିତରୁ ବାହାରିପଡ଼ିଲୁ । ଆଗରେ ଆରବ ସାଗରର ଘନ ନୀଳରାଶି ଦିଗନ୍ତବିସ୍ତାରୀ ଶୋଭା ପାଉଅଛି । ଅଶାନ୍ତ ଲହରୀମାନ ଭୀଷଣ ଆକାରରେ ଦେବାଧିଦେବଙ୍କ ପଦଧୌତ କରିବା ସକାଶେ ଧାବମାନ । ନିକଟରୁ ନିକଟସ୍ଥ ହେବା ସାଥେ, ମନେପଡ଼େତାହାର ବିଶ୍ୱପିତା ନିକଟରେ କରିବା ପ୍ରତିଜ୍ଞା କଥା, କୂଳ ସେ ଲଙ୍ଘନ କରିବେ ନାହିଁ । ଫଳରେ ସମସ୍ତ ଶକ୍ତି ସହ ଅଘାତ ଦେଇଛି ତୀରସ୍ଥ ପ୍ରସ୍ତର ପ୍ରାଚୀର ଗାତ୍ରରେ, ଏହିପରି ଭାବେ ଚାଇିଛି କେଉଁ ଅନନ୍ତ କାଳରୁ ।

 

ଅନନ୍ତ ସାଗର ଦର୍ଶନେ ଦେବତାର ଅନନ୍ତ ମହିମା କଥା ମନକୁ ଦ୍ରବୀଭୂତ କରିଦେଲା-। ତୀରସ୍ଥ ଏକ ବିରାଟ ଶିଳାଖଣ୍ଡୋପରି ଉପବେଶନ କରି ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନର ସମୋନାଥ ମନ୍ଦିର ଦେଖିବାକୁ ଲାଗଲି । ଲୌହ ମାନବ ଆଜି ଅଦେଖା ଜଗତରେ; କିନ୍ତୁ ତାଙ୍କର ସୃଷ୍ଟି ଏ ମହାନ କୀର୍ତ୍ତି ଚିରଦିନ ସକାଶେ ଜାଜ୍ଜୁଲ୍ୟମାନ ହୋଇ ରହିବ । ଲୋକମୁଖରେ ଘୋଷିତ ହେବ-

 

‘‘ଯସ୍ୟ କୀର୍ତ୍ତି ସ ଜୀବତି’’

 

ମନ୍ଦିରରେ ପ୍ରଥମ ମହଲାରେ ସୋମନାଥ ମନ୍ଦିରର ପୂର୍ଣ୍ଣ ଇତିହାସ ଲେଖା ଚିତ୍ର ମାଧ୍ୟମରେ ସୂଚିତ ହୋଇଅଛି । ପ୍ରମାଣମୂଳକ ଚିତ୍ରସମୂହର ମୂଳ କପିଗୁଡ଼ିକ ଉପର ମହଲାରେ ବିଶେଷ ଯତ୍ନ ସହକାରେ ସଂରକ୍ଷିତ କରାଯାଇଅଛି । ନିର୍ଦ୍ଦିଷ୍ଟ ସମୟରେ ଉପଯୁକ୍ତ ଦର୍ଶନୀ ଦେଇ ଏହି ସବୁ ଦେଖିବାକୁ ହୋଇଥାଏ । ଏହା ବ୍ୟତୀତ ସମସ୍ତ ମନ୍ଦିର ଭିତରେ ଅନ୍ୟ କେଉଁଠି ଦର୍ଶନୀ ଲାଗେନା । ବିଗ୍ରହଙ୍କ ଦୁଇପାର୍ଶ୍ୱ ଅଳିନ୍ଦେ ଦୁଇଟି ବିରାଟ ବାକ୍‌ସ ରଖାଯାଇଛି । ଇଚ୍ଛୁକ ବ୍ୟକ୍ତିଗଣ ସେହି ବାକ୍‌ସରେ ଦାନ ବା ଦକ୍ଷିଣା ପ୍ରଦାନ କରିପାରନ୍ତି । ଅନ୍ୟ ପକ୍ଷେ ଅପେକ୍ଷମାଣ ମନ୍ଦିର କର୍ମଚାରୀ ହସ୍ତରେ ମନ୍ଦିରାର୍ଥେ ଯଥାବିଧି ଦାନ କରି ପକା ରସିଦ୍‍ ନେଇ ପାରନ୍ତି । ଉଭୟ ଅର୍ଥ ଟ୍ରଷ୍ଟ୍‍ବୋର୍ଡ଼୍‍ କର୍ତ୍ତୃକ ମନ୍ଦିର ଉନ୍ନତିକଳ୍ପେ ଖର୍ଚ୍ଚ ହୋଇ ଥାଏ । ବର୍ତ୍ତମାନ ଟ୍ରଷ୍ଟି ବୋର୍ଡ଼ ନିମ୍ନ ଲିଖିତ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ନେଇ ଗଠିତ ।

 

ଶ୍ରୀ ମୋରାରଜି ଭାଇ ଦେଶାଇ (ଚେୟାରମେନ)

Sri P. W. Premani      Honble secretary

Sri B. M. Birala            Trustee

ଶ୍ରୀ ଚିତ୍ତରଞ୍ଜନ ଆର. ରାଜା      Trustee

ଶ୍ରୀ ଜୟସୁଖ ଲାଲ ହାତୀ            Trustee

ଶ୍ରୀ ଗିରିଧାରୀ ଲାଲ ମେହେଟା      Trustee

Sri J. D. Paramar      Trustee

ଶ୍ରୀ ଦିନେଶ ଭି. ସାହା ।            Trustee

ଏମାନଙ୍କ ବ୍ୟତୀତ ଆହୁରି ବାରଜଣ ବିଶିଷ୍ଟବ୍ୟକ୍ତି ଏହି ଟ୍ରଷ୍ଟ ବୋର୍ଡ଼ରେ ଅଛନ୍ତି ।

 

ଏଠାରେ ଯାତ୍ରୀ ସାଧାରଣଙ୍କୁ ରହିବା ସକାଶେ ବିଶେଷ ଅସୁବିଧାରେ ପଡ଼ିବାକୁ ହେବନି । ଭେରାବଳ ନିକଟରେ ଶ୍ରୀରାମ ନିବାସ ଧର୍ମଶାଳା ଓ ସରକାରୀ ଗେଷ୍ଟ୍‍ ହାଉସ, ରାଜେନ୍ଦ୍ର ଭବନ ବ୍ୟତୀତ ଆହୁରି ଅନେକ ଲଜିଂ ହାଉସ, ବୋଡ଼ିଂ ହାଉସ ରହିଛି । ପଟେଲଙ୍କ ଷ୍ଟାଚ୍ୟୁର ବିପରୀତ ଦିଗରେ ସର୍ବାଧୁନିକ ତିନିଗୋଟି ଗେଷ୍ଟ୍‍ ହାଉସ ଅଛି । ଅହଲ୍ୟା ବାଇ ମନ୍ଦିର ସଂଲଗ୍ନରେ ବିରାଟ ଧର୍ମଶାଳା । ଏ ସମସ୍ତ ଯାତ୍ରୀମାନଙ୍କୁ ଆଶ୍ରୟ ଦେଇଥାଏ । ସୋମନାଥ ମନ୍ଦିର ଟ୍ରଷ୍ଟ୍‍ବୋର୍ଡ଼ କର୍ତ୍ତୃକ ଏ ସବୁ ପରିଚାଳିତ ହୋଇଥାଏ । ତେଣୁ ସାବଧାନୀ ଯାତ୍ରୀଗଣ ଯାତ୍ରା ପୂର୍ବରୁ ମନ୍ଦିର ଟ୍ରଷ୍ଟ୍‍ବୋର୍ଡ଼ ସଙ୍ଗେ ଯୋଗାଯୋଗ କରି ନିଶ୍ଚିନ୍ତ ହୋଇ ଥାଆନ୍ତି । ଏହା ଛଡ଼ା ଜିଲ୍ଲା ପଞ୍ଚାୟତ ପରିଷଦର ପଥିକାଶ୍ରମ, (ପ୍ରଭାସ ପତ୍ତନ ନିକଟରେ) ଏବଂ ଅନେକ ସାଧାରଣ ଧର୍ମଶାଳା ମଧ୍ୟ ଯାତ୍ରୀଙ୍କ ସେବାରେ ନିୟୋଜିତ ହୋଇଥାଏ । ରହିବା ଅସୁବିଧା ନ ହେଲେ ମଧ୍ୟ ଯାତ୍ରୀଗଣ ଅତ୍ୟଧିକ ଗରମ ହେତୁ ଅସହାୟ ହୋଇ ପଡ଼ନ୍ତି ।

 

ସୋମନାଥ ମନ୍ଦିର ଦେଖିବା ଶେଷ ହେଲା । ଏ ସଙ୍ଗେ ପ୍ରଭାସ ମଧ୍ୟ । ଏଥର ଫେରିବା ପର୍ବ । ବାଲୁକାମୟ ପଥ ଅତିକ୍ରମ କରି ଅପେକ୍ଷମାଣ ଟାଙ୍ଗା ନିକଟରୁ ଆଗେଇଲୁ ।ଏଥର ଟାଙ୍ଗାବାଲା ଆମକୁ ତା’ର ଖିଆଲ ମୁତାବକ ଭୋରାବଳର ଅନ୍ୟାନ୍ୟ ଦ୍ରଷ୍ଟବ୍ୟ ସ୍ଥାନମାନ ଦେଖାଇ ପହଞ୍ଚାଇ ଦେବ ରେଳଷ୍ଟେସନରେ ସେଠାରେ ଅପେକ୍ଷା କରୁଛି ଆମର ଏକମାତ୍ର ସହାଯାତ୍ରୀଗଣ ସୋମନାଥ ମନ୍ଦିରରୁ ଫେରି ଖିଆପିଆ ଶେଷ କରି ବିଶ୍ରାମ କରୁଛନ୍ତି । ଆମେ ଜାଣୁ ଯେତେ ଡେରି ହେଲେ ମଧ୍ୟ ଦୁଃଖିରାମରଦଳ ଆମର ପରିଚର୍ଯ୍ୟାର ସମସ୍ତ ବ୍ୟବସ୍ଥା କରି ରଖିଥିବେ ।

 

ଆଜି ଯାହା ସବୁ ଦର୍ଶନ କରିବା ସୌଭାଗ୍ୟ ପାଇଛୁ, ତାହା ଅମୂଲ୍ୟ। ବିନାଶ୍ରମେ ବିନା ପ୍ରତିଦାନେ କେବେ କେଉଁଠି କେଉଁ ମହତ କର୍ମ ସଫଳ ହୋଇ ପାରିଛି ? ଜୀବନର ପରମ ଆକାଂକ୍ଷିତ ଫଳ ଆଜି ମିଳପାରିଛି । ସେଥିପାଇଁ ଆଜି ଏଇ ମୁହୂର୍ତ୍ତରେ ଅନ୍ୟ କୌଣସି ପାର୍ଥିବ ସୁଖ, ଦୁଃଖ ପ୍ରତି ନଜର ଦେବାର ପ୍ରବୃତ୍ତି ନାହିଁ । ନିଜକୁ ନେଇ ନିଜେ ଆଜି ପରିପୂର୍ଣ୍ଣ । ସେଇ ପରିପୂର୍ଣ୍ଣ ମନର ନୈବେଦ୍ୟ ପ୍ରଣାମ ମାଧ୍ୟମରେ ପରମ ପିତା ପରମେଶ୍ୱରଙ୍କ ପାଦତଳେ ନିବେଦନ କରି ଟାଙ୍ଗାରେ ଆସୀନ ହେଲୁ ।

 

ଭୋରାବଳର ଅନ୍ୟ କେତେକ ଦ୍ରଷ୍ଟବ୍ୟ ସ୍ଥାନ ଦେଖି ନିଜ ଜାଗାକୁ ଫେରିଲୁ । ଯାହା ପୂର୍ବରୁ ଅନ୍ଦାଜ କରିଥୁଲୁ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଗଲା । ବିଶ୍ରାମରତ ଅନ୍ୟ ଯାତ୍ରୀମାନଙ୍କ ଅସୁବିଧା ସୃଷ୍ଟି ନକରି ଯଥାଶୀଘ୍ର ହାତ ପାଦ ଧୋଇ ଭୋଜନପର୍ବ ଶେଷ କରିବାରେ ମନୋନିବେଶ କଲୁ । ଏହିପରି ଭାବେ ହିନ୍ଦୁର ପରମ ତୀର୍ଥ ଶୈବ, ବୈଷ୍ଣବ, ଶାକ୍ତ ସଂପ୍ରଦାୟଙ୍କ ମିଳିତ ସାଧନା କ୍ଷେତ୍ର ପ୍ରଭାସ, ସୋମନାଥ ଦର୍ଶନ ଶେଷ ହେଲା । ଆଜି ସନ୍ଧ୍ୟା ଘ ୬.୫୦ ମିନିଟରେ ଗୋଟିଏ ପାସେଞ୍ଜର ଟ୍ରେନ୍‍ ସହ ସଂଯୁକ୍ତ ହୋଇ ଆମର ବଗିଟି ଅହମଦାବାଦ ପଥ ଧରିବ । ପଥ ମଧ୍ୟରେ ଦୁଇଥର ଟ୍ରେନ୍‍ ବଦଳ କରିବାକୁ ହେବ—ପ୍ରଥମେ ଜଟେଳେଶ୍ୱର ଓ ପରେ ଢୋଳାରେ । ଢୋଳାରେ ଆମକୁ ପ୍ରାୟ ପାଞ୍ଚଘଣ୍ଟା ଅନ୍ୟ ଟ୍ରେନ୍‍ ପାଇଁ ଅପେକ୍ଷା କରିବାକୁ ହେବ । ସେଠାରେ କୁଣ୍ଡୁ ସ୍ପେଶାଲ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବେ । ଆମେ ଯାଇ ଅହମଦାବାଦରେ ରାତ୍ର ନଟାରେ ପହଁଚିବୁ । ସୁତରାଂ ସେ ରାତ୍ରରେ ମଧ୍ୟ ଆମର କିଛି କାମ ନାହିଁ । ଭୋଜନ ପର୍ବ ଶେଷ ହେଲା । ଏଥର ନିଶ୍ଚିନ୍ତ ବିଶ୍ରାମ ।

 

ବହିରନାମାନୁଯାୟୀ ପ୍ରଭାସ ଦ୍ୱାରିକା ପଥର ଭ୍ରମଣ କାହାଣୀ ଏଠାରେ ଶେଷ ହେବା ଉଚିତ ଥିଲା । ତା’ ହେଲେ ଆଉ କିଛି ନହେଲେ ମଧ୍ୟ ପାଠକଗଣ (ଯଦିଓ କାହାଣୀ ପଢ଼ିବା ଭଳି ପାଠକ ଥାଆନ୍ତି) ସ୍ୱସ୍ତିର ନିଃଶ୍ୱାସ ମାରି ମୂର୍ଖ ମୁଖରୁ ପଣ୍ଡିତ ବୋଲି ଶୁଣିବା ଯନ୍ତ୍ରଣାରୁ ମୁକ୍ତ ପାଇ ପାରନ୍ତେ; କିନ୍ତୁ ତା’ ହୋଇ ଉଠୁନି । ଯେହେତୁ ଯାତ୍ରା ପଥ ଏଯାଏଁ ଶେଷ ହୋଇନି । ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ, ସୁପକ୍ୱ ଭୋଜନ ପରେ ଚଟଣୀ, ପାମ୍ପଡ଼ ଭଳି ଜିନିଷର ମଧ୍ୟ ଦରକାର ପଡ଼ିଥାଏ । ତା’ ହେଲେ ତାହାକୁ ଭୂରି ଭୋଜନ କୁହାଯାଇ ପାରେ । ଏପରି ବ୍ୟକ୍ତି ମଧ୍ୟ ଦେଖା ଯାଇ ଥାଆନ୍ତି ମୁଖ୍ୟ ଭୋଜ୍ୟବସ୍ତୁ ଅପେକ୍ଷା ଶେଷର ଚଟଣୀ, ପାମ୍ପଡ଼ ଭଜାକୁ ବିଶେଷ ପ୍ରାଧାନ୍ୟ ଦେଇ ଥାଆନ୍ତି । ସେ ନୀତି ମାନିବାକୁ ଗଲେ ଦ୍ୱାରିକାରୁ ଯାଇ ପ୍ରଭାସରେ କାହାଣୀର ପୂର୍ଣ୍ଣତା ଆସି ପାରେନା । ଫେରିବା ପଥର ନିଶାଣ ମଧ୍ୟ ଦରକାର ।

 

ଯଥା ସମୟରେ ବଗି ଦୁଇଟିକୁ ଟାଣି ନେଇ ଅପେକ୍ଷାମାନ ଟ୍ରେନ୍‍ ସଙ୍ଗେ ଯୁକ୍ତ କରେଇ ଦେଲା ଗୋଟିଏ ପାଇଲଟ ଇଞ୍ଜିନ । ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମ ଭୂମିରୁ ଯାତ୍ରା ଆରମ୍ଭ ହୋଇଥିଲା ମିଟାର ଗଜ ଟ୍ରେନରେ । ଆଜି ତାଙ୍କର ଦ୍ୱାପର ଯୁଗର ଲୀଳା ଖେଳାର ଶେଷ କ୍ଷେତ୍ର ଦର୍ଶନ କରି ସେହି ପବିତ୍ର ଭୂମିକୁ ପ୍ରଣାମ ଜଣାଇ ଏ ଯାତ୍ରାରେ ଶେଷଥର ପାଇଁ ମିଟାର ଗଜ ଟ୍ରେନରେ ଯାତ୍ରା ପାଇଁ ପ୍ରସ୍ତୁତ ହେଲୁ । ଅହମଦାବାଦରେ ଆମର ମିଟାର ଗଜ ଟ୍ରେନ ଯାତ୍ରା ଶେଷ-। ସେଠାରେ ଅପେକ୍ଷା କରୁଛି କଲିକତାରୁ ନେଇ ଆସିଥିବା ଟୁରିଷ୍ଟ୍‍ କୋଚ୍‍ । ଟ୍ରେନ୍‍ ଷ୍ଟେସନ ତ୍ୟାଗକଲା । ଏହି ଯାତ୍ରା ପଥରେ ଦୁଇଥର (ଜଟେଳେଶ୍ୱର ଓ ଢୋଲାରେ) ଟ୍ରେନ୍‍ ବଦଳି ହେଲେ ବି ଆମର ହଲଚଲ ହେବାର କୌଣସି କାରଣ ନାହିଁ । ଆଗାମୀ କାଲି ରାତ୍ର ପର୍ଯ୍ୟନ୍ତ ଅଖଣ୍ଡ ଅବସର । ଏହି ସ୍ୱଳ୍ପ ସମୟ ଭିତରେ କିଛି ଦେଖି ନେବା ସକାଶେ ମନ ଆଉ ପାଦକୁ ପ୍ରସ୍ତୁତ ହେବାପାଇଁ ଉପସ୍ଥିତ ବିଶ୍ରାମ ଦରକାର ।

 

‘‘କ୍ଷଣମାତ୍ରକେ ମନ କରେ ଦର୍ଶନ

ଏହି ଅପରିସୀମ ବିଶ୍ୱଭୁବନ ।’’

 

ଭକ୍ତ କବିଙ୍କ ଏ ଉକ୍ତି କେତେ ଯେ ବାସ୍ତବ ତାହା ପ୍ରତ୍ୟେକ ଭୁକ୍ତଭୋଗୀ ଅନୁଭବ କରନ୍ତି । ଏ କ୍ଷେତ୍ରେ ମଧ୍ୟ ତାହାର ବ୍ୟତିକ୍ରମ ହେଲାନାହିଁ । ମନକୁ ବିଶ୍ରାମ ଦେବା ସକାଶେ ବଲଗାକୁ ଅଲଗା କରିଦେବା ସାଥେ ସେ ଚାଲିଗଲା ସ୍ୱାଭାବିକ ଭାବରେ ତା’ର ନିଜସ୍ୱ ପଥଧରି ଆକାଂକ୍ଷିତ ଅହମଦାବାଦ ଦର୍ଶନ କରିବା ପାଇଁ ।

 

ଆଜିର ଅହମଦାବାଦ ନାମ ବେଶି ଦିନର ନୁହେଁ । ଏହି ନାମକରଣ ଆଗରୁ ପୌରାଣିକ ଓ ଐତିହାସିକ ଯୁଗରେ ଏହାର ଅନେକ ନାମ ବଦଳ ହୋଇ ଅଛି । ସେ ସବୁକୁ ଅନୁଧ୍ୟାନ କଲେ ଦେଖାଯାଏ, ମହାଭାରତ ଯୁଗରେ ଏହାର ନାମ ଅଶ୍ୱାବଳ ଓ କର୍ଣ୍ଣାବତୀ ଥିଲା । ପୌରାଣିକ ଯୁଗରେ ଆଉ ନାମ ପରିବର୍ତ୍ତନ ହେବା ଦେଖା ଯାଏ ନାହିଁ । ଏହି ନାମକରଣ ନେଇ ସ୍ଥାନୀୟ କିଂବଦନ୍ତୀରୁ ଶୁଣିବାକୁ ମିଳେ, ‘‘ସେହି ସମୟରେ ଏହି ସାମ୍ରଜ୍ୟ ଭୀଲମାନଙ୍କ ଶାସନାଧୀନ ଥିଲା ଏବଂ ଆସାଭୀଲ ନାମକ ଜଣେ ଭୀଲ ସର୍ଦ୍ଦାର ଏ ସାମ୍ରାଜ୍ୟର ଶାସନକର୍ତ୍ତା ଥିଲେ । ତାଙ୍କର ସୁଶାସନ ଫଳରେ ସାମ୍ରାଜ୍ୟର ପ୍ରଭୂତ ଉନ୍ନତି ସାଧିତ ହୁଏ ଓ ଏ ସହରର ପତ୍ତନ ହୁଏ ରାଜକାର୍ଯ୍ୟ ପରିଚାଳନାର କେନ୍ଦ୍ର ସ୍ଥଳ ହିସାବରେ । ନଗରର ନାମ ଶାସନକର୍ତ୍ତାଙ୍କ ନାମାନୁସାରେ ଆସାଓୟେଲ ରଖାହୁଏ । ଯାହାର ଅପଭ୍ରଂଶ ନାମ ହେଲା ଅଶ୍ୱାବଳ । ବର୍ତ୍ତମାନ ସୁଦ୍ଧା ସହର ଭିତରେ ଏହି ନାମର ସ୍ମୃତିଚିହ୍ନ ହିସାବରେ ଗୋଟିଏ ସ୍ଥାନ ଦେଖିବାକୁ ମିଳି ଥାଏ । ସହରବାସୀଙ୍କ ଏହା ଏକ ପରମ ଆଦରଣୀୟ କେନ୍ଦ୍ରସ୍ଥଳୀ ବୋଲି ପରିଚିତ ।

 

ପୌରାଣିକ ଯୁଗ ପରିବର୍ତ୍ତୀ ଇତିହାସ ଯୁଗରେ ପାଦ ଦେଲେ ଦେଖାଯାଏ, ୭୪୧ ଖ୍ରୀଷ୍ଟାବ୍ଦରୁ ୧୨୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ରାଜ୍ୟକୁ ଆନହିଲାବାଡ଼ ରାଜବଂଶ ରାଜୁତ କରନ୍ତି । ଏହାଙ୍କ ଦୀର୍ଘକାଳ ରାଜତ୍ୱ ମଧ୍ୟରେ ଅରଣ୍ୟପୂର୍ଣ୍ଣ ଏହି ସାମ୍ରାଜ୍ୟ କୃଷି ବାଣିଜ୍ୟ ମଧ୍ୟ ଦେଇ ବେଶ ସମୃଦ୍ଧିଶାଳୀ ହୋଇଉଠେ । ଏହି କାଳ ଦଶମ ଶତକର ଏକ ଅଂଶ । ସେ ସମୟରେ ଏଇ କ୍ଷୁଦ୍ର ସାମ୍ରାଜ୍ୟର ପ୍ରତିପତ୍ତି ବହୁ ଦୂର ପର୍ଯ୍ୟନ୍ତ ବିସ୍ତାରିତ ହୁଏ । ରାଜାଙ୍କ ନାମାନୁସାର ରାଜ୍ୟ ତଥା ସହରର ନାମ ରଖାହୁଏ କର୍ଣ୍ଣାବତୀ । ଏହି ନାମ ଅନେକ ଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । କେବେ ଆଉ କିପରି ଭାବେ ଏହାର ନାମ ପରିବର୍ତ୍ତିତ ହୋଇ ରାଜନଗର ହେଲା ତା’ର ସଠିକ ଉତ୍ତର ମିଳେନା । ଖୁବ୍‌ସମ୍ଭବ ରାଜାମାନଙ୍କ ବାସ ସ୍ଥାନକୁ କେନ୍ଦ୍ର କରି ରାଜନଗର ନାମର ସୂତ୍ରପାତ । ଏ ପର୍ଯ୍ୟନ୍ତ ଏହା ଏକ ହିନ୍ଦୁ ଶାସିତ ପ୍ରତିପତ୍ତିଶାଳୀ ରାଜ୍ୟ ରୂପେ ପରିଚିତ ଲାଭ କରି ଆସୁଥିଲା । ରାଜ୍ୟର ସମୃଦ୍ଧି ମଧ୍ୟ ଦେଇ ଗଢ଼ିଉଠିଥିଲାଭାସ୍କର୍ଯ୍ୟ ପରିପୂର୍ଣ୍ଣ ବହୁ ଦେବ-ମନ୍ଦିର । ବିଖ୍ୟାତ ଐତିହାସିକଙ୍କ ସ୍ମିଥ ସାହେବଙ୍କ ଲେଖାରେ ତିନିଶହ ବର୍ଷ ଧରି ଏହି ସୌନ୍ଦର୍ଯ୍ୟମୟ ସହରଟି ପୃଥିବୀର ଅନ୍ୟତମ ପ୍ରସିଦ୍ଧ ସହର ଭାବରେ ବର୍ଣ୍ଣିତ ହୋଇଥିବା ଦେଖାଯାଏ । ଫାର୍ଗୁମନ ଓ କର୍ଣ୍ଣେଲ ଟଡ଼ଙ୍କ ଲେଖାରେ ରାଜନଗର ସହରର ଭୂୟସୀ ପ୍ରଶଂସା କରାଯାଇ ଅଛି । ଅନ୍ୟ ଏକ ବିଖ୍ୟାତ ପଣ୍ଡିତଙ୍କ ଲେଖାରେ ଦେଖିବାକୁ ମିଳେ, ସେ ସମୟରେ ଏହି ସହରରେ ତିନିଶ ଅଶୀ ଗୋଟି ଦ୍ୱୀପ ନଗରୀ ଥିଲା । ପ୍ରତି ଅଞ୍ଚଳରେ ପ୍ରତ୍ୟହ ବଜାର ହାଟ ନିୟମିତ ବସୁଥିଲା । ବ୍ୟବସାୟ ବାଣିଜ୍ୟ ମାଧ୍ୟମରେ ଏହା ଏକ ଐଶ୍ୱର୍ଯ୍ୟମୟୀ ନଗରୀ ଥିଲା ।

 

ପରେ ହିନ୍ଦୁ ରାଜତ୍ୱକୁ ଧ୍ୱଂସ କରି ବିଦେଶୀ ମୁସଲମାନଗଣ ଏଇ ରାଜ୍ୟରେ ରାଜତ୍ୱ ଚଳାଇଲେ । ସେହି ସମୟରେ ବହୁ ବିଖ୍ୟାତ ହିନ୍ଦୁ ମନ୍ଦିର ବିନଷ୍ଟ ହୋଇଥିଲା । କେତେ ମନ୍ଦିର ମସଜିଦରେ ପରିଣତ ହୋଇଥିଲା । ହିନ୍ଦୁ ଶିଳ୍ପୀଗଣ ମସଜିଦ ତୟାରି କରିବାକୁ ବାଧ୍ୟ ହୋଇଥିଲେ-। ବର୍ତ୍ତମାନ ସୁଦ୍ଧା ଅହମଦାବାଦ ମସଜିଦରେ ହିନ୍ଦୁଭାସ୍କର୍ଯ୍ୟର ନମୁନା ଦେଖିବାକୁ ମିଳିଥାଏ-

 

୧୪୦୩ ସାଲରେ ଗୁଜୁରାଟର ଶାସନ କର୍ତ୍ତା ମଜଫର ବା ଜଫରଙ୍କ ପୁତ୍ର ତାତାରଖା ବିଦ୍ରୋହୀ ହୋଇ ନିଜର ପିତାଙ୍କୁ ଆୟାସୋୟାଳରେ ବନ୍ଦି କରି ନିଜେ ଅହମଦସାହ ନାମ ଧରି ଗୁଜୁରାଟର ଶାସନକର୍ତ୍ତା ରୂପେ ଅଭିଷିକ୍ତ ହୁଅନ୍ତି । ଏ ସୌଭାଗ୍ୟ ତାଙ୍କର କପାଳରେ ବେଶି ଦିନ ସ୍ଥାୟୀ ହେଲାନି ଅଳ୍ପ କାଳ ମଧ୍ୟରେ ତାଙ୍କର କାଳ ହୋଇଗଲା । ଫଳରେ ମଜାଫର ବନ୍ଦିଶାଳାରୁ ମୁକ୍ତ ହୋଇ ପୁଣି ନିଜ ରାଜ ସିଂହାସନ ଦଖଲ କରନ୍ତି । ତାଙ୍କ ପରେ ପୌତ୍ର ଅଲଫ ଖାଁ ୧୪୧୧ ସାଲରେ ଅହମଦଶାହ ନାମ ଗ୍ରହଣ କରି ଗୁଜୁରାଟ ସିଂହାସନ ଆରାହଣ କରନ୍ତି । ନିଜ ଶକ୍ତିବଳରେ ନିକଟସ୍ଥ କ୍ଷୁଦ୍ର କ୍ଷୁଦ୍ର ରାଜପୁତ୍ର ଶାସିତ ରାଜ୍ୟ ଏବଂ ମାଳବ ରାଜାଙ୍କୁ ପରାସ୍ତ କରି ଗୁଜୁରାଟର କଳେବର ବୃଦ୍ଧି କରାନ୍ତି । ଏକ କଥାରେ କହିବାକୁ ଗଲେ ସ୍ୱାଧୀନ ଗୁଜୁରାଟ ସାମ୍ରାଜ୍ୟର ସେହି ହିଁ ପ୍ରତିଷ୍ଠାତା । ତାଙ୍କର ନାମାନୁସାରେ ରାଜନଗର ନାମ ପରିବର୍ତ୍ତିତ ହୋଇ ଅହମଦାବାଦରେ ପରିଣତ ହୁଏ । ଏହି ନଗରୀ ଗୁଜୁରାଟର ପ୍ରଧାନ ନଗରୀ ତଥା ରାଜଧାନୀ ରୂପେ ପ୍ରତିଷ୍ଠା ଲାଭକରେ ।

 

ଅହମଦଶାହଙ୍କ ପରେ ଏହି ରାଜ୍ୟର ମୁସଲମାନ ଶାସକମାନଙ୍କ ମଧ୍ୟରେ ପ୍ରଥମେ ମାମୁଦବେଗଦାଙ୍କ ନାମ ମନେ ପଡ଼େ। ତାଙ୍କ ପୌତ୍ର ବାହାଦୂର ଶାହ (୧୫୨୬-୧୫୩୭) ଦିଲ୍ଲୀ ସମ୍ରାଟ ହୁମାୟୁନଙ୍କ ନିକଟରେ ପରାଜିତ ହୁଅନ୍ତି ଏବଂ ଗୁଜୁରାଟ କିଛି ସମୟ ପାଇଁ ଦିଲ୍ଲୀ କର୍ତ୍ତୃତ୍ୱ ସ୍ୱୀକାର କରିନିଏ । ସୁଯୋଗ ସୁବିଧା ଦେଖି ଗୁଜୁରାଟ ପୁଣି ସ୍ୱାଧୀନତା ଘୋଷଣା କରେ ।୧୫୭୨ସାଲରେ ସମ୍ରାଟ ଆକବର ଗୁଜୁରାଟ ରାଜଶକ୍ତିକୁ ପରାସ୍ତ କରି ଦିଲ୍ଲୀ ଶାସନାଧୀନକୁ ଆଣନ୍ତି । ଏହି ମୋଗଲ ସାମ୍ରାଜ୍ୟର ଏକ ‘‘ସୁବା’’ ରେ ପରିଣତ ହୁଏ । ପ୍ରଥମେ ଜାହାଙ୍ଗୀର ଏଇ ସୁବାର ଶାସକପଦରେ ନିଯୁକ୍ତ ଥିଲେ । ୧୬୧୭ ସାଲରେ ଜାହାଙ୍ଗୀରଙ୍କ ସଙ୍ଗରେ ଇଂରେଜ ଦୂତ ଟମାସରୋ ଏହି ଅହମଦାବାଦରେ ଦେଖା କରି ଏହି ଦେଶରେବସବାସ ସହ ବ୍ୟବସାୟ ବାଣିଜ୍ୟ ପାଇଁ ଅନୁମତି ମାଗନ୍ତି ଏବଂ ଜାହାଙ୍ଗୀରକର୍ତ୍ତୃକ ଉକ୍ତ ପ୍ରାର୍ଥନା ଗୃହୀତ ହୁଏ । ଏହାହିଁ ଇଂରେଜ ବଣିକ ସହ ବାଣିଜ୍ୟର ପ୍ରଥମ ସୂତ୍ରପାତ । ଏହି ବସବାସ କାଳରେ ଜାହାଙ୍ଗୀର ସର୍ବ ପ୍ରଥମେ ଏ ଐତିହାସିକ ନଗରୀକୁ ତାଚ୍ଛଲ୍ୟ ଦେଖାଇ ଗର୍ଦାବାଦ (ଗର୍ଦାବାଦଧୂଳି ବାଗାନ) ନାମ ଦେଇଥିଲେ ।

 

ଜାହାଙ୍ଗୀର ଯାହା କୁହନ୍ତୁ ନା କାହିଁକି ଅହମଦାବାଦ ମୋଗଲ ରାଜୁତି ସମୟରେ ପୁଣି ସମୃଦ୍ଧିଶାଳୀ ହୋଇଉଠେ ଏବଂ ବହୁଦିନ ବିଭବଶାଳୀ ଅବସ୍ଥାରେ ରହେ ୧୭୫୬ ଖ୍ରୀ. ଅ. ରେ ମରାଠାଙ୍କ ସାଙ୍ଗେ ଯୁଦ୍ଧ କରି ମୋଗଲ ରାଜଶକ୍ତି ପରାଜୟ ବରଣ କରେ ଓ ଅହମଦାବାଦ ତ୍ୟାଗ କରେ । ଗୁଜୁରାଟ ଆସେ ପେଶୋୟା ଓ ଗାଇକୋୟାଡ଼ଙ୍କ ଅଧୀନକୁ । ୧୮୧୭ ଖ୍ରୀଷ୍ଟାବ୍ଦରେ ତତ୍‌କାଳୀନ ପେଶୋୟା ମାତ୍ର ପାଞ୍ଚଲକ୍ଷ ଟଙ୍କାର ବିନିମୟରେ ଗୁଜୁରାଟର ଅର୍ଦ୍ଧାଂଶ ଏକ ଚୁକ୍ତି ବଳରେ ଗାଇକୋୟାଡ଼ଙ୍କ ହାତରେ ତୋଳି ଦେଇ ନିଜେ ଅହମଦାବାଦ ତ୍ୟାଗ କରି ଚାଲି ଯାଆନ୍ତି-। ସେହି ବର୍ଷ ହିଁ ଶାସକ ଗାଇକୋୟାଡ଼ ସମ୍ପୂର୍ଣ୍ଣ ଅହମଦାବାଦ ଇଂରେଜ ବଣିକଙ୍କ ହସ୍ତରେ ସମର୍ପଣ କରି ଦିଅନ୍ତି ଏବଂ ବିନିମୟରେ ସମ୍ପୁର୍ଣ୍ଣ ଡାଭୋଇ ପରଗଣାର ଶାସନ କ୍ଷମତା ଲାଭକରନ୍ତି । ସେହି ଦିନଠାରୁ ଭାରତ ସ୍ୱାଧୀନତା ଲାଭକଲା ପର୍ଯ୍ୟନ୍ତ ଅହମଦାବାଦ ପ୍ରତ୍ୟକ୍ଷ ଭାବେ ଇଂରେଜ ଶାସନଧୀନରେ ରହିଆସିଥିଲା ।

 

ଅହମଦାବାଦ ଇତିହାସରୁ ଜଣାଯାଏ ଏ ସହର ପ୍ରାଚୀନ କାଳରୁ ନାନା ଉତ୍‌ଥାନ ପତନ ମଧ୍ୟଦେଇ ଗତି କରି ଆସୁଅଛି । ୧୨୯୮ଖ୍ରୀ: ଅ: ପର୍ଯ୍ୟନ୍ତ ସମୃଦ୍ଧି ଏବଂ ପରେ ଏହାର ଅବନତି ଘଟେ । ୧୪୧୧ ଖ୍ରୀ: ଅ: ପରଠାରୁ ଏହାର ଶ୍ରୀବୃଦ୍ଧି ଘଟେ ଏବଂ ତାହା ୧୫୧୧ ସାଲ ପର୍ଯ୍ୟନ୍ତ ସ୍ଥାୟୀରହେ । ଖ୍ରୀ: ଅ: ୧୫୧୨-୭୨ ପର୍ଯ୍ୟନ୍ତ କ୍ରମାବନତି ଓ ଶକ୍ତିକ୍ଷୟର ସମୟ ବୋଲି ନିର୍ଣ୍ଣୟ କରାଯାଇଅଛି । ୧୫୭୨ ସାଲରୁ ୧୭୦୯ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ମୋଗଲ ସାମ୍ରାଜ୍ୟ ଅନ୍ତର୍ଗତ ହୋଇ କ୍ରମେ ସମୃଦ୍ଧିଶାଳୀ ହୋଇ ଉଠେ । ୧୭୦୯-୧୮୦୯ ସାଲ ପର୍ଯ୍ୟନ୍ତ ଏହାର ଅତି ଦୁଃସମୟ । ଖ୍ରୀ: ୧୮୧୮ ପରଠାରୁ ଏହି ସହର ନିରବଚ୍ଛିନ୍ନ ଭାବେ ଉନ୍ନତି ଲାଭକରି ଚାଲିଛି ।

 

ଅହମଦାବାଦ କେବଳ ଏକ ବ୍ୟାବସାୟିକ ବାଣିଜ୍ୟ କେନ୍ଦ୍ରସ୍ଥଳୀ ବା ସମୃଦ୍ଧିଶାଳୀ ଐଶ୍ୱର୍ଯ୍ୟମୟୀ ସହର ନୁହେଁ, ଏହି ସହର କେତେକ ଐତିହାସିକ ଘଟଣାର ସ୍ମୃତିବାହକ ମଧ୍ୟ । ଖ୍ରୀ:ଅ: ୧୮୩୩ରେ ପଶ୍ଚମି ଭାରତର ଏହି ସହରରେ ସର୍ବପ୍ରଥମ ପୌରସଭା ସ୍ଥାପିତ ହୁଏ । ୧୮୫୯ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ ଅହମଦାବାଦରେ କଳତନ୍ତର ପ୍ରଚଳନ ହୁଏ । ଏହାବ୍ୟତୀତ ବହୁ ଐତିହାସିକ ଘଟଣା ଏ ନଗରୀସହ ଜଡ଼ିତ ଥିବା ଜଣାଯାଏ ।

 

ଖ୍ରୀ:ଅ: ୧୯୦୦ରେ ବିଦ୍ୟୁତ୍‌ଚାଳିତ ଲୁଗା କାରଖାନାର ସଂଖ୍ୟା ୨୭ରେ ପହଞ୍ଚେ । ଖ୍ରୀ: ୧୯୬୧ ହିସାରୁ ଜଣାଯାଏ । କେବଳ ଅହମଦାବାଦ ନଗରୀରେ ୭୨ଟି କାରଖାନାରେ ୨୧୩୧୧୪୮୬ ତାକୁଡ଼ି ଏବଂ ୪୨୩୧୯ଟି ତନ୍ତ ଚାଲୁଥିଲା । ସେ ସମୟରେ ଏଠା ବସ୍ତ୍ରଶିଳ୍କରେ ନିୟୋଜିତ ଅର୍ଥର ପରିମାଣ ଥିଲା ୯୧୦ କୋଟି ଟଙ୍କା । ବର୍ତ୍ତମାନ ଭାରତବର୍ଷର ଶତକଡ଼ା ୫୭-୨୫ ଭାଗ ଲୁଗା ଏଠାରେ ଉତ୍ପାଦିତ ହୋଇଥାଏ । ଏହି ସହରରେ ବସ୍ତ୍ରଶିଳ୍ପ ବ୍ୟତୀତ ଅନ୍ୟାନ୍ୟ କୁଟୀର ଶିଳ୍ପର ପ୍ରାଧାନ୍ୟତା ମଧ୍ୟ ଦେଖାଯାଏ । ସୁନା, ରୂପାର ବିଭିନ୍ନ ସୂକ୍ଷ୍ମ କାମର ଅଳଙ୍କାର, ତମ୍ୱା ଓ କଂସା ନିର୍ମିତ ବାସନକୁସନ ନାନରକମ ଆସବାବପତ୍ର ଓ ଜରିର କାମ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ ।

 

ଶିଳ୍ପ ସଙ୍ଗେ ଶିକ୍ଷା ଓ ସଂସ୍କୃତିର ବିକାଶ ମଧ୍ୟ ଉଲ୍ଲେଖଯୋଗ୍ୟ ଭାବେ ବଢ଼ି ଚାଲିଛି । ଗୁଜୁରାଟ ବିଶ୍ୱବିଦ୍ୟାଳୟ ଏହି ନଗରୀର ଏକ ଅଂଶରେ ଅବସ୍ଥିତ । ଏ ବିଶ୍ୱବିଦ୍ୟାଳୟର ମୋଟ କଲେଜ ସଂଖ୍ୟା ୭୨ । ସେଥିରୁ ୨୧ଟି କଲେଜ କେବଳ ଏହି ସହରରେ ଅବସ୍ଥିତ । ଇଞ୍ଜିନିଅରିଙ୍ଗ୍‌, ମେଡ଼ିକାଲ, ଆଇନ ଓ ଅନ୍ୟାନ୍ୟ କଲେଜ ବ୍ୟତୀତ ଭେଳାଭାଇ ଜେସିଂଭାଇ ଇନଷ୍ଟିଟିଉଟି ଅଫ ଲର୍ଣ୍ଣି ଏଣ୍ଡ୍‍ ରିସାର୍ଚ୍ଚ, ଶ୍ରୀ କାନାଇଲାଲ ମୋତିଲାଲ ସ୍କୁଲ ଅଫ୍‌ପୋଷ୍ଟ ଗ୍ରଜୁଏଟ୍‌ମେଡ଼ିସିନ ଏଣ୍ଡ୍‍ ରିସାର୍ଚ, ଦି ବି. ଏମ୍‌. ଇନିଷ୍ଟିଟିଉଟ ଅଫ୍‌ସାଇକୋଲଜି ଏଣ୍ଡ୍‍ ଚାଇଲ୍‌ଡ଼ ଡେଭଲପମେଣ୍ଟ, ଦି ଫିଜିକାଲ ରିସାର୍ଚ୍ଚ ଲେବରଟରୀ (ଏଠାରେ ପରମାଣୁ ଗବେଷଣା କାମ ହୋଇଥାଏ) ପ୍ରଭୃତି ବିଶେଷ ଉଲ୍ଲେଖଯୋଗ୍ୟ । ୧୯୨୦ ସାଲରେ ମହାତ୍ମାଜୀଙ୍କ ପ୍ରତିଷ୍ଠିତ ଗୁଜୁରାଟ ବିଦ୍ୟାପୀଠ, (ବର୍ତ୍ତମାନ ହିନ୍ଦି ଭାଷା ତଥା ସାହିତ୍ୟରେ ସ୍ନାତକୋତ୍ତର ଉପାଧି ପ୍ରଦାନର ବ୍ୟବସ୍ଥା ଅଛି) ଏହାଛଡ଼ା ପଲିଟେକନିକସ୍‌, ବସ୍ତ୍ରଶିଳ୍ପ ସମ୍ୱନ୍ଧୀୟ ଗବେଷଣାଗାର ପ୍ରଭୃତି ପ୍ରସିଦ୍ଧ ଶିକ୍ଷାୟତମାନ ମଧ୍ୟ ଏଠାରେ ରହିଛି ।

 

ରାଜନୀତି କ୍ଷେତ୍ରରେ ଅହମଦାବାଦରେ ଅବଦାନକ ମଧ୍ୟ ନିହାତି କମ୍‍ ନୁହେଁ । ଖ୍ରୀ: ୧୯୧୫ ମେ ପଚିଶି ତାରିଖରେ ଏହି ସହର ଉପକଣ୍ଠରେ ସ୍ଥିତ କୋଚରାବ ଏକ ଅଖ୍ୟାତ ପଲ୍ଲୀରେ ମହାତ୍ମାଜୀ ଏକ ଭଡ଼ାଘରେ ଗୋଟିଏ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରନ୍ତି । ୧୯୧୭ଖ୍ରୀଷ୍ଟାବ୍ଦରେ ଶ୍ରୀ ପୁଞ୍ଜଭାଇ ଚାରାଚାନ୍ଦ ସାବରମତୀ ନଦୀକୂଳରେ କିଛି ଜମି ଦାନ କରନ୍ତି ଓ ଗାନ୍ଧିଜୀ ସେହି ଦାନ ଗ୍ରହଣ କରି କୋଚରବାର ଆଶ୍ରମ ସାବରମତୀ ତୀରକୁ ସ୍ଥାନାନ୍ତରିତ କରନ୍ତି । ଏହି ସମୟରେ ହିଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଅହମଦାବାଦରେ ଶ୍ରମିକ ସଙ୍ଗଠନର ପ୍ରଥମ ସୂତ୍ରପାତ ହୁଏ । ୧୯୨୧ ସାଲରେ ଅହମଦାବାଦ କଂଗ୍ରେସରେ ସର୍ବପ୍ରଥମ ଅହିଂସ ଅସହଯୋଗ ଆନ୍ଦୋଳନର ପ୍ରସ୍ତାବ ଗୃହୀତ ହୁଏ । ୧୯୩୦ ମାର୍ଚ୍ଚ ୧୨ ତାରିଖ ଦିନ ଏଠାରୁ ବିଖ୍ୟାତ ଲବଣ ସତ୍ୟାଗ୍ରହ ତଥା ଦାଣ୍ଡି ଅଭିଯାନ ପରିଚାଳିତ ହୋଇଥିଲା । ସେତେବେଳେ ମହାତ୍ମାଙ୍କ ବୟସ ଏକଷଠି । ସାଥିରେ ଥିଲେ ୭୯ ଜଣ ସମାଜସେବୀ ତଥା ଆଶ୍ରମିକ, ଆଉ ପଛରେ ଅଂଶ ନେଇଥିଲେ ଅହମଦାବାଦରଅସୁମାର ଜନତା । ୧୯୪୨ ରେ ପୂର୍ଣ୍ଣ ସ୍ୱାଧୀନତା ଦାବୀକୁ ସମର୍ଥନ କରି ଏହି ନଗରୀର ଶ୍ରମିକଗଣ ଏକାଦିକ୍ରମେ ଏକଶତ ପାଞ୍ଚଦିନ ଧର୍ମଘଟ କରି ବିପ୍ଳବକୁ ସମର୍ଥନ ଜଣାଇଥିଲେ ।

 

ଆମର ନିଦ୍ରିତାବସ୍ଥାରେ ଜଟଲେଶ୍ୱରରେ ବଗିଟି ଅନ୍ୟ ଟ୍ରେନ୍‍ ସଙ୍ଗେ ଯୁକ୍ତ ହୋଇ ଯାତ୍ରାକଲା । ଢୋଳାରେ ଆମକୁ ଅହମଦାବାଦଗାମୀ ଟ୍ରେନ୍‍ ପାଇଁ ସକାଳ ଏଗାରଟା ଯାଏଁ ଅପେକ୍ଷା କରିବାକୁ ହେବ । ମଧ୍ୟାହ୍ନ ଭୋଜନ ଏଠାରେ ହିଁ ସମାପନ କରି ଟ୍ରେନରେ ଉଠିବା କଥା । ଧୀରେ ସୁସ୍ଥେ ପ୍ରାତଃକାଳୀନ ଜଳଖିଆ ଶେଷକରି ଛୋଟ ସହରଟି ଦେଖିବାକୁ ବାହାର ପଡ଼ିଲି । ଲେଖିଲାଭଳି କି କହିଲାଭଳି ବିଶେଷତ୍ତ୍ୱ କିଛି ନଜରରେ ପଡ଼ିଲାନାହିଁ ।

 

ପାସେଞ୍ଜେର ହେଲେହେଁ ଟ୍ରେନଟି ଠିକ୍‌ସମୟରେ ଷ୍ଟେସନରେ ପ୍ରବେଶ କଲା । ଯଥା ସମୟେ ଗାର୍ଡ଼ର ନିଦର୍ଶନ ପାଇ ଆମ ବଗିସହ ଟ୍ରେନ୍‍ ଅହମଦାବାଦ ଦିଗେ ଛୁଟିବାକୁ ଲାଗଲା । ଆମର ସମସ୍ତ ବ୍ୟଗ୍ରତାକୁ ସାର୍ଥକ କରି ରାତ୍ର ପ୍ରାୟ ନଅଟାରେ ଅହମଦାବାଦ ଷ୍ଟେସନରେ ପ୍ରବେଶ କରି ସ୍ୱସ୍ତିର ନିଶ୍ୱାସ ତ୍ୟାଗକଲା । ଆମେମାନେ ମଧ୍ୟ ପରମ ସ୍ୱସ୍ତିରେ ମିଟାର ଗଜର ରିଜର୍ଭ ବଗି ଭିରେ ବସି ଶେଷ ରଜନୀର ଭୋଜନ ଶେଷକରି ଶୟନରେ ମନ ଦେଲୁ ।

 

ଅହମଦାବାଦ ଷ୍ଟେସନରେ ଜଳର ସୁବ୍ୟବସ୍ଥା ଦେଖି ଭୋରରୁ ପ୍ରାୟ ସମସ୍ତେ ସ୍ନାନାଦି କର୍ମମାନ ଶେଷ କରିନେଲୁ । ଜଳଖିଆ ଅବସରରେ ନିଜ ନିଜର ଜିନିଷପତ୍ର ବନ୍ଧାବନ୍ଧି କରି ସଜାଇ ରଖିଦେଲୁ । ଆମର ଅହମଦାବାଦ ସହର ଦେଖିବା ଅବସରରେ କୁଣ୍ଡୁ ସ୍ପେଶାଲର କର୍ମଚାରୀଗଣ ବଗି ବଦଳାଇ ନେବେ ।

 

ରାଜୀବ ପୂର୍ବରୁ ଟ୍ୟାକ୍‌ସି ଠିକ୍‍ କରିବା ସକାଶେ ଚାଲିଯାଇଛି । ଅବଶ୍ୟ ଏଠାରେ କଲିକତା ଭଳି ଟ୍ୟାକ୍‌ସିର ଅଭାବ ଦେଖାଯାଏନା । ଡାକିବାମାତ୍ରେ ମିଟର ଡାଉନକରି ଟ୍ୟାକ୍‌ସି ହାଜର ହୋଇଯାଏ ।ଭାରତବର୍ଷର କୌଣସି ଜାଗାରେ କରିଲକତା ଭଳି ଟ୍ୟାକ୍‌ସିର ଅଭାବ ଦେଖାଯାଏନା କି ଦୌରାତ୍ମ୍ୟ କଥା ଶୁଣାଯାଏନା ।

 

ଷ୍ଟେସନ ବାହାରେ ଟ୍ୟାକ୍‌ସି ଠିକ୍‌କରି ରାଜୀବ ଆମମାନଙ୍କୁ ଅପେକ୍ଷା କରୁଥିଲା । ଏଠାରେ ଟ୍ୟାକ୍‌ସିର ପାସେଞ୍ଜେର ସଂଖ୍ୟା ପାଞ୍ଚ । ତେଣୁ ଆମକୁ ଅଳ୍ପ ଅସୁବିଧା ଭୋଗିବାକୁ ପଡ଼ିଥିଲା ଇନ୍ଦିରାକୁ ନେଇ । ସମସ୍ତେ ଆସିଯିବା ପରେ ଟ୍ୟାକ୍‌ସି ସାବରମତୀ ଆଶ୍ରମ ଦିଗେ ଚାଲିଲା ।

 

ଐତିହ୍ୟପୂର୍ଣ୍ଣ ଅହମଦାବାଦ ସହରରେ ଦର୍ଶନୀୟ ସ୍ଥାନ ଅନେକ । ତାହାରି ମଧ୍ୟରେ ବିଶେଷଭାବେ ଉଲ୍ଲେଖଯୋଗ୍ୟ ହେଲା ଜାମାମସ୍‌ଜିଦ, ଆହମଦଶାହ ଓ ମହିଷୀଗଣଙ୍କ ସମାଧି । ଦସ୍ତରଖାନର ମସ୍‌ଜିଦ ତିନି ଦରୱାଜା, ଭଦରାଆଦମ ଖାନ ପ୍ରାସାଦ, ସିଦିସୈୟଜମସ୍‌ଜିଦ୍‌, ଆହମଦଶାହ ମସ୍‌ଜିଦ୍‌, ଶେଖହାସନ ମସ୍‌ଜିଦ, ମୁହାଫିଜ ଖାନ ମସ୍‌ଜିଦ, ତତ୍‌ସହ ହିନ୍ଦୁ ସ୍ଥାପତ୍ୟ ମଧ୍ୟରେ ହାତୀସିଂହର ମନ୍ଦିର, ସ୍ୱାମୀ ନାରାୟଣ ମନ୍ଦିର, ପିଞ୍ଜରା ପୋଲ, ଶାହିବାଗ ଓ ସାବରମତୀ ଆଶ୍ରମ । ଏଠାରୁ ୫୦ମାଇଲ ଦୂରରେ ଅବସ୍ଥିତ ଲୋଥାଳ—ସେଠାରେ ପ୍ରତ୍ନତତ୍ତ୍ୱ ବିଭାଗକର୍ତ୍ତ୍ୱକ ଆବିଷ୍କୃତ ଭୁଗର୍ଭମଧ୍ୟେ ଖ୍ରୀଷ୍ଟପୂର୍ବ ୨୪୫୦ରୁ ୧୪୦୦ର ହର୍‌ପ୍‌ପା ସଭ୍ୟତାର ଅନେକ ପ୍ରତ୍ୟକ୍ଷ ନିଦର୍ଶନ ଦେଖିବାକୁ ମିଳେ । ସହର ମଧ୍ୟସ୍ଥ ସମସ୍ତ ଦର୍ଶନୀୟ ସ୍ଥାନ ଯେ କୌଣସି ପ୍ରକାରେ ଆଜି ଦେଖିବାକ ପଡ଼ିବ ।

 

ଭାବନା ମଧ୍ୟଦେଇ ଟ୍ୟାକ୍‌ସି ଯାଇ ସାବରମତୀ ଆଶ୍ରମ ସୀମାରେ ପ୍ରବେଶ କଲା । ୧୯୧୭ ସାଲରେ ସେହି କ୍ଷୁଦ୍ର ଆଶ୍ରମ ଏବେ ବିଶାଳ ଆକାର ଧାରଣ କରିଛି । ତାହାରି ଭିତରେ ପ୍ରତ୍ୟେକ ବିଭାଗପାଇଁ ଅଲଗା ଅଲଗା ଜାଗା ଓ ଗୃହ । ସମସ୍ତ ଆଶ୍ରମ ବୁଲି ଦେଖିବାକୁ ବେଶ୍‌ ସମୟ ଦରକାର ।

 

ନିର୍ଦ୍ଦିଷ୍ଟ ଜାଗାରେ ଟ୍ୟାକ୍‌ସି ତ୍ୟାଗକରି ସମସ୍ତ ଦଳଟି ରାଜୀବର ନେତୃତ୍ୱରେ ସର୍ବ ପ୍ରଥମେ ହୃଦୟକୁଞ୍ଜ ଦେଖିବାକୁ ଗଲୁ । ଏଇ ଛୋଟ ଏକତାଲା ଘରେ ଗାନ୍ଧିଜୀ ବସବାସ କରୁଥିଲେ । ଘରଟି ଚାରିବଖରା ବିଶିଷ୍ଟ, ପରିଷ୍କାର ପରିଚ୍ଛନ୍ନ, ପରିବେଶ ମଧ୍ୟରେ ନିମତ । ଏହାର ଦୁଇଟି ବଖରା ଓ ବାରଣ୍ଡା ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ସ୍ୱରୂପ ଥିଲା କହିଲେ ଚଳେ । ବହୁ ଜ୍ଞାନୀ, ଗୁଣୀ ତଥା ମୃତ୍ୟୁଞ୍ଜୟୀ ବୀର ବିପ୍ଳବୀଙ୍କ ଚରଣଧୂଳିରେ ପବିତ୍ର ଏହାର ମାଟି । ବର୍ତ୍ତମାନ ଏ ସମସ୍ତ ବଖରାରେ ଗାନ୍ଧିଜୀ ବିଭିନ୍ନ ସମୟରେ ପାଇଥିବା ଉପଢ଼ୌକନ ସବୁ ପରିଚୟ ସହ ସୁନ୍ଦରଭାବେ ସଜ୍ଜିତକରି ରଖାଯାଇଛି । ତତ୍‌ସହ ଦେଖିବାକୁ ମିଳେ ମହତ୍ମାଜୀଙ୍କୁ ଲେଖା ବିଶ୍ୱବିଖ୍ୟାତ ମନଷୀଗଣଙ୍କ ପତ୍ରାବଳୀ, ଗାନ୍ଧୀଜୀଙ୍କ ବ୍ୟବହୃତ ବ୍ୟକ୍ତିଗତ ଚରଖା ଓ ତାଙ୍କର ନିଜ ହାତଲେଖାର କେତେକ ନମୁନା ।

 

ହୃଦୟକୁଞ୍ଜରୁ ବାହାରିଲେ ସର୍ବ ପ୍ରଥମେ ନଜରରେ ପଡ଼େ ପ୍ରାର୍ଥନା ମନ୍ଦିର । ଆଚ୍ଛାଦନବହୀନ ଏକ ବାଲୁକାମୟ ମଇଦାନ । ପ୍ରାର୍ଥନା ସମୟରେ ବାଛବିଚାର ନ କରି ସମବେତ ସମସ୍ତ ଜନତା ଏହି ବାଲୁକା ଆସନରେ ଉପବିଷ୍ଟ ହୋଇ ମହାତ୍ମାଜୀଙ୍କ ସହ କଣ୍ଠ ମିଳାଇ ଗାଉଥିଲେ—

 

‘‘ରଘୁପତି ରାଘବ ରାଜାରାମ

ପତିତପାବନ ସୀତାରମ ।’’

 

ସାବରମତୀର ଜଳରାଶି ସେଇ ପ୍ରାର୍ଥନରେ ଉତ୍‌ଫୁଲ୍ଲ ହୋଇ ଉଠୁଥିଲା ।

 

ସେଠାରୁ ବାହାରି ଆଶ୍ରମର ଗୋଟିକ ପରେ ଗୋଟିଏ ବିଭାଗ ଦେଖି ଆଗେଇ ଚାଲିଲୁ-। ହରିଜନ ବସ୍ତି, ଗୋ ପାଳନ କେନ୍ଦ୍ର । ସାବୁନ ତିଆରି କେନ୍ଦ୍ର, ଅମ୍ୱର ଚରଖା ତୟାରି ପ୍ରତିଷ୍ଠାନ, କୁଟୀରଶିଳ୍ପ ବିଭାଗ, ହସ୍ତତନ୍ତ ବିଗାଗ ଏପରି କେତେ କ’ଣ ସବୁ । ସମସ୍ତ ବିଭାଗ ଶୃଙ୍ଖଳିତ ଏବଂ କର୍ମକ୍ଷମ ଯାହା କି ଅନ୍ୟତ୍ର ପ୍ରାୟ ଅସମ୍ଭବ । ନିର୍ଦ୍ଧିଷ୍ଟ ସମୟ ହୋଇନଥିବାରୁ କେତେକ ବିଭାଗ ଚାଲୁ ହୋଇ ନଥିଲା-। ତେବେ ବି ଦେଖିବାରେ ସେପରି ବିଶେଷ କିଛି ଅସୁବିଧା ହୋଇ ନଥିଲା । ନିର୍ଦ୍ଦେଶକ ବେଶ୍‌ସହଜ ଭାବରେ ସମସ୍ତ ବୁଝାଇ ଦେଇଥିଲେ । ପ୍ରାୟ ଦୁଇଘଣ୍ଟା ଧରି ଆଶ୍ରମର ବିଭିନ୍ନ ଅଂଶ ଦେଖି ଫେରିଆସିଲୁ ଟ୍ୟାକ୍‍ସିକୁ ।

 

ଟ୍ୟାକ୍‌ସି ମସୃଣ ରାଜପଥ ଧରି କାଙ୍କୋରିଆ ତାଲାଓ ଦିଗେ ଆଗେଇ ଚାଲିଲା । ଅଳ୍ପ ସମୟ ମଧ୍ୟରେ ପ୍ରାୟ ଅଢ଼େଇ ମାଇଲ ବର୍ଗାକାର ଗୋଟିଏ ବିରାଟ ପୁଷ୍କରିଣୀ କୂଳରେ ଟ୍ୟାକ୍‌ସିରୁ ଅବତରଣ କଲୁ । ପୁଷ୍କରିଣୀ ମଧ୍ୟରେ ଆମ ଦେଶର ଦୀପଦଣ୍ଡି ଭଳି ଏକ ଛୋଟ ମନ୍ଦିର । ନାମ ନଗିନା, ଯାହାର ଅର୍ଥ ହେଲା ଅଳଙ୍କାରରେ ବ୍ୟବହୃତ ପଥର ବା ରତ୍ନବିଶେଷ । କୂଳରୁ ସେଠାକୁ ଯିବାପାଇଁ ପଥ ରହିଛି । ଦେଖିଲେ ହଠାତ୍‌ପାୱାୟା ପୁରୀର ସ୍ୱର୍ଣ୍ଣମନ୍ଦିର କଥା ମନେପଡ଼ିଯାଏ । ଏହି ପୁଷ୍କରିଣୀ ପ୍ରାୟ ଛଅସ୍ତରି ଏକର ଜମିରେ ନିର୍ମିତ । କାଙ୍କୋରୀଆ ତଲାଓର ନାମକରଣ ନେଇ ଏଠାରେ ଗୋଟିଏ ଜନ ପ୍ରବାଦ ଶୁଣିବାକୁ ମିଳିଥାଏ । ଉକ୍ତ ବିରାଟ ତଲାଓ ଖନନ କାମ ଆରମ୍ଭ ସମୟରେ ବାଦଶାହ ଅହମଦ୍‌ଶାହାଙ୍କ ଗୁରୁ ଶାହାଆଲାମ ଶାହ ତାହା ଦେଖିବାକୁ ଆସିଥିଲେ । ପଦବଳରେ ଯିବା ସମୟରେ ଗୋଟିଏ, ମାଙ୍କଡ଼ାପଥର ତାଙ୍କର ସୁକୋମଳ ପାଦରେ ଗଳିଯାଏ ଏବଂ ସେ ଭୀଷଣ କଷ୍ଟ ଭୋଗକରନ୍ତି । କାଙ୍କଡା ପଥ ହେତୁ ଗୁରୁ କର୍ତ୍ତୃକ ‘କାଙ୍କୋରିଆ ତାଲଓ’ ବୋଲି ଏହା ଅଭିହିତ ହୁଏ ଏବଂ ସେହି ଦିନରୁ ଏହି ନାମ ଚଳିଆସୁଛି ।

 

ପୁଷ୍କରିଣୀର ଏକ ଦିଗରେ ବାଳବାଟିକା ବା ଶିଶୁ ଉଦ୍ୟାନ । ଛୋଟ ଛୋଟ ବାଳକ ବାଳିକାମାନଙ୍କ ସକାଶେ ଏହି ଉଦ୍ୟାନର ଦ୍ୱାର ଉନ୍ମୁକ୍ତ ଏବଂ ବୟସ୍କଗଣଙ୍କ ବିନା ଦର୍ଶନୀରେ ପ୍ରବେଶ ନିଷେଧ । ବଗିଚା ଭିତରେ ଗୋଟିଏ ଛୋଟ ପୋଖରୀ । ତାହାରି ଭିତରେ ମୟୂରାକୃତୀ ନୌକା । ତାହାରି ଭିତରେ କେତେକ ଛୋଟ ଛୋଟ କୋଠରୀ । କୋଠରୀ ମଧ୍ୟରୁ ଗୋଟିଏ ଶିଶୁମାନଙ୍କ ପାଠାଗାର । ପିଲାମାନେ ନିଜର ପସନ୍ଦ ମୁତାବକ ବହି ନିଜେ ବାଛି ପଢ଼ିବାପାଇଁ ନେଇଯାଆନ୍ତି । ପଢ଼ାଶେଷ ହେଲେ ବା ଯିବା ସମୟରେ ନିଜେ ପୁଣି ବହିଟିକୁ ନିର୍ଦ୍ଦିଷ୍ଟ ଜାଗାରେ ରଖିଦେଇଥାନ୍ତି । ବହି ଦେବାପାଇଁ ଲେଖା ଲେଖିର ଆବଶ୍ୟକତା ପଡ଼େ ନାହିଁ । ଏଥିପାଇଁ କୌଣସି କର୍ମଚାରୀ ନାହାନ୍ତି । ଶୁଣି ପାରିଲୁ, ଏଯାଏଁ କୌଣସି ବହି ହଜିଯିବା, ଚୋରିଯିବା ବା ଇଚ୍ଛାକୃତ ନଷ୍ଟ ହେବାର ସୂଚନା ନାହିଁ । ବାଳବାଟିକା ନିକଟରେ ଛୋଟ ଏକ ଚିଡ଼ିଆଖାନା । କୌତୂହଳୀ ଦର୍ଶକଗଣ ଚିଡ଼ିଆଖାନା ଦେଖି ଆନନ୍ଦ ଅନୁଭବ କରିଥାଆନ୍ତି । ବାଳକାଟିକା ଭିତରେ ନାନା ଖେଳ ସାମଗ୍ରୀ ସହ ବାଟ ଚାଲିବା ସଙ୍କେତ, ଲେବଲ କ୍ରସିଂ ଏବଂ ସୁଡ଼ଙ୍ଗ ପଥମାନ ରହିଛି । ବାଳକ ବାଳିକାଗଣ ଖେଳ ମାଧ୍ୟମରେ ଅନେକ ଭଲ କଥା ଶିଖି ଥାଆନ୍ତି ଏବଂ ଶୃଙ୍ଖଳିତ ଭାବେ ଏଥିରେ ଅଭ୍ୟସ୍ତ ହୋଇ ଉଠନ୍ତି ।

 

ସେଠାରୁ ଆଗେଇ ଚାଲିଲୁ ଶେକିଂ ଟାୱାର (Shaking Tower) ବା ଝୁଲନ୍ତ ମିନାର ଅଭିମୁଖେ । ଷ୍ଟେସନର ଅତି ନିକଟରେ ଏକ ପୁରାତନ ମସ୍‍ଜିଦର ଅଙ୍ଗ ଏହି ଦୁଇଟି ମିନାର । ମନ୍ଦିର ଓ ମିନାର କାନ୍ଥରେ ହିନ୍ଦୁ ମୁସଲମାନ ମିଳିତ ସଂସ୍କୃତିର ଛାପ ପରିଷ୍କାର ଦେଖାଯାଏ । ମିନାରର ଉପରକୁ ଅଠସ୍ତରି ଗୋଟି ସୋପାନ ଅଛି । ତାହା ଅତିକ୍ରମ କରି ଉପରକୁ ଉଠି ଗମ୍ୱୁଜଟିକୁ ଅଳ୍ପ ଜୋର ଦେଇ ହଲାଇଲେ ସମ୍ପୂର୍ଣ୍ଣ ମିନାରଟି ଝୁଲି ଉଠେ । ମସଜିଦର ଦୁଇ ଦିଗରେ ଦୁଇଟି ଗମ୍ୱୁଜ ଏକା ଧରଣର; କିନ୍ତୁ ଗୋଟିଏ ଅଧାରୁ ଭଗ୍ନ ପ୍ରାୟ । ଶୁଣିବାକୁ ପାଇଲୁ ଗମ୍ୱୁଜଟିର ଏ ଭଗ୍ନ ଦଶା କୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ଘଟି ନାହିଁ । ଇଂରେଜ ଶାସନ କାଳରେ ଇଂରେଜ ଇଞ୍ଜିନିଅରଗଣ ଏହାର ଦୋହଲିବା କାରଣ ଅନୁସନ୍ଧାନ କରିବାକୁ ଯାଇ ଏହି ଗମ୍ୱୁଜଟିକୁ ଭାଙ୍ଗିଥିଲେ । ସେମାନଙ୍କର ଧାରଣା ଥିଲା ଭିତରେ ସ୍ପ୍ରିଙ୍ଗ୍‌ଜାତୀୟ କିଛି ଗୋଟାଏ ବ୍ୟବସ୍ଥା ରହିଛି-। ଅର୍ଦ୍ଧେକ ପର୍ଯ୍ୟନ୍ତ ଭାଙ୍ଗି କୌଣସି ସନ୍ଧାନ ନପାଇ ସେଥିରୁ ନିବୃତ୍ତ ହେଲେ । କେଉଁ ଅତୀତ ଯୁଗରୁ ସେହି ଦୁଇଟି ମୀନାର ଭାରତୀୟ ଶିଳ୍ପ ଗାରିମାର ପରିଚୟ ଘୋଷଣା କରି ଆସୁଅଛି ।

 

ସେଠାରୁ ଟ୍ୟାକ୍‌ସି ଦାଦା ହାରିଣୀ ବା ମତର ଭବନୀ ଭାଓ ଅଭିମୁଖେ ଯାତ୍ରା କଲା । ଏଇ ଭାଓକୁ କେନ୍ଦ୍ର କରି ଏଠାରେ ଗୋଟିଏ ସୁନ୍ଦର କିଂବଦନ୍ତୀ ଶୁଣିବାକୁ ମିଳେ । ଅତୀତରେ କେବେ ଏଠାରେ ଏକ ଦୁର୍ଦ୍ଧର୍ଷ ଡକାୟତ ବାସ କରୁଥିଲା । ତା’ର ନାମ ଥିଲା ଆଶା । ସେ ତା’ର ଅକଳନ ଲୁଣ୍ଠିତ ଦ୍ରବ୍ୟ ରଖିବା ସକାଶେ ତୟାରି କଲା ଚୌଦତଳବିଶିଷ୍ଟ ଏକ ସୁରମ୍ୟ ପ୍ରାସାଦ । ସାତ ତଳ ଭୂଇଁ ତଳେ ଆଉ ସାତ ତଳ ମାଟି ଉପରେ ରହିଲା । ଆଶା, ସମସ୍ତ ଧନରତ୍ନ ସେହି ସୁରକ୍ଷିତ ପ୍ରାସାଦ ମଧ୍ୟରେ ସାଇତି ରଖିଲା । ଦେଖୁ ଦେଖୁ ସେହି ବିରାଟ ଅଟ୍ଟାଳିକା ଧନ ରତ୍ନରେ ଭରି ଉଠିଲା । ଗୋଟିକ ପରେ ଗୋଟିଏ ପ୍ରକୋଷ୍ଠ ପୂର୍ଣ୍ଣ ହେବା ସାଥେ ସାଥେ ତାହା ସଯତ୍ନେ ବନ୍ଦ କରି ଆଶା ନିଶ୍ଚିନ୍ତ ଓ ଆନନ୍ଦ ମନରେ ବସବାସ କରିବାକୁ ଲାଗିଲା ।

 

କିନ୍ତୁ ବେଶିଦିନ ତାକୁ ଏ ଆନନ୍ଦ ଭୋଗ କରିବାକୁ ହେଲାନି । ସବୁରି ଅଗୋଚରରେ ନିୟତି ତା’ର କର୍ମ କରି ଚାଲିଲା । ଡକାୟତି କରି ପ୍ରଚୁର ସମ୍ପଦ ନେଇ ଆଶଶ ଫେରିଲା ନିଜ ପ୍ରାସାଦକୁ । ଲୁଣ୍ଠିତ ଦ୍ରବ୍ୟ ରଖିବାକୁ ଯାଇ ଦେଖେ ଯେ ଭୁଇଁ ତଳର ସାତ ତଳାର ସମସ୍ତ ପ୍ରକୋଷ୍ଠ ଜଳରେ ଡୁବି ଯାଇଅଛି । ସେଇ ଅଥଳ ଜଳ ମଧ୍ୟରେ ତା’ର ଜୀବନର ଉପାର୍ଜିତ ସମସ୍ତ ଧନ ସମ୍ପଦ ମଧ୍ୟ ଡୁବି ଯାଇଛି । ଆଶା କିଛି କ୍ଷଣ ସ୍ଥାଣୁ ଭଳି ଠିଆ ହେଇ ଆଖି ବୁଲାଇ ସବୁ ଦେଖି ନେଲା । କ୍ରମଶଃ ଚିତ୍ତ ପ୍ରକୃତି ତା’ର ବଦଳି ଗଲା । ପର ମୂହୂର୍ତ୍ତରେ ସମସ୍ତ ଧନରତ୍ନ ସହ ନିଜର ବୃତ୍ତି ପରିତ୍ୟାଗ କରି ସନ୍ୟାସ ବ୍ରତ ଗ୍ରହଣ କରି ଚାଲିଗଲା । ପରେ ତାକୁ ଆଉ କେହି ଦେଖି ନାହାନ୍ତି । ଶୁଣାଯାଏ ତା’ର ସଞ୍ଚିତ ବିପୁଳ ଧନ ରାଶିକୁ ଦୁଇଟି ଯକ୍ଷ ପହରା ଦେଉଛନ୍ତି । କିଂବଦନ୍ତୀକୁ ଭିତ୍ତି କରି ଅନେକ ବ୍ୟକ୍ତି ଲୁପ୍ତ ସମ୍ପଦ ଉଦ୍ଧାର କରିବାକୁ ଯାଇ ତଳ ମହଲାରୁ ଆଉ ଫେରି ନାହାନ୍ତି । କେତେକ ବ୍ୟକ୍ତି ତଳର ଚତୁର୍ଥ ମହଲା ପର୍ଯ୍ୟନ୍ତ ଯାଇ ଫେରିଥିବା କଥା ଶୁଣିବାକୁ ମିଳେ । ସେମାନେ କହି ଥାଆନ୍ତି, ସେଠାରେ ଦୁଇଟି ବିରାଟକାୟ ସର୍ପ ତୃତୀୟ ତଳ ପ୍ରବେଶ ପଥେ ଅବସ୍ଥାନ କରୁଛନ୍ତି । ତାଙ୍କୁ ଅତିକ୍ରମ କରିବା ସାଧ୍ୟାତୀତ । ସମୟ ଅଭାବରୁ ଉପରୁ ଯଥା ସମ୍ଭବ ଦେଖି ନେଇ ଏହି ଅଭିଶପ୍ତ କୋଠାରୁ ବିଦାୟ ନେଲୁ । ଏହି ସୁନ୍ଦର ଅଟ୍ଟାଳିକା ତିଆରି କରିଥିଲା ବ୍ୟକ୍ତି ଡକାୟତ ହେଲେହେଁ: ତା’ର ରୁଚି ଜ୍ଞାନ ଉନ୍ନତ ଥିଲା । କେତେକ ଗବେଷକ ଦାଦାହାରିଣୀ ଓ ଆଶାଭାଓ—ଏଇ ଦୁଇଟି ବାମ୍ପୀ ବା ଭାଓକୁ ଶୁଷ୍କ ଗୁଜୁରାଟର ‘ଶୀତଳ ନିବାସ’ ବୋଲି ମତ ପ୍ରକାଶ କରି ଥାଆନ୍ତି । ସେ ସବୁ ପଣ୍ଡିତ ବ୍ୟକ୍ତିଙ୍କ ବିଶ୍ୱାସ । ଏହା ଏବଂ ଏହିପରି ଆଉ କେତେକ ଥଣ୍ଡା ଘର ବା ଶୀତଳ ନିବାସ ୧୪୯୯ ସାଲରେ ନିର୍ମିତ ହୋଇଥିଲା ।

 

ପଥ ମଧ୍ୟରେ ଦେଖିବାକୁ ମିଳିଲା ବାଲି ପଥରରେ ନିର୍ମିତ ସାହା ଆଲେମ ରୌଜା ମସ୍‌ଜିଦ୍‌ । ୧୫୪୧ ଖ୍ରୀଷ୍ଟାବ୍ଦରେ ତିଆରି ହେଲେ ମଧ୍ୟ ପୁରୁଣା ବୋଲି ମନେ ହୁଏନା । ଅପରୂପ ଗଠନ ଶୈଳୀ । ମସ୍‌ଜିଦ୍‌ର ବନ୍ଧାଣ ଚତ୍ୱର ମଧ୍ୟରେ ଏକ ଜାଗାରେ ଗୋଟିଏ ଗର୍ତ୍ତ ଦେଖାଯାଏ । ସେହି ଗର୍ତ୍ତ ମଧ୍ୟ ଦେଇ ଦେଖିଲେ ଚତ୍ୱର ତଳେ ଏକ ବିରାଟ ଜଳାଶୟ ଓ ତାହାରି ମଧ୍ୟରେ ବଡ଼ବଡ଼ ମଛ ଖେଳୁଥିବା ଦେଖାଯାଏ ।

 

ଏହାର ସନ୍ନିକଟରେ ଆଟିରା(ATIRA) ଯାହାର ବ୍ୟାଖ୍ୟା ହେଲା (A) Ahamedabad (T) Textile (I) Industry (R) Research (A) Association. ଏହି ବିରାଟ ହର୍ମ୍ୟରେ ବର୍ତ୍ତମାନ ବୟନ ଶିଳ୍ପର ବିଭିନ୍ନ ଦିଗ ନେଇ ଗବେଷଣା ଚାଲିଛି ।

 

ଅଳ୍ପ ଦୂରରେ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଉପନଗରୀ । ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରକରି ଚତୁର୍ଦ୍ଦିଗରେ ବିଭିନ୍ନ କଲେକମାନ ଦେଖାଯାଏ । କଲେଜ ନିକଟରେ ଛାତ୍ରମାନଙ୍କ ହଷ୍ଟେଲ, ଶିକ୍ଷକ ତଥା କର୍ମଚାରୀମାନଙ୍କ ବାସଭବନ ଏବଂ ଖେଳପଡ଼ିଆ, ହସ୍‌ପିଟାଲ, ଲାଇବ୍ରେରୀ ପ୍ରଭୃତି ଅବସ୍ଥିତ-। ସହର କୋଳାହଳଠାରୁ ଦୂରରେ ଏହି ଉପନଗରୀର ଅବସ୍ଥିତ ବିଦ୍ୟାଶିକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ।

 

ଏଠାରୁ ଏ.ବେଳାର ପରିଭ୍ରମଣ ଇତି କରି ଷ୍ଟେସନକୁ ପ୍ରତ୍ୟାବର୍ତ୍ତନ କଲୁ । ସେଠାରେ ମଧ୍ୟାହ୍ନ ଭୋଜନ ପରେ ବାହାରି ପଡ଼ିଲୁ ଅହମଦାବାଦର ଅବଶିଷ୍ଟାଂଶ ଦେଖିବା ପାଇଁ । ଏବେଳା ଅଧିକାଂଶ ସହଯାତ୍ରୀ ଚାଲିଗଲେ ବଜାରହାଟ କରିବା ପାଇଁ । କହିବା ବାହୁଲ୍ୟ, ଇନ୍ଦିରାର ଇଚ୍ଛା ଥିଲା ସରସ୍ୱତୀକୁ ସାଥିରେ ନେଇ ଅହମଦାବାଦ ବଜାରଟା ବୁଲି ଦେଖିବାକୁ । ରିଜର୍ଭ ଟ୍ୟାକ୍‌ସି ଆମର । ତେଣୁ ମିଟର ସାଥିରେ କୌଣସି ସମ୍ୱନ୍ଧ ନାହିଁ । ଟ୍ୟାକ୍‌ସି ଡ୍ରାଇଭର ଭଦ୍ର ତଥା ସଜ୍ଜନ ବ୍ୟକ୍ତି । କାର୍ଯ୍ୟକ୍ରମ ଅନୁଯାୟୀ ସେ ଗୋଟିକ ପରେ ଗୋଟିଏ ଦ୍ରଷ୍ଟବ୍ୟ ସ୍ଥାନ ଦେଖାଇ ନେଇ ଚାଲିଲା । ତାହାରି ଭିତରୁ ମନେ ରଖିବା ଭଳି ସ୍ଥାନ ହେଲା :—

 

ଜୁମା ମସଜିଦ୍‌୧୪୨୩ ସାଲରେ ନିର୍ମିତ । ସମସ୍ତ ମସ୍‌ଜିଦ୍‌ଗାତ୍ରରେ ଗୁଜୁରାତି, ହିନ୍ଦୁ ଓ ମୁସଲମାନ ମିଳିତ ନିର୍ମାଣ ଶୈଳୀ ପରିସ୍ଫୁଟିତ । ଏହାର ପୂର୍ବ ଦିଗରେ ଦ୍ୱିତୀୟ ମାମୁଦ ଶାହଙ୍କ ପତ୍ନୀ ମୁଯଳାର ବିବିଙ୍କ କଳମୁଗୁନି ପଥରରେ ନିର୍ମିତ ସମାଧି ଅବସ୍ଥିତ ।

 

ଅହମଦଶାହାଙ୍କ ବ୍ୟକ୍ତିଗତ ଉପାସନା ମସ୍‌ଜିଦ୍‌ଟି ୧୪୧୦ ସାଲରେ ସମସ୍ତ ହିନ୍ଦୁମନ୍ଦିର ବିନଷ୍ଟକରି ଲୁଟକରି ଆଣିଥିବା ଉପାଦାନ ଦେଇ ସେ ନିଜେ ତିଆର କରାଇଥିଲେ । ଏ ଉକ୍ତିର ସତ୍ୟତା ମସ୍‌ଜିଦ୍‌ଗାତ୍ରରେ ସଂଲଗ୍ନ ଗୋଟିଏ ଶିଳାଲିପିରୁ ପ୍ରମାଣିତ ହୋଇଥାଏ । ବର୍ତ୍ତମାନ ଗୁଜୁରାଟ କ୍ଳବ ଏହି ମସଜିଦ ଗୃହରେ ଅବସ୍ଥିତ ।

 

ରାଜଦୂର୍ଗର ବହିରାଙ୍ଗନର ପ୍ରଧାନ ତୋରଣ ତିନି ଦରଜା ନାମରେ ଅଭିହିତ । ଶୁଣିବାକୁ ମିଳେ ଅହମଦଶାହ ଏହାରି ଉପରୁ ନିଜର ରାଜସଭାର ଶୋଭା ସହ ପରିଚାଳନା ପଦ୍ଧତି ପ୍ରତ୍ୟକ୍ଷ କରୁଥିଲେ । ତିନିଦରଜାର ନିର୍ମାଣ କୌଶଳ ଓ କାରୁକାର୍ଯ୍ୟ ଅବଶ୍ୟ ଦ୍ରଷ୍ଟବ୍ୟ ।

 

ସୈଦି ସୈୟଦ ମସଜିଦ ଝରକା ଓ ଖିଲାଣର କାରୁକାର୍ଯ୍ୟ ଅପୂର୍ବ ବୋଲି କୁହାଯାଇ ପାରେ ।

 

ଅହମଦଶାହଙ୍କ ନିର୍ମିତ ମାଣିକ ମନ୍ଦିର ଏକ ଦର୍ଶନୀୟ ସ୍ଥାନ । ସ୍ଥାନୀୟ ପ୍ରବାଦରୁ ଜଣାଯାଏ ତାଙ୍କର ରାଜୁତିକାଳରେ ମାଣିକ ବାବା ନାମକ ଜଣେ ବିଖ୍ୟାତ ଯୋଗୀ ଏଠାରେ ବାସ କରୁଥିଲେ । ସେଠାରୁ ତାଙ୍କୁ ବେଦଖଲ କରିବା ସକାଶେ ନବାବ ରାଜଶକ୍ତିର ଅପପ୍ରୟୋଗ କରିଥିଲେ । ତଥାପି ସିଦ୍ଧିପ୍ରାପ୍ତ ଯୋଗୀ ପୁରୁଷଙ୍କୁ ତାଙ୍କ ଆସନରୁ ହଟାଇ ପାରିଲେ ନାହିଁ । ଉପରନ୍ତୁ ନଗର ସୁରକ୍ଷା ନିମିତ୍ତ ନିର୍ମିତ ସୁଦୃଢ଼ ପ୍ରାଚୀର ମଧ୍ୟରେ ଫାଟ ଦେଖିବାକୁ ମିଳିଥିଲା । ଯୋଗୀଙ୍କ ଏଇ ଅଲୌକିକ ଶକ୍ତି ନିକଟରେ ଅହମଦଶାହ ନତି ସ୍ୱୀକାର କଲେ ଏବଂ ଯୋଗୀଙ୍କ ସ୍ମୃତି ରକ୍ଷାତର୍ଥେ ଏହି ମନ୍ଦିର ତୟାରି କରିଦେଇ ଏହି ଅଞ୍ଚଳକୁ ମାଣିକ ଚୋକ ନାମରେ ନାମିତ କରିଥିଲେ । ସେହି ନାମ ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ଅଛି ।

 

ଦିଲ୍ଲୀ ଗେଟ ନିକଟରେ ୮୪୮ ଖ୍ରୀଷ୍ଟାବ୍ଦରେ ନିର୍ମିତ ହାତୀ ସିଂ ଜେନ ମନ୍ଦିର । ଶ୍ୱେତ ପ୍ରସ୍ତର ନିର୍ମିତ ତେପନଶିଖର ବିଶିଷ୍ଟ ଗମ୍ୱୁଜ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ମନ୍ଦିର ଭିତରେ ଚବିଶିଜଣ ବିଭିନ୍ନ ତୀର୍ଥଙ୍କରଙ୍କ ମୂର୍ତ୍ତି ବିରାଜମାନ । କେବଳ ଅହମଦାବାଦ ନୁହେଁ, ପ୍ରାୟ ସମସ୍ତ ଗୁଜୁରାଟରେ ଜୈନ ପ୍ରଭବ ବେଶି ।

 

ଅହମଦାବାଦର ଅନ୍ୟତମ ଦ୍ରଷ୍ଟବ୍ୟ ତଥା ଜ୍ଞାତବ୍ୟ ପ୍ରତିଷ୍ଠାନ ହେଲା ଶସ୍ତା ସାହିତ୍ୟ ବର୍ଦ୍ଧକ କାର୍ଯ୍ୟାଳୟ । ଏହି ଅନୁଷ୍ଠାନ ସଙ୍ଗେ ଭିକ୍ଷୁ ଅଖଣ୍ଡାନନ୍ଦଙ୍କ ଅଧ୍ୟବସାୟ ଗାଥା ଓତପ୍ରୋତ ଭାବେଜଡ଼ିତ । ଦେବଭୂମି ହିମାଳୟର କୌଣସି ଏକ ଅଜ୍ଞାତ କନ୍ଦରରେ ସିଦ୍ଧିପ୍ରାପ୍ତ ହୋଇ ଅଖଣ୍ଡାନନ୍ଦଜୀ କର୍ମଜଗତକୁ ଫେରିଲେ । ସମସ୍ତ ଭାରତ ପ୍ରଦକ୍ଷିଣ କରି ବମ୍ୱେ ସହରରେ ସେ ପହଞ୍ଚଲେ । ଏହି ସମୟରେ ସେ ନିଜେ କୌଣସି ଏକ ବହି କିଣିବା ପାଇଁ ବଜାରକୁ ଯାଇଥିଲେ । ଦେଖିଲେ, ବହିଟିର ମୂଲ୍ୟ ଅତ୍ୟଧିକ, ଯାହା କି ସାଧାରଣଙ୍କ କ୍ରୟଶକ୍ତିର ବାହାରେ । ସେହି ସମୟରେ ତାଙ୍କ ମନରେ ଏକ ଭାବନା ଖେଳିଲା, ଭଲ ଭଲ ବହି ଶସ୍ତା ଦରରେ ପ୍ରକାଶ କରି ଜନସାଧାରଣଙ୍କ ମଧ୍ୟରେ ବିକ୍ରୀ କରିବା । ଏପରି ମହତ୍‌କାମ କେଭେଁ ଅପୂର୍ଣ୍ଣ ରହେନା । ଏ କ୍ଷତ୍ରରେ ମଧ୍ୟ ତା’ର ବ୍ୟତିକ୍ରମ ହେଲାନି । ଅଖଣ୍ଡାନନ୍ଦଜୀଙ୍କ ଅହମଦାବାଦ ଅବସ୍ଥାନ କାଳରେ ତାଙ୍କର ଏ ମନବାସନା କେତେକ ଅନୁରକ୍ତ ଭକ୍ତଙ୍କୁ ଜଣାଇଲେ । ସମବେତ ଚେଷ୍ଟା ଦ୍ୱାରା ସ୍ଥାପିତ ହେଲା ଶସ୍ତା ସାହିତ୍ୟବର୍ଦ୍ଧକ କାର୍ଯ୍ୟାଳୟ । ଦାନ, ଅନୁଦାନ ଓ ଭିକ୍ଷାଲବ୍‌ଧ ଧନରେ ସର୍ବପ୍ରଥମେ ପ୍ରକାଶ ହେଲା ଶ୍ରୀମଦ୍‌ ଭାଗବତର ଦଶମସ୍କନ୍ଦ—ଦାମ ମାତ୍ର ଛଅଅଣା । ଶୁଣିବାକୁ ମିଳେ, ଉକ୍ତ ଗ୍ରନ୍ଥ ଏକ ସପ୍ତାହ ଭିତରେ ଚାରିହଜାର ଯାଏଁ ବିକ୍ରୀହୋଇ ଯୋଇଥିଲା । ସେହିଠାରୁ ଏ ସଂସ୍ଥା ବହୁ ଅମୂଲ୍ୟ ଗ୍ରନ୍ଥମାନ ପ୍ରକାଶ କରି ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଛି । ଆଜି ଆଉ ଏହାର ପ୍ରତିଷ୍ଠାତା ଅଖଣ୍ଡାନନ୍ଦଜୀ ନାହାନ୍ତି ସତ କିନ୍ତୁ ତାଙ୍କର ପ୍ରତିଷ୍ଠିତ ଏହି ଅନୁଷ୍ଠାନ ମଧ୍ୟଦେଇ ସେ ଚିର ଅମର ହୋଇ ରହିବେ । ବର୍ତ୍ତମାନ ଅନୁଷ୍ଠାନଟି ଗୋଟିଏ ବୋର୍ଡ଼୍‍ ଅଫ୍‌ଟ୍ରଷ୍ଟ ପରିଚାଳନା କରିଥାଆନ୍ତି ।

 

ଶାହିବାଗ ୧୬୨୨ ସାଲରେ ସମ୍ରାଟ ଶାହାଜାହାନ ନିର୍ମାଣ କରାଇଥିଲେ । ଏଠାରେ ଦୁଇଟି ପ୍ରାସାଦ ଭିତରେ ଭୂଗର୍ଭ ମଧ୍ୟଦେଇ ଯୋଗାଯୋଗର ବ୍ୟବସ୍ଥା ରହିଛି ବୋଲି କେତେକ ବ୍ୟକ୍ତି ମନେ କରିଥାଆନ୍ତି । ସ୍ୱୟଂ ସମ୍ରାଟ ଶାହାଜାହାନ କେତେଦିନ ପାଇଁ ଏଇ ସୁରମ୍ୟ ପ୍ରାସାଦରେ ଅବସ୍ଥାନ କରି ବାପା ଜାହାଙ୍ଗୀର ପ୍ରଦତ୍ତ ଗର୍ଦାବାଦ ନାମକୁ ଅସାର ପ୍ରତିପନ୍ନ କରାଇଥିଲେ । ବ୍ରିଟିଶ ଶାସନକାଳରେ ଶାହିବାଗ ଥିଲା କମିଶନରଙ୍କ ବାସଭବନ, ବିଶ୍ୱକବି ରବୀନ୍ଦ୍ର ନାଥ ଏହିଠାରେ ବସି ‘କ୍ଷୁଧିତ ପାଷାର’ ଗଳ୍ପ ଲେଖିଥିଲେ ବୋଲି ଶୁଣିବାକୁ ମିଳେ ।

 

୧୮୫୦ ସାଲରେ ନିର୍ମିତ ନାରାୟଣ ସ୍ୱାମୀଙ୍କ ମନ୍ଦିର । ଆସନୋପରି ଅଧିଷ୍ଠିତ ଅପରୂପ ବିଗ୍ରହ ଦର୍ଶନ କରିବା ଯୋଗୁଁ ମନର ସମସ୍ତ ଗ୍ଳାନି ଦୂର ହୋଇଗଲା । ସକାଳୁ କେବଳ ମସ୍‌ଜିଦ୍‌ଓ କବର ଦେଖି ଦେଖି ମନ ନିଷ୍କ୍ରିୟ ହୋଇଥିଲା । ସୌନ୍ଦର୍ଯ୍ୟ ଯେତେ ଚିତ୍ତାକର୍ଷକ ହେଲେ ମଧ୍ୟ ବିରାମହୀନ ଭାବରେ ଯଦି ଦେଖିବାକୁ ହୁଏ ମନରେ ଅବସାଦ ଆସିବା ସ୍ୱାଭାବିକ । ମନ୍ଦିର ପ୍ରାଙ୍ଗଣରେ ବସି ମନେହେଲା ସତେ ଯେପରି ବଡ଼ଲୋକ ବନ୍ଧୁର ସୁରମ୍ୟ ଅଟ୍ଟାଳିକାରୁ ବିଦାୟ ନେଇ ଆସି ନିଜର କୁଡ଼ିଆ ଘରେ ପହଞ୍ଚିଲି । ଶୀତଳ ମଣ୍ଡପରେ କିଛି ସମୟ ବିଶ୍ରାମ ନେଇ ଦେବଦର୍ଶନ ପାଇଁ ଆଗେଇ ଚାଲିଲୁ । ପିଞ୍ଜରା ପୋଲ ହୋଇ ଭଦ୍ରାଦେବୀଙ୍କ ମନ୍ଦିର ପହଞ୍ଚିଲା ବେଳକୁ ଅସମୟ ହେତୁ ପ୍ରଧାନ ଦରଜା ବନ୍ଦ । ବାହାରୁ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଅହମଦାବାଦ ଭ୍ରମଣରେ ଇତି ଟାଣି ଷ୍ଟେସନକୁ ଫେରିଆସିଲୁ ।

 

ଟ୍ୟାକ୍‌ସି ଡ୍ରାଇଭର ଗାଡ଼ି ଚଳାଉ ଚଳାଉ ସ୍ଥାନୀୟ କେତେକ ଚାଲିଚଳନ ଓ ପୂଜା ପାର୍ବଣ ସଂକ୍ରାନ୍ତରେ କହିଗଲେ, ଯାହାକି ଆମ ପକ୍ଷରେ ଜାଣିବା ମୋଟେ ସମ୍ଭବ ନ ଥିଲା ।

 

ଦ୍ରଷ୍ଟବ୍ୟ ସ୍ଥାନ ପରେ ଏଠାର ଉତ୍ସବ ଓ ମେଳା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ପ୍ରତି ତିନିବର୍ଷରେ ହିନ୍ଦୁ ପଞ୍ଜିକା ମତରେ ମଳମାସ ପଡ଼ିଥାଏ । ସେହିବର୍ଷ ଏଠାରେ ଏକ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ଅଧିକାଂଶ ସଧବା ମହିଳା ପଟ୍ଟବସ୍ତ୍ର ପରିହିତା ହୋଇ ନଗ୍ନପାଦରେ ସାବରମତୀ ତୀରେ ଅବସ୍ଥିତ ସତରଟି ପ୍ରସିଦ୍ଧ ଦେବସ୍ଥାନ ନାନାଦି ବାଦ୍ୟ ବାଜଣା ସହ ପ୍ରଦକ୍ଷିଣ କରିଥାଆନ୍ତି । ଏ ମନୋହର ଦୃଶ୍ୟ ହଜାର ହଜାର ନାଗରିକ ଭକ୍ତି ସହକାରେ ଦେଖିଥାଆନ୍ତି ।

 

ଦେବ ଉତ୍‌ଥାନ ଏକାଦଶୀ ବା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ସାବରମତୀ ତୀରେ ବହୁ ଜନସମାଗମ ହୋଇଥାଏ । ପ୍ରତ୍ୟେକେ ନଦୀର ପବିତ୍ର ଜଳରେ ସ୍ନାନକରି ଦେବଦର୍ଶନ କରିଥାଆନ୍ତି । ଆଷାଢ଼ ଶୁକ୍ଳ ଏକାଦଶୀକୁ ଦେବଶୟନ ଏକାଦଶୀ କହିଥାନ୍ତି ଏବଂ ତା’ପରେ ଚତୁମାସ୍ୟା ଆରମ୍ଭ ହୋଇଥାଏ । ଶ୍ରାବଣ, ଭାଦ୍ର, ଆଶ୍ୱିନ ଓ କାର୍ତ୍ତିକ ଏ ଚାରିମାସରେ ହିନ୍ଦୁଙ୍କଦ୍ୱାରା ସାଧାରଣତଃ କୌଣସି ଶୁଭକର୍ମ ହୋଇ ନ ଥାଏ । ପୁଣି ଦେବ ଉତ୍‌ଥାନ ଏକାଦଶୀଠାରୁ ଶୁଭକର୍ମ ଅନୁଷ୍ଠିତ ହୁଏ ।

 

ବିଜୟାଦଶମୀ ଦିନ ନଗରର ପ୍ରାୟ ସମସ୍ତ ହିନ୍ଦୁଗଣ କାଙ୍କୋରିଆ ହ୍ରଦରେ ସମ୍ମିଳିତ ହୋଇଥାନ୍ତି । ଦକ୍ଷିଣୀ ଓ ମରାଠୀ ବ୍ରାହ୍ମଣଗଣ ଶମୀ ବୃକ୍ଷ ନିକଟରେ ପୂଜାଅର୍ଚ୍ଚନା କରିଥାଆନ୍ତି । ଏହା ଏକ ଅପୂର୍ବ ଦୃଶ୍ୟ । ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।

 

ଶ୍ରାବଣ ମାସରେ ପ୍ରତି ସୋମବାର ଶିବମନ୍ଦିରରେ ବିଶେଷ ପୂଜାର ବ୍ୟବସ୍ଥା ହୋଇଥାଏ । ପ୍ରଥମ ସୋମବାର ପ୍ରତ୍ୟେକ ମନ୍ଦିରରେ, ଦ୍ୱିତୀୟ ସୋମବାର ବସ୍ତ୍ରାଳର ସୁଖରାୟ ଦେବଙ୍କ ମନ୍ଦିରରେ, ତୃତୀୟ ଶାହବାଦର ମହାଦେବ ମନ୍ଦିରରେ ଏବଂ ଶେଷ ସୋମବାର ବା ଶେଷଦିନ ଅମାସର ଅସାରବର ନୀଳକଣ୍ଠ ମହାଦେବଙ୍କ ମନ୍ଦିରରେ ବିଶେଷଭାବେ ପୂଜାଅର୍ଚ୍ଚନା ସହ ଉତ୍ସବ ପାଳିତ ହୋଇଥାଏ । ଏ ଉତ୍ସବରେ ବହୁଦୂର ଦୂରାନ୍ତରରୁ ଯାତ୍ରୀମାନେ ଆସି ଯୋଗ ଦେଇଥା’ନ୍ତି ।

 

ଏଠାରେ ଦୁର୍ଗାପୂଜା ନବରାତ୍ର ପାଳିତ ହୋଇଥାଏ । ଏହି ନଅରାତ୍ର ପ୍ରାୟ ପ୍ରତ୍ୟେକ ପୂଜାମଣ୍ଡପରେ ରାସନୃତ୍ୟ ଅଥବା ଏଠାର ବିଶିଷ୍ଟ ଗରବା ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନୃତ୍ୟରେ ସ୍ତ୍ରୀ ପୁରୁଷ ଉଭୟ ଅଂଶଗ୍ରହଣ କରିଥା’ନ୍ତି । ଏହି ନବରାତ୍ର ଉତ୍ସବ ଏଠାରେ ସବୁଠାରୁ ବଡ଼ ଉତ୍ସବ ।

 

ଏହା ବ୍ୟତୀତ ଜମାଳପୁରରେ ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରାବକ ମେଳା, ଶାହିବାଗରେ ଗୋକୁଳାଷ୍ଟମୀ, ଭଦ୍ରଶୁକ୍ଳ ଅଷ୍ଟମୀର ଦୂର୍ବାଷ୍ଟମୀ ଉତ୍ସବ, ଆଷାଢ଼ ପୂର୍ଣ୍ଣମାରେ କାଜିପୁରରେ ଏବଂ ଚୈତ୍ର ଶୁକ୍ଳ ନବମୀ ଦିନ ଦରିୟା ପୁରରେ ରାମନବମୀ ଉତ୍ସବ ବିଶେଷଭାବେ ଉପଭୋଗ୍ୟ ।

 

ମୁସଲମାନ ପର୍ବ ମଧ୍ୟରେ ମହରମ ଓ ପିରାଜ ମେଳା ହିଁ ବିଶେଷ ଭାବେ ଉଲ୍ଲେଖନୀୟ । ଅହମଦାବାଦର ଦକ୍ଷିଣ ପ୍ରାନ୍ତରେ ପିରାଜ ଦରଘାର ସୈୟଦ ଇମାମଶାହଙ୍କ (ପଞ୍ଚଦଶ ଶତାବ୍ଦୀ) ମୃତ୍ୟୁ ବାର୍ଷିକୀ ସାଧାରଣତଃ ରମଜାନ ମାସରେ ଅନୁଷ୍ଠିତ ହୋଇଥାଏ । ଏହି ମେଳାରେ ହିନ୍ଦୁ ମୁସଲମାନ ନିର୍ବିଶେଷରେ ବହୁ ଯାତ୍ରୀ ଅଂଶଗ୍ରହଣ କରିଥାନ୍ତି ।

 

କାହାଣୀ ଶୁଣିବା ଅବସରରେ ଗାଡ଼ି ଆସି ଷ୍ଟେସନ ହତା ମଧ୍ୟରେ ପ୍ରବେଶ କଲା ଟ୍ୟାକ୍‌ସିର ପାଉଣା ଦେଇ ମନ୍ଥର ପାଦରେ ନିଜର ଆସ୍ଥାନ ଦିଗେ ଅଗ୍ରସର ହେଲୁ । ପଥ ମଧ୍ୟରେ ଦୁଃଖୀରାମ ତାକୁ ଅନୁସରଣ କରିବାକୁ କହି ଆଗେଇ ଚାଲିଲା । ସହଜେ ବୁଝିପାରିଲି, ଆମର ନଗର ଭ୍ରମଣ ସମୟରେ ଏମାନେ ବଗି ବଦଳ କାମ ଶେଷକରି ନେଇଛନ୍ତି । ଏଥର ଆମର ଆଶ୍ରୟସ୍ଥଳ ଆଗ୍ରାରେ ଛାଡ଼ିଥିବା ସେଇ ଟୁରିଷ୍ଟକୋଚ୍‍ । ଏଥିରେ ଆମର ଯାତ୍ରା ଆରମ୍ଭ ହୋଇଥିଲା, ପୁଣି ସେହି କୋଚନେଇ ଛାଡ଼ିଦେବ ଅତି ପରିଚିତ ହାଓଡ଼ା ଷ୍ଟେସନରେ । ପଥ ମଧ୍ୟରେ ଦେଖାହେବ ଏଲିଫେଣ୍ଟ, ଅଜନ୍ତା, ଇଲୋରା, ଅହମଦନଗର ପ୍ରଭୃତି ଦ୍ରଷ୍ଟବ୍ୟ ସ୍ଥାନ ସମୂହ-

 

ପ୍ଳାଟଫର୍ମରେ ପହଞ୍ଚି ଦେଖିଲୁ ଅନୁମାନ ସତ୍ୟ । ସହଯାତ୍ରୀଗଣ ନିଜ ନିଜର ଜିନିଷପତ୍ର ସଜାଇ ବଜାର ବୁଲିଗଲେଣି । ଆମ ସାଥି ମହିଳାଗଣ ଯଥାଶୀଘ୍ର ଦ୍ରୁତପଦେ ବଜାରାଭିମୁଖୀ ହେଲେ । ସଙ୍ଗରେ ଗଲେ ଚକ୍ରବର୍ତ୍ତୀ ଭାୟା । ମୁଁ କୁଣ୍ଡୁ ସ୍ପେଶାଲ କର୍ମଚାରୀମାନଙ୍କ ସହ ଗଳ୍ପ କରିବାରେ ଲାଗିଲି ।

 

ସହଯାତ୍ରୀଗଣ ଅଳ୍ପ ସମୟ ମଧ୍ୟରେ ବଜାରରୁ ଛୋଟ ବଡ଼ ପ୍ୟାକେଟ ଧରି ଫେରି ଆସିଲେ । ବସ୍ତ୍ର ଶିଳ୍ପର ପ୍ରଧାନ କେନ୍ଦ୍ର ଅହମଦାବାଦ ହେଲେହେଁ ଲୁଗାପଟା ଦର ସୁବିଧାଥିଲା ଭଳି ମନେ ହେଲାନି । ବଜାରରେ ବିଳମ୍ୱ ନ ହେବାର ଏ ମଧ୍ୟ ଅନ୍ୟତମ କାରଣ । ସାଧାରଣ କ୍ରେତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଦୋକାନର ଦର ସଙ୍ଗେ କଲିକତା ଦରର ପାର୍ଥକ୍ୟ ଖୋଜି ବାହାର କରିବା ଶ୍ରମ ସାଧ୍ୟ। ପରିଚିତ ବ୍ୟକ୍ତି ପକ୍ଷେ ଯାହା ସହଜ, ନୂତନ ବ୍ୟକ୍ତି ପକ୍ଷେ ଠିକ୍‌ଦୋକାନ ଖୋଜି କିଣାକିଣି କରିବା ତେତେ ସହଜ ନୁହେଁ । ତଥାପି ପ୍ରତ୍ୟେକେ ଅଳ୍ପ ବହୁତ ସଉଦା କରିବା ଦେଖିବାକୁ ମିଳିଲା-। ଏଠାରେ ଉଲ୍ଲେଖ ଯୋଗ୍ୟ ସରସ୍ୱତୀ ପାଇଁ ଇନ୍ଦିରା ଭେନିଟି ବେଗ୍‍ଟିଏ କିଣି ଦେଇଥିଲା-

 

ଆଜି ରାତ୍ର ନଅଟା ଦଶ ମିନିଟରେ ଅହମଦାବାଦ ବମ୍ବେ ଜନତା ଏକ୍‌ସପ୍ରେସ୍‌ ଆମର ବଗିଟିକୁ ଟାଣି ନେଇ ଯିବ । ବମ୍ୱେରେ ପହଞ୍ଚିବୁ ସକାଳ ସାଢ଼େ ଛଅଟାରେ । ବର୍ତ୍ତମାନ ଗାଡ଼ିଛାଡ଼ିବା ସମୟ ନହେଲେ ମଧ୍ୟ ଆମର ଆଉ କୁଆଡ଼େ ଯିବାର ଉପାୟ ନାହିଁ । ଗାଡ଼ିଛାଡ଼ିବା ଅବସରରେ ପ୍ଲାଟ୍‍ ଫରମର ଏକ ନିରୋଳା ଜାଗା ଦେଖି ବସି ଗଲୁ ଗଳ୍ପ ଗୁଜବ କରିବା ପାଇଁ । କହିବା ବାହୁଲ୍ୟ ଗଳ୍ପର ମୂଳ ବିଷୟ ହେଲା ଆଗାମୀ କାଲିର ଦ୍ରଷ୍ଟବ୍ୟ ସ୍ଥାନ ବମ୍ୱେ ଏବଂ ବକ୍ତା ପ୍ରବୀଣ ଶିକ୍ଷକ ସଦାନନ୍ଦବାବୁ । ସେ ତାଙ୍କର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ରକ୍ଷାକରି କହିବାକୁ ଲାଗିଲେ–

 

ବମ୍ୱାଇ ସହର ଗଠନ ନେଇ ବିଭିନ୍ନ ମତ ଶୁଣା ଯାଇଥାଏ । କେତେ ପଣ୍ଡିତଙ୍କ ମତରେ ବେସିନ ଧାରା ସଲସେଟ, ଟ୍ରମ୍ୱେ ବମ୍ୱେ ଓ ଏଲିଫେଣ୍ଟା ଏଇ ତିନି ଗୋଟିଏ ଦ୍ୱୀପର ସମଷ୍ଟି ହେଲା ଆଧୁନିକ ବୋମ୍ୱାଇ । କେତେ ବିଶେଷଜ୍ଞ ଅନ୍ୟ ମତ ପୋଷଣ କରି ସଲସେଟ, ଟ୍ରମ୍ୱେ ଓ ବମ୍ୱେ ନେଇ ବୋମ୍ୱେଇ ବୋଲି ଦାବୀ କରି ଥାଆନ୍ତି । ଅନ୍ୟ କେତେକଙ୍କ ମତରେ, କୋଲବା, ଫୋର୍ଟ, ବାଇକୁଲ୍ଲା, ୱାର୍ଲି, ପାରେଲ, ମାତୁଙ୍ଗା ଓ ମାହିମ ଏହି ଛୋଟ ଛୋଟ ଦ୍ୱୀପଗୁଡ଼ିକର ସମ୍ମିଶ୍ରଣରେ ବୃହତ୍ତର ବୋମ୍ୱାଇର ଉତ୍ପତ୍ତି । ବର୍ତ୍ତମାନ ସହରର ବିଭିନ୍ନ ଅଂଶ ଏଇ ନମରେ ପରିଚିତ ହୋଇ ଆସୁଅଛି । ଏହି ଦୃଷ୍ଟିରୁ ଏଇ ମତକୁ ବେଶ ପ୍ରାଧାନ୍ୟ ଦିଆ ହୋଇଥାଏ । ତେବେ ବିଶେଷ ଭାବେ ଦେଖିଲେ ଦ୍ୱିତୀୟ ଓ ତୃତୀୟ ମତରେ ଅନେକ ସାମଞ୍ଜସ୍ୟ ଦେଖାଯାଏ । ପ୍ରଥମେ ଏକମାତ୍ର ବୋମ୍ୱାଇ ସହର ଓ ଅନ୍ୟଟି ହେଲା ବୃହତ୍ତର ବୋମ୍ୱାଇ । ଏଇ ସହରର ମାନଚିତ୍ରକୁ ଆଗରେ ରଖି ଅନୁଧ୍ୟାନ କଲେ ସ୍ପଷ୍ଟ ଦେଖାଯାଏ ଉତ୍ତରରେ ବେସିନତ୍ରିକ (ମାହିମ) ଓ ଦକ୍ଷିଣରେ ଥାନାତ୍ରିକ—ଏଇ ଭୂଭାଗଟି ମୂଳ ଅଂଶରୁ ବିଚ୍ଛିନ୍ନ ହୋଇ ଏକ ଦ୍ୱୀପ ଆକାର ଗ୍ରହଣ କରିଅଛି । ବମ୍ୱେ ସହରର କେନ୍ଦ୍ର ସ୍ଥଳୀରୁ ବେସିନର ଦ୍ୱରତ୍ୱ ପ୍ରାୟ ତିରିଶି ମାଇଲ । ଏହି କାରଣରୁ ସ୍ଥାନୀୟ ବାସିନ୍ଦାଗଣ ଏହାକୁ ବମ୍ୱେର ଅଂଶ ବୋଲି ମାନିବାକୁ ରାଜି ନୁହନ୍ତି । ଦକ୍ଷିଣରେ ଧାରାସେଲଭେଟ ହେଲା ଗୋଟିଏ ପ୍ରଧାନ ଦ୍ୱୀପ ଅର୍ଥାତ ବମ୍ୱେର ପ୍ରଧାନ ଅଂଶ । ଏହାର ଦକ୍ଷିଣକୁ ଟ୍ରମ୍ୱେ ଏବଂ ଏହାର ଦକ୍ଷିଣ ଶେଷାଂଶ ହେଲା ବମ୍ୱେ । ବମ୍ୱେର ଦକ୍ଷିର ଶେଷ ଅଂଶ କୋଲାବ ପଏଣ୍ଟରେ ଠିଆ ହୋଇ ଦେଖିଲେ ଆରବ ସାଗର ମଧ୍ୟରେ ଅର୍ଦ୍ଧଚନ୍ଦ୍ରାକୃତି ସମୁଦ୍ର କୂଳ ଦେଇ ମାଲବାର ହିଲ୍‌ମଧ୍ୟ କୋଲାବ ପଏଣ୍ଟ ଭଳି ସମୁଦ୍ର ଗର୍ଭକୁ ପଶିଯାଇଛି । ତା’ର ପଶ୍ଚିମକୁ ଆରବ ସାଗର ଆଉ ପୂର୍ବକୁ ବ୍ରେକ୍‌ୱେ । ଏହି ଅର୍ଦ୍ଧଚନ୍ଦ୍ରାକୃତି ସମୁଦ୍ର ତୀରବର୍ତ୍ତୀ ପଥକୁ ମେରିନ୍‍ ଡ୍ରାଇଭ୍‍ ବୋଲି କୁହାଯାଏ । ଏହା ବୋମ୍ୱାଇର ପ୍ରଧାନ ଆକର୍ଷଣୀୟ ସ୍ଥଳ ମଧ୍ୟରେ ଅନ୍ୟତମ ବୋଲି ଗଣ୍ୟ ହୋଇଥାଏ ।

 

ବୋମ୍ୱାଇ ନାମକରଣ ନେଇ ନାନା ମତ ଦେଖାଯାଏ । ଏଠାର ସ୍ଥାନୀୟ ଆଦି ଅଧିବାସୀ କୋଲାଇ କୈବର୍ତ୍ତମାନଙ୍କ ଇଷ୍ଟଦେବୀ ହେଲେ ମୁମ୍ୱାଇ (ମହାଅମ୍ୱା । ଏହି ଦେବୀଙ୍କ ନାମାନୁଯାଇ ମୁମ୍ୱାଇରୁ ବମ୍ୱାଇ ହୋଇଛି ବୋଲି ବହୁ ପଣ୍ଡିତ ମନେକରିଥାନ୍ତି ।)

 

ଅନେକ ଗବେଷକ ମନେ କରନ୍ତି, ଏହି ଅଞ୍ଚଳରେ ସରୁ ସରୁ ଏକ ରକମ ଛୋଟ ମାଛ ଦେଖିବାକୁ ମିଳିଥାଏ । ଏହି ମାଛର ନାମ ବୋମ୍ୱେଳି ମାଛ । ଏ ମାଛ ଦେଖିବାକୁ ଯେପରି ସୁନ୍ଦର, ସେପରି ସୁସ୍ୱାଦୁ ମଧ୍ୟ । ବର୍ତ୍ତମାନ ସୁଦ୍ଧା ବୋମ୍ୱାଇ ଡକ୍‌ରେ ଅଙ୍ଗୁଳି ଭଳି ଏ ମାଛ ପ୍ରଚୁର ଦେଖା ଯାଇଥାନ୍ତି। ଏ ମାଛର ନାମରୁ ସହରର ନାମକରଣ ବମ୍ୱେଇ । ଏହା ବିଶ୍ୱାସ ଯୋଗ୍ୟ ନୁହେଁ ।

Unknown

 

ଅନେକ ଐତିହାସିକ ନଗରର ନାମକରଣ ନେଇ ଅନ୍ୟ ମତ ପୋଷଣ କରନ୍ତି । ତାହାହେଲା, ପର୍ତ୍ତୁଗୀଜମାନେ ପ୍ରଥମେ ବୋମ୍ୱେଇର ଏହି ଅଞ୍ଚଳ ଦଖଲ କରନ୍ତି । ଉପକୂଳରେ ଜଳଯାନରୁ ଅବତରଣ କରି ଏହାର ପ୍ରାକୃତିକ ପରିବେଶ ଦେଖି ଦଳ ନେତା ମୁଖରୁ ନିଜ ମାତୃଭାଷାରେ ସ୍ୱତଃ ପ୍ରବୃତ୍ତ ହୋଇ ବାହାରି ପଡ଼ିଥିଲା—‘‘ବମ୍‌ବାହିଆ’’ ଯାହାର ମାନେ ସୁନ୍ଦର ଉପସାଗର । ସେହି ଶବ୍ଦ କ୍ରମେ ବୋମ୍ୱାଇରେ ପରିଣତ ଲାଭ କରିଅଛି । ଏହିପରି ଆଉରି ଦୁଇ ତିନିଟି ମତ ଶୁଣିବାକୁ ମିଳିଥାଏ ସହରର ନାମକରଣ ସଂପର୍କରେ । କେଉଁ ମତଟି ନିର୍ଭୁଲ ନିର୍ଣ୍ଣୟ କରିବା ଦୁଷ୍କର । ତେବେ ବର୍ତ୍ତମାନ ବୋମ୍ୱାଇରେ ମୁମ୍ୱାଦେବୀଙ୍କ ପ୍ରାଧାନ୍ୟ ତଥା ହିନ୍ଦୁ, ସଂସ୍କୃତିକୁ ଅନୁଧ୍ୟାନ କଲେ ପ୍ରଥମ ମତ ହିଁ ବେଶି ପ୍ରମାଣଯୋଗ୍ୟ ବୋଲି ମନେ ହୁଏ ।

 

ଏହି ସାତ ଗୋଟିଏ ଦ୍ୱୀପ ପ୍ରାୟ ଐତିହାସିକ ଯୁଗରେ ପୋତାଶ୍ରୟ ରୂପେ ବ୍ୟବହୃତ ହେଉଥିଲା । ତେବେ ଇତିହାସ ପୃଷ୍ଠାରେ ଏସବୁ ପୋତାଶ୍ରୟର ପ୍ରାଧାନ୍ୟ ଦେଖିବାକୁ ମିଳେନା । କେବଳ ବୌଦ୍ଧ-ଯୁଗରେ ଏହି ସବୁ ଖଣ୍ଡ ଖଣ୍ଡ ଭୂ-ଅଞ୍ଚଳ ବୌଦ୍ଧ ପ୍ରଭାବରେ ସମୃଦ୍ଧ ଥିଲା । ତାହାର ଅନେକ ନିଦର୍ଶନ ଦେଖିବାକୁ ମିଳେ । ବୌଦ୍ଧ ଯୁଗ ପରେ ଏହି ଅଞ୍ଚଳ ଶୈବ ରାଜାମାନଙ୍କ ଅଧୀନକୁ ଆସେ ଏବଂ ଶୈବ ସଂସ୍କୃତି ଦ୍ରୁତ ପ୍ରଚାରିତ ହୁଏ । ତାହାର ନିଦର୍ଶନ ବର୍ତ୍ତମାନ ସୁଦ୍ଧା ଏଲିଫେଣ୍ଟା, କାଉ, କାନାହାର ପାହାଡ଼ମାନଙ୍କର ଦେଖିବାକୁ ମିଳିଥାଏ ।

 

ମୌର୍ଯ୍ୟ ଆଉ ଚାଲୁକ୍ୟ ରାଜତ୍ୱ ପରେ ଖୁବ୍‌ସମ୍ଭବ ଏହି ଦ୍ୱୀପଗୁଡ଼ିକର ନାମ ଇତହାସ ପୃଷ୍ଠାରେ ଦେଖିବାକୁ ମିଳିଥାଏ । ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟ ଭାଗରେ ସେତେବେଳକୁ ଗୁଜୁରାଟର ସୁଲତାନ ବାହାଦୂର ଶାହାଙ୍କ ଶାସନାଧୀନ । ଏହି ସପ୍ତଦ୍ୱୀପ ଭୂଖଣ୍ଡରେ ରାଜତ୍ୱ କରୁଥିଲେ ନାଗରଦେବ । ରାଜଧାନୀ ଥିଲା ମହିମ । ବାହାଦୂର ଶାହ ଏ ଦ୍ୱୀପମୟ ରାଜ୍ୟର ଐଶ୍ୱର୍ଯ୍ୟର ଖବର ପାଇ ସେହି ରାଜ୍ୟ ଦଖଲ କରିବାପାଇଁ ବିପୁଳ ସଂଖ୍ୟକ ସୈନ୍ୟ ନେଇ ଆଗେଇ ଆସିଲେ-। ସେତେବେଳକୁ ରାଜା ନଗର ଦେବ କୌଣସି କାର୍ଯ୍ୟୋପଲକ୍ଷେ ରାଜ୍ୟ ବାହାରେ ଥିଲେ-। ଅଗତ୍ୟା ରାଣୀ ସୈନ୍ୟ ପରିଚାଳନା କରି ବାହାଦୂର ଶାହାଙ୍କ ଆକ୍ରମଣର ମୁକାବିଲା କଲେ; କିନ୍ତ ସଫଳତା ଲାଭ କରିପାରିଲେ ନାହିଁ । ବାହାଦୂର ଶାହାଙ୍କ ବିପୁଳ ବାହିନୀ ସଙ୍ଗେ ସାମାନ୍ୟ ସଂଖ୍ୟକ ସୈନ୍ୟ ନେଇ ବେଶି କ୍ଷଣ ତିଷ୍ଠିବା ସମ୍ଭବ ହେଲାନି । ମହାରାଣୀ ଦେଶର ସ୍ୱାଧୀନତା ରକ୍ଷା କରିବାକୁଯାଇ ସମ୍ମୁଖ ରଣକ୍ଷେତ୍ରରେ ପ୍ରାଣ ବିସର୍ଜନ କଲେ । ବାହାଦୂର ଶାହ ରାଜଧାନୀ ମହିମ ସହ ଏହି ଦ୍ୱୀପପୂର୍ଣ୍ଣ ରାଜ୍ୟ ଦଖଲ କରି ବୀରଦର୍ପରେ ଧନ ସମ୍ପଦ ଲୁଣ୍ଠନ କରିନେଲେ-। ଦୂର ଦେଶରେ ଖବର ପାଇ ରାଜା ନଗର ଦେବ ବିପୁଳ ଧୈର୍ଯ୍ୟ ସହ ନିଜ ରାଜ୍ୟ ଦିଗେ ଫେରି ଆସିଳେ ଏବଂ ଦ୍ରୁତ ରାଜ୍ୟ ଉଦ୍ଧାର କରିବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ; କିନ୍ତୁ ତାଙ୍କର ସେ ଉଦ୍ୟମ ସଫଳ ହେଲାନି । ରାଜଧାନୀକୁ ଆସିବା ପରେ ସୁଲତାନଙ୍କଦ୍ୱାରା ଧୃତହୋଇ ବନ୍ଦିଶାଳାକୁ ନୀତହେଲେ ଏବଂ ସେଠାରେ ତାଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା । ସେହିଦିନଠାରୁ ଏହି ଅଞ୍ଚଳ ଗୁଜୁରାଟର ଏକ ଅଂଶରୂପେ ପରିଚିତ ହେବାକୁ ଲାଗିଲା ।

 

ଏହି ଘଟଣାର ଅନେକ ବର୍ଷ ପରେ ପୁଣି ଭାରତ ଇତିହାସରେ ମରାଠା ଅଭ୍ୟୁଦୟ ଦେଖାଗଲା । ନେତୃତ୍ୱ ନେଲେ ହିନ୍ଦୁକୁଳ ତିଳକ ମରାଠା ବୀର ଛତ୍ରପତି ଶିବାଜୀ । ତାଙ୍କ ପରେ ମରାଠାଶକ୍ତି ବିଭକ୍ତ ହୋଇଗଲା । ସୁଦୃଢ଼ ନେତୃତ୍ୱର ଅଭାବରୁ ଏତେ ବଡ଼ ବିପର୍ଯ୍ୟୟ ଜାତୀୟ-ଜୀବନରେ ଘଟିଗଲା, ଯାହାର ଫଳ କ୍ରମାବନତି ଦିଗେ ଠେଲି ନେଇଯିବାକୁ ଲାଗିଲା । ମରାଠା ସୈନ୍ୟଗଣ ଶୃଙ୍ଖଳିତ ପରିଚାଳନା ଅଭାବରୁ ଛିନ୍ନ ଭିନ୍ନ ହୋଇ ଉଚ୍ଛୃଙ୍ଖଳିତ ହୋଇ ଉଠିଲେ ଯନ୍ତ୍ରତନ୍ତ୍ର ଲୁଟ ତରାଜ ସଂଘଠିତ ହେବାକୁ ଲାଗିଲା । ଏହିପରି ଅରାଜକ ଅବସ୍ଥାରେ ମରାଠା ଲୁଣ୍ଠନକାରୀ ଏବଂ ପର୍ତ୍ତୁଗୀଜ ଜଳଦସ୍ୟୁଙ୍କ ମଧ୍ୟରେ ପ୍ରାୟ ଯୁଦ୍ଧ ଲାଗି ରହୁଥିଲା । ଫଳରେ ଦେଶର ସଂହତି ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇ ଅଶାନ୍ତ ବାତାବରଣ ଲାଗି ରହିଲା । ଏଇ ଅଶାନ୍ତି ଦୂର କରିବାରେ କୌଣସି ଉପାୟ ନଦେଖି ତତ୍‌କାଳୀନ ଗୁଜୁରାଟର ନବାବ ପର୍ତ୍ତୃଗୀଜମାନଙ୍କୁ ଏହି ଦ୍ୱୀପପୂର୍ଣ୍ଣ ରାଜ୍ୟଟି ସମର୍ପଣ କରି ସେମାନଙ୍କ ସହ ସନ୍ଧି ସ୍ଥାପନ କଲେ । ସର୍ତ୍ତ ହେଲା ପର୍ତ୍ତୃଗୀଜମାନେ ମରାଠାମାନଙ୍କ ଗୁଜୁରାଟ ଆକ୍ରମଣରେ ସୁଲତାନଙ୍କୁ ସାହାଯ୍ୟ କରିବେ । ସେତେବେଳକ ପଶ୍ଚିମ ଉପକୂଳର ଏହି ଅଂଶରେ ପର୍ତ୍ତୁଗୀଜ ଶକ୍ତି ଅତି ପ୍ରବଳ ଥିଲା । ୧୫୧୦ ରେ ଗୋୟା ଦଖଲ ଓ ପରେ ବେସିନ ଦୁର୍ଗ ଦଖଲକରି ସେମାନଙ୍କ ସାହସ ଆହୁରି ବଢ଼ି ଯାଇଥିଲା-। ଏହି ରାଜ୍ୟ ଦଖଲ ପାଇଁ ପର୍ତ୍ତୁଗୀଜ ମାନେ ବେଶି ଦୁର୍ବାର ହୋଇ ଉଠିଲେ । ଖୁବ୍‌ସମ୍ଭବ ଏହା ‘୫୩୪ ଖ୍ରୀ: ଅ: ର ଘଟଣା ।

 

ପର୍ତ୍ତୃଗୀଜ୍‌ରାଜତ୍ୱ ସମୟରେ ସେମାନେ ଏହି ବନ୍ଦର ଦେଇ ସାଗର ପାରି ଅନ୍ୟ ଦ୍ୱୀପ ତଥା ନିଜ ରାଜ୍ୟକୁ ଯାତ୍ରାକରିବା ସମୟେ ସେମାନେ ବେଇମ୍‌ (ଅର୍ଥାତ୍‌Goodbye) ବୋଲି ବିଦାୟ ଅଭିନନ୍ଦନ ଜଣାଉଥିଲେ । କେତେକ ଅନୁସନ୍ଧାନୀ ବ୍ୟକ୍ତି ଏହି ବେଇମ ଶବ୍ଦରୁ ବୋମ୍ୱାଇ ନାମକରଣ ବୋଲି ମନେ କରିଥା’ନ୍ତି ।

 

ପର୍ତ୍ତୁଗୀଜ୍‌ରାଜାଙ୍କ ନିକଟରୁ ୧୬୪୯ ଖ୍ରୀଷ୍ଟାବ୍ଦରେ ସେହି ଦେଶର ଏକଜଣ ବଣିକ ବାର୍ଷିକ ମାତ୍ର ଦଶ ପାଉଣ୍ଡ ଖଜଣା ବିନିମୟରେ ଏଇ ଅଂଶ ଇଜରା ନେଇଥିଲେ । ସେହିବର୍ଷ ଠାରୁ ୧୬୬୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପର୍ତ୍ତୁଗୀଜ୍‌ରାଜା ଐଇ ଖଜଣା ନିୟମିତ ପାଇ ପାରିଥିଲେ । ଏହିବର୍ଷ ଦ୍ୱୀପଗୁଡ଼ିକ ପୁଣି ଇଂରେଜମାନଙ୍କ ଅଧୀନକୁ ଆସେ; କିନ୍ତୁ ତାହା ସ୍ୱଳ୍ପ ସ୍ଥାୟୀ ହୁଏ । ପର୍ତ୍ତୁଗୀଜଙ୍କ ସହ ଇଂରେଜମାନଙ୍କ ବିରୋଧ ବରାବର ଲାଗି ରହୁଥିଲା । ପରେ ଏକ ଚୁକ୍ତି ମାଧ୍ୟମରେ ଇଷ୍ଟ୍‍ଇଣ୍ଡିଆ କମ୍ପାନୀ ପୂର୍ବରୁ ସେହି ଦଶ ପାଉଣ୍ଡ ଖଜଣା ପର୍ତ୍ତୁଗୀଜ୍‌ସରକାରଙ୍କୁ ପ୍ରଦାନ କରି ଦ୍ୱୀପଗୁଡ଼ିକ ଉପରେ ନିଜର ଆଧିପତ୍ୟ ଅକ୍ଷୁଣ୍ଣ ରଖନ୍ତି । ୧୬୬୧ ସାଲରେ ଇଂଲଣ୍ଡର ରାଜା ଦ୍ୱିତୀୟ ଚାର୍ଲସ୍‌ପର୍ତ୍ତୁଗୀଜ୍‌ରାଜକୁମାରୀଙ୍କୁ ବିବାହ କରି ଏହି ଦ୍ୱୀପଗୁଡ଼ିକ ଯୌତୁକ ସ୍ୱରୂପ ପାଆନ୍ତି । ଫଳରେ ଉଭୟ ପକ୍ଷର ଚିରଦିନ ବିବାଦର ଉପଶମ ଘଟେ ଏବଂ ଏଠାରେ ଇଂରେଜ ଶାସନ କାୟମ ହୁଏ ।(୨୧୨)

 

ବିଲାତରେ ଘଟିଥିବା ଘଟଣା ନେଇ ସ୍ଥାନୀୟ କେତେକ ପ୍ରତିଭାଶାଳୀ ପର୍ତ୍ତୁଗୀଜ୍‌ଅସନ୍ତୁଷ୍ଟ ଥିଲେ ଏବଂ ଇଂରେଜଙ୍କ ସଙ୍ଗେ ଯୁଦ୍ଧ ବର୍ଜନ ଚୁକ୍ତିକୁ ବିରୋଧ କଲେ । ସେଥିପାଇଁ ଇଂରେଜ ଶାସନର ପ୍ରଥମ ଭାଗରେଖଣ୍ଡବିଦ୍ରୋହ ଲାଗି ରହିଥିଲା । ଦ୍ୱୀପପୂର୍ଣ୍ଣ ରାଜ୍ୟ ବମ୍ୱାଇ ଇଂରେଜ ଅଧୀନକୁ ଆସିଲା । ଇଂଲଣ୍ଡ ରାଜା ଏହାକୁ ବ୍ରିଟିଶ୍‍ ଶାସନାଧୀନ ରାଜ୍ୟର ଏକ ଅଂଶରୂପେ ଘୋଷଣା କରି ଜଣେ ଗଭର୍ଣ୍ଣର ନିଯୁକ୍ତ କରନ୍ତି । ପ୍ରଥମ ଗଭର୍ଣ୍ଣର ହେଲେ ଜର୍ଜ ଏପ୍ରେନଡନ୍‌, ଛୋଟ ଲାଟ ଜେରାଲଡ଼ ଅଙ୍ଗିୟାର । ଏହାଙ୍କ ସମୟ ୧୬୭୨ ରୁ ୭୭ ଖ୍ରୀ: ଅ: —ଏହି ସମୟ ଭିତରେ ଖାଡ଼ି (ଜଳ ନାଳୀ) ବନ୍ଦକରି ବର୍ତ୍ତମାନ ବମ୍ୱାଇ ସହରର ସେ ମୂଳ ପତ୍ତନ କରିଥିଲେ । ସେହିଦିନଠାରୁ ଏହି ସହର କ୍ରମେ କ୍ରମେ ଉନ୍ନତି ପଥେ ଅଗ୍ରସର ହୁଏ । ୧୬୮୭ ଖ୍ରୀ: ଅ:ରେ ଭାରତର ପଶ୍ଚିମାଞ୍ଚଳରେ ଅବସ୍ଥିତ ଇଂରେଜ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟ ସୁରାଟରୁ ଏଠାକୁ ସ୍ଥାନାନ୍ତରିତ ହୁଏ ୧୭୮୨ ଖ୍ରୀ: ଅ:ରେ ମରାଠାମାନଙ୍କ ସହ ଇଂରେଜମାନଙ୍କ ସାଲାବାଇ ସନ୍ଧି ସ୍ୱାକ୍ଷରିତ ହୁଏ । ଫଳସ୍ୱରୂପ ବେସିନ ବନ୍ଦର ଓ ସାଲସେଟ ଦ୍ୱୀପ ଏ ଦୁଇଖଣ୍ଡ ରାଜ୍ୟ ବ୍ରିଟିଶମାନଙ୍କ ଶାସନାଧୀନକୁ ଆସେ । ଫଳରେ ବୃହତ୍ତର ବୋମ୍ୱାଇର ମୂଳଦୁଆ ଆହୁରି ଦୃଢ଼ ହୋଇଉଠେ । ଏହା ହେଲା ଆଧୁନିକ ବୋମ୍ୱାଇର ଅତୀତ ଇତିହାସ ।

 

ମାଷ୍ଟ୍ର ମହାଶୟଙ୍କ କାହାଣୀ ଶେଷ ହେବା ସଙ୍ଗେ ସଙ୍ଗେ ବିଶ୍ୱାସ ଭାଉଜ ନିଜର ସ୍ୱାଭବିକ ରହସ୍ୟପ୍ରିୟ ଭାବ ବଜାୟ ରଖି ଟିପ୍‌ପଣୀ କାଟି କହିଲେ, ‘ସଦାନନ୍ଦ ବାବୁତ କାହାଣୀ କହି କ୍ଳାନ୍ତ ହୋଇଗଲେ । ଏଥର ମିଶ୍ରବାବୁ ଅବଶିଷ୍ଟାଂଶ ପୂରଣ କରିଦଅନ୍ତୁ । ବର୍ତ୍ତମାନ ଗାଡ଼ିଛାଡ଼ିବା ଡେରି ଅଛି । ଚୁପ୍‌କରି ନ ବସି ଶୀଘ୍ର ଆରମ୍ଭ କରିଦିଅ ।

 

ଇନ୍ଦିରା କହିଲା, ‘‘ତୁମେ ବଡ଼ ଅକୃତଜ୍ଞ ବିଶ୍ୱାସ ଭାଉଜ । କେତେ କଷ୍ଟ କରି ବୋମ୍ୱାଇର ପ୍ରାକ୍ତନ ଇତିହାସ ମାଷ୍ଟର ଦାଦା ତୁମକୁ ଶୁଣାଇଲେ । ବୋମ୍ୱାଇ ଦେଖିବା ପୂର୍ବରୁ ତାହାର ମୋଟାମୋଟି ଚିତ୍ର ଆଖି ଆଗରେ ଜଳ ଜଳ ହୋଇ ନାଚିଉଠିବ । ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ତ’ ଦୂରର କଥା ଏସବୁ ଜ୍ଞାତବ୍ୟ କାହାଣୀ ଶୁଣି ଦାଦାଙ୍କୁ ବିଦ୍ରୂପ କରି ବସିଲ-।’’

 

ସଦାନନ୍ଦବାବୁ ସଙ୍ଗେ ସଙ୍ଗେ କହିଲେ, ଅବସର ସମୟରେ ଗଳ୍ପ ଗୁଜବ କରି ସମୟ କଟେଇବା ହେଉଛି ସବୁଠାରୁ ଉତ୍ତମ ପନ୍ଥା । ନ ହେଲେ ପରନିନ୍ଦା ପରଚର୍ଚ୍ଚା କରି ଅଳସ ସମୟ କଟେଇବାକୁ ପଡ଼ିଥାଏ । ଜାଣିବା କଥା ଅପରକୁ ନ ଜଣେଇଲେ ତା’ର ସାର୍ଥକତା ନାହିଁ । ତା’ପରେ ମିଶ୍ରବାବୁ ଆଗରୁ ଅନୁରୋଧ କରି ରଖିଛନ୍ତି ବୋମ୍ୱାଇ ଯାତ୍ରା ପୂର୍ବରୁ ତା଼ର ସମ୍ୟକ୍‌ପରିଚିତି ଦେବାପାଇଁ । ଦୀର୍ଘଦିନ ଶିୟକତା କରିଅଛି । ଭାରତର ଅନ୍ୟତମ ବିଖ୍ୟାତ ସହର ବୋମ୍ୱାଇ ସଂପର୍କରେ କିଛି ଜାଣିନ କହିଲେ ତ କିଏ ବିଶ୍ୱାସ କରିବେ ନାହିଁ ! ମିଶ୍ରବାବୁଙ୍କ ଅନୁରୋଧ ରକ୍ଷାକରି ଆଜିର ଆସର ଜମାଇବାକୁ ଚେଷ୍ଟା କରିଥିଲି ମାତ୍ର; କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ କେବଳ ଜାଣିଲେ କାହାଣୀ କୁହାଯାଇ ପାରେନା । ଗଳ୍ପ କହିବାର ଗୋଟାଏ ଆର୍ଟ ଅଛି, ଟେକ୍‍ନିକ୍ ଅଛି । ସେ ଟେକ୍‌ନିକ ଯେ ନ ଜାଣେ ତା’ ପକ୍ଷରେ ଆସର ଜମାଇବା କଷ୍ଟକର । ଯାହା ଆଜି ଘଟିଛି, ଦୀର୍ଘଦିନ ଛାତ୍ରମାନଙ୍କୁ କହି କହିଏପରି ଅଭ୍ୟାସ ହୋଇଯାଇଛି ଯେ କିଛି ଗୋଟାଏ ଗଳ୍ପ ବା ଆଲୋଚନା କଲେ ଶ୍ରୋତାମାନଙ୍କୁ କେବଳ ଛାତ୍ର ବୋଲି ମନେ ହୋଇଯାଉଛି । ବକ୍ତବ୍ୟ ମଧ୍ୟରେ ରସ ଥାଉ ବା ନ ଥାଉ ବା ନ ଥାଉ ଛାତ୍ରମାନେ ଶୁଣିବାକୁ ବାଧ୍ୟ, ଯେହେତୁ ସେମାନଙ୍କୁ ପରୀକ୍ଷାରେ ପାଶ୍‌କରିବାକୁ ହେବ; କିନ୍ତୁ ଅନ୍ୟ ଶ୍ରୋତା ତାହାକୁ ସହଜଭାବେ ମାନିନେବେ କିପରି-? କାହାଣୀ ରସଗ୍ରାହୀ ନ ହେଲେ ଶ୍ରୋତା, ସମାଲୋଚନା କରିବେ ହିଁ କରିବେ ।

 

କୌଣସି କଥା ନ କହି ବିଶ୍ୱାସ ଭାଉଜ ବସିବା ଜାଗାରୁ ଉଠିଆସି ସଦାନନ୍ଦବାବୁଙ୍କ ପାଦରେ ହାତଦେଇ ପ୍ରଣାମକରି କହିଲେ,—‘‘ଆପଣ ଯାହା କହିଲେ ମୁଁ ସେ ସବୁ ସଂପର୍କରେ ଅନ୍ୟ କିଛି ଭାବିନାହିଁ । କେବଳ ମିଶ୍ରବାବୁଙ୍କୁ ଟିହାଇବା ପାଇଁ ଏପରି ଏକ କଥା ବାହାରି ପଡ଼ିଲା । ଆପଣଙ୍କ ଭଳି ଦେବତୁଲ୍ୟ ବ୍ୟକ୍ତିଙ୍କ ମନକଷ୍ଟର କାରଣ ହୋଇ ଉଠିଲା । ବିଶ୍ୱାସ କରନ୍ତୁ, ଏହା ମୋର ଇଚ୍ଛାକୃତ ଅପରାଧ ନୁହେଁ, କେବଳ ସ୍ୱଭାବର ଦୋଷ । ନିଜଗୁଣେ ଆପଣ ମୋତେ ମାର୍ଜନା କରନ୍ତୁ ।’’

 

ଆମେମାନେ କିଏ ହେଲେ ଏପରି ଏକ ଘଟଣଶ ସକାଶେ ପ୍ରସ୍ତୁତ ନ ଥିଲୁ । ବିଶେଷକରି ସଦାନନ୍ଦବାବୁ ପାଦ ଅପସାରଣ କରୁ କରୁ କହିଲେ,’’ଛି ଛି ଦିଦି ! ନିଜନିଜ ଭିତରେ କଥାବାର୍ତ୍ତା । ଏଥିରେ ଭଲମନ୍ଦ ବା ଦୋଷ ନିର୍ଦ୍ଦୋଷର କ’ଣ ଅଛି ? ତା’ ସକାଶେ କ୍ଷମାର ଆବଶ୍ୟକତା କେଉଁଠି ? ତେବେ ସତରେ ଯଦି କ୍ଷମାର ଆବଶ୍ୟକତା ଥାଏ, ତାହା କେବଳ ସମ୍ଭବ ହେବ ବୋମ୍ୱାଇର ଅଜ୍ଞାତ ଅଧ୍ୟାୟ ଯଦି ମିଶ୍ରବାବୁ ଆମମାନଙ୍କୁ ଶୁଣାନ୍ତି ।’’

 

ଇନ୍ଦିରା କହିଲା, ‘‘ବାଃରେ ବାଃ ! ଅପରାଧ କଲେ ବିଶ୍ୱାସ ଭାଉଜ, ଆପଣଙ୍କ ନିକଟରେ । କ୍ଷମାଦାତା ଆପଣ । ଆଉ ଦାଦା ଗଣିବେ ଖେସାରତ । ଏ ତ’ ଭଲ କାଜିର ବିଚାର-!’’

 

ଏଯାଏ ନିରବ ଦର୍ଶକ ଭୂମିକାନେଇ ବେଶ୍‌ମନଦେଇ ଏଇ କପଟ କଳହ ବା ମଧୁର ଅଭିନୟ ଉପଭୋଗ କରୁଥିଲି । ଦେଖିଲି, ବର୍ତ୍ତମାନ ପରିସ୍ଥିତି ଯେଉଁଭାବେ ଚାଲିଛି, ଏଠାରେ ଯଦି ଏହାର ଇତି ଟଣାନଯାଏ ତେବେ ଝିମେଟି ଖେଳରୁ ମହାଭାରତ ଯୁଦ୍ଧର ସୂତ୍ରପାତ ହୋଇ ଉଠିବ । ସେ ସକାଶେ ଇନ୍ଦିରାର ଉକ୍ତିରେ ରେଖାଟାଣି କହିଲି, ‘‘ଏପରି ଚିରଦିନ ଘଟିଥାଏ ଭଉଣି ! ଏଇଟା ହିଁ ସଂସାରର ନିୟମ । ତୋର ନିଜ ବିଷୟ ଚିନ୍ତାକରି ଦେଖ, ତା’ର ସତ୍ୟତା ଅନୁଭବ କରିପାରିବୁ-।’’

 

ମୋର କଥାର ପ୍ରତିବାଦ କରି ଇନ୍ଦିରା ଅନ୍ୟ କିଛି ଗୋଟାଏ ପ୍ରତିବାଦ କରିବାକୁ ଯାଉଥିଲା ତାକୁ ସେ ସୁଯୋଗ ନ ଦେଇ ମୁଁ କହିଚାଲିଲି, ବୋମ୍ୱାଇ ନେଇ ମାଷ୍ଟ୍ର ମହାଶୟ ପ୍ରାୟ ସମସ୍ତ କିଛି ଶୁଣାଇଛନ୍ତି ବେଶ୍‌ପ୍ରାଞ୍ଜଳ ଭାବରେ । ମୋର ଭାଗକୁ ରଖିଦେଇଛନ୍ତି ସେ ଯେଉଁଠାରୁ ଆରମ୍ଭ କରିଛନ୍ତି, ତା’ର ପୂର୍ବର ଘଟଣା, ଯାହା ପ୍ରମାଣ ସାପେକ୍ଷ ନୁହେଁ, କିଂବଦନ୍ତୀଭିତ୍ତିକ ଅଟେ । ସେଇ କିଂବଦନ୍ତୀରୁ ଜଣାଯାଏ ପୌରାଣିକ ଯୁଗ ବୋମ୍ୱାଇ ନାମ ବଦଳରେ ଛୋଟ ଛୋଟଏଇ ସାତଟି ଦୀପର ନାମ ଦେଖିବାକୁ ମିଳିଥାଏ । ତତ୍‍କାଳୀନ ନାମ ହେଲା ଅପରାନ୍ତୁ । ଅବସ୍ଥିତି ହେଲା କୋଙ୍କଣ ଉପକୂଳ । କାଳିଦାସଙ୍କ ଅମର କାବ୍ୟ ରଘୁବଂଶରେ ଏହାର ସ୍ୱୀକୃତି ଦେଖିବାକୁ ମିଳିଥାଏ । ତେବେ ସାତଗୋଟି ଦ୍ୱୀପର ନାମ ଦେଖାଯାଏନା । ସେ ସକାଶେ ଅନେକ ଗବେଷକ ତଥା ପଣ୍ଡିତ ବ୍ୟକ୍ତି ମନେକରନ୍ତି, ସେ ଯୁଗରେ ଏଇ ଦ୍ୱୀପପୂର୍ଣ୍ଣ ଅଞ୍ଚଳଟି ଗୋଟିଏ ପାର୍ବତ୍ୟ ଉପଦ୍ୱୀପ ଥିଲା । କୌଣସି ଏକ ଭୂକମ୍ପନ ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ସେଇ ଉପଦ୍ୱୀପଟି ଛିନ୍ନ ବିଚ୍ଛନ୍ନ ହୋଇ ସାତୋଟି ଭୂଖଣ୍ଡରେ ବିଭକ୍ତ ହେଇ ପଡ଼େ । ବର୍ତ୍ତମାନ ସେଗୁଡ଼ିକୁ ପୁଣି ଏକତ୍ରିତ କରି ବୃହତ୍ତର ବୋମ୍ୱାଇର ପରିକଳ୍ପନା କରାଯାଇଅଛି ।

 

ଏହି ସାତୋଟି ଦ୍ୱୀପର ପ୍ରଥମ ଉଲ୍ଲେଖ ଦେଖାଯାଏ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର । ଅନେକେ ମନେକରନ୍ତି ଟଲେମିଙ୍କ ଲେଖାରେ ହେଷ୍ଟାନଶିୟାର ନାମ ଦେଖିବାକୁ ମିଳିଥାଏ, ତାହା ହିଁ ସପ୍ତଦ୍ୱୀପର ସମଷ୍ଟିଗତ ନାମ । ତେବେ ଏକଥା ସତ୍ୟ ଯେ ଟଲେମିଙ୍କ ବହୁପୂର୍ବରୁ ଏହିସ୍ଥାନ ପ୍ରସିଦ୍ଧିଲାଭ କରିଥିଲା ।

 

ବୋମ୍ୱାଇ ବ୍ୟାକୱେ (Backway)କୁ ମାଟିରେ ଭର୍ତ୍ତିକରିବା ସମୟେ ସେହି ଖୋଦିତ ମୃତ୍ତିକା ମଧ୍ୟରୁ ପ୍ରସ୍ତରଯୁଗର କେତେ ନମୁନା ଆବିଷ୍କୃତ ହୋଇ ଥିଲା । ସେ ସବୁକୁ ଅନୁଧ୍ୟାନ କରି ଗବେଷକଗଣ ପ୍ରମାଣ କରିପାରିଛନ୍ତି ଯେ ଅତୀତ ଯୁଗରେ ଏଠିକାର ବାସିନ୍ଦାଗଣ ଗୁହା ମଧ୍ୟରେ ବସବାସ କରୁଥିଲେ । ବର୍ତ୍ତମାନ ବୋମ୍ୱାଇର କୋଲିହାଗଣ ହେଲେ ସେହି ଆଦିବାସିନ୍ଦାଙ୍କ ବଂଶଧର । ଯେଉଁ ପାହାଡ଼ ତାଙ୍କର ନିବାସସ୍ଥଳୀ ଥିଲା, ଆଜି ଆଉ ତାହାର ଅସ୍ତିତ୍ୱ ପର୍ଯ୍ୟନ୍ତ ଦେଖାଯାଏନା । ବର୍ତ୍ତମାନର କୋଲବାପଡ଼ାକୁ ସେହି ଅବଲୁପ୍ତି ଜାଗା ବୋଲି ଅନେକେ ଅନୁମାନ କରିଥାନ୍ତି । କୋଲିହାଙ୍କ ବ୍ୟତୀତ ଭାଣ୍ଡାରୀ, କୁଲବି ଓ ଢେଉରାଗଣ ମଧ୍ୟ ଏଠାର ପୁରାତନ ବାସିନ୍ଦା ବୋଲି ପ୍ରମାଣିତ ହୋଇଅଛି । ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ଅନେକ ସମୁଦ୍ରରେ ମାଛଧର ଜୀବିକା ନିର୍ବାହ କରିଥାଆନ୍ତି ଏବଂ କେତେକ ଚାଷବାସ ତଥା ଚାକିରୀ ବା ମଜୁରୀ ଖଟି ଦିନ ଗୁଜୁରାଣ କରିଥାନ୍ତି ।

 

ସାଲସେଟ୍‌ରେ ଆଧୁନିକ ନାମ କଲ୍ୟାଣ । ଖ୍ରୀଷ୍ଟିୟ ଚତୁର୍ଥ ଶତକରେ ଏଠାରେ ଏକ ବିଖ୍ୟାତ ପୋତାଶ୍ରୟ ଥିବା କଥା ଇତିହାସରୁ ଜଣାଯାଏ । ଏହି ବନ୍ଦର ମଧ୍ୟଦେଇ ସ୍ଥାନୀୟ ବଣିକଗଣ ପାରସ୍ୟ, ମିଶର ଓ ବ୍ୟାବିଳନ ସଙ୍ଗେ ବ୍ୟବସାୟ ବାଣିଜ୍ୟ କରୁଥିଲେ । ଏଥିରୁ ଅତି ସହଜେ ଅନୁମାନ କରାଯାଇପାରେ ଯେ ଏହି ଅଞ୍ଚଳ ଭୃଗୁକଚ୍ଛ ଭଳି ସମୃଦ୍ଧିଶାଳୀ ଥିଲା । ଐତିହାସିକଗଣ ନାନାଦି ଯୁକ୍ତି ଦେଇ ଅଶୋକଙ୍କ ସମୟରେ ଏ ରାଜ୍ୟ ତାଙ୍କର ଶାସାନାଧୀନ ଥିବା କଥା ପ୍ରମାଣିତ କରିଛନ୍ତି । ପରେ ଅପରାନ୍ତ ଭୂଖଣ୍ଡ ସାତବାହନ ବଂଶଧରଙ୍କ ଅଧିକାରରେ ଆସେ-। ଏମାନଙ୍କ ରାଜୁତିକାଳେ ଏ ରାଜ୍ୟ, ଧନ, ସଂପଦ, ବ୍ୟବସାୟ ବାଣିଜ୍ୟ, ଶିକ୍ଷା, ଦୀକ୍ଷା ପ୍ରଭୃତିରେ ଉନ୍ନତି କରିପାରିଥିଲା ଏବଂ ମଧ୍ୟପ୍ରାଚ୍ୟର ମିଶର, ଗ୍ରୀସ୍‌ପ୍ରଭୃତି ରାଜ୍ୟମାନଙ୍କ ସହ ଜଳପଥରେ ବ୍ୟବସାୟ ଯୋଗାଯୋଗ ସ୍ଥାପନ କରି ପାରିଥିଲା । ସାତବାହନଙ୍କ ରାଜୁତି କାଳକୁ ଅପରାନ୍ତ ରାଜ୍ୟର ସୁବର୍ଣ୍ଣଯୁଗ ବୋଲି କୁହାଯାଇପାରେ ।

 

ସତବାହନଙ୍କ ପରେ ମୋର୍ଯ୍ୟଗଣ ଏଠାରେ ରାଜୁତି କରନ୍ତି । ଏଲିଫେଣ୍ଟା ଦ୍ୱୀପର ଉତ୍ତର ପୂର୍ବ କୋଣରେ ଏକ ଜାଗାକୁ ମୋରାବୋଲି ସ୍ଥାନୀୟ ଲୋକମାନେ କହିଥାନ୍ତି । ମୌର୍ଯ୍ୟରୁ ମୋରା ନାମ ଅନୁମାନ କରାଯାଇପାରେ । ଏଥିରୁ ବୁଝାଯାଏ ଏକଦା ଏଠାରେ ମୌର୍ଯ୍ୟଗଣ ବସବାସ କରୁଥିଲେ । ସେ ସମୟରେ ଏଲିଫେଣ୍ଟାର ନାମ ଥିଲା ମଙ୍ଗଳପୁରୀ । ଏହାକୁ ପର୍ଯ୍ୟାୟକ୍ରମେ ମୌର୍ଯ୍ୟ ଓ ଚାଲୁକ୍ୟଗଣ ରାଜଧାନୀରୂପେ ବ୍ୟବହାର କରୁଥିଲେ । ତାହାର କେତେକ ନିଦର୍ଶନ ବର୍ତ୍ତମାନ ସୁଦ୍ଧା ଏଲିଫେଣ୍ଟାରେ ଦେଖାଯାଏ । ସୁଯୋଗ ଏବଂ ସମୟ ସହ ଧୈର୍ଯ୍ୟ ଥିଲେ ଆମେମାନେ ସେ ସବୁ ଦେଖିପାରିବା ।

 

ଚାଲୁକ୍ୟଗଣଙ୍କ ପରେ ରାଷ୍ଟ୍ରକୂଟଗଣ ସ୍ୱଳ୍ପ ସମୟ ସକାଶେ ଏଠାରେ ରାଜତ୍ୱ କରନ୍ତି । ସ୍ଥାନୀୟ କିଂବଦନ୍ତୀର ଜଣାଯାଏ ଯେ ଖିଲହରା ନାମକ ଏକ ରାଜବଂଶ ନବମଠାରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ନିଜ ବଂଶର ରାଜତ୍ୱ କାୟମ କରି ରଖିପାରିଥିଲେ । ଏଥିରୁ ଅନୁମିତ ହୁଏ ରାଷ୍ଟ୍ରକୂଟଙ୍କ ପରେ ଏହାଙ୍କ ରାଜତ୍ୱ ଚାଲିଥିଲା । ଏହାର ପର ଘଟଣା ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ । ଦକ୍ଷିଣରୁ ଆଲ୍ଲାଉଦ୍ଦୀନ ଖିଲିଜୀଦ୍ୱାରା ଆକ୍ରାନ୍ତ ହୋଇ ଭୀମଦେବ ନାମକ ଏକ କ୍ଷତ୍ରିୟ ରାଜା ଏଠାକୁ ଆସି ଅବଲୁପ୍ତ ଶକ୍ତିକୁ ଶଙ୍ଖଳିତ କରି ରାଜୁତି କରନ୍ତି । ତାଙ୍କର ଶାସନକାଳରେ ମହିମ ମହିମାବତୀ ନାମରେ ପରିଚିତ ହେଉଥିଲା । ଭୀମଦେବଙ୍କ ରାଜପ୍ରସାଦର ଧ୍ୱଂସାବିଶେଷ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିଥାଏ । ତାଙ୍କର ଇଷ୍ଟଦେବୀ ପ୍ରଭାଦେବୀଙ୍କ ମନ୍ଦିର ବୋମ୍ୱାଇ ପରିଭ୍ରମଣବେଳେ ଦେଖିବାକୁ ସୁଯୋଗ ଆମମାନଙ୍କୁ ମିଳିପାରିବ । ଭୀମଦେବଙ୍କ ଉତ୍ତରାଧିକାରୀ ନଗରଦେବଙ୍କ ରାଜୁତିକାଳେ ବାହାଦୂରଶାହ ଏଇ ରାଜ୍ୟ ଆକ୍ରମଣ କରି ଦଖଲ କରିଥିବା କାହାଣୀ ତ ମାଷ୍ଟ୍ର ମହାଶୟ କହିଛନ୍ତି । ମୋଟାମୋଟି ଏଇ ହେଲା ପ୍ରାଗ୍‌ଇତିହାସ ଯୁଗର ବୋମ୍ୱାଇ କାହାଣୀ । ଆଗାମୀ କାଲି କାଳ୍ପନିକ ବୋମ୍ୱାଇ ସାଥେ ପ୍ରକୃତ ବୋମ୍ୱାଇର ଚିତ୍ରକୁ ମିଳାଇ ନେଇପାରିବା । ହୁଏତ ସେଠାରୁ ବିଶେଷ କିଛି ତଥ୍ୟ ସଂଗ୍ରହ କରିପାରିବା ।

 

ଗୌତମ ବାବୁ କେତେବେଳୁ ଆସି ନିଶବ୍ଦରେ ବସି କାହାଣୀ ଶୁଣୁଥିଲେ ସେ ପ୍ରତି କାହାର ଖିଆଲ ନାହିଁ । ଅନ୍ଧକାର ମଧ୍ୟରେ କାହାଣୀ ଶୁଣିବାରେ ପ୍ରାୟ ସମସ୍ତ ମସ୍‌ଗୁଲ । ବର୍ତ୍ତମାନ ତାଙ୍କର କଥା ଶୁଣି ସମସ୍ତଙ୍କ ନଜର ସେଥିପ୍ରତି ଆକୃଷ୍ଟ ହେଲା । ସେ ଆଉଥରେ କହିଲେ ଏଥର ବଗିରେ ଉଠିପଡ଼ନ୍ତୁ। ବର୍ତ୍ତମାନ ଏଠାରୁ ବଗିଟିକୁ ଟାଣି ନେଇଯିବ । ବାକି ଗଳ୍ପଟା ଟ୍ରେନରେ ବସି କରିବେ । ମୋର ମତରେ ବୋମ୍ୱାଇ ଦେଖା ଆଗରୁ କାହାଣୀ ଶୁଣିବା ଅପେକ୍ଷା ଦେଖିସାରିବା ପରେ ସେ କାହାଣୀ ଆହୁରି ଚିତ୍ତାକର୍ଷକ ହେବ । ବର୍ତ୍ତମାନ ଉଠିପଡ଼ନ୍ତୁ, ନ ହେଲେ ପ୍ଲାଟ୍‍ଫର୍ମରେ ଗାଡ଼ି ଲାଗିବା ପର୍ଯ୍ୟନ୍ତ ଏଠାରେ ବସି ରହିବାକୁ ପଡ଼ିବ ।

 

ବଗି ଉଦ୍ଦେଶ୍ୟରେ ଉଠୁ ଉଠୁ କହିଲି, ଗଳ୍ପଟାକୁ ପ୍ରସ୍ତୁତି ପର୍ବ ବୋଲି ଧରିନିଅନ୍ତୁ ଗୌତମବାବୁ । ତା’ ହେଲେ ଦେଖିବେ ଦର୍ଶନୀୟ ବସ୍ତୁ ଆହୁରି ବେଶି ଚିତ୍ତାକର୍ଷକ ହୋଇ ଉଠିବ । କଥା ଆଉ ନ ବଢ଼ାଇ ଗୌତମବାବୁ ଦ୍ରୁତ ଚାଲିଗଲେ । ଆମେମାନେ ମଧ୍ୟ ସାଣ୍ଟିଙ୍ଗ୍‍ଇଞ୍ଜିନର ଗତିବିଧି ପ୍ରତି ନଜର ରଖି ନିଜ ନିଜ ଜାଗାରେ ବସିଗଲୁ । ରାତ୍ର ଦଶଟାରେ ଆମର ଯାତ୍ରା ଆରମ୍ଭ ବୋମ୍ୱାଇ ପଥେ । ଇତ୍ୟବସରରେ ଶିଳ୍ପନଗରୀ ଅହମଦାବାଦ ସହ ମହାତ୍ମାଙ୍କ ସ୍ୱପ୍ନର ସାବରମତୀ ଆଶ୍ରମକୁ ଶେଷ ନମସ୍କାର ଜଣାଇ ନେଲି ।

 

୩୧ / ୧୦ / ୭୮ ସକାଳ ୬.୨୫ ମିନିଟରେ ଅହମଦାବାଦ ଜନତା ଏକ୍‌ସପ୍ରେସ ବମ୍ୱେ ସେଣ୍ଟ୍ରାଲ ଷ୍ଟେସନରେ ପ୍ରବେଶ କଲା । ପଶ୍ଚିମ ରେଲୱେରେ ଆମର ଯାତ୍ରା ଶେଷ । ଭିକ୍ଟୋରିଆ ଟାନାଲରୁ ନାଗପୁର ପର୍ଯ୍ୟନ୍ତ ସେଣ୍ଟ୍ରାଲ୍‍ ରେଲୱେ । ସେଠାରୁ ଆମର ଅତି ପରିଚିତ ସାଉଥ ଇଷ୍ଟର୍ଣ୍ଣ ରେଲୱେ ଯାହାର ପୂର୍ବ ନାମ B.N.R. (ବେଙ୍ଗଲ, ନାଗପୁର ରେଲୱେ) ଲୋକେ ସେତେବେଳେ ଉପଲକ୍ଷ୍ୟ ଦେଇ କହୁଥିଲେ—Be Never Regular । ଏକ ଟ୍ରେନରୁ ଅନ୍ୟ ଲାଇନକୁ ବଗିଟି ଅଦଳ ବଦଳ କରାଇପାଇଁ ଅନେକ ଜମିନ୍‌ଆସମାନ ଧାଁ ଧଉଡ଼ କରିବାକୁ ହୋଇଥାଏ । ସେ ସବୁ ବିଦ୍ୟ ଗୌତମବାବୁ ଭଲ ଜାଣନ୍ତି । ସେ ନେଇ ଆମର ଚିନ୍ତା ନାହିଁ । ବଗିଟିକୁ ସାଣ୍ଟିଙ୍କ ଲାଇନକୁ ନେଇ ସଙ୍ଗେ ସଙ୍ଗେ ନିକଟସ୍ଥ କଳରେ ସ୍ନାନାଦି ନିତ୍ୟକର୍ମ ଶେଷ କରିନେଇ ରାଜୀବ ସଙ୍ଗେ ବାହାରି ପଡ଼ିଲୁ ବୋମ୍ୱାଇ ସହର ଦେଖିବା ପାଇଁ ରିଜର୍ଭ ବସ୍‌ଯୋଗେ । ଦ୍ୱିପ୍ରହର ଭୋଜନର ବ୍ୟବସ୍ଥା ମାଲବାର ହିଲରେ । ସୁତରାଂ ସାରାଦିନ କେବଳ ବୁଲିବା । କ୍ଳାନ୍ତିକର ପରିବେଶ ମଧ୍ୟରେ ନୂତନତାର ଆସ୍ୱାଦ । ଭାରତର ପ୍ରଧାନ ସହରମାନଙ୍କ ମଧ୍ୟରେ ବୋମ୍ବାଇ ଦ୍ୱିତୀୟ ବୃହତ୍ତମ ସହର । ଦର୍ଶନୀୟ ସ୍ଥାନ ଅନେକ ବେଶି । ଥରକେ ସମସ୍ତ କିଛି ଦେଖିବା ସମ୍ଭବ ନୁହେଁ । ମୁଖ୍ୟ ମୁଖ୍ୟ ସ୍ଥାନଗୁଡ଼ିକ ଯେପରି ବାଦ ନ ପଡ଼େ, ସେ ପ୍ରତି ବାର ବାର ରାଜୀବକୁ ସତର୍କ କରେଇ ଦେଇ ନିଜ ଆସନରେ ବସିଗଲି । ବସ୍‌ତା’ର ଗତିପଥେ ଆଗେଇ ଚାଲିଲା ।

 

ଆରବ ସାଗର ତୀରରେ ଇଣ୍ଡିଆ ଗେଟ୍‌ । ୧୯୧୧ ସାଲରେ ସମ୍ରାଟ ପଞ୍ଚମ ଜର୍ଜ ଓ ରାଣୀ ମେରୀଙ୍କ ଭାରତ ପରିଦର୍ଶନର ସ୍ମାରକ ସ୍ୱରୂପ ଏହି ଗେଟଟି ନିର୍ମିତ ହୋଇଥିଲା । ୧୯୨୪ ସାଲ ଡିସେମ୍ୱର ଚବିଶି ତାରିଖରେ ତତ୍‌କାଳୀନ ଭାରତ ଲାଟ ଜସସାଧାରଣଙ୍କ ସକାଶେ ଏହି ଗେଟ୍‍ ପଥକୁ ମୁକ୍ତ କରିଦେଇଥିଲେ । ଇଣ୍ଡିଆ ଗେଟ୍‍ର ବିପରୀତ ଦିଗରେ ଭାରତ ଗୌରବ ଦୁଇ ମୁକ୍ତି ଯୋଦ୍ଧାଙ୍କ ଷ୍ଟାଚ୍ୟୁ ଦେଖାଯାଏ । ଜଣେ ମୋଗଲ ଶାସିତ ରାଜ୍ୟକୁ ପୁନରୁଦ୍ଧାର କରି ପୁଣି ଆର୍ଯ୍ୟ ସ୍ଥାନରେ ହିନ୍ଦୁର ସ୍ୱାଧୀନତା ପ୍ରତିଷ୍ଠା ପାଇଁ ଜୀବନ ସାରା ସଂଗ୍ରାମ କରିଥିଲେ ଏବଂ ଯଶସ୍ୱୀ ମଧ୍ୟ ହୋଇପାରିଥିଲେ । ସେ ହେଲେ ହିନ୍ଦୁକୂଳ ତିଳକ ଛତ୍ରପତି ଶିବାଜୀ । ଅନ୍ୟଟି ବୀର ସନ୍ନ୍ୟାସୀ ବିବେକାନନଦଙ୍କର, ଯିଏ ସମଗ୍ର ବିଶ୍ୱରେ ହିନ୍ଦୁର ଭ୍ରାତୃତ୍ୱ ଭାବ ପ୍ରତିଷ୍ଠା କରିବା ସାଥେ ମୁକ୍ତିର ପଥ ଦେଖାଇ ଥିଲେ । ନିକଟସ୍ଥ ଘାଟରୁ ଲଞ୍ଚ ସର୍ଭିସ୍‌ଯୋଗେ ଏଲିଫେଣ୍ଟା ଯିବା ସକାଶେ ସୁବିଧା ଅଛି ।

 

ପ୍ରିନ୍‌ସ ଅଫ୍‌ୱେଲସ୍‌ମିଉଜିୟମ୍‌—ମିଉଜିଅମର ନିର୍ମାଣ କାଳ ୧୯୧୪ ସାଲ । ଏଠାରେ ବହୁ ମୂଲ୍ୟବାନ ତଥା ଦୁଷ୍ପ୍ରାପ୍ୟ ଚିତ୍ରମାନ ସଂରକ୍ଷିତ ହୋଇ ଅଛି । ଅଜନ୍ତା, ଇଲୋରା, ବାଘ, ଏଲିଫେଣ୍ଟ । ଅନେକ ଚିତ୍ତାକର୍ଷକ ପ୍ରାଚୀନ କାଳର ଅଙ୍କା ଚିତ୍ରମାନ ଦେଖିବାକୁ ମିଳିଥାଏ । ଫାର୍ଶୀ ଟାୱାର ଅଫ୍‍ ସାଇଲେନ୍‌ସ’ର ଏକ ଛୋଟ ସଂସ୍କରଣ ଏଠାରେ ରଖାହୋଇଛି । ଏହାକୁ ଦେଖି ପ୍ରକୃତ ଚିତ୍ର ଅନୁମାନ କରିବା ସହଜ ହୋଇଥାଏ । ଓରିଜିନାଲ୍‍ ଟାୱାର ଫାର୍ସି ବ୍ୟତୀତ ଅନ୍ୟ କାହା ପକ୍ଷେ ଦେଖିବା ସମ୍ଭବ ନୁହେଁ । ମିଉଜିଅମଟି ପ୍ରଧାନତଃ ତିନିଭାଗରେ ବିଭକ୍ତ—ଆର୍ଟ, ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ । ପ୍ରତିଟି ବିଭାଗ ସକାଳ ଦଶଘଟିକାଠାରୁ ଅପରାହ୍ନ ଛଅ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶକମାନଙ୍କ ସକାଶେ ଉନ୍ନୁକ୍ତ ରହେ । ସୋମବାର ଛୁଟି ଦିନ । ମଙ୍ଗଳବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ମିଉଜିଅମ ଦେଖିବାକୁ ପଚାଶ ପଇସା ଦର୍ଶନୀ ଲାଗିଥାଏ ।

 

ଜାହାଙ୍ଗୀର ଆର୍ଟଗ୍ୟାଲେରୀ—ଉକ୍ତ ଭବନଟି ୨୧ / ୧ / ୧୯୫୨ ସାଲ୍‌ରେ ଉଦ୍‌ଘାଟିତ ହୋଇଥିଲା ତତ୍‌କାଳୀନ ବୋମ୍ୱାଇର ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଜି. ଖେରଙ୍କ ଦ୍ୱାରା । ଆର୍ଟରେ ସର୍ବୋତଭାବେ ଉନ୍ନତି ସାଧନ ପାଇଁ ଶ୍ରୀ କୋୱାସିଜ ଜାହାଙ୍ଗୀର ଏଇ ଭବନଟି ଦାନ କରିଥିଲେ ।

 

ରାଜବାଇ କ୍ଳକ୍‍ ଟାୱାର—ଏହି ଟାୱାରଟି ପ୍ରେମଚାନ୍ଦ ରାୟଚାନ୍ଦ ତାଙ୍କର ମାଆ ରାଜବାଈଙ୍କ ସ୍ମୃତିରକ୍ଷାର୍ଥେ ନିର୍ମିତ କରାଇଥିଲେ । ୨୬୦ ଫୁଟଉଚ୍ଚତାବିଶିଷ୍ଟ ଏହି ଟାୱାର ନିର୍ମାଣ ପାଇଁ ସେ ସମୟରେ ପ୍ରାୟ ତିନିଲକ୍ଷ ଟଙ୍କା ଖରଚ ହୋଇଥିଲା । ଟାୱାରର ଶୀର୍ଷ ଦେଶରେ ସ୍ଥାପିତ ଘଡ଼ିଟିଅନେକ ଦୂର ପର୍ଯ୍ୟନ୍ତ ଦେଖାଯାଇଥାଏ ।

 

ଚର୍ଚ୍ଚଗେଟ୍‍ ରେଲୱେ ଷ୍ଟେସନ—ଏହି ରେଳଷ୍ଟେସନଟି ବୋମ୍ୱାଇର ପ୍ରାୟ କେନ୍ଦ୍ର ସ୍ଥଳରେ ଅବସ୍ଥତ । ସମସ୍ତ ବିଦ୍ୟୁତ ଚାଳିତ ସହରତଳି ଟ୍ରେନଗୁଡ଼ିକର ଯାତାୟାତ ଏଠାରୁ ନିୟନ୍ତ୍ରିତ ହୋଇଥାଏ । ଅଫିସ ଯାତ୍ରୀଙ୍କୁ ବସ୍‌ ପଛରେ ବାଦୁଡ଼ି ଭଳି ଝୁଲିବାକୁ ପଡ଼ି ନ ଥାଏ । ଷ୍ଟେସନରୁ ପଦାକୁ ବାହାରିବା ପାଇଁ ସୁପ୍ରଶସ୍ତ ଅଣ୍ଡରଗ୍ରାଉଣ୍ଡ (ଭୂଇଁତଳ) ପଥ ରହିଅଛି । ପରିଷ୍କାର ପରିଚ୍ଛନ୍ନ, ଆଲୋକ ବତାସ ପରିପୂର୍ଣ୍ଣ ପଥଟି ଅତିକ୍ରମ କରିବାକୁ ବେଶ୍ ଆନନ୍ଦ ତଥା ଆରାମ ବୋଧହୁଏ ।

 

ସଚିବାଳୟ—ସମ୍ପୂର୍ଣ୍ଣ ଆଧୁନିକ ପରିକଳ୍ପନାନୁଯାୟୀ ନିର୍ମିତ ମହାରାଷ୍ଟ୍ର ସରକାରଙ୍କ ସେକ୍ରେଟେରିଏଟ୍‍ । ନିକଟରେ ଜୀବନ ବୀମା ଓ ଆକାଶବାଣୀ ପ୍ରଚାର କେନ୍ଦ୍ର, ନାମ ଯୋଗକ୍ଷେମ ଭବନ ।

 

ମ୍ୟୁନିସିପାଲ କର୍ପୋରେସନ— ଭବନଟି ୧୮୯୩ ସାଲରେ ନିର୍ମିତ । ପ୍ରାସାଦର ଗମ୍ୱୁଜଟିର ଉଚ୍ଚତା ୨୨୫ ଫୁଟ । ବିପରୀତ ଦିଗେ ସାର୍‌ଫିରୋଜସାହା ମେହେଟାଙ୍କ ଷ୍ଟାଚ୍ୟୁ । ଦର୍ଶକ ମୁଗ୍‌ଧ ଚିତ୍ତରେ ଅପୂର୍ବ ଦୃଶ୍ୟ ଦେଖି ସାମୟିକ ଭାବେ ଆତ୍ମବିସ୍ମୃତି ହୋଇପଡ଼େ ।

 

କ୍ରାଫୋର୍ଡ ମାର୍କେଟ—ଯାହାର ବର୍ତ୍ତମାନ ନାମ ଜ୍ୟୋତିଫୁଲେ ମାର୍କେଟ । ଏହା ସହରର ପ୍ରଧାନ ବାଣିଜ୍ୟ-କେନ୍ଦ୍ର । ୧୮୬୫-୭୧ ସାଲରେ ବୋମ୍ୱାଇ ମ୍ୟୁନିସିପାଲଟି କମିସନର ଆର୍ଥର କ୍ରାଫୋଡ଼ ଏହି ବଜାର ପ୍ରତିଷ୍ଠା କରିଥିଲେ । ଏହି ମାର୍କେଟର ମାଟି ଏକ ସମୟରେ ସ୍ୱାଧୀନତାପ୍ରେମୀ ଭାରତୀୟଙ୍କ ରକ୍ତରେ ଲାଲ୍‍ ହୋଇଉଠିଥିଲା । ବୋଧହୁଏ ତାହା ହିଁ ଥିଲା ନିରସ୍ତ୍ର ଭାରତବାସୀଙ୍କ ଉପରେ ଇଂରେଜ-ସରକାରଙ୍କ ସର୍ବ ପ୍ରଥମ ବର୍ବରୋଚିତ ଗୁଳି ଚାଳନା ।

 

ଯଥା ସମୟରେ ଏ ଖବର ଯାଇ ମହାତ୍ମାଙ୍କ କାନରେ ପହଞ୍ଚିଲା । ବର୍ବରୋଚିତ ଅତ୍ୟାଚାର ବିରୁଦ୍ଧରେ କମିସନରଙ୍କ ନିକଟରେ ସେ ଦୃଢ଼ ପ୍ରତିବାଦ ଜଣାଇଲେ; କିନ୍ତୁ ‘‘କାକସ୍ୟ ପରିବେଦା’’—ସମସ୍ତ ପ୍ରତିବାଦ ନିଷ୍ଫଳ ହେଲା । ଏହି ଘଟଣା ଗାନ୍ଧିଜୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିକଲା । ତାଙ୍କର ସମସ୍ତ ଚିନ୍ତାଧାରା ଓ କର୍ମପନ୍ଥା ପୁଣି ନୂତନ ରୂପେ ପରିଗ୍ରହ କଲା । ମୂଳ ଭିତ୍ତି ହେଲା ଅହିଂସା । ସ୍ୱାଧୀନତା ଆନ୍ଦୋଳନରେ ଏହା ହିଁ ହେବ ମୁଖ୍ୟ ଅସ୍ତ୍ର । ସେହିଦିନ ଠାରୁ ସ୍ୱାଧୀନତା ଆନ୍ଦୋଳନ ଦ୍ରୁତ ଆଗେଇ ଚାଲିଲା ଏହି ଅହିଂସା ପଥ ଧରି । ଏହି ସେହି ଇତହାସ ପ୍ରସିଦ୍ଧ କ୍ରାଫୋର୍ଡ଼ଫ ମାର୍କେଟ, ଯାହାର ବର୍ତ୍ତମାନ ନାମ ମହାରାଷ୍ଟ୍ରର ବିଶିଷ୍ଟ ସମାଜସେବୀ ଜ୍ୟୋତିଫୁଲେଙ୍କ ନାମରେ ନାମିତ ହୋଇଛି ।

 

ମିଣ୍ଟ୍‍ ବାଟଙ୍କଶାଳା :—୬୦୦୦ଫୁଟ ବର୍ଗକ୍ଷେତ୍ରବିଶିଷ୍ଟ ଏ. ବିରାଟ ଟାକଶାଳା ୧୮୨୯ ସାଲରେ ନିର୍ମିତ ହୋଇଥଲା । ବାହାରୁ ଦେଖିଲେ ବିଶେଷ କିଛି ଜାଣିବା ଉପାୟ ନାହିଁ ବା ଭିତରକୁ ଯିବାକୁ ସାଧାରଣ ଦର୍ଶକଙ୍କ କୌଣସି ଉପାୟ ନାହିଁ ।

 

ମେରିନ ଡ୍ରାଇଭ :—ବ୍ରେକ୍‌ୱେ ସମୁଦ୍ର ତୀର ଧରି ଅର୍ଦ୍ଧ-ବୃତ୍ତାକାରରେ ଏହାର ଅବସ୍ଥିତି-। ବର୍ତ୍ତମାନ ନାମ ନେତାଜୀ ସୁଭାସରୋଡ଼ । ପଶ୍ଚିମ ପାଖ ସମୁଦ୍ର କୂଳ ଧରି ମସୃଣ ତଥା ବିସ୍ଥୀର୍ଣ୍ଣ ପଦଚଲା ପଥା । ରାଜପଥର ପୂର୍ବଧାରରେ ଆଭିଜାତ୍ୟପୂର୍ଣ୍ଣ ମହଲ । ନିଶାଗମରେ ଯେତେବେଳେ ବିଦ୍ୟୁତ୍‍ ଆଲୋକ ଜଳିଉଠେ, ଏଇସବୁ ପଥ, ତଥା ସୁରମ୍ୟ ମହଲରେ ସେତେବେଳେ ମନେହୁଏ ଯେପରି ନଗରୀ ରାଣୀ ଗଳାରେ ଯେଉଁ ଅଦୃଶ୍ୟ ହସ୍ତ ଅଲକ୍ଷ୍ୟରେ ମୂଲ୍ୟବାନ ରତ୍ନହାର ଲମ୍ୱାଇ ଦେଇଛି ଭାରତର ସମୁଦ୍ର ସେକେତେ ଯେତେ ପଥ ନିର୍ମିତ ହୋଇଛି, ବୋମ୍ୱେଇ ମେରିନ୍‌ ଡ଼୍ରାଇଭ ନିଃସନ୍ଦେହ ଅଗ୍ରଗଣ୍ୟ । ସାନ୍ଧ୍ୟ ଭ୍ରମଣ ସକାଶେ ଏହାହିଁ ହେଲା ସବୁଠାରୁ ପ୍ରଶସ୍ତ କ୍ଷେତ୍ର-

 

ତାରପୋରୱାଲା ଏକୋରିଅମ :—ପ୍ରତ୍ୟହ ପୂର୍ବାହ୍ନ ଏଗାର ଘଟିକାଠାରୁ ଆଠଟାଯାଏ ଜନସାଧାରଣଙ୍କ ସକାଶେ ଉନ୍ନକ୍ତ ରହେ । ସୋମବାର ଦିନ ସାଧାରଣ ଛୁଟିଦିନ । ଦର୍ଶନୀ ମାତ୍ର ପଚିଶି ପଇସା । ନାନା ରକମ ସାମୁଦ୍ରିକ ଜୀବ, ଜଳଚର ପ୍ରାଣୀ ସହ ବିଭିନ୍ନ ଧରଣ ମାଛର ବିପୁଳ ସଂଗ୍ରହ ଓ ସୁସଂରକ୍ଷଣ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ ଏଇ ଏକୋରିଅମଟି । ବମ୍ୱେରେ ଏହା ଅବଶ୍ୟ ଦର୍ଶନୀୟ । ସମୁଦ୍ର ଫେଣା, ପ୍ରବାଳ, ପ୍ରଭୃତି ସାମୁଦ୍ରିକ କେତେକ ଧାତୁ ଓ ଉଦ୍ଭିଦ ମଧ୍ୟ ଏହା ଭିତରେ ଦେଖିବାକୁ ମିଳିଥାଏ । ପ୍ରତ୍ୟେକର ପରିଚିତି ଇଂରେଜୀ ଏବଂ ସ୍ଥାନୀୟ ଭାଷାରେ ସୁନ୍ଦରଭାବେ ଲେଖାହୋଇଅଛି । ଯଦ୍ୱାରା ଦେଖିବା ସଙ୍ଗେସଙ୍ଗେ ଜାଣିବା ସହଜ ହୋଇ ଉଠେ । ଏତେ ବଡ଼ ଏବଂ ସୁନ୍ଦର ଏକୋରିଅମ୍‌ ଭାରତବର୍ଷର ଅନ୍ୟ କେଉଁଠି ନାହିଁ । ସମସ୍ତ କିଛି ଦେଖିବାକୁ ବେଶ୍‌ସମୟ ଲାଗେ । କେବଳ ଥରେ ଦେଖିଲେ ମନର କୌତୁହଳ ଦୂର ହେବନାହିଁ । କେତେକ ଅଜ୍ଞାତନାମା (ନାମ ଦେଖିଲେ ବି ମନେ ରଖିବା ଅସମ୍ଭବ) ସାମୁଦ୍ରିକଜୀବଙ୍କ ଜୀବନ ଲୀଳା ବେଶ୍‌ କୌତୁକପ୍ରଦ ଏବଂ ଆନନ୍ଦଦାୟକ ।

 

ଚୌପାଟି :—ଏକୋରିଅୟମର ଅଳ୍ପ ଦୂରରେ ଏହାର ଅବସ୍ଥିତି । ଅପ୍ରତିଦ୍ୱନ୍ଦୀ ମହାନ ନେତା ସୁଭାସଚନ୍ଦ୍ରଙ୍କ ରାଜନୀତିକ ଗୁରୁ ମହାରାଷ୍ଟ୍ରର ପ୍ରାତଃ ସ୍ମରଣୀୟ କର୍ମବୀର ବିଠଳ ଭାଇଙ୍କ ପ୍ରତିମୂର୍ତ୍ତି ଏଠାରେ ପ୍ରତିଷ୍ଠିତ । ଅନ୍ୟ ଦିଗେ ଲୋକମାନ୍ୟ ତିଳକ ଓ ଲୌହମାନବ ପଟେଲଙ୍କ ପ୍ରତିମୂର୍ତ୍ତି । ଫଳରେ ସ୍ଥାନର ଗାରିମା ବହୁଳାଂଶେ ବୃଦ୍ଧି ପାଇଅଛି । ସମୁଦ୍ରତୀରେ ଏହି ମନୋରମ ସ୍ଥାନଟି ସନ୍ଧ୍ୟାପରେ ସରଗରମ ହୋଇଉଠେ ଅବସର ବିନୋଦନକାମୀ ଯାତ୍ରୀଙ୍କ ସମାଗମରେ । ସେ ସମୟରେ ଏଠାର ବିଖ୍ୟାତ ପକୋଡ଼ି ଓ ଚାଟ୍‌ଦେକାନରେ ଲାଇନ ଲାଗିଯାଏ । ଭେଲପୁରୀ ଓ କୁଲଫି ମଧ୍ୟ କିଛି କମ୍‌ବିକ୍ରୀହୋଇ ନ ଥାଏ । ବହୁ ରାତ୍ର ପର୍ଯ୍ୟନ୍ତ ଏଠାରେ ଭିଡ଼ ଜମିରହେ । ଜାଗାଟି ନିଃସନ୍ଦେହେ ଆନନ୍ଦଦାୟକ ଓ ଚିତ୍ତାକର୍ଷକ ମଧ୍ୟ ।

 

ଝୁଲନ୍ତ ବଗିଚା :—ଯାହାର ଅନ୍ୟ ଏକ ନାମ ଫିରୋଜସାହ ମେହଟା ଗାର୍ଡ଼ନ । ପ୍ରଥମ ନିର୍ମିତକାଳ ୧୮୮୦ ସାଲ ବୋଲି ଉଲ୍ଲେଖ ଥିଲେ ମଧ୍ୟ ପ୍ରକୃତରେ ଉଦ୍ୟାନର ଏ ନୂତନ ପରିକଳ୍ପନା ହୁଏ ୧୯୨୧ ସାଲରେ । ମନୋରମ ଉଦ୍ୟାନର ଆଧୁନିକ ସଜାରେ ପୁରାତନର ସମସ୍ତ କିଛି ବିଲୀନ ହୋଇ ରୂପକଥାର ଆକାର ଧାରଣ କରେ । ରୂପସୀର ନବରୂପ ସମ୍ପୂର୍ଣ୍ଣ ସର୍ବାଧୁନିକ ପରିକଳ୍ପନାରେ ପରିସ୍ଫୁଟିତ ହୋଇ ଦର୍ଶକମାନଙ୍କ ଚିତ୍ତବିନୋଦନ କରିଥାଏ । ନାମରେ ଝୁଲନ୍ତବଗିଚା ହେଲେ ମଧ୍ୟ ସତ ସତରେ ଏହା କେଉଁଠି ଝୁଲନ୍ତ ଅବସ୍ଥାରେ ନାହିଁ । ବମ୍ୱେ ସହରର ନାତିଉଚ୍ଚ ଏକ ପାହାଡ଼ ଶିଖର ବକ୍ର ଭାବରେ ଏକଦିଗେ ‘ରେଫ’ ଆକାରେ ବୃଦ୍ଧି ପାଇଅଛି, ଯାହାକୁ ପ୍ରକୃତିର ଏକ ବିଚିତ୍ର ଖିଆଲ ବୋଲି କୁହାଯାଇ ପାରେ । ସେଇ ଶିଖର ଦେଶରେ ଏହି ମନୋରମ ଉଦ୍ୟାନଟି ଅବସ୍ଥିତ । ତେଣୁ ତଳୁ ବା ମୂଳ ଶିଖରାଂଶକୁ ବାଦ ଦେଇ ଅନ୍ୟ ତିନି ଦିଗରୁ ଦେଖିଲେ ଝୁଲନ୍ତ ଅବସ୍ଥାଟି ନଜରରେ ପଡ଼ିଥାଏ । ସେହିହେତୁ ଏପରି ନାମକରଣ ହୋଇଅଛି । ଏହି ଉଦ୍ୟାନର ଏକ ଅଂଶରେ ତିରିଶି ମିଲିଅନ୍‍ ଗ୍ୟାଲନର ବିଖ୍ୟାତ ୱାଟର ରିଜର୍ଭ ରହିଅଛି । ତାହା ଉପରେ ଉଠି ବମ୍ୱେ ସହରର ମନେରମ ସୂର୍ଯ୍ୟାସ୍ତ ଦେଖାଯାଇଥାଏ । ଅଭିଜ୍ଞ ଯାତ୍ରୀଙ୍କର ଅଭିମତ, ‘‘ସମୟ କରି ପ୍ରତ୍ୟେକ ପର୍ଯ୍ୟଟକଙ୍କ ଏହି ମନୋମୁଗ୍‌ଧକର ଦୃଶ୍ୟ ଉପଭୋଗ କରିବା ଉଚିତ୍‌ ।’’’ ଛାୟାଶୀତଳ ପରିବେଶ ମଧ୍ୟରେ କେତେକ ଚିତ୍ତାକର୍ଷକ କୃତ୍ରିମ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏସବୁ ଦେଖିବାକୁ ସବୁ ସମୟରେ ପ୍ରାୟ ଭିଡ଼ ଲାଗିଥାଏ । ରୋଡ଼୍‍ ଧାରେ ଧାରେ ନାନାରକମ ରସନା-ତୃପ୍ତି କର ଖାଦ୍ୟସହ ବିଭିନ୍ନ ଉପଢ଼ୌକନ ସାମଗ୍ରୀ ମଧ୍ୟ ବିକାକିଣା ହେବା ଦେଖିବାକୁ ମିଳିଥାଏ ।

 

କମଳା ନେହୁର ପାର୍କ :—ବୋମ୍ୱାଇର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ କମଳା ନେହୁର ପାର୍କ ହେଲା ଏକ ନୂତନ ସଂଯୋଜନା । ଏଠାରେବୁଢ଼ିରଜୋତା ନାମକ ଏକ ବିରାଟ ଅଟ୍ଟାଳିକା ଅତୀବ ଆକର୍ଷଣୀୟ । ଏହି ସୁରମ୍ୟ ହର୍ମ୍ୟଟି ଗୋଟିଏ ସୁ (Shoe) (ଯୋତା) ମଡ଼େଲରେ ଗଠିତ । ହର୍ମ୍ୟ-ଯୋତାର ମୁଖ ଦେଇ ପ୍ରବେଶ କରି ଶେଷ ପଏଣ୍ଟରେ ଠିଆ ହୋଇ ବୋମ୍ୱାଇ ସହରର ମନେରମ ଦୃଶ୍ୟ ଦେଖିହୁଏ । କମଳା ନେହରୁ ପାର୍କର ନିର୍ମାଣ କର୍ମ ଏଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ । କାମ ଶେଷହେଲେ ଏହା ଯେ ଏକ ମନୋମୁଗଧକର ଅବସର ବିନୋଦନ କ୍ଷେତ୍ର ହୋଇ ଉଠିବ ଏହା ନିଃସନ୍ଦେହେ କୁହାଯାଇପାରେ । ଅର୍ଦ୍ଧସମାପ୍ତ ପଥେ ଉଦ୍ୟାନଟିରେ ଯାହା ସବୁ ଦେଖିବା ସମ୍ଭବ ହୋଇପାରିଛି ତାହାର ମୂଲ୍ୟ କିଛି କମ୍‌ ନୁହେଁ ।

 

ଟାୱାର ଅଫ୍‌ସାଇଲେନ୍‌ସ :—ଏହି ଜାଗାରେ ଫାର୍ସି ସମ୍ପ୍ରଦାୟର ମୃତ ବ୍ୟକ୍ତିଙ୍କ ଶବକୁ ସତ୍‌କାର କରାଯାଇଥାଏ । ଏ ସତ୍‌କାର ପଦ୍ଧତି ଅଜ୍ଞ ଲୋକଙ୍କ ପକ୍ଷରେ ଅତି ଅଭିନବ ବୋଲି ମନେ ହେବ । ଅନେକେ ଏହାକୁ ଏକ ଅଜବ କାହାଣୀ ମଧ୍ୟ କହିପାରନ୍ତି । ମୃତଦେହକୁ ଅଗ୍ନି-ଦଗ୍ଧ କରି ବା ମାଟି ତଳେ କବର ଦେବା ଫାର୍ଶି ସମ୍ପ୍ରଦାୟ ମଧ୍ୟରେ ପ୍ରଚଳନ ନାହିଁ । ଧର୍ମ ଅନୁଶାସନ ମୁତାବକ ମୃତଦେହକୁ ନେଇ କୌଣସି ଏକ ସୁଉଚ୍ଚ ତଥା ଉନ୍ମୁକ୍ତ ସ୍ଥାନରେ ରଖିଦେଇ ଶବବାହକମାନେ ଅପସରି ଯାଆନ୍ତି ।ଏହି ଶବବାହକମାନେ ମାସିକ ବେତନ ପାଇଥାନ୍ତି ଏବଂ ଖବର ପହଁଞ୍ଚିବା ମାତ୍ରେ କାଳବିଳମ୍ୱ ନ କରି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସାଧନ କରିବାପାଇଁ ଟାୱାରଭିମୁଖେ ଅଗ୍ରସର ହୋଇଥାନ୍ତି । ମୃତ ବ୍ୟକ୍ତିର ଆତ୍ମୀୟ ପରିଜନଗଣ ଶ୍ୱେତବସ୍ତ୍ର ପରିହିତ ହୋଇ ଶବାନୁଗମନ କରିଥାନ୍ତି । ନିର୍ଦ୍ଦିଷ୍ଟ ଜାଗାରେ ମୃତଦେହକୁ ରଖି ବାହକଗଣ ଚାଲିଯିବା ସଙ୍ଗେ ସଙ୍ଗେ ପରିଜନବୃନ୍ଦ ମୃତବ୍ୟକ୍ତିକୁ ଶେଷ ସମ୍ମାନ ପ୍ରଦର୍ଶନ କରି ସେହି ସୁଉଚ୍ଚ ଟାୱାରରୁ ଅବତରଣ କରିଥାଆନ୍ତି ଏବଂ ତଳେ ଛାଇ ସ୍ଥାନ ଦେଖି ବସି ମୃତ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରନ୍ତି । ଟାୱାରସ୍ଥିତ ଶବ ନଭୋଚାରୀ ଶାଗୁଣା, ଚିଲ, କୁଆଦ୍ୱାରା ଭକ୍ଷ ହୋଇଯିବା ପରେ ଅବଶିଷ୍ଟ ଅସ୍ଥିହାଡ଼ ସମୂହକୁ ଟାୱାର ତଳେ ନିର୍ମତ ଏକ ଗଭୀର କୂପରେ ବିସର୍ଜନ ଦିଆହୋଇଥାଏ । ଏହି କାମ ଧାରାବାହିକ ଭାବେ ଏଠାରେ ବେତନଭୁକ୍ତ କର୍ମଚାରୀମାନେ ନିର୍ବାହ କରିଥାଆନ୍ତି । ବୈଚିତ୍ର୍ୟମୟ ଭାରତବର୍ଷରେ କେତେ ଯେ ମତବାଦ ପ୍ରଚଳିତ ହୋଇଆସୁଅଛି, ତା’ର କଳନା ନାହିଁ । କେବଳ ଶୁଣିବାଦ୍ୱାରା ମନତୃପ୍ତି ଲାଭ କରିପାରେନା । ଚକ୍ଷୁ ଆଉ କର୍ଣ୍ଣର ବିବାଦ ଭଞ୍ଜନ ସକାଶେ ବିଭିନ୍ନ ପ୍ରାନ୍ତେ ବୁଲି ଦେଖିବା ଆବଶ୍ୟକତା ପଡ଼ିଥାଏ ।

 

ବାବୁଲାନାଥ ମନ୍ଦିର—ଅନେକେ ମନେ କରିଥାନ୍ତି ଉକ୍ତ ମନ୍ଦିରଟି ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ ଅତ୍ୟାଧୁନିକ ମନ୍ଦିର ବୋଲି; କିନ୍ତୁ ପ୍ରକୃତରେ ତାହା ନୁହେଁ । ଆଦି ମନ୍ଦିରଟି କେବେ ଏବଂ କାହାଦ୍ୱାରା ନିର୍ମିତ ହୋଇଥିଲା, ତା’ର ପ୍ରମାଣ ନାହିଁ । ମନ୍ଦିରଟି ୧୭୮୦ ଖ୍ରୀ:ର ପ୍ରଥମ ଭାଗରେ ନିର୍ମିତ ହୋଇଥିଲା, ଏ ବିଷୟରେ ସମସ୍ତ ଐତିହାସିକ ଏକମତ ପ୍ରକାଶ କରିଥାନ୍ତି-। ମୂଳ ମନ୍ଦିରଟି ୧୯୦୦ ଖ୍ରୀ:ରେ ସ୍ଥାନୀୟ ଭକ୍ତଗଣଙ୍କ ଉଦ୍ୟମରେ ପୂର୍ଣ୍ଣ ସଂସ୍କାର କରାହୁଏ-। ଏହା ମାଲବାର ହିଲ୍‌ଓ ଝୁଲନ୍ତ ଉଦ୍ୟାନରଗଡ଼ାଣିଆ ରାସ୍ତାରେ ଏକ ସୁଉଚ୍ଚ ସ୍ଥାନରେ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ।

 

ଆଗଷ୍ଟ କ୍ରାନ୍ତି ମଇଦାନ—ଯାହାର ଅନ୍ୟ ଏକ ନାମ ଗୁୱାଳିଆ ଟ୍ୟାଙ୍କ । ଏହି ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସ ୧୯୪୨ ଅଗଷ୍ଟ ନ’ରେ ସର୍ବପ୍ରଥମ ଭାରତ ଛାଡ଼ ପ୍ରସ୍ତାବ ଗ୍ରହଣ କରିଥିଲା । ସେଇ ପବିତ୍ର ସ୍ମୃତିକୁ ଚିର ସ୍ମରଣୀୟ କରି ରଖିବା ସକାଶେ ଓ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ବରେଣ୍ୟ ଦେଶପ୍ରେମିଗଣ ଆତ୍ମାହୁତି ଦେଇଥିଲେ, ସେମାନଙ୍କର ମଧ୍ୟରୁ କେତକ ଗୁଣିବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଏଠାରେ ସଂରକ୍ଷିତ ହୋଇ ଶୋଭାପାଉଅଛି । ଏହାର ଅତି ନିକଟରେ ତେଜପାଲ ଅଡ଼ିଟୋରିଅମ୍‌ (Auditorium) ବା ପ୍ରେକ୍ଷାଳୟ ମଇଦାନ, ଯେଉଁଠି ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଭାଷାର ଯାତ୍ରା ବା ଥିଏଟର ଅଭିନୀତ ହୋଇଥାଏ ।

 

ମଣିଭବନ–କୌଣସି ଏକ ସମୟରେ ମହାତ୍ମା ଗାନ୍ଧି ଏଠାରେ ବସବାସ କରୁଥିଲେ । ବର୍ତ୍ତମାନ ଗାନ୍ଧି ମିଉଜିଅମ୍‌ଭାବେ ଉକ୍ତ ଭବନ ବ୍ୟବହୃତ ହେଉଛି । ମହାତ୍ମା ଗାନ୍ଧିଙ୍କ କେତେକ ବ୍ୟକ୍ତିଗତ ବ୍ୟବହୃତ ଜିନିଷ ଓ ଉପହାର ପ୍ରାପ୍ତ ଦର୍ଶନୀୟ ବସ୍ତୁ ଏଠାରେ ସୁସଜ୍ଜିତ ଭାବେ ସଂରକ୍ଷିତ କରି ରଖାଯାଇଛି ।

 

ମହାଲକ୍ଷ୍ମୀ ମନ୍ଦିର–ସମୁଦ୍ର ଧାରରେ ବ୍ରିଚକାଣ୍ଡି ଓ ହର୍ଣ୍ଣରିଭାଲାର୍ଡ଼ ମଧ୍ୟସ୍ଥଳେ ଏହି ମନେରମ ମନ୍ଦିରଟି ଅବସ୍ଥିତ । ମନ୍ଦିର ମଧ୍ୟରେ ମହାଲକ୍ଷ୍ମୀ ସହ ଅନ୍ୟ ଦୁଇଟି ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ । ସ୍ଥାନୀୟ ଲୋକଙ୍କ ମତରେ ଏଇ ଦୁଇ ମୂର୍ତ୍ତି ହେଲେ ମହାଲକ୍ଷ୍ମୀଙ୍କ ଦୁଇ ଭଉଣୀ ସରସ୍ୱତୀ ଓ ଯମୁନା । ଏଥିରେ ପୌରାଣିକ ସମର୍ଥନ ଅଛି କି ନାହିଁ ତାହା ତର୍କ ସାପେକ୍ଷ ହେଲେ ମଧ୍ୟ ଭକ୍ତ ଦର୍ଶକମାନଙ୍କ ମନରେ କୌଣସି ବିକାର ସୃଷ୍ଟି କରେନା । ବହୁ ଯାତ୍ରୀ ସମାଗମରେ ମନ୍ଦିର ସଦାସର୍ବଦା ସରଗରମ ଦେଖାଯାଇଥାଏ । ଏହି ମନ୍ଦିର ନିର୍ମାଣ ନେଇ ଗୋଟିଏ ଚିତ୍ତାକର୍ଷକ କିଂବଦନ୍ତୀ ଶୁଣିବାକୁ ମିଳିଥାଏ । ଅତୀତର କେଉଁ ଏକ ସମୟରେ କୋଲବାର କଜୱେ ଭଳି ଏଠାରେ ମଧ୍ୟ ସମୁଦ୍ର ଭିତର ଦେଇ ୱାର୍ଲି ପର୍ଯ୍ୟନ୍ତ ଏକ ପ୍ରଶସ୍ତ ରାସ୍ତା ତୟାରି କରିବା ପ୍ରସ୍ତାବ ନଗର କର୍ତ୍ତୃପକ୍ଷ ଗ୍ରହଣ କଲେ ଏବଂ ତାହା କାର୍ଯ୍ୟକାରୀ କରିବା ସକାଶେ ଉଦ୍ୟମ ଚାଲିଲା-। ଦାୟିତ୍ୱ ନ୍ୟସ୍ତ ହେଲା ହର୍ଣ୍ଣାରି ସାହେବଙ୍କ ଉପରେ । ମିଷ୍ଟର ହର୍ଣ୍ଣାରି ବାର ବାର ଚେଷ୍ଟା କରି ସୁଦ୍ଧା ରାସ୍ତାର ମୂଳ ଶକ୍ତ କରିପାରୁନାହାନ୍ତି । ବିଜ୍ଞାନର ସମସ୍ତ କଳାକୌଶଳକୁ ବ୍ୟର୍ଥ କରି ନିର୍ମିତାଂଶ ପରମୁହୂର୍ତ୍ତରେ ଭାଙ୍ଗିଯାଉଅଛି । ହର୍ଣ୍ଣାରି ସାହେବ ଅନ୍ୟପଥ ନପାଇ ଯେତେବେଳେ ଏ ପରିକଳ୍ପନା ତ୍ୟାଗ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା କଥା ଚିନ୍ତା କରୁଛନ୍ତି, ସେହି ସମୟରେ ରାମଜୀ ଶିବାଜୀ ନାମକ ଜନୈକ ଅଧୀନସ୍ଥ ଠିକାଦାର ସ୍ୱପ୍ନାବିଷ୍ଟ ହେଲେ–‘‘ସ୍ୱୟଂ ମହାଲକ୍ଷ୍ମୀ ତାଙ୍କୁ ଦେଖାଦେଇ କହୁଛନ୍ତି, ମାଟିତଳୁ ଦୁଇଭଉଣୀ ସହ ମୋତେ ଉଦ୍ଧାର କରି ମନ୍ଦିର ପ୍ରତିଷ୍ଠା କଲେ ଯାଇ ତୁମର ଏ ପ୍ରଚେଷ୍ଠା ସଫଳତା ଲାଭ କରିପାରିବ ଏବଂ ହର୍ଣ୍ଣାରିଙ୍କ ପ୍ରଚେଷ୍ଟା ସାର୍ଥକ ହେବ । ପୋଲ ବା ରାସ୍ତା ନିର୍ମାଣରେ ଅନ୍ୟ କୌଣସି ପ୍ରତିବନ୍ଧକ ହେବନାହିଁ-।’’ ରାମଜୀଙ୍କର ନିଦ ଭାଜିଗଲା । ଦେଖିଲେ କିଏ କେଉଁଠି ନାହିଁ । ଉତ୍କଣ୍ଠାରେ ଅବଶିଷ୍ଟ ରାତ୍ର ପ୍ରାୟ ଉଜାଗରରେ କଟାଇ ଅତି ସକାଳେ ଯାଇ ହର୍ଣ୍ଣେରି ସାହେବଙ୍କୁ ଉକ୍ତ ସ୍ୱପ୍ନାଦିଷ୍ଟ କାହାଣୀ ଜଣାଇଲେ । ଗଭର୍ଣ୍ଣର (ହର୍ଣ୍ଣେରି ସେ ସମୟରେ ବୋମ୍ୱାଇର ଗଭର୍ଣ୍ଣର ଥିଲ) ଉକ୍ତ କାହାଣୀକୁ ବିଶ୍ୱାସ କଲେ । ତାଙ୍କର ନିର୍ଦ୍ଦେଶେ ନିର୍ଦ୍ଦିଷ୍ଟ ଜାଗା ଖନନ ହେଲା । ଭୂଗର୍ଭ ମଧ୍ୟରୁ ଉକ୍ତ ତିନି ଦେବୀମୂର୍ତ୍ତି ଆବିଷ୍କାର କରାଗଲା । ତା’ର ପରେ ସେହି ସ୍ଥାନରେ ନିର୍ମିତ ହେଲା ଏହି ମନ୍ଦିର-। ତିନିଦେବୀ ଆଡ଼ମ୍ୱର ସହକାର ପ୍ରତିଷ୍ଠିତା ହେଲେ । ପରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଆଉ କୌଣସି ବିଘ୍ନ ଉପୁଜିଲା ନାହିଁ । ଏଇ ସୁପ୍ରଶସ୍ତ ତଥା ମନୋମୁଗ୍‌କର ରାସ୍ତା ନିର୍ମତ ହେଲା-। ଉଦ୍ୟୋକ୍ତାଙ୍କର ନାମାନୁସାରେ ରାସ୍ତାର ନାମକରଣ ହେଲା ହର୍ଣ୍ଣାରୀ ଭ୍ୟାଲର୍ଡ଼ । ମହାଲକ୍ଷ୍ମୀ ମନ୍ଦିର ବୋମ୍ୱାଇ ସହରର ପଶ୍ଚିମ ପ୍ରାନ୍ତ ରକ୍ଷାକାରୀ ମାଲବାରହିଲଠାରୁ କାମ୍ୱାଳାହିଲ ପର୍ଯ୍ୟନ୍ତ ବିସ୍ତୁତ ପାହାଡ଼ର ଉତ୍ତର ପ୍ରାନ୍ତେ ଅବସ୍ଥିତ ।

 

ହାଜିଆଲିଦରଗା—ଲକ୍ଷ୍ମୀ ମନ୍ଦିରୀ ନିକଟରୁ ଗୋଟିଏ ଛୋଟ ପଥ ଚାଲିଯାଇଛି ସମୁଦ୍ର ତୀରସ୍ଥିତ ମାମାଆଲିଙ୍କ କବର ପର୍ଯ୍ୟନ୍ତ । ଏଇ ନାମରେ ବୋମ୍ୱେଇ ସହରରେ ଗୋଟିଏ ପାର୍କ ମଧ୍ୟ ଦେଖିବାକୁ ମଳିଥାଏ । କବର ଏବଂ ମସଜିଦଟି ଏତେ ତଳେ ଯେ ଜୁଆର ସମୟରେ ଏ ଦୁଇଜାଗା ଜଳରେ ଭରିଉଠେ । ଯାତ୍ରୀଗଣ ଏହି ପୁଣ୍ୟାତ୍ମାଙ୍କ କବର ଦେଖିବାକୁ ଯାଇଥାନ୍ତି ।

 

ଭିକ୍‌ଟୋରିଆ ଗାର୍ଡନ ଓ ଅଲବାର୍ଟ ମିଉଜିଅମ୍‌:—ପ୍ରାୟ ତିରିଶି ଏକର ବିସ୍ତୁତ ଜାଗା ଉପରେ ଏଇ ଦୁଇଟି ପ୍ରତିଷ୍ଠାନ ଅବସ୍ଥିତ । ପ୍ରଥମେ ଏହାର ସମସ୍ତ ଦାୟିତ୍ୱ ଏଗ୍ରିହାର୍ଟିକଲଚରଲ ସୋସାଇଟି (Agri-Horticultural Society) ନାମକ ପ୍ରତିଷ୍ଠାନ ଉପରେ ନ୍ୟସ୍ତ ଥିଲା । ୧୮୭୩ ସାଲରେ ବୋମ୍ୱାଇ ସରକାର ସେହି ସୋସାଇଟି ନିକଟରୁ ଏହାର ଦାୟିତ୍ୱ ଗ୍ରହଣ କରନ୍ତି ଏବଂ ସେହି ଦିନଠାରୁ ସହରର ପୌରସଭା ଏହି ଦୁଇଟି ପ୍ରତିଷ୍ଠାନ ପରିଚାଳନା କରିଥାନ୍ତି । ଏଠାରେ ଏଲିଫେଣ୍ଟାର ସେହି ପ୍ରସ୍ତର ନିର୍ମିତ ହସ୍ତୀଟିକୁ ରଖାଯାଇଅଛି । ଭିକ୍ଟୋରିଆ ଗାର୍ଡ଼ନ ପ୍ରକୃତରେ ଗୋଟିଏ ଚିଡ଼ିଆଖାନା । ଏକ ଭାଗରେ ଯେପରି ଅସଂଖ୍ୟା ଜୀବଜନ୍ତୁ, ପଶୁପକ୍ଷୀ ଦେଖି ମନେହୁଏ ଏହା ଗୋଟିଏ ଚିଡ଼ିଆଖାନା, ସେପରି ଅନ୍ୟ ପ୍ରାନ୍ତେ ବିଭିନ୍ନ ଉଦ୍‌ଭିଦ, ଲତା, ଗୁଳ୍ମ ପ୍ରଭୃତି ଦେଖିବା ପରେ ମନେହୁଏ ଏହା ଗୋଟିଏ ବୋଟାନିକାଲ ଗାର୍ଡ଼ନ । ଏହି ଆନନ୍ଦଦାୟକ ଉଦ୍ୟାନଟି ଦେଖିବାକୁ ବେଶ୍‌ସମୟ ଲାଗେ । ଅଲବାର୍ଟ ମିଉଜିଅମରେ ପୁରାତନ ବୋମ୍ୱାଇର କେତେକ ଭଗ୍ନାଂଶ ଏବଂ ନିକଟସ୍ଥ ପ୍ରସିଦ୍ଧ ସ୍ଥାନମାନଙ୍କ ପୁରାତନ କୀର୍ତ୍ତିର କେତେକ ଅଂଶବିଶେଷ ଦେଖିବାକୁ ମିଳିଥାଏ । ସମସ୍ତ ମିଉଜିଅମଟି ଦେଖିବାକୁ ହେଲେ ବହୁ ସମୟ ଦରକାର ଏବଂ ସେଥି ସଙ୍ଗେ ଉପଯୁକ୍ତ ଗାଇଡ଼ର ସାହାଯ୍ୟ ମଧ୍ୟ ।

 

ବାବୋର୍ଣ୍ଣ ଷ୍ଟେଡିୟମ :—ଚର୍ଚ୍ଚଗେଟ୍‍ ରେଳଷ୍ଟେସନର ବିପରୀତ ଦିଗରେ ଅବସ୍ଥିତ ଏହି ବିରାଟ ଷ୍ଟେଡିଅମଟି ୧୯୩୬ ମେ’ ବାଇଶି ତାରିଖରେ ସର୍ବସାଧାରଣଙ୍କ ସକାଶେ ଉନ୍ମୁକ୍ତ କରାହୁଏ । ୮୪,୦୦୦ ବର୍ଗଫୁଟ ବିସ୍ତୁତ ଏହି କ୍ରୀଡ଼ାଙ୍ଗନରେ ପ୍ରାୟ ୪୦,୦୦୦ ଦର୍ଶକ କ୍ରୀଡ଼ା ଦେଖିଥାଆନ୍ତି । ବୋମ୍ୱାଇ ଗଭର୍ଣ୍ଣର ଲର୍ଡ଼ ବ୍ରାବୋର୍ଣ୍ଣଙ୍କ ସମୟରେ ଉକ୍ତ ଷ୍ଟେଡିଅମ୍‌ରଭିତ୍ତି ତାଙ୍କରିଦ୍ୱାରା ସ୍ଥାପନ କରାଯାଇଥିଲା । ସେହି ହେତୁ ଏହାର ନାମ ତାଙ୍କର ନାମାନୁସାରେ ବ୍ରାବୋର୍ଣ୍ଣ ଷ୍ଟେଡିୟମ୍‌ ରଖାଯାଇଅଛି ।

 

ଜୁମାମସ୍‌ଜିଦ :—ମଙ୍ଗଳ ଦାସ ମାର୍କେଟ ଓ ଅବ୍‌ଦୁଲ ରହମାନ ଷ୍ଟ୍ରିଟର ମଧ୍ୟସ୍ଥଳରେ ଅବସ୍ଥିତ ଏହି ମସଜିଦଟି ମୁସଲମାନ ସଂପ୍ରଦାୟଙ୍କ ଗୋଟିଏ ମହାନ ପବିତ୍ର କ୍ଷେତ୍ର ରୂପେ ପରିଗଣିତ ହୋଇଥାଏ । ପ୍ରତି ଶୁକ୍ରବାର ଦିନ ସ୍ଥାନୀୟ ମୁସଲମାନଗଣ ନମାଜ ପଢ଼ିବାସକାଶେ ଏଠାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଥାଆନ୍ତି ।

 

ଶିବାଜୀ ପାର୍କ ଓ ଶିବାଜୀ ରଙ୍ଗମନ୍ଦିର :—ଇତିହାସଧନ୍ୟ ଏହି ପାର୍କଟି ଛତ୍ରପତି ଶିବାଜୀଙ୍କ ନାମରେ ଉତ୍ସର୍ଗୀକୃତ । ପାର୍କର ଏକ ଦିଗେ ଶିବାଜୀ ରଙ୍ଗମନ୍ଦିର ବା ଥିଏଟର ଷ୍ଟେଜ ଦେଖାଯାଏ । ଦର୍ଶକମାନଙ୍କ ବସିବା ସ୍ଥାନଗୁଡ଼ିକ ମଧ୍ୟ ଅତି ସୁନ୍ଦର ଭାବେ ସଜ୍ଜିତ । କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଯେ କୌଣସି ସଂସ୍ଥା ଏଠାରେ ଯାତ୍ରା ଥିଏଟର କରିପାରନ୍ତି ।

 

ଜୁହୁବିଚ୍‍:—ସାନ୍ତାକ୍ରୁଜ ବିମାନ କ୍ଷେତ୍ରର ଅଦୂରରେ ଏହାର ଅବସ୍ଥିତି । ପାଖାପାଖି ଅନେକ ନାମାଯାଦା ହୋଟେଲ ଓ ରେଷ୍ଟୁରେଣ୍ଟ ସମଷ୍ଟିରୁ ସ୍ଥାନର ଗୁରୁତ୍ୱ ପ୍ରମାଣିତ ହୋଇଥାଏ । ସନ୍ଧ୍ୟା ସମୟରେ ସମୁଦ୍ର ବେଳାରେ ବହୁ ଜନସମାଗମରେ ସ୍ଥାନଟି ସରଗରମ ହୋଇଉଠେ । ନାନାରକମ ମୁଖରୋଚକ ଖାଦ୍ୟଦ୍ରବ୍ୟ ସହ ବହୁ ମନୋରମ ସାମଗ୍ରୀ ଏହି ସମୟରେ ବିକାକିଣା ହୋଇଥାଏ । ନିୟମିତ ପ୍ରାୟ ପ୍ରତ୍ୟେକ ଅଞ୍ଚଳରୁ ଏଠାକୁ ବସ୍‌ସର୍ଭିସ ଥିବା ହେତୁ ଯାତାୟତର ସେପରି ଅସୁବିଧା ଦେଖାଯାଏନା । ଅବସର ବିନୋଦନ ପାଇଁ ଏ ଅଞ୍ଚଳଟି ବେଶ ପ୍ରସିଦ୍ଧ ।

 

ନେସନାଲ ପାର୍କ ବା କୃଷ୍ଣଗିରି ଉପବନ :—ବୋଭିଲ୍‌ଷ୍ଟେସନର ପୂର୍ବରେ ଅବସ୍ଥିତ ଏହି ସବୁଜ ଉପବନଟି ସାପ୍ତାହିକ ଚିତ୍ତବିନୋଦନ ବା ବିଶ୍ରାମ ନେବା ପକ୍ଷେ ଅତି ଉପଭୋଗ୍ୟ ସ୍ଥାନ । ଦୈନିକ ହାରରେ ଏଠାରେ କଟେଜ୍‌ଭଡ଼ାକୁ ମିଳିଥାଏ । ପାହାଡ଼ର ଶୀର୍ଷ ଦେଶରେ ଗୋଟିଏ ସ୍ମୃତି ମନ୍ଦିର ଦେଖିବାକୁ ମିଳେ । ସମୟର ସ୍ୱଳ୍ପତା ହେତୁ ଉକ୍ତ ମନ୍ଦିର ଦେଖିବା ସୌଭାଗ୍ୟ ହୋଇପାରିଲା ନାହିଁ ।

 

କାନାହାରି କେଭ :—କୃଷ୍ଣଗିରିର ଅପଭ୍ରଂଶ ନାମ କାନାହାରି । ବୋମ୍ୱାଇଠାରୁ ବୋରିଭିଲ ଷ୍ଟେସନ୍‍ ପ୍ରାୟ ଉଣେଇଶି ମାଇଲ । ଇଲେକ୍‌ଟ୍ରିକ୍‌ଟ୍ରେନ୍‍ ଏବଂ ସୁନ୍ଦର ସଡ଼କ ଯୋଗାଯୋଗର ବ୍ୟବସ୍ଥା ରହିଛି ବୋମ୍ୱାଇ ସହର ସହ । ତେଣୁ ଯାତ୍ରୀଙ୍କ ଯାତାୟତରେ କୌଣସି ଅସୁବିଧା ହୋଇ ନଥାଏ । ବୋରିଭିଲ ପରେ ନେସନାଲ ପାର୍କ । ଛୁଟି ବିନୋଦନ ତଥା ବଣଭୋଜି ସକାଶେ ବେଶ୍‍ ଉପଯୋଗୀ ସ୍ଥାନ । କର୍ତ୍ତୃପକ୍ଷ ଯାତ୍ରୀଙ୍କ ରାନ୍ଧି ଖାଇବା ପାଇଁ ଛୋଟ ଛୋଟ ଘର ତୟାର କରି ଦେଇଛନ୍ତି । ଅନେକେ ସାମାନ୍ୟ ଭଡ଼ା ବିନିମୟରେ ଏ ସୁଯୋଗ ନେଇଥାଆନ୍ତି । ନେସନାଲ ପାର୍କ ପରେ ଘନଜଙ୍ଗଲ ମଧ୍ୟ ଦେଇ ସୁନ୍ଦର ମସୃଣ ପକ୍‌କା ପଥ ଚାଲିଯାଇଛି କାନାହାରି ପର୍ଯ୍ୟନ୍ତ । ଅଙ୍କା ବଙ୍କା ଉଚ୍ଚା ନୀଚା ପଥ ହେତୁ ଯାନ ବାହନ ସାଧାରଣତଃ ଚଳାଚଳ କରେନା । ତେଣୁ ପଦବ୍ରଜେ ଯିବାକୁ ପଡ଼ିଥାଏ । ଗଡ଼ାଣିଆ ପଥ ଯେଉଁଠି ଶେଷ ହୋଇଛି, ସେଠାରୁ ସୋପାନ ଶ୍ରେଣୀର ଆରମ୍ଭ । ଶେଷ ପାହାଡ଼ ଶୀର୍ଷ ଦେଶରେ, ଅବଶ୍ୟ ପାହାଡ଼ ସେପରି ବେଶି ଉଚ୍ଚ ନୁହେଁ । ଗାଁ ମୁଣ୍ଡରେ ଗୋଟିଏ ଛୋଟ ମୁଣ୍ଡିଆ ସଙ୍ଗେ ଏହାକୁ ତୁଳନା କରାଯାଇପାରେ-। ସମ୍ପୂର୍ଣ୍ଣ ପାହାଡ଼ ଗାତ୍ରେ ଇଥିହାସ ଯୁଗର ଅସଂଖ୍ୟ ବୌଦ୍ଧ ଗୁମ୍ଫା ଦେଖିବାକୁ ମିଳେ–ସଂଖ୍ୟାରେ ପ୍ରାୟ ୧୩୨ ଗୋଟି । ଅର୍ଦ୍ଧଚନ୍ଦ୍ରାକୃତ୍ତି ଏହି ଗୁହାଗୁଡ଼ିକର ଅବସ୍ଥିତି ପ୍ରଥମ ନଜରରେ ଗୁହାନଗରୀ ବୋଲି ଭ୍ରମଜାତକରାଇଥାଏ । ଏଗୁଡ଼ିକର ଅପୂର୍ବ ନିର୍ମାଣକୌଶଳ ଦେଖି ମନ ବିସ୍ମାୟାବିଷ୍ଟ ହୋଇପଡ଼େ। ପାହାଡ଼ ବକ୍ଷ କାଟି ଏକ ଅଦ୍ଭୁତ ପ୍ରଣାଳୀରେ ଏହାର ସୃଷ୍ଟି । ଏହି ଗୁମ୍ଫା ମଧ୍ୟରେ କେତକ ପୁଣି ଦୋତାଲା ତିନିତାଲାବିଶିଷ୍ଟ । ତାହାରି ମଧ୍ୟରେ ରହିଛି ଦର୍ଶକ ଗେଲେରୀ, ଦରବାର କକ୍ଷ ଭଳି ବିରାଟ ହଲ୍‌ଗୃହ । ଗୃହର ଆୟତନକୁ ସାମଞ୍ଜସ୍ୟ ରଖି ବାହାରର ବାରଣ୍ଡା-। ମୁଖ୍ୟ ଗୁହା ଘର ଭିତରେ ବିଭିନ୍ନ ଧରଣ ସ୍ତୂପ ବା ବୌଦ୍ଧ ମୂର୍ତ୍ତି । ପ୍ରାୟ ପ୍ରତିଟି ଗୁହା ସମ୍ମୁଖରେ କୂଅ । ଅଳ୍ପ ଗଭୀରରେ ନିର୍ମଳ ସ୍ୱଚ୍ଛ ଜଳ ପରିଷ୍କାର ଭାବେ ଦେଖାଯାଏ । ଗୁହା ବାସିନ୍ଦା ଶ୍ରମଣଗଣ ଅତି ସହଜ ଭାବରେ ଜଳ ବ୍ୟବହାର କରିପାରୁଥିଲେ ବୋଲି ଏଥିରୁ ସ୍ପଷ୍ଟ ବୁଝାଯାଏ । ସମସ୍ତ ଗୁହା ମଧ୍ୟରେ ତିନିଗୋଟି ଚୈତ୍ୟ ଓ ଗୋଟିଏ ଦରବାର ଗୃହ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ-। ଅତୀତର କେଉଁ ଏକ ଯୁଗରେ ଏଇ କୃଷ୍ଣ, ହରି (ଗିରି) ବା କାନାହାରି ଅଞ୍ଚଳ ଯେ ବିଶେଷ ଭାବେ ବୌଦ୍ଧ ପ୍ରଭାବାନ୍ୱିତ ଥିଲା, ଏସବୁ ଦେଖିଲେ ଆଉ ସନ୍ଦେହର ଅବକାଶ ରହେନା ।

 

ଯଜ୍ଞେଶ୍ୱରୀ ଗୁହା :—ଗ୍ରାଣ୍ଡ୍‍ରୋଡ଼ ଷ୍ଟେସନଠାରୁ ପନ୍ଦର ମାଇଲ ଦୂରରେ ଯଜ୍ଞେଶ୍ୱରୀ ଷ୍ଟେସନ । ଷ୍ଟେସନଟି ସେଭଳି ବିଖ୍ୟାତ ନହେଲେ ମଧ୍ୟ ସହର ତଳିର ପ୍ରାୟ ସମସ୍ତ ଟ୍ରେନ୍‍ ଏଠାରେ ଅଳ୍ପ ସମୟ ରହେ । ସହରଠାରୁ ଏଯାଏଁ ସଡ଼କ ଯୋଗାଯୋଗ ବି ଅତି ଉନ୍ନତ ଧରଣର-। ଷ୍ଟେସନଠାରୁ ପ୍ରାୟ ଅଧ ମାଇଳ ଦୂରରେ ଏହି ଗୁହା ମନ୍ଦିରଟି ଅବସ୍ଥିତ । କାନାହାରୀରେ ଯେପରି ବୌଦ୍ଧ ପ୍ରଭାବ ପରିଦୃଷ୍ଟ ହୁଏ, ସେପରି ଯଜ୍ଞେଶ୍ୱରୀରେ ଶୈବ ପ୍ରଭାବ ନଜରରେ ପଡ଼ିଥାଏ । ବିଶେଷଜ୍ଞଙ୍କ ଅଭିମତରେ ଏହିଗୁହା ମନ୍ଦିରର ନିର୍ମାଣ କାଳ ଅଷ୍ଟମ ଶତାବ୍ଦୀ-। ପଞ୍ଚାନବେ ଫୁଟ ଦୀର୍ଘ ଏହି ସୁଉଚ୍ଚ ମନ୍ଦିର ଗୃହଟି ପଚିଶି ଗୋଟି ଖମ୍ୱ ଉପରେ ସୁଦୃଢ଼ଭାବେ ପ୍ରତିଷ୍ଠିତ । ପ୍ରାଚୀର ଗାତ୍ରେ ଦେବାଧିଦେବଙ୍କ ବିଚିତ୍ର ଲୀଳାର ବିଭିନ୍ନ କାହାଣୀ ସୁଚାରୁ ରୂପେ ଖୋଦାଇ କରାଯାଇଛି । ଏକଦା ଯେ ଚିତ୍ର କାହାଣୀ ଶିଳ୍ପ ନୈପୁଣ୍ୟର ମହିମା କୀର୍ତ୍ତନ କରୁଥିଲା, ଆଜି ଯତ୍ନର ଅଭାବେ ଏବଂ କେତେକ ବିଦେଶୀ ଶକ୍ତିର ବିକୃତ ମନୋଭାବ ଯୋଗୁଁ ଏପରି ଏକ ପରିସ୍ଥିତିରେ ପହଞ୍ଚିଛି ଯେ ତାହାର ଭାଷା ଆଉ ସଠିକ ଭାବେ ଉଦ୍ଧାର କରିବା ସମ୍ଭବ ନୁହେଁ-। ଗୃହର ମଧ୍ୟସ୍ଥଳେ ବିରାଟ ଶିବ ଲିଙ୍ଗ । ଏ ସମସ୍ତ ସୃଷ୍ଟି ଦେଖିଲେ ସେ ଯୁଗର ମନୁଷ୍ୟ କିପରି ପରିଶ୍ରମୀ ଥିଲେ ଏବଂ ଶିଳ୍ପଜ୍ଞାନ କେତେ ଉନ୍ନତ ଧରଣର ଥିଲା, ତାହା କଳନା କରାଯାଇ ପାରେନା ।

 

ସେଠାରୁ ବେସିନ ପୋର୍ଟ ହୋଇ ନିଜ ଆସ୍ଥାନ ଉଦ୍ଦେଶ୍ୟରେ ଫେରି ଆସିଲୁ । ସେତେବେଳେକୁ ରାତ୍ର ନଅଟା ବାଜି ସାରିଲାଣି; କିନ୍ତୁ ସକାଳେ ଛାଡ଼ି ଯାଇଥିବା ବଗିଟିର ଦେଖାନାହିଁ । ତା’ର ସ୍ଥିତି ଉପରେ ଆମର ଅବସ୍ଥିତି ନିର୍ଭର କରେ । ଖୁଦିରାମ ନିକଟରୁ ଶୁଣିବାକୁ ପାଇଲୁ ଗୌତମବାବୁ ସାରାଦିନ ଦଉଡ଼ାଦଉଡ଼ି କରି କେବଳ ରିଜର୍ଭ ବଗିଟିକୁ ୱେଷ୍ଟର୍ଣ୍ଣ ରେଳରୁ ଉଦ୍ଧାର କରି ସେଣ୍ଟ୍ରାଲ ରେଲୱେ ଜିମାରେ ଦେଇପାରିଛନ୍ତି । ବର୍ତ୍ତମାନ ସେଣ୍ଟ୍ରାଲ ରେଲୱେ କର୍ତ୍ତୃପକ୍ଷ ଦୟା କରି ବଗିଟିକୁ କେତେବେଳେ ଟୁରିଷ୍ଟ ପ୍ଲାଟଫରମରେ ଦେବେ ତାହା ‘‘ଦେବୋ ନ ଜାନତି କୁତୋ ମାନୁଷ୍ୟଃ’’ ଅଗତ୍ୟା ଆମେମାନେ ବୋମ୍ୱାଇର ବିଖ୍ୟାତ ତଥା ଅନ୍ୟତମ ଦ୍ରଷ୍ଟବ୍ୟ ସ୍ଥାନ ଭିକ୍ଟୋରିଆ ଟାର୍ମିନାସ ଷ୍ଟେସନ ହତା ମଧ୍ୟରେ ଗୋଲାକାର ହୋଇ ବସି କ୍ଳାନ୍ତ ଶରୀର ନେଇ ଅପେକ୍ଷା କରିବାକୁ ଲାଗିଲୁ । ଏପରି ମାନସିକ ଓ ଶାରୀରିକ ଅବସ୍ଥା ଯୋଗୁଁ ଗଳ୍ପ ଗୁଜବ କରିବା କାହାରି ପକ୍ଷେ ହେଲେ ସମ୍ଭବ ନୁହେଁ । ଯାହାହେଉ ଖୁଦିରାମଦଳର ଅକ୍ଳାନ୍ତ ଚେଷ୍ଟାରେ ସେ ସମୟରେ ଏକ କପ୍‌ଚାଆ ଓ ବିସ୍କୁଟ ଜୁଟିଗଲା । ବିକ୍ଷୁବ୍‌ଧାମନ କେତେକାଂଶରେ ଶାନ୍ତ ହେଲା । ଏଇ ସମୟରେ ଅନ୍ୟ ଏକ ସୁଖବର ମିଳିଲା । ଗୌତମବାବୁ ଚେଷ୍ଟାକରି ବଗିଟିକୁ ପ୍ଲାଟଫରମ ନିକଟସ୍ଥ ସାଟିଙ୍ଗ ଲାଇନକୁ ନେଇ ଆସି ପାରିଛନ୍ତି । ସୁତରାଂ କାଳ ବିଳମ୍ୱ ନକରି ଆମେମାନେ ବଗିଟିରେ ଉଠିପଡ଼ିବାକୁ ଆଗେଇ ଗଲୁ । ପ୍ଲାଟ୍‍ଫରମର ଶେଷରେ ଗୋଟିଏ ରେଳଲାଇନ ପାରହୋଇ ସିଡ଼ି ସାହାଯ୍ୟ ନେଇ ନିଜ ବଗିରେ ଉଠିପଡ଼ିଲୁ । ସଙ୍ଗେ ସଙ୍ଗେ ସାଂଟିଙ୍ଗ ଇଞ୍ଜିନି୍‌ଟି ଏକ ଝଟକାମାରି ଆମର ବଗିଟିକୁ ଅନ୍ଧକାର ରାତ୍ର ମଧ୍ୟରେ କେଉଁ ଅଜଣା ଜାଗାକୁ ଟାଣିନେଇ ଯିବାକୁ ଲାଗିଲା । ତେବେ ଆମର ଆଉ କୌଣସି ଚିନ୍ତନାହିଁ । ବଗିର ଟଣାଓଟରାରେ ଆମର ଖାଇବା ଶୋଇବାରେ କୌଣସି ଅସୁବିଧା ହେବା କଥା ନାହିଁ । ଯେତେଦୂର ସମ୍ଭବ ସକାଳକୁ ଆମେ ନିଶ୍ଚିତଭାବରେ ଏକ ପ୍ଲାଟଫର୍ମ ପାଇପାରିଥିବୁ । ବର୍ତ୍ତମାନ ଆସନ୍ତାକାଲିର ଚିନ୍ତା ନକରି କୌଣସି ମତେ ମୁହଁରେ ଦୁଇଟା ଦେଇ ଭ୍ରମଣ କ୍ଳାନ୍ତ ଶରୀରଟାକୁ ଅଠର ଇଞ୍ଚ ଚଉଡ଼ା ବିଛଣାରେ ଗଡ଼ାଇ ଦେଇ ନିଶ୍ଚିନ୍ତ ହେଲୁ । ଏପରିଭାବେ ବମ୍ୱେଇରେ ପ୍ରଥମ ଦିନ ଅତିବାହିତ ହେଲା ।

 

ଯଥାରୀତ ସକାଳ ହେଲା । ଜାଗିଉଠି ଦେଖୁବଗିଟିର ଗୋଟାଏ ଗତି ହୋଇପାରିଛି । ଆମେମାନେ ଭିକ୍ଟୋରିଆ ଟର୍ମିନାସ ଷ୍ଟେସନ ହତା ମଧ୍ୟସ୍ଥ ଏକ ଟୁରିଷ୍ଟ ପ୍ଳାଟଫରମକୁ ଆସିପାରିଛୁ-। ରାତ୍ର ମଧ୍ୟରେ କେତେବେଳେ ଏ ସୁଯୋଗ ଯୁଟିଛି, ଘୁମନ୍ତ ଅବସ୍ଥାରେ ଆମେମାନେ କିଏ ହେଲେ ଜାଣିପାରି ନାହୁଁ ।

 

ଖୋଜଖବର ନେଇ ଗୋଟିଏ ପାଣିକଳର ମଧ୍ୟ ସନ୍ଧାନ ମିଳିଗଲା । କାଳବିଳମ୍ୱ ନକରି ଭିଡ଼ ଜମିବା ଆଗରୁ ନିଜର ପ୍ରାତଃକର୍ମ ଶେଷ କରିନେଲୁ । ବିଖ୍ୟାତ ଐତିହାସିକ ସ୍ଥାନ ଏଲିଫେଣ୍ଟ ଦ୍ୱୀପ ଦେଖିଯିବାପାଇଁ ପ୍ରସ୍ତୁତ ହେଲୁ । ଜଳଖିଆ ପରେ ଯାତ୍ରା କରିବାକୁ ହେବ । ଟ୍ରେନ୍‍ ଯେଉଁ ସ୍ଥାନରେ ଥାଉ ବା ପରିସ୍ଥିତି ଯାହା ହେଉନା କାହିଁକି, ଖୁଦିରାମଦଳର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ସେମାନେ ସଦା ସଜାଗ । ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ପାନୀୟ ଯୋଗାଇ ଦେବାରେ ସେମାନଙ୍କ ହେଳା ନାହିଁ ।

 

ଦଳର ପ୍ରାୟ ସମସ୍ତେ ଟ୍ୟାକ୍‌ସି କରି ଇଣ୍ଡିଆ ଗେଟ୍‍ ପାଖକୁ ବାହାରି ପଡ଼ିଲୁ । ସେଠାରୁ ମୋଟର ଲଞ୍ଚ ଯୋଗେ ଛଅ ମାଇଲ ଏଲିଫେଣ୍ଟା ଦ୍ୱୀପ । ସମୁଦ୍ର ଯାତ୍ରା ପ୍ରତି ଯେଉଁମାନଙ୍କ ସହଜାତ ଭୟ ଏବଂ ଯେଉଁମାନଙ୍କ ବଜାର ବୁଲି ସଉଦା କରିବା ଆଗ୍ରହ ବେଶି ସେହି ଭଳି କେତେକ ଯାତ୍ରୀ, ଏ ଯାତ୍ରାରେ ଅଂଶ ନେଲେନାହିଁ ।

 

ଗୌତମବାବୁଙ୍କ ନେତୃତ୍ୱରେ ଟିକେଟ୍‍ କାଟି ଏଲିଫେଣ୍ଟାଭିମୁଖେ ଲଞ୍ଚ ଯାତ୍ରା ଆରମ୍ଭ ହେଲା । ଏକ ସଙ୍ଗରେ ଯିବା ସମ୍ଭବ ହେଲାନାହିଁ । ଦୁଇ ତିନିଗୋଟି ଲଞ୍ଚଟି ଭାଗ ଭାଗ ହୋଇ ଯିବାକୁ ହେଲା । ସମୁଦ୍ର ଭିତରେ ଦେଇ ଯାତ୍ରା ମଧ୍ୟରେ ଅନେକ ନୟନାଭିରାମ ଦୃଶ୍ୟ ଦେଖିବା ସୌଭାଗ୍ୟ ମିଳି ପାରିଥିଲା । ତାହା ଭିତରେ ବୋମ୍ୱାଇ ହାଇ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ । ଏହି ଛଅ ମାଇଲ ପଥ ଅତିକ୍ରମ କରିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଲା । ଲଞ୍ଚ ଯାଇ ଏକ ଅନୁଚ୍ଚ ପାହାଡ଼ର ପାଦଦେଶରେ ଉପନୀତ ହେଲା । ଏଠାରୁ ଏକ କୃତ୍ରିମ ରାସ୍ତା ଚାଲିଯାଇଅଛି ପାହାଡ଼ ଉପରକୁ ଉଠିବା ସିଡ଼ିର ପାଖ ପର୍ଯ୍ୟନ୍ତ । ଏହି ରାସ୍ତା ଯୋଗୁଁ ଯାତ୍ରୀ ସାଧାରଣଙ୍କୁ ଜୁଆର ବା ଭଟ୍ଟା ସମୟରେ ଜୋତା ଖୋଲିବା ଦରକାର ପଡ଼େନା ।

 

ଦୁଇଟି ପାହାଡ଼କୁ ନେଇ ଏଇ ଛୋଟ ଦ୍ୱୀପର ସୃଷ୍ଟି । ଦୁଇ ପାହାଡ଼ର ମଧ୍ୟ ସ୍ଥଳେ ବିସ୍ତୁତ ମାଳଭୂମି । ତାହାରି ମଧ୍ୟରେ ଯେଉଁମାନେ ବସବାସ କରିଥାନ୍ତି, ତାଙ୍କର ପ୍ରଧାନ ଜୀବିକା ହେଲା ସମୁଦ୍ରରେ ମାଛ ଧରିବା । ଅବସରସମୟରେ ସମାନେ ଚାଷବାସ ମଧ୍ୟ କରିଥାନ୍ତି । ନୈମିତ୍ତିକ ଜୀବନ ବୋମ୍ୱାଇ ସହର ସଙ୍ଗେ ଓତପ୍ରୋତ ଭାବେ ଜଡ଼ିତ । ଏ ସକାଶେ ପାହାଡ଼ ଅପର ପାଖରେ ଅନ୍ୟ ଗୋଟିଏ ଫେରି ଘାଟ ରହିଛି । ଅବଶ୍ୟ ଉକ୍ତ ଘାଟ ଦେଖିବା ସୌଭାଗ୍ୟ ଆମର ହୋଇପାରିନି । ପାହାଡ଼ ଉପରକୁ ଉଠିବାବେଳେ ଦୁଇଟି ବୃହଦାକାର ପଥରହାତୀ ପୂର୍ବେ ଦେଖା ଯାଉଥିଲା, ଯାହା ବର୍ତ୍ତମାନ ଭଗ୍ନାବସ୍ଥାରେ ବୋମ୍ୱେଇ ଭିକ୍ଟୋରିଆ ଗାର୍ଡ଼ନରେ ରଖାଯାଇଛି । ପର୍ତ୍ତୁଗୀଜମାନେ ଏହି ଦ୍ୱୀପ ଅଧିକାର କରିବାକୁ ଆସି ସର୍ବ ପ୍ରଥମେ ଏଇ ଦୁଇଟି ଦ୍ୱୀପକୁ ଦେଖି ପାରନ୍ତି ଏବଂ ସେହି ହେତୁ ଏହି ଦ୍ୱୀପର ନାମ ରଖନ୍ତି ଏଲିଫେଣ୍ଟା । ନେଚତ ଏହାର ଅସଲ ନାମ ମଙ୍ଗଳପୁରୀ । ସ୍ଥାନୀୟ ଲୋକ ମୁଖରେ ଗଡ଼ପୁରୀ ନାମ ମଧ୍ୟ ଶୁଣିବାକୁ ମିଳିଥାଏ । ଚାରିରୁ ଛଅ ବର୍ଗ ମାଇଲ ପରିମିତ ଏହି ପାହାଡ଼ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କେତେକ ସ୍ଥାନରେ ଗଡ଼ ବା ଦୁର୍ଗର ଭଗ୍ନାବଶେଷ ଦେଖିବାକୁ ମିଳେ ।

 

ଇଣ୍ଡିଆ ଗେଟ୍‍ଠାରୁ ଛୋଟ ଛୋଟ ଲଞ୍ଚ ମାଧ୍ୟମରେ ପ୍ରାୟ ଛଅ ମାଇଲ ସମୁଦ୍ର ବକ୍ଷରେ ଯାତ୍ରା କରି ଏଲିଫେଣ୍ଟାରେ ଯାଇ ପହଞ୍ଚିଲୁ । ପଥ ମଧ୍ୟରେ ନୌସେନା ଘାଟି ସହ ବୋମ୍ୱାଇ ହାଇ ଦେଖିବାକୁ ପାଇଲୁ । ବିଶେଷ ଅନୁମତି ବ୍ୟତୀତ ଭିତରକୁ ଯାଇ ଦେଖିବା ସମ୍ଭବପର ନୁହେଁ । ସେ ଅନୁମତି ସଂଗ୍ରହ କରିବାରେ ସହଜ ବ୍ୟାପାର ନୁହେଁ । ସୁତରାଂ ବାହାରୁ ଯଥା ତଥା ଦେଖି ତୃପ୍ତିଲାଭ କରିବାକୁ ହେଲା ।

 

ଲଞ୍ଚ ଘାଟର ସାମାନ୍ୟ ଦୂରରୁ ସିଧା ଏଲିଫେଣ୍ଟା ଗୁହା ମୁଖେ ଚାଲିଯାଇଥିବା ସୋପାନ ଶ୍ରେଣୀର ଶେଷ ପାଖରେ ଟିକେଟ ଘର । ଏହିଠାରେ ଯଥାବିଧି ଜଳଖିଆ ସହ ମନୋହରୀ ଜିନିଷ ପତ୍ର ମଧ୍ୟ ମିଳିଥାଏ । ଚଳନଶକ୍ତି ଅକ୍ଷମ ବ୍ୟକ୍ତିଗଣ କାଣ୍ଡି ବା ଦାଣ୍ଡି ସାହାଯ୍ୟରେ ଗୁହା ମନ୍ଦିରକୁ ଉଠି ଆସିଥାନ୍ତି ।

 

ଟିକେଟ ଘର ନିକଟସ୍ଥ ଶୀତଳ ବୃକ୍ଷଚ୍ଛାୟାତଳେ ଅଳ୍ପ ସମୟ ବିଶ୍ରାମ କରି ଆଗେଇ ଚାଲିଲୁ ନିର୍ଦ୍ଦିଷ୍ଟ ସ୍ଥାନକୁ । କେତେକ ପଣ୍ଡିତ ଏଲିଫେଣ୍ଟାର ନିର୍ମାଣ କାଳ ଷଷ୍ଠରୁ ଅଷ୍ଟମ ଶତାବ୍ଦୀ ବୋଲି ନିର୍ଣ୍ଣୟ କରିଛନ୍ତି । ସେ ସମୟ ମଧ୍ୟରେ କେଉଁ ଏକ ପ୍ରଭାବଶାଳୀ ଶୈବ ରାଜବଂଶ ଏହାର ପ୍ରକୃତ ପ୍ରତିଷ୍ଠାତା । ଅବଶ୍ୟ ଏ ମତକୁ ନିର୍ବିବାଦରେ ସମସ୍ତେ ମାନିନେଇ ପାରିନାହାନ୍ତି । କେତେକ ଐତିହାସିକ ମନେକରନ୍ତି, ଏହି ଗୁହାଗୁଡ଼ିକ ଖ୍ରୀଷ୍ଟପୂର୍ବ ଏକଶତ ବର୍ଷରୁ ଖ୍ରୀଷ୍ଟୀୟ ଏକଶତ ବର୍ଷ ମଧ୍ୟରେ ନିର୍ମିତ ହୋଇଥିଲା । କାଳର କୁଟିଳ ଗତିରେ ଏହି ଅପରୂପ ସୃଷ୍ଟି ସଭ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲା । ଅଷ୍ଟମ ଶତାବ୍ଦୀରେ ରାଷ୍ଟ୍ରକୂଟ ବଂଶୀୟ ପ୍ରଭାବଶାଳୀ ଶୈବରାଜାଗଣ ଏହି ଲୁପ୍ତ କୀର୍ତ୍ତି ପୁନରୁଦ୍ଧାର ଓ ଯଥା ସଂସ୍କାର କରାଇ ଥିଲେ । ଫଳରେ ଏଲିଫେଣ୍ଟାର ନିର୍ଣ୍ଣୟ କାଳ ଏବଂ ନିର୍ମାତାଙ୍କ ନାମ ମଧ୍ୟ ଅଜ୍ଞାତ ହୋଇ ରହିଛି ।

 

ଏଲିଫେଣ୍ଟାରେ ପାଞ୍ଚ ଗୋଟି ଗୁହାକୁ ମୁଖ୍ୟ ବୋଲି ଧରାଯାଇ ପାରେ । ପ୍ରଥମଟି ପ୍ରାୟ ୧୩୦ଫୁଟ ପ୍ରଶସ୍ତ ଗୋଟିଏ ମଣ୍ଡପ ଭଳି । ମୂଳ ଗୁହାର ଦୁଇ ଘର ଭଗ୍ନ ଅବସ୍ଥାରେ ଅଛି । ବାମଦିଗ ପ୍ରାଚୀରରେ ଯୋଗେଶ୍ୱର ଶିବ ପଦ୍ମ ଉପରେ ଅସୀନ । ପଦ୍ମ ନାଡ଼ଟିକୁ ଗୋଟିଏ ସାପ ଧରି ରଖିଛି । ଏତେ ବଡ଼ ମନୋହର ମୂର୍ତ୍ତି ଏପରି ଭାବରେ ନଷ୍ଟ ହୋଇଛି ଯେ କହି ନଦେଲେ ବୁଝିବା ସହଜ ନୁହେ । ସମ୍ପୂର୍ଣ୍ଣଭାସ୍କର୍ଯ୍ୟ ମଧ୍ୟରୁ ଧ୍ୟାନମଗ୍ନ ଶିବଙ୍କ ମୂର୍ତ୍ତିଟି ଅତି ସହଜରେ ନଜରେ ପଡ଼େ । ତାଙ୍କର ମସ୍ତକୋପରି ହଂସ ବାହାନେ ବ୍ରହ୍ମା, ଗରୁଡ଼ ବାହନେ ବିଷ୍ଣୁ ଏବଂ ଐରାବତରୁଢ଼ ଇନ୍ଦ୍ର ବିରାଜମାନ । ମନେହୁଏ ସତେ ଯେପରି ମହାଯୋଗୀଙ୍କ ଦର୍ଶନାଭିଳାଷରେ ଏମାନେ ଏଇ ମାତ୍ର ସ୍ୱର୍ଗରୁ ଅବତରଣ କରୁଛନ୍ତି ।

 

ଗୁହାର ଡାହଣ ପାଖରେ ଦେବାଧିଦେବଙ୍କ ନଟରାଜ ମୂର୍ତ୍ତି । ବୁଝିବାକୁ ଚେଷ୍ଟାକଲେ ମଧ୍ୟ ମୂର୍ତ୍ତିଟିର ଉର୍ଦ୍ଧ୍ୱାଂଶ ଅଳ୍ପ ବହୁତ ବୋଧଗମ୍ୟ ହେଲେ ହେଁ ନିମ୍ନାଂଶ ବୁଝିବା ସମ୍ଭବ ନୁହେଁ । ଜଳଦସ୍ୟୁ ପର୍ତ୍ତୁଗୀଜଙ୍କ ନିର୍ମମ ଅତ୍ୟାଚାରରେ ସମସ୍ତ ନଷ୍ଟ ହୋଇଯାଇଛି । ନୃତ୍ୟର ଭଙ୍ଗିମାରେ ଡାହାଣ ହସ୍ତଟି ବକ୍ଷ ଉପରେ ନ୍ୟସ୍ତ । ପାଖରେ ମହାମାୟା ପାର୍ବତୀ ଓ ଉପରେ ବିଷ୍ଣୁଙ୍କ ମୂର୍ତ୍ତି ବ୍ୟତୀତ ଅନ୍ୟ କିଛି ବୁଝି ହୁଏନା ।

 

ଗୁହା ଭିତରେ ପ୍ରବେଶ କରିବା ସାଥେ ସାଥେ ଏଲିଫେଣ୍ଟାର ବିଖ୍ୟାତ ତ୍ରିମୂର୍ତ୍ତି ପ୍ରତି ନଜର ଆପେ ଆପେ ଚାଲିଯାଏ । ଶିବଙ୍କର ଏକ ମୂର୍ତ୍ତକୁ ତିନି ରୂପରେ ପରିକଳ୍ପିତ କରାଯାଇ ଅଛି-। ସାମ୍‍ନାସାମ୍‍ନି ସେ ଗଳାରେ ହାର, ମସ୍ତକେ କରୀଟି ଧାରଣ କରି ସୃଷ୍ଟି ପାଳକ ବିଷ୍ଣୁ ରୂପେ ବିରାଜିତ । ସେ ପୁଣି ବାମ ମୁଖମଣ୍ଡଳେ ନିଷ୍ଠୁରତାର ଛାପ ନେଇ ପୃଥ୍ୱୀଧ୍ୱଂସକାରୀ, ପ୍ରଳୟ କର୍ତ୍ତା, ରୁଦ୍ର ରୂପେ ବିରାଜିତ । ଡାହାଣ ପାଖର ସୃଷ୍ଟି ସର୍ଜନାକରୀ, ଜନନୀ ସଦୃଶ, କମନୀୟ କୋମଳ ମୁଖ ପରିଶୋଭିତ ବ୍ରହ୍ମା । ସୃଷ୍ଟି, ସ୍ଥିତି, ପ୍ରଳୟର ପ୍ରତୀକ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର । ଶିଳ୍ପୀର ଅପୂର୍ବ ପରିକଳ୍ପନା ଶିଳ୍ପୀ ହସ୍ତରେ ଅପରୂପଭାବେ ରୂପାୟିତ ।

 

ତ୍ରିମୂର୍ତ୍ତିର ବାମ ଦିଗରେ ଅର୍ଦ୍ଧନାରୀଶ୍ୱର ଶିବ । ସ୍ତ୍ରୀ ପୁରୁଷର ମିଳନହିଁ ଜୀବ ଜଗତର ପରିପ୍ରକାଶ । ଦୁଇମିଳି ଏକ ପରସ୍ପର ପରିପୂରକ, ଏହା ହିଁ ଚିତ୍ରର ପ୍ରତିପାଦ୍ୟ ବିଷୟ । ମୂର୍ତ୍ତିଟି କ୍ଷତବିକ୍ଷତ ହେଲେ ମଧ୍ୟ ବୁଝିବା ଅସୁବିଧା ହୁଏନା । ଡାହାଣ ପାଖରେ ଭଗୀରଥଙ୍କ ଗଙ୍ଗା ଆନୟନ ଦୃଶ୍ୟ । ଗଙ୍ଗାଙ୍କ ଗତିବେଗ ସମ୍ଭାଳିବା ଶକ୍ତି ବସୁନ୍ଧରାଙ୍କ ନାହିଁ । ପୃଥ୍ୱୀମାତା ପ୍ରାର୍ଥନା ଜଣାଇଲେ ପରମଯୋଗୀ ଶିବଙ୍କ ନିକଟରେ । ତାଙ୍କର ପ୍ରାର୍ଥନା ପୂରଣ ତଥା ଗଙ୍ଗାଙ୍କ ଅହଂଭାବ ବିନାଶପାଇଁ ଆଗେଇ ଆସିଲେ ଜଟାଧାରୀ ମହାଦେବ । ଗଙ୍ଗା ଶିବଙ୍କ ଜଟା ମଧ୍ୟରେ ପତିତ ହୋଇ ନିଜର ଗତିପଥ ହରେଇ ବସିଲେ । ଅବିରାମ ଜଟାଜାଲ ମଧ୍ୟରେ ବୁଲି ବୁଲି ଗଙ୍ଗା କ୍ଳାନ୍ତ ହୋଇପଡ଼ିଲେ । ନିଷ୍କାସନର ପଥ ଖୋଜି ପାଇପାରିଲେ ନାହିଁ । ଏଣେ ଗଙ୍ଗାକୁ ନ ଦେଖି ଭଗୀରଥ ହତୋତ୍ସାହ । ମନେହୁଏ ଯେପରି ତାଙ୍କର ସମସ୍ତ ପ୍ରଚେଷ୍ଟା ବିଫଳ ହେବାକୁ ବସିଛି । ନିରୂପାୟ ଭଗୀରଥ ଆଣ୍ଠୁମାଡ଼ି ବସି ଆରଧାନା କଲେ ଆଶୁତୋଷଙ୍କୁ । ପ୍ରାର୍ଥନା କଲେ, ଗଙ୍ଗାଙ୍କୁ ଜଟାଜାଲରୁ ମୁକ୍ତି ଦେବା ପାଇଁ । ଶିବ ଜଟାଜାଲ ଛିନ୍ନ କରି ଗଙ୍ଗାଙ୍କ ପାଇଁ ପଥ କରିଦେଲେ । ଗଙ୍ଗା ମୁକ୍ତିପାଇ ପରମଯୋଗୀଙ୍କ ପଦତଳେ ପ୍ରଣତି ଜଣାଇ ଭଗୀରଥଙ୍କୁ ଅନୁସରଣ କରି ଚାଲିଲେ ସାଗର ସଙ୍ଗମ ଲକ୍ଷ୍ୟରେ । ଶିଳ୍ପୀର ଅପୂର୍ବ ପରିକଳ୍ପନା, ପଥର ଉପରେ ନିହାଣ ହାତୁଡ଼ିରେ ମଧ୍ୟ ଏ ଅପୂର୍ବ ସୃଷ୍ଟି ।

 

ମୂଳଗୁହା ଭିତରେ ଗୋଟିଏ ଶିବମନ୍ଦିର ଥିବା ଦେଖାଯାଏ । ତା’ର ଚାରି ଦିଗରେ ଦରଜା । ଦରଜା ଦୁଇ ପାର୍ଶ୍ୱରେ ନାନାଳଙ୍କାର ଭୂଷିତ ଦ୍ୱାରପାଳ ମୂର୍ତ୍ତି, ପ୍ରାୟ ଭଗ୍ନଦଶା ପ୍ରାପ୍ତ । ଭିତରେ ଗୋଟିଏ ଶିବଲିଙ୍ଗ । ମୂର୍ତ୍ତିସହ ସମସ୍ତ ମନ୍ଦିରଟି କ୍ଷତ ବିକ୍ଷତ ।

 

ଗୁହାର ପଶ୍ଚିମପ୍ରାନ୍ତେ ଅନ୍ଧକ ବଧର ଦୃଶ୍ୟଚିତ୍ର । ମୂର୍ତ୍ତିଗୁଡ଼ିକ ଏପରି ଭାବେ ନଷ୍ଟ ହୋଇଅଛି ଯେ କିଏ ଖିଅ ନଧରେଇ ଦେଲେ, ପ୍ରଥମ ଦର୍ଶନେ ସହଜେ କିଛି ଧରି ହେବନାହିଁ । ଶିଳ୍ପୀ ତା’ର ନିହାଣ ମୁନରେ ଏଇ ପୌରାଣିକ କାହାଣୀ ଅତି ନିପୁଣତାର ସହିତ ପଥର ଗାତ୍ରରେ ଫୁଟାଇ ପାରିଛି । ଗଳ୍ପରତ ହରପାର୍ବତୀ । ଗରମ ଯୋଗୁଁ ପାର୍ବତୀଙ୍କ ହାତରୁ ଝାଳ ବୋହି ତଳେ ପଡ଼ିଗଲାଜଗନ୍ମାୟାଙ୍କ ଅଙ୍ଗନିସୃତ ସ୍ୱେଦବିନ୍ଦୁ ନଷ୍ଟ ହେଲାନି । ମାଟି ସ୍ପର୍ଶମାତ୍ରେ ଏକ ବଳିଷ୍ଠକାୟ ଶିଶୁ ଜନ୍ମ ପରିଗ୍ରହ କଲା; କିନ୍ତୁ ବିନା ମିଳନରେ ଜନ୍ମ ଲଭିଥିବା ହେତୁ ଶିଶୁ ହେଲା ଚକ୍ଷୁହୀନ । ଦେବାଧିଦେବ ଶିଶୁର ନାମକରଣ କଲେ ଅନ୍ଧକ । ପରମ ପିତାମାତାଙ୍କ ଆଶୀର୍ବାଦପୁଷ୍ଟ ଶିଶୁ ପ୍ରକୃତି କୋଳରେ ହିମାଳୟଙ୍କ ତତ୍ତ୍ୱାବଧାନେ ଦିନକୁଦିନ ବଢ଼ିବାକୁ ଲାଗିଲା । ଏହି ଘଟଣାର କେତେବର୍ଷପରେ ମହାବଳଶାଳୀ ହିରଣାକ୍ଷ କଠୋର ତପସ୍ୟଦ୍ୱାରା ଆଶୁତୋଷଙ୍କୁ ପରିତୁଷ୍ଟ କରି ପୁତ୍ର ପାଇଁ ବର ମାଗିଲା । ମହାଦେବ ସୃଷ୍ଟିକାରିଣୀଙ୍କ ପରାମର୍ଶ କ୍ରମେ ଅନ୍ଧକକୁ ହିରଣାକ୍ଷଙ୍କ ହସ୍ତେ ସମର୍ପଣ ରକି ପୁତ୍ରଜ୍ଞାନେ ପ୍ରତିପାଳନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ସେହି ଦିନିଠାରୁ ଅନ୍ଧକ ହିରଣାକ୍ଷଙ୍କ ପୁତ୍ରରୂପେ ପରିଚିତ ହେବାକୁ ଲାଗିଲେ ।

 

ଯଥା ସମୟରେ ହିରଣାକ୍ଷଙ୍କ ମୃତ୍ୟୁ ହେଲା । ସିଂହାସନ ସକାଶେ ପୁତ୍ର କଳତ୍ର ମଧ୍ୟରେ କନ୍ଦଳ ଲାଗିଲା । ଚକ୍ଷୁହୀନ ବୋଲି ଅନ୍ଧକଙ୍କ ଦାବୀ ବିବେଚିତ ହେଲାନି । ମନ ଦୁଃଖରେ ଅନ୍ଧକ ଗହନ ଅରଣ୍ୟରେ ପ୍ରବିଷ୍ଟ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଉଦ୍ଦେଶ୍ୟେ କଠୋର ତପସ୍ୟାରେ ରତ ହେଲେ । ସାଧନା ଦିନକୁ ଦିନ କଠୋରରୁ କଠୋରତର ହେବାକୁ ଲାଗିଲା । ପରିଶେଷରେ ସୃଷ୍ଟିକର୍ତ୍ତା ତୁଷ୍ଟ ହୋଇ ବର ଦେବା ସକାଶେ ଦର୍ଶନ ଦେଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶକ୍ରମେ ଅନ୍ଧକ ଚକ୍ଷୁ ସହ ଅମର ହେବା ବର ପ୍ରାର୍ଥନା କଲେ। ଅମର ବର ଦେବା ବ୍ରହ୍ମାଙ୍କ ସାଧ୍ୟାତୀତ । ତେଣୁ ମୃତ୍ୟୁଭେଦ ହସ୍ତରେ ଦେଇ ଚକ୍ଷୁଦାନ କଲେ । ମୃତ୍ୟୁଭେଦ ହେଲା, ଅନ୍ଧକ ଯେଉଁଦିନ କୌଣସି ସୁନ୍ଦରୀ ଯୁବତୀଙ୍କୁ ତାଙ୍କର ଅମତରେ ବିବାହ କରିବାକୁ ଲାଳାୟିତ ହେବେ, ସେହିଦିନ ତାଙ୍କର ମୃତ୍ୟୁ ହେବ । ଅନ୍ୟଥା ମୃତ୍ୟୁ ଅସମ୍ଭବ ।

 

ବରପ୍ରାପ୍ତ ଅନ୍ଧକ ନିଜ ରାଜ୍ୟକୁ ଫେରି ଭ୍ରାତୃଗଣଙ୍କୁ ଯୁଦ୍ଧରେ ପରାସ୍ତ କରି ନିଜର ପିତୃରାଜ୍ୟ ବଳପୂର୍ବକ ଦଖଲ କରିନେଲେ । କ୍ରମଶଃଶକ୍ତି ସଂଗ୍ରହ କରି ଦିଗ୍‌ବିଜୟୀ ବୀର ବୋଲି ଖ୍ୟାତି ଅର୍ଜ୍ଜନ କଲେ ଏବଂ ଦୁର୍ନିବାର ହୋଇ ଉଠିଲେ । ତାଙ୍କର ଅତ୍ୟାଚାରରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ପ୍ରକମ୍ପିତ ହେବାକୁ ଲାଗିଲା । ପୃଥିବୀରେ ଆସୁରିକ ଶକ୍ତିର ପ୍ରାବଲ୍ୟ କ୍ରମଶଃ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା । ଏହି ଶକ୍ତିକୁ ସଂଯତ କରିବା ପାଇଁ ସୃଷ୍ଟି ହେଲା ଦୈବୀମାୟା । ଦେବଗଣଙ୍କ କାତର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଜଗଜ୍ଜନନୀ ମହାମାୟା ଏକ ଦିବ୍ୟ ସୁନ୍ଦରୀ କନ୍ୟାରୂପେ ମର୍ତ୍ତ୍ୟରେ ଅବତୀର୍ଣ୍ଣା ହେଲେ ଏବଂ ପୁନଶ୍ଚ ମହାଦେବଙ୍କୁ ପତିରୂପେ ପାଇବା ଲକ୍ଷ୍ୟ ନେଇ ତପସ୍ୟାରେ ମଗ୍ନ ହେଲେ ।

 

ଏକଦା ଭ୍ରମଣରତ ଅନ୍ଧକଙ୍କ ମହାମନ୍ତ୍ରୀଏହି ତପସ୍ୟାରତ ଅପରୂପ ଲାବଣ୍ୟମୟୀ ତରୁଣୀଙ୍କୁ ଦେଖି ଅନ୍ଧକଙ୍କ ରାଣୀ ହେବା ଉପଯୁକ୍ତ ଭାବି ରାଜାଙ୍କୁ ସମ୍ୱାଦ ଦେଲେ ।

 

ପ୍ରବାଦ ବାକ୍ୟ ସତ୍ୟରେ ପରିଣତ ହେଲା । କାଳ ଫାଶ ଧରି ଆଗେଇ ଆସିଲା ଉକ୍ତ ବିବାହ ପ୍ରସ୍ତାବର ମଧ୍ୟ ଦେଇ ।

 

ପରାକ୍ରମୀ ରାଜା ଅନ୍ଧକ ପଦେ ପଦେ ଆଗେଇ ଚାଲିଲେ ସେଇ ଫାଶରେ ଧରାପଡ଼ିବା ପାଇଁ । ସନ୍ଦୁରୀ ତରୁଣୀ ଦର୍ଶନ କରି ଭୁଲିଗଲେ ବ୍ରହ୍ମା ପ୍ରଦତ୍ତ ନିଜର ମୃତ୍ୟୁଭେଦ କଥା-। ଯୁବତୀର କ୍ଷଣଭଙ୍ଗୁର ଯୌବନଦୀପ୍ତ ତନୁ ଭଙ୍ଗିମା ନିକଟରେ ସମସ୍ତ ସତ୍‌ ପ୍ରବୃତ୍ତି ଲୋପ ପାଇଗଲା ।

 

ରୂପ ଲାଳସାରେ ରାଜା ଉନ୍ନତ୍ତ ହୋଇ ଉଠିଲେ । ସୁନ୍ଦରୀଙ୍କ ଅମତରେ ତାଙ୍କୁ ବିବାହ କରିବାକୁ ଜୀବନ ପଣକରି ଆଗେଇ ଆସିଲେ । ଦେବଦାନବଙ୍କ ଯୁଦ୍ଧ ପୁନର୍ବାର ଆରମ୍ଭ ହେଲା । ସ୍ୱୟଂ ନଟରାଜ ରୁଦ୍ର ରୂପ ଧରି ତ୍ରିଶୂଳ ହସ୍ତେ ମହାମାୟାଙ୍କ ମାନ ରକ୍ଷାର୍ଥେ ସମରରେ ଅଂଶଗ୍ରହଣ କଲେ । ପ୍ରବଳ ଯୁଦ୍ଧରେ ରାକ୍ଷସବଳ କ୍ଷୀଣରୁ କ୍ଷୀଣତର ହେଲେ ହେଁ ଯୁଦ୍ଧ ଇତି ହେଲାନାହିଁ । ବ୍ରହ୍ମାବରେ ଅଜେୟ ଅନ୍ଧକ ଦେହରୁ ରକ୍ତପାତ ସାଥେ ସାଥେ ପ୍ରତି ରକ୍ତବିନ୍ଦୁରୁ ପ୍ରଭୁତ ବଳଶୀଳା ରକ୍ତବୀଜ ରାକ୍ଷସବଳ ସୃଷ୍ଟି ହୋଇ ସମରରେ ପ୍ରବୃତ୍ତ ହେବାକୁ ଲାଗିଲେ । ସଙ୍ଗିନ୍‌ଅବସ୍ଥା ଦେଖି ଧୂର୍ଜଟି ନିଜ ପାର୍ଶ୍ୱ ଦେଶରୁ ଏକ ଦେବୀ ସୃଷ୍ଟି କଲେ । ନାମ ହେଲା ବଗଳା । ତାଙ୍କର ନିର୍ଦ୍ଦେଶରେ ବଗଳା ଦେବୀ ପ୍ରତିରକ୍ତବିନ୍ଦୁ ପତନ ମାତ୍ରେ ଭକ୍ଷଣ କରିନେଲେ । କ୍ରମଶଃ ଅନ୍ଧକ ରକ୍ତଶୂନ୍ୟ ହୋଇପଡ଼ିଲେ ଏବଂ ପରିଶେଷରେ ରୁଦ୍ରଙ୍କର ତ୍ରିଶୂଳାଘାତରେ ପ୍ରାଣତ୍ୟାଗ କଲେ । ଶିବ ପୁରାଣର ଏହି ବହୁ ବିଖ୍ୟାତ ଅନ୍ଧକ ବଧ କାହାଣୀ ପଥର ଗାତ୍ରେ ଅତି ସୁନ୍ଦର ଭାବେ ଖୋଦିତ ହୋଇଅଛି । ସମସ୍ତ ମୂର୍ତ୍ତିଗୁଡ଼ିକ କ୍ଷତବିକ୍ଷତ ହେଲେ ମଧ୍ୟ ସୁତ୍ର ଧରେଇ ଦେଲେ ବୁଝିବା ପାଇଁ କୌଣସି ଅସୁବିଧା ହୁଏନା ।

 

ଅନ୍ୟସବୁ ଗୁହା ମଧ୍ୟରେ ଗଣେଶ ମୂର୍ତ୍ତି, ରାବଣଙ୍କ କୈଳାସ ଉତ୍ତୋଳନ, ଶିବ ପାର୍ବତୀ ବିବାହ ପ୍ରଭୃତି ଦେଖାଯାଇଥାଏ ।

 

ମୂଳ ଗୁହା ବ୍ୟତୀତ ଅନ୍ୟ ଗୁହାଗୁଡ଼ିକର ସେପରି ବୈଶିଷ୍ଟ୍ୟ ନାହିଁ । ତେଣୁ ଅଧିକାଂଶ ଦର୍ଶକ ମୂଳ ଗୁହା ମନ୍ଦିରଟି ଦେଖି ଫେରି ଆସିଥାନ୍ତି । ତେବେ ସମସ୍ତ ଗୁହାଗୁଡ଼ିକ ନ ଦେଖିଲେ ଏଲିଫେଣ୍ଟା ସଂପର୍କରେ ସମ୍ୟକ୍‌ ଧାରଣା କରିବା ସମ୍ଭବପର ନୁହେଁ ।

 

ରାଷ୍ଟ୍ରକୂଟଙ୍କ ରାଜତ୍ୱକାଳରେ ମଙ୍ଗଳପୁରୀ ଏକ ଘନଜନବସତି ପୂର୍ଣ୍ଣ ଜନପଦ ଥିଲା ଏବଂ ଏଇ ଏଲିଫେଣ୍ଟା ଥିଲା ଏକ ବିଖ୍ୟାତ ଜ୍ଞାନପୀଠ । ତା’ର ଅନେକ ପ୍ରମାଣ ପ୍ରତ୍ନତାତ୍ତ୍ୱିକମାନେ ଆବିଷ୍କାର କରିପାରିଛନ୍ତି । ରାଷ୍ଟ୍ରକୂଟଙ୍କ ପତନ ସହ ଏହି ଜ୍ଞାନପୀଠ ତା’ର ବୈଶିଷ୍ଟ୍ୟ ହରାଇବସେ-। କାଳର କବଳ ଏବଂ ରାଜପୃଷ୍ଠପୋଷକତା ଅଭାବରେ ମଙ୍ଗଳପୁରୀ କ୍ରମଶଃ ପରିତ୍ୟକ୍ତା ହୋଇପଡ଼େ ।

 

ପର୍ତ୍ତୁଗୀଜ ଜଳସେନା ତଥା ଜଳଦସ୍ୟୁଗଣ ଏହି ପରିତ୍ୟକ୍ତ ଦ୍ୱୀପଟିକୁ ଦଖଲକରି ତାଙ୍କର ସେନାଛଉଣୀ ଭାବେ ବ୍ୟବହାର କରନ୍ତି । ଦସ୍ୟୁସେନାଗଣ ଏହାର ସୁନ୍ଦର ମୂର୍ତ୍ତିଗୁଡ଼ିକୁ ନିଶାଣକରି ବନ୍ଧୁକ ଅଭ୍ୟାସ କରି ଏଗୁଡ଼ିକର ସତ୍ୟାନାଶ ସାଧନ କରିଛନ୍ତି । ଏପରିଭାବରେ ଏଲିଫେଣ୍ଟାର ସୁନ୍ଦରଭାସ୍କର୍ଯ୍ୟ ନଷ୍ଟ ହୋଇଯାଏ । ଏହି ନଷ୍ଟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଯାହା ଅବଶିଷ୍ଟ ଅଛି, ଯଦି ଜାତୀୟ ସରକାର ସେଗୁଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ନ କରନ୍ତି, ତାହାହେଲେ ଅଦୂର ଭବିଷ୍ୟତରେ ହିନ୍ଦୁ ରାଜତ୍ୱର ଏକ ସୁବର୍ଣ୍ଣଯୁଗର ଅମରକୀର୍ତ୍ତି ବିଲୁପ୍ତି ଲାଭ କରିବ । ଆଶାର କଥା, ସରକାର ଏଥିପ୍ରତି ବର୍ତ୍ତମାନ ନଜର ଦେଇଛନ୍ତି ।

 

ମୋଟାମୋଟିଭାବେ ଏଲିଫେଣ୍ଟା ତଥା ପୂର୍ବ ସମୟର ମଙ୍ଗଳପୁରୀ ଦେଖିବା ଶେଷ ହେଲା । ଏଥର ଫେରିବା କଥା । ଯେ କୌଣସି ଲଞ୍ଚରେ ବସି ଫେରିହେବ । ଆଜି ବୋମ୍ୱେଇ ରହଣୀର ଶେଷଦିନ । ଇଂରେଜ ନବବର୍ଷ (୧୯୭୯ ସାଲ ସୂଚନାରେ ଆମର ଅତି ପୁରାତନ ମଙ୍ଗଳପୁରୀ ତଥା ଆଧୁନିକ ଏଲିଫେଣ୍ଟା ଦେଖା ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ।

 

ଉପରବେଳା ପ୍ରାୟ ସମସ୍ତେ ଛୋଟ ଛୋଟ ଦଳ ହୋଇ ବୋମ୍ୱାଇମାକେଟିଙ୍ଗ୍‌ କରିବା ଲକ୍ଷ୍ୟରେ ବାହାରିପଡ଼ିଲୁ । ଯାହାର ଯେପରି ପସନ୍ଦ ସେ ସେପରି ଜିନିଷପତ୍ର କିଣାକିଣି କରିବାରେ ବ୍ୟସ୍ତ ରହିଲେ; ଆଉ ମୁଁ ବ୍ୟସ୍ତ ରହିଲି ବଜାରର ମୋଟାମୋଟି ଦରଦାମ ଜାଣିବାରେ । ସାଧାରଣ ବଡ଼ବଡ଼ ସହରରେ ବଜାର ଅବସ୍ଥା ଯାହା ବୋମ୍ୱାଇ ତା’ଠାରୁ ଭିନ୍ନ ନୁହେଁ । ମୋଟାମୋଟି ଏଇ ତିକ୍ତ ଅଭିଜ୍ଞତା ନେଇ ଆଉ ସମୟ ନଷ୍ଟ ନ କରି ନିଜ ଆସ୍ଥାନକୁ ଫେରିଲି । ପ୍ଲାଟଫର୍ମରେ ପହଞ୍ଚି ନିଜର ବହୁ ବ୍ୟବହୃତ ବଗିଟିକୁ ଚିହ୍ନିବା ଦୁଷ୍କର ହୋଇଉଠିଲା । ନବବର୍ଷ ଉପଲକ୍ଷରେ ଗୌତମବାବୁ ତାଙ୍କର ଦଳକୁ ନେଇ ଫୁଲମାଳା ଆଉ ବେଲୁନଦ୍ୱାରା ସୁନ୍ଦରଭାବେ ବଗିଟିକୁ ସଜାଇ ଦେଇଛନ୍ତି । ଆମ୍ୱପତ୍ର ମାଳା ଯେପରି ଅଭାବ ନାହିଁ, ସେପରି ନାନାଦି ରଙ୍ଗ ବେରଙ୍ଗର କାଗଜ ପତାକା ତଥା ଚେନ୍‌ର ଅଭାବ ନାହିଁ । ବଗି ସମ୍ମୁଖରେ ସୁସଜ୍ଜିତ ଭାବେ ବେଞ୍ଚ ରଖାଯାଇଛି ବସିବା ସକାଶେ । ନୂତନ ବର୍ଷକୁ ସୁଦୂର ବୋମ୍ୱାଇ ସହରରେ ବସି ସ୍ୱାଗତମ ଜଣାଇବା ବ୍ୟବସ୍ଥାର କୌଣସି ତ୍ରୁଟି ନାହିଁ । ବଗି ଭିତରକୁ ନ ଯାଇ ବାହାର ବେଞ୍ଚରେ ବସିଗଲୁ । ଅଳ୍ପ ସମୟ ପରେ ପ୍ରାୟ ସମସ୍ତ ସହଯାତ୍ରୀ ବଜାରରୁ ଫେରିଆସିଲେ । ଗୌତମବାବୁଙ୍କ ଅନୁରୋଧରେ ମହାନନ୍ଦେ ନବବର୍ଷ ଉତ୍ସବ ପାଳନ କଲୁ । ଜ୍ଞାନୀ ତଥା ବୟୋଜ୍ୟେଷ୍ଠ ମାଷ୍ଟର ମହାଶୟ ପୁରୋଧା କାମ ପରିଚାଳନା କରିଥିଲେ । ସଭା ସମାପନାନ୍ତେ ଖୁଦିରାମରଦଳ ନବବେଶରେ ସଜ୍ଜିତ ହୋଇ ଜଖିଆ ପ୍ଲେଟ୍‍ ହାତେହାତେ ଧରେଇଦେଲେ । ନାନାଦି ମୁଖରୋଚକ ଖାଦ୍ୟ, ଶ୍ରୁତି ମଧୁର ଆଲୋଚନା ମଧ୍ୟଦେଇ ସଦ୍‌ବ୍ୟବହାର କଲୁ ୧୯୭୯ସାଲକୁ ସାଦର ସମ୍ଭାଷଣ ଜଣାଇ । ଏହି ଭିତରେ ଗୌତମବାବୁ ଆଗାମୀ କାଲିର ପ୍ରୋଗ୍ରାମ ଶୁଣାଇଦେଲେ—ଆଗାମୀ କାଲି ଟ୍ରେନ୍‍ ମନମଦ ଷ୍ଟ୍ରେସନରେ ପହଞ୍ଚିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ବାହାରି ପଡ଼ିବାକୁ ହେବ । ସେଠାରୁ ରିଜର୍ଭ ବସ୍‍, ନେଇଯିବ ଏଲୋରା ଦେଖାଇବାପାଇଁ । ଟ୍ରେନରେ ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଶେଷ କରିନେବାକୁ ହେବ । ବୋମ୍ୱାଇରୁ ଯାତ୍ରା ଆରମ୍ଭ ହେବ ବୋମ୍ୱାଇ ଭୁଷାବଳ ପାସେଞ୍ଜର ୟୋଗେ । ଏଇ ସମୟରେ ସାଂଟିଙ୍ଗ ଇଞ୍ଜିନ୍‍ ଆସି ଧକ୍‌କା ଦେଲା ଟୁରିଷ୍ଟ ପ୍ଲାଟଫରମରେ ଥିବା ବଗିଗୁଡ଼ିକୁ ଅନ୍ୟ ବଗିଠାରୁ ବିଚ୍ଛିନ୍ନକରି ଆମର ବଗିଟିକୁ ଟାଣିନେବ ଭୁଷାବଳ ପାସେଞ୍ଜରରେ ଯୁକ୍ତ କରିବାପାଇଁ । ସୁତରାଂ ନିଜ ନିଜ ଆସ୍ଥନକୁ ଉଠିଗଲୁ । ବୋମ୍ୱାଇ ଯାତ୍ରା ଶେଷ ହେଲା ।

 

ନବବର୍ଷ ଉତ୍ସବ ଗୌତମବାବୁଙ୍କର ଶେଷ ହେଲା; କିନ୍ତୁ ମୋର ବିଶ୍ରାମ ହେଲାନି, ମୋ ପାଇଁ ଏକ ନୂତନ ସମ୍ୱାଦ—ଯାହାକି କଳ୍ପନା କରି ନଥିଲି । ସଭା ସାଙ୍ଗ ହେବା ପରେ ଗୌତମବାବୁ ମୋତେ ଅପେକ୍ଷାକୃତ ଏକ ନିରୋଳା ଜାଗାକୁ ଟାଣିନେଇ ଚୁପି ଚୁପି କହିଲେ, ‘‘ଏଇ ଷ୍ଟେସନର ରିଟାଏରିଂ ରୁମରେ (Retiring Room) ପ୍ରବୀରବାବୁ ଅପେକ୍ଷା କରୁଛନ୍ତି । ବିଶେଷ ପ୍ରୟୋଜନରେ ସେ କଲିକତାରୁ ଆଜି ଫ୍ଳାଇଟ୍‍ରେ ଆସିଛନ୍ତି । ତୁମେ ଯାଇ ଦେଖାକର ।’’

 

ଖବରଟା ପାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘‘ପ୍ରବୀର ଆସିଲା କେତେବେଳେ ଏବଂ ତମକୁ ଖୋଜି ପାଇଲା କିପରି ?’’

 

ଗୌତମବାବୁ କହିଲେ, ‘‘ତୁମେମାନେ ସହରକୁ ବୁଲିଯିବାର ଅଳ୍ପ ସମୟ ପରେ ସେ ଆସି ପହଞ୍ଚିଲେ । ଖୁବ୍‌ ସମ୍ଭବ ଆମର ଏଠାର ରହଣି ଖବର ହେଡ଼୍‍ ଅଫିସରୁ ନେଇଛନ୍ତି । ବାକି ଖବର ଷ୍ଟେସନ ଇନକ୍ୱାରିରେ ବୁଝିନେବା କଷ୍ଟସାଧ୍ୟ ନୁହେଁ । ଅବଶ୍ୟ ସେ ତମରି ସଙ୍ଗରେ ଦେଖା କରିବାପାଇଁ ଆସିଥିଲେ । ଦେଖା ନ ପାଇ ମୋତେ ଖବରଟା ଜଣାଇ ଦେବାକୁ କହିଗଲେ । ଷ୍ଟେସନର ରିଟାଏରିଂ ରୁମରେ ରହିବା ବ୍ୟବସ୍ଥା ମୁଁ କରିଦେଇଛି । ଏଠାରୁ ଆମର ବଗିଟାକୁ ଯେ କୌଣସି ସମୟରେ ଟାଣିନେଇ ଯାଇପାରେ । ତା’ ଛଡ଼ା ମୋର କାହିଁକି ମନେହେଲା ପ୍ରବୀରବାବୁଙ୍କ ଆଗମନ ସମ୍ୱାଦ ସମସ୍ତଙ୍କ ଜାଣିବା ଉଚିତ ହେବନାହିଁ । ଏଥର ତୁମେ ଠିକ୍‌କର କ’ଣ କରିବ । ମୋର ବିଶ୍ୱାସ, ଇନ୍ଦିରା ବିଷୟ ପ୍ରବୀରବାବୁଙ୍କ ଆସିବା ସଙ୍ଗେ ଜଡ଼ିତ ।’’

 

ସରସ୍ୱତୀକୁ ବ୍ୟସ୍ତ ନ ହୋଇ ବଗିରେ ରହିବାକୁ କହି ଗୌତମବାବୁଙ୍କ ସଙ୍ଗରେ ରିଟାଏରିଂ ରୁମ ଦିଗେ ଅଗ୍ରସର ହେଲି । ସେ ଦେଖାଇ ନ ଦେଲେ ଭି.ଟି. ଷ୍ଟେସନରେ ଉକ୍ତ ରିଟାଏରିଂ ରୁମ୍‍ ଖୋଜି ପାଇବା ସହଜ ସାଧ୍ୟ ହୋଇ ନ ଥାନ୍ତା । ଗୌତମବାବୁ ଏକାବେଳକେ ପ୍ରବୀରର ରୁମ୍‌ରେ ପହଞ୍ଚାଇ ବିଦାୟ ନେବା ସମୟରେ କହିଗଲେ, ‘ଏଠାରୁ ଯାଇ ତମେ ନିର୍ଦ୍ଦିଷ୍ଟ ଜାଗାରେ ବଗିଟିକୁ ଆଉ ଦେଖିପାରିବ ନାହିଁ । ସୁତରାଂ ବ୍ୟସ୍ତହୋଇ ଏଠାରୁ ଯାଇ ବଗିର ଅନ୍ୱେଷଣ କରିବା ଆବଶ୍ୟକ ନାହିଁ । ଟ୍ରେନ୍‍ ଯେଉଁ ପ୍ଳାଟଫରମରୁ ଛାଡ଼ିବ, ଆସିଲାବେଳେ ଦେଖାଇ ଦେଇଛି । ଦଶଟା ଆଗରୁ ସିଧା ସେଇ ପ୍ଳାଟଫରମକୁ ଚାଲି ଆସିବ । ମୁଁ ଯାଇ ଭାଉଜଙ୍କୁ ସେଇ କଥା ଜଣାଇ ଦେବି ।’’

 

ମୋର ଉତ୍ତରକୁ ଅପେକ୍ଷା ନକରି ସେ ତାଙ୍କର ସ୍ୱଭାବସିଦ୍ଧ ବ୍ୟସ୍ତତା ନେଇ ଚାଲିଗଲେ-। ମୁଁ ଘର ଭିତରକୁ ପହଞ୍ଚିବା ମାତ୍ରେ ପ୍ରବୀର ମୋର ପାଦଧୂଳି ନେଇ ପ୍ରଣାମ କଲା-। ଆଜି ନୂତନ ବର୍ଷରେ ପ୍ରବୀରର ନୂତନ ଅଭିବାଦନ ପ୍ରଣାଳୀ ଦେଖି ବିସ୍ମିତ ବୋଧ କଲି । ମୁଁ ଭଲଭାବେ ଜାଣେ ତା’ ଆସିବା କାରଣ । ସେ ନିଜେ କଲିକତାରୁ ବମ୍ୱେ ଦଉଡ଼ି ଆସିଛି ସେଥିପାଇଁ-

 

କଲିଂ ବେଲ୍‌ ଟିପି ବେହେରାକୁ ଚାଆର ଅର୍ଡ଼ରଦେଇ ମୋ ନିକଟରେ ବସିପଡ଼ି ପଚାରିଲା, ‘‘ମୋତେ ଏଠାରେ ଏପରି ଭାବେ ଦେଖି ବିସ୍ମୟବୋଧ କରୁଛନ୍ତି ନା ଦାଦା ?’’

 

କହିଲି, ‘‘ବିସ୍ମିତ ହୋଇନି କହିଲେ ମିଥ୍ୟା କୁହା ହେବ । ଅବଶ୍ୟ ତୁମକୁ ଏଠାକୁ ଯେ କୌଣସି ଛଳରେ ଡକାର ଆଣିବା ଗୋଟାଏ ଆଇଡ଼ିଆ ଥିଲା । ମୋର ଅନୁମୋଦନ ନ ପାଇବାରୁ ତାହା ବାତିଲ ହୋଇଗଲା ବୋଲି ମୋର ବିଶ୍ୱାସ । ଆଉ ବାକି ରହିଲା ଇନ୍ଦିରା, ସେ ବଡ଼ ଜୋର ଖଣ୍ଡେ ଦୁଇଖଣ୍ଡ ଚିଠିଦେଇଥାଇ ପାରେ; ଏସବୁ ପରେ ଆଉ ଗୋଟିଏ ରହିଲା ମିଷ୍ଟର ବି.ରେ ବ୍ୟାପାର । ତାଙ୍କ ଦେଇ ଜଟିଳତା ସୃଷ୍ଟି ହେବା କିଛି ବିଚତ୍ର ନୁହେଁ । ତେବେ ସେ ତ କଲିକତାର ଘଟଣା । ମୋ ପକ୍ଷରେ ବୋମ୍ୱାଇରେ ବସି ସେସବୁ ଜାଣିବା ସମ୍ଭବ ନୁହେଁ । ଏଥର ତୁମେ ନିଜେ କାରଣଟା କୁହ ।’’

 

‘‘ମିଃ ବି. ରେ ନେଇ ଆପଣଙ୍କ ଅନୁମାନ ପ୍ରାୟ ଠିକ୍‌ କିନ୍ତୁ ଭଦ୍ରଲୋକଙ୍କ ଏପରି ବ୍ୟବହାର ପଛରେ କି କାରଣ ଅଛି ତା’ ମଧ୍ୟ ମୁଁ ଜାଣେନା । ଯାହା ଜାଣେ ତା ହେଲା, ଯୁକ୍ତ ଭାବେ କାରବାର କରିବା ପରିକଳ୍ପନା ମୋର ତୀବ୍ର ଆପତ୍ତି ହେତୁ ବାତିଲ ହୋଇଗଲା; କିନ୍ତୁ ଏ ବାତିଲ ଇନ୍ଦିରା ଦେବୀ ଭଲ ଭାବରେ ନେଇପାରିଲେ ନାହିଁ । ସେ ସକାଶେ ମୋ ଉପରେ ରାଗକରି ନିଜେ ନିଜେ P.I. & Co ନାମରେ ଗୋଟିଏ Firm ଖୋଲି ବିଜିନେସ ଆରମ୍ଭ କଲା । ଏହି B. Rayକୁ ଫାରମର ମେନେଜର କରି ରଖିଲେ । ନାମରୁ ନିଶ୍ଚୟ ବୁଝିପାରୁଥିବ ଏ ଦୁଇଜଣକିଆ ନାମଧେୟ କାରବାରରୁ ମୁଁ ଜଣେ ଅଂଶୀଦାର । ଏକଥା ମୁଁ ଜାଣିଲି ବ୍ୟାଙ୍କରୁ ଗୋଟିଏ ପାର୍ଟନରସିପ୍‌ର ଚିଠି ପାଇ । ସେ କେତେବେଳେ ଯେ ମୋର ବ୍ୟାଙ୍କରେ ଏକାଉଣ୍ଟ୍‍ ଖୋଲିବା ପାଇଁ ସହି କରେଇ ନେଇଛନ୍ତି ତା’ ମୋର ସ୍ମରଣ ହେଉନି। ଏପରି ଏକ ନୀତିବିରୁଦ୍ଧ କାର୍ଯ୍ୟ ମୁ କିପରି କଲି ତା’ ଭାବିଲେ ଆଶ୍ଚର୍ଯ୍ୟ ବୋଧହୁଏ । କେବଳ ଏଇ ଗୋଟିଏ କାରଣରୁ ଇନ୍ଦିରାର ଚିଠି ପାଇବା ପୂର୍ବରୁ ଯୋଧପୁରରେ ତୁମ ସଙ୍ଗେ ଇନ୍ଦିରାର ସାକ୍ଷାତଠାରୁ ଯାତ୍ରା ପର୍ଯ୍ୟନ୍ତ ସମସ୍ତ ଶବର ଜାଣିପାରିଲି । ହୁଏତ ସେଥିପାଇଁ ମୋତେ ବାଧ୍ୟ ହୋଇ ବମ୍ୱେ ଛୁଟି ଆସିବାକୁ ହେଲା ।’’

 

ଏଇ ସମୟରେ ବେହରା ଚାଆ ଦେଇଗଲା । ତାହା ପାନ କରୁ କରୁ ଚିନ୍ତେ କରି ନେଲିଇନ୍ଦିରା ମୁଖରୁ ମଧ୍ୟ ଏଇ P.I& Co. କଥା ଯୋଧପୁରରେ ଶୁଣିଥିଲି । ତା’ପରେ ପ୍ରବୀରର ଇନ୍ଦିରାକୁ କେତେବେଳେ ମାନ୍ୟାର୍ଥେ ଏବଂ କେତେବେଳେ ‘ତୁ’କାରେ ସମ୍ୱୋଧନ, ତାହା ଆଉରି ସହଜ କରିଦେଲା । ନିଜେ ଏ ସବୁ ଭାବି ମନେ ମନେ ହସିନେଲି, ଏବଂ ପ୍ରବୀରର ପରବର୍ତ୍ତୀ ବକ୍ତବ୍ୟ ଶୁଣିବାକୁ ବ୍ୟଗ୍ର ହୋଇ ଉଠିଲି ।

 

ଶୂନ୍ୟ ଚାଆ କପ୍‌ଟ ଟେବୁଲ ଉପରେ ରଖି ସେ ପୁଣି ତା’ର ବକ୍ତବ୍ୟ ଆରମ୍ଭ କଲା । ‘‘ତା ୨୮ । ୧୨ । ୭୮ ଦିନ ଦଶଟା ବାଜିବା ସଙ୍ଗେ ସଙ୍ଗେ ହଠାତ୍‌ ମି. ରେ ମୋର ଅଫିସରେ ଯାଇ ହାଜର । ସେତେବେଳକୁ ମୁଁ ନିଜ ଆସନରେ ବସିନାହଁ । ଏଇ ଭଦ୍ରଲୋକଙ୍କ ପ୍ରତି ମୋର ମନୋଭାବ ମୋଟେ ଅନୁକୂଳ ନୁହେ । ତଥାପି ଆଗନ୍ତୁକ ପ୍ରତି ଯେପରି ସମ୍ମାନ ଦିଆଯାଏ ତାହା ଦେଇ ବସିବା ପାଇଁ ଚୌକୀଟା ଆଗେଇ ଦେଲି ।’’

 

ରାୟବାବୁ ବସୁ ବସୁ ବ୍ୟସ୍ତତା ପ୍ରକାଶ କରି କହିଲେ—‘‘ଆରାମ କରି ବସିବା ପାଇଁ ଅବକାଶ କାହିଁ ମିଷ୍ଟର ବୋଷ ? ଆପଣଙ୍କ ନିକଟରେ ଚେକ୍‌ଟା ସହି କରେଇ ନେଇ ମୋତେ ବ୍ୟାଙ୍କ ହୋଇ ଏବେ ଦଉଡ଼ିବାକୁପଡ଼ିବ ଦମଦମ ଏୟାର ଗ୍ରାଉଣ୍ଡକୁ (Air Ground) । ଯେ କୌଣସି ପ୍ରକାରେ ହେଲେ ମଧ୍ୟ ମୋତେ ଆଜି ଯୋଧପୁରରେ ପହଞ୍ଚିବାକୁ ହେବ । ସେଠାରେ ମୋରି ଅପେକ୍ଷାରେ ମିସ୍‌ମୁଖାର୍ଜି ବସିଥିବେ । ବାରଟା ଫ୍ଲାଇଟ୍‍ ଯଦି ନ ଧରିପାରେ ତେବେ ଫାର୍‍ମର ଗୋଟାଏ ବିରାଟ ଲୋକସାନ୍‌ହୋଇାଯିବ ।’’

 

ଗୋଟାଏ ଚେକ୍‌ବହି ବଢ଼ାଇ ପୁନଶ୍ଚ କହିଲେ, ‘ଆପଣ ଦୟାକରି ମୋତେ ଶୀଘ୍ର ଛାଡ଼ି ଦିଅନ୍ତୁ, ମୁଁ ଏକବାରେ ରେଡ଼ି (Ready) ହୋଇ ଆସିଛି । ବ୍ୟାଙ୍କର କାମ ଶେଷ କରି ମୁଁ ବାହାରି ଯିବି । ବ୍ୟାଙ୍କରେ ଅବଶ୍ୟ ଡେରି ହେବନି ।’’

 

ମୁଁ ଚେକ୍‌ବହିଟା ନେଇ ଦେଖେ ଇନ୍ଦିରା ଫରମର ଚେକ୍‌ଉପରେ ଦଶହଜାର ଟଙ୍କାର ଗୋଟିଏ ବିଏରର (Bearer) ଚେକ୍‌ । ସମସ୍ତ କିଛି ଲେଖାଲେଖି ସହ ରବର ଷ୍ଟାମ୍ପ କରା ପର୍ଯ୍ୟନ୍ତ କମ୍ପ୍ଲିଟ୍‍ । ନିଜର ସହି ମଧ୍ୟ ହୋଇ ଯାଇଛି ।

 

ଫର୍ମର ନିୟମ ଦୁଇଜଣ ପାର୍ଟନର ମଧ୍ୟରୁ ଯେ କୌଣସି ଜଣେ ଏବଂ ମେନେକର, ଏପରି ଦୁଇଜଣଙ୍କ ସହି ହେଲେ ଟଙ୍କା ଉଠାଯାଇ ପାରିବ । ମୁଁ ଯେତେଦୂର ଜାଣେ ମୁଁ ଯେ ଜଣେ ପାର୍ଟନର ଏକଥା ଇନ୍ଦିରା ବ୍ୟତୀତ ଅନ୍ୟ କାହାରି ପକ୍ଷେ ଜାଣିବା ସମ୍ଭବପର ନୁହେଁ । ଅଥଚ ମୁଁ ଦେଖୁଛି ମିଷ୍ଟର ରାୟ ସେ ସମସ୍ତ କିପରି ଜାଣି ପାରିଛନ୍ତି ଏବଂ ସେପରି ଭାବରେ ପ୍ରସ୍ତୁତ ହୋଇ ଆସିଛନ୍ତି; କିନ୍ତୁ ସେ ଯେତେ ସହଜ ଭାବେ ଚେକ୍‌ରେ ସହି କରେଇ ନେବେ ଭାବିଥିଲେ ତା’ ସମ୍ଭବ ହେଲାନି । ମୋର ଜେରାରେ ସେ ଇନ୍ଦିରାଙ୍କ ସମ୍ଭାବ୍ୟ ସମସ୍ତ ଖବର କହିଗଲେ । କହିବା ବାହୁଲ୍ୟ ସେଥିରେ ନିଜର ସଫେଇ ଏବଂ ମିସ୍‌ ମୁଖାର୍ଜୀଙ୍କ ଉଚ୍ଛୃଙ୍ଖଳତା ହିଁ ମୁଖ୍ୟ ସ୍ଥାନ ପାଇଥିଲା । ଏପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଜଣେ ସୁଦକ୍ଷ ମେନେଜର ବୋଲି ବୋମ୍ୱାଇ ଷ୍ଟିଲର ପ୍ରାୟ ଦଶଲକ୍ଷ ଟଙ୍କାର ଅର୍ଡ଼ର ପାଇଛନ୍ତି । ଅବଶ୍ୟ ବୋମ୍ୱାଇଷ୍ଟିଲ୍‍ ମେନେଜିଂ ଡାଇରେକ୍ଟର ମିଷ୍ଟର ପବନ ଡାଲମିଆ ସଙ୍ଗରେ ବିଶେଷଭାବେ ଜଣାଶୁଣା ଅନେକ କାମରେ ଲାଗିଲା । ଏତେ ବଡ଼ରକମ ଗୋଟାଏ ଅର୍ଡ଼ର କେବଳ ମି. ରେ ସକାଶେ ସମ୍ଭବ ହୋଇ ପାରିଛି; ବିଶେଷ କରି P.I. & Co. ଭଳି ଏକ ନୂତନ ଫାର୍ମ ପକ୍ଷେ । ଏଥର ଏଇ ଦଶହାଜର କସନ୍‌ମନି ଜମାଦେଇ ଏଗ୍ରିମେଣ୍ଟ ସହ ଅର୍ଡ଼ରଟା ପାଇ ପାରିଲେ ନିଶ୍ଚିନ୍ତ । ଏବେ ମଧ୍ୟ ଏଇ କଲିକତାର ମି. ଦାସଗୁପ୍ତ, ମି. ବୋଷ, କରଞ୍ଜିଆ ପ୍ରଭୃତି ଆଶା ନ ଛାଡ଼ି ସେଠାରେ ପଡ଼ିରହିଛନ୍ତି । କେତେବେଳେ କ’ଣ ହୋଇ ଯାଇପାରେ ।

 

ମୁଁ ପଚାରିଲି, ‘‘ଇନ୍ଦିରା ଦେବୀ ବର୍ତ୍ତମାନ କେଉଁଠି ? ଆଉ ସେ’ ବା ସହି କଲାନି କାହିଁକି ?’’

 

ମି. ରେ କହିଲେ—ମିସ୍‌ମୁଖାର୍ଜୀ ସେଠାର ଘାଟି ଜଗି ରହିଛନ୍ତି । ଚେକ୍‌ବହି ବରାବର ଅଫିସରେ ରହେ । କ’ଣ ହେବ ତା’ତ ଜଣାନାହିଁ, ଏତେଗୁଡ଼ାଏ ଟଙ୍କା ସଙ୍ଗରେ ନେଇଯିବା ଯୁକ୍ତିସଙ୍ଗତ ନୁହେ । ତା’ ଛଡ଼ା ଆପଣତ ଅଛନ୍ତି । କଲିକତା କାମରେ ଅସୁବିଧା ହେବାର କାରଣ ନାହିଁ । ଆସିଲାବେଳେ ମିସ୍‌ଇନ୍ଦିରା ଗୋଟାଏ ଚିଠି ଦେବାପାଇଁ କହୁଥିଲେ ଚେକ୍‌ଟା ସହି କରିବା ପାଇଁ । ମୁଁ ନିଜେ ଇଚ୍ଛାକରି ଆଣିନି । ମୁଁ’ତ ଜାଣେ ମୋର ମୁହଁର କଥା ଅପେକ୍ଷା ଆପଣ ଚିଠିକୁ ବେଶି ଦାମ ଦେବେନି ।

 

ତାଙ୍କର ସମସ୍ତ କୌଶଳ ସତ୍ତ୍ୱେ ନାନାରକମ ଜୋରକରି ମୁଁ ଜାଣିପାରିଲି ଯେ ଯୋଧପୁରରେ ତୁମ ସାଥିର ଇନ୍ଦିରାର ଦେଖାହୋଇଛି । ଯେ କୌଣସି କାରଣରୁ ସେଇଟା ହୋଇଛି ମି. ରେ ଙ୍କର ଗାତ୍ରଦାହର ପ୍ରଧାନ କାରଣ । ଅବଶ୍ୟ ଆବୁ’ରୁ ଇନ୍ଦିରା ଖଣ୍ଡିଏ ଚିଠି ଦେଇଥିଲା । ସେଥିରୁ ଜାଣିପାରିଥିଲି ସେ ତୁମ ସାଥିରେ ବୋମ୍ୱେର, ଅଜନ୍ତା ହୋଇ ଫେରିବ; କିନ୍ତୁ ଜାଣିପାରି ନ ଥିଲି ଇନ୍ଦିରା ସାଥିରେ ଯୋଧପୁରର ସମ୍ପର୍କ କ’ଣ ଏବଂ ସେଠାରେ ତୁମ ସାଥିରେ ଦେଖାହେଲା କିପରି ? ଇନ୍ଦିରାଠାରୁ ପାଇବା ଚିଠିରେ ଏ ବିଷୟ ନେଇ କିଛି ଲେଖା ନଥିଲା । ମୋର ଭାବନା ପ୍ରତି କୌଣସି ଗୁରୁତ୍ୱ ନ ଦେଇ ସେ ଚେକ୍‌ଟା ସହି କରିଦେବାପାଇଁ ଜିଦ୍‌ଧରି ବସିଲେ । ମୁଁ ଚେକ୍‌ବହିଟା ନିଜ ଡ୍ରୟାର ଭିତରେ ରଖୁ ରଖୁ କହିଲି, ମି. ରାୟ ତୁମେ ନିଜର କର୍ତ୍ତବ୍ୟ ଶେଷ କରିଛ । ଏଥର ନିଶ୍ଚିନ୍ତ ହୋଇ ଚାଲିଯାଅ, ମୁଁ ଚିନ୍ତାକରି ଦେଖେ ଏ ବିଷୟରେ କ’ଣ କରାଯାଇପାରେ । ତାଙ୍କର ସାମନାରେ ଫୋନ୍‌କରି ବ୍ୟାଙ୍କକୁ ଏଇ ଏକାଉଣ୍ଟରେ ଅନ୍ୟ କୌଣସି ରକମ ପେମେଣ୍ଟ (Paument) ନ କରିବା ପାଇଁ ଅନୁରୋଧ କଲି ! ସୁବିରକୁ ତମେ ଜାଣ, ସେ ବର୍ତ୍ତମାନ ପ୍ରମୋସନ ପାଇ ସେଇ ୟୁନିଟର ମେନେଜର ଅଛି, ସୁତରାଂ ବିଶେଷ ଅସୁବିଧା ହେଲାନି । ମୋର ଏ କାମ କରିବା ମଧ୍ୟରେ ମିଷ୍ଟର ରେ’ଙ୍କର କାଣ୍ଡ କାରଖାନା ବଖାଣିବା ଆବଶ୍ୟକ ନାହିଁ । ସେ ମୋତେ ଅଫିସରରେ ଯେଉଁ ବ୍ୟବହାର ପ୍ରଦର୍ଶନ କଲେ ସେଇ ଅପରାଧରେ ମୁଁ ତାଙ୍କୁ ସମୁଚିତ ଶିକ୍ଷା ଦେଇ ପାରିଥାନ୍ତି; କିନ୍ତୁ ମୋର ସେ ସ୍ୱଭାବ ନୁହେ, କେବଳ ଇନ୍ଦିରା ଦେବୀ ନ ଆସିବା ପର୍ଯ୍ୟନ୍ତ ଡେଲହାଉସି ଅଫିସକୁ ଯିବାପାଇଁ ମନା କରି ତାଙ୍କୁ ପ୍ରାୟ ଜୋରକରି ବିଦାୟ କଲି । ଦୁଃଶ୍ଚିନ୍ତା ମଧ୍ୟରେ ନିଜର ଡିଉଟି ଶେଷ କରି ନିଜ ଡେରାକୁ ଫେରି ଦେଖେ ଇନ୍ଦିରାର ବିଶ୍ୱସ୍ତ ଚାକର ଗୋବର୍ଦ୍ଧନ ଅପେକ୍ଷା କରୁଅଛି ।

 

ତମେତ ଗୋବର୍ଦ୍ଧନା କଥା ଜାଣିଛ । ସେ ଯେଉଁ କାମ ପାଇଁ ଆସିଛି, ସେ କାମ ଶେଷକରି ଯିବ ସେଇ ବାଲିଗଞ୍ଜ, ଇନ୍ଦିରାର ଘର ଜଗିବାକୁ । ସୁତରାଂ ମୁଁ ଅଫିସ ପୋଷାକ ନ ବଦଳାଇ ବସିଗଲି ତା’ର ବକ୍ତବ୍ୟ ଶୁଣିବା ପାଇଁ । ସେ କାଳବିଳମ୍ୱ ନ କରି ଯାହା କହିଗଲା ତା’ର ସାରମର୍ମ ହେଲା—‘‘ଆଜି ପ୍ରାୟ ବାରଟା ସମୟରେ ରାୟବାବୁ ତାକୁ କୌଣସି ଏକ କାମରେ ବାହାରକୁ ଯୋର କରି ପଠାଇଲେ । ଅଫିସ ଛାଡ଼ି ଅନ୍ୟ କେଉଁଠିକି ନିଯିବା ପାଇଁ ଦିଦିମଣି କଡ଼ା ନିର୍ଦ୍ଦେଶ ଦେଇଯାଇଛନ୍ତି । ଏକଥା ରାୟ ବାବୁ ଭଲ ଭାବରେ ଜାଣନ୍ତି । ଯେ ଏ ପ୍ରକାର ଯୋଗକରି ପଠାଇବା ହେତୁ ତା’ର ମନରେ ସନ୍ଦେହ ଜାତ ହେଲା ତେଣୁ ସେ ନିର୍ଦ୍ଦିଷ୍ଟ ଜାଗାକୁ ନ ଯାଇ ଆଖପାଖରେ ଅଫିସ ଉପରେ ଆଖି ରଖିଲା । ଦେଖିପାରିଲା, ରାୟ ବାବୁ ଅଫିସର ଟାଇପ୍‌ରାଇଟର ପ୍ରଭୃତି ଏକାଠି କରି ଚାଲିଗଲେ ଠେଲା ଡାକିବାପାଇଁ । ଗତ ଦୁଇ ତିନିଦିନ ଧରି ତାଙ୍କର ହାବଭାବ ଗୋବର୍ଦ୍ଧନର ବିରକ୍ତିକର ଥିଲା । ବର୍ତ୍ତମାନ ଦୂରରୁ ଠେଲା ନେଇ ରାୟ ବାବୁଙ୍କ ଆସିବା ଦେଖି ସେ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ଦଉଡ଼ି ଯାଇ ସେମାନେ ପହଞ୍ଚିବା ପୂର୍ବରୁ ଦ୍ୱାରରେ ଗୋଟାଏ ବଡ଼ ତାଲା ଲଗାଇ ଦେଇ ଟେବୁଲ ଉପରେ ଗୁମ୍‌ହୋଇ ବସି ରହିଲା । ଠେଲାବାଲା କୁଲି ସହ ରାୟ ଆସି ଦେଖିଲେ ଗୋବର୍ଦ୍ଧନର କାଣ୍ଡ କାରଖାନା । ପ୍ରଥମେ ହତଚକିତ ହୋଇଗଲେ ମଧ୍ୟ ମୁହଁରେ ଖୁବ୍‌ଟାଣ ଦେଖାଇ ଇଂରେଜିରେ କେତେ କ’ଣ କହି ଦ୍ୱାର ଖୋଲିଦେବା ପାଇଁ ଅର୍ଡ଼ର କଲେ; କିନ୍ତୁ ସେ ଅର୍ଡ଼ର ଶୁଣୁଛି କିଏ ? ଫଳରେ ମିଷ୍ଟର ରେଙ୍କର ସମସ୍ତ ପରିକଳ୍ପନା ଭାସି ଯିବାକୁ ଲାଗିଲା । ତେବେ ବି ସେ ଦବିବାର ପାତ୍ର ନୁହେଁ । ଆଖ ପାଖ ଦୁଇ ଚାରିଜଣ ଭଦ୍ର ଲୋକଙ୍କୁ ନେଇ ଦ୍ୱାର ଖୋଲିଦେବାକୁ ଗୋବର୍ଦ୍ଧନକୁ କଡ଼ା ଭାବରେ ନିର୍ଦ୍ଦେଶ ଦେଲେ । ଦଳର କେତଜଣ ତାଙ୍କର କଥାକୁ ସମର୍ଥନ କଲେ ଏବଂ କାଳ ବିଳମ୍ୱ ନକରି ଖୋଲି ଦେବା ପାଇଁ ପାଟି ତୁଣ୍ଡ କଲେ । ଏ ସମସ୍ତ ଚାପରେ ପଡ଼ି ହୁଏତ ସେ ତାଲା ଖୋଲିବା ପାଇଁ ବାଧ୍ୟ ହୋଇଥାନ୍ତା; କିନ୍ତୁ ସେ ପରିସ୍ଥିତି ଉପୁଜିବା ପୂର୍ବରୁ ଦୈବଯୋଗକୁ ଇନ୍ଦିରାଙ୍କ ସଲିସିଟର ମିଷ୍ଟର ପ୍ରଭାତ ସାମନ୍ତ ଯାଇ ପହଞ୍ଚିଗଲେ । କୌଣସି ଜରୁରି କାମରେ । ହିତୈଷୀ ବନ୍ଧୁଙ୍କୁ ଦେଖି ଗୋବର୍ଦ୍ଧନ ତାଙ୍କୁ ନିଜର ସନ୍ଦେହ କଥା ବ୍ୟକ୍ତ କରି ଦ୍ୱାରରେ ଚାବି ବନ୍ଦ କରିବା କଥା କହିଲା । ମିଷ୍ଟର ବି.ରେ ମଧ୍ୟ ତାଙ୍କର ସ୍ୱାଭବିକ ଭଙ୍ଗୀରେ ଗୋବର୍ଦ୍ଧନ ପ୍ରତି ନାନା କଥା କହିଗଲେ । ସାମନ୍ତବାବୁ ସମସ୍ତ ଶୁଣି ପରିସ୍ଥିତି ପର୍ଯ୍ୟବେଷଣ କରିବା ପାଇଁ ଗୋବର୍ଦ୍ଧନକୁ ଚାବି ଖୋଲିବାକୁ କହିଲେ । ଦ୍ୱାର ଖୋଲିବା ପରେ ଦୁଇଜଣ ଭଦ୍ର ଲୋକଙ୍କୁ ସଙ୍ଗରେ ଧରି ଭିତରକୁ ଗଲେ । ସମସ୍ତେ ଦେଖିଲେ ଅଫିସର କାଗଜ ପତ୍ର ଏପାଖ ସେପାଖ ହୋଇ ପଡ଼ିଛି । ସମସ୍ତ ମୂଲ୍ୟବାନ୍‌ଆସବାବ ପତ୍ର ଏକତ୍ରୀତ କରି ରଖାଯାଇଛି । କେତେକର ବନ୍ଧାବନ୍ଧି କାମ ପର୍ଯ୍ୟନ୍ତ ଶେଷ ଅବସ୍ଥା ଦେଖି ପରିଷ୍କାର ବୁଝାଯାଉଛି ଯେ କିଏ ଯେପରି ଏଇ ମାତ୍ର ଘର ଛାଡ଼ି ଚାଳିଯିବ । ସୁତରାଂ ଗୋବର୍ଦ୍ଧନର କଥା ଯେ ବାସ୍ତବ ସେ କଥା ବୁଝିବାକୁ କାହାର ଆଉ ବାକି ରହିଲା ନାହିଁ । ଏହାର କାରଣ ଜାଣିବା ପାଇଁ ସାମନ୍ତ ସାହେବ ଘରୁ ବାହାରି ମିଷ୍ଟର ରାୟଙ୍କର ଖବର ନେଇ ଦେଖିଲେ ସେ ଏକବାରେ ନିଖୋଜ । ଘର ଭିତର ଅବସ୍ଥା ଦେଖିବାପାଇଁ ଯେତେବେଳେ ସମସ୍ତେ ବ୍ୟସ୍ତ ଠିକ୍‌ସେଇ ସମୟରେ ସଙ୍ଗୀନ ଅବସ୍ଥା ବୁଝିପାରି ଲୁଚି ଚାଲି ଯାଇଛନ୍ତି । ସାମନ୍ତ ସାହେବ ଗୋବର୍ଦ୍ଧନକୁ ଅଫିସରେ ଚାବି ବନ୍ଦ କରି ମୋତେ ଖବର ଦେବାକୁ ଏବଂ ଥାନାରେ ଗୋଟାଏ ଡାଏରି କରିବା ପାଇଁ କହି ଚାଲିଗଲେ । ସେ ଇନ୍ଦିରା ଦେବୀଙ୍କ ସଲିସିଟର ସତ କିନ୍ତୁ ଏଇ ଫାରମ ତାଙ୍କର ଅଧିକାର ଭୁକ୍ତ ନୁହେଁ । ତେଣୁ ଏଇ ପରାମର୍ଶ ।’’

 

ପରିଶେଷରେ ତା’ର ବକ୍ତବ୍ୟ ହେଲା ଏଇ ରାୟ ସାହେବ ଲୋକଟା ମୋଟେ ସୁବିଧାର ନୁହେ । ଆଜି ସିନା ଚାପରେ ପଡ଼ି ଚୋର ଭଳି ଚାଲିଯାଇଛି; କିନ୍ତୁ ସେ ଚୁପ ହୋଇ ରହିବନାହିଁ । କେତେବେଳେ ପୁଣି କି ଭାବରେ ଆସି ଝାମେଲା କରିବ ତା’ର କୌଣସି ଠିକ୍‌ନାହିଁ । ସୁତରାଂ ଯଥାଯଥ ବ୍ୟବସ୍ଥା ଯାଇ କରିବାକୁ ହେବ ।

 

ଚୁପଚାପ ତା’ର ସମସ୍ତ କଥା ଶୁଣି ତାକୁ ଯଥା ସାଧ୍ୟ ଭରସା ଦେଇ ବିଦାୟ ଦେଲି । ପରଦିନ ନିଜର ଅଫିସ ନ ଯାଇ ଡେଲହାଉସି ଅଞ୍ଚଳରେ ଅବସ୍ଥିତ P.I. & Co ରେ ପହଞ୍ଚିଲି ଏବଂ ଗତକାଲି ଗୋବର୍ଦ୍ଧନର ବକ୍ତବ୍ୟ ସଙ୍ଗରେ ସମସ୍ତ ମିଳାଇ ନେଇ ତା’ର ସୁରକ୍ଷାର ଯଥାଯଥ ବ୍ୟବସ୍ଥା କରି ସଂଶ୍ଳିଷ୍ଟ ବ୍ୟାଙ୍କକୁ ଗଲି । ଏହାରି ଭିତରେ ଇନ୍ଦିରା ଦେବୀ ବେଶ କିଛି ଟଙ୍କା ଖରଚ କରିଛନ୍ତି । ଅବଶ୍ୟ ଏ ହେଲା ତାଙ୍କର ବ୍ୟକ୍ତିଗତ ଅର୍ଥ । ତେବେ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ବାରବାର ମୋତେ ସେଥିରେ ଜଡ଼ିତ ହେବାକ ପଡ଼ୁଛି । ପରିସ୍ଥିତିଯେପରି ଜଟିଳ ହୋଇ ଉଠୁଛି ତାକୁ ସମ୍ଭାଳିବାକୁ ଇନ୍ଦିରା ଦେବୀଙ୍କ ଉପସ୍ତିତି ଏକାନ୍ତ ଆବଶ୍ୟକ । ଏହା ହେଲା ମୋଟାମୋଟି କଲିକତା ଖବର ।

 

ଯୋଧପୁରର ଘଟଣା ପରେ ମିଷ୍ଟର ରାୟ ଯେ ଏପରି କିଛି ଗୋଟାଏ କରିବେ ସେ ଆଶଙ୍କା ମୋର ମନରେ ଜାଗରୁକ ହେଲେ ମଧ୍ୟ ଇନ୍ଦିରାକୁ ସତର୍କ ନକରେଇ ଥିବାରୁ ନିଜକୁ ଦୋଷୀ ମନେକଲି । ଏବେ ଆଉ କରିବାକୁ କିଛି ନାହିଁ । ହାତର ଗୁଡ଼ କହୁଣୀ କି ବୋହି ଗଲାଣି । ସେ ନେଇ ଆଉ ଚିନ୍ତା ନ କରି ପ୍ରବୀରକୁ ସାଥିରେ ଧରି ପ୍ଲାଟଫରମରେ ଅପେକ୍ଷମାଣ ବଗି ପ୍ରତି ଅଗ୍ରସର ହେଲି । ଯେ କୌଣସି ମତେ ଇନ୍ଦିରାକୁ ବୁଝେଇ ସୁଝେଇ ପ୍ରବୀର ସଙ୍ଗରେ କଲିକତା ପଠାଇ ଦେବାକୁ ହେବ ।

 

ଆମେ ଗଲାବେଳକୁ ବଗିଟି ପ୍ଳାଟଫରମରୁ ଚାଲି ଗଲାଣି । ଟ୍ରେନ୍‍ ସଙ୍ଗରେ ଯୁକ୍ତ ହୋଇ ପୁଣି ନିର୍ଦ୍ଦିଷ୍ଟ ପ୍ଲାଟଫରମରେ ଲାଗିବ । ବାଧ୍ୟ ହୋଇ ସେ ସମୟକୁ ଅପେକ୍ଷା କରିବାକୁ ହେଲା । ଅବଶ୍ୟ ବେଶି ସମୟ ଏ ଯନ୍ତ୍ରଣା ଭୋଗ କରିବାକୁ ହେଲାନି । ଭୁଷାବଳ ପାସେଞ୍ଜର ଠିକ୍‌ ସମୟରେ ଲାଗିଲା ।

 

ପ୍ରବୀରକୁ ଅପେକ୍ଷା କରିବାକୁ କହି ମୁଁ ଯାଇ ଇନ୍ଦିରାକୁ ଡାକି ଆଣିଲି । ସେଇ ଅବସରରେ ପ୍ରବୀରର ଏଠାକୁ ଆସିବା ଏବଂ ତା’ର କଲିକତାରେ ଯଥାଶୀଘ୍ର ପହଞ୍ଚିବା ଉପରେ ଗୁରୁତ୍ୱ ଦେଇ କହିଲି । ଶୀଘ୍ର ବିଶ୍ୱେଶ୍ୱର ରାୟଙ୍କ ସମସ୍ୟା ସମାଧାନ ନ କଲେ ପ୍ରବୀର ଉପରେ ଯେ କୌଣସି ସମୟରେ ଗୋଟାଏ ଆଘାତ ଆସି ପାରେ । ଶେଷ କଥାଟା ଶୁଣି ସେ ଏକ ପ୍ରକାର ଶିହରି ଉଠିଲା । ତା’ର ସେ କାତର ଭାବ ମୋର ନଜର ଏଡ଼ାଇଲା ନାହିଁ । ତେବେ ମୁଁ ସେ ସବୁ ନ ଦେଖିଲା ପରି କହିଲି, ‘‘ତୋର ନିତାନ୍ତ ଦରକାର କେତୋଟି ଜିନିଷ ନେଇ ଚୁପଚାପ ଚାଲିଆ । ଏବେ କାହାକୁ କିଛି କହିବା ଦରକାର ନାହିଁ । ତୁ କାଲି ସକାଳେ ପ୍ଲେନ୍‍ କରି ଚାଲିଯିବୁ । ତୁ ଯିବା ପରେ ସହଯାତ୍ରୀଙ୍କୁ ମୁଁ ସେ କଥା କହିବି ଏବଂ ତୋର ଅବଶିଷ୍ଟ ଜିନିଷ କଲିକତାରେ ତୋର ଘରେ ପହଞ୍ଚାଇ ଦେବି । ଏବେ ଆଉ ଡେରି ନ କରି ପ୍ରୟୋଜନୀୟ ଜିନିଷ ଧରି ନିଜେ ନିଜେ ଚାଲି ଆସେ । ଇତ୍ୟବସରରରେ ସରସ୍ୱତୀ ଆସି ସମସ୍ତ ବିଷୟ ଜାଣିବାକୁ ଚାହିଁଲା । ମୁଁ ତାକୁ ଅଦୂରେ ଅପେକ୍ଷାମାଣ ପ୍ରବୀରକୁ ଦେଖାଇ ଦେଇ ପରେ ସମସ୍ତ କହିବି ବୋଲି ଇସାରାରେ ଜଣାଇ ଦେଲି-। ସେ ପ୍ରବୀର ନିକଟରୁ ଗଲା । ମୁଁ ଇନ୍ଦିରାକୁ ଅପେକ୍ଷା କଲି ।

 

ଇନ୍ଦିରା ମଧ୍ୟ ବେଶି ଡେରି କଲାନାହିଁ । ସମସ୍ତଙ୍କର ଅଲକ୍ଷ୍ୟରେ ନିଜର ଭି. ଆଇ. ପି. ସୁଟ୍‌କେସଟି ଧରି ଚାଲି ଆସିଲା । ମୁଁ ସେଇ ସୁଟକେସଟିକୁ ହାତରେ ଧରି ପ୍ରବୀର ପାଖକୁ ଗଲି । ଅତି ଅଳ୍ପ ସମୟରେ ସରସ୍ୱତୀ ସାଥିରେ ପ୍ରବୀର ମଧୁର ଆଳାପ ଯୋଡ଼ିଦେଇଛନ୍ତି । ସେମାନଙ୍କୁ ଶୀଘ ସେଠାରୁ ବିଦାୟ ଦେଇ ମୁଁ ନିଜ ସ୍ଥାନକୁ ଫେରିଲି । ମୋର ଉଦ୍ଦେଶ୍ୟ ନୁହେ ଏ ବ୍ୟାପାର ନେଇ ସହଯାତ୍ରୀମାନଙ୍କ ମଧ୍ୟରେ କୌଣସି ରକମ ଆଲୋଚନା ଉଠୁ । ଯେତେ ସାବଧାନତା ଅବଲମ୍ୱନ କଲେ ମଧ୍ୟ ହରିଧନ ଦାଦାଙ୍କୁ ନେଇ ସମସ୍ୟା ଅଛି । ସେ ନେଇ ମୋର ବିଶେଷ ଭାବନା ନାହିଁ । ସମୟ ବୁଝି ସମସ୍ତ ଘଟଣା ଅଳ୍ପ ବହୁତ କୁହାଯାଇ ପାରିବ; କିନ୍ତୁ ଶେଷବେଳକୁ ଇନ୍ଦିରା ବାଦ ସାଧି ବାସିଲା । ହଠାତ୍‌ସରସ୍ୱତୀକୁ ନିବିଡ଼ ଭାବରେ ଯାବୋଡ଼ି ଧରି ଛୋଟ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦି ଉଠିଲା । ତା’ର ପିଠିରେ ହାତ ବୁଲାଉ ବୁଲାଉ ସରସ୍ୱତୀର ଚକ୍ଷୁ ମଧ୍ୟ ସଜଳ ହୋଇ ଉଠିଲା । ନିଜେ ମଧ୍ୟ ସେଥିରୁ ବାବ ଯାଇ ପାରିଲିନାହିଁ । ତେବେ ବି ତାକୁ ପରିସ୍ଥିତିର ଗୁରୁତ୍ୱ ବୁଝାଇ ସାନ୍ତ୍ୱନା ଦେବାକୁ ଲାଗିଲି ।

 

ଇନ୍ଦିରା କିଛି ଅବୁଝା ନୁହେ । ପ୍ରବୀର ତା’ର ପ୍ରତି ଏବଂ ବିଷୟ ସଂପତ୍ତି ପ୍ରତି ବିଶେଷ ସଜାଗ । ତା’ର ସୁରକ୍ଷା ପାଇଁ ନିଜର ଅଫିସ କାମ ବନ୍ଦ କରି ବୋମ୍ୱାଇ ପର୍ଯ୍ୟନ୍ତ ଆସିଛି ଏ ଅନୁଭୂତି ଯେପରି ତା’ର ପକ୍ଷରେ ଆନନ୍ଦଦାୟକ, ସେପରି ଆମମାନଙ୍କୁ ଛାଡ଼ି ଯାଉଥିବାରୁ ସେଇ ପରିମାଣରେ ବେଦନାକୟକ । କ୍ରନ୍ଦନ ସମ୍ୱରଣ କରି ଇନ୍ଦିରା ଯିବାକୁ ପ୍ରସ୍ତୁତ ହୋଇ ପ୍ରଣାମ କରୁ କରୁ କହିଲା, ‘‘ଦାଦା, ଭଲ ମନ୍ଦ କିଛି ଚିନ୍ତା ନକରି କେବଳ ତୁମରି କଥା ମାନି ଚଲିଯାଉଛି । ତମ ସାଥିରେ ମିଶି ଅଜନ୍ତା ଏଲୋରା ଦେଖି ପାରିଥିଲେ ଖୁବ୍‌ଭଲ ହୋଇଥାନ୍ତା । ସେ ଆଶା ମୋର ଭଙ୍ଗହୋଇଛି, କେବଳ ତୁମ କଥାର ମର୍ଯ୍ୟାଦା ରଖିବାକୁ ଯାଇ । ତୁମକୁ ମଧ୍ୟ ଆଜି ମୋତେ କଥା ଦେବାକୁ ହେବ ସୁବିଧା ଦେଖି ପୁଣି ଥରେ ଆସି ମୋତେ ଅଜନ୍ତା ଏଲୋରା ଦେଖାଇ ନେବ । ତାକୁ ସୁଖୀ ହେବାପାଇଁ ମନେ ପ୍ରାଣେ ଆଶିଷ ଜଣାଇ କହିଲି, ନିଶ୍ଚୟ ତୋର କଥା ରଖିବି ଭଉଣି-! ଏଇ କଥା ରକ୍ଷା କରିଥିଲି ବୋଲି ଆଜି ଅଜନ୍ତା ନେଇ ବିଷଦ ଭାବେ ଲେଖିବା ସମ୍ଭବ ହୋଇ ପାରିଛି । ସେମାନଙ୍କୁ ବିଦାୟ ଦେଇ ବଗିକୁ ଫେରିଆସି ଦେଖୁ ସମସ୍ତେ ଭୋଜନରେ ବ୍ୟସ୍ତ-। ଆମେ ମଧ୍ୟ କାଳ ବିଳମ୍ବ ନ କରି ସେଥିରେ ସାମିଲ ହୋଇଗଲୁ । ଠିକ୍‌ଏହି ସମୟରେ ଟ୍ରେନ୍‍ ମଧ୍ୟ ଆମର ବୋମ୍ୱାଇ ରହଣୀରେ ଇତି ଦେଇ ଗତି ପଥ ଧରିବାକୁ ଲାଗିଲା ।

 

୨ । ୧ । ୭୯ । ଟ୍ରେନର ଗତି ମଧ୍ୟ ଦେଇ ରାତ୍ର ଶେଷ ହୋଇ ପ୍ରଭାତ ହେଲା । ପ୍ଲାଟଫରମ କଳରୁ ଜଳ ସଂଗ୍ରହ କରି ନିତ୍ୟକର୍ମ ଶେଷ କରିନେଲୁ । ଉତ୍ସୁକତା ସହକାରେ ଗାଡ଼ି କେତେବେଳେ ଯାଇ ଜଳସାଗାଁଓରେ ପହଞ୍ଚିବ ସେ ସମୟକୁ ଚାହିଁ ରହିଲୁ । ଯେଉଁମାନେ ଟ୍ରେନ୍‍ ଯୋଗେ ଏଲୋରା, ଔରଙ୍ଗାବାଦ ପ୍ରଭୃତି ଦେଖିବାକୁ ଚାହାନ୍ତି, ସେମାନେ ମନମଦରେ ଗାଡ଼ି ବଦଳ କରି ମିଟର ଲାଇନ ଟ୍ରେନ୍‍ ଯୋଗେ ଔରଙ୍ଗାବାଦ ଯାଇଥାନ୍ତି । ସେଠାରୁ ବସଯୋଗେ ଏଲୋରା, ଦେବଗିରି, ଔରଙ୍ଗଜେବଙ୍କ ସମାଧି ଏବଂ ଔରଙ୍ଗବାଦ ଦେଖିଥାନ୍ତି । ଅନ୍ୟ କେତେକ ପର୍ଯ୍ୟଟକ ମଧ୍ୟ ଔରଙ୍ଗାବାଦରୁ ଅଜନ୍ତା ଦେଖିଥାଆନ୍ତି । ଯେଉଁମାନେ ବସ୍‍ ଯାତ୍ରାକୁ ପସନ୍ଦ କରନ୍ତି, ସେମାନେ ସିଧା ଜଳସାଗାଁଓ ଯାଇ ସେଠାରୁ ବସ୍‌ଯୋଗେ ଏଇ ସବୁ ସ୍ଥାନମାନ ଦେଖିଥାଆନ୍ତି । ଏହାଦ୍ୱାରା କମ୍‍ ସମୟ ଲାଗେ ଏବଂ ଖରଚ ମଧ୍ୟ କମ୍‌ପଡ଼େ । ଆମର ଯାତ୍ରା ରିଜର୍ଭ ବସ୍‌ଯୋଗେ । ଯାଇ ଦେଖି ପୁଣି ଷ୍ଟେସନକୁ ଫେରି ଆସିବୁ । ତେଣୁ ଆମର ପୂର୍ବ ଘୋଷିତ ପରିକଳ୍ପନାର କେତେକ ପରିବର୍ତ୍ତନ କରାଗଲା । ସିଧା ଚାଲିଲୁ ଜଳସାଗାଁଓ । ସେଠାରୁ ଏଲୋରାର ଦୂରତ୍ୱ ମାତ୍ର ୩୬ ମାଇଲ ।

 

ଏଲୋରାର ଗୁହାମନ୍ଦିରଗୁଡ଼ିକ ଅଷ୍ଟମ ଶତାବ୍ଦୀରେ ରାଷ୍ଟ୍ରକୂଟ ରାଜବଂଶଙ୍କ ରାଜତ୍ୱ ସମୟରେ ନିର୍ମିତ ହୋଇଥିଲା । ପ୍ରଥମ କୃଷ୍ଣରାୟ ଏହାର ଶୁଭ ଦେଇଥିଲେ ଏବଂ ତାଙ୍କର ପରିବର୍ତ୍ତୀ ନରପତିଗଣ ପରିକଳ୍ପନାକୁ ରୂପ ଦେଇଥିଲେ । ପ୍ରାୟ ଦୁଇଶହ ବର୍ଷ ଲାଗିଥିଲା ଗୁହା ମନ୍ଦିରଗୁଡ଼ିକର ରୂପଲେଖକୁ ପରିସମାପ୍ତି କରିବା ପାଇଁ ।

 

ବଡ଼ ବଡ଼ ଭୁତାତ୍ତ୍ୱିକଙ୍କ ଧାରଣା,‘ଏଲୋରାରେ ଦେଖା ହେଉଥିବା ତିନିଶ୍ରେଣୀର ଗୁହାମନ୍ଦିରଗୁଡ଼ିକ ମଧ୍ୟରୁ ପ୍ରଥମରେ ବୌଦ୍ଧ ଗୁହା ବିହାରଗୁଡ଼ିକ ନିର୍ମିତ ହୋଇଥିଲା । ଏହାର ନିର୍ମାଣକାଳ ଖ୍ରୀଷ୍ଟ ପୂର୍ବ ତିନିଶତକରୁ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକ ପର୍ଯ୍ୟନ୍ତ । ଦ୍ୱିଦୀୟ ସ୍ତର ଗୁହା ମନ୍ଦିରଗୁଡ଼ିକ ହିନ୍ଦୁ କୀର୍ତ୍ତି ଏବଂ ଏହାର ନିର୍ମାଣକାଳ ଖ୍ରୀଷ୍ଟୀୟ ଅଷ୍ଟମ ଶତକ । କେତେକ ଐତିହାସିକ ଭିନ୍ନ ମତ ପ୍ରକାଶ କରି ଏହାକୁ ଖ୍ରୀଷ୍ଟୀୟ ପ୍ରଥମରୁ ଦ୍ୱିତୀୟ ଶତକର ନିର୍ମିତ ଗୁହା ମନ୍ଦିର ବୋଲି କହିଥାନ୍ତି । ସେମାନଙ୍କ ମତରେ ଏହା ନିର୍ମିତ ହେବା ପରେ କୌଣସି କାରଣରୁ ନିଜର ଐତିହ୍ୟ ହରାଇ ଲୋକଲୋଚନ ଆଗୋଚରରେ ରହିଯାଏ । ଅଷ୍ଟମ ଶତାବ୍ଦୀରେ ଦାକ୍ଷିଣାତ୍ୟର ବିଖ୍ୟାତ ରାଷ୍ଟ୍ରକୂଟ ରାଜାଗଣ ଉକ୍ତ ମହାନ୍‌କୀର୍ତ୍ତିକୁ ପୁନରୁଦ୍ଧାର କରନ୍ତି ଓ ଆମୂଳ ସଂସ୍କାର ପୂର୍ବକ ଯଥାବିଧି ପୂଜାର୍ଚ୍ଚନାସହ ଦେବ ସେବାର ବ୍ୟବସ୍ଥା କରନ୍ତି ଏବଂ ଏଲୋରା ହିନ୍ଦୁ ସଂସ୍କୃତିର ସଂପ୍ରସାରଣରେ ସାହାଯ୍ୟ କରାନ୍ତି । ରାଜାନୁଗ୍ରହ ପ୍ରାପ୍ତ ହୋଇ ଏଲୋରା ପୁନର୍ବାର ଖ୍ୟାତି ଲାଭକରେ । ତେଣୁ ଏହା ରାଷ୍ଟକୂଟ ରାଜାଗଣଙ୍କଦ୍ୱାରା ନିର୍ମିତ ବୋଲି ଅନେକ ମନେ କରିଥାନ୍ତି । ବିଖ୍ୟାତ ଐତିହାସିକ ଫର୍ଗୁସନ୍‍ ଏଲୋରାର ନଂ ୨୧ ଏବଂ ୨୬ ଗୁହା ଦୁଇଟି କେବଳ ରାଷ୍ଟ୍ରକୂଟଙ୍କ ଦ୍ୱାରା ନିର୍ମିତ ବୋଲି ମତ ପ୍ରକାଶ କରିଥିବା ଜଣାଯାଏ ।

 

ଏଲୋରାର ମୋଟ ଗୁହା ସଂଖ୍ୟା ୩୪ । ତନ୍ମଧ୍ୟରୁ ୧୨ଟି ବୌଦ୍ଧ, ୧୭ଟି ହିନ୍ଦୁ ଏବଂ ଅବଶିଷ୍ଟ ପାଞ୍ଚ ଗୋଟି ଜୈନ ସଂପ୍ରଦାୟଙ୍କର ଅଟେ । ଏହିସବୁ କଥା ମନେ ମନେ ଚିନ୍ତା କରୁ କରୁ ବସ୍‍ ଆସି ଏଲୋରାର ପଦଦେଶରେ ପହଞ୍ଚିଗଲା । ରିଜର୍ଭ ସରକାରୀ ବସ୍‍; ସୁତରାଂ ବ୍ୟସ୍ତତାର ଆବଶ୍ୟକତା ନାହିଁ । ଧୀରେ ସୁସ୍ଥେ ଅବତରଣ କରି ଗୁହା ମନ୍ଦିରଗୁଡ଼ିକ ଦେଖିବାକୁ ବାହାରିଲୁ ।

 

ଏଲୋରା ବସଷ୍ଟାଣ୍ଡ କୈଳାସ ଗୁହା ମନ୍ଦିରର ସନ୍ନିକଟବର୍ତ୍ତୀ । ସର୍ଭିସ୍‌ବସ୍‍, ଟ୍ୟାକ୍‌ସି ଯାତ୍ରୀଗଣଙ୍କୁ ଏଠାରେ ଓହ୍ଳାଇ ଦିଅନ୍ତି ଏବଂ ନୂତନ ବା ଅଜ୍ଞ ଯାତ୍ରୀଗଣ ହଠାତ୍‌ନିକଟବର୍ତ୍ତୀ କୈଳାସ ଗୁହାରେ ପ୍ରବେଶ କରନ୍ତି । ସର୍ବ ପ୍ରଥମେ ଏଇ ବିଚିତ୍ର ତଥା ଅପୂର୍ବ ମନ୍ଦିରପୂର୍ଣ୍ଣ ଗୁହାଟି ଦେଖି ଏତେ ଅଭିଭୁତ ହୋଇ ପଡ଼ନ୍ତି ଯେ ପ୍ରାୟ ସମସ୍ତ ସମୟ ଏଠାରେ ବ୍ୟୟକରି ବସନ୍ତି । ଫଳରେ ଅନ୍ୟ ଗୁହାଗୁଡ଼ିକୁ ଦେଖିବା ଆଉ ସମ୍ଭବ ହୁଏନା । ଯେଉଁମାନେ ସମୟ କରି ଅନ୍ୟ ଗୁହାଗୁଡ଼ିକ ଦେଖିବା ପାଇଁ ଚେଷ୍ଟା କରନ୍ତି, ସେମାନେ ବି ଭୂକୈଳାସ ଗୁହା ଦେଖିବା ପରେ ଅନ୍ୟ ଗୁହାରେ ମନ ଲଗାଇ ପାରନ୍ତିନାହିଁ । ଏଲୋରାରେ କୈଳାସ ଗୁହା ଦେଖି ସାରିବା ପରେ ଅନ୍ୟ କିଛି ନ ଦେଖିଲେ ସେପରି ବିଶେଷ କ୍ଷତି ନାହିଁ । କୈଳାସ ଗୁହା ମଧ୍ୟରେ ବହୁ ଚିତ୍ର କାହାଣୀ ତଥାଭାସ୍କର୍ଯ୍ୟ ରହିଥିଲେ ମଧ୍ୟ ଅନ୍ୟ ଗୁହାଗୁଡ଼ିକ ଦେଖିବା ଉଚିତ । ପ୍ରତିଟି ଗୁହା ସ୍ୱ-ମହିମାରେ ସଂପୂର୍ଣ୍ଣ ଏକଥା ନିଃସନ୍ଦେହରେ କୁହାଯାଇପାରେ । ସମୟ ବେଶି ଲାଗିଲେ ହେଁ ଏଲୋର ଦେଖିବା ତୃପ୍ତି ମିଳିଥାଏ । ଯାତ୍ରୀ ସାଧାରଣ ବିଶେଷ କରି ଯେଉଁମାନେ ନିଜସ୍ୱ ଗାଡ଼ି କରି ପରିଦର୍ଶନରେ ଯାଇଥାଆନ୍ତି, ସେମାନଙ୍କ ପକ୍ଷେ, ବୌଦ୍ଧ ଗୁହା ନିକଟ କଣ୍ଡାପାହାଡ଼ ପାଦଦେଶରେ ଗାଡ଼ି ରଖି ଗୁହାମନ୍ଦିର ଦିଗେ ଅଗ୍ରସର ହେଲେ ଅନେକ କମ ଚାଲିବାକୁ ପଡ଼ିଥାଏ । ଏଲୋରା ପାହାଡ଼ ବେଶ୍‍ ଲମ୍ୱା ।ଗୁହାଗୁଡ଼ିକ ମଧ୍ୟରେ ବ୍ୟବଧାନ ମଧ୍ୟ ବେଶି । ତେବେ ଏଇ କ୍ଳେଶ, ଗୁହାଗୁଡ଼ିକର ଶିଳ୍ପନୈପୁଣ୍ୟ ଦର୍ଶନ ଆନନ୍ଦ ମଧ୍ୟରେ ଜଣାଯାଏ ନାହିଁ । ସମସ୍ତ ଗୁହା ଦେଖିବା ପାଇଁ ପୁରା ଗୋଟିଏ ଦିନ ଆବଶ୍ୟକ । ଥର ଥର କରି ଦୁଇ ତିନି ଦିନରେ ଦେଖିଲେ ଖୁବ୍‍ ଭଲ ।

 

ବୌଦ୍ଧ ଗୁହାଗୁଡ଼ିକ ପ୍ରାକୃତିକ ଦୁର୍ଯ୍ୟୋଗରୁ ମାଟି ତଳେ ପଡ଼ିଯାଇଥିଲା । କାହାର ପ୍ରଚେଷ୍ଟାରେ ଏଗୁଡ଼ିକ ମାଟିତଳୁ ପୁନଃରୁଦ୍ଧାର କରାଗଲା ତାହାଙ୍କ ନାମ ଇତିହାସ ପୃଷ୍ଠାରେ ଦେଖା ନଗଲେ ହେଁ ପ୍ରାୟ ତିନିଶହ ବର୍ଷ ଧରି ଖନନ କାର୍ଯ୍ୟକରିବା ପରେ ଷୋଡ଼ଶ ଶତବ୍ଦୀର ଶେଷଭାଗରେ ଗୁହାଗୁଡ଼ିକ ବାହାରିଥିଲା । ଏହି ଗୁହାଗୁଡ଼ିକ ଦୁଇଭାଗରେ ବିଭକ୍ତ । ବିହାର ଓ ଚୈତ୍ୟ । ବିହାରରେ ବସବାସ ସହ ଅଧ୍ୟୟନ କାମ ଚଳୁଥିଲା । ଚୈତ୍ୟଗୁଡ଼ିକୁ ସାଧାରାଣତଃ ଉପାସନା ମନ୍ଦିର କୁହାଯାଇଥାଏ । ପ୍ରଥମ ଗୁହାଟି ସମ୍ଭବତଃ ବିହାର ଥିଲା । ଏଥିରେ ଆଠଗୋଟି କୋଠରୀ ଦେଖାଯାଏ । ଖୁବ୍‍ ସମ୍ଭବ ବୌଦ୍ଧ ଶ୍ରମଣଗଣ ଏଠାରେ ବାସ କରୁଥିଲେ ।

 

ଦୁଇ ନମ୍ୱର ଗୁହାଟି ଗୋଟିଏ ଚୈତ୍ୟ । ମନ୍ଦିର ଭିତର ସିଂହାସନୋପରି ବୁଦ୍ଧଦେବଙ୍କ ବିରାଟ ମୂର୍ତ୍ତି । ଦୁଇ ପାର୍ଶ୍ୱେ ବସିବା ଆସନ ବା ବେଞ୍ଚ ଭଳି ଦୁଇସରି ଉଚ୍ଚଜାଗା । ତିନି ସଂଖ୍ୟାକ ଗୁହାଟି ଦୁଇ ସଂଖ୍ୟକ ଗୁହାଭଳି । ପାର୍ଥକ୍ୟ ଭିତରେ ଏଠାରେ ବୁଦ୍ଧଦେବ ପଦ୍ମ ଉପରେ ଉପବିଷ୍ଟ ।

 

ଚାରି ସଂଖ୍ୟକ ଗୁହାରେ ପଦ୍ମପାଣିଙ୍କ ବିଖ୍ୟାତ ପାଷାଣ ମୂର୍ତ୍ତି ଓ ଗୋଟିଏ ବିରାଟ ଗଛତଳେ ସିଦ୍ଧାସନେ ବୁଦ୍ଧଦେବଙ୍କ ମୂର୍ତ୍ତି ଦେଖିବାକୁ ମିଳେ ।

 

ପଞ୍ଚମ ସଖ୍ୟକ ଗୁହାଟି ଆକାରରେ ସବୁଠାରୁ ବଡ଼ । ଗାଇଡ଼ଙ୍କ ଭାଷ୍ୟରେ ଏହା ଏକ ପାଠଶାଳା ଥିଲା । ଗୁହାଟିର ଦୈର୍ଘ ୧୧୭ ଫୁଟ ଏବଂ ପ୍ରସ୍ଥ ୫୮ ଫୁଟ । ଅନେକ ପଣ୍ଡିତ ଏହାକୁ ବୌଦ୍ଧଶ୍ରମଣ ଅତିଥିମାନଙ୍କ ବିଶ୍ରାମ ସ୍ଥାନ ଥିଲା ବୋଲି ମନେ କରିଥାଆନ୍ତି । ଅବଶ୍ୟ ଗୁହାଟି ଯଦି ଉଭୟ କର୍ମରେ ବ୍ୟବହୃତ ହେଉଥିଲା ବୋଲି ଧରିନିଆଯାଏ ତା’ହେଲେ ବାଧା ଦେଲାଭଳି ଯୁକ୍ତ ମିଳିବା ସମ୍ଭବ ନୁହେଁ ।

 

ଷଷ୍ଠ ଗୁହାରେ ଗୋଟିଏ ନାରୀ ମୂର୍ତ୍ତି ଦେଖିବାକୁ ମିଳେ । ଅନେକେ ଏହଙ୍କୁ ସରସ୍ୱତୀ ବୋଲି କହିଥାନ୍ତି । ଏ ମଧ୍ୟରେ ଆହୁରି ଅନେକ ଛୋଟ ବଡ଼ ମୂର୍ତ୍ତି ଦେଖିବାକୁ ମିଳିଥାଏ । ତାହା ମଧ୍ୟରେ ଉଲ୍ଲେଖନୀୟ ହେଲା ଦ୍ୱାରପାଳ ଏବଂ ଭକ୍ତଗଣ ଓ ସେବାକମାନଙ୍କ ଗହଣେ ବୁଦ୍ଧଙ୍କ ବିଶାଳ ମୂର୍ତ୍ତି ।

 

ସାତ’ରେ ଦର୍ଶନୀୟ କିଛି ନାହିଁ । ଅଷ୍ଟମ ଗୁହାରେ ମାଆ ଏବଂ ବାପାଙ୍କ ସହ ବାଳକ ସିଦ୍ଧାର୍ଥ । ନବମ ସଂଖ୍ୟକ ଗୁହାରେ ଦର୍ଶନୀୟ କିଛି ନାହିଁ । ଦଶମଟି ଗୋଟିଏ ବିଖ୍ୟାତ ଚୈତ୍ୟ । ସ୍ଥାନୀୟ ଲୋକେ ଏହାକୁ କାଠମିସ୍ତ୍ରୀଙ୍କ କୋଠରୀ ବୋଲି କହିଥାନ୍ତି । ଏ ସଂପର୍କ ରେ ଶୁଣିଲୁ, ସ୍ୱର୍ଗ ଶିଳ୍ପୀ ବିଶ୍ୱକର୍ମାଙ୍କ ନାମରେ ଏହି ଗୁହା ଉତ୍ସର୍ଗୀକୃତ । ତେଣୁ ଏପରି ନାମକରଣ ହୋଇଅଛି । ଏହି ଗୁହାର ପ୍ରାଚୀରରେ ଶିବଙ୍କ ନଟରାଜ ମୁର୍ତ୍ତି ଅବଶ୍ୟ ଦର୍ଶନୀୟ; ହାତରେ ଡମ୍ୱରୁ, ସର୍ବାଙ୍ଗ ନାନା ଅଳଙ୍କାରରେ ଭୂଷିତ । ଭୋଳାନାଥ ନାନା ମୁଦ୍ରାସହ ଡମ୍ୱରୁର ତାଳେ ତାଳେ ନାଚି ଚାଲିଛନ୍ତି । ନିଜକୁ ନୃତ୍ୟ ମଧ୍ୟରେ ନିମଗ୍ନ କରିଦେଇଛନ୍ତି । ଖୁବ୍‌ସମ୍ଭବ ପରବର୍ତ୍ତୀ କାଳେ ନଟରାଜଙ୍କ ଏହି ସବୁ ମୁଦ୍ରା ବିଭିନ୍ନ ନାଚରେ ବ୍ୟବହୃତ ହୋଇ ଆସୁଅଛି । ପ୍ରତିଟି ଖମ୍ୱ ଉପରେ ବିଭିନ୍ନ ରକମର ପାଷାଣ ମୁର୍ତ୍ତିରୂପେ ବୁଦ୍ଧ । ତଳେ ଜନସାଧାରଣ, ପଛକୁ ସ୍ତୂପ ଏବଂ ଆଗରେ ବୁଦ୍ଧଙ୍କ ବିରାଟ ମୂର୍ତ୍ତି । ଗୁହାଟିର ବାହାର ଏବଂ ଭିତର ମନୋମୁଗ୍‌ଧକର କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ସେ ଦୃଷ୍ଟିରୁ ଏହାକୁ ଶିଳ୍ପୀଙ୍କ ଆବାସଗୃହ କହିଲେ ବିଶେଷ ଅନ୍ୟାୟ ହେବନି ।

 

ଏଗାର ଏବଂ ବାର ସଂଖ୍ୟକ ଗୁହାଦୁଇଟି ତିନିତାଲା ବିଶିଷ୍ଟ । ଏଗାର ଗୁହାର ତିନିତାଲାଟି ୧୮୭୬ସାଲରେ ଆବିଷ୍କୃତ ହୋଇଅଛି । ବାର ସଂଖ୍ୟକ ଗୁହାଟି ବିହାର ଏବଂ ଲମ୍ୱା ଚଉଡ଼ା ୧୧୫ X ୩ଫୁଟ । ସମଭାବେ ତିନିଧାଡ଼ି ଖମ୍ୱ, ପ୍ରତିଟି ନାନା କାରୁକାର୍ଯ୍ୟ ପରିପୂର୍ଣ୍ଣ । ଦୋତାଲା ଏବଂ ତିନିତାଲା ସମମାପର ଲମ୍ୱହେଲେ ମଧ୍ୟ ତିନିତାଲାର ଚଉଡ଼ା ଅନେକ ବେଶି ମନେହୁଏ । ପ୍ରତିଟି ତାଲା ନାନାଦିଭାସ୍କର୍ଯ୍ୟରେ ପରିପୂର୍ଣ୍ଣ । ଅଧିକାଂଶ ବୌଦ୍ଧ ଜାତକର ବିଭିନ୍ନ କାହାଣୀ ଅବଲମ୍ୱନରେ ସୃଷ୍ଟି । ପ୍ରତିଟି ସ୍ତରରେ ଏକଦିଗେ ବୁଦ୍ଧଙ୍କ ମୂର୍ତ୍ତି ଗଛତଳେ ଉପବିଷ୍ଟ । ଅନ୍ୟଦିଗେ ଛତ୍ରଚ୍ଛାୟାତଳେ ବୁଦ୍ଧଦେବ ଆସୀନ । ଏହାକୁ ଗୋଟିଏ ବିଶାଳ ବୌଦ୍ଧବିହାର କୁହାଯାଇପାରେ ।

 

ବୌଦ୍ଧଗୁହା ଦେଖିବା ଏକ ପ୍ରକାରେ ଶେଷ ହେଲା । ଏଇ ସମସ୍ତ ପାଷାଣ ପ୍ରତିମା ଅନେକ ବୌଦ୍ଧ ଜାତକ କାହାଣୀ ଉପରେ ଆଧାରିତ ।

 

ଦେଓଗିରି (ଦେବଗିରି) ଗିରିଶ୍ରେଣୀ ପାଦଦେଶରେ ଏହି ଇଲାପୁରି ଯାହା ପରିବର୍ତ୍ତୀ ଯୁଗେ ଏଲୋରାରେ ପରିଣତ ହୋଇଛି । ପ୍ରାୟ ଏକମାଇଲ ମଧ୍ୟରେ ଏହିସବୁ ଗୁହାଗୁହିକର ଅବସ୍ଥିତି । ପ୍ରଥମେ ବୌଦ୍ଧ, ମଧ୍ୟରେ ହିନ୍ଦୁ ଏ ଅନ୍ତେ ଜୈନ ଗୁହାଗୁଡ଼ିକ ଶ୍ରେଣୀବଦ୍ଧଭାବେ ଦେଖାଯାଇଥାଏ । ଏଗୁଡ଼ିକ ଅଲଗା ଅଲଗା ହେଲେହେଁ ପରସ୍ପରର ପରିପୂରକ । ଯାତ୍ରୀଙ୍କ ମନରେ ଚାଲିବା କଷ୍ଟ ଭୁଲି ଦେଖିବା ଆଗ୍ରହ ଜାଗ୍ରତ କରିଥାଏ ।

 

ସଦଳବଳେ ହିନ୍ଦୁ ଗୁହାଗୁଡ଼ିକ ଧାରାବାହିକ ଭାବେ ଦେଖିବାପାଇଁ ଅଗ୍ରସର ହେଲୁ । ଗୁହାଗୁଡ଼ିକରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ଦେଖାଗଲେ ମଧ୍ୟ ବିଶେଷକରି ଏଗୁଡ଼ିକ ଶୈବ ସଂପ୍ରଦାୟ ପ୍ରଖ୍ୟାପକ ଏହା ପରିଷ୍କାର ଭାବେ ବୁଝାଯାଉଥାଏ । ଏହି ଗୁହାଗୁଡ଼ିକର ସଂଖ୍ୟା ମୋଟ ସତର । ତାହା ଭିତରୁ ୧୪,୧୫,୧୬,୨୧ ଏବଂ ୨୯ ସଂଖ୍ୟକ ଗୁହା ବିଶେଷଭାବେ ଦର୍ଶନୀୟ । ଏଲୋରାର ସର୍ବମୋଟ ୩୪ଟି ଗୁହା ଭିତର କୈଳାସ ଗୁହାଟି ବିନା ବିଚାରରେ ସର୍ବୋତ୍କୃଷ୍ଟ ବୋଲି କୁହାଯାଇପାରେ । ଏଥର ଗୁହାଗୁଡ଼ିକୁ ଧାରାବାହିକ ଭାବେ ଦେଖିଚାଲିଲୁ ।

 

ତେର (ବୌଦ୍ଧ୧୨ପର) ସଂଖ୍ୟକ ସେପରି କିଛି ଆକର୍ଷଣୀୟ ନୁହେଁ । ଚଉଦ ସଂଖ୍ୟକ ଗୁହାରେ ପ୍ରବେଶ କଲାମାତ୍ରେ ବୌଦ୍ଧ ଆଉ ହିନ୍ଦୁସ୍ଥାପତ୍ୟ ଶିଳ୍ପର ପାର୍ଥକ୍ୟ ସ୍ପଷ୍ଟ ନଜରରେ ପଡ଼େ । ଆଗରେ ଚାରିଗୋଟି ଖମ୍ୱ, ଘରେ ବା ମଣ୍ଡପରେ ବାରଗୋଟି । ଶେଷପ୍ରାନ୍ତେ ମନ୍ଦିର ଦକ୍ଷିଣ ଦିଗରେ ଶିବ ପାର୍ବତୀଙ୍କ ବିଭିନ୍ନ ମୂର୍ତ୍ତି । ଯଥା :–ମହିଷାସୁର ବଧ, ହରପାର୍ବତୀ ବିବାହ, ଦୁହିଙ୍କ ମଧ୍ୟରେ ଦାବା ଖେଳ, (ଏଥିରୁ ଭାରତରେ ଦାବା ଖେଳର ପ୍ରାଚାନତା ବିଶେଷଭାବେ ପ୍ରମାଣ କରେ) ତାଣ୍ଡବନୃତ୍ୟ, ରାବଣକର୍ତ୍ତୃକ କୈଳାସ ଉତ୍ତୋଳନ । ସେ ସମୟରେ ମା ଜଗଦମ୍ୱାଙ୍କ ଭୀତ ସନ୍ତ୍ରସ୍ତ ଭାବ ପ୍ରଭୃତି ଚିତ୍ରାବଳୀ ଶିଳ୍ପୀ ଅତି ଯତ୍ନସହ ପାଷାଣ ଗାତ୍ରେ ଫୁଟାଇ ପାରିଛନ୍ତି, ଯାହାକି ନ କହିଲେ ମଧ୍ୟ ଦର୍ଶକ ଅତି ସହଜେ ବୁଝିପାରିବ ।

 

ଉତ୍ତର ଦିଗ କାନ୍ଥରେ ସମସ୍ତ ବୈଷ୍ଣବ ଚିତ୍ର । ଲକ୍ଷ୍ମୀଙ୍କ ବିବାହ, ବିଷ୍ଣୁଙ୍କ ତୃତୀୟ ତଥା ବରାହ ଅବତାର, ଚତୁର୍ଭୁଜ ବିଷ୍ଣୁ, ଗଜଲକ୍ଷ୍ମୀ ପ୍ରଭୃତି । ମନ୍ଦିର ଭିତରେ ମହାମାୟା ଦୁର୍ଗାଦେବୀ ଅବସ୍ଥିତ । ବାହାରେ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରସ୍ତର ପ୍ରତିମା ।

 

ପନ୍ଦର ସଂଖ୍ୟକ ଗୁହାଟି ଦୋତାଲାବଶିଷ୍ଟ । ମସ୍ତ ପ୍ରଶସ୍ତ ପ୍ରାଙ୍ଗଣ । ଚାରିପାଖରେ ଛୋଟ ଛୋଟ ମନ୍ଦିର । ଖୁବ୍‌ସମ୍ଭବ ଏହି ଗୁହାଟି ସେ ସମୟରେ ପୁରୋହିତଙ୍କ ଆବାସସ୍ଥଳୀ ଓ ଶିକ୍ଷାପୀଠରୂପେ ବ୍ୟବହୃତ ହେଉଥିଲା । ଉପରତାଲା ତଳ ଅପେକ୍ଷା ଚଉଡ଼ାରେ ସାମାନ୍ୟ ବଡ଼ ହେଲେହେଁ ସେପରି ବିଶେଷ କିଛି ଦର୍ଶନୀୟ ନାହିଁ ।

 

ଚଞ୍ଚଳ ଚରଣେ ଯାଇ ପହଞ୍ଚିଲୁ ସେହି—କେବଳ ଏଲୋରା କାହିଁକି ସମସ୍ତ ଆର୍ଯ୍ୟାବର୍ତ୍ତର ଗର୍ବ ତଥା ଗୌରବର କୀର୍ତ୍ତି ଷୋହଳ ସଂଖ୍ୟକ ଗୁହା ମନ୍ଦିରରେ । ଏହାକୁ କୈଳାସ ଗୁହା କୁହାଯାଏ । ହିମାଳୟସ୍ଥିତ କୈଳାସ ସଂପର୍କରେ ବହୁ କାବ୍ୟ କବିତା ଲେଖାଯାଇଛି ; କିନ୍ତୁ ଏଲୋରାରେ ନିର୍ମିତ କୈଳାସନେଇ କେଉଁ କବିଙ୍କ କଲମ ସେପରି ସଚେଷ୍ଟ ହୋଇଥିବା ପ୍ରମାଣ ମିଳେନା । ଏହାର ବର୍ଣ୍ଣନାପାଇଁ ଭାଷାର ଅଭାବ ନା ଉଦ୍ୟମର ଅଭାବ ତା ବୁଝିବା ସହଜ ନୁହେଁ । ଅଜନ୍ତା ନେଇ ବହୁ ଦର୍ଶକ, ତଥା ଗବେଷକ ନାନାଦି ତତ୍ତ୍ୱମୂଳକ ଲେଖା ପାଠକମାନଙ୍କୁ ଉପହାର ଦେଇଛନ୍ତି କିନ୍ତୁ ଏଲୋରା ନେଇ ପ୍ରାୟ ସମସ୍ତେ ନୀରବ । ହିନ୍ଦୁରାଜତ୍ୱ ସମୟରେ ପୁରୁଣା ରାଜ ରାଜୁଡ଼ାଗଣ ନିଜର ଗର୍ବ ଗାରିମା ବା ଇତିହାସ ଲେଖିବାକୁ ପରାଣୁଖ ଥିଲେ । ଯାହା ଜଣାଯାଏ, ଅଳ୍ପ ବହୁତ ଭାଟମାନଙ୍କ ରାଜପ୍ରଶସ୍ତ ବା ତାମ୍ରଫଳକମାନଙ୍କରୁ,ଏଥରୁ ପୂର୍ଣ୍ଣାଙ୍ଗ ଇତିହାସ ରଚନା କରାଯାଇପାରେନା । ନିଜ ନିଜ ଗାରିମା ପ୍ରକାଶରେ ଅନିଚ୍ଛୁକ ରାଜାଗଣସହ ପଣ୍ଡିତଗଣଙ୍କ ଇତିହାସ ରଚନାପ୍ରତି ନିସ୍ପୃହତା ଫଳରେ ଏପରି ଅନେକ ପ୍ରାଚୀନ କୀର୍ତ୍ତିର ସଠିକ କାହାଣୀ ପୁନରୁଦ୍ଧାର ହୋଇପାରିନି । ଏଲୋରା ମଧ୍ୟ ସେହିଭଳି ଇତିହାସ ଅବହେଳିତ ଗୋଟିଏ ଅପୂର୍ବ ଏବଂ ଅକ୍ଷୟ ନିଦର୍ଶନ ।

 

ମୂଳ ତୋରଣ ପାରହେଲେ ଦେଖାଯାଏ ଏକ ନାତିବୃହତ୍‌ମନ୍ଦିର । ଏକ ବିରାଟ ପଥରର ଗର୍ଭରେ ଏଇ ମନ୍ଦିର ଯାହା ଯାହା ଯେଉଁପରି ଭାବରେ ରହିବା ଉଚିତ୍‌ସେପରି ଠିକ୍‌ଠିକ୍‌ଭାବେ ରହିଅଛି । ମନ୍ଦିର ପ୍ରାଙ୍ଗଣ, ଅଳିନ୍ଦ, ଧ୍ୱଜସ୍ତମ୍ଭ, ତୋରଣ, ମଣ୍ଡପ, ଭୋଗମଣ୍ଡପ, ମୂଳମନ୍ଦିର ସମସ୍ତ ରହିଛି ସେଇ ବିରାଟ ପଥର ଗର୍ଭରେ ।

 

ମୂଳ ଶିବମନ୍ଦିର ଚତ୍ୱରଟି ଲମ୍ୱା ଚଉଡ଼ାରେ ୧୫୦ × ୧୦୦ ଫୁଟ। ପଚିଶଫୁଟ ଉଚ୍ଚ ଭିତ୍ତିଉପରେ ପଞ୍ଚାବନ ଫୁଟ ଉଚ୍ଚ ମୂଳ ମନ୍ଦିର ବିମାନ ଢଙ୍ଗରେ ନିର୍ମିତ । ପଚାଶଫୁଟ ବେଦୀ ଉପରେ ବୃଷଭ—ଦୁଇ ଦିଗେ ଦୁଇଟି ଧ୍ୱଜସ୍ତମ୍ଭ । ଦେବ ଦର୍ଶନ ଉପାସନା ତଥା ଧର୍ମଚର୍ଚ୍ଚାର ସ୍ଥାନ ମନ୍ଦିର ଉପର ଅଳିନ୍ଦରେ ନିର୍ଦ୍ଦିଷ୍ଟ କରାଯାଇଅଛି । ଦୁଇଦିଗେ ଦୁଇଟି ସୋପାନଶ୍ରେଣୀ ଦୋତାଲା ସଙ୍ଗେ ଯୋଗାଯୋଗ ଅକ୍ଷୁର୍ଣ୍ଣ ରଖିଛି । ଏଇ ସମସ୍ତ ଗୋଟିଏ ମାତ୍ର ପାଷାଣ ଗର୍ଭ ମଧ୍ୟରେ ଅବସ୍ଥିତ-

 

ଉପରକୁ ଉଠିବା ଆଗରୁ ତଳଟା ଆହୁରି ଟିକି ଭଲଭାବେ ଦେଖିନେବା ଉଚିତ୍‌ । ଦେଖିବାପାଇଁ ସାମାନ୍ୟ ଦୁଇ ତିନି ପାଦ ଆଗେଇଯିବା ପରେ ଯେଉଁସବୁଭାସ୍କର୍ଯ୍ୟ ନଜରରେ ପଡ଼େ ତାହା ଦେଖୁଁ ଦେଖୁ ଏପରି ଭାବେ ଅଭିଭୂତ ହୋଇଯିବାକୁ ହୁଏ ଯେ ଆଉ ଉପରକୁ ଉଠିବା ବା ଅନ୍ୟ କିଛି ଦେଖିବା କଥା ଭୁଲିଯିବାକୁ ପଡ଼ିଥାଏ । କାରିଗରରଗଣ କେଉଁ ନୈସର୍ଗିକ ପ୍ରେରଣାରେ ତାଙ୍କର ସେ ସୂକ୍ଷ୍ମ ନିହଣ ହାତୁଡ଼ି ଚଳାଇଥିଲେ ତାହା ଚିନ୍ତାକଲେ ସେମାନଙ୍କ ଉଦ୍ଦେଶ୍ୟରେ ସ୍ୱାଭାବିକ ଭାବେ ମଥା ନତ ହୋଇଯାଏ । ତଳତାଲା ଦିୱାଲର ଏକ ବିସ୍ତୁତ ପଥର ଉପରେ ସଂପୂର୍ଣ୍ଣ ରାମାୟଣଟି ଫୁଟାଇ ତୋଳାଯାଇଛି । ଏସବୁ ଏତେ ସୂକ୍ଷ୍ମ ଯେ ଅନେକ ସମୟରେ ଏହା ବାସ୍ତବ କି ନା ସନ୍ଦେହ ଜାତ କରିଥାଏ । ଆବୁରେ ମାର୍ବଲ ପଥରର ପଦ୍ମଫୁଲ ପାଖୁଡ଼ା କିପରି ଏତେ ପତଳା ଅର୍ଥାତ୍‌ ପଦ୍ମପାଖୁଡ଼ାର ପରିମାପରେ ସମ୍ଭବ ହେଲା ଚିନ୍ତାକରି କୂଳକିନାରା ପାଇନଥିଲୁ । ଏଠାରେ ଦେଖିପାରିଛୁ କେବଳ ପାହାଡ଼ଗାତ୍ରେ ସାଧାରଣ ମୁଗୁନି ପଥରରେ ତାହାଠାରୁ ଆହୁରି ସୂକ୍ଷ୍ମଭାସ୍କର୍ଯ୍ୟ ସୃଷ୍ଟି ହୋଇପାରିଛି । ତାହା ଯେପରି ବିସ୍ମୟକର ସେପରି ନୟତାଭିରାମ ମଧ୍ୟ । ମନ୍ଦିରର ପୃଷ୍ଠ ଦିଗେ ଏକଦଳ ହାତୀ—ଯେପରି ଜୀବନ୍ତ ହାତିପାଲ ଜଙ୍ଗଲ ମଧ୍ୟରୁ ମନ ଆନନ୍ଦରେ କେଉଁ ଏକ ଅଜଣା ଉଦ୍ଦେଶ୍ୟରେ ଆଗେଇ ଚାଲିଛନ୍ତି ।

 

ଅଳିନ୍ଦର ଅନ୍ୟ ପାଖରେ ରାବଣଙ୍କ ଅସାଧ୍ୟ ସାଧନାର ଦୃଶ୍ୟ। ପରମ ଭକ୍ତ ଆସିଛି ଆରାଧ୍ୟ ଦେବତା ସଦାଶିବଙ୍କୁ ଯେପରି ସଦାସର୍ବଦା ଦର୍ଶନ ପାଇପାରେ ସେଇ ବର ଯାଚଞ୍ଜା କରିବାକୁ । ଉଦ୍ଦେଶ୍ୟ ସତ୍ୟ, ଶିବ, ସୁନ୍ଦରଙ୍କୁ କୌଳାସରୁ ନେଇଯିବ ସେଇ ସୁଦୂର ସ୍ୱର୍ଣ୍ଣମୟପୁରୀ ଲଙ୍କାକୁ । କୈଳାସ ତ୍ୟାଗ କରି ଦେବାଧିଦେବ ଅନ୍ୟ କେଉଁଠାକୁ ଯିବାକୁ ରାଜି ନୁହନ୍ତି । ବାହୁବଳେ ମତ୍ତଗର୍ବୀ ରାବଣ ଦେବତାଙ୍କ ଅନିଚ୍ଛାକୁ ଅଗ୍ରାହ୍ୟ କରି ସକୈଳାସ ମହାଦେବଙ୍କୁଲଙ୍କା ନେଇ ଯିବାକୁ ବଦ୍ଧପରିକର । ତେଣୁ ସେ ଆଣ୍ଠୁମାଡ଼ି ବସି ବିଂଶବାହୁ ସଂପ୍ରସାରଣ କରି ସମୂଳେ କୈଳାସକୁ ଉତ୍ପାଟନ କରିବାକୁ ଚେଷ୍ଟିତ ହେଲେ । ରାବଣଙ୍କ ଏପରି ଏକ ଦୁଃସାହାସିକ ପ୍ରଚେଷ୍ଟା ସକାଶେ ପ୍ରସ୍ତୁତ ନଥିଲେ ଶୂଳପାଣି । କୈଳାସ ଶିଖରେ ନିଶ୍ଚିନ୍ତ ମନେ ପାର୍ବତୀଙ୍କ ସଙ୍ଗେ ବିଶ୍ରମ୍ଭାଳାପେ ମଗ୍ନ ସେ । ଦୁଇପାଶେ ଅପେକ୍ଷମାଣ ଦୁଇ ଭୃତ୍ୟ ନନ୍ଦି ଓ ଭୃଙ୍ଗୀ ସହସା ଅଚଳ କୈଳାସ ସଚଳ ପୂର୍ବକ ଥର ଥର ହୋଇ କମ୍ପିବାକୁ ଆରମ୍ଭକଲା । ମନେହେଲା ମୁହୂର୍ତ୍ତମାତ୍ରେ ସମସ୍ତ କୈଳାସ ମୂଳ ପିଣ୍ଡରୁ ବିଚ୍ଛିନ୍ନ ହୋଇଯିବ । ଭୀତତ୍ରସ୍ତା ପାର୍ବତୀ ଛାଟିହୋଇପଡ଼ିଲେ ଶିବଙ୍କ କୋଳ ଉପରେ । ଅର୍ଦ୍ଧଶାୟିତା ମା’ ଜନନୀ ଦୃଢ଼ଭାବରେ ଶିବଙ୍କ ବାମବାହୁ ଚାପି ଧରିଲେ ଏହି ଅଘଟଣା ଜନିତ ସର୍ବନାଶରୁ ଉଦ୍ଧାର ପାଇବା ପାଇଁ । ଭୀତ ଓ ଚକିତରେ ଚକ୍ଷୁ ଦ୍ୱୟ ଛଳଛଳ । ନନ୍ଦିଭୃଙ୍ଗୀ ଭୟରେ କମ୍ପି ଉଠୁଛନ୍ତି ନିଶ୍ଚିନ୍ତ କୈଳାସରେ ହଠାତ୍‌ଏହି ବିପର୍ଯ୍ୟୟର କାରଣ ଅନୁଧ୍ୟାନ ନ’କରିପାରି । ଏ ସମସ୍ତ ସତ୍ତ୍ୱେ ଆଶୁତୋଷ କିନ୍ତୁ ସମ୍ପୂର୍ଣ୍ଣ ନିର୍ବିକାର । ଭକ୍ତଶ୍ରେଷ୍ଠ ରାବଣଙ୍କ ବାତୁଳତା ଦେଖି ମୁଖମଣ୍ଡଳେ ଈଷତ୍‌ହାସ୍ୟ ଫୁଟିଉଠୁଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ନିଜର ବାମପାଦ ବୃଦ୍ଧାଙ୍ଗୁଷ୍ଠିରେ ଦେଇଛନ୍ତି ସାମାନ୍ୟ ଚାପ । ସେଇ ସାମାନ୍ୟ ଚାପ ସହ୍ୟ କରିବା ଶକ୍ତି ମହାବଳଶାଳୀ ଦଶାନନଙ୍କର ନାହିଁ । ସ୍ୱେଦାକ୍ତ କଳେବରେ ମାଟିରେ ଆଣ୍ଠୁମାଡ଼ିବସିପଡ଼ିଛି ସେ । କ୍ଳାନ୍ତିର ଭାବଫୁଟି ଉଠୁଛି ସର୍ବ ଅବୟବେ । ଅପୂର୍ବ ସୃଷ୍ଟି ଅପୂର୍ବ ପରିକଳ୍ପନା ! ପ୍ରଚ୍ଛଦ ପଟ୍ଟ ନୁହେଁ, ପଥରଗାତ୍ରେ ଅସମ୍ଭବକୁ ସମ୍ଭବ କରିପାରିଛି ଶିଳ୍ପୀ, କି ମନ୍ତ୍ର ବଳରେ କି ପ୍ରେରଣାରେତା’ ଧାରଣାତୀତ । କେବଳ ମାତ୍ର ଏଇ ଗୋଟିକ ପ୍ରାଚୀର ଚିତ୍ରଟି ଭଲଭାବେ ଦେଖିବାକୁ ଯଥେଷ୍ଟ ସମୟ ଦରକାର । ତେବେ ଯାଇ ଦେଖିବା ଆନନ୍ଦ ଉପଭୋଗ କରିହେବ । ଏଲୋରା ଆସିବା ଶ୍ରମ ସାର୍ଥକ ହେବ । ଏହା ଉପରେ ଯେତେ ଲେଖିଲେ ବି ଶେଷ ହେବନି । ଏହା କେବଳ ଦେଖିଲେ ଜଣା ଯାଇପାରେ । ଏହା ଲେଖାରେ ପ୍ରକାଶ କରାଯାଇ ପାରେନା ।

 

ମୂଳ ମନ୍ଦିର ଭିତରେ ଶିବଲିଙ୍ଗ । କ୍ଷତ ବୋଲି ନିୟମିତ ପୂଜାର ବ୍ୟବସ୍ଥା ନାହିଁ । ତେବେ କିଏ ବା କେଉଁମାନେ ଲିଙ୍ଗ ଉପରେ; ଗୋଟାଏ ଦୁଇଟା ଫୁଲମାଳ ଦେଇଯାଇଛନ୍ତି । କୈଳାସର ପ୍ରତିଟି କ୍ଷେତ୍ର ତୁଳନାତୀତ । ସ୍ୱଳ୍ପ ସମୟରେ ବିଶେଷ ଦେଖି ତୃପ୍ତି ଆସିପାରେ ନା । ଏଇମାତ୍ର ଥରେ ଯାହାକୁ ଦେଖିଯାଇଅଛୁ ପରମୁହୁର୍ତ୍ତରେ ସେ ପୁଣି ନୂତନ ବୋଲି ମନେ ହେଉଛି । ଦେଖା ଭିତରେ ଅଦେଖାର ସନ୍ଧାନ ପାଇ ପୁଣି ଦେଖିବାକୁ ଗଲାବେଳେ ସେ ଦେଖା ଅଦେଖା ପୁଣି ନୂତନ ରୂପରେ ଆଖି ଆଗରେ ଦେଖାଯାଉଅଛି । ପ୍ରତିଥର ଦୃଷ୍ଟି ଭଙ୍ଗୀ ବଦଳାଉଛି । ସେ ସକାଶେ ବୋଧହୁଏ କବି ଲେଖିଛନ୍ତି—

 

‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ,

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ (ରାଧାନାଥ)

 

ଏହାଛଡ଼ା ଅନ୍ୟାନ୍ୟ ପ୍ରାଚୀର ଚିତ୍ର ମଧ୍ୟରେ ସୀତାହରଣ, ଶିବପାର୍ବତୀ ବିବାହ । ଶିବଙ୍କ ତାଣ୍ଡବ ସହ ଅନ୍ୟାନ୍ୟ ନୃତ୍ୟ ଭଙ୍ଗିମା ଦର୍ଶକଙ୍କୁ କେଉଁ ଏକ ଆନନ୍ଦମୟ ଜଗତକୁ ସ୍ୱଳ୍ପ ସମୟ ପାଇଁ ଟାଣି ନେଇ ଯାଏ ।

 

ଗୁହା ମନ୍ଦିରଗୁଡ଼ିକର ନିର୍ମାଣ ପ୍ରଣାଳୀ ପୃଥିବୀ ଇତିହାସରେ ବିରଳ କହିଲେ ଅତ୍ୟୁକ୍ତି ହେବନି । ଗାଇଡ଼ ମୁଖରୁ ଯେପରି ଶୁଣିଥିଲୁ ଏବଂ ଏଲୋର ନେଇ ବିଭିନ୍ନ ଲେଖାରୁ ଯାହା ସଂଗ୍ରହ କରିପାରିଛି ତା ଭାଷାନ୍ତର କଲେ ଏପରି ରୂପ ନେବ, ପାଠକଙ୍କ ଏଲୋରା ସମ୍ପର୍କରେ ଧାରଣା ପାଇଁ ଏହାର ଆବଶ୍ୟକତା ଅଛି, ବୋଲି ମନେ ହୁଏ ।

 

‘‘ସର୍ବ ପ୍ରଥମେ ସ୍ଥାନ ଏବଂ ପଥରର ନିର୍ବାଚନ କରାଯାଇଥାଏ । ପଥରର ଆକୃତି ଅନୁଯାଇ ରେଖାଚିତ୍ର ବା ନକ୍‌ସା ଅଙ୍କା ଯାଇଥାଏ । କୈଳାସର ମୋଟ ଆୟତନ ୨୮୭ X ୧୬୦ ଫୁଟ । ଜମିଠାରୁ ପଥରର ଶିଖାଗ୍ର ୧୦୦ ଫୁଟ । ଏପରି ଏକ ବିଶାଳାୟତନ ଗୁହା ମନ୍ଦିର ଯେଉଁ ପାଷାଣମଧ୍ୟରେ ସୃଷ୍ଟି କରାଯାଇଅଛି, ସେ ପାଷାଣର ଆକାର କେତେ ବୃହତ୍‌ଏଥିରୁ ତାହା ସହଜେ ଅନୁମାନ କରାଯାଇପାରେ । ଏଇ ପଥରର ଦେହରେ ମନ୍ଦିର ଗୁହାର ଆୟତନ ସୀମାଠାରୁ ସର୍ବ ପ୍ରଥମେ ରେଖାକାଟି ଗୋଟିଏ ଅପ୍ରଶସ୍ତ ଖାଲ ତୟାର କରାହୁଏ । ଖାଲ ମଧ୍ୟସ୍ଥିତ ପଥର ଉପରୁ ସମସ୍ତ ଅପସାରଣ କରି ଲଣ୍ଡା କରି ନିଆ ହୁଏ । ତା’ର ପରେ କଳ୍ପିତ ନକସା ଅନୁଯାଇ କାମର ସୂତ୍ରପାତ ହୁଏ—ଉପରରୁ ତଳକୁ ପଥର କାଟିବା । ସାଧାରଣତଃ ଯେ କୌଣସି ମନ୍ଦିର ସ୍ୱାଭାବିକ ଭାବେ ତଳୁ ଉପରକୁ ସ୍ତରେ ସ୍ତରେ ନିର୍ମିତ ହୋଇଥାଏ, କିନ୍ତୁ ଏଠାରେ ତାହା ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଏ । ପ୍ରଥମେ ଉପରାଂଶ ନିର୍ମିତ ହୋଇ ପର୍ଯ୍ୟାୟ କ୍ରମେ ନିର୍ମାଣ କାମ ତଳକୁ ସମ୍ପ୍ରସାରିତ ହୋଇଛି । ନିର୍ମାଣ ପ୍ରଣାଳୀର ଗୋଟିଏ ଅସଂପୂର୍ଣ୍ଣ ଛୋଟ ମଡ଼େଲ ଏଠାରେ ସଂରକ୍ଷିତ ଅଛି । ନିର୍ମିତ ପଥରଗାତ୍ରର କେନ୍ଦ୍ରସ୍ଥଳ ଧରି ଗୋଟିଏ ସୁଡ଼ଙ୍ଗପଥ ଭିତର ପର୍ଯ୍ୟନ୍ତ ନିର୍ମିତ ହୁଏ; ତାହାର ସାଥିରେ ଦୁଇ ଗବାକ୍ଷ ମଧ୍ୟ । ଏହି ଗବାକ୍ଷ ପଥ ଦେଇ ଭିତରକୁ ଆଲୋକ ବତାସ ଯିବା ଯେପରି ସହଜ ହୋଇଉଠେ ସେପରି ଭିତରରେ କଟା ଯାଉଥିବା ପଥର ଚୁର୍ଣ୍ଣ ତଥା ଖଣ୍ଡିତ ପଥର ଓ ଅଳିଆ ମଧ୍ୟ ସହଜରେ ବାହାର କରାଯାଏ । ନିର୍ମାଣ ପଥରର ସୁଡ଼ଙ୍ଗ ଉପରେ ଠିଆ ହୋଇ ନକ୍‍ସାନୁଯାୟୀ ଉପରରୁ ପଥର କାଟି କାଟି କଳ୍ପିତ ମନ୍ଦିରକୁ ରୂପ ଦେଇଥାନ୍ତି । ଏ ପ୍ରକିୟା ଦ୍ୱାରା ଶିଳ୍ପୀକୁ ନିହଣାଗ୍ର ଉପରକୁ ରଖି ଏବଂ ତତ୍‌ପ୍ରତି ନଜର ଦେଇ କାମ କରିବାକୁ ପଡ଼ିଥାଏ । ଶୁଣି ପାରିଲୁ ଏପରି ଭାବେ ତିରିଶିଲକ୍ଷ ଘନଫୁଟ ପଥର କାଟି ବାହାର କରି କୈଳାସ ମନ୍ଦିର ନିର୍ମିତ ହୋଇଅଛି । ଏଇ କାମପାଇଁ ୧ / ୪ଇଞ୍ଚ ଠାରୁ ଆରମ୍ଭ କରି ଆବଶ୍ୟକତା ଅନୁଯାୟୀ ମାପର ନିହଣ ବ୍ୟବହୃତ ହୋଇଥିଲା । ବ୍ୟବହୃତ ଯନ୍ତ୍ରପାତିର ଅଳ୍ପ କେତେକ ନମୁନା ‘‘ରୋଡ଼ସର’’ ଭଗ୍ନସ୍ତୁପ ମଧ୍ୟରୁ ଅଧୁନା ଆବିଷ୍କୃତ ହୋଇଅଛି । କୈଳାସ ମଧ୍ୟସ୍ଥିତ ଧ୍ୱଜସ୍ତମ୍ଭ, ପଚିଶିଫୁଟଉଚ୍ଚ ଶିବମନ୍ଦିର (ପାର୍ଶ୍ୱ ଦେବତା ସହ) ଗୋଟିଏ ପଥରରେ ତୟାର । ଏ ଭିତରେ କୌଣସି ଯୋଡ଼ାର ପ୍ରଶ୍ନ ନାହିଁ । ଆଖିରେ ଦେଖିବା ଯେତେ ସହଜ କଲମରେ ଲେଖିବା ତେତେ ସହଜ ନୁହେଁ । କୈଳାସ ଗୁହା ତା’ର ଜ୍ୱଳନ୍ତ ଉଦାହରଣ ।

 

ଷୋହଳଠାରୁ ଏକୋଇଶି ପର୍ଯ୍ୟନ୍ତ ଅତି ସାଧାରଣ ଗୁହା । କେଉଁଠି ଶିବ ଲିଙ୍ଗତ କେଉଁଠି ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଏବଂ କେଉଁଠି ଅନ୍ୟାନ୍ୟ ଦେବଦବୀ ପ୍ରତିଷ୍ଠିତ । ସାଧାରଣ ଗୁହା ହେଲେହେଁ ଶିଳ୍ପ ସୃଷ୍ଟି ଯେ ଏହାର ଅନବଦ୍ୟ ଏଥିରେ ଦ୍ୱିରୁକ୍ତି ନାହିଁ । କେବଳ ନଂ ୨୧ ଏବଂ ୨୪ ଗୁହାରେ ଅଳ୍ପ ବହୁତ ପାର୍ଥକ୍ୟ ଦେଖାଯାଇଥାଏ । ପରବର୍ତ୍ତୀ ୨୯ତମ ପର୍ଯ୍ୟନ୍ତ ହିନ୍ଦୁ ଗୁହାଗୁଡ଼ିକ ତତ୍କାଳୀନ ହିନ୍ଦୁ ସଂସ୍କତିର ବାହକ ହିସାବରେ ଶୋଭା ପାଉଅଛି ।

 

ତିରିଶ ଠାରୁ ଚଉତିରିଶତମ ପର୍ଯ୍ୟନ୍ତ ପାଞ୍ଚଗୋଟି ଗୁହା ଜୈନମାନଙ୍କ ଦ୍ୱାରା ନିର୍ମିତ । ଆପାତଃ ଦୃଷ୍ଟିରେ ଏଗୁଡ଼ିକ ସର୍ବ ଶେଷ କୀର୍ତ୍ତି ବୋଲି ମନେ ହୁଏ । ତନ୍ମଧ୍ୟରୁ ଇନ୍ଦ୍ରସଭା ଓ ଜଗନ୍ମାଥ ସଭା ଏ ଦୁଇଟି ଗୁହା ବିଶେଷ ମର୍ଯ୍ୟାଦାର ଅଧିକରଣ । ଇନ୍ଦ୍ର ସଭାଟି ଦୋତାଲା ଏବଂ ଚୌକା ଧରଣର, ଦୀର୍ଘ ପ୍ରସ୍ଥ ପ୍ରାୟ ୨୦୦ ଫୁଟ । ଡାହାଣ ଦିଗରେ ଗୋଟିଏ ହାତୀ ପାଷାଣ ନିର୍ମିତ ହେଲେ ମଧ୍ୟ ମନେହୁଏ ଯେପରି ଜୀବନ୍ତ । ଏକ ସ୍ଥାନରେ ଦେବରାଜ ଇନ୍ଦ୍ରଙ୍କ ପାଦ ତଳେ ଐରାବତ ଶାୟିତ । ଛାତ ଉପରେ ବିରାଟ ପଦ୍ମ । ଅପରୂପ ତା’ର ଶିଳ୍ପ ଗାରିମା । ସଭା ଗୃହରେ ବାରଗୋଟି ସ୍ତମ୍ଭ । ପ୍ରତିଟି ସ୍ତମ୍ଭ ଦର୍ଶନୀୟ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏବଂ ଚବିଶଜଣ ତୀର୍ଥଙ୍କରଙ୍କ ପ୍ରତିମୂର୍ତ୍ତି ଶୋଭା ଆହୁରି ବୃଦ୍ଧି କରାଉଛି । ସଭା ଗୃହର ଚାରିଦିଗେ ମହାବୀରଙ୍କ ମନ୍ଦିର । ପ୍ରତିଟି ଶିଳ୍ପ ଅପୂର୍ବ । ଦର୍ଶକ କେଉଁଟି ଛାଡ଼ିକେଉଁଟି ଦେଖିବ ସେଥିପାଇଁ ଦ୍ୱନ୍ଦରେ ପଡ଼ିଥାଏ । ଦେଖୁ ଦେଖୁ ଘଣ୍ଟାର କଣ୍ଟା କେଉଁଠାରେ ପହଞ୍ଚେ ତା’ର ହିସାବ ମିଳାଇ ହୁଏନା ।

 

ଜଗନ୍ନାଥ ସଭା ପ୍ରାୟ ଇନ୍ଦ୍ର ସଭା ଭଳି; କିନ୍ତୁ ଆକାରରେ ଛୋଟ । ଅବଶିଷ୍ଟ ତିନୋଟି ଅତି ସାଧାରଣ ଗୁହା । ପରିଶ୍ରମ ପୋଷାଏ ନାହିଁ ବୋଲି ଅନେକେ ତାକୁ ଦେଖିବାକୁ ଯାଆନ୍ତି ନାହିଁ-। ଏହି ପାହାଡ଼ର ଶୀର୍ଷ ଦେଶରେ ଷୋହଳ ଫୁଟ ଉଚ୍ଚତାବିଶିଷ୍ଟ ପାର୍ଶ୍ୱନାଥଙ୍କ ଗୋଟିଏ ବିଶାଳ ପ୍ରସ୍ତର ମୂର୍ତ୍ତି ପ୍ରତିଷ୍ଠିତ । ଅଧିକାଂଶ ଦର୍ଶକ ଏଲୋରା ଦେଖିବା ପରେ ପରିଶ୍ରାନ୍ତ ହୋଇଥାନ୍ତି ଯେ ସେଇ ଅବସ୍ଥାରେ ଆଉ ଅଧିକ ପରିଶ୍ରମ କରି ଉକ୍ତ ମୂର୍ତ୍ତି ଦେଖିବାକୁ ଯାଇ ପାରନ୍ତି ନାହିଁ-। ପାହାଡ଼ ଉପରୁ ପ୍ରକୃତିର ଅପରୂପ ଶୋଭା ଦର୍ଶନାନ୍ତେ ଶରୀର ଅବଶ କଥା ମୋଟେ ମନେ ପଡ଼େନା-। ଏଲୋରା ଦେଖା ନେଇ ଇତି ଟାଣିବା ପୂର୍ବରୁ ପାଠକ ତଥା ଭବିଷ୍ୟତ ଦର୍ଶକମାନଙ୍କୁ ଗୋଟିଏ ବିନୀତ ଅନୁରୋଧ କରି ରଖୁଛି, ସେମାନେ ଅବଶ୍ୟ ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ପ୍ରତିଭାତ ହେଉଥିବା ଏଲୋରାର ସୌନ୍ଦର୍ଯ୍ୟ ନ ଦେଖି କେଭେ ଫେରିବେ ନାହିଁ । ତା’ ନକଲେ ଯେଉଁ ଦୃଶ୍ୟ ହରାଇବେ ତାହାର ମୂଲ୍ୟ ଯେକୌଣସି ପାର୍ଥବ ସଂପଦ ସଙ୍ଗେ ତୁଳନା କରାଯାଇ ପାରେନା-। ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟୋପରି ପହଞ୍ଚିବା ସଙ୍ଗେ ସଙ୍ଗେ ତାଙ୍କର ରକ୍ତମୟକିରଣ ପଶ୍ଚିମ ମୁଖା ଗୁହା ମଧ୍ୟରେ ପ୍ରତିଭାତ ହୋଇ ସମସ୍ତ ପାହାଡ଼ ରକ୍ତମୟ ହୋଇ ଉଠେ । ସୂର୍ଯ୍ୟ କରିଣ ସ୍ନାତ ଗୁହା ଗୁଡ଼ିକ ଯେଉଁ ଅପରୂପ ଶୋଭା ଧାରଣ କରେ, ତା’ର ସମ୍ୟକ୍‌ଧାରଣା ଦେବା ଲେଖକଙ୍କର କଲମ ମୁନରେ ନାହିଁ, ଏକଥା ମୁକ୍ତ କଣ୍ଠେ ସ୍ୱୀକାର କରି ଦର୍ଶକମାନଙ୍କୁ ନିଜେ ଦେଖି ଅନୁଭବ କରିବାକୁ ଅନୁରୋଧ କରୁଛି ।

 

ଶୁଣିବାକୁ ମିଳେ କେଉଁ ଏକ ଅତୀତ ଯୁଗରେ ଏଠାରେ ଏକ ଘନ ଜନ ବସତିପୂର୍ଣ୍ଣ ସମୃଦ୍ଧିଶାଳୀ ନଗରୀ ଥିଲା, ଯାହାର ଅସ୍ତିତ୍ୱ ବର୍ତ୍ତମାନ ମାଟି ତଳେ ପୋତି ହୋଇଛି । ଯଦି ଅନୁସନ୍ଧିତ୍ସୁ ପତ୍ନତାତ୍ତ୍ୱିକ ପଣ୍ଡିତଗଣ ଏ ଦିଗରେ ଦୃଷ୍ଟି ଦିଅନ୍ତି, ତେବେ ହୁଏତ ଏପରି କିଛି ଆବିଷ୍କୃତ ହୋଇ ପାରେ, ଯାହାକି ଆଜିର ଇତିହାସକୁ ବଦଳାଇ ଦେଇ ପାରିବ । ଭାରତୀୟ ସଂସ୍କୃତିର ଏକ ନବ ଅଧ୍ୟାୟ ଏଥିରୁ ସୂଚିତ ହୋଇପାରେ । ସେଇ ଶୁଭ ଲଗ୍ନକୁ ଅପେକ୍ଷା କରିବାକୁ ହେବ ।

 

ଅପରୂପା ଏଲୋରାର ଭାସ୍କର୍ଯ୍ୟ ଯେତେ ଦୂର ସମ୍ଭବ ଦେଖି ନେଲୁ । ମନର କୋଠରୀରେ ଯେତେ ଦୂର ସମ୍ଭବ ସେ ସମସ୍ତ ସଂପଦ ସଂଗ୍ରହ କରି ଫେରିଲୁ ଯାନ୍ତ୍ରିକ ଯାନ ନିକଟକୁ । ଏହି ନୈସର୍ଗିକ ଶୋଭା ପରିପୂର୍ଣ୍ଣ ସ୍ଥାନ ତ୍ୟାଗ ନ କରି ମନ ଚାହିଁଲେ ମଧ୍ୟ ରହିବା ଉପାୟ ନାହିଁ । ସହଯାତ୍ରୀଗଣ ପ୍ରାୟ ସମସ୍ତେ ନିଜ ନିଜ ଆସନରେ ବସି ଗଲେଣି । ଆଉ ଡେରି ନ କରି ଏଲୋରାକୁ ଶେଷ ପ୍ରଣାମ ଜଣାଇ ନିଜର ଆସନରେ ବସିଗଲୁ । ସଙ୍ଗେ ସଙ୍ଗେ ରିଜର୍ଭ ସରକାରୀ ବସ୍‌ ସଗର୍ଜନେ ଔରଙ୍ଗାବାଦ ପଥ ଧରିଲା ।

 

ଆମମାନଙ୍କ ବିଶେଷ ଅନୁରୋଧରେ ଅଳ୍ପ ଦୂରେ ଅବସ୍ଥିତ ଗିରିଣେଶ୍ୱର ଶିବ ମନ୍ଦିର ନିକଟରେ ବସ୍‍ ରହିଲା । ସୀମିତ ସମୟ ମଧ୍ୟରେ ସମସ୍ତେ ବାହାରି ପଡ଼ିଲେ ମନ୍ଦିର ଦେଖିବା ପାଇଁ ।

 

ଉଚ୍ଚ ପ୍ରାଚୀର ଘେରା ଗୀରିଣେଶ୍ୱର ଶିବ ମନ୍ଦିର ଭିତରେ ପ୍ରଶସ୍ତ ଅଙ୍ଗନ । ପ୍ରାଚୀରକୁ ଭିତ୍ତି କରି ଚତୁଃପାର୍ଶ୍ୱେ ସାଧାରଣ ଯାତ୍ରୀ ନିବାସ । ବଡ଼ ବଡ଼ ଗଛର ଛାୟାରେ ଭିତରିଟି ବେଶ୍‍ ଆରାମ ଦାୟକ । ଅଷ୍ଟାଦଶ ଶତାବ୍ଦୀରେ ଧର୍ମପ୍ରାଣା ରାଣୀ ଅହଲ୍ୟାବାଈ ଏହି ମନ୍ଦିରଟି ନିର୍ମାଣ କରାଇ ଗିରିଣେଶ୍ୱର ଜ୍ୟୋତିର୍ମୟ ଶିବ ଲିଙ୍ଗ ପ୍ରତିଷ୍ଠା କରାଇଥିଲେ । ସ୍ଥାନଟିରେ ପୂର୍ଣ୍ଣ ପବିତ୍ରତା ବିରାଜମାନ । ମନ୍ଦିର ଭିତରେ ପ୍ରବେଶ ମାତ୍ରେ ଭକ୍ତିଭରେ ମଥା ଆପେ ଆପେ ନଇଁ ଆସେ ଦ୍ୱାଦଶ ଜ୍ୟୋତିର୍ମୟ ଲିଙ୍ଗରୁ ଅନ୍ୟତମ ଗିରିଣେଶ୍ୱର ଶିବଙ୍କ ପଦ ପ୍ରାନ୍ତେ । ଏକ ନୈସର୍ଗିକ ଭାବରେ ମନ ପରିପୂର୍ଣ୍ଣ ହୋଇ ଉଠେ । ସମୟ ଅତି କମ୍‌ । ଦେବତା ନିକଟରେ ପୂଜା ନିବେଦନ କରି ଶୀଘ୍ର ବସ୍‍କୁ ଫେରି ଆସିଲୁ । ବସ୍‌ପୁଣି ଗନ୍ତବ୍ୟ ପଥ ଦେଇ ଆଗେଇ ଚାଲିଲା ।

 

ରେଜୟାରେ ପହଞ୍ଚିବାକୁ ବେଶି ସମୟ ଲାଗିଲା ନାହିଁ । ଏଠାରେ ରହିଛି ପ୍ରବଳ ପ୍ରତାପୀ ହିନ୍ଦୁ ବିଦ୍ୱେଷୀ ଆଓରଙ୍ଗଜେବଙ୍କ ସମାଧି । ମୁସଲମାନ ସଂସ୍କୃତି ହେଲା, ସମାଧି ପାଖରେ ମସ୍‌ଜିଦ ବା ମସ୍‌ଜିଦ ନିକଟରେ ସମାଧି । ଏଠାରେ ବି ତାହାର ବ୍ୟତିକ୍ରମ ଦେଖାଗଲା ନାହିଁ । ନିରାଭରଣ ନିରାଡ଼ମ୍ୱର ସମାଧି ନିକଟରେ ମସ୍‌ଜିଦ । ଇତିହାସ ପୃଷ୍ଠାରେ ଆଓରଙ୍ଗଜେବଙ୍କୁ ପ୍ରଧାନ ହିନ୍ଦୁ ବିଦ୍ୱେଷୀରୂପେ ବର୍ଣ୍ଣିତ କରାଯାଇଅଛି । ବିଶେଷ ଭାବେ ବିଶ୍ଳେଷଣ କଲେ ଦେଖାଯାଏ ଆର୍ଯ୍ୟାବର୍ତ୍ତରେ ପ୍ରଥମ ମୁସଲମାନ ସୁଲତାନଠାରୁ ଆରମ୍ଭକରି ଶେଷ କ୍ଷୁଦ୍ରନବାବ ପର୍ଯ୍ୟନ୍ତ ସମସ୍ତେ ଥିଲେ ହିନ୍ଦୁ ବିଦ୍ୱେଷୀ । କିଏ କିଏ ସେହି ଭାବକୁ ନିର୍ଲ୍ଲଜ ଭାବରେ ନିଜ କୃତକର୍ମ ଦ୍ୱାରା ପ୍ରକାଶ କରିଛନ୍ତି । ସେ ସକାଶେ ସେମାନଙ୍କ ନାମ ନିକଟରେ ନିସଂକୋଚରେ ଗୋଟାଏ ବିଶେଷଣ ଯୋଗକରାଯାଇ ପାରିଅଛି । ଆଉ କିଏ କିଏ ଉପରକୁ ବନ୍ଧୁ ବା ଦରଦୀଭାବ ଦେଖାଇ ହିନ୍ଦୁ ସଂସ୍କୃତିକୁ ଭିତରୁ ଭିତରୁ ଧ୍ୱଂସ କରିବାରେ ଚେଷ୍ଟିତ ହୋଇଛନ୍ତି । ଅନ୍ୟ କେତେକ ଶକ୍ତିର ଅଭାବେ ନିଜର ହାତ ନିଜେ କାମୁଡ଼ି ମନର କ୍ଷୋଭ ମନରେ ମାରି ସୁଯୋଗ ସନ୍ଧାନେ କାଳ କଟେଇଛନ୍ତି । ସମସ୍ତ ଚରିତ୍ର ଯଦି ବିଶ୍ଳେଷଣ କରି ଦେଖାଯାଏ, ଏସବୁ ଚୁପ୍‌ସୟତାନ ବିଧର୍ମୀ ଶାସକ ଅପେକ୍ଷା ଅନ୍ତର ବାହାର ଯାହାର ସମଭାବାପନ୍ନ ସେଇ ଆଓରଙ୍ଗଜେବ ଭଳି ଶାସକ ଅନେକ ସହଜ ଏବଂ ସମ୍ମାନନୀୟ ମଧ୍ୟ । ଆଓରାଙ୍ଗଜେବ ଆଉ ଯାହା କରନ୍ତୁ ପଛେ ନିଜ ଭାବକୁ ଢାଙ୍କି ରଖି କିଛି କରିବାକୁ ଯାଇନାହାନ୍ତି । ଯେଉଁମାନେ ତାଙ୍କ ନିକଟରେ ଘୃଣ୍ୟ ସେମାନଙ୍କୁ ସେକଥା କାମଦ୍ୱାରା ପ୍ରକାଶ କରିବାରେ ସେ କାଳବିଳମ୍ୱ କରୁନଥିଲେ । ହିନ୍ଦୁ ବିଦ୍ୱଷୀ ହେଲେହେଁ ସେ ଥିଲେ ନିଜ ଧର୍ମ ପ୍ରତି ଏକନିଷ୍ଠ ଭକ୍ତ, ଖାଣ୍ଟି ମୁସଲମାନ୍‍ । ତାହାର ଭୂୟସୀ ପ୍ରମାଣ ମିଳେ ତାଙ୍କର ଚରିତ୍ର ବିଶ୍ଳେଷଣ କଲେ । ମୁସଲମାନ ସଭ୍ୟତା, ସଂସ୍କୃତି ତଥା ଧର୍ମ ପ୍ରଚାରରେ ରାଜ୍ୟର ଅର୍ଥ ଏବଂ ଶକ୍ତି ବ୍ୟୟ କରିବାରେ ଯେପରି ତାଙ୍କର ତିଳେ ହେଁ କାର୍ପଣ୍ୟ ନଥିଲା, ସେପରି ନିଜର ବ୍ୟକ୍ତିଗତ ଜୀବନଯାପନରେ ଆଓରଙ୍ଗଜେବ ଥିଲେ ଜଣେ ନିରାଡ଼ମ୍ୱର, ନିଷ୍ଠାବାଦ ମୁସଲମାନ । ଜୀବନରେ ସେ ମଦ ସ୍ପର୍ଶକର ନାହାନ୍ତି । ଚରିତ୍ରହୀନତା ତାଙ୍କର ସେପରି ଦେଖାଯାଏନା । ମୃତ୍ୟୁ ପୂର୍ବରୁ ତାଙ୍କର ଉତ୍ତରାଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖା ଶେଷ ପତ୍ରରୁ ଯାହା ଜଣାଯାଏ, ସେଥିରୁ ଏକଥା ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଏକମାତ୍ର ଧର୍ମୀୟ ଭାବ ବ୍ୟତୀତ ଏତେ ବଡ଼ ନିରହଙ୍କରୀ ଶାସକ ମୋଗଲମାନଙ୍କ ମଧ୍ୟରେ ଅନ୍ୟକେହି ନଥିଲେ । ଧର୍ମବିଦ୍ୱେଷ କରିଛି ତାଙ୍କୁ ନିଷ୍ଠୁର, ନିର୍ମମ ଏବଂ ନିଜମତ କାୟେମ୍‌କରିବାରେ ଯେଉଁ ବାଧା ଉପୁଜିଛି ତାକୁ ସେ ସନ୍ଦିଗ୍‌ଧ ମନନେଇ ଦେଖିଛନ୍ତି । ମୁସଲମାନ ଧର୍ମ ପ୍ରତିଷ୍ଠା ଓ ପ୍ରଚାର ପାଇଁ ସେ ରାଜଶକ୍ତିକୁ ଏପରି ନିର୍ମମ ଭାବେ ବ୍ୟବହାର କରିଛନ୍ତି ଯେ ଇତିହାସ ପୃଷ୍ଠାରେ ତାହା ଦେଖିବା ମାତ୍ରେ ଲୋମ ଶିହରି ଉଠେ । ତାଙ୍କର ଏଇ ବିଦ୍ୱେଷ ଭାବ ସାମୟିକଭାବେ ମୋଗଲ ସାମ୍ରାଜ୍ୟ ତଥା ମୁସଲମାନଙ୍କ ମର୍ଯ୍ୟାଦା ବୃଦ୍ଧି କରାଇଲେ ମଧ୍ୟ ସେଥିଯୋଗୁଁ ସେ ନିଜ ସାମ୍ରଜ୍ୟ ପତନର କାରଣ ହୋଇଥିଲେ ।

 

ଆଓରଙ୍ଗଜେବ୍‌ଙ୍କ ଲେଖା ଶେଷ ଚିଠିରେ ନିଜ ପୁତ୍ର ପ୍ରତି ନିର୍ଦ୍ଦେଶ ଥିଲା; ତାଙ୍କର ସମାଧି ନିର୍ମାଣ ସକାଶେ ରାଜକୋଷରୁ ସାମାନ୍ୟତମ ଅର୍ଥ ଯେପରି ବ୍ୟୟ ନ ହୁଏ । ଜୀବିତାବସ୍ଥାରେ ନିଜ ହାତରେ ମୁସଲମାନ ଟୋପି ତୟାରି କରି ତାର‘ର ବିକ୍ରୟଲବ୍‌ଧ ଧନ ମାତ୍ର ଚାରିଟଙ୍କା ଦୁଇଅଣା ସେ ଏ ସକାଶେ ଗଚ୍ଛିତ ରଖିଯାଇଛନ୍ତି । ସେଇ ଅର୍ଥରେ ସମାଧି ନିର୍ମାଣ ହେବ । ତା’ଠାରୁ ଯେପରି ଏକପଇସା ବେଶି ଖରଚ କରା ନ ହୁଏ । ନିଜ ହାତରେ କୋରାନ୍‍ ନକଲ କରି ତା’ର ବିକ୍ରୟ ଲବ୍‌ଧ ଅର୍ଥ ତିନିଶତ ପାଞ୍ଚଟଙ୍କା ଯେପରି ତାଙ୍କର ମୃତ୍ୟୁ ପରେ ମୁସଲମାନ ପ୍ରଜାଙ୍କ ମଙ୍ଗଳାର୍ଥେ ବ୍ୟୟ କରାହୁଏ । ହିନ୍ଦୁ ବିଦ୍ୱେଷୀ ସମ୍ରାଟଙ୍କ ଏ ହେଲା ଜୀବନର ଅନ୍ୟ ଏକ ଦିଗ ।

Unknown

 

ସେଇ ସକାଶେ ଦେଖାଯାଏ ଏକ ନିରାଡ଼ମ୍ୱର ପରିବେଶ ମଧ୍ୟରେ ଅତି ସାଧାରଣ ଏକ ସମାଧି । ଯେଉଁଠି ଦୀନ ଦୁନିଆର ମାଲିକ ଆଲମଗୀର୍‌ବାଦଶା ଆଓରଙ୍ଗଜେବ କବରସ୍ଥ ହୋଇଛନ୍ତି, ଦେଖିବା ବା ଲେଖିବା କିଛି ନାହିଁ । ଅଳ୍ପ ସମୟରେ ଏହି କାମ ଶେଷକରି ଦୌଲତାବାଦ ଉଦ୍ଦେଶ୍ୟରେ ବାହାରି ପଡ଼ିଲୁ । ଏଠାରୁ ମାତ୍ର ନଅ ମାଇଲ ବାଟ ଦୌଲତାବାଦ ବା ଦେବଗିରି ।

 

ଦୌଲତାବାଦ, ଯାହାର ଐତିହାସିକ ନାମ ଦେବଗିରି । ନାମଟା ମୁହଁକୁ ଆସିବା ସଙ୍ଗେ ସଙ୍ଗେ ମନ କେଉଁ ଅତୀତ ଯୁଗକୁ ଚାଲିଯାଏ । ସେ ସମୟରେ ଦାକ୍ଷିଣାତ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରିଥିଲେ କଲ୍ୟାଣର ବିଖ୍ୟାତ ଚାଲୁକ୍ୟ ବଂଶ । କାଳର କବଳରେ ସେଇ ବିଖ୍ୟାତ ରାଜଶକ୍ତିର ପତନ ଘଟେ । ସେ ସମୟରେ ସେମାନେ ତିନି ଅଂଶରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନକୁ ଚାଲି ଯାଆନ୍ତି । ଏ ମଧ୍ୟରୁ ଏକ ଅଂଶ ଯାଦବ ନାମ ଗ୍ରହଣ କରି ଯାଦବ ସାମ୍ରାଜ୍ୟର ପ୍ରତିଷ୍ଠା କଲେ । ଏହି ବଂଶର ପ୍ରଥମ ତଥା ପ୍ରତିଷ୍ଠିତ ପୁରୁଷ ହେଲେ ଭିଲ୍ଲମ । ଖୁବ୍‍ ସମ୍ଭବ ଏହା ଦ୍ୱାଦଶ ଶତାବ୍ଦୀର ଶେଷଭାଗରେ ଘଟଣା (୧୧୮୨ସାଲ) । ଏହି ଦେବଗିରିରେ ସେ ତାଙ୍କର ରାଜଧାନୀ ସ୍ଥାପନ କରନ୍ତି । ବର୍ତ୍ତମାନ ଥବା ଦୁର୍ଗଟି ସେ ସମୟରେ ନିର୍ମିତ ହୋଇଥିଲା । ସେହି ସମୟକୁ ଦେବଗିରିର ସୁବର୍ଣ୍ଣ ଯୁଗ କୁହାଯାଇଥାଏ । ପ୍ରଜାଗଣ ପରମ ସୁଖରେ ବ୍ୟବସାୟ ବାଣିଜ୍ୟ କରି ରାଜ୍ୟକୁ ଐଶ୍ୱର୍ଯ୍ୟଶାଳୀ କରି ତୋଳିଥିଲେ । ଧନରତ୍ନରେ ନଗରୀ ପୁରି ଉଠିଲା, ରାଜକୋଷ ପୂର୍ଣ୍ଣ ହୋଇ ଉଠିଲା; କିନ୍ତୁ ଏ ସୁଖ ଦେବଗିରି ଭାଗ୍ୟରେ ବେଶିଦିନ ଭୋଗ ହେଲାନାହିଁ । ଚଞ୍ଚଳା ଚଞ୍ଚଳ ହୋଇ ଉଠିଲେ ।

 

ଖ୍ରୀ: ୧୨୯୪ । ରାମଚନ୍ଦ୍ରଦେବଙ୍କ ରାଜତ୍ୱକାଳ । କାମିନୀ କାଞ୍ଚନ ଲୋଭୀ ଆଲ୍ଲାଉଦ୍ଦୀନ ଖିଲିଜୀଙ୍କ ଶ୍ୟେନ ଦୃଷ୍ଟି ପଡ଼େ ଦେବଗିରି ଉପରେ । ବିନା ପ୍ରରୋଚନାରେ ଦିଲ୍ଲୀର ବିପୁଳ ପଠାଣବାହିନୀ କ୍ଷୁଦ୍ର ରାଜ୍ୟ ଦେବଗିରି ଆକ୍ରମଣ କରି ବସିଲେ । ଦୀର୍ଘଦିନ ଧରି ପ୍ରଚଣ୍ଡ ଯୁଦ୍ଧ ଚାଲିଲା । ଦୁର୍ଗରକ୍ଷା କରିବାରେ ସମସ୍ତ ପ୍ରଚେଷ୍ଟା ରାମଚନ୍ଦ୍ର ଦେବଙ୍କର ନିଷ୍ଫଳ ହେଲା । ସେଥିପାଇଁ ବିଦେଶୀ ସୈନ୍ୟମାନଙ୍କ ଶକ୍ତି ଅପେକ୍ଷା ସ୍ୱଦେଶୀ ବିଶ୍ୱାସଘାତକମାନଙ୍କ ଦାନ ଉଲ୍ଲେଖନୀୟ । ରାବଣକୁ ମାରିବା ସକାଶେ ରାମଚନ୍ଦ୍ର ଯେଉଁ ବିଭୀଷଣଙ୍କୁ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ଚାରିଯୁଗକୁ ଅମର କରି ରଖିଯାଇଥିଲେ, ସେହି ହିନ୍ଦୁ ବିଭୀଷଣରୂପୀ ଶୟତାନଗଣ କେବଳ ଲଙ୍କାପୁର ନୁହ ଶତସହସ୍ର ହିନ୍ଦୁ ସାମ୍ରାଜ୍ୟ ନଷ୍ଟ କରିବାରେ ଯେଉଁସବୁ ଅବଦାନ ଦେଇଯାଇଛନ୍ତି ତା’ର ତୁଳନା ଅନ୍ୟ କେଉଁଠି ମିଳିବା ଦୁଷ୍କର । ସେନା ମଧ୍ୟରେ ବିଶ୍ୱାସହନ୍ତାଙ୍କ ପ୍ରାବଲ୍ୟ, ପ୍ରାନ୍ତୀୟ ରାଜାମାନଙ୍କ ଉଦାସୀନତା, ଦେବଗିରୀ ପତନକୁ ତ୍ୱରାନ୍ୱିତ କରିଦେଲା । ରାମଚନ୍ଦ୍ରଦେବ ନତି ସ୍ୱୀକାର କଲେ କପଟୀ ଆଲ୍ଲାଉଦ୍ଦୀନଙ୍କ ନିକଟରେ । ସନ୍ଧିଚୁକ୍ତି ମୁତାବକ ରାଜାଙ୍କୁ କେତେକ ଭୂସମ୍ପତ୍ତି ସହ ସାମ୍ୱତ୍ସରିକ ସାମାନ୍ୟ ଖଜଣା ଦେବାକୁ ପଡ଼ିଥିଲା । ତତ୍‌ସହ ଯୁଦ୍ଧରେ ଜୟଲାଭ କରି ଆଲ୍ଲାଉଦ୍ଦୀନ ରାଜ୍ୟରୁ ଲୁଟ କରିନେଲେ ଏକହଜାର ମହଣ ରୂପା, ଛଅହଜାର ମହଣ ସୁନା, ଦୁଇମହଣ ହୀରା ଏବଂ ଆନୁପାତିକ ହାରରେ ଅନ୍ୟାନ୍ୟ ମଣିମୁକ୍ତା । ଏହା ମୁସଲମାନ୍‍ ଐତିହାସିକ ଫେରିସ୍ତାଙ୍କ ଲେଖାରୁ ମିଳିଥାଏ । ଅବଶ୍ୟ ସେ ସମୟରେ ଆରବ ଓ ପାରସ୍ୟରେ ଚାଲୁଥିବା ଚାରିସେରରେ ଏକମହଣ ବୋଲି ହିସାବ ହେଉଥିଲା । ଏହି ହିସାବ ଚାରିସେରିଆ ମହଣ ନା ଚାଲିଣି ସେରିଆ ମହଣ, ତାହା ଜାଣିବା ବର୍ତ୍ତମାନ ସମ୍ଭବ ନାହେଁ ।

 

ରାଜା ରାମଚନ୍ଦ୍ର ଦିଲ୍ଲୀ ଚୁକ୍ତି ଅନୁଯାୟୀ ବେଶିଦିନ ଖଜଣା ଦେଇ ନଥିଲେ । ନିଜର ଶକ୍ତି ପୁନଃ ଅର୍ଜନ କରିବା ସଙ୍ଗେ ସଙ୍ଗେ ଚିର ସ୍ୱାଧୀନ ପ୍ରିୟ ନରପତି ପରାଧୀନତାର କଳଙ୍କସ୍ୱରୂପ ବାର୍ଷିକ ଖଜଣା ବନ୍ଦ କରି ଦେଇଥିଲେ । ରାଜା କେବଳ ଏତିକି କରି କ୍ଷାନ୍ତ ହୋଇଥିଲେ ହୁଏତ ଦେବଗିତି ଇତିହାସ ଅନ୍ୟରକମ ଲେଖା ଯାଇଥାନ୍ତା; କିନ୍ତୁ ତା’ ହେଲାନାହିଁ । ରାଜା ଆହୁରି ଅନେକ ଦୂର ଆଗେଇ ଯାଇ ଦିଲ୍ଲୀ ସଙ୍ଗେ ଶତ୍ରୁତାକୁ ଡାକି ଆଣିଲେ ।

 

ସେ ସମୟରେ ଆଲ୍ଲାଉଦ୍ଦୀନଙ୍କ ନଜର ପଡ଼ିଲା, ଗୁଜୁରାଟ ଅନ୍ତଃପୁର ବାସିନୀ ଅନିନ୍ଦ୍ୟ ସୁନ୍ଦରୀ ଗୁଜୁରାଟ ପଟ୍ଟମହିଷୀ କମଳାଙ୍କ ଉପରେ । ସମ୍ରାଟଙ୍କ ବିପୁଳ ପଠାଣବାହିନୀ ଆଗେଇ ଚାଲିଲେ ଗୁଜୁରାଟ ଅଭିଯାନରେ । ସୁନ୍ଦରୀ ରାଣୀଙ୍କୁ ଆଲ୍ଲାଉଦ୍ଦୀନଙ୍କ ହାରେମରେ ସ୍ଥାନ ଦେବାପାଇଁ, ସେତେବେଳେ ଗୁଜୁରାଟ ମାଟିରେ ରକ୍ତ-ନଦୀ ବୋହିଗଲା । ମାନବ ସଭ୍ୟତାର ବିକାଶଠାରୁ ଚାଲିଆସିଛି ସୁନ୍ଦରୀ ନାରୀ ସକାଶେ ରାଜ୍ୟର ସର୍ବନାଶ । ସର୍ବଯୁଗେ ସର୍ବସ୍ଥାନେ ସମଭାବେ ଏହା ଚଳି ଆସିଛି । ଗୁଜୁରାଟ ଶ୍ମଶାନ ହେଲା । କମଳା ଅପହୃତା ହୋଇ ଶିବିକାରୋହଣ କରି ପଠାଣ ହାରେମକୁ ଚାଲିଣ ହେଲେ । କନ୍ୟା ସହ ମୁମୂର୍ଷୁ ରାଜା ଆଶ୍ରୟ ନେଲେ ଦେବଗିରି ରାଜପ୍ରାସାଦରେ ।

 

ଦେବଗିରି ତଥା ରାମଚନ୍ଦ୍ର ଦେବଙ୍କ ଏ ଔଦ୍ଧତ୍ୟ ଆଲ୍ଲାଉଦ୍ଦୀନ ସହ୍ୟକରି ପାରିଲେ ନାହିଁ-। (ଏହାପର କାହାଣୀ ମୋ ଲିଖିତ ତୁଷାର ତୀର୍ଥ ଅମରାନାଥରେ ଦ୍ରଷ୍ଟବ୍ୟ) ବିପୁଳ ପଠାଣବାହିନୀ ନିକଟରେ ଦେବଗିରି ଦ୍ୱିତୀୟଥର ସକାଶେ ପରାସ୍ତ ହେଲା । ଏ ଯୁଦ୍ଧରେ ସମ୍ରାଟ ଯୁଦ୍ଧ ପରିଚାଳନା ସକାଶେ ତାଙ୍କର ସୁପଣ୍ଡିତ ପୁତ୍ର ଖଜିରି ଖାନଙ୍କୁ ନିଯୁକ୍ତ କରିଥିଲେ । ତାଙ୍କୁ ସାହାଯ୍ୟ କରିଥିଲେ ସେନାପତି ମାଲିକ କାଫୁର୍‌ । ଇତିହାସ କୁହେ ସ୍ୱାଭାବିକ ଯୁଦ୍ଧରେ ରାଜା ପରାସ୍ତ ସ୍ୱୀକାର କରିନାହାନ୍ତି । କୌଣସି ଏକ ଯୁଦ୍ଧବିରତି ଅବସରର ଏକ ରାତ୍ରିରେ ରାଜା ଉଦ୍‌ବେଗ ଚିତ୍ତରେ ଦୁର୍ଗ ଉପରେ ନିଜର ସେନା ଅବସ୍ଥିତି ପର୍ଯ୍ୟବେକ୍ଷଣ କରୁଥିଲେ । ଉକ୍ତ ଦୃଶ୍ୟ ପଠାଣ ସେନାପତି ମାଲିକ କାଫୁର ଦୂରରୁ ଦେଖିପାରିଲେ । ଏଇ ସୁବର୍ଣ୍ଣସୁଯୋଗର ସଦ୍‌ବ୍ୟବହାର କରିବାର ସିଦ୍ଧାନ୍ତ ନେବାକୁ ପଠାଣ ସେନାପତିଙ୍କୁ ବେଶି ସମୟ ଲାଗିଲା ନାହିଁ । ବିଶ୍ୱାସଘାତକର ବିଷାକ୍ତ ଶର ଅନ୍ଧକାର ରଜନୀ ଭେଦକରି ରାଜା ରାମଚନ୍ଦ୍ରଙ୍କ ବକ୍ଷ ବିଦ୍ଧ ହେଲା । ଏହି ଅବ୍ୟର୍ଥ ସନ୍ଧାନ ପଠାଣର ବିଶ୍ୱାସଘାତକ ଇତିହାସରେ ଆଉ ଗୋଟିଏ ମାତ୍ର ଦାଗ ଯୋଗ କଲା । ରାମଚନ୍ଦ୍ର ଦେବ ନିହତ ହେଲେ । ନେତୃତ୍ୱ ଅଭାବରେ ସେନାନୀ ଛତ୍ରଭଙ୍ଗ ଦେଲେ । ଦେବଗିରିର ପତନ ହେଲା । ଅବଶ୍ୟ କେତେକ ଐତିହାସିକ ରାମଚନ୍ଦ୍ରଦେବ ନିହତ ହୋଇଥିଲେ, ଏକଥା ଅସ୍ୱୀକାର କରି ସେ ଅସୁସ୍ଥ ହୋଇଥିଲେ ଏବଂ ଦେବଗିରି ପତନ ପରେ ଦିଲ୍ଲୀର ବଶତା ସ୍ୱୀକାର କରି ଆହୁରି ଦୁଇବର୍ଷ ସେହି ଅସୁସ୍ଥ ଶରୀର ନେଇ ବଞ୍ଚିଥିଲେ ବୋଳି ମତ ପ୍ରକାଶ କରିଥାନ୍ତି । ହିନ୍ଦୁସ୍ଥାନର ପ୍ରକୃତ ଇତିହାସ ଏଯାଏଁ ଲେଖା ହୋଇନାହିଁ । ହେବ—ସେ ଆଶା ମଧ୍ୟ ଆଉ ଦେଖାଯାଉ ନାହିଁ । ବର୍ତ୍ତମାନର ଶାସନାବସ୍ଥା ଯାହା ସେଥିରେ ସତ୍ୟସ୍ରଷ୍ଠା କେଉଁ ଐତିହାସିକ ଶାସକକୁଳର କୋପାନଳକୁ ଉପେକ୍ଷା କରି ସତ୍ୟ ଘଟଣା ଉଦ୍‌ଘାଟନ କରିପାରିବେ ସେ ଆଶା ଦୁରାଶା ମାତ୍ର । ଆଜିର ଶାସନ ଭୋଟ ବାକ୍‌ସ ନିକଟରେ ବନ୍ଦୀ । ତାକୁ ଅତିକ୍ରମକରିବା ସହଜ ସାଧ୍ୟ ନୁହେଁ । ଯଦି ବା କେଉଁ ଦୁଃସାହସୀ ଧନ ପ୍ରାଣକୁ ଉପେକ୍ଷା କରି ଏ ଦିଗରେ ଆଗେଇ ଆସନ୍ତି, ତେବେ ବି ବିଶେଷ କିଛି ଲାଭ ହେବନାହିଁ । ଆଇନର ରକ୍ତଚକ୍ଷୁ ତାକୁ ମୁକ୍ତି ଦେବନି । ମନର କଥା ମନରେ ରଖିବା ହିଁ ବୁଦ୍ଧିମାନର କାମ ।

 

ରାଜା ରାମଚନ୍ଦ୍ରଙ୍କ ପରେ ତାଙ୍କର ପୁତ୍ର ଶଙ୍କରଦେବ ଦେବଗିରି ରାଜଗାଦିରେ ଅଭିଷିକ୍ତ ହେଲେ । ପିତାଙ୍କ ପରି ବୀର୍ଯ୍ୟଶାଳୀ ନ ହେଲେ ବି ଉତ୍ତରାଧିକାରୀ ସୂତ୍ରେ ସ୍ୱାଧୀନତାର ଶିକ୍ଷା ପାଇଥିଲେ । ସାମାନ୍ୟ କିଛିଦିନ ପାଇଁ ଦିଲ୍ଲୀର ବଶ୍ୟତା ସ୍ୱୀକାର କରିନେଲେ ହେଁ ସୁଯୋଗ ପାଇବା ମାତ୍ରେ ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ ଏବଂ ବାର୍ଷିକ ଖଜଣା ବନ୍ଦ କରିଦେଇଥିଲେ-। ହିନ୍ଦୁ ରାଜାଙ୍କ ଏଇ ଅହମିକା ବିଦେଶୀ ପଠାଣ ଶାସକ ସହ୍ୟ କରିପାରିଲେ ନାହିଁ-। ମାଲିକ କାଫୁରିଙ୍କ ନେତୃତ୍ୱରେ ବିରାଟ ବାହିନୀ ଦେବଗିରୀ ଅଭିମୁଖେ ଯାତ୍ରା କଲେ । ଦୁର୍ଗ ଅବରୋଧ ହେଲା । ରାଜା ଶଙ୍କର ଯଥାବିଧି ଦୁର୍ଗ ରକ୍ଷା କରିବାକୁ ଯାଇ ସମ୍ମୁଖ ସମରରେ ପ୍ରାଣ ଦେଇ ବୀରୋଚିତ ଧାମକୁ ଗମନ କଲେ । ତାଙ୍କର ମୃତ୍ୟୁ ପରେ ଦେବଗିରିରୁ ଯାଦବ ବଂଶର ରାଜତ୍ୱ ଅବସାନ ହେଲା ।

 

ଶଙ୍କରଙ୍କ ମୃତ୍ୟୁରେ ଦେବଗିରିରେ ରାଜ ହେଲେ ରାମଚନ୍ଦ୍ରଦେବଙ୍କ ଜାମାତା ହରପାଳ-। ରକ୍ତ ସଂପର୍କରେ ନ ହେଲେ ମଧ୍ୟ ଏହାଙ୍କର ମନରେ ସ୍ୱଧୀନତାର ସ୍ୱପ୍ନ ସମଭାବରେ ଦେଖାଦେଇଥିଲା । ପରାଧୀନତା ବନ୍ଧନ ମଧ୍ୟରେ ରାଜତ୍ୱ କରିବା କେଉଁ ନରପତି କେବେହେଲେ କାମ୍ୟ ମନେ କରିପାରିନାହାଁନ୍ତି । ପ୍ରତ୍ୟେକ ସୁଯୋଗ ସୁବିଧା ଅନୁଯାଇ ପରାଧୀନତାର ନାଗଫାଶରୁ ମୁକ୍ତି ପାଇବାକୁ ବରାବର ସଚେଷ୍ଟ ହୋଇଅଛନ୍ତି । କିନ୍ତୁ ପ୍ରାୟ ପ୍ରତି କ୍ଷେତ୍ରରେ ଭଗବାନଜୀ ରାମଙ୍କଆଶିଷ ପୁଷ୍ଟ ଚିରଜୀବୀ ବିଭୀଷଣଦଳଙ୍କ କାରସାଦିରେ ସମସ୍ତ ଚେଷ୍ଟା ବିଫଳ ହୋଇଛି । ଏହାର ସାକ୍ଷୀ ଇତିହାସ ।

 

ରାଜା ହରପାଳଙ୍କ ଏଇ ସ୍ୱାଧୀନତା ସ୍ୱପ୍ନ ବି ସଫଳ ହେଲାନି । ଖିଲିଜିବଂଶର ଅନ୍ୟତମ ଶାସକ ବାଦଶାହ ମବାରକସାହ ବିଦ୍ରୋହୀ ରାଜାଙ୍କୁ ବିଶ୍ୱାସଘାତକମାନଙ୍କ ସହାୟତାରେ ବନ୍ଦୀ କରିନେଲେ । ସେିତିକିରେ ବିଧର୍ମୀ ଶାସକ କ୍ଷାନ୍ତ ନ ହୋଇ ପ୍ରତିହିଂସା ପରାୟଣ ନବାବ ଅତି ନିଷ୍ଠୁରଭାବେ ସେଇ ବନ୍ଦୀ ଅବସ୍ଥାରେ ରାଜାଙ୍କ ଦେହରୁ ଚମଡ଼ା ଖୋଲିନେଇ ପ୍ରାଣଦଣ୍ଡ ଦେଇଥିଲେ । ଇତିହାସ ପୃଷ୍ଠାରେ ଏପରି ନିଷ୍ଠୁର ପୈଶାଚିକ ମୃତ୍ୟୃଦଣ୍ଡ ଆଉ ଲେଖାହୋଇଛି ବୋଲି ମନେହେଉନାହିଁ । ଏହାଥିଲା ସେ ଯୁଗରେ ବିଧର୍ମୀ ଶାସକମାନଙ୍କ ଦେଶୀୟ ରାଜାଙ୍କ ପ୍ରତି ଆଚରଣ । ହରପାଳଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଦେବଗିରିରୁ ହିନ୍ଦୁ ରାଜତ୍ୱର ଅବସାନ ହେଲା । ଅନେକଙ୍କ ମତରେ ଆଜିସୁଦ୍ଧା ରାଜା ହରପାଳଙ୍କ ମୃତ୍ୟୁକାଳୀନ ସେ ଆର୍ତ୍ତଚିତ୍କାର ଦେବଗିରିର ଦୁର୍ଗ ମଧ୍ୟରେ ଶୁଣିବାକୁ ମିଳିଥାଏ ।

 

ତା’ପରେ ଦିଲ୍ଲୀଶ୍ୱର ମହମ୍ମଦ ତୁଗଲକଙ୍କ ପର୍ଯ୍ୟନ୍ତ ଦେବଗିରିରେ ସେପରି କୌଣସି ବିଶେଷ ଘଟଣା ଦେଖାଯାଏ ନାହିଁ । ପାଗଳା ନବାବ ନାମରେ ମହମ୍ମଦ ତୁଗୁଲକଙ୍କଇତିହାସ ପୃଷ୍ଠାରେ ସୁନାମ ରହିଛି । ଏହାଙ୍କ ରାଜତ୍ୱକାଳରେ ରୂପାମୁଦ୍ରା ସ୍ଥଳେ ତାମ୍ର ମୁଦ୍ରାର ପ୍ରଥମ ପ୍ରଚଳନ ହୁଏ । ନବାବ ଚିନ୍ତାକରି ଦେଖିଲେ, ରାଜ୍ୟରେ କେନ୍ଦ୍ରସ୍ଥଳରେ ରାଜଧାନୀ ନ ଥିବା ହେତୁ ସବୁ ଦିଗକୁ ସମଦୃଷ୍ଟି ଦେବା ସମ୍ଭବ ହୋଇ ପାରୁନି । ଫଳରେ ଦୁର୍ବୃତ୍ତମାନେ ସେ ସୁଯୋଗ ଗ୍ରହଣକରି ନାନା ଅନର୍ଥ ଘଟଉଛନ୍ତି । ତାଙ୍କର ମତରେ ଦେବଗିରି ରାଜଧାନୀ ରୂପେ ଉପଯୁକ୍ତ ବିବେଚିତ ହେଲା । ଦେବଗିରିର ନୂତନ ନାମ ହେଲା ଦୌଲତାବାଦ । ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାନ୍ତରିତ କରିବାପାଇଁ ଅଚିରେ ହୁକୁମନାମା ବାହାରିଲା । ଦିଲ୍ଲୀ ବାସୀନ୍ଦା ପ୍ରତିଟି ପ୍ରାଣୀକୁ ନୂତନ ରାଧାନୀକୁ ଯିବାକୁ ହେବ । ମନୁଷ୍ୟ ତ ଦୂରର କଥା କୌଣସି ଜୀବଜନ୍ତୁ ଏ ଆଦେଶ ଅମାନ୍ୟ କରିପାରିବେ ନାହିଁ । ଯେ ସ୍ଥାନ ତ୍ୟାଗ କରିବାକୁ ଅପାରଗ ବା ଅନିଚ୍ଛୁକ ସେମାନଙ୍କୁ ନବାବୀ ଫୌଜ ଆଦେଶାନୁଯାଇ ଟାଣିନେଇ ଯିବାକୁ ହେବ । ଶୁଣାଯାଏ କୌଣସି ଏକ ଅନ୍ଧବ୍ୟକ୍ତି ନବାବ ଆଦେଶ ପାଳନ କରିବାକୁ ଘରୁ ବହାରିଲା । ମାତ୍ର ସମଭାବେ ଯାତ୍ରାକରିବା ସମ୍ଭବ ନ ହୋଇପାରିବା ହେତୁ ପଥ ମଧ୍ୟରେ ବିଶ୍ରାମ କରୁଥିଲା । ନବାବୀସେନା ସେ ଅନ୍ଧବ୍ୟକ୍ତି ନବାବୀ ଆଦେଶ ପ୍ରତିପାଳନ ନ କରି ବସିରହିଥିବା ଦେଖି ତା’ର ଗୋଡ଼ରେଦଉଡ଼ି ବାନ୍ଧି ଟାଣି ନେଇ ଦୌଲତାବାଦ ପହଞ୍ଚାଇଥିଲେ । ଅବଶ୍ୟ କେବଳ ବନ୍ଧା ହୋଇଥିକବା ଗୋଡ଼ର ଗୋଇଠି ଖଣ୍ଡିକ ଦୌଲତାବାଦ ମାଟି ସ୍ପର୍ଶକରି ନବାବୀ ମହିମା ରଖିପାରିଥିଲା । ଯେତେଦୂର ସମ୍ଭବ ଏହା ୧୩୩୮ ସାଲର ଘଟଣା ।

 

ଇତିହାସର ଏସବୁ ବିକ୍ଷିପ୍ତ ଘଟଣାମାନ ଚିନ୍ତା କରୁ କରୁ ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିଥିଲି । ସଦାନନ୍ଦବାବୁଙ୍କ ଡାକରେ ଚେଇଁଉଠି ଦେଖିଲି, କେତେକ ସହଯାତ୍ରୀ ମୋତେ ଦେଖି ହସୁଛନ୍ତି । ମାଷ୍ଟ୍ର ମହାଶୟ ଅତି ସହଜଭାବେ ପଚାରିଲେ ‘‘ଦିନରେ ଶୋଇ ଶୋଇ କ’ଣ ବିଳିବିଳଉଥିଲ କି-?’’

 

ଅତୀତ ଭାବନା ମଧ୍ୟରେ ଯେ ଏତେଦୂର ବିଭୋର ହୋଇପଡ଼ିଥିଲି ସେ ଧାରଣା ମୋର ନଥିଲା ।

 

ମୋର କାହାଣୀ ଶେଷହେବା ପରେ ସଦାନନ୍ଦବାବୁ କହିଲେ, ‘‘ମହମ୍ମଦ୍‌ତୁଗଲକଙ୍କ ଏକଦା ଧନ ଦୌଲତପୂର୍ଣ୍ଣ ଦୌଲତାବାଦ ମାତ୍ର ସତରବର୍ଷ ବଡ଼ ଜାକ୍‌କମକ୍‌ରେ ରାଜଧାନୀରୂପେ ପରିଚିତ ଲାଭକରି ପାରିଥିଲା । ପ୍ରଚଣ୍ଡ ଜଳକଷ୍ଟ ସହ ଆନୁଷଙ୍ଗିକ ଅସୁବିଧା ଦିନକୁ ଦିନ ଅସହ୍ୟ ହୋଇ ଉଠିଲା । ଅପର ପକ୍ଷେ ଦିଲ୍ଲୀର ମାୟା ତ୍ୟାଗକରିବା ସମ୍ଭବପର ନ ଥିଲା । ଫଳରେ ଶାସନରେ ନାନା ବିଶୃଙ୍ଖଳା ଦେଖାଗଲା । ଅଗତ୍ୟା ପାଗଳା ସୁଲତାନ ପୁନଶ୍ଚ ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବା ଆଦେଶ ଜାରିକଲେ । ଏଥର କିନ୍ତୁ ବାଧ୍ୟବାଧକତାର ଆବଶ୍ୟକତା ରହିଲାନାହିଁ । ଛଅଶହ ମାଇଲ ପଥକୁ ଛଅମାଇଲ ସଦୃଶ ଅତିକ୍ରମ କରି ଦିଲ୍ଲୀବାସିନ୍ଦା ପ୍ରଜାବୃନ୍ଦ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଦୌଲତାବାଦ ପୁଣି ହୃତସର୍ବସ୍ୱ ଏବଂ ଜନବସତି ଶୂନ୍ୟ ହୋଇପଡ଼ିଲା ।

 

ଏହାପରର ଘଟଣା । ଅନେକ ବର୍ଷ ପରେ ଦାକ୍ଷିଣାତ୍ୟ ଅହମ୍ମଦ ନଗରର ବୀରା ରମଣୀ ଚାନ୍ଦ ସୁଲତାନାଙ୍କ ମୃତ୍ୟୁପରେ ସମ୍ରାଟ ଆକବର ସେ ରାଜ୍ୟ ଦଖଲ କରିନେଲେ । ଅସହାୟ ମନ୍ତ୍ରୀ ମାଲିକ ଅମ୍ୱର ନାବାଳକ ଯୁବରାଜଙ୍କୁ ସଙ୍ଗରେ ନେଇ ପରିତ୍ୟକ୍ତ ଦୌଲତାବାଦକୁ ଚାଲିଆସନ୍ତି । ସେଠାରେ ସେ ଯୁବରାଜଙ୍କୁ ରାଜସିଂହାସନରେ ବସାଇ ନିଜେ ରାଜପ୍ରତିନିଧିରୂପେ ରାଜ୍ୟ ପରିଚାଳନା କରନ୍ତି । ପରିତ୍ୟକ୍ତ ସହର ପୁଣି ୧୬୦୫ ସାଲରେ ନୂତନଭାବେ ଗଢ଼ିଉଠିଲା ଫତେନଗର ନାମରେ; କିନ୍ତୁ ଫତେନଗରର ଏ ଗାରିମା ବେଶିଦିନ ସ୍ଥାୟିତ୍ୱ ଲାଭ କଲାନାହିଁ । ମାଲିକ ଅମ୍ୱରଙ୍କ ମୃତ୍ୟୁପରେ ରାଜ୍ୟ ଦୁର୍ବଳ ହୋଇପଡ଼ିଲା । ଏଇ ସୁଯୋଗରେଦିଲ୍ଲୀ ସମ୍ରାଟଏ ରାଜ୍ୟଦଖଲ କରିନେଲେ । ଦାକ୍ଷିଣାତ୍ୟର ଶାସନକର୍ତ୍ତା ରୂପେଆଓରଙ୍ଗଜେବ ଦୌଲତାବାଦରେ ଦାକ୍ଷିଣାତ୍ୟର ସେନା ନିବାସ ତଥା ନିଜର ରାଜଧାନୀ ସ୍ଥାପନ କଲେ । ଫତେନଗର ନାମ ପରିବର୍ତ୍ତିତ ହୋଇ ଔରଙ୍ଗାବାଦ ହେଲା । ପୁରାତନ ଦୌଲତାବାଦ କ୍ରମଶଃ ସମ୍ପ୍ରସାରିତ ହୋଇ ବଢ଼ିଚାଲିଲା ଆଧୁନିକ ଔରଙ୍ଗବାଦ ଯାଏ ।

 

ଆଓରଙ୍ଗଜେବଙ୍କ ମୃତ୍ୟୁପରେ ମୋଗଲଶକ୍ତି ହୀନବଳ ହୋଇପଡ଼ିଲା । ଏହି ସୁଯୋଗରେ ଅନେକ ଆଞ୍ଚଳିକ ଶାସନକର୍ତ୍ତା ନିଜକୁ ସ୍ୱାଧୀନ ଘୋଷଣା କରି ସେହି ଖଣ୍ଡରାଜ୍ୟ ଶାସନ କରିବାରେ ଲାଗିଲେ । ବିନ୍ଦଖିଲିଚ ଖାଁ ମଧ୍ୟ ସେ ସୁଯୋଗ ନେଇ ନିଜର ମନ୍ତ୍ରିତ୍ୱ ପରିତ୍ୟାଗପୂର୍ବକ ଆହୁରି ଦକ୍ଷିଣକୁ ଅପସରି ଯାଇ ହାଇଦରାବାଦ ରାଜ୍ୟରେ ସ୍ୱାଧୀନ ନିଜାମରୂପେ ନିଜକୁ ଘୋଷଣା କଲେ । ସେହିଦିନଠାରୁ ଦୌଲତାବାଦ ହାଇଦରାବାଦ ନିଜାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଆସିଲା ।

 

ତାହାର କେତେବର୍ଷ ପରେ ସମଗ୍ର ଭାରତବର୍ଷର ପଟ୍ଟ ପରିବର୍ତ୍ତନ ହେଲା । ବଣିକ ଇଂରେଜ ଏ ଦେଶର ଅଧୀଶ୍ୱର ହୋଇ ବସିଲେ । ଇଂରେଜ ସରକାର ହାଇଦରାବାଦକୁ ସ୍ୱୀଧୀନ ଦେଶୀୟ ରାଜ୍ୟବୋଲି ଘୋଷଣା କଲେ ।

 

ଏହିପରି କେତେବର୍ଷ ବିତିଗଲା । ୧୯୪୭ ଅଗଷ୍ଟ ପନ୍ଦରରେ ଦ୍ୱିଖଣ୍ଡିତ ହୋଇ ଭାରତବର୍ଷ ସ୍ୱାଧୀନତା ଲାଭକଲା । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେସେ ସମୟରେ ବହୁ ଦେଶୀୟ କରଦ ରାଜ୍ୟ ଭାରତ ଯୁକ୍ତରାଷ୍ଟ୍ରରେ ଯୋଗଗଦାନକରି ରାଷ୍ଟ୍ର ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କଲେ; କିନ୍ତୁ ହାଇଦ୍ରାବାଦ ନିଜାମ ସ୍ୱାଧୀନରାଜ୍ୟ ସ୍ୱପ୍ନ ପରିତ୍ୟାଗ କରିପାରିଲେ ନାହିଁ । ହାଇଦରାବାଦକୁ ଏକ ସ୍ୱାଧୀନ ଇସଲାମିକ ରାଷ୍ଟ୍ର ବୋଲି ଘୋଷଣା କଲେ ଏବଂ ଭିତରେ ଭିତରେ ଭାରତ ବିରୁଦ୍ଧରେ ଯୁଦ୍ଧ ସକାଶେ ପ୍ରସ୍ତୁତି ଚଳାଇଲେ । ନିଜମଙ୍କ ପ୍ରଧାନ ସହାୟକ ଥିଲେ ନବାବ ଦରବାରର ବିଶେଷ ପରାମର୍ଶଦାତା ମହମ୍ମଦ ରେଜକି । ସେ ବିପୁଳ ସେନାଙ୍କୁ ଏହି ଦେବଗିରି ତଥା ଦୌଲତାବାଦ, ତଥା ଫତେନଗର ବା ଆୱରଙ୍ଗାବାଦ ଦୁର୍ଗମଧ୍ୟରେ ଲୁଚାଇ ରଖିଥିଲେ ଭାବି ସଙ୍ଘର୍ଷର ମୁକାବିଲା କରିବାପାଇଁ ।

 

ନିଜାମ ତଥା ରେଜକିଙ୍କ ଏ କୁଟ ଚାଲ ସଫଳ ହେଲାନି । ବିପୁଳ ପ୍ରଜାମଣ୍ଡଳୀ ଏଇ କୁଚକ୍ର ବିରୁଦ୍ଧରେ ସଚେଷ୍ଟ ହୋଇ ଉଠିଲେ । ନବାବଙ୍କ ନୀତି ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ-। କ୍ଷୁଦ୍ର ରାଜ୍ୟ ହାଇଦରାବାଦରେ ଅଶାନ୍ତି ଦାବାନଳ ଜଳିଉଠିଲା । ଜନମତର ଚାପରେ ତତ୍‌କାଳୀନ ଅସ୍ଥାୟୀ ପ୍ରଧାନ ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ ମେଜର ଜୟନ୍ତ ଚଉଧୁରୀଙ୍କ (ପରବର୍ତ୍ତୀ କାଳେ ଭାରତୀୟ ସ୍ଥଳବାହିନୀର ସର୍ବୋଚ୍ଚ ସେନାପତି ହୋଇ ଅବସର ଗ୍ରହଣ କରିଥିଲେ ।) ନେତୃତ୍ୱରେ ଭାରତୀୟ ବାହିନୀ ହାଇଦରାବାଦରେ ଶାନ୍ତି ସ୍ଥାପନ କରିବା ପାଇଁ ଆଗେି ଆସିଥିଲେ । ନିଜ ଭୁଲର ମୂଲ୍ୟ ଦେବା ପାଇଁ ନିଜାମ ବାହାଦୂରଙ୍କୁ ମାତ୍ର ତିନିଦିନ ସମୟ ଲାଗିଥିଲା । ମହମ୍ମଦ ରେଜକି ରାତ୍ରିର ଅନ୍ଧକାରରେ ଆତ୍ମଗୋପନ କରି ପାକିସ୍ଥାନକୁ ପାଳଇ ଯାଇ ନିଜ ସୈନ୍ୟଙ୍କ କୋପାନଳରୁ ରକ୍ଷା ପାଇ ପାରିଥିଲେ । ହାଇଦରାବାଦ ଭାରତ ଯୁକ୍ତରାଷ୍ଟ୍ରର ଅନ୍ତର୍ଭୁକ୍ତ ହେଲା ଏବଂ ଏକ ସ୍ୱାଧୀନ ପ୍ରଦେଶ ହିସାବରେ ଶାସିତ ହେବାକୁ ଲାଗିଲା-। ପରେ ସୀମା ନିର୍ଦ୍ଧାରଣ ସମୟରେ ଉକ୍ତ ରାଜ୍ୟ ଆନ୍ଧ୍ର ପ୍ରଦେଶର ଅନ୍ତର୍ଭୁକ୍ତ ହେଲା-। ଏହିପରି ଭାବରେ ଏହି ରାଜ୍ୟରେ କେତେ ରାଜଶକ୍ତି ଆସିଲେ ଏବଂ ଅପସରିଗଲେ ।

 

କଥାବାର୍ତ୍ତା ମଧ୍ୟ ଦେଇ ମାତ୍ର ସାତ ମାଇଲ ପଥ ଅତିକ୍ରମ କରି ବସ୍‍ ଦେବଗିରି ଦୁର୍ଗ ସମ୍ମୁଖରେ ଆସି ଠିଆହେଲା । ଗୌତମବାବୁଙ୍କ ନିର୍ଦ୍ଦେଶରେ ସମସ୍ତେ ଦୁର୍ଗ ଦେଖିବା ପାଇଁ ଅବତରଣ କଲୁ ।

 

ନାମରେ ଦୌଲତାବାଦ ହେଲେହେଁ ସେଠାରେ ଦୌଲତର କୌଣସି ଚିହ୍ନ ମିଳିଲାନାହିଁ-

 

ଛୋଟ ଛୋଟ ଦୋକାନ କେତୋଟି ପାର ହୋଇ ଆଗେଇ ଗଲେ ଦେଖିବାକୁ ମିଳିବ ପଥର ଦୁଇ ପାର୍ଶ୍ୱରେ ଭିକାରୀଦଳ ନାନାଦି ଭେକ ଧରି ବସିଛନ୍ତି । ଏମାନଙ୍କର କୌଣସି ଜାତି ଧର୍ମ ନାହିଁ । ପ୍ରତି ଦର୍ଶନୀୟ କ୍ଷେତ୍ରରେ ଏହାଙ୍କର ଦେଖା ମିଳିଥାଏ । ବର୍ତ୍ତମାନ ଭିକ୍ଷାବୃତ୍ତି ଏକ ରକମ ବ୍ୟବସାୟରେ ପରିଣତ ହେଲାଣି । ତେଣୁ ଆଜି ପେଶାଦାର ଭିଖାରୀ କିଏ, ପ୍ରକୃତ ଭିକାରୀ କିଏ ବୁଝିବା ଦୁଷ୍କର ହୋଇ ଉଠଛି । ସେଥିପ୍ରତି ଜୋର ନଦେଇ ଆଗେଇ ଚାଲିଲୁ ଦୂର୍ଗାଭିମୁଖେ । ଅନେକ ଭଗ୍ନପ୍ରାସାଦ ନଜରରେ ପଡ଼ିଲା । ସେଗୁଡ଼ିକ ଏ ପର୍ଯ୍ୟନ୍ତ ସେହି ପ୍ରାଚୀନ ନଗରୀର ପ୍ରତୀକ ରୂପେ ବିରାଜିତ । ସେ ସବୁ ମଧ୍ୟରେ ବସବାସ ଗୃହ, ରାଜ ଦରବାର, ନହବତଖାନା, ତୋରଣ, ମସ୍‌ଜିଦ୍‌, ମନ୍ଦିର ସମସ୍ତ କିଛି ଦେଖୁ ଦେଖୁ ଆମେମାନେ ଆଗେଇ ଗଲୁ-। କିଏ ହେଲେ ରାଜି ହେଲେନି ସଙ୍ଗରେ ଗାଇଡ଼ ନେବାପାଇଁ ।

 

ଅଳ୍ପ ପଥ ଆଗେଇ ଯିବା ପରେ ଦୃଷ୍ଟିରେ ପଡ଼ିଲା ନୂତନ ଭାବେ ନିର୍ମିତ ହୋଇଥିବା ଭାରତ ମାତା ମନ୍ଦିର । ସେଇ ଅତୀତ ତଥା ଦେବଗିରି ଯୁଗରେ ଏଠାରେ ଗୋଟିଏ ଶିବ ମନ୍ଦିର ଥିଲା । ଦୌଲତାବାଦବେଳେ ସେଇ ମନ୍ଦିର ଭାଙ୍ଗି ନୂତନ କରି ସେଇ ପୁରୁଣା ମାଲ ମସଲା ସାହାଯ୍ୟରେ ଗଠିତ ହେଲା ମସଜିଦ୍‌; ଯାହାର ଅଳ୍ପ ବହୁତ ନିଦର୍ଶନ ଆଜିସୁଦ୍ଧା ନଜରରେ ପଡ଼ିଥାଏ । ହାଇଦରାବାଦ୍‍ ଭାରତ ଯୁକ୍ତରାଷ୍ଟ୍ରର ଅନ୍ତର୍ଭୁକ୍ତ ହେବା ପରେ ସ୍ଥାନୀୟ ଅଧିବାସିଗଣ ସେଇ ପରିତ୍ୟକ୍ତ ମନ୍ଦିର-ମସଜିଦ୍‌ଜାଗାରେ ନିର୍ମାଣ କରିଛନ୍ତି ଭାରତ ମାତା ମନ୍ଦିର । ରକ୍ଷାଣାବେକ୍ଷଣର ଅବହେଳା, କର୍ତ୍ତୃପକ୍ଷଙ୍କ ଅଯତ୍ନ ଯୋଗୁ ନାମର କୁହୁକ ଥିଲେ ମଧ୍ୟ ପରିଦର୍ଶନକାରୀଙ୍କ ପାଖରେ ସେପରି ଆକର୍ଷଣୀୟ ହୋଇ ପାରି ନାହିଁ । ଦେବଗିରି ସମୟ ମନ୍ଦିରର କେତକ ନିଦର୍ଶନ ଦେଖି ଫେରିଆସିଲୁ ।

 

ଭାରତ ମାତା ମନ୍ଦିର ଅତି ନିକଟରେ ଚାନ୍ଦ ମିନାର । ପ୍ରାୟ ୧୫ ଫୁଟ ସମଚତୁଃଷ୍କୋଣ ମୂଳ ଭିତ୍ତି ଉପରେ ପ୍ରାୟ ୨୦୦ ଫୁଟ ଉଚ୍ଚ ଏହି ମିନାରଟି ୧୪୩୮ରୁ ୫୧ ମଧ୍ୟରେ ଆଲ୍ଲଉଦ୍ଦୀନ ଆହମଦଶାହ ନିର୍ମାଣ କରାଇଥିଲେ । ସମ୍ଭବତଃ ଦୌଲତାବାଦର ଅଜେୟ ଦୁର୍ଗକୁ ଜୟ କରିବା ପରେ ତାଙ୍କର ମନରେ ଏଇ ଉକ୍ତିକୁ ସତ୍ୟ ବୋଲି ମାନି ନେବାକୁ ଚାହାନ୍ତିନାହିଁ । ସେମାନଙ୍କ ମତରେ ଦେବଗିରି ଦୁର୍ଗନିର୍ମାତା ଏହି ସ୍ତମ୍ଭଟି ଦୁର୍ଗ ରକ୍ଷା କର୍ମରେ ନିଯୁକ୍ତ ପ୍ରହରୀଙ୍କ ସକାଶେ ନିର୍ମାଣ କରାଇଥିଲେ । ସୁଉଚ୍ଚ ସ୍ଥାନରେ ଅବସ୍ଥିତ ପ୍ରହରୀ ବହୁଦୂରରୁ ଶତ୍ରୁ ଆଗମନ ପ୍ରତ୍ୟକ୍ଷ କରି ଦୁର୍ଗାଧୀଶଙ୍କୁ ଜ୍ଞାତ କରାଇ ପାରୁଥିଲା । ଆଲାଉଦ୍ଦୀନ ଅହମଦାଶାହାକର୍ତ୍ତୃକ ଦୁର୍ଗ ଦଖଲ ହେବା ପରେ ସେହି ସ୍ତମ୍ଭକୁ ସଂସ୍କାର କରିଥିଲେ ଏବଂ ନୂତନ କରି ନାମକରଣ କରିଥିଲେ ଚାନ୍ଦ ମିନାର ବୋଲି । କହିବା ବାହୁଲ୍ୟ ମୁସଲମାନ ସଂସ୍କାରକର ଏବଂ କାରିଗର ସ୍ୱାଭାବିକ ଭାବରେ କେତେକ ସ୍ଥାନରେ ଇସଲାମ ସଂସ୍କୃତିକୁ ସନ୍ନିବେଶିତ କରାଇଥିଲେ । ଦୂରରୁ ମିନାରଟି ଅତି ଚିତ୍ତାକର୍ଷକ ଏଥିରେ କୌଣସି ସନ୍ଦେହ ନାହିଁ । ମିନାର ଉପରେ ନୀଳ ଡୋରା କଟା ଗଠନ ଦେଖି ମନେ ହୋଇଥିଲା ଫରାସୀ ଷ୍ଟାଇଲ; କିନ୍ତୁ ନିକଟକୁ ଯିବା ପରେ ସେ ଭ୍ରମ ଦୂର ହେଲା । ଦେଖିପାରିଲୁ ସାଧାରଣ ଚୁନ ସଙ୍ଗରେ ଏକ ପ୍ରକାର ରଙ୍ଗ ମିଶାଇ ଏହି ରଙ୍ଗ ସୃଷ୍ଟି କରାଯାଇଛି ସଂପୂର୍ଣ୍ଣ ଭାରତୀୟ ରୀତିରେ । ଛଅଶହବର୍ଷ ଆଗର ପେଣ୍ଟ ହେଲେ ହେଁ ବର୍ତ୍ତମାନ ଯେଉଁ ଅଂଶରେ ଉକ୍ତ ରଙ୍ଗ ଦେଖାଯାଉ ଅଛି, ତାହାର କାମ ଏବଂ ପ୍ରକ୍ରିୟା ସତରେ ଅପୂର୍ବ । ମନେହୁଏ ଯେପରି ଏଇ ମାତ୍ର କାମ ଶେଷ କରି କାରିଗଣ ବିଶ୍ରାମ କରୁଛି ।

 

ସେଠାରୁ ଆଗେଇ ଚାଲିଲୁ କ୍ରମଶଃ ଉପରକୁ । ପ୍ରାୟ ସର୍ବମୋଟ ଛଅଶହଫୁଟ ଉପରକୁ ଉଠିବାକୁ ପଡ଼ିବ । ସହଯାତ୍ରୀଗଣଙ୍କ ମଧ୍ୟରୁ ଅନେକ ଏଠାରୁ ଯାତ୍ରା ଶେଷକରି ଫେରିଗଲେ । ଅନେକେ ଦୁର୍ଗ ଉପରକୁ ଉଠିବା ବାସନା ତ୍ୟାଗ କରି ଚାନ୍ଦ ମିନାର ଉପରକୁ ଉଠି ପ୍ରାକୃତିକ ଶୋଭା ଦେଖିବା ପସନ୍ଦ କଲେ ।

 

ଉଠାଣି ବଢ଼ିବାକୁ ଲାଗିଲା । ଯେଉଁ ସବୁ ସ୍ଥାନମାନ ସିଡ଼ି ମାଧ୍ୟମରେ ଉଠିବାକୁ ପଡ଼େ, ସେ ସ୍ଥାନଗୁଡ଼ିକ ସ୍ୱାଭାବିକ ପଥ ଅପେକ୍ଷା କ୍ଳାନ୍ତିକର ମନେହୁଏ । ଏହା ଭାବେ କେତେ ପଥ ଅତିକ୍ରମ କରିବା ପରେ ଆମେମାନେ ଆସି ଗୋଟିଏ କାଠ ପୋଲ ନିକଟରେ ପହଞ୍ଚିଲୁ । ସେଠାରେ ଜଣେ ଅପେକ୍ଷାମାଣ ବ୍ୟକ୍ତି ସ୍ୱତଃପ୍ରବୃତ୍ତ ହୋଇ ଆଗେଇ ଆସି ଭଙ୍ଗା ଇଂରେଜୀ ସହ ହିନ୍ଦି ମିଶାଇ କହିଲେ, ‘‘ତଳକୁ ଚାହିଁ ଦେଖନ୍ତୁ ଭିତରେ ପାଣି ନଜରରେ ପଡ଼ିବ । କେଉଁ ଏକ ଅତୀତ ଯୁଗେ ମୂଳ ଦୁର୍ଗର ଏହା ଥିଲା ପରିଖା । ସମସ୍ତ ଦୁର୍ଗକୁ ବେଷ୍ଟନ କରି ଏ ସୁଗଭୀର ପରିଖା ବିଦ୍ୟମାନ ଥିଲା । ଗଭୀର ଜଳ ମଧ୍ୟରେ କୁମ୍ଭୀର ପ୍ରଭୃତି ଜଳଚର ହିଂସ୍ର ପ୍ରାଣୀଙ୍କୁ ରଖାଯାଇଥିଲା । ଯେଉଁ କାଠର ପୋଲ ଉପରେ ଠିଆ ହୋଇଛନ୍ତିଏହା ହିଁ ଥିଲା ଦୁର୍ଗ ଭିତରକୁ ଯିବା ପାଇଁ ଏକମାତ୍ର ପଥ । ଏହି ସେତୁଟି ସେ ସମୟରେ ସମୟରେ ଯନ୍ତ୍ର ସାହାଯ୍ୟରେ ଅତି ସହଜେ ଉଠା ଉଠି କରାଯାଇ ପାରୁଥିଲା ।ହହିଃ ଶତ୍ରୁ ଦୁର୍ଗ ଆକ୍ରମଣ କରିବା ପାଇଁ ଚେଷ୍ଟିତ ହେବା ସଙ୍ଗେ ସଙ୍ଗେ ଏହିପୋଲ ପରିଖା ଉପରୁ ଉଠାଇ ନେଇ ଦୁର୍ଗର ଅନ୍ତଃପ୍ରାଚୀର ସଙ୍ଗେ ଏକାକାର କରି ଦିଆ ଯାଉଥିଲା । ଏହାର ଗଠନ ପ୍ରଣାଳୀ ଏପରି ନିଖୁଣ ଥିଲା ଯେ ଯୋଡ଼ା ଜାଗାରେ ସାମାନ୍ୟ ଦାଗ ପର୍ଯ୍ୟନ୍ତ ଦେଖା ଯାଉ ନଥିଲା । ହିଂସ୍ର ଜଳଜନ୍ତୁ କବଳରୁ କୌଣସି ରକମ ରକ୍ଷା ପାଇ ଆକ୍ରମଣକାରୀଦଳ ଭିତରେ ପ୍ରବେଶ କରିବା ସହଜ ନ ଥିଲା । ବହିଃଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହା ଥିଲା ପ୍ରାଥମିକ ପଦକ୍ଷେପ ।

 

ତାଙ୍କର କଥା ଶୁଣି ସମସ୍ତ ଦେଖିନେବା ପରେ ପରିଚୟ ପଚାରିଲୁ ଏବଂ ଜାଣିପାରିଲୁ ସେ ଜଣେ ସରକାର ଅନୁମୋଦିତ ଗାଇଡ଼ । ଏଥର ଆଉ ଗାଇଡ଼ ସଙ୍ଗରେ ନେବା ପାଇଁ ମତାନୈକ୍ୟ ଦେଖାଗଲାନି ।

 

ଏହି କାଠର ପୋଲ ପାର ହୋଇ ଆମେମାନେ ଯାଇ ଅତି ଗଭୀର ଅନ୍ଧକାର ପଥ ମଧ୍ୟରେ ପ୍ରବେଶ କଲୁ । ସ୍ଥାନୀୟ କଥାରେ ଏହାକୁ ଆନ୍ଧେରୀ ଫୋର୍ଟ କହିଥାନ୍ତି । ପାହାଡ଼ ମଧ୍ୟରେ ଭୂଗର୍ଭ ଦେଇ ପଥ । (Sub terranean Passage) ଅନ୍ଧକାର ଏପରି ନିବିଡ଼ ଯେ ଦିନଦିପ୍ରହର ହେଲେ ମଧ୍ୟ ବିନା ଆଲୋକରେ ଏକପାଦ ଅଗ୍ରସର ହେବା ସମ୍ଭବ ନୁହେଁ । ଦ୍ୱିତୀୟତଃ ଅଜଣା ଲୋକ ପକ୍ଷେ ଏପଥ ବିନା ଆଲୋକରେ ଏବଂ ପଥପ୍ରଦର୍ଶକ ବିନା ଏକପଦ ଅଗ୍ରସର ହେବା ଉଚିତ ମଧ୍ୟ ନୁହେଁ । ଗାଇଡ଼ ପକେଟରୁ ଟର୍ଚ୍ଚ ଏବଂ ମହମବତି ବାହାର କରି ପଥ ଆଲୋକିତ କଲେ ଏବଂ ଆମକୁ ପଥ ଦେଖାଇ ଆଗେଇବାକୁ ଲାଗିଲେ । କହିବା ବାହୁଲ୍ୟ ଦୁର୍ଗର ସୁରକ୍ଷା ଦିଗରେ ଏଇ ଅନ୍ଧକାର ପଥ ଦ୍ୱିତୀୟ ପଦକ୍ଷେପ ।

 

ଆଗେଇଯିବା ପରେ ଏକରକମ ଲୁହାକଣ୍ଟା ଦେଖାଇ ଗାଇଡ଼ କହିଲେ, ‘‘ଏହିପରି ବହୁ ଗୋଜିଆ କଣ୍ଟା ଉପରକୁ ମୁଖ କରି ଏକ ଅନ୍ଧକାର ପଥରେ ରଖି ଦିଆଯାଉଥିଲା । କଣ୍ଟା ମୁନ ସବୁ ବିଷାକ୍ତ । ଏହାର ଗଠନ ଏପରି ଯେ ଯେଉଁଭାବେ ତଳେ ନିକ୍ଷେପ କର ମୁହଁ ଉପରକୁ ହୋଇ ରହିବ । ସେ ସମୟରେ ସେନାଗଣଙ୍କ ମଧ୍ୟରେ ବୁଟ୍‍ ଜୋତା ବ୍ୟବହାହର ପ୍ରଚଳନ ନଥିଲା । ଆକ୍ରମଣକାରୀ ସେନାଗଣ ସଠିକ ପଥ ଅନୁସରଣ କରିବା ସମ୍ଭବପର ନୁହେଁ । ଫଳରେ ଅନେକ ସେନା ଏହି ବିଷାକ୍ତ କଣ୍ଟାର ଶିକାର ହୋଇ ପଡ଼ୁଥିଲେ । ଦୁର୍ଗର ନିରାପତ୍ତା ଦିଗରେ ଏହା ଥିଲା ଅନ୍ୟତମ ପରିକଳ୍ପନା ।’

 

ଏହାପରେ ସେ ଆମକୁ ନେଇ ଗୋଟିଏ ଦୋମୁଖା ପଥ ନିକଟରେ ଠିଆ କରାଇ କହିଲେ, ‘‘ଯଦିଚ ଏ ଦୁଇଟି ପଥ ଉପରେ ଯାଇ ଏକ ହୋଇଅଛି, ତେବେ ବି ବହିରାଗତ ଶତ୍ରୁସେନା ପକ୍ଷରେ ତାହା ବୁଝିବା ସହଜ ହେବ ନାହିଁ । ସେମାନେ ଅବଶ୍ୟ ଦୁଇଟି ପଥ ଦେଖି ଅଟକିଯିବେ ଏବଂ କେଉଁପଥରେ ଯିବେ ସେଇ ଚିନ୍ତା କରିବା ମୁହୂର୍ତ୍ତରେ ଦୁର୍ଗରକ୍ଷିଗଣ ଅନ୍ଧକାର ଗହ୍ୱର ଭିତରୁ ହଠାତ୍‌ଆକ୍ରମଣ କରି ସହଜେ ଶତ୍ରୁ ସେନାକୁ କାବୁ କରିପାରିବେ । ଦୁର୍ଗକୁ ଅଜେୟ କରିବା ସକାଶେ ଏ ପରିକଳ୍ପନା ଥିଲା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ।’’

 

ତାପରେ ଏହି ଅଜେୟ ଦୁର୍ଗ ସୁରକ୍ଷା ଦିଗରେ ଆଉ କି କି ପରିକଳ୍ପନା ଥିଲା ତାହା ବିସ୍ତାରିତ ଭାବେ ଗାଇଡ଼ କହିବାକୁ ଲାଗିଲେ । ଏଇ ଦୁଇପଥ ଦେଇ ଉପରକୁ ଉଠିବାବେଳେ ଆଉ ଗୋଟିଏ ଦୋମୁ‌ଖୀ ପଥ ଦେଖିବାକୁ ମିଳିବ । ଦୁଇଟି ପଥରୁ ଗୋଟିଏ ପଥରେ ଅନ୍ଧକାର ଭେଦ କରି ତୀବ୍ର ଆଲୋକ ପ୍ରବେଶ କରୁଛି ଦେଖିପାରିବ । ଦୀର୍ଘ ଅନ୍ଧକାର ପଥ ଅତିକ୍ରମ କରି ସେନାମାନେ ହଠାତ୍‌ତୀବ୍ର ଆଲୋକ ପାଇବା ମାତ୍ରେ ଆଖି ଝଲସି ପଡ଼ିବ ଏବଂ ସେନାଗଣ ହତଚକିତ ହୋଇ ପଡ଼ିବେ । ଦୁଇ ପଥରୁ ଗୋଟିକକୁ ବାଛି ନେବାପାଇଁ ମଧ୍ୟ କିଛି ନା କିଛି ସମୟ ଲାଗିବ । ଯୁଦ୍ଧବେଳେ ଏଇ ସାମାନ୍ୟ ଅବସର, ପ୍ରତିରକ୍ଷାକାରୀଙ୍କ ପକ୍ଷରେ ଅତୀବ ମୂଲ୍ୟବାନ । ଦୁର୍ଗରକ୍ଷୀବାହିନୀ ସେଇ ସୁଯୋଗ ସଦ୍‌ବ୍ୟବହାର କରିବାରେ ତିଳେ ହେଲେ ହେଳା କରୁନଥିଲେ । ଉପରୁ ସମଭାବରେ ଗରମ ତେଲ ଢାଳି ଆକ୍ରମଣକାରୀଙ୍କୁ ବ୍ୟତିବ୍ୟସ୍ତ କରିଦେଉଥିଲେ । (ସେ ସମୟରେ ଦୁର୍ଗ ଉପରେ ଏଇ ଉଦ୍ଦେଶ୍ୟରେ ଗରମ ତେଲ ରଖିବାର ବ୍ୟବସ୍ଥା ଥିଲା) ଗରମ ତେଲ ସ୍ରୋତରୁ ରକ୍ଷା ପାଇବା ପାଇଁ ଯେଉଁମାନେ ଅନ୍ଧକାରମୟ ଅନ୍ୟପଥ ଦେଇ ଆଗେଇ ଯାଉଥିଲେ, ସେମାନଙ୍କ ପାଇଁ ଅପେକ୍ଷା କରୁଥିଲା ବିଭୀଷିକାମୟ ଏକ ଭୟଙ୍କର ଗଭୀର ଖାତ । ପ୍ରଥମେ ଏହାକୁ ପଥ ବୋଲି ଭ୍ରମ ହେଲେହେଁ ପ୍ରକୃତରେ ସେଇ ମରଣ କୂପକୁ ଯିବପାଇଁ ଏହା ଏକ ବିଚିତ୍ର ସୁଡ଼ଙ୍ଗ ।

 

ଏହାପରେ ଯେଉଁ ଦୁଃସାହାସୀ ଯୋଦ୍ଧାଗଣ ଆଗେଇଯିବେ, ସେମାନେ ଯାଇ ପୁଣି ଏକ ଦୋମୁହାଁ ରାସ୍ତା ପାଖରେ ଅଟକି ଯିବାକୁ ବାଧ୍ୟ ହେବେ । ଦେଖିବାକୁ ପାଇବେ ଏକ ପଥ ମଧ୍ୟଦେଇ ଭୀଷଣ ଗରମ ପବନ ବହିଆସୁଛି, ଏପରି ଗରମ ଯେ ମନେହେବ ଯେପରି ଚମଡ଼ାଜଳିଯିବ । ଅନ୍ୟଟିରୁ ଅତି ସୁଶୀତଳ ହାଉଆ ମନକୁ ଶୀତଳ କରିଦେବ । ଏଇ ସୁଶୀତଳ ପବନ ପଥ ଧରି ଯେଉଁମାନେ ଆଗେଇ ଯାଉଥିଲେ, ସେମାନଙ୍କ ଆଗରେ ସୁଗଭୀର ପରୀଖା । ଯେଉଁଠି ଅପେକ୍ଷା କରି ରହୁଥିଲେ କ୍ଷୁଧାର୍ତ୍ତ ହିଂସ୍ର ଜଳଚର ପ୍ରାଣୀ । କହିବା ବାହୁଲ୍ୟ, ଏଇ କୁଟିଳ ପଥ ମଧ୍ୟରେ ଅନେକ ଗୁପ୍ତ କୋଠରୀମାନ ଥିଲା । ସେଠାରେ ବିଶ୍ୱସ୍ତ ଦୁର୍ଗରକ୍ଷୀଗଣ ଅତି ଗୋପନରେ ଶତ୍ରୁସେନାଙ୍କ ଗତିବିଧି ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖୁଥିଲେ ଏବଂ ସୁଯୋଗ ବୁଝି ଆକ୍ରମଣ କରି ବିପକ୍ଷସେନାଙ୍କୁ କାବୁ କରି ଦେଉଥିଲେ । ଦୁର୍ଗରକ୍ଷା ପ୍ରଣାଳୀ ଏପରି ସୁଚାରୁରୂପେ ପରିଚାଳିତ ହୋଉଥିଲା ଯେ ସାଧାରଣ ପକ୍ଷେ ତା’ର ସାମାନ୍ୟ ଆଭାସ ପାଇବା ସମ୍ଭବ ନଥିଲା ।’’

 

ପଥ ଅତିକ୍ରମ କରି ଉନ୍ମୁକ୍ତ ଦୁର୍ଗ ଶିଖରେ ଉପନୀତ ହେଲୁ । ଭଗ୍ନ ପ୍ରାସାଦ, ରାଜମହଲ, ଦରବାର, ରାଜସଭା, କର୍ମଚାରୀ କର୍ମକ୍ଷେତ୍ର, କ୍ରୀଡ଼ା ଅଙ୍ଗନ ପ୍ରଭୃତି ନଜରରେ ପଡ଼ିଲା-। ଶୁଣିଲୁ ଏଇ ଦିଗରୁ ତିନି ମହଲାରେ ଗୋଲକୁଣ୍ଡାର ଶେଷ ନବାବ ଆବୁଲ ହୁସେନ ତାନା ଶାହ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆମେମାନେ ଆଉ ପୂର୍ବ ପଥରେ ଫେରିଲୁ ନାହିଁ-। ସିଧାସଳଖ ଏକ ସୋପାନ । ପଥ ଧରି ଅତି ଅଳ୍ପ ସମୟ ଭିତରେ ବସ୍‍ଷ୍ଟାଣ୍ଡକୁ ଫେରି ପଥ ପ୍ରଦର୍ଶକଙ୍କୁ ପାରିଶ୍ରମିକ ଦେଇ ବିଦାୟ ଦେଲୁ ଏବଂ ଆଉରଙ୍ଗାବାଦ ଅଭିମୁଖେ ବସ୍‍ ଯୋଗେ ଗଲୁ-

 

ମନମଦ ମେନ୍‌ଲାଇନ ଜଙ୍କସନ ଷ୍ଟେସନରୁ ଗୋଟିଏ ବ୍ରାଞ୍ଚ୍‍ ମିଟରଗେଜ ଲାଇନ ଆଉରଙ୍ଗାବାଦ ଦେଇ ଦୂରକୁ ଚାଲିଯାଇଛି । ମନମଦରୁ ଆଓରଙ୍ଗାବାଦର ଦୂରତ୍ୱ ମାତ୍ର ୧୧୫ କିଲୋମିଟର । ବୋମ୍ୱେଠାରୁ ପ୍ରତ୍ୟେହ ଆକାଶ ପଥରେ ଯୋଗାଯୋଗର ବ୍ୟବସ୍ଥା ମଧ୍ୟ ରହିଅଛି-

 

ଆଓରଙ୍ଗାବାଦ ଗୋଟିଏ ଡିଭିଜନ ହେଡ଼୍‍କ୍ୱାଟର ହେଲେହେଁ ମୁଖ୍ୟ ରାସ୍ତା ବ୍ୟତୀତ ଅନ୍ୟ ରାସ୍ତାଘାଟ ସେପରି ପରିଷ୍କାର, ପରିଚ୍ଛନ୍ନ ତଥା ପ୍ରଶସ୍ତ ନୁହେଁ । ଆମର ରିଜର୍ଭ ବସ୍‍ ବିବିକା-ମକବାରା ନିକଟରେ ପହଞ୍ଚିବାକୁ ବେଶି ସମୟ ନେଲାନି ।

 

ବିବିକା ମକବାରା ଅର୍ଥାତ୍‍ ଆଓରଙ୍ଗଜେବଙ୍କ ପତ୍ନୀ ରୁବିୟା ବିବିଙ୍କ ସମାଧି । ଦୂରରୁ ତାଜମହଲ ବୋଲି ଭ୍ରମ ଜାତ ହୋଇଥାଏ । ପୂରାପୂରି ତାଜମହଲ ନକ୍‌ସାରେ ନିର୍ମିତ ହେଲେ ମଧ୍ୟ ତାଜର ମାଲ୍‍ମସଲା ଓ ଶିଳ୍ପଚାତୁରୀର ଏକଶତାଂଶ ଏଥିରେ ବ୍ୟବହୃତ ହୋଇନି । ସ୍ଥାନୀୟ କିଂବଦନ୍ତୀରୁ ଜଣାଯାଏ ସ୍ୱୟଂ ସମ୍ରାଟଆଲମଗିର୍‍ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଜମହଲ ସଦୃଶ ଏକ ସ୍ମୃତି ସୌଧ ନିର୍ମାଣ କରିବା ପାଇଁ ହୁକୁମ ଦେଇଥିଲେ; କିନ୍ତୁ ଦେଇନଥିଲେ ଉପଯୁକ୍ତ ପରିମାଣ ଅର୍ଥ ବ୍ୟୟ କରିବାର ସ୍ୱାଧୀନତା । ହୁଏତ ସମ୍ଭବ ନଥିଲା । ଫଳରେ ଦ୍ୱିତୀୟ ତାଜ୍‍ ନହୋଇ ହୋଇ ଉଠିଲା ବିବି-କା-ମକବରା । ତାହା ମଧ୍ୟ ସମ୍ରାଟଙ୍କ ଜୀବିତାବସ୍ଥାରେ ସମ୍ଭବ ହୋଇପାରି ନଥିଲା । ଆଓରଙ୍ଗଜେବଙ୍କ ପୁତ୍ର ଆଜମଶାହା ପିତାଙ୍କ ମୃତ୍ୟୁ ପରେ ୧୬୬୦ ଖ୍ରୀଷ୍ଟାବ୍ଦରେ ତାହା ଶେଷ କରିଥିଲେ । ବିବି-କା-ମକ୍‌ବରା ଦେଖା ଶେଷକରି ବାହାର ତରୁଚ୍ଛାୟା ତଳେ ବସିଗଲୁ । ଗରମ ଗରମ ଫୁଲକୋବିର ଚପ୍‌ଏବଂ ବାଇଗଣି ପ୍ଲେଟ୍‍ ଜଳଖିଆ ଦେଇଗଲେ-। ସେ ସବୁ ଶେଷ ନ ହେଉଣୁ ଗରମ ଗରମ ଚାଆ ଆସିଗଲା ଯଥାଶୀଘ୍ର ତାହାର ସଦ୍‌ବ୍ୟବହାର କରି ବାହାରି ପଡ଼ିଲୁ ଅନ୍ୟ ଦ୍ରଷ୍ଟବ୍ୟ ସ୍ଥାନମାନ ଦେଖିବା ପାଇଁ ।

 

ଆଓରଙ୍ଗାବାଦରେ ବିଶେଷ ଦ୍ରଷ୍ଟବ୍ୟ ମଧ୍ୟରେ ପାନଚକି ଏବଂ ସୋନାହାରି ମହଲ । ପାନଚକି ବା ପାଣିଚକିର ବିଜ୍ଞାପନ ପ୍ରଚାର ବ୍ୟତୀତ ବ୍ୟବହାରିକ ବୈଶିଷ୍ଟ୍ୟ ସେପରି ବିଶେଷ କିଛି ନାହିଁ । ପାଣିଦ୍ୱାରା ଚାଳିତ ଚକି ବା ଅଟାକଳ ବଦ୍ରୀ କେଦାର ରାସ୍ତାରେ ଅନେକ ଦେଖିବାକୁ ମିଳିଥାଏ । ରିଜର୍ଭ କରା କେଉଁ ଜଳ ଭଣ୍ଡାରରୁ ପାଣି କୃତ୍ରିମ ଉପାୟରେ ନଳଦ୍ୱାରା ପ୍ରବାହିତ କରାଇ ସେଇ ପାଣିଦ୍ୱାରା ଗୋଟିଏ ପଙ୍ଖା ଚାଳିତ କରାଯାଇଥାଏ ଏବଂ ଉକ୍ତ ପଙ୍ଖା ଚକିକୁ ଘୂରାଏ-

 

ମାଲିକ ଅମ୍ୱର ତାଙ୍କର ସମୟରେ ଏହି ସୁନହରୀ ମହଲ ବା ଗୋଲ୍‌ଡେନ ପାଲେସ (Golden Palace) ତୟାରି କରାଇଥିଲେ । ନାମ ସୁନାର ହର୍ମ୍ୟ ହେଲେ କ’ଣ ହେବ ସୁନାର ନାମଗନ୍ଧ ବା ସେପରି ଆକର୍ଷଣୀୟ କିଛି ଆଖିରେ ପଡ଼ିଲା ନାହିଁ । ଅଯଥା ସମୟ ନଷ୍ଟ ନ କରି ବସ୍‌କୁ ଫେରି ଆସିଲୁ ଓ ଜଳଶାଗାଁଓ ଅଭିମୁଖେ ଯାତ୍ରା କରିବାକୁ ଲାଗିଲୁ ।

 

ତେବେ ଏହାକୁ ସଂପୂର୍ଣ୍ଣ ଦେଖା କୁହାଯାଇ ପାରେନା, ଯେହେତୁ ଅଦେଖା ରହିଗଲା ଏହାର ଗୁହାଗୁଡ଼ିକ । ଏହାକୁ ଆଓରଙ୍ଗାବାଦର ମୁଖ୍ୟ ଐତିହାସିକ ନିଦର୍ଶନ ବୋଲି କୁହାଯାଇଥାଏ-। ବିବି-କା-ମକ୍‌ବରାଠାରୁ ପଶ୍ଚିମରେ ଦୁଇମାଇଲ ଯାତ୍ରାକଲେ ଏହି ଗୁହାଗୁଡ଼ିକର ଦେଖା ମିଳିଥାଏ । ବୌଦ୍ଧ ଶ୍ରମଣଗଣ ଖୁବ୍‌ସମ୍ଭବ ତୃତୀୟ ଶତକରେ ଏହି ଗୁହାଗୁଡ଼ିକ ନିର୍ମାଣ କରାଇଥିଲେ । ସ୍ଥାନୀୟ ଲୋକ ମୁଖରୁ ଶୁଣିପାରିଲୁ ତୃତୀୟ ଗୁହାସ୍ଥିତ ବୌଦ୍ଧମୂର୍ତ୍ତି ହେଉଛି ଶିଳ୍ପୀଙ୍କ ଅନବଦ୍ୟ ସୃଷ୍ଟି । ଅବଶୋଷ ରହିଗଲେ ବି କରିବାର କିଛି ନାହିଁ । ପରିଶ୍ରାନ୍ତ ସହଯାତ୍ରୀଗଣ ଆଉ ପାଦେ ବେଶି ଯିବାକୁ ରାଜି ନୁହନ୍ତି । ଏଠାରେ ବିଖ୍ୟାତ ପଣ୍ୟଦ୍ରବ୍ୟ ହେଲା-ସୂତା, ଶାଲ୍‍, ବିଛଣା ଚାଦର, ବିଭିନ୍ନ ନକ୍‍ସାର ଲୁଗାପଟା, ବିଦ୍ରୀ ଓ ନିର୍ମଳର ସୌଖିନୀ ଦ୍ରବ୍ୟସମୂହ । ବିଦ୍ରୀ ହେଲା ବିଦର ନାମକ ସ୍ଥାନୀୟ ଏକରକମ ମାଟି, ଧାତୁର ପାତ ଉପରେ ପ୍ରଲେପ ଦେଇ ନାନା ରକମ ସୌଖିନି ଜିନିଷ ଗଢ଼ିବା ଯଥା, ହାତର ବଳା, ଟ୍ରେ, ସିଗାରେଟ୍‌କେସ୍‌, ଫୁଲଦାନି ପ୍ରଭୃତି ଏବଂ ନିର୍ମଳ ହେଲା ସ୍ଥାନୀୟ ଏକରକମ ହାଲୁକା କାଠରେ ତୟାର ନାନା ରକମ ଖେଳନା ।

 

୩ / ୧ / ୭୯ ସକାଳୁ ନିଜନିଜର ନିତ୍ୟକର୍ମ ଶେଷକରି ଜଲସାଗାଓଁ ଷ୍ଟେସନରେ ଅପେକ୍ଷା କରି ବସିରହିଲୁ । ଜଲ୍‌ସାଗାଓଁ ରୁ ଅଜନ୍ତା ମାତ୍ର ୫୮ କି:ମି ପଥ । ଆଓରଙ୍ଗାବାଦରୁ ସିଧା ଅଜନ୍ତା ଯିବା ସୁବିଧାଜନକ । ୧୦୪କି:ମି ପଥ ଅତିକ୍ରମ କରିବା ପାଇଁ ଯୋଗାଯୋଗ ବ୍ୟବସ୍ଥା ଅତି ଉତ୍ତମ । ସେ ସକାଶେ ଅନେକ ଯାତ୍ରୀ ଆଓରଙ୍ଗାବାଦରୁ ଅଜନ୍ତା ଦେଖି ଭୁଷାବଳ ଜଂକସନ ଷ୍ଟେସନକୁ ଫେରି ମୂଖ୍ୟ ରେଲ ଲାଇନ ଧରିଥାଆନ୍ତି । ଆମ ପାଇଁ ସେ ବ୍ୟବସ୍ଥା ନାହିଁ । ଆମେ ଜଲସାଗାଓଁ ରୁ ଅଜନ୍ତା ଦେଖି ଭୁଷାବଳକୁ ଫେରିବୁ । ରିଜର୍ଭ ବସ୍‍ରେ ସେ ରକମ ବ୍ୟବସ୍ଥା ଗୌତମବାବୁ କରିଛନ୍ତି । ଭୁଷାବଳରୁ ବୋମ୍ୱେଇ ହାଉଡ଼ା ଏକ୍‌ସପ୍ରେସରେ ଆମେ—‘‘ସ୍ୱସ୍ଥାନେ ଗଚ୍ଛଃ’’ । ଅଜନ୍ତା ଦେଖା ଏ ଯାତ୍ରାର ଶେଷ ପ୍ରୋଗ୍ରାମ୍‍ ଧରି ନିଆଯାଇପାରେ ।

 

ଯଥା ସମୟରେ ଗାଡ଼ି ଆସି ଜଲସାଗାଁଓ ରେ ପହଞ୍ଚିଲା । ପୂର୍ବ ନିର୍ଦ୍ଦେଶ ମୁତାବକ ଆମେମାନେ ଅଯଥା କାଳକ୍ଷୟ ନ କରି ଅପେକ୍ଷମାଣ ବସ୍‍ରେ ବସିଗଲୁ ଏବଂ ସଙ୍ଗେ ସଙ୍ଗେ ଯାନ୍ତ୍ରିକ ଯାନ ସଗର୍ଜନେ ଅଜନ୍ତା ଅଭିମୁଖେ ଛୁଟିବାକୁ ଲାଗିଲା । ଆଉ ମନ ଚାଲିଗଲା ଅଜନ୍ତାର ପୁରତନ କାହାଣୀ ମଧ୍ୟକୁ । କହିବା ବାହୁଲ୍ୟ, ବୋମ୍ୱାଇ ନାଗପୁର ରେଳପଥ ମଧ୍ୟରେ ଜଳସାଗାଁଓ ରୁ ଅଜନ୍ତା ପଥର ଦୂରତ୍ୱ ଅନେକ କମ୍‍ । ସେ ସକାଶେ କେବଳ ଅଜନ୍ତା ଦର୍ଶନେଚ୍ଛୁ ଯାତ୍ରୀଗଣ ଏଠାରୁ ଅଜନ୍ତା ଦେଖିବା ଚେଷ୍ଟା କରି ଥାଆନ୍ତି । ଫଳରେ ଯାତ୍ରୀ ପରିବହନ କରିବା ପାଇଁ ଏଠାରୁ ଦୈନିକ ବସ୍‍ ସର୍ଭିସ୍‍ ସହ ବହୁ ଟ୍ୟାକ୍‌ସି ଅଜନ୍ତା ଯିବା ଆସିବା କରିଥାଏ ।

 

ଅଜନ୍ତା ବା ଏଲୋରା ଦେଖିଲେ ମନରେ ସ୍ୱାଭାବିକ ପ୍ରଶ୍ନ ଉଠେ ଶିଳ୍ପକଳାରେ ଉତ୍କର୍ଷତା ଲାଭ ପାଇଁ କେତେ ସମୟ ଦରକାର ଏବଂ ଇତି ହେବାକୁ ବା କେତେବର୍ଷ ଆବଶ୍ୟକ ? ଶିଳ୍ପ, କଳା ସଂସ୍କୃତି ଯେପରି ହଠାତ୍‌ଗଢ଼ି ଉଠେନା । ପଦେ ପଦେ ଉନ୍ନତରୁ ଉନ୍ନତର ସ୍ତରରେ ପହଞ୍ଚିଥାଏ ଏବଂ ସେପରି ଧୀରେ ଧୀରେ ମଧ୍ୟ ଲୋପ ପାଇଥାଏ । ଭାରତର ଶିଳ୍ପକଳା କେଉଁ ଯୁଗରେ ପ୍ରଥମେ ବିକାଶ ପାଏ ଏବଂ କିପରି ତାହା ପଦେ ପଦେ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଛି ? ଦେଖାଯାଉଛି ଖ୍ରୀଷ୍ଟପୂର୍ବ ତିନିଶତକର ଚିତ୍ରାବଳି ଖ୍ରୀଷ୍ଟୀୟ ସପ୍ତମ ଶତକରେ ମଧ୍ୟ ସମାନତା ରଖିପାରିଛି । ଐଶ୍ୱରିକ ପ୍ରେରଣା ଓ ସାଧନା ବ୍ୟତୀତ ଏହା ସମ୍ଭବ ହୋଇପାରେ ବୋଲି ବିଶ୍ୱାସ ହୁଏନା ।

 

ସ୍ଥାନକାଳ ପାତ୍ରକୁ ବିବେଚନା କରି ଦେଖିଲେ ମନରେ ସର୍ବ ପ୍ରଥମେ ପ୍ରଶ୍ନ ଉଠେ—ଏଇ ଅପନ୍ତରା ପାହାଡ଼ରେ ଶିଳ୍ପୀ କି ପ୍ରେରଣା ନେଇ ଆଗେଇ ଆସିଛି ତା’ର ଅନ୍ତରର ସମସ୍ତ ସୌନ୍ଦର୍ଯ୍ୟବୋଧକୁ ଏକତ୍ରିତ କରି ପ୍ରକାଶକରିବା ପାଇଁ । ନିହଣ, ହାତୁଡ଼ି, ତୂଳୀ ଓ ରଙ୍ଗ ସାହାଯ୍ୟରେ ଏହା ଶେଷ କରିବାକୁ କେତେକାଳ ଲାଗିଥିଲା ? ଯେଉଁମାନଙ୍କ ପାଇଁ ଏସବୁ ଚିତ୍ରକଳା ଓ ଭାସ୍କର୍ଯ୍ୟର ପରିପ୍ରକାଶ ସେଇ ଅସୁମାର ଜନସାଧାରଣ ବା କେତେଦୂର କାଳରସିକ ଥିଲେ ? ଏ ମହାନ ଶିଳ୍ପକଳା ବା ଲୋପ ପାଇଲା କିପରି ଓ କାହିଁକି ? ଏ ପ୍ରଶ୍ନ କେବଳ ମୋର ନୁହେଁ, ସହଯାତ୍ରୀ ଏବଂ ଦର୍ଶକଗଣଙ୍କ ସେଇ ଏକମାତ୍ର ଜିଜ୍ଞାସା ।

 

କେତେକ ମନୁଷ୍ୟ ଅଛନ୍ତି ପୃଥିବୀର କୌଣସି ଭଲ ଜିନିଷ ତାଙ୍କ ନଜରରେ ପଡ଼େନା । ପ୍ରତିଟି ଭଲକର୍ମ ଭିତରୁ ଭେଲ ବାହାର କରିବା ସେମାନଙ୍କର ସହଜାତ ପ୍ରବୃତ୍ତି । ସେପରି ଏକ ଅଜନ୍ତା ପରିଦର୍ଶନକାରୀ ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇଥିଲି, ସେ ଯୁଗର ରାଜା ମହାରାଜାଗଣ ସେମାନଙ୍କ ଅଗଣିତ କ୍ରୀତଦାସଙ୍କୁ ଲଗାଇ ଏଇସବୁ ପଥରକଟା କାମମାନ କରାଇନେଇଥିଲେ । ଯେଉଁମାନେ ଏଇ ମତର ସମର୍ଥକ, କେବଳ ସେମାନଙ୍କୁ ସବିନୟେ ନିବେଦନ କରିପାରେ–‘‘ଚାବୁକମାରି ପଥର ବୁହାଯାଇପାରେ, ମାଟି ଖୋଳାଯାଇପାରେ ବା କାଠ ପଥର କଟାଯାଇପାରେ; କିନ୍ତୁ ଅଜନ୍ତା ବା ଏଲୋରା ଭଳି ଶିଳ୍ପକଳା ସୃଷ୍ଟି କରାଯାଇପାରେନା-। ଯେପରିପଥର କାଟିଲେଭାସ୍କର୍ଯ୍ୟ ହୋଇ ଉଠେନା ସେପରି ତୁଳୀରେ ରେଖାଟାଣିଲେ ଚିତ୍ର ହୋଇପାରେନା । ସେଥିପାଇଁ ସ୍ୱାଧୀନ ଶିଳ୍ପୀ ମନର ଆବଶ୍ୟକ । ଅନ୍ତରର ସ୍ଫୁରଣ ନ ହେଲେ ଶିଳ୍ପୀ ମନ ଆଗରେ ତା’ର ପରିକଳ୍ପିତ ଚିତ୍ର ସମୂହ ଭାସିଉଠି ପାରେନା । କି ସେ ତା’ର ସମସ୍ତ ମନପ୍ରାଣ ସେଇ ଅମର ସୃଷ୍ଟିରେ ଢାଳିଦେଇ ପାରେନା । ଏହାର ଅଭାବରେ କଳା ରସୋତ୍ତୀର୍ଣ୍ଣ ହୋଇ ପାରେନା ।

 

ସମୁଦ୍ର ମନ୍ଥନରୁ ଜାତହେଲା ଅମୃତ, କୂଟକରି କୁମ୍ଭସ୍ଥିତ ଅମୃତକୁ ସୁର (ଦେବ) ଗଣ ନେଇଗଲେ ସ୍ୱର୍ଗକୁ; ଅ-ସୁରଗଣ ବଞ୍ଚିତ ହେଲେ ଅମୃତପାନରୁ । ଦେବଗଣ ଅମୃତ କୁମ୍ଭ ନେଇଯିବା ସମୟରେ ଅମୃତ ଛିଟିକି କେତେକ ସ୍ଥାନରେ ପତିତ ହୁଏ । ସେ ସ୍ଥାନ ହେଲା ହରିଦ୍ୱାର, ଏହ୍ଲାବାଦରେ ଗଙ୍ଗା ଯମୁନା ସରସ୍ୱତୀର ସଙ୍ଗମସ୍ଥଳ ପ୍ରୟାଗ, ଗୋଦାବରୀ ତୀରସ୍ଥ ନାସିକ, ଏବଂ ଶିପ୍ରାନଦୀ କୂଳସ୍ଥ ଉଜ୍ଜୟିନୀ । ନାସିକ ଦାକ୍ଷିଣାତ୍ୟରେ ପଞ୍ଚବଟୀ ମଧ୍ୟରେ ଅବସ୍ଥିତ ଏକ ବିଖ୍ୟାତ ତୀର୍ଥକ୍ଷେତ୍ର । ଜନପ୍ରବାଦ କହେ ଏହି ସ୍ଥାନରେ ଲକ୍ଷ୍ମଣ ସୂର୍ପଣଖାଙ୍କ ନାସା, କର୍ଣ୍ଣ ଛେଦନ କରିଥିଲେ, ସେଥିପାଇଁ ସ୍ଥାନର ନାମ ନାସିକ । ଦାକ୍ଷିଣାତ୍ୟର ପ୍ରଧାନ କେନ୍ଦ୍ରସ୍ଥଳ ନାସିକ–ଉତ୍ତର ଭାରତ ସହ ଏହି ପଥଦେଇ ଯୋଗାଯୋଗ ସାଧିତ ହେଉଥିଲା । ଅନ୍ୟଦିଗେ ଏଲୋରାର ପାଦ ଦେଶରେ ଇଳା ନାମରେ ଏକ ସମୃଦ୍ଧିଶାଳୀ ନଗରୀ ତଥା ବାଣିଜ୍ୟ କେନ୍ଦ୍ର ବିଦ୍ୟମାନ ଥିଲା । ଏ ଉକ୍ତିର ସତ୍ୟତା ଆଜି ଭୁତାତ୍ତ୍ୱିକମାନେ ସ୍ୱୀକାର କରିଛନ୍ତି ଏବଂ ପ୍ରାକ୍ତନ ନଗରୀର ଅସ୍ତିତ୍ୱ ଆବିଷ୍କାର ମଧ୍ୟ କରିଛନ୍ତି । ଐତିହାସିକ ଏବଂ ଭୌଗୋଳିକ ତଥ୍ୟରୁ ଜଣାଯାଏ ଅତୀତରେ ସେଇ ସୁବର୍ଣ୍ଣଯୁଗରେ ନାସିକକୁ କେନ୍ଦ୍ରକରି ପ୍ରାୟ ଦୁଇଶହ ମାଇଲ ପରିଧିସ୍ଥ ଅଞ୍ଚଳ ସଭ୍ୟତା ଏବଂ ସଂସ୍କୃତିର ତୁଙ୍ଗସ୍ଥାନ ଅଧିକାର କରିପାରିଥିଲା । ଦେଶ ବିଦେଶର ବହୁ ପର୍ଯ୍ୟଟକ ଏହି ପଥ ମଧ୍ୟଦେଇ ନାନା ତୀର୍ଥ ଓ ଦର୍ଶନୀୟ ସ୍ଥାନମାନଙ୍କୁ ଯାତାୟାତ କରୁଥିଲେ-। ଏହିସବୁ କାରଣରୁ ଶିଳ୍ପୀ, କଳାକାର ତଥା କଳାପ୍ରେମୀ ରାଜାଗଣଙ୍କ ପୃଷ୍ଠପୋଷକତା ଲାଭକରି ଏପରି ନୈସର୍ଗିକ କଳାକୌଶଳର ଅନୁପମ କଳା-ତୀର୍ଥ ଏଠାରେ ଗଢ଼ି ଉଠିଥିଲା । ଏହା ହିଁ ଥିଲା ମନ୍ଦିର ସଭ୍ୟତାର ମୂଳଭିତ୍ତି ।

 

ସେତେବେଳେ ଗୁହା ମନ୍ଦିର ନିର୍ମାଣ କରିବାରେ ସ୍ଥାନ ନିରୂପଣ ଥିଲା ମୂଖ୍ୟ ଲକ୍ଷ୍ୟ । ମନ୍ଦିର ଯେ କୌଣସି ସ୍ଥାନରେ ନିର୍ମାଣ କରାଯାଇପାରେ; କିନ୍ତୁ ଗୁହା ବା ଗୁହା ମନ୍ଦିର ସକାଶେ ସେ ନୀତି ପ୍ରଯୁଜ୍ୟ ହୋଇପାରେ ନାହିଁ । ସେଥିପାଇଁ ବିଶେଷ ପ୍ରାକୃତିକ ପରିବେଶ ଏବଂ ପାହାଡ଼ ବା ପଥର ଉପରୁ ଜଳଧାରା ଭିତରେ ପ୍ରବେଶ କରି ଗୁହା ମଧ୍ୟସ୍ଥ ଶିଳ୍ପ ଭାସ୍କର୍ଯ୍ୟ ନଷ୍ଟ କରି ନ ଦେବା ପ୍ରତି ଧ୍ୟାନ ଦିଆଯାଏ । ଗୁହାବାସୀଙ୍କ ପାଇଁ ଅପରିହାର୍ଯ୍ୟ ଜଳ ବ୍ୟବସ୍ଥା ଏବଂ ଗୁହା ବା ତତ୍‌ମଧ୍ୟସ୍ଥ ମନ୍ଦିର ସକାଶେ ଆବଶ୍ୟକ ଶକ୍ତ ଅଥଚ ମସୃଣ ବିରାଟ ପଥର ଆବଶ୍ୟକ । ଖାଦ୍ୟପେୟ ସହଜ ଲଭ୍ୟ ଏବଂ ଜଳବାୟୁ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ । ଏସବୁ ସୁବିଧା ଅଛି ବୋଲି ପଶ୍ଚିମ ଘାଟ ପାହାଡ଼ ଶ୍ରେଣୀକୁ ଏଥିପାଇଁ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ନିର୍ବାଚନ ଯେ କେତେ ନିର୍ଭୁଲ ଥିଲା ଅଜନ୍ତା, ଏଲୋରାର ଶିଳ୍ପ ତା’ର ପ୍ରଧାନ ନିଦର୍ଶନ ।

 

ଭାରତବର୍ଷରେ ପ୍ରାଚୀର ଚିତ୍ରର ପ୍ରଚଳନ କେବଠାରୁ ଆରମ୍ଭ ହୋଇଛି, ସେ କାଳ ନିର୍ଣ୍ଣୟ କରିବା ସହଜ ସାଧ୍ୟ ନୁହେଁ । ରାମାୟଣରେ ମଧ୍ୟ ପ୍ରାଚୀର ଚିତ୍ରର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ‘ମହା ଭାରତ’ ର ବିଭିନ୍ନ ପର୍ବରେ ଏହାର ବର୍ଣ୍ଣନା ରହିଛି । ଏସବୁ ତଥ୍ୟକୁ ନେଇ ଯଦି ଚିତ୍ରକଳା ପ୍ରାଚୀନ ଭାରତର ନିଜସ୍ୱ ସମ୍ପଦ ବୋଲି କୁହାଯାଏ, ତା’ ହେଲେ ଅସଙ୍ଗତ ହେବ ନାହିଁ । ତେବେ ଏକଥା ସତ୍ୟ ଯେ ଏହି ଚିତ୍ର କଳା ନେଇ ଧାରାବାହିକ ‘‘କୌଣସି ଆଲୋଚନା ଏ ଯାଏ ହୋଇ ନାହିଁ । ଖୁବ୍‌ସମ୍ଭବ ସେ ସକାଶେ ପ୍ରାଚୀର ଚିତ୍ର ବୋଇଲେ ଅଶୋକଙ୍କ ଯୁଗକୁ ବୁଝାଇଥାଏ; ଅର୍ଥାତ୍‌ଖ୍ରୀଷ୍ଟ ପୂର୍ବ ୩୩୨ । ଏହା ଧର୍ମ ପ୍ରଚାର ସକାଶେ ଉତ୍କୀର୍ଣ୍ଣ ହୋଇଥିଲା । ଏହାକୁ ହିଁ ଅନେକେ ପ୍ରାଚୀନ ଚିତ୍ର କଳାର ପ୍ରାଚମ୍ଭିକ ଯୁଗ ବୋଲି ବର୍ଣ୍ଣନ କରିଥାନ୍ତି । ତେବେ ଏହାକୁ ପ୍ରାଚୀନ ଚିତ୍ର ବା ଲିପିର ପ୍ରଥମାବସ୍ଥା ନ କହି କଳା ବିକାଶର ଚରମ ସମୟ ବୋଲି କୁହାଯାଇ ପାରେ । ସେ ସମୟଠାରୁ ଏ ପଦ୍ଧତି ଉତ୍କର୍ଷରୁ ଉତ୍କର୍ଷତର ଲାଭ କରେ । ତା’ର ପ୍ରମାଣ ମିଳେ ସାରନାଥ, ବୁଦ୍ଧଗୟା, ଉଦୟଗିରି, ବରାପର, ବିଦିଶା, ମଥୁରା, ଭାରହୁତ, ଉଜାଓ, ଦାକ୍ଷିଣାତ୍ୟର ବିଭିନ୍ନ ସ୍ଥାନମାନଙ୍କରେ । ଏସବୁ ଜାଗାରେ ବିଭିନ୍ନ ସମୟରେ ଗଢ଼ି ଉଠେ, ଗୁହା, ମନ୍ଦିର, ବୌଦ୍ଧସ୍ତମ୍ଭ, ସ୍ତୂପ, ଚୈତ୍ୟ, ବିହାର, ଗରାଦ, ତୋରଣ ପ୍ରଭୃତି ।

 

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ରାଜତ୍ୱ ଜାଳରେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ପାରେ ଅନେକ ଚିତ୍ର ଓ ଲିପି ଅଙ୍କିତ ହୁଏ । ଖଣ୍ଡଗିରି ହାତୀ ଗୁମ୍ପାର ଗୋଟିଏ ଅନୁଶାସନରୁ (ବ୍ରାହ୍ମିରେ ଲେଖା) ଜଣାଯାଏ ‘‘ନଗର ଗୁହାଦିର—ଅଭ୍ୟନ୍ତରସ୍ଥ ପ୍ରାଚୀର ଚିତ୍ର (ଲିଖିତାନି) ରଞ୍ଜିତ କରିଥିବା ସକାଶେ ସମ୍ରାଟ ଶତ ଶତ ଶିଳ୍ପୀଙ୍କୁ ପୁରସ୍କୃତ କରିଛନ୍ତି । ପତଞ୍ଜଳି ତାଙ୍କର ଗ୍ରନ୍ଥରେ ‘‘ଶୋଭିକ’’ ନାମକ ଏକ ଧରଣ ଚିତ୍ରର କଥା—ଉଲ୍ଲେଖ କରିଛନ୍ତି । ଖୁବ୍‌ସମ୍ଭବ ସେ ଗୁଡ଼ିକ ଗୃହସ୍ଥଗୃହର ଶୋଭା ବର୍ଦ୍ଧନକାରୀ ଚିତ୍ର ସମୂହ ।

 

ଖାରବେଳଙ୍କ ପରେ ମୌର୍ଯ୍ୟ ରାଜତ୍ୱରେ ଏହି ଚିତ୍ର କଳାର କ୍ରମ ବିକାଶ ସାଧିତ ହୁଏ । ଖୁବ୍‌ସମ୍ଭବ ଖ୍ରୀଷ୍ଟ ପୂର୍ବ ୧୮୭ ଶତାବ୍ଦୀରେ ମୌର୍ଯ୍ୟ ପ୍ରତିପତ୍ତି ହ୍ରାସ ପାଏ । ସେ ସମୟକୁ ଏହି ଅଞ୍ଚଳରେ ଶୁଙ୍ଗ୍‌ବଂଶର ରାଜତ୍ୱ କାଳ । ଏହି ବଂଶର ପ୍ରଧାନ ରାଜାମାନଙ୍କ ମଧ୍ୟରେ ଅଗ୍ନିମିତ୍ର, ଜ୍ୟେଷ୍ଠ ମିତ୍ର, ବସୁମିତ୍ର ଓ ଭଦ୍ରକଙ୍କ ନାମ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ । ଏମାନଙ୍କ ରାଜତ୍ୱ କାଳରେ କଳା ଏବଂ ସଂସ୍କୃତିର ପ୍ରଭୃତ ଉନ୍ନତି ସାଧିତ ହୁଏ । ଏହି ସମୟରେ ଅନେକ ଗୁହା ଓ ମନ୍ଦିର ନିର୍ମାଣ ହୁଏ । ଖୁବ୍‌ସମ୍ଭବ ଏମାନଙ୍କ ସମୟରେ ସର୍ବ ପ୍ରଥମ ରଙ୍ଗ ଓ ତୁଳିର ପ୍ରଚଳନ ହୁଏ-। ଏ ସବୁରୁ ବୁଝାଯାଏ ରାଜାମାନେ ଏଥିପ୍ରତି ବିଶେଷ ଭାବେ ଆଗ୍ରହଶୀଳ ଥିଲେ ଓ ରାଜକୋଷ ଏସବୁ କର୍ମ ସକାଶେ ଉନ୍ମୁକ୍ତ ଥିଲା ।

 

ଭଦ୍ରକଙ୍କ ରାଜସଭାସ୍ଥ ଗ୍ରୀକ୍‍ଦେଶର ରାଜଦୂତ ହେନିୟୋ ଡୋଗସ୍‌ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ନିଜେ ସେ ଧର୍ମରେ ଦୀକ୍ଷିତ ହୁଅନ୍ତି । ନିଜର ସ୍ମୃତି ରକ୍ଷାର୍ଥେ ସେ ଗୋଟିଏ ଗରୁଡ଼ ଧ୍ୱଜ ନିର୍ମାଣ କରାଇଥିଲେ ଏବଂ ଏହି ପ୍ରଚେଷ୍ଟା ରାଜ ଅନୁଗ୍ରହ ଲାଭ କରି ପାରିଥିଲା । ଏହି ଘଟଣାରୁ ସ୍ପଷ୍ଟ ପ୍ରତିଭାତ ହୁଏ ଯେ, ଶିଳ୍ପ, ଶିକ୍ଷା, ସଂସ୍କୃତି, ଧର୍ମ ଏବଂ ସାହିତ୍ୟ କ୍ଷେତ୍ରରେ ଦେଶ ବେଶ୍‌ଉନ୍ନତ ଥିଲା ଏବଂ ରାଜପୃଷ୍ଠପୋଷକତା ଲାଭକରୁଥିଲା ।

 

ଭଦ୍ରକଙ୍କ ପରେ ଗୁପ୍ତଯୁଗ । ସେ ସମୟରେ ବିଶ୍ୱବରେଣ୍ୟ ସାହିତ୍ୟକ ଗୋନନ୍ଦ ଓ ପତଞ୍ଜଳି ଜନ୍ମଲାଭ କରିଥିଲେ । ସେ ସମୟରେ ରାଜଶକ୍ତି ପୃଷ୍ଟହୋଇ ବିଦିଶାର ଗଜଦନ୍ତ ଶିଳ୍ପ ବିଶ୍ୱବିଖ୍ୟାତ ହୋଇଉଠେ ଏବଂ ବିଦିଶା, କାର୍ଲ ଓ ଅଜନ୍ତାରେ ଅନେକ ଚୈତ୍ୟ ଓ ବିହାର ନିର୍ମାଣ କରାହୁଏ । ଚିତ୍ର ନାନାବିଧ ରଙ୍ଗରେ ଚିତ୍ରିତ ହେବା ଗୁପ୍ତଯୁଗର ଅନ୍ୟତମ ପ୍ରଧାନ ଘଟଣା । ଲାଲମାଟିରୁ ଲାଲ, ଚୂନରୁ ଧଳା, ହଳଦିରୁ ହଳଦିଆ, ଅଙ୍ଗାରରୁ କଳା ଏହିପରି ବିଭିନ୍ନ ଉପାଦାନରୁ ଛଅଗୋଟି ରଙ୍ଗ ସୃଷ୍ଟି କରି ତାପରେ ନାନା ରାସାୟନିକ ସମ୍ମିଶ୍ରଣ ଓ ପ୍ରକ୍ରିୟାଦ୍ୱାରା ଶୋଧକରାଇ ଚିତ୍ରମାନଙ୍କରେ ବ୍ୟବହୃତ ହେଉଥିଲା । ଏସବୁ ରଙ୍ଗର କ୍ରିୟା ଏତେଦୂର ଶକ୍ତିଶାଳୀ ଥିଲା ଯେ ପ୍ରାୟ ଦେଢ଼ହଜାର ବର୍ଷ ଗତ ହେଲେ ମଧ୍ୟ ତାହାର ତେଜ ସମ୍ପୂର୍ଣ୍ଣ ଅମ୍ଳାନ ହୋଇ ରହିଛି । ନାନାରଙ୍ଗର ସମ୍ମିଶ୍ରଣରେ ନୀଳ ରଙ୍ଗର ଉତ୍ପତ୍ତି ଏବଂ ଏ ପ୍ରକ୍ରୀୟା ଗ୍ରୀସ୍‍ ଦେଶରୁ ଆମଦାନୀ ବୋଲି ଅନେକ ପଣ୍ଡିତ ମନେକରିଥାଆନ୍ତି । ଗୁପ୍ତ ସାମ୍ରାଜ୍ୟ କାଳରେ ଅଜନ୍ତାର ଚରମ ବିକାଶ ହେଲେହେଁ ଅଜନ୍ତାକୁ ସୁଙ୍ଗବଂଶର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଏହାଙ୍କର ସର୍ବମୋଟ ରାଜତ୍ୱକାଳ ୭୩ ବର୍ଷ । ସେ ଅନୁପାତରେ ଗୁପ୍ତଯୁଗ ଅନେକ ଦୀର୍ଘ ଏବଂ ଏହି ସମୟକୁ ଅନେକ ଆର୍ଯାବର୍ତ୍ତର ସ୍ୱର୍ଣ୍ଣଯୁଗ ବୋଲି ଅଭିହିତ କରିଥାଆନ୍ତି ।

 

ଗୁପ୍ତ ସାମ୍ରାଜ୍ୟର ଅଧଃପତନ ପରେ ରାଜ୍ୟ ଉପରେ ଆସେ ନାନା ଘାତ ପ୍ରତିଘାତ । ସେହି ସମୟରେ ଦାକ୍ଷିଣାତ୍ୟରେ ଅଳ୍ପ ସମୟ ସକାଶେ ରାଜତ୍ୱ କରନ୍ତି କଣ୍ୱ ବଂଶର ଶେଷ ରାଜା ସୁଶମଣି । ଆନ୍ଧ୍ରର ରାଜା ସିମୁକଙ୍କୁ ହତ୍ୟା କରି ସେ ନିଜେ ସାତବାହନ ଉପାଧି ଗ୍ରହଣ କରି ପ୍ରବଳ ବିକ୍ରମରେ ଦାକ୍ଷିଣାତ୍ୟର ବହୁ ଅଂଶରେ ନିଜର ସାମ୍ରାଜ୍ୟ ବିସ୍ତାର କରନ୍ତି । ଗୋଦାବରୀଠାରୁ କୃଷ୍ଣା ଏବଂ ପଶ୍ଚିମରେ ନାସିକ୍‍, ଉଜ୍ଜୟିନୀ ପର୍ଯ୍ୟନ୍ତ ଏହାଙ୍କ ରାଜ୍ୟ ସୀମା ବଢ଼ି ଉଠେ । ରାଜ୍ୟ ଶାସନ ସୁବିଧାର୍ଥେ ପ୍ରତିଷ୍ଠାନ ପୁର, ବୈଜୟନ୍ତି ଓ ଅମରାବତୀ ନାମକ ସ୍ଥାନମାନଙ୍କରେ ରାଜଧାନୀ ସ୍ଥାପନ କରି ରାଜପ୍ରତିନିଧିଦ୍ୱାରା ରାଜ୍ୟ ଶାସନର ବ୍ୟବସ୍ଥା କରନ୍ତି । ଏହି ବଂଶର ରାଜାମାନଙ୍କ ମଧ୍ୟରେ ସାତକର୍ଣ୍ଣି, ଗୌତମୀ ପୁତ୍ର, ବଶିଷ୍ଠପୁତ୍ର, ସୁଲୁମାୟୀଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ଏହାଙ୍କ ରାଜତ୍ୱକାଳରେ ଦାକ୍ଷିଣାତ୍ୟରେ ଆର୍ଯ୍ୟ ସଭ୍ୟତା ବହୁଳ ଭାବରେ ପ୍ରଚାରିତ ହୁଏ । ରାଜାନୁଗ୍ରହ ଲାଭ କରି ବୌଦ୍ଧସ୍ଥାପତ୍ୟ ପୁନଃ ଆତ୍ମପ୍ରତିଷ୍ଠା ଲାଭକରେ । ଯଜ୍ଞପେଟା, ଅମରାବତୀ, ନାସିକ୍‍, ବିଦିଶା ପ୍ରଭୃତି ସ୍ଥାନମାନଙ୍କରେ ନାନାବିଧି ବୌଦ୍ଧ ସଂସ୍କୃତି ଗଢ଼ିଉଠେ। ସାଞ୍ଚିର ବିଖ୍ୟାତ ତୋରଣ ଏହି ବଂଶର ଅନ୍ୟତମ ପ୍ରଧାନ ଅବଦାନ । ଏହାଙ୍କ ରାଜତ୍ୱ କାଳରେ ପ୍ରାଚୀର ଚିତ୍ର ତଥା ପଥର ଖୋଦିତ ଶିଳ୍ପର ପ୍ରଭୂତି ଉନ୍ନତି ସାଧିତ ହୁଏ ।

 

କ୍ରମଶଃ ଶିଳ୍ପରସିକ ସାତବାହନ ରାଜବଂଶର ପତନ ଘଟେ ଏବଂ ଏହି ଅଞ୍ଚଳ ଶକ ରୁଦ୍ରଦାମନଙ୍କ ଶାସନାଧୀନ ହୁଏ । ଏହି ବଂଶର ରାଜତ୍ୱକାଳ ଖ୍ରୀଷ୍ଟୀୟ ୩୦ଠାରୁ ଖ୍ରୀଷ୍ଟୀୟ ୧୫୦ ସାଲ ପର୍ଯ୍ୟନ୍ତ । ସାତବାହନ ରାଜାଙ୍କ ସହ ବଶିଷ୍ଠ ପୁତ୍ର ନିଜ କନ୍ୟା ଫୁଲମାଳୀଙ୍କ ବିବାହ ଦିଅନ୍ତି । ତଦ୍ଦ୍ୱାରା କେତେକ ବର୍ଷ ଏମାନେ ନିରୁପଦ୍ରବର ରାଜ୍ୟଶାସନ କରିବାରେ ସମର୍ଥ ହୋଇପାରନ୍ତି ।

 

ଖ୍ରୀଷ୍ଟୀୟ ତୃତୀୟ ଶତକରେ ସାତବାହନଙ୍କୁ ପରାସ୍ତ କରି ଅଭୀର ଈଶ୍ୱରସେନ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରନ୍ତି । ଏହାଙ୍କ ରାଜତ୍ୱକାଳରେ ଶିଳ୍ପରେ ସେପରି କୌଣସି ଉନ୍ନତି ହୋଇପାରି ନଥିଲା । ଅଳ୍ପ କେତେକ ବର୍ଷ ପରେ ଅଭୀର ରାଜାଙ୍କୁ ପରାସ୍ତ କରି ବକାଟବଂଶ ନିଜକୁ ପ୍ରତିଷ୍ଠା କରନ୍ତି । ଏହି ବଂଶର ରାଜା ଦ୍ୱିତୀୟ ରୁଦ୍ରସେନ ଭାରତ ସମ୍ରାଟ ସମୁଦ୍ରଗୁପ୍ତଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ଭାରତ ବିଖ୍ୟାତ ଏକ ବିରାଟ ଶକ୍ତି ସଙ୍ଗେ ବନ୍ଧୁତ୍ୱ ସୂତ୍ରେ ଆବଦ୍ଧ ହେବା ଫଳରେ ବହିଃଶତ୍ରୁ ଆକ୍ରମଣ ଅନେକାଂଶରେ କମି ଯାଇଥିଲା ରାଜ୍ୟରେ ଶାନ୍ତି ସ୍ଥାପନ ହେବା ସଙ୍ଗେ ସଙ୍ଗେ ଶିକ୍ଷା, ସଂସ୍କୃତି, ବ୍ୟବସାୟ, ବାଣିଜ୍ୟ ଶିଳ୍ପ ପ୍ରଭୃତି ଦିଗରେ ଏଇ ଅଞ୍ଚଳ ସମୃଦ୍ଧିଶାଳୀ ହୋଇ ପାରିଥିଲା । ରାଜନୁଗ୍ରହ ପାଇ ଶିଳ୍ପିଗଣ ନାନାଦି ନୂତନ କର୍ମ ଯୋଜନାରେ ବ୍ରତୀ ହୋଇ ପାରିଥିଲେ । ବକାଟବଂଶର ଶେଷ ରାଜା ହରିସେନ ଓ ତାଙ୍କର ମନ୍ତ୍ରୀ ବରାହଦେବଙ୍କ ପ୍ରଚେଷ୍ଟାରେ ଅଜନ୍ତାର ଷୋହଳ ସଂଖ୍ୟକ ଗୁହା (ବିହାର) ଖ୍ରୀଷ୍ଟାବ୍ଦ ୪୭୦ରୁ ୪୮୦ ମଧ୍ୟରେ ନିର୍ମିତ ହୋଇଥିଲା । ସେଇ ସମୟରେ ଅଜନ୍ତାର ୧୯ ଏବଂ ୨୭ ସଂଖ୍ୟକ ଗୁହାର ନିର୍ମାଣକାମ ହୋଇଥିଲା ବୋଲି ଅନେକ ପଣ୍ଡିତ ମତ ପ୍ରକାଶ କରିଥାନ୍ତି । ଏହି ସମୟ ଅର୍ଯ୍ୟାବର୍ତ୍ତ ଇତିହାସରେ ଗୁପ୍ତଯୁଗ ବୋଲି ଅଭିହିତ ହୋଇଥାଏ ।

 

ଖ୍ରୀଷ୍ଟ ପୂର୍ବ ଦୁଇଶତ ବର୍ଷରୁ ଆରମ୍ଭ କରି ଖ୍ରୀଷ୍ଟୀୟ ସପ୍ତମ ଶତକ ପର୍ଯ୍ୟନ୍ତ ଦୀର୍ଘ ନଅଶତ ବର୍ଷ ଧରି ସ୍ତରେ ସ୍ତରେ ଗଢ଼ି ଉଠିଛି ଅଜନ୍ତାରଭାସ୍କର୍ଯ୍ୟ । ଏଇ ଦୀର୍ଘକାଳ ମଧ୍ୟରେ ଯେପରି ପ୍ରକୃତି ତା’ର ରୂପ ବଦଳାଇଛି, ସେପରି ମନୁଷ୍ୟର ରୁଚି ବି ବଦଳିଛି । ସେଇ ପରିବର୍ତ୍ତନଶୀଳ ସମାଜ ସଙ୍ଗେ ସମତାଳ ରଖି ଶିଳ୍ପୀ ତା’ର ଦୃଷ୍ଟିଭଙ୍ଗୀ ବଦଳାଇ ଯୁଗୋପଯୋଗୀ ଶିଳ୍ପ ସୃଷ୍ଟି କରିଛି । କରିଗର ନିଜର ଅନୁଭୂତି ସହ ସମ୍ୟକ୍‌ଜ୍ଞାନକୁ ନାନାଦି ରଙ୍ଗ ସାହାର୍ଯ୍ୟରେ ତୂଳୀକୁ ସାର୍ଥକ କରି ଅନବଦ୍ୟ ଅବଦାନ ଦେଇଯାଇଛି ଭବିଷ୍ୟତ ବଂଶଧରମାନଙ୍କୁ । ଅନୁଭବୀ ଶିଳ୍ପୀ କେବଳ ବୁଦ୍ଧଙ୍କୁ ଭଗବାନ ରୂପେ ଦେଖି ନାହିଁ । ମନୁଷ୍ୟର ଜୀବନ ସଙ୍ଗେ ସାମଞ୍ଜସ୍ୟ ରଖି ଗଢ଼ିଛି ବାଳକ, କିଶୋର, ଯୁବକ, ପ୍ରୌଢ଼, ବୃଦ୍ଧ, ଜରାଗ୍ରସ୍ତ ବୃଦ୍ଧଙ୍କ ପ୍ରତି ଅଙ୍ଗଭଙ୍ଗୀ । ଜରା, ଦାରିଦ୍ର୍ୟ, ମୃତ୍ୟୁ ମଧ୍ୟ ଶିଳ୍ପୀର ତୂଳୀରେ ଅନୁରୂପ ଭାବେ ପ୍ରକାଶ ପାଇଛି ଏବଂ ଅଜନ୍ତା ହୋଇ ପାରିଛି ଜୀବନ୍ତ ତଥା ମୂର୍ତ୍ତିମନ୍ତ ଚିତ୍ର ।

 

ଅଜନ୍ତାର କୌଣସି ଗୁହା ପ୍ରାକୃତିକ ନୁହେଁ । ପାହାଡ଼ ବା ପଥର କାଟି କୃତ୍ରିମ ଉପାୟରେ ନାନା ଅକାରର ଗୁହାଗୁଡ଼ିକ ବିଭିନ୍ନ ସମୟରେ ସୃଷ୍ଟିହୋଇଅଛି । ସେ ସବୁ ଗୁହା ଭିତରେ ଖୋଦିତ ବା ଚିତ୍ରିତ ହୋଇଅଛି ବିଶେଷ କରି ବୁଦ୍ଧ ଜାତକର ବିଭିନ୍ନ କାହାଣୀ । କେତେକ ଗୁହାରେ ତତ୍‌କାଳୀନ ଜୀବନଯାତ୍ରାର କେତକ ଅଂଶ ମଧ୍ୟ ସ୍ଥାନ ପାଇଛି । ତେବେ ଗୁହାଗୁଡ଼ିକ ଜାତକ କାହାଣୀରେ ପ୍ରାଣବନ୍ତୁ ବୋଲି କୁହାଯାଇ ପାରେ । ଜନ୍ମ ଜନ୍ମାନ୍ତରର ବୋଧ୍ୱସ୍ୱତ୍ତ୍ୱଙ୍କ ଜୀବନୀ ଆଲେଖ୍ୟ ବୁଦ୍ଧ ଜାତକର ମୂଳକାହାଣୀ । ସାଧାରଣ ମନୁଷ୍ୟରୂପୀ ବୁଦ୍ଧ, ରାଜପୁତ୍ର, ସ୍ୱାମୀ, ସଂସାରତ୍ୟାଗୀ ବୁଦ୍ଧଙ୍କର ବିଭିନ୍ନ ରୂପର ଅଙ୍କିତ ଚିତ୍ର ସହ, ଅବଲୋକିତେଶ୍ୱର ପ୍ରଭୃତି ଚିତ୍ରକୁ ଅଜନ୍ତାର ପ୍ରାଣ ବୋଲି ଧରାଯାଇପାରେ । ବୁଦ୍ଧ କାହାଣୀ ବ୍ୟତୀତ ଅପ୍‌ସରା, କୁଳବଧୂ, ଲୋଭୀ, ଭିଖାରୀ, ଦସ୍ୟୁ, ତସ୍କର, ପଶୁ, ପକ୍ଷୀ, ଗଛ, ଲତା, ଫଳ, ପୁଷ୍ପ, ଅଳଙ୍କାର, ପ୍ରସାଧନ, ପ୍ରାସାଦ, କୁଟୀର, ପ୍ରସାଧନରତା ରମଣୀ, ତା’ର କେଶ ଚର୍ଚ୍ଚା, କର୍ମବ୍ୟସ୍ତ ଯୁବତୀ ପ୍ରଭୃତି ଚିତ୍ର ମଧ୍ୟ ଶିଳ୍ପୀର ତୂଳୀରୁ ବାଦ ଯାଇ ପାରିନି । ସେ ନିଜେ ଯାହା ଯାହା ଦେଖିଛି, ଯାହା ଅନୁଭବ କରିପାରିଛି, ତାକୁ ନିପୁଣତାର ସହ ପରିସ୍ଫୁଟ କରିପାରିଛି । ଅନେକେ ଅଜନ୍ତାକୁ ବୌଦ୍ଧ ସଂସ୍କୃତିର ବାହକ ବୋଲି ବ୍ୟାଖ୍ୟା କରିଥାନ୍ତି । ଏ ଉକ୍ତି ଆଂଶିକ ଭାବେ ସତ୍ୟ ହେଲେ ମଧ୍ୟ ପୂର୍ଣ୍ଣଭାବେ ନୁହେଁ । ଅଜନ୍ତା କୌଣସି ଗୋଷ୍ଠୀର ନୁହେଁ ସମଷ୍ଟିର, ବ୍ୟକ୍ତିର ନୁହେଁ ବ୍ୟକ୍ତିତ୍ୱର । ଏହି କାରଣରୁ ଏହାକୁ ଅନ୍ୟ ଭାବେ ଲୋକାୟତ ଶିଳ୍ପ ମଧ୍ୟ କୁହାଯାଇଥାଏ ।

 

ଗୁହାଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜାନୁକୂଲ୍ୟରେ ନିର୍ମିତ । କେତକ ପୁଣି ଶିଳ୍ପୀମାନଙ୍କ ସଦ୍ଦିଚ୍ଛାରୁ ନିର୍ମିତ ହୋଇଅଛି । ଏହି ଉକ୍ତିକୁ ସମର୍ଥନ କରିବାକୁ ଯାଇ କୁହାଯାଏ ଯେ ବିହାରସ୍ଥିତ ଶ୍ରମଣଗଣ ଯେଉଁସବୁ ଯାତ୍ରୀ ବା ପର୍ଯ୍ୟଟକମାନଙ୍କୁ ଆତିଥ୍ୟ ଦେଇଥାନ୍ତି, ସେମାନଙ୍କ ମଧ୍ୟରେ ଅନେକ ବିଖ୍ୟାତ ଶିଳ୍ପୀ ମଧ୍ୟ ଆସିଥାନ୍ତି । ସେ ସବୁ କାରିଗରଗଣ ଅବସର ଯାପନ କରିବାକୁ ଯାଇ ଅନେକ କିଛି ଗଢ଼ିଯାଇଛନ୍ତି। ଏଥିରେ ନିର୍ଦ୍ଦେଶନାର କଟକଣା ନଥିବା ହେତୁ ଶିଳ୍ପୀର ସ୍ୱାଧୀନ ସତ୍ତା ସ୍ୱଚ୍ଛନ୍ଦରେ ପରିସ୍ଫୁଟନ ହୋଇଥାଏ । ଏଥିପାଇଁ ଅନେକେ ଏହାକୁ ଲୋକାୟତ ଶିଳ୍ପ ବୋଲି କହିଥାଆନ୍ତି ।

 

ଆଲୋଚନା ମଧ୍ୟରେ ୫୮ କିଲୋମିଟର ରାସ୍ତା ଅତିକ୍ରମ କରି ସରକାରୀ ବସ୍‌ଆସି ଇନ୍ଦ୍ରାଦ୍ରି ପାହାଡ଼ କୋଳସ୍ଥିତ ବସ୍‌ଷ୍ଟାଣ୍ଡରେ ଠିଆହେଲା । କାଳବିଳମ୍ୱ ନ କରି ଗୌତମବାବୁଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତେ ଅଜନ୍ତା ଅଭିମୁଖେ ଅଗ୍ରସର ହେଲୁ । ଅଶ୍ୱ ଖୁରାକୃତି ଏହି ପାହାଡ଼ର ଧାର ଦେଇ ଗଠିତ ହୋଇଛି ଅଜନ୍ତାରଗୁହାଗୁଡ଼ିକ । ନଦୀ ମଧ୍ୟ ତାହାକୁ ଅନୁସରଣ କରି ପ୍ରବାହିତ ହେଉଛି ।

 

ବସ୍‌ଷ୍ଟାଣ୍ଡରୁ ଅଳ୍ପ କେତକ ସିଡ଼ିଦେଇ ଉପରକୁ ଉଠିଲେ ଅଜନ୍ତା କେଭ୍‍ (Cave)ର ମୂଳ ଦରଜା ଦେଖାଯାଏ । ବିଭିନ୍ନ ଗୁହାରେ ଆଲୋକର ସାହଯ୍ୟ ନେବା ଦରକାର ଥିଲେ ଏଠାରେ ସେ ସକାଶେ ଟଙ୍କା ଦେଇ ଟିକେଟ ନେବାକୁ ପଡ଼ିଥାଏ । ସେଇ ଟିକେଟ ଦେଖି ଗୁହା ରକ୍ଷକ ଜେନେରେଟର (Generator) ଚଳାଇ ବୈଦ୍ୟୁତିକ ବତିର ସାହାଯ୍ୟ ଦେଇଥାନ୍ତି ଏବଂ ଆଲୋକର ଗତି ଓ ପ୍ରକୃତି ସଙ୍ଗେ କିପରି ଭାସ୍କର୍ଯ୍ୟର ରୂପ ଏବଂ ଭାବ ପରିବର୍ତ୍ତିତ ହୁଏ, ତାହା ଦର୍ଶାଇଥାନ୍ତି । ସେଥିପାଇଁ ଆଲୋକର ସାହାଯ୍ୟ ନେବା ଦର୍ଶକଙ୍କ ପକ୍ଷେ ଅପରିହାର୍ଯ୍ୟ ବୋଲି ମନେହୁଏ । ବତି ସାହାଯ୍ୟ ବ୍ୟତିରେକେ ଅନେକ ଦର୍ଶନୀୟ ବସ୍ତୁ ଅଦେଖା ରହିଯାଏ । ଯେପରି ଗୋଟିଏ ମୂର୍ତ୍ତି ସ୍ୱାଭାବିକ ସୂର୍ଯ୍ୟାଲୋକରେ ଏକରକମ ଦେଖାଯାଏ, ସେହି ମୂର୍ତ୍ତି ଉପରେ ବୈଦ୍ୟୁତିକ ଆଲୋକ ପତିତ ହେବା ସଙ୍ଗେ ସଙ୍ଗେ ଅନ୍ୟରୂପ ଏବଂ ଭାବ ଦେଖାଯାଏ । ଆଲୋକର ଗତି ବାମ ଓ ଡାହାଣକୁ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ମୂର୍ତ୍ତିର ଭଙ୍ଗିମାର ବି ପରିବର୍ତ୍ତନ ଘଟିଥାଏ । ଏହାଛଡ଼ା ଅଜନ୍ତାକୁ ଜାଣିବାକୁ ହେଲେ ଅଭିଜ୍ଞ ଗାଇଡ଼ ଅପରିହାର୍ଯ୍ୟ । ବିନା ଗାଇଡ଼ରେ ଅଜନ୍ତା ଦେଖିବା ଅର୍ଥ କେବଳ ବୁଲିବା ସାର ।

 

ଏସବୁ ବିଷୟରେ ଗୌତମ ଗୁପ୍ତ ଖୁବ୍‌ସାବଧାନ । ଚଟାପଟ ସମସ୍ତ ବ୍ୟବସ୍ଥା କରି ଗୁହା ପରିସର ମଧ୍ୟରେ ପ୍ରବେଶ କରାଇଦେଲେ । ଏଥର ଆମର କର୍ତ୍ତବ୍ୟ ଅଜନ୍ତାକୁ ଉପଭୋଗ କରିବା-। ଦର୍ଶକଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ପ୍ରତିଟି ଗୁହାର କ୍ରମିକ ସଂଖ୍ୟା ନିରୂପଣ କରିଦେଇଛନ୍ତି-। ଗଠନ ପାରମ୍ପରିକତାରେ ଏ ସଂଖ୍ୟାର କୌଣସି ସମ୍ୱନ୍ଧ ନାହିଁ । ଗୁହା ମଧ୍ୟକୁ ଯିବା ପୂର୍ବରୁ ଗାଇଡ଼୍‍ ହିନ୍ଦି, ଇଂରେଜୀ ମିଶା ଭାଷାରେ ନିମ୍ନମତେ କହିଲେ ।

 

‘‘ଗୁପ୍ତ ଏବଂ ଚାଲୁକ୍ୟ ରାଜବଂଶର ସହାୟତାରେ ଅଜନ୍ତା ଶିଳ୍ପ ସମୃଦ୍ଧିଶାଳୀ ହୋଇଉଠେ । ଚାଲୁକ୍ୟ ରାଜ୍ୟର ପତନ ସଙ୍ଗେ, ଏହିସବୁ ଅଞ୍ଚଳର ପ୍ରାଧାନ୍ୟ ହ୍ରାସପାଏ । ତା ସହିତ ଅଜନ୍ତା ଏଲୋରାର ପ୍ରାଣ-ଚାଞ୍ଚଲ୍ୟ ମଧ୍ୟ । ଏହାସଙ୍ଗେ ଯୋଗଦିଏ ଦେଶର ରାଜନୈତିକ ଅସ୍ଥିରତା । ନାନା ରାଜଶକ୍ତିର ଉତ୍‌ଥାନ ପତନ ହେତୁ ଦେଶରେ ଶାନ୍ତିଶୃଙ୍ଖଳା ଅସ୍ୱାଭାବିକ ଭାବେ ବ୍ୟାହତ ହୁଏ । ରାଜଶକ୍ତିସହାୟତାହୀନ ହୋଇ ଦେଶରେ ଶିକ୍ଷା, ସଂସ୍କୃତି, କଳା କ୍ରମାବନତି ପ୍ରାପ୍ତ ହୁଏ । ଦେଶର ଏପରି ଘଡ଼ିସନ୍ଧି ସମୟରେ ଦୁର୍ଭାଗ୍ୟବଶତଃ ଅଜନ୍ତା, ଏଲୋରା ଲୋକଲୋଚନ ଅଗୋଚରକୁ ଚାଲିଯାଏ । ସମସ୍ତ ନଦୀ ଉପତ୍ୟକା ଏବଂ ପାହାଡ଼, ଘନ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଉଠେ । ସୁସଭ୍ୟ ମନୁଷ୍ୟଙ୍କ ଚଳାଚଳ ପଥ ଶ୍ୱାପଦସଙ୍କୁଳ ହୋଇଉଠେ । ସେଇ ଘନ ଅରଣ୍ୟ ମଧ୍ୟରେ ଆତ୍ମଗୋପନ କରି ରହିଯାଏ ଅଜନ୍ତାର ପୃଥିବୀ ବିଖ୍ୟାତ ଚାରୁକଳା ।

 

୧୮୨୦ ସାଲରେ ଜନୈକ ବ୍ରିଟିଶ ସେନାଧ୍ୟକ୍ଷ ନିଜ ସେନାଙ୍କ ଛାଉଣୀ ସକାଶେ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଯାଇ ଅଜନ୍ତା କେଭ୍‍ର ବିପରୀତ ପାହାଡ଼ ଶିଖରରେ ଉଠନ୍ତି । ସେ ସମୟରେ ତାଙ୍କର ନଜରରେ ପଡ଼େ ଅଜନ୍ତା ଗୁହାର ତୋରଣାଂଶ, ଖିଲାଣ ଓ ସ୍ତମ୍ଭ । କୌତୂହଳୀ ସେନାଧ୍ୟକ୍ଷ କେତକ ସାହସୀ ସେନାନୀଙ୍କୁ ସଙ୍ଗରେ ଧରି ସେଇ ବନ୍ଧୁର ଏବଂ ଭୟଙ୍କର ନଦୀ ଅବବାହିକା ପଥ ଅତିକ୍ରମପୂର୍ବକ ଅଜନ୍ତା ଗୁହା ମନ୍ଦିର ଚତ୍ୱରରେ ଆସି ପ୍ରବେଶ କରନ୍ତି । ଦୀର୍ଘଦିନ ଉପେକ୍ଷିତା ଅଜନ୍ତା ବକ୍ଷରେ ପୁଣି ମନୁଷ୍ୟ ପଦଧୂଳି ପଡ଼େ । ସେନାଧ୍ୟକ୍ଷ ଗୁହା ମଧ୍ୟେ ବସବାସକାରୀ ବନ୍ୟଜନ୍ତୁମାନଙ୍କୁ ବିତାଡ଼ନ କରି ସେସବୁର ଅପୂର୍ବ ଶୋଭା ପରିଦର୍ଶନ କରନ୍ତି ଏବଂ ମୁଗ୍‌ଧ ହୁଅନ୍ତି । ଯେଉଁଠାରୁ ଯେଉଁ ଜାଗା ସେ ପ୍ରଥମେ ଦେଖିପାରିଥିଲେ ବର୍ତ୍ତମାନ ସୁଦ୍ଧା ଉଭୟସ୍ଥାନ ‘ଭ୍ୟୁପଏଣ୍ଟ’ (View point) ନାମରେ ଚିହ୍ନିତ ହୋଇ ରହିଅଛି ।

 

ସେନାଧ୍ୟକ୍ଷ କେତେଦିନ ଅନ୍ତରରେ ନିଜର କର୍ତ୍ତବ୍ୟ କର୍ମ ଶେଷ କରି ନିଜ ହେଡ଼କ୍ୱାଟରକୁ ଫେରି ଆସିଲେ ଏବଂ ଅଜନ୍ତାର ଅବସ୍ଥିତି କଥା ଜନ-ସମାଜରେ ପ୍ରକାଶ କଲେ । ହାଇଦ୍ରାବାଦ ରାଜ୍ୟ ଖାନ୍ଦେଶ ଜିଲ୍ଲାର ଇନ୍ଦ୍ରାଦ୍ରି ପର୍ବତମାଳାରେ ଏହି ଘାଟି ବା ଉପତ୍ୟକାର ଅବସ୍ଥିତ । ପର୍ବତର ଏକ ଦିଗେ ଦାକ୍ଷିଣାତ୍ୟ ମାଳଭୂମି, ଅନ୍ୟ ଦିଗେ ତାପ୍ତି ନଦୀର ଅବବାହିକା । ପାହାଡ଼ ମଧ୍ୟ ଦେଇ ବହିଯାଉଛି ବାଗୋଡ଼ା ନାମକ ଏକ କ୍ଷୁଦ୍ର ଅଥଚ ଖରସ୍ରୋତା ନଦୀ ! ଗ୍ରୀଷ୍ମ ୠତୁରେ ଯେଉଁ ନଦୀ ବକ୍ଷ ପ୍ରାୟ ଶୁଷ୍କାବସ୍ଥାରେ ଥାଏ, ବର୍ଷାଦିନେ ସେହି ନଦୀ ଅତି ଭୟଙ୍କର ହୋଇଉଠେ । ଏହି ବାଗୋଡ଼ା ନଦୀର ସାତକୁଣ୍ଡୁ ଜଳପ୍ରପାତ ନିକଟସ୍ଥ ପାହାଡ଼ କୋଳରେ ଏକ ଅଶ୍ୱଖୁରାକୃତି ପ୍ରାକୃତିକ ଜାଗା ଉପରେ ଗଢ଼ି ଉଠିଛି ଅତ୍ୟାଶ୍ଚର୍ଯ୍ୟ ଚାରୁକଳା ପରିପୂର୍ଣ୍ଣ ଗୁହାଗୁଡ଼ିକ-। ଏହିପରି ଭାବେ ଅଜନ୍ତାର ଅବସ୍ଥାନ କଥା ପ୍ରଚାରିତ ହେଲା ।

 

୧୮୨୯ ସାଲ ଏସିୟାଟିକ ସୋମାଇଟିର ଏକ ବାର୍ଷିକ ବିବରଣୀରେ ଉକ୍ତ ସମ୍ୱାଦ ପ୍ରକାଶ ପାଇଲା । ଅଜନ୍ତା ଆବିଷ୍କାରର ପ୍ରାୟ ଏକବର୍ଷ ପରେ ଏହିପରି ଆହୁରି କେତେବର୍ଷ ବିତିଗଲା । ଭାରତୀୟ ସ୍ଥାପତ୍ୟ ଶିଳ୍ପର ସୁପଣ୍ଡିତ ଫୁର୍ଗୁସନଙ୍କ ନଜରରେ ଏସିୟାଟିକ ସୋସାଇଟିର ପ୍ରକାଶିତ ବାର୍ଷିକ ବିବରଣୀରେ ଥିବା ‘ଅଜନ୍ତା’ ପ୍ରବନ୍ଧଟି ନଜରରେ ପଡ଼ିଲା। ପଣ୍ଡିତ ଫର୍ଗୁସନ କେବଳ ଭାରତୀୟ ସ୍ଥାପତ୍ୟ ବିଦ୍ୟାରେ ସୁପଣ୍ଡିତ ଥିଲେ ତାହାନୁହେ; ତାଙ୍କରଭାସ୍କର୍ଯ୍ୟ, ଚିତ୍ରକଳା, ପୁରାତତ୍ତ୍ୱ, ପ୍ରତ୍ନତତ୍ତ୍ୱ, ଇତିହାସ, ଭୂଗୋଳ, ନୃତତ୍ତ୍ୱ ପ୍ରଭୃତି ବିଷୟରେ ମଧ୍ୟ ପ୍ରଗାଢ଼ ଅନୁରାଗ ଥିଲା-। ଏପରି ଜଣେ ବିଶ୍ୱବନ୍ଦିତ ପଣ୍ଡିତ ସେଇ ପ୍ରବନ୍ଧରୁ ଅନୁପ୍ରେରଣା ପାଇ ନିଜେ କଷ୍ଟ ସ୍ୱୀକାର କରି ଘଟଣା ସ୍ଥଳରେ ପହଞ୍ଚିଲେ ଏବଂ ପ୍ରକାଶିତ ଖବରର ସତ୍ୟତା, ସପ୍ରମାଣ ପ୍ରତ୍ୟକ୍ଷ କରିସାରି ଫେରି ଆସିଲେ । ନିଜେ ଉଦ୍‌ଯୋଗୀ ହୋଇ ରୟାଲ ଏସିଆଟିକ୍‌ସୋସାଇଟିର ମୁଖପତ୍ରରେ ଅଜନ୍ତା ନେଇ ନିଜର ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧମାନ ଲେଖିବାକୁ ଲାଗିଲେ । ଏହା ୧୮୪୪ ସାଲର ଘଟଣା-

 

ଏ ସମ୍ପର୍କରେ ଇଷ୍ଟଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ମାନ୍ଦ୍ରାଜ ସେନାଧ୍ୟକ୍ଷ କ୍ୟାପଟେନ୍‌ରବାଟ ଗିଲଙ୍କୁ ପୂର୍ଣ୍ଣ ତଥ୍ୟାନୁସନ୍ଧାନ ସହ ଚିତ୍ରଗୁଡ଼ିକର ଅନୁଲିପି ସଂଗ୍ରହ କରିବା ପାଇଁ ନିଯୁକ୍ତ ଦେଲେ । ସଙ୍ଗରେ ସେ ସାମାନ୍ୟ କେତେଜଣ ଅନୁରାଗୀ ସଙ୍ଗୀଙ୍କୁ ନେଇ ସେଇ ଗଭୀର ଅରଣ୍ୟାନୀ ଭିତରକୁ ଯାତ୍ରା କଲେ । ମିଷ୍ଟର ଗିଲ୍‌ଦୀର୍ଘ କୋଡ଼ିଏବର୍ଷ ଅନବସର ଅଧ୍ୟବସାୟଦ୍ୱାରା ଅଜନ୍ତାର ଚିତ୍ରାବଳୀର ମାତ୍ର ତିରିଶିଟି ତୈଳ ଚିତ୍ର ଅଙ୍କନକରି ତାଙ୍କର କାମ ଶେଷ କରିଥିଲେ । ଶ୍ୱାପଦସଂକୁଳ ଗଭୀର ଅରଣ୍ୟ ଭିତରେ ମାନବ ସମାଜରୁ ସମସ୍ତ ସମ୍ପର୍କ ତ୍ୟାଗ କରି ଏହି କର୍ମ ସମ୍ପାଦନ କରିବା ପାଇଁ ତାଙ୍କୁ କି ମାନସିକ ପ୍ରସ୍ତୁତି ନେବାକୁ ହୋଇଥିଲା ସେକଥା ଚିନ୍ତା କଲେ ସ୍ତମ୍ଭିତ ହେବାକୁ ପଡ଼ିଥାଏ । ଏହା ହିଁ ତପସ୍ୟା । ସମସ୍ତ ତୈଳ ଚିତ୍ରଗୁଡ଼ିକୁ ବିଲାତ ପଠାଗଲା ବିଚାର ଏବଂ ବିଶ୍ଳେଷଣ ପାଇଁ । ସେଇ ତୈଳ ଚିତ୍ରଗୁଡ଼ିକ ପଣ୍ଡିତ ମଣ୍ଡଳୀରେ ଭୂୟସୀ ପ୍ରଶଂସା ଲାଭ କଲା । କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ଦେଖିବା ପାଇଁ ସିଡ଼େନହାମର ଏକ ପ୍ରଦର୍ଶନୀରେ ରଖିଲେ । ଦୁର୍ଭାଗ୍ୟ, ସେଇ ପ୍ରଦର୍ଶନୀରେ ଅଗ୍ନିକାଣ୍ଡ ଫଳରେ ପ୍ରାୟ ସମସ୍ତ ଚିତ୍ର ପୋଡ଼ି ନଷ୍ଟ ହୋଇଗଲା । ବହୁକଷ୍ଟରେ କେବଳ ପାଞ୍ଚଗୋଟି ଚିତ୍ର ରକ୍ଷା କରାଯାଇ ପାରିଥିଲା । ମିଷ୍ଟର ରବାର୍ଟ ଗିଲଙ୍କର ସମସ୍ତ ପରିଶ୍ରମ, ସାଫଲ୍ୟ ଓ ସ୍ୱପ୍ନ ବ୍ୟର୍ଥତାରେ ପର୍ଯ୍ୟବସିତ ହେଲା । ଏହାପରେ ଅଜନ୍ତାର ଅକ୍ଷତ ଚିତ୍ରାବଳୀ ଆଉ ଦେଖିବା ସମ୍ଭବ ହେଲାନି । ଶୁଣାଯାଏ ଅଗ୍ନିର ଲେଲିହାନ ଶିଖାରୁ ଯେଉଁ ପାଞ୍ଚଖଣ୍ଡ ଚିତ୍ର ଉଦ୍ଧାର କରାଯାଇ ପାରିଥିଲା ସେଗୁଡ଼ିକୁ ସ୍ଥାନାନ୍ତରିତ କରି କେନସିଂଟନ ସଂଗ୍ରହାଳୟକୁ ନିଆଯାଇଥିଲା । ଅଦ୍ୟାବଧି ସେଠାର ଭାରତୀୟ ଶାଖାରେ ସେଗୁଡ଼ିକ ଗଚ୍ଛିତ ଅଛି ।

 

ଜେମସ ଫାର୍ଗୁସନଙ୍କ ସଙ୍ଗରେ ପୂର୍ଣ୍ଣପ୍ରାଣରେ ସହଯୋଗ କଲେ ଡା. ବାର୍ଜେସ । ଦୁହେଁ ମିଶି ଅଜନ୍ତା ନେଇ ଗବେଷଣା ଚଳାଇବା ସକାଶେ ଭାରତ ସରକାରଙ୍କୁ ବହୁ ଅନୁରୋଧ କଲେ । ଫଳରେ ଭାରତ ସରକାର ବୋମ୍ୱାଇ ଶିଳ୍ପ ବିଦ୍ୟାଳରେ ଅଧ୍ୟକ୍ଷ ଜର୍ଜ ଗିଫ୍‌ସ୍ଥଙ୍କୁ ଏହି କାର୍ଯ୍ୟରେ ନିୟୋଗ କଲେ ଏବଂ ଉପଯୁକ୍ତ ପରିମାଣ ଅର୍ଥ ମଧ୍ୟ ମଞ୍ଜୁର କଲେ । ଜର୍ଜ ଗିର୍ଫସ୍ଥ ଏଇ ନୂତନ ଦାୟିତ୍ୱ ଗ୍ରହଣ କରି ନିଜ ପ୍ରତିଷ୍ଠାନର କେତେକ ଗୁଣୀ ତଥା ଉତ୍ସାହୀ ଛାତ୍ରଙ୍କୁନେଇ ୧୮୭୫ ସାଲରେ ପୁନରାୟ ଅଜନ୍ତା ଚିତ୍ରର ପୁନରୁଦ୍ଧାର ପାଇଁ ବ୍ରତୀ ହେଲେ । ଦୀର୍ଘ ଦଶବର୍ଷ ଅକ୍ଳାନ୍ତ ପରିଶ୍ରମ କରି ୧୮୮୫ ସାଲରେ ଅଜନ୍ତାର ୩୩୫ଟି ମୂର୍ତ୍ତିମନ୍ତ ଚିତ୍ର କରି ଫେରିଆସିଲେ । ଏଇ ଚିତ୍ର ସମ୍ଭାର ଭାରତ ସରକାରଙ୍କ ଜରିଆରେ ସେ ବିଲାତ ପଠାଇଦେଲେ । କେନିସିଂଟନ ସଂଗ୍ରହାଳୟ ସେଗୁଡ଼ିକୁ ଗ୍ରହଣ କରି ସଯତ୍ନେ ରକ୍ଷାକରିବା ବ୍ୟବସ୍ଥା କଲେ । କର୍ତ୍ତୃପକ୍ଷଙ୍କ ସମସ୍ତ ସଦ୍ଦିଚ୍ଛାକୁ ପରିହାସ କରି ପୁଣି ଏକ ସର୍ବଗ୍ରାସୀ ଅଗ୍ନି କାଣ୍ଡରେ କେନସିଂଟନ ସଂଗ୍ରହାଳୟର ଅନ୍ୟ ଜିନିଷ ସହ ଅଜନ୍ତାର ସଂଗୃହୀତ ଛବି ମଧ୍ୟରୁ ୮୭ ଖଣ୍ଡ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲା । ୧୯୯ଟି ଚିତ୍ର ଆଂଶିକ ଭାବେ ନିଆଁର ଉତ୍ତାପରେ ଝଲସି ଯାଇଅଛି ଏବଂ ଅବଶିଷ୍ଟ ଚିତ୍ରଗୁଡ଼ିକ ନିଖୁଣ ଭାବେ ଏବେ ବି ଭିକ୍‌ଟୋରିଆ ଆଲର୍ବାଟ ହଲର ଶାଖାରେ ଦେଖିବାକୁ ମିଳିଥାଏ ।

 

ଏହି ଅଗ୍ନିକାଣ୍ଡରେ ନିଜର ପରିଶ୍ରମ ପ୍ରସ୍ତୁତ ଚିତ୍ରଗୁଡ଼ିକ ନଷ୍ଟ ହେବାପରେ ଅଧ୍ୟକ୍ଷ ଗ୍ରିଫ୍‌ସ୍ଥ ପୁଣି ନୂତନ ଉଦ୍ୟମରେ ରକ୍ଷା ପାଇଥିବା ଛବି ଏବଂ ଯେଉଁ ଛବିର ପ୍ରାଥମିକ ସ୍କେଚଗୁଡ଼ିକ ଭାରତବର୍ଷରେ ରହିଯାଇଥିଲା ସେଗୁଡ଼ିକରୁ ପୁଣି ନୂତନ କରି ଛବି ତୟାର କରି ଅଗ୍ନକାଣ୍ଡର ପ୍ରାୟ ଏଗାର ବର୍ଷ ପରେ “The painting in the Buddhist caves of Ajanta, London 1886—ନାମରେ ଦୁଇଖଣ୍ଡ ବହି ପ୍ରକାଶ କରନ୍ତି । ଖୁବ୍‌ସମ୍ଭବ ଅଜନ୍ତା ବିଷୟରେ ପ୍ରକାଶିତ ବହି ମଧ୍ୟରେ ଏହାହିଁ ସର୍ବପ୍ରଥମ ତଥ୍ୟ ବହୁଳ ମୂଲ୍ୟବାନ ଗ୍ରନ୍ଥ । ଧନ୍ୟ ଜର୍ଜ ଗିଫ୍‌ସ୍ଥ ସାହେବ, ଧନ୍ୟ ତୁମର ଅଧ୍ୟବସାୟ !

 

ଅଜନ୍ତା କଥା ପ୍ରକାଶିତ ହେବା ସଙ୍ଗେ ସଙ୍ଗେ, ତା’ର ପ୍ରଶଂସା ଶୁଣି କେତେକ ଇତର ବ୍ୟକ୍ତି ସେଇ ଶିଳ୍ପ ସମୃଦ୍ଧ ଅଜନ୍ତାକୁ ଚୋରି କରିବାକୁ ଆସନ୍ତି । ଖୋଳି ତାଡ଼ି ଚିତ୍ର ଗୁଡ଼ିକୁ ନିଜର ଅକ୍ତିଆରକୁ ନେଇ ଯିବାକୁ ଚେଷ୍ଟା କରି ଅକୃତ କାର୍ଯ୍ୟ ହୋଇ ଫେରନ୍ତି ନିଖୁଣ ଚିତ୍ରଗୁଡ଼ିକର ଅଙ୍ଗଚ୍ଛେଦ କରି । ଏହି ଦଳରେ ହାଇଦ୍ରାବାଦ ନିଜାମଙ୍କ ତତ୍‌କାଳୀନ କର୍ମଚାରୀମାନଙ୍କୁ ବିଶେଷ ଭାବେ ଚିହ୍ନିତ କରାଯାଇଥାଏ । ଅକ୍ଷତ ଚିତ୍ରଗୁଡ଼ିକୁ କ୍ଷତିଗ୍ରସ୍ତ କରିବା ଏହା ହିଁ ପ୍ରଥମ ପ୍ରଚେଷ୍ଟା ଏବଂ ତାହା କ୍ରମଶଃ ବୃଦ୍ଧି ପାଇ ବର୍ତ୍ତମାନ ଅବସ୍ଥାନରେ ଆସି ପହଞ୍ଚିଛି । ଅବଶ୍ୟ ହାଇଦ୍ରାବାଦ ନିଜାମ ୧୯୦୩ରେ ଆଇନ ପ୍ରଣୟନ କରି ଅଜନ୍ତା ରକ୍ଷଣାବେକ୍ଷଣ ଭାର ନିଜେ ଗ୍ରହଣ କଲେ ।

 

ନିଜାମ ବାହାଦୂର ନିଜ ରାଜ୍ୟରେ (୧୯୧୪ ସାଲ) ଗୋଟିଏ ପୁରାତତ୍ତ୍ୱ ବିଭାଗ ଖୋଲନ୍ତି । ସେଇ ବିଭାଗ ଉପରେ ଅଜନ୍ତା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ଦାୟିତ୍ୱ ଅର୍ପିତ ହୁଏ । ପ୍ରଥମ ବିଶ୍ୱଯୁଦ୍ଧ ପରେ ଖୁବ୍‌ସମ୍ଭବ ଖ୍ରୀଷ୍ଟ ୧୯୨୦ରେ ନିଜାମ ନିଜେ ଆଗ୍ରହାନ୍ୱିତ ହୋଇ ଅଜନ୍ତାର ସଂସ୍କାର ସକାଶେ ଦୁଇଜଣ ଇତାଲିଆନ ପ୍ରଫେସର ଲରେନତ୍‌ସେ ଚେଚ୍ଚୋନୀ ଏବଂ କାଉଣ୍ଟ ଆନିର୍ସିଙ୍କୁ ନିଯୁକ୍ତ କରନ୍ତି । ଏ ଦୁହେଁ ବହୁକଷ୍ଟ ସ୍ୱୀକାର କରି ଗୁହାମଧ୍ୟସ୍ଥ ଚିତ୍ରଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି ଏବଂ ଚିତ୍ର ଗୁଡ଼ିକରେ ଅଠାଭଳି ଏକ ରକମ ଆସ୍ତରଣ ଲଗାଇ ଦିଅନ୍ତି ଯଦ୍ୱାର ମୂଳ ବିଷୟ ବସ୍ତୁର କୌଣସି ରକମ କ୍ଷତି ସାଧନନ କରି ଚିତ୍ରର ରଙ୍ଗଗୁଡ଼ିକ ଦୀର୍ଘ କାଳ ଜାଜୁଲ୍ୟମାନ ତଥା ଅମ୍ଳାନ ରହିପାରେ । ନିଜାମଙ୍କ ସଦ୍ଦିଚ୍ଛା ଏବଂ ଡା. ଗୋଲାମ ଇୟାଜଦୀନଙ୍କ ପ୍ରଗାଢ଼ ପ୍ରଚେଷ୍ଟା ଫଳରେ ଏଇ ସମୟରେ ଅଜନ୍ତାର ଚିତ୍ରାବଳି ସମ୍ୱଳିତ ଚାରିଖଣ୍ଡ ବିରାଟ ଆଲବମ୍‌ପ୍ରକାଶିତ ହୁଏ । ମିଷ୍ଟର ଗ୍ରିଫ୍‌ସ୍ଥଙ୍କ ଚିତ୍ରରେ ବୁଦ୍ଧ ଜାତକ କାହାଣୀ ସେପରି ପରିଷ୍କାର ନଥିଲା । ଇୟାଜଦୀନ ତାଙ୍କର ଚିତ୍ରାବଳିରେ ସେ ଅଭାବ ଦୂର କରିପାରିଥିଲେ ।

 

ଦେଖିବା ସୁଯୋଗ ନ ପାଇଲେ ମଧ୍ୟ ଶୁଣିବାକୁ ପାଇଲୁ (U.N.E.S.C.O) ୟୁନେସ୍କୋ ଅଜନ୍ତାକୁ ନେଇ ରଙ୍ଗୀନ ଛବିର ଗୋଟିଏ ମୂଲ୍ୟବାନ ଆଲବମ୍‌ତୟାର କରିଛନ୍ତି । ଗୋଟିଏ ପକେଟ ଆଲବମ୍‌ମଧ୍ୟ ଏ ସଂସ୍ଥା ପ୍ରକାଶ କରିଛନ୍ତି ।

 

ଭାରତ ସରକାରଙ୍କ ଲଳିତକଳା ଏକାଡେମୀ ବିଭାଗ ୧୯୫୬ ସାଲରେ ଅଜନ୍ତାର ଗୋଟିଏ ପୂର୍ଣ୍ଣାଙ୍ଗ ଆଲବମ୍‌ସଂକଳିତ କରିଛନ୍ତି । ସର୍ବସାଧାରଣଙ୍କ ସହଜ ଲବ୍‌ଧ ପାଇଁ ଏହି ଆଲବମ୍‌ନିର୍ମିତ ହୋଇଥିବା ହେତୁ ଏଥିରେ ସେପରି ମୂଲ୍ୟବାନ ରଙ୍ଗ ବ୍ୟବହୃତ କରାଯାଇନାହିଁ ।

 

ଅଜନ୍ତା ଗୁହାଗୁଡ଼ିକ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀଠାରୁ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ଏଇ ଦୀର୍ଘ ନଅଶହ ବର୍ଷ ମଧ୍ୟରେ ନିର୍ମିତ ହୁଏ । ତା’ ପରେ କେଉଁ ଏକ ଅଜ୍ଞାତକାରଣରୁ ତାହା ପ୍ରାୟ ଏଗାରଶହ ବର୍ଷ ଅବଲୁପ୍ତି ମଧ୍ୟରେ ପଡ଼ିଯାଏ । ୧୮୧୭ ସାଲରେ ତାହା ପୁନଃ ଆବିଷ୍କୃତ ହେଲେ ମଧ୍ୟ ଆବିଷ୍କାରର ପ୍ରାୟ ଷାଠିଏବର୍ଷ ପରେ ୧୮୭୯ରେ ଡ.ବାର୍ଜେସଙ୍କ ଲେଖା କାହାଣୀରୁ ତା’ର ପ୍ରଚାର ହୋଇଥାଏ । ସେ କାହାଣୀରେ ୧, ୨, ୪, ୬, ୭, ୯, ୧୦, ୧୧, ୧୫, ୧୬, ୧୭, ୧୯, ୨୦, ୨୧, ୨୨,ଏବଂ ୨୬ ସଂଖ୍ୟକ ଗୁହାଗୁଡ଼ିକ ଚିତ୍ର ସମ୍ଭାରରେ ରଞ୍ଜିତ ଥିବା କଥା ଦେଖିବାକୁ ମିଳିଥାଏ । ଏହାର ମଧ୍ୟରୁ ମାତ୍ର ଏଗାରଟି ଗୁହାର ଚିତ୍ର ଗ୍ରିଫସ୍ଥଙ୍କ ଅଙ୍କା ଚିତ୍ରାବଳୀ ମଧ୍ୟରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ କେବଳ ୧, ୨, ୯, ୧୦, ୧୬ ଏବଂ ୧୭ ସଂଖ୍ୟକ ଗୁହାର ଚିତ୍ରଗୁଡ଼ିକ ପରିଷ୍କାର ଦେଖାଯାଇଥାଏ । ଏଇ ଶିଳ୍ପରେ ବୌଦ୍ଧ ଶ୍ରମଣମାନଙ୍କ ପ୍ରଧାନ ଭୂମିକା ଥିଲାପରି ମନେହୁଏ । ଅଜନ୍ତାରେ ସର୍ବ ମୋଟ ତିରିଶି ଗୁହା ବର୍ତ୍ତମାନ ଦେଖିବାକୁ ମିଳିଥାଏ । ତାହା ଭିତରୁ ୯, ୧୦, ୧୯, ୨୬ ଏବଂ ୨୯ ସଂଖ୍ୟକ ଗୁହାଗୁଡ଼ିକ ଚୈତ୍ୟ ବା ଉପାସନା ଗୃହ, ଅନ୍ୟଗୁଡ଼ିକ ବିହାର ବା ସଙ୍ଘାରାମ । ଅନେକେ ଏଗୁଡ଼ିକୁ ବୌଦ୍ଧ ଶ୍ରମଣମାନଙ୍କ ବିଶ୍ରାମ ଗୃହ ବୋଲି ମଧ୍ୟ କହିଥାଆନ୍ତି । ପଣ୍ଡିତଗଣଙ୍କ ମତରେ, ୮, ୯, ୧୦, ୧୨, ୧୩,ଏବଂ ୩୦ ସଂଖ୍ୟକ ଏ ଛଅଟି ଗୁହା ବହୁ ପ୍ରାଚୀନ । ଏ ଗୁଡ଼ିକର ନିର୍ମାଣକାଳ ଖ୍ରୀଷ୍ଟପୂର୍ବ ୨୦୦ ବର୍ଷଠାରୁ ଖ୍ରୀଷ୍ଟ ୨୦୦ ବର୍ଷ ମଧ୍ୟରେ; ଅବଶିଷ୍ଟ ଗୁଡ଼ିକ ସପ୍ତମ ଶତାବ୍ଦୀରେ ନିର୍ମିତ ।

 

ଉତ୍ତର ଭାରତରେ ଗୁପ୍ତ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟରେ କେତେକ ଶକ୍ତିଶାଳୀ ରାଜବଂଶର ଉତ୍‌ଥାନ ଦେଖାଯାଏ । ତା’ ମଧ୍ୟରେ ବାକଟକ ଓ ରାଷ୍ଟ୍ରକୂଟ ନାମ ବିଶେଷ ଭାବେ ଉଲ୍ଲେଖନୀୟ । ସେ ସମୟ ବୌଦ୍ଧ ମତରେ ମହାଯାନଯୁଗ । ସେତେବେଳକୁ ଶାକ୍ୟ ମୁନିଙ୍କ ପ୍ରତିମୂର୍ତ୍ତି ବୌଦ୍ଧ ମନ୍ଦିରରେ ପ୍ରତିଷ୍ଠା ଲାଭ କରିସାରିଲାଣି । ଅଜନ୍ତାର ଅଧକାଂଶ ଗୁହା ଏଇ ମହାଯାନ ଯୁଗରେ ନିର୍ମିତ । ଏଇ ଅଞ୍ଚଳ ପରିସ୍ଥିତିକୁ ପର୍ଯ୍ୟାଲୋଚନା କଲେ, ଦଶମ ଶତାବ୍ଦୀ ଯାଏଁ ଅଜନ୍ତାର ଗୌରବ ଅକ୍ଷୁଣ୍ଣ ଥିଲା । ପରେ କେଉଁ ସମୟରେ ବା କାହିଁକି ଏହି ବିଖ୍ୟାତ ‘ଅଜନ୍ତା’ ହଠାତ୍‍ ଉପେକ୍ଷିତ ହେଲା ତା’ର କୌଣସି ସଠିକ୍‍ କାରଣ ଜଣା ଯାଇନି । ଏହା ହେଲା ମୋଟା ମୋଟି ଅଜନ୍ତା ‘କେଭ୍‌’ ଦେଖା ପ୍ରାକ୍‌କାଳର ଭୂମିକା । ଏଥର ଆପଣମାନେ ଆସନ୍ତୁ ଏବଂ ଅଜନ୍ତାର ଗୁହଗୁଡ଼ିକ ଦେଖି ଧନ୍ୟ ହୁଅନ୍ତୁ ।’’ ନିଜର କଥା ଶେଷକରି ଗାଇଡ଼ ମହାଶୟ ଆଗେଇ ଗଲେ ଏବଂ ଆମେମାନେ ମଧ୍ୟ ତାଙ୍କୁ ଅନୁସରଣ କରିବାକୁ ଲାଗିଲୁ ।

 

ଅଜନ୍ତା ୧ମ ଗୁହା—ଅଜନ୍ତାର ପ୍ରଥମ ସଂଖ୍ୟକ ଗୁହାଟି ଗୋଟିଏ ବିହାର । ଖୁବ୍‍ ସମ୍ଭବ ଚାଲୁକ୍ୟଙ୍କ ରାଜତ୍ୱ ସମୟେ ଖ୍ରୀ: ୬୦୦ରୁ ୬୪୨ ସାଳ ମଧ୍ୟରେ ମହାଯାନ ଯୁଗରେ ଏହା ନିର୍ମିତ। ଅବସ୍ଥାନ ଦୃଷ୍ଟିରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ହେଁ ଏହାର ନିର୍ମାଣ ସମୟ ବହୁ ପରେ-। ଅତୀତରେ ଗୁହାର ସମ୍ମୁଖ ଭାଗରେ ଆଧୁନିକ ଯୁଗର ଗାଡ଼ି ବାରଣ୍ଡା ଭଳି ଏକ ଅଂଶ ଯୁକ୍ତ ଥିଲା-। ବର୍ତ୍ତମାନ କେବଳ ତା’ର ଭଗ୍ନାଂଶ ଦେଖାଯାଇଥାଏ । ଏହାକୁ ଅତିକ୍ରମ କଲେ ଛଅଗୋଟି ପୂର୍ଣ୍ଣାକାର ଓ ଦୁଇଗୋଟି ଅର୍ଦ୍ଧାକାର ସ୍ତମ୍ଭ ଦେଖାଯାଏ । ସ୍ତମ୍ଭର ପାଦଦେଶ ଚତୁଃଷ୍କୋଣ ଏବଂ ଊର୍ଦ୍ଧ୍ୱାଂଶ ଅଷ୍ଟକୋଣ । ପ୍ରବେଶ ପଥର ଦୁଇ ପାର୍ଶ୍ୱସ୍ଥ ସ୍ତମ୍ଭ ଦୂଇଟିର ଅଳଙ୍କରଣ ଅନ୍ୟସ୍ତମ୍ଭ ଅପେକ୍ଷା ବେଶି ଆକର୍ଷଣୀୟ ତଥା ମନୋମୁଗ୍‌ଧକର । ଖୁବ୍‍ ସମ୍ଭବ ଏହା ଅଳିନ୍ଦ । ଏହାକୁ ପାର ହେବା ପରେ ମୂଳ ଗୁହା ଭିତରେ ପ୍ରବେଶ କରିବାକୁ ହୁଏ । ସ୍ୱାଭବିକ ଭାବେ ଗୁହା ଭିତରେ ଅନ୍ଧାର ଆଲୋକର ସମାନ ରାଜତ୍ୱ । ତେବେ କର୍ତ୍ତୃପକ୍ଷ ଦର୍ଶକଙ୍କ ସୁବିଧାର୍ଥେ ବୈଦ୍ୟୁତିକ ଆଲୋକର ବ୍ୟବସ୍ଥା କରିଛନ୍ତି । ଯାତ୍ରୀଗଣ ପୂର୍ବରୁ ଟଙ୍କାଦେଇ ଟିକେଟ ନେଇଥାନ୍ତି । ସେଇ ଟିକେଟ ଦେଖାଇଲେ ଭାରପ୍ରାପ୍ତ କର୍ମଚାରୀ ବତି ଜଳାଇ ଅତି ଯତ୍ନ ସହକାରେ କାନ୍ଥ ଚିତ୍ର ଗୁଡ଼ିକକୁ ଦେଖାଇ ଦେଇଥାନ୍ତି । ଏଇ ସ୍ୱଳ୍ପ ସମୟ ଦେଖାରେ ଚିତ୍ରଗୁଡ଼ିକ ସେପରି ରସଗ୍ରାହୀ ହୋଇ ପାରେନା । ଯେଉଁମାନେ ପୂର୍ବରୁ ବୁଦ୍ଧ ଜାତକ କାହାଣୀ ଉପରେ ସମ୍ୟକ୍‌ଜ୍ଞାନ ଆହରଣ କରି ପାରିଛନ୍ତି, ସେମାନଙ୍କ ପକ୍ଷରେ ଏ ଚିତ୍ରଗୁଡ଼ିକ ସହଜରେ ବୋଧଗମ୍ୟ ହୋଇଥାଏ ।

 

ଗୌତମ ବୁଦ୍ଧ ପୂର୍ବ ଜନ୍ମରେ ଯେଉଁ ଲୀଳା ଖେଳା କରଇଛନ୍ତି, ସେଗୁଡ଼ିକ ଲିପିବଦ୍ଧ ଥିବା ଗ୍ରନ୍ଥର ନାମ ବୁଦ୍ଧ ଜାତକ । ପାଞ୍ଚଶତରୁ ଊର୍ଦ୍ଧ୍ୱ ଏପରି ଲୀଳା କାହାଣୀ ଥିବା କଥା ଶୁଣିବାକୁ ମିଳେ । ବୁଦ୍ଧଙ୍କ ପ୍ରତିବାର ଧରାଧାମେ ଅବତୀର୍ଣ୍ଣ ରୂପକୁ ବୋଧିସତ୍ତ୍ୱ କୁହାଯାଏ । ସେମାନେ କିଏ ହେଲେ ପୂର୍ଣ୍ଣ ବୁଦ୍ଧ ନୁହନ୍ତି । ଗୌତମ ବା ସିଦ୍ଧାର୍ଥ ସର୍ବଶେଷରେ ପୂର୍ଣ୍ଣ ବୁଦ୍ଧ ଭାବେ ଆତ୍ମ ପ୍ରକାଶ କରନ୍ତି । ଏହା ପୂର୍ବରୁ ବହୁରୁପେ ବହୁ ଜାଗାରେ ବୋଧିସତ୍ତ୍ୱ ରୂପେ ଅବତାର ଗ୍ରହଣ କରି ବୁଦ୍ଧତ୍ୱ ପ୍ରାପ୍ତି ଦିଗରେ ପଦେ ପଦେ ଅଗ୍ରସର ହେଉଥାନ୍ତି । ଏଇ ସବୁ କାହାଣୀ ବୁଦ୍ଧ ଜାତକର ମୂଳ ଉପଜୀବ୍ୟ ।

 

ଏହି ଗୁହାରେ ନିମ୍ନୋକ୍ତ ଜାତକ କାହାଣୀଗୁଡ଼ିକ ଦେଖିବାକୁ ମିଳିଥାଏ । (୧) ସଙ୍ଘପାଳ ଜାତକ (୨) ମହାଜନ ଜାତକ (୩) ଶିବ ଜାତକ (୪) ନାଗ ରାଜାରାଣୀ (୫) ଯୁଯୁଧାନ ଷଣ୍ଢ, (୬) ଷଡ଼ଭୂଜ ବାମନ ମୂର୍ତ୍ତି, (୭) ରାଜପୁତ୍ର ଅଭିଷେକ, (୮) (କ) ଅବଲୋକିତେଶ୍ୱର ପଦ୍ମପାଣି (ଖ) ଅବଲୋକିତେଶ୍ୱର କୃଷ୍ଣନାୟିକା(୯)ଅବଲୋକିତେଶ୍ୱର ବଜ୍ରପାଣି (୧୦) ମାଆରକର୍ତ୍ତୃକ ତପସ୍ୟା ଭଙ୍ଗ, (୧୧) ଗଙ୍ଗା, (୧୨) ଯମୁନା, (୧୩) ସାରନାଥ ପଦ୍ମାସନେ ବୁଦ୍ଧ, (୧୪) ସହସ୍ର ବୁଦ୍ଧ, (ଶ୍ରାବନ୍ତୀର ଘଟଣା ଅବଲମ୍ୱନେ), (୧୫) କୃଷ୍ଣା ରାଜକୁମାରୀ, (୧୬) ଯୁଗ୍ମହସ୍ତା, (୧୭) ପାରସ୍ୟ ସମ୍ରାଟ ଓ ରାଣୀ, (୧୮) ଚାରିଗୋଟି ହରିଣର ଗୋଟିଏ ମୁଣ୍ଡ, (୧୯) ଚାଲୁକ୍ୟ ରାଜ ଦ୍ୱିତୀୟ ପୁର କେଶରୀଙ୍କ ରାଜସଭା, (୨୦) ପୁର ଲଲନା ଓ ଭିକ୍ଷୁ, (୨୧) ବୋଧିସତ୍ତ୍ୱଙ୍କୁ ଅନ୍ନ ଦାନ (ଚମ୍ପୋୟ ଜାତକ) ।

 

ବୁଦ୍ଧ ଜାତକର ସମସ୍ତ କାହାଣୀ ଜାଣିବା ଯେ ସମ୍ଭବପର ନୁହେଁ, ସେପରି ଭ୍ରମଣ କାହାଣୀ ମଧ୍ୟରେ ସେ ସବୁକୁ ସନ୍ମିବେଶିତ କରି ବହିର କଳେବର ବୃଦ୍ଧି କରିବା ମଧ୍ୟ ଉଚିତ୍‌ନୁହେଁ । ତେବେ ମହାଜନକ ଜାତକର କ୍କୁପ୍ତ କାହାଣୀ ଏଠାରେ ଉଦ୍ଧୃତ କରାଯାଉଛି । ଏ କାହାଣୀ ମାଧ୍ୟମରେ ଭବିଷ୍ୟତ ବୁଦ୍ଧଙ୍କ ଆଭାସ ମିଳିଥାଏ ।

 

ମିଥିଳା ରାଜକୁମାରୀ ସାବଳୀ ବିଶ୍ୱବିଖ୍ୟାତ ବିଦୂଷୀ ତଥା ତର୍କ ପାରଙ୍ଗମା । ପିତୃହୀନା ରାଜକୁମାରୀ ମାତାଙ୍କ ତତ୍ତ୍ୱାବଧାନରେ ପାଳିତା ହୋଇ ଅଗାଧ ପାଣ୍ଡିତ୍ୟ ଅର୍ଜନ କରନ୍ତି । ତାଙ୍କର ପ୍ରତିଜ୍ଞା ‘‘ଯିଏ ତର୍କରେ ତଥା ପାଣ୍ଡିତ୍ୟରେ ତାହାଙ୍କୁ ପରାସ୍ତ କରିପାରିବ ସେ ତାହାଙ୍କୁ ସ୍ୱାମୀରୂପେ ବରଣ କରିବେ ଏବଂ ସେହି ଭାଗ୍ୟବାନ ହେବ ମିଥିଳାର ଭବିଷ୍ୟତ ଭାଗ୍ୟଧର । ରାଜ୍ୟ ତଥା ରାଜକୁମାରୀ ଲୋଭରେ ଅନେକ ରାଜକୁମାର ତଥା ପଣ୍ଡିତ ବ୍ୟକ୍ତି ମିଥିଳାକୁ ଆଗମନ କରି ପାଣ୍ଡିତ୍ୟର ପରୀକ୍ଷା ଦେଇଛନ୍ତି ଏବଂ ରାଜକୁମାରୀ ସାବଳୀଙ୍କ ନିକଟରେ ପରାଜୟ ସ୍ୱୀକାର କରି ନତ ମସ୍ତକେ ବିଦାୟ ନେଇଛନ୍ତି । ପରିବେଶ ଏପରି ହୋଇଛି ଯେ ଏଣିକି ଆଉ କୌଣସି ବ୍ୟକ୍ତି ଏଇ ତର୍କ ଜାଲ ଭିତରେ ପ୍ରବିଷ୍ଟ ହେବାକୁ ଚାହୁଁ ନାହାନ୍ତି । ଏପରି ଏକ ଘଡ଼ିସନ୍ଧିବେଳେ ବିଶ୍ୱବରେଣ୍ୟ ବିଦ୍ୱାନ ଚେଦି ରାଜକୁମାର ମିଥିଳାରେ ଉପସ୍ଥିତ ହେଲେ । ରୂପ ଏବଂ ଗୁଣସହ ବଂଶର ପରିଚୟ ପାଇ ବୃଦ୍ଧ ମନ୍ତ୍ରୀ ପ୍ରରୋଚିତ କରାଇଲେ ରାଜକୁମାରୀ ସଙ୍ଗେ ପାଣ୍ଡିତ୍ୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ।

 

ରାଜା ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକଲେ । ଶାସ୍ତ୍ରାଲୋଚନା ସକାଶେ ଦିନ ଠିକ୍‌ହେଲା । ନିର୍ଦ୍ଧାରିତ ସମୟେ ଉଭୟେ ଆସି ତର୍କ ମଣ୍ଡପରେ ଯୋଗଦେଲେ ଯୁବରାଜ ଅପରୂପ ଲାବଣ୍ୟମୟୀ, ସୁନ୍ଦରୀ ସାବଳୀଙ୍କୁ ଦେଖି ମୋହିତ ହୋଇ ପଡ଼ିଲେ । ତାଙ୍କର ସମସ୍ତ ବୁଦ୍ଧିଜ୍ଞାନ ରମଣୀରରୂପାନଳେ ଧ୍ୱଂସ ହୋଇଗଲା । ତକ୍ଷଶୀଳାରେ ଗୁରୁ ନିକଟରୁ ଆହରଣ କରିଥିବା ସମସ୍ତ ବିଦ୍ୟା ଆବଶ୍ୟକବେଳେ ‘‘ହଯବରଳ’’ ହୋଇ ପଡ଼ିଲା । ଯୁବତୀର କଟାକ୍ଷ ନିକଟରେ ସମସ୍ତ ଜ୍ଞାନ ଲୋପ ପାଇଗଲା । ଯୁବରାଜ ରାଜକୁମାରୀଙ୍କ ପ୍ରଶ୍ନର ଉତ୍ତର ଶାସ୍ତ୍ର ମଧ୍ୟରେ ଖୋଜ ନ କରି ସାବଳୀଙ୍କ ମୁଖପଦ୍ମରେ ଖୋଜିବାରେ ବ୍ୟାପୃପ୍ତ ହେଲେ । ମୁଖ ପଦ୍ମଭଳି ପ୍ରସ୍ଫୁଟିତ ହେଲେ ମଧ୍ୟ ସେଥିରୁ ମଧୁ ସ୍ପୁରଣ ହେଲାନାହିଁ । ଯୁବରାଜ ପରାଜୟ ସ୍ୱୀକାର କରି ପଳାୟନ କଲେ । ଏହି ଘଟଣାରେ ବୃଦ୍ଧମନ୍ତ୍ରୀ କ୍ଷୁବଧ୍‌ହୋଇ ଉଠନ୍ତି । ଅପେକ୍ଷାକୃତ କଠିନ ଭାଷାରେ ରାଜକୁମାରୀଙ୍କୁ କୁହନ୍ତି, ‘‘ତୁମର ପ୍ରଶ୍ନ ଶାସ୍ତ୍ରୀତୀତ ଏବଂ ଉତ୍ତର ରହିତ । ସୁତାରାଂ ତୁମେ ଏ ପଣ ଶୀଘ୍ର ତ୍ୟାଗ କରି ପାତ୍ର ମନୋନୀତ କର । ଯଦି ଆବଶ୍ୟକ ମନେକର ତା ହେଲେ ମୁଁ ସ୍ୱୟମ୍ୱର ବ୍ୟବସ୍ଥା କରିପାରେ-। ଦୀର୍ଘଦିନ ମିଥିଳା ରାଜସିଂହାସନ ଶୂନ୍ୟ, ରାଜ୍ୟ ଅରାଜକ । ମୁଁ ବୃଦ୍ଧ, ରାଜ୍ୟ ପରିଚାଳନାରେ ଅପାରଗ । ତୁମେ ଶିଘ୍ର ସ୍ୱାମୀ ବରଣକରିମୋତେ ଦାୟମୁକ୍ତ କର ।

 

ମନ୍ତ୍ରୀଙ୍କ ଏପରି ଉକ୍ତିରେ ମଧ୍ୟ ସାବଳୀ ବିଚଳିତ ହେଲେ ନାହିଁ କି ନିଜ ସଫଳରୁ ବିଚ୍ୟୁତ ହେଲେ ନାହିଁ । ତର୍କ ଜାଲ ଛିନ୍ନ କରି କୌଣସି ଶକ୍ତି ତାଙ୍କର ଅଙ୍ଗ ସ୍ପର୍ଶ କରିପାରିବ ନାହିଁ ଏଇକଥା ପୁନଶ୍ଚ ଘେଷଣା କରି ନିଜ କଥାରେ ଅଟଳ ରହିଲେ ସେ ।

 

ନିରୁପାୟ ମନ୍ତ୍ରୀ ରାଜକନ୍ୟା ଭବିଷ୍ୟତ ଜାଣିବା ପାଇଁ ରାଜ ଜ୍ୟୋତିଷିଙ୍କୁ ଡକାଇ ପଠାଇଲେ । ଗ୍ରହାଚାର୍ଯ୍ୟ ଆସି ରାଜକୁମାରୀଙ୍କ ହସ୍ତରେଖା ବିଚାର କରି କହିଲେ, ସାବଳୀଙ୍କ ବିବାହ ଆସନ୍ନ । କିନ୍ତୁ ମିଥିଲା ରାଜବଂଶର ଧାରା ଏହାଙ୍କ ଦ୍ୱାରା ଅକ୍ଷୁଣ୍ଣ ରହିପାରିବ ନାହିଁ ଯେହେତୁ ଏହାଙ୍କ ଶୁନ୍ୟନ୍ତ୍ରୋଡ଼ ସନ୍ତାନ ଧରି ଧନ୍ୟ ହୋଇ ପାରିବନାହିଁ ।

 

ପ୍ରଗଲ୍‍ଭା ସାବଳୀ ଗ୍ରହାଚାର୍ଯ୍ୟଙ୍କୁ ପ୍ରଶ୍ନ କଲେ, ତା ହେଲେ କ’ଣ ମୁଁ ଜଣେ ନପୁଂସକକୁ ବିବାହ କରିବି ଗ୍ରହାଚାର୍ଯ୍ୟ ?

 

କଠିନ କଣ୍ଠେ ଗ୍ରହାଚାର୍ଯ୍ୟ ଉତ୍ତର ଦେଲେ, ନା ରାଜକୁମାରୀ ଯେ ତୁମର ସ୍ୱାମୀ ହେବ ସେ ଜଣେ ପୁରୁଷ ସିହଂ ମହାଜନକ । ଜନକ ହେବାର ସମସ୍ତ ବୈଶିଷ୍ଟ୍ୟ ଓ ଶକ୍ତି ତାଙ୍କର ଶରୀରେ ବିଦ୍ୟମାନ; ହେଲେ ହେଁ ତୁମର ସନ୍ତାନ ହେବନାହିଁ । ତୁମେ ତାହାକୁ ତୃପ୍ତିଦାନ କରିପାରିବ ନାହିଁ ।ଯେଉଁସବୁ ହତାଶ ଯୁବ ତରୁଣଗଣ ତୁମର ଉଦ୍‍ଭଟ ପ୍ରଶ୍ନ ପ୍ରଚୀର ଟପି ତୁମ ଜୀବନକୁ ଅତିଷ୍ଟ କରି ତୋଳିବ । କୃତକର୍ମର ପ୍ରାୟଶ୍ଚିତ୍ତ ତୁମକୁ କରିବାର ହେବ ।

 

ଗ୍ରହାଚାର୍ଯ୍ୟଙ୍କ ପରେମର୍ଶ ମୁତାବକ ରାଜହସ୍ତୀ ମସ୍ତକେ ସୁବର୍ଣ୍ଣ କଳସ ରଖି ରାଜପଥେ ଛାଡ଼ିଦିଅନ୍ତି ଭବିଷ୍ୟତ ମିଥିଳା ରାଜ୍ୟ ତଥା ସାବଳୀଙ୍କ ସ୍ୱାମୀ ନିର୍ବାଚନ ଉଦ୍ଧେଶ୍ୟ ନେଇ । ରାଜହସ୍ତୀର ମଦମତ୍ତ ଚାଲି ରାଜଦାଣ୍ତେ ଅଗ୍ରତେ ଏକ ସର୍ବସ୍ୱାନ୍ତ ବିଣିକ । କାରାବାର ପାଇଁ ତରୀ ବୋଝାଇ କରି ସମୁଦ୍ର ବକ୍ଷରେ ଯାତ୍ରା କରିଥିଲେ ସେ ମନରେ ବଡ଼ ଆଶା ନେଇ । ସମୁଦ୍ରିକ ଝଡ଼ରେ ତରୀ ସହ ସମସ୍ତ ବିସର୍ଜନ ଦେଇ କୌଣସି ରକମ ଜୀବନ ନେଇ ଏଇ ରାଜ୍ୟରେ ପହଞ୍ଚିଛନ୍ତି ଆଶ୍ରୟ ସହ ନିଜ ରାଜ୍ୟକୁ ଫେରିଯିବା ପାଥେୟ ଅନୁସନ୍ଧାନରେ । ଅନ୍ୟମନସ୍କ ଭାବେ ପଥ ଅତିକ୍ରମ କରୁ କରୁ ନିଜର ଅତୀତ ଜୀବନ କଥା ଭାବି ନେଉଛନ୍ତି । ନିଜର ପିତୃ ପରିଚୟ କ’ଣ ସେ ଜାଣନ୍ତି ନାହିଁ । ବିଧବା ଜନନୀ ମୁଖରୁ ଶୁଣିଛନ୍ତି ସେ ଜଣେ ହୃତସର୍ବସ୍ୱ ରାଜକୁମାର । କେଉଁ ଏକ ବିଖ୍ୟାତ ରାଜବଶଂରେ ତାଙ୍କର ଜନ୍ମ । ପିତା ନିଜର ଛୋଟ ଭାଇଦ୍ୱାରା ପ୍ରତାରିତ ହୋଇ ରାଜ୍ୟ ହରାଇ ବସନ୍ତି ଏବଂ ଶେଷରେ ସେଇ ଭାଇର କୁଚକ୍ରରେ ନିହିତ ହୁଅନ୍ତୁ । ଦେବରଙ୍କ ଅଭିପ୍ରାୟ ଜନନୀ ଜାଣିପାର ଗର୍ଭାବସ୍ଥାରେ କେତେକ ବିଶ୍ୱସ୍ତ ଅନୁଚରଙ୍କ ସାହାଯ୍ୟରେ ରାଜ୍ୟ ତ୍ୟାଗ କରି ପଳାୟନ କରନ୍ତି । ଅନେକ ପଥ ଅତିକ୍ରମ କରିବା ପରେ ଏକ ଗଣ୍ତପଲ୍ଲୀ ଗ୍ରାମରେ ପୁତ୍ରରଜନ୍ମ ହୁଏ । ସେଇ ଦୀନହୀନ ପରିବେଶ ମଧ୍ୟରେ ସେ ମନୁଷ୍ୟ ହୁଅନ୍ତି । ଏହି ସକାଶେ ଜନନୀଙ୍କୁ ଅନେକ କୃଚ୍ଛ୍ର, ସାଧନ କରିବାକୁ ପଡ଼େ; ମାତାଙ୍କ ଦୂଢ଼ ବିଶ୍ୱାସ ସେ ଦିନେ ପିତାଙ୍କ ହୃତ୍ ରାଜ୍ୟ ପୁନରୁଦ୍ଧାର କରିବେ; କିନ୍ତୁ ଜନନୀଙ୍କ ସେ ବିଶ୍ୱାସରେ କୁଠାରଘାତ କରି ସେ ନିଜେ ବାଣିଜ୍ୟପ୍ରତି ଆକୃଷ୍ଠ ହୋଇ ଉଠିଲେ । ନିଜର ଅଧ୍ୟବସାୟ ଯୋଗେ ସେଥିରେ ଅଚିରେ ସାଫଲ୍ୟ ଅର୍ଜନ କରି ପାରିଥିଲେ; ସେ ତୃପ୍ତି ହୋଇ ପାରିଲେ ନାହିଁ । ସମୁଦ୍ର ପାରିକୁ ବାଣିଜ୍ୟ ଆଶାରେ ବୋଇତ ସଜାଇ ବାହାର ପଡ଼ିଲେ । ଭାଗ୍ୟ ବିପର୍ଯ୍ୟୟ ହେତୁ ସାଗର ଝଡ଼ରେ ସବଂସ୍ୱ ହରାଇ ସେ ଆଜି ଦୀନ ଭିଖାରୀ । ପଥ ସଦ୍ଧାନସକାଶେ ମିଥିଲା ପୁରୀରେ ଆସି ପହଞ୍ଚିଛନ୍ତି । ସକାଳୁ ଏ ଯାଏଁ ପେଟରେ ଦାନା ପଡ଼ିନାହିଁ । ପିପାସରେ କଣ୍ଠ ଶୁଖି ଯାଉଅଛି । ଆଖି ଏ ଦିଗେ ସେଦିଗେ ବୁଲାଇ ଦେଖିଲେ, ସୁସଜ୍ଜିତ ରାଜାଙ୍କ ପାଟହାତୀ ତାଙ୍କ ଆଡ଼କୁ ଲହସି ଆସୁଛି । ଆତ୍ମରକ୍ଷା କରିବା ସକାଶେ ସେ ପଥ ପାର୍ଶ୍ୱକୁଅପସରି ଯିବାକୁ ବସିଲେ; କିନ୍ତୁ ତାଙ୍କୁ ସେ ଅବସର ମିଳିଲା ନାହିଁ । ରାଜହସ୍ତୀ ଚକ୍ଷୁ ପଲକ ମାତ୍ରେ ତାଙ୍କର ମସ୍ତକେ ସୁବର୍ଣ୍ଣ କଳସ ଉଜାଡ଼ି ଦେଇ ଭବିଷ୍ୟତ ମିଥିଲା ଅଧିପତି ରୁପେ ବରଣ କରିନେଲା । ଶୁଣ୍ତ ଦ୍ୱାରା ତାଙ୍କୁ ଉତ୍ତୋଳନ କରି ପୃଷ୍ଠସ୍ଥିତ ଶୂନ୍ୟ ଆସନୋପରି ଉପବିଷ୍ଠି କରାଇ ଦେଲା । ସାଥେ ସାଥେ ଶଙ୍ଖ ହୁଳହୁଳି ସହ ମଙ୍ଗଳ ବାଜଣାବାଜି ଉଠି ପଥ ମୁଖରିତ ହୋଇ ଉଠିଲା । ଯୁବକ ସମସ୍ତ ବିଷୟ ଉପଲବ୍‍ଧି କରିବାକୁ ସମୟ ପାଇ ପାରିଲେ ନାହିଁ । ବୃଦ୍ଧମନ୍ତ୍ରୀ ନତମସ୍ତକେ ଅଭିବାଦନ ଜଣାଇ ହସ୍ତିୀଦ୍ୱାରା ମିଥିଳା ରାଜା ନିର୍ବାଚନର ଇତି ବୃତ୍ତାନ୍ତ ଜଣାଇଲେ ଏବଂ ଯୁବକଙ୍କୁ ନିଜର ପରିଚୟ ଦେବାକୁ ଅନୁରୋଧ କଲେ ।

 

ଯୁବକ ଏଭଳି ହଠାତ୍ ରାଜ୍ୟ ନାୟକ ନିର୍ବାଚନରେ ବିସ୍ମୟ ପ୍ରକାଶ କରି ଜନନୀ ନିକଟରୁ ପ୍ରାପ୍ତ ପରିଚୟ ପ୍ରଦାନ କଲେ ଏବଂ ପିତୃ ନାମ ନ ଜାଣି ଥିଲେ ମଧ୍ୟ ସେ ସେ ସଦ୍‍ବଂଶକ କ୍ଷତ୍ରିୟ ରାଜକୁମାର ଏକଥା କହିବାକୁ ଭୁଲିଲେ ନାହିଁ । ନିଜ ନାମ ଜଣାଇଲେ ମହାଜନକ ବୋଲି ।

 

ମହାଜନକ ନାମଟା ଶୁଣି ବୃଦ୍ଧ ମନ୍ତ୍ରୀ ଚମକି ଉଠିଲେ । ମନେ ମନେ ଗ୍ରହାଚାର୍ଯ୍ୟଙ୍କ ଉକ୍ତିଙ୍କ ମିଳାଇ ନେଲେ । ମନରେ ଯୁଗପତ୍‍ ଆନନ୍ଦ ଏବଂ ବିଷାଦ ଭାବ ଖେଳିଗଲା । ତେବେ ବି ଆସନ୍ନ ଦାୟ ମୁକ୍ତ ଆନନ୍ଦ ତାଙ୍କୁ ନିଶ୍ଚନ୍ତ କରାଇଲା । ଏକ ସଙ୍ଗେ ହସ୍ତୀପୃଷ୍ଠେ ବସି ରାଜପୁରୀକୁ ଯିବା ପରେ ମହାମନ୍ତ୍ରୀ ରାଜ୍ୟାଭିଷେକରେ ଅନ୍ୟତମ ପ୍ରବଳ ବାଧା ସାବଳୀଙ୍କ ପ୍ରତିଜ୍ଞା କଥା ମହାଜନକଙ୍କୁ ଜ୍ଞାତ କରାଇଲେ । ସେ ମଧ୍ୟ ଏଇ ପ୍ରତିୟୋଗିତାରେ ଯୋଗ ଦେବାକୁ ସାନନ୍ଦେପ୍ରତିଶ୍ରୁତି ପ୍ରଦାନ କରନ୍ତି । ଏଇ ଆଳାପ ମଧ୍ୟେ ରାଜହସ୍ତୀ ରାଜନବରରେ ପ୍ରବେଶ କରେ-

 

ନିର୍ଦିଷ୍ଟ ଦିନ ପ୍ରତିଦ୍ୱନ୍ଧୀ ରୁପେ ମହାଜନକଙ୍କୁ ଦେଖି ରାଜକୁମାରୀ ବିହ୍ୱଳିତ ହୋଇପଡ଼ିଛନ୍ତି । ମନେ ମନେ ତାଙ୍କୁ ପତିରୁପେ ବରଣ କରି ଅଜ୍ଞାତ କୁଳଶୀଳ ଯୁବକଙ୍କ ବିଜୟ ମନେ ମନେ କାମନା କରି ତର୍କ ଯୁଦ୍ଧେ ଅବତୀର୍ଣ୍ଣା ହୁଅନ୍ତି । ପ୍ରତିଯୋଗିତାରେ ଯୁବକ ଅତିସହଜରେ ଜୟମାଳା ଲାଭ କରନ୍ତି, ତତ୍ ସହ ବରଣ ମାଳା ମଧ୍ୟ ।

 

ଚମ୍ପା ନଗରୀରୁ ତାଙ୍କର ମାତା ନ ଆସିବା ଯାଏଁ ବିବାହାନୁଷ୍ଠାନ ସ୍ଥଗିତ ରଖିବା ପାଇଁ ମହାଜନକ ଅନୁରୋଧ ଜଣାନ୍ତି । ଏଥିରେ ଗ୍ରହାଚାର୍ଯ୍ୟ ସ୍ୱୟଂ ସବିନୟେ ମହାଜନକଙ୍କୁ ଜଣାନ୍ତି, ସମୁଦ୍ର ସେପାରି ଚମ୍ପା ନଗରୀରୁ ରାଜମାତା ପହଞ୍ଚିବା ସମୟ ସାପେକ୍ଷ । ଏ ଦିଗେ ଆଜି ରାତ୍ର ପ୍ରଭାତ ହେଲେ ରାଜ କୁମାରୀଙ୍କ ବିବାହ ଯୋଗ ଆଉ ନିକଟ ଭବିଷ୍ୟତରେ ନାହିଁ । ସୁତରାଂ ଯୁବକଙ୍କୁ ମାତାନୁମତି ପର୍ଯ୍ୟନ୍ତ ଅପେକ୍ଷା ନକରି ବିବାହରେ ଯୋଗଦେବାକୁ ହେବ । ମାତାଙ୍କ ଅନୁମତି ନିଶ୍ଚୟ ମିଳିବ ଏଇ ଭରସା ନେଇ ମହାଜନକ ବିବାହରେ ଅନୁମତି ପ୍ରଦାନ କଲେ । ସାବଳୀଙ୍କ ପାଣି ଗ୍ରହଣ କଲେ ।

 

ଅଚିରେ ରାଜାମାତା ସୁଦୂର ଚମ୍ପା ନଗରୀରୁ ମିଥିଳା ରାଜପଥରେ ପାଲିଙ୍କି ଆରୋହଣ ପୂର୍ବକ ରାଜନବରେ ପ୍ରବେଶ କଲେ । ରାଜ୍ୟ ଆଉ ରାଜ ଅନ୍ତଃପୁର ଦେଖି ତାଙ୍କର ମନ ଆନନ୍ଦରେ ଉଲ୍ଲସି ନ ଉଠି ବିଷାଦେ ଜର୍ଜରିତ ହୋଇ ଉଠିଲା । ଇତ୍ୟବସରରେ ସସ୍ତ୍ରୀକ ସନ୍ତାନ ଆସି ମାତାଙ୍କ ଚରଣେ ପ୍ରଣାମ ଜଣାଇଲେ । ଦୁହଁଙ୍କୁ କୋଳାଗ୍ରତ କରି ଆଶୀର୍ବାଦ କରିବା ପରିବର୍ତ୍ତେ ରାଜମାତା ସ୍ଥାଣୁବତ୍ ଦଣ୍ତାୟମାନ ରହିଲେ ।

 

ବିସ୍ମିତ ମହାଜନକ ପଥଶ୍ରମଜନିତ ଜନନୀଙ୍କ କ୍ଳାନ୍ତ ଅପମୋଚନ ସକାଶେ ବ୍ୟସ୍ତ ହୋଇ ଉଠିଲେ । ରାଜମାତା ଇଙ୍ଗିତରେ ସେସବୁ କର୍ମରୁ ବିରତ ହେବାକୁ ସନ୍ତାନକୁ ନିର୍ଦ୍ଦେଶ ଦେଇ ନିଜ ସକାଶେ ଉଦ୍ଧିଷ୍ଟ ପ୍ରକୋଷ୍ଠରେ ଗମ୍ୱୀର ଭାବେ ପ୍ରବେଶ କଲେ । ସଙ୍ଗେସଙ୍ଗେ ଅର୍ଗଳ ବନ୍ଦକରି ଦେଲେ ଏବଂ ପରିଚାରିକା ଦେଇ ଗ୍ରହାଚାର୍ଯ୍ୟଙ୍କୁ ନିଭୃତରେ ଦେଖାକରିବା ପାଇଁ ଆମନ୍ତ୍ରଣ ଜଣାଇଲେ । ଏଣେ ମହାଜନକ ଓ ସାବଳୀ ମାତାଙ୍କ ମନ ବେଦନାର କାରଣ ଅନୁଧ୍ୟ୍ୟାନ କରି ନ ପାରି କିଂକର୍ତ୍ତବ୍ୟବିମୂଢ଼ା ହୋଇପଡ଼ିଲେ ।

 

ଗ୍ରହାଚାର୍ଯ୍ୟ ଯଥାରୀତ ରାଜନବରରେ ଆସି ପହଞ୍ଚିଲେ ଏବଂ ରାଜମାତାଙ୍କୁ ଦେଖିବାମାତ୍ରେ ଚିହ୍ନିପାରି ଚମକି ଉଠିଲେ । ଏଯେ ପ୍ରାକ୍ତନ ମିଥିଳା ଅଧିପତି ଅରିଷ୍ଟନାୟକଙ୍କ ରାଣୀ । ଅଦୃଷ୍ଟର କି ଅଦଭୁତ ପରିହାସ, ସେଇ ରାଣୀ ଆଜି ପୁଣି ରାଜମାତା ରୂପେ ନିଜ ପ୍ରକୋଷ୍ଠରେ ପ୍ରବେଶ କରିଛନ୍ତି । ତାଙ୍କରି ସନ୍ତାନ ମହାଜନକ ଗୋପଜନକଙ୍କ କନ୍ୟା ସାବଳୀଙ୍କୁ ଅର୍ଥାତ୍‍ ନିଜ ପିତୃବ୍ୟ କନ୍ୟା ଭଗ୍ନୀକୁ ସହଧର୍ମିଣୀ ରୂପେ ଗ୍ରହଣ କରିଛନ୍ତି । ନିୟତିର ଏ କି ଅପୂର୍ବ ଲୀଳା ?

 

ରାଜମାତା ଗ୍ରହାଚାର୍ଯ୍ୟଙ୍କୁ ବସିବାକୁ ଅନୁରୋଧ କରିପ୍ରଶ୍ନକରି ବସିଲେ ମତେ ଚିହ୍ନିବା ନିଶ୍ଚୟ ତୁମେପକ୍ଷେ କଷ୍ଠକର ହୋଇନାହିଁ ଗ୍ରହାଚାର୍ଯ୍ୟ ? ତୁମର ଗଣନାରେ ଏସବୁ ବିଷୟ ମଧ୍ୟ ଅଛପା ରହିବା କଥା ନୁହେ ? ଜାଣି ଶୁଣିଏପରି ଏକ ଅସାମାଜିକ ବିବାହ ଅନୁଷ୍ଠିତ ହେବାକୁ ଦେଲ କିପରି ? ମୁଁ ବା ଜାଣି ଶୁଣି ଭାଇ ଭଉଣୀଙ୍କ ଏଇ ମିଳନକୁ ମାନିନେବି କିପରି ? ଏହାର ସାମାଧାନ ଜାଣିବାକୁ ଆଜି ମୁଁ ତୁମକୁ ଡକାଇଛି ଗ୍ରହାଚାର୍ଯ୍ୟ !

 

ଅଦୁଷ୍ଟ ଲିପି ଅଖଣ୍ତନୀୟ । ତା’ ନ ହେଲେତାଙ୍କ ପରି ଭବିଷ୍ୟତ ବକ୍ତାଙ୍କ ଏପରି ଭୁଲ ହୁଅନ୍ତା କାହିଁକି ? ରାଜମାତାଙ୍କ ପ୍ରଶ୍ନର ସଠିକ ଉତ୍ତର ଗ୍ରହାଚାର୍ଯ୍ୟ ଦେଇ ପାରିଲେ ନାହିଁ । ତେବେ ସେ ରାଜମାତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ରାଜମାତା, ତୁମର ସନ୍ତାନ ସ୍ୱୟଂ ବୋଧିସତ୍ତ୍ୱ । ଅନ୍ୟାୟ ତାହାଙ୍କୁ ସ୍ପର୍ଶ କରିପାରିବ ନାହିଁ । ସେ ନିଜେ ନିଶ୍ଚୟ ଉଚିତ୍‍ ପଥ ଗ୍ରହଣ କରିବେ । ତୁମେ ନିଜ ସନ୍ତାନ ଉପରେ ନିର୍ଭରକରି ମନକୁ ଶାନ୍ତ କର ।

 

ଗ୍ରହାଚାର୍ଯ୍ୟ ନିଶ୍ଚିନ୍ତ ହୋଇ ମନକୁ ଶାନ୍ତ କରିବାକୁ ଉପଦେଶ ଦେଲେ ମଧ୍ୟ ରାଜମାତା ଏତେ ସହଜେ ନିଜ ସନ୍ତାନର ଭବିଷ୍ୟତକୁ ଭାଗ୍ୟ ହାତରେ ଛାଡ଼ି ଦେବାକୁ ରାଜି ହେଲେନି । ଅଗ୍ରପଶ୍ଚାତ୍ ସମସ୍ତ ଚିନ୍ତାକରି ଘଟଣାକୁ ଯଥାସମ୍ୱବ ଗୁପ୍ତରଖି ସନ୍ତାନକୁ ସାବଳୀଙ୍କୁ ପରିତ୍ୟାଗ ପୂର୍ବକ ପୁନର୍ବିବାହ କରିବାକୁ ପ୍ରବର୍ତ୍ତାଇଲେ । ତତସତ୍ତ୍ୱେ ମହାଜନକ ମାତୃ ଆଜ୍ଞା ରକ୍ଷାକରି ଅପାପବିଦ୍ଧା ସାବଳୀଙ୍କୁ ପରିତ୍ୟାଗ କରିବା ପାଇଁ ରାଜି ହେଲେନାହିଁ, ପୁନର୍ବିବାହ ପାଇଁ ମଧ୍ୟ ଅସ୍ୱିକାର କଲେ ।

 

ଅଗତ୍ୟା ରାଜମାତା ପ୍ରକୃତ ଘଟଣା ଗୁପ୍ତରଖି ସନ୍ତାନ ଯେପରି ଭବିଷ୍ୟତ ସନ୍ତାନ ସନ୍ତତିର ଜନକ ହୋଇ ପ୍ରକୃତ ଗୃହୀ ହୋଇପାରେ, ତତ୍‍ପ୍ରତି ଚେଷ୍ଟିତ ହେବାକୁ ଲାଗିଲେ । ସାବଳୀଙ୍କୁ ଆଦର କରି ନିଜର ସ୍ୱାମୀଙ୍କୁ କରାୟତ୍ତ କରି ସଂସାରୀ କରିବାପାଇଁ ଯତ୍‍ପରୋନାସ୍ତି ଚେଷ୍ଟିତ ହେବାକୁ ଉପଦେଶ ଦେଲେ । ଶାଶୁଙ୍କ ପରାମର୍ଶାନୁଯାୟୀ ସାବଳୀ ସମସ୍ତ ପ୍ରଚେଷ୍ଠା କରିବାକୁ ଲାଗିଲେ ଏବଂ ଗ୍ରହାଚାର୍ଯ୍ୟଙ୍କ ଭବିଷ୍ୟତବାଣୀ ଯେପରି ମିଥ୍ୟା ପ୍ରମାଣିତ ହୁଏ, ସେଥିପ୍ରତି ଉତ୍ସାହୀ ହୋଇ ଉଠିଲେ ।

 

କିନ୍ତୁ କିଛି ଲାଭ ହେଲାନାହିଁ, ସୁନ୍ଦରୀ ସାବଳୀ ତାଙ୍କର ସମସ୍ତ ଯୌବନ ସମ୍ପଦ ନେଇ ମହାଜନକଙ୍କୁ ନିଜ ପ୍ରତି ଆକର୍ଷଣ କରିପାରିଲେ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ମହାଜନକ ନିର୍ବିକାର ଭାବ ନିକଟରେ ପରାଜିତା ହୋଇ ଅଧୋବନ୍ଦନେ ଫେରିଆସିଲେ କିନ୍ତୁ ମହାଜନକ ସାବଳୀ ପ୍ରତି ଉଦାସୀନ ନୁହନ୍ତି । ସେ ତାଙ୍କୁ ପ୍ରେମ କରନ୍ତି, ସ୍ନେହ କରନ୍ତି କିନ୍ତୁ ସେ ପ୍ରେମ ବା ସ୍ନେହରେ ପ୍ରିୟାଭାବ ବଦଳରେ ଭଗ୍ନି ବା ମାତୃଭାବ ବେଶିମାତ୍ରାରେ ଫୁଟି ଉଠେ । ଏହିପରି ସାବଳୀଙ୍କ ନିରାସକ୍ତ ନିରାନନ୍ଦ ଜୀବନ ଆଉ କେତେ ମାସ ଗଡ଼ିଚାଲେ ।

 

କିନ୍ତୁ ତା’ ମଧ୍ୟ ବିଧାତାର ଅଭିପ୍ରେତ ନୁହେଁ । ଏକଦା ରାଜା ନିଜ ହସ୍ତୀକୁ ନେଇ ଯାଆନ୍ତି ହିମାଳୟ, ଏକାକୀ ହିମାଳୟ ଅଭିମୁଖେ ଚାଲିଯାଆନ୍ତି । ସେଠାରେ ଜଣେ ସନ୍ନ୍ୟାସୀଙ୍କ ସହ ସାକ୍ଷାତ ହୁଏ ଏବଂ ମହାଜନକ ତାଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରି ରାଜଭବନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ମାଆ ଆଉ ସ୍ତ୍ରୀଙ୍କ ନିକଟରେ ସମସ୍ତ ବିଷୟ ଅବଗତ କରାଇ ସନ୍ନ୍ୟାସ ଗ୍ରହଣ କରିବା ସିଦ୍ଧାନ୍ତ ନିଅନ୍ତି ଏବଂ ଗୃହତ୍ୟାଗ କରି ଚାଲିଯାଆନ୍ତି ।

 

ସାବଳୀଙ୍କ ସମସ୍ତ ଚେଷ୍ଠା ବିଫଳ ହୁଏ । ରାଜମାତାଙ୍କ ସମସ୍ତ ବାସନା ଧୂଳିସାତ୍ ହୁଏ । ନିରୁପାୟ ସାବଳୀ ସ୍ୱାମୀଙ୍କର ସାଧନା ପଥ ଅନୁସରଣ କରନ୍ତି ଓ ନିଜ ସ୍ୱାମୀଙ୍କ ଔରସେ ସନ୍ତାନ ଜାତ କରାଇ ସେ ଶାଶୁଙ୍କ ନିକଟରେ କରିଥିବା ପ୍ରତିଜ୍ଞା ପୁରଣ କରିବା ସଙ୍ଗେ ସଙ୍ଗେ ଗ୍ରହାଚାର୍ଯ୍ୟଙ୍କ ବାକ୍ୟ ମିଥ୍ୟାରେ ପରିଣତ କରାଇବେ ବୋଲି ଦୃଢ଼ସଂକଳ୍ପ କରନ୍ତି । ଏଇ କର୍ମ ପାଇଁ ଚାଲିବ ତାଙ୍କର କଠୋର ସାଧନା । ଏହା ହିଁ ହେବ ତାଙ୍କର ଜୀବନର ଚରମ ବ୍ରତ ।

 

ସାବଳୀଙ୍କ ପ୍ରତିଜ୍ଞା କଥା ଶୁଣି ରାଜ୍ୟ ସିଂହାସନ ରକ୍ଷାକରିବା ବିଷୟ ନେଇ ମହାମନ୍ତ୍ରୀ ଚିନ୍ତିତ ହୋଇ ଉଠିଲେ ଏବଂ ଗ୍ରହାଚାର୍ଯ୍ୟଙ୍କୁ ସଙ୍ଗରେ ନେଇ ରାଜକନ୍ୟାଙ୍କ ନିଜ ସଙ୍କଳ୍ପ ତ୍ୟାଗ କରିବା ପାଇଁ ଅନୁରୋଧ କଲେ । ସାବଳୀ କୌଣସି ଅନୁରୋଧକୁ ଅପେକ୍ଷା ନ କରି ନିଜ କଥା ଉପରେ ଅଟଳ ରହିଲେ । ଗ୍ରହାଚାର୍ଯ୍ୟ ତାଙ୍କର ଦୂଢ଼ତା ଦେଖି ପରମ ପ୍ରୀତ ହୋଇ ସଂକଳ୍ପରେ ସିଦ୍ଧିଲାଭ କରିବା ସକାଶେ ଆଶିଷ ପ୍ରଦାନ କଲେ ।

 

ଗ୍ରହାଚାର୍ଯ୍ୟଙ୍କ ଆଚରଣ ଦେଖି ବିସ୍ମିତ ମହାମନ୍ତ୍ରୀ ଏହାର ତାତ୍ପର୍ଯ୍ୟ ନେଇ ପ୍ରଶ୍ନ କରନ୍ତି ଏ କିପରି ସମ୍ଭବ ବ୍ରାହ୍ମଣ ? ରାଜା ସନ୍ନ୍ୟାସୀ ହୋଇ ଗୃହତ୍ୟାଗ କରି ଚାଲିଗଲେ । ଅନ୍ୟଦିଗେ ରାଜକୁମାରୀଙ୍କ କଠୋର ପଣ ସେ ସାଧନା ଦ୍ୱାରା ନିଜ ସ୍ୱାମୀଙ୍କ ଔରସେ ସନ୍ତାନ ଜନ୍ମ କରାଇ ସ୍ତ୍ରୀ ତଥା ମାତୃଧର୍ମ ପାଳନ କରିବେ । ଜଣେ ବ୍ରତଚ୍ୟୁତ ନ ହେଲେ ତୁମର ଏ ଆଶିଷ କିପରି ସମ୍ୱବ ହେବ ଗ୍ରହାଚାର୍ଯ୍ୟ ।

 

ଗ୍ରହାଚାର୍ଯ୍ୟ କ୍ଷଣକାଳ ନୀରବ ରହି କହିଲେ ନା ମହାମନ୍ତ୍ରୀ ! ଏ ଦୁହେଁ କିଏ ହେଲେ ଚପଳମତି ନୁହଁନ୍ତି । ସୁତରାଂ ସଂକଳ୍ପ ତ୍ୟାଗର ପ୍ରଶ୍ନ ଅବାନ୍ତର । ମହାଜନକ ସ୍ୱୟଂ ବୋଧିସତ୍ତ୍ୱ । ତେବେ ସେ ଶତ ଚେଷ୍ଟା କଲେହେଁ ଏ ଜନ୍ମେ ବୁଦ୍ଧତ୍ୱ ପ୍ରାପ୍ତି ହୋଇପାରିବେ ନାହିଁ । ଏହିପରି ବୋଧିସତ୍ତ୍ୱ ଭାବେ ସେ ଆହୁରି ଅନେକ ଥର ଜନ୍ମ ଗ୍ରହଣ କରିବେ । ସେହି ଜନ୍ମରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇ ସେ ଚରମ ସିଦ୍ଧିଲାଭ କରିପାରିବେ ।

 

ସାବଳୀ ମଧ୍ୟ ଏ ଜନ୍ମରେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନାହିଁ । ତେବେ ମାତୃତ୍ୱର ତୀର୍ଥ ପଥେ ଅଗ୍ରସର ହୋଇ ପାରିବେ । ଏହିପରି ଭାବେ ଅନେକ ଜନ୍ମ ବୋଧିସତ୍ତ୍ୱଙ୍କ ଲିଳା ସହଚରିରୂପେ ଜନ୍ମଗ୍ରହଣ କରି ତପସ୍ୟା କରିଯିବେ । ପରିଶେଷରେ ସୁପ୍ରବୁଦ୍ଧ ତନୟା ଯଶୋଧାରା ନାମେ ଜନ୍ମଗ୍ରହଣ କରିବେ । ସେଇ ଶେଷ ଜନ୍ମରେ ସିଦ୍ଦାର୍ଥରୁପୀ ମହାଜନକ ଯଶୋଧାରାରୁପୀ ସାବଳୀଙ୍କ ଆଶା ପୂରଣ କରିବେ । ଦୁହିଁଙ୍କ ଶୁଭ ପ୍ରଣୟକୁ ସାର୍ଥକ କରି ରାହୁଳ ନାମକ ଏକ ସନ୍ତାନ ଜନ୍ମ–ଗ୍ରହଣ କରିବ । ଏହା ହଁ ହେବ ଏଇ ଜୀବନ ନାଟକର ଶେଷ ଅଙ୍କ ।’’

 

ଏହା ହଁ ହେଲା ମହାଜନକ ଜାତକର ବର୍ଣ୍ଣିତ କାହାଣୀ ତଥା ବୁଦ୍ଧଙ୍କ ପୂର୍ବଜନ୍ମର ଆଂଶିକ ଚିତ୍ର । ଏହି ଚିତ୍ର କାହାଣୀଟି ପ୍ରଥମ ଗୁହାରେ ସବିସ୍ତାରେ ଦେଖିବାକୁ ମିଳେ । ସମସ୍ତ ଚିତ୍ର ଯଦିଚ ବର୍ତ୍ତମାନ ନଷ୍ଟହେବା ଫଳରେ ପରିଷ୍କାର ଦେଖାଯାଏନା, ତେବେ ବି ଅଳ୍ପ ଚେଷ୍ଟା କଲେ ବା ଅନ୍ୟ କେହି ଅଭିଜ୍ଞ ବ୍ୟକ୍ତି ଦର୍ଶାଇ ଦେଲେ ବୁଝିବା ପାଇଁ କଷ୍ଟ ହୁଏନା । ଏହି ପରି ବୁଦ୍ଧ ଜାତକର ବିଭିନ୍ନ କାହାଣୀର ପଟ୍ଟଭୂମିରେ ରଚିତ ହୋଇଛି ଏକ ଏକ ଜୀବନର ପ୍ରାଚୀର ଚିତ୍ର । ଏହିସବୁ ଚିତ୍ରରୁ ଭାଷା ଉଦ୍ଧାର କରିବାକୁ ହେଲେ ଆବଶ୍ୟକ କଠୋର ସାଧନ ସହ ନିଷ୍ଠା ଓ ଅଧ୍ୟବସାୟ ।

 

ଏହି ଗୁହାର ଅନ୍ୟତମ ପ୍ରଧାନ ଆକର୍ଷଣ ଅବଲୋକିତେଶ୍ୱର ଓ ପଦ୍ମପାଣି ଚିତ୍ର । ଯାହାକୁ ଅତୁଳନୀୟ କୁହାଯାଇପାରେ । ଚିତ୍ରକୁ ଯେତେ ଦେଖିଲେ ମଧ୍ୟ ତୃପ୍ତି ଆସେନା । ଅବଲୋକିତେଶ୍ୱର ପଦ୍ମପାଣି ବୁଦ୍ଧଙ୍କ ଅଂଶ ବିଶେଷ, ଏକ ଜନ୍ମାନ୍ତରର ବୋଧିସତ୍ତ୍ୱ । ସେ ପ୍ରତିଜ୍ଞା କରିଥିଲେ ସମସ୍ତ ଜୀବଜଗତ ମୋକ୍ଷଲାଭ କରିବାଯାଏ ସେ ନିର୍ବାଣଲାଭ କରିବେ ନାହିଁ । ଶିଳ୍ପୀର ନିଖୁଣ ତୁଳୀରେ ଚିତ୍ରଟି ଜୀବନ୍ତ ପ୍ରତୀୟମାନ ହୁଏ ।

 

ଏହି ଗୁହାର ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠ ମଧ୍ୟରେ ଦେଖାଯାଏ ସିଦ୍ଧାର୍ଥ କଠୋର ତପସ୍ୟାରେ ମଗ୍ନ । ତାଙ୍କର ତପସ୍ୟା ଭଙ୍ଗକରିବାପାଇଁ ଘେରି ରହିଛନ୍ତି ମାରଙ୍କ ସେନାଗଣ । ମାରଙ୍କ ଲାସ୍ୟମୟୀ ତିନିଜଣ ସୁନ୍ଦରୀ କନ୍ୟା ଯୌବନଦୀପ୍ତ ତନୁଲାବଣ୍ୟନେଇ ସମ୍ମୋହିତ କରି ତପସ୍ୟା ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ସିଦ୍ଧାର୍ଥ ଭୂମିସ୍ପର୍ଶ ମୁଦ୍ରାସହ ସିଦ୍ଧାସନେ ଉପବିଷ୍ଟ ପୂର୍ବକ ନିଜର ଅଭୀଷ୍ଟଲାଭ ପଥରେ ନିମଜ୍ଜମାନ । ଏହିପରି ଭୂମିସ୍ପର୍ଶ ମୁଦ୍ରାରେ ଆସୀନ ମୂର୍ତ୍ତି ଅଜନ୍ତା ବ୍ୟତୀତ ସାରନାଥ,ନାଳନ୍ଦା ଏବଂ ମଥୁରାରେ ଦେଖାଯାଏ । ଏହି ମୁଦ୍ରାର ତାତ୍‌ପର୍ଯ୍ୟ ନେଇ ଗୋଟିଏ ଛୋଟ କାହାଣୀ ଶୁଣିବାକୁ ମିଳେ ।

 

ମାର ଅର୍ଥାତ୍‌ ଅନଙ୍ଗଦେବ ଯେତେବେଳେ ଜାଣିପାରିଲେ, ସିଦ୍ଧାର୍ଥ ବୌଦ୍ଧତ୍ୱଲାଭ ପଥେ ପ୍ରାୟ କୃତକର୍ମୀ ହେବାକୁ ଯାଉଛନ୍ତି, ସେତେବେଳେ ତପସ୍ୟା ଭଙ୍ଗକରିବାପାଇଁ ସେ କପିଳ ବସ୍ତୁର ସମ୍ୱାଦ ସରବରାହକାରୀ ଛଦ୍ମ ବେଶରେ ଉପସ୍ଥିତ ହୋଇ ଉତ୍ତେଜକ ସମ୍ୱାଦ ପରିବେଷଣଦ୍ୱାରା ତାଙ୍କୁ ଉତ୍ତେଜିତ କରାଇବାରେ ପ୍ରୟାସ ଚଳାଇଲେ । ଦେବଦତ୍ତଙ୍କଦ୍ୱାରା ରାଜ୍ୟ ଅପହରଣ, ଯଶୋଧାରାଙ୍କ ଉପରେ ବଳକ୍ତାର ପ୍ରଭୃତି ଦୁଃସମ୍ୱାଦ ଶୁଣି ମଧ୍ୟ ସିଦ୍ଧାର୍ଥ ତିଳେ ହେିଁ ବିଚଳିତ ନ ହୋଇ ନିଜ ସାଧନ ମାର୍ଗରେ ନିଷ୍ଠାସହ ଅଟଳ ରହିଲେ । ମାର ଭୀଷଣ କ୍ରୋଧାନ୍ୱିତ ହୋଇ ନିଜର ସ୍ୱରୁପ ପ୍ରକାଶ କରି କହିଲେ, ସିଦ୍ଧାର୍ଥ ! ତୁମେ ଭଲକରି ଜାଣ, ଏଇ ଭୂପୁଷ୍ଠେ ଆମର ପ୍ରତିପତ୍ତି ଚିରସ୍ୱୀକୃତ । ପୃଥ୍ୱୀର ରନ୍ଧ୍ରେ ରନ୍ଧ୍ରେ କାମନା ବାସନାର ବୀଜ ଲୁକାୟିତ ରହିଅଛି-। ସୁଯୋଗ ଏବଂ ସୁବିଧା ପାଇଁ ତାହା ଅଙ୍କୁରିତ ହୋଇ ମହାଦ୍ରୁମରେ ପରିଣତ ହୁଏ । ତୁମେ ପୃଥିବୀର ଅଧିବାସୀ ହୋଇ ସେଇ ଚିରନ୍ତନ ନିୟମକୁ ଲଙ୍ଘନ କରିବାପାଇଁ ବ୍ରତୀ ହୋଇଅଛ-। ଏହା କି ସମ୍ବବ ?

 

ସିଦ୍ଧାର୍ଥ ଉତ୍ତର ଦେଲେ, ପୃଥ୍ୱୀ ଭୋଗର ନୁହେ, ତ୍ୟାଗର । କାମନା, ଓ ବାସନାକୁ ଜୟକରିବା ଏବଂ ଇନ୍ଦ୍ରିୟ ଭୋଗ ଲାଳସାକୁ ସଂଯତ କରିବା ହେଉଛି ମାନବ ଜୀବନର ଚରମ ଲକ୍ଷ୍ୟ, ଏହା ହିଁ ଚରମ ସତ୍ୟ ।

 

ମାର ଆହୁରି କ୍ରୋଧାନ୍ୱିତ ହୋଇ କହିଲେ, ସାକ୍ଷ୍ୟଦେଇ ତୁମ କଥାର ସତ୍ୟତା ପ୍ରମାଣ କରାଅ ।

ସିଦ୍ଧାର୍ଥ ସ୍ୱୟଂ ବସୁନ୍ଧରାଙ୍କୁ ନିଜ ଆସନରେ ବସି ଦକ୍ଷିଣ ହସ୍ତ ଅଙ୍ଗୁଳିଦ୍ୱାରା ଭୂପୃଷ୍ଠ ସ୍ପର୍ଶପୂର୍ବକ ଆହ୍ୱାନକଲେ ନିଜ ବକ୍ତବ୍ୟର ସତ୍ୟତା ପ୍ରମାଣ କରାଇବା ପାଇଁ ।

 

ଧରିତ୍ରୀ ମାତା, ମାରଙ୍କ ଭୋଗ, କାମନା, ବାସନାରୂପକ ଉକ୍ତି ଶୁଣି ଲଜ୍ଜା ଓ ଅପମାନରେ କମ୍ପିଉଠିଲେ । ଦେଖାଗଲା ପ୍ରଳୟ–ଭୂକମ୍ପନ । ଫଳରେ ମାରଙ୍କ ସମସ୍ତ ସେନାନୀ ଟଳମଳ ହୋଇ ଭୂପଷ୍ଠରେ ଲୋଟିପଡ଼ିଲେ । ଏହି ଭୀଷଣ କମ୍ପନ ମଧ୍ୟରେ କେବଳ ସିଦ୍ଧାର୍ଥଙ୍କ ଆସନ ଭୂମି ନିଶ୍ଚଳ ହୋଇ ରହିଗଲା । ଏହା ହଁ ହେଲା ଭୂମିସ୍ପର୍ଶ ମୁଦ୍ରା ।

 

ଦ୍ୱିତୀୟ ଗୁହାମନ୍ଦିର :–ଏହାର ନିର୍ମାଣକାଳ ମଧ୍ୟ ପ୍ରଥମଟିର ସମସାମୟିକ ବୋଲି ଧରି ନିଆଯାଇଥାଏ । ପ୍ରଥମଟି ଅପେକ୍ଷା ଏହାର ପରିସର କମ୍‍ । ଖୁବ୍‌ ସମ୍ୱବ ଏହା ବୌଦ୍ଧ ଶ୍ରମଣମାନଙ୍କ ଆବାସସ୍ଥଳୀରୂପେ ବ୍ୟବହୃତ ହେଉଥିଲା । ହଲ୍‍ ଘର ସଂଲଗ୍ନରେ ଭିତର ଦିଗେ ପାଞ୍ଚଗୋଟି ଓ ବାହରପଟେ ଦୁଇଟି ଛୋଟ ପ୍ରକୋଷ୍ଠ ରହିଅଛି । ଏଇ କୋଠରୀ ଗୁଡ଼ିକରେ ଗବାକ୍ଷ ନ ଥିବା ହେତୁ ବେଶ୍‌ ଅନ୍ଧକାର । ବୈଦ୍ୟୁତିକ ଆଲୋକ ସାହାଯ୍ୟେ ଯାହା କିଛି ଦେଖିବାକୁ ହୋଇଥାଏ । ଏଥିରେ ଶିଳ୍ପ ସମ୍ଭାରରେ ପରିପୂର୍ଣ୍ଣ ଚଉଦଟି ମୂଳଚିତ୍ର କାହାଣୀ ସଙ୍ଗେ ଯୁକ୍ତ ଅନ୍ୟ କେତୋଟି ପ୍ରାଚୀରଶିଳ୍ପ ଦେଖାଯାଏ । ମୁଖ୍ୟ ଚିତ୍ରଗୁଡ଼ିକ ହେଲା, (୧) ହସଂକାରକ, (୨) ବୁଦ୍ଧଙ୍କ ଜୀବନୀଆଲେଖ୍ୟ, ଏହା ଛଅଭାଗେ ବିଭକ୍ତ (କ) ସ୍ୱର୍ଗେ ବୁଦ୍ଧଦେବ, (ଖ) ମାୟାଦେବୀଙ୍କ ସ୍ୱପ୍ନ ଦର୍ଶନ, (ଗ) ରାଜା ଶୁଦ୍ଧୋଦନଙ୍କ ରାଜସଭା, (ଘ) ସ୍ତମ୍ଭର ପାର୍ଶ୍ୱେ ମାୟା, (ଙ) ବୁଦ୍ଧଙ୍କ ଜନ୍ମ, (ଚ) ଶିଶୁର ସପ୍ତପଦ ପରିନମା । (୩) ଏକସାରି ବୁଦ୍ଧମୂର୍ତ୍ତି, (୪) ଅର୍ଘ୍ୟ ଦାନେ ସୁରମଣି, (୫) ତେଇଶିଗୋଟି ହସଂର ମାଳା, (୬) ଶଙ୍ଖ ଓ ପଦ୍ମନିଧିଙ୍କ ମର୍ମର ମୂର୍ତ୍ତି, (୭) ଶ୍ରାବନ୍ତୀର ସହସ୍ର ବୁଦ୍ଧ, (୮) ଧର୍ମଚିକ୍ର ମୁଦ୍ରାସହ ଉପବିଷ୍ଟ ବୁଦ୍ଧମୂର୍ତ୍ତି, (୯) ବୃହଦାକାର ବୁଦ୍ଧ ଆଲେଖ୍ୟ, (୧୦) ଜମ୍ବଳ ଓ ହାରିତୀଙ୍କ ମର୍ମର ମୂର୍ତ୍ତି, (୧୧) ଭଗ୍ନ ହତ, (୧୨) କ୍ଷାନ୍ତିବାଦି ଜାତକ ଚିତ୍ର, (୧୩) ପୁର୍ଣ୍ଣ ଅବଦାନ ଜାତକ, ଏହା ତିନି ଅଂଶରେ ବିଭକ୍ତ (କ) ପୂର୍ଣ୍ଣ ବୁଦ୍ଧଙ୍କ ନିକଟରୁ ଦୀକ୍ଷା ନେଉଛନ୍ତି, (ଖ) ଭାବିଲାର ବାଣିଜ୍ୟତରୀ, (ଗ) ଶ୍ରାବନ୍ତୀରେ ପୂର୍ଣ୍ଣ ଓ ଭାବିଲା, (୧୪) ବିଧୂର ପଣ୍ତିତ ଜାତକ –ଏହା ଚାରିଅଂଶରେ ଚିତ୍ରିତ ହୋଇଅଛି । (କ) ଇନ୍ଦ୍ର ପ୍ରସ୍ଥ ରାଜସଭାରେ ପୁଣାକ, (ଖ) ଅକ୍ଷକ୍ରୀଡ଼ା, (ଗ) ବିଧୂର ପଣ୍ତିତଙ୍କ ବିବାହ, (ଘ) ନାଗରାଜ୍ୟେ ବିଧୂର ।

 

ତୃତୀୟ, ଚତୁର୍ଥ ଓ ପଞ୍ଚମ ବିହାର :–ତୃତୀୟ ଓ ପଞ୍ଚମ ଗୁହା ଦୁଇଟି ଅର୍ଦ୍ଧନିର୍ମିତ । ଏହାର ନିର୍ମାଣ କାମ ଆରମ୍ଭ ହୁଏ ସପ୍ତମ ଶତାଦ୍ଦୀରେ ଏବଂ କୌଣସି କାରଣରୁ ଏହା ଅସଂପୁର୍ଣ୍ଣ ଅବସ୍ଥାରେ ରହିଯାଏ । ପଞ୍ଚମ ଗୁହାର ପ୍ରବେଶ ଦ୍ୱାର ଦୁଇପାଖେ ଦୁଇଟି ମକର ବାହିନୀ ନାରୀମୂର୍ତ୍ତି । ଚତୁର୍ଥ ବିହାରଟି ଏ ଦୁଇଟି ଅପେକ୍ଷା ଆକାରରେ ବୃହତ । ଗୃହର ସ୍ତମ୍ବଗୁଡ଼ିକ ମୂଳ ଚତୁଷ୍କୋଣ ହେଲେ ମଧ୍ୟ ଶୋଷାଂଶ ଅଷ୍ଟକୋଣବିଶିଷ୍ଟ ଏବଂ ବିଶେଷ ଭାବେ ଚିତ୍ର ସମ୍ଭାରରେ ଅଳଙ୍କୃତ । ମୂଳ ଗର୍ଭମନ୍ଦିରରେ ପଦ୍ମାସନେ ଆସୀନ ବୁଦ୍ଧମୂର୍ତ୍ତି । ହାତରେ ଧର୍ମଚକ୍ର ମୂଦ୍ରା । ଦୁଇପାର୍ଶ୍ୱେ ଦୁଇଜଣ ବୋଧିସତ୍ତ୍ୱ ଦଣ୍ତାୟମାନ । ପାଦତଳେ ଧର୍ମଚକ୍ର ଓ ମୃଗଯୁଗଳ ।

 

ଷଷ୍ଠ ବିହାର:–ଅଜନ୍ତାରେ ଏହା ଏକମାତ୍ର ଦ୍ୱିତଳବିଶିଷ୍ଠ ବୌଦ୍ଧ ବିହାର । ତଳ ପ୍ରକୋଷ୍ଠରେ ଷୋହଳ ଓ ଉପରେ ପ୍ରକୋଷ୍ଠରେ ବାରଗୋଟି ସ୍ତମ୍ଭ ଦେଖିବାକୁ ମିଳେ । ଏହି ଗୁହାର ପ୍ରବେଶ ପଥରେ ଦୁଇଟି ଗବାକ୍ଷ ଓ କେତେକ ଛୋଟ ଛୋଟ ଗର୍ଭଗୃହ ଦେଖିବାକୁ ମିଳିଥାଏ । କେତେକ ପ୍ରାଚୀର ଚିତ୍ରର ଅସ୍ପଷ୍ଟ ରେଖା ବି ଦେଖିବାକୁ ମିଳେ । ମୂଳଗୁହା ମଧ୍ୟରେ ଅଭୟ ମୁଦ୍ରା ଶୋଭିତ ଉପବିଷ୍ଟ ବୁଦ୍ଧଙ୍କ ପ୍ରସ୍ତର ମୂର୍ତ୍ତି । ଉପରେ ପ୍ରକୋଷ୍ଠରେ ବୁଦ୍ଧଙ୍କ ମୂର୍ତ୍ତି କିନ୍ତୁ ହାତରେ ଧର୍ମଚକ୍ର ମୁଦ୍ରା । ଅଧୁନା ଏହି ଗୁହାରେ ଦୁଇଗୋଟି ପ୍ରାଚୀର ଚିତ୍ର ଆବିଷ୍କୃତ ହୋଇଅଛି ।

 

ସପ୍ତମ ବିହାର:–ଏହି ଗୁହାଟିର ଚିତ୍ରାବଳୀ ସଙ୍ଗେ ଏଲିଫେଣ୍ଟାର ଦୁଶ୍ୟ ଅନେକାଂଶରେ ସାମଞ୍ଜସ୍ୟ ଥିବା ଦେଖାଯାଏ । ସମ୍ମୁଖ ଭାଗେ ଦୁଇଟି ପ୍ରବେଶ ମଣ୍ତପ । ଏହାର ସାଦୃଶ୍ୟ ଅଜନ୍ତାର ଅନ୍ୟ କୌଣସି ଗୁହାରେ ଦେଖାଯାଏ ନାହିଁ । ପ୍ରବେଶ ପଥରେ ଦୁଇ ପାର୍ଶ୍ୱେ ଦୁଇଟି ମକରବାହିନୀ ନୀରୀମୂର୍ତ୍ତି । ମୂଳ ବୁଦ୍ଧ ମୁର୍ତ୍ତି ଦୁଇଦିଗେ ଦୁଇଜଣ ଚାମରବାହି ବୋଧିସତ୍ତ୍ୱ । ଉପରେ ଉଡ଼ୀୟମାନ ଗନ୍ଧର୍ବ ଦମ୍ପତି । ବର୍ତ୍ତମାନ ଗୁହାଟିର କେତେକ ଭଗ୍ନାଂଶ ମରାମତି ହୋଇଥିବା ଲକ୍ଷ୍ୟ କରାଯାଏ ।

ଅଷ୍ଟମ ବିହାର:–ଏହା ପ୍ରାଚୀନତମ ଗୁହା ମଧ୍ୟରୁ ଅନ୍ୟତମ ।

ନବମଗୁହା:–ଏଇ ଗୁହାଟି ବିହାର ନୁହେଁ ଚୈତ୍ୟ । ଅର୍ଥାତ୍ ଆବାସସ୍ଥଳୀ ନୁହେଁ ଉପାସନାଗାର । ଗବେଷକଙ୍କ ଧାରଣା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ଏହାର ନିର୍ମାଣକାଳ । ସାଧରଣତଃ ଚୈତ୍ୟଗୁଡ଼ିକର ନିର୍ମାଣ ପଦ୍ଧତିରେ ପ୍ରବେଶ ପଥ ଶୀର୍ଷ ଦେଶେ ଗୋଟିଏ ଖୋଦାଇ କରା ଗବାକ୍ଷ ସ୍ଥାନ ପାଇଥାଏ, ଯାହାର ନାମ ସୂର୍ଯ୍ୟ ଗବାକ୍ଷ । ଏଠାରେ ମଧ୍ୟ ସେ ନୀତିର ବ୍ୟତିକ୍ରମ ଘଟିନାହିଁ । ପ୍ରବେଶ ପଥଟି ନାନାଦି ଚିତ୍ରାବଳୀରେ ଅଳଙ୍କୃତ ଥିବା ପରି ମନେହୁଏ । ଉପାସନା ଗୃହ ଲମ୍ବା ଧରଣର । ଦୁଇଦିଗେ ସ୍ତମ୍ଭର ଧାଡ଼ି । ମଧ୍ୟସ୍ଥଳ ଉପାସନା ସକାଶେ ସଂରକ୍ଷିତ । ପ୍ରାର୍ଥନା ଗୃହର ଶେଷ ପ୍ରାନ୍ତେ ସ୍ତୂପ । ଯେତେଦୁର ସମ୍ଭବ ଏହା ହୀନଯାନ ଯୁଗରେ ନିର୍ମିତ । ସେ ସମୟକୁ ବୌଦ୍ଧଧର୍ମରେ ମୂର୍ତ୍ତି ଗଠନ ପ୍ରବେଶ କରିନାହିଁ । ସ୍ତୁପହିଁ ଉପାସନାର ମୁଖ୍ୟ କେନ୍ଦ୍ରବିନ୍ଦୁ ବୋଲି ବିବେଚ୍ୟ ହେଉଥିଲା । ଏଇ ନୀତି ଉପରେ ଭିତ୍ତିକରି ଏହି ଗୁହାରେ ଦେଖାଯାଉଥିବା ମୂର୍ତ୍ତି ଗୁଡ଼ିକୁ ପରବର୍ତ୍ତିୀ ଯୁଗର ସଂଯୋଗ ବୋଲି କେତେକ ପଣ୍ତିତ ମତ ପ୍ରକାଶ କରିଥାନ୍ତି । ଚୈତ୍ୟ ମଧ୍ୟରେ ଦେଖାଯାଉଥିବା ଚିତ୍ରଗୁଡ଼ିକ ମଧ୍ୟରେ ବୁଦ୍ଧ, ବୋଧିସତ୍ତ୍ୱ, ପଦ୍ମପାଣି, ବଜ୍ରପାଣି ପ୍ରଭୃତି ପ୍ରଧାନ ।

ଦଶମ ଗୁହା:–ଏ ଗୁହାଟି ମଧ୍ୟ ଚୈତ୍ୟ । ନିର୍ମାଣକାଳ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକ । ସମସ୍ତ ଉପାସନା ଗୁହାଟିରେ ଅଷ୍ଟକୋଣବିଶିଷ୍ଟ ଅଣଚାଳିଶିଟି ସ୍ତମ୍ଭ ରହିଅଛି । ଚୈତ୍ୟର ଶେଷରେ ଏକ ସାଧାରଣ ସ୍ତୁପଟିଏ ।

 

ବାମ ପ୍ରାଚୀରରେ ନାଗରାଜ ସର୍ପଦହ ଯାତ୍ରାକରୁଥିବା ଗୋଟିଏ ଚିତ୍ର ଦେଖାଯାଏ । ଅନ୍ୟ ପ୍ରାଚୀରରେ ଷଡ଼ଦନ୍ତ ଜାତକର ଅନବଦ୍ୟ କାହାଣୀର ଚିତ୍ରାବଳୀ । ଆଗ୍ରହୀ ପାଠକ ଅଜନ୍ତା ରେଖାଚିତ୍ର ସଂଗ୍ରହକରି କାହାଣୀ ସଙ୍ଗେ ମିଳାଇ ନେଇ ପାରିଲେ ଅଧିକ ଆନନ୍ଦ ପାଇପାରିବେ ।

 

ଷଡ଼ଦନ୍ତ ଜାତକ ଏକ ଲୋଭନୀୟ କାହାଣୀ, ଯାହାର ବିକ୍ଷୟବସ୍ତୁ ହେଲା ପୂର୍ବଜନ୍ମରେ ବୁଦ୍ଧଦେବ ବୋଧିସତ୍ତ୍ୱରୂପେ ବହୁବାର ଅବତୀର୍ଣ୍ଣ ହୋଇଛନ୍ତି । ସେ ମଧ୍ୟରୁ ଥରେ ସେ ଗଜରାଜ ରୂପେ ଏ ମହୀରେ ଅବତୀର୍ଣ୍ଣ ହୋଇଥିଲେ । ଏକଶହ କୋଡ଼ିଏ ହାତ ଲମ୍ବା ଓ ବୟାଅଶୀ ହାତ ଉଚ୍ଚ ଏହି ଗଜରାଜଙ୍କ ଅଧୀନରେ ଆଠହଜାରର ଏକ ବିରାଟ ହସ୍ତୀପଲ ଥିଲେ । ଗଜରାଜଙ୍କ ଖୁଲ୍ଲ ସୁଭଦ୍ରା ଓ ମହାଶୁଭଦ୍ରା ନାମରେ ଦୁଇ ରାଣୀ ଥିଲେ । ଦୁହିଁଙ୍କ ପ୍ରତି ମହାରାଜ ସମଭାବାପନ୍ନ ଥିଲେ ମଧ୍ୟ ବଡ଼ ଖୁଲ୍ଲ ସୁଭଦ୍ରା ସନ୍ଦେହୀ ଥିବା ହେତୁ ନିଜ ସ୍ୱାମୀଙ୍କୁ ବିଶ୍ୱାସ କରିପାରୁ ନ ଥିଲେ । ଛୋଟ ରାଣୀ ପ୍ରତି ଗଜରାଜ ବେଶି ଅନୁରକ୍ତ ବୋଲି ତାଙ୍କର ଧାରଣା ଥିଲା । ଏଭଳି ମନୋଭାବ ଦୁରକରିବା ପାଇଁ ଗଜରାଜଙ୍କ ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହେଲା ।

 

ଏକଦା ଗଜରାଜ ସପରିବାର ସ୍ନାନ ସମାପନ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ପଥ ମଧ୍ୟେ ଫଳପୁଷ୍ପଶୋଭିତ ଗୋଟିଏ ବୃକ୍ଷ ଦେଖିବାକୁ ପାଇଲେ ଏବଂ ସେଇ ବୃକ୍ଷଟିକୁ ନିଜେ ଶୁଣ୍ଢଦ୍ୱାରା ପ୍ରଚଣ୍ତ ବେଗେ ହଲାଇ ଦେଲେ । ଫଲରେ ଗଛ ମଧ୍ୟସ୍ଥ ସମସ୍ତ ଫଳପୁଷ୍ପ ସହ ଶୁଷ୍କ ଡାଳପତ୍ର ମଧ୍ୟ ଭାଙ୍ଗି ପଡ଼ିଲା । ଫଳ ଏବଂ ଫୁଲଗୁଡ଼ିକ ଛୋଟ ରାଣୀ ମସ୍ତକେ ବର୍ଷିତ ହେଲା ଆଉ ଶୁଷ୍କ ଶାଖାପ୍ରଶାଖା ଗୁଡ଼ିକ ପଡ଼ିଲା ଯାଇ ବଡ଼ ରାଣୀଙ୍କ ମସ୍ତକେ । ଏପରି ଏକ କାକତାଳୀୟ ଘଟଣାକୁ ଛୋଟରାଣୀଙ୍କ ସହଚରୀଦଳ ଉପଭୋଗ କରି ହସି ଉଠିଲେ । ଏଇ ଘଟଣାରେ ବଡ଼ରାଣୀ ଭୀଷଣ କ୍ଷିପ୍ତ ହୋଇ ଉଠିଲେ । ଆକସ୍ମିକ ଘଟଣା ନେଇ ଗଜରାଜ ଯେତେ ଉପଦେଶ ଦେଲେ ମଧ୍ୟ ଆଉ ବଡ଼ରାଣୀ ସେଥି ପ୍ରତି ଦୃକ୍‍ପାତ ନ କରି ଅଭିମାନରେ ଏକାକୀ ଗୃହତ୍ୟାଗ କରି ଚାଲିଗଲେ । ଶତ ଚେଷ୍ଟା କରି ମଧ୍ୟ ଗଜରାଜ ଆଉ ବଡ଼ରାଣୀଙ୍କ ସନ୍ଧାନ ପାଇପାରିଲେ ନାହିଁ । ଅନୁଚରଙ୍କ ଦ୍ୱାରା ସନ୍ଧାନରେ ତୁଷ୍ଟ ନ ହୋଇ ନିଜେ ଅନୁସନ୍ଧାନରେ ବାହାରି ପଡ଼ିଲେ; କିନ୍ତୁ କୁତକାର୍ଯ୍ୟ ହୋଇପାରିଲେ ନାହିଁ । କେତେ ବର୍ଷ ପରେ ଜଣେ ବିଶ୍ୱସ୍ତ ଅନୁଚର ଆସି ମହାରାଜାଙ୍କୁ ରାଣୀଙ୍କ ସମ୍ୱାଦ ଜଣାଇଲେ । ସେଇଦିନ ରାତ୍ରେ ଏକାକୀ ମହାରାଣୀ ପଳାୟନ କରି ହିମାଳୟର ଏକ ନିଭୃତ କନ୍ଦରରେ ତପସ୍ୟାରତ ହୁଅନ୍ତି, ରାଜାଙ୍କ ଉପରେ ପ୍ରତିଶୋଧ ନେବା କାମନା କରି ଏବଂ ସେଇ ଅବସ୍ଥାରେ ପ୍ରାଣ ତ୍ୟାଗ ମଧ୍ୟ କରନ୍ତି । ସେ ନିଜେ ସମସ୍ତ କିଛି ଦେଖିଆସିଛି ।

 

ଏଇ ସମ୍ୱାଦ ଶ୍ରବଣକରି ଗଜରାଜ ମ୍ରିୟମାଣ ହୋଇ ପଡ଼ନ୍ତି ଏବଂ ଦୁଃଖରେ ଜର୍ଜରିତ ହୋଇ ଅତି ଦୀନହୀନ ଭାବେ କାଳାତିପାତ କରନ୍ତି । କାଳର କବଳେ ପଡ଼ି ଅନେକ ମୁତ୍ୟୁବରଣ କରନ୍ତି । ଅନେକ ଜନ୍ମ ଗ୍ରହଣ କରନ୍ତି, କିନ୍ତୁ ଅଥର୍ବ ଗଜରାଜଙ୍କୁ କାଳ ସ୍ପର୍ଶକଲେ ମଧ୍ୟ ମୃତ୍ୟୁ ସ୍ପର୍ଶ କରିପାରେନା । ଏଇ ଜରାକୀର୍ଣ୍ଣ ଶରୀରରେ ଜୀବନ ଧାରଣ କରିବା କ୍ରମଶଃ ତାଙ୍କ ପକ୍ଷେ ଅସହ୍ୟ ହୋଇଉଠେ । ପରିଶେଷରେ ସେ ସଂସାର ପ୍ରତି ବୀତଶ୍ରଦ୍ଧ ହୋଇ ଯୋଗ୍ୟତମ ଉତ୍ତରାଧିକାରୀ ହସ୍ତରେ ରାଜ୍ୟ ଅର୍ପଣ କରି ସାମାନ୍ୟ କେତେଜଣ ଅନୁଚରଙ୍କ ସହ ତପସ୍ୟା କରିବା ଉଦ୍ଦେଶ୍ୟରେ ହିମାଳୟ ଅଭିମୁଖେ ଚାଲିଯାଆାନ୍ତି ଏବଂ ଏକ ମନୋରମ ସ୍ଥାନ ଦେଖି ନିବିଡ଼ ତପସ୍ୟାରେ ମଗ୍ନ ହୁଅନ୍ତି ।

 

ଏହି ପରି କେତେ କାଳ ଗତ ହୁଏ । ସେହି ଭଳି ଧ୍ୟାନରତ ଅବସ୍ଥାରେ ଏକଦା ତାଙ୍କର ସର୍ବାଙ୍ଗ ଏକ ଶିକାରୀର ନିକ୍ଷିପ୍ତ ଶରରେ ବିଦ୍ଧ ହୋଇଉଠେ, ଏବଂ ତଦ୍ଦ୍ୱାରା ଗଜରାଜାଙ୍କ ତପସ୍ୟା ଭଙ୍ଗ ହୁଏ । ସେ ଦେଖନ୍ତି ଅଦୂରେ ଏକ ଯୁବକ ଶିକାରୀ ଭୟ ସଙ୍କୁଳ ଚିତ୍ତେ ତାଙ୍କୁ ଅପଲକ ନେତ୍ରେ ଚାହିଁ ରହିଛି । ହାତର ଧନୁ ଶର ଲକ୍ଷ୍ୟ ଭ୍ରଷ୍ଟ ହୋଇ ଆପେ ଆପେ ତଳକୁ ନଇଁଯାଇ ଅଛି-। ଗଜରାଜ ଶିକାରୀଙ୍କୁ ଅଭୟ ପ୍ରଦାନ କରି ତାଙ୍କୁ ନିକଟକୁ ଡାକି ପରିଚୟ ସହ ଉଦ୍ଦେଶ୍ୟ ଜିଜ୍ଞାସା କଲେ ।

 

ଶିକାରୀ କହିଲେ, ‘‘ତାଙ୍କର ନାମ ସୋନୁତ୍ତର, ସେ କାଶୀ ରାଜାଙ୍କ–ଦ୍ୱାରା ନିଯୁକ୍ତିପ୍ରାପ୍ତ ମୃଗୟାଧିପତି ଅଟନ୍ତି । ମହାରାଣୀଙ୍କ ପରାମର୍ଶକ୍ରମେ କାଶୀରାଜା ଷଡ଼ଦନ୍ତ ଶୋଭିତ ଗଜରାଜଙ୍କ ଛଅଗୋଟି ଦାନ୍ତ ସଂଗ୍ରହ କରିବା ପାଇଁ ଦୃଢ଼ ଆଦେଶ ଦେଇଛନ୍ତି । ଦୀର୍ଘଦୀନ ନାନା ବନ କନ୍ଦରରେ ବୁଲିବୁଲି କେଉଁଠି ଷଡ଼ଦନ୍ତ ହସ୍ତୀ ନଜରରେ ପଡ଼ିଲା ନାହିଁ । ନିଷ୍ଫଳ ହୋଇ ଫେରିଲେ ପ୍ରାଣଦଣ୍ତ ନିଶ୍ଚିତ, ତାହା ଜାଣି ମଧ୍ୟ ବିଷାଦଗ୍ରସ୍ତ ମନରେ ଫେରିବାକୁ ଯାଉଅଛି ସହସା ଧ୍ୟାନରତ ଅବସ୍ଥାରେ ଆପଣଙ୍କୁ ଦେଖିପାରିଲି । ଆପଣଙ୍କ ଛଅଗୋଟି ଦାନ୍ତ ଆଖି ଆଗରେ ଜଳ ଜଳ କରି ନାଚି ଉଠିଲା । ଲକ୍ଷ୍ୟବସ୍ତୁ ପାଇବା କଳ୍ପନାରେ ବିଭୋର ହୋଇ ହିତାହିତ ଜ୍ଞାନ ତ୍ୟାଗ କରି ତୁଣୀରରୁ ମହା ବିଷାକ୍ତ ଶର ବାହାର କରି ଆପଣଙ୍କ ଉପରକୁ ନିକ୍ଷେପ କଲି । ଏ ତୀର ଏପରି ବିଷାକ୍ତ ଯେ ଏହାର ଗୋଟିକର ଆଘାତରେ ଯେ କୌଣସି ପ୍ରାଣିର ତତ୍‌କ୍ଷଣାତ୍‌ ମୃତ୍ୟୁ ସୁନିଶ୍ଚିତ; କିନ୍ତୁ ଦେଖିଲି ପରପର ସେହିପରି ଦଶଟି ଶର ସନ୍ଧାନ କରି ମଧ୍ୟ ଆପଣଙ୍କ ଜୀବନହାନି ତ ଦୂରର କଥା ସାମାନ୍ୟ କାବୁ ମଧ୍ୟ କରିପାରିଲି ନାହିଁ । ଏପରିସ୍ଥିତିରେ ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ସ୍ଥାଣୁବତ୍‌ ଠିଆ ହୋଇ ଆପଣଙ୍କ ଅଲୌକିକ ଶକ୍ତି ଦେଖୁଥିଲି । ହେ ମହାତ୍ମା ! ମୁଁ ସ୍ପଷ୍ଟ ବୁଝିପାରୁଛି ଆପଣ ଗଜରୂପଧାରୀ କେଉଁ ପୁଣ୍ୟଦେହି ଅଟନ୍ତି । ମୋର ଅପରାଧ ବିବେଚନା କରି ଯେଉଁ ଶାସ୍ତିବିଧାନ କରିବେ, ତାହା ଗ୍ରହଣ କରିବାପାଇଁ ମୁଁ ମସ୍ତକ ପାତି ଦେଉଛି ।’’

 

ପୁନଶ୍ଚ ଅଭୟ ପ୍ରଦାନ କରି ଗଜରାଜ ତାଙ୍କୁ କହିଲେ, ‘’ହେ ଶିକାରୀ ! ତୁମର ଅନୁତାପ କରିବା କିଛି ମାତ୍ର ଆବଶ୍ୟକ ନାହିଁ । ଏହା ହିଁ ବଧି ନିର୍ଦ୍ଦେଶ । ତୁମର ଶରାଘାତ ମୋର ଦିବ୍ୟଚକ୍ଷୁ ଖୋଲିଦେଇଛି । ଏଇ ଛଅଗୋଟି ଦାନ୍ତ ଯିଏ ଚାହିଁଛନ୍ତି ଏବଂ ଯେଉଁଥି ପାଇଁ ଚାହିଁଛନ୍ତି ତାହା ମୁଁ ବର୍ତ୍ତମାନ ସ୍ପଷ୍ଟ ଦେଖିପାରୁଛି । ମୋର ଏ ଦାନ୍ତ ଉତ୍‍ପାଟନ କରିବା ତୁମ ଶକ୍ତି ବହିର୍ଭୁତ କର୍ମ । ମୁଁ ନିଜେ ଦନ୍ତ ଉତ୍ପାଟନ କରି ତୁମ ହସ୍ତରେ ପ୍ରଦାନ କରୁଅଛି । ତାହାପରେ ମୋର ଆଉ ଜୀବନ ରହିବନାହିଁ । ମୋର ଗୋଟିଏ ଅନୁରୋଧ, ଯେଉଁ ମହାରାଣୀ ଏହି ଦନ୍ତ ଚାହୁଁଛନ୍ତି, ତାଙ୍କୁ କହିବ ଏହି ଦାନ୍ତଗୁଡ଼ିକ ମୁଁ ତାଙ୍କୁ ଉପହାର ଦେଉଅଛି । ଆହୁରି କହିବ ଗତ ଜନ୍ମରେ ମୁଁ ଇଚ୍ଛାକୃତ ଭାବେ ତାଙ୍କର ମୁଣ୍ତ ଉପରେ ଶୁଷ୍କକାଠ ନିକ୍ଷେପ କରି ନଥିଲି । ମୋର ଶେଷ ସମୟରେ ଏକଥା ସେ ନିଃସନ୍ଦେହରେ ବିଶ୍ୱାସ କରିପାରନ୍ତି ।

 

ଏହାପର ଘଟଣା ସ୍ୱାଭବିକ ଗତିରେ ଆଗେଇ ଚାଲିଲା । ଦନ୍ତ ଉତ୍ପାଟନ ସାଥେ ସାଥେ ଗଜରାଜ ଇହଧାମ ତ୍ୟାଗ କରନ୍ତି । ସୋନୁତ୍ତର ଏକ ସୁବର୍ଣ୍ଣ ପାତ୍ରରେ ଛଅଗୋଟି ଦାନ୍ତ ସଯତ୍ନ ରଖି କାଶୀ ରାଜ୍ୟକୁ ଫେରିଆସି ଉକ୍ତ ଦନ୍ତଗୁଡ଼ିକ ମହାରାଣୀଙ୍କ ହସ୍ତରେ ଅର୍ପଣ ପୁର୍ବକ ଗଜରାଜାଙ୍କ ଶେଷ ଉକ୍ତି ଜ୍ଞାତ କରାଇଲେ । ଏହା ଶୁଣି ଏବଂ ଏକ ସଙ୍ଗେ ଛଅଗୋଟି ଦାନ୍ତ ଅବଲୋକନ କରି ମହାରାଣୀଙ୍କ ଗତ ଜନ୍ମ କଥା ମନେ ପଡ଼ିଗଲା । ମନେ ପଡ଼ିଲା ଗଜରାଜଙ୍କ ଉପରେ କଠିନ ପ୍ରତିଶୋଧ ନେବାପାଇଁ କରିଥିବା କଠୋର ତପସ୍ୟା କଥା, ତତ୍‌ସଙ୍ଗେ ଗଜରାଜଙ୍କ ତାଙ୍କ ପ୍ରତି ସମସ୍ତ ବ୍ୟବହାର, ତଥା ଦାମ୍ପତ୍ୟ ପ୍ରେମର କଥା ଏସମସ୍ତ ବିଦ୍ୟୁତ୍‌ ଗତିରେ ମନରେ ଖେଳିଯିବା ସାଥେ ସାଥେ ରାଣୀ ବେହୋସ ହୋଇ ଭୂମିରେ ଲୋଟିପଡ଼ିଲେ । ହୋସ ଆଉ ତାଙ୍କର ଆସିଲା ନାହିଁ । ଏହି କାହାଣୀ ଚିତ୍ରଶିଳ୍ପୀ ତାଙ୍କର ତୂଳୀ ସାହାଯ୍ୟରେ ବିଭିନ୍ନ ଭାବେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଦୃଷ୍ଟ ଚିତ୍ରଗୁଡ଼ିକ ସେପରି ପରିଷ୍କାର ନୁହେଁ । କାଳର ଗତିରେ ଯେତିକି ନଷ୍ଟ ହୋଇଛି ତା’ ଅପେକ୍ଷା ବେଶି ନଷ୍ଟ ହୋଇଛି ଆଧୁନିକ ପରିଦର୍ଶକଙ୍କ ନିଜର ନାମ ଲେଖା ବାହାଦୁରୀରେ । କେବଳ ଅଜନ୍ତା ନୁହେଁ, ଏହି ଧରଣ କଦର୍ଯ୍ୟ ମନୋଭାବ ଫଳେ ବହୁ ଦର୍ଶନୀୟ ସ୍ଥାନ କୁରୁଚିପୂର୍ଣ୍ଣ ହୋଇପଡ଼ିଛି ।

 

ଏକାଦଶ ଗୁହା–କେବଳ ପଣ୍ତିତଙ୍କ ମତରେ ଏହି ଗୁହାଟି ହୀନ –ଯାନର ଶେଷ ଭାଗରେ ଏବଂ ମହାଯାନ ସଂପ୍ରଦାୟର ଉଷା ଲଗ୍ନରେ ନିର୍ମିତ ହୋଇଥିଲା । ଖୁବ୍‌ ସମ୍ଭବ ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀ ଏହାର ନିର୍ମାଣ କାଳ । ଅନ୍ୟ କେତେକ ପଣ୍ତିତ ଏହାର ନିର୍ମାଣକାଳ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀ ବୋଲି ମନେ କରନ୍ତି । ବିହାରଟି ଆୟଜନ ୧୧.୩ x ୮.୫ x ୩ ମିଟର । ଅଳିନ୍ଦର ସ୍ତମ୍ଭଗୁଡ଼ିକର ମୂଳ ଦେଶ ଚତୁଃଷ୍କୋଣ, ମଧ୍ୟାଂଶ ଅଷ୍ଟକୋଣ ଏବଂ ଉର୍ଦ୍ଧ୍ୱାଂଶ ବେଶ୍‍ ଚଉଡ଼ା-। ଶୀର୍ଷଦେଶରେ କେତକ ଜ୍ୟାମିତି ରେଖାଚିତ୍ର ଦେଖିବାକୁ ମିଳେ । ତତ୍‍ସହ କେତେକ ପତ୍ର, ଫଳ, ଫୁଲର ଛବି ମଧ୍ୟ ନଜରରେ ପଡ଼େ । ଅଳିନ୍ଦର ଏକ ଦିଗେ ମହାମତି ବୁଦ୍ଧଙ୍କ ମୂର୍ତ୍ତି । ଦୁଇପାର୍ଶେ ଦୁଇଜଣ ବୋଧିସତ୍ତ୍ୱ । ବିହାର ମଧ୍ୟରେ ଲୀଳାପଦ୍ମ ଶେଭିତ ଗୋଟିଏ ବୋଧିସତ୍ତ୍ୱ ମୂର୍ତ୍ତି ନଜରରେ ପଡ଼େ । ଦୁଇପାର୍ଶେ ଅର୍ଘ୍ୟଦାନେ ରତା ଦୁଇ ରମଣୀ ମୂର୍ତ୍ତି । ଏହା ମଧ୍ୟରୁ ଗୋଟିଏ ରମଣୀ ଚିତ୍ରକୁ ତୁଳନାରହିତ ଆଖ୍ୟା ଦିଆଯାଇପାରେ । ଅନ୍ୟ ଏକ ସ୍ଥାନରେ ଚାରିଗୋଟି ବିଭିନ୍ନ ଅବସ୍ଥାରେ ଅବସ୍ଥିତ ହରିଣର ଗୋଟିଏ ମୁଣ୍ତ ଦେଖାଯାଏ । ଏଭଳି ଚିତ୍ର ଅଜନ୍ତାର ଅନ୍ୟ ଗୁହାରେ ମଧ୍ୟ ଦେଖିବାକୁ ମିଳେ ।

 

ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ଗୁହା—ଏହି ଗୁହାଗୁଡ଼ିକରେ ସେପରି ଉଲ୍ଲେଖ ଯୋଗ୍ୟ ଦୃଶ୍ୟଚିତ୍ର କିଛି ନାହିଁ । କେବଳ ମାତ୍ର ପଞ୍ଚଦଶ ଗୁହାଟି ହୀନଯାନକର୍ତ୍ତୃକ ନିର୍ମତ ହେଲେ ମଧ୍ୟ ସେଥିପାଇଁ ସ୍ତମ୍ଭ ନଥିବା ଦୃଶ୍ୟ ବିସ୍ମୟ ଉଦ୍ରେକ କରିଥାଏ ।

 

ଷୋଡ଼ଶ ଗୁହା :–ଗୁହାଟି ଗୋଟିଏ ବିହାର । ପ୍ରବେଶ ପଥର ଦୁଇପାର୍ଶ୍ୱ ଦୁଇଟି ଅପୂର୍ବ ଭାସ୍କର ନଜରରେ ପଡ଼େ । ଗୋଟିଏ ନାଗରାଜ ଓ ନାଗରାଣୀ । ନାଗରାଜଙ୍କ ବାମପାଦ ପ୍ରଳମ୍ୱିତ ରହିଅଛି । ବାମହସ୍ତ ଉପରେ ଶରୀରର ସମସ୍ତ ଭାର ନ୍ୟସ୍ତ । ଦକ୍ଷିଣ ହସ୍ତଟି ଭଗ୍ନ । ନାଗରାଜଙ୍କ ମସ୍ତକୋପରି ବିରାଟ ନାଗସାପର ଫଣା ତାଙ୍କର ପରିଚୟ ଘୋଷଣା କରୁଅଛି । ନାଗରାଣୀ ଚିତ୍ରଟିକୁ ଦେଖିଲେ ମନେହୁଏ ସତେ ଯେପରି ସେ ସୋପାନ ଶ୍ରେଣୀ ଅତିକ୍ରମ କରି ଆସୁଥିଦା ଆଗନ୍ତୁକଗଣଙ୍କୁ ଚାହିଁ ରହିଛନ୍ତି । ଅନ୍ୟ ଚିତ୍ରଟି ନତଜାନୁ ହୋଇ ଦୁଇଟି ମଦମତ୍ତ ହସ୍ତୀ ବୁଦ୍ଧଙ୍କୁ ପ୍ରଣାମ ଜଣାଉ ଅଛନ୍ତି । ଚିତ୍ରଗୁଡ଼ିକ ବିଶେଷ ଉପଭୋଗ୍ୟ ।

 

ବିହାରର ପ୍ରଥମେ ଗୋଟତଏ ଅଳିନ୍ଦ ଦେଖାଯାଏ । ସମ୍ମୁଖେ ଛଅଗୋଟି ଅଷ୍ଟକୋଣୀ ସ୍ତମ୍ଭ ଏବଂ ଅନର୍ଦ୍ଧନିର୍ମିତାବସ୍ଥାରେ ଅନ୍ୟ ଦୁଇଟି ସ୍ତମ୍ଭ । ଏହି ଅଳିନ୍ଦର ବାମପ୍ରାନ୍ତେ ଥିବା ଗୋଟିଏ ଶିଳାଲିପିରୁ ଜଣାଯାଏ ଏଇ ଗୁହାଟି ବାକତକ ରାଜବଶଂର ଅନ୍ୟତମ ବିଖ୍ୟାତ ରାଜା ହରିଷେଣଙ୍କ ରାଜତ୍ୱ କାଳରେ (ଖ୍ରୀ: ୪୭୫-୫୦୦) ନିର୍ମିତ ହୋଇଥିଲା ।

 

ମୁଳ ଗୁହାଟି ପ୍ରାୟ ସମକୋଣ । ଗୃହାରେ ପ୍ରବେଶ କରି ଉପରକୁ ନଜର ଦେଲେ ଦେଖାଯିବ ଏକ ବାମନଦଳ ଛାତର କଡ଼ିଗୁଡ଼ିକୁ ନିଜର ପିଠିରେ ଧରି ରଖିଛନ୍ତି । ଛାତର ଚାପରେ ଯେ ସେମାନଙ୍କ ଶ୍ୱାସରୁଦ୍ଧ ହୋଇ ଆସୁଅଛି ଶିଳ୍ପୀ ଏଇ ଭାବଟି ପରିଷ୍କାର ରୁପେ ପରିସ୍ଫୁଟନ କରିପାରିଛନ୍ତି-। ପୂର୍ବଦିଗ ପ୍ରାଚୀରରେ ବୁଦ୍ଧଙ୍କ ଜୀବନର ଆଦିପର୍ବ ଚିତ୍ରିତ ହୋଇଥିବା ଦେଖାଯାଏ-

 

ବୁଦ୍ଧଙ୍କ ଜୀବନୀ ନେଇ ନାନା ରକମ ମତ ଶୁଣିବାକୁ ମିଳେ । କେତେକ ଐତିହାସିକ ବୁଦ୍ଧଙ୍କ ଜନ୍ମ ଖ୍ରୀଷ୍ଟପୁର୍ବ ୫୬୩ ବର୍ଷ ବୋଲି ନିଶ୍ଚିତ ମତ ପ୍ରକାଶ କରିଥାନ୍ତି । ଆଉ କେତେକ ପଣ୍ତିତ ଏହାକୁ ଭୁଲ୍‍ ବୋଲି କହି ତାଙ୍କର ଜନ୍ମ ଆଉ କିଛି ବର୍ଷ ପଛେଇ ନେବାକୁ ଚାହାନ୍ତି । ନେପାଳର କେତେକ ବିଖ୍ୟାତ ଶାସ୍ତ୍ରାକାର ବୁଦ୍ଧଙ୍କ ଜନ୍ମ ଆହୁରି ୫୦ / ୬୦ ବର୍ଷ ପୂର୍ବରୁ ବୋଲି ମତ ବ୍ୟକ୍ତ କରିଥିବା ଶୁଣାଯାଏ । ବୁଦ୍ଧ ଜାତକରେ ଜନ୍ମ ସମ୍ପର୍କରେ କୌଣସି ସଠିକ୍‍ ସମୟ ଉଲ୍ଲେଖ ନାହିଁ । ତେବେ ସେ ସିଦ୍ଧାର୍ଥରୂପେ ଜନ୍ମନେବା ପୂର୍ବରୁ ନାନା ଜନ୍ମରେ ନାନାରୁପେ ଲୀଳାଖେଳା କରିଯାଇଛନ୍ତି । ଏହି ରୂପ ସବୁକୁ ବୋଧିସତ୍ତ୍ୱ ନାମରେ ଅଭିହିତ କରାଯାଇ ଅଛି ।

 

ଅନ୍ୟ ଏକ ମତରେ ବୌଦ୍ଧ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ବୁଦ୍ଧଦେବ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ରୁପେ ଜନ୍ମଗ୍ରହଣ କରିବା ପୂର୍ବରୁ ଆହୁରି ଛଅଥର ଅନ୍ୟ ନାମରେ ପୂର୍ଣ୍ଣ ବୁଦ୍ଧରୁପେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । (କେତେକ ବୌଦ୍ଧ ପଣ୍ତିତ ଛଅକୁ ଛଅସ୍ତୋରି ଏବଂ ଅନ୍ୟ କେତକ ମାତ୍ର ଚବିଶି ବୋଲି କହିଥାଆନ୍ତି) । ଜନ୍ମ ପୁର୍ବରୁ ବୁଦ୍ଧ ତୁଷିତ ସ୍ୱର୍ଗରେ ବସି ଶେଷଥର ସକାଶେ ଧରାଧାମେ ଅବତୀର୍ଣ୍ଣ ହୋଇ ପୂର୍ଣ୍ଣ ବୁଦ୍ଧରେ ଆତ୍ମପ୍ରକାଶ କରିବା ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଏବଂ ସେ ସକାଶେ ପୃଥିବୀର କେଉଁ ପ୍ରାନ୍ତ ଉପଯୁକ୍ତ ସେଇ ଚିନ୍ତାରେ ବ୍ୟାପୃତ ରହନ୍ତି । ଏହାକୁ ଅବଲମ୍ଭନ କରି ଏହି ଗୁହାର ଚିତ୍ର ମାଧ୍ୟମରେ ଅଙ୍କିତ ହୋଇଛି ଜୀବନ ଆଲେଖ୍ୟ-। ଚିନ୍ତାଗୁଡ଼ିକର ପରିଚୟ ଏହିରୁପେ ନିମ୍ନରେ ପ୍ରଦତ୍ତ ହେଲା ।

 

୧.      ସ୍ତମ୍ଭଶୀର୍ଷେ ବାମନ ମୂର୍ତ୍ତି ।

 

୨.      ବୁଦ୍ଧଙ୍କ ଜୀବନୀର ପ୍ରାଥମାଂଶ–

 

(କ)      ମହର୍ଷି ଅସିତଙ୍କ ଶିଶୁ ସିଦ୍ଧାର୍ଥଙ୍କୁ ଦର୍ଶନ ।

 

(ଖ)      ବିଦ୍ୟା ଶିକ୍ଷା ।

 

(ଗ)      ରାଜା ଶୁଦ୍ଧୋଦନଙ୍କ ଚିନ୍ତା ।

 

(ଘ)      ଗୃହତ୍ୟାଗ ।

 

(ଙ)      ଉରୁବିଲ୍ୱେ ଉପସ୍ଥିତ ।

 

(ଚ)      ସୁଜାତାଙ୍କ କ୍ଷୀରୀ ରନ୍ଧନ ।

 

(ଛ)      ତ୍ରିପୁଷ୍ୟ ଓ ଭଲ୍ଲିକ ।

 

(ଜ)      ରାଜା ବିମ୍ୱିସାରଙ୍କ ଆମନ୍ତ୍ରଣ ।

 

୩.      ନନ୍ଦଙ୍କ ପ୍ରବ୍ରଜ୍ୟା ଗ୍ରହଣ ।

 

(କ)      କାଳୋଦାୟୀ ଘୋଷଣା ।

 

Unknown

(ଖ)      ନଗ୍ରୋଧା ଗ୍ରାମେ ବୁଦ୍ଧ ।

 

(ଗ)      କପିଳବସ୍ତୁରେ ବୁଦ୍ଧ ।

 

(ଘ)      ନନ୍ଦଙ୍କ ମସ୍ତକ ମୁଣ୍ତନ ।

 

(ଙ)      ନନ୍ଦଙ୍କ ଅନୁଶୋଚନା ।

 

(ଚ)      ମୃତ୍ୟୁମୁଖେ ରାଜକନ୍ୟା ।

 

୪.      ହସ୍ତୀ ଜାତକ,

 

୫.      ଅଜ୍ଞାତ,

 

୬.      କେତେକ ମାନୁଷୀ ଚିତ୍ର,

 

୭.      ମୃଗ ଓ ମୀନନୟନା,

 

୮.      ଧର୍ମ ପ୍ରଚାର,

 

୯.      ଅଜାତାଶତ୍ରୁଙ୍କ ବୁଦ୍ଧଦର୍ଶନାଭିଳାଷେ ଆଗମନ ।

 

୧୦.      ବୁଦ୍ଧଙ୍କ ଆଲେଖ୍ୟ

 

ବୁଦ୍ଧଙ୍କ କାହାଣୀ ଯେପରି ଅପୁର୍ବ ସେପରି ଚିତ୍ତାକର୍ଷକ ମଧ୍ୟ । ସଦ୍ୟୋଜାତ ଶିଶୁକୁ କୋଳରେ ଧରି ମହର୍ଷି ତାଙ୍କର ଭବିଷ୍ୟତ ବାଣୀ ପ୍ରକାଶ କଲେ ।’’ଏଇ ଶିଶୁ ଯଦି ପରବର୍ତ୍ତୀ ଜୀବନେ ଗୃହୀ ହୋଇ ସଂସାରରେ ଆବଦ୍ଧ ହୁଏ, ତେବେ ସେ ହେବ ଜଣେ ଦିଗବିଜୟୀ ବୀର ତଥା ରାଜଚକ୍ରବର୍ତ୍ତୀ । କିନ୍ତୁ ଥରେ ଯଦି ତା’ର ମସ୍ତକ ମୁଣ୍ତିତ ହୁଏ, ତେବେ ସେ ହେବ ପୃଥୀବୀର ଶ୍ରେଷ୍ଠ ସନ୍ନ୍ୟାସୀ ତଥା ଯୁଗାବତାର, ଧର୍ମ ସଂସ୍ଥାପକ, କିନ୍ତୁ ସେ ସମୟ ଯାଏଁ ମୁଁ ଜୀବୀତ ନ ଥିବି । ସୁତରାଂ କ୍ରୋଡ଼ସ୍ଥିତ ଶିଶୁ ନିକଟରୁ ଦୀକ୍ଷାନେବା ସୌଭାଗ୍ୟ ମୋର ହେବନି । ଏହି ବାକ୍ୟ ଶେଷକରି ମହର୍ଷି ଶିଶୁ ପଦପ୍ରାନ୍ତେ ପ୍ରଣାମ ଜଣାନ୍ତି । ଏହାଶୁଣି ଏବଂ ମହର୍ଷିଙ୍କ ବ୍ୟବହାର ଦେଖି ଉପସ୍ଥିତ ସମସ୍ତ ବ୍ୟକ୍ତି ଏପରିକି ରାଜା ଶୁଦ୍ଧୋଦନ ମଧ୍ୟ ଶିଶୁକୁ ପ୍ରଣାମ କରନ୍ତି ।

 

ସିଦ୍ଧାର୍ଥଙ୍କ ଜନ୍ମର ସାତଦିନରେ ଜନନୀ ମାୟାଦେବୀ ପରଲୋକ ଗମନ କରନ୍ତି । ସେହିଦିନଠାରୁ ବିମାତା ତଥା ମାଉସୀ ମହାଗୌତମୀ (ଅନ୍ୟ ନାମ ମହାପ୍ରଜାପତି) ତାଙ୍କର ଲାଳନ ପାଳନର ସମସ୍ତ ଭାର ଗ୍ରହଣ କରନ୍ତି ଏବଂ ନିଜ ସନ୍ତାନ ଚନ୍ଦନଙ୍କ ସଙ୍ଗରେ ସିଦ୍ଧାର୍ଥ ସମଭାବେ ପ୍ରତିପାଳିତ ହୁଅନ୍ତି । ଯଥା ସମୟରେ ବିଦ୍ୟାଭ୍ୟାସ, ଚୁଡ଼ାକରଣ ପ୍ରଭୁତି ସାମାଜିକ କର୍ମମାନ ଏବଂ ଅସ୍ତ୍ରଶିକ୍ଷା ସୁସମ୍ପନ୍ନ ହୁଏ । ନନ୍ଦ, ଆନନ୍ଦ, ମହାମନା, ଦେବବତ୍ତ ଏବଂ ସିଦ୍ଧାର୍ଥ ଏ ସମସ୍ତ ରାଜପୁତ୍ରଗଣ ଏକସଙ୍ଗେ ବିଦ୍ୟାଭ୍ୟାସ କରନ୍ତି ।

 

ଏହିପରି ଭାବରେ ସିଦ୍ଧାର୍ଥ କ୍ରମଶଃ ବଡ଼ହୋଇ ଉଠନ୍ତି ସାଧରଣ ରାଜସନ୍ତାନ ଭଳି: କିନ୍ତୁ ମହାରାଜ ଭୁଲିପାରନ୍ତି ନାହିଁ ମହର୍ଷି ଅସିତଙ୍କ ସେହି ଭବିଷ୍ୟତବାଣୀ । ମନେ ମନେ ପ୍ରତିଜ୍ଞା କରନ୍ତି, କୌଣସି କାରଣରୁ ହେଲେ ହେଁ ସିଦ୍ଧାର୍ଥଙ୍କ ମସ୍ତକ ମୁଣ୍ତନ କରାଇବେ ନାହିଁ କି ପୀତବସ୍ତ୍ର ପରିଧାନ କରିବାକୁ ଦେବେନାହିଁ । ଏ ବିଷୟରେ ମହାଗୌତମୀଙ୍କ ସହ ପରାମର୍ଶ କରି ଅତି ଅଳ୍ପ ବୟସରେ ପରମ ରୂପବତୀ ଯଶୋଧାରାଙ୍କ ସହ ସିଦ୍ଧାର୍ଥଙ୍କ ବିବାହ ସୁସମ୍ପନ୍ନ ହୁଏ । ବିବାହିତ ଜୀବନଚିତ୍ର ମଧ୍ୟରେ ଦେଖାଯାଏ ସିଦ୍ଧାର୍ଥ ଯଶୋଧାରାଙ୍କ ବାମକର ଅଙ୍ଗୁଳି ଧରି ବସିଛନ୍ତି ।

 

ସେତେବେଳେ କପିଳବାସ୍ତୁରେ ହଳକର୍ଷଣ ଉତ୍ସବ ମହା ଆଡ଼ମ୍ୱରରେ ପାଳିତ ହୋଉଥିଲା । ଉତ୍ସବ୍ୟମଗ୍ନ ପ୍ରଜାମଣ୍ତଳୀଙ୍କୁ ଦେଖିବା ଏବଂ ମଧୁର ଜୀବନ ଉପଭୋଗ କରିବା ସକାଶେ ପିତା କର୍ତ୍ତୃକ ଆଦିଷ୍ଠ ହୋଇ ବୁଦ୍ଧଦେବ ଉତ୍ସବକ୍ଷେତ୍ରକୁ ଯାଇ ସେଠାରେ କୁବ୍‍ଜପୃଷ୍ଠ କଳିବର୍ଦ୍ଧଙ୍କ କ୍ଲେଶ ପରିଦର୍ଶ ନକରି ଚିନ୍ତାକ୍ଳିଷ୍ଟ ହୋଇ ପଡ଼ନ୍ତି । ସିଦ୍ଧାର୍ଥ ବିଷାଦମନେ ଏକ ବୃକ୍ଷମୂଳେ ଯାଇ ଉପବେଶନ କରନ୍ତି । ରାଜା ଶୁଦ୍ଧୋଦନ ଦେଖିପାରିଲେ ବାଳକ ସିଦ୍ଧାର୍ଥ ଯେଉଁ ବୃକ୍ଷମୂଳେ ବସିଥିଲେ, ତା‘ର ଛାୟା ଏକଭାବରେ ଏକସ୍ଥାନେ ସ୍ଥିତିଶୀଳ ହୋଇ ରହିଅଛି । ସୂର୍ଯ୍ୟଙ୍କ ଗତିସଙ୍ଗେ ଛାୟା ଅପସରି ନ ଯାଇ ସିଦ୍ଧାର୍ଥଙ୍କୁ ସମଭାବେ ଛାୟାଦାନ କରିଚାଲିଛି । ବିସ୍ନୟାବିଷ୍ଟ ମହାରାଜା ସେହିଦିନ ଦ୍ୱିତୀୟବାର ପ୍ରଣାମ ଜଣାଇଲେ ନିଜ ସନ୍ତାନକୁ ଏହା ସିଦ୍ଧାର୍ଥଙ୍କ ବିବାହ ପୂର୍ବ ଘଟଣା ।

 

ବିବାହପରେ ଦିନେ ସିଦ୍ଧାର୍ଥ ବାହାରିପଡ଼ନ୍ତି ନଗର ଭ୍ରମଣ ଉଦ୍ଦେଶ୍ୟରେ । ଏହି ସମୟରେ ତାଙ୍କର ନଜରରେ ପଡ଼େ ବ୍ୟାଧି, ଜରା, ମୃତ୍ୟୁ ଓ ସନ୍ନ୍ୟାସର ବହୁ ପ୍ରଚଳିତ ସେଇ ପୁରାତନ କାହାଣୀ । ପରିଶେଷରେ ସେ ଶେଷ ସିଦ୍ଧାନ୍ତରେ ପହଞ୍ଚନ୍ତି ଯେ ସନ୍ନ୍ୟାସ ହିଁ ଜୀବନର ପରମ ଲକ୍ଷ୍ୟ ଏବଂ ସର୍ବ ଶାନ୍ତିର ବାହକ । ସେ ମଧ୍ୟ ଏଇ ସନ୍ନ୍ୟାସ ଜୀବନଯାପନ କରିବେ । ଗୃହ ସଂସାର ତ୍ୟାଗ କରି ସତ୍ୟ ସନ୍ଧାନରେ ବାହାରି ପଡ଼ିବେ । ସେହିଦିନ ଯଶୋଧାରା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । ଯଶୋଧାରାଙ୍କୁ ଗୋପା, ଭଦ୍ରା ଓ ବିମ୍ୱା ନାମରେ ବିଭିନ୍ନ ଗ୍ରନ୍ଥରେ ନାମିତ ହୋଇଥିବା ଦେଖିବାକୁ ମିଳେ । ଏଇ ଶୁଭ ସମ୍ୱାଦକୁ ସଂସାରବନ୍ଧନର ଶକ୍ତିରଜ୍ଜୁ ବୋଲି ରାଜପୁତ୍ର ମନେକଲେ ।

 

ସବୁ ବନ୍ଧନ ଛିନ୍ନକରି ଆଷାଢ଼ ପୂର୍ଣ୍ଣିମା ଉତ୍ତରାଷାଢ଼ା ନକ୍ଷତ୍ରେ ଗଭୀର ରାତ୍ରିରେ ଯୁବରାଜ ସିଦ୍ଧାର୍ଥ ବାହାରି ପଡ଼ିଲେ ଅନାଗତ ପଥରେ । ରାଜ୍ୟସୀମା ପର୍ଯ୍ୟନ୍ତ ବିଶ୍ୱସ୍ତ ସାରଥି ଚନ୍ନ ତାଙ୍କର ନିଜ ରଥ ସାହାଯ୍ୟେ ଆଗେଇ ନେଇ ଗଲା । ବିଚରା ଚନ୍ନ ଜାଣେନା କି ଉଦ୍ଦେଶ୍ୟରେ ଯୁବରାଜଙ୍କ ଏ ନୈଶ ଅଭିମାନ । ଆମନ ନଦୀ ତୀରେ ପହଞ୍ଚି ଯେତେବେଳେ ସିଦ୍ଧାର୍ଥ ସମସ୍ତ ଅଙ୍ଗ ଆଭରଣ ତ୍ୟାଗ କରି ତରବାରୀରେ ନିଜେ ମସ୍ତକ ମୁଣ୍ତନ କରିନେଲେ, ସେତେବେଳେ ପ୍ରଭୁଙ୍କର ଉଦ୍ଦେଶ୍ୟ ବୁଝିବା ଆଉ ବିଶ୍ୱସ୍ତ ଅନୁଚର ପକ୍ଷେ ଅଜ୍ଞାତ ରହିଲାନାହିଁ । ସେ କାନ୍ଦି ଉଠିଲେ କିନ୍ତୁ ରାଜପୁତ୍ରଙ୍କ ସେଥିପ୍ରତି ଦୃଷ୍ଟି ନାହିଁ । ନଦୀ କୂଳରେ ସ୍ନାନ କରି ଗେରୁଆ ବସ୍ତ୍ର ସେ ପିନ୍ଧିଲେ । ରାଜପୋଷାକ ଓ ଆଭରଣ ସମସ୍ତ ରଥରେ ରଖିଲେ ଏବଂ ସାରଥିଙ୍କୁ ରଥ ଫେରାଇ ନେବାକୁ କହିଲେ ।

 

ଆଖିର ଲୁହରେ ବକ୍ଷ ଭସାଇ ବିଶ୍ୱସ୍ତ ସାରଥି ଚନ୍ନ କହିଲେ, ‘‘ଏପରି ଆଦେଶ କରନ୍ତୁ ନାହିଁ ଯୁବରାଜ ! ଏଇ ପୋଷାକରେ, ଏଇ ସନ୍ନ୍ୟାସୀ ବେଶରେ ତୁମକୁ ଛାଡ଼ିଯିବା ମୋ ପକ୍ଷେ ସମ୍ଭବପର ନୁହେଁ । ମୁଁ ଯଦି ଏକୁଟିଆ ଚାଲିଯାଏ ସକାଳେ ମହାରାଜା ପଚାରିଲେ କି ଜବାବ ଦେବି-? କପିଳବାସ୍ତୁର ଜନସାଧାରଣଙ୍କ ନିକଟରେ ବା କିପରି ମୁହଁ ଦେଖାଇବି ? ଅନୁଗ୍ରହ କରି ରାଜପୁରୀକୁ ପ୍ରତ୍ୟାବର୍ତ୍ତନ କରନ୍ତୁ, ନତୁବା ମୋତେ ଆପଣଙ୍କ ସଙ୍ଗେ ଯିବାପାଇଁ ଅନୁମତି ଦିଅନ୍ତୁ-।’’

 

ଇଷତ୍‍ ହସି ସିଦ୍ଧାର୍ଥ କହିଲେ, ‘‘ହେ ଚନ୍ନ । ତୁମେ ଭଲଭାବେ ଜାଣ ବର୍ତ୍ତମାନ ସୁଦ୍ଧା ମୁଁ ଏ ରାଜ୍ୟର ଯୁବରାଜ । ମୋର ଆଦେଶ ସର୍ବଦା ସର୍ବଥା ତୁମ ପକ୍ଷରେ ଅବଶ୍ୟ ପାଳନୀୟ । ମୁଁ ତୁମକୁ ଆଦେଶ ଦେଉଛି ମହାରାଜ ପଚାରିଲେ କହିବ, ମୁଁ ଯୁବରାଜଙ୍କ ହୁକୁମ ତାଲିମ କରିଛି ମାତ୍ର-।’’

 

ଅବନତ ମସ୍ତକରେ ଆଦେଶ ମାନିନେଇ ଚହ୍ନ ପଚାରିଲେ, ‘‘ଆଉ କ’ଣ ଦେଖାହେବ ନାହିଁ ଯୁବରାଜ ?’’

 

ସିଦ୍ଧାର୍ଥ କହଲେ, ନିଶ୍ଚୟ ତୁମ ସଙ୍ଗେ ଦେଖାହେବ; କିନ୍ତୁ ପ୍ରିୟ ଅଶ୍ୱ କଣ୍ଟକର ସଙ୍ଗେ ଆଉ ଦେଖା ହବନି । ଆଶ୍ଚର୍ଯ୍ୟର ବିଷୟ ପ୍ରଭୁଙ୍କର ବାକ୍ୟ ଶ୍ରବଣ କରି କଣ୍ଟକ ସେଠାରେ ପଡ଼ିଗଲା । ସେ ଆଉ ଉଠିଲା ନାହିଁ । ପ୍ରଭୁଙ୍କ ସମ୍ମୁଖରେ ଶେଷ ନିଃଶ୍ୱାସ ତ୍ୟାଗ କରି ପ୍ରଭୁଭକ୍ତିର ପରାକାଷ୍ଠା ଦେଖାଇ ଦେଲା । (୩୦୪)

 

ସାରଥୀକୁ ବିଦାୟ ଦେଇ ସିଦ୍ଧାର୍ଥ ସତ୍ୟ ସନ୍ଧାନ ଉଦ୍ଦେଶ୍ୟରେ ବାହାରି ପଡ଼ିଲେ । ରାଜଗୃହରେ ସିଦ୍ଧାର୍ଥ ଯାଇ ଉପସ୍ତିତ ହେଲେ । ସେଠରେ ସେ ଜଣେ ସନ୍ୟାସୀଙ୍କ ନିକଟରୁ ଦୀକ୍ଷାଗ୍ରହଣ କଲେ । ଧ୍ୟାନ ଏବଂ ତପସ୍ୟାରେ ରତ ହେଲେ । ସମସ୍ତ କ୍ରିୟା ସାଧନ ସହ ନାନା ଶାସ୍ତ୍ର ଅଧ୍ୟୟନ କରି ମଧ୍ୟ ସିଦ୍ଧାର୍ଥ ପରିତୃପ୍ତ ହୋଇପାରିଲେ ନାହିଁ । ସେ ସ୍ପଷ୍ଟ ବୁଝିପାରିଲେ, ତାଙ୍କର ଇପ୍‍ସିତ ବସ୍ତୁ ଏଠାରେ ମିଳିବା ସମ୍ଭବ ନୁହେଁ । ଅନତିବିଳମ୍ୱେ ଉକ୍ତ ଆଶ୍ରମ ତ୍ୟାଗ କରି ସେହି ‘ରାଜଗୃହ’ରେ ପରମଜ୍ଞାନୀ ଏବଂ ସାଧକ ରୁଦ୍ରକ ରାମପୁତ୍ତଙ୍କ ନିକଟରେ ଉପସ୍ଥିତ ହେଲେ । ନିଜର ଅଭିଳାଷ ବ୍ୟକ୍ତ କରି ତାଙ୍କର ନିକଟରୁ ନାନା ବିଷୟ ଶିକ୍ଷା ଲାଭକଲେ । ସେଥିରେ ବି ସେ ପରିତୃପ୍ତ ହୋଇପାରିଲେ ନାହିଁ । ସତ୍ୟ ସନ୍ଧାନୀ ସିଦ୍ଧାର୍ଥ ଗୃରୁଗୃହ ପରିତ୍ୟାଗପୂର୍ବକ ସମ୍ପୂର୍ଣ୍ଣ ଅଜଣା ପଥେ ବାହାରି ପଡ଼ିଲେ । ସତ୍ୟ ଆବିଷ୍କାର ଉପରେ ତାଙ୍କର ଏପରି ନିଷ୍ଠା ଦେଖି ଅନ୍ୟ ପାଞ୍ଚଜଣ ଗୁରୁଭାଇ ତାଙ୍କୁ ଅନୁସରଣ କଲେ । ସେମାନେ ହେଲେ ଅନ୍ନକୋଦନ୍ନ, ଭାମ୍ପା, ମହାନାମ, ଭନ୍ଦ ଓ ଅଶ୍ୟାପୀ ।

 

ଏହି ସଙ୍ଗି ଗଣଙ୍କ ସହ ସିଦ୍ଧାର୍ଥ ଏକ ଅଖ୍ୟାତ ଗଣ୍ତ ଗ୍ରାମ ଉରୁବିଲ୍ୱରେ ପହଞ୍ଚିଲେ । (ବର୍ତ୍ତମାନ ବୁଦ୍ଧଗୟାର ଦକ୍ଷିଣରେ ଏଇ ଗ୍ରାମ ଅବସ୍ଥିତ ।) ଏଇ ଗ୍ରାମର ପରିବେଶକୁ ତପସ୍ୟାର ଉପଯୁକ୍ତ ସ୍ଥାନ ବିବେଚନା କରି ସମସ୍ତେ ତପ ଆରମ୍ଭ କରିଦେଲେ । ଦୀର୍ଘ ଛଅବର୍ଷ ଧରି ଚାଲିଲା ନିରଳସ ସାଧନା । ଏଇ ସାଧନା ଭିତରେ ସିଦ୍ଧାର୍ଥ ଅନୁଭବ କଲେ ମାତ୍ରାତ୍ରିରିକ୍ତ ଆହାର ଏବଂ ନିଦ୍ରାରେ ଅଭ୍ୟସ୍ତ ହେଲେ ଯେପରି ସକଳ ପ୍ରାଣେନ୍ଦ୍ରିୟ ଅଳସ ତଥା ଅକର୍ମଣ୍ୟ ହୋଇପଡ଼େ ସେପରି ମାତ୍ରାତିରିକ୍ତ ପୀଡ଼ନଦ୍ୱାରା ମଧ୍ୟ ଅବଶ ତଥା ଦୁର୍ବଳ ହୋଇପଡ଼େ । ଜାଗତିକ କାମନା ବାସନା ହାତରୁ ମନକୁ ମୁକ୍ତକରିବା ପାଇଁ ଅଶକ୍ତ ଦୁର୍ବଳ ଇନ୍ଦିୟ ଉପଯୁକ୍ତ ନୁହେଁ । ସୁତରାଂ ଶରୀର ଧାରଣ ପକ୍ଷେ ଯେତିକି ସମ୍ଭବ ସେଇ ନ୍ୟୁନତମ ଆହାର୍ଯ୍ୟ ସାମଗ୍ରୀ ଗ୍ରହଣକରି ଶରୀରକୁ ସତେକ ରଖିବାକୁ ହେବ; କିନ୍ତୁ ସେ, ସେ ଆହାର୍ଯ୍ୟ ସଂଗ୍ରହ କରିବେ କିପରି ? ଏବେ ଯେ ସେ ସମ୍ପୂର୍ଣ୍ଣ ଉତ୍‍ଥାନ ଶକ୍ତି ରହିତ । ସିଦ୍ଧାର୍ଥଙ୍କ ଏଇ ଭାବନା ମୁହୂର୍ତ୍ତରେ ଗୋପତନୟା ସୁଜାତା ପାୟସାନ୍ନ ଆଣି ବୁଦ୍ଧଙ୍କ ସମ୍ମୁଖେ ପ୍ରଦାନ କଲା ତଥା ନିଜ ହସ୍ତରେ ଖୁଆଇ ଥିଲା । ଯାହାର ସ୍ମୃତି ବର୍ତ୍ତମାନ ମଧ୍ୟ ବୁଦ୍ଧଗୟାରେ ଦେଖିବାକୁ ମିଳିଥାଏ । ସିଦ୍ଧାର୍ଥଙ୍କ ଏଇ ସତ୍ୟୋପଲବଧିକୁ ଅନ୍ୟ ସଙ୍ଗୀଗଣ ଅବିଶ୍ୱାସ କଲେ । ତାଙ୍କୁ ବ୍ରାତ୍ୟ ଆଖ୍ୟାଦେଇ ସହଚର ପାଞ୍ଚଜଣ ଉରୁବିଲ୍ୱ ପରିତ୍ୟାଗ କରି ଚାଲିଗଲେ ।

 

ଏ ଘଟଣା ପରେ ସିଦ୍ଧାର୍ଥ ତିଳେ ହେଁ ବିଚଳିତ ନ ହୋଇ ନିଜର ସାଧନା ଚଳାଇ ଥିଲେ-। ସିଦ୍ଧିକ୍ଷେତ୍ରେ ବିଘ୍ନ ଉପୁଜାଇବା ପାଇଁ ମାର ସସୈନ୍ୟେ ଆସି ଉପନୀତ ହେଲା । ମାରର ସମସ୍ତ ଚେଷ୍ଟା ବିଫଳ ହେଲା । କୌଣସି ଏକ ବୈଶାଖ ପୁର୍ଣ୍ଣିମା (ଯାହାର ଅପର ନାମ ଗୁରୁ ପୁର୍ଣ୍ଣିମା) ରାତ୍ରର ଏକ ଅମୃତ ଲଗ୍ନେ ସିଦ୍ଧାର୍ଥ ପରମ ସତ୍ୟ ଉପଲବ୍‍ଧି କରି ବୁଦ୍ଧତ୍ୱ ପ୍ରାପ୍ତି ହେଲେ-। ସେ ଅନୁଭବ କଲେ ଚାରି ପ୍ରକାର ଆର୍ଯ୍ୟ ସତ୍ୟ । ଦର୍ଶନ କଲେ ପରମ ପ୍ରାପ୍ତି ବା ମୁକ୍ତିର ଅଷ୍ଠମୁଖୀ ପଥ । ବୁଝି ପାରିଲେ ଅଜ୍ଞାତାରୁ କାମନାର ଜନ୍ମ । କାମନାରୁ ଦେହଜ ସମସ୍ତ ଦୁଃଖ, କଷ୍ଟ, ଯନ୍ତ୍ରଣା, ଜରା, ମୃତ୍ୟୁର ଉତ୍ପତ୍ତି । ଜାଗତିକ ସମସ୍ତ ଦୁଃଖ ଦୁର୍ଦ୍ଦଶାର ମୂଳ ହେଲା ଅଜ୍ଞତା ଓ କାମନା-। ଏଇ ଦୁଇଟିକୁ ସମୂଳେ ଉତ୍ପାଟନ କରି ପାରିଲେ ଜୀବର ପରମ ମୁକ୍ତି ଅର୍ଥାତ୍ ନିର୍ବାଣ ଲାଭ ଅନିବାର୍ଯ୍ୟ-

 

ବୁଦ୍ଧତ୍ୱ ପ୍ରାପ୍ତି ପରେ ପୁଣି ମାର ଆସି ଦେଖା ଦେଲେ ଏବଂ ସିଦ୍ଧାର୍ଥଙ୍କୁ ପ୍ରାପ୍ତ ସତ୍ୟବାଣି ଜଗତରେ ପ୍ରଚାର ନ କରିବା ପାଇଁ ପ୍ରଲୁବ୍‍ଧ କରାଇଲେ । ଶାକ୍ୟ ସିଂହ ଏଥିପ୍ରତି ଦୃକ୍‍ପାତ୍‍ ନକରି ନିଜର କର୍ତ୍ତବ୍ୟ ପନ୍ଥା ଠିକ କରିନେଲେ । ନିଜର କଷ୍ଟଲବ୍ଧ ସତ୍ୟଜ୍ଞାନବାଣୀ ସଂସାରରେ ପ୍ରଚାର କରି ଜୀବଜଗତକୁ ମୋକ୍ଷ କରିବା ମହାନ୍‍ କର୍ତ୍ତବ୍ୟ ବୋଲି ଧରିନେଲେ ।

 

ବୁଦ୍ଧତ୍ୱ ପ୍ରାପ୍ତି ପରେ ବୁଦ୍ଧଦେବ ସେହି ବୋଧିବୃକ୍ଷମୂଳେ ଆହୁରି ଏକ ସପ୍ତାହ ଅବସ୍ଥାନ କରିଥିଲେ । ଏହାର ପର ସପ୍ତାହ ଅନ୍ୟ ଏକ ବୃକ୍ଷମୂଳେ ଆଶ୍ରୟ ଗ୍ରହଣ କଲେ । ସେ ସମୟରେ ପ୍ରବଳ ବେଗରେ ବୃଷ୍ଟିପାତ ହେଲା । ନାଗରାଜ ମୁଚୁକୁନ୍ଦ ନିଜର ବିରାଟ ଫଣାଦ୍ୱାରା ବୃଦ୍ଧଙ୍କୁ ବୃଷ୍ଟିକବଳରୁ ରକ୍ଷା କଲେ । ଏଇ ଦୃଶ୍ୟପଟ ସାଞ୍ଚିରେ ଦେଖିବାକୁ ମିଳେ । ଅଭୁକ୍ତ ଅଶକ୍ତ ବୁଦ୍ଧ ନିଶ୍ଚଳ ହୋଇ ସେଇ ବୃକ୍ଷମୂଳେ ପଡ଼ି ରହିଲେ । ଏଇ ସମୟରେ ଦୁଇଜଣ ଉତ୍କଳୀୟ ବଣିକ ବାଣିଜ୍ୟ ଉଦ୍ଦେଶ୍ୟରେ ସେହି ପଥଦେଇ ଯାଉଥିଲେ । ହଠାତ୍‍ ସେ ଶୂନ୍ୟରୁ ଶୁଣି ପାରିଲେ କିଏ ତାହାଙ୍କୁ ସମ୍ୱୋଧନ କରି କହୁଛି,’’ହେ ବଣିଜ ଦ୍ୱୟ ! ନିକଟରେ ଜଣେ ମହାପୁରୁଷ ଅଭୁକ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଛନ୍ତି । ତାଙ୍କୁ ଯଥାଯୋଗ୍ୟ ଖାଦ୍ୟ ପ୍ରଦାନପୁର୍ବକ ସୁସ୍ଥ କରାଅ । ‘‘ଏହା ଶୁଣି ଦୁଇଜଣଯାକ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ । କାଳ ବିଳମ୍ବ ନକରି ସେଇ ମହାପୁରୁଷଙ୍କ ଅନ୍ୱେଷଣର ଉଦ୍‍ଯୋଗୀ ହେଲେ ଏବଂ ଅଳ୍ପ ସମୟ ମଧ୍ୟରେ ବୁଦ୍ଧଙ୍କୁ ଦେଖି ପାରିଲେ । ପରମ ଭକ୍ତିଭରେ ମଧୁ ସହ ପରମାନ୍ନ ସନ୍ନ୍ୟାସୀଙ୍କ ଅଗ୍ରତେ ନିବେଦନ କଲେ । ଏଇ ଦୁଇ ବଣିକ ନ୍ତ୍ରପୁସ୍ୟ ଓ ଉଲ୍ଲିକ ନାମେ ବୌଦ୍ଧ ଗ୍ରନ୍ଥରେ କାଳକାଳକୁ ଅମର ହୋଇ ରହିଲେ ।

 

ଖାଦ୍ୟ ଗ୍ରହଣ କରି ବୁଦ୍ଧଦେବ ସୁସ୍ଥ ବୋଧ କଲେ । ସେ ନିଜର ମତ ପ୍ରକାଶ ଓ ପ୍ରଚାର କରିବା ସକାଶେ ସର୍ବ ପ୍ରଥମେ ବିଦ୍ୟାନଗରୀ କାଶୀ ଅଭିମୁଖେ ଯାତ୍ରା କଲେ । ସେଠାରେ ତାଙ୍କର ଶେଷ ସହଗାମୀ ପାଞ୍ଚଜଣ ବନ୍ଧୁ ବସବାସ କରୁଥିଲେ । ସେଠାରେ ବୁଦ୍ଧଙ୍କୁ ଦେଖି ତାଙ୍କର ବିଗତ କଥା ମନେ ପକାଇ ଉପହାସ କରି ଉଠିଲେ । ପରମତତ୍ତ୍ୱଜ୍ଞାନୀ ବୁଦ୍ଧ ଏଇ ଉପହାସରେ ତିଳେ ହେଁ ବିଚଳିତ ନ ହୋଇ ଅସୀମ ଧୈର୍ଯ୍ୟ ସହ ପଞ୍ଚ ସଙ୍ଗୀକୁ ତାଙ୍କର ତପ ଲବ୍‍ଧ ଜ୍ଞାନ ତଥା ସତ୍ୟ ପଥର ସନ୍ଦାନ ଜ୍ଞାପନ କଲେ ଏବଂ ଦୃଢ଼ତାର ସହ ନିଜ ମତ ବ୍ୟକ୍ତ କଲେ ।

 

ଇନ୍ଦ୍ରିୟଜ ସୁଖ ଓ ଇନ୍ଦ୍ରିୟଜ ନପୀଡ଼ନ ଏଇ ଚରମ ପଥ ସର୍ବଦା ପରିତ୍ୟଜ୍ୟ । ମାନବକୁ ଏ ଦୁଇ ମଧ୍ୟବର୍ତ୍ତୀ ଜ୍ଞାନପଥ ଦେଇ ଆଗେଇ ଯିବାକୁ ହେବ । ସେଇ ଉପଲବ୍‍ଧି ଜ୍ଞାନ ଅଷ୍ଟାଙ୍ଗ ସତ୍ୟ ଉପରେ ନିର୍ଭରଶୀଳ । ସେଇ ଅଷ୍ଟମୁଖୀ ସତମାର୍ଗ (୧) ସମ୍ମାଦିଟଠ (ସାମ୍ୟଦୃଷ୍ଟି) (୨) ସମ୍ମାସଙ୍କୋତପ (ସତ୍ୟ ସଂକଳ୍ପ), (୩) ସମ୍ମାବାଚ୍ୟ (ସତ୍ୟବାକ୍ୟ), (୪) ସମ୍ମାକମ୍ମନ୍ତୋ (ସତ୍ୟ କର୍ମ), (୫) ସମ୍ମା ଆଜୀବୋ (ସତ୍ୟ ଜୀବିକା), (୬) ସମ୍ମାବାୟାମୋ (ସତ୍ୟ ଉଦ୍‍ଯୋଗ), (୭) ସମ୍ମାସତି (ସତଚିନ୍ତା) (୮) ସମ୍ମାସମାହ (ସତ୍‍ଧ୍ୟାନ) ।

 

ଜନ୍ମ ଆଉ ଦୁଃଖର କଥା ଅବଧାନ କର । ଜନ୍ମ, ବ୍ୟାଧି, ଜରା, ମୃତ୍ୟୁ ହିଁ ବନ୍ଧନ । ଅପ୍ରିୟ ସଙ୍ଗେ ମିଳନ ଦୁଃଖର ଅର୍ଥାତ୍ ପ୍ରିୟ ବିରହ ହିଁ ଯଥାର୍ଥ ଦୁଃଖ ଏବଂ ପରମ ସତ୍ୟ ଲାଭରୁ ବଞ୍ଚିତ ହେବା ହିଁ ଚରମ ଦୁଃଖ ।

 

ବନ୍ଧନ ଏବଂ ଦୁଃଖର ମୂଳ ଭିତ୍ତି ହେଲା କାମନା ଆଉ ବାସନା । ଇନ୍ଦ୍ରୟିଜ ସୁଖର କାମନା ଏବଂ ଆତ୍ମତୃପ୍ତିର ବାସନା ଅହଂବୋଧ ଦ୍ୱାରା ଲଭ୍ୟ । ଆତ୍ମଯଶର ଅଭୀପ୍‍ସାହିଁ ଏ ସମସ୍ତର ମୂଳ କାରଣ ।

 

ବନ୍ଧନ ଓ ଦୁଃଖରୁ ମୁକ୍ତି ପାଇବା ଉପାୟ ହେଲା କାମନା ବାସନକୁ ପରିତ୍ୟାଗ କରିବା-। ପୂର୍ବ କଥିତ ଅଷ୍ଟମୂଖୀ ସତମାର୍ଗ ଅନୁସରଣ ହିଁ ଏସବୁର ମୁଳୋତ୍ପାଟନର ପ୍ରକୃତ ପଥ ।

 

ଏହା ହିଁ ହେଲା ସିଦ୍ଦାର୍ଥଙ୍କ ବୁଦ୍ଧତ୍ୱ ପ୍ରାପ୍ତି ପରର ପ୍ରଥମ ଉଚ୍ଚାରିତ ବାଣୀ, ଯାହାକି ସାରାନାଥ, ମୃଗଦାବରେ ଧର୍ମଚିକ୍ର ଆବର୍ତ୍ତନର ପ୍ରଥମ ସୂଚନା ଦେଇ ଥିଲା ।

 

ଏହି ବାଣୀ ଶ୍ରବଣ କରି ପଞ୍ଚସଖା ମଧ୍ୟରୁ ସର୍ବପ୍ରଥମ କୋଦନ୍ତ ନିଜକୁ ବୁଦ୍ଧଙ୍କ ପଦପ୍ରାନ୍ତେ ସମର୍ପିତ କରି ପ୍ରବ୍ରଜ୍ୟା ଗ୍ରହଣ କରିଥିଲେ । ତାହାଙ୍କୁ ଦେଖି ଅନ୍ୟ ଚାରିଜଣ ଅଳ୍ପ ସମୟ ବ୍ୟବଧାନରେ ବୁଦ୍ଧଙ୍କ ଦ୍ୱାରା ଦୀକ୍ଷୀତ ହୋଇଥିଲେ । ଏହି ସମୟରେ କାଶୀର କେତେକ ବଣିକ ବୁଦ୍ଧଙ୍କ ଶିଷ୍ୟ ହୋଇପାରିଥିଲେ । ସେମାନଙ୍କ ଭିତରେ କାଶୀର ବଣିକଶ୍ରେଷ୍ଠ ଜଶଦେବଙ୍କ ନାମ ବିଶେଷ ଭାବେ ଉଲ୍ଲେଖଯୋଗ୍ୟ ।

 

ବୁଦ୍ଧ ପୁଣି ଉରୁବିଲ୍ୱ ଗ୍ରାମକୁ ଫୋରିଆସନ୍ତି କାଶି ତ୍ୟାଗ କରି । ସେଠାରେ ଉରୁବିଲ୍ୱ କାଶ୍ୟପ ଓ ଗୟା କାଶ୍ୟପ ନାମେ ଦୁଇଜଣ ବିଶିଷ୍ଟ ନାଗରୀକଙ୍କୁ ସେ ଦୀକ୍ଷା ଦାନ କରନ୍ତି । ବୁଦ୍ଧ ନାମ ସଙ୍ଗେ ଗୟା କାଶ୍ୟପଙ୍କ ନାମର ପ୍ରଥମ ପଦଯୁକ୍ତ ହୋଇ ଉରୁବିଲ୍ୱ ପରବର୍ତ୍ତୀ କାଳରେ ବୁଦ୍ଧଗୟାରେ ପରିଣତ ହୁଏ । ଏହି ସମୟକୁ ବୁଦ୍ଧଙ୍କ ଶିଷ୍ୟ ପ୍ରାୟ ପାଞ୍ଚ ଶତରୁ ଅଧିକ । ସମସ୍ତ ଶିଷ୍ୟ ସମାରୋହରେ ବୁଦ୍ଧଦେବ ଅତଃପର ରାଜଗୃହେ ପଦାର୍ପଣ କରନ୍ତି । ଗୋଟିଏ ଚିତ୍ରରେ ରାଜା ବିମ୍ବିସାର ବୁଦ୍ଧଦେବଙ୍କୁ ରାଜଗୃହେ ଅବସ୍ଥାନ କରିବା ପାଇଁ ଆମନ୍ତ୍ରଣ ଜଣାଉଛନ୍ତି ଏବଂ ଭିକ୍ଷୁର ରାଜଗୃହେ ବାସ ଅସଙ୍ଗତ ବୋଲି ସେ ପ୍ରତ୍ୟାଖାନ କରୁଛନ୍ତି । ଏହି ଚିତ୍ରଟି ଅନେକାଶଂରେ ନଷ୍ଟ ହୋଇ ଯାଇଛି ସତ; କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତକ ଅବଶିଷ୍ଟ ଅଛି ତାକୁ ଏକ କଥାରେ ଅପୂର୍ବ କୁହାଯାଇପାରେ । ଉଦ୍ୟାନ ମଧ୍ୟରେ ବୁଦ୍ଧଙ୍କ ବସବାସ କରିବା ବ୍ୟବସ୍ଥା କରନ୍ତି । ସେହି ଜାଗା ବର୍ତ୍ତମାନ ବେଣୁବନ ନାମେ ପ୍ରଚାରିତ ହୋଇ ଆସୁଅଛି । ରାଜଗିରି ଇତିହାସରେ ଦେଖିବାକୁ ମିଳେ ସିଦ୍ଧାର୍ଥ ବୁଦ୍ଧଦେବରେ ପରିଣତ ହେବା ପରେ ସର୍ବ ପ୍ରଥମ ରାଜଗୃହେ ରାଜା ବିମ୍ୱସାରଙ୍କ ନିକଟରୁ ଭିକ୍ଷା ଗ୍ରହଣ କରିଥିଲେ । ବେଣୁବନ ଅବସ୍ଥାନ ସମୟରେ ସାରିପୁତ୍ତ ଓ ମୌଦଗଲ୍ଲାୟନ ନାମକ ଦୁଇ ବନ୍ଧୁ ବୌଦ୍ଧ ଧର୍ମରେ ଦୀକ୍ଷିତ ହୁଅନ୍ତି । ଏ ଦୁହେଁ ପରବର୍ତ୍ତୀ କାଳରେ ବୁଦ୍ଧଙ୍କ ଶ୍ରେଷ୍ଠ ଶିଷ୍ୟ ମଧ୍ୟରେ ପରିଗଣିତ ହୋଇ ପାରିଥିଲେ ।

 

ଏହି ସମୟରେ ରାଜା ଶୁଦ୍ଧୋଦନ ସିଦ୍ଧାର୍ଥଙ୍କ ବୁଦ୍ଧତ୍ୱପ୍ରାପ୍ତି ସହ ରାଜ ଗୃହରେ ଅବସ୍ଥାନ ଖବର ପାଆନ୍ତି । ପୁତ୍ରକୁ ଦେଖିବା ପାଇଁ କେତେକ ବିଶ୍ୱସ୍ତ ଅନୁଚରଙ୍କୁ ସେ ସେଠାକୁ ପ୍ରେରଣ କରନ୍ତି । କ୍ରମାନ୍ୱୟେ ଆଗତ ଅନୁଚରଗଣ ବୁଦ୍ଧ ସାନ୍ନିଧ୍ୟକୁ ଆସି ଆତ୍ମବିଭୋର ହୋଇ ପଡ଼ନ୍ତି ଏବଂ ରାଜାଦେଶ ସମ୍ପୂର୍ଣ୍ଣ ରୂପେ ଭୁଲିଯାଆନ୍ତି । ବାରବାର ଏପରି ଘଟଣା ଦେଖି ରାଜା ନିଜର ବିଶ୍ୱସ୍ତ ଅନୁଚର କାଳୁଦାୟିଙ୍କୁ ବୁଦ୍ଧଙ୍କ ନିକଟକୁ ନିଜର ଇଚ୍ଛା ପ୍ରକାଶ କରି ପ୍ରେରଣ କରନ୍ତି । ତାହାଙ୍କ ନିକଟରୁ ସମ୍ୱାଦ ପାଇ ବୁଦ୍ଧ କପିଳବାସ୍ତୁ ଯିବାକୁ ସମ୍ମତି ପ୍ରଦାନ କରନ୍ତି ଏବଂ ଯାତ୍ରା ଆୟୋଜନ କରିବାକୁ ଶିଷ୍ୟବର୍ଗଙ୍କୁ ନିର୍ଦ୍ଧଶ ଦିଅନ୍ତି ।

 

ଉକ୍ତ ସମ୍ବାଦ ପାଇ ରାଜା ନିଜ ରାଜ୍ୟକୁ ନାନା ଭାବେ ସଜ୍ଜିତ କରାନ୍ତି । କିଏ କାହାକୁ ପ୍ରଥମେ ମାନ୍ୟ ପ୍ରଦର୍ଶନ କରିବ ସେ ବିଷୟରେ ଚିନ୍ତିତ ହୋଇ ପଡ଼ନ୍ତି । ସନ୍ୟାସୀ ସର୍ବ ନମସ୍ୟ । କିନ୍ତୁ ବର୍ତ୍ତମାନ ସନ୍ନ୍ୟାସୀ ତାଙ୍କର ସନ୍ତାନ । ପିତାର ପୁତ୍ରକୁ ପ୍ରଣାମ କରିବା ସମ୍ଭବ ବା ଯୁକ୍ତିଯୁକ୍ତ ନୁହେଁ । ରାଜା ସନ୍ଦେହ ମୋଚନ ସକାଶେ ମହାମନ୍ତ୍ରୀଙ୍କ ପାରମର୍ଶ ଲୋଡ଼ିଲେ । କିନ୍ତୁ ମନ୍ତ୍ରୀ ଏହାର ସମାଧାନ ଖୋଜି ପାଇଲେ ନାହିଁ । ଏହି ସମୟରେ ଶୁଦ୍ଧୋଦନ ଦେଖି ପାରିଲେ, ତାଙ୍କର ଔରଷ ଜାତ ମହା ସନ୍ନ୍ୟାସୀପୂର୍ଣ୍ଣ ବୁଦ୍ଧ ତାଙ୍କ ସଙ୍ଗେ ମିଳିତ ହେବା ପାଇଁ ମହାଶୂନ୍ୟେ ଭାସି ଆସୁଛନ୍ତି । ତାଙ୍କର ପଦ ବା ଅନ୍ୟ କୌଣସି ଅବୟବ ଭୂମି ସ୍ପର୍ଶ କରୁନାହିଁ । ଏଇ ଅଲୌକିକ ପ୍ରତିଭା ଅବଲୋକନ କରି ମହାରାଜ ଚିନ୍ତାଶୂନ୍ୟ ମନରେ ଲୋଟିପଡ଼ିଲେ ପରମଭିକ୍ଷୁଙ୍କ ଚରଣ ତଳେ । ଏହା ହେଲା ପୁତ୍ରକୁ ପିତାଙ୍କ ତୃତୀୟ ଅଭିବାଦନ । ବୌଦ୍ଧ ଚିତ୍ରାବଳୀ ମଧ୍ୟରେ ଏଇ ଅଶଂଟି ଅଜନ୍ତା ସହ ସାଞ୍ଚିରେ ଅତି ପ୍ରାଞ୍ଜଳ ଭାବେ ଦେଖା ଯାଇଥାଏ । କପିଳବାସ୍ତୁରେ ବୁଦ୍ଧଦେବ ରାଜପ୍ରସାଦରେ ନ ରହି ନ୍ୟଗ୍ରୋଧା ଗ୍ରାମରେ ସାତଦିନ ଅବସ୍ଥାନ କରିଥିଲେ ।

 

ଏଇ ସାତଦିନର ଘଟଣାକୁ ଗୋଟିଏ ଗୋଟିଏ ନାଟକ କୁହାଯାଇପାରେ । ପ୍ରଥମ ଘଟଣାର ସୁତ୍ରପାତ ହୁଏ ରାଜା ଜ୍ୟେଷ୍ଠପୁତ୍ର ସିଦ୍ଧାର୍ଥଙ୍କ ଅଗ୍ରତେ କନିଷ୍ଠ ଗୌତମ ପୁତ୍ର ନନ୍ଦଙ୍କୁ ଯୁବରାଜ ଘୋଷଣାର ଅଭିପ୍ରାୟ ଦେଇ । ଉକ୍ତ ସମ୍ୱାଦ ଶ୍ରବଣ କରି ବୁଦ୍ଧଦେବ ବୈଷୟିକ ବ୍ୟାପାରରେ କୌଣସି ମତବ୍ୟକ୍ତ କଲେ ନାହିଁ । ଅଭିମାନକ୍ଲିଷ୍ଟ ରାଜା ତତକ୍ଷଣାତ୍ ଘୋଷଣା କଲେ ଯେ ଆଗାମୀ କାଲି ଜ୍ୟେଷ୍ଠର ସମ୍ମୁଖେ କନିଷ୍ଠର ଯୁବରାଜଭିଷେକ ସମାଧାନ ହେବ । ସେଇ ସଙ୍ଗେ ନନ୍ଦଙ୍କ ପ୍ରଣୟୀ ତଥା ରାଜ୍ୟର ଅତୁଳନୀୟ ସୁନ୍ଦରୀ ଜନପଦ କଲ୍ୟାଣୀଙ୍କ ସଙ୍ଗେ ବିବାହ କର୍ମ ମଧ୍ୟ ସୁସମ୍ପନ୍ନ ହେବ । ଉତ୍ସବରେ ନଗରୀ ମାତି ଉଠିଲା । ଆତ୍ମୀୟ କୁଟୁମ୍ୱଗଣ ଦଳେ ଦଳେ ମହା ଆଡ଼ମ୍ୱରରେ ରାଜପୁରୀରେ ଆସି ଜମା ହେଲେ । ଉତ୍ସବ କେତେଦିନ ରାଜଭବନରେ ବାସ କରିବା ପାଇଁ ବୁଦ୍ଧଙ୍କୁ ଅନୁରୋଧ କରାଗଲା । କିନ୍ତୁ ରାଜପୁରୀରେ ବସବାସ ଅନୁଚିତ କହି ସେ ମନା କଲେ । ତେବେ ଦିନେ ଭିକ୍ଷାର୍ଥେ ରାଜପ୍ରାସାଦେ ଯିବା ପାଇଁ ସମ୍ମତ ପ୍ରଦାନ କଲେ । ଏଇ ଉତ୍ତରରେ ରାଜା ସନ୍ତୁଷ୍ଟ ହେଲେ ମଧ୍ୟ ରାଜବଧୂ ଯଶୋଧାରା ମୁହ୍ୟମାନ ହୋଇପଡ଼ିଲେ । ଉତ୍ତରରେ ବୁଦ୍ଧଦେବ କହିଲେ ପୂର୍ବାଶ୍ରମେ ମୋର କି ପରିଚିତ ଥିଲା ସେ ପ୍ରଶ୍ନ ବର୍ତ୍ତମାନ ଅବାନ୍ତର-। ବର୍ତ୍ତମାନ ମୁଁ ଜଣେ ଭିକ୍ଷୁ । ଦରିଦ୍ର କୁଟୀରଠାରୁ ରାଜଦ୍ୱାରା ପର୍ଯ୍ୟନ୍ତ ଭିକାରୀର ଭିକ୍ଷାପାତ୍ର ସମଭାବେ ପ୍ରସାରିତ କରାଯାଇପାରେ । ସୁତରାଂ ସେ ତାଙ୍କର ସଙ୍କଳ୍ପରେ ଅଟଳ-। ଏଇ ବାଦାନୁବାଦ ପରେ ରାଜାଙ୍କ ବିଶେଷ ଅନୁରୋଧରେ ସେ ରାଜପ୍ରସାଦେ ଅନ୍ନ ଗ୍ରହଣ କରିବା ପାଇଁ ସମ୍ମତ ହୋଇଥିଲେ ।

 

ପ୍ରଭାତ ହେଲା । ମହାନ୍ ଭିକ୍ଷୁ ଭିକ୍ଷାପାତ୍ର ହାତେ ନଗର ପ୍ରାନ୍ତେ ବାହାରି ପଡ଼ିଲେ । କିନ୍ତୁ ପରିଚିତ ନଗରବାସୀ ରାଜପୁତ୍ର ଭିଖାରୀଙ୍କ ପାନ୍ତ୍ରରେ ଭିକ୍ଷା ଦେବାକୁ ସାହସ କରିପାରିଲେ ନାହିଁ । ପ୍ରତି ଦ୍ୱାରରୁ ବିଫଳ ମନୋରଥ ହୋଇ ଭିକ୍ଷୁ ପଦେ ପଦେ ଅଗ୍ରସର ହୋଇ ରାଜଦ୍ୱାରରେ ଉପନୀତ ହେଲେ । ଏଇ ସେଇ କକ୍ଷ । ଯେଉଁଠାରୁ ସିଦ୍ଧାର୍ଥ ଦିନେ ଅଲକ୍ଷ୍ୟରେ ଚାଲିଯାଇଥିଲେ । ସେହି ରାତ୍ରଠାରୁ ଜଣେ ଉନ୍ମେଷ ନୟନେ ଚାହିଁ ରହିଛି ସେଇ ରାଜ ପୁତ୍ରଙ୍କ ପ୍ରତ୍ୟାଗମନ ଆଶା ନେଇ । ଆଜି ସେ ଆଶା ସଫଳ ହେଲେ ବି ସେ ବ୍ୟକ୍ତି ଆଉ ରାଜପୁତ୍ର ନୁହେଁ ଭିକ୍ଷୁ ମାତ୍ର । ଭିକ୍ଷୁର ଭିକ୍ଷାପାତ୍ର ପୂର୍ଣ୍ଣ କରିବାରେ ସେଇ ରମଣୀ କୌଣସି କାର୍ପଣ୍ୟ ବା ଚଞ୍ଚଳତା ପ୍ରକାଶ କଲାନି । ଭିକ୍ଷୁ ପ୍ରସନ୍ନ ବଦନେ ଫେରି ଚାଲିଲେ । (ସପ୍ତଦଶ ଗୁହାରେ ଦ୍ରଷ୍ଟବ୍ୟ ଚିତ୍ର) ।

 

ସେଇଦିନ ବୁଦ୍ଧଦେବ ରାଜ ପ୍ର’ସାଦରେ ଭୋଜନ କରିବା ସମୟରେ ରାଜା ଶୁଦ୍ଧୋଦନଙ୍କଠାରୁ ଯଶୋଧାରାଙ୍କ କୁଚ୍ଛ୍ର ସାଧନ କଥା ଶୁଣି ପାରିଥିଲେ । ଶେଷ ଉତ୍ତରରେ କହିଲେ, କେବଳ ଏହି ଜନ୍ମରେ ନୁହେଁ; ଅତୀତର ବହୁ ଜନ୍ମରେ ସେ ଏପରି ପତିଭକ୍ତିର ପରିଚୟ ଦେଇ ଆସିଛନ୍ତି । ଏହା ହଁ ତାଙ୍କର ନିୟତି ।’’

 

ପ୍ରାଚୀର ଚିତ୍ରରେ ଶିଳ୍ପୀ ଏଠାରେ ଏଇ କାହାଣୀକୁ ଭତ୍ତିକରି ଦର୍ଶକଙ୍କୁ ଟାଣି ନେଇଛନ୍ତି ନନ୍ଦଙ୍କ କାହାଣୀ ପ୍ରତ । ଏ ନନ୍ଦ ଐତିହାସିକ ବ୍ୟକ୍ତି ‘ନନ୍ଦ’ ନୁହନ୍ତି । ଏ ହେଉଛନ୍ତି ବୌଦ୍ଧଜାତକ ବର୍ଣ୍ଣିତ ସିଦ୍ଧାର୍ଥଙ୍କ କନିଷ୍ଠ ଭ୍ରାତା ଗୌତମୀ ପୁତ୍ର ନନ୍ଦ । ରାଜ୍ୟ ପ୍ରାପ୍ତି ଆଶାରେ ବିଭୋର ନନ୍ଦ ନିଜର ପ୍ରେୟାସୀ ସହ ଅଚିରେ ମିଳନ ହେବା ଆନନ୍ଦରେ ଉତ୍ପୁଲ୍ଲ ହୋଇ ନ୍ୟଗ୍ରୋଧା ଗ୍ରାମେ ଅଗ୍ରଜଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ହେଲେ । ପ୍ରଣାମ କରି ସାଦର ସମ୍ଭାଷଣ ଜଣାଇବା ପରେ ନିଜ କୌତୁହଳ ଚରିତାର୍ଥ କରିବା ପାଇଁ ପଚାରିଲେ, ‘‘ ହେ ପରମ ପୂଜ୍ୟ ଅଗ୍ରଜ ! କପିଳବାସ୍ତୁର ରାଜ-ଐଶ୍ୱର୍ଯ୍ୟ, ବିଶ୍ୱ ବିମୋହିନୀ ସତୀ ଶିରେମଣି ଯଶୋଧାରାଙ୍କ ଭଳି ନାରୀରତ୍ନ ଏବଂ ସର୍ବୋପରି ରାହୁଳ ସଦୃଶ ପୁତ୍ର ବିନିମୟରେ ଏପରି କି ସତ୍‌ସମ୍ପଦ ଲାଭକଲ ଯେ ସେଥିରେ ତୁମେ ବିଭୋର ହୋଇ ରହିଛ ।’’

 

ବୁଦ୍ଧଦେବ କହିଲେ, ‘‘ଜାଣିବାକୁ ଚାହଁ ସେ କି ସମ୍ପଦ; ତାହାହେଲେ ନିକଟକୁ ଆସ ।’’

 

ନନ୍ଦ ସେ ନିର୍ଦେଶ ପ୍ରତିପାଳନ କରିଥିଲେ । ଦୁଇଭାଇଙ୍କ ମଧ୍ୟରେ କ’ଣ କଥୋପକଥନ ହୋଇଥିଲା ତାହାର ସଠିକ ଅନୁଲିପି ନଥିଲେ ବି, ବୁଦ୍ଧଙ୍କ ଦ୍ୱାରା ଆହୁତ ସାରିପୁତ୍ତ ଅର୍ଦ୍ଧରାତ୍ରେ ନନ୍ଦଙ୍କୁ ପ୍ରବ୍ରଜ୍ୟା ପ୍ରଦାନ କରିଥିଲେ । ପ୍ରାତେ ନଗରବାସୀ ଦେଖି ପାରିଲେ ଯାହାଙ୍କ ପାଇଁ ଆଜି ନଗର ଉତ୍ସବ ମୁଖରିତ ସେଇ ଭାବୀଯୁବରାଜ ନନ୍ଦ ମୁଣ୍ଡିତ ମସ୍ତକ ହୋଇ ପୀତବସନ ପରିଧାନ ପୂର୍ବକ ଭିକ୍ଷାପାତ୍ର ଧରି ନଗର ଦାଣ୍ଡେ ବାହାରି ପଡ଼ିଛନ୍ତି ।

 

ଯଥା ସମୟରେ ରାଜ ଅନ୍ତଃପୁରେ ଏ ସମ୍ୱାଦ ପ୍ରବେଶ କଲା । ଦୁଃଖରେ ରାଜା ରାଣୀ ଭାଙ୍ଗି ପଡ଼ିଲେ । ଉତ୍ସବମୁଖର ରାଜପୁରୀ ତଥା ନଗର ମୁହୂର୍ତ୍ତକରେ ଭିନ୍ନ ରୂପ ଧାରଣ କଲା ।

 

ରାଜ୍ୟର ଅନ୍ୟ ଏକ ପ୍ରାନ୍ତ ବଧୂବେଶରେ ସଜ୍ଜିତା ହୋଇ ଅପେକ୍ଷା କରିଛନ୍ତି ଅପୂର୍ବ ଲାବଣ୍ୟମୟୀ କଲ୍ୟାଣୀ ସେଇ ମଧୁର ମୁହୂର୍ତ୍ତକୁ—ଯୁବରାଜଙ୍କ ସଙ୍ଗେ ମିଳିତ ହେବାପାଇଁ । କୈଶୋର ସ୍ୱପ୍ନ ଆଜି କୁସୁମିତ ହେବ ଏବଂ ଅଳ୍ପ ସମୟ ମଧ୍ୟରେ ସେ ହେବେ ଏଇ ବିଶାଳ ସାମ୍ରାଜ୍ୟର ଯୁବରାଣୀ । ସେହି ସମୟରେ ନନ୍ଦଙ୍କ ବିଶ୍ୱସ୍ତ ଭୃତ୍ୟ ପ୍ରତ୍ୟାଖ୍ୟାତ ରାଜମୁକୁଟ ସହ ନନ୍ଦଙ୍କ ପ୍ରବ୍ରଜ୍ୟା ଗ୍ରହଣ ସମ୍ୱାଦ ନେଇ ଉପସ୍ଥିତ ହେଲା । ଏ ଦୁଃସାମ୍ୱାଦ ଶୁଣିଲା ଭଳି ଶକ୍ତି କଲ୍ୟାଣୀଙ୍କର ନଥିଲା । ବାତାହତ ପ୍ରତିମା ଭଳି ସେ ମୂର୍ଚ୍ଛିତା ହୋଇ ପଡ଼ିଗଲେ । ସେ ମୂର୍ଚ୍ଛା ହିଁ ହେଲା ତାଙ୍କର ଅନ୍ତିମଶଯ୍ୟା । ଏହି ଚିତ୍ର ହିଁ ବିଶ୍ୱବିଖ୍ୟାତ ମରଣୋନ୍ମୁଖୀ ରାଜକନ୍ୟା ବା The dying princess ଛବି ବୋଲି ଶିଳ୍ପ ଜଗତରେ ପ୍ରସିଦ୍ଧି ଲାଭ କରିଅଛି ।

 

ଏହାପରେ ଅନ୍ୟ ଏକ କାହାଣୀ କହି ଏ ଆଖ୍ୟାନରେ ଇତି ଟଣାଯାଇପାରେ । ନନ୍ଦଙ୍କ ସନ୍ନ୍ୟାସ ଗ୍ରହଣର ଦୁଇଦିନ ପରେ ଯଶୋଧାରା କିଂକର୍ତ୍ତବ୍ୟବିମୁଢ଼ା ହୋଇ ପଡ଼ିଛନ୍ତି । ଅତି ନିକଟରେ ତାଙ୍କର ଚିର ଆରାଧ୍ୟ ଦେବତାଙ୍କ ପଥ ନିକଟ ହେଲେ ବି ପାଖରେ ଯାଇ ପହଞ୍ଚିବା ସମ୍ଭବ ନୁହେଁ । ସାମାଜିକ କର୍ତ୍ତବ୍ୟ ବାଧା ଯେତେ ପ୍ରବଳ ହେଉଅଛି ସେତେ ବେଶି ଶେଷ ଆଶ୍ରୟ ପୁତ୍ର ରାହୁଳକୁ ସେ ଜାବୋଡ଼ି ଧରୁଛନ୍ତି । ତାହାରି ଭିତରେ ସେ ଜୀବନର ଅବଲମ୍ୱନ ଖୋଜୁଛନ୍ତି । ବୁଦ୍ଧଦେବଙ୍କ ରହିବା ସମୟ କ୍ରମଶଃ କମି ଆସୁଛି । ଶେଷରେ ଯଶୋଧାରା ସ୍ୱାମୀଙ୍କ ସଙ୍ଗେ ସମାଧାନ ପାଇଁ ପ୍ରସ୍ତୁତ ହେଲେ । ଆଜି ବୁଦ୍ଧ ନ୍ୟଗ୍ରୋଧା ଗ୍ରାମ ତ୍ୟାଗ କରି ଚାଲିଯିବେ । ହୁଏତ ଏ ଜୀବନରେ ଆଉ ଦେଖାହେବ ନାହିଁ । ସୁତରାଂ ଆଜି ହିଁ ଶେଷ ଅସ୍ତ୍ର ପ୍ରୟେଗ କରିବା ପାଇଁ ଯଶୋଧାରା ପ୍ରସ୍ତୁତ ହେଲେ । ସପ୍ତମବର୍ଷୀୟ ରାହୁଳକୁ ଭଲଭାବେ ବୁଝାଇ ପିତାଙ୍କ ନିକଟକୁ ପଠାଇଲେ । ଜନ୍ମଦାତା ନିକଟରେ ସେ ନିଜର ଅସହାୟ କଥା କହିବ ‘‘ସନ୍ତାନ ସାବାଳକ ନହେବଯାଏ ପିତାର କର୍ତ୍ତବ୍ୟ ତାକୁ ପ୍ରତିପାଳନ କରିବା, ଶିକ୍ଷା, ଦୀକ୍ଷା ତାକୁ ସତ୍‍ ମନୁଷ୍ୟ ଭାବେ ଗଢ଼ି ତୋଳିବା । ସୁତରାଂ ଆପଣ ମୋ ପ୍ରତି ସଦୟ ହୋଇ ସେ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ।’’ –ଅମୋଘ ଅସ୍ତ୍ର । ନିଶ୍ଚୟ ସନ୍ନ୍ୟାସୀ ଏଥିରେ ବିଚଳିତ ହୋଇ ରାଜି ହେବେ ଯଶୋଧାରାଙ୍କ ଅଭିଳାଷ ପୂର୍ଣ୍ଣ ହେବ ।

 

ମାତୃ ଆଦେଶ ପାଇ ରାହୁଳ ବିଶ୍ୱସ୍ତ ଅନୁଚର କାଳୁଦାୟି ସଙ୍ଗେ ପିତାଙ୍କ ନିକଟକୁ ଗଲେ । ସେଠାରେ ସେ ମାଆଙ୍କ ଉପଦେଶ ଅନୁଯାୟୀ ପିତାଙ୍କୁ କହିବେ ଏବଂ ଉତ୍ତର ଆଣି ମାଆଙ୍କ ନିକଟରେ ପହଞ୍ଚାଇ ଦେବେ । ଦୀର୍ଘ ସମୟ ଅତିବାହିତ ହୋଇଗଲା । ଶେଷରେ ଏକାକୀ କାଳୁଦାୟି ଫେରି ଆସି ଜଣାଇଲା ‘ରାହୁଲ ନ୍ୟାଗ୍ରୋଧା ଗ୍ରାମେ ନିଜ ପିତାଙ୍କ ସଙ୍ଗେ ରହିଗଲେ । ପରିକଳ୍ପନା ଅନୁଯାୟୀ ସପ୍ତମ ବଷିୟ ଶିଶୁ କୁମାର ବୁଦ୍ଧଙ୍କ ନିକଟରେ ନିଜର ନ୍ୟାଯ୍ୟ ଦାବୀ ଜଣାଇଥିଲା । ସନ୍ନ୍ୟାସୀଙ୍କର ଶ୍ରେଷ୍ଠଧନ ଦାନ କରି ପୁତ୍ରକୁ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ କରିନେଲେ-। ମସ୍ତକ ମୁଣ୍ଡନ ସହ ଗେରୁଆ ବସନ ପରିଧାନ କରି ରାହୁଳ ସେଠାରେ ରହିଗଲେ । ସେ ଆଉ ଜନନୀ ନିକଟକୁ ଫେରିଲେ ନାହିଁ ।

 

ସମସ୍ତ ଶୁଣିଲା ଭଳି ଧୈର୍ଯ୍ୟ ରାହୁଳ ମାତାଙ୍କର ରହିଲା ନାହିଁ । ମୂର୍ଚ୍ଛା ହୋଇ ଭୂମିରେ ସେ ଲୋଟିପଡ଼ିଲେ । ଏ ସମ୍ୱାଦ ମୁହୂର୍ତ୍ତକ ମଧ୍ୟରେ ରାଜପୁରୀରେ ପଚାରିତ ହୋଇଗଲା । ରାଜା ସବୁକଥା ଶୁଣି କ୍ଷିପ୍ତ ହୋଇ ଉଠିଲେ । ସୂର୍ଯ୍ୟବଂଶୀୟ କ୍ଷତ୍ରିୟ ରକ୍ତ ତାଙ୍କର କ୍ରୋଧରେ ତେଜି ଉଠିଲା । ସେ ଶୀଘ୍ର ନ୍ୟଗ୍ରୋଧା ଗ୍ରାମକୁ ଧାବିତ ହେଲେ । ସେଠାରେ ପହଞ୍ଚି ଉତ୍ୟକ୍ତ କଣ୍ଠେ ସେ ପୁତ୍ର ବୁଦ୍ଧଦେବଙ୍କୁ ପ୍ରଶ୍ନ କଲେ, ‘‘ତୁମେ ଗୃହତ୍ୟାଗୀ ସନ୍ନ୍ୟାନୀ ହୋଇ କେଉଁ ଅଧିକାରରେ ଏଇ ଦୁଗ୍‍ଧପୋଷ୍ୟ ଶିଶୁକୁ ପ୍ରବ୍ରଜ୍ୟା ଦାନ କରିଛ ?’’

 

ବୁଦ୍ଧ ଅତି ଧୀର ଭାବେ କହିଲେ, ‘‘ପୁତ୍ର ଆସି ପିତୃ–ଧନ ପ୍ରାର୍ଥନା କରିଥିଲା । ମୁଁ ଜଣେ ଭିକ୍ଷୁ । ମୋ ନିକଟରେ ଭିକ୍ଷାପାତ୍ର ଏକମାତ୍ର ସମ୍ପଦ—ମୋର ଅନ୍ୟ କିଛି ସମ୍ୱଳ ନାହିଁ । ତା’ର ଉପଯୁକ୍ତ ପ୍ରାପ୍ୟ ତାକୁ ମୁଁ ଦାନ କରିଛି ।’’

 

ସଙ୍ଗେ ସଙ୍ଗେ ରାଜା ପ୍ରଶ୍ନ କଲେ,‘‘ତୁମେ ତ ସନ୍ନ୍ୟାସୀ, ତୁମେ କ’ଣ ପିତା-ପୁତ୍ର ସମ୍ୱନ୍ଧ ସ୍ୱୀକାର କର ?’’

 

ଉତ୍ତରରେ ବୁଦ୍ଧ କହିଲେ, ‘‘ନିଶ୍ଚୟ ସ୍ୱୀକାର କରେ । ଯେ ଏ ଜଗତ ମଧ୍ୟକୁ ମୋତେ ଆଣିଛନ୍ତି ତାଙ୍କୁ ଅସ୍ୱୀକାର କରିବି କପରି ?’’

 

ରାଜା ପୁଣି କହିଲେ, ‘‘ତାହେଲେ କ’ଣ ପୁତ୍ର ପିତୃଦାୟ ଗ୍ରହଣ କରିବାକୁ ବାଧ୍ୟ ?’’

 

ବୁଦ୍ଧ କିହଲେ, ‘‘ନିଶ୍ଚୟ ବାଧ୍ୟ, ମହାରାଜ ! ପିତୃଦାୟ କିଏ କେଭେଁ ଅସ୍ୱୀକାର କରିପାରେ ?’’

 

ଉତ୍ତର ଶୁଣି ରାଜା କ୍ଷିପ୍ତ ହୋଇ କହିଲେ, ‘‘ଶୁଣ ସନ୍ନ୍ୟାସୀ ! ମୁଁ କପିଳାବାସ୍ତୁର ରାଜା ଶୁଦ୍ଧୋଦନ । ଏକଦା ସିଦ୍ଧାର୍ଥ ନାମଧାରୀ ଏକ ସନ୍ତାନର ପିତା ଥିଲି । ଆଜି ସେଇ ପିତୃତ୍ୱର ଅଧିକାର ବଳରେ ସନ୍ତାନ ସିଦ୍ଧାର୍ଥକୁ ପିତୃଦାୟ ଗ୍ରହଣ କରିବାକୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଉଛି-। ସେ କଣ ତାହା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ?’’

 

ସଙ୍ଗେ ସଙ୍ଗେ ଆସନ ତ୍ୟାଗ କରି ପରମ ଭିକ୍ଷୁ ଯୁକ୍ତ କରେ ଜଣାଇଲେ, ‘‘ସିଦ୍ଧାର୍ଥ ନିଶ୍ଚୟ ପ୍ରସ୍ତୁତ ମହାରାଜା ! ସେ ପିତୃଦାୟ ଏ ଅଧମ ସନ୍ତାନ ହସ୍ତେ ଅର୍ପଣ କରନ୍ତୁ ।’’

 

ବୁଦ୍ଧଙ୍କ ବକ୍ତବ୍ୟ ଶୁଣି ସମସ୍ତେ ସ୍ତମ୍ଭିତ ହୋଇଗଲେ । ଗଭୀର ଉତ୍ତେଜନାରେ ରାଜା ଶୁଦ୍ଧୋଦନ କମ୍ପିଉଠିଲେ । ନୀରବତା ମଧ୍ୟରେ ସମସ୍ତଙ୍କ ମନରେ ଗୋଟାଏ ବିରାଟ ଆଶଙ୍କା—ବୋଧହୁଏ କିଛି ଅଘଟଣ ଘଟିବ ? ନା, ପିତା ସେପରି କିଛି ଅସମ୍ଭବ ଆଦେଶ ସନ୍ତାନକୁ ଦେଲେ ନାହିଁ । ସେ କିହଲେ, ‘‘ଶୁଣ ସନ୍ନ୍ୟାସୀରୂପୀ ସିଦ୍ଧାର୍ଥ ! ପ୍ରତିଜ୍ଞା କର, ଆଜିଠାରୁ କୌଣସି ନାବାଳକକୁ ତାଙ୍କ ଅଭିଭାବକଙ୍କର ଅନୁମତି ବ୍ୟତୀତ ପ୍ରବ୍ରଜ୍ୟା ଦାନ କରିପାରିବ ନାହିଁ । ଏହାହିଁ ପୁତ୍ରପ୍ରତି ପିତାର ଆଦେଶ ।’’

 

ବୁଦ୍ଧଦେବ ଉକ୍ତ ଆଦେଶ ମାନି ନେଇଥିଲେ ଏବଂ ଜୀବିତା ବସ୍ଥାରେ ଏଇ ପ୍ରତିଶ୍ରୁତି ସେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ।

 

ଏଇ କାହାଣୀ ଚିତ୍ର ମଧ୍ୟରେ ଆଉ ଗୋଟିଏ ଦୃଶ୍ୟ ବେଶ୍‌ ତାତ୍‌ପର୍ଯ୍ୟପୂର୍ଣ୍ଣ ତଥା ଉପଭୋଗ୍ୟ । ରାଜା ଶୁଦ୍ଧୋଦନ ଅନ୍ତିମ ଶଯ୍ୟାରେ ଶାୟିତ । ହାବଭାବରୁ ସ୍ପଷ୍ଟ ବୁଝାଯାଉଅଛି ଯେ, ସେ କ’ଣ ଗୋଟାଏ ଦେଖିବାକୁ ଚାହୁଁ ଛନ୍ତି । କିନ୍ତୁ କି ସେ ବାସନା ଅମାତ୍ୟଗଣ ଅନ୍ଦାଜ କରି ନପାରି କିଂକର୍ତ୍ତବ୍ୟବିମୂଢ଼ ଭାବେ ଦଣ୍ଡାୟମାନ । ମନର ବାସନା କେବଳ ଜାଣନ୍ତି ମୁମୂର୍ଷୁ ବ୍ୟକ୍ତି ଆଉ ତାଙ୍କର ଅନ୍ତର୍ଯ୍ୟମୀ । ଆଉ ଜଣେ ଜାଣନ୍ତି ଯାହାକୁ ସେ ଚିନ୍ତାକରୁଛନ୍ତି,ସେହି ସିଦ୍ଧାର୍ଥ । ସେତେବେଳେ ବୁଦ୍ଧ କପିଳବାସ୍ତୁଠାରୁ ବହୁଦୂରରେ, ଯାହାଙ୍କ ଉପସ୍ଥିତି ଆଦୌ ସମ୍ଭବ ନୁହେ । ଏ କଥା ମୃତ୍ୟୁପଥର ଯାତ୍ରୀଙ୍କ ଅଜଣା ନୁହେଁ । ତେଣୁ ସେ ନିଜ ମନର ବାସନା କୌଣସି ବ୍ୟକ୍ତି ନିକଟରେ ବ୍ୟକ୍ତ ନ କରି ନୀରବରେ ଅନ୍ତିମ ଲଗ୍ନକୁ ଅପେକ୍ଷା କରୁଛନ୍ତି । ଅବ୍ୟକ୍ତ ବାସନା ଅଛପା ରହିଲା ନାହଁ । ଜନ୍ମଦାତାଙ୍କ ଅନ୍ତିମ କାମନା ପୂର୍ଣ୍ଣ କରିବାପାଇଁ ସୂକ୍ଷ୍ମ ଶରୀରରେ ଶେଷପଥର ଯାତ୍ରୀଙ୍କ ଶଯ୍ୟାପାଖେ ଉପସ୍ଥିତ ହେଲେ । ରାଜା ପରିଷ୍କାର ରୂପେ ସିଦ୍ଧାର୍ଥ ତଥା ବୁଦ୍ଧଦେବଙ୍କୁ ତାଙ୍କର ନିକଟରେ ଉପସ୍ଥିତ ହେବା ଦେଖିପାରିଲେ ଏବଂ ଭକ୍ତିପୂର୍ଣ୍ଣ ଚିତ୍ତରେ ଶେଷ ପ୍ରଣାମ ନିବେଦନ କଲେ । ଅଳ୍ପକ୍ଷଣ ପରେ ତାଙ୍କର ଇହଲୋକ ଯାତ୍ରା ସାଙ୍ଗ ହେଲା ।

 

ପ୍ରତିଟି ପ୍ରାଚୀର ଚିତ୍ର ମଧ୍ୟରେ ତା’ର ନିଜସ୍ୱ କାହାଣୀ ବିଦ୍ୟମାନ । ସେ ସବୁକୁ ଆଲୋଚନାକୁ ଆଣିଲେ କେବଳ ଅଜନ୍ତା ଚିତ୍ର କାହାଣୀ ନେଇ ଏକ ବିରାଟ ଗ୍ରନ୍ଥ ହୋଇପଡ଼ିବ । ସେ ଗ୍ରନ୍ଥଯେତେ ସୁଖପାଠ୍ୟ ହେଲେ ମଧ୍ୟ ତାହା ବର୍ଣ୍ଣନା ଶକ୍ତି ମୋର ନାହିଁ । ସେପରି ସାଧନା ମଧ୍ୟ ମୋର ନାହିଁ ଯଦ୍ଦ୍ୱାରା ପ୍ରତିଟି ଚିତ୍ରର ବକ୍ତବ୍ୟ ଉଦ୍ଧାର କରିପାରେ । ଯେଉଁ ଚିତ୍ରଗୁଡ଼ିକ ମନକୁ ବିଶେଷ ଭାବେ ଆଲୋଡ଼ିତ କରିପାରିଛି ତାହାରି ଭିତରୁ କେତୋଟି ଚିତ୍ର-କାହାଣୀ ପାଠକଙ୍କୁ ଉପହାର ଦେବା ଚେଷ୍ଟା କରିଛି ମାତ୍ର । ଯାହାହେଉ ଏପରି ଭାବେ ଷୋଡ଼ଶ ଗୁହା ଦେଖା ଶେଷକରି ସପ୍ତଦଶ ଗୁହାଭିମୁଖେ ଅଗ୍ରସର ହେଲୁ ।

 

ସପ୍ତଦଶ ଗୁହା—ପ୍ରବାଦରୁ ଜଣାଯାଏ ଦାକ୍ଷିଣାତ୍ୟର ରାଜା ଋଷିକ ତାଙ୍କର କନିଷ୍ଠଭ୍ରାତାଙ୍କ ସ୍ମୃତି ରକ୍ଷାର୍ଥେ ଏଇ ଗୁହା ବିହାରଟି ନିର୍ମାଣ କରାଇ ନାନା ବିଚିତ୍ର ଚିତ୍ର ସମ୍ଭାର ମଧ୍ୟରେ ସୁସଜ୍ଜିତ କରିଇଥିଲେ । ବିହାରଟି ପ୍ରାୟ ଚତୁଃସ୍କୋଣ, ହଲଘର ମଧ୍ୟରେ ୨୦ଗୋଟି ସ୍ତମ୍ଭ ରହିଛି । ଏହାର ନିର୍ମାଣକାଳ ଖ୍ରୀଷ୍ଟୀୟ ୪୭୦ରୁ ୪୮୦ । ବିହାର ମଧ୍ୟରେ ମୁଖ୍ୟତଃ ନିମ୍ନୋକ୍ତ ଚିତ୍ରଗୁଡ଼ିକୁ ଦେଖିବାକୁ ମିଳିଥାଏ ।

 

୧) ସଂସାରଚକ୍ର, ୨) ଦାନର ଦୃଶ୍ୟ, ୩) ମୂର୍ଚ୍ଛାତୁର ମାଦ୍ରୀ ଓ ବିଶ୍ୱାନ୍ତର, ୪) ଇନ୍ଦ୍ରଙ୍କ ମର୍ତ୍ତ୍ୟେ ଆଗମନ, ୫) ଆଠଗୋଟି ବୁଦ୍ଧ, ୬) ଛଅଜଣ ନର୍ତ୍ତକୀ, ୭) ନୀଳଗିରି ଦମନ, ଏଇ ଦୃଶ୍ୟଟି ତିନିଭାଗରେ ବିଭକ୍ତ (କ) ବେଣୁବନେ ବୁଦ୍ଧଦେବ, (ଖ) ନୀଳଗିରି ମଦମତ୍ତ ଅବସ୍ଥାରେ ଆକ୍ରମଣ, (ଗ) ନୀଳଗିରିର ବୁଦ୍ଧଙ୍କୁ ପ୍ରଣାମ, ୮) କୃଷ୍ଣା ଅପସରା, ୯) ହସ୍ତିଜାତକ, ୧୦) ମହାକପିଜାତକ, ୧୧) ଷଡ଼ଦନ୍ତ ଜାତକ, ୧୨) ମୃଗଜାତକ, ୧୩) ପ୍ରସାଧନରତା ରାଜକନ୍ୟା, ୧୪) ସିଂହଳ ଅବଦାନ, (କ) ବାଣିଜ୍ୟତରୀ ଜଳମଗ୍ନ, (ଖ)ରାକ୍ଷାସୀଙ୍କ ହତ୍ୟା ଉତ୍ସବ, (ଗ) ବୋଧିସତ୍ତ୍ୱ ଅଶ୍ୱରାଜ, (ଘ) ସିଂହକେଶରୀଙ୍କ ଦରବାର, (ଙ) ସିଂହକେଶରୀଙ୍କୁ ହତ୍ୟା, (ଚ) ବିଜୟସିଂହଙ୍କ ଯାତ୍ରା, (ଛ) ଅଭିଷେକ, ୧୫) କେତେକ ବୁଦ୍ଧମୂର୍ତ୍ତି, ୧୬) ମହିଷ ଜାତକ, ୧୭) ଶରଭ ଜାତକ, ୧୮) ଶ୍ୟାମଜାତକ, ୧୯) ପିତୃ-ପୋଷକ ଜାତକ, ୨୦) ସୁତସୋମ ଜାତକ, ୧ମ ଭାଗ ୨୧) ସୁତସୋମ ଜାତକର ୨ୟ ଭାଗ, ୨୨) ସରମାପୁତ୍ରଙ୍କ ପରୀକ୍ଷା, ୨୩) ଗର୍ଭମନ୍ଦିରେ ମୃଗଦାବ ବୁଦ୍ଧମୂର୍ତ୍ତି, ୨୪) ଗୋପା (ଯଶୋଧାରା) ରାହୁଳ ଓ ବୁଦ୍ଧ, ୨୫) ଶିବି ଜାତକ, ୨୬) ଅଶ୍ୱାନ୍ତର ଜାତକ, (କ) ତରବାରୀ ଦାନ, (ଖ) କଳିଙ୍ଗବାସୀଙ୍କ ଭିକ୍ଷା, (ଗ) ପୁଷତୀର ନିକଟରୁ ବିଦାୟ, (ଘ) ମାଦ୍ରୀଙ୍କ ନିକଟରୁ ବିଦାୟ, (ଙ) ରାଜପଥେ ଅଶ୍ୱାରୂଢ଼ ବିଶ୍ୱନ୍ତର, (ଚ) ରଥାଶ୍ୱଦାନ, (ଛ) ସଞ୍ଜୟ ଅଗ୍ରତେ ଜୁଜୁକ ।

 

ପ୍ରଧାନ ଗୃହର ସମ୍ମୁଖ ଅଳିନ୍ଦରେ ଠିଆହେଲେ ସର୍ବପ୍ରଥମେ ସଂସାରଚକ୍ର ଚିତ୍ରଟି ଉପରେ ନଜର ପଡ଼ିବ । ପ୍ରାୟ ଦଶଫୁଟ ବ୍ୟାସ ବିଶିଷ୍ଟ ଏହି ଚିତ୍ର ମଧ୍ୟରେ ନଗର ଓ ଗ୍ରାମ୍ୟ ଜୀବନର ବିଭିନ୍ନ ଖଣ୍ଡଚିତ୍ରମାନ ସନ୍ନିବେଶିତ ହୋଇଅଛି । ସଂସାର ଚକ୍ରରେ ଜୀବନମାତ୍ରକେ ଆବର୍ତ୍ତନଶୀଳ । ସମ୍ଭବ ଏହା ହିଁ ଶିଳ୍ପୀର ମୂଳ ଲକ୍ଷ୍ୟ । ବିହାରର ଅଧିକାଂଶ ଚିତ୍ର ବୁଦ୍ଧଜାତକର କାହାଣୀ ଅବଲମ୍ୱନରେ ଚିତ୍ରିତ । ବୁଦ୍ଧଦେବ ପୂର୍ବବର୍ତ୍ତୀ ଜୀବନରେ ନାନା ରୂପନେଇ ଭୂପୃଷ୍ଠେ ଅବତୀର୍ଣ୍ଣ ହୋଇ ସଂସାରରେ ଲୀଳାଖେଳା ଛଳରେ ଜୀବଜଗତକୁ ବିଭିନ୍ନ ଶିକ୍ଷା ଦେଇ ମହାପ୍ରୟାଣ କରନ୍ତି । ଏହିସବୁକୁ ବୋଧିସତ୍ତ୍ୱ ବୋଲି କୁହାଯାଇଥାଏ । ବୁଦ୍ଧ ତାଙ୍କର ଜୀବିତାବସ୍ଥାରେ ସେଇସବୁ ଅବିନଶ୍ୱର କାହାଣୀ ନିଜ ଶିଷ୍ୟମାନଙ୍କୁ ଗଳ୍ପ ଛଳରେ ଶୁଣାଇଥିଲେ । ସେଇ କାହାଣୀକୁ ଅବଲମ୍ୱନକରି ସପ୍ତଦଶ ଗୁହାର ଚିତ୍ରଗୁଡ଼ିକ ରଚିତ ହୋଇଅଛି । ଦର୍ଶକ ଯଦି ଜାତକ କାହାଣୀ ସଙ୍ଗେ ପରିଚିତ ଥାଆନ୍ତି ତେବେ ଏଇ ଚିତ୍ରାବଳୀର ରସାସ୍ୱାଦନ ସହଜରେ କରିପାରିବେ । ତନ୍ମଧ୍ୟରୁ ସିଂହଳଜାତକ କାହାଣୀ ଅନ୍ୟତମ ।

 

ଜମ୍ୱୁଦ୍ୱୀପେ ସିଂହକଳ୍ପ ନାମକ ଏକ ଜନପଦ । ସେଠାରେ ରାଜା ସିଂହକେଶରୀ । ତାଙ୍କର ରାଜ୍ୟରେ ସିଂହଳ ବଣିକ ପରମସୁଖେ ବସବାସ କରୁଥିଲେ । ବୟଃକାଳେ ତାଙ୍କର କୌଣସି ସନ୍ତାନ ନ ହେବା ଏକମାତ୍ର ଦୁଃଖର କାରଣ ଥିଲା । ଭଗବତ୍‌ ଦୟାରୁ ସେ ଅଭାବ ମଧ୍ୟ ଦୂର ହେଲା । ପ୍ରୌଢ଼ତ୍ୱର ଶେଷାବସ୍ଥାରେ ବଣିକ ଗୋଟିଏ ପୁତ୍ରସନ୍ତାନ ଲାଭକଲେ । ସନ୍ତାନର ନାମ ଦେଲେ ସିଂହଳ । ସିଂହଳ କ୍ରମଶଃ ବଡ଼ହେବା ସାଥେ ବହୁ ବିଦ୍ୟାରେ ସୁପଣ୍ଡିତ ହୋଇଉଠିଲେ । ଅତଃପର ପିତା, ପୁତ୍ର ବିବାହ ଦେବାକୁ ଯତ୍ନବାନ ହେଲେ । ଏହା ଜାଣିପାରି ବାଣିଜ୍ୟରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବିବାହ ସ୍ଥଗିତ ରଖିବାପାଇଁ ସିଂହଳ ପିତାଙ୍କୁ ଅନୁରୋଧ କଲେ ଏବଂ ନିଜେ ସମୁଦ୍ରପାରି ବାଣିଜ୍ୟ କରିବାକୁ ପ୍ରସ୍ତୁତ ହେଲେ । ଅଳ୍ପ ସମୟ ମଧ୍ୟରେ ପିତାଙ୍କ ଅନୁମତି ନେଇ ମଝିଦରିଆରେ ବାଣିଜ୍ୟତରୀ ଭସାଇଦେଲେ ।

 

ନାନା ଦେଶରେ କାରବାର କରି ଧନଦୋଲତ ପୂର୍ଣ୍ଣ ବାଣିଜ୍ୟ ପୋତଗୁଡ଼ିକର ମୁଖ ନିଜ ଦେଶାଭିମୁଖେ ଫେରାଇଲେ ସିଂହଳ । ସଙ୍ଗେ ସହଯାତ୍ରୀ ବଣିକଦଳ । ପଥମଧ୍ୟରେ ଗୋଟିଏ ଅତି ରମଣୀୟ ଅଜଣା ଦ୍ୱୀପ ଦେଖି ସେଠାରେ ବିଶ୍ରାମ ନେବାପାଇଁ ତରୀ କୂଳରେ ଭିଡ଼ାଇଲେ । ବଣିକଦଳ କୂଳରେ ଅବତରଣ କରି ଦେଖିଲେ କେତେକ ଅପୂର୍ବ ସୁନ୍ଦରୀ ତରୁଣୀ ଦଳାବାନ୍ଧି ତାଙ୍କୁ ଅଭ୍ୟର୍ଥନା ଜଣାଇବା ସକାଶେ ଆଗେଇ ଆସୁଛନ୍ତି ।

 

ରୂପମୁଗ୍‌ଧ ବଣିକଦଳ ରମଣୀଙ୍କଦ୍ୱାରା ଅଭ୍ୟର୍ଥିତ ହୋଇ ସେମାନଙ୍କ ଗୃହେ ଆତିଥ୍ୟ ଗ୍ରହଣକଲେ । ପ୍ରତ୍ୟେକେ ଜଣେ ଜଣେ ସୁନ୍ଦରୀଙ୍କ ସଙ୍ଗେ ସୁଖ ଲାଭ କରିପାରିଲେ । ସୁଖାଦ୍ୟପେୟ ସଙ୍ଗେ ସୁନ୍ଦରୀ ଶଯ୍ୟାସଙ୍ଗିନୀ ଲାଭ କରିପାରି ବଣିକମାନେ ଆତ୍ମବିଭୋର ହୋଇପଡ଼ିଲେ । କିନ୍ତୁ ଏ ଖୁସିରେ ଦଳପତି ସିଂହଳ ପୂର୍ଣ୍ଣପ୍ରାଣରେ ଅଂଶ ନେଇପାରିଲେ ନାହିଁ । ଅଜଣାସ୍ଥାନେ ପୁରୁଷବିହୀନ ଅପରିଚିତ ନାରୀମାନଙ୍କ ଏପରି ଘନିଷ୍ଠ ସାହଚର୍ଯ୍ୟ ତାଙ୍କୁ କେଉଁ ଏକ ବିପଦର ସୂଚନା ବୋଲି ମନେହେଲା । ଅଥଚ ଗୃହକର୍ତ୍ତୀଙ୍କ ଆଦର ଆପ୍ୟୟନ ଏପରି ନିଖୁଣ ଯେ ସେ ସହଯାତ୍ରୀଗଣଙ୍କୁ ବାଧା ଦେଇପାରିଲେ ନାହିଁ । ପ୍ରମିଳାପୁରୀ ରାଜକନ୍ୟା ନିଜେ ନେଇଛନ୍ତି କେତେକ ପରିଚର୍ଯ୍ୟାର ଦାୟିତ୍ୱ । ଆମୋଦ ପ୍ରମୋରଦର ସମସ୍ତ ଆୟୋଜନ ସୁଚାରୁରୂପେ ପ୍ରସ୍ତୁତ-। ଲାସ୍ୟମୟୀ ରାଜକନ୍ୟା ରୂପ ପସରା ସଜାଇ ସିଂହଳଙ୍କ ଚତୁର୍ଦ୍ଦିଗେ ଘୂରିବୁଲୁଛନ୍ତି-। ତାଙ୍କର ମନମୋହିନୀ କଟାକ୍ଷ ବାରବାର ନିକ୍ଷେପ ହେଉଛି ଯୁବକଙ୍କ ଉପରେ । ଏସବୁ ନଗ୍ନ ଯୌନ ଆବେଦନକୁ କେଉଁ ଏକ ଅଦେଖା ଶକ୍ତିବଳରେ ସିଂହଳ ଉପେକ୍ଷା କରି ନିଜକୁ ଅତି ସଯତ୍ନେ ବଞ୍ଚାଇ ରଖିଛନ୍ତି । ସୁନ୍ଦରୀଙ୍କ ଲାଳସାଗ୍ନି ଯେତେ ତୀବ୍ର ହୋଇ ଉଠୁଛି ସିଂହଳ ସେତିକି ମିୟମାଣ ହୋଇପଡ଼ୁଛନ୍ତି । ବାରବାର ଏକ ପ୍ରଶ୍ନ ତାଙ୍କର ମନରେ ଗୁଡ଼େଇ ତୁଡ଼େଇ ହୋଇ ଜାଗରିତ ହେଉଅଛି । ‘‘ଏଇ ଅପରୂପା ସୁନ୍ଦରୀଙ୍କ ପରିଚୟ କ’ଣ ? ଦ୍ୱୀପ ମଧ୍ୟରେ ପୁରୁଷ ଦେଖାଯାଉ ନାହାନ୍ତି କାହିକି ? ପୁରୁଷ ବିନା ପ୍ରଜନନ କ୍ରିୟା ସମ୍ଭବ ହେଉଛି କିପରି ? ଏଇ ରୂପସୀ ତରୁଣୀ ଦଳରେ ଜଣେହେଲେ କୁରୁପା କିପରି ସମ୍ଭବ ହେଲା ନାହିଁ ? ପୂର୍ବରୁ ନାବିକ ତଥା ବଣିକଦଳ ଏପରି ଏକ ଅପରୂପ ଦ୍ୱୀପର ଖବର ନପାଇଲେ କାହିଁକି ?’’ ରାଜକନ୍ୟାଙ୍କ ପ୍ରମୋଦ ଭବନେ ବସି ଏସବୁ ପ୍ରଶ୍ନର ସମାଧାନ ଖୋଜିବୁଲିଲେ ସିଂହଳ । ଏଥିରେ ତାଙ୍କର ମନ ସଦା ସର୍ତକ ରହିଲା-

 

ଅନ୍ୟଦିଗେ କାମାଶକ୍ତ ବଣିକଦଳ ଘନନିଶା ହେବା ସଙ୍ଗେ ସଙ୍ଗେ ନିସ୍ତେଜ ହୋଇପଡ଼ିଲେ । ସୁଯୋଗ ଓ ସୁବିଧା ଦେଖି ଅଙ୍କଶାୟିନୀ ରୂପସୀଗଣ ନିଜର ରାକ୍ଷସୀ ସ୍ୱରୂପ ପ୍ରକାଶକରି ପରମ ଆନନ୍ଦରେ ନରମାଂସ ଭକ୍ଷଣରେ ମତ୍ତ ହୋଇଉଠିଲେ । ବଣିକ ଯୁବକଗଣ କିଛି ବୁଝିବା ବା ପ୍ରତିରୋଧ କରିବା ସୁଯୋଗ ପାଇପାରିଲେ ନାହିଁ । ସଦାଜାଗ୍ରତ ସିଂହଳ ଏକମାତ୍ର ଏଇ ଶିକାରରୁ ଉଦ୍ଧାର ପାଇ ନିଜ ଦେଶରେ ଆସି ପହଞ୍ଚିଲେ । ବନ୍ଧୁବାନ୍ଧବ ସହ ଯଥାସର୍ବସ୍ୱ ହରାଇ ଆସିଲେ ସେଇ କୁହୁକ ଦ୍ୱୀପରେ ।

 

ହାତରୁ ଶିକାର ଚାଲିଯିବା ଦେଖି କୁହୁକିନୀ ରାଜକୁମାରୀ କ୍ଷିପ୍ତ ହୋଇ ଉଠିଲା । କଳେ,ବଳେ କୌଶଳେ ଏଇ ସୁପୁରୁଷ ଯୁବକଙ୍କ ତାଜା ମାଂସ, ଉତ୍ତପ୍ତ ରୁଧିର ସେ ଚାହେଁ । କାଳବିଳମ୍ୱ ନକରି ଏକ ସୁନ୍ଦରୀ ତରୁଣୀ ନବବଧୂ ବେଶରେ ସଜ୍ଜିତ ହୋଇ ସିଂହଳଙ୍କ ପିତାଙ୍କ ନିକଟରେ ଉପସ୍ଥିତ ହେଲା । କାକୁତି ମିନତି ସହ ଏକ କପୋଳକଳ୍ପିତ କାହାଣୀ କହିଲା । ପ୍ରମାଣ କରିବାକୁ ଚେଷ୍ଟା କଲା ସେ ସିଂହଳଙ୍କ ବିବାହିତା ସ୍ତ୍ରୀ; ଅର୍ଥାତ୍‌ ତାଙ୍କର ପୂତ୍ରବଧୂ ବୋଲି । ଏ କାହାଣୀକୁ ସିଂହଳ ସତ୍ୟ ମନେକରି ପୁତ୍ର ସିଂହଳକୁ ଡକାଇ ଆଣିଲେ ଏବଂ ସର୍ବ ସମକ୍ଷେ ନିଜର ବିବାହିତ ସ୍ତ୍ରୀଙ୍କୁ ଗ୍ରହଣକରିବା ସକାଶେ ଆଦେଶ ଦେଲେ । ଅଗତ୍ୟା ବାଧ୍ୟହୋଇ ସିଂହଳ ତାମ୍ୱ୍ରଦ୍ୱୀପର ଘଟଣାବଳି ସବିସ୍ତାରେ ବ୍ୟକ୍ତ କଲେ । ‘‘କିପରି ତାଙ୍କର ନୌକାଯାଇ ଉକ୍ତ ଦ୍ୱୀପରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସେଠାର ଅଧିବାସୀ ରାକ୍ଷସୀଗଣ ସୁନ୍ଦରୀ ରମଣୀ ସାଜି ସେମାନଙ୍କୁ ଆସି ଅଭ୍ୟର୍ଥନା ଜଣାଇଲେ, କିପରି ପ୍ରତି ସହଚରକୁ ନିଜ ନିଜ ପ୍ରକୋଷ୍ଠକୁ ନେଇ ମଧ୍ୟରାତ୍ରେ ନିଜର ରାକ୍ଷସୀ ରୂପ ଧରି ସେମାନଙ୍କୁ ହତ୍ୟା କରି ମାଂସ, ରକ୍ତ ଭକ୍ଷଣ କଲେ । ସେ ଭଗ୍ୟବାଳରୁ ସମସ୍ତ ହରାଇ ପ୍ରାଣ ନେଇ କିପରି ଚାଲିଆସିଲେ ଏଇ ସମସ୍ତ କାହାଣୀ ବର୍ଣ୍ଣନା କଲେ ।

 

ସିଂହଳଙ୍କ ମୁଖରୁ ସତ୍ୟ ଘଟଣା ଶ୍ରବଣ କରି ଛଦ୍ମବେଶୀ ରାକ୍ଷସୀକୁ ମାର ଧର କରି ସିଂହଳ ନିଜ ଗୃହ ତଥା ଗ୍ରାମରୁ ବାହାର କରିଦେଲେ । ଏହା ସତ୍ତ୍ୱେ ରାକ୍ଷାସୀ ତା’ର ବାସନାରୁ ନିବୃତ୍ତ ହେଲାନି । ସେହିପରି ବଧୂ ବେଶରେ ରାଜଦରବାରେ ଉପସ୍ଥିତ ହୋଇ ରାଜାଙ୍କ ଅଗ୍ରତେ ସେଇ ପୂର୍ବ ବର୍ଣ୍ଣିତ କାହାଣୀ ନିବେଦନ କରି ବିଚାର ପ୍ରାର୍ଥନା କଲା । ଅତି ସହଜ ଭାବେ ରାଜା ସେଇ କାହାଣୀକୁ ବିଶ୍ୱାସ କରି ବଣିକ ପୁତ୍ରଙ୍କୁ ରାଜଦରବାରକୁ ଡକାଇ ଆଣି ନିଜର ସ୍ତ୍ରୀକୁ ସସମ୍ମାନେ ଗ୍ରହଣ କରିବାକୁ ଆଦେଶ ଦେଲେ । ସିଂହଳ ପୁଣି ତାମ୍ର ଦ୍ୱୀପର ସମସ୍ତ ଘଟଣାବଳୀ ସବିସ୍ତାରରେ ରାଜଦରବାରରେ ଜଣାଇଲେ । ସୁନ୍ଦର ମୁଖର ଜୟ ସର୍ବତ୍ର । ରାଜଦରବାରରେ ତା’ର ବ୍ୟତିକ୍ରମ ହେଲାନି । ରାଜା ସିଂହଳକୁ ବିଶ୍ୱାସ କଲେନି । ତେବେ ତାଙ୍କୁ ଆଉ ବାଧ୍ୟ ନକରି ପ୍ରତ୍ୟାଖ୍ୟାତା ସୁନ୍ଦରୀକୁ ନେଇ ନିଜ ଅନ୍ତଃପୁରରେ ସ୍ଥାନ ଦେଲେ । ହୁଏତ ରାଜା ଏଇ ଅପରୂପା ତନ୍ୱୀ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ।

 

ଯଥାରୀତ ମଧ୍ୟରାତ୍ରେ ରାକ୍ଷସୀ ରାଜାଙ୍କୁ ହତ୍ୟା କରି ତାଙ୍କର ତାଜା ମାଂସରେ ନିଜର କ୍ଷୁଣ୍ଣ ବୃତ୍ତି ନିବୃତ୍ତ କଲା ଏବଂ ଖବର ପାଇ ତାମ୍ରଦ୍ୱୀପରୁ ଆଗତ ସହଚରୀ ରାକ୍ଷସୀଗଣଙ୍କ ସକାଶେ ରାଜପୁରୀ ଅର୍ଗଳ ମୁକ୍ତ କରିଦେଲା । କିଳିକିଳା ନାଦ କରି ସମସ୍ତ ରାକ୍ଷାସୀ ରାଜ ପ୍ରାସାଦେ ପ୍ରବେଶ କରି ନାନା ଅସ୍ତ୍ର ଶସ୍ତ୍ର ଧରି ହତ୍ୟା ଲୀଳା ଚଳାଇଲେ ଏବଂ ପରମ ସୁଖରେ ସେଇ ଅନ୍ତଃପୁରେ ବସବାସ କଲେ ।

 

ପରଦିନ ଏଇ ଦୁସଂବାଦ ନଗରପାଳ କର୍ତ୍ତୃକ ରାଜ୍ୟରେ ପ୍ରଚାରିତ ହେଲା । ଏ କଥା ମଧ୍ୟ ସିଂହଳଙ୍କ କାନକୁ ଗଲା । ରାଜଦରବାରରୁ ଫେରିବା ପରେ ସେ ଏପରି ଏକ ଦୁର୍ଘଟଣାର ଆଶଙ୍କା କରୁଥିଲେ ଏବଂ ସେଥିପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ଆଶଙ୍କା ଯେତେବେଳେ ସତ୍ୟରୂପ ଧରି ପ୍ରକାଶ ପାଇଲା ସେତେବେଳେ ସେ ଆଉ କାଳବିଳମ୍ୱ ନ କରି କତିପୟ ଅନୁଚରଙ୍କ ସହ ରାକ୍ଷାସୀ ଅଧ୍ୟୁଷିତ ରାଜପ୍ରାସାଦ ଅବରୋଧ କଲେ । ଅନେକ ସମୟ ଧରି ରାକ୍ଷସୀଙ୍କ ସଙ୍ଗରେ ସିଂହଳଙ୍କ ଯୁଦ୍ଧ ଚାଲିଲା । ପରିଶେଷରେ ରାକ୍ଷସୀଗଣ ପରାଜିତା ହୋଇ ଆକାଶ ମାର୍ଗେ ସ୍ୱରାଜ୍ୟକୁ ଚାଲିଗଲେ । ସତ୍‌ ନିକଟରେ ଅସତ୍‌ର ପରାଜୟ ଘଟିଲା ।

 

ଏହାପରେ ସିଂହକଳ୍ପ ଅଧିବାସିଗଣ ସିଂହଳଙ୍କୁ ସେମାନଙ୍କ ଅଧିପତି ହୋଇ ରାଜ୍ୟ ଶାସନ କରିବା ପାଇଁ ଅନୁରୋଧ କଲେ ତାମ୍ବ୍ରଦୀପ ଅଧିବାସୀନୀ ରାକ୍ଷାସୀଗଣଙ୍କୁ ସମୂଳେ ବିନାଶ କରିବା ପରେ ଅନୁରୋଧ ରକ୍ଷା କରିବେ ବୋଲି ସିଂହଳ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ଏହି କର୍ମରେ ସହଯୋଗୀତା କରିବାକୁ ଅନୁରୋଧ କଲେ । ସିଂହକଳ୍ପବାସୀ ଉକ୍ତ ପ୍ରସ୍ତାବ ଅନୁମୋଦନ କରି ରାକ୍ଷସୀଗଣଙ୍କ ସହ ଯୁଦ୍ଧ ସକାଶେ ପ୍ରସ୍ତୁତ ହେଲେ । ପ୍ରଜାଗଣଙ୍କ ସହଯୋଗିତାରେ ବିରାଟ ରଣସମ୍ଭାର ନେଇ ସିଂହଳ ରାକ୍ଷସୀମାନଙ୍କୁ ଆକ୍ରମଣ କଲେ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାଜିତ କରି ହତ୍ୟା କଲେ । ତାମ୍ବ୍ରଦ୍ୱୀପ ନିଷ୍ଟଣ୍ଟକ ହେଲା ଏବଂ ସିଂହଳର ନାମରେ ତା’ର ନୂତନ ନାମକରଣ ହେଲା ଏହି ବିଜୟ ହାସଲ ପରେ ସେ ସିଂହଳ ନାମ ଗ୍ରହଣ କରି ଏକ ସଙ୍ଗେ ଦୁଇଟି ରାଜ୍ୟ ଶାସନ କଲେ ।

 

ସପ୍ତଦଶ ଗୁହାର ପୂର୍ବ ପ୍ରାଚୀର ଗାତ୍ରେ ଜାତକର ଏଇ କାହାଣୀଟି ଶିଳ୍ପୀ ବିଭିନ୍ନ ପର୍ଯ୍ୟାୟରେ ନିଖୁଣ ଭାବେ ରୂପାୟିତ କରିଛନ୍ତି ତାଙ୍କର ଅନବଦ୍ୟ ତୂଳି ଆଉ ରଙ୍ଗ ସାହାଯ୍ୟରେ । ଏଇ ଚିତ୍ର ମଧ୍ୟରେ ଗୋଟିଏ ଶ୍ୱେତକାୟ ଅଶ୍ୱକୁ ସିଂହଳ ପ୍ରଣାମ କରୁଥିବା ଗୋଟିଏ ଦୃଶ୍ୟ ଦେଖାଯାଏ ଜାତକମତେ ଏହି ଅଶ୍ୱ ହିଁ ବୋଧିସତ୍ତ୍ୱ । ସିଂହଳଙ୍କ ସତ୍‌ମନୋଭାବ ଦେଖି ସେ ତାଙ୍କୁ ସାହାଯ୍ୟ କରିଥିଲେ । ଏହି ଅଶ୍ୱପୃଷ୍ଠେ ବସି ସିଂହଳ ଶୂନ୍ୟମାର୍ଗେ ନିଜ ରାଜ୍ୟକୁ ଫେରି ଆସି ପାରିଥିଲେ ।

 

ପ୍ରାଚୀରର ଦକ୍ଷିଣ ଭାଗରେ ସତୁସୋମ ଜାତକର ଏକ ରସାପ୍ଳୁତ କାହାଣୀ ଚିତ୍ର ଦେଖିବାକୁ ମିଳେ । ଚିତ୍ରଗୁଡ଼ିକ ନିଖୁଣ ବା ସ୍ପଷ୍ଟ ନୁହେଁ । ତେଣୁ ବୁଝିବାକୁ ଅସୁବିଧା ହୁଏ । ତେବେ ଉପଯୁକ୍ତ ଗାଇଡ଼ ସଙ୍ଗରେ ଥିଲେ ସେ ଅସୁବିଧା ରହେନା ।

 

ପଶ୍ଚିମ ପ୍ରାଚୀରେ ଅନ୍ୟ ଗୋଟିଏ ସମ୍ପୂର୍ଣ୍ଣ ନିଖୁଣ ମନୋମୁଗ୍‍ଧକର ଚିତ୍ର ଦେଖାଯାଏ । ଏହି ମହାନ ଚିତ୍ର ତିନି ସ୍ତରରେ ପ୍ରସ୍ଫୁଟିତ ହୋଇଛି । ପ୍ରଥମ ସ୍ତରରେ ଦେଖାଯାଏ, ବୁଦ୍ଧ ଏକ ଅମୂଲ୍ୟ ସିଂହାସନ ଉପରେ ଦଣ୍ଡାୟମାନ । ତାଙ୍କର ବାମ ଦିଗେ ଦେବତାଗଣ ଓ ସ୍ୱର୍ଗତ ପୁଣ୍ୟାତ୍ମାଗଣ ଆସୀନ । ଦକ୍ଷିଣରେ ମାୟାଦେବୀଙ୍କ ସହ ଅନ୍ୟ ଦେବୀଗଣ ବସିଛନ୍ତି । ମନେହୁଏ ବୁଦ୍ଧ ସ୍ୱର୍ଗଲୋକେ ତାଙ୍କର ପ୍ରତିଷ୍ଠିତ ଅଭିଧର୍ମ ପ୍ରଚାର କରୁଛନ୍ତି ।

 

ବୁଦ୍ଧଙ୍କ ଜୀବନୀରୁ ଜଣାଯାଏ, ଜନନୀ ମାୟାଦେବୀ ସ୍ୱର୍ଗରେ ରହି ମଧ୍ୟ ନିଜ ସନ୍ତାନ ମୁଖରୁ ଧର୍ମବାଣୀ ଶୁଣି ନପାରି ଦୁଃଖ ଅନୁଭବ କରୁଥିଲେ । ମହାମାନବ ବୁଦ୍ଧ ଗର୍ଭଧାରିଣୀ ମାତାଙ୍କ ମର୍ମ ବେଦନା ଅନୁଭବ କରି ତାହା ଦୂର କରିବା ପାଇଁ ସ୍ୱର୍ଗକୁ ଯାଇ ନିଜର ବାଣୀ ପ୍ରଚାର କରିଥିଲେ । ସମ୍ଭବତଃ ଏଇ ଅଖ୍ୟାୟିକାଟି ଶିଳ୍ପୀ ପର୍ଯ୍ୟାୟକ୍ରମେ ଚିତ୍ର ସାହାଯ୍ୟରେ ପ୍ରକାଶ କରିଛନ୍ତି ।

 

ଦ୍ୱିତୀୟ ସ୍ତରରେ ବୁଦ୍ଧ ସ୍ୱର୍ଗରୁ ଅବତରଣ କରୁଛନ୍ତି ।

 

ତୃତୀୟ ସ୍ତରରେ ମର୍ତ୍ତ୍ୟବାସିଗଣ ପ୍ରତ୍ୟାଗତ ବୁଦ୍ଧଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତାହାରି ମଧ୍ୟରେ ରହିଛନ୍ତି ରାଜା ବିମ୍ବିସାରଳ, କୋଶଳ ନୃପତି ପ୍ରସେନ୍ନଜିତ ସହ ପ୍ରଧାନ ଶିଷ୍ୟଗଣ, ଯଥା–ଧ୍ୟାନ, କେଣ୍ଡିଣ୍ୟ, ଅଶ୍ୱଜିତ, ଭାମ୍ପ, ମହାନାମ, ଭଦ୍ରିକ, ଯଶୋଦେବ, ବିମଳ, ସୁବହୁ, ପୂର୍ଣ୍ଣ, ଉରୁବେଳ କାଶ୍ୟପ, ନଦୀକାଶ୍ୟପ, ଗୟାକାଶ୍ୟପ, ସାରିପୁତ୍ତ, ମହାମୌଦଗଲ୍ଲ୍ୟାୟନ, ଚନ୍ଦ, ଅନିରୁଦ୍ଧ, ନନ୍ଦିନ, ସୂଭୂତି, ରେବତ, ଅମୋଘରାଜ, ମହାପାରାଣକ, ଭକ୍‌କୁଳ, ନନ୍ଦ, ରାହୁଳ ସ୍ୱାଗତ ଓ ଆନନ୍ଦ । ଏମାନଙ୍କ ଉପସ୍ଥିତିରେ ବୁଦ୍ଧଦେବ ନିଜେ ତାଙ୍କର ପ୍ରବର୍ତ୍ତିତ ଧର୍ମର ଭବିଷ୍ୟତ ପାଇଁ ମହା ଅହତି ନିର୍ବାଚନ କରିବା ସକାଶେ ପ୍ରଧାନ ଶିଷ୍ୟ ସାରିପୃତ୍ତଙ୍କୁ ପରୀକ୍ଷା କରୁଛନ୍ତି ।

 

ଏଇ ଚିତ୍ର କାହାଣୀଟି ଆଜସୁଦ୍ଧା ଅମ୍ଳାନ ହୋଈ ରହିଅଛି । ରଙ୍ଗ ବା ଚିତ୍ରର ଅଙ୍ଗହାନୀ ହୋଇନଥିବା ହେତୁ ଚିତ୍ରଟି ବେଶ୍‍ ଉପଭୋଗ୍ୟ ହୋଇଥାଏ ।

 

ସପ୍ତଦଶ ଗୁହାଟିକୁ ଅଜନ୍ତାର ରତ୍ନଭଣ୍ଡାର ଆଖ୍ୟା ଦିଆଯାଇପାରେ । ଗୁହାଟିରେ ଯେପରି ଚିତ୍ର ସମ୍ଭାର ବହୁ ପରିମାଣରେ ଦେଖାଯାଏ, ସେପରି ପ୍ରତିଟି ଚିତ୍ରର ପ୍ରକାଶଭଙ୍ଗୀ ଅପୂର୍ବ, ବିନ୍ୟାସ ଅନବଦ୍ୟ । କାହାକୁ ଛାଡ଼ି କାହାକୁ ଦେଖିବ, ଦର୍ଶକ ଏଇ ଚିନ୍ତାରେ ବିଭୋର ହୋଇପଡ଼େ-

 

ଇନ୍ଦ୍ରଙ୍କ ମର୍ତ୍ତ୍ୟ ଆଗମପ ଦୃଶ୍ୟଟି ଅତି ଅପୂର୍ବ । ତୁଳନାବିହୀନ ତା’ର ପ୍ରକାଶ ଭଙ୍ଗୀ । ପ୍ରବେଶ ପଥର ତୋରଣ ଉପରେ ଆଠଜଣ ମାନୁଷୀ ବୁଦ୍ଧଙ୍କ ମୂର୍ତ୍ତି । ତା’ର ତଳେ ଆଠଗୋଟି ଖୁପୁରି ଭିତରେ ଆଠଟି ମୈଥୁନ ଚିତ୍ର । ପ୍ରବେଶ ପଥର ଦୁଇପାର୍ଶ୍ୱେ ଦୁଇଗୋଟି ମର୍ମର ନାରୀ ମୂର୍ତ୍ତି-। ଅଳିନ୍ଦର ସିଲିଙ୍ଗରେ ଛଅଜଣ ନର୍ତ୍ତକୀ ହାତ ଧରାଧରି ହୋଇ ଠିଆ ହୋଇଛନ୍ତି । ଛଅଜଣଙ୍କର ଛଅଟି ହାତ, ବାର ଗୋଟି ହାତ ଭଳି ପ୍ରତୀୟମାନ ହେବା ଦେଖାଯାଏ । ଦ୍ୱାର ଦୁଇପ୍ରାନ୍ତେ ନୀଳଗିରି ଦମନର ଗୋଟିଏ ପୂର୍ଣ୍ଣାଙ୍ଗ ଚିତ୍ର, ଯାହାକି ବୁଦ୍ଧଙ୍କ ଜୀବନୀର ଗୋଟିଏ ସ୍ମରଣୀୟ ଘଟଣା (ଲେଖକଙ୍କ ତୁଷାର ତୀର୍ଥ ଅମରନାଥ ଦ୍ରଷ୍ଟବ୍ୟ) ।

 

ଏହି ପ୍ରାଚୀରରେ ଅନ୍ୟ ଏକ ଅଂଶରେ ଅଜନ୍ତାର ଅପରୂପ ଅବଦାନ କୃଷ୍ଣ ଅପସରା ଚିତ୍ର । ଅନ୍ୟ ଏକ ଅଂଶରେ ମହାକପି ଜାତକର ନିଖୁଣ କାହାଣୀ ଚିତ୍ର, ପ୍ରତିଟି ଛବି ଏକୁଆରେକ ମନୋମୁଗ୍‌ଧକର । ଆମେମାନେ ସେହିସବୁ ଛବି ଓ ଗାଇଡ଼ଙ୍କ ମୁଖ ନିସ୍ପୃତ କାହାଣୀ ଶୁଣୁଶୁଣୁ ଆଗେଇ ଚାଲିଲୁ । ଗାଇଡ଼ଙ୍କର ଛବି ସଙ୍ଗେ ପରିଚୟ କରାଇଦେବା ପାଇଁ ଆଗ୍ରହର ଅଭାବ ନାହିଁ-। ଅଭାବ ଆମର ସମୟ । ସବୁଠାରୁ ବଡ଼ ଅଭାବ ଧୈର୍ଯ୍ୟରା ପୂର୍ବ ଦିଗରେ ଗୋଟିଏ ଅର୍ଦ୍ଧସ୍ତମ୍ଭ ଗାତ୍ରରେ ପ୍ରସାଧନରତା ରାଜକନ୍ୟାଙ୍କ ଅପୂର୍ବ ଚିତ୍ରପଟ । ତାଙ୍କର ଏକ ଦିଗେ ଏକ ଚାମରବାହିନୀ ରମଣୀ,ଅନ୍ୟ ଦିଗେ ପ୍ରସାଧନ ସାମଗ୍ରୀ ବହନକାରୀ ଏକ ସହଚାରୀଙ୍କୁ ଦେଖାଯାଏ-। ମୂଳ ଗର୍ଭ ମନ୍ଦିରରେ ମୃଗଦାବରେ ଧର୍ମଚକ୍ର ପ୍ରବର୍ତ୍ତନରତ ବୁଦ୍ଧଦେବଙ୍କ ବିରାଟ ମୂର୍ତ୍ତି-। ଧ୍ୟାନସ୍ଥିତ ଧର୍ମଚକ୍ର ମୁଦ୍ରା, ପ୍ରଲମ୍ବିତ ପଦ । ପଦତଳେ ମୃଗବାଦଙ୍କ ପ୍ରତୀକ ଦୁଇଟି ମୃଗ ଶିଶୁ-। ମୂଳ ମନ୍ଦିରର ପ୍ରବେଶ ପଥର ବାମଦିଗେ ଅଜନ୍ତାର ଏକମାତ୍ର ଅବିସ୍ମରଣୀୟ ଚିତ୍ର ଗୋପା (ଯଶୋଧାରା), ରାହୁଳ ଓ ଭିକ୍ଷାପାତ୍ର ହସ୍ତେ ବୁଦ୍ଧଦେବଙ୍କ ପ୍ରତିକୃତି । ଏହାର ଭାବ ଏବଂ ପ୍ରକାଶଭଙ୍ଗୀ ଏକମାତ୍ର ଦେଖି ଉପଲବ୍‌ଧି କରାଯାଇପାରେ; ଲେଖି ପୂର୍ଣ୍ଣ ଭାବେ ପରିସ୍ଫୁଟନ କରାଯାଇ ପାରେନା-। ସପ୍ତଦଶ ଗୁହା ଦେଖା ଶେଷ ହେଲା, ଗାଇଡ଼ଙ୍କ ନିର୍ଦ୍ଦେଶକ୍ରମେ ଅଷ୍ଟାଦଶ ଗୁହାଭିମୁଖେ ଅଗ୍ରସର ହେଲୁ-

 

ଅଷ୍ଟାଦଶ ଗୁହା–ଦର୍ଶନୀୟ ବା ଉଲ୍ଲେଖନୀୟ ବିଷୟ କିଛି ନାହିଁ ।

 

ଉନବିଂଶ ଗୁହା–ଏହା ଗୋଟିଏ ଚୈତ୍ୟ । ପ୍ରବେଶ ପଥ ଚତ୍ୱର ଉପରେ ଖୁବ୍‌ ସମ୍ଭବ ପୂର୍ବେ ଆଉ ଗୋଟିଏ ତୋରଣ ଥିଲା । ବର୍ତ୍ତମାନ ତୋରଣ ନିକଟରେ ଗୋଟିଏ ଛୋଟ ବାରଣ୍ଡା । ପ୍ରବେଶ ପଥର ଅପରାଂଶେ ସୂର୍ଯ୍ୟ ତୋରଣ । (ଏହି ସୂର୍ଯ୍ୟ ତୋରଣର ଅଂଶବିଶେଷ ପ୍ରଥମେ ମିଲିଟେରୀ ଅଫିସର ଦେଖିପାରିଥିଲେ) ଯାହାକି ଅଜନ୍ତାର ଅନ୍ୟ କୌଣସି ଗୁହାରେ ଦେଖାଯାଏନା । ଗୃହ ମଧ୍ୟରେ ଅନେକଗୁଡ଼ିଏ ସ୍ତମ୍ଭ ଦେଖାଯାଏ ସତ କିନ୍ତୁ ଏଗୁଡ଼ିକ ଛାତର ବହନକାରୀ ବୋଲି ମନେ ହୁଏନା । କେବଳ ଗୁହାର ଶୋଭାବର୍ଦ୍ଧନ ପାଇଁ ସୃଷ୍ଟି । ଗୁହା ଭିତରେ ପାହାଡ଼ ଦେହରେ ବୁଦ୍ଧଏବଂ ବୋଧିସତ୍ତ୍ୱଙ୍କ ଖୋଦାଇକରା ମୂର୍ତ୍ତି । ପ୍ରବେଶ ପଥର ସମ୍ପୂର୍ଣ୍ଣ ବିପରୀତ ଦିଗେ ଗୋଟିଏ ସ୍ତୁପ । ପ୍ରତିଟି ସ୍ତମ୍ଭର ଶୀର୍ଷ ଦେଶ ବୁଦ୍ଧ,ବୋଧିସତ୍ତ୍ୱେ,ନାଗ, ଗନ୍ଧର୍ବ ପ୍ରଭୃତିଙ୍କ ଖୋଦିତ ମୂର୍ତ୍ତି । ସୂର୍ଯ୍ୟ ଗବାକ୍ଷର ଦୁଇ ପାର୍ଶ୍ୱେ ଦୁଇଟି ଗନ୍ଧର୍ବ ମୂର୍ତ୍ତି । ମୋଟାମୋଟି କହିବାକୁ ଗଲେ ଏଇ ଗୁହାଟି ବୁଦ୍ଧ, ବୋଧିସତ୍ତ୍ୱେ, ନାଗ, କିନ୍ନର ଓ ଗନ୍ଧର୍ବ ମୂର୍ତ୍ତିରେ ପୂର୍ଣ୍ଣ । ଅନ୍ୟ ଯାହା ଅଛି ତା’ କେବଳ ଏହି ସବୁ ମୂଳ ଚିତ୍ରର ପରିପୂରକ ମାତ୍ର । ସମସ୍ତ ପଥରର କାମ । ରଙ୍ଗ ଓ ତୂଳିର ଚିହ୍ନ ମାତ୍ର ନାହିଁ । ଗୁପ୍ତଯୁଗର ଶ୍ରେଷ୍ଠ ଭାସ୍କାର୍ଯ୍ୟ ଦେଖି ସେଇ ଶିଳ୍ପୀଗଣଙ୍କ ନିକଟରେ ମୁଣ୍ଡ ଆପେ ଆପେ ନଇଁ ଆସେ ।

 

ବିଂଶତି ବିହାର—ପ୍ରବେଶ ପଥର ସାମନାରେ ଦୁଇଟି ପୂର୍ଣ୍ଣ ଓ ଦୁଇଟି ଅର୍ଦ୍ଧସ୍ତମ୍ଭ ଦେଖାଯାଏ । ବିହାରଟି ଭିତରେ ବାରଗୋଟି ଗର୍ଭଗୃହ ରହିଅଛି । ମୂଳ ଗର୍ଭ ଗୁହାରେ ବିଖ୍ୟାତ ବୌଦ୍ଧମୂର୍ତ୍ତି । ଦକ୍ଷିଣରେ ରାଜା ଆଉ ରାଣୀଙ୍କର ଖୋଦାଇ କରା ପ୍ରସ୍ତର ମୂର୍ତ୍ତି । ରାଣୀଙ୍କର ହାତରେ ଗୋଟିଏ ଚତୁଃଷ୍କୋଣ ପଙ୍ଖା । ରାଣୀଙ୍କ କେଶ ଚର୍ଚ୍ଚା ବିଶେଷ ଭାବେ ଲକ୍ଷ କରିବା କଥା । ଆସୀନ ରାଜାଙ୍କ ଉପରେ ରାଣୀଙ୍କ ଦେହଭାର ଇସତ୍‌ ଢଳି ପଡ଼ିଲା ଭଳି ମନେହୁଏ ।

 

ଏକବିଂଶତି ଗୁହା—ଗୁହାଟି ବିହାର । ପ୍ରବେଶ ପଥର ମୁଖ୍ୟ ଅଳିନ୍ଦଟି ଭଗ୍ନାବସ୍ଥାପ୍ରାପ୍ତ; କେବଳ ଦୁଇଟି ସ୍ତମ୍ଭ ତା’ର ସାକ୍ଷ୍ୟ ବହନକରି ଆଜିସୁଦ୍ଧା ତିଷ୍ଠି ଅଛି । ସ୍ତମ୍ଭର ଉପରେ ଖୋଦାଇ କରା ନାଗରାଜ ଓ ରାଣୀଙ୍କ ପ୍ରତିକୃତି । ହଲ୍‌ ଘରଟି ବର୍ଗାକାର ଓ ବାରଗୋଟି ସ୍ତମ୍ଭ ଦ୍ୱାରା ଶୋଭିତ-। ପ୍ରତିସ୍ତମ୍ଭ ପ୍ରାୟ ଦ୍ୱିତୀୟ ଗୁହାର ଅନୁକରଣରେ ଅଳଙ୍କୃତ । ବିହାରର ଭିତରେ ଚଉଦଗୋଟି ଗର୍ଭଗୁହା । କେନ୍ଦ୍ର ଗୁହାରେ ପଦ୍ମାସନେ ଉପବିଷ୍ଟ ବୁଦ୍ଧମୂର୍ତ୍ତି । ହସ୍ତେ ଧର୍ମଚକ୍ର ମୁଦ୍ରା । ଖୁବ୍‍ ସମ୍ଭବ ଏହାର ନିର୍ମାଣକାଳ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ପ୍ରଥମ ପାଦ ।

 

ଦ୍ୱାବିଂଶତି ଗୁହା—ଖୁବ୍‍ ସମ୍ଭବ ବିହାରଟି ନିର୍ମିତ ହୁଏ ଖ୍ରୀଷ୍ଟୀୟ ଷଷ୍ଠ ଶତକରେ । ସମ୍ମୁଖ ଭାଗ ଅଳିନ୍ଦଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଅଛି । ଗର୍ଭଗୁହା ମଧ୍ୟରେ ପ୍ରଳମ୍ୱିତ ପଦେ ଉପବିଷ୍ଟ ବୁଦ୍ଧମୂର୍ତ୍ତି । ଏହି ଗୁହାର ଦକ୍ଷିଣାଂଶେ ପଦ୍ମାସନେ ଆସୀନ ଅନ୍ୟ ଏକ ବୁଦ୍ଧମୂର୍ତ୍ତି । ହସ୍ତରେ ଧର୍ମଚକ୍ର ମୁଦ୍ରା । ଏହା ବ୍ୟତୀତ ଗୁହାରେ ଆଉ କେତେକ ମାନୁଷୀବୁଦ୍ଧଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ । ପରିସ୍ଥିତି ଦେଖି ମନେହୁଏ ଏକ ସମୟରେ ଏଠାରେ କେତେକ ପ୍ରାଚୀର ଚିତ୍ର ମଧ୍ୟ ଥିଲା । ତାହା ଏପରି ଭାବେ ନଷ୍ଟ ହୋଇଯାଇ ଅଛି ଯେ ବର୍ତ୍ତମାନ ତାହାର ମର୍ମାର୍ଥ ଆବିଷ୍କାର କରିବା ପ୍ରାୟ ଦୁଷ୍କର ।

 

ତ୍ରୟୋବିଂଶତି ଗୁହା—ଗୁହାଟି ବିହାର । ସମ୍ଭବ ଗୁହାଟି ୨୨ତମ ଗୁହାର ସମସାମୟିକ । ଅଳିନ୍ଦରେ ଦୁଇଟି ପୂର୍ଣ୍ଣ ଓ ଦୁଇଟି ଅର୍ଦ୍ଧସ୍ତମ୍ଭ ଦେଖାଯାଏ । ଚାରିଗୋଟି ସ୍ତମ୍ଭ ସମଭାବେ ଅଳଙ୍କୃତ । ବିହାରଟି ଅସମ୍ପୂର୍ଣ୍ଣ ।

 

ଚତୁର୍ବିଂଶତ ଗୁହା—ଏହି ଗୁହା ବିହାରଟିର ଆୟତନ ବର୍ଗାକାର (୨୩X୨୩ ମିଟର) କିନ୍ତୁ ଅସମାପ୍ତ । ବିହାରଟି ସମାପ୍ତ ହୋଇଥିଲେ ଏଇଟି ହୋଇଥାନ୍ତା ଅଜନ୍ତାର ସର୍ବବୃହତ ଗୁହା । ଏହି ଗୁହାଟି ପ୍ରାଚୀନ କାଳରେ ବୁଦ୍ଧ ଶ୍ରମଣଗଣ କି ପ୍ରଣାଳୀରେ ଅଜନ୍ତାର ଗୁହା ନିର୍ମାଣ କରୁଥିଲେ ତା’ର ସାକ୍ଷ୍ୟ ଘୋଷଣା କରୁଅଛି । ସେ ଦୃଷ୍ଟିରୁ ଗୃହାଟିର ପ୍ରଧାନ୍ୟ ମାନି ନେବାକୁ ହୁଏ । ଏଲୋରା ଭଳି ଏଠାରେ ମଧ୍ୟ ଗୁହାର କାମ ଉପରୁ ତଳକୁ କ୍ରମ ପର୍ଯ୍ୟାୟରେ ନିର୍ମିତ ହୋଇଥିବା ପ୍ରମାଣ ଦେଖାଯାଏ ।

 

ପଞ୍ଚବିଂଶତି ଗୁହା-ଏହି ଗୁହାର ସମ୍ମୁଖ ଦିଗରେ ତିନିଗୋଟି ପ୍ରବେଶଦ୍ୱାର ଥିବା ପରି ମନେ ହୁଏ । ବର୍ଗାକାର ଗୁହାଟି ଗୋଟିଏ ବିହାର; ଅସମାପ୍ତ ଅବସ୍ଥାରେ ପରିତ୍ୟକ୍ତ ଏକଥା ଗାଇଡ଼ଙ୍କ ମୁଖରୁ ଶୁଣି ପାରିଲୁ ।

 

ଷଡ଼ବିଂଶତି ଗୁହା:–ଗୁହାଟି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ନିର୍ମିତ ଅଜନ୍ତାର ସର୍ବଶେଷ ଚୈତ୍ୟ । ଆଗପାଖର ଅଳିନ୍ଦଟି ଭାଙ୍ଗିଯାଇଅଛି । ଭିତରେ ଏକଧାଡ଼ି ବାମନ ମୂର୍ତ୍ତି । ଅନ୍ୟପାଖରେ ବିଭିନ୍ନ ମୁଦ୍ରା ଶୋଭିତ ବୁଦ୍ଧଙ୍କ ନାନା ଧରଣର ମୂର୍ତ୍ତି । ଗବାକ୍ଷର ଦୁଇପାର୍ଶ୍ୱେ ଉପବିଷ୍ଟ ଦୁଇଟି ଯକ୍ଷମୂର୍ତ୍ତି । ତାଙ୍କ ପାଖକୁ ଲାଗି ବରଦା ମୁଦ୍ରା ଶୋଭିତ ଦୁଇଟି ବୃଦ୍ଧମୂର୍ତ୍ତି । ଦୁଇପ୍ରାନ୍ତେ ପୁଣି ଦୁଇଟି ପ୍ରାୟ ଛଅମିଟର ଦୀର୍ଘ ବୁଦ୍ଧମୂର୍ତ୍ତି । ସମସ୍ତ ମୂର୍ତ୍ତିଗୁଡ଼ିକ ପଥରରେ ଖୋଦାଇ । ଚୈତ୍ୟର ଅଭ୍ୟନ୍ତରରେ ସର୍ବମୋଟ ଅଠରଟି ସ୍ତମ୍ଭ ଦେଖାଯାଏ । ପ୍ରେବଶ ପଥର ଦୁଇପାର୍ଶ୍ୱେ ଅଳଙ୍କୃତ ଦୁଇଟି ଅଷ୍ଟକୋଣାକୃତି ସ୍ତମ୍ଭ । ସ୍ତମ୍ଭର ଶୀର୍ଷଦେଶେ ଦୁଇଟି ସୁନ୍ଦର ନାରୀମୂର୍ତ୍ତି ।

 

ଚୈତ୍ୟର ବାମପ୍ରାନ୍ତ ପ୍ରାଚୀରରେ ବୃଦ୍ଧଙ୍କ ମହାନିର୍ବାଣର ମହାନ୍‌ ଦୃଶ୍ୟପଟ ଖୋଦିତ । ଅଜନ୍ତା ଭାସ୍କର୍ଯ୍ୟର ଏହା ଏକ ବିଶାଳ ନିଦର୍ଶନ । ବୁଦ୍ଧଦେବ ଦକ୍ଷିଣପାର୍ଶ୍ୱେ ଶାୟିତ । ମୁଣ୍ଡତଳେ ଦକ୍ଷିଣହସ୍ତ ନ୍ୟସ୍ତ । ମସ୍ତକ ଧୃତ ଉପାଧାନଟି ଇଷତ୍‌ ତଳକୁ, ଦବିଯାଇଛି । ଦୁଇଦିଗେ ଦୁଇଟି ଶାଳଗଛ । ଊର୍ଦ୍ଧ୍ୱାଂଶରେ କେତେକ ଦେବତାଙ୍କ ମୂର୍ତ୍ତି, ସତେକି ଅମରଧାମରୁ ଅବତରଣ କରି ଆସୁଛନ୍ତି ମହାମାନବଙ୍କୁ ସମ୍ମାନ ସହକାରେ ବରଣକରି ନେବାପାଇଁ । ତଳେ କେତେକ ଅନୁରାଗୀ ଭକ୍ତ । ବେଦନାର ଆଭାସ ପ୍ରତ୍ୟେକ ମୁଖରେ ସ୍ପଷ୍ଟ ପ୍ରତିଫଳିତ । କେତେକଙ୍କ ମୁଖରେ ରୋଦନର ଆଭାସ ଦେଖାଯାଉଅଛି । ପଲଙ୍କପାର୍ଶ୍ୱେ ଗୋଟିଏ ଦ୍ୱୀପାଧାର ଉପରେ ନିର୍ବାପିତ ପ୍ରଦୀପ । ମନେହୁଏ ଏଇମାତ୍ର ଦୀପ ଶିଖାଟି ଲିଭିଯାଇଅଛି । ପଲଙ୍କତଳେ ଅଳ୍ପ ବହୁତ ଫୁଲ । ମହାମାନବଙ୍କ ପଦପ୍ରାନ୍ତେ ଭିକ୍ଷୁ ଆନନ୍ଦ ବିରସ ବଦନେ ଉପବିଷ୍ଟ । ଶେଷ ସମୟର ଶେଷଦାନ । ବୁଦ୍ଧଙ୍କ ନିଜସ୍ୱ ଭିକ୍ଷାପାତ୍ର ଓ ଯଷ୍ଟି ତାଙ୍କୁ ଗ୍ରହଣ କରିବାକୁ ହେବ । ବିଷାଦ ମଗ୍ନ ମର୍ମାହତ ଆନନ୍ଦ ଡାହାଣ ହାତ ପାପୁଲିରେ ନିଜ ମସ୍ତକଭାର ନ୍ୟସ୍ତକରି ସେଇ ଅନ୍ତିମ ଆହ୍ୱାନକୁ ଅପେକ୍ଷା କରିଛନ୍ତି-

 

ଏହାର ସୌନ୍ଦର୍ଯ୍ୟର ତୁଳନା ଏଠାରେ ହିଁ ସମ୍ଭବ । ବିନା ଲାଇଟରେ ଦେଖିସାରିବା ପରେ ଦର୍ଶକଙ୍କୁ ଅନୁରୋଧ ଥରେ ବୈଦ୍ୟୁତିକ ଆଲୋକ ସାହାଯ୍ୟରେ ଚିତ୍ରଟିକୁ ଦେଖିନେବାପାଇଁ-। ତାହା ଦେଖି ବ୍ୟାଖ୍ୟାକରିବା କଲମର ଶକ୍ତିବାହାରେ ।

 

ଏହି ଗୁହାର ଏକ ଅଂଶରେ ଅନ୍ୟ ଗୋଟିଏ ପ୍ରାଚୀର ଚିତ୍ର ଦେଖିବାକୁ ମିଳେ । ବିଷୟବସ୍ତୁ—ବୁଦ୍ଧଙ୍କ ତପସ୍ୟା ଓ ତପସ୍ୟା ଭଙ୍ଗକରିବାପାଇଁ ମାରଙ୍କ ଉଦ୍ୟମ ଏବଂ ପରାଜୟ । ରଙ୍ଗ ଏବଂ ତୁଳିର ସାହାଯ୍ୟରେ ଦ୍ୱିତୀୟ ଗୁହାରେ ଶିଳ୍ପୀ ଏହା ଚିତ୍ରିତ କରିଛନ୍ତି । ଏଠାରେ ପଥରଗାତ୍ରେ ଶିଳ୍ପୀ ଖୋଦାଇ କରିଛନ୍ତି ହାତୁଡ଼ି ଆଉ ନିହଣର ସାହାଯ୍ୟରେ । ମଧ୍ୟସ୍ଥଳେ ତପସ୍ୟାରତ ବୁଦ୍ଧଦେବ ଆସୀନ । ମାରଙ୍କ ତିନିକନ୍ୟା, ତନହ, ରତି ଓ ରଙ୍ଗ ତାଙ୍କୁ ପ୍ରଲୋଭିତ କରୁଛନ୍ତି । ସଙ୍ଗରେ ଆଉ ଦୁଇଜଣ ସହଚରୀ । ଦକ୍ଷିଣଦିଗେ ସ୍ୱୟଂ ମାର ଦଣ୍ଡାୟମାନ ହୋଇ ସୈନ୍ୟମାନଙ୍କୁ ଚତୁର୍ଦ୍ଦିଗରୁ ଆକ୍ରମଣ କରିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସୈନ୍ୟଙ୍କ ମଧ୍ୟରୁ ଦୁଇଜଣ ହସ୍ତୀପୃଷ୍ଠେ ବସିଅଛନ୍ତି ଏବଂ ଅନ୍ୟମାନେ ପଦବ୍ରଜେ ନିଜ କର୍ମ କରୁଛନ୍ତି । ଏଇ ଚିତ୍ରର ଦକ୍ଷିଣଦିଗେ ପୁଣି ସେଇ ଦୃଶ୍ୟ । ଏଠାରେ ମାର ବୃଦ୍ଧଙ୍କ ପଦତଳେ ଲୋଟିପଡ଼ିଥିବା ଦେଖାଯାଏ । ମାରଙ୍କ ପରାଜୟ ଦେଖାଇବା ପାଇଁ ଶିଳ୍ପୀଙ୍କ ଏହି ପ୍ରୟାସ ।

 

ସପ୍ତବିଂଶ, ଅଷ୍ଟବିଂଶ ଓ ଊନତ୍ରିଂଶ ଗୁହା:–ସପ୍ତବିଂଶତି ଗୁହାଟି ଅସମାପ୍ତ ଅବସ୍ଥାରେ ରହିଛି । ଏଥିରେ ଦେଖିବା ଭଳି କିଛି ନାହିଁ । ୨୮ ଏବଂ ୨୯ତମ ଗୁହାପଥ ଅତି ଦୁର୍ଗମ । ଫଳରେ ଆମର ଦେଖା ସମ୍ଭବ ହେଲାନାହିଁ ।

 

ତ୍ରିଂଶତି ଗୁହା:-–ଖ୍ରୀ: ୧୯୫୬ ଜାନୁୟାରୀରି ଏହି ଗୁହାଟି ଆକସ୍ମିକ ଭାବେ ଆବିଷ୍କୃତ ହୁଏ । ପୂର୍ବବର୍ଷ ପ୍ରବଳ ବ ହେତୁର୍ଷା ପାହାଡ଼ ଧସି ଷୋଡ଼ଶ ଗୁହା ଜଖମ ହୁଏ । ଭବିଷ୍ୟତରେ ଏ ଭଳି ଦୁର୍ଘଟଣାରୁ ଗୁହାକୁ ରକ୍ଷା କରିବାପାଇଁ କର୍ତ୍ତୃପକ୍ଷ ଗୋଟିଏ ଧ୍ୱଂସ ବିରୋଧି ପ୍ରାଚୀର (Rel ning wall) ନିର୍ମାଣ କରିବା ସିଦ୍ଧାନ୍ତ ଗ୍ରହଣକରନ୍ତି । ସେହି କାମପାଇଁ ନିଅଁ ଖୋଳିବାବେଳେ ଏଇ ଗୁହାଟି ଆବିଷ୍କୃତ ହୁଏ । ଗବେଷକଙ୍କ ମତରେ ଏହା ଗୋଟିଏ ହୀନଯାନି ଗୁହା ଏବଂ ନିର୍ମାଣକାଳ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକ । ଏଠାରେ ଗୋଟିଏ ଶିଳାଲିପି ଅଛି କିନ୍ତୁ ଏଯାଏଁ ତା’ର ପଠୋଦ୍ଧାର ହୋଇପାରି ନାହିଁ । ଗୁହାଟିର ସମ୍ମୁଖ ଭାଗରେ ଅଳିନ୍ଦ ଥିବା ଆଭାସ ମିଳେ । ଏହାର ଆକାର ଚତୁଷ୍କୋଣ ବିଶିଷ୍ଟ । ମଧ୍ୟରେ ଦୁଇଟି ପ୍ରସ୍ତରଶଯ୍ୟା । ଏଇ ଦୁଇଟି ହେଲା ବିହାରର ପ୍ରତୀକ-

 

ଏହିପରିଭାବେ ଅଜନ୍ତାର ଗୁହାଦେଖା ଶେଷ ହେଲା । ଆମର ସଙ୍ଗୀ ମଧ୍ୟରୁ ଅନେକେ ଅଧାରୁ ଫେରିଯାଇଛନ୍ତି ।

 

ଅଙ୍କିତ ଚିତ୍ର ମଧ୍ୟରେ ମାଇପୀମାନଙ୍କ ଲୁଗା ପିନ୍ଧା ରୀତି, ବିଭିନ୍ନ ଧରଣର ଗହଣା, ବୁଟ୍‌ ପରିହିତ ସୈନିକ, ବିଚିତ୍ର ରକମ ଅଙ୍ଗରେଖା ବା ଜାମା, ମହିଳା ହସ୍ତେ ଭେନିଟିବେଗ୍‍, ଫୋଲଡ଼ିଂ ଚେୟାର, ଟେବୁଲ ପ୍ରଭୃତି ଆଧୁନିକ ଯୁଗୋପଯୋଗୀ ଉପକରଣ ଦେଖି ଏପରି ବିଭୋର ହୋଇପଡ଼ିଲେ ଯେ ସେମାନଙ୍କୁ ଆଉ ସେଠାରୁ ଟାଣି ଆଣିହେଲା ନାହିଁ । ଜଣେ ତ ପ୍ରଥମ ଗୁହାର ଯୁବତୀଙ୍କ କେଶ ବିନ୍ୟାସର ନକଲ କରିବାପାଇଁ ସେଠାରେ ରହିଗଲେ । ଯାହାହେଉ ଆମେ କେତେଜଣ ସମ୍ପୂର୍ଣ୍ଣ ଅଜନ୍ତାଦେଖା ଶେଷକଲୁ । ଦିନକରେ ଅଜନ୍ତାଦେଖା ପିଲାଙ୍କ ବୁଢ଼ିଛୁଆଁ ଖେଳସଙ୍ଗେ ସମାନ । ଭଲଭାବେ ଦେଖିବାପାଇଁ ଅତିକମରେ ତିନିଦିନ ଦରକାର । ଏଠାରେ ରହିବା ବ୍ୟବସ୍ଥା ଅଛି । ଦର୍ଶକଗଣ ସରକାରୀ ଅତିଥିଶାଳା ବା ଡାକବଙ୍ଗଳାରେ ବ୍ୟବସ୍ଥାକରି ରହିପାରନ୍ତି । ଅଧିକାଂଶ ଯାତ୍ରୀ ସେହି ଏକା ଦିନେ ଫେରିଥାଆନ୍ତି ବୋଲି ଏଠାରେ ବିଶେଷ ଭିଡ଼ ହୁଏନା ।

 

ଅଜନ୍ତାକୁ ଶେଷ ପ୍ରଣାମ ଜଣାଇ ଫେରିବା ପଥ ଧରିଲୁ । ଅଜନ୍ତାର ମୁଖ୍ୟ ପ୍ରବେଶ ଦ୍ୱାର ପାରହୋଇ କେତେକ ସିଡ଼ି ଅବତରଣକରି ଯିବୁ ବସ୍‌ଷ୍ଟାଣ୍ଡକୁ । ଗୌତମବାବୁ ନିଶ୍ଚୟ ଜଳଖିଆର ବ୍ୟବସ୍ଥା କରିଥିବେ । ତାହାର ସଦ୍‌ବ୍ୟବହାର କରି ପୁଣି ସେହି ରିଜର୍ଭ ବସ୍‍ରେ ଭୂଷାବଳ ରେଳଷ୍ଟେସନ । ଆମର ସ୍ପେଶାଲ୍‍ ଟୁରିଷ୍ଟ କୋଚଟି ସେଠାରେ ଅପେକ୍ଷା କରିଛି । ସମୟ ମୁତାବକ ବୋମ୍ବୋଇ ଏକ୍‌ସ୍‌ପ୍ରେସ ସଙ୍ଗେ ସଂଯୁକ୍ତହୋଇ ଆମକୁ ହାଉଡ଼ା ନେଇଯିବ । ବୁଲା ସରିଲା, ବେଳ ବୁଡ଼ିଲା–ଯା, ଘରକୁ ଯେ ଯାଅ ଏଥର । ମନେ ମନେ ଏହା ଭାବି ଅଜନ୍ତାର ପ୍ରବେଶ ପଥ ପାରହେଲୁ । ଏଥର କେତୋଟି ସିଡ଼ି ପାରହେଲେ ବସ୍‍ଷ୍ଟାଣ୍ଡ । ସୂର୍ଯ୍ୟ ପ୍ରାୟ ଅସ୍ତମିତ-। ସିଡ଼ିର ମୁହଁରେ ଠିଆହୋଇ ସଦାନନ୍ଦବାବୁ ଗାଇ ଉଠିଲେ ଗୁରୁବନ୍ଦନା । ଆମେମାନେ ସମସ୍ତେ କଣ୍ଠ ମିଳାଇ ନେଲୁ । ପଶ୍ଚିମ ଦିଗ୍‌ବଳୟୋପରି ଅସ୍ତମିତ ସୂର୍ଯ୍ୟଙ୍କ ଲାଲ ଆଭା ସଙ୍ଗେ ସମବେତ କଣ୍ଠରେ ଉଚ୍ଚାରିତ ଗୁରୁସ୍ତୋତ୍ରରେ ଇନ୍ଦ୍ରାଦ୍ରି ପର୍ବତ ମାଳାର ଗୁହା, କନ୍ଦର ପ୍ରକମ୍ପିତ ହୋଇ ଉଠିଲା-

 

ଗୁରୁବନ୍ଦନା

 

ସଂସାର ବୃକ୍ଷମାରୂଢ଼ଃ

ପତନ୍ତି ନରକାର୍ଣ୍ଣବେ

ଯେନୋଦ୍ଧୃତମିଦଂ ବିଶ୍ୱ

ତସ୍ମୈ ଶ୍ରୀ ଗୁରବେ ନମଃ ।

ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ

ଗୁରୁର୍ଦେବ ମହେଶ୍ୱରଃ

ଗୁରୁ ସାକ୍ଷାତ୍‌ ପରମ୍‌ବ୍ରହ୍ମ

ତସ୍ମୈ ଶ୍ରୀ ଗୁରବେ ନମଃ ।

ଅଜ୍ଞାନ ତିମିରାନ୍ଧସ୍ୟ

ଜ୍ଞାନାଞ୍ଜନ ଶଳାକୟା

ଚକ୍ଷୁରୁନ୍ମିଳୀତଂ ଯେନ

ତସ୍ମୈ ଶ୍ରୀ ଗୁରବେ ନମଃ ।

 

 

ଅଖଣ୍ଡ ମଣ୍ଡଳାକାରଂ

ବ୍ୟାପ୍ତଂ ଯେନ ଚରାଚରମ୍‌

ତତ୍‌ ପଦଂ ଦର୍ଶିତଂ ଯେନ

ତସ୍ମୈ ଶ୍ରୀ ଗୁରବେ ନମଃ ।

ସ୍ଥାବରଂ ଜଙ୍ଗମଂ ବ୍ୟାପ୍ତଂ

ଯତ୍‌କି୍ଞ୍ଚିତ୍‌ ସଚରାଚରମ୍‌

ତତ୍‌ ପଦଂ ଦର୍ଶିତଂ ଯେନ

ତସ୍ମୈ ଶ୍ରୀ ଗୁରବେ ନମଃ ।

ଚିନ୍ମୟଂ ବ୍ୟାପିତଂ ସର୍ବଂ

ତ୍ରିଲୋକ୍ୟ ସଚରାଚରମ୍‌

ତତ୍‌ ପଦଂ ଦର୍ଶିତଂ ଯେନ

ତସ୍ମୈ ଶ୍ରୀ ଗୁରବେ ନମଃ ।

 

 

ସର୍ବଶ୍ରୁତି ଶିରୋ ରତ୍ନ

ବିରାଜିତ ପଦାମ୍ବୁଜଃ

ବେଦାନ୍ତାମ୍ବୁଜ ସୂର୍ଯ୍ୟେପ-

ସ୍ତସ୍ମୈ ଶ୍ରୀ ଗୁରବେ ନମଃ ।

ଚୈତନ୍ୟଂ ଶାଶ୍ୱତଃ ଶାନ୍ତୋ

ବ୍ୟୋମାତୀତ ନିରଞ୍ଜନ

ବିନ୍ଦୁନାଥ କାଳାତୀତ

ସ୍ତସ୍ମୈ ଶ୍ରୀ ଗୁରବେ ନମଃ ।

ଜ୍ଞାନ ଶକ୍ତି ସମାରୂଢ଼

ସ୍ତତ୍ତ୍ୱମାଳା ବିଭୂଷିତଃ

ଭକ୍ତି ମୁକ୍ତି ପ୍ରଦାୟଚ

ତସ୍ମୈ ଶ୍ରୀ ଗୁରବେ ନମଃ ।

 

 

ଅନେକ ଜନ୍ମ ସଂପ୍ରାପ୍ତ

କର୍ମବନ୍ଧ ବିଦାହିନେ

ଆତ୍ମଜ୍ଞାନ ପ୍ରଦାନେନ

ତସ୍ମୈ ଶ୍ରୀ ଗୁରବେ ନମଃ ।

ଶୋଷଣଂ ଭବ ସିନ୍ଧୋଶ୍ଚ

ଜ୍ଞାପନଂ ସାର ସମ୍ପଦଂ

ଗୁରୋ ପାଦୋଦକଂ ସମ୍ୟକ୍‌

ତସ୍ମୈ ଶ୍ରୀ ଗୁରବେ ନମଃ ।

 

 

ନଗୁରୋ ରଧିକଂ ତତ୍ତ୍ୱଂ

ନଗୁରୋରଧିକଂ ତପଃ

ତତ୍ତ୍ୱଜ୍ଞାନାତ୍‌ପରଂନାସ୍ତି

ତସ୍ମୈ ଶ୍ରୀ ଗୁରବେ ନମଃ ।

ମନ୍ନାଥଃ ଶ୍ରୀ ଜଗନ୍ନାଥୋ

ମଦ୍‌ଗୁରୁଃ ଶ୍ରୀ ଜଗତ୍‌ ଗୁରୁଃ

ମଦାତ୍ମା ସର୍ବ ଭୂତାତ୍ମା

ତସ୍ମୈ ଶ୍ରୀ ଗୁରବେ ନମଃ ।

 

 

ଗୁରୁରାଦିର ନାଦିଶ୍ଚ

ଗୁରୁ ପରମ ଦୈବତମ୍‌

ଗୁରୋ ପରତରଂ ନାସ୍ତି

ତସ୍ମୈ ଶ୍ରୀ ଗୁରବେ ନମଃ ।

ଧ୍ୟାନ ମୂଳଂ ଗୁରୋର୍ମୂର୍ତ୍ତିଃ

ପୂଜା ମୂଳଂ ଗୁରୋପଦମ୍‌

ମନ୍ତ୍ର ମୂଳଂ ଗୁରୋର୍ବାକ୍ୟଂ

ମୋକ୍ଷ ମୂଳଂ ଗୁରୁକୃପା

 

 

ବ୍ରହ୍ମାନନ୍ଦମ୍‌ ପରମସୁଖଦଂ

କେବଳଂ ଧ୍ୟାନ ମୂର୍ତ୍ତିଂ

ଦ୍ୱାନ୍ଦାତୀତଂ ଗଗନ ସଦୃଶଂ

ତତ୍ତ୍ୱମସ୍ୟାଦି ଲକ୍ଷ୍ୟମ୍‌ ।

ଏକ ନିତ୍ୟଂ ବିମଳମଚଳଂ

ସର୍ବଦା ସାକ୍ଷି ଭୂତମ୍‌

ଭାବାତୀତଂ ତ୍ରୀଗୁଣରହିତଂ

ସଦ୍‌ଗୁରୁଂ ତଂ ନମାମି ।।

 

ଗୁରୁ ଓଁ ତତ୍‌ସତ୍‌, ଗୁରୁ ଓଁ ତତ୍‌ସତ୍‌, ଗୁରୁ ଓଁ ତତ୍‌ସତ୍‌ ।

 

-ଜୟଗୁରୁ-

Image